spot_img
Home Blog Page 4632

ସର୍ବାଧିକ ଗ୍ରାଣ୍ଡସ୍ଳାମ୍ ଜିତି ରେକର୍ଡ କଲେ ରାଫେଲ ନାଡାଲ

ସିଡନୀ: ରାଫେଲ ନାଡାଲ ଜିତିଲେ ୨୧ତମ ଗ୍ରାଣ୍ଡସ୍ଲାମ । ଅଷ୍ଟ୍ରେଲିଆନ ଓପନ ଜିତି ଇତିହାସ ରଚିଲେ ରାଫେଲ ନାଡାଲ । ୨୧ତମ ଗ୍ରାଣ୍ଡସ୍ଲାମ ଜିତି ଦୁନିଆର ସର୍ବାଧିକ ଗ୍ରାଣ୍ଡସ୍ଲାମ ଜିତିବାର ରେକର୍ଡ ନିଜ ନାମରେ କରିଛନ୍ତି ରାଫେଲ । ୩୫ ବର୍ଷୀୟ ନାଡାଲ ମେଲବର୍ଣ୍ଣରେ ଖେଳାଯାଇଥିବା ଫାଇନାଲ୍‌ ମ୍ୟାଚ୍‌ରେ ରୁଷର ଡାନିଲ ମେଦଭେଦେଭଙ୍କୁ ସଂଘର୍ଷପୂର୍ଣ୍ଣ ମୁକାବିାଲରେ ୨-୬, ୬-୭, ୬-୪, ୬-୪, ୭-୫ ସେଟ୍‌ରେ ପରାସ୍ତ କରିଛନ୍ତି । ଏହି ମୁକାବିଲା ଦୀର୍ଘ ୫ ଘଣ୍ଟା ୨୪ ମିନିଟ୍ ଧରି ଚାଲିଥିଲା ।

ମେଦଭେଦେଭ ପ୍ରଥମ ଦୁଇଟି ସେଟ୍‌କୁ ୬-୨, ୭-୬ରେ ଜିତି ଅଗ୍ରଣୀ ହାସଲ କରିଥିଲେ । ତେବେ ନାଡାଲ ଦମଦାର ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ଦୁଇଟି ସେଟ୍‌ ୬-୪, ୬-୪ରେ ଜିତି ମ୍ୟାଚ୍‌କୁ ବରାବର ସ୍ଥିତିକୁ ଆଣିଥିଲେ । ଏହା ପରେ ପଞ୍ଚମ ସେଟ୍ ରୋମାଞ୍ଚକର ରହିଥିଲା । ଏଥିରେ ନାଡାଲ ନିଜ ଅଭିଜ୍ଞତା ବଳରେ ୭-୫ ସେଟ୍ରେ ଜିତି ଟାଇଟଲ୍ ନିଜ ନାମରେ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ପ୍ରଚାର ବେଳେ ଲାେକଙ୍କୁ ଟଙ୍କା ବାଣ୍ଟୁଛନ୍ତି ସରପଞ୍ଚ ପ୍ରାର୍ଥୀ: ଭିଡିଓ ଭାଇରଲ୍

ପ୍ରଚାର ବେଳେ ଲାେକଙ୍କୁ ଟଙ୍କା ବାଣ୍ଟୁଛନ୍ତି ସରପଞ୍ଚ ପ୍ରାର୍ଥୀ: ଭିଡିଓ ଭାଇରଲ୍

ବଲାଙ୍ଗୀର: ପଞ୍ଚାୟତ ନିର୍ବାଚନରେ ଖୁଲମଖୁଲା ଟଙ୍କା ବାଣ୍ଟୁଛନ୍ତି ସରପଞ୍ଚ ପ୍ରାର୍ଥୀ । ପ୍ରଚାର ବେଳେ ଭୋଟରଙ୍କ ହାତରେ ଧରାଇ ଦେଉଛନ୍ତି ୫ ଶହ ଟଙ୍କିଆ ନୋଟ୍‌ । ପକେଟରେ ବି ଧରିଛନ୍ତି ବିଡ଼ା ବିଡ଼ା ଟଙ୍କା । ବଲାଙ୍ଗୀର ବଙ୍ଗୋମୁଣ୍ଡା ବ୍ଲକ ଠେମେରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଲକ୍ଷ୍ମୀକାନ୍ତ ବାଗଙ୍କ ବିରୋଧରେ ଆସିଛି ଏଭଳି ଅଭିଯୋଗ । ଯାହାର ଭିଡିଓ ମଧ୍ୟ ଏବେ ସୋସିଆଲ ମଡିଆରେ ଭାଇରାଲ ହୋଇଛି । ଏପରକି ନିଜ ହ୍ୱାଟସ୍‌ଆପ୍ ଷ୍ଟାଟସ୍‌ରେ ପ୍ରଚାର ଓ ଟଙ୍କା ବାଣ୍ଟିବାର ଭିଜୁଆଲ ସେୟାର କରିଛନ୍ତି ଲକ୍ଷ୍ମୀକାନ୍ତ ।

ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଥିଲେ ହେଁ ଆଦର୍ଶ ଆଚରଣ ବିଧିକୁ ଜଳାଞ୍ଜଳି ଦେଇ ଟଙ୍କା ବାଣ୍ଟିଛନ୍ତି ଲକ୍ଷ୍ମୀକାନ୍ତ । ପୂର୍ବରୁ ମଧ୍ୟ ପିସି କାରବାରକୁ ନେଇ ଲକ୍ଷ୍ମୀକାନ୍ତ ବିବାଦ ଘେରରେ ଥିଲେ । ତାଙ୍କ ସ୍ତ୍ରୀ ସରପଞ୍ଚ ଥିବା ବେଳେ ଲକ୍ଷ୍ମୀକାନ୍ତ ବିରୋଧରେ ଅନେକ ଅନିୟମିତତା ଅଭିଯୋଗ ଆସିଥିଲା  ।

ମନରେଗା କାମ ବାବଦକୁ ଠିକାଦାର ଠାରୁ ଲକ୍ଷ୍ମୀକାନ୍ତ ୩୦ ହାଜର ଟଙ୍କା ପିସି ନେଉଥିବା ଭିଡିଓ ଭାଇରାଲ ହୋଇଥିଲା  । ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ତଦନ୍ତ ଚାଲିଥିବା ବେଳେ, ଚଳିତ ନିର୍ବାଚନ ଠେମେରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ଲକ୍ଷ୍ମୀକାନ୍ତ । ତେବେ ପୁଣି ଖୁଲମଖୁଲା ଟଙ୍କା ବାଣ୍ଟୁଥିବାରୁ ନିର୍ବାଚନରେ ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ । ସେପଟେ ଏନେଇ ଲକ୍ଷ୍ମୀକାନ୍ତଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ  ।

 

ଏଥିସହିତ ପଢ଼ନ୍ତୁ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ସମିତ୍ୟ ସଭ୍ୟ ନେଇ ପ୍ରାର୍ଥୀ ହୋଇଛନ୍ତି ଗୋଟିଏ ପରିବାରର ୭ ସଦସ୍ୟ

ଦିବଂଗତ ସାମ୍ୱାଦିକଙ୍କ ସ୍ମୃତିରେ କ୍ରିକେଟ ମ୍ୟାଚ୍: କ୍ରାଇମ ସାମ୍ୱାଦିକ ବିଜୟୀ

ଭୁବନେଶ୍ୱର: ପୋଲିସ ବନାମ କ୍ରାଇମ ସାମ୍ବାଦିକଙ୍କ ମଧ୍ୟରେ କ୍ରିକେଟ ମ୍ୟାଚ । ମଇଦାନରେ କମିସନେରେଟ ପୋଲିସଙ୍କୁ ପରାସ୍ତ କରି ବିଜୟ ହୋଇଛି ଉଭୟ ପ୍ରିଣ୍ଟ ଓ ଇଲେକଟ୍ରୋନିକ୍ସ କ୍ରାଇମ ରିପୋର୍ଟର ଟିମ । ଭୁବନେଶ୍ବରର ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ସ୍ବର୍ଗତ ଅରିନ୍ଦମ ଓ ପ୍ରବୀର୍ ମେମୋରିଆଲ ଆନୁକୂଲ୍ୟରେ କମିସନେରେଟ ପୋଲିସର ଆୟୋଜିତ ଏହି ବନ୍ଧୁତାପୂର୍ଣ ମ୍ୟାଚ ଅନୁଷ୍ଠିତ ହୋଇଛି । ନିଜକୁ ଫିଟ ଓ କାମରୁ ଟିକେ ନିବୃତ ରହିବା ଉଦ୍ଧେଶ୍ୟରେ ବୈଦ୍ୟୁତିକ ଓ ଛାପା ସାମ୍ବାଦିକଙ୍କ ସହ ପୋଲିସ ଟିମର ଖେଳ ଅନୁଷ୍ଠିତ ହୋଇଥିଲା । ପୋଲିସ ଟିମରେ ଭୁବନେଶ୍ବର ଡିସିପିଙ୍କ ସମେତ ସମସ୍ତ ଥାନାର ଏସିପି, ଆଇଆଇସି ଓ ଏସଆଇ ସାମିଲ ଥିଲେ ।

ପୋଲିସ ବନାମ କ୍ରାଇମ ରିପୋର୍ଟର । ହାତରେ ବୁମ କି ବନ୍ଧୁକ ନୁହଁ । ହାତରେ ବ୍ୟାଟ ଆଉ ବଲ୍ । ନା ଥିଲା ଖାକିର ବର୍ଦ୍ଦି, ନା ଥିଲା ଲାଇଭ୍ । ଅବସର ଥିଲା ସ୍ବର୍ଗତ ସାମ୍ବାଦିକ ଅରିନ୍ଦମ ଦାଶ ଓ ପ୍ରବୀର ପ୍ରଧାନଙ୍କ ସ୍ମୃତିରେ ଅରିନ୍ଦମ ପ୍ରବୀର ମେମୋରିଆଲ ଟେନିସ ରନିଙ୍ଗ ଚାମ୍ପିୟନସିପ୍ । ପୋଲିସ, ପ୍ରିଣ୍ଟ ଓ ଇଲୋଟ୍ରୋନିକ୍ସ ମିଡିଆର ରିପୋର୍ଟରକୁ ନେଇ ହୋଇଥିଲା ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ । ଅରିନ୍ଦମ ମେମୋରିଆଲ ଟ୍ରଫି ପାଇଁ ଇଲେକ୍‌ଟ୍ରୋନିକ୍ସ ମିଡିଆ ଓ ପୋଲିସ ମଧ୍ୟରେ ହୋଇଥିଲା ଫାଇଟ୍ । ପ୍ରଥମେ ଟିମ୍‌ ଡିସିପି ୧୨ ଓଭର ବିଶିଷ୍ଟ ମ୍ୟାଚରେ ୮ ଓ୍ବିକେଟ ହରାଇ ୭୭ ରନ କରିଥିଲେ । ୭୮ ରନର ବିଜୟ ଲକ୍ଷ୍ୟ ରଖି ପଡିଆକୁ ଓହ୍ଲାଇଥିଲା କ୍ରାଇମ ରିପୋର୍ଟର ଏକାଦଶ । ଛକା ଓ ଚଉକାର ବର୍ଷାରେ ଆରମ୍ଭ ହୋଇଥିଲା ଇନିଂସ । ୭ ଓ୍ବିକେଟ୍‌ ହରାଇ ୭୮ ରନକୁ ପିଛା କରି ବିଜୟ ଲାଭ କରିଥିଲା ।

ସେପଟେ ପ୍ରବୀର ମେମୋରିଆଲ ଟ୍ରିଫି ପାଇଁ ପ୍ରିଣ୍ଟି ମିଡିଆ ଓ ପୋଲିସ ଏକାଦଶ ମଧ୍ୟରେ ହୋଇଥିଲା ମ୍ୟାଚ । ୧୨ ଓଭର ବିଶିଷ୍ଟ ମ୍ୟାଚରେ ୮୮ ରନ କରିଥିଲେ ପୋଲିସ ଟିମ୍ । ଅତିରିକ୍ତ ପୋଲିସ କମିଶନର ନିତୀ ଶେଖର ଓ ପିକେ ଜେନା ଭଲ ପ୍ରଦର୍ଶନ କରିଥିଲେ । ୮୯ ରନକୁ ଲକ୍ଷ୍ୟ କରି ପଡିଆକୁ ଓହ୍ଲାଇ ଥିଲା ପ୍ରିଣ୍ଟ ମିଡିଆ । ୨ ଓ୍ବିକେଟ ବିନିମୟରେ ବିଜୟ ଲାଭ କରିଥିଲା । ପ୍ରତି ବର୍ଷ ସ୍ବର୍ଗତ ଅରିନ୍ଦମ ପ୍ରବୀର୍ ମେମୋରିଆଲ ଟ୍ରଫି ଖେଳାଯିବ ବୋଲି ଭୁବନେଶ୍ବର କମିସନେରେଟ ସୂଚନା ଦିଆଯାଇଛି । ଓଡ଼ିଶା ଷ୍ଟେଟ୍ ଟେନିସ କ୍ରିକେଟ ଆସୋସିଏସନ୍ ମ୍ୟାଚକୁ ପରିଚାଳନା କରିଥିଲା ।

୯ ଲକ୍ଷ ଟଙ୍କାରେ ଜୀବନ୍ତ ବଜ୍ରକାପ୍ତା ଡିଲ୍: ବେପାରୀ ସାଜି ମାଡ଼ି ବସିଲା ଏସ୍‌ଟିଏଫ୍

ଭୁବନେଶ୍ୱର: ପୁଣି ଏସଟିଏଫ କବଜାରେ ଜଙ୍ଗଲ ଶିକାରୀ । କୋରାପୁଟ ବୋରିଗୁମ୍ମା ରାସ୍ତା କଡ଼ରେ ଜୀବନ୍ତ ବଜ୍ରକାପ୍ତାକୁ ନେଇ ଡିଲ୍‌ ବେଳେ ମାଡ଼ି ବସିଲା ଏସଟିଏଫ । ଜୀବନ୍ତ ବଜ୍ରକାପ୍ତା ଧରିବା ଏବଂ ବିକ୍ରି କରିବା ଅଭିଯୋଗରେ ୨ ଜଣ ଅପରାଧୀଙ୍କୁ ଗିରଫ କରିବା ସହିତ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରି ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ୍ ।

ଅପରେସନ ଜଙ୍ଗଲ ତସ୍କରୀ । ଏସଟିଏଫ କବଜାରେ ୨ ଶିକାରୀ । ୯ ଲକ୍ଷରେ ହୋଇଥିଲା ଜୀବନ୍ତ ବଜ୍ରକାପ୍ତା ଡିଲ୍‌ । ଛଦ୍ମ ବେଶରେ ବେପାରୀ ସାଜି ମାଡି ବସିଲା ଏସଟିଏଫ । ଟଙ୍କା ଲୋଭରେ ନିରୀହ ପଶୁଙ୍କ ଜୀବନ ନେଉଛନ୍ତି ବନ୍ୟ ଜନ୍ତୁ ମାଫିଆ । କେତେବେଳେ ଶିକାର କରି ବାଘ ଛାଲ କରୁଛନ୍ତି ଚୋରା ଚାଲାଣ ତ ଆଉ କେତବେଳେ ଜୀବନ୍ତ ବଜ୍ରକାପ୍ତାକୁ ବିକୁଛନ୍ତି ଲକ୍ଷ ଲକ୍ଷ ଟଙ୍କାରେ । ଓଡିଶାରୁ ଚାଇନା ପର୍ଯ୍ୟନ୍ତ ଲମ୍ବିଛି ଚେର । କୋରାପୁଟ-ବୋରିଗୁମା ରାସ୍ତାରେ ବେପାରୀଙ୍କୁ ଦେବାକୁ ଜଗି ଥିବା ବେଳେ କୋରାପୁଟ ବନ ଅଧିକାରୀଙ୍କ ସହାୟତାରେ ମାଡି ବସିଥିଲା ଏସଟିଏଫ । ଗିରଫ ଅପରାଧୀ ହେଲେ ମାଧବ ପରଜା ଓ ଜଗବନ୍ଧୁ ପରଜା । କେବେ ଠାରୁ କାରବାର କରୁଥିଲେ ? କେତୋଟି ଶିକାର କରିଛନ୍ତି ? କେଉଁ ବେପାରୀକୁ ଦେଉଥିଲେ ? ସେନେଇ ଛାନଭିନ କରୁଛି ଏସଟିଏଫ ।

୨୦୨୦ରୁ ବନ୍ୟଜନ୍ତୁ ଅପରାଧୀଙ୍କ ବିରୋଧରେ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ କରାଯାଇଛି । ଏବ ସୁଦ୍ଧା ୨୫ ଟି ବାଘ ଛାଲ, ୧୩ ଟି ହାତୀ ଦାନ୍ତ, ୭ଟି ହରିଣ ଛାଲ, ୧୧ଟି ଜୀବନ୍ତ ବଜ୍ରକାପ୍ତା ଏବଂ ୧୬ କିଲୋଗ୍ରାମରୁ ଅଧିକ ବଜ୍ରକାପ୍ତା କାତି ଜବତ କରାଯାଇଛି । ମୋଟ୍ ୫୭ ଟି ବନ୍ୟଜନ୍ତୁ ଅପରାଧୀଙ୍କୁ ଗିରଫ କରିଛି ଏସଟିଏଫ । ବଜ୍ରକାପ୍ତା ଚୋରା ଚାଲାଣ ପଛରେ ଆନ୍ତଃରାଜ୍ୟ ଓ ଅନ୍ତର୍ଜାତୀୟ ସ୍ତରରେ ରାକେଟ କାମ କରୁଛି । ହେଲେ ମାଷ୍ଟର ମାଇଣ୍ଡ ପାଖରେ ପହଞ୍ଚିପାରୁନି ଏସଟିଏଫ । ସେପଟେ ବନ ବିଭାଗର କାର୍ଯ୍ୟକାରିତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।

ଏଥିସହିତ ପଢ଼ନ୍ତୁ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ସମିତ୍ୟ ସଭ୍ୟ ନେଇ ପ୍ରାର୍ଥୀ ହୋଇଛନ୍ତି ଗୋଟିଏ ପରିବାରର ୭ ସଦସ୍ୟ

ଜାଣନ୍ତୁ ଅର୍ଥନୈତିକ ସର୍ଭେ କ’ଣ ? କାହିଁକି ଆସେ ବଜେଟ୍ ପୂର୍ବରୁ ?

ନୂଆଦିଲ୍ଲୀ: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଫେବ୍ରୁଆରି ପହିଲାରେ ବଜେଟ୍‌ ଆଣିବେ କେନ୍ଦ୍ର ସରକାର। ଲୋକସଭାରେ ଏହି ବଜେଟ୍‌ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟ୍‌ ଆସିବା ପୂର୍ବରୁ ‘ଅର୍ଥନୈତିକ ସର୍ଭେ ରିପୋର୍ଟ’ ଉପସ୍ଥାପନ କରାଯିବ। ତେବେ ଏହି ଅର୍ଥନୈତିକ ସର୍ଭେ ରିପୋର୍ଟ କ’ଣ ଜାଣନ୍ତୁ।

ବଜେଟ୍‌ ଆଣିବା ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ଅର୍ଥନୀତି ବିଶେଷଜ୍ଞମାନଙ୍କ ମତାମତ ଲୋଡ଼ିଥାନ୍ତି। ବଜେଟର ରୂପରେଖ କ’ଣ ହେବ ଏବଂ କାହା ଉପରେ ଫୋକସ୍‌ ଦେଲେ ଭଲ ହେବ ସେ ବିଷୟରେ ଆଲୋଚନା କରିଥାନ୍ତି। ଅର୍ଥନୀତି ବିଶେଷଜ୍ଞ ଏବଂ ପରାମର୍ଶଦାତାଙ୍କ ମତାମତକୁ ଆଧାର କରି ଏକ ରିପୋର୍ଟ ତିଆରି କରାଯାଏ। ଏହାକୁ ‘ଅର୍ଥନୈତିକ ସର୍ଭେ ରିପୋର୍ଟ’ କୁହାଯାଏ।

ଏହି ରିପୋର୍ଟ ମୁଖ୍ୟ ଅର୍ଥନୀତି ପରାମର୍ଶଦାତା ତିଆରି କରିଥାନ୍ତି। ବଜେଟ୍‌ ଅଧିବେଶନ ଆରମ୍ଭରୁ ହିଁ ଏହି ରିପୋର୍ଟ ସଂସଦରେ ଉପସ୍ଥାପନ କରିଥାନ୍ତି ଅର୍ଥମନ୍ତ୍ରୀ। ଜାନୁଆରି ୩୧ ଅର୍ଥାତ ଆସନ୍ତାକାଲି ବଜେଟ୍‌ ଅଧିବେଶନ ଆରମ୍ଭ ହେଉଥିବାରୁ ଏହି ଦିନ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରିବେ। ପୂର୍ବ ବର୍ଷର ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ। ଏହାସହ ଆସନ୍ତା ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର କେମିତି ରହିବ ତାହା ମଧ୍ୟ ଏହି ରିପୋର୍ଟରୁ ଜଣାପଡ଼ିଥାଏ।

ଏହାସହ ବଜେଟର ରୂପରେଖ କ’ଣ ହେବ ଏବଂ ସରକାର କେଉଁ ସେକ୍ଟରକୁ ଅଧିକ ଗୁରୁତ୍ୱ ଦେବାକୁ ଚାହୁଁଛନ୍ତି ତାହା ମଧ୍ୟ ଏହି ରିପୋର୍ଟରୁ ଜଣାପଡ଼ିଥାଏ। ତେବେ ଚଳିତ ଅର୍ଥନୈତିକ ସର୍ଭେରେ ଆସନ୍ତା ଆର୍ଥିକ ବର୍ଷ ପାଇଁ ୯ପ୍ରତିଶତ ଗ୍ରୋଥ୍ ରେଟ୍ ଲକ୍ଷ୍ୟ ରଖାଯାଇଥିବା ଅନୁମାନ କରାଯାଉଛି ।

୧୯୫୦-୫୧ ଆର୍ଥିକ ବର୍ଷରୁ ଏହି ଅର୍ଥନୈତିକ ସର୍ଭେ ରିପୋର୍ଟ ଲୋକସଭାରେ ଉପସ୍ଥାପିତ ହୋଇ ଆସୁଛି। ୧୯୬୪ ମସିହା ଯାଏଁ ଏହା ବଜେଟ୍‌ ଆଗତ ଦିନ ହିଁ ଉପସ୍ଥାପିତ ହୋଇ ଆସୁଥିଲା। ୧୯୬୪ ମସିହା ପରଠୁ ଅର୍ଥନୈତିକ ସର୍ଭେ ରିପୋର୍ଟ ବଜେଟ୍‌ ଆଗତ ହେବାର ପୂର୍ବଦିନ ଲୋକସଭାରେ ଉପସ୍ଥାପିତ କରାଯାଉଛି।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ସମିତ୍ୟ ସଭ୍ୟ ନେଇ ପ୍ରାର୍ଥୀ ହୋଇଛନ୍ତି ଗୋଟିଏ ପରିବାରର ୭ ସଦସ୍ୟ

କଣ୍ଟାବାଞ୍ଜି: ପଞ୍ଚାୟତ ନିର୍ବାଚନ ମୈଦାନରେ ସମ୍ପର୍କର ଲଢ଼େଇ । କେଉଁଠି ବାପ ପୁଅ ତ କେଉଁଠି ସ୍ବାମୀ ସ୍ତ୍ରୀ ମଧ୍ୟରେ ଚାଲିଛି ପ୍ରତିଦ୍ବନ୍ଦ୍ବିତା । କିନ୍ତୁ ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକରେ ଦେଖିବାକୁ ମିଳିଛି ଟିକେ ଭିନ୍ନ ଚିତ୍ର । ନିର୍ବାଚନ ମୈଦାନରେ ପ୍ରାର୍ଥୀ ହୋଇଛନ୍ତି ଗୋଟିଏ ପରିବାରର ୭ ଜଣ ସଦସ୍ୟ । ସେମାନେ ସମାନ ପଞ୍ଚାୟତର ସମାନ ପଦବୀ ନେଇ ପ୍ରତିଦ୍ୱନ୍ଦ୍ୱିତା କରୁନଥିବା ହେଁ ଗୋଟିଏ ପରିବାରର ଏତେ ଜଣ ପ୍ରାର୍ଥୀ ସମସ୍ତଙ୍କୁ ତାଜୁବ କରିଛି । ଏବଂ ଏହା ଏବେ ସମ୍ପର୍ଣ୍ଣ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବେଲପଡ଼ା ବ୍ଲକର ଗମ୍ଭାରୀ, ଯୁବା, ବାହାବଲ, ଘାଗୁର୍ଲି, ତେଲେଲମୁଣ୍ଡା, ବେହେରାମୁଣ୍ଡା ପଞ୍ଚାୟତରେ ସମିତି ସଭ୍ୟ ଭାବେ ନିର୍ବାଚନ ଲଢ଼ୁଥିବା ବେଳେ ଲୋଇସିଂହା ବ୍ଲର ବାଞ୍ଜିପାଳି ପଞ୍ଚାୟତରୁ ସମିତି ସଭ୍ୟ ଭାବେ ପରିବାରର ଜଣେ ସଦସ୍ୟ କରୁଛନ୍ତି ଭାଗ୍ୟ ପରୀକ୍ଷା ।

ନିର୍ବାଚନ ମୈଦାନରେ ଗୋଟିଏ ପରିବାରର ୭ ସଦସ୍ୟ । ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକରେ ଚର୍ଚ୍ଚା । ବ୍ଲକର ଗଣେଶ କୁମ୍ଭାରଙ୍କ ପରିବାରରୁ ସମିତି ସଭ୍ୟ ପାଇଁ ଲଢୁଛନ୍ତି ୭ ସଦସ୍ୟ । ଗମ୍ଭାରୀ, ଯୁବା, ବାହାବଲ, ଘାଗୁର୍ଲି, ତେତେଲମୁଣ୍ଡା, ବେହେରାମୁଣ୍ଡା ସହ ଲୋଇସିଂହା ବ୍ଳକର ବାଞ୍ଜିପାଲି ସମିତି ସଭ୍ୟ ଭାବେ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ପରିବାରର ସଦସ୍ୟ ତଥା ସମିତି ପ୍ରାର୍ଥୀ ପୃଥକ ପୃଥକ ଭାବେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଘରକୁ ଘର ଯାଇ କରୁଛନ୍ତି ଭୋଟ ଭିକ୍ଷା ।

ଗଣେଶ କୁମ୍ଭାର ବିଜେଡି ଦଳର ଏକ ସକ୍ରିୟ ନେତା ଭାବେ ପରିଚିତ । ଏବେ ସେ ସେ ଯୁବ ବିଜେଡି ବ୍ଲକ ସଭାପତି ଅଛନ୍ତି । ବିଜେଡି ପାଇଁ ପୂରା ପରିବାର ସମର୍ପିତ । ଏବେ ବେଳପଡା ବ୍ଲକର ବେହେରାମୁଣ୍ଡାରେ ପୁତୁରା ଦୁର୍ଯ୍ୟୋଧନ କୁମ୍ଭାର ଲଢୁଥିବାବେଳେ ବାହାବଲରୁ ପୁତୁରାବହୂ ହେମଶ୍ରୀ କୁମ୍ଭାର, ଯୁବା ପଞ୍ଚୟତରୁ ଝିଆରୀ ପ୍ରମିଳା ବାଗ, ଘାଗୁର୍ଲି ପଞ୍ଚାୟତରୁ ରୀନା କୁମ୍ଭାର, ଗମ୍ଭୀର ପଞ୍ଚାୟତରୁ ଟିନା କୁମ୍ଭାର, ତେତେଲମୁଣ୍ଡାରୁ ଭଉଣୀ ପୁଷ୍ପାଞ୍ଜଳି ତାଣ୍ଡି, ଲୋଇସିଂହା ବ୍ଲକ ବାଞ୍ଜିପାଲି ପଞ୍ଚାୟତରୁ ଭାଣଜୀ ଜ୍ୟୋତ୍ସ୍ନାମୟୀ ନାଗ ନିର୍ବାଚନ ଲଢୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଓ ଲୋକାଭିମୁଖୀ ଯୋଜନା ଚଳିତ ବର୍ଷ ଅଞ୍ଚଳରେ ବିଜେଡିକୁ ବିପୁଳ ମାତ୍ରାରେ ବିଜୟୀ କରାଇବ ବୋଲୋ ଆଶା ରଖିଛନ୍ତି ପୂରା ପରିବାର ।

ମହାନଦୀ କୂଳରେ ବୁଲୁଛି କୁମ୍ଭୀର: ଉଦ୍ଧାର ପାଇଁ ୩୦ ବନ କର୍ମଚାରୀଙ୍କ ମିଳିତ ଅଭିଯାନ

କଟକ: ମହାନଦୀରେ ଚାଲିଛି କୁମ୍ଭୀର ରେସ୍କ୍ୟୁ ଅଭିଯାନ । ଗତ ୨୮ତାରିଖରେ କୁମ୍ଭୀରଟିକୁ ମହାନଦୀରେ ଦେଖି ଲୋକ ଆତଙ୍କିତ ହୋଇଥିଲେ । ଏବେ ତାହାକୁ ଉଦ୍ଧାର କରିବାକୁ ଆରମ୍ଭ ହୋଇଛି ରେସ୍କୁ ଅଭିଯାନ । ନନ୍ଦନକାନନ ଓ ଆଠଗଡ ବନବିଭାଗର ୩୦ରୁ ଅଧିକ କର୍ମଚାରୀ ମିଳିତ ଭାବରେ ଅଭିଯାନରେ ସାମିଲ ଅଛନ୍ତି ।

ସ୍ଥାନୀୟ ମତ୍ସ୍ୟଜୀବୀମାନେ ମଧ୍ୟ ଟିମକୁ ସହାୟତା କରୁଛନ୍ତି । ଘଡ଼ିଆଳ କୁମ୍ଭୀରଟିକୁ ସାତକୋଶିଆ ଗଣ୍ଡରେ ବଂଶବୃଦ୍ଧି ଉଦ୍ଦେଶ୍ୟରେ ଛଡାଯାଇଥିଲା । ହେଲେ ସେଠାରୁ ଚାଲିଆସି ପ୍ରଥମେ ମୁଣ୍ଡଳୀ ଓ ପରେ ଧବଳେଶ୍ବର ନିକଟରେ କୁମ୍ଭୀର ଦେଖିବାକୁ ମିଳିଥିଲା । କମ୍ଭୀରକୁ ଦେଖି ଲୋକ ଆତଙ୍କିତ ଅବସ୍ଥାରେ ଥିବାରୁ ଏହାକୁ ଉଦ୍ଧାର କରାଯାଉଛି ।

ଏଥିସହିତ ପଢ଼ନ୍ତୁ: ବଲାଙ୍ଗୀରରେ କିନ୍ନର ଦେଲେ ପ୍ରତିଯୋଗିତାମୂଳକ ପରୀକ୍ଷା

‘ମ୍ୟୁଟେସନ୍ ପରେ ମଣିଷ ଶରୀରରେ ପ୍ରବେଶ କରିପାରେ ନିଓ-କୋଭ ଭାଇରସ୍: ବର୍ତ୍ତମାନ ନାହିଁ ବିପଦ’

ନୂଆଦିଲ୍ଲୀ: କରୋନାକୁ ନେଇ ସାରା ବିଶ୍ୱ ଏବେ ଯୁଝୁଥିବା ବେଳେ ଆଉ ଏକ ଭାଇରସ ନେଇ ଖବର ସାମ୍ନାକୁ ଆସିଛି । ଚୀନ ଗବେଷକ ମାନେ ଏହି ନୂଆ ଭାଇରସ ଅର୍ଥାତ ନିଓ-କୋଭକୁ ଲୋକଙ୍କ ଜୀବନ ପାଇଁ ବହୁତ ବଡ଼ ବିପଦ ଭାବେ ବିବେଚିତ କରିଛନ୍ତି । ଏହା ପରେ ସାରା ବିଶ୍ୱରେ ଏହି ଭାଇରସ୍‌କୁ ନେଇ ଚିନ୍ତା ଓ ଚର୍ଚ୍ଚା ବଢ଼ିଯାଇଛି । ତେବେ ଏହାରି ମଧ୍ୟ ଏକ ଆଶ୍ୱସ୍ତିକର ବିଷୟ ମଧ୍ୟ ସାମ୍ନାକୁ ଆସିଛି । ବିଭିନ୍ନ ବୈଜ୍ଞାନିକଙ୍କ ଆପୋଷ ଆଲୋଚନା ଓ ତଥ୍ୟ ଅନୁଧ୍ୟାନ ପରେ, ଏହି ଭାଇରସ ମଣିଷ ସମାଜ ପାଇଁ ବିପଜ୍ଜନକ ନଥିବା କହିଛନ୍ତି । ଦକ୍ଷିଣ ଆଫ୍ରିକାର ବାଦୁଡ଼ିଙ୍କ ଠାରେ ଦେଖାଯାଇଥିବା ନିଓ-କୋଭ ଭାଇରସକୁ ନେଇ ଭୟଭୀତ ନହେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ଦେଶର କୋଭିଡ ଟାସ୍କ ଫୋର୍ସ ସଦସ୍ୟ ଡାକ୍ତର ଶଶାଙ୍କ ଯୋଶୀଙ୍କ କହିବା ହେଲା ଯେ, ବର୍ତ୍ତମାନ ଅବସ୍ଥାରେ ଏହି ଭୂତାଣୁ ମଣିଷ ଦେହକୁ ସଂକ୍ରମିତ କରିପାରିବ ନାହିଁ । ମ୍ୟୁଟେସନ ହେଲେ ହିଁ ଏହା ମଣିଷ ଦେହକୁ ଯାଇପାରିବ । ତେଣୁ ଭୟଭୀତ ହେବାର ଆବଶ୍ୟକତା ନଥିବା ସେ ପ୍ରକାଶ କରିଛନ୍ତି ।

ଦିଲ୍ଲୀସ୍ଥିତ କାଉନସିଲ ଅଫ୍ ସାଇଣ୍ଟିଫିକ୍ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (ସିଏସଆଇଆର)ର ମୁଖ୍ୟ ବୈଜ୍ଞାନିକ ବିନୋଦ ସ୍କାରିଆ କହିଛନ୍ତି ଏହି ଭାଇରସ ନୂଆ ନୁହେଁ ୨୦୧୧ରେ ସାଉଦି ଆରବରେ ଏହା ଦେଖାଯାଇଥିଲା । ମଣିଷ ଦେହରେ ଥିବା ରେସ୍‌ପୋରାଟେରି ସିଷ୍ଟମ ମାଧ୍ୟମରେ ବର୍ତ୍ତମାନ ଅବସ୍ଥାରେ ଏହା ଆସିପାରିବ ନାହିଁ ବୋଲି ସେ ମଧ୍ୟ ସ୍ପଷ୍ଟ କରିଛନ୍ତି । ଦକ୍ଷିଣ ଆଫ୍ରିକାରେ ବର୍ତ୍ତମାନ ବାଦୁଡ଼ିଙ୍କ ଠାରେ ଏହି ଭାଇରସ ଦେଖାଦେଇଛି । ଚୀନର ବୈଜ୍ଞାନିକମାନେ ଏହି ଭାଇରସକୁ ନେଇ ସର୍ତକ କରାଇ କହିଥିଲେ ଆଗକୁ ମ୍ୟୁଟେସନ ହେଲେ ଏହା ମଣିଷ୍ ଦେହକୁ ମଧ୍ୟ ଆସିପାରେ ।

ନିଓକୋଭ ଶଦ୍ଧର ବ୍ୟବହାର ମାର୍ସ-ସୋଓବି ସହ ଜଡ଼ିତ ଏକ ଭାଇରସର ପ୍ରକାର ସମ୍ପର୍କରେ  ସୂଚିତ କରିବାକୁ ବ୍ୟବହାର କରାଯାଇଏ । ମାର୍ସ-ସିଓବି ଓ ମାର୍ସ ସିଓବି-୨ କରୋନା ଭୂତାଣ ପରିବାର ସହ ସମ୍ପର୍କିତ । ଯାହା ମଣିଷକୁ ସଂକ୍ରମିତ କରିପାରେ । କିନ୍ତୁ ମ୍ୟୁଟେଣ୍ଟ ପରେ ଏଭଳି ଆଶଙ୍କା ରହିଛି ।

ଏଥିସହିତ ପଢ଼ନ୍ତୁ: ଫେବ୍ରୁଆରୀ ୩ରୁ ରାଜ୍ୟରେ ବଦଳିବ ପାଗ, ୪ରୁ ବର୍ଷିବ

ଏନ୍‌କାଉଣ୍ଟରରେ ଜାହିଦ ଓ୍ୱାନି ସମେତ ୫ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଏନକାଉଣ୍ଟର । ୧୨ଘଣ୍ଟାରେ ୨ଟି ସ୍ଥାନରେ ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିହତ । ଗତକାଲି ସୋପିଆଁରେ ଆତଙ୍କୀ- ସୁରକ୍ଷାକର୍ମୀଙ୍କ ମଧ୍ୟରେ ଉପୁଜିଥିଲା ମୁହାଁମୁହିଁ ସ୍ଥିତି । ସୁରକ୍ଷାକର୍ମୀଙ୍କ ଗୁଳିରେ ପୁଲୱାମାରେ ୪, ବଡ଼ଗାମରେ ଜଣେ ଆତଙ୍କୀ ନିହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଲସ୍କର ଏ ତୋଇବା ଓ ଜୌସ-ଏ ମହମ୍ମଦର ୫ ଆତଙ୍କୀ ରହିଥିବା ସୂଚନା ମିଲିଛି ।

ଜୈସ ଏ ମହମ୍ମଦର କଣାଣ୍ଡର ଜାହିଦ ୱାନି ଓ ପାକିସ୍ତାନୀ ଆତଙ୍କବାଦୀ ନିପାତ । ଜାହିଦ ଜୈସ ଏ ମହମ୍ମଦର ଲାମ୍ୱୋର ଏବଂ ସମୀର ଦାର ପରେ ଅନ୍ୟତମ ମୁଖ୍ୟ କମାଣ୍ଡର ଥିଲା । ପୁଲଓ୍ୱାମା ଆକ୍ରମଣରେ ମଧ୍ୟ ସମ୍ପୃକ୍ତ ଥିଲା ଓ୍ୱାନି । ଯେଉଁଥିରେ ୧୪ ଫେବ୍ରୁଆରୀ ୨୦୧୯ ମସିହାରେ ସିଆରପିଏଫର ୪୦ରୁ ଅଧିକ ଯବାନ ସହିଦ ହୋଇଥିଲେ । ଶନିବାର ସନ୍ଧ୍ୟାରେ ଆତଙ୍କୀ ଥିବା ଖବର ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ସେନା ଛାଉଣୀରେ ଥିଲା ପୁଲୱାମା ଓ ବଡ଼ଗାମ । ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କୀ ନିପାତ ହୋଇଛନ୍ତି । ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।

ବଲାଙ୍ଗୀରରେ କିନ୍ନର ଦେଲେ ପ୍ରତିଯୋଗିତାମୂଳକ ପରୀକ୍ଷା

ବଲାଙ୍ଗୀର: କିନ୍ନର ଦେଲେ OSSC ପରୀକ୍ଷା । ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ପରୀକ୍ଷା କେନ୍ଦ୍ରରେ ଉଚ୍ଚ ଶିକ୍ଷିତା କିନ୍ନର ଜୁଲି ଯାଦବ ଓରଫ ସତ୍ୟ ନାରାୟଣ ନାଗ OSSC ପରୀକ୍ଷା ଦେଇଛନ୍ତି । ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି । ସେଥିପାଇଁ ସେ ବହୁ ପରିଶ୍ରମ କରିଥିବା ଲୁସି କହିଛନ୍ତି  । କିନ୍ନରଙ୍କୁ ସାମାଜରେ ଭିନ୍ନଦୃଷ୍ଟିରେ ଦେଖୁଥିଲେ  । କିନ୍ତୁ ଜୁଲି ସେସବୁ ଅଣଦେଖା କରି ବହୁ କଷ୍ଟରେ ପାଠ ପଢ଼ି ଶିକ୍ଷିତ ହୋଇଛନ୍ତି  ।

ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକର ଚିନ୍ତାମଣି ନାଗଙ୍କ ସନ୍ତାନ ଜୁଲି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସରକାରୀ ଚାକିରି କରିବେ ବୋଲି କହିଛନ୍ତି  । କିନ୍ନର ସମାଜ ପାଇଁ ରାଜ୍ୟ ସରକାର ଅନେକ ମହତ୍ କାର୍ଯ୍ୟ କରିଥିବାରୁ ଧନ୍ୟବାଦ ଦେଇଛନ୍ତି ଜୁଲି । ଏହାସହ ତାଙ୍କ ଉନ୍ନତି ପଛରେ ମୀରା ପରିଡ଼ାଙ୍କ ଅବଦାନ ଥିବା ସେ କହିଛନ୍ତି  । ପୂର୍ବରୁ ମଧ୍ୟ ରାଜ୍ୟ ପୋଲିସ ବାହିନୀରେ ନିଯୁକ୍ତି ନେଇ ମଧ୍ୟ କିନ୍ନରଙ୍କୁ ସୁଯୋଗ ଦିଆଯାଇଥିଲା । ଏଥି ସହିତ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ କିନ୍ନରମାନେ ନିଜ ଯୋଗ୍ୟତା ଅନୁଯାୟୀ ନିୟୋଜିତ ହୋଇପାରିଛନ୍ତି ।