spot_img
Home Blog Page 4615

ରାଜ୍ୟରେ କମୁଛି ବେକାରୀ, ବଢୁଛି ରୋଜଗାର

ଭୁବନେଶ୍ବର: ରାଜ୍ୟରେ ବଢୁଛି ରୋଜଗାର । ବେକାରୀ ହାରରେ ରେକର୍ଡ ପରିମାଣର ହ୍ରାସ । ଭିତ୍ତିଭୂମିକୁ ଫୋକସ ସହ ଖଣି କାରବାର ଏବଂ ବ୍ୟାପକ ଶିଳ୍ପାୟନ ଯୋଗୁଁ ଲୋକଙ୍କୁ ମିଳୁଛି କାମ । ବେକାରୀ ଉପରେ ଅଧ୍ୟୟନ କରୁଥିବା ସିଏମ୍ଆଇଇର ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ଗତ ଏପ୍ରିଲ ୨୦୨୦ରେ ରାଜ୍ୟରେ ବେକାରୀ ହାର ୨୩.୮ପ୍ରତିଶତ ଥିଲା । ଦୁଇବର୍ଷରେ ୨୦୨୨ ଜାନୁଆରୀ ସୁଦ୍ଧା ଏହା ୧.୮କୁ ଖସିଛି । ଯଦିଓ ସାରା ଦେଶରେ ବେକାରୀ ହାର କମିଛି, ହେଲେ ଓଡ଼ିଶା ଜାତୀୟ ହାରଠାରୁ ତଳେ ରହିବା ଏବଂ ଅନ୍ୟ ବଡ଼ ବଡ଼ ରାଜ୍ୟକୁ ପଛରେ ପକାଇବା ରାଜ୍ୟ ସରକାରଙ୍କ ଆନ୍ତରିକତା ଯୋଗୁଁ ସମ୍ଭବ ହୋଇଛି । ରାସ୍ତା, ଜଳସେଚନ ଓ ଭିତ୍ତିଭୂମି ଉପରେ ଗୁରୁତ୍ବ ସହ ବ୍ୟାପକ ଶିଳ୍ପାୟନ ଏବଂ ଖଣି କାରବାରରେ ବୃଦ୍ଧି ଯୋଗୁଁ ବେକାରୀ ହାର କମିଛି ।

ଜାତୀୟ ସ୍ତରର ବେକାରୀ ହାର ୬.୫୭ ପ୍ରତିଶତ ଥିବା ବେଳେ ଓଡ଼ିଶା ଆଖି ଦୃଶିଆ ଉନ୍ନତି କରିଛି । ହରିୟାଣାରେ ବେକାରୀ ହାର ସର୍ବାଧିକ ୨୩.୪ ଥିବା ବେଳେ ରାଜସ୍ଥାନରେ ଅଛି ୧୮.୯ ରହିଛି । ଦିଲ୍ଲୀରେ ୧୪.୧, ଆସାମରେ ୮.୫, ବିହାରରେ ୧୩.୩, ପଞ୍ଜାବରେ ୯, ପଶ୍ଚିମବଙ୍ଗରେ ୬.୪, ଝାଡ଼ଖଣ୍ଡରେ ୮.୯ ଏବଂ ତାମିଲନାଡ଼ୁରେ ୫.୩ ପ୍ରତିଶତ ବେକାରୀ ହାର ରହିଛି । ରାଜ୍ୟ ସରକାରଙ୍କ ଉପଯୁକ୍ତ ଆର୍ଥିକ ପରିଚାଳନା ସାଙ୍ଗକୁ ଗ୍ରାମାଞ୍ଚଳର ସାମଗ୍ରିକ ବିକାଶ ଉପରେ ଗୁରୁତ୍ବ ଦିଆଯାଇଥିବାରୁ ଲୋକ ଅଧିକ ରୋଜଗାର ପାଇଛନ୍ତି । ମନରେଗାରେ ବି ରାଜ୍ୟ ସରକାର ନିଜସ୍ବ ପୁଞ୍ଜିରୁ ଅଧିକ କର୍ମ ନିଯୁକ୍ତି ସୃଷ୍ଟି କରିଛନ୍ତି । ମହିଳା ସଶକ୍ତୀକରଣ ଉପରେ ଅଧିକ ଫୋକସ ଥିବାରୁ ଅନେକ ମହିଳାଙ୍କୁ କାମ ମିଳିଛି ।

ଜୀବନ ଓ ଜୀବିକାକୁ ସମାନ ଭାବେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ରାଜ୍ୟରେ ଅଧିକ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ରାଜ୍ୟ ଅର୍ଥନୀତିର ଅଭିବୃଦ୍ଧିକୁ ଦର୍ଶାଉଛି ।

କେନ୍ଦ୍ରର ଏତେ ଟାଳଟୁଳ ନୀତି କାହିଁକି ?

ଭୁବନେଶ୍ବର: ପ୍ରତିଶ୍ରୁତିରେ ରହିଗଲା ଚାଷୀଙ୍କ ଆୟ ବୃଦ୍ଧି ଘୋଷଣା । କେବେ ଦେଢ଼ଗୁଣା ହେବ ଧାନର ଏମ୍‌ଏସ୍‌ପି ? ସ୍ବାମୀନାଥନ କମିଶନ ସୁପାରିସକୁ କାହିଁକି ପୂର୍ଣ୍ଣମାତ୍ରାରେ ଲାଗୁ କରାଯାଉନି ? ମୁଖ୍ୟମନ୍ତ୍ରୀ ବାରମ୍ବାର ଏନେଇ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରୁଥିବା ବେଳେ ଆଜି ରାଜ୍ୟସଭାରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀଙ୍କୁ ଘେରିଛନ୍ତି ବିଜେଡି ସାଂସଦ । ୨୦୦୪ରେ କେନ୍ଦ୍ର ସରକାର ସ୍ବାମୀନାଥନ କମିଶନ ବସାଇଥିଲେ । ୨୦୦୬ରେ କମିଶନ ୨୧୫ଟି ସୁପାରିସ କେନ୍ଦ୍ରକୁ ଦେଇଥିଲେ । ସୁପାରିସ ଅନୁଧ୍ୟାନ ପାଇଁ ୨୦୦୭ରେ ଗଠନ ହୋଇଥିଲା ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି । କମିଶନଙ୍କ ୧୪ଟି ପ୍ରସ୍ତାବକୁ କମିଟି ଅଗ୍ରାହ୍ୟ କରିଦେଇଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ଦେଢ଼ଗୁଣା କରିବାକୁ କମିଶନଙ୍କ ସୁପାରିସକୁ କେନ୍ଦ୍ର ଗ୍ରହଣ କରିଥିଲେ ବି ଏଯାଏଁ କାର୍ଯ୍ୟକାରୀ ହେଉନି ।

ବିଜେଡି ସାଂସଦଙ୍କ ପ୍ରଶ୍ନର ଉତ୍ତର କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧୁରୀ ରଖିଥିଲେ ବି ୧୪ଟି ପ୍ରସ୍ତାବ କାହିଁକି କାଟ ଖାଇଲା, ସେନେଇ କୌଣସି ସ୍ପଷ୍ଟ ସୂଚନା ଦେଇପାରିନାହାନ୍ତି । ସେହିଭଳି ଗ୍ରହଣ ହୋଇଥିବା ୨୦୧ଟି ପ୍ରସ୍ତାବକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଯାଉ ନଥିବାରୁ ଧାନର ଏମଏସପି ବଢୁନି । ଫଳରେ ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ପାଇପାରୁନାହାନ୍ତି ।

ଚାଷୀଙ୍କ ଆୟ ବୃଦ୍ଧିକୁ ଏଥରର କେନ୍ଦ୍ରୀୟ ବଜେଟରେ ଗୁରୁତ୍ବ ଦିଆଯାଇଥିବା କୁହାଯାଉଥିଲେ ବି ଚାଷୀଙ୍କ ସ୍ବାର୍ଥ ରକ୍ଷା ଲାଗି ସ୍ବାମୀନାଥନ କମିଶନ ସୁପାରିସ ଲାଗୁ କରିବା ଦିଗରେ କେନ୍ଦ୍ରର ଟାଳଟୁଳ ନୀତିକୁ ବିଜେଡି ସମାଲୋଚନା କରିଛି । ପୂର୍ବରୁ ଓଡ଼ିଶା ବିଧାନସଭାରେ ମଧ୍ୟ ଏମଏସପି ୨୯୩୦ ଟଙ୍କା ଧାର୍ଯ୍ୟ କରିବାକୁ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରି କେନ୍ଦ୍ରକୁ ଦିଆଯାଇଥିଲା । ଯାହାକୁ କେନ୍ଦ୍ର ସରକାର ଗ୍ରହଣ କରିନାହାନ୍ତି ।

ଅମ୍ବାନୀଙ୍କୁ ପଛରେ ପକାଇ ଏସିଆର ସବୁଠୁ ଧନୀ ବ୍ୟକ୍ତି ହେଲେ ଆଦାନୀ

ନୂଆଦିଲ୍ଲୀ: ଆଦାନୀ ଏବେ ଏସିଆର ସବୁଠୁ ଧନୀ ବ୍ୟକ୍ତି । ଅମ୍ବାନୀଙ୍କୁ ପଛରେ ପକାଇ ଧନୀ ତାଲିକାର ଏକକୁ ଉଠିଲେ ।  ଫୋର୍ବସ ରିୟଲ ଟାଇମ ବିଲେନିୟର୍ସ ରିପୋଟରେ ଗୌତମ ଅଦାନୀ ୯୦ ବିଲିୟନ ଡଲାର ସହ ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ସ୍ଥାନିତ ହୋଇଛନ୍ତି । ଅନ୍ୟପଟେ ଦେଶର ଟପ୍ ୧ରେ ଥିବା ମୁକେଶ ଅମ୍ବାନୀ ୮୯ ବିଲିୟନ ଡଲାର ସହ ୧୧ ନମ୍ବର ସ୍ଥାନରେ ରହିଛନ୍ତି । ଫୋବର୍ସ ପକ୍ଷରୁ ଜାରି କରାଯାଇଥିବା ରିଅଲ୍ ଟାଇମ୍ ଲିଷ୍ଟ ଅନୁଯାୟୀ, ଗୌତମ ଆଦାନୀ ଏବଂ ଫ୍ୟାମିଲି ପାଖରେ ଏବେ ୯୦ ବିଲିୟନ ଡଲାର ସମ୍ପତ୍ତି ରହିଛି । ଯାହା ଫଳରେ ସେ ବିଶ୍ବର ଧନୀ ତାଲିକାରେ ୧୦ମ ସ୍ଥାନରେ ରହିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ତାଙ୍କ ସମ୍ପତ୍ତି ପରିମାଣ ୬୭୨ ମିଲିୟନ ଡଲାର କମିଛି । ତଥାପି ସେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି ।

ସେପଟେ ସମଗ୍ର ଏସିଆ ଏବଂ ଭାରତର ଧନୀ ତାଲିକାର ଶୀର୍ଷରେ ଥିବା ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୨୪ ଘଣ୍ଟା ମଧ୍ୟରେ ୨.୨ ବିଲିୟନ ଡଲାର କମିଛି । ସେହିପରି ଫେସବୁକ୍‌ ସିଇଓ ମାର୍କ ଜୁକରବର୍ଗ ସବୁଠାରୁ ଅଧିକ କ୍ଷତି ସହିଛନ୍ତି । ଜୁକରବର୍ଗଙ୍କ କମ୍ପାନୀର ସେୟାରରେ ଗୁରୁବାର ପ୍ରାୟ ୨୬ ପ୍ରତିଶତ ହ୍ରାସ ପାଇଛି । ଯାହା ଫଳରେ ସେ ପ୍ରାୟ ୨୯.୭ ବିଲିୟନ ଡଲାରର କ୍ଷତି ସହିଛନ୍ତି । ତାଙ୍କର ମୋଟ ସମ୍ପତ୍ତି ପରିମାଣ ହ୍ରାସ ପାଇ ୮୪.୮ ବିଲିୟନ ଡଲାରରେ ପହଞ୍ଚିଯାଇଛି । ଅମ୍ବାନୀ ଏବଂ ଆଦାନୀଙ୍କ ପରେ ଜୁକରବର୍ଗ ଏବେ ବିଶ୍ବ ଧନୀ ତାଲିକାର ୧୨ତମ ସ୍ଥାନରେ ରହିଛନ୍ତି ।

ବିଶ୍ୱର ଧନୀ ବ୍ୟକ୍ତି ଏଲନ୍‌ ମସ୍କଙ୍କ ସମ୍ପତ୍ତି ମଧ୍ୟ ବ୍ୟାପକ ମାତ୍ରାରେ ହ୍ରାସ ପାଇଛି । ୨୪ ଘଣ୍ଟା ମଧ୍ୟରେ ଏଲନ୍‌ ମସ୍କଙ୍କ ପ୍ରାୟ ୩.୩ ବିଲିୟନ ଡଲାର ହ୍ରାସ ପାଇଛି । ଆମାଜନ୍‌ ସିଇଓ ଜେଫ୍‌ ବେଜୋସ୍‌ଙ୍କୁ ମଧ୍ୟ ବଡ କ୍ଷତି ସହିବାକୁ ପଡିଛି । ବିଶ୍ବ ଧନୀ ତାଲିକାରେ ସେ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି । ବେଜୋସ୍‌ଙ୍କ ୧୧.୮ ବିଲିୟନ ଡଲାର କ୍ଷତି ହୋଇଥିବା ବେଳେ ତାଙ୍କର ମୋଟ ସମ୍ପତ୍ତି ଏବେ ୧୬୪.୮ ବିଲିୟନ ଡଲାର ରହିଛି ।

ସୁପର ହିରୋ ଭୂମିକାରେ ମହେନ୍ଦ୍ର ସିଂ ଧୋନି

ଭୁବନେଶ୍ୱର: କ୍ରିକେଟ୍ ମଇଦାନରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଜଲୱା ସମସ୍ତେ ଦେଖିଥିବେ। ଦମଦାର୍ ପ୍ରଦର୍ଶନ ଓ ବଳିଷ୍ଠ କ୍ୟାପଟେନସିପ୍ ପାଇଁ କ୍ୟାପଟେନ୍ କୁଲ୍ ଭାବେ ଖୁବ୍ ପରିଚିତ।

ନିଆରା ଅନ୍ଦାଜ ପାଇଁ ମାହିଙ୍କ ଫ୍ୟାନ୍ ଫଲୋଇଙ୍ଗ ବି କିଛି କମ୍ ନୁହେଁ। ଆଉ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଧୋନିଙ୍କ ନୂଆ ଅବତାର। ଗ୍ରାଫିକ୍ ନୋବେଲ୍ ‘ଅଥର୍ଭ: ଦି ଅରିଜିନ୍’ରେ ମାହିଙ୍କ ଲୁକ୍ ପ୍ରଶଂସା ସାଉଁଟୁଛି। ଏହି ମେଗା ବଜେଟ ଗ୍ରାଫିକ୍ ଉପନ୍ୟାସର ମୁଖ୍ୟ ଚରିତ୍ର ଅଥର୍ଭ ଭୂମିକାରେ ଧୋନି ନଜର ଆସିଛନ୍ତି । ଏହାର ପୋଷ୍ଟର ପଦାକୁ ଆସିବା ପରେ ଲକ୍ଷଲକ୍ଷ ଲାଇକ୍ ମିଳିଛି।

ଧୋନି ଫେସବୁକ ହ୍ୟାଣ୍ଡେଲରେ ନିଜର ଅପକମିଂ ପୌରାଣିକ ୱେବ୍ ସିରିଜ ‘ଅଥର୍ଭ: ଦି ଅରିଜିନ୍’ର ପ୍ରଥମ ଲୁକ୍ ଟିଜର ସେୟାର କରିଛନ୍ତି। କ୍ୟାପସନରେ ଲେଖିଛନ୍ତି- ‘‘ନିଜର ନୂଆ ଅବତାର ବିଷୟରେ ସୂଚନା ଦେଇ ଖୁସି ଲାଗୁଛି’’।

ଧୋନିଙ୍କୁ ଯୁଦ୍ଧକ୍ଷେତ୍ରରେ ଏକ ଆନିମେଟେଡ୍ ଅବତାରରେ ଦେଖିବାକୁ ମିଳୁଛି। ଏଥିରେ ରାକ୍ଷାସଙ୍କ ସହ ଲଢୁଛନ୍ତି ଧୋନି। ସାଇନ୍ସ ଫିକ୍ସନ ଉପରେ ଆଧାରିତ ୱେବ ସିରିଜଟିର ଲେଖକ ହେଉଛନ୍ତି ରମେଶ ଥମିଲମନି। ଭିର୍ଜୁ ଷ୍ଟୁଡିଓ, ମିଦାସ ଡିଲ୍ସ କମ୍ପାନୀ ସହ ମିଶି ଏହି ନୋବେଲକୁ  ପ୍ରକାଶ କରାଯାଉଛି । ଏହି ୱେବସିରିଜର ନିର୍ମାଣ ଧୋନି ଇଣ୍ଟରଟେନମେଣ୍ଟ କମ୍ପାନୀ କରୁଛି। ଏହି କମ୍ପାନୀ ଧୋନି ଏବଂ ପତ୍ନୀ ସାକ୍ଷୀଙ୍କ ଦ୍ବାରା ୨୦୧୯ରେ ପ୍ରତିଷ୍ଠା ହୋଇଥିଲା।

ଅନ୍ତର୍ଜାତୀୟ କ୍ରିକେଟରୁ ଧୋନି ୨୦୨୦ ମସିହା ଅଗଷ୍ଟ ୧୫ରେ ଅବସର ନେଇଥିଲେ। ସେ ୩୫୦ଟି ODI,  ୯୮ଟି T-20 ଅନ୍ତର୍ଜାତୀୟ ଏବଂ ୯୦ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି।

ବରଦାସ୍ତ କରାଯିବନି କେନ୍ଦ୍ର ଅବହେଳା

ନୂଆଦିଲ୍ଲୀ: ବରଦାସ୍ତ ନୁହେଁ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟକୁ ଅବହେଳା ବିରୋଧରେ ଶାଣିତ ହେବ ସ୍ବର । ବିଜେଡି ସାଂସଦମାନେ ସଂସଦରେ ଉଷୁନା ଚାଉଳ ଉଠାଣ ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଘେରିଛନ୍ତି । ବାରମ୍ବାର ଅନୁରୋଧ ସତ୍ତ୍ବେ କେନ୍ଦ୍ର ସରକାର ବଳକା ଉଷୁନା ଚାଉଳ ଉଠାଉ ନଥିବାରୁ ରାଜ୍ୟସଭାର ଶୂନ୍ୟକାଳରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠିଛି । ରାଜ୍ୟର ହାରାହାରି ୧୫ ଲକ୍ଷ ମେଟ୍ରିକ ଟନ ବଳକା ଉଷୁନା ଚାଉଳ ଉଠାଇବାକୁ ଦାବି କରିଛି ବିଜେଡି ।

କୃଷି ପ୍ରଧାନ ରାଜ୍ୟ ଓଡ଼ିଶାକୁ କେନ୍ଦ୍ରର ଅବହେଳା । ଏଫ୍‌ସିଆଇ ଉଠାଉନି ବଳକା ଉଷୁନା ଚାଉଳ । ଏଫ୍‌ସିଆର ମନମୁଖୀ କାର୍ଯ୍ୟ ବିରୋଧରେ ଗର୍ଜିଛନ୍ତି ବିଜେଡି ସାଂସଦ । ସଂସଦରେ ପୁଣି ଉଠିଲା ବଳକା ଉଷୁନା ଚାଉଳ ଉଠାଣ ପ୍ରସଙ୍ଗ ।

୨୦୨୧-୨୨ ଖରିଫ ଋତୁରେ ୫୨ ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି । ସେ ମଧ୍ୟରୁ ରାଜ୍ୟର ନିଜସ୍ବ ବ୍ୟବହାର ପାଇଁ ଖର୍ଚ୍ଚ ହେବ ୩୦ ଲକ୍ଷ ମେଟ୍ରିକ ଟନ । ରାଜ୍ୟରେ ଉତ୍ପାଦିତ ଚାଉଳ ମଧ୍ୟରୁ ୯୦ ପ୍ରତିଶତ ଉଷୁନା ଚାଉଳ । ଏଫସିଆଇ ଏବର୍ଷ ୫ ଲକ୍ଷ ମେଟ୍ରିକ ଟନ୍ ଉଷୁନା ଓ ୨ଲକ୍ଷ ମେଟ୍ରିକ ଟନ ଅରୁଆ ଚାଉଳ ଉଠାଇବାକୁ ଲକ୍ଷ୍ୟ ରଖିଛି । ଏହାଦ୍ବାରା ପ୍ରାୟ ୧୫ ଲକ୍ଷ ମେଟ୍ରିକ ଟନ ଚାଉଳ ଉଠିପାରିବନି । ତେବେ ଉଷୁନା ଚାଉଳ ପ୍ରସଙ୍ଗରେ ବିଜେଡିର ଯୁକ୍ତି ଗ୍ରହଣ କରିପାରୁନି ବିଜେପି ।

ଏଫ୍‌ସିଆଇର ମନମୁଖୀ କାର୍ଯ୍ୟ ବିରୋଧରେ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକାଧିକ ଥର ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଉଷୁନା ଚାଉଳ ଉଠାଣ ସମସ୍ୟା କେବଳ ଓଡିଶାର ନୁହେଁ, ଝାଡ଼ଖଣ୍ଡ, ଛତିଶଗଡ଼ ଭଳି ରାଜ୍ୟ ବି ଏହି ସମସ୍ୟା ଭୋଗୁଛନ୍ତି । ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ରର ଏଭଳି ମନମୁଖୀ କାର୍ଯ୍ୟକୁ ଓଡ଼ିଶା ବିରୋଧ କରିବ, ଏଥିରେ କୌଣସି ସାଲିସ କରାଯିବନି ବୋଲି କହିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର ।

ଓଡ଼ିଶା ଚାଷୀଙ୍କ ସ୍ବାର୍ଥ ପାଇଁ ବିଜେଡି ସଂସଦରେ ଲଢ଼େଇ କରୁଛି । କେନ୍ଦ୍ର ସରକାର ଚାଷୀଙ୍କ ବିକାଶ କଥା କହୁଥିଲେ ବି କାର୍ଯ୍ୟରେ ପ୍ରତିଫଳିତ ହେଉନାହିଁ । ଉଷୁନା ଚାଉଳ ଉଠାଣ ପ୍ରସଙ୍ଗରେ ଏଫସିଆଇର ଏକତରଫା ନିଷ୍ପତ୍ତିରୁ ଏହା ପ୍ରମାଣିତ ହେଉଛି ବୋଲି ବିଜେଡି ଅଭିଯୋଗ କରିଛି ।

ଟଙ୍କା ନେଇ ସରକାରୀ ଘର ବାଣ୍ଟୁଛନ୍ତି ପୂର୍ବତନ କର୍ପୋରେଟରଙ୍କ ସ୍ବାମୀ

କଟକ: କଟକରେ ସରକାରୀ ଘର ଲୁଟ । ସରକାରୀ ଘରକୁ କବଜା କରି ଏକାଧିକ ଲୋକଙ୍କୁ ଲକ୍ଷାଧିକ ଟଙ୍କାରେ କରାଯାଉଛି ବିକ୍ରି । ଘର ଦେବାକୁ ପୂର୍ବତନ କର୍ପୋରେଟରଙ୍କ ସ୍ବାମୀ ନେଇଛନ୍ତି ମୋଟା ଅଙ୍କର ଟଙ୍କା । କାହାଠାରୁ ୨୦ ହଜାର ତ କାହାଠାରୁ ୫୦ ହଜାର ଓ କାହାଠାରୁ ଲକ୍ଷେ ଟଙ୍କା, କରିଛନ୍ତି ଆଦାୟ ।

ସିଏମସି ୫୩ ନମ୍ବର ଓ୍ବାର୍ଡ ପୂର୍ବତନ କର୍ପୋରେଟରଙ୍କ ସ୍ବାମୀ ରାଜା କରଣଙ୍କ ନାଁରେ ଆସିଛି ଏମିତି ସାଂଘାତିକ ଅଭିଯୋଗ । କଟକ ଅନ୍ଦରପୁରଠାରେ ଥିବା ଆପାର୍ଟମେଣ୍ଟରେ ୧୯୨ଟି ଫ୍ଲାଟ  ଥିବାବେଳେ ମହାନଗର ନିଗମ ପକ୍ଷରୁ ମାତ୍ର ୬୬ ଜଣ ହିତାଧିକାରୀଙ୍କୁ ମିଳିଥିଲା ଘର । ବାକି ଘରଗୁଡିକୁ ବେଆଇନ ଭାବେ ଜବରଦଖଲକୁ ନେଇ ୨୫ରୁ ଅଧିକ ପରିବାରକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି।

ଅନେକ ଲୋକ ଟଙ୍କା ଦେଇ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଘର ପାଇନାହାନ୍ତି । ମହାନଗର ନିଗମ ପକ୍ଷରୁ ଗୁରୁବାର ଜବରଦଖଲକାରୀ ପରିବାରକୁ ଉଚ୍ଛେଦ କରାଯିବା ସହ ଘର ଗୁଡିକୁ ସିଲ୍ କରାଯାଇଛି । ସେପଟେ ଠକାମିର ଶିକାର ହୋଇଥିବା ପ୍ରାୟ ୮୦ରୁ ଊର୍ଦ୍ଧ୍ବ ଲୋକ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ମଧୂପଟଣା ଥାନା ପୋଲିସ ଏକ ଠକେଇ ମାମଲା ରୁଜୁ କରି ରାଜା କରଣଙ୍କୁ ଅଟକ ରଖି ତଦନ୍ତ କରୁଛି । ସେପଟେ ରାଜା କ୍ୟାମେରା ସାମ୍ନାରେ ମୁହଁ ଖୋଲି ନଥିଲେ ମଧ୍ୟ ସବୁ ଦୋଷ ସିଏମସି କର୍ତ୍ତୃପକ୍ଷଙ୍କର ବୋଲି ସଫେଇ ଦେଇଛନ୍ତି ।

୭ ତାରିଖରୁ ପୁଣି ସ୍କୁଲରେ ବାଜିବ ଘଣ୍ଟି

ଭୁବନେଶ୍ବର: ସୋମବାରରୁ ପୁଣି ବାଜିବ ସ୍କୁଲ ଘଣ୍ଟି । କୋଳାହଳରେ କମ୍ପିବ କ୍ୟାମ୍ପସ୍ । ଅଫଲାଇନ୍ ପାଠପଢା ସହ ପରୀକ୍ଷା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ଅବସ୍ଥା ଦେଖି ବ୍ୟବସ୍ଥା କରିବାକୁ ଦଶମ ଓ ଦ୍ବାଦଶ ବୋର୍ଡକୁ ନିର୍ଦ୍ଦେଶ । ପରୀକ୍ଷା ନିଶ୍ଚିତ, ନିର୍ଦ୍ଧାରିତ ତାରିଖକୁ ଅପେକ୍ଷା । ସରକାରଙ୍କ ଘୋଷଣା ପରେ ଚାଲିଛି ସ୍କୁଲ ସଫେଇ କାର୍ଯ୍ୟକ୍ରମ । ସଜଡ଼ା ଚାଲିଛି ବିଦ୍ୟାଳୟର ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ।

କରୋନା ତୃତୀୟ ଲହର ପାଇଁ ବନ୍ଦ ଥିଲା ପିଲାଙ୍କ ପାଠପଢ଼ା । ହେଲେ ଆସନ୍ତା ୭ ତାରିଖରୁ ଅଷ୍ଟମ ଶ୍ରେଣୀରୁ ଊର୍ଦ୍ଧ୍ବ ସମସ୍ତ ଶ୍ରେଣୀରେ ଆରମ୍ଭ ହେବ ପାଠପଢା । ସେହିଭଳି ୧୪ରୁ କେଜିରୁ ନେଇ ସପ୍ତମ ଯାଏ କ୍ଲାସ୍ ଖୋଲିବ । ୬ ତାରିଖରୁ ସମସ୍ତ ହଷ୍ଟେଲ ଖୋଲିବା ପାଇଁ ଘୋଷଣା ପରେ ତତ୍ପରତା ପ୍ରକାଶ ପାଇଛି । ତେବେ ଦୀର୍ଘ ଦିନ ପରେ ପୁଣି ସ୍କୁଲ ଖୋଲୁଥିବାରୁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମହଲରେ ଖୁସି ପ୍ରକାଶ ପାଇଛି ।

ଦୀର୍ଘ ଦୁଇ ବର୍ଷ ହେଲାଣି ସ୍କୁଲ ହତା ମାଡ଼ି ନାହାନ୍ତି ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ । ତେଣୁ ତାଙ୍କୁ ପାଠ ପଢାଇବା ଚ୍ୟାଲେଂଜି ହୋଇପାରେ । ସେପଟେ ସମସ୍ତ କ୍ଲାସ୍ ପ୍ରମୋସନ୍ ପରୀକ୍ଷା ସମେତ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା କରିବାକୁ ମଧ୍ୟ ନିଷ୍ପତ୍ତି ଶୁଣାଇଛନ୍ତି ସରକାର । ସେପଟେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରସ୍ତୁତ ନଥିବାରୁ ପରୀକ୍ଷାକୁ ଆଉ ଏକମାସ ଘୁଞ୍ଚାଇ ଦେବାକୁ ମତ ରଖିଛନ୍ତି ଶିକ୍ଷାବିତ । ତେବେ ଅବସ୍ଥା ଦେଖି ପରୀକ୍ଷା କରିବାକୁ ବୋର୍ଡ ନିଷ୍ପତ୍ତି ନେବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ସେପଟେ ବିଦ୍ୟାଳୟରେ ପିଲାଙ୍କ ସୁରକ୍ଷା ପାଇଁ ଖୁବ ଶୀଘ୍ର ସ୍ବାସ୍ଥ୍ୟ ବିଭାଗ ମଧ୍ୟ ଗାଇଡ଼ଲାଇନ ଜାରି କରିବ ।

ଧରା ପଡ଼ିଲା ବିଜେପି ସାଂସଦଙ୍କ ମିଥ୍ୟା ପ୍ରତିଶ୍ରୁତି

ଭୁବନେଶ୍ବର: ଜିଲ୍ଲାବାସୀଙ୍କୁ ଭୂଆଁ ବୁଲାଉଥିଲେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା । ଏଥର ବି ରେଳ ବଜେଟ୍‌ରେ ନିରାଶ ହୋଇଛନ୍ତି କଳାହାଣ୍ଡିବାସୀ । ଫାଇଲ ଭିତରେ ଚାପି ହୋଇଗଲା ଜୁନାଗଡ଼-ଲାଞ୍ଜିଗଡ଼ ରେଳପଥ ଧର୍ମଗଡ଼ ପର୍ଯ୍ୟନ୍ତ ସମ୍ପ୍ରସାରଣ ହେବା ଦାବି ।

ପଦାରେ ପଡିଲା ବିଜେପି ସାଂସଦଙ୍କ ବାହାସ୍ଫୋଟ । ପ୍ରଚାରରେ ସୀମିତ ସାଂସଦଙ୍କ ପ୍ରତିଶ୍ରୁତି । ରେଳ ବଜେଟରେ ନିରାଶ କଳାହାଣ୍ଡିବାସୀ । ନାଲିଫିତା ତଳେ ଲାଞ୍ଜିଗଡ଼ ରେଳପଥ ସମ୍ପ୍ରସାରଣ । ମିଛ କହି ଭୂଆଁ ବୁଲାଉଥିଲେ ସାଂସଦ ବସନ୍ତ ପଣ୍ଡା । ରେଳ ବଜେଟ୍ ଉପସ୍ଥାପନା ପରେ ପଦାରେ ପଡିଛି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ମିଥ୍ୟା ପ୍ରତିଶ୍ରୁତି ।

ରେଳ ବଜେଟରେ ଓଡ଼ିଶାକୁ ପ୍ରଚୁର ଅନୁଦାନ ମିଳୁଛି ବୋଲି ବାରମ୍ବାର ପ୍ରଚାର କରୁଥିଲେ ସାସଂଦ । ହେଲେ ବଜେଟ୍ ପରେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଖୋଦ୍ କଳାହାଣ୍ଡିବାସୀ । କାହିଁକି ରାଜ୍ୟର ୬ ଜିଲ୍ଲାରେ ରେଳ ସଂଯୋଗୀକରଣ ହୋଇନାହିଁ ? ଜୁନାଗଡ଼-ଲାଞ୍ଜିଗଡ଼ ରେଳପଥକୁ ଧର୍ମଗଡ଼ ପର୍ଯ୍ୟନ୍ତ ସମ୍ପ୍ରସାରଣ କେଉଁଠି ଅଟକିଲା ବୋଲି ସାଂସଦଙ୍କୁ ପ୍ରଶ୍ନ କରିଛନ୍ତି ଜିଲ୍ଲାବାସୀ ।

ସେପଟେ କଳାହାଣ୍ଡିବାସୀଙ୍କୁ ସାସଂଦ ବସନ୍ତ ପଣ୍ଡା ମିଛ କହିଥିବା ଅଭିଯୋଗ ହୋଇଛି । ୨୯ ଡିସେମ୍ବରରେ ରେଳ ବଜେଟକୁ ନେଇ ମିଛ ପ୍ରଚାର କରୁଥିଲେ ବିଜେପି ସାଂସଦ । ଜୁନାଗଡ଼-ଲାଞ୍ଜିଗଡ଼ ରେଳପଥ ସମ୍ପ୍ରସାରଣକୁ ମଞ୍ଜୁରୀ ମିଳିଛି । ସର୍ଭେ ପାଇଁ ପ୍ରାଥମିକ ଭାବେ ୨.୯୫ କୋଟି ଟଙ୍କା ଅନୁମୋଦନ ହୋଇଛି । ଏହି ସହିତ କେସିଙ୍ଗାରେ ୪ ଥାକିଆ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ୩୨୪.୦୯ କୋଟି ଟଙ୍କା ମଞ୍ଜୁରୀ ହୋଇଛି ବୋଲି ସାସଂଦ ବସନ୍ତ ପଣ୍ଡା ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ ।

ରେଳ ମାନଚିତ୍ରରେ ଧର୍ମଗଡ଼ ଧିରେ ଧିରେ ଅନିଶ୍ଚିତତା ଭିତରେ ଠେଲି ହୋଇଯାଇଛି । ସେହିପରି ଜୁନାଗଡ଼ଠାରୁ ଛତିଶଗଡ଼ର ଅମ୍ବାଗୁଡା ପର୍ଯ୍ୟନ୍ତ ରେଳପଥ ସମ୍ପ୍ରସାରଣ ସର୍ଭେ ରିପୋର୍ଟ ଫାଇଲ୍ ଭିତରେ ଚାପି ହୋଇଯାଇଛି । ନବରଙ୍ଗପୁର ଭାୟା ଆମ୍ବପାଣି ଭାୟା ଧର୍ମଗଡ଼ରୁ ଜୁନାଗଡ଼ ପର୍ଯ୍ୟନ୍ତ ରେଳ ଲାଇନ ପାଇଁ ବଜେଟରେ କୌଣସି ବ୍ୟବସ୍ଥା ନାହିଁ ହୋଇ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଜିଲ୍ଲାବାସୀ ।

ସାଇବର ମାଷ୍ଟରମାଇଣ୍ଡ ଝାଡ଼ଖଣ୍ଡରେ, ମୁମ୍ବାଇରୁ କିଣୁଥିଲେ ଡାଟା

ଭୁବନେଶ୍ବର: ଭୁବନେଶ୍ବରରୁ ଯମତାରା ଗ୍ୟାଙ୍ଗ ସଦସ୍ୟ ଗିରଫ ଘଟଣାରେ ବଡ ଖୁଲାସା । ମୁମ୍ବାଇରୁ ସାଇବର ଠକଙ୍କୁ ମିଳୁଥିଲା ଲୋକଙ୍କ ଡାଟା । କ୍ରାଇମବ୍ରାଞ୍ଚ ହାତରେ ଡାଟା ବିକ୍ରି କରୁଥିବା ଲୋକର ତଥ୍ୟ । ୨୦ ହଜାର ଡାଟା ଦେବାକୁ ନେଉଥିଲା ୫ ହଜାର ଟଙ୍କା ।

ସାଇବର୍ ଠକଙ୍କ ବିରୋଧରେ ୭ଟି ରାଜ୍ୟରେ ୫୫ଟି ମାମଲା ରୁଜୁ ହୋଇଛି । ତେଲେଙ୍ଗାନାରେ ରୁଜୁ ହୋଇଛି ସର୍ବାଧିକ ୪୫ ମାମଲା । ଗୋରଖପୁରରୁ ଜଣେ ବ୍ୟକ୍ତିଙ୍କୁ ଠକିଥିଲେ ଏକ ଲକ୍ଷ ୮୮ ହଜାର ଟଙ୍କା । ୨୦୨୦ରୁ ୨୦୨୧ ମସିହା ମଧ୍ୟରେ କରିଛନ୍ତି ଠକେଇ ।

ଏହି ଠକ ଗ୍ୟାଙ୍ଗ ଓଡ଼ିଶାରୁ କାହାରିଙ୍କୁ ଠକି ନଥିବା ତଦନ୍ତରୁ ଜଣାପଡିଛି । ତେବେ ମୁମ୍ବାଇରେ ରହୁଥିବା ଜଣେ ଓଡ଼ିଆ ଠକାମୀର ଶିକାର ହୋଇଥିବା ଜଣାପଡିଛି ।

ଅନ୍ୟପକ୍ଷରେ ସାଇବର ଠକଙ୍କ ମାଷ୍ଟରମାଇଣ୍ଡର ସୁରାଖ ପାଇଛି କ୍ରାଇମବ୍ରାଞ୍ଚ । ଏହି ମାଷ୍ଟରମାଇଣ୍ଡ ଝାଡ଼ଖଣ୍ଡର ବୋଲି ଜଣାପଡିଛି । ସବୁ ଟଙ୍କା ମାଷ୍ଟରମାଇଣ୍ଡ ପାଖକୁ ଯାଉଥିଲା । ଅଭଯୁକ୍ତ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଚଲାଉଥିଲା ।

ଅଧିକ ତଦନ୍ତ ପାଇଁ ୭ ରାଜ୍ୟର ପୋଲିସ ଗିରଫ ୩ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟିକ୍ ରିମାଣ୍ଡରେ ନେବାକୁ ପ୍ରସ୍ତୁତ ହେଉଛନ୍ତି ।

ଶତ ପ୍ରତିଶତ କର୍ମଚାରୀରେ ଚାଲିବ ହାଇକୋର୍ଟ

କଟକ: ହାଇବ୍ରିଡ୍ ମୋଡ଼ରେ ଚାଲିବ ଓଡିଶା ହାଇକୋର୍ଟ । ଉଭୟ ଭର୍ଚୁଆଲ ଓ ଫିଜିକାଲ ମୋଡ୍‌ରେ କୋର୍ଟ ଚାଲିବା ନେଇ ନିଷ୍ପତ୍ତି ନିଆଯାଇଛି । ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ହାଇକୋର୍ଟ । ଫେବ୍ରୁଆରୀ ୭ରୁ ହାଇକୋର୍ଟରେ ଲାଗୁ ହେବ ଏହି ବ୍ୟବସ୍ଥା । ଜାନୁଆରୀ ୧୦ ତାରିଖରୁ ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ କେବଳ ଭିସିରେ ଚାଲୁଥିଲା ହାଇକୋର୍ଟରେ ମାମଲା ପରିଚାଳନା । ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲୁଥିଲା ହାଇକୋର୍ଟ । ଏବେ ସଂପୂର୍ଣ୍ଣ କର୍ମଚାରୀଙ୍କୁ ହାଇକୋର୍ଟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ କୋଭିଡ୍ ସଂକ୍ରମଣ କମୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।