spot_img
Home Blog Page 4650

୩୧ରୁ ଆରମ୍ଭ ହେବ ବଜେଟ ଅଧିବେଶନ, ଭିନ୍ନ ଭିନ୍ନ ସିଫ୍ଟରେ ଚାଲିବ ଲୋକସଭା ଓ ରାଜ୍ୟସଭା

ନୂଆଦିଲ୍ଲୀ: ଆସନ୍ତା ୩୧ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । ତେବେ ଏହି ଅଧିବେଶନ କାଳରେ ଭିନ୍ନ ଭିନ୍ନ ସିଫ୍ଟରେ ଲୋକସଭା ଓ ରାଜ୍ୟସଭା ଚାଲିବ । ପ୍ରତି ସଦନ ୫ ଘଣ୍ଟା ଲେଖାଏଁ ଚାଲିବ । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ପଦକ୍ଷେପ ନିଆଯାଇଛି । ଜାନୁଆରୀ ୩୧ରେ ସଂସଦର ଉଭୟ ଗୃହର ମିଳିତ ଅଧିବେଶନରେ ଉଦବୋଧନ ଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଫେବ୍ରୁଆରୀ ୧ ପୂର୍ବାହ୍ନ ୧୧ଟାରେ ଲୋକସଭା ଅଧିବେଶନ ଆରମ୍ଭ ହେବ ଏବଂ ଏଥିରେ ସାଧାରଣ ବଜେଟ ଆଗତ ହେବ । ଫେବ୍ରୁଆରୀ ୨ରୁ ୧୧ ତାରିଖ ପର୍ଯ୍ୟନ୍ତ ଲୋକସଭାର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଅପରାହ୍ଣ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲିବ ।

ସେହିପରି ସକାଳ ୯ଟାରୁ ଅପରାହ୍ମ ୨ଟା ପର୍ଯ୍ୟନ୍ତ ଚାଲିବ ରାଜ୍ୟସଭା । ଉଭୟ ଲୋକସଭା ଓ ରାଜ୍ୟସଭାରେ ସାମାଜିକ ଦୂରତା ନିୟମ ରକ୍ଷା କରାଯିବ । ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗ ପକ୍ଷରୁ କରାଯାଇଥିବା ବ୍ୟୟବରାଦ ଦାବିକୁ ଅନୁଧ୍ୟାନ କରିବ ଷ୍ଟାଣ୍ଡିଂ କମିଟି । ଆସନ୍ତା ମାର୍ଚ୍ଚ ୧୪ରେ ସଂସଦର ଉଭୟ ଗୃହର ଅଧିବେଶନ ପୁଣି ଆରମ୍ଭ ହେବ ଏବଂ ଏପ୍ରିଲ ୮ରେ ସଂସଦ ଅଧିବେଶନ ଶେଷ ହେବ । ଗତ ୨୦୨୦ରେ ସଂସଦର ମୌସୁମୀ ଅଧିବେଶନ ପ୍ରକ୍ରିୟା ସିଫ୍ଟ ଭିତ୍ତିରେ ଆରମ୍ଭ ହୋଇଥିଲା । ସେତେବେଳେ ଦିନର ପ୍ରଥମ ଭାଗରେ ରାଜ୍ୟସଭା ଅଧିବେଶନ ଓ ଅପରାହ୍ମ ଭାଗରେ ଲୋକସଭା ଅଧିବେଶନ ବସୁଥିଲା । ଏହି ପ୍ରକ୍ରିୟା ଗତବର୍ଷ ବଜେଟ ଅଧିବେଶନ କାଳରେ ବି ଜାରି ରହିଥିଲା ।

ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୨ ଲକ୍ଷ ୫୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ସଂକ୍ରମଣ । ଦେଶରେ ତିନି ଲକ୍ଷ ତଳେ ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୫୫ ହଜାର ୮୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲିଠାରୁ ଏହି ସଂଖ୍ୟା ୫୦ ହଜାର ୧୯୦ କମ୍ ରହିଛି । ଦେଶରେ ବର୍ତ୍ତମାନ ଦୈନିକ ପଜିଟିଭ ହାର ୧୫.୫୨ ପ୍ରତିଶତ ରହିଛି । ସେହିପରି ଭାବରେ ୨୪ ଘଣ୍ଟାରେ ଦେଶରେ ୬୧୪ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ।

ଦେଶରେ ସୋମବାର ୩ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଆଜି ଏହି ସଂଖ୍ୟାରେ ହ୍ରାସ ପାଇଛି । ଆଜି ଦେଶରେ ୨ ଲକ୍ଷ ୫୫ ହଜାର ୮୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ଟିଭ୍ କେସ୍ କଥା ଯଦି କହିବା ତାହାଲେ ବର୍ତ୍ତମାନ ଆକ୍ଟିଭ୍ କେସ୍ ସଂଖ୍ୟା ୨୨ ଲକ୍ଷ ୩୬ ହଜାର ୮୪୨ ରହିଛି । ସେହିପରି ଭାବରେ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୬୭ ହଜାର ୭୫୩ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ଖସୁଛି କରୋନା ଗ୍ରାଫ, ୨୪ ଘଣ୍ଟାରେ ୫ ହଜାର ୮୯୧ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ । କ୍ରମାଗତ ଭାବରେ ରାଜ୍ୟରେ ଖସୁଛି ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ୫ ହଜାର ୮୯୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩ ହଜାର ୪୧୩ ଜଣ ଚିହ୍ନଟ ହୋଇଥିବାବେଳେ ୨ ହଜାର ୪୭୮ ଲୋକାଲ କେସ୍ ଚିହ୍ନଟ ହୋଇଛି । ୦ରୁ ୧୮ ବର୍ଷ ମଧ୍ୟରେ ରାଜ୍ୟରେ ୮୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଭାବରେ ୨୪ ଘଣ୍ଟାରେ ରାଜ୍ୟରେ ୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ହଜାର ୩୦୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୧ ହଜାର ୫୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୧୦୬, ବାଲେଶ୍ୱରରୁ ୨୩୪, ବରଗଡ଼ରୁ ୮୫, ଭଦ୍ରକରୁ ୯୪, ବଲାଙ୍ଗୀରରୁ ୧୩୮, ବୌଦ୍ଧରୁ ୯୩, କଟକରୁ ୪୮୨, ଦେଓଗଡ଼ରୁ ୬୧, ଢେଙ୍କାନାଳରୁ ୧୩୩, ଗଜପତିରୁ ୯୬, ଗଞ୍ଜାମରୁ ୭୫, ଜଗତସିଂହପୁରରୁ ୧୦୮, ଯାଜପୁରରୁ ୨୧୯, ଝାରସୁଗୁଡ଼ାରୁ ୩୫, କଳାହାଣ୍ଡିରୁ ୧୮୮, କନ୍ଧମାଳରୁ ୭୩, କେନ୍ଦ୍ରାପଡ଼ାରୁ ୧୧୪, କେନ୍ଦୁଝରରୁ ୧୩୭, କୋରାପୁଟରୁ ୧୨୮, ମାଲକାନଗିରିରୁ ୫୨, ମୟୁରଭଞ୍ଜରୁ ୨୧୮, ନବରଙ୍ଗପୁରରୁ ୯୫, ନୟାଗଡ଼ରୁ ୨୦୫, ନୂଆପଡ଼ାରୁ ୫୬, ପୁରୀରୁ ୬୩, ରାୟଗଡ଼ାରୁ ୧୨୫, ସମ୍ବଲପୁରରୁ ୧୫୮, ସୋନପୁରରୁ ୨୦, ସୁନ୍ଦରଗଡ଼ରୁ ୫୦୧ ଓ ଷ୍ଟେଟ ପୁଲରୁ ୨୯୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବର୍ଷା ପରେ ବଦଳିବ ପାଗ, ଫେରିବ ଶୀତ

ଭୁବନେଶ୍ୱର: ଆସନ୍ତାକାଲି ଯାଏ ଭିଜିବ ଓଡ଼ିଶା । ବର୍ଷା ପରେ ପୁଣି ଥରିବ ଉପାନ୍ତରୁ ଉପକୂଳ । ବଦଳିବ ପାଣିପାଗ, ଫେରିବ ଶୀତ । ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବ । ଆସନ୍ତାକାଲି ମଧ୍ୟ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବଜ୍ରପାତ ଜନିତ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ବର୍ଷା ପରେ ପୁଣି ସ୍ୱାଭାବିକଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ପାରା କମିବ । ଏକ ସପ୍ତାହ ପର୍ଯ୍ୟନ୍ତ ଜାଡରେ ଥରିବ ଓଡିଶା । ଜାଡ ସହ ଘନ କୁହୁଡି ପାଇଁ ମଧ୍ୟ ଅସ୍ତବ୍ୟସ୍ତ ହେବ ଜନଜୀବନ ।

ଆଜିଠୁ ଆରମ୍ଭ ଓଡ଼ିଶା ଓପନ, ଭାଗ ନେବେ ୩୦୦ ଖେଳାଳି

କଟକ: ଆଜିଠୁ କମ୍ପିବ କଟକ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମ । ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମ ଖେଳାଯିବ ବିଡବ୍ଲ୍ୟୁଏଫ୍ ଓଡ଼ିଶା ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ । ଏହି ପ୍ରତିଯୋଗିତାରେ ସାରା ବିଶ୍ୱର ୩୦୦ରୁ ଅଧିକ ବଛାବଛା ଖେଳାଳିଙ୍କ ସହ ୧୦୦ରୁ ଅଧିକ ଅଫିସିଆଲ୍ସ ଭାଗ ନେବେ । ଟୁର୍ଣ୍ଣାମେଣ୍ଟରେ ପୁରୁଷ ଓ ମହିଳା ବର୍ଗରେ ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ଇଭେଣ୍ଟ ଖେଳାଯିବ । ଓଡିଶାରୁ ୫ ଜଣ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବା ନେବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।

ଓଡ଼ିଶା ଓପନରେ ସ୍ଥାନୀୟ ତାରକା ଋତୁପର୍ଣ୍ଣା ଓ ଶ୍ୱେତାପର୍ଣ୍ଣା ପଣ୍ଡାଙ୍କ ଆକ୍ସନ ଦେଖିବାକୁ ମିଳିବ । ଏହି ପ୍ରତିଯୋଗିତାରେ ପି. କାଶ୍ୟପ, ସୌରଭ ବର୍ମା, ଶୁଭଙ୍କର ଦେ, ସାଇନା ନେହଓ୍ୱାଲ, ଅଶ୍ୱିନୀ ପୋନାପ୍ପା, ସିକି ରେଡ୍ଡୀଙ୍କ ଭଳି ପ୍ରମୁଖ ଖେଳାଳି ମଧ୍ୟ ନିଜ ନିଜର ଦମ୍ ଦେଖାଇବେ । କରୋନା ସଂକ୍ରମଣ ପାଇଁ ବିନା ଦର୍ଶକରେ ବାୟୋବବୁଲ ବ୍ୟବସ୍ଥା ମଧ୍ୟରେ ସମସ୍ତ ମ୍ୟାଚ ଖେଳାଯିବ । ଟୁର୍ଣ୍ଣାମେଣ୍ଟ ପାଇଁ ମୋଟ ୭୫ ହଜାର ଆମେରିକୀୟ ଡଲାର ପୁରସ୍କାର ଅର୍ଥରାଶି ରଖାଯାଇଛି । ଆଜିଠାରୁ ଆରମ୍ଭ ହୋଇ ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଆଜି ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ସରଗରମ ଗାଁ ରାଜନୀତି । ବଢୁଛି ପଞ୍ଚାୟତ ହାର୍ଟବିଟ୍ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା । ଏହାସହ ଆଜି ମଧ୍ୟ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସୁଯୋଗ ରହିଛି । ପଞ୍ଚାୟତ ନିର୍ବାଚନ ପାଇଁ ଘରକୁ ଘର ଗାଁରୁ ଗାଁ ବୁଲି ଭୋଟ୍ ମାଗୁଛନ୍ତି ପ୍ରାର୍ଥୀ । ଦଳୀୟ ଚିହ୍ନରେ ପ୍ରତିଦ୍ୱନ୍ଦ୍ୱିତା ହେଉଥିବା ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀଙ୍କ ପାଇଁ ଦଳୀୟ ନେତା ଓ କର୍ମୀ ଭୋଟ ମାଗୁଛନ୍ତି । ସରପଞ୍ଚ, ସମିତିସଭ୍ୟ ଓ ଓ୍ୱାର୍ଡମେମ୍ବର ପ୍ରାର୍ଥୀମାନେ ମଧ୍ୟ ଜୋରଦାର ପ୍ରଚାରରେ ଲାଗି ପଡ଼ିଛନ୍ତି । କୋଭିଡ୍ କଟକଣା ଯୋଗୁ ସଭା ଓ ଶୋଭାଯାତ୍ରା ଉପରେ ଅଙ୍କୁଶ ଲାଗିଥିବାରୁ ଡୋର୍ ଟୁ ଡୋର୍ କ୍ୟାମ୍ପେନ ଉପରେ ସମସ୍ତେ ଗୁରୁତ୍ୱ ଦେଉଛନ୍ତି । ଏହା ସହିତ ଚଳିତ ପଞ୍ଚାୟତ ନିର୍ବାଚନରେ ଡିଜିଟାଲ ପ୍ରଚାର ପ୍ରାର୍ଥୀଙ୍କ ପାଇଁ ନୂଆ ମାଧ୍ୟମ ପାଲଟିଛି । ସେହିପରି ନାମାଙ୍କନ ଦାଖଲ ପରେ ଯାଞ୍ଚ ସମୟରେ ଅନେକ ଆଶାୟୀଙ୍କର ଟିକେଟ୍ କଟିଛି । ବିଭିନ୍ନ କାରଣରୁ ମୋଟ ୮ ହଜାର ୬୪୮ଟି ନାମାଙ୍କନ ନାକଚ ହୋଇଥିବା ବେଳେ, ଏବେ ବି ୨ ଲକ୍ଷ ୨୦ ହଜାର ୪୧୪ ପ୍ରାର୍ଥୀପତ୍ର କାଏମ ରହିଛି ।

ଉଦ୍ଧବ ଠାକ୍‌ରେଙ୍କ ବିସ୍ଫୋରକ ବୟାନ: କହିଲେ, ବିଜେପି ସହ ୨୫ ବର୍ଷ ମେଣ୍ଟ କରି ବରବାଦ ହୋଇଗଲା

ମୁମ୍ୱାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିସ୍ଫୋରକ ବୟାନ । ବିଜେପି ସହ ମେଣ୍ଟ କରି ୨୫ ବର୍ଷ ବରବାଦ ହୋଇଗଲା । ଶିବସେନା ସୁପ୍ରିମୋଙ୍କ ଏହି ବୟାନ ଜାତୀୟ ସ୍ତରରେ ଚର୍ଚ୍ଚାର କାରଣ ହୋଇଛି । ସେ କହିଛନ୍ତି ବିଜେପି ନିଜର ସ୍ୱାର୍ଥ ପୂରଣ ଲାଗି ହିନ୍ଦୁତ୍ୱକୁ ବ୍ୟବହାର କରିବାରେ ଲାଗିଛି । ଏଣିକି ଶିବସେନା ରାଜ୍ୟ ବାହାରକୁ ପାଦ କାଢ଼ିବ ଏବଂ ଅନ୍ୟ ରାଜ୍ୟରେ ଯେପରି ଦଳକୁ ଗଠନ କରାଯିବ ସେଥିପ୍ରତି ଗୁରୁତ୍ୱ ଦିଆଯିବ ।

ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ ବା ଏନଡିଏରେ ରହି ଅକାଳୀ ଦଳକୁ ବିଜେପି ନାଶ୍ କରିଦେଇଛି । ତେବେ ସେହି ଜାଲରୁ ଶିବସେନା ମୁକୁଳି ଆସିବାକୁ ସକ୍ଷମ ହୋଇଛି । ଦଳର ପ୍ରତିଷ୍ଠାତା ବାଲ୍ ଠାକରେଙ୍କ ୯୬ତମ ଜୟନ୍ତୀ ଅବସରରେ ଉଦ୍ଧବଙ୍କ ଏହି ବିବୃତି ଜାତୀୟ ରାଜନୀତି ଲାଗି ଭିନ୍ନ ସୂଚନା ଦେଇଛି । ବିଜେପିର ହିନ୍ଦୁତ୍ୱବାଦୀ ରାଜନୀତି କେବଳ କ୍ଷମତା ଲାଗି ଉଦ୍ଦିଷ୍ଟ ବୋଲି ଉଦ୍ଧବ କହିଛନ୍ତି । ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ବିଜେପି ଓ ଶିବସେନା ମଧ୍ୟରେ ଫାଟ ସୃଷ୍ଟି ହେବା ପରେ ଏନସିପି ଓ କଂଗ୍ରେସ ସହ ମେଣ୍ଟ କରି ସରକାର ଗଠନ କରିଛି ଶିବସେନା । ସେ କହିଛନ୍ତି ମହାରାଷ୍ଟ୍ରରେ ଶିବସେନାକୁ ବିଜେପି ଧୋକା ଦେଇଛି । ନିଜ ରାଜ୍ୟରେ ଶିବସେନାକୁ ଧ୍ବଂସ କରିବା ଲାଗି ବିଜେପି ଯୋଜନା କରିଆସୁଛି ବୋଲି ସେ ଅଭିଯୋଗ କରିଛନ୍ତି । ଏହା ସହ ୨୦୧୯ ତ୍ରିଦଳୀୟ ମେଣ୍ଟ ଯଥାର୍ଥ ଥିଲା ବୋଲି ଯୁକ୍ତି ଦର୍ଶାଇଛନ୍ତି । ବିଜେପିର ସ୍ୱାର୍ଥବାଦୀ ଭୂମିକାକୁ ଶିବସେନା ନେତା ସଞ୍ଜୟ ରାଓ୍ୱତ ସମାଲୋଚନା କରିଥିବାବେଳେ ଶିବସେନା ଉପରେ ଦୋଷ ଲଦିଛି ବିଜେପି ।

ଏଥିସହିତ ପଢ଼ନ୍ତୁ: ଓମିକ୍ରନ ନୁହଁ କରୋନାର ଶେଷ ଭାରିଆଣ୍ଟ, ଆଗକୁ ଆହୁରି ଆସିପାରେ : WHO

ଦୁଷ୍କର୍ମକାରୀକୁ ଧରିବାକୁ ୪ଜଣିଆ ଟିମ୍ ଗଠନ କଲା ପୋଲିସ

ପୁରୀ: ନାବାଳିକା ଦୁଷ୍କର୍ମ ଘଟଣାକୁ ଗୁରୁତର ସହ ନେଇଛି ପୋଲିସ୍ । ଅଭିଯୁକ୍ତ ଫେରାର ଥିବାରୁ ତାକୁ ଗିରଫ କରିବାକୁ ୪ଟି ଟିମ୍ ଗଠନ କରିଛି ପୋଲିସ୍ । ସେପଟେ କଟକ ମେଡିକାଲରେ ଚାଲିଛି ନାବାଳିକାଙ୍କ ଚିକିତ୍ସା । ତାଙ୍କୁ ପ୍ରାଥମିକତା ଭିତ୍ତିରେ ଚିକିତ୍ସା ଯୋଗାଇ ଦେବା ସହ ଅଭିଯୁକ୍ତଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।

କୁଆଡେ ଗଲା ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ? ଘଟଣାକୁ ଗୁରୁତର ସହ ନେଲା ପୋଲିସ୍ । ଅଭିଯୁକ୍ତକୁ ଧରିବାକୁ ୪ଟି ଟିମ୍ ଗଠନ । ପୁରୀ ଟାଉନଥାନା ଅଞ୍ଚଳରେ ୫ ବର୍ଷର ନାବାଳିକ ଦୁଷ୍କର୍ମ ଘଟଣାରେ ଫେରାର ଅଭିଯୁକ୍ତକୁ ଧରିବାକୁ ଜାଲ ବିଛାଇଛି ପୋଲିସ୍ । ତୁରନ୍ତ ଗିରଫ କରିବାକୁ ୪ ଟି ଟିମ୍ ଗଠନ କରିବା ସହ ଟାଉନଥାନା ଅଧିକାରୀ ଓ ଏସପିଙ୍କ ନେତୃତ୍ବରେ ଚଢଉ ଜାରି ରହିଛି । ଜିଲ୍ଲା ବାହାରର ପୋଲିସ୍ ସହ ଯୋଗାଯୋଗ କରାଯାଇଛି । ପୀଡିତା ଓ ଅଭିଯୁକ୍ତଙ୍କ ପରିବାର ସହ ଆଲୋଚନା କରି ଆଇନ ଅନୁଯାୟୀ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି ପୁରୀ ଏସପି ।

ଛାତଉପରେ ଏକୁଟିଆ ପାଇ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ଗୁରୁତର ନାବାଳିକାଙ୍କ ଏବେ କଟକ ମେଡିକାଲରେ ଚାଲିଛି ଚିକିତ୍ସା । ସେପଟେ ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯିବା ସହ ପୀଡାତାଙ୍କ ପରିବାରକୁ କ୍ଷତିପୂରଣ ଓ ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି । ପିଲାଟିର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକତା ଭିତ୍ତିରେ ତାର ଚିକିତ୍ସା କରିବାକୁ ସାଧାରଣରେ ଦାବି ହୋଇଛି ।

ଏଥିସହିତ ପଢ଼ନ୍ତୁ: ବର୍ଷା ପରେ ପୁଣି ଫେରିବ ଶୀତ, ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା

କମିଛି ଟେଷ୍ଟିଂ ଓ ଟିକାକରଣ: ସତର୍କତା ଅବଲମ୍ୱନ କରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ

ଭୁବନେଶ୍ୱର: ପ୍ରତିଦିନ ହ୍ରାସ ପାଉଛି ସଂକ୍ରମଣ । ଯାହା ସମଗ୍ର ଦେଶ ଓ ରାଜ୍ୟ ପାଇଁ ଆଶ୍ୱସ୍ତିର ବିଷୟ । କିଛି ଦିନ ପ୍ଲାଟ୍ୟୁ ଷ୍ଟେଜରେ ରହି ପିକକୁ ଛୁଇଁବା ପରେ ତଳମୁହାଁ ହୋଇଛି କରୋନା । ତଥାପି ଆଶଙ୍କା ଓ ସଚେତନତା ଅଭାବରୁ ଅବହେଳା କରୁଛନ୍ତି ଲୋକେ । ଇତି ମଧ୍ୟରେ ହ୍ରାସ ପାଇଛି ଉଭୟ ଟେଷ୍ଟିଂ ଓ ଟିକାକରଣ । ତେଣୁ ସତର୍କତା ଅବଲମ୍ବନ କରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଦେଇଛନ୍ତି ।

ଶୀର୍ଷକୁ ଯାଇ ସଂକ୍ରମଣ ଗ୍ରାଫ୍ ଏବେ ତଳ ମୁହାଁ । ତଥାପି ଚିନ୍ତା ବଢ଼ାଉଛି ଲୋକଙ୍କ ଅବହେଳା । ହଟସ୍ପଟ୍ ଭୁବନେଶ୍ୱରରେ ଦୈନିକ ସଂକ୍ରମଣ ୪ଅଙ୍କ । ସ୍ମାର୍ଟସିଟିରେ କମିଛି ଉଭୟ ଟେଷ୍ଟିଂ ଓ ଟିକାକରଣ । କରୋନା ସଂକ୍ରମଣରେ ହଟସ୍ପଟ ଭୁବନେଶ୍ୱରରେ ଆସିଛି ସୁଧାର । ତଥାପି ଦୈନିକ ସଂକ୍ରମଣ ହଜାରେ ଉପରେ । ସଂକ୍ରମଣକୁ ଚେକ ଦେବାକୁ ଯାଇ ନିଆଯାଇଛି ଅନେକ ପଦକ୍ଷେପ । ଗତ ମାସକ ମଧ୍ୟରେ ଭୁବନେଶ୍ୱରରେ କଣ୍ଟେନମେଣ୍ଟ ଓ ମାଇକ୍ରୋ କଣ୍ଟେନମେଣ୍ଟ ସଂଖ୍ୟା ୩୦୦ରେ ପହଞ୍ଚିଛି । ଅନେକ ପ୍ରତ୍ୟାହୃତ ହେବା ପରେ ଏବେ ଏହି ସଂଖ୍ୟା ୧୩୫ରେ ସୀମିତ ରହିଛି ।

ଭୁବନେଶ୍ୱରରେ ସକ୍ରିୟ ମାମଲା ୧୧ହଜାରରୁ ଅଧିକ ଥିବା ବେଳେ ମାତ୍ର ୪୮୨ ଜଣ ଚିକିତ୍ସିତ ହେଉଛନ୍ତି । ରେପିଡ ରେସ୍ପନ୍ସ ଟିମ ବା RRTକୁ ତ୍ୱରାନ୍ୱିତ କରାଯାଇଛି । ସେପଟେ ଘର ଘର ବୁଲି ଅଳିଆ ସଂଗ୍ରହ କରାଯାଉଥିବା ଗାଡ଼ି ଓ ଦାସକାଠିଆ ଭଳି ଲୋକକଳା ଜରିଆରେ ସଚେତନ କରାଯାଉଛି । ତେବେ ପାଣିପାଗ ପରିବର୍ତ୍ତନ ଯୋଗୁଁ ପ୍ରଭାବିତ ହୋଇଛି ଉଭୟ ଟେଷ୍ଟିଂ ଓ ଟିକାକରଣ । ଦୈନିକ ଟିକାକରଣ ସାଢ଼େ ୭ ହଜାରରୁ ଏବଂ ଟେଷ୍ଟିଂ ୧୦ ହଜାରକୁ ହ୍ରାସ ପାଇଛି ।

ସୁଧୁରିବାରେ ଲାଗିଛି କ୍ୟାପିଟାଲ ହସ୍ପିଟାଲର ସ୍ଥିତି । ସଂକ୍ରମିତ ଡାକ୍ତର ଓ ଅନ୍ୟ କର୍ମଚାରୀ ସୁସ୍ଥ ହୋଇ ଫେରୁଛନ୍ତି । ଟେଷ୍ଟିଂର ଶତକଡା ୩୦ ପ୍ରତିଶତ କେବଳ ପଜିଟିଭ ଚିହ୍ନଟ ହେଉଛନ୍ତି । ଏବେ ଖାଲି ରାତ୍ରିକାଳୀନ OPD ବନ୍ଦ ରହିଛି । ତଥାପି ଆମକୁ ସତର୍କ ରହିବାକୁ ହେବ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦଶକ । ଦିନ ଗଡ଼ିବା ସହିତ ଦେଖିବାକୁ ମିଳୁଛି ଗୋଟିଏ ପରେ ଗୋଟିଏ ଲହର । ଏଣୁ ସଚେତନ ସହିତ ସତର୍କ ରହିବା ଜରୁରୀ ।

୨୫ ବର୍ଷ ହେଲା ଗୋଟିଏ ପରିବାର ହାତରେ ରହିଛି ପୂରା ପଞ୍ଚାୟତ

ବ୍ରହ୍ମପୁର: ଦୀର୍ଘ ୨୫ ବର୍ଷ ହେଲା ଗୋଟିଏ ପରିବାର ହାତରେ ପଞ୍ଚାୟତ ଦାୟିତ୍ୱ । ଲୋକଙ୍କ ଭଲ ପାଇବା ଯୋଗୁଁ ଏଥର ମଧ୍ୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅପ୍ରତିଦ୍ୱନ୍ଦୀ ଭାବେ ସେହି ପରିବାର ସ୍ତ୍ରୀ ସରପଞ୍ଚ ଓ ସ୍ୱାମୀ ସମିତିସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମୈଦାନ ପ୍ରସ୍ତୁତ । ଗାଁ ଗହଳି, ସବୁଠି ନାହିଁ ନଥିବା ଉତ୍ସାହ । ହେଲେ ଏସବୁ ଭିତରେ ଅଧିକ ଚର୍ଚ୍ଚାରେ ରହିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ କଞ୍ଚଣା ଗ୍ରାମ ପଞ୍ଚାୟତ । ୧୯୯୭ରୁ ଗୋଟିଏ ପରିବାର ହାତରେ ରହିଛି ଏହି ପଞ୍ଚାୟତର ଶାସନ ଡୋରୀ । ୧୯୯୭ରେ ଯୁଦ୍ଧିଷ୍ଟିର ଘୋଷ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ତା’ପରଠୁ ତାଙ୍କ ପରିବାର ସଦସ୍ୟ କିମ୍ବା ସମର୍ଥିତ ପ୍ରାର୍ଥୀ ଗାଦିରେ ବସି ଆସିଛନ୍ତି ।

୨୦୦୭ରୁ ବଡ଼ ପୁଅ ଜୟସେନ ଘୋଷ ଦୁଇଥର, ୨୦୧୭ ରେ ସାନ ପୁଅ ଚିତ୍ରସେନ ସରପଞ୍ଚ ଓ ତାଙ୍କ ଭାଉଜ ମିଲ୍ଲି ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ପୁଣିଥରେ ଚିତ୍ରସେନ ସମିତିସଭ୍ୟ ଓ ତାଙ୍କ ସ୍ତ୍ରୀ ରାଜଶ୍ରୀ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି । ଅନ୍ୟ କେହି ନାମାଙ୍କନ ଦାଖଲ କରି ନଥିବାରୁ ଅପ୍ରତିଦ୍ୱନ୍ଦ୍ୱି ଭାବେ ତାଙ୍କର ବିଜୟ ସୁନିଶ୍ଚିତି । ଏହା ତାଙ୍କ ପରିବାର ପ୍ରତି ଲୋକଙ୍କ ଭଲ ପାଇବା ବୋଲି କହନ୍ତି ଚିତ୍ରସେନ ।

ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାରର ଯୋଜନା ଏହି ପଞ୍ଚାୟତରେ ଦେଖିବାକୁ ମିଳିଛି । ଗାଁରେ ଚକାଚକ୍ ରାସ୍ତା, ବିଶୁଦ୍ଧ ପିଇବା ପାଣି, ମନ୍ଦିର , ଶିକ୍ଷା କ୍ଷେତ୍ରରେ ଉନ୍ନତି, ପୋଖରୀର ସୌନ୍ଦର୍ଯ୍ୟକରଣ ଭଳି ସମସ୍ତ ବ୍ୟବସ୍ଥା ହୋଇଛି । ଲାଞ୍ଚ ନେବା ଏକ ଅପରାଧ, ଏହା ପଞ୍ଚାୟତ ଅଫିସରେ ସ୍ପଷ୍ଟଭାବେ ଲେଖାଯାଇଛି । ଲୋକଙ୍କ ଭଲପାଇବା ଓ ଭରସା ପାଇଁ ଦୀର୍ଘ ୨୫ ବର୍ଷ ହେଲା ଘୋଷ ପରିବାର ହାତରେ ରହିଛି ଶାସନଭାର । ଅଞ୍ଚଳର ବିକାଶ ଓ ପଞ୍ଚାୟତବାସୀଙ୍କ ସେବାକୁ ପ୍ରାଥମିକତା ଦେଇ ଆସିଥିବାରୁ ୨୫ ବର୍ଷ ହେଲା ଘୋଷ ପରିବାର ଲୋକଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି ।