spot_img
Home Blog Page 452

ଟ୍ରମ୍ପଙ୍କ ଦ୍ୱାରା ନିରାଶ ହେବା ପରେ ଜେଲେନସ୍କି ଭାରତର ସାହାଯ୍ୟ ଲୋଡିଛନ୍ତି !

ନନ୍ଦିଘୋଷ ବ୍ୟୁରୋ : ଖୁବଶୀଘ୍ର ଭାରତ ଆସିପାରନ୍ତି ୟୁକ୍ରେନର ରାଷ୍ଟ୍ରପତି ଜେଲେନ୍ସକି । ୟୁକ୍ରେନର ରାଷ୍ଟ୍ରଦୂତ କହିଛନ୍ତି ଯେ ଏହି ଗସ୍ତର ତାରିଖ ଏପର୍ଯ୍ୟନ୍ତ ଧାର୍ଯ୍ୟ ହୋଇନାହିଁ । ଗତବର୍ଷ ଅଗଷ୍ଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ଗସ୍ତ କରିଥିଲେ। ସେଠାରେ ସେ ଜେଲେନ୍ସକିଙ୍କୁ ଭେଟି ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ। ବର୍ତ୍ତମାନ ଉଭୟ ଦେଶ ଏହି ସମ୍ଭାବ୍ୟ ଗସ୍ତର ତାରିଖ ସ୍ଥିର କରିବାରେ ବ୍ୟସ୍ତ ଅଛନ୍ତି। ଜେଲେନ୍ସକିଙ୍କ ଗସ୍ତର ଖବର ଏପରି ସମୟରେ ଆସୁଛି ଯେତେବେଳେ ପୁଟିନ ଚଳିତ ବର୍ଷ ଭାରତ ଗସ୍ତରେ ଆସିବେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ବନ୍ଦ କରିବା ବିଷୟରେ ବଡ଼ ବଡ଼ କଥା କହିଥିଲେ, କିନ୍ତୁ ତାଙ୍କ ଦ୍ୱାରା ଜେଲେନ୍ସକି ନିରାଶ ହୋଇଛନ୍ତି। ଏହି ଗସ୍ତ ଏହି ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ, କାରଣ ଭାରତ ରୁଷ ସହିତ ବହୁତ ଭଲ ସମ୍ପର୍କ ରଖିଛି।

ରାଷ୍ଟ୍ରଦୂତ କହିଥିଲେ, ଭାରତ ଏବଂ ୟୁକ୍ରେନ ମଧ୍ୟରେ ଭବିଷ୍ୟତର ରଣନୈତିକ ସହଭାଗୀତା ବିଷୟରେ ହୋଇଥିବା ଘୋଷଣାକୁ ବିଶ୍ୱାସ କରନ୍ତୁ। ଭାରତର ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଜେଲେନ୍ସକିଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଛନ୍ତି। ଉଭୟ ପକ୍ଷ ଏହା ଉପରେ କାମ କରୁଛନ୍ତି। ଆମେ ଆଶା କରୁଛୁ ଯେ ରାଷ୍ଟ୍ରପତି ଜେଲେନ୍ସକି ନିଶ୍ଚିତ ଭାବରେ ଭାରତ ଆସିବେ। ଏହା ଆମର ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ଏକ ବଡ଼ ସଫଳତା ହେବ ।

ପୁଟିନ-ଜେଲେନସ୍କି ପୂର୍ବରୁ ମଧ୍ୟ ସାକ୍ଷାତ କରିଥିଲେ

ଯୁଦ୍ଧ ଆରମ୍ଭ ହେବା ପରେ, ଦୁଇ ନେତା ପ୍ରଥମ ଥର ପାଇଁ ମେ  ରେ ଜାପାନରେ ଅନୁଷ୍ଠିତ G-7 ଶିଖର ସମ୍ମିଳନୀ ସମୟରେ ସାକ୍ଷାତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ସେତେବେଳେ କହିଥିଲେ ଯେ ଏହି ଯୁଦ୍ଧ କେବଳ ଦୁଇଟି ଦେଶର ସମସ୍ୟା ନୁହେଁ, ବରଂ ସମଗ୍ର ମାନବତାର ପ୍ରଶ୍ନ। ଭାରତ ସବୁବେଳେ ଶାନ୍ତି ଓ ମାନବିକ ସାହାଯ୍ୟ ପାଇଁ ପ୍ରସ୍ତୁତ। ଏହା ପରେ, ଜୁନ୨୦୨୪ ରେ ଇଟାଲୀରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ସମୟରେ ମଧ୍ୟ ଦୁଇ ନେତା ସାକ୍ଷାତ କରିଥିଲେ। ସେଠାରେ ମୋଦୀ କହିଥିଲେ ଯେ ଯୁଦ୍ଧର ସମାଧାନ ଆଲୋଚନା ଓ କୂଟନୀତି ମାଧ୍ୟମରେ ଖୋଜାଯିବା ଉଚିତ।  ସେପ୍ଟେମ୍ବର ରେ, ଦୁଇ ନେତା ନ୍ୟୁୟର୍କରେ ଅନୁଷ୍ଠିତ ଜାତିସଂଘର ‘ଭବିଷ୍ୟତର ସମ୍ମିଳନୀ’ରେ ସାକ୍ଷାତ କରିଥିଲେ ଓ ଶାନ୍ତି ପାଇଁ ଭାରତର ସମର୍ଥନ ବିଷୟରେ କଥା ହୋଇଥିଲେ।

ଜେଲେନସ୍କିଙ୍କ ଭାରତ ଗସ୍ତ ଖବର ପୂର୍ବରୁ ପୁଟିନଙ୍କ ଭାରତ ଗସ୍ତ ସମ୍ପର୍କରେ ସୂଚନା ସାମ୍ନାକୁ ଆସିଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ୨୦୨୫ଶେଷରେ ଭାରତ ଗସ୍ତରେ ଆସିବେ। ଏହି ସୂଚନା ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ତାଙ୍କ ମସ୍କୋ ଗସ୍ତ ସମୟରେ ଦେଇଥିଲେ। ପୂର୍ବରୁ ପୁଟିନ ଅଗଷ୍ଟ ୨୦୨୫ରେ ଆସିବେ ବୋଲି ଖବର ଆସିଥିଲା, କିନ୍ତୁ ଏବେ ଏହାକୁ ସଂଶୋଧନ କରି ବର୍ଷର ଶେଷ ତାରିଖ ଦିଆଯାଇଛି। ଏହି ଦୁଇଟି ଗସ୍ତ ଭାରତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ୟୁକ୍ରେନ ଓ ରୁଷ ଉଭୟଙ୍କ ସହିତ ଭାରତର ଭଲ ସମ୍ପର୍କ ରହିଛି।

ଚିଲିକା ମଝିରେ ବୁଡ଼ିଲା ମାଛ ଧରା ଡଙ୍ଗା, ଅଳ୍ପକେ ବର୍ତ୍ତିରେ ବାପପୁଅ

ନନ୍ଦିଘୋଷ ବ୍ୟୁରୋ: ଚିଲିକା ମଝିରେ ବୁଡ଼ିଲା ମାଛ ଧରା ଡ଼ଙ୍ଗା । ମାଛ ମାରି ସାତପଡା କାଳିଜାଇ କୁଦଠାରୁ ଖୋର୍ଦ୍ଧା ଟାଙ୍ଗୀ ଥାନା ମାନସିଂପୁରକୁ ଫେରୁଥିବା ବେଳେ ମଝି ଚିଲିକାରେ ବୁଡ଼ିଲା ମାଛ ଧରା ଡଙ୍ଗା । ତେବେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବାପପୁଅ ।

ସୂଚନାଯୋଗ୍ୟ, ମାଛ ମାରିବା ପରେ ମାନସିଂହପୁର ଗାଁର ରଘୁନାଥ ବେହେରା ଏବଂ ତାଙ୍କ ପୁଅ ରୋହିତ ବେହେରା ଫେରୁଥିଲେ । ଏହି ସମୟରେ ପ୍ରବଳ ପବନ ମାଡ଼ରେ ତାଙ୍କ ଡଙ୍ଗା ବୁଡିଯାଇଥିଲା । ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ବାପପୁଅ । ଡଙ୍ଗା ବୁଡିଯାଉଥିବାବେଳେ ଅନ୍ୟ ମତ୍ସ୍ୟଜୀବୀଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଛି । ତେବେ ଲକ୍ଷାଧିକ ଟଙ୍କାର ଖନ୍ଦା ଜାଲ, କାତ, କୀଳା ଓ ମୋବାଇଲ ବୁଡିଯାଇଛି । ଉଦ୍ଧାର ପରେ ପୁଅ ସୁସ୍ଥ ଥିବା ବେଳେ ବାପା ଅସୁସ୍ଥ ଥିବା ଜଣାପଡିଛି ।

ସ୍ପାରେ ଦେହ ବ୍ୟବସାୟ ଅଭିଯୋଗ: ୯ ଯୁବତୀ, ୪ ଯୁବକ ଗିରଫ

ନନ୍ଦିଘୋଷ ବ୍ୟୁରୋ: ପାରାଦ୍ଵୀପ ଆଦର୍ଶ ଥାନା ପକ୍ଷରୁ ଇଫକୋ ଛକରେ ଥିବା ସ୍ପା ଉପରେ ଚଢାଉ । ଗିରଫ ହେଲେ ୯ ଯୁବତୀ ଏବଂ ୪ ଯୁବକ । ଦେହ ବ୍ୟବସାୟ ଚାଲିଥିବା ଅଭିଯୋଗରେ ହୋଇଥିଲା ରେଡ୍ । ଏହାର ଚେର ଲମ୍ବିଛି କଲିକତାକୁ । ଗିରଫ ୯ ଯୁବତୀଙ୍କ ଘର କଲିକତାରେ ।

ଇଫକୋ ଛକରେ ଥିବା ଗୋଲ୍ଡେନ ସ୍ପାରୁ ସେମାନଙ୍କୁ ଗିରଫ କରାଯାଇଛି । ମାଲିକ ସେଖ୍ ବଦରୁ ଫେରାର ହୋଇଯାଇଛନ୍ତି । ଯୁବତୀମାନେ ଗତ ଦୁଇ ଦିନ ହେଲା ପାରାଦ୍ଵୀପ ଆସିଥିବା ସୂଚନା ମିଳିଛି । ସେମାନଙ୍କ ବୟସ ୨୦ରୁ ୩୨ ବର୍ଷ ମଧ୍ୟରେ ହେବ । ଗିରଫ ଯୁବକଙ୍କ ମଧ୍ୟରୁ ୩ ଜଣ ଜାହାଜ କର୍ମଚାରୀ ବୋଲି ସୂଚନା ମିଳିଛି । ଜଣେ ଏକ କେନ୍ଦ୍ରୀୟ ସଂସ୍ଥାରେ ଚାକିରି କରୁଛନ୍ତି ।

ଆଦର୍ଶ ଥାନା ଆଇଆଇସି କାବୁଲି ବାରିକଙ୍କ ନେତୃତ୍ବରେ ଚଢ଼ାଉ କରାଯାଇଥିବା ବେଳେ ଗିରଫ ଯୁବକ ଓ ଯୁବତୀଙ୍କୁ ନେଇ ତଦନ୍ତ ଆରମ୍ଭ ହୋଇଛି । ସ୍ପା’ ମାଲିକଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।

ବିରୋଧୀ ଦଳ ନେତାଙ୍କ ପ୍ରତି ସମସ୍ତଙ୍କ ଶ୍ରଦ୍ଧା ଓ ଅନୁରାଗ, ଦେଖା କରିବାକୁ ଗଲେ ମୁଖ୍ୟମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ନବୀନ ନିବାସରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହସ୍ପିଟାଲରୁ ସୁସ୍ଥ ହୋଇ ଫେରିବା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଏହାସହିତ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ନବୀନଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି । ଏପରିକି ନବୀନ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ପଠାଇ ତାଙ୍କର ଚିକିତ୍ସା ସମ୍ପର୍କରେ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ବିକାଶପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବର ବିରୋଧୀ ଦଳ ନେତା । ଏବେ ବି ତାଙ୍କ ପ୍ରତି ରହିଛି କୋଟି କୋଟି ରାଜ୍ୟବାସୀଙ୍କ ଶ୍ରଦ୍ଧା ଓ ଆଶୀର୍ବାଦ । କେମିତି ଅଛି ତାଙ୍କର ସ୍ବାସ୍ଥ୍ୟାବସ୍ଥା ? ନବୀନଙ୍କୁ ଦେଖା କରିବାକୁ ନବୀନ ନିବାସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ଡିହାଇଡ୍ରେସନ୍‌ ଜନିତ ଅସୁସ୍ଥତା ଯୋଗୁଁ କିଛିଦିନ ତଳେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସୁସ୍ଥ ହୋଇ ବୁଧବାର ସେ ନବୀନ ନିବାସ ଫେରିଛନ୍ତି । ନବୀନ ନିବାସରେ ଏକାଠି ଦେଖିବାକୁ ମିଳିଥିଲା ରାଜ୍ୟର ଦୁଇ ମୁଖିଆଙ୍କୁ । ମୁଖ୍ୟମନ୍ତ୍ରୀ ନବୀନଙ୍କ ପାଖରେ ବସି ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ । ଆଉ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଏବେ ନିଜେ ସୁସ୍ଥ ଅନୁଭବ କରୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ୧୦ ମିନିଟ ଧରି ଆଲୋଚନା ହୋଇଥିଲା । ଖାଲି ସେତିକି ନୁହେଁ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ନବୀନଙ୍କ ସୁସ୍ଥ ଓ ନିରାମୟ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଥିଲେ, ସେ ଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ତାଙ୍କୁ ପଚାରିଥିଲେ । ଉଭୟଙ୍କ ଭିତରେ ସାକ୍ଷାତ ଆଲୋଚନା ବେଳେ ଆଗାମୀ ବିଧାନସଭାର ମୌସୁମୀ ଅଧିବେଶନ ଯେପରି ସୁରୁଖୁରୁରେ ଚାଲିବ ସେ ନେଇ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ନେତାଙ୍କ ସହଯୋଗ କାମନା କରିଛନ୍ତି । ନବୀନଙ୍କ ଅସୁସ୍ଥ ଖବର ଶୁଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ନିଜର ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ସମ୍ ହସ୍ପିଟାଲ ପଠାଇ ନବୀନଙ୍କ ସ୍ବାସ୍ଥ୍ୟାବସ୍ଥାର ରିପୋର୍ଟ ନେଇଥିଲେ ମୁଖ୍ୟମନ୍ତ୍ରୀ । ତାଙ୍କ ବ୍ୟତୀତ ନବୀନ ହସ୍ପିଟାଲରେ ଥିବାବେଳେ ପ୍ରଧାନମନ୍ତ୍ରୀ, ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଫୋନ ଯୋଗେ କଥା ହୋଇଥିଲେ ।

ପିସିସି ସଭାପତି ଭକ୍ତ ଦାସ ବି ଡାକ୍ତରଙ୍କ ସହ ନବୀନଙ୍କ ସ୍ବାସ୍ଥ୍ୟ ସଂପର୍କରେ ଆଲୋଚନା କରିଥିଲେ । ନବୀନଙ୍କ ପାଇଁ ଏତେ ଭଲ ପାଇବା ଗୋଟାଏ ରାତିର ନୁହେଁ । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶାର ବିକାଶକୁ ପ୍ରାଧାନ୍ୟ ଦେଇଥିବା ଏହି ସାଧକଙ୍କୁ ସମସ୍ତେ ଭଲ ପାଆନ୍ତି । ସମସ୍ତେ ଏ କଥା ବି ଜାଣନ୍ତି ଯେ, ରାଜନୈତିକ ବୟାନବାଜି ଯାହା ବି ହେଉ, ନବୀନ ହେଉଛନ୍ତି ରାଜନୀତିଠାରୁ ଊର୍ଦ୍ଧ୍ବରେ । ଯାହା ସମସ୍ତଙ୍କୁ ପ୍ରେରଣା ଯୋଗାଇଛି । ସୁସ୍ଥ ଗଣତନ୍ତ୍ର ପ୍ରତିଷ୍ଠା କରିବାରେ ନବୀନଙ୍କ ଭୂମିକା ଉଲ୍ଲେଖନୀୟ ବୋଲି ସମସ୍ତେ ଅନୁଭବ କରିଛନ୍ତି ।

କ୍ଷମତାରେ ଥିବାବେଳେ ନବୀନ ରାଜ୍ୟର ସବୁ ବର୍ଗର ଲୋକଙ୍କ ସମବିକାଶକୁ ଗୁରୁତ୍ବ ଦେଇଛନ୍ତି । ଜୀବନଶୈଳୀରେ ସାଧାସିଧା ଓ ଭଲ ମଣିଷ ହେବାର ଦିଗଦର୍ଶନ ତାଙ୍କ ନେତା ଓ କର୍ମୀଙ୍କୁ ଦେଇଆସିଛନ୍ତି । ସେ କେବଳ ବିଜୁ ଜନତା ଦଳରେ ସୀମିତ ହୋଇ ରହି ନାହାନ୍ତି । ତାଙ୍କ ବ୍ୟକ୍ତିତ୍ବ ଏପରି ଯେ ସମସ୍ତେ ନବୀନଙ୍କ ଦୀର୍ଘାୟୁ କାମନା କରିଛନ୍ତି । ହସ୍ପିଟାଲ ଶଯ୍ୟାରେ ରହି ଏକ ଭିଡିଓ ବାର୍ତ୍ତା ଜରିଆରେ ଶୁଭେଚ୍ଛୁଙ୍କୁ ନବୀନ ନିବାସକୁ ସ୍ବାଗତ ଜଣାଇଥିଲେ ନବୀନ । ଦଳମତ ନିର୍ବିଶେଷରେ ନେତାମାନେ ତାଙ୍କୁ ଭେଟିବାକୁ ସୁଯୋଗ ଖୋଜୁଥିବା ନେଇ ପୂର୍ବତନ ପିସିସି ସଭାପତି ଆଗ୍ରହ ଦେଖାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଥିବା ସମୟରେ ନବୀନ ଦଳମତ ନିର୍ବିଶେଷରେ ସମସ୍ତଙ୍କ ପାଇଁ ଠିଆ ହେଉଥିଲେ । କୋଭିଡ ସମୟରେ ତାଙ୍କର ଅବଦାନକୁ ଜାତୀୟ ସ୍ତରରେ ନୁହେଁ ଅନ୍ତରାଷ୍ଟ୍ରୀୟ ସ୍ତରରେ ବି ପ୍ରଶଂସା କରାଯାଇଛି । ଦୁର୍ବିପାକ ହେଉ କି ମହାମାରୀ ଜଣେ ବି କାହାର ଜୀବନ ଯେପରି ଯିବନି ସେ ନେଇ ନିଜ ପ୍ରଶାସନକୁ ଦେଇଥିଲେ ନିର୍ଦ୍ଦେଶ । ଓଡ଼ିଶା ମୋ ପରିବାର ନାରା ଦେଇ ସମସ୍ତଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ନବୀନ ଦୀର୍ଘ ଦିନଧରି କାମ କରିଛନ୍ତି । ଯାହା ଲୋକଙ୍କ ପାଖରେ ନିଜର କରି ରଖିପାରିଛି ।

କଣାସ ଝାଡ଼ାବାନ୍ତି ମୃତ୍ୟୁ ପ୍ରସଙ୍ଗ, ପଦାକୁ ଆସିଲା ଗୁରୁତର ଅବହେଳାର ଚିତ୍ର

ନନ୍ଦିଘୋଷ ବ୍ୟୁରୋ: ହେୟଜ୍ଞାନ କଲେ, ମିଛ କହିଲେ ଓ ଶେଷରେ କମିଶନଙ୍କ ନିର୍ଦ୍ଦେଶକୁ ବି ବେଖାତିର କଲେ । ଦୂଷିତ ଜଳ ବ୍ୟବହାର କରି ଝାଡ଼ାବାନ୍ତିରେ ମୃତ୍ୟୁ ପ୍ରସଙ୍ଗ ନେଇ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ବିରୋଧୀ । କଣାସ, ସତ୍ୟବାଦୀ ଓ ବ୍ରହ୍ମଗିରି ଅଞ୍ଚଳର ୧୫୩ ଗାଁକୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଥିଲେ, ହେଲେ ନିଦାବିଷ୍ଣୁ ସାଜିଲେ ସରକାର । ଏହି ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀ କରିଛନ୍ତି କଡ଼ା ସମାଲୋଚନା ।

ପୁରୀ ଜିଲ୍ଲା କଣାସରେ ଝାଡ଼ାବାନ୍ତିଜନିତ ମୃତ୍ୟୁ ପ୍ରସଙ୍ଗ । ସରକାର ଜାଣିଶୁଣି କରିଥିଲେ ଅବହେଳା । ମେ’ ୩୦ରେ ଦୂଷିତ ଜଳପ୍ରବଣ କଣାସ, ସତ୍ୟବାଦୀ ଓ ବ୍ରହ୍ମଗିରିର ୧୫୩ ଗାଁକୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଥିଲେ । ଦୁର୍ଭାଗ୍ୟର କଥା ୪୪ ଦିନ ପରେ ଆରଡବ୍ଲୁଏସଏସ ସର୍ବୋଚ୍ଚ ଯନ୍ତ୍ରୀ ନିର୍ଦେଶ କାର୍ଯ୍ୟକାରୀ କରିବାକୁ ତଳସ୍ତରର ଅଧିକାରୀଙ୍କୁ କହିଥିଲେ । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପିଟିସନର ରମା ରଞ୍ଜନ ବଳିୟାର ସିଂ । ଶୁଣାଣି ବେଳେ ବିଭିନ୍ନ ବିଭାଗର ସଚିବ ଓ ଅଧିକାରୀ କମିଶନରେ ହାଜର ହୋଇ ନଥିଲେ । କମିଶନ ଏହାକୁ ନେଇ ବିରକ୍ତ ହେବା ପରେ ଅଧିକାରୀମାନେ ହାଜର ହୋଇଥିଲେ । ଜୁଲାଇ ଶେଷ ସୁଦ୍ଧା କଣାସ ମେଗା ପ୍ରକଳ୍ପ ଦ୍ୱାରା କଣାସର ୧୨୮, ସତ୍ୟବାଦୀର ୧୨ ଓ ବ୍ରହ୍ମଗିରିର ୧୮ ମୋଟ ୧୫୩ଟି ଗାଁକୁ ଜଳ ଯୋଗାଣ ନିର୍ଦ୍ଦେଶ ଥିଲା। କିନ୍ତୁ ଏଯାଏଁ ୨୦ରୁ ୨୫ ଗାଁକୁ ଟ୍ରାଏଲ ରନ ହୋଇଛି ଓ ମାତ୍ର ୫ରୁ ୭ଟି ଗାଁକୁ ଜଳ ଯୋଗାଣ ହୋଇଛି । କଣାସରେ ଦୂଷିତ ଜଳ ଯୋଗୁଁ ୭ଜଣ ପ୍ରାଣ ହରାଇଥିଲେ ଏବଂ ୩୦୦ରୁ ଅଧିକ ଆକ୍ରାନ୍ତ ହୋଇଥିଲେ । ସେପଟେ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛି ବିଜେଡି । ପୂର୍ବ ସରକାର ଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ସବୁଠୁ ଅଧିକ ଗୁରୁତ୍ୱ ଦେଉଥିଲେ । କିନ୍ତୁ ବର୍ତ୍ତମାନ ଏଥିପାଇଁ ବଜେଟ ବ୍ୟବସ୍ଥା ନାହିଁ ବୋଲି କହିଛି ଦଳ ।

କଂଗ୍ରେସର କହିବା କଥା ଆଜି ସୁଦ୍ଧା ରାଜ୍ୟର ସବୁଆଡେ ଶୁଦ୍ଧ ପାନୀୟ ଜଳ ଯୋଗାଣ ହୋଇପାରୁ ନାହିଁ । ବର୍ଷା ଦିନ ଜାରି ରହିଥିବାରୁ ରାଜ୍ୟରେ ଆହୁରି ଝାଡ଼ାବାନ୍ତି ବ୍ୟାପିବା ସମ୍ଭାବନା ରହିଛି । ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ କରିବାର ଆବଶ୍ୟକତା ରହିଛି । କଂଗ୍ରେସର ତଥ୍ୟ ଅନୁସନ୍ଧାନକାରୀ ଦଳ ଝାଡ଼ାବାନ୍ତି ନେଇ ତଥ୍ୟ ଦେଇଛନ୍ତି । ଏହାକୁ ନେଇ ଦଳ ଆନ୍ଦୋଳନ କରିବ। ଶାସକ ଦଳର ଉତ୍ତର ହେଉଛି ୨୦୨୭ ଭିତରେ ସବୁ ଗାଁକୁ ପାଣି ମିଳିବ ।

ଆସନ୍ତା ୨୫ରେ ମାନବାଧିକାର କମିଶନ କଣାସ ଝାଡ଼ାବାନ୍ତି ମୃତ୍ୟୁ ଘଟଣାର ଶୁଣାଣି କରିବେ । ତେବେ ସରକାରଙ୍କ ଆନ୍ତରିକତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

ଭାରି ଜଟିଳ ଚାଷୀ ପଞ୍ଜିକରଣ: ଅନ୍ନଦାତା ଅଣନିଃଶ୍ଵାସୀ, ସ୍ଵତନ୍ତ୍ର ନୀତି ଆଣିବାକୁ ବିଜେଡିର ଦାବି

ନନ୍ଦିଘୋଷ ବ୍ୟୁରୋ: ଖରିଫ ଧାନ ବିକିବାକୁ ପଞ୍ଜିକରଣ କରିବା ନିହାତି ଦରକାର । କିନ୍ତୁ ଏହି ପ୍ରକ୍ରିୟାକୁ ସରକାର ଏତେ ଜଟିଳ କରିଛନ୍ତି ଯେ, ଚାଷୀ ହେଲେଣି ନାକେଦମ୍ । ଏପରିକି କେତେକ ଚାଷୀ ହତାଶ ହୋଇଗଲେଣି । ଅନ୍ନଦାତାଙ୍କୁ ଏତେ ହଇରାଣ ନକରି ସ୍ଵତନ୍ତ୍ର ନୀତି ଆଣିବାକୁ ଦାବି କରିଛି ବିଜେଡି । ଚାଷୀଙ୍କ ଦୁଃଖ ଏତିକିରେ ସରିନି, ସାର ବି ମିଳୁନି । ବ୍ଲାକ ମାର୍କେଟିଂ ଚାଲିଛି । ବିଜେଡି ପରି କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛି । ଆସନ୍ତା ବିଧାନସଭା ଅଧିବେଶନରେ ଏହି ପ୍ରସଙ୍ଗ ଉଠାଇବାକୁ ବିରୋଧୀ ସରକାରଙ୍କୁ ଚେତାଇ ଦେଇଛନ୍ତି ।

ଚାଷୀ ପଞ୍ଜିକରଣ ଜଟିଳତାକୁ ନେଇ ଅସନ୍ତୋଷ ପ୍ରବଳ ହେବାରେ ଲାଗିଛି । ପ୍ରତିବର୍ଷ ଚାଷୀଙ୍କୁ ହନ୍ତସନ୍ତ ନକରି ପଞ୍ଜିକରଣର ସ୍ଵତନ୍ତ୍ର ପଲିସି ଆଣିବାକୁ ଦାବି କରିଛି ବିଜେଡି । ସେହିପରି MSPକୁ ଆଇନରେ ପରିଣତ କରି ସ୍ବାମୀନାଥନ କମିଟି ରିପୋର୍ଟକୁ କାର୍ଯ୍ୟକାରୀ କରାଯାଉ ବୋଲି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ଦଳ । ଚାଷୀ ପଞ୍ଜିକରଣ ସମସ୍ୟା ସାଙ୍ଗକୁ ପୁଣି ସାରର କଳା ବଜାରୀ । ଲୁଚା ଛପାରେ ଚଢ଼ା ଦରରେ ବିକ୍ରି ହେଉଛି । ଆଗାମୀ ବିଧାନସଭା ଅଧିବେଶନରେ ଚାଷୀଙ୍କ ଏହି ସବୁ ପ୍ରସଙ୍ଗ ଉପସ୍ଥାପନ କରାଯିବ ବୋଲି ବିଜେଡି କହିଛି । ବିଜେପି ସରକାରର କାର୍ଯ୍ୟକାଳର ଚାଷୀକୂଳ ହନ୍ତସନ୍ତ ହେବା ସହ କ୍ଷୁବ୍ଧ ଅଛନ୍ତି ।

ସେପଟେ କଂଗ୍ରେସ ମଧ୍ୟ ଚାଷୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଚାଷୀଙ୍କୁ ସାର ନ ମିଳିବା ଦୁର୍ଭାଗ୍ୟଜନକ । ଏଥିରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ । ପଞ୍ଜିକରଣ ନେଇ ସେ କହିଛନ୍ତି, ଏବେ ବି ୭୦ ପ୍ରତିଶତ ଚାଷୀ ପଞ୍ଜୀକରଣ କରିପାରିନାହାନ୍ତି । ଯେମିତି ସବୁ ଚାଷୀ ପଞ୍ଜୀକରଣ କରିପାରିବେ, ସେଥିପାଇଁ ସରକାର ବ୍ୟବସ୍ଥା କରନ୍ତୁ । ଏହାର ଜବାବରେ ଯୋଗାଣ ମନ୍ତ୍ରୀ କହିଛନ୍ତି ଏବେ ସୁଦ୍ଧା ଧାନ ବିକ୍ରି ପାଇଁ ଚାଷୀ ପଞ୍ଜିକରଣ ୧୭ ଲକ୍ଷରେ ପହଞ୍ଚିଲାଣି । ୨୫ ତାରିଖ ଯାଏଁ ପଞ୍ଜିକରଣ ସମୟ ଥିବାରୁ ଏହା ୨୦ ଲକ୍ଷରେ ପହଂଚିବ । ପ୍ରକ୍ରିୟା ସରଳ ହୋଇଥିବାରୁ ଚାଷୀଙ୍କ ଆଗ୍ରହଣ ବଢୁଛି ।

ଧାନ ପଞ୍ଜିକରଣ ସରଳ କରାଯାଇଥିବା ସରକାର ଯୁକ୍ତି କରୁଥିବା ବେଳେ ଗ୍ରାଉଣ୍ଡରେ ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ l ଚାଷୀଙ୍କ ସମସ୍ୟା ନେଇ ମୁଖ୍ୟ ବିରୋଧୀ ବିଜେଡି ସରକାରଙ୍କୁ ବାରମ୍ୱାର ଚେତାଇ ଦେଉଛି । ଆଗକୁ ସରକାର ଯଦି ଚାଷୀ ସମସ୍ୟା ଦୂର ନ କରନ୍ତି, ବିଜେଡି ଜୋରଦାର ପ୍ରତିବାଦ କରିବାକୁ ଚେତାବନୀ ଦେଇଛି ।

୧୨ ଦିନରେ ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି, ସମାଧାନର ବାଟ ପାଉନାହାଁନ୍ତି ସରକାର

ନନ୍ଦିଘୋଷ ବ୍ୟୁରୋ: ଅମଲା ସଂଘର କାର୍ଯ୍ୟ ବନ୍ଦ ଡାକରାକୁ ବନ୍ଦ କରିବାକୁ ବାଟ ପାଉନାହାଁନ୍ତି ସରକାର । ସେଥିପାଇଁ ଉପାୟ ନପାଇ ନାଲି ଆଖି ଦେଖାଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ରାଜ୍ୟର ବିଭିନ୍ନ ଅମଲା ସଂଘକୁ ଭାଗ ଭାଗ କରିବାକୁ ସରକାର ଷଡ଼ଯନ୍ତ୍ର ଆରମ୍ଭ କରିଥିବା ଚର୍ଚ୍ଚା ହେଲାଣି । ଆଜି ଏକ ଅମଲା ସଂଘ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଭେଟିଥିଲେ । ସେମାନେ ସୋମବାରରୁ କାମରେ ଯୋଗ ଦେବା ନେଇ ରାଜସ୍ବ ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଲେ । ହେଲେ ତାଙ୍କୁ ଭେଟିଥିବା ଉକ୍ତ ଅମଲା ସଂଘ କାର୍ଯ୍ୟରେ ଯୋଗ ଦେବେ କି ନାହିଁ ସେ ନେଇ କିଛି କହିଲେନି । ତେବେ କାମରେ ଯୋଗ ନଦେଲେ କାର୍ଯ୍ୟାନୁଷ୍ଠାନର ପରୋକ୍ଷ ଚେତାବନୀକୁ ପୁଣି ଥରେ ଦୋହରାଇଛନ୍ତି ରାଜସ୍ବ ମନ୍ତ୍ରୀ ।

ଆଜି ଅମଲା ସଂଘର କାର୍ଯ୍ୟ ବନ୍ଦକୁ ନେଇ ରାଜସ୍ବ ମନ୍ତ୍ରୀ ଡକାଇଥିଲେ ବୈଠକ । କହିଲେ, ଆଲୋଚନା ସଫଳ ହୋଇଛି । ସୋମବାରରୁ କାର୍ଯ୍ୟରେ ଯୋଗ ଦେବେ ଅମଲା । ଆନ୍ଦୋଳନରେ ଥିବା ବିଭିନ୍ନ ଅମଲା ସମସ୍ୟାର ସମାଧାନ ଚାହୁଁ ନଥିବା ରାଜସ୍ବ ମନ୍ତ୍ରୀ କହିଛନ୍ତି । ଏପରି କହି ତାଙ୍କୁ ଭେଟିଥିବା ଅମଲା ସଂଘ ଓ ଅନ୍ୟ ଅମଲା ସଂଘ ଭିତରେ ଡିଭାଇଡ୍ ଆଣ୍ଡ ରୁଲ୍ ନୀତି ଆପଣାଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ହେଲେ ରାଜସ୍ବ ମନ୍ତ୍ରୀଙ୍କୁ ଭେଟିଥିବା ଅମଲା ସଂଘ ଗୋଷ୍ଠୀ କିଛି ବି କହିଲେନି । କାର୍ଯ୍ୟରେ ଯୋଗ ଦେବେ କି ନାହିଁ, ସେ ନେଇ ମୁହଁ ବି ଖୋଲିଲେ ନାହିଁ । ଯାହାକୁ ନେଇ ପୁଣି ଥରେ ଚରମପନ୍ଥା ଆପଣାଇବାର ଚେତାବନୀକୁ ଦେହରାଇଛନ୍ତି ରାଜସ୍ବ ମନ୍ତ୍ରୀ । ଯଦି ସୋମବାର ଅମଲାମାନେ କାର୍ଯ୍ୟରେ ଯୋଗ ନ ଦେବେ, ତେବେ ଅସ୍ତ୍ର ପ୍ରୟୋଗ କରିବେ ସରକାର । ଯେଉଁ ଅସ୍ତ୍ରରେ ସିଧା ହେବେ, ସେ ଅସ୍ତ୍ର ପ୍ରୟୋଗ ହେବ ବୋଲି ସେ ରୋକଠୋକ୍ କହିଛନ୍ତି ।

ସେପଟେ ଦ୍ଵାଦଶ ଦିବସରେ ପହଞ୍ଚିଛି ରାଜସ୍ବ ଅମଲା ସଂଘର ସମୂହ ଛୁଟି ଆନ୍ଦୋଳନ । ଗତକାଲି ଅପରାହ୍ନରେ ଦେବଗଡ଼ ରୌନକ ପ୍ଲାଜା ଠାରେ ଜିଲ୍ଲା ସଂଘ ସଭାପତି କମଳାପତି ସାହୁଙ୍କ ସଭାପତିତ୍ବରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଙ୍ଘ ପକ୍ଷରୁ ଘୋଷଣା କରାଯାଇଛି ।

ଅମଲାମାନଙ୍କ ଚାକିରିରେ ପ୍ରବେଶ ମୂଳ ଦରମା ଲେବୁଲ ୯ ଅନୁଯାୟୀ ପ୍ରଦାନ, ରାଜସ୍ବ ଅମଲାଙ୍କ କ୍ଯାଡର ଗଠନ, ପ୍ରତି ଅମଲାଙ୍କ ପରିବାରର ପ୍ରତି ସଦସ୍ୟଙ୍କୁ ବୀମା ପ୍ରଦାନ, ୨୦୨୦ ପୂର୍ବରୁ ଥିବା ନିୟମାନୁସାରେ ପୁନଃ ଥଇଥାନ ନିୟମ ଲାଗୁ କରିବା, ପୁରୁଣା ପେନସନ ଲାଗୁ କରିବା ଆଦି ବିଭିନ୍ନ ଦାବି ସରକାର ଯଥାଶୀଘ୍ର ପୂରଣ କରିବା ନେଇ ଅମଲାମାନେ ଦାବି କରିବା ସହ ଆନ୍ଦୋଳନ ଜାରି ରଖିଛନ୍ତି । ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଫଳରେ ବ୍ଲକ, ତହସିଲ, ଉପଜିଲ୍ଲାପାଳ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଦିରେ କୌଣସି କାର୍ଯ୍ୟ ହୋଇ ପାରୁନାହିଁ ।

ଢେଙ୍କାନାଳ ଏସପିଙ୍କ କାର୍ଯ୍ୟାଳୟରେ ପେଟ୍ରୋଲ ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ନନ୍ଦିଘୋଷ ବ୍ୟୁରୋ: ଢେଙ୍କାନାଳ ଏସପିଙ୍କ କାର୍ଯ୍ୟାଳୟରେ ମହିଳାଙ୍କ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ । ଅଘଟଣ ପୂର୍ବରୁ ପେଟ୍ରୋଲ ବୋତଲକୁ ଛଡାଇ ନେଲେ ପୋଲିସ । ପାରିବାରିକ କାରଣରୁ ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ।

ମହିଳାଙ୍କ ଦିଅର ତାଙ୍କୁ ବାରମ୍ବାର ନିର୍ଯାତନା ଦେଉଥିବା ନେଇ ସେ ସଦର ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ । କିନ୍ତୁ ପୋଲିସ ଶୁଣି ନଥିବାରୁ ମାନସିକ ଭାରସାମ୍ୟ ହରାଇ ମହିଳା ଜଣକ ଏସପି କାର୍ଯ୍ୟାଳୟକୁ ଆସି ନିଜ ଉପରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏସପି କାର୍ଯ୍ୟାଳୟରେ ତୁରନ୍ତ ପହଞ୍ଚି ମହିଳାଙ୍କ ଅଭିଯୋଗ ଶୁଣିବା ସହ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୁରାଟରୁ ଅପହରଣ, ମୁମ୍ବାଇରେ ହତ୍ୟା; ଟ୍ରେନ୍ ଶୌଚାଳୟରୁ ମିଳିଲା ନାବାଳିକାର ଶବ, କାହିଁକି ମାରିଲା ଭାଇ ?

ନନ୍ଦିଘୋଷ ବ୍ୟୁରୋ: ମୁମ୍ବାଇରେ ଏକ ଟ୍ରେନ ଶୌଚାଳୟରୁ ଜଣେ ୫ ବର୍ଷର ନାବାଳିକାଙ୍କ ଶବ ମିଳିବା ପରେ ଚାଞ୍ଚଲ୍ୟ ଖେଳି ଯାଇଛି । ନାବାଳିକାଙ୍କୁ ସୁରତରୁ ଅପହରଣ କରାଯାଇଥିବା ବେଳେ ମୁମ୍ବାଇରେ ହତ୍ୟା କରାଯାଇଛି । ଆଉ ହତ୍ୟା ପରେ ଶବକୁ ଟ୍ରେନର ଶୌଚାଳୟରେ ପକାଇ ଦିଆଯାଇଥିଲା । ତେବେ ଏହି ହତ୍ୟା ପଛରେ ନାବାଳିକାଙ୍କ ମଉସା ପୁଅ ଭାଇ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି ।

କୁଶିନଗର ଏକ୍ସପ୍ରେସ ଟ୍ରେନର ଶୌଚାଳୟରୁ ୫ ବର୍ଷ ନାବାଳିକାଙ୍କ ଶବ ମିଳିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି । ପୋଲିସ ଓ ଜିରାପି ମିଳିତ ଭାବେ ମାମଲାର ତଦନ୍ତ ଆରମ୍ଭ କରି ଦେଇଛନ୍ତି । ସୂଚନା ଅନୁସାରେ, ନାବାଳିକାଙ୍କ ଅପହରଣ ମାମଲା ସୁରଟରେ ରୁଜୁ କରାଯାଇଥିଲା । ଦୁଇଦିନ ପୂର୍ବରୁ ଅଭିଯୋଗ ହୋଇଥିବା ବେଳେ ସୁରଟ ପୋଲିସ ନାବାଳିକାଙ୍କୁ ଖୋଜିବାରେ ଲାଗିଥିଲା । ଟ୍ରେନ ଶୌଚାଳୟରୁ ଶବ ମିଳିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯିବା ସହ ତଦନ୍ତକୁ ଜୋରଦାର କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ନାବାଳିକାଙ୍କ କଳାକାଟି ହତ୍ୟା କରାଯାଇଛି । ସୁରଟ ପୋଲିସ ବି ଏହି ମାମଲାରେ ଯାଞ୍ଚ କରୁଛି । ଏହାସହ ରେଲଓ୍ବେ ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଯାଞ୍ଚ ଚଲାଇଛି । ପ୍ରାଥମିକ ତଦନ୍ତରୁ ନାବାଳିକାଙ୍କୁ ତାଙ୍କ ମଉସାଙ୍କ ୨୫ ବର୍ଷିୟ ପୁଅ ଭାଇ ହତ୍ୟା କରିଥିବା କୁହାଯାଉଛି । ପାରିବାରିକ ବିବାଦକୁ କେନ୍ଦ୍ର କରି ଏହି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ରେଳଓ୍ବେ କମିଶନର ରାକେଶ କାଲା ସାଗର କହିଛନ୍ତି, ଦୁଇଦିନ ପୂର୍ବେ ନାବାଳିକାଙ୍କ ନିଖୋଜ ମାମଲା ସୁରଟରେ ରୁଜୁ ହୋଇଥିଲା । ମାମଲାର ତଦନ୍ତ ଚାଲିଛି । ପ୍ରାଥମିକ ତଦନ୍ତରୁ ପାରିବାରିକ ବିବାଦରୁ ଅଭିଯୁକ୍ତ ଏହି କାଣ୍ଡ ଭିଆଇଥିବା ଜଣାପଡିଛି । ରାତି ପ୍ରାୟ ଗୋଟାଏରେ କୁଶିନଗର ଏଲଟିଟି କୋଚରୁ ନାବାଳିକାଙ୍କ ଶବ ମିଳିଥିଲା । ଏହା ବହୁତ ଦୁଃଖଦ ଘଟଣା । ନାବାଳିକାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ବର୍ତ୍ତମାନ ଅଭିଯୁକ୍ତକୁ ଧରିବାକୁ ଉଭୟ ସୁରଟ ପୋଲିସ ଓ ଜିଆରପି ଲାଗିପଡିଛନ୍ତି । ସିସିଟିଭି ଫୁଟେଜକୁ ତନ ତନ କରି ଯାଞ୍ଚ କରାଯାଉଛି । ପିଲା ଟ୍ରେନରେ କେମିତି ପହଞ୍ଚିଲା ? ତାକୁ ଟ୍ରେନରେ ହତ୍ୟା କରାଯାଇଥିଲା କି ଅନ୍ୟ ସ୍ଥାନରେ ହତ୍ୟା କରି ଟ୍ରେନ ଶୌଚାଳୟରେ ଶବ ରଖାଯାଇଥିଲା ? ହତ୍ୟା ପଛର କାରଣ କ’ଣ ଆଦି ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ । ଆଉ ଏହି ରସହ୍ୟ ଉପରୁ ଅଭିଯୁକ୍ତ ଧରାପଡ଼ିବା ପରେ ହିଁ ପରଦା ହଟିବ ।

ସୂଚନାଯୋଗ୍ୟ, ଟ୍ରେନ ନମ୍ବର 22537 ର ଏସି କୋଚ୍ B2 ର ଶୌଚାଳୟରୁ ନାବାଳିକାଙ୍କ ମୃତଦେହ ମିଳିଛି । ଶୌଚାଳୟରେ ଥିବା ଅଳିଆ ଡବାରେ ଶବ ରଖାଯାଇଥିଲା ।

ଝରଣାରେ ବୁଡ଼ି ଜଣେ ମୃତ, ଅନ୍ୟ ଜଣେ ନିଖୋଜ

ଯାଜପୁର ରୋଡ : ଝରଣାରେ ବୁଡ଼ି ଜଣେ ମୃତ, ଅନ୍ୟ ଜଣେ ନିଖୋଜ । ଯାଜପୁର ଜିଲ୍ଲା ସୁକିନ୍ଦା ଥାନା କୋଇଲୋ ଅଞ୍ଚଳରେ ଅଘଟଣ। ସ୍ଥାନୀୟ ମହାଗିରି ପାହାଡ଼ରେ ଥିବା ଝରଣାରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ହୋଇଯାଇଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି। ମୃତକ ସ୍ଥାନୀୟ କାଞ୍ଜିପାଳ ଗ୍ରାମର ପୁନିଆ ପ୍ରଧାନ ଙ୍କ ପୁଅ ସମ୍ଭୁ ପ୍ରଧାନ ହୋଇଥିବା ବେଳେ ନିଖୋଜ ଥିବା ଯୁବକ ଜଣଙ୍କ କୋଇଲା ଗ୍ରାମର ମନମୋହନ ମହାନ୍ତ ଙ୍କ ପୁଅ ମାନସ ମହାନ୍ତ ବୋଲି ଜଣାପଡିଛି। ଉଭୟେ ଆଜି ମହାଗିରି ପାହାଡ଼ରେ ଥିବା ଝରଣାକୁ ଗାଧୋଇବାକୁ ଯାଇଥିଲେ। ହେଲେ ଝରଣାର ପ୍ରଖର ସ୍ରୋତରେ ଉଭୟେ ବୁଡି ଯାଇଥିଲେ। ନିକଟରେ ଥିବା ଅନ୍ୟ କେତେକ ଏହା ଦେଖି ଗ୍ରାମବାସୀ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପରେ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ସମ୍ଭୁ ପ୍ରଧାନ ଙ୍କ ମୃତଦେହ ପାଣିରୁ ଉଦ୍ଧାର କରିଥିଲେ। ଏପର୍ଯ୍ୟନ୍ତ ନିଖୋଜ ଥିବା ଯୁବକଙ୍କ କୌଣସି ପତ୍ତା ମିଳିନାହିଁ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।