spot_img
Home Blog Page 4584

‘ନା ମୁଁ କାହା ଆଗରେ ନଇଁବି ନା ମୋ ଦେଶକୁ ନଇଁବାକୁ ଦେବି’, ଦେଶବାସୀଙ୍କୁ ସମ୍ବୋଧିତ କରି ଏମିତି କହିଲେ ଇମ୍ରାନ

ଇସଲମାବାଦ: ଶେଷ ଓଭରର ଶେଷ ବଲ ପର୍ଯ୍ୟନ୍ତ ଖେଳ ଜାରି ରହିବ ବୋଲି କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ । ଗୋଟିଏ ପଟେ ଇମ୍ରାନ ସରକାରଙ୍କ ବିରୋଧରେ ଅବିଶ୍ବାସ ପ୍ରସ୍ତାବ ଉପରେ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଅନ୍ୟପଟେ ସେ ଦେଶକୁ ସମ୍ବୋଧିତ କରିଛନ୍ତି । ଦେଶବାସୀ କେଉଁ ରାସ୍ତାକୁ ଚୟନ କରିବେ ତାହା ତାଙ୍କ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି । ଆସନ୍ତା ୩ରେ ଅନାସ୍ତା ପ୍ରସ୍ତାବ ଉପରେ ଭୋଟିଂ ହେବ । କିନ୍ତୁ ବିରୋଧୀ ନିଜ ଚକ୍ରାନ୍ତରେ ବିଫଳ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଇମ୍ରାନ୍‌ ।

ଆମ ସାମ୍ନାରେ ଏବେ ଦୁଇଟି ରାସ୍ତା ଆସିଛି । ଏଥିରୁ ଆମକୁ ଗୋଟିଏ ବାଛିବାକୁ ହେବ ବୋଲି କହିଛନ୍ତି ଇମ୍ରାନ । ଦେଶବାସୀଙ୍କୁ ଜଣାଇ ଦେବାକୁ ଚାହୁଁଛି ମୋ ଭଳିଆ ଲୋକ କାହିଁକି ରାଜନୀତିକୁ ଆସିଲା । ଯଦି ମୋତେ ନେତା ଭାବେ ଦେଖୁଥାନ୍ତି ତେବେ ରାଜନୀତିକୁ ଆସିବା ପୂର୍ବରୁ ମୋତେ କେହି ଚିହ୍ନି ନଥିଲେ । ମୋର କେହି ଗଡଫାଦର ନାହାନ୍ତି ବୋଲି ଇମ୍ରାନ କହିଛନ୍ତି । ୨୫ ବର୍ଷ ପୂର୍ବେ ରାଜନୀତିକୁ ଆସିବା ବେଳେ ୩ଟି ଲକ୍ଷ ଥିଲା । ନ୍ୟାୟ, ମାନବତା ଓ ଆତ୍ମ ନିର୍ଭରତା ସୁନିଶ୍ଚିତ କରିବା ପାଇଁ ରାଜନୀତିକୁ ଆସିଥିଲି ବୋଲି ଇମ୍ରାନ୍‌ କହିଛନ୍ତି । ମୁଁ ଯେତେବେଳେ ପାକିସ୍ତାନର ସାଧାରଣ ଜନତାର କଥା କହୁଛି ବିରୋଧୀ ସେତେବେଳେ ନିଜ ପରିବାର ଚିନ୍ତାରେ ଅଛନ୍ତି । ପାକିସ୍ତାନ ମୋ ଠୁ ମାତ୍ର ୫ ବର୍ଷ ବଡ଼ । ଦେଶର ପ୍ରଥମ ପିଢୀର ନାଗରିକ । ରାଜନୀତି ଆରମ୍ଭ କରିବା ବେଳେ ନା ମୁଁ କାହା ଆଗରେ ନଇଁବି ନା ମୋ ଦେଶକୁ ନଇଁବାକୁ ଦେବି । ମୋ ଦେଶକୁ କାହାର ଗୋଲାମୀ କରିବାକୁ ଦେବିନି ।

ସେ ଆହୁରି ମଧ୍ୟ କହିଛନ୍ତି, ମାର୍ଚ୍ଚ ୮ ତାରିଖ ଦିନ ବିଦେଶରୁ ଏକ ବାର୍ତ୍ତା ଆସିଲା, ଯେଉଁଥିରେ ପାକିସ୍ତାନ ଉପରେ କାହିଁକି ସେମାନେ କ୍ଷୁବ୍ଧ ବୋଲି କହିଥିଲେ । ଯଦି ଇମ୍ରାନ ଖାନକୁ ହଟାଇ ଦିଆଯିବ ତେବେ ଆମେ ପାକିସ୍ତାନକୁ କ୍ଷମା କରିଦେବୁ । ଯଦି ଏପରି ନ ହୁଏ ତେବେ ପାକିସ୍ତାନକୁ କଠିନ ସମୟ ଦେଖିବାକୁ ପଡିବ । ମୋର ଋଷିଆ ଗସ୍ତରେ ଆମେରିକା କ୍ଷୁବ୍ଧ । ମୋତେ ହଟାଇବା ଲାଗି ଜୋରଦାର ଉଦ୍ୟମ ଆରମ୍ଭ ହୋଇଯାଇଛି । ହେଲେ ମୁଁ ମଧ୍ୟ କହି ରଖୁଛି କେବେ ହେଲେ ଇସ୍ତଫା ଦେବି ନାହିଁ । ବଳ ଶେଷ ହେବା ପର୍ଯ୍ୟନ୍ତ ମୁଁ ପରିସ୍ଥିତି ଓ ବିରୋଧୀଙ୍କ ମୁକାବିଲା କରିବି ବୋଲି କହିଛନ୍ତି ଇମ୍ରାନ ।

ପେଟ୍ରୋଲ ଢାଳି ନିଜ ଶରୀରରେ ନିଆଁ ଲଗାଇଲେ ନିଶାସକ୍ତ ଯୁବକ

କଟକ: ବାରଙ୍ଗ ଥାନା ଅନ୍ତର୍ଗତ ବଙ୍ଗାଳୀ ସାହିରେ ବ୍ରାଉନସୁଗାର ଖାଇବାକୁ ନେଇ ନିଜ ନିଜ ଭିତରେ ପ୍ରେଟୋଲ ଢାଳି ନିଆଁ ଲାଗାଇଲେ ନିଶାସକ୍ତ ଯୁବକ । ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସମୟରେ ବାରଙ୍ଗ ବଙ୍ଗାଳୀ ସାହିର କ୍ଳବ ଘର ନିକଟରେ ୩ ଜଣ ସାଙ୍ଗ କାହ୍ନୁ ଦାସ, ଅଭିଜିତ ହାଲଦାର , ତାପସ କର ଏକାଠି ମିଶି ବ୍ରାଉନସୁଗାର ଖାଉଥିଲେ । ବ୍ରାଉନସୁଗାର ଖାଇବା ସମୟରେ ନିଜ ନିଜ ଭିତରେ କମ ବେଶିକୁ ନେଇ ବଚସା ହୋଇଥିଲା ।

ଏହି ବଚସା ଉଗ୍ରରୂପ ନେବା ପରେ କାହ୍ନୁ ଦାସ ଏକ ଅଟୋରୁ ପ୍ରେଟୋଲ ବାହାର କରି ଅଭିଜିତ ଓ ତାପସଙ୍କ ଉପରେ ପ୍ରେଟୋଲ ପକାଇ ହଠାତ ନିଆଁ ଲଗାଇ ଦେଇଥିଲା । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଏଭଳି ଘଟଣା ଦେଖି ଅଭିଜିତ ଓ ତାପସଙ୍କୁ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିବା ସହିତ ବାରଙ୍ଗ ଥାନାକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଥାନା ଅଧିକାରୀ ପହଁଚି ଗୁରୁତରମାନଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡ଼ିକାଲ ପଠାଇବା ସହିତ ପ୍ରେଟୋଲ ଢାଳି ନିଆଁ ଲଗାଇଥିବା ଯୁବକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ବାରଙ୍ଗ ଥାନା ଅଧିକାରୀ ଆକାଶ ଚନ୍ଦ୍ର ରାଣା ସୂଚନା ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ପଶ୍ଚିମ ଓଡ଼ିଶା ପାଇଁ ଜାରି ହେଲା ହିଟ୍ ଓ୍ୱେଭ୍ ଆଲର୍ଟ : ଅଂଶୁଘାତ ମୁକାବିଲା ଲାଗି ଖୋଲିଲା ସ୍ୱତନ୍ତ୍ର ଓ୍ୱାର୍ଡ

ପଶ୍ଚିମ ଓଡ଼ିଶା ପାଇଁ ଜାରି ହେଲା ହିଟ୍ ଓ୍ୱେଭ୍ ଆଲର୍ଟ : ଅଂଶୁଘାତ ମୁକାବିଲା ଲାଗି ଖୋଲିଲା ସ୍ୱତନ୍ତ୍ର ଓ୍ୱାର୍ଡ

ଭୁବନେଶ୍ୱର: ବଢୁଛି ତାତି, ବଢୁଛି ଚିନ୍ତା । ରାଜ୍ୟରେ କ୍ରମାଗତ ଭାବେ ବଢ଼ି ଚାଲିଛି ଗ୍ରୀଷ୍ମ ପ୍ରକୋପ । ଗତକାଲି ଠାରୁ ବିଶେଷ କରି ପଶ୍ଚିମ ଓଡିଶାର ଜିଲ୍ଲା ଗୁଡିକୁ ହିଟ୍ ଓ୍ୱେଭ୍‌   ଆଲର୍ଟ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ସେପଟେ ଖରାର ପ୍ରକୋପକୁ ଦେଖି ରାଜଧାନୀରେ ଅଂଶୁଘାତ ମୁକାବିଲା ପାଇଁ କ୍ୟାପିଟାଲ୍ ହପ୍ସିଟାଲରେ ଖୋଲିଛି ସ୍ୱତନ୍ତ୍ର ଓ୍ୱାର୍ଡ ।

କଲବଲ କରୁଛି ତାତି । ହିଟ୍ ୱେଭ୍ ପାଇଁ ୪୮ଘଣ୍ଟାରେ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୩ଦିନ ପର୍ଯ୍ୟନ୍ତ ୩ ରୁ ୫ ଡିଗ୍ରୀ ଉଚ୍ଚା ରହିବ ପାରଦ । ବିଶେଷ କରି ୫ ଜିଲ୍ଲା ବରଗଡ, ସୋନପୁର, ବୌଦ୍ଧ, ବଲାଙ୍ଗିର, ଓ କଳାହାଣ୍ଡିରେ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ତେବେ ଆଗାମୀ ଦୁଇ ଦିନ ମଧ୍ୟରେ ଅଭ୍ୟନ୍ତରୀଣ ଓଡିଶାରେ ଦୁଇ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ ବୋଲି ଆକଳନ କରିଛି କେନ୍ଦ୍ର । ସମ୍ବଲପୁରରେ ଖରା ଯୋଗୁଁ ୧୦ଟା ପରେ ଲୋକେ ପଦାକୁ ବାହାରି ପାରୁନଥିବା କହିଛନ୍ତି । ଲଗାତର ୪ ଦିନ ହେଲା ୪୦ ଡିଗ୍ରି ଉପରେ ରହୁଛି ପାରଦ ।

ଖରାକୁ ଦୃଷ୍ଟିରେ ରଖି ଅଂଶୁଘାତ ମୁକାବିଲା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଓ୍ୱାର୍ଡ । କ୍ୟାପିଟାଲ ହସ୍ପିଟାଲରେ ହିଟ୍ ଷ୍ଟ୍ରୋକ୍ ଓ୍ୱାର୍ଡ କାର୍ଯ୍ୟକ୍ଷମ ହୋଇଛି । ଟ୍ରାଏଜ ରୁମରେ ୬ଟି ବେଡ୍ ପ୍ରସ୍ତୁତ କରାଯାଇଛି । କୋଭିଡ ସଂଗରୋଧ ଗୃହକୁ ସ୍ୱତନ୍ତ୍ର ହିଟ୍ ଷ୍ଟ୍ରୋକ ଓ୍ୱାର୍ଡରେ ପରିବର୍ତ୍ତନ କରି ୧୦ଟି ବେଡ୍ ଭାବେ ମୋଟ ୧୬ଟି ବେଡ଼ ପ୍ରସ୍ତୁତ ଥିବା ହସ୍ପିଟାଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏଠାରେ ୪ଜଣ ଷ୍ଟାଫ୍ ନର୍ସଙ୍କୁ ଦାୟିତ୍ୱ ଦିଆଯାଇଛି । ରୋଗୀମାନଙ୍କୁ ପ୍ରାଥମିକ ଚିକିତ୍ସା ସହ ଓଆରଏସ ପାଣି ଓ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି । ଆସନ୍ତା ୨ତାରିଖ ପରଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବା ସହ ଏକ ଟ୍ରଫ୍ ଲାଇନ ପ୍ରଭାବରେ କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟର ପ୍ରଥମ କିନ୍ନର ଆଇନଜୀବୀ ଭାବେ ପଞ୍ଜିକୃତ ହୋଇଛନ୍ତି କେନ୍ଦୁଝରର ସଲମା

ରାଜ୍ୟର ପ୍ରଥମ କିନ୍ନର ଆଇନଜୀବୀ ଭାବେ ପଞ୍ଜିକୃତ ହୋଇଛନ୍ତି କେନ୍ଦୁଝରର ସଲମା

ଭୁବନେଶ୍ୱର: ଆଗକୁ ବଢୁଛନ୍ତି କିନ୍ନର । ରାଜ୍ୟରେ କିନ୍ନରଙ୍କୁ ଦିଆଯାଉଛି ସରକାରୀ ପ୍ରୋତ୍ସାହନ । ବିଭିନ୍ନ କ୍ଷେତ୍ରରେ କିନ୍ନର ନିଜର ପାରଦର୍ଶିତା ଦେଖାଇ ସାରିଥିବା ବେଳେ ଏବେ ଆଇନଜୀବୀ ପେସାରେ ପାଦ ଥାପିଛନ୍ତି । ରାଜ୍ୟର ପ୍ରଥମ କିନ୍ନର ଭାବେ ପଞ୍ଜିକୃତ ହୋଇଛନ୍ତି ବଡବିଲର ସଲମା ବେଗମ୍ । ସଲମାଙ୍କ ସଫଳତାକୁ ନେଇ କିନ୍ନର ସମ୍ପ୍ରଦାୟ ବେଶ୍ ଉତ୍ସାହିତ ।

ରାଜ୍ୟର ପ୍ରଥମ କିନ୍ନର ଆଇନଜୀବୀ । ଓଡ଼ିଶା ରାଜ୍ୟ ବାର କାଉନ୍‌ସିଲରେ ପଞ୍ଜିକୃତ ହୋଇଛନ୍ତି କେନ୍ଦୁଝର ଜିଲ୍ଲା ବଡବିଲ ଅଞ୍ଚଳର ମହମ୍ମଦ୍ ସଲିମ୍ ଓରଫ୍ ସଲମା ବେଗମ୍ । ସଲମା ବଡବିଲ ମହାବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଡିଗ୍ରୀ ପରେ ଆଇନ ଡିଗ୍ରୀ ହାସଲ କରିଛନ୍ତି । ନିକଟରେ ରାଜ୍ୟ ବାର କାଉନ୍‌ସିଲରେ ନିଜକୁ ପଞ୍ଜିକୃତ କରିଛନ୍ତି । ଆଗକୁ ସେ ଆଇନରେ ସ୍ନାତକୋତ୍ତର ଡିଗ୍ରୀ କରିବା ସହ ଜୁଡିସିଆଲ ଲାଇନରେ ଚେଷ୍ଟା କରି ଜଣେ ବିଚାରପତି ହେବାର ସ୍ୱପ୍ନ ଦେଖିଛନ୍ତି । ସଲମା ରାଜ୍ୟ କିନ୍ନର ମହାସଂଘ ସଭାନେତ୍ରୀ ମୀରା ପରିଡାଙ୍କ ଚେଲା ଓ ସେ ଏଥିପାଇଁ ସବୁ ଶ୍ରେୟ ତାଙ୍କ ଗୁରୁ ମୀରା ପରିଡ଼ାଙ୍କୁ ଦେଇଛନ୍ତି ।

ପୂର୍ବରୁ କିନ୍ନରଙ୍କ ମଧ୍ୟରୁ ଟାଟା ଭଳି କମ୍ପାନୀରେ ମ୍ୟାନେଜର ଓ ବିକ୍ରୀକର ବିଭାଗର ଅଧିକାରୀ ଭାବେ କାର୍ଯ୍ୟ କରିସାରିଛନ୍ତି । ଏବେ ଆଇନଜୀବୀ ଭାବେ ସଲମା ନିଜ ବୃତ୍ତି ଆରମ୍ଭ କରିବାକୁ ଯାଉଥିବାରୁ କିନ୍ନର ସମ୍ପ୍ରଦାୟଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି । ସଲମା ଅନ୍ୟମାନଙ୍କ ପାଇଁ ଯେ କେବଳ ପ୍ରେରଣା ଯୋଗାଇବେ ତାହା ନୁହଁ ବରଂ ସେ କିନ୍ନର ଗୋଷ୍ଠୀଙ୍କ ବିଭିନ୍ନ ସମସ୍ୟାର ସମାଧାନ କ୍ଷେତ୍ରରେ ମଧ୍ୟ ଆଇନଗତ ସହାୟତା ପ୍ରଦାନ କରିପାରିବେ ବୋଲି କହିଛନ୍ତି କିନ୍ନର ନେତ୍ରୀ ।  ସଲମା ଜଣେ କିନ୍ନର ହୋଇଥିଲେ ସୁଦ୍ଧା ନିଜ ପରିବାର ସହିତ ରହି ପାଠପଢାକୁ ପ୍ରାଥମିକତା ଦେଇଛନ୍ତି ।

 

ଓସିପିଏଲ୍ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ କୋଟି ଟଙ୍କା ପ୍ରଦାନ

ଭୁବନେଶ୍ୱର: ଓଡିଶା ସରକାରଙ୍କର ଏକମାତ୍ର ସରକାରୀ କୋଇଲା ଉଦ୍ୟୋଗ ଓଡିଶା କୋଲ୍‌ ଆଣ୍ଡ ପାୱାର ଲିମିଟେଡ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଆଜି ଏହି ଉପଲକ୍ଷେ ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶକ୍ତି ସଚିବ  ନିକୁଞ୍ଜ ଧଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ କୋଟି ଟଙ୍କାର ଏକ ଚେକ୍‌ ମୁଖ୍ୟ ଶାସନ ସଚିବ ସୁରେଶ ମହାପତ୍ରଙ୍କୁ ପ୍ରଦାନ କରିଥିଲେ  । ‌ଓସିପିଏଲ୍‌ର ଲାଭାଂଶରୁ ଏହି ଅର୍ଥ ପ୍ରଦାନ କରାଯାଇଛି  ।

ଏହି କାର୍ଯ୍ୟକ୍ରମରେ ଶକ୍ତିମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ଓପିସିଏଲ୍‌ର ସିଇଓ ସାରିପୁତ୍ତ ମିଶ୍ର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଫିସର୍ ମାନେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ଓସିପିଏଲ ବହୁତ କମ୍ ସମୟ ମଧ୍ୟରେ ରାଜ୍ୟର ଏକ ପ୍ରମୁଖ ଲାଭଦାୟକ ସରକାରୀ ଉଦ୍ୟୋଗ ଭାବେ ପରିଗଣିତ ହୋଇଛି । ଦେଶରେ କୋଇଲା ସଙ୍କଟ ସମୟରେ ଓସିପିଏଲ୍ ଏ ବର୍ଷ ସରକାର ଧାର୍ଯ୍ୟ କରିଥିବା ଲକ୍ଷ୍ୟଠାରୁ ଅଧିକ କୋଇଲା ଉତ୍ପାଦନ କରିଛି । ଏହି କୋଇଲା ରାଜ୍ୟ ଏବଂ ରାଜ୍ୟ ବାହାରର ଅନେକ ଶିଳ୍ପାନୁଷ୍ଠାନରେ ବ୍ୟବହୃତ ହୋଇପାରିଛି | ଓସିପିଏଲ୍, ସୁନ୍ଦରଗଡ ଜିଲ୍ଲାର ମହିଳା ଏବଂ ଯୁବଗୋଷ୍ଠିମାନଙ୍କର ସଶକ୍ତିକରଣ ପାଇଁ ବିଭିନ୍ନ ପନ୍ଥା ମାଧ୍ୟମରେ ନିରନ୍ତର ଉଦ୍ୟମ ଜାରି ରଖିଛି ।

ଏଥିସହିତ ପଢ଼ନ୍ତୁ: ୪ମାସ ପାଇଁ ପାରିତ ହେଲା କାମଚଳା ବଜେଟ: ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ

ଭୁଲରେ ବି ହ୍ବାଟ୍ସଆପରେ କରନ୍ତୁନି ଏମିତି କାମ, ବ୍ଲକ ହୋଇଯିବ ଆକାଉଣ୍ଟ

ନୂଆଦିଲ୍ଲୀ: ଆଜିକାଲି ଏମିତି କେହି ନଥିବେ ଯିଏ ହ୍ବାଟ୍ସଆପ୍ ବ୍ୟବହାର କରୁ ନଥିବେ । ପରିବାର, ସାଙ୍ଗସାଥୀଙ୍କ ସହ ଚାଟ୍ କରିବାକୁ ଏହା ହେଉଛି ସବୁଠାରୁ ପପୁଲାର ମେସେଜିଂ ଆପ୍ । ହେଲେ ଜାଣିଛନ୍ତି କି ଆପଣ କ’ଣ ଚାଟ୍ କରୁଛନ୍ତି ତାହା ଉପରେ କମ୍ପାନୀ ସତର୍କ ଦୃଷ୍ଟି ରଖିଥାଏ । ଯଦି ହ୍ବାଟ୍ସଆପରେ ଭୁଲରେ ଏମିତି କିଛି ମେସେଜ୍ କରୁଛନ୍ତି କି ନିୟମ ବାହାରେ କିଛି କାର୍ଯ୍ୟ କରୁଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । କାରଣ ବ୍ଲକ ହୋଇଯାଇପାରେ ଆପଣଙ୍କୁ ହ୍ବାଟ୍ସଆପ୍ ଆକାଉଣ୍ଟ ।

ଆପ ସୁପରିଚାଳନା ପାଇଁ କମ୍ପାନୀ ବହୁତ ନିୟମ ବନାଇଛି । ଯଦି ଆପଣ ଏହି ନିୟମକୁ ମାନୁ ନାହାନ୍ତି ତେବେ ସବୁଦିନ ପାଇଁ ଆପଣଙ୍କ ଆକାଉଣ୍ଟ ବ୍ଲକ ହୋଇଯିବ । ଏଥିରେ ରହିଛି ମିଛ ଖବର ପ୍ରଚାର କରିବା ।

ଫେକ୍ ନ୍ୟୁଜ୍ ପ୍ରଚାରକୁ ପ୍ରତିହତ କରିବାକୁ ହ୍ବାଟ୍ସଆପ୍ ୟୁଜର୍ସଙ୍କ ପାଖରେ ଇସ୍ୟୁ ରିପୋର୍ଟ କରିବାର ସୁବିଧା ରହିଛି । ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଆକାଉଣ୍ଟ ସୁରକ୍ଷିତ ରହୁ ଓ ବ୍ଲକ ନହେଉ ତେବେ ଆପଣକୁ କିଛି ନିୟମ ମାନିବାକୁ ପଡିବ । ଯାହା ଆମେ କହିବାକୁ ଯାଉଛୁ ।

ବ୍ଲ୍ୟୁମାର୍ଗର ଏକ ରିପୋର୍ଟ ଅନୁସାରେ ବାରମ୍ବାର ସ୍ପାମ୍ ମେସେଜ ପଠାଇବାରେ ହ୍ବାଟ୍ସଆପ୍ ବ୍ୟବହାର କରନ୍ତୁ ନାହିଁ । ବ୍ରୋଡକାଷ୍ଟିଂ ଲିଷ୍ଟ କିମ୍ବା ଗ୍ରୁପ୍ କରି ବାରମ୍ବାର ମେସେଜ୍ କରିବା ସ୍ପାମ୍ କାଟାଗୋରୀରେ ଆସିଥାଏ ।

ଯଦି କୌଣସି ୟୁଜର୍ସ ଗୋଟିଏ ଦିନରେ ବାରମ୍ବାର ବ୍ୟାନ୍ ହୁଅନ୍ତି, ତେବେ କମ୍ପାନୀ ତାଙ୍କ ଆକାଉଣ୍ଟକୁ ଡିଆକ୍ଟିଭ୍ କରିଦେବ । ଭିନ୍ନ ଭିନ୍ନ ଗ୍ରୁପରେ ମିଛ ଖବର ପ୍ରଚାର କଲେ କମ୍ପାନୀ ୟୁଜର୍ସଙ୍କୁ ବ୍ୟାନ୍ କରିପାରିବ । ସେତିକି ନୁହେଁ, ଅନ୍ୟ ୟୁଜର୍ସଙ୍କ ପାଖକୁ APK ଫାଇଲ ଫର୍ମାଟ ଓ ମାଲଓ୍ବାର ପରି ବିପଦପୂର୍ଣ୍ଣ ଫିସିଂ ଲିଙ୍କ ପଠାନ୍ତୁ ନାହିଁ ।

ଯଦି କମ୍ପାନୀ ଭାବିବ ଆପଣ ଅନ୍ୟ କାହା ନାଁରେ ହ୍ବାଟ୍ସଆପ୍ ଆକାଉଣ୍ଟ ଖୋଲିଛନ୍ତି ତେବେ ନିଜ ତରଫରୁ ଏହାକୁ ବ୍ଲକ କରିଦେବ । ଥାର୍ଡ ପାର୍ଟି ହ୍ବାଟ୍ସଆପ ଆପ୍ ଯେମିତି ହ୍ବାଟ୍ସଆପ ଡେଲଟା, ଜିବି ଡ୍ବାଟ୍ସଆପ୍, ହ୍ବାଟ୍ଓଆପ୍ ପ୍ଲସ୍ ବ୍ୟବହାର କଲେ ଆପଣଙ୍କ ଉପରେ ବ୍ୟାନ୍ ଲାଗିପାରେ ।

ଯଦି କାହାକୁ ହ୍ବାଟ୍ସଆପରେ ଧମକ ଦେବେ, ଘୃଣା କରିବା ପରି ମେସେଜ କରିବେ କିମ୍ବା ଡରାଇବେ ଓ ସେ ରିପୋର୍ଟ କରିଦେଲେ ତେବେ ଆପଣଙ୍କ ଆକାଉଣ୍ଟକୁ କମ୍ପାନୀ ବ୍ଲକ କରିପାରିବ ।

ଇମ୍ରାନଙ୍କୁ ୭୨ ଘଣ୍ଟାର ଆଶ୍ୱସ୍ତି, ପାକିସ୍ତାନ ସଂସଦରେ ପ୍ରବଳ ହଙ୍ଗାମା

ଇସଲାମାବାଦ: ପ୍ରତି ମୁହୂର୍ତ୍ତରେ ବଦଳୁଛି ପାକିସ୍ତାନର ରାଜନୈତିକ ପାଣିପାଗ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ଉପରେ ସଂସଦରେ ଆଲୋଚନା ହେବାର ଥିଲା । ହେଲେ ଆଲୋଚନା ପୂର୍ବରୁ ସଂସଦକୁ ଏପ୍ରିଲ୍ ୩ ତାରିଖ ଯାଏ ସ୍ଥଗିତ ରଖିଛନ୍ତି ଉପାଧ୍ୟକ୍ଷ । ଅନାସ୍ଥା ଉପରେ ଏପ୍ରିଲ୍ ୩ରେ ଭୋଟିଂ ହେବ । ଫଳରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ୭୨ ଘଣ୍ଟାର ସମୟ ମିଳିଛି । ସଂସଦ ମୁଲତବି ହେବା ପରେ ବିପକ୍ଷ ସାଂସଦ ବିରୋଧ ପ୍ରଦର୍ଶନ କରିବା ଇମ୍ରାନ୍ ଖାନଙ୍କ ବିରୋଧରେ ନାରାବାଜି କରିଥିଲେ ।

No Trust Motion Pakistan National Assembly Session Adjourned Till Sunday

ପିଏମ୍ଏଲ୍(ଏନ୍) ନେତା ଶାହବାଜ ସରିଫ ଇମ୍ରାନଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ପ୍ରଧାନମନ୍ତ୍ରୀ ପଦରେ ରହିବା ଲାଗି ଇମ୍ରାନ୍ ଖାନଙ୍କ ପାଖରେ କୌଣସି ଅଧିକାର ନଥିବା କହିଛନ୍ତି ଶାହବାଜ । ସେ ଆହୁରି କହିଛନ୍ତି, ଆମ ପାଖରେ ବହୁମତ ରହିଛି । ଆମକୁ ସୁଯୋଗ ମିଳିବା ଦରକାର । ଇମ୍ରାନ୍ ଅତି ନୀଚସ୍ତରକୁ ଯାଇ ରାଜନୀତି କରୁଛନ୍ତି । ସେ ଭାରତର ନାଁ ନେଇ ମିଥ୍ୟା ପ୍ରଚାର କରୁଛନ୍ତି । ଏପରିକି ବାଚସ୍ପତି ସମ୍ବିଧାନ ଉଲ୍ଲଂଘନ କରିଥିବା ଅଭିଯୋଗ କରିଛନ୍ତି ବିରୋଧୀ ।

ଏହା ପୂର୍ବରୁ ଇମ୍ରାନ ବିରୋଧୀଙ୍କୁ ଅଫର୍ ଦେଇ କହିଥିଲେ, ଅନାସ୍ଥା ପ୍ରସ୍ତାବ ଫେରାଇ ନେଇ ସଂସଦ ଭଙ୍ଗ କରି ଦିଆଯାଉ । କିନ୍ତୁ ଇମ୍ରାନଙ୍କ ଅଫରକୁ ବିରୋଧୀ ଅଗ୍ରାହ୍ୟ କରି ଦେଇଥିଲେ । ରିପୋର୍ଟ ଅନୁସାରେ, ଇମ୍ରାନ୍ ଖାନ ଏକ ରାଷ୍ଟ୍ରୀୟ ସୁରକ୍ଷା ସମିତି ବୈଠକରେ ଅଧ୍ୟକ୍ଷତା କରିଥିଲେ । କାରଣ ସଂସଦରେ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିବା ପରେ ଇସ୍ତଫା ନେଇ ରାଜନୈତିକ ଚାପ ବଢ଼ିବା ସହ ବିରୋଧ ବଢ଼ିବାରେ ଲାଗିଛି ।

ଦଳୀୟ ସାଂସଦଙ୍କ ବିରୋଧରେ ରାଷ୍ଟ୍ରୀୟ ସଭାପତିଙ୍କ ନିକଟରେ ଫେରାଦ ହେଲେ ବିଜେପି ନେତା

ଭୁବନେଶ୍ୱର: ରାଜ୍ୟ ବିଜେପିରେ ତୀବ୍ର ହୋଇଛି କନ୍ଦଳ । ଦଳର ରାଜ୍ୟ ସଭାପତିଙ୍କ ସହ ବିଜେପିର ବହୁ ନେତା ଆଜି ଦଳର ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡାଙ୍କୁ ସଂସଦରେ ଭେଟିଛନ୍ତି । ଦଳର ଜଣେ ସାଂସଦଙ୍କ କାର୍ଯ୍ୟକଳାପରେ କ୍ଷୁବ୍ଧ ହୋଇ ରାଜ୍ୟ ବିଜେପି ନେତାମାନେ ନଡ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଚର୍ଚ୍ଚା ହେଉଛି । ଦଳର ଜଣେ ସାଂସଦ ରାଜ୍ୟ ନେତାଙ୍କୁ କୌଣସି ପ୍ରକାର ସହଯୋଗ କରୁନଥିବା ବେଳେ ନିଜର ସ୍ୱତନ୍ତ୍ର ସଂଗଠନ ଗଢ଼ିଥିବା ରାଷ୍ଟ୍ରୀୟ ସଭାପତିଙ୍କ ନିକଟରେ ରାଜ୍ୟ ବିଜେପି ନେତାମାନେ ଅଭିଯୋଗ କରିଥିବା ଶୁଣିବାକୁ ମିଳୁଛି ।

ଏପରିକି ନିକଟରେ ଶେଷ ହୋଇଥିବା ପୌର ଓ ପଞ୍ଚାୟତ ନିର୍ବାଚନରେ ମଧ୍ୟ ସେ ଏକପାଖିଆ ନିଷ୍ପତ୍ତି ନେଇଥିବାର ଅଭିଯୋଗ ହୋଇଛି । ସାଂସଦ ଭାବେ ସେ ରାଜ୍ୟ ନେତାଙ୍କ ପରାମର୍ଶ କିମ୍ବା କୌଣସି ପ୍ରସଂଗରେ ରାଜ୍ୟ ସଭାପତିଙ୍କ ସହ ବିଚାର ବିମର୍ଷ ମଧ୍ୟ କରୁନାହାଁନ୍ତି । ନଡ୍ଡାଙ୍କ ନିକଟରେ ରାଜ୍ୟ ନେତାମାନେ ଏଭଳି ଅଭିଯୋଗ କରିଥିବା ଜଣାପଡ଼ିଛି ।

ସାଂସଦ ଦଳୀୟ ଶୃଙ୍ଖଳା ଓ ନୀତି ଆଦର୍ଶକୁ ଉଲଂଘନ କରୁଥିବା ସମ୍ପର୍କିତ କିଛି ଭିଡିଓ ମଧ୍ୟ ନଡ୍ଡାଙ୍କୁ ଦିଆଯାଇଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହ ଗୋଲକ ମହାପାତ୍ର, ପୃଥ୍ୱୀରାଜ ହରିଚନ୍ଦନ, ଲେଖାଶ୍ରୀ ସମାନ୍ତସିଂହାର ଓ ଅନ୍ୟ ବରିଷ୍ଠ ନେତାମାନେ ନଡ୍ଡାଙ୍କୁ ଭେଟି ସାଂସଦଙ୍କ କାର୍ଯ୍ୟକଳାପ ବିରୋଧରେ ଆପତ୍ତି ଜଣାଇଥିବା ଚର୍ଚ୍ଚା ହେଉଛି ।

ଏଥିସହିତ ପଢ଼ନ୍ତୁ: ୪ମାସ ପାଇଁ ପାରିତ ହେଲା କାମଚଳା ବଜେଟ: ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ

ମାଆ ହେବାକୁ ନାରାଜ କରିନା, ସୈଫଙ୍କୁ ଦେଲେ ଚେତାବନୀ

ମୁମ୍ବାଇ: ବି-ଟାଉନର ହଟ୍ ଯୋଡି ବେବୋ-ସୈଫଙ୍କୁ ନେଇ ପ୍ରାୟ ସବୁଦିନ କିଛି ନା କିଛି ଚର୍ଚ୍ଚା ଥାଏ । କେବଳ ସେମାନେ ନୁହଁନ୍ତି, ସେମାନଙ୍କ ପିଲା ବି ସୋସିଆଲ ମିଡିଆରେ ବହୁତ ଫେମସ୍ । ବିଶେଷ କରି ତୈମୁରଙ୍କ କୌଣସି ଭିଡିଓ କି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେବା ମାତ୍ରେ ଭାଇରାଲ ହୋଇଯାଇଥାଏ । କରିନା ଏମିତି ଜଣେ ଅଭିନେତ୍ରୀ ଯିଏ ନିଜ ପର୍ସନାଲ ଲାଇଫ୍ ବିଷୟରେ ଖୋଲାଖୋଲି କଥା ହୋଇଥାନ୍ତି । ମିଡିଆ ସହ କଥା ହେବା ବେଳେ ବେବୋ ସୈଫଲୀ ଖାନଙ୍କୁ ଆଉ ବାପା ନହେବାକୁ ଚେତାବନୀ ଦେଇଥିବା କହିଛନ୍ତି ।

ସୂଚାଯୋଗ୍ୟ, ସୈଫଙ୍କର ୪ଟି ପିଲା ଅଛନ୍ତି । ପ୍ରଥମ ଦୁଇ ପିଲା ସାରା ଏବଂ ଇବ୍ରାହିମ୍ ପୂର୍ବ ପତ୍ନୀ ଅମୃତା ସିଂଙ୍କଠାରୁ ଜନ୍ମ ହୋଇଛନ୍ତି । କରିନା, ତୈମୁର ଏବଂ ଜାହାଙ୍ଗିରଙ୍କୁ ଜନ୍ମ ଦେଇଛନ୍ତି ।

କରିନା କହିଛନ୍ତି, ପ୍ରତି ଦଶକରେ ପିଲା ଜନ୍ମ କରିଛନ୍ତି ସୈଫ୍ । ହେଲେ ୬୦ ଦଶକରେ ପିଲା ଜନ୍ମ ନକରିବାକୁ ଚେତାବନୀ ଦେଇଛି । ସେ କହିଛନ୍ତି, ୨୦ ଦଶକରେ ସାରା, ୩୦ ଦଶକରେ ଇବ୍ରାହିମ, ୪୦ ଦଶକରେ ତୈମୁର ଏବଂ ୫୦ ଦଶକରେ ଜାହାଙ୍ଗିର ଜନ୍ମ ହୋଇଛନ୍ତି । ତେବେ ୬୦ ଦଶକରେ ପିଲା ଜନ୍ମ ନ କରିବାକୁ ମୁଁ ତାଙ୍କୁ କହି ଦେଇଛି ।

ସେ ଆଗକୁ କହିଛନ୍ତି, ସୈଫ ସବୁ ପିଲାଙ୍କୁ ସମୟ ଦେଇଥାନ୍ତି । ଜେହ (ଜାହାଙ୍ଗିର) ଜନ୍ମ ହେବା ପରେ ତାକୁ ନେଇ ପରିବାରରେ ବାଲାନ୍ସ ଆଣିବାକୁ ଆମେ ଚେଷ୍ଟା ଚଲାଇଛୁ । ଏମିତି ସମୟରେ ଆଉ ପିଲା ଜନ୍ମ କରିବା ସପକ୍ଷରେ ମୁଁ ନାହିଁ ।

ତୈମୁରଙ୍କୁ ନେଇ କରିନା କହିଛନ୍ତି, ସୈଫ ଓ ତୈମୁର ବାପପୁଅ ଭଳି ନୁହେଁ ସାଙ୍ଗ ଭଳି ରହିଥାନ୍ତି । ଯଦି ଘରକୁ କେହି ଆସିଥାନ୍ତି, ତୈମୁର ତାଙ୍କ ସହ ମିଶିବାକୁ ଚେଷ୍ଟା କରିଥାଏ । ସେ ଜୁନିଅର ସୈଫ୍ । ରକ୍ ଷ୍ଟାର ହେବାକୁ ଇଚ୍ଛା ରଖିଛି ।

କରିନା କପୁର ଖାନ ଶୀଘ୍ର ବଡ଼ ପରଦାରେ ନଜର ଆସିବାକୁ ଯାଉଛନ୍ତି । ଅମୀର ଖାନଙ୍କ ସହ କରିନାଙ୍କ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ଆସୁଛି । ଏହାସହ ‘ଦି ଡିଭୋସନ ଅଫ୍ ସସପେକ୍ଟ ଏକ୍ସ’ ଉପରେ ଆଧାରିତ ଏକ ସିରିଜରେ ସଞ୍ଜୟ ଘୋଷଙ୍କ ସହ କାମ କରିବେ । ସୈଫଙ୍କ କଥା କହିବା ତ ‘ଆଦି ପୁରୁଷ’ ଓ ‘ବିକ୍ରମ ବେଧା’ ଫିଲ୍ମରେ ଲିଡ ରୋଲରେ ଆସୁଛନ୍ତି ସୈଫ୍ ।

ଆସାମ, ନାଗାଲାଣ୍ଡ ଓ ମଣିପୁରରେ କମିଲା ‘ଆଫସା’ କଟକଣା

ନୂଆଦିଲ୍ଲୀ: ପୂର୍ବାଞ୍ଚଳ ରାଜ୍ୟ ଆସାମ, ନାଗାଲାଣ୍ଡ ଓ ମଣିପୁର ଲୋକଙ୍କ ପାଇଁ ଆସ୍ବସ୍ତିକର ଖବର । ଆସନ୍ତାକାଲି ଏପ୍ରିଲ ୧ ତାରିଖରୁ ଏସବୁ ରାଜ୍ୟରେ କମିବାକୁ ଯାଉଛି ଆର୍ମଡ ଫୋର୍ସ ସ୍ପେଶାଲ ପାଓ୍ବାର ଆକ୍ଟ ବା ଆଫସା । ଗୃହମନ୍ତ୍ରୀ ଅମିତ ଶାହ ଟ୍ବିଟ୍ କରି ଏହି  ସୂଚନା ଦେଇଛନ୍ତି । ସେ ତାଙ୍କ ଟ୍ବିଟରେ ଉଲ୍ଲେଖ କରିଛନ୍ତି, ‘ଦଶନ୍ଧୀ ଧରି ମଣିପୁର, ଆସାମ ଓ ନାଗାଲାଣ୍ଡରେ ଲାଗୁ ହୋଇଥିବା ଆଫସା ଅଧୀନ ଅଶାନ୍ତ କ୍ଷେତ୍ର କମ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।’

ସେ ଆଗକୁ ଲେଖିଛନ୍ତି, ‘ଦଶନ୍ଧୀ ଧରି ଉପେକ୍ଷିତ ପୂର୍ବୋତ୍ତର ରାଜ୍ୟ ଏବେ ଶାନ୍ତି, ସମୃଦ୍ଧି ଓ ବିକାଶର ନୂଆ ଯୁଗରେ ଆଗକୁ ବଢୁଛନ୍ତି । ଏଥିପାଇଁ ପୂର୍ବୋତ୍ତର ରାଜ୍ୟଙ୍କୁ ଧନ୍ୟବାଦ ଜଣାଉଛି ।’

ସୂଚନାଯୋଗ୍ୟ, କେନ୍ଦ୍ର ରିପୋର୍ଟ ଅନୁସାରେ ୨୦୧୪ ତୁଳନାରେ ୨୦୨୧ରେ ଏହି ସବୁ ରାଜ୍ୟରେ ଉଗ୍ରବାଦ ଘଟଣା ୭୪ ପ୍ରତିଶତ ହ୍ରାସ ପାଇଛି । ଏହାସହ ସୁରକ୍ଷାକର୍ମୀ ଓ ସାଧାରଣ ଲୋକଙ୍କୁ ମୃତ୍ୟୁ ୬୦ ଓ ୮୪ ପ୍ରତିଶତ କମିଛି । ଗତ କିଛି ବର୍ଷ ମଧ୍ୟରେ ୭ ହଜାର ଉଗ୍ରବାଦୀ ଆତ୍ମସମର୍ପଣ କରିଛନ୍ତି ।

କେଉଁ ରାଜ୍ୟର କେତେ ଅଞ୍ଚଳରୁ ହଟିଲା ଆଫସା ?

୧୯୯୦ ମସିହାରେ ଆସାମାରେ ଲାଗୁ ହୋଇଥିଲା ଆଫସା । ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ବଳବତ୍ତର ଥିଲା । ଏବେ ସ୍ଥିତିରେ ସୁଧାର ଆସିଥିବାରୁ ଜିଲ୍ଲାରେ ଆଫସା ଅଧୀନକୁ ଆସୁଥିବା ଅଞ୍ଚଳକୁ କମାଇ ଦିଆଯାଇଛି । ଆସନ୍ତାକାଲିଠାରୁ ରାଜ୍ୟର ୨୩ ଜିଲ୍ଲାରୁ ସମ୍ପୂର୍ଣ୍ଣ ଭାବେ ଆଫସା ହଟାଇ ଦିଆଯିବ । ଏହାସହ ଗୋଟିଏ ଜିଲ୍ଲାରେ ଆଂଶିକ ଭାବେ ହଟୁଛି ।

ମଣିପୁରର ଇମ୍ଫାଲ ନଗରପାଳିକାକୁ ଛାଡି ପୂରା ରାଜ୍ୟରେ ୨୦୦୪ରେ ଆଫସା ଲାଗୁ କରାଯାଇଥିଲା । ଏବେ କେନ୍ଦ୍ର ସରକାର ୬ ଜିଲ୍ଲାର ୧୫ଟି ପୋଲିସ ଷ୍ଟେସନ ଅଞ୍ଚଳରୁ ଏହାକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତ । ଯାହା ଆସନ୍ତାକାଲିଠାରୁ ଲାଗୁ ହେବ ।

ନାଗାଲାଣ୍ଡ କଥା ଯଦି କହିବା, ୧୯୯୫ରେ ପୂରା ରାଜ୍ୟରେ ଆଫସା ଲାଗୁ ହୋଇଥିଲା । ପର୍ଯ୍ୟାୟ କ୍ରମେ ରାଜ୍ୟରୁ ଆଫସା ହଟାଇବାକୁ ନେଇ କମିଟି ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ମାନି ନେଇଛନ୍ତି । ଏହି କ୍ରମରେ ଏପ୍ରିଲ ୧ ତାରିଖ ଅର୍ଥାତ ଆସନ୍ତାକାଲିଠାରୁ ରାଜ୍ୟର ୭ ଜିଲ୍ଲାର ୧୫ ପୋଲିସ ଷ୍ଟେସନ ଅଞ୍ଚଳରୁ ଆଫସା ହଟିବାକୁ ଯାଉଛି ।

ସୂଚନାଯୋଗ୍ୟ, ୨୦୧୫ରେ ତ୍ରିପୁରା ଓ ୨୦୧୮ରେ ମେଘାଳୟରୁ ସମ୍ପୂର୍ଣ୍ଣ ରୂପେ ଆଫସା ହଟାଇ ଦିଆଯାଇଥିଲା । ୨୦୧୫ରେ ଅରୁଣାଚଳ ପ୍ରଦେଶରେ ଲାଗୁ ହୋଇଥିଲା ଆଫସା । ସେତେବେଳେ ରାଜ୍ୟର ୩ ଜିଲ୍ଲା, ଆସାମ ସହ ଲାଗୁ ଥିବା ୨୦ କିମି ସୀମା ଓ ଅନ୍ୟ ୯ ଜିଲ୍ଲାର ୧୬ଟି ପୋଲିସ ଷ୍ଟେସନରେ ଲାଗୁ ହୋଇଥିଲା । ଯାହା ଧିରେ ଧିରେ ହଟାଯାଇଥିଲା । ଏବେ ଅରୁଣାଚଳ ପ୍ରଦେଶର ୩ଟି ଜିଲ୍ଲା ଓ ଅନ୍ୟ ଏକ ଜିଲ୍ଲାର ୨ଟି ପୋଲିସ ଷ୍ଟେସନ ଅଞ୍ଚଳରେ ଆଫସା ରହିଛି ।