spot_img
Home Blog Page 4582

ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ: BMC

ମୁମ୍ବାଈ: ‘ଦ ବ୍ରିହାନମୁମ୍ବାଇ ମୁନିସିପାଲ କର୍ପୋରେସନ୍‌’ ବା BMC ମାସ୍କ ପିନ୍ଧିବା ଉପରୁ କଟକଣା ଉଠାଇଛନ୍ତି । ଏବେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ । ଯଦି କେହି ମାସ୍କ ପିନ୍ଧିନାହାଁନ୍ତି ତେବେ ଏହା ବାବଦରେ ଜୋରିମନା ମଧ୍ୟ ଦେବାକୁ ପଡ଼ିବ ନାହିଁ । ମହାମାରୀ ସଂପୂର୍ଣ୍ଣ ଭାବରେ ଯାଇ ନଥିବାରୁ ସମସ୍ତ ନାଗରିକଙ୍କୁ ମାସ୍କ ପିନ୍ଧିବାକୁ କେବଳ ଅନୁରୋଧ କରାଯାଇଛି । ଏହାଦ୍ୱାରା ନିଜକୁ ଓ ଅନ୍ୟମାନଙ୍କୁ ସୁରକ୍ଷିତ ରଖାଯାଇପାରିବ । ତେବେ ଗତ ଦୁଇ ବର୍ଷ ଧରି ଏହି ପ୍ରକ୍ରିୟା ବିନା ତ୍ୱରାନ୍ୱିତରେ ଜାରି ରହିଥିଲା ଏବଂ ମାସ୍କକୁ ସର୍ବସାଧାରଣ ସ୍ଥାନରେ ବାଧ୍ୟତାମୂଳକ କରାଯାଇଥିଲା ।

ଚଳିତ ସମୟରେ କରୋନା ସଂକ୍ରମଣ କମ୍‌ ବ୍ୟାପୁଥିବା ଏବଂ ନିୟନ୍ତ୍ରଣରେ ଥିବା ହେତୁ କଟକଣାକୁ ପୂର୍ବାପେକ୍ଷା ସାମାନ୍ୟ କୋହଳ କରାଯାଇଛି । କିନ୍ତୁ ଯଦି କୗଣସି ନାଗରିକ ମାସ୍କ ପିନ୍ଧିନାହାଁନ୍ତି ତେବେ ଉକ୍ତ ବ୍ୟକ୍ତିଙ୍କ ଠାରୁ ୨୦୦ ଟଙ୍କା ଜୋରିମନା ଏବେ ଆଦାୟ କରାଯିବ ନାହିଁ । ଏହି ନିୟମ ଉପରୁ କଟକଣା ଉଠାଇ ଦେଇଛି ବିଏମସି । ଯାହା ନିଜେ ବିଏମସି ସୂଚନା ଦେଇଛି । ତେବେ ଏହି ନିୟମ ଏପ୍ରିଲ ମାସ ୨ ତାରିଖରୁ ଲାଗୁ କରାଯିବ ବୋଲି କହିଛି ମହାରାଷ୍ଟ୍ର ସରକାର ।

ଅନ୍ୟପଟେ ଇଉରୋପ, ଚୀନ୍‌ ଏବଂ ଅନ୍ୟ ଦେଶ ଗୁଡ଼ିକରେ କରୋନା ମହାମାରୀ ପୁନର୍ବାର କାୟା ବିସ୍ତାର କରୁଥିବା ହେତୁ ମହାରାଷ୍ଟ୍ର ସ୍ୱାସ୍ଥ୍ୟବନ୍ତ୍ରୀ ରାଜେଶ୍‌ ଟୋପେ ସମସ୍ତ ନାଗରିକଙ୍କୁ ସଚେତନ ରହିବାକୁ ଅନୁରୋଧ କରିଛନ୍ତି । ସଚେତନ କରିବା ସହ ସେ କହିଛନ୍ତିଯେ କୋଭିଡର କରାଳ ରୂପ ତୃତୀୟ ପର୍ଯ୍ୟାୟରେ ଆମେ ଦେଖିଛୁ । ତେଣୁ ଜାଣିଶୁଣି ଅଣଦେଖା କରିବା ଅନୁଚିତ୍‌ । ଏଭଳି ସ୍ଥିତିରେ ମୁହଁରୁ ମାସ୍କ ବାହାର କରିବା କଥା ଭାବିବା ଉଚିତ୍‌ ହେବ ନାହିଁ । କଟକଣା ଉଠିଥିଲେ ମଧ୍ୟ ସଚେତନତାର ଆବଶ୍ୟକତା ରହିଛି । ସୂଚନାଯୋଗ୍ୟ, ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ହେବ କରୋନା ମହାମାରୀ ସାରା ବିଶ୍ୱକୁ କଲବଲ କରୁଛି । ଏବେ ଏଥିରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବାବେଳେ ସମସ୍ତେ ସଚେତନ ରହିବା ନିହାତି ଜରୁରୀ ।

ଭିଜିଲାନ୍ସ ଜାଲରେ ପୁଣି ଜଣେ ବଡ଼ ବାବୁ, ଲାଞ୍ଚ ନେଇ ଫସିଲେ ସେକ୍ସନ ଅଫିସର

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ପୁଣି ଜଣେ ବଡ଼ ବାବୁ । ଜବତ ହୋଇଥିବା ଟ୍ରାକ୍ଟର ଛାଡ଼ିବା ପାଇଁ ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । ବଲାଙ୍ଗୀର ଆଗଲପୁର ତହସିଲରର ସେକ୍ସନ ଅଫିସର କିଶୋର ଖର୍ସେଲ ଭିଜିଲାନ୍ସ ହାତରେ ଧରା ପଡ଼ି ଗିରଫ ହୋଇଛନ୍ତି । ଜବତ ଟ୍ରାକ୍ଟରକୁ ଛାଡିବା ପାଇଁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ କିଶୋର ଖର୍ସେଲ । କେମିକାଲ ବୋଳା ୩୫ ହଜାର ଟଙ୍କା ଜବତ କରିଛି କ୍ରାଇମବ୍ରାଞ୍ଚ । ଗିରଫ ପରେ ସେକ୍ସନ୍ ଅଫିସରଙ୍କ ବଲାଙ୍ଗୀର ହାତୀ ଶାଳପଡ଼ାଠାରେ ଥିବା ସରକାରୀ କ୍ୱାର୍ଟରରେ ଭିଜିଲାନ୍ସ ଚଢ଼ାଉ କରିଥିଲା ।

ବଲାଙ୍ଗୀର ଭିଜିଲାନ୍ସ ଡିଏସପି ପୁଲସ୍ତି ଛତ୍ରିଆଙ୍କ ନେତୃତ୍ୱରେ ଚଢାଉ କରିଥିଲା ଟିମ । ସୂଚନା ଅନୁସାରେ, ବେଆଇନ ବାଲି ଚାଲାଣ ନେଇ ଆଗଲପୁର ବ୍ଲକ ବିନ୍ଧାପାଲିର କୃଷ୍ଣଚନ୍ଦ୍ର ସାହୁଙ୍କ ଟ୍ରାକ୍ଟରକୁ ଆରଆଇ ଜବତ କରି ୧ ଲକ୍ଷ ୧୫ ହଜାର ଟଙ୍କା ଜରିମାନା ପକାଇଥିଲେ । ତେବେ ୪୫ ହଜାର ଟଙ୍କା ଲାଞ୍ଚ ଦେଲେ ଟ୍ରାକ୍ଟର ଛଡାଯିବ ବୋଲି କହିଥିଲେ ସେକ୍ସନ ଅଫିସର । ଏନେଇ ଟ୍ରାକ୍ଟର ମାଲିକ ଜଣଙ୍କ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ପରେ ଅଫିସରେ ଚଢ଼ାଉ କରି  କିଶୋରଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ।

ଓଡିଶା ପୋଲିସର ୮୭ ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ଓଡିଶା ପୋଲିସର ୮୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଭୁବନେଶ୍ୱର ସପ୍ତମ ବାଟାଲିଆନ ଠାରେ କମିଶନରେଟ ପୋଲିସ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କମିଶନରେଟ ପୋଲିସ ଆଗାମୀ ଦିନରେ କିପରି ଅଧିକରୁ ଅଧିକ ଭଲ କାମ କରି ଲୋକଙ୍କ ଆସ୍ଥାଭାଜନ ହୋଇପାରିବ ସେ ନେଇ ଆଜି ସଂକଳ୍ପ ନିଆଯାଇଥିବା ପୋଲିସ କମିଶନର କହିଛନ୍ତି। ସେବା ମନବୃତ୍ତି ନେଇ କମିଶନରେଟ ପୋଲିସ କାମ କରିବ।

ଜନସାଧାରଣଙ୍କ ନିକଟରେ ପହଁଚିବା ପାଇଁ ଯେଉଁ କାମ ପୂର୍ବରୁ ଚାଲୁଥିଲା ତାହା ଏବେ ଚାଲିଛି ତାକୁ ପୁନଃରୂପ ଦେଇ ଆଗେଇ ନେବାକୁ କହିଛନ୍ତି ସିପି। ଏହାସହ ଅଜିଠୁ କମିଶନରେଟ ପୋଲିସ ପକ୍ଷରୁ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ଷ୍ଟ୍ରେସ ମ୍ୟାନେଜମେଣ୍ଟ ପାଇଁ ବ୍ଲିସ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା କହିଛନ୍ତି ପୋଲିସ କମିଶନର।

ଅନ୍ୟପଟେ, କଟକରେ ଆଜି ପାଳିତ ହୋଇଛି ପୋଲିସ ପ୍ରତିଷ୍ଠା ଦିବସ । ଏହି ୮୭ତମ ପୋଲିସ ପ୍ରତିଷ୍ଠା ଦିଵସ କଟକର ଷଷ୍ଠ ବାଟାଲିୟନ ପଡିଆରେ ଆୟୋଜିତ ହୋଇଛି । ପୋଲିସ ମହାନିର୍ଦ୍ଦେଶକ ସୁନୀଲ ଵଂଶଲ ଏହି ପୋଲିସ ପ୍ରତିଷ୍ଠା ଦିଵସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଓଡିଶା ପୋଲିସର ଭିତ୍ତିଭୂମି, ମାନଵ ସମ୍ବଳ ,ଆଧୁନିକିକରଣ ,ସାଇଵର ଅପରାଧ ଓ ଅର୍ଥନୈତିକ ଅପରାଧ ଏଵେ ସଵୁଠୁ ଵଡ ଚାଲେଞ୍ଜ । କଟକରେ ଆଜି ପୋଲିସ ୮୭ତମ ପୋଲିସ ପ୍ରତିଷ୍ଠା ଦିଵସରେ ଏହା କହିଛନ୍ତି ପୋଲିସ ଡିଜି ସୁନୀଲ ଵଂଶଲ । ଏହି ୮୭ତମ ପୋଲିସ ପ୍ରତିଷ୍ଠା ଦିଵସ କଟକର ଷଷ୍ଠ ବାଟାଲିୟନ ପଡିଆରେ ଆୟୋଜିତ ହୋଇଥିଲା ।

ଓଡ଼ିଶା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଆଉ ୬ ମାସ ବଢ଼ାଇଲେ ଅତିରିକ୍ତ ଚାଉଳ ବଣ୍ଟନ

ଭୁବନେଶ୍ୱର: ଓଡ଼ିଶା ଦିବସରେ ଓଡ଼ିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ଖୁସି ଖବର । ଆଉ ୬ ମାସ ବଢ଼ିଲା ଅତିରିକ୍ତ ଚାଉଳ ବଣ୍ଟନ । ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମାସକୁ ୫ କେଜି ମାଗଣା ଚାଉଳ ମିଳିବ । ଆସନ୍ତା ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ଚାଉଳ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ରାଜ୍ୟର ୮ ଲକ୍ଷ ୯ ହଜାର ହିତାଧିକାରୀ ଉପକୃତ । ୬ ମାସ ଅତିରିକ୍ତ ଚାଉଳ ବଣ୍ଟନ ହେବା ଦ୍ୱାରା ରାଜ୍ୟ ସରକାର ୯୧ କୋଟି ୭୦ ଲକ୍ଷ ଟଙ୍କା ବହନ କରିବେ । ଏଥିପାଇଁ ଷ୍ଟେଟପୁଲରୁ ୨୪ ହଜାର ୨୭୦ ଟନ୍ ଚାଉଳ ଯୋଗାଇ ଦିଆଯିବ ।

ଶ୍ରୀଲଙ୍କାକୁ ଖୋଳ କରିଦେଲେ ରାଷ୍ଟ୍ରପତିଙ୍କ ପରିବାର, ଏବେ ଦେଶରେ ଖାଦ୍ୟ ସଙ୍କଟ

କଲମ୍ବୋ: ଶ୍ରୀଲଙ୍କାରେ ଅଧିକ ଘନୀଭୂତ ହେଲା ସଙ୍କଟ । ରାଜଧାନୀ କଲମ୍ବୋସ୍ଥିତ ରାଷ୍ଟ୍ରପତି ଭବନ ନିକଟରେ ହଜାର ହଜାର ଲୋକ କରିଛନ୍ତି ବିକ୍ଷୋଭ । ଦିନକୁ ଦିନ ଲୋକଙ୍କ ଦୁର୍ଦ୍ଦଶା ବଢୁଥିବା ସହ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅକାଶଛୁଆଁ ଦରବୃଦ୍ଧି ପ୍ରତିବାଦରେ ତାତିଛନ୍ତି ଜନତା । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ଇସ୍ତଫା ଦାବି କରିବା ସହ ତୁରନ୍ତ ସମସ୍ୟାର ସମାଧାନ ଲାଗି ସେମାନେ ଦାବି କରିଛନ୍ତି । ଆନ୍ଦଳୋନକାରୀଙ୍କୁ ଦମନ କରିବା ଲାଗି ସଂସଦୀୟ ପୋଲିସ ୟୁନିଟ୍ ଓ ସ୍ବତନ୍ତ୍ର ଟାସ୍କ ଫୋର୍ସ ମୁତୟନ କରାଯାଇଥିବା ବେଳେ, ସେମାନଙ୍କୁ ଘଉଡାଇବା ଲାଗି ଲୁହବୁହା ଗ୍ୟାସ ଓ ଜଳତୋପ ମାଡ କରାଯାଇଥିଲା ।

ଉତ୍ତ୍ୟକ୍ତ ଲୋକେ ବ୍ୟାପକ ଭଙ୍ଗାରୁଜା କରିବା ସହ ପୋଲିସ ବସ୍ ପୋଡି ଦେଇଛନ୍ତି । କେବଳ କଲମ୍ବୋ ନୁହେଁ, ସାରା ଦେଶର ବିଭିନ୍ନ ସ୍ଥାନରେ ଜୋର ଧରିଛି ଆନ୍ଦୋଳନ । ଲୋକମାନେ ରାଜରାସ୍ତାକୁ ଓହ୍ଲାଇବା ସହ ରାସ୍ତା ଅବରୋଧ କରିଛନ୍ତି । ଦେଶରେ କିଛି ଦିନ ଧରି ଅଦ୍ଭୁତପୂର୍ବ ସଂକଟ ଦେଖା ଦେଇଥିବା ବେଳେ ଖାଦ୍ୟପଦାର୍ଥ, ଜରୁରୀ ସାମଗ୍ରୀ, ମେଡିସିନ, ଇନ୍ଧନ, ଗ୍ୟାସର ବ୍ୟାପକ ଅଭାବ ଦେଖାଦେଇଛି । ବିଜୁଳି ସଂକଟର ମୁକାବିଲା ଲାଗି ଦୈନିକ ୧୩ ଘଣ୍ଟା ବିଦ୍ୟୁତକାଟ୍ କରାଯାଉଛି । ଗତକାଲିଠାରୁ ଦେଶରେ ଡିଜେଲ ଉପଲବ୍ଧ ହେଉନଥିବାରୁ ସ୍ଥିତି ଅତି ସାଂଘାତିକ ହୋଇଛି । ବସସେବା ଓ ପରିବହନ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ସ୍ଥିତି ଏପରି ହୋଇଛି ଯେ ଅତିଜରୁରୀ ସେବା ବି ସମ୍ଭବ ହୋଇପାରୁନାହିଁ ।

ଶ୍ରୀଲଙ୍କା ଷ୍ଟକ ମାର୍କେଟର ସ୍ଥିତି ମଧ୍ୟ ଜଟିଳ ହୋଇଛି । ଦିନରେ ମାତ୍ର ଘଣ୍ଟାଏ ଦୁଇ ଘଣ୍ଟା ଟ୍ରେଡିଂ କରାଯାଉଛି । ସନ୍ଧ୍ୟା ହୋଇଯିବା ମାତ୍ରେ ଷ୍ଟ୍ରିଟଲାଇଟକୁ ଅଫ୍ କରି ଦିଆଯାଉଥିବାରୁ ଜନଜୀବନ ବାଧାପ୍ରାପ୍ତ ହେଉଛି । ରାଷ୍ଟ୍ରପତିଙ୍କ ପରିବାର ହାତରେ ପ୍ରାୟତଃ କ୍ଷମତା ଠୁଳ ହୋଇଥିବାରୁ ଲୋକେ ଅଧିକ କ୍ଷୁବ୍ଧ ହୋଇଛନ୍ତି । ରାଷ୍ଟ୍ରପତି ଗୋଟାବାୟାଙ୍କ ବଡ଼ଭାଇ ମହିନ୍ଦା ରାଜପକ୍ଷ ଦେଶର ପ୍ରଧାନମନ୍ତ୍ରୀ ଥିବା ବେଳେ ସାନଭାଇ ବାସିଲ ରାଜପକ୍ଷ ଅର୍ଥମନ୍ତ୍ରୀ ଅଛନ୍ତି ।

ସେହିପରି ଗୋଟାବାୟାଙ୍କ ଆଉ ଜଣେ ବଡ଼ଭାଇ ଚମଲ ରାଜପକ୍ଷ କୃଷିମନ୍ତ୍ରୀ ଥିବା ବେଳେ ପୁତୁରା ନମଲ ରାଜପକ୍ଷ କ୍ରୀଡାମନ୍ତ୍ରୀ ଅଛନ୍ତି । ଦେଶର ବୈଦେଶିକ ଋଣଭାର ୫୧ ବିଲିୟନ ଡଲାର ହୋଇଥିବାରୁ ଗତ ୨୦୨୦ରେ ଆମଦାନି ଉପରେ କଟକଣା ଜାରି କରିବା ନେଇ ସରକାରଙ୍କ ପଦକ୍ଷେପ ଏହି ଅଭୁତପୂର୍ବ ସଙ୍କଟର ମୂଳ କାରଣ ହୋଇଥିଲା । ସ୍ଥିତିର ମୁକାବିଲା ଲାଗି ସରକାର ଆନ୍ତର୍ଜାତିକ ମୁଦ୍ରାପାଣ୍ଠି, ଭାରତ ଓ ଚୀନର ସହାୟତା ଲୋଡିଛନ୍ତି ।

ମାନସ ସ୍ୱାଇଁ ହତ୍ୟାକାଣ୍ଡରୁ ହଟୁଛି ପରଦା, ମାଷ୍ଟରମାଇଣ୍ଡ ଶର୍ମିଷ୍ଠାକୁ ନେଇ କ୍ରାଇମ ସ୍ପଟରେ କ୍ରାଇମବ୍ରାଞ୍ଚ

କଟକ: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ଚାନ୍ଦବାଲି କ୍ରାଇମ ସ୍ପଟରେ ଶର୍ମିଷ୍ଠାଙ୍କୁ ନେଇ ତନାଘନା କଲା କ୍ରାଇମବ୍ରାଞ୍ଚ । ମାନସଙ୍କ ହତ୍ୟାକାରୀକୁ କ୍ରାଇମ ସ୍ପଟକୁ ନେବା ଖବର ଜାଣି ଲୋକଙ୍କ ଭିଡ଼ ହୋଇଥିଲା । ଯାହାଫଳରେ ସେଠାରେ ଅଳ୍ପ ସମୟ ରହି ଶର୍ମିଷ୍ଠାକୁ ପୁଣି କଟକ ମୁଖ୍ୟାଳୟକୁ ନେଇ ଆସିଛି କ୍ରାଇମବ୍ରାଞ୍ଚ । ଭିଡ଼ ଯୋଗୁ ଡେମୋ ଦେଖାଇ ପାରିନଥିବା ସୂଚନା ମିଳିଛି । ଚାନ୍ଦବାଲି ପଳାସପୁରରୁ କେମିତି ହୋଇଥିଲା ମାନସଙ୍କ ଅପହରଣ, ସେହି ଡେମୋ କମ୍ ସମୟରେ ଦେଖାଇଛି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ।

ଏହାପରେ ଦୟାଲ ଆଶ୍ରମ ଓ ନୟାଗଡ଼ରେ କ୍ରାଇମ ସିନ୍ ରିକ୍ରିଏଟ କରିବ କ୍ରାଇମବ୍ରାଞ୍ଚ । ଏବେ ସୁଦ୍ଧା କ୍ରାଇମବ୍ରାଞ୍ଚକୁ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ମିଳିନି । ଶର୍ମିଷ୍ଠାର ଡେମୋରୁ ତା’ର ବି ସୁରାକ୍ ପାଇପାରେ କ୍ରାଇମବ୍ରାଞ୍ଚ । ଶେଷରେ ନୟାଗଡ଼ରେ କେଉଁଠି ଓ କେଉଁ ପ୍ଲାନିଂରେ ମୃତଦେହ ପୋତିଥିଲେ ଏବଂ ପ୍ରମାଣ ଲୁଚାଇବାକୁ କ’ଣ ହୋଇଥିଲା ଯୋଜନା, ତା’ର ଡେମୋ ଦେଖାଇବ ଅଭିଯୁକ୍ତ । ଗତକାଲି କ୍ରାଇମବ୍ରାଞ୍ଚ ଆଗରେ ସବୁ ସତ ବଖାଣି ସାରିଛି ଅଭିଯୁକ୍ତ ରଞ୍ଜନ ନାୟକ । ପରେ ଶର୍ମିଷ୍ଠା ଓ ଅନ୍ୟମାନେ ସବୁ ସତ ମାନିଥିଲେ । ଚଣ୍ଡିଖୋଲର ସେହି ସ୍ଥାନକୁ ଯାଇ ଅଧାପୋଡ଼ା ଇୟର ଫୋନ୍, ଚପଲ, ଶାଢ଼ୀ, ଅଖା ବସ୍ତା, ଗଇଁତି ଓ କୋଦାଳକୁ ଜବତ କରିଥିଲା ତଦନ୍ତକାରୀ ଟିମ୍ ।

ପୁଣି LPG ଗ୍ୟାସରେ ମହଙ୍ଗାମାଡ଼, ୧୯କିଲୋ କମର୍ସିଆଲ ସିଲିଣ୍ଡର ବାବଦକୁ ଦେବାକୁ ପଡ଼ିବ…

ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷରୁ ମହଙ୍ଗା ମାଡ଼ । ୨୫୦ ଟଙ୍କା ମହଙ୍ଗା ହେଲା କମର୍ସିଆଲ ଗ୍ୟାସ ଦର । ୧୯ କେଜି କମର୍ସିଆଲ ସିଲିଣ୍ଡର ବା ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହୃତ ସିଲିଣ୍ଡର ଉପରେ ଏହି ଦାମ୍ ବଢିଛି । ଦାମ୍ ବୃଦ୍ଧି ପରେ ନୀଳ ରଙ୍ଗର ଏହି ସିଲିଣ୍ଡରର ଦାମ୍ ୨୨୫୩ ଟଙ୍କାରେ ପହଁଚିଛି । ନୂଆ ଦର ବଢ଼ିବା ପରେ ରାଜଧାନୀ ଦିଲ୍ଲୀରେ ଗ୍ୟାସ ଦର ୨ ହଜାର ୨୫୩ ଟଙ୍କାରେ ପହଞ୍ଚିଛି । କୋଲକାତାରେ ୨ ହଜାର ୩୫୧, ମୁମ୍ବାଇରେ ୨ ହଜାର ୨୦୫, ଚେନ୍ନାଇରେ ୨ ହଜାର ୪୦୬ ଟଙ୍କା ହୋଇଛି ଅଣସବସିଡ୍ ଗ୍ୟାସ ସିଲିଣ୍ଡର ଦାମ୍ ।

ସେପଟେ ଘରୋଇ ଗ୍ୟାସ ଦର ଅପରିବର୍ତିତ ରହିଛି । ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୯୭୬ରେ ସ୍ଥିର ରହିଛି । ମାର୍ଚ୍ଚ ୨୨ ତାରିଖରେ ୫୦ ଟଙ୍କା ବଡିଥିଲା ଘରୋଇ ଗ୍ୟାସ ଦର । ନିର୍ବାଚନର କିଛି ଦିନ ପରେ ଲଗାତାର ବଢି ଚାଲିଛି ଦରଦାମ୍ । ସବୁର ଦରଦାମ୍ ଆକାଶଛୁଆଁ ହୋଇଥିବା ବେଳେ ଏବେ ବୋଝ ଉପରେ ନଳିତାବିଡା ଭଳି ହୋଇଛି ଗ୍ୟାସ୍ ଦର ବୃଦ୍ଧି । ଅଣସବସିଟ୍ ଗ୍ୟାସ୍ ଦର ବୃଦ୍ଧି ପରେ ଏବେ ହୋଟଲରେ ଖାଇଲେ ଦେବାକୁ ପଡ଼ିବ ଅଧିକ ଟଙ୍କା ।

କମର୍ସିଆଲ ସିଲିଣ୍ଡରଗୁଡିକର ବ୍ୟବହାର ରେଷ୍ଟୁରାଣ୍ଟ ଓ ଜଳଖିଆ ଦୋକାନମାନଙ୍କରେ ହୋଇଥାଏ । ଏଭଳି ପରିସ୍ଥିତିରେ ୨୫୦ ଟଙ୍କା ବୃଦ୍ଧି କାରଣରୁ ସେମାନଙ୍କ ମାସିକ ବଜେଟ୍ ଉପରେ ପ୍ରଭାବ ପଡ଼ିବ । ଅନ୍ୟପକ୍ଷରେ, ଆସନ୍ତା ମାସରେ ବିବାହ ଆଦି କାର୍ଯ୍ୟରେ ଗ୍ୟାସ ସିଲିଣ୍ଡରର ଅତ୍ୟଧିକ ମାତ୍ରାରେ ବ୍ୟବହାର ହୋଇଥାଏ । ତେଣୁ କ୍ୟାଟରିଂ ଏବଂ ରୋଷେଆମାନେ ଏହି କାରଣରୁ ସେମାନଙ୍କର ମୂଲ୍ୟ ବୃଦ୍ଧି କରିବେ ।

ରାଜ୍ୟରେ ବଢ଼ୁଛି ଦୁର୍ଘଟଣା, ୨୦୨୦ ତୁଳନା ୨୦୨୧ରେ ୭.୨୪ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ସଡ଼କ ଦୁର୍ଘଟଣା । ୨୦୨୦ ତୁଳନାରେ ୨୦୨୧ରେ ବୃଦ୍ଧି ପାଇଛି ସଡ଼କ ଦୁର୍ଘଟଣା । ୨୦୨୦ ତୁଳନାରେ ୨୦୨୧ରେ ୭.୨୪ ପ୍ରତିଶତ ବୃଦ୍ଧି ପାଇଛି ସଡ଼କ ଦୁର୍ଘଟଣା । ରାଜ୍ୟର ୪ଟି ଜିଲ୍ଲାରେ ୨୫ ପ୍ରତିଶତ ଦୁର୍ଘଟଣା ବୃଦ୍ଧି ଘଟିଛି । ତେବେ ଏହି ଦୁର୍ଘଟଣା କମାଇବା ପାଇଁ ପଦକ୍ଷେପ ନେବାକୁ ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି ପରିବହନ ସଚିବ । ଦୁର୍ଘଟଣା କମାଇବା ପାଇଁ ଆଜିଠୁ ଏକ ମାସ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଭିଯାନ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ସଚିବ । ରାଜ୍ୟରେ ୧୦ ହଜାର ୯୮୪ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୫ ହଜାର ୮୧ଜଣ ଲୋକ । ଏଥିସହିତ ଆହତ ହୋଇଛନ୍ତି ୯ ହଜାର ୭ ଶହ ୮୨ଜଣ । ତେବେ ୭ଟି ଜିଲ୍ଲାରେ କମିଛି ଦୁର୍ଘଟଣାର ମୃତ୍ୟୁହାର  । ଗଜପତି ଜିଲ୍ଲାରେ ଦୁର୍ଘଟଣାରେ ମୃତ୍ୟୁହାର ସର୍ବାଧିକ ବୃଦ୍ଧି ହୋଇଛି ।

ଜଙ୍ଗଲ ଛାଡ଼ି ଗାଁ ଭିତରେ ବୁଲି ବୁଲି ମା’କୁ ଖୋଜୁଛି ଛୁଆ ହାତୀ

ଢ଼େଙ୍କାନାଳ: ଗାଁ ମୁହାଁ ଗୋଠ ଛଡ଼ା ହାତୀ ଛୁଆ । ଜଙ୍ଗଲ ଛାଡ଼ି ଗାଁ ଭିତରେ ବୁଲି ବୁଲି ମା’କୁ ଖୋଜୁଛି ଦେଢ଼ ବର୍ଷର ହାତୀ ଛୁଆ । ଗାଁ ଭିତରେ କାହା ଗୁହାଳ ଭିତରେ ପଶି ଯାଉଛି ତ କାହା ଘର ଭିତରେ ପଶି ଯାଉଛି ଛୁଆ ହାତୀ । ଗୋଠ ଛଡ଼ା ହାତୀ ଛୁଆ ପାଇଁ ନାକେଦମ୍ ହେଲେଣି ଗ୍ରାମବାସୀ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢ଼େଙ୍କାନାଳ ସଦର ରେଞ୍ଜ ଭାପୁର ନୂଆ ସାହି ଅଞ୍ଚଳରେ । ଛୁଆ ହାତୀଟିର ବୟସ ଦେଢ଼ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ହାତୀଟି ଫେରିବାର ବାଟ ନ ପାଇ ଗାଁ ଭିତରେ ଖୋଜି ବୁଲୁଛି ତାର ପରିବାରକୁ । ଗାଁ ଭିତରେ ଛୁଆ ହାତୀ ପଶିବା ପରେ ଜଙ୍ଗଲ ବିଭାଗ କର୍ମଚାରୀ ପହଞ୍ଚି ହାତୀଟିକୁ ଜଙ୍ଗଲ ଆଡ଼କୁ ଘଉଡାଇବା ଉଦ୍ୟମ ଜାରି ରଖିଛି । କିନ୍ତୁ ହାତୀ ଛୁଆଟି ଜଙ୍ଗଲ ଭିତରକୁ ଯିବାକୁ ଯେପରି ଅମଙ୍ଗ। ଏପରି ସ୍ଥିତିରେ ବନବିଭାଗ ହାତୀ ଛୁଆ ଉପରେ ନଜର ରଖିଛି ।

ଓଡ଼ିଶା ପାଳୁଛି ଉତ୍କଳ ଦିବସ; ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଉତ୍କଳ ଦିବସ । ଉତ୍କଳ ଦିବସ ଅବସରରେ ଉତ୍ସବମୁଖର ସାରା ରାଜ୍ୟ । ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟପାଳ ଟ୍ୱିଟ କରି ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଅଗ୍ରୀଣ ଭୂମିକା ଗ୍ରହଣ କରିଥିବା ମହାନ ଜନନାୟକମାନଙ୍କ ସ୍ମୃତିଚାରଣ କରିବା ସହ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ଅନନ୍ୟ ପରମ୍ପରାକୁ ଆହୁରି ସମୃଦ୍ଧି କରିବାକୁ ରାଜ୍ୟପାଳ ବାର୍ତ୍ତା ଦେଇଛନ୍ତି ।

ସେହିପରି ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଟ୍ୱିଟ୍ କରି ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି । ଆସନ୍ତୁ ଓଡ଼ିଆ ଜାତିର ସ୍ୱାଭିମାନକୁ ବଜାୟ ରଖିବା ସହ ଓଡ଼ିଶାର ସମୃଦ୍ଧି ପାଇଁ ଆମର ମିଳିତ ଉଦ୍ୟମକୁ ଆହୁରି ଶକ୍ତିଶାଳୀ କରିବା ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିପରି ଉତ୍କଳ ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଉତ୍କଳ ଦିବସର ବିଶେଷ ଅବସରରେ ଓଡ଼ିଶାର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ଦେଶର ପ୍ରଗତିରେ ଓଡ଼ିଆ ଲୋକମାନେ ଉଲ୍ଲେଖନୀୟ ଯୋଗଦାନ ଦେଉଛନ୍ତି ଏବଂ ଓଡ଼ିଆ ସଂସ୍କୃତି ସମଗ୍ର ବିଶ୍ୱରେ ପ୍ରଶଂସିତ । ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ବୋଲି ଟ୍ୱିଟ୍ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।