spot_img
Home Blog Page 4513

ବିଜୟ ପରେ ଯୋଗୀ ଜଣାଇଲେ ଧନ୍ୟବାଦ

ଲକ୍ଷ୍ନୌ: ଉତ୍ତର ପ୍ରଦେଶବାସୀ ବିଜେପି ଉପରେ ପୁନର୍ବାର ଭରସା ପ୍ରକଟ କରିଛନ୍ତି  । ଦେଶର ୪ ରାଜ୍ୟରେ ପ୍ରଚଣ୍ଡ ବହୁମତ ସହ ସରକାର ଗଢିବାକୁ ସମର୍ଥ ହୋଇଛି ଭାରତୀୟ ଜନତା ପାର୍ଟି  । ବିଜେପି ବିଜୟର ସମସ୍ତ ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଇଛନ୍ତି ଯୋଗୀ ଆଦିତ୍ୟନାଥ  । ସେହିପରି ଯୋଗୀ କହିଛନ୍ତି ଏ ବିଜୟ ସାଧାରଣ ଜନତାର ବିଜୟ  । ଭାରତୀୟ ଜନତା ପାର୍ଟି ସମଗ୍ର ଦେଶରେ ସୃଷ୍ଟି କରିଥିବା ନିଜର ଛବି ହିଁ ଏହାକୁ ପ୍ରତିପାଦନ କରିଛି  । ରାଷ୍ଟ୍ରର କଲ୍ୟାଣ ନିମନ୍ତେ ବିଜେପିର ପ୍ରତିଟି କର୍ମୀ ସମର୍ପିତ  । ତେଣୁ ରାଷ୍ଟ୍ରବାଦ-ବିକାଶ ଏବଂ ସୁଶାସନ ପାଇଁ ମିଳିଛି ଜନତାଙ୍କ ଏ ବିପୁଳ ଜନ-ସମର୍ଥନ  ।

ଉତ୍ତର ପ୍ରଦେଶରେ ବିଜେପିର ବମ୍ଫର ଜିତ ପରେ ନିବାସରୁ ବାହାରକୁ ବାହାରିଛନ୍ତି ପୋଷ୍ଟର ବୟ ଯୋଗୀ ଆଦିତ୍ୟନାଥ  । ଲକ୍ଷ୍ନୌରେ ଥିବା ରାଜ୍ୟ  ବିଜେପି କାର୍ଯ୍ୟାଳୟକୁ ଯାଇ ବିଜୟ ଉତ୍ସବ ପାଳିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଉତ୍ତରପ୍ରଦେଶ ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂ ଏବଂ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ ଉପସ୍ଥିତ ରହିଥିଲେ । ଯୋଗୀ ଆଦିତ୍ୟନାଥ ପହଁଚିବା ପରେ ଉପସ୍ଥିତି ହଜାର ହଜାର ସମର୍ଥକ ଯୋଗୀ ଆଦିତ୍ୟନାଥଙ୍କ ଉପରକୁ ଫୁଷ୍ପ ବର୍ଷା କରିଥିଲେ  । ମଞ୍ଚରେ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟାନ ନେତା ହୋଲି ଉତ୍ସବ ମଧ୍ୟ ପାଳନ କରିଥିଲେ  । ଏହାପରେ ଉପସ୍ଥିତ ସମର୍ଥକଙ୍କୁ ସମ୍ବୋଧନ କରିଥିଲେ ଯୋଗୀ  ।

ୟୁପି ହିଁ ଭାରତର କ୍ଷମତା କେନ୍ଦ୍ରକୁ ଶକ୍ତି ଦେଇଥାଏ  । ଉତ୍ତରପ୍ରଦେଶ ନିର୍ଧାରଣ କରିଥାଏ ଭବିଷ୍ୟତ  । ତେବେ ଉତ୍ତର ପ୍ରଦେଶବାସୀଙ୍କ ଆଭିମୁଖ୍ୟ ହିଁ ପୁଣି ଥରେ ୨୦୨୪ର ସରକାରକୁ ପ୍ରମାଣିତ କରିଥିବା କହିଛନ୍ତି ଯୋଗୀ ଆଦିତ୍ୟନାଥ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ରାଜ୍ୟବାସୀଙ୍କ ଅକୁଣ୍ଠ ଆଶୀର୍ବାଦକୁ ନେଇ ଆଗାମୀ ଦିନରେ ଉତ୍ତରପ୍ରଦେଶ ଶକ୍ତ ଓ ସାମର୍ଥ୍ୟବାନ ହେବ ବୋଲି କହିଥିଲେ ଯୋଗୀ  । ସେହିପରି ନିର୍ବାଚନରେ ଶାନ୍ତି ବଜାୟ ରଖିଥିବା ରାଜ୍ୟବାସୀ, ଶୃଙ୍ଖଳିତ ପରିଚାଳନା ନେଇ ନିର୍ବାଚନ ଆୟୋଗକୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରିଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ  ।

ପରାଜୟ ସ୍ବୀକାର କଲା କଂଗ୍ରେସ

ନୂଆଦିଲ୍ଲୀ: ୫ଟି ରାଜ୍ୟର ଫଳାଫଳ ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି । ପଞ୍ଜାବ ଜନତା କଂଗ୍ରେସକୁ ପ୍ରତ୍ୟାଖାନ କରି ଆମ ଆଦମୀ ପାର୍ଟିକୁ ୫ ବର୍ଷ ପାଇଁ କ୍ଷମତା ପ୍ରଦାନ କରିଛନ୍ତି । ଅନ୍ୟ ୪ଟି ରାଜ୍ୟ ଉତ୍ତର ପ୍ରଦେଶ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁରରେ କଂଗ୍ରେସର ଶୋଚନୀୟ ପରାଜୟ । ଭୋଟ ଗଣତି ଆରମ୍ଭରୁ ଉତ୍ତରାଖଣ୍ଡରେ ବିଜେପିକୁ କଂଗ୍ରେସ କଡା ଟକ୍କର ଦେବା ଭଳି ମନେ ହେଉଥିବା । ହେଲେ ଦିନ ବଢିବା ସହ କଂଗ୍ରେସର ସରକାର ଗଠନର ଆଶା ଅସ୍ତ ହୋଇଯାଇଥିଲା । ୫ଟି ରାଜ୍ୟରେ ଜନମତ ଦଳ ବିରୋଧରେ ଯିବା ପରେ ପରାଜୟ ସ୍ବୀକାର କରିଛି ଏହି ସର୍ବ ପୁରାତନ ଜାତୀୟ ଦଳ ।

ବରିଷ୍ଠ କଂଗ୍ରେସ ନେତା ରଣଦୀପ ସୁରଜଓ୍ବାଲା ସାମ୍ବାଦିକ ସମ୍ମିଳନୀ କରି ଦଳର ପରାଜୟ ସ୍ବୀକାର କରିଛନ୍ତି । ସେ କହିଛନ୍ତି, ‘ଆମେ ଲୋକଙ୍କ ସମସ୍ୟା, ଦରଦାମ ବୃଦ୍ଧି, ବେକାରୀ, ଅର୍ଥବ୍ୟବସ୍ଥା, ଶିକ୍ଷା, ସ୍ବାସ୍ଥ୍ୟ ଓ ବିକାଶ ପ୍ରସଙ୍ଗକୁ ଆଗକୁ ଉଠାଇବା ଜାରି ରଖିବୁ । ପରାଜୟକୁ ନେଇ ଆମେ ସମୀକ୍ଷା କରିବୁ । ଭବିଷ୍ୟତରେ କଂଗ୍ରେସକୁ ହୃଢ କରିବା ପାଇଁ କାମ କରିବୁ ।’

ସେ ଆହୁରି କହିଛନ୍ତି, ‘କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ନିଷ୍ପତ୍ତି ନେଇଛନ୍ତି ଯେ, ଶୀଘ୍ର କାର୍ଯ୍ୟକାରୀ ସମିତିର ବୖଠକ ଡାକି ୫ଟି ରାଜ୍ୟରେ କଂଗ୍ରେସ ପରାଜୟର ସମୀକ୍ଷା କରିବେ ।’

ସେ ଆଗକୁ ଆହୁରି କହିଛନ୍ତି, ‘ଆମେ ନିର୍ବାଚନ ଫଳାଫଳକୁ ନେଇ ନିରାଶ ହୋଇଛୁ ସତ, ହେଲେ ହତାଶ ହୋଇନାହୁଁ । ଆମେ ନିର୍ବାଚନରେ ପରାଜିତ ହୋଇଛୁ, ହେଲେ ଦମ୍ବ ହରାଇ ନାହୁଁ । ନଜିତିବା ପର୍ଯ୍ୟନ୍ତ ଆମେ ଲଢେଇ ଜାରି ରଖିବୁ । ଆମେ ପରିବର୍ତ୍ତନ ସହ ଫେରିବୁ । ଏହା ଜନତାଙ୍କ ବିଜୟ ହେବ । ୫ଟି ରାଜ୍ୟର ଜନତାଙ୍କୁ ଉଜ୍ବଳ ଭବିଷ୍ୟତ ପାଇଁ ଶୁଭକାମନା ।’

ଜାଣନ୍ତୁ, ମୁଖ୍ଯମନ୍ତ୍ରୀ ଚନ୍ନୀଙ୍କୁ ହରାଇଥିବା ଲାଭ ସିଂ କ’ଣ କରନ୍ତି ?

ଅମୃତସର: ପଞ୍ଜାବରେ ଓଲଟିଗଲା ସବୁ ଗଣିତ  । କାମ କଲାନି ରାଜନୈତିକ ରଣନିତୀକାରଙ୍କ ମାଷ୍ଟରପ୍ଲାନ  । ମୁଖ୍ୟମନ୍ତ୍ରୀଙ୍କୁ ପରାଜୟର ସ୍ୱାଦ ଚଖେଇ ଦେଲେ ଜଣେ ସାମାନ୍ୟ ମୋବାଇଲ ଦୋକାନୀ  । ହଁ, ଏମିତି କିଛି ରାଜନୈତିକ ଗଣିତ ଏଥର ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି  । ପଞ୍ଜାବ କଂଗ୍ରେସର ପୋଷ୍ଟର ବୟ ତଥା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚରଣଜିତ ଚନ୍ନୀ ପରାଜିତ ହୋଇଛନ୍ତି  । କିନ୍ତୁ ପରାଜିତ କରିଥିବା ପ୍ରତିଦ୍ୱନ୍ଦୀ କୌଣସି ପ୍ରତିପତ୍ତି କିମ୍ବା ହେଭିୱେଟ ନେତା ନୁହେଁନ୍ତି ବଂର ସେ ହେଉଛନ୍ତି ମୋବାଇଲ ଦୋକାନରେ କାର୍ଯ୍ୟକରୁଥିବା ଜଣେ ସାଧାରଣ ଯୁବକ  । ଚରଣଜିତ ଚନ୍ନି ଦୁଇଟି ଆସନରୁ ନିର୍ବାଚନ ଲଢିଥିବାବେଳେ ଭଦୌର ଆସନକୁ ସୁରକ୍ଷିତ ମଣିଥିଲେ ଚନ୍ନୀ  । ଚନ୍ନୀଙ୍କ ପ୍ରତିଦ୍ୱନ୍ଦୀ ଭାବେ ଉଭା ହୋଇଥିଲେ ଆମ ଆଦମୀ ପାର୍ଟିର ପ୍ରାର୍ଥୀ ଲାଭ ସିଂ  ।

ଚରଣଜିତ ଚନ୍ନୀ ପୂର୍ବରୁ ମୁଖ୍ୟମନ୍ତ୍ରୀ ରହିଥିଲେ, ଚଳିତ ନିର୍ବାଚନରେ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରହିଥିଲେ  । କିନ୍ତୁ ପ୍ରତିଦ୍ୱନ୍ଦୀ ଲାଭ ସିଂ ଥିଲେ ଗୋଟିଏ ମୋବାଇଲ ଦୋକାନର କର୍ମଚାରୀ  । ସେହିପରି ଲାଭ ସିଂଙ୍କ ମାଆ  ସରକାରୀ ବିଦ୍ୟାଳୟର ସଫେଇ କର୍ମଚାରୀ ରହିଛନ୍ତି  । ତାଙ୍କ ବାପା ଜଣେ ସାଧାରଣ କୃଷକ  । ତେବେ କେଜ୍ରାୱାଲ ମଧ୍ୟ ଲାଭ ସିଂଙ୍କ ପାଇଁ ପ୍ରଚାର କରିବାକୁ ଗସ୍ତ କରିଥିଲେ   । ସାଧାରଣ ଭୋଟରଙ୍କୁ ନିବେଦନ କରିଥିଲେ, କହିଥିଲେ ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କୁ ହରାଇବା ପାଇଁ ପ୍ରାର୍ଥୀ ହୋଇଛନ୍ତି ଲାଭ ସିଂ  । ଯିଏ ଜଣେ ସାଧରଣ ଯୁବକ  ।

ଆମ ଆଦମୀ ର ତାକତ ଏବଂ କାର୍ଯ୍ୟପନ୍ଥାକୁ ଉଲ୍ଲେଖ କରିଥିଲେ କେଜ୍ରିୱାଲ  । କହିଥିଲେ ପ୍ରାର୍ଥୀ ହୋଇଥିବା ଲାଭ ଏବଂ ମାତ୍ର କେବଳ ଦୁଇଟି ଛୋଟିଆ ବଖରା ଘର ଭିତରେ ବାସ କରୁଛନ୍ତି  ।  ନିର୍ବାଚନୀ ପ୍ରଚାରରେ ଆପ ମୁଖ୍ୟ କେଜ୍ରାୱାଲ ଲାଭ ସିଂଙ୍କ ଗାଁକୁ ଗସ୍ତ କରିଥିଲେ  । ସାଧାରଣ ଲୋକଙ୍କ ସହ ମିଶିଥିଲେ  । ଲାଭ ସିଂ ଙ୍କୁ ଭୋଟ ଦେବାକୁ ଅନୁରୋଧ କରିଥିଲେ  । ତେବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ଚନ୍ନୀଙ୍କୁ ହରାଇଥିବା ନବ ନିର୍ବାଚନତ ବିଧାୟକ ଲାଭ ସିଂଙ୍କୁ ନେଇ ଏବେ ସମଗ୍ର ଦେଶରେ ଚର୍ଚ୍ଚା  । ରାଜନିତୀରେ ନଥିବା  ଜଣେ ସାମାନ୍ୟ ଯୁବକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ହରାଇ ପାରନ୍ତି, ତାହାକୁ ବାସ୍ତବରେ ପ୍ରତିପାଦନ କରିଛନ୍ତି  ।

ରାଜନୀତିରେ ଫେଲ୍: ‘କପିଲ ଶର୍ମା ଶୋ’କୁ ଫେରିବେ ସିଦ୍ଧୁ !

ନୂଆଦିଲ୍ଲୀ: ହିନ୍ଦିରେ ଏକ ଲୋକକଥା ରହିଛି ‘କ୍ୟା ସେ କ୍ୟା ହୋ ଗୟା, ବେବଫା ତେରେ ପ୍ୟାର ମୈ…’ । ପଞ୍ଜାବ ରାଜନୀତିରେ ନବଜ୍ୟୋତି ସିଂ ସିଦ୍ଧୁଙ୍କ ପାଇଁ ଏହି ଉକ୍ତିଟି ବର୍ତ୍ତମାନ ଶତ ହେବାକୁ ଯାଉଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଆସନ ସିଦ୍ଧୁଙ୍କୁ ଧୋକ୍କା ଦେଇଛି । ଦଳ ଭାଙ୍ଗିଲେ, ବିରୋଧୀଙ୍କ ଶିବିରରେ କେଁ ପୂରାଇଲେ । ନିଜ ଦଳକୁ ବି ଛାଡ଼ିଲେ ନାହିଁ । ନିର୍ବାଚନରେ ଜିତି ମୁଖ୍ୟମନ୍ତ୍ରୀ ହେବା ଆଶାରେ ପଞ୍ଜାବ କଂଗ୍ରେସର ସ୍ଥିର ଓ ନିର୍ମଳ ପୋଖରୀକୁ ପୂରା ଗୋଳିଆ କରି ଦେଲେ । ହେଲେ ଆଶା, ଆଶାରେ ରହିଗଲା । ଜନତା ଏହି ବଡ଼ କୁହା ନେତାଙ୍କୁ ତାଙ୍କ ସ୍ଥାନ ଦେଖାଇ ଦେଇଛନ୍ତି । ଏବେ ସୋସିଆଲ ମିଡ଼ିଆରେ ସିଦ୍ଧୁଙ୍କୁ ନେଇ ଗୋଟିଏ କଥା ଭାଇରାଲ ହେବାରେ ଲାଗିଛି । ତାହା ହେଉଛି ‘ଦି କପିଲ ଶର୍ମା ଶୋ’କୁ ଫେରିବେ ସିଦ୍ଧୁ ।

କୁହାଯାଉଛି, ସିଦ୍ଧୁଙ୍କ ରାଜନୈତିକ କ୍ୟାରିୟର ଶେଷ ହୋଇଯାଇଛି । ଏବେ କ୍ୟାମେରା ଆଗରେ ମୁହଁ ଦେଖାଇବାକୁ ଓ ଚର୍ଚ୍ଚାରେ ରହିବାକୁ ହେଲେ ସିଦ୍ଧୁଙ୍କ ପାଇଁ ଏକମାତ୍ର ସାହାରା କପିଲ ଶର୍ମା । ସୋସିଆଲ ମିଡ଼ିଆରେ ୟୁଜର୍ସ ଏହାକୁ ନେଇ ନାନା ପ୍ରକାର ପୋଷ୍ଟ କରିବାରେ ଲାଗିଛନ୍ତି । କେହି କେହି ପୋଷ୍ଟ କରି ଲେଖିଛନ୍ତି, ‘କପିଲଙ୍କ ଶୋ’ରେ ଅର୍ଚ୍ଚନା ପୁରଣ ସିଂଙ୍କୁ ଏବେ ଜଜ୍ ଚୌକି ଛାଡ଼ିବାକୁ ପଡିବ ।’ ଅନ୍ୟପକ୍ଷରେ ସିଦ୍ଧୁଙ୍କ ପରାଜୟରେ ତାଙ୍କର କିଛି ଫ୍ୟାନ୍ ବହୁତ ଖୁସି ଥିବା ପରି ମନେ ହେଉଛି । ସିଦ୍ଧୁଙ୍କ ପାଇଁ ପ୍ରାୟ ସବୁ ରାସ୍ତା ବନ୍ଦ ହେବା ଭଳି ଲାଗୁଥିବା ବେଳେ ତାଙ୍କୁ ପୁଣି ଥରେ କପିଲଙ୍କ ଶୋ’ରେ ଦେଖିବାକୁ ତାଙ୍କ ପ୍ରଶଂସକ ଅନାଇ ବସିଛନ୍ତି ।

କପିଲଙ୍କ ଶୋ’କୁ ଫେରି ପାରିବେନି ସିଦ୍ଧୁ

https://twitter.com/ashokepandit/status/1501863120498610177

ସିଦ୍ଧୁଙ୍କୁ କପିଲ ଶର୍ମା ଶୋ’ରେ ଦେଖିବାକୁ ଇଚ୍ଛୁକ ଲୋକଙ୍କ ଏ ଆଶା ପୂରଣ ହେବନି । ଯାହା ଉପରେ ମୋହର ମାରିଛନ୍ତି ଫିଲ୍ମ ନିର୍ଦ୍ଦେଶକ ଅଶୋକ ପଣ୍ଡିତ । ଅଶୋକ ଏକ ଟ୍ବିଇଟ୍ କରି ସ୍ପଷ୍ଟ କରି ଦେଇଛନ୍ତି ଯେ, ଚାହିଁଲେ ବି ସିଦ୍ଧୁ, କପିଲଙ୍କ ଶୋ’କୁ ଫେରି ପାରିବେ ନାହିଁ । ସେ ଟ୍ବିଇଟରେ ଲେଖିଛନ୍ତି, ‘ଫେଡେରେସନ ଅଫ୍ ଓ୍ବେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ଲୋଇଜ୍’ ସିଦ୍ଧୁଙ୍କ ଉପରେ ପାକିସ୍ତାନକୁ ସମର୍ଥନ କରିବାକୁ ନେଇ ନନ୍ କୋଅପରେସନ ଇସ୍ୟୁ ଲଗାଇଛି । ଏହାର ଅର୍ଥ ସିଦ୍ଧୁ ‘ଦି କପିଲ ଶର୍ମା ଶୋ’କୁ ଫେରି ପାରିବେ ନାହିଁ ।

ଫ୍ୟୁଜ୍ ହେଲା ହେଭିୱେଟଙ୍କ ହାଇଭୋଲଟେଜ୍, କିଏ କେଉଁଠୁ ପରାଜିତ ?

ନନ୍ଦିଘୋଷ ବ୍ୟୁରୋ:  ଜନାଦେଶ ଆଗରେ କାମ କରିନି ହେଭିୱେଟଙ୍କ ହାଇଭୋଲଟେଜ  । ଜନତା ବାଛିଛନ୍ତି ନିଜ ପସନ୍ଦ ମୁତାବିକ ନେତା  । ଚୟନ କରିଛନ୍ତି ଜନ ପ୍ରତିନିଧି  । ପାଞ୍ଚ ରାଜ୍ୟର ଫଳାଫଳ ସ୍ପଷ୍ଟ ହେବାରେ ଲାଗିଛି  । ଉତ୍ତର ପ୍ରଦେଶରେ ପୁନର୍ବାର ବିଜେପି ବାଜିମାତ କରିଛି  । ପୁନର୍ବାର ୟୁପିବାସୀ ବାବାଙ୍କୁ ବାଛିଛନ୍ତି  । ୟୁପି ସମେତ ୪ ରାଜ୍ୟରେ ବିଜେପି ପୁନଃଶ୍ଚ ସରକାର ଗଢିବାକୁ ଯାଉଛି  । ପଞ୍ଜାବରେ ପ୍ରଥମ ଥର ପାଇଁ  ଆମ ଆଦମୀ ପାର୍ଟି ବହୁମତ ହାସଲ କରିବା ସହ ସରକାର ଗଢିବାକୁ ସମର୍ଥ ହୋଇଛି  । କିନ୍ତୁ ନିର୍ବାଚନର ଫଳାଫଳରେ ହେବିୱେଟଙ୍କ ଜଲୱା ମଳିନ ପଡିଯାଇଛି  । ସତ୍ତାକୁ ସମ୍ଭାଳି ଧରିବା ପାଇଁ ମନସ୍ତିର କରିଥିବା ଅନେକ ନେତା ନିର୍ବାଚନରେ ପରାଜିତ ହୋଇଛନ୍ତି  ।

ୟୁପିରୁ ଉତ୍ତରାଖଣ୍ଡ, ମଣିପୁରରୁ ଗୋଆ ସବୁଠି ପରାସ୍ତ ହୋଇଛନ୍ତି ଅନେକ ହାଇଭୋଲଟେଜ ନେତା  । ପଞ୍ଜବାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚରଣଜିତ୍ ଚନ୍ନୀ ଦୁଇଟି ବିଧାନସଭା ଆସନରେ ପ୍ରାର୍ଥୀ ହୋଇଥିବାବେଳେ ଉଭୟ ଆସନରୁ ପରାସ୍ତ ହୋଇଛନ୍ତି  । ସେହିପରି ପଞ୍ଜାବ କଂଗ୍ରେସରେ ବିସ୍ଫୋରଣ ପରିସ୍ଥିତି ସୃଷ୍ଟି କରିଥିବା ନବଜ୍ୟୋତ ସିଂ ସିଦ୍ଧୁ ମଧ୍ୟ ହାରିଯାଇଛନ୍ତି  । କେବଳ ଏତିକି ନୁହେଁ ଉତ୍ତରାଖଣ୍ଡରେ ବିଜେପି ସରକାର ଗଢିବାକୁ ବହୁମତ ହାସଲ କରିଥିବାବେଳେ ମୁଖ୍ୟମନ୍ତ୍ରୀ ପୁସ୍କର ସିଂ ଧାମୀ ବିଧାୟକ ଭାବେ ଜିତିବାରେ ସକ୍ଷମ ହୋଇନାହାଁନ୍ତି  । ଖଟିମା ଆସନରୁ ପ୍ରାର୍ଥୀ ହୋଇଥିବା ପୁଷ୍କର ସିଂ ଧାମୀ ପରାଜିତ ହୋଇଛନ୍ତି  ।

 

ଅନ୍ୟପଟେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ତଥା ଉତ୍ତରାଖଣ୍ଡ କଂଗ୍ରେସର ଶୀର୍ଷ ନେତା ହରିଶ ରାୱତ ମଧ୍ୟ ପରାଜୟ ବରଣ କରିଛନ୍ତି  । ହରିଶ ରାୱତ କେବଳେ କଂଗ୍ରେସର ପୋଷ୍ଟର ବୟ ନୁହଁନ୍ତି, ହରିଶ ରାୱତ ହେଉଛନ୍ତି ଦୁଇ ଦୁଇ ଥରର ମୁଖ୍ୟମନ୍ତ୍ରୀ  ।   ଲାଲକାନ ଆସନରୁ ପରାଜୟବରଣ କରିଛନ୍ତି । ବିଜେପିର ମୋହନ ସିଂ ବିଶ୍ୱ ହରିଶ ରାୱତଙ୍କୁ ୧୪ ହଜାର ଭୋଟରେ ପରାସ୍ତ କରିଛନ୍ତି । ଅନ୍ୟପଟେ ଉତ୍ତର ପ୍ରଦେଶର ଓବିସି ଚେହେରା ତଥା ପଛୁଆ ବର୍ଗ ଭୋଟ ବ୍ୟାଙ୍କକୁ ନିଜ ପାଖରେ ରଖିଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ପାରଜିତ ହୋଇଛନ୍ତି  । ଫାଜିଲନଗର ଆସନରୁ ସମାଜବାଦୀ ପାର୍ଟ୍ଟି ପ୍ରାର୍ଥୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ପ୍ରାର୍ଥୀ ହୋଇଥିଲେ  । ପୂର୍ବରୁ ବିଜେପିରେ ଥିବାବେଳେ ନିକଟରେ ବିଜେପିରୁ ଇସ୍ତଫା ଦେଇ ସମାଜବାଦୀ ପାର୍ଟ୍ଟିରେ ଯୋଗଦାନ କରିଥିଲେ  । ଅଖିଳେଶ ଯାଦବଙ୍କ ସହ ମିଶି ୟୁପିରେ ଯୋଗୀ ବିରୋଧୀ ବାତାବରଣ ସୃଷ୍ଟି କରିଥିଲେ  । ବିଜେପିରୁ ଅନେକ ନେତା ମନ୍ତ୍ରୀଙ୍କୁ ସପାରେ ଯୋଗଦାନ କରାଇବାରେ ନିଭାଇଥିଲେ ପ୍ରମୁଖ ଭୂମିକା  । କିନ୍ତୁ ନିଜେ ସ୍ୱାମୀ ପ୍ରସାଦ ଚଳିତ ନିର୍ବାଚନରେ ପରାଜୟ ସ୍ୱୀକାର କରିଛନ୍ତି  ।

ପଞ୍ଜାବରେ ପୁନର୍ବାର ସରକାର ଗଢିବାକୁ ସମସ୍ତ ପ୍ରକାର ଋଣନିତୀ ପ୍ରସ୍ତୁତ କରିସାରିଥିବା କଂଗ୍ରେସ ୧୭ରେ ସିମୀତ ରହିଯାଇଛି  । ପଞ୍ଜାବରେ ଅନେକ ବରିଷ୍ଠ ନେତା ମଧ୍ୟ ଆପର ହାୱାରେ ଧୂଳିସାତ ହୋଇଯାଇଛନ୍ତି  । ସିରୋମଣୀ ଅକାଳୀ ଦଳର ପ୍ରମୁଖ ସୁଖବୀର ସିଂ ବାଦଲ ମଧ୍ୟ ନିର୍ବାଚନରେ ହାରିଯାଇଛନ୍ତି  । ଜଲାଲବାଦ ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ ହୋଇଥିଲେ ସୁଖବୀର ସିଂ ବାଦଲ  । ବିପକ୍ଷ ପ୍ରାର୍ଥୀ ତଥା ଆମ ଆଦମୀ ପାର୍ଟି ପ୍ରାର୍ଥୀ ଜଗଦୀପ କଂବୋଜ ଏଠାରେ ନିର୍ବାଚିତ ହୋଇଛନ୍ତି  । ଏଠାରେ ଆପ ପ୍ରାର୍ଥୀ କେବଳ ବିଜୟ ହାସଲ କରିନାହାଁନ୍ତି ଏକ ବଡ଼ ବ୍ୟବଧାନରେ ପ୍ରକାଶ ସିଂ ବାଦଲଙ୍କୁ ପରାଜିତ କରିଛନ୍ତି  । ୨୭ ହଜାର ୪୨୨ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି ସିରୋମଣୀ ଅକାଳୀ ଦଳର ପ୍ରମୁଖ ନେତା  ।

କ୍ୟାପଟେନ ଅମରିନ୍ଦର ସିଂ ପୂର୍ବରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ରହିଥିଲେ  । କଂଗ୍ରେସରୁ ଇସ୍ତଫା ଦେବାପରେ ପଞ୍ଜାବ ଲୋକ କଂଗ୍ରେସ ନାମରେ ଏକ ଆଞ୍ଚଳିକ ଦଳ ଗଢିଥିଲେ  । ପରବର୍ତ୍ତୀ ସମୟରେ ବିଜେପି ସହ ଗଠବନ୍ଧନ ନେଇ ମଧ୍ୟ ଘୋଷଣା କରିଥିଲେ  ଅମରିନ୍ଦର ସିଂ  । କ୍ୟାପଟେନ ଚଳିତ ବିଧାନସଭା ନିର୍ବାଚନରେ ପଟିୟାଲା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବାବେଳେ ବିପକ୍ଷରେ ପ୍ରତିଦ୍ୱନ୍ଦିତା କରୁଥିଲେ ଆପ ପ୍ରାର୍ଥୀ ଅଜିତ ପାଲ ସିଂ  । ତେବେ ଅଜିତ ପାଲ କ୍ୟାପଟେନଙ୍କୁ ୧୯ ହଜାର ୮୭୩ ଭୋଟରେ ପରାସ୍ତ କରିଛନ୍ତି  । ଅର୍ଥାତ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଚଳିତ ନିର୍ବାଚନରେ ପରାଜିତ ହୋଇଛନ୍ତି  ।

ସେହିପରି ସିରୋମଣି ଅକାଳୀ ଦଳର ବଡ଼ ନେତା ପ୍ରକାଶ ସିଂ ବାଦଲ ମଧ୍ୟ ଧରାଶାୟୀ ହୋଇଛନ୍ତି  । ଲମ୍ବୀ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ପ୍ରକାଶ ସିଂ ବାଦଲ  । ପ୍ରତିଦ୍ୱନ୍ଦୀ ଥିଲେ ଆପର ପ୍ରାର୍ଥୀ ଗୁରମୀତ ସିଂ  ଖୁଦିୟା  । ତେବେ ପ୍ରକାଶ ସିଂ ବାଦଲଙ୍କ ଭଳି ହାଭିୱେଟ ନେତା ମଧ୍ୟ ୧୧, ୩୯୬ ଭୋଟରେ ପରାଜିତ ହୋଇଛନ୍ତି  । ପଞ୍ଜାବରେ ମୁଖ୍ୟତଃ ଆମ ଆଦମୀ ପାର୍ଟିକୁ ସାଧାରଣ ଭୋଟର ଗ୍ରହଣ କରିଛନ୍ତି  । ପ୍ରପକ୍ଷରେ ଥିବା ସମସ୍ତ ବରିଷ୍ଠ ନେତାଙ୍କୁ ପରାଜୟର ଦ୍ୱାରଦେଶରେ ଛାଡିଦେଇଛନ୍ତି ପଞ୍ଜାବବାସୀ  । ସେପଟେ ପ୍ରଥମଥର ପାଇଁ ଆପ ଦିଲ୍ଲୀ ପରେ ପଞ୍ଜାବରେ ସରକାର ଗଠନ କରିବାକୁ ଯାଉଛି  । ଅନ୍ୟପଟେ ଯଦି ନିର୍ବାଚନୀ ଗଣିତ ଦେଖିବା ତେବେ ୩୧ ବର୍ଷ ପରେ ୟୁପିରେ କୌଣସି ଏକ ରାଜନୈତିକ ଦଳ ଦ୍ୱିତୀୟ ଥର ପାଇଁ ସରକାରକୁ ଫେରିଛି  । ଅନ୍ୟପଟେ ଇତିହାସରେ ପ୍ରଥମ ଥର ପାଇଁ ଉତ୍ତରାଖଣ୍ଡରେ ବିଜେପି ଦ୍ୱିତୀୟ ଥର ପାଇଁ ସରକାର ଗଢିବାକୁ ଯାଉଛି  ।

 

ଉତ୍ତରାଖଣ୍ଡରେ ଇତିହାସ: ପୁଣି ସତ୍ତାକୁ ଫେରିଲା ବିଜେପି

ଡେରାଡୁନ: ୨୧ ବର୍ଷର ରେକର୍ଡ ଭାଙ୍ଗି ନୂଆ ଇତିହାସ ଲେଖିଲେ ଉତ୍ତରାଖଣ୍ଡ ଜନତା । ବିଧାନସଭା ନିର୍ବାଚନରେ ସରକାରୀ ଦଳର ପରାଜୟ ରେକର୍ଡ ଭାଙ୍ଗି ପୁଣି ସରକାର ଗଠନ କରିବାକୁ ଯାଉଛି ବିଜେପି । ହେଲେ ବିଜେପିର ଏହି ଇତିହାସ ଲେଖିବାରେ କର୍ଣ୍ଣଧାର ସାଜିଥିବା ନେତା ତଥା ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀ ନିଜେ ପରାଜିତ ହୋଇଛନ୍ତି ।

୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡ ବିଧାନସଭାରେ ବର୍ତ୍ତମାନ ଭୋଟ ଗଣତି ସୁଦ୍ଧା ବିଜେପି ୪୮ ଆସନ ଆଗରେ ରହିଛି । କଂଗ୍ରେସ ୧୮ ଆସନରେ ଆଗରେ ଥିବା ବେଳେ ଅନ୍ୟାନ୍ୟ ୪ଟି ଆସନରେ ଆଗରେ ରହିଛନ୍ତି । ସରକାର ଗଠନ ପାଇଁ ୩୬ ଆସନ ଆବଶ୍ୟକ ଥିବା ବେଳେ ବହୁମତଠାରୁ ବହୁ ଆଗରେ ରହିଛି ବିଜେପି ।

ଉତ୍ତରାଖଣ୍ଡ ଗଠନ ପରେ ୨୦୨୨ରେ ପଞ୍ଚମ ଥର ଲାଗି ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ୨୧ ବର୍ଷ ଇତିହାସରେ ପୂର୍ବ ୪ଟି ବିଧାନସଭା ନିର୍ବାଚନରେ ବିରୋଧୀ ଦଳ ସରକାରକୁ ଆସିଥିଲେ । ଅର୍ଥାତ ସରକାରୀ ଦଳଙ୍କୁ ଏଠାରେ ପରାଜୟ ଦେଖିବାକୁ ମିଳିଥିଲା । ଉତ୍ତରାଖଣ୍ଡ ଜନତାଙ୍କ ଏହି ମୁଡକୁ ନେଇ କଂଗ୍ରେସ ଆଶାବାଦୀ ହୋଇଯାଇଥିଲା । ପ୍ରତିଥର ଭଳି ଜନତା ବିଜେପିକୁ ହଟାଇ ପୁଣି ଥରେ କଂଗ୍ରେସକୁ କ୍ଷମତାକୁ ଫେରାଇବେ ବୋଲି ଦଳ ଧରି ନେଇଥିଲା । କଂଗ୍ରେସ ହେବିଓ୍ବେଟ୍ ନେତା ମଧ୍ୟ ରାଜ୍ୟରେ ଡେରା ପକାଇ ପ୍ରଚାରକୁ ଜୋରଦାର କରିଥିଲେ । ହେଲେ, ଜନତା ବିଜେପିକୁ ଦ୍ବିତୀୟ ଥର କ୍ଷମତାକୁ ଆଣିବାକୁ ମନ ସ୍ଥିର କରି ନେଇଥିଲେ । ଯାହାର ଫଳାଫଳ ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି ।

ନିଜ ସିଟ୍ ବଞ୍ଚାଇ ପାରିଲେନି ପୁଷ୍କର

ବିଜେପିକୁ ଜିତାଇ ଇତିହାସ ଲେଖିବାକୁ ଯାଉଥିବା ପୁଷ୍କର ଧାମୀ କିନ୍ତୁ ନିଜ ଆସନ ଖଠିମାରୁ ପରାଜିତ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଭୁବନ ଚନ୍ଦ୍ର କାପଡି ମୁଖ୍ୟମନ୍ତ୍ରୀ ଧାମୀଙ୍କୁ ୬୦୦୦ ଭୋଟରେ ପରାସ୍ତ କରିଛନ୍ତି । ପୂର୍ବରୁ ଏହି ଆସନରୁ ଦୁଇ ଥର ବିଧାୟକ ହୋଇ ଉତ୍ତରାଖଣ୍ଡ ବିଧାନସଭାକୁ ଯାଇଥିବା ଧାମୀଙ୍କୁ ସ୍ଥାନୀୟ ଜନତା ପ୍ରତ୍ୟାଖାନ କରିଛନ୍ତି । ଧାମୀଙ୍କ ପରାଜୟ ପରେ ଏବେ ପ୍ରଶ୍ନ ଉଠୁଛି, ଉତ୍ତରାଖଣ୍ଡରେ ଏବେ ବିଜେପି କହାକୁ ମୁଖ୍ୟମନ୍ତ୍ରୀ କରିବେ ।

ଜଣଙ୍କୁ ଛାଡ଼ି ହାରିଲେ ସବୁ ମୁଖ୍ୟମନ୍ତ୍ରୀ 

ମଜାଦାର କଥା ହେଲେ ଉତ୍ତରାଖଣ୍ଡରେ ନିର୍ବାଚନ ଲଢିଥିବା ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରୁ ଜଣଙ୍କୁ ଛାଡି ସମସ୍ତ ମୁଖ୍ୟମନ୍ତ୍ରୀ ପରାଜିତ ହୋଇଛନ୍ତି । ଭଗତ ସିଂହ କୋଶ୍ୟାରୀ ବିଜୟୀ ହୋଇଥିବା ବେଳେ ଧାମୀଙ୍କ ସହ ଅନ୍ୟ ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ପରାଜିତ ହୋଇଛନ୍ତି ।

ଗୋଆରେ ବିଜେପି ସରକାର ଗଠନ ପାଇଁ ଦାବି କରିବେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ

ପାଣାଜୀ: ଗୋଆରେ ପୁଣି ଥରେ ସରକାର ଗଠନ ପାଇଁ ବିଜେପି ଆରମ୍ଭ କରି ଦେଇଛି ପ୍ରସ୍ତୁତି । ବର୍ତ୍ତମାନ ସୁଦ୍ଧା ଭୋଟ ଗଣତିରେ ବିଜେପି ୨୦ ଆସନରେ ଆଗରେ ରହିଛି । ବହୁମତଠାରୁ ଦଳ ଗୋଟିଏ ଆସନ ପଛରେ ରହିଛି । ହେଲେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ସରକାର ଗଠନ କରିବାକୁ ସନ୍ଧ୍ୟାରେ ରାଜ୍ୟପାଳଙ୍କ ପାଖରେ ଦାବି ରଖିବେ ବୋଲି କହି ସାରିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ୧୨ ଆସନରେ ଆଗରେ ଥିବା ବେଳେ ଆମ ଆଦମୀ ପାର୍ଟି ୨ଟି ଓ ଅନ୍ୟନ୍ୟ ୬ ଟି ଆସନରେ ଆଗରେ ଅଛନ୍ତି ।

ଆଗରେ ଥିବା ୩ ଜଣ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥନ ବିଜେପି ସହ ଥିବା ମୁଖ୍ୟମନ୍ତ୍ରୀ ପ୍ରମୋଦ କହିଛନ୍ତି । ମୁଖ୍ୟମନ୍ତ୍ରୀ ୩୮୧ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ପ୍ରମୋଦଙ୍କୁ ୧୧ ହଜାର ୭୯୫ ଭୋଟ ମିଳିଥିବା ବେଳେ ପ୍ରତିଦ୍ବନ୍ଦ୍ବି କଂଗ୍ରେସ ପ୍ରାର୍ଥୀ ଧର୍ମେଶ ସଗଲାନୀଙ୍କୁ ୧୧ ହଜାର ୪୧୪ ଭୋଟ ମିଳିଛି ।

ଗୋଆରେ ଆରମ୍ଭ ହେଲା ସ୍ୱଚ୍ଛ ରାଜନୀତି: ଅରବିନ୍ଦ କେଜିରୱାଲ

ନୂଆଦିଲ୍ଲୀ:ଗୋଆ ବିଧାନସଭା ନିର୍ବଚନରେ ଆମ ଆଦମୀ ପାର୍ଟି  ତାର ଉପସ୍ଥିତି ଜାହିର କରିଛି । ଆମ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜିରୱାଲ ଏନେଇ ଟ୍ୱିଟ କରି କହିଛନ୍ତି ଯେ, ତାଙ୍କ ପାର୍ଟି ଗୋଆରେ ଦୁଇଟି ଆସରୁ ବିଜୟ ହାସଲ କରିଛି । ସେ କହିଛନ୍ତି ଯେ, ଏହାସହ ଗୋଆରେ ସ୍ୱଚ୍ଛ ରାଜନୀତିର ଆରମ୍ଭ ହୋଇଛି । ଗୋଆରେ ବର୍ତ୍ତମାନ ସୁଧା ବିଜେପି ୧୮ ଆସନ, କଂଗ୍ରେସ ୧୨ ଆସନ, ଟିଏମସି ୪ଟି ଆସନରେ ଆଗୁଆ ଥିବା ବେଳେ ଆପ ୨ଟି ଆସନରେ ଆଗୁଆ ରହିଛି ।

https://twitter.com/ArvindKejriwal/status/1501828736974422018?s=20&t=npsldqlbiq0HoajCqcwzdw

କେଜିରୱାଲ ନିଜ ଟ୍ୱିଟରେ କହିଛନ୍ତି, ଗୋଆରେ ଆପ୍ ଦୁଇଟି ଆସନ ହାତେଇବାରେ ସଫଳ ହୋଇଛି, କ୍ୟାପ୍ଟେନ ଭେନ୍ଜି ଏବଂ କ୍ରୁଜଙ୍କୁ ଶୁଭେଚ୍ଛା । ଗୋଆରେ ସ୍ୱଚ୍ଛ ରାଜନୀତିର ଆରମ୍ଭ ହୋଇଯାଇଛି ।

ସୂଚନା ଅନୁସାରେ ଗୋଆର ୪୦ ବିଧାନସଭା ରହିଥିବା ବେଳେ ମ୍ୟାଜିକ ନମ୍ବର ୨୧ ରହିଛି । ବିଜେପି ବହୁମତଠାରୁ ମାତ୍ର ୩ ଆସନ ଦୂରରେ ରହିଛି । ଯଦିଓ ପାର୍ଟି କହିଛି ସେମାନଙ୍କ ପାଖରେ ସ୍ୱାଧିନ ୩ଟି ଆସନ ରହିଛି । ଯେଉଁଥିପାଇଁ ସେମାନେ ସରକାର ଗଢିବାରେ ସଫଳ ହୋଇପାରିବେ । ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଦାବି କରିଛନ୍ତି ଯେ, ତାଙ୍କ ପାଖରେ ୩ଟି ସ୍ୱାଧିନ ବିଧାୟକ ରହିଛନ୍ତି ।

ୟୁପିରେ ବିପୁଳ ବିଜୟ ପରେ ସନ୍ଧ୍ୟାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିବେ ମୋଦି ଓ ଯୋଗୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସମେତ ୫ ରାଜ୍ୟରେ ଭୋଟ ଗଣତି ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତିରେ ଉତ୍ତର ପ୍ରଦେଶରେ ପୂର୍ଣ୍ଣ ବହୁମତ ସହ ପୁଣି ଥରେ ସରକାର ଗଢ଼ିବାକୁ ଯାଉଛି ବିଜେପି । ୟୁପିରେ ଦ୍ୱିତୀୟ ଥର ପାଇଁ ସରକାର କରିବା ଏକ ପ୍ରକାର ନିଶ୍ଚିତ ହେବା ପରେ ୟୁପିରେ ଆରମ୍ଭ ହୋଇସାରିଛି ଉତ୍ସବ । ବିଜେପିର ଏହି ବଡ଼ ବିଜୟ ପରେ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ ।

ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟା ୬.୩୦ରେ ଦିଲ୍ଲୀ ସ୍ଥିତି ପାର୍ଟି ଅଫିସରେ ପହଞ୍ଚିବେ । ଦିଲ୍ଲୀ ପାର୍ଟି ଅଫିସରେ ମୋଦି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ । ସୂଚନା ମିଳୁଛି କି ଆଜି ସନ୍ଧ୍ୟାରେବିଜେପି ସଂସଦୀୟ ଦଳର ବୈଠକ ମଧ୍ୟ ହୋଇପାରେ । ସେହିପରି ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ସନ୍ଧ୍ୟା ୫ଟାରେ ଲକ୍ଷ୍ନୌରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ ।

ଉତ୍ତରପ୍ରଦେଶରେ ୩୭ ବର୍ଷ ପରେ ସରକାର ରିପିଟ୍ ହେବାକୁ ଯାଉଛି । ଏହା ପୂର୍ବରୁ ଶେଷ ଥର ପାଇଁ ୧୯୮୫ରେ କଂଗ୍ରେସ ଳଗାତର ଦ୍ୱିତୀୟ ଥର ପାଇଁ ସରକାର କରିଥିଲା । ସେ ସମୟରେ କଂଗ୍ରେସ ୪୨୫ ଆସନରୁ ୨୬୯ ଆସନରେ ବିଜୟ ଲାଭ କରିଥିଲେ । ଏହା ପରେ ଚଳିତ ବର୍ଷ ପୁଣି ଥରେ ସରକାର ରିପିଟ୍ ହୋଇଛି ।

ହାରିଲେ ୨ଥରର ମୁଖ୍ୟମନ୍ତ୍ରୀ ହରିଶ ରାୱତ

ଡେରାଡୁନ: ହାରିଲେ ୨ଥରର ମୁଖ୍ୟମନ୍ତ୍ରୀ ହରିଶ ରାୱତ । ଉତ୍ତରାଖଣ୍ଡର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଭାରତୀୟ ଜନତା ପାର୍ଟି ୪୫ଟି ଆସନରେ ଆଗୁଆ ରହିଛି । ଏହାସହ ୨୨ଟି ଆସନରେ କଂଗ୍ରେସ ଏବଂ ତିନିଟି ଆସନରେ ସ୍ୱାଧୀନ ପ୍ରାର୍ଥୀମାନେ ଆଗରେ ରହିଛନ୍ତି । ଏମଧ୍ୟରେ ସବୁଠାରୁ ବଡ଼ ଖବର ହେଲା ଯେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତ ଲାଲକାନ ଆସନରୁ ପରାଜୟବରଣ କରିଛନ୍ତି ।

ବିଜେପିର ମୋହନ ସିଂ ବିଶ୍ୱ ହରିଶ ରାୱତଙ୍କୁ ୧୪ ହଜାର ଭୋଟରେ ପରାସ୍ତ କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଖତିମା ଆସନରୁ ୨ ହଜାରରୁ ଅଧିକ ଭୋଟରେ ପଛରେ ରହିଛନ୍ତି । ମନ୍ତ୍ରିମଣ୍ଡଳ ୩ ମନ୍ତ୍ରୀ ବଂଶୀଧର ଭଗତ, ଡାକ୍ତର ଧନସିଂ ରାୱତ ଓ ସୁବୋଧ ଉନିୟାଲ ବି ପଛୁଆ ଥିବା ଜଣାଯାଇଛି । ଉତ୍ତରାଖଣ୍ଡରେ ବିଜେପି ୭୦ରୁ ୪୩ଟି ଆସନରେ ଆଗୁଆ ରହିଛି। ତେଣେ କଂଗ୍ରେସ  ୨୪ଟି, ବହୁଜନ ସମାଜ ପାର୍ଟି ୧ଟି ଓ ଅନ୍ୟମାନେ ୨ଟି ଆସନରେ ଆଗୁଆ ରହିଛନ୍ତି । ସୋମବାର କେତେକ ଏକଜିଟ୍ ପୋଲରେ ଉତ୍ତରାଖଣ୍ଡରେ ବିଜେପି ପୁଣି ସରକାର ଗଠନ କରିବ ବୋଲି କୁହାଯାଇଥିଲା।