spot_img
Home Blog Page 4649

ନିର୍ବାଚନରେ ‘ମାଗଣା’ ଘୋଷଣାକୁ ନେଇ ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ବାଚନରେ ଜନତାଙ୍କୁ ମାଗଣା ସାମଗ୍ରୀ ଦେବା ନେଇ ପ୍ରତିଶ୍ରୁତି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଏନେଇ ହୋଇଥିବା ଏକ ଆବେଦନର ଶୁଣାଣି କରି କେନ୍ଦ୍ର ସରକାର ଓ କେନ୍ଦ୍ର ନିର୍ବାଚନ ଆୟୋଗଙ୍କୁ ନୋଟିସ୍ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସର୍ବସାଧାରଣଙ୍କ ଅର୍ଥକୁ ବ୍ୟବହାର କରି ମାଗଣାରେ ସାମଗ୍ରୀ ଦେବାକୁ ପ୍ରତିଶ୍ରୁତି ଦେଉଥିବା ଦଳର ଚିହ୍ନକୁ ରଦ୍ଦ ଓ ଦଳକୁ ଅଣପଞ୍ଜିକୃତ କରିବା ଲାଗି ନିର୍ଦ୍ଦେଶ ଦେବାକୁ ଆବେଦନରେ ଦାବି କରାଯାଇଛି ।

ରିପୋର୍ଟ ଅନୁସାରେ, ବିଜେପି ନେତା ଅଶ୍ୱିନୀ କୁମାର ଉପାଧ୍ୟାୟ ଏହାକୁ ନେଇ ଆଇନ୍ ଆଣିବାକୁ କେନ୍ଦ୍ର ସରକାରଙ୍କୁ ଦାବି କରିଛନ୍ତି । ପ୍ରଧାନ ବିଚାରପତି ଏନଭି ରମଣା, ଜଷ୍ଟିସ୍ ଏଏସ୍ ବୋପନ୍ନା ଓ ଜଷ୍ଟିସ୍ ହିମା କୋହଲିଙ୍କ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରୁଛନ୍ତି । ଆବେଦନର ଗମ୍ଭୀର ପ୍ରସଙ୍ଗ ସ୍ଥାନିତ କରାଯାଇଥିବା କହିଛନ୍ତି ଖଣ୍ଡପୀଠ ।

Supreme Court Issue Notice To

ସିଜେଆଇ କହିଛନ୍ତି, ଏହା ଏକ ଗମ୍ଭୀର ପ୍ରସଙ୍ଗ । ମାଗଣା ବାଣ୍ଟିବାର ବଜେଟ୍, ନିୟମିତ ବଜେଟ୍ ଠାରୁ ଭିନ୍ନ । ଯଦିଓ ଭ୍ରଷ୍ଟାଚାର ନୁହେଁ ତଥାପି ଏହା ଅସମାନତା ସୃଷ୍ଟି କରୁଛି । ହୋଇଥିବା ଆବେଦନରେ ପଞ୍ଜାବ ନିର୍ବାଚନ ଲାଗି ହୋଇଥିବା ନିର୍ବାଚନୀ ଇସ୍ତାହାର କଥା କୁହାଯାଇଛି । ଏଥିରେ ଆମ୍ ଆଦମୀ ପାର୍ଟି, ଶିରୋମଣି ଅକାଳୀ ଦଳ ଓ କଂଗ୍ରେସର ନାମ ରହିଛି ।

ଆବେଦନକାରୀ କହିଛନ୍ତି, ମାଗଣା ଘୋଷଣା ଚିନ୍ତାଜନକ ସ୍ତରରେ ପହଞ୍ଚିଛି । ଏପରିକି ନିର୍ବାଚନରେ ସର୍ବସାଧାରଣ ସମ୍ପତ୍ତିକୁ ମାଧ୍ୟମ କରି ମତଦାତାଙ୍କୁ ଲୋଭ ଦେଖାଇ ମାଗଣା ସାମଗ୍ରୀ ଦେବା ଘୋଷଣା ସମ୍ବିଧାନର ଅନୁଚ୍ଛେଦ ୧୪, ୧୬୨, ୨୬୬(୩) ଓ ୨୮୨ର ଉଲ୍ଲଂଘନ କରୁଛି । ଆବେଦନକାରୀଙ୍କ ଓକିଲ କହିଛନ୍ତି, ଏମିତି କିଛି ରାଜ୍ୟ ଅଛନ୍ତି ଯେଉଁଠି ପ୍ରତି ବ୍ୟକ୍ତି ମୁଣ୍ଡପିଛା ଋଣଭାର ୩ ଲକ୍ଷ ଟଙ୍କା ରହିଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ୪ ସପ୍ତାହ ପରେ ହେବ ।

କୋହଲିଙ୍କ ସମର୍ଥନରେ ଶାସ୍ତ୍ରୀ, କହିଲେ- ‘ଗାଙ୍ଗୁଲି ବି କେବେ ଜିତି ନାହାଁନ୍ତି ବିଶ୍ୱକପ୍’

ମୁମ୍ବାଇ: ବିରାଟ କୋହଲିଙ୍କ ସୁରକ୍ଷାରେ ଶାସ୍ତ୍ରୀ । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ରବି ଶାସ୍ତ୍ରୀଙ୍କ ସମର୍ଥନ । କୋହଲିଙ୍କ ଅଧିନାୟକତ୍ୱ କାଳରେ ରବି ଶାସ୍ତ୍ରୀ ଦୀର୍ଘ ସମୟ ଧରି ଭାରତୀୟ ଟିମର ନିର୍ଦ୍ଦେଶକ ଓ କୋଚ୍ ରହିଥିଲେ । ଆଉ ଏବେ ପୂର୍ବ କୋଚ୍ ରବି ଶାସ୍ତ୍ରୀ, ବିରାଟଙ୍କୁ ସୁରକ୍ଷା ଦେଇ ବଡ଼ ମତ ଦେଇଛନ୍ତି । ଶାସ୍ତ୍ରୀ କହିଛନ୍ତି, ଭାରତୀୟ ଦଳର କେତେକ ଭଲ ଓ ବରିଷ୍ଠ ଖେଳାଳି ମଧ୍ୟ ବିଶ୍ୱକପ୍ ଜିତି ନାହାଁନ୍ତି ।

ଅଧିନାୟକ ଭାବେ ବିରାଟ ଆଇସିସି ଟ୍ରଫି ଜିତି ନଥିବା ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ଶାସ୍ତ୍ରୀ କହିଛନ୍ତି, ଭାରତୀୟ ଦଳର ଅନେକ ବଡ଼ ଖେଳାଳି ବିଶ୍ୱକପ୍ ଜିତି ନାହାଁନ୍ତି । ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ଼ ମଧ୍ୟ ବିଶ୍ୱକପ୍ ଜିତି ନାହାଁନ୍ତି । ଲକ୍ଷ୍ମଣ, କୁମ୍ବଲେ, ରୋହିତ ଶର୍ମା ମଧ୍ୟ ବିଶ୍ୱକପ୍ ବିଜୟରୁ ବାଦ୍ ପଡ଼ିଛନ୍ତି । ଏହାର ଅର୍ଥ ନୁହେଁ ଏମାନେ ସମସ୍ତେ ମଧ୍ୟ ଖରାପ ଖେଳାଳି । ସଚିନ ତେନ୍ଦୁଲକର ୬ ଥର ଖେଳିବା ପରେ ବିଶ୍ୱକପ୍ ଜିତିଥିଲେ ।

ଭାରତୀୟ ଦଳ ପାଖରେ ଏବେ ବିଶ୍ୱକପ୍ ଜିତିଥିବା ୨ ଅଧିନାୟକ ଅଛନ୍ତି । ବିଶ୍ୱକପ୍ ଜିତିବାକୁ ନେଇ ଖେଳାଳିଙ୍କୁ ତର୍ଜମା କରିବା ଅନୁଚିତ୍ ବୋଲି କହିଛନ୍ତି ଶାସ୍ତ୍ରୀ । ଜଣେ ଖେଳାଳି ଭାବେ ଆପଣଙ୍କ କ୍ରିକେଟ୍ କ୍ୟାରିଅର କେମିତି ରହିଲା ? କେତେ ଲମ୍ବା ସମୟ ଧରି ଆପଣ ଖେଳିଲେ ଓ ଆପଣଙ୍କ ଉତ୍ତମ ପ୍ରଦର୍ଶନକୁ ତର୍ଜମା କରିବା କଥା ।

ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍, ୨୦୧୯ ବିଶ୍ୱକପ୍ ସେମିଫାଇନାଲ୍ ଓ ୨୦୨୧ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଗ୍ରୁପ୍ ରାଉଣ୍ଡ ମ୍ୟାଚ୍ ଖେଳି ହାରିଥିଲା । ଏହି ତିନି ମ୍ୟାଚରେ ଦଳ ହାରିବାର କାରଣ ଶେଷ ମୂହୁର୍ତ୍ତରେ ମ୍ୟାନେଜମେଣ୍ଟ ଓ ଅଧିନାୟକ ନେଇଥିବା ନିଷ୍ପତ୍ତି ବୋଲି କୁହାଯାଇଥିଲା । ଭାରତୀୟ ଦଳ ୨୦୧୧ ଓ ୧୯୮୩ରେ ବିଶ୍ୱକପ୍ ଜିତିଥବା ବେଳେ ୨୦୦୭ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିଥିଲା । ୨୦୧୩ରେ ଦଳ ଶେଷଥର ପାଇଁ ଆଇସିସି ଟୁର୍ଣ୍ଣାମେଣ୍ଟରେ ଚାମ୍ପଅନ୍ସ ଟ୍ରଫି ହାତେଇଥିଲା ।

ପୁନଃନାମାଙ୍କନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି

ଭୁବନେଶ୍ୱର: ପ୍ରାର୍ଥିପତ୍ର ଦାଖଲ ପାଇଁ ପ୍ରାର୍ଥୀଙ୍କୁ ମିଳିବ ଦ୍ୱିତୀୟ ସୁଯୋଗ । ଯେଉଁ ନିର୍ବାଚନ ମଣ୍ଡଳୀରେ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନାହାନ୍ତି କିମ୍ବା ସମସ୍ତ ପ୍ରାର୍ଥିପତ୍ର ଖାରଜ ହୋଇଛି, ସେଠାରେ ନାମାଙ୍କନ ପାଇଁ ପୁଣି ସୁଯୋଗ ଦିଆଯିବ। ଆଉଥରେ ନାମାଙ୍କନ ଦାଖଲ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୭ ତାରିଖରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ୨୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ହେବ। ଫେବୃଆରୀ ୧ ଯାଞ୍ଚ ପ୍ରକ୍ରିୟା, ୨ରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଏହା ମଧ୍ୟରେ ୪ ହଜାରରୁ ଅଧିକ ୱାର୍ଡ ମେମ୍ବର, ୬ ସମିତିସଭ୍ୟ, ୭ ସରପଞ୍ଚ ପଦବୀ ପାଇଁ  ନାମାଙ୍କନ ପତ୍ର ଦାଖଲ ହେବ । ରାଜ୍ୟର କୋଭିଡ ସ୍ଥିତି ଉପରେ ନଜର ରଖାଯାଇଛି । ବିଭିନ୍ନ ଦିଗକୁ ତର୍ଜମା କରି ପ୍ରଚାର ପାଇଁ କଟକଣା ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର ।

 

 

 

ସାଧାରଣତନ୍ତ୍ର ଦିବସ ପାଇଁ ଗାଇଡଲାଇନ ଜାରି କଲେ SRC

ଭୁବନେଶ୍ୱର: ଆସନ୍ତାକାଲି ସାରା ଦେଶ ପାଳିବ ୭୩ ତମ ସାଧାରଣତନ୍ତ୍ର ଦିବସ । କୋଭିଡ କଟକଣା ମଧ୍ୟରେ ଗଣତନ୍ତ୍ର ଦିବସ ପାଳନ ପାଇଁ ଗାଇଡଲାଇନ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ରାଜ୍ୟ, ଜିଲ୍ଲା, ବ୍ଲକ୍ ଓ ଗ୍ରାମପଞ୍ଚାୟତ ସ୍ତରରେ ହେବାକୁ ଥିବା ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ୧୦ ତାରିଖରେ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ ଅନୁସାରେ ପାଳନ କରାଯିବ । ସୀମିତ ଲୋକ ଚାହିଁଲେ ଘରେ ପତାକା ଉତ୍ତୋଳନ କରିପାରିବେ । ଏହି ସମୟରେ ୫ଜଣ ହିଁ ରହିପାରିବେ । ବେସରକାରୀ ଅନୁଷ୍ଠାନ ଓ କ୍ଲବ୍‌ରେ ଗଣତନ୍ତ୍ର ଦିବସ ପାଳନ ବେଳେ ୧୦ରୁ ଅଧିକ ଲୋକ ଉପସ୍ଥିତ ରହିବେନି । ପତାକା ଉତ୍ତୋଳନ ସମୟରେ ସାମାଜିକ ଦୂରତା ରଖିବା ସହ ମାସ୍କ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର

ବଲାଙ୍ଗୀର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ବଡ଼ବାବୁ । ଆଗଲପୁର ତହସିଲର ସେକ୍ସନ ଅଫିସର ପ୍ରଫୁଲ୍ଲ ସା’ଙ୍କ କାର୍ଯ୍ୟାଳୟ ସମେତ ଏକକାଳୀନ ତିନିଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରୁଛି । ବଲାଙ୍ଗୀର ସହରର ଗାନ୍ଧିନଗରପଡା ବାସଭବନ, ହାଟପଦାପଡାର ପୈତୃକ ଘର ଏବଂ ଆଗଲପୁର କାର୍ଯ୍ୟାଳୟରେ ଏକକାଳୀନି ତିନିଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସର ୨୦ ଜଣିଆ ଟିମ୍ । ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶରେ ଜଣେ ଡିଏସପି, ୫ ଜଣ ଇନ୍ସପେକ୍ଟରଙ୍କ ସମେତ ୨୦ ଜଣିଆ ଟିମ୍ ଏକକାଳୀନ ଚଢାଉ କରୁଛନ୍ତି । ଚଢାଉରେ ବଲାଙ୍ଗୀର, ସମ୍ବଲପୁର ଓ ବରଗଡ ଭିଜିଲାନ୍ସ ଟିମ ସାମିଲ ଅଛନ୍ତି । ଭିଜିଲାନ୍ସ ଚଢ଼ାଉ ସମୟରେ ଘରୁ ନଗଦ ୧୬ ହଜାର ୩୩୦ ଟଙ୍କା ଓ ସୁନା ଗହଣା ଠାବ କରିଛି ଭିଜିଲାନ୍ସ । ଗାନ୍ଧୀନଗରପଡା ବାସଭବନର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଭିଜିଲାନ୍ସ ଆକଳନ କରୁଛି  ।

IAS ଓ IPSଙ୍କୁ ଡେପୁଟେସନରେ ନେବାକୁ କେନ୍ଦ୍ର ପ୍ରସ୍ତାବକୁ ବିରୋଧ

ଭୁବନେଶ୍ୱର: IAS ଏବଂ IPS ଅଫିସର ଡେପୁଟେସନ ନିୟମ ସଂଶୋଧନ ନେଇ ଆପତ୍ତି ଉଠାଇଲା ଓଡ଼ିଶା । ସର୍ବଭାରତୀୟ ପ୍ରଶାସନିକ ସେବା କ୍ୟାଡର ରୁଲ୍‌ ସଂଶୋଧନ ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବରେ ଓଡ଼ିଶା ସହମତ ନୁହେଁ । ଏନେଇ ଟ୍ୱିଟ୍‌ କରିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ଏହାଦ୍ୱାରା ଆଇଏଏସ ଏବଂ ଆଇପିଏସ୍‌ ଅଫିସରଙ୍କ ମନୋବଳ ଓ କାର୍ଯ୍ୟ ଦକ୍ଷତା ପ୍ରଭାବିତ ହେବ । କେନ୍ଦ୍ର ସରକାର ଚାହିଁଲେ, ଯେ କୌଣସି IAS ଏବଂ IPS ଅଫିସରଙ୍କୁ ଡେପୁଟେସନରେ ନେଇ ପାରିବେ ବୋଲି ପ୍ରସ୍ତାବ ଦେଇଛନ୍ତି । ଏନେଇ ସମସ୍ତ ରାଜ୍ୟଙ୍କୁ ଜାନୁଆରୀ ୨୫ ତାରିଖ ସୁଦ୍ଧା ମତାମତ ମଗାଯାଇଥିଲା ।

କିନ୍ତୁ ପୂର୍ବ ପ୍ରଚଳିତ ନିୟମ ସପକ୍ଷରେ ରାଜ୍ୟ ସରକାର ମତ ଦେଇଛନ୍ତି । ଏହା IPS ଏବଂ IPS ଅଫିସରଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ ବୋଲି ଓଡ଼ିଶା ଜଣାଇଛି । କେବଳ ସେତିକି ନୁହେଁ, ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ମଧ୍ୟ ଏହାଦ୍ୱାରା ବାଧା ପ୍ରାପ୍ତ ହେବ ବୋଲି କହିଛି ଓଡ଼ିଶା । ଡେପୁଟେସନରେ ଯିବା ପାଇଁ ସମ୍ପୃକ୍ତ ଅଫିସରଙ୍କ ଇଚ୍ଛା ଥିବା ମଧ୍ୟ ଦରକାର । କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ କୌଣସି ଆଇଏଏସ ଏବଂ ଆଇପିଏସ୍‌ ଅଫିସରଙ୍କୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ ଟ୍ୱିଟ୍‌ କରିଛନ୍ତି ।

ଜୁଏଲ ଓରାମଙ୍କ ବଢ଼ିଲା ଅଡ଼ୁଆ, ଅଭଦ୍ର ଆଚରଣ ପାଇଁ ପୋଲିସର ଆଶ୍ରୟ ନେଲେ ଯୁବନେତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ର ବିଜେପି ସାଂସଦ ଜୁଏଲ୍ ଓରାମଙ୍କ ପାଇଁ ବଢିଲା ଅଡୁଆ । ଅଭଦ୍ର ଆଚରଣ ପ୍ରଦର୍ଶନ ବିରୋଧରେ ପୋଲିସର ଆଶ୍ରୟ ନେଲେ ନିଜ ଦଳର ଯୁବନେତ୍ରୀ  । ଝିରପାଣି ଥାନାରେ ଅଭିଯୋଗ କରିବା ସହ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଏଥିସହ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି । ନିଜ ଦଳର ଜଣେ ଯୁବ ନେତ୍ରୀଙ୍କୁ ଜୁଏଲ ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ ଆସିଥିଲା । ଅପମାନ ସହି ନପାରି ନେତ୍ରୀ ଜଣକ ପାର୍ଟି ଅଫିସରେ ପଶି ଭଙ୍ଗାରୁଜା କରିଥିଲେ । ଘଟଣା ନେଇ ଯୁବନେତ୍ରୀ କହିଛନ୍ତି, ଜୁଏଲ ଓରାମଙ୍କୁ ସମ୍ମାନ ଦେଉଥିଲି, ମାତ୍ର ସେ ମହିଳାଙ୍କୁ ଇଜ୍ଜତ ଦେବା ଶିଖି ନାହାନ୍ତି । ମୋତେ ବହୁତ ଅଶ୍ଳୀଳ ଭାଷାରେ ଇଙ୍ଗିତ କରିଛନ୍ତି ଜୁଏଲ୍ । ପୂର୍ବରୁ ମଧ୍ୟ ଜୁଏଲ ମହିଳାଙ୍କୁ ଅସଦାଚରଣ କରୁଥିବା କଥା ଶୁଣିଥିଲି । ଏବେ ନିଜ ଅଙ୍ଗେ ଲିଭାଇଛି ବୋଲି ସେ କହିଛନ୍ତି । ସାଂସଦଙ୍କ ଏଭଳି ଆଚାରଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ତୁରନ୍ତ କାର୍ଯ୍ୟାପନୁଷ୍ଠାନ ନେବା ସହ ବହିଷ୍କାର କରିବାକୁ ଦାବି ହୋଇଛି ।

ଅନ୍ୟପକ୍ଷରେ ବିଜେପି ସାଂସଦ ଜୁଏଲ ଓରାମ ମହିଳା କର୍ମୀଙ୍କୁ ଦୁର୍ବ୍ୟବହାର କରିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡଃ ମିନତୀ ବେହେରା । ସେ କହିଛନ୍ତି କି ଅଭିଯୋଗରେ ସତ୍ୟତା ଥିଲେ ଏହା ନିନ୍ଦନୀୟ ଓ ଲଜ୍ୟାଜନକ । ଏହି ଘଟଣାରେ ସୁନ୍ଦରଗଡ଼ ଏସପି କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସେ ନେଇ ରିପୋର୍ଟ ମଗାଯିବ ବୋଲି କହିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ।

 

ଧଳା ଜହରର ନୂଆ ଗଡ଼ ’ନୟାଗଡ଼’

ନୟାଗଡ଼: ବ୍ରାଉନସୁଗାର କାରବାରର ନୂଆ ପେଣ୍ଠସ୍ଥଳ ପାଲଟିଛି ନୟାଗଡ଼ । ଭଡ଼ା ଘରେ ଚାଲିଥିଲା କୋଟି କୋଟିର କଳା ବେପାର । ପୋଲିସର ନାକତଳେ ଚାଲିଥିଲା ବେଆଇନ ବ୍ରାଉନସୁଗାର ଓ ଅସ୍ତ୍ରଶସ୍ତ୍ର କାରବାର । ଟାଉନ ଥାନା ନିକଟ ସିନ୍ଦୁରିଆର ଉଦୟଲେନରେ ବ୍ରାଉନସୁଗାର ପସରା ମେଲାଇଥିଲା ଅଭିଯୁକ୍ତ । ଏସଟିଏଫ ଚଢାଉ କରି ଗୋଟିଏ ଘରୁ ୩ କେଜି ବ୍ରାଉନସୁଗାର ଜବତ କରିଛି । ଏହା ସହ ୬୫ ଲକ୍ଷ ଟଙ୍କା, ୩ଟି ପିସ୍ତଲ, ୭ଟି ମାଗାଜିନ୍, ୪୩ ରାଉଣ୍ଡ ଗୁଳି, ଗୋଟିଏ କ୍ୟାସ୍ କାଉଣ୍ଟିଂ ମେସିନ୍, ୪ଟି ମୋବାଇଲ ଓ ଗୋଟିଏ ଟ୍ୟାବ୍ ଜବତ କରିଛି ଏସଟିଏଫ୍ । ଏହି ମାମଲାରେ କେ. ବିକି ରାଓକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ବିକି ନାଁରେ ଏନଡିପିଏସ ଓ ଆର୍ମସ ଆକ୍ଟରେ ମାମଲା ରୁଜୁ ହୋଇଛି । ଅନ୍ୟ ଜଣେ ଅଭିଯୁକ୍ତ ଶିବ ପ୍ରସାଦ ଦାସ ଫେରାର ରହିଛି ।

ସେହିପରି ଏହି କାରବାରରେ ସଂପୃକ୍ତ ଥିବା ୭ ଜଣଙ୍କୁ ଚିହ୍ନଟ କରିଛି ଏସଟିଏଫ୍ । ମାମଲାକୁ ନେଇ ଅଧିକ ଛାନବିନ୍ ଜାରି ରଖିଛି ତଦନ୍ତକାରୀ ଟିମ୍ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩ କୋଟିରୁ ଅଧିକ ଟଙ୍କା ହେବ ବୋଲି ଏସଟିଏଫ କହିଛି । ତେବେ ଏତେ ପରିମାଣର ବ୍ରାଉନସୁଗାର ଗୋଟିଏ ଜାଗାରୁ ଜବତ ହେବା ନୟାଗଡ଼ରେ ପ୍ରଥମ । ଏଠାରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ ଆଖପାଖ ଜିଲ୍ଲାକୁ ବ୍ରାଉନସୁଗାର ଯୋଗାଣ ହେଉଥିବା ସନ୍ଦେହ କରିଛି ଏସଟିଏଫ୍ । ନୟାଗଡ଼ରୁ ବିଭିନ୍ନ ସ୍ଥାନରୁ ଧଳା ଜହର ଯୋଗାଣ ହେଉଥିବା ମଧ୍ୟ ସନ୍ଦେହ କରାଯାଉଛି । କେବେଠୁ ଏଠାରେ ଧଳାଜହର କାରବାର ହେଉଛି? ଏବଂ ଏହାର ଚେର କେତେବାଟ ଲମ୍ବିଛି, ତାହାର ତଦନ୍ତ ଜାରି ରହିଛି । ୨୦୨୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୪୭ କେଜି ବ୍ରାଉନସୁଗାର ଜବତ କରିଛି ଏସଟିଏଫ୍ । ଏହାସହ ୧୨୨ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରାଯାଇଛି ଏବଂ ୬୭ଟି ବେଆଇନ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛି ଏସଟିଏଫ ।

ରାଜ୍ୟରେ କରୋନା ସଂକ୍ରମଣ ପିକ୍ ଅତିକ୍ରମ କରି ସାରିଛି: ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ପିକ୍ ଅତିକ୍ରମ କରିଛି । ବର୍ତ୍ତମାନ ସଂକ୍ରମଣ ଟ୍ରେଣ୍ଡ ଲଗାତର ଭାବେ ତଳମୁହାଁ ରହିଛି । ଯାହାକି ଆଶ୍ୱସ୍ତିକର କଥା ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି । ଏହି ଟ୍ରେଣ୍ଡ ଜାରି ରହିଲେ ସଂକ୍ରମଣ ଆଗକୁ କମିବ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି । ବର୍ତ୍ତମାନ ସଂକ୍ରମଣ କମିବା ସହ ପଜିଟିଭ ହାର, ଗୁରୁତର ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ମଧ୍ୟ କମୁଛି ବୋଲି କହିଛନ୍ତି ବିଜୟ ମହାପାତ୍ର । କିନ୍ତୁ ଭାଇରସ ବର୍ତ୍ତମାନ ଉଭୟ ଗାଁ ଓ ସହରରେ ରହିଛି । ତେଣୁ ସଂକ୍ରମଣ କମିଲେ ବି ସତର୍କ ରହିବା ନିହାତି ଆବଶ୍ୟକ ବୋଲି କହିଛନ୍ତି ବିଜୟ ମହାପାତ୍ର । ସେହିପରି ଭାବରେ ରାଜ୍ୟବାସୀ କୋଭିଡ କଟକଣା ମାନିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ଘନେଇଲା ଋଷ-ୟୁକ୍ରେନ ବିବାଦ, ୟୁକ୍ରେନକୁ ସହାୟତା କରିବାକୁ ଆମେରିକାର ଘୋଷଣା

ନୂଆଦିଲ୍ଲୀ: ଘନେଇଲା ୟୁକ୍ରେନ ବିବାଦ । ଋଷର ମୁକାବିଲା ଲାଗି ଯୁଦ୍ଧଜାହାଜ ଓ ଲଢୁଆ ବିମାନ ପଠାଇଲା ନାଟୋ । ସେପଟେ ୟୁକ୍ରେନ ଛାଡି ନିଜ ଦେଶକୁ ଫେରିଆସିବା ଲାଗି ସମସ୍ତ କୂଟନୀତିଜ୍ଞଙ୍କୁ ନିର୍ଦ୍ଦେଶ ଦେଇଛି ଆମେରିକା । ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ନିଶ୍ଚିତ ସୂଚନା କ୍ରମେ ଆମେରିକା ଏହି ନିଷ୍ପତ୍ତି ନେଇଛି । ଆମେରିକା କୂଟନୀତିଜ୍ଞ ଆଣ୍ଟୋନି ବ୍ଲିଙ୍କେନ ୟୁରୋପୀୟ ରାଷ୍ଟ୍ରସଂଘ ସହ ଏନେଇ ଆଲୋଚନା କରିଛନ୍ତି । ପରିସ୍ଥିତି ସମ୍ପର୍କରେ ଆଲୋଚନା ଲାଗି ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଜେନେଭା ଗସ୍ତରେ ଯାଇଛନ୍ତି । ୟୁକ୍ରେନ ସୀମାରେ ଋଷ ଲକ୍ଷାଧିକ ସୈନ୍ୟ ଠୁଳ କରିବାରୁ ଏହାକୁ ଆମେରିକା ସମେତ ବିଭିନ୍ନ ରାଷ୍ଟ୍ର ନିନ୍ଦା କରିଛନ୍ତି ।

ଯଦି ୟୁକ୍ରେନକୁ ସୈନ୍ୟ ପଠାଏ ତେବେ ଋଷ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି କହିଛି ଓ୍ୱାଶିଂଟନ ଓ ୟୁରୋପୀୟ ରାଷ୍ଟ୍ରସଂଘ । ୨୦୧୪ରେ ୟୁକ୍ରେନର କ୍ରିମିଆ ଉପରେ ମସ୍କୋର ଆକ୍ରମଣକୁ ନେଇ ଏବେ ବଢ଼ିଛି ବିବାଦ । ସେହି ବର୍ଷଠାରୁ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଜାରି ରହିଛି ଯାହା ଦ୍ୱାରା ୧୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ବିବାଦ କାରଣରୁ ଗ୍ରୁପ-୮ରୁ ଋଷକୁ କିଛି ବର୍ଷ ତଳେ ବହିଷ୍କାର କରାଯାଇଛି । ୨୦୧୯ରେ ରାଷ୍ଟ୍ରପତି ଭାବେ ଭୋଲୋଦମିର ଜେଲେନସ୍କି ୟୁକ୍ରେନ ରାଷ୍ଟ୍ରପତି ହେବା ପରେ ସ୍ଥିତି ସୁଧୁରିବା ଆଶାଥିଲା । ମାତ୍ର ଏହା ସମ୍ଭବ ହୋଇନଥିଲା । ସେପଟେ ଯଦି ଋଷ ଆକ୍ରମଣ କରେ ତେବେ ୟୁକ୍ରେନକୁ ସହାୟତା ଦେବାକୁ ଘୋଷଣା କରିଛି ଆମେରିକା ।