spot_img
Home Blog Page 4589

ପଞ୍ଚାୟତ ନିର୍ବାଚନ: ଶରଧାପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ

ଗଜପତି: ଗୋଷାଣୀ ବ୍ଲକ ଶରଧାପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ । ଆହତ ଜଣକ ହେଲେ ଚେନି ପ୍ରସାଦ ରାଓ । ଆକ୍ରୋଶ ମୂଳକ ଭାବେ ତାଙ୍କୁ ବିରୋଧୀ ଆକ୍ରମଣ କରିଥିବା ଅଭିଯୋଗ ହୋ ଇଛି । ଶୋଭାଯାତ୍ରା ସମୟରେ କିଛି ବିଜେପି କର୍ମୀ ଚେନୀ ପ୍ରସାଦଙ୍କ ସହ ଯୁକ୍ତି ତର୍କ କରିଥିଲେ । ପ୍ରଚାର ଶେଷ ହେବା ପରେ ରାତି ପ୍ରାୟ ୯ ଘଣ୍ଟା ସମୟରେ ଗୁରୁତର ଅବସ୍ଥାରେ ତାଙ୍କୁ ଗାଁ ନିକଟରୁ ଉଦ୍ଧାର କରାଯାଇଥିଲା । କିଛି ବିଜେପି କର୍ମୀ ତାଙ୍କୁ ଆକ୍ରମଣ କରୁଥିବା ବେଳେ ଲୋକ ଦେଖି ପାଟି କରିଥିଲେ । ଫଳରେ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଗୁରୁତର ଭାବେ ଚେନି ପ୍ରସାଦ ରାଓଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

ଏଥିସହିତ ପଢ଼ନ୍ତୁ: ଭାଲେଣ୍ଟାଇନ୍ ଡେ’: ପ୍ରେମ ଗଗନ ପରି ଅସୀମ ତୋ ଆଉ କେବେ ସାଗର ପରି ଗଭୀର

 

ଭାଲେଣ୍ଟାଇନ୍ସ ଡେ’: ପ୍ରେମ ଗଗନ ପରି ଅସୀମ ତୋ ଆଉ କେବେ ସାଗର ପରି ଗଭୀର

ଭୁବନେଶ୍ୱର: ଆଜି ଭାଲେଣ୍ଟାଇନ୍ ଡେ । ପ୍ରେମ ପାଇଁ ଦିନ ଟିଏ । ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ । ପ୍ରେମ କ୍ଷମା, ପ୍ରେମ ଦୟା । ପ୍ରେମର ପରିଭାଷା ସଂଜ୍ଞା ହୀନ । କେବେ ଏହା ଗଗନ ପରି ଅସୀମ ତୋ ଆଉ କେବେ ସାଗର ପରି ଗଭୀର । ପ୍ରେମ ମାନେ’ ନା ବାଧା ବିଘ୍ନ । ପ୍ରେମ ସପ୍ତାହର ଶେଷ ଦିନ ବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ ହେଉଛି ଆଜି । ଅନ୍ୟ ସମସ୍ତ ଦିନକୁ କେହି ମାନନ୍ତୁ ବା ନ ମାନନ୍ତୁ ଭାଲେଣ୍ଟାଇନସ୍ ଡେ’ କୁ କିନ୍ତୁ ଅଧିକରୁ ଅଧିକାଂଶ ପ୍ରେମୀଯୁଗଳ ପାଳନ କରିଥାନ୍ତି ।

ପ୍ରେମ ଆଉ ଜୀବନ । ଜନ୍ମରୁ ହିଁ ଅବିଛେଦ୍ୟ ଆଉ ଚିରସତ୍ୟ । ବିଶ୍ୱାସର ବସାରେ ଜୀବନର ପରିପୂର୍ଣ୍ଣତା ହେଉଛି ପ୍ରେମ । ଜୀବନ ଅଛି ମାନେ ପ୍ରେମ ବି ଅଛି । ପ୍ରେମ ପରିବ୍ୟାପ୍ତ, ପ୍ରେମ ବିଶ୍ବାସ । କେବେ ସିଏ ଅନ୍ତର ଅନୁଭବର ପୁଣ୍ୟ ମନ୍ଦିର ଆଉ କେବେ ରାଗରୁଷା ଆଉ ଅଭିମାନର କଅଁଳ ଛୁଆଁ । ପ୍ରାପ୍ତି ଓ ଅପ୍ରାପ୍ତିର ଦୋଛକିରେ ମନ ଖୋଜୁଥିବା ଆଶ୍ବସ୍ତିର ନାଁ ପ୍ରେମ । ସେ ମାନେନି ବୟସ, ଜାତି, ଧର୍ମ, ବର୍ଣ୍ଣ ବା ଧନୀଗରିବ । ପ୍ରେମ ଏକ ଭାବନା, ଏକ ସମର୍ପଣ, ହୃଦୟ ତଳର ଅସରନ୍ତି ଭାବର ସମ୍ମିଶ୍ରଣ ।

ଭାଲେଣ୍ଟାଇନ୍ସ ଡେ । ପାଶ୍ଚାତ୍ୟରୁ ଆରମ୍ଭ ପୃଥିବୀ ପରିବ୍ୟାପ୍ତ । ପ୍ରେମୀଯୁଗଳଙ୍କ ପ୍ରତୀକ୍ଷା ଆଉ ପ୍ରତିଶୁତିର ଦିନ । ଫଗୁଣର ସାତ ରଙ୍ଗରେ ରଙ୍ଗୀନ୍ ହୋଇ ମୁକ୍ତଆକାଶରେ ଉଡ଼ିବୁଲନ୍ତି ପ୍ରେମ ପକ୍ଷୀ । ସ୍ନେହ, ତ୍ୟାଗର ସଞ୍ଚାର ଆଉ ଅପାସୋରା ସ୍ମୃତିକୁ ସାଙ୍ଗରେ ଧରି ରୋମାଞ୍ଚିତ ହୋଇପଡେ ପ୍ରତିଟି ହୃଦୟ । ଗୋଲାପ ଦିଆନିଆରୁ ପ୍ରେମ ନିବେଦନ ଆଉ ତାପରେ ମନର ସାଥୀ ପାଇଁ ଟେଡି ଉପହାର । ମନ ଖୋଲା କଥା ସାଙ୍ଗକୁ ତାରା ଜହ୍ନ ଆଣିଦେବାର ହଜାରେ ପ୍ରତିଶ୍ରୁତି । ଆଲିଙ୍ଗନ ଆଉ ଚୁମ୍ବନ ପରେ ଲଭ୍ ଷ୍ଟେସନରେ ଅଟକେ ପ୍ରେମ ଗାଡ଼ି । ଫଗୁଣର ଏକ୍ସପ୍ରେସରେ ବସି ଭାଲେଣ୍ଟାଇନ୍ ଡେରେ ନିଜକୁ ହଜାଇ ଦିଅନ୍ତି ପ୍ରେମୀଯୁଗଳ ।

ଇତିହାସ ହେଉ କି କିମ୍ବଦନ୍ତୀ । ସବୁଥିରେ ସ୍ୱତନ୍ତ୍ର ସ୍ଥାନ ପାଇଛି ପ୍ରେମ । କେଦାର ଗୌରୀ ହୁଅନ୍ତୁ କି ହୀର ରାଞ୍ଝା, ସଲିମ ଅନାରକଲୀଙ୍କଠୁ ସାହାଜହାଁ-ମମତାଜ୍‌ଙ୍କୁ ପ୍ରେମ । ଏସବୁର ଉଦାହରଣ ପ୍ରେମୀଯୁଗଳଙ୍କ ପାଇଁ ପ୍ରେରଣା । ଏସବୁ ଭିତରେ ବି କେବେକେବେ ପ୍ରେମ ଲୁହ ବି ଦିଏ ।

ଆର୍ଥ ଅବଜର୍ଭେସନ ଓ ଅନ୍ୟ ୨ କ୍ଷୁଦ୍ର ସାଟେଲାଇଟ୍ ସହ PSLV-C52ର ସଫଳ ଉତ୍‌କ୍ଷେପଣ

0

ହାଇଦ୍ରାବାଦ: ସଫଳତାର ସହ ଲଞ୍ଚ ହୋଇଛି PSLV-C52 । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ପକ୍ଷରୁ ଏହାର ପ୍ରଥମ ଉତକ୍ଷେପଣ ହୋଇଛି । ଆର୍ଥ ଅବଜର୍ଭେସନ ସାଟେଲାଇଟ ବା EOS-04 ଭାବେ ଏହା ନିଜ କକ୍ଷ ପଥରେ ଘୂରିବ । ଏହାର ଓଜନ ୧ ହଜାର ୭୧୦ କିଲୋଗ୍ରାମ ରହିଥିବା ବେଳେ ୫୨୯ କିଲୋମିଟର ବ୍ୟାପୀ କକ୍ଷ ପଥରେ ଏହା ପରିକ୍ରମଣ କରିବ ।

ଆଜି ଭୋର ୫ଟା ୫୯ ମିନିଟରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ୱନ ମହାକାଶ କେନ୍ଦ୍ର ଲଞ୍ଚ ପ୍ୟାଡରୁ ଏହାର ଉତକ୍ଷେପଣ ହୋଇଥିଲା । ପିଏସଏଲଭି ଜରିଆରେ ଦୁଇଟି କ୍ଷୁଦ୍ର ଉପଗ୍ରହ ପ୍ରେରଣ କରାଯାଇଛି । ସେଥିରୁ ଗୋଟିଏ ଉପଗ୍ରହ ହେଉଛି ଇନସ୍ପାୟାର ସ୍ୟାଟ-୧ । EOS-04 ହେଉଛି ଏକ ରାଡାର ଇମେଜିଂ ସାଟେଲାଇଟ ଯାହାକି ଉଚ୍ଚମାନର ଫଟୋ ପ୍ରେରଣ କରିପାରିବ । ଫଳରେ କୃଷି, ଜଙ୍ଗଲ, ବନୀକରଣ, ମୃତ୍ତିକା ଆର୍ଦ୍ରତା, ଜଳସମ୍ପଦ, ବନ୍ୟା ସମ୍ପର୍କରେ ସବିଶେଷ ସୂଚନା ମିଳିପାରିବ । ୨୦୨୨ ମସିହାର ଏହା ହେଉଛି ଇସ୍ରୋର ପ୍ରଥମ ମିଶନ ।

ଜଳନ୍ତା ଅବସ୍ଥାରେ ଜୀବନ ବଞ୍ଚାଇବାକୁ ଦୌଡ଼ୁ ଥିଲେ ଯୁବକ, ବଞ୍ଚାଇଲେ ଲୋକ

ନୂଆପଡ଼ା: ଶରୀର ଜଳୁଛି… ଜୀବନ ବଞ୍ଚାଇବାକୁ ଯୁଆଡ଼େ ପାଉଛନ୍ତି ସିଆଡ଼େ ଧାଉଁଛନ୍ତି ଯୁବକ । ନୂଆପଡ଼ା ସଦର ରାଧାକୃଷ୍ଣ ପଡ଼ାରେ ସନ୍ଧ୍ୟାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଜଳନ୍ତା ଅବ ଅବସ୍ଥାରେ ଜୀବନ ବଞ୍ଚାଇବାକୁ ଧାଉଁଥିଲେ ଜଣେ ଯୁବକ । ସ୍ଥାନୀୟ ଲୋକେ ପାଣି ଢାଳି ନିଆଁକୁ ଆୟତ୍ତ କରିଥିଲେ । ପରେ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ଗୁରୁତର ଯୁବକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏବେ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ଯୁବକଙ୍କ ତଣ୍ଟିରେ ଏକ ବେଲ୍ଟ ଲାଗିଥିବା ବେଳେ ତଣ୍ଟିରେ କଟା ଦାଗ ରହିଛି । ଏହା ସହ ଯୁବକଙ୍କ ଦେହରୁ କିରୋସିନି ବାସ୍ନା ଆସୁଥିବା ବେଳେ କେହି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ନୂଆପଡ଼ା ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି । ଗୁରୁତର ଯୁବକଙ୍କ ପକେଟରୁ ଏକ ପର୍ସ ମିଳିଛି । ଆଧାର କାର୍ଡରେ ନାଁ ଝୁମକଲାଲ ନାୟକ ଥିବା ବେଳେ ଠିକଣା ନବରଙ୍ଗପୁର ଜିଲ୍ଲା ଗମ୍ଭାରୀଗୁଡ଼ା ଉଲ୍ଲେଖ ରହିଛି ।

ୟୁକ୍ରେନ୍ ସୀମାରେ ବଢ଼ୁଛି ଉତ୍ତେଜନା, ଋଷକୁ ଆମେରିକା ଦେଲା ଚେତାବନୀ

ନୂଆଦିଲ୍ଲୀ: ୟୁକ୍ରେନ୍ ସୀମାରେ ଋଷ ସେନାର ସମରସଜ୍ଜା । ଟ୍ୟାଙ୍କରରୁ ବନ୍ଧୁକ, ଗୋଳା ବାରୁଦ ପୁଣି ଆକାଶ ମାର୍ଗରୁ ଆକ୍ରମଣ ପାଇଁ ଭଳିକି ଭଳି ଶକ୍ତିଶାଳୀ ବିମାନ ୟୁକ୍ରେନ୍ ସୀମାରେ ମୁତୟନ କରିଛି ଋଷ । ପ୍ରାୟ ଲକ୍ଷେ ୩୦ ହଜାର ଋଷ ସୈନିକ ୟୁକ୍ରେନ୍ ସୀମାରେ ଅଛନ୍ତି । ଋଷ ସେନାର ଏଭଳି ପ୍ରସ୍ତୁତି ଦେଖି ଯୁଦ୍ଧ ଆଶଙ୍କା କରିଛି ଆମେରିକା ।

America Vs Russia Which country is supporting whom in Ukraine Crisis

ବିଭିନ୍ନ ପ୍ରାନ୍ତରୁ ଋଷ ସୈନିକଙ୍କୁ ୟୁକ୍ରେନ୍ ସୀମାକୁ ଆଣିବାରେ ଲାଗିଛି । ସ୍ଥାୟୀ ସୈନ୍ୟ ଠାରୁ ଏବେ ସୀମାରେ ଅଧିକ ୩୫ ହଜାର ଯବାନଙ୍କୁ ମୁତୟନ କରି ସାରିଲାଣି ଋଷ । ବିଗତ ୨ ମାସ ହେଲା ୟୁକ୍ରେନ୍ ଋଷିଆ ମଧ୍ୟରେ ତେଜିଥିବା ଉତ୍ତେଜନା ଚରମରେ ପହଞ୍ଚିଛି । ଅନ୍ୟପଟେ ଋଷ ବେଲାଋଷ ସହ ମିଶି ସୈନ୍ୟ ଅଭ୍ୟାସ ଆରମ୍ଭ କରିଛି । ସବୁଠାରୁ ବଡ଼ କଥା ହେଉଛି ୟୁକ୍ରେନର ରାଜଧାନୀ କିଭ ଠାରୁ ବେଲାଋଷର ଦୂରତା ମାତ୍ର ୧୦୦ କିଲୋମିଟର ।

America Vs Russia Which country is supporting whom in Ukraine Crisis

ଅନ୍ୟପଟେ ୟୁକ୍ରେନ୍ ପାଇଁ ପୂର୍ବ ୟୁରୋପୀୟ ଦେଶରେ ନାଟୋ ଯୁଦ୍ଧ ବିମାନ ସହ ପୋତ ମୁତୟନ କରିଛି । ଗୋଟିଏ ପଟେ ଋଷ ୟୁକ୍ରେନକୁ ଅକ୍ତିଆର୍ ପାଇଁ ପ୍ରୟାସ କରୁଥିବା ବେଳେ ଆମେରିକା ଅନ୍ୟ ଦେଶ ସହ ମିଶି ପୁତିନଙ୍କ ଉପରେ ଚାପ ପକାଉଛି । ୟୁକ୍ରେନ୍ ପ୍ରସଙ୍ଗରେ ଆମେରିକାକୁ ଭାରତ, ଜର୍ମାନୀ ଆଦି ଦେଶ ସମର୍ଥନ ଦେଇଛନ୍ତି । ଅନ୍ୟପଟେ ୟୁକ୍ରେନ୍ ପ୍ରସଙ୍ଗରେ ଚୀନ ଋଷକୁ ସମର୍ଥନ ଜଣାଇଛି । ଯୁଦ୍ଧର ଆଶଙ୍କା ଭିତରେ ୟୁକ୍ରେନ୍ ସୀମାରେ ଶକ୍ତି ବଢ଼ାଇ ଚାଲିଛି ଋଷ ।

ନଜର ପକାନ୍ତୁ କେଉଁ ଦେଶ ପାଖରେ କେତେ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ରହିଛି ।

ୟୁକ୍ରେନ୍ ପାଖରେ ୧୧ ଲକ୍ଷ ଯବାନ ରହିଥିବା ବେଳେ ୯୮ଟି ଯୁଦ୍ଧ ବିମାନ, ୩୪ଟି ଆକ୍ରମଣକାରୀ ହେଲିକପ୍ଟର, ୨୫୯୬ଟି ଟ୍ୟାଙ୍କ, ୧୨ ହଜାର ୩୦୩ଟି ଯୁଦ୍ଧାସ୍ତ୍ର ଖଞ୍ଚିତ ଯାନ, ୨ ହଜାର ୪୦ଟି ତୋପ ରହିଛି । ସେହିଭଳି ଋଷ ପାଖରେ ୨୯ ଲକ୍ଷ ଯବାନ ଥିବାବେଳେ ୧୫୧୧ଟି ଯୁଦ୍ଧ ବିମାନ, ୫୪୪ଟି ଆକ୍ରମଣକାରୀ ହେଲକପ୍ଟର, ୧୨ ହଜାର ୨୪୦ଟି ଟ୍ୟାଙ୍କ, ୩୦ ହଜାର ୧୨୨ଟି ଯୁଦ୍ଧାସ୍ତ୍ର ଖଞ୍ଚିତ ଯାନ, ୭ ହଜାର ୫୭୧ଟି ତୋପ ରହିଛି ।

ମଦ ଦିଅ… ରାତି ୧୦ ପରେ ଦୋକାନ ଖୋଲ !

ଖୋର୍ଦ୍ଧା: କୋଭିଡ୍ ପାଇଁ ରାତି ୧୦ ପରେ ବନ୍ଦ ହେବ ସବୁ ଦୋକାନ । ନିୟମ ଅଛି ହେଲେ ତା’ବାଟରେ । ଏଠି ପୋଲିସ ସବୁ ନିୟମକୁ ଦଳି ଚକଟି ଦେଇଛି । ଜଟଣୀ ସହର ହରି ଭାଇନା ଛକରେ ରାତି ୧୦ଟା ପରେ ମଦ ଦୋକାନ ଖୋଲି ରହୁଥିବାରୁ ଗଣ୍ଡଗୋଳ ହେଉଥିବା ଅଭିଯୋଗ ହୋଇଥିଲା । ଏନେଇ ଲୋକଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ ପାଇଁ ମଦ ଦୋକାନରେ ପହଞ୍ଚିଲା । ଫେରିବା ବେଳକୁ ମଦ ଦୋକାନରୁ ଏକ କଳା ପଲିଥିନରେ କିଛି ମଦ ମିଳିଲା ।

Jatani Wine Shop Remain Opened After 10PM In Police Protection

ଆଉ ଏ ହେଉଛି ତା’ପରର ଦୃଶ୍ୟ । ୮ ତାରିଖରେ ପୋଲିସ ତଦନ୍ତ ପାଇଁ ଲାଞ୍ଚ ଆକାରରେ ମଦ ଆଣିବା ପରେ ୧୨ ତାରିଖ ରାତିରେ ମଦ ଦୋକାନ ଆଗରେ ପୋଲିସ ପଇଁତରା ଦେଉଛି । ସମୟ ରାତି ୧୧ଟା ୩୩ ହୋଇଥିବା ବେଳେ ମଦ ଦୋକାନ ଖୋଲା ରହିଛି । ପୋଲିସ ବାବୁ ମଦ ଦୋକାନ ଆଗରେ ବୁଲୁଛନ୍ତି । କିନ୍ତୁ ନାଇଟ୍ କର୍ଫ୍ୟୁ ସତ୍ତ୍ୱେ ମଦ ଦୋକାନ ବନ୍ଦ କରିବାକୁ ତାଗିଦ୍ କରୁନାହାଁନ୍ତି । ଏବେ ଏହି ଭିଡିଓ ଭାଇରାଲ୍ ପରେ ଜଟଣୀ କମିଶନରେଟ୍ ପୋଲିସର ପ୍ରକୃତ ଚେହେରା ପଦାରେ ପଡ଼ିଛି ।

ରାତି ପାହିଲେ ଖୋଲିବ ସ୍କୁଲ୍, ତଥାପି ଦ୍ୱନ୍ଦ୍ୱ…

ଭୁବନେଶ୍ୱର: ଆସନ୍ତାକାଲି ଖୋଲିଥାନ୍ତା ପ୍ରଥମରୁ ସପ୍ତମ ଶ୍ରେଣୀ ସ୍କୁଲ । ହେଲେ ସ୍କୁଲ ପରିବେଶ ଓ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ପରିଚାଳନାକୁ ନେଇ ଫେବ୍ରୁଆରୀ ୨୮ରେ ଖୋଲିବାକୁ ପୁଣି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଘରୋଇ ଇଂରାଜୀ ମିଡିୟମ ସ୍କୁଲରେ ନିର୍ବାଚନ କାମ ନଥିବାରୁ ସ୍କୁଲ ଖୋଲିବାରେ ଅସୁବିଧା ଅନୁଭବ ନକରି କିଛି ସ୍କୁଲ ଆସନ୍ତାକାଲି ଖୋଲିବ । ତେବେ ଅନ୍ୟ କିଛି ସ୍କୁଲ ଖୋଲୁ ନଥିବାରୁ ଅଭିଭାବକଙ୍କ ଦ୍ୱନ୍ଦ୍ୱ ବଢ଼ିଛି ।

Parents In Confusion School Reopen From Tomorrow Odisha

ଘରୋଇ ସ୍କୁଲ ବନାମ ଘରୋଇ ସ୍କୁଲ, ଚିନ୍ତାରେ ଅଭିଭାବକ । ଆସନ୍ତାକାଲି ସବୁ ଇଂରାଜୀ ମିଡିୟମ୍ ସ୍କୁଲ ଖୋଲିବ । ହେଲେ କିଛି ସ୍କୁଲକୁ ଆସିବେ ଛାତ୍ରଛାତ୍ରୀ । ଆଉ କିଛି ସ୍କୁଲ ସରକାରୀ ନିୟମ ଅନୁସାରେ ସ୍କୁଲ ଆସିବାକୁ ବାରଣ କରିଛନ୍ତି । ଯାହା ପୁଣି ଶିକ୍ଷାଦାନ ବ୍ୟବସ୍ଥାକୁ ଅଡ଼ୁଆରେ ପକାଇପାରେ । ପ୍ରଥମରୁ ସପ୍ତମ ଶ୍ରେଣୀ ସ୍କୁଲ ଆସନ୍ତାକାଲି ଖୋଲିଥାନ୍ତା । କିନ୍ତୁ ସ୍କୁଲ ନଖୋଲିବାକୁ ଜିଲ୍ଲାପାଳମାନେ ରିପୋର୍ଟ ଦେଇଥିଲେ । କାରଣ ୨ ବର୍ଷରୁ ବନ୍ଦ ଥିବା ସ୍କୁଲ ସଫା କରିବାର ଆବଶ୍ୟକତା ରହିଛି । ଏଥିସହ ପଞ୍ଚାୟତ ନିର୍ବାଚନ ପାଇଁ ସରକାରୀ ସ୍କୁଲ ବ୍ୟବହାର କରାଯିବ । କିନ୍ତୁ ଘରୋଇ ଇଂରାଜୀ ମିଡିୟମ୍ ସ୍କୁଲରେ ନିର୍ବାଚନ କାର୍ଯ୍ୟ ହୁଏ ନାହିଁ ।

Parents In Confusion School Reopen From Tomorrow Odisha

ଏଥିପାଇଁ ଘରୋଇ ଇଂରାଜୀ ମିଡିୟମ୍ ସ୍କୁଲ ଗୁଡ଼ିକ ଖୋଲିବା ନେଇ ଭିନ୍ନ ଭିନ୍ନ ନିଷ୍ପତ୍ତି ନେଇଛନ୍ତି । ଘରୋଇ ସ୍କୁଲର ଭିନ୍ନ ନିଷ୍ପତ୍ତି ଯୋଗୁଁ ଅଭିଭାବକଙ୍କ ଅଡ଼ୁଆ ବଢିଛି । ଗୋଟାଏ ସ୍କୁଲ ପଢାଇବ ତ ଅନ୍ୟ ସ୍କୁଲ ଅନଲାଇନରେ ଶିକ୍ଷା ଦେବେ । ଯାହା ଛାତ୍ରଛାତ୍ରୀଙ୍କ ପାଇଁ ଜଟିଳ ପରିସ୍ଥିତି ସୃଷ୍ଟି କରିପାରେ । ଯେଉଁଥି ପାଇଁ ଘରୋଇ ଇଂରାଜୀ ମିଡିୟମ୍ ସ୍କୁଲ ଖୋଲିବାର ସ୍ପଷ୍ଟ ଚିତ୍ର ଦାବି କରିଛନ୍ତି ଅଭିଭାବକ । ସ୍କୁଲ ଖୋଲିବାକୁ ଥିବାବେଳେ ମାର୍ଚ୍ଚ ମାସରେ ପିଲା ପଢିବେ ନା ଅଫଲାଇନ୍ ପରୀକ୍ଷା ଦେବେ । ତା’ଉପରୁ ବି ଦ୍ୱନ୍ଦ୍ୱ ଉଠିନି ।

ଭୋଟ୍ ଦେବା ପୂର୍ବରୁ ଜାଣନ୍ତୁ, ଟେଣ୍ଡର ଭୋଟ୍ ଓ ଚ୍ୟାଲେଞ୍ଜ ଭୋଟ୍ ସମ୍ପର୍କରେ…

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତାକାଲି ସନ୍ଧ୍ୟାରେ ପ୍ରଚାର ଶେଷ ହେବ । ବୁଧବାର ହେବ ଭୋଟ୍‌ ଗ୍ରହଣ । ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପଞ୍ଚାୟତ ନିର୍ବାଚନରେ ନକଲି ଭୋଟରଙ୍କ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ସତର୍କବାଣୀ । ନକଲି ଭୋଟର ସାଜି ଭୋଟ୍ ଦେଲେ ପୋଲିସର ଜିମା ଦିଆଯିବ । ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ରବୀନ୍ଦ୍ର କୁମାର ସାହୁ ଏହି ସୂଚନା ଦେଇଛନ୍ତି । ଏହାସହ ପଞ୍ଚାୟତ ନିର୍ବାଚନରେ ଟେଣ୍ଡର ଭୋଟ୍ ଓ ଚ୍ୟାଲେଞ୍ଜ ଭୋଟକୁ ନେଇ ସୋସିଆଲ୍ ମିଡିଆରେ ହେଉଥିବା ଗୁଜବ ଉପରେ ସେ ସ୍ପଷ୍ଟୀକରଣ ଦେଇଛନ୍ତି ।

Panchayat Elections Know Tender Vote And Challenge Vote

ଚ୍ୟାଲେଞ୍ଜ ଭୋଟ୍ କ’ଣ ?

ଯଦି ପ୍ରାର୍ଥୀଙ୍କ ଏଜେଣ୍ଟ କୌଣସି ଭୋଟରଙ୍କ ପରିଚୟ ଉପରେ ଆପତ୍ତି କରନ୍ତି । ତେବେ ଏଜେଣ୍ଟ ୨ ଟଙ୍କା ଦେଇ ତାଙ୍କର ପରିଚୟକୁ ଚ୍ୟାଲେଞ୍ଜ କରି ପାରିବେ । ପ୍ରିଜାଇଡିଂ ଅଫିସରମାନେ ସ୍ପଟ୍ ଉପରେ ଯାଞ୍ଚ କରିବେ । ଯଦି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ସେହି ଲୋକଙ୍କୁ ପୋଲିସର ଜିମା ଦିଆଯିବ । ଅଭିଯୋଗ ମିଛ ହୋଇଥିଲେ ସେ ଭୋଟ୍ ଦେଇପାରିବେ ।

ଟେଣ୍ଡର ଭୋଟ୍ କ’ଣ ?

ସେହିପରି ଯଦି ଜଣଙ୍କ ସ୍ଥାନରେ ଅନ୍ୟ ଜଣେ ଭୋଟ୍ ଦେଇଥିବେ, ସେ କ୍ଷେତ୍ରରେ ସେହି ଭୋଟରଙ୍କୁ ଟେଣ୍ଡର ଭୋଟ୍ ପାଇଁ ଅନୁମତି ଦିଆଯିବ । ସେହି ବାଲଟ୍ ପେପରକୁ ଅଲଗା ରଖାଯିବ । ଭୋଟରଙ୍କ ପରିଚୟପତ୍ର ଓ ଅଲଗା ଦସ୍ତାବିଜକୁ ନେଇ ପ୍ରିଜାଇଡିଂ ଅଫିସର ସନ୍ତୁଷ୍ଟ ହେଲେ ସେ ଭୋଟ୍ ଦେଇ ପାରିବେ । ଗଣତି ସମୟରେ ତାଙ୍କ ଭୋଟକୁ କାଉଣ୍ଟ କରାଯିବ ।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ୧୬ ତାରିଖରେ ପଡ଼ିବ । ପରେ ୧୮, ୨୦, ୨୨ ଓ ୨୪ ତାରିଖରେ ଭୋଟ୍ ଗ୍ରହଣ ହେବ ।

ସ୍ୱାଗତ ପାଇଁ ପ୍ରସ୍ତୁତ ଶ୍ରୀକ୍ଷେତ୍ର, ୧୯ରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ: ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତ ଶ୍ରୀକ୍ଷେତ୍ର । ୧୯ ତାରିଖ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ୨୦ ତାରିଖରେ ହେବାକୁ ଥିବା ଗୌଡିୟ ମଠ ଓ ଶରଧାବାଲିରେ ହେବାକୁ ଥିବା ସାଧୁ ସମ୍ମିଳନୀରେ ସାମିଲ୍ ହେବେ । ରାଷ୍ଟ୍ରପତିଙ୍କ ଏହି ଦୁଇଦିନିଆ ଗସ୍ତ ଓ ରାତ୍ରୀ ଯାପନ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ପାଇଁ ନିୟୋଜିତ ହେବେ ୪୦ ପ୍ଲାଟୁନ ପୋଲିସ୍ ଫୋର୍ସ ।

Puri All Sets For Welcome President Ramnath Kovind In 19th February

ପୁରୀ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୧୯ ତାରିଖ ଦିନ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ହେଲିକପ୍ଟର ଯୋଗେ ପୁରୀ ଯିବେ ରାଷ୍ଟ୍ରପତି । ଏକ ସ୍ୱତନ୍ତ୍ର କାରକେଡରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ପୁରୀରେ ରାତ୍ରୀଯାପନ ପରେ ୨୦ ତାରିଖ ବଡ଼ଦାଣ୍ଡ ସ୍ଥିତ ଗୌଡିୟ ମଠରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ୍ ହେବେ । ସେଠାରୁ ଶରଧାବାଲି ଯାଇ ସାଧୁ ସମ୍ମିଳନୀରେ ଏକ ଘଣ୍ଟା ଧରି ସାମିଲ୍ ହେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

Puri All Sets For Welcome President Ramnath Kovind In 19th February

ସେହିଦିନ ନିର୍ବାଚନ ଥିବାରୁ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛି ପୁରୀ ଜିଲ୍ଲା ପ୍ରଶାସନ । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୪୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୨ ଶହ ପୋଲିସ ଅଧିକାରୀ ମୁତୟନ ରହିବେ । ସେପଟେ ଗୌଡିୟ ମଠ ପରିସରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭାବେ ତୃତୀୟ ଥର ପାଇଁ ପୁରୀ ଗସ୍ତରେ ଆସୁଛନ୍ତି ।

ପଞ୍ଚାୟତ ଭୋଟ୍ ଗଣନା ଲାଗି ନିୟମାବଳୀ ଜାରି କଲେ ରାଜ୍ୟ ନିର୍ବାଚନ ଆୟୋଗ

ଭୁବନେଶ୍ୱର: ପଞ୍ଚାୟତ ଲାଗି ୧୬ରେ ହେବ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ । ଶାନ୍ତି, ଶୃଙ୍ଖଳାର ସହ ମତଦାନ ଓ ମତଗଣନା ଉପେ ରାଜ୍ୟ ନିର୍ବାଚନ ଆୟୋଗ ଧ୍ୟାନ ଦେଇଛନ୍ତି । ପ୍ରଥମ ଥର ପାଇଁ ପଞ୍ଚାୟତ ନିର୍ବାଚନର ମତଗଣନା ପ୍ରତ୍ୟେକ ବ୍ଲକ୍‌ ମୁଖ୍ୟାଳୟରେ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି । ଜିଲ୍ଲା ନିର୍ବାଚନ ଅଧିକାରୀ ହିସାବରେ ଜିଲ୍ଲାପାଳମାନେ ବ୍ୟକ୍ତିଗତ ଭାବେ ଭୋଟଗଣତି କେନ୍ଦ୍ର ନିର୍ଣ୍ଣୟଠାରୁ ସମ୍ପୂର୍ଣ୍ଣ ମତଗଣନା ପ୍ରକ୍ରିୟା ଓ ନିର୍ବାଚନ ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ତଦାରଖ କରିବେ ।

ନିର୍ବାଚନ ଅଧିକାରୀମାନେ ଭୋଟଗଣତି କେନ୍ଦ୍ର ନିରୂପଣ କରିବେ । ଯେଉଁଠାରେ ପର୍ଯ୍ୟାପ୍ତ ସ୍ଥାନ ଥିବ ଓ ନିର୍ବାଚନ ଅଧିକାରୀଙ୍କ ସହ ଗଣତି କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀମାନେ ଆରାମରେ ଭୋଟଗଣତି କାର୍ଯ୍ୟ ସମ୍ପାଦନ କରିପାରିବେ । ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀୱାରି ଭୋଟଗଣତି କାର୍ଯ୍ୟ ଗୋଟିଏ ବଡ଼ ହଲ୍‌ରେ କରାଯିବ । ବ୍ଲକ ମୁଖ୍ୟାଳୟରେ ମତ ଗଣନା କାର୍ଯ୍ୟ ତିନିଦିନ ଧରି ଚାଲିବ, ଯେମିତିକି ଗୋଟିଏ ବ୍ଲକ୍‌ ସମସ୍ତ ଜିଲ୍ଲା ପରିଷଦ ମଣ୍ଡଳୀର ଭୋଟଗୁଡ଼ିକର ଗଣତି କାର୍ଯ୍ୟ ତିନିଦିନ ମଧ୍ୟରେ ଶେଷ ହେବ । ପ୍ରତ୍ୟେକ ବ୍ଲକର ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀ ଅନୁସାରେ ନିର୍ବାଚନ ଅଧିକାରୀମାନେ କେତେଗୋଟି ଭୋଟ ଗଣତି କେନ୍ଦ୍ର ସ୍ଥାପନ କରାଯିବ, ତାହା ନିରୁପଣ କରିବେ ।

କୌଣସି ଏକ ବ୍ଲକରେ ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀ ତିନିରୁ ଅଧିକ ଥିଲେ ସେଠାରେ ଏକରୁ ଅଧିକ ମତଗଣନା କେନ୍ଦ୍ର ହେବ । ଗୋଟିଏ ବ୍ଲକର ମତଗଣନା କାର୍ଯ୍ୟ ନିଶ୍ଚିତ ଭାବେ ତିନି ଦିନ ମଧ୍ୟରେ ଶେଷ କରିବା ଲାଗି ନିର୍ବାଚନ ଅଧିକାରୀମାନେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ମତଗଣନା କେନ୍ଦ୍ର ବ୍ଲକ ମୁଖ୍ୟାଳୟ ନିକଟରେ ହେବା ଉଚିତ୍ । ଯଦି ସେଠାରେ ମତଗଣନା କେନ୍ଦ୍ର ନିମନ୍ତେ ପର୍ଯ୍ୟାପ୍ତ ସ୍ଥାନ ନଥିବ, ତାହେଲେ ବ୍ଲକ୍‌ ମୁଖ୍ୟାଳୟରେ ଥିବା ସରକାରୀ କୋଠାଘର, ବିଶେଷ କରି ମହାବିଦ୍ୟାଳୟ କିମ୍ବା ଉଚ୍ଚ ବିଦ୍ୟାଳୟ କୋଠାଘରେ ମତଗଣନା କେନ୍ଦ୍ର ସ୍ଥାପନ କରାଯିବ । ପ୍ରତ୍ୟେକ ମତଗଣନା କେନ୍ଦ୍ରରେ ପର୍ଯ୍ୟାପ୍ତ ସ୍ଥାନ ସହ ଅଲଗା ଅଲଗା ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ରହିବା ଉଚିତ୍ । ଏତଦ୍‌ବ୍ୟତୀତ ମତଗଣନା କେନ୍ଦ୍ର ନିକଟରେ ଷ୍ଟ୍ରଙ୍ଗରୁମ୍‌ ନିମନ୍ତେ ଏକ ବଡ଼ କୋଠରୀ ରହିବା ନିତାନ୍ତ ଜରୁରୀ । ଏଠାରେ ଭୋଟ୍ ଗ୍ରହଣ ପରେ ଭୋଟବାକ୍ସ ସହ ଭୋଟ ଗ୍ରହଣ ସମ୍ପର୍କିତ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକୁ ରଖାଯିବ ।

SEC Odisha Issuded Detail Guidelines For Panchayat Elections Vote Counting

ମତଗଣନା କେନ୍ଦ୍ର ଚିହ୍ନଟ କରିବା ସମୟରେ ସେଠାରେ ଆବଶ୍ୟକ ଚେୟାର, ଟେବୁଲ, ର୍ୟାମ୍ପ, ପରିସ୍ରାଗାର ଓ ପାନୀୟଜଳର ସୁବିଧା ଦିଗରେ ଦୃଷ୍ଟି ଦେବା ଉଚିତ୍ । ମତଗଣନା କାର୍ଯ୍ୟ ଅସ୍ଥାୟୀ ମତଗଣନା କେନ୍ଦ୍ରରେ କରାଯିବାକୁ ନିର୍ବାଚନ କମିଶନ ସମ୍ପୂର୍ଣ୍ଣ ବାରଣ କରିଛନ୍ତି । ରାଜନୈତିକ ଦଳମାନେ ଚାହିଁଲେ ଷ୍ଟ୍ରଙ୍ଗରୁମ୍‌ର ବାହାରେ ନିର୍ଦ୍ଧାରିତ ସ୍ଥାନରେ ରହି ଭୋଟବାକ୍ସ ଥିବା ଷ୍ଟ୍ରଙ୍ଗରୁମକୁ ଜଗି ପାରିବେ । ମତଗଣନା କେନ୍ଦ୍ରରେ ଆଲୋକ ବ୍ୟବସ୍ଥା ସହ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ନିମନ୍ତେ ବିହିତ ବ୍ୟବସ୍ଥା କରିବା ଉଚିତ୍ । ତ୍ୟେକ ମତଗଣନା କେନ୍ଦ୍ରରେ ଅଗ୍ନି ନିର୍ବାପକ ଯନ୍ତ୍ର ରହିବା ଜରୁରୀ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ପ୍ରଦାନ ନିମନ୍ତେ ପ୍ରତ୍ୟେକ ମତଗଣନା କେନ୍ଦ୍ରରେ ଆବଶ୍ୟକ ଡାକବାଜି ଯନ୍ତ୍ରର ବ୍ୟବସ୍ଥା କରିବା ଦରକାର ।

ଏକ ଆଦର୍ଶ ମତଗଣନା କେନ୍ଦ୍ରର ଆକାର ୩୫’X୨୦’ ଫୁଟ ହେବା ଉଚିତ, ଯେଉଁଠାରେ ୮ଟି ଗ୍ରାମପଞ୍ଚାୟତର ଭୋଟଗଣତି ଗୋଟିଏ ହଲ୍‌ରେ କରାଯାଇପାରିବ । ମତଗଣନା ଟେବୁଲ ସମ୍ମୁଖରେ ଏକ ବେଞ୍ଚରେ କାଉଣ୍ଟିଂ ଏଜେଣ୍ଟମାନଙ୍କ ବସିବା ପାଇଁ ବ୍ୟବସ୍ଥା କରାଯିବ । ମତ ଗଣନା କେନ୍ଦ୍ର ନିକଟରେ ହୋଇଥିବା ଷ୍ଟ୍ରଙ୍ଗ ରୁମ୍‌ଟି ୨୪ ଘଣ୍ଟିଆ ସିସିଟିଭି ନଜରରେ ରହିବ । ଷ୍ଟ୍ରଙ୍ଗରୁମ୍‌କୁ ବାଲାଟ୍‌ ବକ୍ସ ଆସିବାର ଗୋଟିଏ ଦିନ ପୂର୍ବରୁ ସିସିଟିଭି ଲାଗିବ ଓ ଭୋଟଗଣତି, ନିର୍ବାଚନ ଫଳ ଘୋଷଣା ଶେଷ ହେବା ପର୍ଯ୍ୟନ୍ତ ଏହା କାର୍ଯ୍ୟ କରିବ । ଷ୍ଟ୍ରଙ୍ଗରୁମ୍‌ ବାହାରେ ଦ୍ୱିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ୨୪ ଘଣ୍ଟିଆ କାର୍ଯ୍ୟ କରିବ । ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କୁ ଷ୍ଟ୍ରଙ୍ଗରୁମ୍‌ର ସୁରକ୍ଷା ପର୍ଯ୍ୟବେକ୍ଷଣ ନିମନ୍ତେ ପତ୍ର ମାଧ୍ୟମରେ ଜଣାଇ ଦିଆଯିବ । ଏତଦବ୍ୟତୀତ ମତଗଣନାର ୭୨ ଘଣ୍ଟା ପୂର୍ବରୁ ମତଗଣନା ସମ୍ପର୍କରେ ସମସ୍ତ ପ୍ରାର୍ଥୀଙ୍କୁ ଲିଖିତ ଆକାରରେ ଜଣାଇ ଦିଆଯିବ ।

ଗୋଟିଏ ମତଗଣନା ଟେବୁଲ୍‌ ପାଇଁ ଜଣେ କାଉଣ୍ଟିଂ ସୁପରଭାଇଜର, ଦୁଇଜଣ କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏହିପରି ୪ ଜଣଙ୍କୁ ନିର୍ବାଚନ ଅଧିକାରୀ ନିୟୋଜିତ କରିବେ । ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟ ପଦ ନିମନ୍ତେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ କେବଳ ଜଣେ ଲେଖାଏଁ କାଉଣ୍ଟିଂ ଏଜେଣ୍ଟ ନିଯୁକ୍ତ କରିପାରିବେ । ସେହିଭଳି ଜିଲ୍ଲା ପରିଷଦ ସଭ୍ୟ ପଦବୀ ନିମନ୍ତେ ଲଢ଼ୁଥିବା ପ୍ରାର୍ଥୀମାନେ ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀରେ ଥିବା ପଞ୍ଚାୟତ ସଂଖ୍ୟା ଅନୁସାରେ କାଉଣ୍ଟିଂ ଏଜେଣ୍ଟ ନିଯୁକ୍ତ କରିବେ । ନିର୍ବାଚନ କମିଶନରଙ୍କ ଦ୍ୱାରା ଧାର୍ଯ୍ୟ ତାରିଖ ଓ ସମୟରେ ମତଗଣନା କାର୍ଯ୍ୟ ଆରମ୍ଭ ହେବ । ମତଗଣନାରେ ନିୟୋଜିତ ଥିବା କର୍ମଚାରୀମାନେ ମତଗଣନା ନିମନ୍ତେ ଧାର୍ଯ୍ୟ ସମୟର ୧୫ ମିନିଟ୍‌ ପୂର୍ବରୁ ମତଗଣନା କେନ୍ଦ୍ରରେ ଉପସ୍ଥିତ ରହିବେ । ମତଗଣନା ସମ୍ପର୍କିତ ସମସ୍ତ କାର୍ଯ୍ୟର ଭିଡ଼ିଓଗ୍ରାଫି କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।