spot_img
Home Blog Page 4567

୪୦ଡିଗ୍ରୀ ଉପରେ ୭ ସହର ତପମାତ୍ରା

ଭୁବନେଶ୍ୱର: ରାତି ପାହିଲେ ଡହ ଡହ ଖରା । ଦିନକୁ ଦିନ ବଢିବାରେ ଲାଗିଛି ତାପମାତ୍ରା ।  ତାତିରେ ଅତିଷ୍ଠ ହୋଇଗଲେଣି ଜନସାଧାରଣ । ଟାଣ ଖରାରେ ଘରୁ ଲୋକେ ବାହାରିବାକୁ ଡରୁଛନ୍ତି । ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି ।  ସୋମବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ବଲାଙ୍ଗୀର ସହରର ତାପମାତ୍ରା ସର୍ବାଧିକ ୪୨.୬ ଡିଗ୍ରୀ ରହିଛି ।

ଟିଟିଲାଗଡରେ ରବିବାର ତାପମାତ୍ରା ୪୧.୬ ଡିଗ୍ରୀ ରହିଥିବା ବେଳେ ସୋମବାର   ତାପମାତ୍ରା ବୃଦ୍ଧି ପାଇଛି। ଉତ୍ତପ୍ତ ସହର ଟିଟିଲାଗଡରେ ତାପମାତ୍ରା  ୪୨.୫ ଡିଗ୍ରୀ ରହିଛି।  ସେହିପରି ଝାରସୁଗୁଡା ୪୦.୮ ଡିଗ୍ରୀ, ସମ୍ବଲପୁର ୪୦.୧ ଡିଗ୍ରୀ, ସୁନ୍ଦରଗଡ ୪୦.୫ ଡିଗ୍ରୀ, ଭବାନୀପାଟଣା ୪୦. ୬ ଡିଗ୍ରୀ, ସୋନପୁର ୪୦.୬ ଡିଗ୍ରୀ ତାପମାତ୍ରା ରହିଛି।

ଅନ୍ୟପକ୍ଷରେ ଆସନ୍ତା ୬ ତାରିଖ ବେଳକୁ ଆଣ୍ଡାମାନ ସାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଯାହା ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପାଣିପାଗ କେନ୍ଦ୍ରର ଆକଳନ ପରେ ଏବେ ବାତ୍ୟା ନେଇ ପୁଣି ଆରମ୍ଭ ହୋଇଛି ଚର୍ଚ୍ଚା । କାରଣ ଏପ୍ରିଲ ମାସରେ ଆସୁଥିବା ଲଘୁଚାପ ଗୁଡିକ ଶକ୍ତିଶାଳୀ ହେବାର ଅଧିକ ସମ୍ଭାବନା ରହିଛି । ଏପରିକି ବିଭିନ୍ନ ମଡେଲ ମଧ୍ୟ ଲଘୁଚାପଟି ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଆକଳନ କଲେଣି । କିନ୍ତୁ ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ୯ ରୁ ୧୧ ତାରିଖ ମଧ୍ୟରେ ଚିତ୍ର ସ୍ପଷ୍ଟ ହେବ ।

 

ଜୁନିୟର ମହିଳା ହକି ବିଶ୍ୱକପରେ ପରିବା ବିକାଳି ଝିଅଙ୍କ ଦମଦାର ପ୍ରଦର୍ଶନ

ଲକ୍ଷ୍ନୗେ: ପରିବା ଦୋକାନରେ ବସି ଝିଅର ଖେଳକୁ ଦେଖୁଛି ମାଆ। ମନେ ମନେ ଭାରି ଖୁସି ହେଉଛି। ଆଉ କହୁଛି ମୋ ଝିଅ ଶହେ ପୁଅଙ୍କ ସହ ସମାନ। ମାଆର ଆଖିରେ ଖୁସିର ସୀମା ନାହିଁ। ଯେଉଁ ଝିଅର ନାଁ ନିଜ ଅଞ୍ଚଳରେ କେହି ନେଉନଥିଲେ ସେହି ଝିଅର ନାଁ ନେଇ ଆଜି ପୁରା ପାବିଲିୟନ ଫାଟିପଡ଼ୁଥିଲା। କାରଣ ବିପକ୍ଷ ଜର୍ମାନି ଦଳର ସବୁ ରଣନୀତିକୁ ଚକମା ଦେଉଥିଲେ ଭାରତୀୟ ହକି ଖେଳାଳି ମମତାଜ୍ ଖାନ୍।

ଜୁନଅର ହକି ବିଶ୍ୱକପର ପୁଲ୍ ମ୍ୟାଚରେ ଜର୍ମାନକୁ ମାତ୍ ଦେଇଛି ଭାରତ। ୱେଲ୍ସକୁ ୫-୧ରେ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଥିବା  ଭାରତ ରବିବାର ଦିନ ୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କରିଛି। ଏହି ବିଜୟର ଶ୍ରେୟ ବିଚୁଦେବୀ କାରିବାମ, ଲାଲରେମସିଆମି ଓ ମମତାଜ ଖାନଙ୍କୁ ଦିଆଯାଉଛି। ଯାହା ପରେ ଭାରତୀୟ ହକିର ନୂଆ ସେନସେସନ୍ ପାଲଟିଛନ୍ତି ମମତାଜ୍। ଯାହାକୁ ନେଇ ପରିବାରରେ ଛୁଟୁଛି ଖୁସିର ଲହରୀ ।

ହେଲେ ମମତାଜଙ୍କ ଏହି ସଫଳତାର ଯାତ୍ରା ଏତେ ସହଜ ନଥିଲା। ମମତାଜଙ୍କୁ ମଧ୍ୟ ଅନେକ ଘାତ ପ୍ରତିଘାତର ସାମ୍ନା କରିବାକୁ ପଡ଼ିଛି। ୧୯ ବର୍ଷୀୟ ମମତାଜ ଖାନ୍ ଲକ୍ଷ୍ନୌର ବାସିନ୍ଦା । ମମତାଜଙ୍କ ୬ ଭଉଣୀ ଥିବା ବେଳେ ତାଙ୍କ ପିତା ରିକ୍ସା ଚାଳକ ଓ ମା’ ହେଉଛନ୍ତି ପରିବା ବିକାଳି। ଝିଅର ଏଭଳି ସଫଳତାରେ ମା କ୍ୱାଇଜର ଜାହାଁ କହିଛନ୍ତି, ହକି ଷ୍ଟିକ୍ ଧରି ମମତାଜ୍ କେବଳ ଭାରତର ଶକ୍ତିଶାଳୀ ପ୍ରତିଦ୍ୱନ୍ଦୀଙ୍କୁ ହରାଇନାହାଁନ୍ତି । ବରଂ ଦୁନିଆକୁ ଦେଖାଇଛନ୍ତି ନାରୀ ବି କିଛି କମ୍ ନୁହେଁ । ପରିବାରରେ ଏତେ ଝିଅ ଥିବାରୁ ସାହି ପଡିଶାଙ୍କ ଅନେକ ଟାହି ଟାପରା ଶୁଣିବାକୁ ମିଳିଥିଲା । ଏବେ ସେହି ଝିଅ ପାଇଁ ସବୁଠି ସମ୍ମାନ ମିଳୁଛି । ଖାଲି ଏତିକି ନୁହେଁ ତାଙ୍କ ଝିଅ ୧୦୦ ପୁଅଙ୍କ ସହ ସମାନ ବୋଲି କୁହନ୍ତି କ୍ୱାଇଜର ।

ଦିନକୁ ୩୦୦ ଟଙ୍କା ରୋଜଗାର କରୁଥିବା କ୍ୱାଇଜର ଜାହାଁ ଝିଅର ନୀଳ ଜର୍ସି ସ୍ୱପ୍ନକୁ ପୂରଣ କରିବା ପାଇଁ କେବେ ପଛଘୁଞ୍ଚା ଦେଇନାହାଁନ୍ତି।  ଆର୍ଥିକ ଅଭାବ ମଧ୍ୟ ମମତାଜଙ୍କୁ ଅଟକାଇ ପାରିନାହିଁ । ଯାହାର ଝଲକ ଦେଖିବାକୁ ମିଳେ ସାଉଥ୍ ଆଫ୍ରିକାରେ ଖେଳାଯାଇଥିବା ଭାରତ- ଜର୍ମାନୀ ମ୍ୟାଚରେ ।

ମମତାଜଙ୍କ ଏହି ଯାତ୍ରାର ମୂଳଦୂଆ ପଡିଥିଲା ଆଗ୍ରାରୁ । ଆଗ୍ରାର ଏକ ରେସରେ ଭାଗ ନେବାକୁ ଯାଇଥିବା ମମତାଜଙ୍କ ଉପରେ ନଜର ପଡିଥିଲା ନିଲମ ସିଦ୍ଦିକିଙ୍କର । । ସ୍ଥିତି ଏଭଳି ଥିଲା ଯେ ସେ କାହାକୁ କିଛି ନ ଜଣାଇ ଟ୍ରାଏଲ୍ ଦେବାକୁ ଚାଲିଯାଇଥିଲା। ଏକଥା ଜାଣିବା ପରେ ଖୁବ୍ ମାଡ଼ ମଧ୍ୟ ଖାଇଥିଲେ ମମତାଜ । କିନ୍ତୁ ପରେ ତାକୁ ହକି ଖେଳିବା ପାଇଁ ପରିବାର ପକ୍ଷରୁ ଅନୁମତି ମିଳିଥିଲା । ଯାହା ପରେ ସେ ଚାଲିଯାଇଥିଲେ କେଡି ସିଂହ ବାବୁ ଷ୍ଟାଡିୟମର ସ୍ପୋର୍ଟ୍ସ ହଷ୍ଟେଲକୁ । ଆଉ ସେଠି ଆରମ୍ଭ ହୋଇଥିଲା ମମତାଜଙ୍କ ହକି ଯାତ୍ରା ।

୬ ଝିଅ ପାଇଁ ମା’ ବାପାଙ୍କୁ ଅନେକ ସମୟରେ ସାହି ପଡିଶା ବହୁତ କଥା କୁହନ୍ତି । କିନ୍ତୁ ବାପା ସେମାନଙ୍କ କଥାକୁ କେବେ କର୍ଣ୍ଣପାତ କରିନାହାଁନ୍ତି । ସବୁବେଳେ ନିଜ ଝିଅ ମାନେ କିପରି ଆଗକୁ ବଢିବେ ସେଥିପ୍ରତି ଧ୍ୟାନ ଦେଇଛନ୍ତି । ଖାଲି ଏତିକି ନୁହେଁ ମମତାଜ ଯେତେବେଳେ ହକି ଖେଳିଲା ସେତେବେଳେ ଲୋକମାନେ ମଧ୍ୟ ମା’ଙ୍କୁ ବହୁତ କଥା ଶୁଣାଇଛନ୍ତି । ଝିଅ ପିଲା ହୋଇ ଛୋଟଛୋଟ ଡ୍ରେସ୍ ପିନ୍ଧି ହକି ଖେଳୁଛି । ସେ କଣ କରିପାରିବ । କିନ୍ତୁ ଏବେ ମୋ ଭଉଣୀ ଅନ୍ତର୍ଜାତୀୟ ହକି ଖେଳାଳି ହୋଇପାରିଥିବାରୁ ଖୁବ୍ ଗର୍ବ ଲାଗୁଛି । ଆର୍ଥିକ ଅଭାବ ସତ୍ୱେ ବାପା-ମାଆ ଆମ ମାନଙ୍କୁ ନିଜ ଗୋଡରେ ଛିଡା ହେବା ପାଇଁ ସମର୍ଥ କରିଛନ୍ତି ବୋଲି କୁହନ୍ତି ମମତାଜଙ୍କ ଭଉଣୀ ଫରାହ ଖାନ୍

ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ବିବାଦ; ପଞ୍ଜାବ ବିଧାନସଭାରେ ଟଣାଓଟରା ହେଲେ ମହିଳା ବିଧାୟକ

ଇସଲାମାବାଦ: ପାକିସ୍ତାନରେ ଚାଲିଥିବା ରାଜନୖେତିକ ସଙ୍କଟ ମଧ୍ୟରେ ରବିବାର ଦିନ ପଞ୍ଜାବ ବିଧାନସଭାରେ ଦେଖିବାକୁ ମିଳିଛି ହାଇଡ୍ରାମା । ସରକାର ଏବଂ ବିରୋଧୀ ଦଳର ବିଧାୟକ ମାନେ ପରସ୍ପର ସହ ଝଗଡା କରୁଥିବା ନଜର ଆସିଛି । ମହିଳା ବିଧାୟକମାନେ ପରସ୍ପରକୁ ଟଣାଓଟରା କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ଏନେଇ ଜଣେ ପାକିସ୍ତାନୀ ସାମ୍ବାଦିକ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ମହିଳାମାନେ ପରସ୍ପର ସହ ଝଗଡା କରୁଥିବା ଦେଖାଯାଉଛି। ପୁରୁଷ ବିଧାୟକମାନେ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ବି କିଛି ସଫଳ ମିଳିନଥିଲା । ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ଏଭଳି ଝଗଡା ହୋଇଥିବା ନେଇ ସୁତ୍ରରୁ ପ୍ରକାଶ ।

ପାକିସ୍ତାନର ଜାତୀୟ ବିଧାନସଭା ଭଙ୍ଗ ହେବା ପରେ ଏବେ ପଞ୍ଜାବ ବିଧାନସଭା ମଧ୍ୟ ଭଙ୍ଗ ହେବ ବୋଲି ଆଶଙ୍କା କରାଯାଉଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପରାମର୍ଶରେ ରାଷ୍ଟ୍ରପତି ଆରିଫ ଅଲଭି ନ୍ୟାସନାଲ୍ ଆସେମବ୍ଲି କୁ ଭଙ୍ଗ କରିଦେଇଥିଲେ । ସୂଚନାନୁସାରେ, ପଞ୍ଜାବର ନୂତନ ରାଜ୍ୟପାଳ ଓମାର ସରଫରାଜ ଚିମା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଉସମାନ ବୁଜଦାରଙ୍କୁ ପଞ୍ଜାବର କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ କରିପାରନ୍ତି।

ଏହି ସମୟରେ ଓମାର ସରଫରାଜ ଚିମାଙ୍କୁ ଇସଲାମାବାଦକୁ ଡକାଯାଇଛି। ଭବିଷ୍ୟତର କାର୍ଯ୍ୟକଳାପ ବିଷୟରେ ଇମ୍ରାନ ଖାନ ଚେମାଙ୍କୁ ନିର୍ଦ୍ଦେଶ ଦେବେ ବୋଲି ସୂତ୍ରରୁ ପ୍ରକାଶ। ଏଥିସହିତ ଇମ୍ରାନ ଖାନ ବୁଜଦାର ଏବଂ ପିଟିଆଇ ସାଂସଦ ମହମୁଦୁର ରସିଦଙ୍କୁ ମଧ୍ୟ ଇସଲାମାବାଦକୁ ଡାକିଛନ୍ତି।

ପୌର ଉପାଧ୍ୟକ୍ଷ ନିର୍ବାଚନ: ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେଡି ଖାତାକୁ ଯିବ ୯୦ପ୍ରତିଶତ ଆସନ

ଭୁବନେଶ୍ୱର: ଆସନ୍ତା ୭ ତାରିଖରେ ପୌର ଉପାଧ୍ୟକ୍ଷ ନିର୍ବାଚନ । ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ୯୦ ପ୍ରତିଶତ ପୌରାଞ୍ଚଳରେ ବିଜେଡିର ଉପାଧ୍ୟକ୍ଷ ହେବା ନିଶ୍ଚିତ । ବାକି ୧୦ ପ୍ରତିଶତ ପୌରାଞ୍ଚଳରେ ସ୍ୱାଧୀନ କାଉନସିଲର ନିର୍ଣ୍ଣାୟକ ହେବାକୁ ଯାଉଛନ୍ତି । ଏହା ମଧ୍ୟରେ ବିଜେଡି ଆଡ଼କୁ ଅଧିକ ସ୍ୱାଧୀନ କାଉନସିଲର ଢଳିଥିବାରୁ ଅଧିକ ଉପାଧ୍ୟକ୍ଷ ପାଇ ଦଳ ବାଜିମାତ କରିବାକୁ ଯାଉଛି । ଚିନ୍ତାରେ ପଡ଼ିଛି ବିଜେପି । ସେପଟେ ନିର୍ବାଚନ ପୂର୍ବରୁ ହିଁ ହାତ ଟେକି ଦେଇଛି କଂଗ୍ରେସ ।

୧୦୫ ଏନଏସି ଓ ପୌର ପରିଷଦ ଏବଂ ୩ ମହାନଗର ନିଗମରେ ମେୟର ଓ ଅଧ୍ୟକ୍ଷ ନିର୍ବାଚନ ସରିଛି । ଆସନ୍ତା ୭ ତାରିଖରେ ହେବ ଡେପୁଟି ମେୟର ଓ ଉପାଧ୍ୟକ୍ଷ ନିର୍ବାଚନ । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗରରେ ବିଜେଡିର ଅଧିକ କର୍ପୋରେଟର ଥିବାରୁ ଡେପୁଟି ମେୟର ମଧ୍ୟ ଏହି ଦଳ ପାଇବ। ମୋଟ୍‌ ୯୦ ପ୍ରତିଶତ ପୌରାଞ୍ଚଳରେ ବିଜେଡି ସଂଖ୍ୟା ଗରିଷ୍ଠତା ଥିବାରୁ ଏସବୁ ସ୍ଥାନରେ ମଧ୍ୟ ଦଳ ଉପାଧ୍ୟକ୍ଷ ପାଇବ । ଅବଶିଷ୍ଟ ୧୦ ପ୍ରତିଶତ ପୌରାଞ୍ଚଳରେ ସ୍ୱାଧୀନ କାଉନସିଲର ନିର୍ଣ୍ଣାୟକ ହେବେ । ଏହା ମଧ୍ୟରେ ଅଧିକାଂଶ ସ୍ଥାନରେ ସ୍ୱାଧୀନ କାଉନସିଲରମାନେ ବିଜେଡି ଶିବିରରେ ପହଞ୍ଚି ସାରିଲେଣି ।

ବହୁ ସ୍ୱାଧୀନ କାଉନସିଲର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଯୋଜନା ପାଇଁ ବିଜେଡିକୁ ବାଛିଛନ୍ତି । କିଛି କାଉନସିଲର ବିଜେଡି ଟିକେଟ ନପାଇ ସ୍ୱାଧୀନ ଭାବେ ଜିତିଛନ୍ତି । ସେମାନଙ୍କର ଘର ବାହୁଡ଼ା ହେବାରେ ଲାଗିଛି । ଏଥିପାଇଁ ବିଜେଡି ବହୁ ସଂଖ୍ୟାରେ ଉପାଧ୍ୟକ୍ଷ ପଦ ପାଇବାର ସମ୍ଭାବନା ଅଛି । କିଛି ସ୍ଥାନରେ ବିଜେଡି ଶିବିରକୁ ଆସିଥିବା ସ୍ୱାଧୀନ କାଉନସିଲର ଉପାଧ୍ୟକ୍ଷ ହୋଇପାରନ୍ତି

ସ୍ୱାଧୀନ କାଉନସିଲରଙ୍କ ବିଜେଡି ପ୍ରୀତି ଉଭୟ ବିଜେପି ଓ କଂଗ୍ରେସକୁ ବ୍ୟାକଫୁଟକୁ ନେଇଯାଇଛି । ଯେଉଁଠି ବିରୋଧୀ ସାମାନ୍ୟ ଅଧିକ ସିଟ୍ ପାଇଛନ୍ତି, ସେଠାରେ ମଧ୍ୟ ସ୍ୱାଧୀନାଙ୍କ  ଭୂମିକା ଯୋଗୁ ବିଜେପି ଓ କଂଗ୍ରେସ ଚିନ୍ତାରେ ପଡ଼ିଛନ୍ତି । କଂଗ୍ରେସ ସବୁଠାରେ ପ୍ରାର୍ଥୀ ନଦେବା ସତ୍ତ୍ୱେ କିଛି ସ୍ଥାନରେ ଭଲ କରିଛି । କିନ୍ତୁ ଆତ୍ମବିଶ୍ୱାସର ଏତେ ଅଭାବ ଯେ ଦଳ ଉପାଧ୍ୟକ୍ଷ ନିର୍ବାଚନରୁ ଦୂରେଇ ରହିବାକୁ ଘୋଷଣା କରିଛି । ଅଧ୍ୟକ୍ଷ ଓ ମେୟର ପ୍ରତ୍ୟକ୍ଷ ଭାବେ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଛନ୍ତି । କିନ୍ତୁ ଉପାଧ୍ୟକ୍ଷଙ୍କୁ ନିଜ ଟିମ୍‌ ସଭ୍ୟ ହିଁ ଭରସା । ଏହି ମ୍ୟାଜିକ୍ ନମ୍ବର ଲଢ଼େଇରେ ସ୍ୱାଧୀନଙ୍କ ସର୍ପରାଇଜ୍ ଏଣ୍ଟ୍ରି ଅନେକଙ୍କ ପାଇଁ ଲାଇଫଲାଇନ୍ ପାଲଟିପାରେ ।

ରାଜଧାନୀ ପ୍ରତିଷ୍ଠା ଦିବସକୁ ପୂର୍ଣ୍ଣ ମର୍ଯ୍ୟଦାର ସହ ପାଳନ ନେଇ ଉନ୍ନୟନ କମିଶନର ନିର୍ଦ୍ଦେଶ

ଭୁବନେଶ୍ୱର: ଚଳିତ ବର୍ଷ ଏପ୍ରିଲ ୧୩ତାରିଖ ଦିନ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ଏଥିପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ପ୍ରସ୍ତତି ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ଲୋକସଭା ଭବନରେ ଆୟୋଜିତ ଏହି ବୈଠକରେ ସୂଚନା ଲୋକ ସମ୍ପର୍କ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଦିବସ ପାଳନର ପ୍ରସ୍ତାବିତ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ ।

ରାଜଧାନୀ ପ୍ରତିଷ୍ଠା ଦିବସକୁ ରାଜଧାନୀ ଭୁବନେଶ୍ୱର ଜନ୍ମଉତ୍ସବ ଭାବେ ପୂର୍ଣ୍ଣ ମର୍ଯ୍ୟଦା ସହ ପାଳନ କରିବାକୁ ଉନ୍ନୟନ କମିଶନର ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ । ଏହି ଦିବସ ପାଳନରେ ସରକାରୀ ବିଭାଗ, ଭୁବନେଶ୍ୱର ପୌର ପରିଷଦ, ଜନ ପ୍ରତିନିଧି, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ଓ ସାଂସସ୍କୃତି ଅନୁଷ୍ଠାନମାନଙ୍କୁ ସାମିଲ କରି ଏହାକୁ ଏକ ଆକର୍ଷଣୀୟ ଜନ ଉତ୍ସବରେ ପରିଣତ କରିବା ପାଇଁ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ ।

ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ନିମନ୍ତେ ସୂଚନା ଲୋକ ସମ୍ପର୍କ ବିଭାଗ, ଭୁବନେଶ୍ୱର ମହାନଗର ନିଗମ (ବିଏମସି), ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଖୋର୍ଦ୍ଧାର ଜିଲ୍ଲାପାଳ ଏବଂ ପୋଲିସ କମିଶନରେଟ୍ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ ।

ଚଳିତ ବର୍ଷ ରାଜଧାନୀ ପ୍ରତିଷ୍ଠା ଦିବସ ନିମନ୍ତେ ୧୨ ତାରିଖ ଦିନ ମିଳିତ ପ୍ୟାରେଡ୍ ଅଭ୍ୟାସ କରାଯିବ । ୧୩ ତାରିଖ ସକାଳ ୮ ଘଣ୍ଟିକା ସମୟରେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ ।

ଏହି ପ୍ୟାରେଡ୍ ବିଧାନସଭା ସୌଧ ସମ୍ମୁଖ ରାଜଧାନୀ ପ୍ରତିଷ୍ଠା ଫଳକ ସମ୍ମୁଖ ରାସ୍ତାରେ ରବିନ୍ଦ୍ର ପଣ୍ଡପଠୁ ଜୟଦେବ ଭବନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସନ୍ଧ୍ୟାରେ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯକ୍ରମ ସ୍ଥାନୀୟ ଉତ୍କଳ ମଣ୍ଡପ ପରିସରରେ ଅନୁଷ୍ଠିତ ହେବ । ଏପ୍ରିଲ ୧୩ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମାଧ୍ୟମରେ ଉଚ୍ଚମାନର ରାଜ୍ୟସ୍ତରୀୟ କଳା ଅନୁଷ୍ଠାନମାନଙ୍କୁ ଏଥିରେ ସାମିଲ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା ।

ଆସନ୍ତା ବର୍ଷ ରାଜଧାନୀ ପ୍ରତିଷ୍ଠାର ୭୫ବର୍ଷ ପୂର୍ତ୍ତି ହେଉଥିବାରୁ ଏହାକୁ ଏକ ମହୋତ୍ସବଭାବେ ପାଳନ କରିବା ନିମନ୍ତେ ଆଗୁଆ ପ୍ରସ୍ତୁତି କରିବାକୁ ଶ୍ରୀ ଜେନା ବିଏମ୍‌ସିଙ୍କୁ ପରାମର୍ଶ ଦେଇଥିଲା । ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ବିଏମସି କମିଶନର ସଞ୍ଜୟ କୁମାର ସିଂ, ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଡ. ସନ୍ତୋଷ ବାଳା, ସୂଚନା ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ଖୋର୍ଦ୍ଧାର ଜିଲ୍ଲପାଳ ସଂଗ୍ରାମ କେଶରୀ ମହାପାତ୍ର, ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କ ସମ୍ପୃକ୍ତି ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ରାଜଧାନୀ ପ୍ରତିଷ୍ଠା ଦିବସ କମିଟିର ସଭାପତି ପ୍ରଦୋଷ ପଟ୍ଟନାୟକ, ସମ୍ପାଦକ ସନ୍‌ତ ମିଶ୍ର, ଉପ ସଭାପତି ପ୍ରଦ୍ୟୁମ୍ନ ମହାନ୍ତି ପ୍ରମୁଖ ପୂର୍ବ ବର୍ଷମାନଙ୍କରେ ଏହି ଦିବସ ପାଳନ ସମ୍ପର୍କିତ ସବିଶେଷ ସୂଚନା ଦେଇଥିଲେ ।

ଏମିତି ଏକ ସୂର୍ଯ୍ୟ ମନ୍ଦିର, କିମ୍ବଦନ୍ତୀ କହେ କିଛି ଅଲଗା କଥା

 ପାଟନା: ଔରଙ୍ଗାବାଦର ଭାସ୍କର ଦେବ ତୀର୍ଥ ସୂର୍ଯ୍ୟ ମନ୍ଦିର । ନା ଯେମିତି କିମ୍ବଦନ୍ତୀ ମଧ୍ୟ ଠିକ୍‌ ସେମିତି । ବିହାରର ଲୋକପ୍ରିୟ ତୀର୍ଥସ୍ଥାନ ମଧ୍ୟରୁ ଏହା ଗୋଟିଏ । ଯାହା ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ । ଏହି ମନ୍ଦିରର ଉଚ୍ଚତା ୧୦୦ ଫୁଟ । କଳା ଏବଂ ଲାଲ ପଥରରେ ନିର୍ମିତ ଏହି ମନ୍ଦିରର କାରୁକାର୍ଯ୍ୟ ଖୁବ୍‌ ଆକର୍ଷଣୀୟ । ଏହାର ପ୍ରତ୍ୟକଟି ପଥର କହେ ଭିନ୍ନ ଭିନ୍ନ କାହାଣୀ । ମନ୍ଦିର ବାହାରେ ଥିବା ବଡ଼ ବଡ଼ କଳା ପଥର ମନ୍ଦିରର ଆବିର୍ଭାବ ବ୍ୟତୀତ ଅନେକ ସୂଚନା ପ୍ରଦାନ କରିଥାଏ । ଯଦିଓ ମନ୍ଦିରର ନିର୍ମାଣ କେବେ ହୋଇଥିଲା ବା ତାହାର ବାସ୍ତବ ତାରିଖ ବିଷୟରେ କୌଣସି ପ୍ରକାରର ସୂଚନା ନାହିଁ ତଥାପି କିନ୍ତୁ କୁହାଯାଏ ଏହା ତ୍ରେତୟା ଯୁଗରେ ନିର୍ମାଣ ହୋଇଥିଲା । ଯାହା ପ୍ରାୟ ଦେଢ଼ ଲକ୍ଷ ବର୍ଷ ପୁରୁଣା । ବ୍ରାହ୍ମି ସ୍ମୃତି ଅନୁସାରେ କୁଷ୍ଠରୋଗରୁ ସୁସ୍ଥ ହେବାପରେ ଏହି ମନ୍ଦିରର ନିର୍ମାଣ ଇଲାଙ୍କ ପୁତ୍ର ପୂର୍ଖା ଇଲ କରିଥିଲେ । ଏହି ମନ୍ଦିରରେ ସୂର୍ଯ୍ୟଦେବଙ୍କ ତ୍ରିମୁର୍ତ୍ତି ପ୍ରତିମା ବିରାଜମାନ। ଏଥିରେ ସୂର୍ଯ୍ୟ ୭ଟି ରଥରେ ବିରାଜମାନ। ସୂର୍ଯ୍ୟଦେବଙ୍କ ଏହି ୩ ପ୍ରତିମା ସୂର୍ଯ୍ୟ ଉଦୟ, ମଧ୍ୟ ଓ ଅସ୍ତାଚଳ ସ୍ୱରୂପ ବୋଲି କୁହାଯାଏ। ମନ୍ଦିର ପରିସରରେ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ପ୍ରତିମା ମଧ୍ୟ ରହିଛି ଯାହା ସମ୍ପୂର୍ଣ୍ଣ ଭିନ୍ନ। ଲୋକକଥା ଅନୁସାରେ ଏହି ମନ୍ଦିର ଦ୍ୱାପର ଯୁଗର ମଧ୍ୟକାଳରେ ନିର୍ମାଣ କରାଯାଇଥିଲା। ଏହାକୁ ବିଶ୍ୱକର୍ମା ତିଆରି କରିଥିଲେ ବୋଲି ଦେବାର୍କ ସୂର୍ଯ୍ୟ ମନ୍ଦିର ବୋଲି କୁହାଯାଏ। ଏହା ଦେଶର ୩ଟି ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ମଧ୍ୟରୁ ଗୋଟିଏ। କୋଣାର୍କ ଓ ଲୋଲାର୍କ ସୂର୍ଯ୍ୟ ମନ୍ଦିର ପରେ ଏହି ମନ୍ଦିର ପ୍ରସିଦ୍ଧ।

କୁହାଯାଏ ସୂର୍ଯ୍ୟକୁଣ୍ଡରେ ଅର୍ଘ୍ୟ ଦେବା ଦ୍ୱାରା ସମସ୍ତ ମନବାଞ୍ଛା ପୂରଣ ହୋଇଥାଏ । ତେବେ ଯୁଯୁଗ ଧରି ଏହାର ମାହାତ୍ମ୍ୟ ରହି ଆସିଥିବା କୁହନ୍ତି ସ୍ଥାନୀୟ ବାସିନ୍ଦା ।

ଆନ୍ଦୋଳନ ପରେ ମୁଣ୍ଡ ନୁଆଁଇଲେ, ଅଣ୍ଡା ଦର ବୃଦ୍ଧି ପାଇଁ ପ୍ରସ୍ତାବ ରଖିବେ NECC ସିଇଓ

ଖୋର୍ଦ୍ଧା: ଦେଶବ୍ୟାପୀ ଅଣ୍ଡାର ମୂଲ୍ୟ ନିର୍ଦ୍ଧାରଣ କରୁଛି ଜାତୀୟ ଅଣ୍ଡା ସମନ୍ୱୟ ସମିତି- NECC । ଏନ୍ଇସିସିର ମନମାନି ଓ ପକ୍ଷପାତିତା ଯୋଗୁଁ ରାଜ୍ୟର ଅଣ୍ଡାଚାଷୀଙ୍କୁ ବିଗତ ଦୁଇବର୍ଷ ହେଲା ନାହିଁ ନଥିବା କ୍ଷତି ସହିବାକୁ ପଡ଼ିଛି । ଏପରିକି ବ୍ୟାଙ୍କ ଋଣ ପରିଶୋଧ କରି ନ ପାରି ଅନେକ ନିଜନିଜ କାରବାର ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି । ଅଣ୍ଡା ଚାଷୀଙ୍କ ୬ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି ନିଖିଳ ଓଡ଼ିଶା ଅଣ୍ଡାଦିଆ କୁକୁଡ଼ା ଚାଷୀ ସଂଘ । ରାସ୍ତାରେ ଅଣ୍ଡା ଫୋପାଡି ଓ ଏନ୍ଇସିସିର ଅଧ୍ୟକ୍ଷଙ୍କ କୁଶପୁତ୍ତଳିକା ଦାହ କରି ପ୍ରତିବାଦ କରିଛି ସଂଘ । ଦାବି ପୂରଣ ନହେଲେ ଆନ୍ଦୋଳନକୁ ବ୍ୟାପକ କରିବାକୁ ଚେତାବନୀ ଦେଇଛି ସଂଘ ।

ଅଣ୍ଡା ଦିଆ କୁକୁଡା ଚାଷ ବେଶ୍ ବ୍ୟୟବହୁଳ । ତେବେ ଅଣ୍ଡାର ମୂଲ୍ୟ ନିର୍ଦ୍ଧାରଣ ରାଜ୍ୟସ୍ତରରେ ନୁହେଁ ବରଂ ଜାତୀୟ ଅଣ୍ଡା ସମନ୍ୱୟ ସମିତି ବା ଏନ୍ଇସିସି ଭଳି ଏକ ଘରୋଇ ସଂସ୍ଥା ଜରିଆରେ ହୋଇଥାଏ । ଗୋଟିଏ ଅଣ୍ଡା ଉତ୍ପାଦନ ପାଇଁ ରାଜ୍ୟରେ ଚାଷୀଙ୍କୁ ୪ ଟଙ୍କା ୮୦ ପଇସାର ଖର୍ଚ୍ଚ କରିବାକୁ ପଡୁଥିବା ବେଳେ ଏନ୍ଇସିସି ଚାଷୀଙ୍କ ପାଇଁ ଅଣ୍ଡାର ମୂଲ୍ୟ ନିର୍ଦ୍ଧାରଣ କରିଛି ମାତ୍ର ୩ ଟଙ୍କା ୮୬ପଇସା । ଫଳରେ ଅଣ୍ଡା ପ୍ରତି ଚାଷୀଙ୍କୁ ଏକଟଙ୍କା ଲେଖାଏଁ କ୍ଷତି ସହିବାକୁ ପଡୁଛି । ଅପରପକ୍ଷେ କୁକୁଡା ଛୁଆ ପିଛା ଏନ୍ଇସିସି ରାଜ୍ୟର ଚାଷୀଙ୍କୁ କୌଣସି ସୁବିଧା ନଦେଇ ପାଲଟା ୧ଟଙ୍କା ଲେଖାଏଁ କମିଶନ ନେଉଛି ।

ଏଥିରୁ ଓଡିଶାରୁ ବାର୍ଷିକ କେବଳ ୫୦ ଲକ୍ଷ ଟଙ୍କା ନେଉଛି ଏନଇସିସି । ଏନ୍ଇସିସିର ମନମାନି ଓ ପକ୍ଷପାତିତା ବିରୋଧରେ ନିଖିଳ ଓଡିଶା ଲେୟର ଫାର୍ମର୍ସ ସଂଘ ଆଜି ରାଜରାସ୍ତାକୁ ଓହ୍ଲାଇଛି । ୧୬ନମ୍ବର ଜାତୀୟ ରାଜପଥରେ ରାଜ୍ୟ ବାହାରର ଅଣ୍ଡାଗାଡ଼ିକୁ ଅଟକାଇଛି ସଂଘ । ଶାନ୍ତିପୂର୍ଣ୍ଣ ପ୍ରତିବାଦ ଓ ବିକ୍ଷୋଭ କରି ଅଣ୍ଡା ଦର ବୃଦ୍ଧି ଦାବି କରିଛନ୍ତି ।

ରାଜ୍ୟ ସରକାର ଅଣ୍ଡାଚାଷୀଙ୍କୁ ସବସିଡି ଦେଇ ପ୍ରୋତ୍ସାହିତ କରୁଥିବା ବେଳେ ଏକଛତ୍ରବାଦ ଚଳାଇଛି ଏନ୍ଇସିସି । ପରିଣାମ ସ୍ୱରୂପ ରାଜ୍ୟର ଅଣ୍ଡାଚାଷୀଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଅଣ୍ଡାଦର ବୃଦ୍ଧି କରି ଚାଷୀଙ୍କ ଦାବୀ ପୂରଣ ଦିଗରେ ଏନ୍ଇସିସି ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦେଇଛି ସଂଘ । ସଂଘର ଦାବି ଆଗରେ ମୁଣ୍ଡ ନୁଆଁଇଛି ଏନ୍ଇସିସି । ବର୍ତ୍ତମାନ ପରିସ୍ଥିତିରେ ଅଣ୍ଡାର ମୂଲ୍ୟ ବୃଦ୍ଧି ଜରୁରୀ । ଅଣ୍ଡା ଶୀଘ୍ର ନଷ୍ଟ ହୋଇଯାଉଥିବା ସାମଗ୍ରୀ ହୋଇଥିବା ବେଳେ ବିଭିନ୍ନ କାରଣରୁ ଦେଶରେ ଅଣ୍ଡାର ଚାହିଦା ହ୍ରାସ ପାଇଥିବା କହିଛନ୍ତି ଏନ୍ଇସିସି ହାଇଦ୍ରାବାଦର ସିଇଇଓ ।

ତେବେ ଓଡିଶା ଅଣ୍ଡା ଚାଷୀଙ୍କ ଦାବି ଓ ଆନ୍ଦୋଳନ ପରେ ଆସନ୍ତା ୧୫ତାରିଖ ସୁଦ୍ଧା ଅଣ୍ଡାର ମୂଲ୍ୟ ୩ଟଙ୍କା ୮୬ପଇସାରୁ ୪ଟଙ୍କା ୫୦କୁ ବୃଦ୍ଧି କରିବାକୁ ସେ ପ୍ରସ୍ତାବ ରଖିବେ ବୋଲି କହିଛନ୍ତି । ଅଣ୍ଡାର ମୂଲ୍ୟ ୪ଟଙ୍କା ୫୦ପଇସାକୁ ବୃଦ୍ଧି ପାଇଲେ ମଧ୍ୟ କ୍ଷତି ଭରଣା କରିବା ରାଜ୍ୟ ଅଣ୍ଡା ଚାଷୀଙ୍କ ପାଇଁ କଷ୍ଟ ବୋଲି କହିଛନ୍ତି ଏନ୍ଇସିସି ଓଡିଶା ଜୋନ୍ ଅଧ୍ୟକ୍ଷ । ଏନ୍ଇସିସି ମନମାନି ବନ୍ଦ ହେବା ସହ ଓ୍ୱାନ୍ ନେସନ ଓ୍ୱାନ୍ ରେଟ ଦାବି କରିଛନ୍ତି ରାଜ୍ୟର ଅଣ୍ଡା ଦିଆ କୁକୁଡା ଚାଷୀ ।

ଶର୍ମିଷ୍ଠା ଥିଲେ ଅଶ୍ଲୀଳ ଫିଲ୍ମର ପ୍ରଯୋଜକ, ତିନି ଫିଲ୍ମରେ ହିରୋ ଥିଲେ ନିରଞ୍ଜନ

ଭୁବନେଶ୍ୱର: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ଖୋଲୁଛି ଗୁମର। କ୍ରାଇମ ବ୍ରାଞ୍ଚ ହାତରେ ଲାଗିଛି ଏଭଳି କିଛି ତଥ୍ୟ, ଯେଉଁଥିରୁ ଜଣାପଡୁଛି ଶର୍ମିଷ୍ଠା ନିର୍ମାଣ କରୁଥିଲେ ଅଶ୍ଲୀଳ ଫିଲ୍ମ । ଆଉ ଏଥିରେ ଶର୍ମିଷ୍ଠାଙ୍କ ସାଥ୍ ଦେଇଥିଲେ ନିରଞ୍ଜନ ଓ କ୍ୟାମେରା ମ୍ୟାନ୍ ମାନସ । ନିରଞ୍ଜନ ହେଉଛନ୍ତି ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ (ବୈଷୟିକ)।

କ୍ରାଇମବ୍ରାଞ୍ଚର ସୂଚନା ଅନୁଯାୟୀ, ଯେଉଁ ୧୩ ଭଜନ ସୁଟି କରାଯାଇଥିଲ ତା ମଧ୍ୟରୁ ୬ଟି ଭଜନରେ ମୁଖ୍ୟ ଅଭିନେତା ଥିଲେ ନିରଞ୍ଜନ ସେଠୀ । ଖାଲି ଭଜନ ନୁହେଁ ସର୍ଟ ଫିଲ୍ମରେ ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ ନିରଞ୍ଜନ। ଫିଲ୍ମ ଗୁଡିକ ମଧ୍ୟରୁ ଗୋଟିଏରେ ଦୁଷ୍କର୍ମ ଦୃଶ୍ୟ ରହିଥିଲା। ଆଉ ରିଲରେ କଏଦ ହୋଇଥିଲା ନିରଞ୍ଜନଙ୍କ ଏହି ରିୟଲ୍ ଦୁଷ୍କର୍ମ ଦୃଶ୍ୟ । ତେବେ ୮ଟି ବ୍ଲୁ ଫିଲ୍ମ ମଧ୍ୟରୁ ୩ଟିରେ ମୁଖ୍ୟ ଅଭିନେତା ସାଜିଥିଲେ ନିରଞ୍ଜନ ।

ଶର୍ମିଷ୍ଠାଙ୍କର ଏକ ନ୍ୟୁଜ୍ ଚାନେଲ୍ ଥିବା ସହ ସମ୍ପୂର୍ଣ୍ଣ ଏଣ୍ଟରଟେନମେଣ୍ଟ ନାମକ ଏକ ୟୁଟ୍ୟୁବ୍ ଚାନେଲ୍ ଥିଲା । ଯେଉଁଥିରେ ସଟ୍ ଫିଲ୍ମ, ଆଲବମ୍ ଓ ଭଜନ ମଧ୍ୟ ଅପଲୋଡ୍ କରାଯାଉଥିଲା । ସର୍ଟ ଫିଲ୍ମ ଆଳରେ ଅଶ୍ଲୀଳ ଫିଲ୍ମ ତିଆରି କରୁଥିଲେ ଶର୍ମିଷ୍ଠା । ସେହି ସର୍ଟ୍ ଫିଲ୍ମ ମଧ୍ୟରୁ କିଛି କ୍ଲିପ୍ ରହିଯାଇଥିଲା ମାନସଙ୍କ ପାଖରେ । ମାନସଙ୍କ ଅନ୍ୟଜଣେ ସାଙ୍ଗ ଜୟନ୍ତ ମଧ୍ୟ ଏହା ବାବଦରେ ଜାଣିଥିଲେ । ଆଉ ଯେଉଁଥିପାଇଁ ମାନସଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି ।

କ୍ରାଇମ ବ୍ରାଞ୍ଚ ହାତରେ ଲାଗିଥିବା ଅଶ୍ଲୀଳ ଫିଲ୍ମ ମଧ୍ୟରେ ରହିଛି ଧନ ଘରେ ନାହାଁନ୍ତି, ଦୁଷ୍ଟ ଦିଅର, ରୋମିଓ ପ୍ରଫେସର, ତୁମ ସହ ନାଇଟ୍ ଲାଇଫ୍ ଓ ସେଇ ସ୍ପର୍ଶ। ଏଭଳି ଫିଲ୍ମକୁ ୟୁଟ୍ୟୁବରେ ଅପଲୋଡ୍ କରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଥିଲେ ଶର୍ମିଷ୍ଠା । ଏବେ ସୋସିଆଲ୍ ମିଡିଆରେ କିଛି ଦୃଶ୍ୟ ଭାଇରାଲ୍ ହେବାରେ ଲାଗିଛି ।

୨୦୧୫ରେ ଆଇଆଇଟି ମୁମ୍ବାଇରୁ କେମିକାଲ୍ ଇଞ୍ଜିନିୟର ପଢିଥିବା ମୁର୍ତାଜ ଗୋରଖନାଥ ମନ୍ଦିର ଏବଂ ଥାନା ସମ୍ମୁଖ ରାସ୍ତାରେ ଦୗେଡିବାକୁ ଲାଗିଥିଲେ । ଏହି ସମୟରେ ମୁର୍ତାଜ ‘ଆଲ୍ଲା ହୁ ଅକବର’ ସ୍ଲୋଗାନ ଦେଇ ପୋଲିସ୍ କର୍ମୀଙ୍କୁ ପାଟି କରି କହିଥିଲା- ମୁଁ ଚାହୁଁଛି ତୁମେ ମାନେ ମୋତେ ଗୁଳି ମାରିଦଅ ।

ଚାକିରି ଛାଡ଼ିଲେ ଚପଲ ତିଆରି କଲେ, ନିଜେ ସ୍ୱାବଲମ୍ୱୀ ହେବା ସହ ଅନ୍ୟକୁ ରୋଜଗାରକ୍ଷମ କଲେ

ଜଳେଶ୍ୱର: ଚାକିରି ଛାଡ଼ି ବନିଲେ ସଫଳ ଉଦ୍ୟୋଗୀ । ଇଞ୍ଜିନିୟର ଚାକିରିକୁ ପଛରେ ପକାଇ ଜୋତା କାରଖାନା କରି ଏବେ ଚର୍ଚ୍ଚାରେ ବସ୍ତା ବ୍ଲକ କୋଠପଦା ଗାଁର ପାର୍ଥ ସାରଥୀ ସାହୁ । ନିଜସ୍ୱ ଉଦ୍ୟମରେ କାରଖାନା ପ୍ରତିଷ୍ଠା କରି ସ୍ୱାବଲମ୍ୱୀ ହେବା ସହିତ ଗାଁର ବେକାରୀଙ୍କୁ ଦେଇଛନ୍ତି ରୋଜଗାର । ଆଗାମୀ ଦିନରେ କାରାଖାନାର ପରିସର ବଢାଇ ଅଧିକଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛନ୍ତି ପାର୍ଥ ।

ଇଞ୍ଜିନିୟରଙ୍କ ଆତ୍ମନିର୍ଭର ବାର୍ତ୍ତା । କାହା ଅଧିନରେ ନୁହେଁ, ସ୍ୱାବଲମ୍ୱୀ ହେବାକୁ ଗୁରୁତ୍ୱ । ଜୋତା କାରଖାନା କରି ଚର୍ଚ୍ଚାରେ ବାଲେଶ୍ୱର ବସ୍ତା ବ୍ଲକ କୋଠପଦା ଗାଁର ପାର୍ଥ ସାରଥି ସାହୁ । ଇଂଜିନିୟର ଚାକିରି ଛାଡ଼ି ସେ ଗାଁରେ କରିଛନ୍ତି ଜୋତା କାରାଖାନା । ଏଇଠୁ ନିଜେ ରୋଜଗାରକ୍ଷମ ହେବା ସହିତ ୧୫ଜଣଙ୍କୁ ଚାକିରି ଦେଇଛନ୍ତି । କାରଖାନାରେ ଏବେ କେବଳ ହାଇଓ୍ୱା ଚପଲ ତିଆରି କରାଯାଉଥିବାବେଳେ ଆଗକୁ ସବୁ ପ୍ରକାରର ଯୋତା ପ୍ରସ୍ତୁତ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ।

ଇଞ୍ଜିନିୟରିଂ ପାସ କରି ପାର୍ଥ ଏକ ଘରୋଇ କମ୍ପାନୀରେ ଚାକିରି କରିଥିଲେ । ପରେ ସଞ୍ଚିତ ପୁଞ୍ଜିରେ ଗାଁରେ କାରାଖାନା ପ୍ରତିଷ୍ଠା କରିଛନ୍ତି । ଦିଲ୍ଲୀ, ଆଗ୍ରା,କୋଲକାତାରୁ କଞ୍ଚାମାଲ ଆଣି ଚପଲ୍ ପ୍ରସ୍ତୁତ କରାଯାଉଛି । ଡିଷ୍ଟ୍ରିବ୍ୟୁଟରଙ୍କ ମାଧ୍ୟମରେ ଏହାକୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିକ୍ରି କରୁଛନ୍ତି । ଶ୍ରମିକଙ୍କୁ ପାରିଶ୍ରମିକ ଦେବା ପରେ ଏବେ ମାସକୁ ୪୫ରୁ ହଜାର ଟଙ୍କା ଲାଭ କରୁଛନ୍ତି ପାର୍ଥସାରଥୀ । ସରକାରଙ୍କ ତରଫରୁ କିଛି ସାହାଯ୍ୟ ମିଳିଲେ ବ୍ୟବସାୟକୁ ଆଗକୁ ବଢାଇବାକୁ ସେ ଆଶା ରଖିଛନ୍ତି ।

ବିନୟ ମୋହନ କ୍ୱାତ୍ରାଙ୍କୁ ନୂଆ ବୈଦେଶିକ ସଚିବ ଦାୟିତ୍ୱ

ନୂଆଦିଲ୍ଲୀ: ନେପାଳରେ ଭାରତୀୟ ରାଷ୍ଟ୍ରଦୂତ ବିନୟ ମୋହନ କ୍ୱାତ୍ରା ଭାରତର ନୂଆ ବୈଦେଶିକ ସଚିବ ଭାବରେ ପଦଭାର ଗ୍ରହଣ କରିଛନ୍ତି ।ବର୍ତ୍ତମାନର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କୁ G-୨୦ ସମିଟର ସଂଯୋଜକ ଦାୟିତ୍ୱ ମିଳିପାରେ। ଆସନ୍ତା ୨୦୨୩ ନଭେମ୍ୱରରେ ନୂଆଦିଲ୍ଲୀରେ G-୨୦ ସମିଟର ଆୟୋଜନ କରାଯିବ ।

୧୯୮୮ ବ୍ୟାଚର IFS ଅଫିସର ବିନୟ ମୋହନ ପୂର୍ବରୁ ଫ୍ରାନ୍ସରେ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟଭାର ତୁଲାଇ ଆସୁଥିଲେ ।  କେବଳ ସେତିକି ନୁହେଁ ବରଂ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଭାବେ ଆମେରିକା, ପାକିସ୍ତାନ, ଇରାନ ଏବଂ ଆଫଗାନିସ୍ତାନ ପରି ଡେସ୍କରେ କାର୍ଯ୍ୟ କରିସାରିଛନ୍ତି। ଫ୍ରାନ୍ସରେ ରାଷ୍ଟ୍ରଦୂତ ନିଯୁକ୍ତ ହେବା ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଖୁବ୍‌ ନିକଟତର ହୋଇ କାମ କରିଛନ୍ତି । ଏହାକୁ ବାଦ୍‌ ଦେଲେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ତାଙ୍କର ସମ୍ପର୍କ ଖୁବ୍‌ ନିବିଡ଼ ।

ଦୁଇ ବର୍ଷ ଧରି ବୈଦେଶିକ ସଚିବ ଦାୟିତ୍ୱ ତୁଲାଉଥିବା ୧୯୮୬ ବ୍ୟାଚର ଆଇଏଫଏସ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଆସନ୍ତା ଏପ୍ରିଲ ୩୦ ତାରିଖରେ ଅବସର ଗ୍ରହଣ କରିବେ। ନିଜ କାର୍ଯ୍ୟାକାଳ ସମୟରେ ଭାରତ ମହାସାଗରୀୟ କ୍ଷେତ୍ରରେ ବାଂଲାଦେଶ, ଭୂଟାନ ଏବଂ ଅନ୍ୟ ପଡୋଶୀ ରାଷ୍ଟ୍ର ସହ ସୁ ସମ୍ପର୍କ ସ୍ଥାପନ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

୨୦୨୦ ମସିହାରେ କରୋନାର କୁପ୍ରଭାବ ଚାଲିଥିବାବେଳେ ସେ ସେ ଭାରତୀୟ ବୈଦେଶିକ ନୀତିକୁ ଆଗକୁ ନେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।