spot_img
Home Blog Page 4543

ପ୍ରତି ନିର୍ବାଚନ ମଣ୍ଡଳୀରେ ନିରାଡ଼ମ୍ବର ପାଳନ ହେବ ବିଜୁ ବାବୁଙ୍କ ୧୦୬ତମ ଜନ୍ମ ଜୟନ୍ତୀ

ଭୁବନେଶ୍ୱର: ଆସନ୍ତା ୫ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୬ ତମ ଜନ୍ମ ଜୟନ୍ତୀ । ପ୍ରତି ନିର୍ବାଚନ ମଣ୍ଡଳୀରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀଙ୍କୁ ନିରାଡ଼ମ୍ବର ଭାବେ ପାଳନ କରାଯିବ । ଏନେଇ ଦଳୀୟ ବିଧାୟକଙ୍କୁ ଚିଠି ଲେଖି ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରତି ନିର୍ବାଚନ ମଣ୍ଡଳୀରେ ସାଧାରଣ ସଭା ଆୟୋଜନ କରାଯାଇ ବିଜୁ ବାବୁଙ୍କ ନୀତି ଓ ଆଦର୍ଶରେ ପରିଚାଳିତ ବିଜେଡିର ସଫଳ ଯାତ୍ରା ସମ୍ପର୍କରେ ଆଲୋଚନା କରାଯିବ ।

ସେହିପରି ମାର୍ଚ୍ଚ ୮ରେ ପ୍ରତି ନିର୍ବାଚନ ମଣ୍ଡଳୀରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରିବ ଦଳ । ମହିଳା ସଶକ୍ତିକରଣ ପାଇଁ ବିଜୁ ଜନତା ଦଳର ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯିବ । ବିଜୁ ବାବୁ ହେଉଛନ୍ତି ଓଡ଼ିଶା ସଫଳ ବିକାଶ ଯାତ୍ରାର ମହାନାୟକ । ତାଙ୍କରି ଆଦର୍ଶକୁ ଆଧାର କରି ବିଜେଡି ରାଜ୍ୟର ବିକାଶ ଯାତ୍ରା ଜାରି ରଖିଛି । ପ୍ରଶାସନକୁ ସ୍ୱଚ୍ଛ କରିବାକୁ ୫-ଟି ଓ ମୋ ସରକାର ଭଳି ବିକାଶମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି ରାଜ୍ୟ ସରକାର । ଏଣୁ ବିଜୁ ବାବୁଙ୍କ ଜନ୍ମ ଦିବସରେ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

 

ଋଷକୁ ଚେତାଇଲେ ବାଇଡେନ, ୟୁକ୍ରେନରେ ଆକ୍ରମଣ ପାଇଁ ଋଷକୁ ଦେବାକୁ ପଡ଼ିବ ବହୁମୂଲ୍ୟ

ଓ୍ୱାଶିଂଟନ: ୟୁକ୍ରେନ ଉପରେ ଆକ୍ରମଣ ନେଇ ଋଷ ବିରୋଧରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଗର୍ଜନ । ଋଷର ଅର୍ଥନୀତିକୁ ସମ୍ପୂର୍ଣ୍ଣ କାବୁ କରି ଦିଆଯିବ । ଆମେରିକା କଂଗ୍ରେସର ମିଳିତ ଅଧିବେଶନରେ ବାଇଡେନ କହିଛନ୍ତି, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାବୁଛନ୍ତି ସେ ୟୁରୋପକୁ ଭାଗ ଭାଗ କରିବାରେ ସକ୍ଷମ ହେବେ । ମାତ୍ର ଏହା ଯଦି ସେ ଭାବୁଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ । ଋଷର ଏହି ଆକ୍ରମଣ ଲାଗି ଆମେ ପ୍ରସ୍ତୁତ ଏବଂ ସାରା ବିଶ୍ବରୁ ଋଷ ବର୍ତ୍ତମାନ ଅଲଗା ହୋଇଯାଇଛି । ଋଷୀୟ ଏୟାରଲାଇନ୍ସ ଲାଗି ଆମେରିକା ଆକାଶମାର୍ଗ ବନ୍ଦ କରି ଦିଆଯିବ । ବାଇଡେନ୍ କହିଛନ୍ତି, ୟୁକ୍ରେନ ସହ ରହିଛି ଆମେରିକା । ଋଷ ଉପରେ ଆର୍ଥିକ କଟକଣା ଲଗାଇଛି ଆମେରିକା । ଋଷର ମନମାନିକୁ ବରଦାସ୍ତ କରାଯିବନି ବୋଲି କହିଛନ୍ତି ଜୋ ବାଇଡେନ୍ ।

ଅନ୍ୟପକ୍ଷରେ ୟୁକ୍ରେନକୁ ୧ ବିଲିଅନ ଡଲାର ସହାୟତା ଦିଆଯିବ ବୋଲି ଘୋଷଣା କରିଛନ୍ତି ବାଇଡେନ । ସବୁ ପ୍ରକାର ସହାୟତା ଆମେରିକା ତରଫରୁ ୟୁକ୍ରେନକୁ ଦିଆଯିବ । କିନ୍ତୁ ଆମେରିକାର ସେନା ଯୁଦ୍ଧରେ ସାମିଲ ହେବନି ବୋଲି କହିଛନ୍ତି ବାଇଡେନ୍ । ୟୁକ୍ରେନବାସୀ ସାହସର ସହ ଲଢେଇ କରୁଛନ୍ତି । ପୁଟିନ୍ ଭୁଲ୍‌ ପଦକ୍ଷେପ ନେଇଥିବା ବାଇଡେନ୍ କହିଛନ୍ତି । କିଭକୁ ଟ୍ୟାଙ୍କର ଦ୍ବାରା ଅକ୍ତିଆର କରାଯାଇଛି ସତ, ହେଲେ ୟୁକ୍ରେନବାସୀଙ୍କ ମନ ପ୍ରାଣ କେବେ ବି ପୁଟିନ୍ ହାସଲ କରିପାରିବେନି ବୋଲି କହିଛନ୍ତି ବାଇଡେନ୍ । ୟୁକ୍ରେନ୍ ଉପରେ ଆକ୍ରମଣ ପାଇଁ ପୁଟିନଙ୍କୁ ବହୁ ମୂଲ୍ୟ ଦେବାକୁ ପଡିବ ବୋଲି କହିଛନ୍ତି ବାଇଡେନ୍ । ଏହାସହ ନାଟୋ ଦେଶର ପ୍ରତି ଇଞ୍ଚର ସୁରକ୍ଷା ପାଇଁ ଆମେରିକା ପ୍ରତିଶ୍ରୁତି ବଦ୍ଧ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ୟୁକ୍ରେନ ଉପରେ ଋଷର ଆକ୍ରମଣ ପରଠାରୁ ଆମେରିକା ସମେତ ଅନେକ ରାଷ୍ଟ୍ର ଋଷ ବିରୋଧରେ କଡା କଟକଣା ଲଗାଇଛନ୍ତି । ଏପରିକି ଅନେକ ଋଷୀୟ ବ୍ୟାଙ୍କର କାର୍ଯ୍ୟକଳାପକୁ ଆମେରିକା ନିଷିଦ୍ଧ କରିଥିବା ବେଳେ ସ୍ବିଫ୍ଟ ନେଟଓ୍ବର୍କରୁ ଋଷକୁ ବାଦ୍ ପକାଯାଇଛି ।

ୟୁକ୍ରେନରୁ ସୁରକ୍ଷିତ ଫେରିଲେ ୪ ଓଡ଼ିଆ ଛାତ୍ରଛାତ୍ରୀ

ଭୁବନେଶ୍ୱର: ୟୁକ୍ରେନରୁ ସୁରକ୍ଷିତ ଭାବେ ଓଡ଼ିଶାରେ ପହଞ୍ଚିଲେ ୪ ଜଣ ଓଡ଼ିଆ ଡାକ୍ତରୀ ଛାତ୍ରଛାତ୍ରୀ । ରାତି ସାଢ଼େ ୧୧ ଟା ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ବାଲେଶ୍ୱରର ଅମନ କୁମାର, ଭୁବନେଶ୍ୱରର ଏମ୍ବିବିଏସ  ଛାତ୍ରୀ ସୁଭସ୍ମିତା ପ୍ରିୟଦର୍ଶିନୀ, ସମ୍ବଲପୁରର ଐଶ୍ବର୍ଯ୍ୟା ପାଣି, କେନ୍ଦ୍ରାପଡ଼ାର ଛାତ୍ର ବିକାଶ ଚନ୍ଦ୍ର ବେହେରା ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ପରିବାରଙ୍କୁ ଭେଟିବା ପରେ ଭାବ ବିହ୍ବଳ ହୋଇ ପଡ଼ିଥିଲେ ସମସ୍ତେ । ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶା ଫେରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ଉଭୟ ଅଭିଭାବକ ଓ ଛାତ୍ରଛାତ୍ରୀ ।

ସୂଚନା ଯୋଗ୍ୟ ଯେ, ୟୁକ୍ରେନରୁ ସୁରକ୍ଷିତ ଭାବେ ଫେରୁଛନ୍ତି ଭାରତୀୟ ଛାତ୍ରଛାତ୍ରୀ । ଓଡ଼ିଶା ସହ ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀ ଆସି ଦିଲ୍ଲୀରେ ପହଞ୍ଚୁଛନ୍ତି । ସୁରକ୍ଷିତ ଭାବେ ଫେରିଆସିବା ପରେ ନିଜର ଅନୁଭୂତି ବଖାଣୁଛନ୍ତି । ଏହାସହ ଯେଉଁମାନେ ଫସରହିଛନ୍ତି ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଛନ୍ତି ଛାତ୍ରଛାତ୍ରୀ । ଆସନ୍ତା ତିନି ଦିନ ଭିତରେ ୨୬ଟି ବିମାନରେ ୟୁକ୍ରେନ୍‌ରୁ ଫେରିବେ ଭାରତୀୟ  ।

ସେହିପରି ରୋମାନିଆ, ହଙ୍ଗେରୀ ଦେଇ ଭାରତୀୟଙ୍କୁ ଆଣିବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି  । ୟୁକ୍ରେନରେ ଥିବା ଭାରତୀୟ ରାଷ୍ଟ୍ରଦୁତ ବିଭିନ୍ନ ଅଞ୍ଚଳରେ ଥିବା ଭାରତୀୟଙ୍କ ସହ ଯୋଗାଯୋଗ କରୁଛନ୍ତି । ଏପଟେ ୟୁକ୍ରେନ୍‌ରେ ଭାରତୀୟ ଦୁତାବାସକୁ ଖାଲି କରାଯାଇଛି  । କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଛି । ଭାରତୀୟଙ୍କୁ ଯେଉକୌଣସି ଉପାୟରେ ୟୁକ୍ରେନ୍‌ ସୀମା ପର୍ଯ୍ୟନ୍ତ ଆସିବା ପାଇଁ କୁହାଯାଇଛି ।

ଜୁନିୟର ମହିଳା ହକି କୋର୍ ଗ୍ରୁପରେ ସ୍ଥାନ ପାଇଲେ ୫ ଓଡ଼ିଆ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭାରତୀୟ କନିଷ୍ଠ ମହିଳା ବର୍ଗର ହକି କୋର୍ ଗ୍ରୁପରେ ସ୍ଥାନ ପାଇଲେ ୫ ଓଡ଼ିଆ । କୋର୍ ଗ୍ରୁପରେ ସ୍ଥାନ ପାଇବା ପରେ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଜମିନା କୁଜୁର, ଜ୍ୟୋତି ଛତ୍ରୀ, ଜୀବନ କିଶୋରୀ ଟପ୍ପୋ, ନିକିତା ଟପ୍ପୋ, ମାଧୁରୀ କିଣ୍ଡୋଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ମାସରେ ଖେଳାଯିବ ଜୁନିୟର ମହିଳା ହକି ବିଶ୍ୱକପ । ଦକ୍ଷିଣ ଆଫ୍ରିକାରେ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ । ଏଥିପାଇଁ ଭାରତୀୟ ଦଳର ୨୮ ଜଣିଆ କୋର୍ ଗ୍ରୁପ ଘୋଷଣା ହୋଇଥିବାବେଳେ ଏଥିରେ ୫ ଓଡ଼ିଆ ସାମିଲ ହୋଇଛନ୍ତି  । ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିବେ ଭାରତୀୟ ମହିଳା ହକି ଖେଳାଳି । ପ୍ରଦର୍ଶନ ଆଧାରରେ ୨୮ଜଣିଆ କୋର ଗ୍ରୁପରୁ ବିଶ୍ୱକପ୍ ପାଇଁ ଟିମ୍ ଚୟନ କରାଯିବ ।

ଅଧା ରହିଗଲା ପୁଅକୁ ଡାକ୍ତର କରିବାର ସ୍ୱପ୍ନ

ନୂଆଦିଲ୍ଲୀ: ଋଷର ସେନା କ୍ରମାଗତ ଭାବରେ ୟୁକ୍ରେନ ଉପରେ ବୋମା ବର୍ଷଣ ସହ ମିସାଇଲ ମାଡ଼ କରିଚାଲିଛି । ଏବେ ୟୁକ୍ରେନର ପରିସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଋଷ ତରଫରୁ ଦାବି କରାଯାଉଛି ଯେ, ଏହା ସାମରିକ ବେସକୁ ଟାର୍ଗେଟ କରୁଛି ଆବାସିକ ଅଞ୍ଚଳଗୁଡିକ ନୁହେଁ କିନ୍ତୁ ଚିତ୍ର କିଛି ଭିନ୍ନ କାହାଣୀ କହୁଛି । କାରଣ ପ୍ରତ୍ୟେକ ଦିନ ସାଧାରଣ ନାଗରିକଙ୍କୁ ମୃତ୍ୟୁ ସାମ୍ନାକୁ ଆସୁଛି । ତେବେ ଋଷର ଆକ୍ରମଣରେ ୟୁକ୍ରେନରେ ମେଡ଼ିକାଲ ପଢୁଥିବା ଭାରତୀୟ ଛାତ୍ର ନବୀନ ଶେଖରପ୍ପାଙ୍କ ମୃତ୍ୟୁ ହୋଇଛି ।

ଜବାନ ପୁଅକୁ ହରାଇ ନବୀନଙ୍କ ବାପା ଏବେ ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି । ଡାକ୍ତର ହେବାର ସ୍ୱପ୍ନ ନେଇ MBBS ଅଧ୍ୟୟନ କରିବାକୁ ୟୁକ୍ରେନ ଯାଇଥିବା ନବୀନଙ୍କ ପିତା କହିଛନ୍ତି ଯେ ତାଙ୍କ ପୁଅ PUC ରେ ୯୭ ପ୍ରତିଶତ ମାର୍କ ରଖିଥିଲେ। ପିୟୁସିରେ ୯୭ ପ୍ରତିଶତ ମାର୍କ ହାସଲ କରିବା ସତ୍ତ୍ୱେ ତାଙ୍କ ପୁଅକୁ ରାଜ୍ୟରେ ମେଡିକାଲ ସିଟ୍ ମିଳିପାରି ନଥିଲେ । ତେଣୁ ସେ ତାଙ୍କ ପୁଅକୁ ୟୁକ୍ରେନ ପଠାଇଥିଲେ । କାରଣ ମେଡିକାଲରେ ସିଟ୍ ପାଇବା ପାଇଁ ଯେଉଁଠି କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି ସେଠି କମ୍ ଟଙ୍କା ଖର୍ଚ୍ଚ କରି ବିଦେଶରେ ସମାନ ଶିକ୍ଷା ଲାଭ କରିହେଉଛି ।

ସୂଚନାଯୋଗ୍ୟ ଯେ, କର୍ଣ୍ଣାଟକର ହାବେରି ନିବାସୀ ନବୀନ ଶେଖରପ୍ପା, ଖାରକିଭରେ ଏମବିବିଏସ ଅଧ୍ୟୟନ କରୁଥିବା ବେଳେ ଋଷ ସୈନ୍ୟଙ୍କ ଗୁଳିରେ ନିହତ ହୋଇଥିଲେ । ନବୀନଙ୍କ ମୃତ୍ୟୁ ବିଷୟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ନବୀନଙ୍କ ପିତାଙ୍କ ସହ ଫୋନରେ କଥା ହୋଇ ନବୀନଙ୍କ ପରିବାରକୁ ସାନ୍ତ୍ୱନା ଦେଇଛନ୍ତି। କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବାସବରାଜ ବେମ୍ମାଇ ମଧ୍ୟ କହିଛନ୍ତି ଯେ ସରକାର ନବୀନଙ୍କ ମୃତଦେହକୁ ୟୁକ୍ରେନରୁ ଆଣିବାକୁ ଚେଷ୍ଟା କରୁଛନ୍ତି।

ଆସନ୍ତା ୩ ଦିନରେ ୨୬ ବିମାନରେ ଭାରତ ଫେରିବେ ୟୁକ୍ରେନରେ ଫସିଥିବା ଭାରତୀୟ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଜୋରଦାର ଯୁଦ୍ଧ । ଏହି ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ଫସି ରହିଛନ୍ତି ଅନେକ ଭାରତୀୟ । ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ଅପରେସନ ଗଙ୍ଗା । ତେବେ ଏହି ଅପରେସନ ମାଧ୍ୟମରେ ଆସନ୍ତା ତିନି ଦିନ ଭିତରେ ୨୬ଟି ବିମାନରେ ୟୁକ୍ରେନ୍‌ରୁ ଫେରିବେ ଭାରତୀୟ । ରୋମାନିଆ, ହଙ୍ଗେରୀ ଦେଇ ଭାରତୀୟଙ୍କୁ ଆଣିବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି । ୟୁକ୍ରେନରେ ଥିବା ଭାରତୀୟ ରାଷ୍ଟ୍ରଦୂତ ବିଭିନ୍ନ ଅଞ୍ଚଳରେ ଥିବା ଭାରତୀୟଙ୍କ ସହ ଯୋଗାଯୋଗ କରୁଛନ୍ତି ।

ଅନ୍ୟପଟେ ୟୁକ୍ରେନରେ ଭାରତୀୟ ଦୂତାବାସକୁ ଖାଲି କରାଯାଇଛି । କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଛି । ଭାରତୀୟଙ୍କୁ ଯେକୌଣସି ଉପାୟରେ ୟୁକ୍ରେନ୍‌ ସୀମା ପର୍ଯ୍ୟନ୍ତ ଆସିବା ପାଇଁ କୁହାଯାଇଛି । ସେପଟେ ବଙ୍କର ଭିତରେ ଲୁଚିଥିବା ଛାତ୍ରଛାତ୍ରୀମାନେ ଭୟଭିତ ଅବସ୍ଥାରେ ଅଛନ୍ତି । ଖାଦ୍ୟ ଶେଷ ହେଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବାକୁ ଅପିଲ୍‌ କରୁଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ଫସିଯାଇଥିବା ଛାତ୍ରଛାତ୍ରୀମାନେ ଭିଡିଓ କରି ସୋସିଆଲ ମିଡିଆରେ ଅତି ଦୟନୀୟ ଅବସ୍ଥାକୁ ବଖାଣୁଛନ୍ତି । ଏପଟେ ସେମାନଙ୍କ ପରିବାର ଲୋକେ ମଧ୍ୟ ଚିନ୍ତାରେ ରହିଛନ୍ତି । ୟୁକ୍ରେନରେ ମୃତ ଭାରତୀୟ ଛାତ୍ରଙ୍କ ମୃତଦେହ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି । ଗତକାଲି ଖାଦ୍ୟ ଆଣିବାକୁ ଯାଉଥିବା ବେଳେ, ଋଷର ରକେଟ ମାଡ଼ରେ ତାଙ୍କର ମୃତ୍ୟୁ ହୋଇଥିଲା ।

ପୌର ନିର୍ବାଚନ: ଆଜିଠୁ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରାର୍ଥୀ

ଭୁବନେଶ୍ୱର: ଗାଁ ଭୋଟ୍ ସରିଲା, ଏବେ ସହର ପାଳି । ଆଜିଠୁ ପୌର ନିର୍ବାଚନ ପାଇଁ ଆରମ୍ଭ ହେବ ନାମାଙ୍କନ ପତ୍ର ଦାଖଲ । ଆଜିଠୁ ୭ ତାରିଖ ଯାଏଁ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରାର୍ଥୀ । ଏଥର ପଞ୍ଚାୟତ ଭଳି ପୌର ନିର୍ବାଚନରେ ମଧ୍ୟ ପ୍ରାର୍ଥୀଙ୍କୁ ସତ୍ୟପାଠ ଦେବାକୁ ପଡ଼ିବ । ଆଶାୟୀ ପ୍ରାର୍ଥୀ ଚଳିତ ଥର ଦୁଇଟି ସତ୍ୟପାଠ ଦେବାକୁ ପଡ଼ିବ । ଶିକ୍ଷାଗତ ଯୋଗ୍ୟତା, ସମ୍ପତ୍ତି ଏବଂ ଅପରାଧିକ ମାମଲାର ତଥ୍ୟ ଦାଖଲ କରିବେ ପ୍ରାର୍ଥୀ । ଭୁଲ ତଥ୍ୟ ଦେଲେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେବ । ଆସନ୍ତା ୯ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ପ୍ରାର୍ଥିପତ୍ର ଯାଞ୍ଚ ପରେ ୧୪ ତାରିଖ ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର କରାଯାଇପାରିବ । ସେହିପରି ଫେବ୍ରୁଆରୀ ୧୪ରେ ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ମାର୍ଚ୍ଚ ୨୪ରେ ରାଜ୍ୟର ୪୭ଟି ପୌର ପରିଷଦ, ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୩ଟି ମହାନଗର ନିଗମରେ ନିର୍ବାଚନ ହେବ । ମାର୍ଚ୍ଚ ୨୬ରେ ଭୋଟ ଗଣତି ସହ ଫଳାଫଳ ଘୋଷଣା କରାଯିବ । ଏଥର ପୌରାଧ୍ୟକ୍ଷ ଏବଂ ମେୟର ପଦବୀ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବ । ଏପ୍ରିଲ ୭ରେ ଉପାଧ୍ୟକ୍ଷ ଏବଂ ୮ରେ ଡେପୁଟି ମେୟର ପାଇଁ ପରୋକ୍ଷ ନିର୍ବାଚନ ହେବ ।

ନବୀନ ନିବାସରେ କବିତା କ୍ରିଷ୍ଣାମୂର୍ତ୍ତୀ ଏବଂ ଏଲ. ସୁବ୍ରମଣ୍ୟମ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି ପଦ୍ମଶ୍ରୀ କବିତା କ୍ରିଷ୍ଣାମୂର୍ତ୍ତୀ ଏବଂ ପଦ୍ମ ବିଭୂଷଣ ଏଲ. ସୁବ୍ରମଣ୍ୟମ୍  । କ୍ରିଷ୍ଣାମୂର୍ତ୍ତୀ ଦେଶର ଜଣେ ପରିଚିତ କଣ୍ଠଶିଳ୍ପୀ ଭାବେ ଖ୍ୟାତି ଅର୍ଜନ କରିଥିବାବେଳେ ପଦ୍ମ ବିଭୂଷଣ ଏଲ. ସୁବ୍ରମଣ୍ୟମ୍ ମ୍ୟୁଜିକ କ୍ଷେତ୍ରରେ ମଧ୍ୟ ସୁନାମ ଲାଭ କରିଛନ୍ତି  । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଉଭୟେ ଭେଟିଛନ୍ତି  । ଏହି ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିୟାନ ଭେଟିଛନ୍ତି  ।

 

ଉଠିଲା ଲିଙ୍ଗରାଜଙ୍କ ମହାଦୀପ, କମ୍ପିଲା ଏକାମ୍ର କ୍ଷେତ୍ର

ଭୁବନେଶ୍ୱର: ଲିଙ୍ଗରାଜ ମହାଦେବଙ୍କ ମହାଦୀପ ଉଠିଛି  । କୋଟି ହୃଦୟର ପ୍ରାଣ ଦେବତା ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ରାତ୍ରି ୧୦.୨୦ ଉଠିଛି  । ସେବାୟତଙ୍କ ଦ୍ୱାରା ପ୍ରଥମେ ମହାଦୀପକୁ ବେଢା ପରିକ୍ରମା କରାଯାଇଥିଲା  । ଏହାପରେ ମନ୍ଦିରର ଦଧିନଉତି ପାଖରେ ମହାଦୀପଙ୍କୁ ସ୍ଥାପନା କରାଯାଇଛି  । ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇଛି ଏକାମ୍ର କ୍ଷେତ୍ର  ।

ପୂର୍ବ  ସମୟ ଅନୁଯାୟୀ ମହାଦୀପ ଉଠିଛି  । ନିର୍ଜଳ ଉପବାସ କରିଥିବା ଅସଂଖ୍ୟ ଭକ୍ତ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଦର୍ଶନ କରିଛନ୍ତି  । ସେହି ସମୟରେ ଭକ୍ତଙ୍କ ନାମ ସଂକୀର୍ତ୍ତନ ସମଗ୍ର ପରିବେଶକୁ ଆଧ୍ୟାତ୍ମିକ ଚେତନାରେ ଭରିଦେଇଥିଲା । ମହାଦେବଙ୍କ ନାମରେ ପରିବେଶ ପ୍ରକମ୍ପିତ ହୋଇଥିଲା  । ଲିଙ୍ଗରାଜ ମହାପ୍ରଭୁଙ୍କ ସମସ୍ତ ନିତୀକାନ୍ତି ନିର୍ଦ୍ଦାରିତ ସମୟରେ ଅନୁଷ୍ଠିତ ହୋଇଥିଲା  ।

କାତାରରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

କାତାର: ଭାଷା ଏକ ନଦୀ ହେଲେ ଓଡିଆ ଭାଷା ହେଉଛି ଏକ ଉଛୁଳା ନଦୀ। ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ ଅବସରରେ ପ୍ରବାସୀ ଓଡିଆ ସଂଗଠନ ‘ଉତ୍କଳିକା କାତାର’ ତରଫରୁ ‘ମାତୃଭାଷା ର ପ୍ରଚାର ଓ ପ୍ରସାର ରେ ଯୁବପିଢି ର ଭୂମିକା’ ଶୀର୍ଷକ ରେ ଏକ ଅନଲାଇନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।କାତାର ଦେଶରେ ରହୁଥିବା ପ୍ରବାସୀ ଓଡିଆ ପରିବାରକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଶା ସାହିତ୍ୟ ଏକାଡେମୀର ସଭାପତି  ସାହିତ୍ୟିକ ଶ୍ରୀଯୁକ୍ତ ହୃଷିକେଶ ମଲ୍ଲିକ ଓଡିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଅଧୁନା ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ।

ମୁଖ୍ୟବକ୍ତା ବର୍ଷୀୟାନ ଭାଷାବିତ୍ ତଥା ଓଡିଶା ଭାଷା ପ୍ରତିଷ୍ଠାନ ର ସଂଯୋଜକ ଡ. ଫଣିନ୍ଦ୍ର ଭୂଷଣ ନନ୍ଦ ଓଡିଆ ଭାଷା ର ଉଦଗମ, ଐତିହ୍ୟ ତଥା ପରଂପରା ସମ୍ବନ୍ଧରେ ଆଲୋକପାତ କରିବା ସାଂଗକୁ ମାତୃଭାଷା ପ୍ରତି ଆମର କର୍ତବ୍ୟ ସମ୍ପର୍କରେ ସଚେତନ କରାଇଥିଲେ।କାର୍ଯ୍ୟକ୍ରମକୁ ବେଶ୍ ସୁଚାରୁ ରୂପେ ପରିଚାଳନା କରିଥିଲେ Indian Women’s Association (IWA), କାତାର ର ପ୍ରାକ୍ତନ ସଭାପତି ତଥା ସାହିତ୍ୟିକା  ସୁସ୍ମିତା ପଟ୍ଟନାୟକ। ସଂଗଠନର ଉପସଭାପତି ଶ୍ରୀଯୁକ୍ତ ନିହାର ରଂଜନ ମହାନ୍ତି ଏବଂ ସାଧାରଣ ସଂପାଦକ ଶ୍ରୀଯୁକ୍ତ ଅବିନାଶ ଆଚାର୍ଯ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗୀ ମାନଂକୁ ବେଶ ଉତ୍ସାହିତ କରିଥିଲେ।

ଶେଷରେ ‘ଉତ୍କଳିକା କାତାର’ ର ସଭାପତି ଡ. ବସନ୍ତ କୁମାର କବି ସଂଗଠନର ସମସ୍ଥ ସଦସ୍ୟ,ସଦସ୍ୟା ତଥା ଉପସ୍ଥିତ ଓଡିଆ ମାନଂକୁ ଧନ୍ୟବାଦ ଅର୍ପଣ କରିବା ସହ ଓଡିଆ ଭାଷାର ବହୁଳ ପ୍ରସାରରେ କାତାରସ୍ଥିତ ପ୍ରବାସୀ ଓଡିଆ ମାନଂକ ସହଯୋଗ କ୍ଷେତ୍ରରେ ଆଲୋକପାତ କରିଥିଲେ।