spot_img
Home Blog Page 4528

ବିଜେପି କାର୍ଯ୍ୟାଳୟ ଭାଙ୍ଗିଲେ ଅସନ୍ତୁଷ୍ଟ କର୍ମୀ

କଳାହାଣ୍ଡି: ଟିକେଟ ପ୍ରଦାନକୁ ନେଇ ବିଜେପିରେ ଅସନ୍ତୋଷ । ବିଜେପି କାର୍ଯ୍ୟାଳୟରେ ଭଙ୍ଗାରୁଜା । ପୌର ନିର୍ବାଚନରେ ଅଧକ୍ଷ ପଦବୀ ପାଇଁ ଟିକେଟ ବଣ୍ଟାକୁ କେନ୍ଦ୍ରକରି ଭଙ୍ଗାରୁଜା । ବିଜେପି ମହିଳା ମୋର୍ଚ୍ଚା ଅସନ୍ତୁଷ୍ଟ ଗୋଷ୍ଠୀ ଏହି ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି । ବିଜେପି ଆଶାୟୀ ପ୍ରାର୍ଥିନୀ ପୁଷ୍ପା ତାଣ୍ଡିକୁ ଟିକେଟ ନଦେଇ ବିନିତା ଦାସକୁ ଟିକେଟ ଦିଆଯାଇଥିବାରୁ ଏହି ଭଙ୍ଗାରୁଜା ହୋଇଛି ।

ମୋହାଲିରେ ମାଟି କାମୁଡ଼ିଲା ଶ୍ରୀଲଙ୍କା: ଇନିଂସ ଓ ୨୨୨ ରନ୍‌ରେ ଜିତିଲା ଭାରତ

ମୋହାଲି: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଭାରତର ବୃହତ୍ତ ବିଜୟ । ମୋହାଲିରେ ମାଟି କାମୁଡ଼ିଲା ଶ୍ରୀଲଙ୍କା । ତିନି ଦିନରେ ଶେଷ ହେଲା ମ୍ୟାଚ୍ । ଟିମ୍ ଇଣ୍ଡିଆ ଇନିଂସ୍ ଓ ୨୨୨ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏହା ସହ ଭାରତ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିନେଇଛି।

ଭାରତ ପ୍ରଥମ ଇନିଂସରେ ୮ ୱିକେଟ୍ ହରାଇ ୫୭୪ ରନର ବିଶାଳ ସ୍କୋର ଛିଡ଼ା କରିଥିଲା। ଜବାବରେ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୧୭୪ ରନ୍ କରି ଅଲଆଉଟ୍ ହୋଇଥିଲା। ଫଳରେ ଫଲୋଅନ୍ ଏଡ଼ାଇ ନପାରି ପୁଣି ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଶ୍ରୀଲଙ୍କ ଦ୍ୱିତୀୟ ଇନିଂସରେ ମଧ୍ୟ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ମାତ୍ର ୧୭୮ ରନରେ ଅଲଆଉଟ୍ ହୋଇଯାଇଛି ଦଳ । ଅପରାଜିତ ୧୭୫ ରନର ଯୋଗଦାନ କରିଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ବୋଲିଂରେ ମଧ୍ୟ କମାଲ୍ କରି ମୋଟ ୯ ୱିକେଟ୍ ନେଇ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

ଶ୍ରୀଲଙ୍କା ପକ୍ଷରୁ ନିରୋଶାନ୍ ଡିକୱେଲା ସର୍ବାଧିକ ୫୧ ରନ୍ କରିଛନ୍ତି। ତେବେ ଅନ୍ୟ କୌଣସି ବ୍ୟାଟର୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ଧନଞ୍ଜୟ ଡି’ସିଲଭା ୩୦, ଆଞ୍ଜେଲୋ ମାଥ୍ୟୁସ୍ ୨୮, କ୍ୟାପଟେନ୍ ଦିମୁତ କରୁଣାରତ୍ନେ ୨୭ ଓ ଚରିଥ ଅସଲଙ୍କା ୨୦ ରନ୍ କରିଥିଲେ। ଭାରତ ପକ୍ଷରୁ ଜାଡେଜା ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ୪ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ମହମ୍ମଦ ଶାମି ୨ଟି ୱିକେଟ୍ ପାଇଛନ୍ତି।

ଏହା ପୂର୍ବରୁ ଶ୍ରୀଲଙ୍କା ତୃତୀୟ ଦିବସରେ ୧୦୮/୪ରୁ ଖେଳ ଆରମ୍ଭ କରିଥିଲା। ପାଥୁମ ନିଶାଙ୍କ ଲଢ଼ୁଆ ବ୍ୟାଟିଂ କରି ଅର୍ଦ୍ଧଶତକ ମାରିଥିଲେ ହେଁ ତାଙ୍କୁ ଅନ୍ୟ ବ୍ୟାଟରଙ୍କ ତରଫରୁ ସେଭଳି ସହଯୋଗ ମିଳିନଥିଲା। ନିଶାଙ୍କ ୬୧ (୧୩୩ ବଲ୍, ୧୧ ଚୌକା) ରନ୍ କରିଥିବା ବେଳେ ଅସଲଙ୍କା ୨୯, କରୁଣାରତ୍ନେ ୨୮, ମାଥ୍ୟୁସ୍ ୨୨, ଲାହିରୁ ଥିରିମାନେ ୧୭ ରନ୍ କରିଥିଲେ। ପ୍ରଥମ ଇନିଂସରେ ଭାରତର ଜାଡେଜା ସର୍ବାଧିକ ୫ଟି ୱିକେଟ୍ ହାସଲ କରିଥିଲେ। ଅଶ୍ୱିନ୍ ଓ ଯଶପ୍ରୀତ ବୁମ୍ରା ୨ଟି ଲେଖାଏ ସଫଳତା ପାଇଥିବା ବେଳେ ଶାମି ଗୋଟିଏ ୱିକେଟ୍ ନେଇଥିଲେ।

ସମାପ୍ତ ହେବକି ଋଷ-ୟୁକ୍ରେନ ଯୁଦ୍ଧ? ପୁଟିନଙ୍କୁ ଭେଟିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ମସ୍କୋ: ରୁଷୋ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନଫ୍ତାଲି ବେନେଟ୍ ମସ୍କୋରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ତେବେ ଯୁଦ୍ଧ ଚାଲିଥିବାବେଳେ ନଫ୍ତାଲିଙ୍କ ଋଷ ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଏହାପୂର୍ବରୁ ଉଭୟ ନେତା ମଧ୍ୟ ଫୋନରେ ମଧ୍ୟ କଥା ହୋଇଥିଲେ। ବେନେଟ୍ ଓ ପୁଟିନଙ୍କ ମଧ୍ୟରେ ଯୁଦ୍ଧ ପପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ। ତେବେ ଚର୍ଚ୍ଚା ହେଉଛି ଯେ ଋଷ-ୟୁକ୍ରେନ ଯୁଦ୍ଧ ସମାପ୍ତିରେ ଇସ୍ରାଏଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରେ । ଏଭଳି ପରିସ୍ଥିତିରେ ଇସ୍ରାଏଲକୁ ଏକ ସମ୍ଭାବ୍ୟ ମଧ୍ୟସ୍ଥି ଭାବରେ ଦେଖାଯାଉଛି|

ତେବେ ଏହା ପୂର୍ବରୁ  ଶନିବାର ଦିନ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ପୋଲାଣ୍ଡ-ୟୁକ୍ରେନ ସୀମାରେ ୟୁକ୍ରେନ ବୈଦେଶିକମନ୍ତ୍ରୀ ଦିମିତ୍ରୀ କୁଲେବାଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ମୁଁ ଆଶା କରୁଛି ଯେ ୟୁକ୍ରେନବାସୀଙ୍କ ବିଶ୍ୱାସ ରହିଛି ଯେ ତାଙ୍କ ବନ୍ଧୁ ରାଷ୍ଟ୍ର ସେମାନଙ୍କ ସହ ଠିଆ ହୋଇଛନ୍ତି। ଏହି ବୈଠକ ହେଉଛି ଏହାର ସ୍ପଷ୍ଟ ଉଦାହରଣ। କୋରଜୋଭା-କ୍ରାକୋୱେଟ୍ସ ସୀମାରେ କଡ଼ା ସୁରକ୍ଷା ଭିତରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ଆସନ୍ତାକାଲି ରୁଷ-ୟୁକ୍ରେନ ତୃତୀୟ ରାଉଣ୍ଡ ଆଲୋଚନା

ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୭ରେ ଋଷ ଏବଂ ୟୁକ୍ରେନ ମଧ୍ୟରେ ତୃତୀୟ ରାଉଣ୍ଡ ଆଲୋଚନା ହେବାର ସମ୍ଭାବନା ରହିଛି। ଗଣମାଧ୍ୟମ ରିପୋର୍ଟ ମୁତାବକ ୟୁକ୍ରେନ ତୃତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ତାରିଖ ପ୍ରସ୍ତାବ ଦେଇଛି, କିନ୍ତୁ ଋଷ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇ ନାହିଁ। ମାର୍ଚ୍ଚ ୪ରେ, ପୋଲାଣ୍ଡ-ବେଲାଋଷ ସୀମାନ୍ତରେ ଋଷ ଓ ୟୁକ୍ରେନ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏଥିରେ ୟୁକ୍ରେନ ନାଗରିକଙ୍କ ସୁରକ୍ଷା ପାଇଁ ଉଭୟ ପକ୍ଷ ମଧ୍ୟରେ ସହମତି ହୋଇଥିଲା । ସାଧାରଣ ନାଗରିକଙ୍କ ସ୍ଥାନାନ୍ତର ପାଇଁ ଋଷ ଏବଂ ୟୁକ୍ରେନ ମିଳିତ ଭାବେ ବ୍ୟବସ୍ଥା କରିବାକୁ ସହମତ ହୋଇଥିଲେ।

ପୌର ନିର୍ବାଚନ ନେଇ ପାେଲିସର ଧରପଗଡ଼: ୨୦୦ ମଦୁଆଙ୍କ ଠାରୁ ଜରିମାନା ଆଦାୟ

ଭୁବନେଶ୍ୱର: ପୌର ନିର୍ବାଚନକୁ ନଜରରେ ରଖି ପୋଲିସର ଧରପଗଡ଼ । ରାସ୍ତା ଉପରେ ସର୍ବସାଧାରଣ ସ୍ଥାନରେ ମଦ ପିଉଥିବା ଲୋକଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛି କମିଶନରେଟ୍ ପୋଲିସ । ଭୁବନେଶ୍ୱରର ଖୋଲା ସ୍ଥାନରେ ମଦ୍ୟପାନ ଓ ବିଭିନ୍ନ ଖଟିରେ ଚଢ଼ାଉ କରି ପ୍ରାୟ ୨୦୦ ମଦୁଆଙ୍କ ଠାରୁ ୫୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଛି କମିଶନରେଟ୍ ପୋଲିସ । ୬୮ ଖଟିରେ ଚଢ଼ାଉ କରି ୧୨ ଖଟିକୁ ଭାଙ୍ଗିଲା ପୋଲିସ । ଖଟି କରୁଥିବା ୯୨ ଜଣଙ୍କ ଠାରୁ ୫୦୦ ଟଙ୍କା ଲେଖିଏ ଜରିମାନା ଆଦାୟ କରିଛି ପୋଲିସ । ନିର୍ବାଚନ ସମୟରେ କୌଣସି ହିଂସାକୁ ପ୍ରଶୟ ଦିଆଯିବ ନାହିଁ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପକ୍ଷରେ ଭୁବନେଶ୍ବର ମହାନଗର ନିଗମର ୪୫ ନମ୍ବର ୱାର୍ଡ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ପୂର୍ବତନ କର୍ପୋରେଟର ଅମରେଶ ଜେନା । ବିଜେଡି ପ୍ରାର୍ଥୀ ଭାବେ ଏଥର ବି ନିର୍ବାଚନ ଲଢ଼ୁଛନ୍ତି ଅମରେଶ । ଚିନ୍ତାମଣେଶ୍ୱର ମନ୍ଦିରରୁ ବିରାଟ ବାଇକ ଶୋଭାଯାତ୍ରାରେ ସମର୍ଥକଙ୍କ ସହ ବଡ଼ଗଡ଼ କେନାଲ ରୋଡ଼ ଦେଇ ପଦଯାତ୍ରା କରି ଭୁବନେଶ୍ୱର ADM ଅଫିସରେ ପହଞ୍ଚି ନାମାଙ୍କନ ଭରିଛନ୍ତି । ୱାର୍ଡକୁ ରାଜଧାନୀର ଏକ ନମ୍ବର ୱାର୍ଡ କରିବା ଲକ୍ଷ୍ୟ ନେଇ ସେ ନିର୍ବାଚନ ଲଢ଼ୁଥିବା କହିଛନ୍ତି । ସେପଟେ ପୂର୍ବତନ ଡେପୁଟି ମେୟର କେ.ଶାନ୍ତି ମଧ୍ୟ ବିରାଟ ପଟୁଆରରେ ଯାଇ ନାମାଙ୍କନ ଭରିଛନ୍ତି । ୫୬ ନମ୍ବର ୱାର୍ଡ ପାଇଁ ନାମାଙ୍କନ ଭରିଛନ୍ତି କେ. ଶାନ୍ତି ।

ଏଥିସହିତ ପଢ଼ନ୍ତୁ: ଇତିହାସ ରଚିଲେ ଅଶ୍ୱିନ, ଟେଷ୍ଟରେ ସର୍ବାଧିକ ଓ୍ୱିକେଟ ନେବାରେ କପିଲ ଦେବଙ୍କୁ ପକାଇଲେ ପଛରେ

ଓଡ଼ିଶା ବିଧାନସଭା ୟୁଟ୍ୟୁବ୍ ଚ୍ୟାନେଲ ଆରମ୍ଭ: ଆଗକୁ ଟିଭି ହେବ

ଭୁବନେଶ୍ୱର: ଓଡିଶା ବିଧାନସଭାର ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ ହୋଇଛି । ଗତକାଲିଠାରୁ ଆରମ୍ଭ ହୋଇଛି ୟୁଟ୍ୟୁବ ଚ୍ୟାନେଲ । ବିଧାନସଭା ୟୁଟ୍ୟୁବ ଚ୍ୟାନେଲ ପରେ ପରବର୍ତ୍ତୀ ସମୟରେ ବିଧାନସଭା ଟିଭି ମଧ୍ୟ ଆରମ୍ଭ ହେବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ବିଧାନସଭା ପତ୍ରିକା ନାମକ ମାସିକ ପତ୍ରିକା ବି ଆରମ୍ଭ ହେବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।

ତେବେ ପାର୍ଲିଆମେଣ୍ଟ ଢାଞ୍ଚାରେ କାର୍ଯ୍ୟକାରୀ ହେବ ଓଡ଼ିଶା ବିଧାନସଭା ଟିଭି ଚ୍ୟାନେଲ୍। ପ୍ରସାରଣ ହେବ ବିଧାନସଭା ସଂକ୍ରସନ୍ତୀୟ ଖବର। ଏଥିପାଇଁ ଓଡ଼ିଶା ବିଧାନସଭା ସମାଚାର ୟୁ ଟ୍ୟୁବ୍ ଚ୍ୟାନେଲ୍ ଆରମ୍ଭ ହୋଇଛି। ଶନିବାର ବିଜୁ ଜୟନ୍ତୀରେ ଏହାର ଶୁଭାରମ୍ଭ ହୋଇଛି। ଏବେ ୟୁ ଟ୍ୟୁବ୍‌ରେ ଏହାର ପ୍ରସାରଣ କରାଯିବ। ପରେ ସାଟେଲାଇଟ୍ ହେବାର ଯୋଜନା ରହିଛି। ଏଥିପାଇଁ ବିଧାନସଭା ପରିସରରେ ଏହାର ଷ୍ଟୁଡିଓ ତିଆରି ଚାଲିଛି। ପରବର୍ତ୍ତୀ ସମୟରେ ବିଧାନସଭା ଟିଭି ଆରମ୍ଭ ହେବ। ଏହା ସହ ବିଧାନସଭା ପତ୍ରିକା ନାମକ ମାସିକ ପତ୍ରିକା ପ୍ରକାଶ କରାଯିବ। ଏନେଇ ପ୍ରକ୍ରିୟ ଆରମ୍ଭ ହୋଇଛି ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

ସେ ଆହୁରି କହିଛନ୍ତି ଯେ, ବିଧାନ ପରିଷଦ ଗଠନ ନେଇ ବିଧାନସଭା ପକ୍ଷରୁ ଲେଖା ଯାଇଥିବା ଚିଠିର ଉତ୍ତର କେନ୍ଦ୍ର ସରକାର ଦେଇଛନ୍ତି । ଚିଠି ବିଧାନସଭାରେ ପହଞ୍ଚିବା ପରେ ସଂସଦୀୟ ବ୍ୟାପାର ବିଭାଗକୁ ପଠାଇ ଦିଆଯାଇଛି। ବିଧାନପରିଷଦ ଗଠନ ନେଇ କଣ ପ୍ରକ୍ରିୟା ରହିବ ସେ ନେଇ ଚିଠିରେ ଉଲ୍ଲେଖ ରହିଛି। ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ବିଧାନସଭା ପରିଷଦ ଗଠନ ନେଇ କିଛି ପ୍ରସ୍ତାବ ଆସିନଥିବା ସଂସଦରେ ଉତ୍ତର ରଖିଥିଲେ କେନ୍ଦ୍ର ଆଇନ ମନ୍ତ୍ରୀ । କେଉଁ ପରିସ୍ଥିତିରେ ଭୁଲ ଉତ୍ତର ରଖାଗଲା ସେ ନେଇ ବିଧାନସଭା ପକ୍ଷରୁ ୨ ଟି ଚିଠି ଲେଖାଯାଇଥିଲା। ଏହାର ଉତ୍ତର କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଛି। ମାର୍ଚ୍ଚ ୩୧ ପୂର୍ବରୁ ବିଧାନସଭା ବଜେଟ ଅଧିବେଶନ ବସିବ। ରାଜ୍ୟପାଳଙ୍କ ଅନୁମୋଦନ ଆସିବା ପରେ ବିଧିବଦ୍ଧ ତାରିଖ ଘୋଷଣା ହେବ ବୋଲି କହିଛନ୍ତି ବାଚସ୍ପତି।

ୟୁକ୍ରେନ ଯୁଦ୍ଧରେ ଫସିରହିଥିବା ମହିଳାଙ୍କୁ କ୍ରୀତଦାସ ବନାଉଛନ୍ତି ଅପରାଧୀ ଗ୍ୟାଙ୍ଗ୍, ବଢ଼ିପାରେ ବେଶ୍ୟାବୃତ୍ତି

କିଭ୍: ଋଷର ଘନ ଘନ ଆକ୍ରମଣରେ ୟୁକ୍ରେନ୍ ଛାରଖାର । ପ୍ରତିମୂର୍ହୁତ୍ତରେ ଲଢୁଛନ୍ତି ଜୀବନମୃତ୍ୟୁର ସଂଗ୍ରାମ । ଆକାଶରୁ ବର୍ଷୁଛି ଋଷ ମିଜାଇଲ । ଋଷ ଟ୍ୟାଙ୍କ ସବୁକିଛି କରି ଦେଉଛନ୍ତି ନଷ୍ଟ । ଜୀବନ ବଞ୍ଚାଇବାକୁ ୟୁକ୍ରେନବାସୀଙ୍କ ସାହାରା ପାଲଟିଛି ବଙ୍କର । ସ୍ଥିତି ଏତେ ଭୟଙ୍କରରେ ପିଲାଙ୍କୁ ଧରି ୟୁକ୍ରେନର ଲକ୍ଷ ଲକ୍ଷ ମହିଳା ଦେଶ ଛାଡ଼ି ପଡୋଶୀ ଦେଶକୁ ଚାଲି ଯାଉଛନ୍ତି । ରିପୋର୍ଟ ଅନୁସାରେ ଗତ ୧୧ ଦିନି ଭିତରେ ୧୫ ଲକ୍ଷ ଲୋକ ଦେଶ ଛାଡି ସାରିଛନ୍ତି । ତେବେ ଏହି ପଳାୟନ ଆଉ ଏକ ବଡ଼ ସମସ୍ୟା ୟୁରୋପ ପାଇଁ ନେଇ ଆସିଛି । ସ୍ଥିତିକୁ ସୁଯୋଗ କରି ମାତିଛନ୍ତି ଅପରାଧୀ ଗ୍ୟାଙ୍ଗ । ଟାର୍ଗେଟରେ ୟୁକ୍ରେନ ଛାଡି ପଡୋଶୀ ରାଷ୍ଟ୍ରକୁ ଚାଲି ଯାଉଥିବା ୟୁକ୍ରେନ ନାଗରିକ । ବିଶେଷ କରି ମହିଳା ଓ ଶିଶୁ । ଅସହାୟ ୟୁକ୍ରେନ ମହିଳା ଓ ଶିଶୁ ହୋଇପାରନ୍ତି ଅପରାଧୀଙ୍କ ଗୁଲାମ । ଲାଗି ପାରନ୍ତି ବେଶ୍ୟାବୃତ୍ତି ପରି ଧନ୍ଦାରେ । ୟୁରୋପୀୟ ସଂଘ ଓ ମିଳିତ ଜାତିସଂଘ ପକ୍ଷରୁ ଏମିତି ଆଶଙ୍କା କରାଯାଇଛି।

ୟୁରୋପୀୟ ସଙ୍ଘର ଅଧିକାରୀ ଏବଂ ମିଳିତ ଜାତିସଂଘ ଅନୁସାରେ ଋଷ ଆକ୍ରମଣ ଯୋଗୁଁ ଦେଶ ଛାଡ଼ି ପ୍ରାୟ ୭୦ ନିୟୁତ ଲୋକ ପଡୋଶୀ ପୋଲାଣ୍ଡ, ମାଲଡୋଭା, ରୋମାନିଆ, ସ୍ଲୋଭାକିଆ ଓ ହଙ୍ଗେରୀରେ ଆଶ୍ରୟ ନେଇପାରନ୍ତି । ଏମାନେ ମାନବ ଚାଲାଣ ରାକେଟ ଚଲାଉଥିବା ଅପରାଧୀଙ୍କ ଟାର୍ଗେଟ ବିନ ପାରନ୍ତି । ଏମାନଙ୍କୁ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ, ବେଶ୍ୟାବୃତ୍ତି ପରି କାମରେ ଲଗାଯାଇପାରେ । ଏହାସହ ଏମାନେ ଦାସତ୍ୱରେ ଫସି ରହିପାରନ୍ତି ।

ୟୁକ୍ରେନ ସୀମା ପାର କରି ଟଙ୍କା ମଗା ଯାଉଛି:
ଜାତୀୟ ଗଣମାଧ୍ୟମ ମୁତାବକ ଏମିତି ଖବର ମଧ୍ୟ ରହିଛି ଯେ କିଛି ମହିଳା ଏବଂ ପରିବାର ମାଗଣାରେ ସୀମା ଅତିକ୍ରମ କରିବା ଅଫର ପାଇଥିଲେ । ଯାହାକୁ ସେମାନେ ଗ୍ରହଣ କରି ନେଇଥିଲେ । ହେଲେ ପଡୋଶୀ ଦେଶରେ ପହଞ୍ଚିବା ପରେ ସେମାନଙ୍କୁ ଟଙ୍କା ମଗା ଯାଇଥିଲା।
ଜଣେ ୨୭ ବର୍ଷୀୟ ୟୁକ୍ରେନ ମହିଳା କହିଛନ୍ତି, ତାଙ୍କର ଜଣଷ ମହିଳା ବନ୍ଧୁଙ୍କୁ ଜଣେ ବ୍ୟକ୍ତି ମାଗଣାରେ ପୋଲାଣ୍ଡ ନେଇଯାଇଥିଲେ । ଏଥିପାଇଁ ସେ କୌଣସି ଟଙ୍କା ନ ନେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ହେଲେ ପୋଲାଣ୍ଡରେ ପହଞ୍ଚିବା ପରେ ବ୍ୟକ୍ତି ଜଣଙ୍କ ଟଙ୍କା ମାଗିଥିଲେ । ହେଲେ ମହିଳା ଜଣଙ୍କ ଟଙ୍କା ଦେଇ ନପାରିବାରୁ ସେ ତାଙ୍କୁ ଗୁଲାମ କରି ରଖିବାକୁ ବାଧ୍ୟ କରିଥିଲା । ସୌଭାଗ୍ୟକୁ ମହିଳା ଜଣଙ୍କ ସେଠାରୁ ଖସି ପଳାଇବାକୁ ସକ୍ଷମ ହୋଇଥିଲେ।

ଶରଣାର୍ଥୀ ଶୋଷଣର ଶିକାର ହୋଇପାରନ୍ତି:

ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ୟୁକ୍ରେନ ଯୁଦ୍ଧ ମାନବ ଚାଲାଣ ଦୃଷ୍ଟିକୋଣରୁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ। ଏହା ସମଗ୍ର ୟୁରୋପରେ ପ୍ରଭାବ ପକାଇବ । ଶରଣାର୍ଥୀଙ୍କ ଶୋଷଣର ଆଶଙ୍କା ବି ବଢ଼ିବାରେ ଲାଗିଛି। ବିଶେଷଜ୍ଞଙ୍କ କହିବା କଥା ଯେ ଯୁଦ୍ଧ ପରେ ସମୟ ସହିତ ଚୋରା ଚାଲାଣକାରୀଙ୍କ ଦ୍ୱାରା ଶରଣାର୍ଥୀଙ୍କ ଶୋଷଣ ମାମଲାରେ ବୃଦ୍ଧି ଘଟିବ। ଏହି ଯୁଦ୍ଧରେ କେବଳ ଜନହାନି ହେବ ନାହିଁ, ବରଂ ୟୁକ୍ରେନରୁ ସମ୍ଭବତ ୭୦ ଲକ୍ଷ ଲୋକ ବିସ୍ଥାପିତ ହୋଇ ମାନବ ଚାଲାଣର ଶିକାର ହେବେ।

ଅପରାଧୀଙ୍କ ଟାର୍ଗେଟରେ ମହିଳା ଓ ଶିଶୁ:
ବିଶେଷଜ୍ଞଙ୍କ ମୁତାବକ ୟୁକ୍ରେନ ଛାଡୁଥିବା ଲୋକେ ଏବେ ଅପରାଧୀ ଗ୍ୟାଙ୍ଗଙ୍କ ଟାର୍ଗେଟରେ । ୟୁକ୍ରେନ ରାଷ୍ଟ୍ରପତି ଯୁବକ ଓ ୬୦ ବର୍ଷ ପର୍ଯ୍ୟନ୍ତ ପୁରୁଷଙ୍କୁ ଦେଶ ଛାଡିବାକୁ ମନା କରିଥିବାରୁ ଅଧିକ ସଂଖ୍ୟାରେ ମହିଳା ଓ ଶିଶୁ ପଡୋଶୀ ଦେଶକୁ ଯାଉଛନ୍ତି । ଦେଶ, ପରିବାର, ଘରଦ୍ବାର ଛାଡି ପଡୋଶୀ ଦେଶର ଶରଣାର୍ଥୀ ଶିବିରରେ ପଡି ରହିଥିବା ଏହି ଲକ୍ଷ ଲକ୍ଷ ମହିଳା ଓ ଶିଶୁଙ୍କ ଉପରେ ଏବେ ଏହି ଅପରାଧୀ ଗ୍ୟାଙ୍ଗଙ୍କ ଆଖି ପଡିଛି । ଯେଣେତେଣେ ପ୍ରକାରେ ବିଭିନ୍ନ ପ୍ରଳଷାଭନ ଦେଖାଇ ସେମାନଙ୍କ ଅସହାୟତାର ସୁଯୋଗ ନେଇ ଏହି ଗ୍ୟାଙ୍ଗ ଗୁଡିକ ଏମାନଙ୍କୁ ଅପରାଧ ଦୁନିଆରେ ସାମିଲ କରିବାକୁ ଲାଗିପଡିଛନ୍ତି ।

ଇତିହାସ ରଚିଲେ ଅଶ୍ୱିନ, ଟେଷ୍ଟରେ ସର୍ବାଧିକ ଓ୍ୱିକେଟ ନେବାରେ କପିଲ ଦେବଙ୍କୁ ପକାଇଲେ ପଛରେ

ମୋହାଲି: ଭାରତୀୟ କ୍ରିକେଟ ଦଳର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଟେଷ୍ଟ କ୍ରିକେଟରେ ସର୍ବାଧିକ ଓ୍ୱିକେଟ ନେଇଥିବା ବୋଲର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ଅଶ୍ୱିନ ୧୯୮୩ ବିଶ୍ୱକପ ବିଜେତା ଅଧିନାୟକ କପିଲ ଦେବଙ୍କ ରେକର୍ଡ ଭାଙ୍ଗିଛନ୍ତି । କପିଲ ଦେବ ଟେଷ୍ଟ କ୍ରିକେଟରେ ୪୩୪ ଓ୍ୱିକେଟ ଅକ୍ତିଆର କରିଛନ୍ତି । ରବିଚନ୍ଦ୍ରନ ଅଶ୍ୱିନ ଏବେ ବି ମହାନ ସ୍ପିନର ଅନୀଲ କୁମ୍ଭଲେଙ୍କ ପଛରେ ରହିଛନ୍ତି । କୁମ୍ଭଲେ ତାଙ୍କ କ୍ୟାରିୟରରେ ୬୧୯ ଓ୍ୱିକେଟ ଅକ୍ତିଆର କରିଛନ୍ତି ।

ରବିଚନ୍ଦ୍ରନ ଅଶ୍ୱିନ ଏହି ଐତିହାସକ ରେକର୍ଡ ଶ୍ରୀଲଙ୍କା ବିପକ୍ଷରେ ମୋହାଲିରେ ହାସଲ କରିଛନ୍ତି । ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ । ତେବେ ଏହି ସିରିଜର ପ୍ରଥମ ମ୍ୟାଚର ପ୍ରଥମ ଇନିଂସରେ ଅଶ୍ୱିନ ୨ଟି ଓ୍ୱିକେଟ ଅକ୍ତିଆର କରିଥିଲେ । ଏହା ପରେ ଏହି ମ୍ୟାଚର ଦ୍ୱିତୀୟ ଇନିଂସରେ ଆଉ ଏକ ୱିକେଟ ନେବା ପରେ ସେ କପିଲ ଦେବଙ୍କୁ ଟପିଥିଲେ । ଏହି ମ୍ୟାଚରେ ଅଶ୍ୱିନ ନ୍ୟୁଜିଲାଣ୍ଡର ରିଚାର୍ଡ ହେଡଲୀ ଏବଂ ଶ୍ରୀଲଙ୍କାର ରଙ୍ଗନା ହେରାଥଙ୍କୁ ମଧ୍ୟ ପଛରେ ପକାଇଛନ୍ତି ।

ମହିଳା ବିଶ୍ୱକପ: ଭାରତର ଦମଦାର ଆରମ୍ଭ, ପାକିସ୍ତାନକୁ ୧୦୭ ରନରେ ହରାଇଲା ଭାରତ

ନ୍ୟୁଜିଲାଣ୍ଡ: ପୁଣି ହାରିଲା ପାକିସ୍ତାନ । ମହିଳା ଦିନିକିଆ ବିଶ୍ୱକପରେ ପୁଣି ପରାଜୟର ସ୍ୱାଦ ଚାଖିଛି ପାକିସ୍ତାନ । ଫେବ୍ରୁଆରୀ ୪ରୁ ମହିଳି ଦିନିକିଆ ବିଶ୍ୱକପ ଆରମ୍ଭ ହୋଇଥିବାବେଳେ ଆଜି ଭାରତ ତା’ର ଅଭିଯାନ ଆରମ୍ଭ କରିଥିଲା । ଭାରତ ଆଜି ପ୍ରଥମ ମ୍ୟାଚରେ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିଥିଲା । ଏହି ମ୍ୟାଚରେ ଭାରତ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ବ୍ୟାଟିଂ ଆରମ୍ଭରୁ ଭଲ ପ୍ରଦର୍ଶନ କରିପାରିନଥିଲା ଟିମ୍ ଇଣ୍ଡିଆ । ଭାରତୀୟ ଓପନର ଶେଫାଳୀ ବର୍ମା ଖାତା ଖୋଲି ନପାରି ପ୍ୟାଭିଲିୟନ ଫେରିଥିଲେ । ଏହା ଦଳର ପାରିକୁ ସମ୍ଭାଳିଥିଲେ ସ୍ମ୍ରିତି ମାନ୍ଧାନା ଓ ଦିପ୍ତି ଶର୍ମା । ଉଭୟ ଦ୍ୱିତୀୟ ଓ୍ୱିକେଟ ପାଇଁ ୯୨ ରନର ପାର୍ଟନରସିପ୍ କରିଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ଲଗାତର ଭାବରେ ଭାରତ ଓ୍ୱିକେଟ ହରାଇଥିଲା । ମାତ୍ର ୧୧୪ ରନରେ ଭାରତ ୬ ଓ୍ୱିକେଟ ହରାଇଥିଲା । ତେବେ ଟିମ୍ ଇଣ୍ଡିଆକୁ ଏହି ସଙ୍କଟରୁ ଉଦ୍ଧାର କରିଥିଲେ ସ୍ନେହା ରଣା ଓ ପୂଜା । ଉଭୟଙ୍କ ଶତକୀୟ ପାର୍ଟନରସିପ୍ ପାଇଁ ଭାରତ ପାକିସ୍ତାନ ସାମ୍ନାରେ ୨୪୫ର ଟାର୍ଗେଟ ରଖିପାରିଥିଲା ।

୨୪୫ ରନର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନ ମାତ୍ର ୧୩୭ ରନ କରିବାରେ ସକ୍ଷମ ହୋଇଥିଲା । ଭାରତୀୟ ବୋଲରଙ୍କୁ ସାମ୍ନା କରିପାରିନଥିଲେ ପାକ୍ ବ୍ୟାଟ୍ସମ୍ୟାନ । ଭାରତ ପକ୍ଷରୁ ରାଜେଶ୍ୱରୀ ଗାଇକ୍ୱେଏଡ ୪ଟି ଓ୍ୱିକେଟ ନେଇଥିବାବେଳେ ସ୍ନେହା ରଣା ଓ ଝୁଲଣ ଗୋସ୍ୱାମୀ ୨ଟି ଓ୍ୱିକେଟ ଅକ୍ତିଆର କରିଥିଲେ । ସେହିପରି ମେଘ୍ନା ସିଂ ଓ ଦିପ୍ତି ଶର୍ମା ଗୋଟିଏ ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଥିଲେ । ତେବେ ଏହି ମ୍ୟାଚରେ ଭାରତ ବିଜୟଲାଭ କରିବା ସହ ତା’ର ରେକର୍ଡ ବଜାୟ ରଖିଛି । ମହିଳା ବିଶ୍ୱକପରେ ଭାରତ ପାକିସ୍ତାନ ବିପକ୍ଷରେ ତା’ର ଅପରାଜୟ ଧାରା ଜାରି ରଖିଛି ।

ମୋଦିଙ୍କୁ ୟୁକ୍ରେନ ବୈଦେଶିକ ମନ୍ତ୍ରୀଙ୍କ ଅନୁରୋଧ, ଯୁଦ୍ଧ ବନ୍ଦ କରିବାକୁ ଋଷ ସହ କରନ୍ତୁ ଆଲୋଚନା

କିଭ୍:ଋଷ ବିରୁଦ୍ଧରେ ଯୁଦ୍ଧ ଲଢ଼ୁଥିବା ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା ଯୁଦ୍ଧ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଛନ୍ତି। ସେ ଏହି  ଯୁଦ୍ଧ ବନ୍ଦ କରିବା ସକାଶେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚା କରିବା ଲାଗି ମୋଦିଙ୍କୁ ଅନୁରୋଧ କରିଛନ୍ତି । ଏକ ଟିଭି କାର୍ଯ୍ୟକ୍ରମରେ ସମ୍ବୋଧନ କରି କୁଲେବା କହିଛନ୍ତି ଯେ ଯେଉଁ ସବୁ ରାଷ୍ଟ୍ରମାନଙ୍କର ଭାରତ ସହ ଭଲ ସମ୍ପର୍କ ରହିଛି ସେମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିପାରିବେ ଯେ ସେ ପୁଟିନଙ୍କ ସହ ଆଲୋଚନା ଜାରି ରଖିନ୍ତୁ ଓ ତାଙ୍କୁ ବୁଝାନ୍ତୁ ଯେ ଏହି ଯୁଦ୍ଧ କୌଣସି ରାଷ୍ଟ୍ର ଲାଗି ମଙ୍ଗଳପ୍ରଦ ନୁହେଁ। ଏମିତି କି ଋଷ ନାଗରିକମାନେ ମଧ୍ୟ ଯୁଦ୍ଧ ଚାହୁଁନାହାଁନ୍ତି ।

କୁଲେବା କହିଛନ୍ତି ଯେ ଭାରତର ସ୍ୱାର୍ଥ ଦୃଷ୍ଟିରୁ ୟୁକ୍ରେନ ଉପରେ ଋଷ ଆକ୍ରମଣ ବନ୍ଦ କରିବା ଉଚିତ। ଏନେଇ ଋଷ ସହ ଭାରତ ଆଲୋଚନା କରିବା ଉଚିତ। କୁଲେବାଙ୍କ କହିବା କଥା ଯେ ୟୁକ୍ରେନର କୃଷିଜାତ ଦ୍ରବ୍ୟର ସବୁଠାରୁ ବଡ ଉପଭୋକ୍ତାମାନଙ୍କ ମଧ୍ୟରୁ ଭାରତ ଅନ୍ୟତମ। ଯଦି ଏହି ଯୁଦ୍ଧ ଜାରି ରହେ, ତେବେ ଆମ ପାଇଁ ନୂଆ ଫସଲ ବୁଣିବା କଷ୍ଟକର ହୋଇଯିବ । ତେଣୁ ବିଶ୍ୱ ତଥା ଭାରତୀୟ ଖାଦ୍ୟ ନିରାପତ୍ତା ଦୃଷ୍ଟିରୁ ମଧ୍ୟ ଏହି ଯୁଦ୍ଧ ବନ୍ଦ କରିବା ସମସ୍ତଙ୍କ ପାଇଁ ହିତକରେ। ସେ କହିଛନ୍ତି ଯେ ଭାରତରେ ରୁଷ ଦୂତାବାସ ଉପରେ ଚାପ ପକାଇ ଭାରତୀୟ ଲୋକମାନେ ରୁଷକୁ ଯୁଦ୍ଧ ବନ୍ଦ କରିବାକୁ ଦାବି କରିପାରିବେ। ୟୁକ୍ରେନ କବଳ ଋଷର ଆକ୍ରମଣ ପ୍ରତିଉତ୍ତରରେ ଓ ନିଜ ଜମିର ସୁରକ୍ଷା ପାଇଁ ଯୁଦ୍ଧ କରୁଛି।

ଦିମିତ୍ରୋ କୁଲେବା ଆହୁରି କହଛନ୍ତି ଯେ ଋଷ ସେହି ଦେଶ ପ୍ରତି ସହାନୁଭୂତି ଦେଖାଇବାର ନାଟକ କରୁଛି ଯେଉଁମାନଙ୍କ ନାଗିରିକ ୟୁକ୍ରେନରେ ଫସି ରହିଛନ୍ତ । ସେ କହିଛନ୍ତି ଯେ ଯଦି ବିଦେଶୀ ଛାତ୍ର ପ୍ରସଙ୍ଗରେ ଋଷ ସହଯୋଗ କରେ ତେବେ ସମସ୍ତଙ୍କୁ ନିରାପଦରେ ସ୍ଥାନାନ୍ତର କରାଯିବ। ସେ କହିଛନ୍ତି, “ମୁଁ ଭାରତ, ଚୀନ୍ ଏବଂ ନାଇଜେରିଆ ସରକାରଙ୍କୁ ନିବେଦନ କରୁଛି ଯେ ସେମାନେ ଋଷକୁ ଗୁଳି ବିନିମୟ ବନ୍ଦ କରିବାକୁ ଏବଂ ସାଧାରଣ ନାଗରିକଙ୍କୁ ଯିବାକୁ ଅନୁମତି ଦେବାକୁ ଅନୁରୋଧ କରନ୍ତୁ।

ଭାରତ-ଶ୍ରୀଲଙ୍କା ଟେଷ୍ଟ: ପ୍ରଥମ ଇନିଂସରେ ଶ୍ରୀଲଙ୍କା ୧୭୪ ରନରେ ଅଲଆଉଟ

ମୋହାଲି: ଭାରତ-ଶ୍ରୀଲଙ୍କା ମଧ୍ୟରେ ଚାଲୁଥିବା ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାକୁ ଫଲୋଅନ ଦେଇଛି । ମୋହାଲିରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ପ୍ରଥମ ବ୍ୟାଟିଂ କରି ଭାରତ ଶ୍ରୀଲଙ୍କା ସାମ୍ନାରେ ବିଶାଳ ସ୍କୋର ଛିଡ଼ା କରିଥିଲା । ଭାରତ ୮ ଓ୍ୱିକେଟ ବିନିମୟରେ ୫୭୪ ରନ କରିଥିଲେ । ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜା ଅପରାଜିତ ୧୭୫ ରନ କରିଥିବାବେଳେ ଋଷଭ ପନ୍ତ ୯୬ ରନ କରିଥିଲେ ।

୫୭୪ ରନରେ ପାରି ଘୋଷଣା କରିବା ପରେ ଶ୍ରୀଲଙ୍କା ପ୍ରଥମ ଇନିଂସ ଆରମ୍ଭରୁ ଖରପ ପ୍ରଦର୍ଶନ କରିଥିଲା । ଭାରତୀୟ ବୋଲରଙ୍କ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ । ମାତ୍ର ୧୭୪ ରନ କରି ଅଲଆଉଟ ହୋଇଥିଲା ଶ୍ରୀଲଙ୍କା । ଯାହା ଫଳରେ ଭାରତ ଶ୍ରୀଲଙ୍କାକୁ ଫଲୋଅନ ଦେଇଥିଲା । ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜା ୫ ଓ୍ୱିକେଟ ନେଇଥିବାବେଳେ ଯଶପ୍ରୀତ ବୁମ୍ରା, ରବିଚନ୍ଦ୍ରନ ଅଶ୍ୱିନୀ ୨ଟି ଓ ମହମ୍ମଦ ସାମି ଗୋଟିଏ ଓ୍ୱିକେଟ ଅକ୍ତିଆର କରିଛନ୍ତି । ତେବେ ଫଲୋଅନ ପରେ ମଧ୍ୟ ଭଲ ପ୍ରଦର୍ଶନ କରିପାରିନାହିଁ ଶ୍ରୀଲଙ୍କା । ଏହି ଖବର ଲେଖା ହେବା ସୁଦ୍ଧା ଶ୍ରୀଲଙ୍କା ୩ ଓ୍ୱିକେଟ ହରାଇ ୬୫ ରନ କରିଛି । ଭାରତ ପକ୍ଷରୁ ଦ୍ୱିତୀୟ ଇନିଂସରେ ରବିଚନ୍ଦ୍ରନ ଅଶ୍ୱିନୀ ଦୁଇଟି ଓ ମହମ୍ମଦ ସାମି ଗୋଟିଏ ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଛନ୍ତି ।