spot_img
Home Blog Page 4585

ଭୁବନେଶ୍ୱରରୁ ନିଖୋଜ-ସମ୍ବଲପୁରରୁ ଲୁଟ

ଭୁବନେଶ୍ୱର: ରାଜଧାନୀରୁ ଇଞ୍ଜିନିୟରିଂ ଛାତ୍ର ନିଖୋଜ ନାଟକର ନୂଆ ଖୁଲାସା । ପଦାକୁ ଆସିଲା ଜମତାରା ଲିଙ୍କ । ସମ୍ବଲପୁର ଅଇଁଠାପାଲ୍ଲୀରୁ ୩ ଜଣଙ୍କୁ ଗିରଫ ସୂଚନା ଦେଇଛି ପୋଲିସ୍ । ଆଜି ସମ୍ବଲପୁର ଅଇଁଠାପାଲି ପୋଲିସ ଦ୍ୱାରା ୩ ଜଣ ସାଇବର ଅପରାଧୀ ଗିରଫ ହୋଇଛନ୍ତି । ସମ୍ବଲପୁର ଅନୁଗୁଳିଆ ପଡାର ସରୋଜ ଦାଶ ତିନି ଲକ୍ଷ ନବେ ହଜାର ଅନଲାଇନ ପର୍ତ୍ସନାଲ ଲୋନ କରିଥିଲେ । ଟଙ୍କା ଆସିଲା ହେଲେ ଆକାଉଣ୍ଟରେ ତାହା ପଡିନଥିଲା ।

ଗୋଟିଏ ଆପ ଡାଉନଲୋଡ଼ କଲେ ଟଙ୍କା ଆକାଉଣ୍ଟରେ ଆପେ ଆପେ ଆସିଯିବ ବୋଲି ପରବର୍ତ୍ତୀ ସମୟରେ ତାଙ୍କ ନିକଟରେ ଏକ ଫୋନ ଆସିଥିଲା । ଆକାଉଣ୍ଟକୁ ଟଙ୍କା ତ ଆସିଲା ହେଲେ କିଛି ସମୟ ପରେ ଆସିଥିବା ତିନି ଲକ୍ଷ ୯୦ ହଜାର ଲୋନ ଟଙ୍କାରୁ ଦୁଇ ଲକ୍ଷ ଗାଏବ ହୋଇଗଲା । ଥାନାରେ ଅଭିଯୋଗ ପରେ ଅଇଁଠାପାଲି ପୋଲିସ ତନାଘନା ଆରମ୍ଭ କରି ତିନି ଜଣ ସାଇବର ଠକକୁ ଭୁବନେଶ୍ୱର ଉପକଣ୍ଠରୁ ଗିରଫ କରିଛି । ଏମାନଙ୍କ ନିକଟରୁ ପୋଲିସ ୧ ଲକ୍ଷ ୧୩ ହଜାର ୨୦୦ଟ ଙ୍କା ଜବତ କରିବା ସହ ୯ଟି ମୋବାଇଲ, ବିଭିନ୍ନ ବେଙ୍କର ଏଟିଏମ କାର୍ଡ ଗୋଟିଏ ଲାପଟପ ଜବତ କରିଛି ।

ଏହି ଅଭିଯୁକ୍ତ ଆଉ କେହି ନୁହନ୍ତି ଭୁବନେଶ୍ବର ଏକ ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜର ଛାତ୍ର । ସେମାନେ ହେଲେ ଝାରଖଣ୍ଡ ଅଞ୍ଚଳର ରହମତ ଅନସାରି ଓ ବିଶାଳ ପାଣ୍ଡେ ଏବଂ ବିହାରର ଶେଖର ଗୌତମ । ତେବେ ଅନ୍ୟ ଦୁଇ ଛାତ୍ରଙ୍କ ଏଥିରେ ସଂପୃକ୍ତି ଅଛି ନା ନାହିଁ ପୋଲିସ ତଦନ୍ତ କରୁଛି । ଗତ ୧୧ ତାରିଖରେ ୪ ଜଣ ଛାତ୍ର ନିଖୋଜ ହୋଇଥିବା ନେଇ ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ୍ ।

ଉଗ୍ର ହେଉଛନ୍ତି ମାଓବାଦୀ, ଗାଁ ରେ ପସି ଯୁବକଙ୍କୁ ହତ୍ୟା

କନ୍ଧମାଳ: ଉଗ୍ର ହେଉଛନ୍ତି ମାଓବାଦୀ  । ଘରୁ ଡାକି ନେଇ ଗାଁ ଦାଣ୍ଡରେ ଯୁବକଙ୍କୁ ଗଳା କାଟି ହତ୍ୟା କଲେ ଲାଲ ବାହିନୀ । ତୁମୁଡିବନ୍ଧ ବ୍ଲକ ଭଣ୍ଡରଙ୍ଗୀ ପଞ୍ଚାୟତ ଅଂଚଳରେ ନିର୍ମମ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଲେ ସେହି ଗାଁର ଅଖିଳ ମାଝୀ । ଗତାକାଲି ବିଳମ୍ବିତ ରାତିରେ ୧୦ରୁ ଅଧିକ ମାଓବାଦୀ ଅଖିଳଙ୍କୁ ଘରୁ ଡାକି ନେଇ ହତ୍ୟା କରି ଦାଣ୍ଡରେ ପକାଇ ଚାଲିଯାଇଥିଲେ ।

ଗତକିଛି ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ବଢିଥିବା ଜଣାପଡ଼ିଛି । ବାରମ୍ବାର ଧମକପୂର୍ଣ୍ଣ ପୋଷ୍ଟର ମଧ୍ୟ ଜାରି କରୁଛି ଲାଲ ବାହିନୀ । ମାଓ ହିଂସା ପରେ ଏବେ ସ୍ଥାନୀୟ ଲୋକ ଆତଙ୍କୀତ ଅବସ୍ଥାରେ ଅଛନ୍ତି । ସେପଟେ ମାଓ ଇନଫର୍ମର ସନ୍ଦେହରେ ମାଓବାଦୀ ହତ୍ୟା କରିଥିବା ସନ୍ଦେହ କରାଯାଉଛି  । ପୋଲିସ ଘଟଣା ସ୍ଥଳରେ ପହଁଚି ଛାନଭିନ୍ ଆରମ୍ଭ କରିଦେଇଛି  ।

 

ପୁଣି ଜୟନାରାୟଣଙ୍କ ଦାଦାଗିରି, ତହସିଲଦାରଙ୍କୁ ହତ୍ୟା ଧମକ

ସମ୍ବଲପୁର: ନିର୍ବାଚନ ସମୟରେ ରକ୍ତ ମୁଖା ହେଉଛନ୍ତି ବିଜେପି ନେତା  ।  ପୁଣି ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଦାଦାଗିରି । କାର୍ଯ୍ୟରତ ତହସିଲଦାରଙ୍କ ସହ ଯୁକ୍ତିତର୍କ ସହ ହତ୍ୟା ଧମକ । ସମ୍ବଲପୁର ଦୁର୍ଗାପାଲ୍ଲୀ କୁସୁମପଡାରେ ଅବୈଧ ନିର୍ମାଣ ଉଚ୍ଛେଦ ବେଳେ ତହସିଲଦାର ଏବଂ ବିଧାୟକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ସମର୍ଥକଙ୍କ ସହ ଆସି ଉଚ୍ଛେଦ ରୋକିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ଜୟନାରାୟଣ ।

କେବଳ ଏତିକି ନୁହେଁ ବିଧାୟକ ଜୟନାରାୟଣ ମିଶ୍ର ତହସିଲଦାରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏନେଇ ଅଭିଯୋଗ ପରେ କ୍ଷେତରାଜପୁର ଥାନାରେ ମାମଲା ରୁଜୁ ହୋଇଛି । ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଥାନା ଅଧିକାରୀ । ପଞ୍ଚାୟତ ନିର୍ବାଚନ ଯେତେ ଆସନ୍ନ ହେଉଛି, ସେତେ ଅକ୍ରୋଶମୂଳକ ହେଉଛନ୍ତି ବିଜେପି ନେତା  । ପିପିଲିରେ ଗତକାଲି ବିଜେପି ନେତାଙ୍କ ଆକ୍ରମଣରେ ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀ ଆହତ ହୋଇଛନ୍ତି  ।

 

ଇଲେକ୍ସନରେ ୧୮ ହଜାର ଟଙ୍କାର ବାଜି, ଭାଇରାଲ ହେଲା ଷ୍ଟାମ୍ପ ପେପର

ଲକ୍ଷ୍ନୌ: ଯେଉଁ ଦଳର ପ୍ରାର୍ଥୀ ଜିତିବ, ସେ ଟଙ୍କା ନେବ  । ପ୍ରାର୍ଥୀ ନଜିତିଲେ ଟଙ୍କା ଦେବ  । ସର୍ତ୍ତ ଛିଡିଛି ୧୮ ହଜାରରେ  । ୧୦ ଟଙ୍କିଆ ଷ୍ଟାମ୍ପ ପେପରେ ହୋଇଛି ଚୁକ୍ତି  ।  ପ୍ରଥମ ପର୍ଯ୍ୟାୟରେ ଉତ୍ତର ପ୍ରଦେଶରର ୧୧ ଜିଲ୍ଲାର ୫୮ ଆସନରେ ମତଦାନ ହୋଇସାରିଛି  । ମତଦାନ ପରେ ଗାଜିଆବାଦର ଲୋନି ବିଧାନସଭା କ୍ଷେତ୍ରକୁ ନେଇ ଏକ ଅଜବ ଘଟଣା ଦେଖିବାକୁ ମିଳିଛି  । ଇଭିଏମରେ ସିଲ ହୋଇଛି ଭୋଟ, ବାଜିରେ ଲାଗିଛି ପଦବୀ  । ଏ ବାଜି ନେତା ନୁହଁନ୍ତି ଭୋଟର ଲଗାଇଛନ୍ତି  । ଏଠାରେ ସମାଜବାଦୀ ପାର୍ଟି ଏବଂ ଆରଏଲଡି ଗଠବନ୍ଧନରେ ବିଧାୟକ ପ୍ରାର୍ଥୀ ଦିଆଯାଇଥିବାବେଳେ ପ୍ରତିପକ୍ଷରେ ରହିଛି ବିଜେପି ପ୍ରାର୍ଥୀ  । ଆଉ ଏହାରି ଭିତରେ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ବାଜି ଲାଗିଛି  । ୧୮ ହଜାର ଟଙ୍କା ସର୍ତ୍ତ ରଖାଯାଇଛି  । ଏ ପୁଣି କେବଳ କଥାରେ ନୁହେଁ, ଷ୍ଟାମ୍ଫ ପେପରରେ ସର୍ତ୍ତ ରଖାଯାଇଛି  ।

ଦୁଇ ଦଳର କର୍ମୀଙ୍କ ମଧ୍ୟରେ ସର୍ତ୍ତ ଥିବା ଷ୍ଟାମ୍ପ ପେପର ସୋସିଆଲ ମିଡିଆରେ ଭାଇରାଲ ହୋଇଛି  । ସେପଟେ ଏହି ଘଟଣାକୁ ନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି  । ବାଜି ଲଗାଇଥିବା ଦୁଇ ବ୍ୟକ୍ତିଙ୍କୁ ଗିରଫ କରିଛି  । ଲୋନି ବର୍ଡର ଥାନା ଅଧିକାରୀ ସଚିନ କୁମାର ସୂଚାନା ଦେଇ କହିଛନ୍ତି, କେଉଁ ଦଳ ନିର୍ବାଚନରେ ଜିତିବ ସେନେଇ ଉଭୟଙ୍କ ମଧ୍ୟରେ ବାଜି ଲାଗିଥିଲା  । ଦୁଇ ବ୍ୟକ୍ତି ଷ୍ଟାମ୍ପ ପେପରରେ ୧୮ ହଜାର ଟଙ୍କା ସର୍ତ୍ତ ରଖିଥିଲେ   । ଷ୍ଟାମ୍ପ ପେପର ସୋସିଆଲ ମିଡିଆରେ ଖିୁବ ଭାଇରାଲ ହୋଇଥିଲା  । କୌଣସି ପ୍ରାର୍ଥୀଙ୍କ ବିଜୟ କିମ୍ବା ପରାଜୟକୁ ନେଇ ବାଜି ଲଗାଇବା ଅନୁଚିତ  । ତେଣୁ ସର୍ତ୍ତ ଲଗାଇଥିବା ଦୁଇ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି   ।

ସୂଚନା ମୁତାବକ ସପା-ଆରଏଲଡି ଗଠବନ୍ଧନର ସମର୍ଥକ ଲୋନି ଅଞ୍ଚଳର ଲକ୍ଷ୍ମୀ ଗାର୍ଡେନରେ କାର୍ଯ୍ୟ କରନ୍ତି  । ଏହି ବ୍ୟକ୍ତି ବିଜେପି ସମର୍ଥକ ଅମିତ ବୈସଲାଙ୍କ ସହିତ ପ୍ରାର୍ଥୀ ହାର-ଜିତ ନେଇ ବାଜି ଲଗାଇଥିଲେ  । ଦୁଇ ଜଣଙ୍କ ଭିତରେ୧୮ ହଜାରରେ ସର୍ତ୍ତ ଛିଡିଥିଲା  । ଯେଉଁ ଦଳର ପ୍ରାର୍ଥୀ ଜିତିବ ସେ ଏହି ଅର୍ଥ ରାଶି ନେବ  । ତେବେ ଏନେଇ ଏକ ୧୦ ଟଙ୍କିଆ ଷ୍ଟାମ୍ପ ପେପରରେ ମଧ୍ୟ ଭଯୟେ ଚୁକ୍ତି କରିଥିଲେ  । ଉକ୍ତ ଷ୍ଟାମ୍ପ ପେପର ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଥିଲା  । ଯାହା ଫଳରେ ପୋଲିସ ନିଜ ପଟୁ ଏହି କାର୍ଯ୍ୟାନୁଷ୍ଛାନ ଗ୍ରହଣ କରିଛି  ।

 

ଭାରତୀୟ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ୟୁକ୍ରେନ ଛାଡିବାକୁ ନିର୍ଦ୍ଦେଶ ଦେଲା ଦୂତବାସ

ନୂଆଦିଲ୍ଲୀ: ବଢିଲା ଯୁଦ୍ଧ ଭୟ । ୟୁକ୍ରେନ ଛାଡିବା ଲାଗି ଭାରତୀୟଙ୍କୁ ନିର୍ଦ୍ଦେଶ ଦେଲା ଦୂତାବାସ । ଦିନକୁ ଦିନ ସଙ୍କଟ ଘନୀଭୂତ ହେଉଥିବାବେଳେ ଅସ୍ଥାୟୀ ଭାବେ ୟୁକ୍ରେନ ଛାଡିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଜରୁରୀ କାର୍ଯ୍ୟ ନଥିଲେ ବୁଲାବୁଲି ନ କରିବା ଲାଗି ପରାମର୍ଶ ଦିଆଯାଇଛି । ଏହା ସହ ଦୂତାବାସ ସହ ନିୟମିତ ଯୋଗସୂତ୍ରରେ ରହିବା ଲାଗି ଭାରତୀୟଙ୍କୁ କୁହାଯାଇଛି । ବର୍ତ୍ତମାନ ୟୁକ୍ରେନରେ ୨୦ ହଜାର ଭାରତୀୟ ଛାତ୍ରୀଛାତ୍ରୀ ଅଧ୍ୟୟନ କରୁଛନ୍ତି । ସେପଟେ ଯୁଦ୍ଧ ଟାଳିବା ଲାଗି ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସଙ୍କ ଶେଷ ପ୍ରୟାସ । ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରଭ ଓ ୟୁକ୍ରେନ ପ୍ରତିପକ୍ଷ ଦିମିତ୍ର କୁଲେବାଙ୍କ ସହ ଆଲୋଚନା କରିଛନ୍ତି ଗୁଟେରସ । ଯୁଦ୍ଧ ସମ୍ଭାବନାକୁ ନେଇ ଗୁଟେରସ ଉଦବେଗ ପ୍ରକାଶ କରିଥିବାବେଳେ ଏହି କଥାବାର୍ତ୍ତାରୁ ସେପରି କୌଣସି ସୁଫଳ ମିଳି ନଥିବା ସୂଚନା ମିଳିଛି ।

ୟୁକ୍ରେନରେ ଜାତିସଂଘର ୧୬୬୦ କର୍ମଚାରୀ ଥିବାବେଳେ ଜାତିସଂଘ ଦ୍ୱାରା ବିଭିନ୍ନ କାର୍ଯ୍ୟରେ ନିଯୁକ୍ତ ୨୨୦ ଜଣ ବିଦେଶୀ ରହିଛନ୍ତି । ଏମାନଙ୍କୁ ୟୁକ୍ରେନ ଛାଡିବା ଲାଗି ବର୍ତ୍ତମାନ ସୁଦ୍ଧା ନିର୍ଦ୍ଦେଶ ଦିଆଯାଇନାହିଁ । ତେଣେ ୟୁକ୍ରେନ ସୀମାରେ ଆଉ ଅଧିକ ୩୦ ହଜାର ସୈନ୍ୟ ମୁତୟନ କରିଛି ଋଷ । ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ ଜାଁ ୟେଭେସ ଡ୍ରିଆନ କହିଛନ୍ତି ଯୁଦ୍ଧ ଲାଗି ସମସ୍ତ କ୍ଷେତ୍ର ପ୍ରସ୍ତୁତ ଏବଂ କୌଣସି ମୁହୂର୍ତ୍ତରେ ଯୁଦ୍ଧ ଘଟିପାରେ । ଅସ୍ତ୍ରଶସ୍ତ୍ର ଓ ସୈନ୍ୟ ମୁତୟନ ସ୍ଥିତିକୁ ଲକ୍ଷ୍ୟ କରି ସେ ଏହି ଆଶଙ୍କା କରିଛନ୍ତି । ସେପଟେ ଯୁଦ୍ଧ ହେଲେ ଋଷ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଧମକ ଦେଇଛି ୟୁରୋପୀୟ ରାଷ୍ଟ୍ରସଂଘ । ଯୁଦ୍ଧ ଆଶଙ୍କା କରି ୟୁକ୍ରେନ ରାଜଧାନୀ କିଏଭସ୍ଥିତ ମୁଖ୍ୟ ଦୂତାବାସ କାର୍ଯ୍ୟାଳୟକୁ ୫୦ ମାଇଲ ଦୂର ଲିଭିଭକୁ ସ୍ଥାନାନ୍ତରିତ କରିଛି ଆମେରିକା । ଆମେରିକା ସହଯୋଗୀ ପୋଲାଣ୍ଡ ସୀମା ନିକଟରେ ଅବସ୍ଥିତ ଲିଭିଭ ସହର । ତେଣେ ଯୁଦ୍ଧର ଘନଘଟା ଭିତରେ ଭାରତୀୟ ଛାତ୍ରଛାତ୍ରୀଙ୍କ ବଢିଛି ସୁରକ୍ଷା ଚିନ୍ତା । ବିଶ୍ବର ୧୫୮ଟି ଦେଶର ୮୦ ହଜାର ଛାତ୍ରଛାତ୍ରୀ ୟୁକ୍ରେନର ବିଭିନ୍ନ ପ୍ରତିଷ୍ଠାନରେ ଡାକ୍ତରୀ, ଇଞ୍ଜିନିୟରିଂ ପଢୁଥିବାବେଳେ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା 20 ହଜାର । ସେମାନଙ୍କ ଭବିଷ୍ୟତ ଉପରେ ଘୋଟିଛି ଅନ୍ଧକାର । କିଛି ଛାତ୍ର କହିଛନ୍ତି- ଯୁଦ୍ଧ ସମ୍ଭାବନା ଘନୀଭୂତ ହେଉଥିବାବେଳେ ଅନେକ ରାଷ୍ଟ୍ର ସେମାନଙ୍କ ନାଗରିକମାନଙ୍କୁ ଫେରାଇନେବା ପ୍ରକ୍ରିୟା ଜାରି ରହିଛନ୍ତି ।

 

ଅଣ୍ଡରଓ୍ବାର୍ଲଡ ଡନ୍ ଦାଉଦ ଇବ୍ରାହିମ ଭଉଣୀ ଘରେ EDର ରେଡ୍

ମୁମ୍ବାଇ: କୁଖ୍ୟାତ ଅଣ୍ଡରଓ୍ୱାର୍ଲଡ ଡନ ଦାଉଦ ଇବ୍ରାହିମ ଭଉଣୀ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରେଡ । ମୁମ୍ବାଇରେ ଦାଉଦର ଭଉଣୀ ହସିନା ପାର୍କରଙ୍କ ଘରେ ରେଡ ହୋଇଛି । ବେଆଇନ ଅର୍ଥ ଚାଲାଣ ମାମଲାରେ ଏହି ରେଡ ହୋଇଛି । ଅଣ୍ଡରଓ୍ୱାର୍ଲଡ ସହ ମୁମ୍ବାଇର କେତେକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କ୍ରମେ ରେଡ କରିଛି ଇଡି । ନିକଟରେ ରୁଜୁ ହୋଇଥିବା ଅର୍ଥ ଚାଲାଣ ମାମଲାରେ ଦାଉଦ ଭଉଣୀ ସହ ଅନ୍ୟମାନଙ୍କ ଘରେ ଚଢାଉ ହୋଇଛି । ଏହି ନେଟଓ୍ୱାର୍କରେ କେତେକ ପଳାତକ ଓ ରାଜନୀତିଜ୍ଞ ମଧ୍ୟ ସାମିଲ ଥିବା ଇଡି ସୂଚନା ପାଇଛି ।

କୋଟିପତି ପୋଲିସ ବାବୁ; ଚଢ଼ୁଥିଲେ ୨୦ ଲକ୍ଷର ବାଇକ, କୋଟିଏ ଟଙ୍କାର ବିଏମଡବ୍ଲ୍ୟୁ

ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ର । ଏକକାଳୀନ ୧୧ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ତାଙ୍କ ଘରୁ ଦାମୀ କାର୍, ବାଇକ୍ ଜବତ ହୋଇଛି । ଅୟସ ଆରମ ସହ ଜୀବନ ବଞ୍ଚୁଥିଲେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ର । ତାଙ୍କ ଘରୁ ଦାମୀ କାର୍, ବାଇକ୍ ଜବତ ହୋଇଛି । ପୋଲିସ ବାବୁ ୧.୧୧ କୋଟିର ବିଏମଡବ୍ଲ୍ୟୁ X7 କାର ଚଢ଼ୁଥିଲେ । କେବଳ ବିଏମଡବ୍ଲ୍ୟୁ କାର ନୁହେଁ ଏହା ବ୍ୟତୀତ ଆଉ ତିନୋଟି ଦାମୀ କାର ମଧ୍ୟ ଚଢ଼ୁଥିଲେ ଅତିରିକ୍ତ ଏସପି ।

ତେବେ କାର ନୁହେଁ ଦାମୀ ବାଇକ ମଧ୍ୟ ଚଢ଼ୁଥିଲେ ପୋଲିସ କମ୍ୟୁନିକେସନର ଅତିରିକ୍ତ ଏସପି ତ୍ରିନାଥ ମିଶ୍ର । ପୋଲିସ ବାବୁ ଚଢ଼ୁଥିଲେ Triumphର ରକେଟ୍ ଥ୍ରୀ ବାଇକ୍ । ଯାହାର ମୂଲ୍ୟ ପ୍ରାୟ ୨୨ ଲକ୍ଷ ଟଙ୍କା । ରକେଟ ଥ୍ରୀ ବାଇକ୍ ବ୍ୟତୀତ ରୟାଲ ଏନଫିଲ୍ଡ କ୍ଲାସିକ ଓ GTR 250 Hyosung ବାଇକ୍ ଚଢ଼ୁଥିଲେ ଅତିରିକ୍ତ ଏସପି ।
ଏଥିସହ ତ୍ରିନାଥ ମିଶ୍ର ଏବଂ ତାଙ୍କୁ ଦୁଇ ପୁଅଙ୍କୁ ପଚରାଉଚରା କରାଯାଇଛି । କଟକ, ଭୁବନେଶ୍ବର, ନବରଙ୍ଗପୁର, ଯାଜପୁର, ଜଗତସିଂହପୁରରେ ଥିବା ଘର ଓ ଅଫିସରେ ରେଡ୍ ହୋଇଛି । ଯାଜପୁରରେ ହସ୍ପିଟାଲ ଏବଂ ମେଡିକାଲ ବ୍ୟବସାୟ ଥିବା ଜଣାପଡିଛି । ତାଙ୍କର ଶାନ୍ତିଲତା କେୟାର, ଶାନ୍ତି ଡ୍ରଗ ହାଉସ ରହିଛି । ତାଙ୍କର ଦୁଇ ପୁଅ ବ୍ୟବସାୟ ପରାଚାଳନା କରୁଥିଲେ । ଏଥିସହ ରସୁଲଗଡ଼ ମନୋରମା ଇଷ୍ଟେଟରେ ତାଙ୍କର ଏକ ଫ୍ଲାଟ ରହିଛି । ବଡ଼ଚଣାରେ ଗୋଟିଏ ଫାର୍ମ ହାଉସ ମଧ୍ୟ ରହିଛି । ଚଢାଉ ବେଳେ ସାଢେ ତିନି ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି ।

ନବରଙ୍ଗପୁର ଡାବୁଗାଁରେ ଥିବା ପୈତୃକ ଘର, ଯାଜପୁର ଖଇରାରେ ଥିବା ଶ୍ବଶୁର ଘର, ଖଇରାରେ ଥିବା ଶାନ୍ତିଲତା ଫାର୍ମ ହାଉସ୍ ଭିଜିଲାନ୍ସ ଛାପା ମାରିଛି । ଚଣ୍ଡିଖୋଲ ଓ ଧାନମଣ୍ଡଳରେ ଥିବା ୨ଟି ଶାନ୍ତିଲତା ଟ୍ରାନ୍ସପୋର୍ଟ, ଜଗତସିଂହପୁର ଜିଲ୍ଲା ବିରିଡି ଦଳେଇଘାଇରେ ଥିବା ତ୍ରିନାଥ ମିଶ୍ରଙ୍କ ଡ୍ରାଇଭର ରାଜୀବ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି । କଟକ ମହାନଦୀ ବିହାରରେ ତ୍ରିନାଥଙ୍କ ୨ପୁଅ କରିଥିବା ମେଡିସିନ ପ୍ରସ୍ତୁତକାରୀ ୟୁନିଟରେ ରେଡ୍ ହୋଇଛି । କଟକ ତୁଳସିପୁରରେ ଥିବା ଅଫିସ, ମଧୁପାଟଣାରେ ଥିବା ସରକାରୀ କ୍ବାର୍ଟରରେ ଚଢାଉ ହୋଇଛି । ଏହି ରେଡରେ ୩ ଜଣ ଅତିରିକ୍ତ ଏସପି, ୧୦ ଡିଏସପି, ୧୩ ଇନସ୍ପେକ୍ଟର ଓ ଅନ୍ୟ ସଦସ୍ୟ ସାମିଲ ଅଛନ୍ତି ।

ଚାରା ଘୋଟାଲା ମାମଲାରେ ପୁଣି ଦୋଷୀ ସାବ୍ୟସ୍ତ ହେଲେ ଲାଲୁ

ରାଞ୍ଚି: ୧୩୯ କୋଟିର ଚାରା ଘୋଟାଲାରେ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କୁ ପୁଣି ଝଟକା । ଚାରା ଘୋଟାଲା ମାମଲାରେ ପୁଣି ଥରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଲାଲୁ । ଚାରା ଘୋଟାଲାର ପଞ୍ଚମ କେସରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବ । ରାଞ୍ଚି ସ୍ଥିତ ସିବିଆଇର ସ୍ପେଶାଲ କୋର୍ଟ ଏହି ରାୟ ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଦଣ୍ଡ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । ଯଦି ଲାଲୁଙ୍କୁ ତିନି ବର୍ଷରୁ କମ୍ ଦଣ୍ଡ ଦିଆଯାଏ ତେବେ ଲାଲୁ ଯାଦବଙ୍କୁ ଜାମିନ ମିଳିପାରିବ ।  କିନ୍ତୁ ଯଦି ତିନି ବର୍ଷରୁ ଅଧିକ ଦଣ୍ଡ ଦିଆଯାଏ ତେବେ ଲାଲୁପ୍ରସାଦ ଯାଦବଙ୍କୁ ପୁଣି ତରେ ଜେଲ ଯିବାକୁ ପଡ଼ିବ ।

ଏହା ପୂର୍ବରୁ ଲାଲୁପ୍ରସାଦ ଯାଦବଙ୍କୁ ଚାରା ଘୋଟାଲାରେ ଜଡିତ ଚାରୋଟି ମାମଲାରେ ୧୪ ବର୍ଷ ଦଣ୍ଡ ଦିଆଯାଇଥିଲା । ଏହା ସହିତ ତାଙ୍କୁ ୬୦ ଲକ୍ଷ ଜରିମାନା ମଧ୍ୟ ଦେବାକୁ ପଡ଼ିଥିଲା । ବର୍ତ୍ତମାନ ଲାଲୁ ପ୍ରସାଦ ଯାଦବ ଜାମିନରେ ଆସି ବାହାରେ ଅଛନ୍ତି । ଲାଲୁଙ୍କ ସହ ଆଉ ୭୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସିବିଆଇ ସ୍ପେଶାଲ କୋର୍ଟ ।  ସିବିଆଇ ସ୍ପେଶାଲ କୋର୍ଟଙ୍କ ଏହି ନିଷ୍ପତ୍ତି ଆସିବା ପରେ କୋର୍ଟ ବାହାରେ ଥିବା ଆରଜେଡି ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ନିରାଶ ଛାଇ ଯାଇଛି । କୋର୍ଟର ଏହି ନିଷ୍ପତ୍ତି ସମୟରେ ଲାଲୁ ଯାଦବଙ୍କ ଝିଅ ତଥା ସାଂସଦ ସୀମା ଭାରତୀ ଲାଲୁଙ୍କ ସହ କୋର୍ଟରେ ଉପସ୍ଥିତ ଥିଲେ।

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ, ଆଉ ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି । ଆଉ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି । ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି । ଜନସାଧାରଣଙ୍କୁ ସ୍ୱଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି।

ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏହି ୫ ଜଣଙ୍କ ମଧ୍ୟରେ ପୋଲିସ ଡି.ଏସ୍.ପି, ଓଏଏସ୍ ଅଫିସର, ପୋଲିସ ଇନ୍ସପେକ୍ଟର ଓ ୨ ଜଣ ମ୍ୟୁନିସିପାଲଟି ଏକ୍ଜିକ୍ୟୁଟିଭ ଅଫିସର ରହିଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୫୧ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଏହି ୫ ଜଣଙ୍କ ମଧ୍ୟରୁ କଳାହାଣ୍ଡି ଜିଲ୍ଲା ମହିଳା ବିରୋଧୀ ଅପରାଧ ତଦନ୍ତ କେନ୍ଦ୍ରରେ (IUCAW) ଡି.ଏସ୍‌.ପି ଭାବରେ ନିଯୁକ୍ତ ଓଡିଶା ପୋଲିସ ସେବା ଅଧିକାରୀ ରବିନ୍ଦ୍ର କୁମାର ସେଠୀଙ୍କ ବିରୁଦ୍ଧରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି । ସେ ଜଣେ ଅଭିଯୋଗକାରୀଙ୍କ ଠାରୁ ୫୦୦୦ ଟଙ୍କା ଲାଞ୍ଚ ନେଇ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରା ପଡିଥିଲେ ଏବଂ ତାଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା। ଦୁର୍ନୀତି ଓ ଅସାଧୁତା ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ସୁନ୍ଦରଗଡ ଜିଲ୍ଲା ବଣାଇର ପୂର୍ବତନ ତହସିଲଦାର ଓଏଏସ୍‌ ଅଧିକାରୀ ସୁଶୀଲ କୁମାର କୁଜୁରଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି। ଢେଙ୍କାନାଳ ସଦର ବ୍ଲକରେ ବିଡିଓ ଥିବାବେଳେ ସେ ମନରେଗା ପାଣ୍ଠି ଆତ୍ମସାତ କରିଥିଲେ। ବିଭିନ୍ନ ଗାଁରେ ଜାଲ କାଗଜପତ୍ରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଦର୍ଶାଇ ସରକାରଙ୍କର ୨୪ ଲକ୍ଷ ୨୨ ହଜାର ୫୩୮ ଟଙ୍କା କ୍ଷତି ପହଞ୍ଚାଇଥିଲେ। ତାଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ଅପାରଗତା, ଦୁର୍ନୀତି ଓ ଅସାଧୁତା ଯୋଗୁ ତାଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ବଲାଙ୍ଗୀର ଜିଲ୍ଲା ବଙ୍ଗମୁଣ୍ଡାର ପୋଲିସ ଇନ୍‌ସପେକ୍ଟର ବିନୋଦ ବିହାରୀ ନାୟକଙ୍କ ବିରୁଦ୍ଧରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି । ସେ ବଙ୍ଗମୁଣ୍ଡାରୁ କୁଚିଣ୍ଡାକୁ ଏକ ମାରୁତି ସିଆଜ୍‌ କାରରେ ଯାଉଥିବା ବେଳେ ବରଗଡ ଟୋଲଗେଟ୍‌ ନିକଟରେ ଦୁର୍ନୀତି ନିବାରଣ ବିଭାଗର ଏକ ଟିମ୍‌ ଦ୍ବାରା ଧରା ପଡିଥିଲେ। ତାଙ୍କ ଠାରୁ ୨ ଲକ୍ଷ ୬ ହଜାର ୨୨୦ ଟଙ୍କା ଜବତ କରାଯାଇଥିଲା। ବଙ୍ଗମୁଣ୍ଡାସ୍ଥିତ ତାଙ୍କ ସରକାରୀ ବାସଭବନରେ ତଲାସୀ ସମୟରେ ୩,୮୦,୯୨୦ ଟଙ୍କା ଜବତ କରାଯାଇଥିଲା । ସମୁଦାୟ ତାଙ୍କ ଠାରୁ ୫,୮୭,୧୪୦ ଟଙ୍କା ଜବତ କରାଯାଇଥିଲା। ୨୦୨୧ ନଭେମ୍ବର ୩୦ ତାରିଖ ଦିନ ସେ ଗିରଫ ହୋଇଥିଲେ। ଅଧିକ ତଦନ୍ତ ପରେ ଜଣାଯାଇଥିଲା ଯେ ସେ ଯେଉଁ ମାରୁତି କାର୍‌ (OD-15K-6111)ରେ ଯାଉଥିଲେ, ତାହା ସମ୍ବଲପୁର ଜିଲ୍ଲା ଧନୁପାଲ୍ଲୀ ପୋଲିସ ଷ୍ଟେସନ ଅନ୍ତର୍ଗତ ଏମ୍. ନାସିର ନାମକ ଜଣେ ବ୍ୟକ୍ତିଙ୍କୁ ପୁଅ ମହମ୍ମଦ ମଲିମଙ୍କ ନାମରେ ରହିଛି। ସେହି ବ୍ୟକ୍ତିଙ୍କ ନାମରେ ଧନୁପାଲ୍ଲୀ ପୋଲିସ ଷ୍ଟେସନରେ ୪ଟି ମାମଲା ଓ ସମ୍ବଲପୁର ସଦର ପୋଲିସ ଷ୍ଟେସନରେ ଗୋଟିଏ ମାମଲା ରହିଛି। ଦୁର୍ନୀତି, ଅପାରଗତା ଓ ଦୁର୍ବ୍ୟବହାର ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ସେହିପରି ଭଦ୍ରକ ଜିଲ୍ଲା ବାସୁଦେବପୁର ମ୍ୟୁନିସପାଲଟିର ପୂର୍ବତନ ଏକଜିକ୍ୟୁଟିଭ ଅଫିସର ତାପସ ରଞ୍ଜନ ଜେନାଙ୍କୁ ତାଙ୍କର ପୌରସେବା କାର୍ଯ୍ୟକାଳ ସମୟରେ ଅପାରଗତା, ଅସାଧୁତା, ଦାୟିତ୍ବରେ ଅବହେଳା, ଆର୍ଥିକ ଅନିୟମିତତା ଆଦି ବିଭିନ୍ନ କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଏନଏସିର ପୂର୍ବତନ ଏକଜିକ୍ୟୁଟିଭ ଅଫିସର ବିଜୟକୃଷ୍ଣ ନାୟକଙ୍କୁ ତାଙ୍କର ପୌରସେବା କାର୍ଯ୍ୟକାଳ ସମୟରେ ଅପାରଗତା, ଦାୟିତ୍ବରେ ଅବହେଳା, ନୈତିକ ସ୍ଖଳନ, ମହିଳାଙ୍କ ସହିତ ଅବୈଧ ସଂପର୍କ, ଜନସାଧାରଣଙ୍କୁ ପୌରସେବା ଯୋଗାଇଦେବା କ୍ଷେତ୍ରରେ ଅନାଗ୍ରହ, ସରକାରୀ ନିର୍ଦ୍ଦେଶାବଳୀର ଅବମାନନା ଏବଂ ଓଡିଶା ସରାକାରୀ ସେବା ଆଚରଣ ବିଧି ୧୯୫୫ର ଉଲଙ୍ଘନ ଆଦି ବିଭିନ୍ନ କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୫୧ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି।

ରେମୁଣା ବ୍ଲକ କଲ୍ୟାଣପୁର ପଞ୍ଚାୟତରେ ନିର୍ବାଚନୀ ହିଂସା, ଦୁର୍ବୁତ୍ତଙ୍କ ଆକ୍ରମଣରେ ଓ୍ୱାର୍ଡମେମ୍ବର ପ୍ରାର୍ଥୀ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ରେମୁଣା ବ୍ଲକର କଲ୍ୟାଣପୁର ପଞ୍ଚାୟତରେ ନିର୍ବାଚନୀ ହିଂସା । ଦୁର୍ବୁତ୍ତଙ୍କ ଆକ୍ରମଣରେ ୱାର୍ଡମେମ୍ବର ପ୍ରାର୍ଥୀ ଗୁରୁତର ଆହତ । ଏହାକୁ ପ୍ରତିବାଦ କରି ବିଜେଡି ପକ୍ଷରୁ ଥାନା ଘେରାଉ କରାଯାଇଛି । ନିର୍ବାଚନୀ ହିଂସାରେ ୱାର୍ଡମେମ୍ବର ପ୍ରାର୍ଥୀ ଗୁରୁତର ଆହତ ହୋଇଥିଲେ । ଆହତ ବ୍ୟକ୍ତି ହେଉଛନ୍ତି ଗାଙ୍ଗପୁରା ଗ୍ରାମର ଭାଗବତ ପ୍ରଧାନ । ଶୁକ୍ରବାର ରାତିରେ ସେହି ଗ୍ରାମର କିଛି ବ୍ୟକ୍ତି ଭାଗବତଙ୍କୁ ଘରୁ ଡାକି ଆଣିଥିଲେ । ଅନ୍ୟ ରାଜନୈତିକ ଦଳକୁ ସମର୍ଥନ ଦେବା ନେଇ ପ୍ରଥମେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଦୁର୍ବୁତ୍ତମାନେ ସଂଘବଦ୍ଧ ଭାବେ ଭାଗବତଙ୍କ ଉପରେ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରିଥିଲେ । ଗୁରୁତର ଆହତ ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଯାଇଥିଲେ । ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଂଚିବାରୁ ଦୁର୍ବୁତ୍ତମାନେ ସେଠାରୁ ଖସି ପଳାଇଯାଇଥିଲେ । ତୁରନ୍ତ ଭାଗବତଙ୍କୁ ଉଦ୍ଧାର ସହ ଲୋକେ ରେମୁଣା ପ୍ରାଥମିକ ଚିକିତ୍ସାଳୟକୁ ନେଇଯାଇଥିଲେ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ତୁରନ୍ତ କଟକ ବଡ ଡାକ୍ତରଖାନାକୁ ପଠାଯାଇଥିଲା ।