spot_img
Home Blog Page 463

ତୃଟିପୂର୍ଣ୍ଣ ବ୍ୟବସ୍ଥା ବଢାଉଛି ହାତୀ ମଣିଷ ଲଢେଇ, ସଂଘର୍ଷରେ ଯାଉଛି ଉଭୟଙ୍କ ଜୀବନ

ଭୁବନେଶ୍ୱର ; ତୃଟିପୂର୍ଣ୍ଣ ବ୍ୟବସ୍ଥା ବଢାଉଛି ହାତୀ ମଣିଷ ଲଢେଇ । ସଂଘର୍ଷରେ ଟଳିପଡୁଛନ୍ତି ହାତୀ, ବର୍ତ୍ତି ପାରୁନାହାନ୍ତି ଲୋକ । ଡ୍ରାଇଭିଂ ଆଉଟ ଅପରେସନ ଦ୍ୱାରା ହିଂସ୍ର ହେଉଛନ୍ତି ଗଜରାଜ । ହାତୀ ଯେତିକି ବିଶାଳକାୟ ସେତିକି ବୁଦ୍ଧିଆ । ମଣିଷର ବ୍ୟବହାର ବି ହାତୀ ଜାଣେ । ଫଳରେ ହାତୀର ମାନସିକତାକୁ ପ୍ରଭାବିତ କରଯାଉଥିବାରୁ ହାତୀ ଆକ୍ରମଣରେ ମଣିଷଙ୍କ ଜୀବନ ଯାଉଛି ବୋଲି କହିଛନ୍ତି ବିଶେଷଜ୍ଞ। ହାତୀ ପଲଙ୍କୁ ଘଉଡ଼ାଇବାକୁ ଯେଉଁ ପଦ୍ଧତି ଜଙ୍ଗଲ ବିଭାଗ ପକ୍ଷରୁ ଗ୍ରହଣ କରାଯାଉଛି ତାହା ହିଁ ହାତୀ-ମଣିଷ ଯୁଦ୍ଧର କାରଣ ସାଜୁଛି । ତେଣୁ ଏହି ନୀତିରେ ତୁରନ୍ତ ପରିବର୍ତ୍ତନ ଆବଶ୍ୟକ ବୋଲି କୁହାଯାଇଛି। ଏଥିସହିତ ହାତୀ କରିଡର ମଧ୍ୟ ଆଉ ଏକ ପ୍ରମୁଖ କାରଣ । ବିଭିନ୍ନ ସ୍ଥାନକୁ ମାଇଗ୍ରେଟ କରନ୍ତି ହାତୀପଲ। ତେଣୁ ସରକାର ଅଞ୍ଚଳ ଚିହ୍ନଟ କରି କରିଡର ସୁରକ୍ଷିତ ରଖନ୍ତୁ । ଏଥିସହିତ ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରହୁନି । ଯେଉଁଥିପାଇଁ ହାତୀ ମୃତ୍ୟୁ ବଢୁଛି । ସେଥିପାଇଁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେବା ଆବଶ୍ୟକ ହୋଇପଡିଛି । ଭୁବନେଶ୍ୱରରେ ଅନୁଷ୍ଠିତ ମଣିଷ-ହାତୀ ସହାବସ୍ଥାନ, ଆହ୍ୱାନ ଓ ଭବିଷ୍ୟତ ପନ୍ଥାକୁ ନେଇ ଅନ୍ତର୍ଜାତୀୟ କର୍ମଶାଳାରେ ଚିନ୍ତା ପ୍ରକଟ କରିଛନ୍ତି ବିଶେଷଜ୍ଞ । ଅନ୍ତର୍ଜାତୀୟ ସ୍ତରର ବିଶେଷଜ୍ଞ ମଧ୍ୟ ହାତୀ ମଣିଷ ମଧ୍ୟରେ ସମ୍ପର୍କକୁ ନେଇ ଭିନ୍ନ ଭିନ୍ନ ମଡେଲ ଉପସ୍ଥାପନ କରିଛନ୍ତି।

ହାତୀଙ୍କ ରହଣିସ୍ଥଳ ଜଙ୍ଗଲକୁ ଅତି ନିଷ୍ଠୁର ଭାବେ କଟାଯାଉଛି । ତେଣୁ ହାତୀ ମଣିଷ ଲଢେଇ ବଢୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହାତୀର ସୁରକ୍ଷା ଜରୁରୀ ବୋଲି କହିବା ସହ ଶିମିଳିପାଳ, ଢେଙ୍କାନାଳ, କେନ୍ଦୁଝରରେ ଓ ଅନ୍ୟ ଅଞ୍ଚଳରେ ଡେଡିକେଟେଡ କରିଡର ଓ ଜଳାଶୟ କରାଯିବ । ଜଙ୍ଗଲରୁ ହାତୀ କିଭଳି ଆସିବେ ନାହିଁ ସେଥିପାଇଁ ଜଙ୍ଗଲରେ ଖାଦ୍ୟ ଓ ପାଣିର ବ୍ୟବସ୍ଥା ହେବ।  ଜଙ୍ଗଲ ଭିତରେ ଧାନ ଚାଷ ହେବ । ଯାହାକୁ ହାତୀ ସହଜରେ ଖାଇପାରିବେ । ଖୁବ ଶୀଘ୍ର ରିପୋର୍ଟ ପ୍ରସ୍ତୁତ କରି ପଲିସି ଅଣାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେପଟେ ଜଙ୍ଗଲ ପରିବେଶ ମନ୍ତ୍ରୀଙ୍କ କହିବା କଥା କଟିଙ୍ଗ ଏଜ ଟେକ୍ନୋଲୋଜି ବ୍ୟବହାର କରାଯାଉଛି । ଏହି ଆଧାରରେ ହାତୀ ମୃତ୍ୟୁ ପାଇଁ ବ୍ୟକ୍ତି କିମ୍ବା ବିଭାଗ ଦାୟୀ ରହିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ମଣିଷ ହାତୀ ଲଢେଇ ବନ୍ଦ ପାଇଁ ଆଞ୍ଚଳିକ ଡିପିଆର ପ୍ରସ୍ତୁତ ହେବ । ବିଭିନ୍ନ ଅଞ୍ଚଳର ଭୌଗୋଳିକ ସ୍ଥିତି ସମ୍ପର୍କରେ ଆଲୋଚନା ହେବା ସହ ସମାଧାନ ବାଟ କଢାଯିବ । ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର ଅଂଚଳରେ ହାତୀ ଅଧିକ କ୍ଷତି କରୁଛନ୍ତି। ତେଣୁ ସହାବସ୍ଥାନକୁ ନେଇ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରର ବିଶେଷଜ୍ଞ ତଥା ଅନ୍ୟାନ୍ୟ ଅଂଶୀଦାରଙ୍କ ମିଳିତ ଆଲୋଚନା ପରେ ରାଜ୍ୟରେ ଏକ ବଡ଼ ପଲିସି ଆସିବ ବୋଲି କୁହାଯାଇଛି।

କଟକ ସହରରେ ଗଣେଶ ପୂଜା ଓ ଦୁର୍ଗା ପୂଜା ପାଇଁ ଆରମ୍ଭ ହୋଇ ଗଲାଣି ପ୍ରସ୍ତୁତି

କଟକ ; ଆଦ୍ୟପୂଜ୍ୟଙ୍କ ଆବାହନ ପରେ ଉତ୍ସବମୁଖର ହେବ ସହର । କଟକ ସହରରେ ଗଣେଶ ପୂଜା ଓ ଦୁର୍ଗା ପୂଜା ପାଇଁ ଆରମ୍ଭ ହୋଇ ଗଲାଣି ପ୍ରସ୍ତୁତି । ବିଭିନ୍ନ ମଣ୍ଡପରେ ମୂର୍ତ୍ତି ସହ ମେଢ ନିର୍ମାଣ ଜୋରସୋର ଆଗେଇ ଚାଲିଛି । ସେପଟେ ପୂଜା ପୂର୍ବରୁ ପ୍ରଶାସନିକ ସ୍ତରରେ ମଧ୍ଯ କରାଯାଇଛି ପ୍ରସ୍ତୁତି । ପୂଜା ପରେ ମୂର୍ତ୍ତି ସବୁ କାଠଯୋଡ଼ିରେ ବିସର୍ଜନ କରାଯିବ । ଏଥିପାଇଁ କଟକ ମେୟର ସୁବାସ ସିଂ, ପୂଜା କମିଟି ସଭାପତି, ସଂପାଦକ ଓ ସଦସ୍ଯମାନେ ଅନ୍ୟ ବିଭାଗୀୟ ଅଧିକାରୀଙ୍କୁ ଧରି କାଠଯୋଡି ନଦୀର ଦେବୀ ଗଡା ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ଦେବୀ ଗଡାରେ ଦୁଇଟି ଅସ୍ଥାୟୀ ପୁଷ୍କରିଣୀ ସହ ଦୁଇଟି ସ୍ଥାୟୀ ପୁଷ୍କରଣୀ ନିର୍ମାଣ କରିବାକୁ ମେୟର ପ୍ରସ୍ତାବ ଦେଇଛନ୍ତି । ଏହାସହ ପୁଷ୍କରଣୀକୁ ଅନବରତ ପାଣି ଯୋଗାଇବା ପାଇଁ ସ୍ଥାୟୀ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ମଧ୍ଯ ଦିଆ ଯାଇଛି ।

ଦେବୀଗଡାର ରାସ୍ତାକୁ ମରାମତି କରିବା ଓ ଅଳିଆ ସଫାର ସବୁ ବ୍ୟବସ୍ଥା କରାଯିବ ବୋଲି ମେୟର କହିଛନ୍ତି । ସେହିପରି ଏଠାରେ ଅଳିଆ ପକାଉଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମେୟର କହିଛନ୍ତି । ଅନ୍ଯ ପକ୍ଷରେ ପିଇବା ପାଣି ଓ ଆଲୋକର ସମସ୍ତ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ମେୟର । ଆସନ୍ତା ବୁଧବାର ଗଣେଶ ପୂଜା । ଅଗଷ୍ଟ ୩୦ ସେପ୍ଟେମ୍ବର ୭ ଓ ୧୪ ତାରିଖରେ ହେବ ଭସାଣ । ଅକ୍ଟୋବର ୩ ତାରିଖରେ ଦୁର୍ଗା ପୂଜା ଭସାଣ ଅନୁଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଜୋରଦାର କରାଯାଇଛି ।

NAC ଘୋଷଣା ତାଲିକାରେ ଉପେକ୍ଷା, ଯୋଗ୍ୟତା ଥାଇ ତାଲିକାରୁ ବାଦ ଦେଇଥିବାରୁ ତେଜିଲା ଆନ୍ଦୋଳନ

ନନ୍ଦିଘୋଷ ବ୍ୟୁରୋ ; NAC ଘୋଷଣା ତାଲିକାରେ ଉପେକ୍ଷା । ଯୋଗ୍ଯତା ଥାଇ ସୁଦ୍ଧା କରାଯାଉଛି ଅଣଦେଖା । ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲେ ଲୋକେ । ଆଜି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବେଲପଡ଼ାକୁ NAC ଘୋଷଣା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଫଳରେ ସହର ଦୋକାନ ବଜାର, ଅଖ ଚକ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଥିଲା । ଲୋକେ ସ୍ବତଃ ଏହି ବନ୍ଦକୁ ନିଜର ସମର୍ଥନ ଜଣାଇଥିଲେ । ସେପଟେ ରେଢାଖୋଲରେ ବିଭିନ୍ନ ସମସ୍ଯା ନେଇ ଆସନ୍ତାକାଲି ବନ୍ଦ ଡାକରା ଦେଇଛି ରେଢାଖୋଲ ବିଜେଡି । ଏହି ବନ୍ଦ ଡାକରାରେ ଜରୁରୀକାଳୀନ ସେବାକୁ ଛାଡି ଦେଲେ ସମ୍ପୂର୍ଣ୍ଣ ବନ୍ଦ ହେବ ବୋଲି ରେଢ଼ାଖୋଲ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ଯ ପ୍ରେସମିଟ କରି ସୂଚନା ଦେଇଛନ୍ତି ।

କୋରାପୁଟ ଜିଲ୍ଲା ବୋରିଗୁମ୍ମାକୁ NAC ଘୋଷଣାରେ ଉପେକ୍ଷା କରାଯାଇଥିବା ଅଭିଯୋଗ ହୋଇଛି । ଅବିଭକ୍ତ କୋରାପୁଟ ଜିଲ୍ଲାର କେନ୍ଦ୍ର ବୋରିଗୁମ୍ମା । ବୋରିଗୁମ୍ମା ସଂଯୋଗ କଲେ ହିଁ ଜାତୀୟ ରାଜପତ ଦେଇ ପଡୋଶୀ ଛତିଶଗଡ ଓ ଆନ୍ଧ୍ର ସହିତ ପଶ୍ଚିମ ଓଡିଶା ଯୋଗାଯୋଗ ହୋଇପାରିବ । ସହରର ଜନ ସଂଖ୍ଯା ୨୫ ହଜାରରୁ ଅଧିକ । ଭୋଟରଙ୍କ ସଂଖ୍ଯା ପ୍ରାୟ ୨୦ ହଜାର । ଏନଏସି ପାଇଁ ସମସ୍ତ ଯୋଗ୍ୟତା ଥିଲେ ବି ଏହାକୁ ଅଣଦେଖା କରାଯାଇଥିବା ପ୍ରତିବାଦରେ ଆସନ୍ତାକାଲି ୧୨ଘଣ୍ଟିଆ ବନ୍ଦ ପାଳନ କରାଯିବ ବୋଲି ଘୋଷଣା କରାଯାଇଛି । ସେପଟେ ଚଣ୍ଡୀଖୋଲକୁ NAC ଦାବିରେ ଆନ୍ଦୋଳନକୁ ଓହ୍ଲାଇବ ବଡ଼ଚଣା ବିଜେଡି । ବଡ଼ଚଣା ବିଜେଡି ପକ୍ଷରୁ ଚଣ୍ଡୀଖୋଲ ଛକରେ ଗଣଧାରଣା ଓ ପ୍ରତିବାଦ କରାଯିବ। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ବଡ଼ଚଣା ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ନୂଆ ୧୨ଟି NAC ନେଇ ସରକାର ଘୋଷଣା କରିଥିବାବେଳେ ଏହି ତାଲିକାରୁ ଯୋଗ୍ଯ ଜିଲ୍ଲା ବାଦ ପଡ଼ିଥିବା ଅଭିଯୋଗ ହୋଇଛି ।

ଦିନକୁ ଦିନ ଯୁବପୀଢିଙ୍କ ଭିତରେ ବଢୁଛି ଆତ୍ମହତ୍ୟା ପ୍ରବଣତା, କେଉଁ ପରିସ୍ଥିତିରେ ନେଉଛନ୍ତି ଚରମ ପଦକ୍ଷେପ ?

ଭୁବନେଶ୍ବର : କାହିଁକି ବଢୁଛି ଆତ୍ମହତ୍ଯା ପ୍ରବଣତା ? କେଉଁ ପରିସ୍ଥିତିରେ ଚରମ ପଦକ୍ଷେପ ନେଉଛନ୍ତି ଯୁବପୀଢି ? ମାନସିକ ଦୁଶ୍ଚିନ୍ତା ନା ସୋସିଆଲ ମିଡ଼ିଆ ପ୍ରଭାବ ? ଏପରି ବିଭିନ୍ନ ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଛି ମାନସମନ୍ଥନ । ଦିନକୁ ଦିନ ବଢି ଚାଲିଛି ଆତ୍ମହତ୍ୟା । କେଉଁଠି କଲେଜରେ ଶିକ୍ଷକଙ୍କ ଠାରୁ ଶୋଷିତ ହୋଇ ଛାତ୍ରୀ ଆତ୍ମହତ୍ୟା କରୁଛି ତ ପୁଣି କେଉଁଠି ପୋଲିସ ଠାରୁ ନ୍ୟାୟ ନପାଇ ଜୀବନ ଦେଉଛି । ପୁଣି କିଏ ମାନସିକ ଦୁଶ୍ଚିନ୍ତାର ଶିକାର ହୋଇ ନେଉଛି ଚରମ ପଦକ୍ଷେପ । ସୋସିଆଲ ମିଡ଼ିଆରେ ନିଜ ଶାଢିରେ ନିଆଁ ଲଗାଇ କରୁଛନ୍ତି ରିଲ୍ସ । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଭିନ୍ନ ସମାଜସେବୀ । କେମିତି ଏଭଳି ଘଟଣାକୁ ରୋକା ଯାଇପାରିବ, ପରିବାର, ଓ ସରକାରଙ୍କ କଣ ରହିଛି ଦାୟିତ୍ଵ, ଏନେଇ ହୋଇଛି ବିସ୍ତୃତ ଆଲୋଚନା । ପୂର୍ବତନ ପ୍ରାଶାସନିକ ଅଧିକାରୀ, ପୂର୍ବତନ ପୋଲିସ ଅଧିକାରୀମାନଙ୍କ ସହିତ ବିଭିନ୍ନ ସାମାଜିକ ସଂଗଠନ ଯୋଗ ଦେଇ କରିଛନ୍ତି ମାନସ ମନ୍ଥନ ।

ଏଭଳି ସମ୍ବେଦନଶୀଳ ଘଟଣାକୁ ଯେଉଁଭଳି ଭାବରେ ସୋସିଆଲ ମିଡିଆରେ ଦେଖାଯାଉଛି ତାହା ଅନ୍ଯମାନଙ୍କୁ ପ୍ରଭାବିତ କରୁଛି । କିପରେ ଏହାକୁ ଆଗାମୀ ଦିନରେ ରୋକ ଯାଇ ପାରିବ, ସେଦିଗରେ କାହାର କେଉଁଭଳି ଭବରେ ଭୂମିକା ରହିବା  ଆବଶ୍ୟକତା ରହିଛି ସେ ଦିଗରେ ଆଲୋଚନା କରାଯାଇଛି । ଏନେଇ ବ୍ଯାପକ ସଚେତନ ସହ ସାମାଜିକ ଗଣମାଧ୍ୟମରେ ଅଙ୍କୁଶ ଲଗାଇବାର ଆବଶ୍ଯକତା ରହିଛି । ଏନେଇ ସରକାର ମଧ୍ଯ ଠୋସ ପଦକ୍ଷେପ ନେବା ଉଚିତ ବୋଲି କହିଛନ୍ତି ସମାଜସେବୀ । ଆଲୋଚନାଚକ୍ରରେ ବିଭିନ୍ନ ସଂଗଠନ ସହ ରାଜ୍ଯ ମବରିଷ୍ଠ ନାଗରିକ, ଅବସରପ୍ରାପ୍ତ କର୍ମଚାରୀ, ଅଭିଭାବକମାନେ ସାମିଲ ହୋଇଥିଲେ ।

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଅଣଛାତ୍ରଙ୍କ ଗୁଣ୍ଡାରାଜ

ବ୍ରହ୍ମପୁର : ଛାତ୍ରସଂସଦ ନିର୍ବାଚନ ପୂର୍ବରୁ ପତିଆରା ଜାହିର ପାଇଁ ଉଦ୍ଯମ । ଭଞ୍ଜବିହାର କ୍ୟାମ୍ପସରେ ଅଣଛାତ୍ରଙ୍କ ଗୁଣ୍ଡାରାଜ ।  ଅଣଛାତ୍ରଙ୍କ ଆକ୍ରମଣରେ ବିଶ୍ବବିଦ୍ୟାଳୟର ଜଣେ ଛାତ୍ର ଲହୁଲୁହାଣ । ଆହତ ଛାତ୍ର ବ୍ରହ୍ମପୁର ସିଟି ହସ୍ପିଟାଲରେ ଭର୍ତ୍ତି । ବ୍ୟାପକ ପୋଲିସ ମୁତୟନ । କୁଳପତି ଡାକିଲେ ଶୃଙ୍ଖଳାଗତ ବୈଠକ । ନୂଆଖାଇ ପାଇଁ ଗତକାଲି ଭଞ୍ଜବିହାର ପରିସରରେ ବିଦ୍ୟାର୍ଥୀଙ୍କ ପକ୍ଷରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କ୍ୟାମ୍ପସ୍ ଭିତରେ କିଛି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଅଣଛାତ୍ର ବିନା ଅନୁମତିରେ ପ୍ରବେଶ କରିବା ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲେ । ଛାତ୍ରମାନେ ଏହାକୁ ବିରୋଧ କରିବାରୁ ସୃଷ୍ଟି ହୋଇଥିଲା ଗଣ୍ଡଗୋଳ । ଅଣଛାତ୍ରଙ୍କ ଆକ୍ରମଣରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଦ୍ବିତୀୟ ବର୍ଷର ଛାତ୍ର ଅଭିଳାଷ ମିଶ୍ର ଆହତ ହୋଇଛନ୍ତି । ୧୦ରୁ ୧୨ ଜଣ ଅଣଛାତ୍ର ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

କିଛି ଛାତ୍ର ରାତିରେ ଗୋପାଳପୁର ଥାନାରେ ଅଭିଯୋଗ ଦେବାକୁ ଯାଇଥିବା ବେଳେ ଥାନାରେ ସେମାନଙ୍କୁ କିଛି ଯୁବକ ଧମକ ଚମକ ଦେଇଥିଲେ । ପ୍ରତିବାଦରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ସମେତ ଶହ ଶହ ସମର୍ଥକ ଥାନା ଆଗରେ ଧାରଣା ଦେଇଥିଲେ । ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ସ୍ଥିତି ଉତ୍ତେଜନପୂର୍ଣ୍ଣ ଥିବାରୁ ବିଶ୍ୱବିଦ୍ୟାଳୟରେ ଦୁଇ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ସେପଟେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗୀୟ ମୁଖ୍ୟଙ୍କ ସହ ଶୃଙ୍ଖଳାଗତ ବୈଠକ କରି ପଦକ୍ଷେପ ନିଆଯାଇଛି । ସବୁ ହଷ୍ଟେଲରେ ଆଜିଠାରୁ ହେବ କଡା ଦଦାରଖ କରାଯିବ ବୋଲି କହିଛନ୍ତି କୁଳପତି । କୌଣସି ଅପ୍ରିତିକର ପରିସ୍ଥିତିକୁ ନଜରେ ରଖି ବିଶ୍ବବିଦ୍ୟାଳୟ ପରିସରରେ କଡ଼ା ନଜର ରଖାଯାଇଛି ।

ଭଡ଼ାଟିଆ ବେଶରେ ମାତିଛନ୍ତି ଲୁଟେରା, ମାଲିକାଣୀ ଅନୁପସ୍ଥିତିରେ ବୁଲାଇଲେ କଳାକନା

ଭୁବନେଶ୍ୱର : ଘରଭଡା ଦେଉଥିଲେ ସାବଧାନ । ଦଗାଦିଆ ସାଜିପାରେ ଭଡାଟିଆ । ଲୁଟିପାରେ ଧନ, ନେଇପାରେ ଜୀବନ । ଭୁବନେଶ୍ୱର ବଡଗଡ ଥାନା ଅନ୍ତର୍ଗତ ଶିବ ନଗର । ପ୍ଲଟ ନମ୍ବର ୨୧ ରେ ଥିବା ଏହି ଦୁଇ ମହଲା ଘରେ ରୁହନ୍ତି ୯୦ ବର୍ଷୀୟା ବିଧବା ମହିଳା । ଉପର ମହଲାରେ ନିଜେ ରହୁଥିବା ବେଳେ ତଳ ଘରକୁ ଜଗତସିଂହପୁରର ଏହି କରିତକର୍ମା ସ୍ମୃତିକାନ୍ତ ନାୟକକୁ ଭଡାରେ ଦେଇଥିଲେ । କିନ୍ତୁ ଘର ମାଳିକାଣୀ ଏକାକୀ ଅସୁସ୍ଥ ରହୁଥିବା ଦେଖି ବିଶ୍ୱାସରେ ବିଷ ଦେଇଥିଲା ଭଡାଟିଆ । ଘରେ ପଶି ମାଳିକାଣୀ ନଥିବା ବେଳେ ଲୁଟିନେଇଥିଲା ସୁନା ଚେନ, ମୁଦି ଓ ନଗଦ ଟଙ୍କା । ଏନେଇ ବଡଗଡ଼ ଥାନାରେ ଏତଲା ହେବା ପରେ ଅଭିଯୁକ୍ତ ଭଡାଟିଆ ସହ ଚୋରି ସୁନା କିଣିଥିବା ବଣିଆକୁ ମଧ୍ୟ ବାନ୍ଧିଛି ପୋଲିସ । ଚୋରି ହୋଇଥିବା ସୁନା ଟଙ୍କାକୁ ମଧ୍ୟ ଜବତ କରାଯାଇଛି ।

ଏଭଳି ଗୋଟିଏ ଘଟଣା ନୁହେଁ , ୬ ନଭେମ୍ବର ୨୦୨୩ ରେ ଖଣ୍ଡଗିରି ଥାନା କୃଷ୍ଣା ଗାର୍ଡେନରେ ରହୁଥିବା ଶତାୟୁ ମହିଳାଙ୍କ ଘରୁ କଳାକନା ବୁଲାଇଥିଲା ଭଡାଟିଆ । ପରେ ପରେ ସେହି ବର୍ଷ ୧୯ ଡିସେମ୍ବରରେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିଆଣି ଠାରେ ମଧ୍ୟ ମାଲିକ ବାହାରକୁ ବୁଲିବାକୁ ଯାଇଥିବା ବେଳେ ଭଡାଟିଆ ବୁଲାଇଥିଲେ କଳାକନା । କେବଳ ଚୋରି ନୁହେଁ, ବରଂ ଚୋରି ପାଇଁ ଭଡାଟିଆ ମାଲିକଙ୍କୁ ହତ୍ୟା କରିବା ଘଟଣା ମଧ୍ୟ ପୂର୍ବଦିନ ମାନଙ୍କରେ ସାମ୍ନାକୁ ଆସିଛି । କିନ୍ତୁ ବିଡ଼ମ୍ବନାର ବିଷୟ, ଏତେ ସବୁ ପରେ ମଧ୍ୟ ଭଡାଟିଆ ଚିହ୍ନଟ ପ୍ରକ୍ରିୟାକୁ ଗୁରୁତ୍ୱ ଦିଆଯାଉ ନାହିଁ । ଯାହା ଫଳରେ ବାରମ୍ବାର ଆଇନକୁ ହାତକୁ ନେଉଛନ୍ତି ଭଡାଟିଆ । ରାଜଧାନୀ ବଢିବା ସାଙ୍ଗକୁ ଭୁବନେଶ୍ୱରରେ ଘର ପାଇଁ ଡିମାଣ୍ଡ ମଧ୍ୟ ବଢୁଛି । ଏଭଳି କ୍ଷେତ୍ରରେ ପୋଲିସ ନିକଟରେ ଭଡ଼ାଟିଆଙ୍କ ପୁରା ଡାଟା ବେସ୍ ନରହିବା ଏବେ ଚିନ୍ତାର ବିଷୟ ପାଲଟିଛି ।

ତିବ୍ଦତରେ କ’ଣ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି ସି ଜିନପିଙ୍ଗ?

ନନ୍ଦିଘୋଷ ବ୍ୟୁରୋ : ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ନିକଟରେ ତିବ୍ଦତ ଗସ୍ତ କରିଥିଲେ। ବେଜିଂ ଏବେ ଏହାର ବିଚାରଧାରା ଏବଂ ସମାଜବାଦୀ ଗଠନ ଅନୁସାରେ ବୌଦ୍ଧ ଧର୍ମକୁ ଗଢ଼ିବା ପାଇଁ ପଦକ୍ଷେପ ଗ୍ରହଣ କରିବ ବୋଲି ଜିନପିଙ୍ଗ କହିଛନ୍ତି ।  ଏହି ପରିବର୍ତ୍ତନ କେବଳ ଧାର୍ମିକ ବିଶ୍ୱାସରେ ସୀମିତ ରହିବନି, ବରଂ ଭାଷା, ସଂସ୍କୃତି ଓ ପ୍ରଶାସନିକ ଗଠନ ପର୍ଯ୍ୟନ୍ତ ବ୍ୟାପିବ। ଏହାର ଅର୍ଥ ହେଉଛି ଯେ ଧର୍ମର ରୂପ ଏବେ ଚୀନ୍ କମ୍ୟୁନିଷ୍ଟ ପାର୍ଟିର ଚିନ୍ତାଧାରା ଅନୁସାରେ ଗଠନ କରାଯିବ। ସି ଜିନପିଙ୍ଗ ଏବଂ ତାଙ୍କ ସହିତ ଥିବା ବରିଷ୍ଠ ଅଧିକାରୀମାନେ ମଧ୍ୟ ପୁନରାବୃତ୍ତି କରିଥିଲେ ଯେ ତିବ୍ୱତର ଭବିଷ୍ୟତ କେବଳ ଧର୍ମ ଓ ରାଜନୀତିର ପୃଥକୀକରଣରେ ସୁରକ୍ଷିତ। ତିବ୍ୱତ ଥରେ ଧାର୍ମିକ ନେତାମାନଙ୍କ ଦ୍ୱାରା ଶାସିତ ହେଉଥିଲା, କିନ୍ତୁ ୧୯୫୦ଦଶକରେ ଚୀନ୍ ଦଖଲ ପରେ ଏହାର ରାଜନୈତିକ ଗଠନ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହୋଇଗଲା। ଏବେ ଚୀନ୍ ଏକ ସ୍ପଷ୍ଟ ବାର୍ତ୍ତା ଦେଉଛି ଯେ ଧର୍ମ କେବଳ ଆଧ୍ୟାତ୍ମିକ ଜୀବନରେ ସୀମିତ ରହିବା ଉଚିତ ଓ ଏହାର ରାଜନୈତିକ ଶକ୍ତି ଉପରେ କୌଣସି ପ୍ରଭାବ ପକାଇବା ଉଚିତ୍ ନୁହେଁ। ଦଲାଇ ଲାମାଙ୍କ ପୁନର୍ଜନ୍ମ ନିଷ୍ପତ୍ତି ନେବାର ଅଧିକାର ମଧ୍ୟ ବେଜିଂ ପାଖରେ ରହିଛି।

ତିବ୍ଦତୀୟ ପରିଚୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ସେମାନଙ୍କର ଭାଷା ଏବଂ ସଂସ୍କୃତି। ତାଙ୍କ ଗସ୍ତ ସମୟରେ, ସି ଜିନପିଙ୍ଗ କହିଥିଲେ ଯେ ତିବ୍ଦତରେ ମାଣ୍ଡାରିନ୍ କିମ୍ବା ଚୀନ୍ ଭାଷାକୁ ଅଧିକ ଦୃଢ଼ ଭାବରେ ପ୍ରସାର କରିବାକୁ ପଡିବ। ସ୍କୁଲ, କାର୍ଯ୍ୟାଳୟ ଏବଂ ପ୍ରଶାସନରେ ମାଣ୍ଡାରିନ୍ ବ୍ୟବହାର ବୃଦ୍ଧି କରିବା ପାଇଁ ନୂତନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି। ବୌଦ୍ଧ ଅନୁଗାମୀମାନେ ଚୀନ୍‌ର ଆଧୁନିକ ଚିନ୍ତାଧାରାକୁ ଗ୍ରହଣ କରିବା ପାଇଁ ଧାର୍ମିକ ସାହିତ୍ୟ ଏବଂ ଶିକ୍ଷାରେ ପରିବର୍ତ୍ତନ ଆଣିବାର ମଧ୍ୟ ଯୋଜନା ରହିଛି। ସମାଲୋଚକମାନେ କହିଛନ୍ତି ଯେ ଏହି ପଦକ୍ଷେପ ଧୀରେ ଧୀରେ ତିବ୍ଦତୀୟ ସଂସ୍କୃତିକୁ ଦୁର୍ବଳ କରିପାରେ।

ଯଦିଓ ଚୀନ୍ ଏହାର ପଦକ୍ଷେପଗୁଡ଼ିକୁ ବିକାଶ ଏବଂ ଏକତା ବୋଲି କହୁଛି, ଅନ୍ତର୍ଜାତୀୟ ସ୍ତରରେ ଏହି ନୀତିକୁ ସାଂସ୍କୃତିକ ଦମନ ଭାବରେ ବର୍ଣ୍ଣନା କରାଯାଉଛି। ମାନବାଧିକାର ସଂଗଠନଗୁଡ଼ିକ କହିଛନ୍ତି ଯେ ଧାର୍ମିକ କାର୍ଯ୍ୟକଳାପ ଉପରେ କଠୋରତା, ମଠଗୁଡ଼ିକର ନଜର ରଖିବା ଏବଂ ଭାଷା ଉପରେ କଟକଣା ତିବ୍ଦତୀୟମାନଙ୍କ ପରିଚୟକୁ କ୍ଷତି ପହଞ୍ଚାଉଛି। ୨୦୦୮ ମସିହାରେ ତିବ୍ଦତୀୟ ବିଦ୍ରୋହ ପରଠାରୁ ସେଠାରେ ସୁରକ୍ଷା ଏବଂ ନଜର କଡ଼ାକଡ଼ି କରାଯାଇଛି।

କେନ୍ଦୁଝର ଯୋଡ଼ା ମ୍ୟୁନିସିପାଲିଟିରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା

ଚମ୍ପୁଆ : ରାସ୍ତା କଡରେ ପଡିଛି କୁଢକୁଢ ଅଳିଆ ଆବର୍ଜନା । ଭାଙ୍ଗିଗଲାଣି ଡ୍ରେନ । ସବୁଠି ପୁତିଗନ୍ଧମୟ ପରିବେଶ । ନାଁକୁ ମାତ୍ର ଗଡୁଛି ସଫେଇ ଗାଡି । କେନ୍ଦୁଝର ଜିଲ୍ଲା ଯେlଡା ମ୍ୟୁନିସିପାଲିଟିରେ ବିପର୍ଯ୍ଯସ୍ତ ହୋଇପଡିଛି ପରିମଳ ବ୍ଯବସ୍ଥା । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ଯରେ ଅସନ୍ତୋଷ ତେଜିବାରେ ଲାଗିଛି । ଖଣି ଖାଦାନ ଭରା ଯେlଡା ମ୍ୟୁନିସିପାଲିଟିର ୧୪ଟି ଓ୍ବାର୍ଡର ସଫେଇ ଦାୟିତ୍ବ ନେଇଥିବା ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତରାରେ ସଫେଇ କାମ ଏକ ପ୍ରକାର ପ୍ରହସନରେ ପରିଣତ ହୋଇଥିବା ଅଭିଯୋଗ ହୋଇଛି ।

ଯୋଡା ପୌରାଞ୍ଚଳର ବିଭିନ୍ନ ୱାର୍ଡରୁ ବର୍ଜ୍ଯବସ୍ତୁ ସଂଗ୍ରହ ପାଇଁ କିଣା ଯାଇଥିବା ବହୁ ଗାଡି ବ୍ଯବହାର ହୋଇ ନପାରି ବିଭାଗୀୟ କାର୍ଯ୍ଯାଳୟ ପରିସରରେ ଖତ ଖାଉଛି । ମାତ୍ର ପ୍ରତି ୱାର୍ଡରେ ଗଦା ହୋଇଛି କୁଢକୁଢ ଆବର୍ଜନା । ନା ସଫେଇ କାମ ଠିକ ସେ ହେଉଛି ନା ୱାର୍ଡରେ ଠିକ ଭାବରେ ବ୍ଲିଚିଂ ପାଉଡର, ମଶାତେଲ ,ଫିନାଇଲ ସିଞ୍ଚନ କରାଯାଉଛି । ଫଳରେ ବିଭିନ୍ନ ୱାର୍ଡରେ ସଂପୂର୍ଣ୍ଣ ବିପର୍ଯ୍ଯସ୍ତ ହୋଇପଡିଛି ପରିମଳ ବ୍ଯବସ୍ଥା । ମଶାମାନଙ୍କର ପ୍ରାଦୂର୍ଭାବ ବଢିବାରେ ଲାଗିଛି । ଫଳରେ ଯୋଡା ପୌରାଞ୍ଚଳବାସୀଙ୍କୁ ଡେଙ୍ଗୁ ଓ ମ୍ଯାଲେରିଆ ରୋଗ ହେବାର ସମ୍ଭାବନା ବଢିଯାଇଛି । ଅନ୍ଯପଟେ ସଫେଇ କାମ ଠିକ ଠାକ ଚାଲିଥିବା କହିଛନ୍ତି ପୌରପରିଷଦ ନିର୍ବାହୀ ଅଧିକାରୀ। ଗେlଟିଏ ପଟେ ସଫେଇକୁ ନେଇ ପୌର କର୍ତ୍ତୣପକ୍ଷ ସନ୍ତୁଷ୍ଟି ପ୍ରକାଶ କରୁଥିବା ବେଳେ ଅନ୍ୟପଟେ ସଫେଇ ଅନିୟମିତତାକୁ ନେଇ ଓ୍ବାର୍ଡବାସୀଙ୍କ ମଧ୍ୟରେ ଜମାଚ ବାନ୍ଧିବାରେ ଲାଗିଛି ଅସନ୍ତୋଷ । ଲୋକଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ପୌର କର୍ତ୍ତୃପକ୍ଷ ସଫେଇକୁ ଅଧିକ ଗୁରୁତ୍ଵ ଦେବେ କି ନାହିଁ ତାହା ଦେଖିବାକୁ ବାକି ରହିଲା ।

ଧର୍ମଗଡରେ ନୂଆଁଖାଇର ମହକ, ହାଟରେ ଲାଗିଲାଣି ଗହଳି

ଧର୍ମଗଡ : ଖୋଲିଲାଣି ତିହାର ହାଟ । ଲାଗିଲାଣି ଗହଳିଚହଳି । ନୂଆ ସଜ କିଣାରେ ସବୁଠି ଭିଡ଼ । ଦିନ କେଇଟା ପରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ କଳାହାଣ୍ଡି ଜିଲ୍ଲା ଧର୍ମଗଡରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଘର ଲିପାପୋଛା ପରେ ନୂଆ ସଜ କିଣାକିଣିରେ ଲାଗିପଡ଼ିଛନ୍ତି ଲୋକେ । ବଜାରରୁ ନବାନ୍ନ ପାଇଁ ନୂଆ ଧାନ, ଚୁଡ଼ା, ହାଣ୍ଡି ମାଠିଆ ସାଙ୍ଗକୁ ନୂଆ ଲୁଗା ପଟା କିଣୁଛନ୍ତି  l ନୂଆଁଖାଇ ଦିନ ଇଷ୍ଟଦେବୀଙ୍କ ପାଖରେ ନବାନ୍ନ ଲାଗିବା ହେବା ପରେ ନୂଆ ଖାଇବେ ସମସ୍ତେ ।

ୟପ୍ରତି ବର୍ଷ ଭାଦ୍ରବ ମାସ ୠଷି ପଞ୍ଚମୀରେ ପାଳିତ ହୁଏ କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ । ଯିଏ ଯେଉଁଠି ଥିଲେ ବି ଏହି ପର୍ବ ପାଇଁ ସମସ୍ତେ ଘରକୁ ଫେରିଥାନ୍ତି । ବର୍ଷର ନୂଆ ଉତ୍ପାଦିତ ଫସଲକୁ ନିଜ ଇଷ୍ଟ ଦେବୀଙ୍କ ପାଖରେ ସମର୍ପଣ ପରେ ନୂଆ ଲୁଗା ପିନ୍ଧି ନବାନ୍ନ ଭକ୍ଷଣ କରିଥାନ୍ତି ପଶ୍ଚିମ ଓଡ଼ିଶାବାସୀ l ନୂଆଁଖାଇ ପର୍ବ ପରଦିନ ପଡେ ବାସି ତିଆରି । ଏହି ବାସି ତିଆରିରେ ସମସ୍ତଙ୍କ ଘରେ ଜମିଥାଏ ମାଛ ମାଂସର ଆସର । ସେଥିପାଇଁ ଏବେଠାରୁ ବଜାରରେ ଲୋକ ଛେଳି ମେଣ୍ଢା କିଣାବିକା ଆରମ୍ଭ କଲେଣି । ଅନ୍ଯପଟେ ଜୁହାର ଭେଟ ପାଇଁ କଳହାଣ୍ଡିର ବୀରବାଦ୍ଯ ଘୁମୁରା, ସମ୍ବଲପୁରୀ ସାଙ୍ଗକୁ ଘୁଟୁକା ନାଚ ବି ପ୍ରସ୍ତୁତ ରହିଛି । ନୂଆଁଖାଇ ଖାଲି ଯେ ପଶ୍ଚିମ ଓଡ଼ିଶାର ଗଣପର୍ବ ତାହା ନୁହେଁ ଏହି ପର୍ବକୁ ଛତିଶଗଡ ଲୋକ ବି ଧୁମଧାମରେ ପାଳିଥାନ୍ତି ।

ନିମ୍ନମାନର କାମ କରି ମାଲେମାଲ ଠିକାଦାର, ଯନ୍ତ୍ରଣା ଭୋଗୁଛନ୍ତି ଲୋକେ

ବାସୁଦେବପୁର : ରାସ୍ତା ପ୍ରଶସ୍ତ କରାଯିବ । ସୁବିଧାରେ ଲୋକେ ଯାଆସ କରିବେ । ହେଲେ ଠିକାଦାରଙ୍କ ମନମାନିରୁ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ । ଭଦ୍ରକ ଜିଲ୍ଲା ବାସୁଦେବପୁର- ଇଚ୍ଛାପୁରକୁ ସଂଯୋଗ କରୁଥିବା ୨୩ କିଲୋମିଟର ରାସ୍ତାର ଚାଲିଛି ପ୍ରଶସ୍ତିକରଣ କାମ । ରାସ୍ତା ପ୍ରଶସ୍ତିକରଣ ପୂର୍ବରୁ ଗଛ ଓ ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତରିତ ହେବାର ଥିଲା । ହେଲେ ରାସ୍ତା କାମ ଶେଷ ହେବାକୁ ବସିଲାଣି ହେଲେ ହଟିନାହିଁ ଗଛ କି ଖୁଣ୍ଟ । ଖାଲି ସେତିକି ନୁହେଁ ଦାୟିତ୍ଵରେ ଥିବା ଅଧିକାରୀଙ୍କ ଦାୟିତ୍ଵହୀନତା ପାଇଁ ରାସ୍ତା କାମ ନିମ୍ନମାନର ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ରାସ୍ତା ଉପରେ ପାଣି ସିଞ୍ଚନ ହେଉନଥିବାରୁ ଲୋକେ ଧୂଳିରେ ଆକ୍ତାମାକ୍ତା ହେଉଥିବା ବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି ।

ବାସୁଦେବପୁର- ଇଚ୍ଛାପୁର ୨୩ କିଲୋମିଟର ରାସ୍ତାର ସଂପ୍ରସାରଣ ପାଇଁ ୩୬ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ରାସ୍ତା କାମ ଦାୟିତ୍ଵ ବିରଜା କନଷ୍ଟ୍ରକସନ ନାମକ ଏକ ଠିକା ସଂସ୍ଥାକୁ ଦିଆଯାଇଛି । ୧୨ ଫେବୃଆରୀ ୨୦୨୪ ରୁ ଆରମ୍ଭ ହୋଇଥିବା କାମର ଶେଷ ଅବଧି ୧୧ ଡିସେମ୍ବର ୨୦୨୫ ରହିଛି । ୧୦ ମିଟର ରାସ୍ତାର ପ୍ରଶସ୍ତିକରଣ ହେବ । କାମ ସରିବାକୁ ବସିଲାଣି ହେଲେ ଦୁଇ ପାର୍ଶ୍ଵର ଗଛ କଟାଯାଇ ନାହିଁ କି ବିଦ୍ଯୁତ ଖୁଣ୍ଟ ସ୍ଥାନାନ୍ତରିତ ହୋଇନାହିଁ । ଠିକାଦାର ରାତି ଅଧିଆ ନିମ୍ନମାନର କାମ କରି ଟଙ୍କା ହରିଲୁଟ କରୁଥିବାରୁ ବିଧାୟକ ରାସ୍ତା କାମ ବନ୍ଦ କରିଦେଇଛନ୍ତି । ଦୁର୍ନୀତି ସଂପର୍କରେ ତଦନ୍ତ କରାଯିବା ସହ ରାସ୍ତା କାମ ଶୀଘ୍ର ସାରିବାକୁ ସାଧାରଣରେ ଦାବି ଜୋର ଧରିଛି ।