ମୋବାଇଲ ଲାଇଟରେ ରୋଗୀ ଚିକିତ୍ସା। ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର କି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ନୁହେଁ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏପରି ଘଟଣା ଘଟିଛି। ଏହା ହେଉଛି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦୃଶ୍ୟ। ଲାଇନ ପଳାଇଥିଲା। ଜେନେରେଟର ଅଚଳ। ୩ ଘଣ୍ଟା ଧରି ଏପରି ଅବସ୍ଥା। ରୋଗୀ ସେବା ପୂରା ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲା।
ଡାକ୍ତର ବାଧ୍ୟ ହୋଇ ମୋବାଇଲ ଲାଇଟରେ ରୋଗୀ ଦେଖିଥିଲେ। ଲିଫ୍ଟ ବି ଅଚଳ ହୋଇ ପଡ଼ିଥିଲା। ଓପିଡି, ସ୍ତ୍ରୀ ଓ ପ୍ରସୂତି ବିଭାଗ, ଭେଷଜ ବିଭାଗ, ରକ୍ତ ନମୁନା ସଂଗ୍ରହ କେନ୍ଦ୍ରରେ ନାହିଁ ନ ଥିବା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ ନେଇ ରୋଗୀ ଓ ସେମାନଙ୍କ ସଂପର୍କୀୟ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସକାଳ ୯ଟାରୁ ୧.୩୦ଟା ଯାଏ ବିଦ୍ୟୁତ କାଟ ପାଇଁ ଗତକାଲିଠୁ TPSODL ପକ୍ଷରୁ ଘୋଷଣା କରାାଯାଇଥିଲା। କିନ୍ତୁ ବିକଳ୍ପ ବ୍ୟବସ୍ଥା କରିନଥିଲେ ହସପିଟାଲ କର୍ତ୍ତୃପକ୍ଷ। ୩ ଘଣ୍ଟା ପରେ ଯାଇ ଠିକ ହୋଇଥିଲା ଜେନେରେଟର।
ପାର୍ଲାମେଣ୍ଟ ସୁରକ୍ଷାରେ ତ୍ରୁଟି, ଜଣେ ବ୍ୟକ୍ତି ଅନଧିକାର ଭାବେ ପ୍ରବେଶ କରିଥିବା ଅଭିଯୋଗ
ନୂଆଦିଲ୍ଲୀ ; ପାର୍ଲାମେଣ୍ଟ ସୁରକ୍ଷାରେ ତ୍ରୁଟି। ଜଣେ ବ୍ୟକ୍ତି ସଂସଦ ଭବନ ପରିସରରେ ପ୍ରବେଶ କରିଥିବାର ଅଭିଯୋଗ ହୋଇଛି। ସେହି ବ୍ୟକ୍ତି ଜଣକ ଗଛରେ ଚଢ଼ି, ସେଇଠୁ ୨୦ ମିଟର ଉଚ୍ଚ ପାଚେରୀ ଡେଇଁ ସଂସଦ ଭବନ ପରିସରରେ ପହଞ୍ଚିଥିଲା। ଆଜି ସକାଳ ସାଢ଼େ ୬ଟାରେ ଏହା ଘଟିଛି। ସେହି ବ୍ୟକ୍ତିର ନାଁର ରାମା। ରେଳ ଭବନ ପାର୍ଶ୍ୱରୁ କାନ୍ଥ ଡେଇଁ ନୂତନ ସଂସଦ ଭବନର ଗରୁଡ଼ ଫାଟକରେ ସେ ପହଞ୍ଚିଥିଲା। ଗରୁଡ଼ ଦ୍ୱାର ପାଚେରୀରୁ ପ୍ରାୟ ୧୫ ମିଟର ଦୂର। ସୁରକ୍ଷା କର୍ମୀମାନେ ସେହି ଅନୁପ୍ରବେଶକାରୀଙ୍କୁ ଧରିଛନ୍ତି। ତାଙ୍କୁ ପଚରାଉଚରା କରାଯାଉଛି ବୋଲି ଅଧିକାରୀମାନେ କହିଛନ୍ତି। ଦିଲ୍ଲୀ ପୋଲିସର କହିବା ଅନୁସାରେ, ସେହି ବ୍ୟକ୍ତି ଜଣକ ମାନସିକ ଭାବେ ସୁସ୍ଥ ନୁହେଁ। ଗତ ବର୍ଷ ମଧ୍ୟ ଏପରି ସୁରକ୍ଷାରେ ତ୍ରୁଟି ହୋଇଥିଲା। 20 ବର୍ଷର ଜଣେ ବ୍ୟକ୍ତି ସଂସଦ କାନ୍ଥ ଡେଇଁ ସଂସଦ ଭବନ କୋଠା ପରିସର ଭିତରକୁ ଡେଇଁ ପଡ଼ିଥିଲା। ସଶସ୍ତ୍ର CISF ଯବାନମାନେ ତାଙ୍କୁ କାବୁ କରିଥିଲେ।
୧ ମିନିଟରେ ୧୧ଟି ମିସାଇଲ ମାଡ଼ କଲା ଇରାନ
ନନ୍ଦିଘୋଷ ବ୍ୟୁରୋ : ଇସ୍ରାଏଲ ସହ ୧୨ ଦିନିଆ ଯୁଦ୍ଧ ପରେ ଇରାନର ନୌସେନା ପ୍ରଥମ ଥର ପାଇଁ ସାମରିକ ଅଭ୍ୟାସ କରିଛି। ଏକ ରିପୋର୍ଟ ଅନୁଯାୟୀ, ଏହି ସାମରିକ ଅଭ୍ୟାସକୁ ସଷ୍ଟେନେବଲ୍ ପାୱାର ୧୪୦୪ ନାମ ଦିଆଯାଇଛି। ନୌସେନା ଅଭ୍ୟାସ ସମୟରେ, ଇରାନ ନୌସେନା ମାତ୍ର ୧ ମିନିଟରେ ୧୧ଟି ମିସାଇଲ ମାଡ କରିଛି। ଏହି କ୍ଷେପଣାସ୍ତ୍ରଗୁଡ଼ିକ ଓମାନ ଉପସାଗର ଏବଂ ଭାରତ ମହାସାଗରରେ ସମୁଦ୍ର ଲକ୍ଷ୍ୟସ୍ଥଳରେ ନିକ୍ଷେପ କରାଯାଇଥିଲା। ୧୨ ଦିନିଆ ଯୁଦ୍ଧ ସମୟରେ ଇସ୍ରାଏଲ ଇରାନର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଥିଲା । ଅନେକ ପରମାଣୁ ପ୍ରତିଷ୍ଠାନକୁ ମଧ୍ୟ ଟାର୍ଗେଟ କରିଥିଲା। ଏପରି ପରିସ୍ଥିତିରେ, ଏହି ସାମରିକ ଅଭ୍ୟାସକୁ ଇରାନ ନିଜର ସାମରିକ ଶକ୍ତି ପ୍ରଦର୍ଶନ କରିବା ଏବଂ ଶତ୍ରୁମାନଙ୍କୁ ସତର୍କ କରାଇବାର ଏକ ପ୍ରୟାସ ବୋଲି ବିବେଚନା କରାଯାଉଛି।
ସରକାରୀ ଟିଭି ରିପୋର୍ଟ କରିଛି ଯେ ଇରାନୀ ନୌସେନା ଯୁଦ୍ଧଜାହାଜ IRIS ସବାଲାନ ଏବଂ IRIS ଗାନାଭେ ନାସିର ଓ କାଦିର କ୍ରୁଜ୍ ମିସାଇଲ ନିକ୍ଷେପ କରିଥିଲେ, ଯାହା ସଫଳତାର ସହ ସେମାନଙ୍କ ଲକ୍ଷ୍ୟସ୍ଥଳକୁ ଛୁଇଁଥିଲା। ଏହା ବ୍ୟତୀତ ଉପକୂଳ ବ୍ୟାଟେରୀରୁ ମଧ୍ୟ ମିସାଇଲ ନିକ୍ଷେପ କରାଯାଇଥିଲା ଏବଂ ଡ୍ରୋନ୍ ମାଧ୍ୟମରେ ସାମୁଦ୍ରିକ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରାଯାଇଥିଲା। ଏହି ନୌସେନା ଅଭ୍ୟାସ ଓମାନ ଉପସାଗର ଏବଂ ଉତ୍ତର ଭାରତ ମହାସାଗରରେ ବିସ୍ତାରିତ ଅଞ୍ଚଳରେ କରାଯାଇଥିଲା।
ଗତ ମାସରେ ଇରାନ ଓ ରୁଷ କାସରେକ୍ସ ୨୦୨୫ ନାମକ ଏକ ମିଳିତ ଅଭ୍ୟାସ କରିଥିଲେ। ଏବେ ଇରାନ ଦକ୍ଷିଣ ସମୁଦ୍ର ଅଞ୍ଚଳରେ ଏକାକୀ ନିଜର ଶକ୍ତି ପ୍ରଦର୍ଶନ କରିଛି। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି ଅଭ୍ୟାସ କେବଳ ଶକ୍ତି ପ୍ରଦର୍ଶନ ନୁହେଁ, ବରଂ ଇସ୍ରାଏଲକୁ ଏକ ବାର୍ତ୍ତା ଯେ ଇରାନ ଏବେ ବି ପ୍ରତିଶୋଧ ନେବାର ସ୍ଥିତିରେ ଅଛି।
ଭିଜିଲାନ୍ସ ଜାଲରେ ସିନିୟର ଆସିଷ୍ଟାଣ୍ଟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
ନନ୍ଦିଘୋଷ ବ୍ୟୁରୋ : ଭିଜିଲାନ୍ସ ଜାଲରେ ସିନିୟର ଆସିଷ୍ଟାଣ୍ଟ। କଟକ ସିଟି ହସ୍ପିଟାଲ ସିନିୟର ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରିଛି ଭିଜିଲାନ୍ସ। ସରକାରୀ ଅର୍ଥ ହେରଫେର ଅଭିଯୋଗରେ ରେଡ୍ କରୁଛି। ୧ କୋଟି ୨୪ ଲକ୍ଷ ଟଙ୍କା ସରକାରୀ ଫଣ୍ଡ ହେରଫେର କରିଥିବା ଅଭିଯୋଗ ରହିଛି। ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୫ଟି ସ୍ଥାନରେ ରେଡ୍ ଚାଲିଛି। ରେଡରେ ୯ ଡିଏସପି, ୧୦ ଇନ୍ସପେକ୍ଟର, ୭ ଏଏସଆଇ ସମେତ ଅନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି। କଟକ ନୂଆସାହି ସ୍ଥିତ ୩ ମହଲା କୋଠାରେ ରେଡ୍ କରୁଛି ଭିଜିଲାନ୍ସ। ଏହାସହ ଚୌଦ୍ଵାର ପଳାସିଆରେ ଥିବା ଘର ଓ ଫାର୍ମ, କଟକ ତୁଳସୀପୁର ଦେଉଳସାହିରେ ଥିବା ସମ୍ପର୍କୀୟଙ୍କ ଘର, କଟକ କିଶୋରନଗର ଉତ୍ତରକୁଳରେ ଥିବା ପୈତୃକ ଘରେ ରେଡ୍ କରୁଛି ଭିଜିଲାନ୍ସ.। ରେଡରୁ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଛି। ତାଙ୍କର ମୋଟ ୧୯ଟି ପ୍ଲଟ ରହିଛି। ଏହି ସବୁ ପ୍ଲଟର ଦାମ କୋଟି କୋଟି ଟଙ୍କା ହେବା ଅନୁମାନ କରାଯାଉଛି। ତାଙ୍କର ରହିଛି ୨ଟି କୋଠା, ସାଢେ ୩ ଲକ୍ଷ କ୍ୟାସ ଉଦ୍ଧାର ହୋଇଥିବାବେଳେ ୪୪ ଲକ୍ଷ ୪୬ ହଜାର ଟଙ୍କାର ବ୍ୟାଙ୍କ ଓ ବୀମା ଜମା ଠାବ ହୋଇଛି।

