spot_img
Home Blog Page 4672

କୋଭିଡ ଚିକିତ୍ସା ପାଇଁ ଆସିଲା ନୂଆ ଗାଇଡଲାଇନ, କରୋନା ସଂକ୍ରମିତଙ୍କୁ ଦରକାର ନାହିଁ ଷ୍ଟେରଏଡ

ନୂଆଦିଲ୍ଲୀ: କୋଭିଡ ସଂକ୍ରମିତଙ୍କ ଲାଗି ଦରକାର ନାହିଁ ଷ୍ଟେରଏଡ । କରୋନା ଭାଇରସ ଚିକିତ୍ସାର ସଂଶୋଧିତ କ୍ଲିନିକାଲ ଗାଇଡଲାଇନ ଜାରି କରିଛନ୍ତି ସରକାର । କୋଭିଡ ଟାସ୍କ ଫୋର୍ସ ମୁଖ୍ୟ ତଥା ନିତି ଆୟୋଗ ସଦସ୍ୟ ଡାକ୍ତର ଭି.କେ. ପଲ୍ କହିଛନ୍ତି କୋଭିଡ ଦ୍ୱିତୀୟ ଲହର କାଳରେ ଡାକ୍ତରମାନେ ଅନେକ ଔଷଧର ବହୁଳ ଅପବ୍ୟବହାର କରିଥିଲେ । ଷ୍ଟେରଏଡ ବ୍ୟବହାର କରିବା ଦ୍ୱାରା ମ୍ୟୁକୋମାଇକୋସିସ୍ ବା ବ୍ଲାକ ଫଙ୍ଗ୍ସ ପରି ରୋଗର ସଂକ୍ରମଣ ସମ୍ଭାବନା ଅଧିକ ହୋଇଥାଏ । ସ୍ୱଳ୍ପ, ମଧ୍ୟମ ଓ ଗୁରୁତର ରୋଗୀଙ୍କୁ ଚିହ୍ନଟ କରି ସେମାନଙ୍କ ଉଦ୍ଦେଶ୍ୟରେ ଆବଶ୍ୟକ ମାତ୍ରାର ଔଷଧ ଦରକାର ।

ଯଦି କଫ ଦୁଇରୁ ତିନି ସପ୍ତାହ ଜାରି ରୁହେ ତେବେ ରୋଗୀମାନେ ଯକ୍ଷ୍ମା ଓ ଅନ୍ୟାନ୍ୟ ରୋଗର ଚିକିତ୍ସା କରିବା ଆବଶ୍ୟକ । ଷ୍ଟେରଏଡ ପରି ଔଷଧର ଅଧିକ ମାତ୍ରାର ବ୍ୟବହାର ଓ ଅପବ୍ୟବହାର ଅନୁଚିତ । ସଂଶୋଧିତ ଗାଇଡଲାଇନ ଅନୁସାରେ ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ବା ହାଇପୋକ୍ସିଆ ବିନା ଅପର ରେସପିରେଟୋରୀ ଟ୍ରାକ୍ଟରେ ଯଦି ସଂକ୍ରମଣ ପରିଲକ୍ଷିତ ହୋଇଥାଏ ତେବେ ତାହାକୁ ସ୍ୱଳ୍ପ ରୋଗ ବୋଲି ଧରାଯିବ ଏବଂ ଘରେ ରହିବାକୁ ପରାମର୍ଶ ଦିଆଯିବା ଆବଶ୍ୟକ । ଯଦି ସ୍ୱଳ୍ପ କୋଭିଡ ସଂକ୍ରମିତ ରୋଗୀ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରନ୍ତି, ଅତ୍ୟଧିକ ଜ୍ୱର ଲାଗି ରହେ ଏବଂ ୫ ଦିନରୁ ଅଧିକ ଦିନ ଧରି କଫ ଲାଗି ରହେ ତେବେ ସେମାନେ ମେଡିକାଲରେ ଚିକିତ୍ସିତ ହେବା ଦରକାର ।

ଅନ୍ୟପକ୍ଷରେ ଯଦି ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ ସହ ଅକ୍ସିଜେନ ସାଚୁରେସନ ୯୦-୯୩ ପ୍ରତିଶତ ରୁହେ ତେବେ ସେମାନେ ହସ୍ପିଟାଲରେ ଆଡମିଶନ ହୋଇପାରିବେ । ସେମାନଙ୍କୁ ଅକ୍ସିଜେନ ସପୋର୍ଟ ଦେବା ଆବଶ୍ୟକ । ଯଦି ନିଶ୍ୱାସ ପ୍ରଶ୍ୱାସ ହାର ମିନିଟ ପିଛା ୩୦ ଥର ହେବ, ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ ସହ ଅକ୍ସିଜେନ ସାଚୁରେସନ ୯୦ ପ୍ରତିଶତରୁ କମ୍ ରୁହେ ତେବେ ତାହାକୁ ଗୁରୁତର ବୋଲି ଧରାଯିବ ଏବଂ ସେମାନଙ୍କୁ ICUରେ ରଖିବା ସହ ଅକ୍ସିଜେନ ସପୋର୍ଟ ଦେବା ଦରକାର । ଯେଉଁମାନେ ଅକ୍ସିଜେନ ସପୋର୍ଟରେ ନାହାନ୍ତି ଏବଂ ଘରେ ରହିଛନ୍ତି ସେମାନଙ୍କୁ କୌଣସି ପ୍ରକାର ଔଷଧ ନ ଦେବା ଲାଗି ପରାମର୍ଶ ଦିଆଯାଇଛି । ଯେଉଁମାନେ ଗୁରୁତର ଅଛନ୍ତି ସେମାନେ ହିଁ ଆଇସିୟୁରେ ଭର୍ତ୍ତି ହେବା ଲାଗି ପରାମର୍ଶ ଦିଆଯାଇଛି । ହୃଦରୋଗ, ଉଚ୍ଚ ରକ୍ତଚାପ, ଡାଏବେଟିସ, ଏଚଆଇଭି, ଯକ୍ଷ୍ମା, ଫୁସଫୁସ, କିଡନୀ, ଲିଭର ଓ ଅନ୍ୟାନ୍ୟ ରୋଗ ଥିବା ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କ କ୍ଷେତ୍ରରେ କୋଭିଡକୁ ହାଇରିସ୍କ ବୋଲି ବିବେଚନା କରିବାକୁ ଗାଇଡଲାଇନରେ କୁହାଯାଇଛି ।

କମିପାରେ ହୋମ୍ ଆଇସୋଲେସନ ଅବଧି, ୭ ଦିନ ପରିବର୍ତ୍ତେ ହେବ ୫ ଦିନ!

ଭୁବନେଶ୍ୱର: କମିବ ହୋମ୍ ଆଇସୋଲେସନ ଅବଧି । ୭ ଦିନ ବଦଳରେ ୫ ଦିନ ହେବ ହୋମ ଆଇସୋଲେସନ ସମୟସୀମା । ପୂର୍ବରୁ ହୋମ ଆଇସୋଲେସନ ଅବଧି ୧୦ ଦିନ ରହିଥିଲା, ଏହାପରେ ଏହାକୁ କମାଇ ୭ ଦିନ କରାଯାଇଥିଲା । ରାଜ୍ୟରେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ୨ ଦିନ କମାଇବାକୁ ଆଲୋଚନା ଚାଲିଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ୧୫ ଦିନ ପୂର୍ବରୁ ହୋମ୍ ଆଇସୋଲେସନ ସମୟ ୫ ଦିନ କଲେ ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ସେଣ୍ଟର୍ସ ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍ ବା ସିଡିସି । ଧିରେ ଧିରେ ଅନ୍ୟ ଦେଶ ହୋମ୍ ଆଇସୋଲେସନ ଅବଧି କମାଇପାରନ୍ତି ।

ବର୍ତ୍ତମାନ ରାଜ୍ୟରେ କିଛିଦିନ ହେବ ୧୦ରୁ ୧୧ ହଜାର ଭିତରେ ଦୈନିକ ସଂକ୍ରମଣ ରହୁଛି । ସର୍ବନିମ୍ନ ୧୦ ରୁ ୧୫ ଦିନ ସମୟ ଦରକାର ଏହି ଟ୍ରେଣ୍ଡ ବିଷୟରେ ଜାଣିବା ପାଇଁ । ଯେପର୍ଯ୍ୟନ୍ତ ଏ ଟ୍ରେଣ୍ଡ ବିଷୟରେ ନ ଜାଣିଛେ, ତାହା ଆଗକୁ ବଢିବ ନା କମିବ କହିବା ଯୁକ୍ତିଯୁକ୍ତ ନୁହେଁ । ସେପଟେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମ୍ ରହିଛି । ଜେନେରାଲ ବେଡ଼ ୯ ପ୍ରତିଶତ, ଆଇସିୟୁ ବେଡ଼ ୧୫ ପ୍ରତିଶତ, ଭେଣ୍ଟିଲେଟର ୫ରୁ ୬ ପ୍ରତିଶତ ଥିବା ବେଳେ ପେଡିଆଟ୍ରିକ୍ ଆଡମିସନ ବହୁତ କମ୍ ରହିଛି । ଏହି ଲହରରେ ହସ୍ପିଟାଲ ଆଡମିସନ ଓ ଅକ୍ସିଜେନ ଆବଶ୍ୟକତା କମ୍‌ ରହିଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଅଲଗା ହେଲେ ଧନୁଷ-ଐଶ୍ୱର୍ଯ୍ୟା, ଟ୍ୱିଟ୍ କରି ସୂଚନା ଦେଲେ ଧନୁଷ

ନୂଆଦିଲ୍ଲୀ: ସାଉଥଷ୍ଟାର ନାଗା ଚୈତନ୍ୟ ଓ ସମନ୍ଥାଙ୍କ ପରେ ଆଉ ଜଣେ ସାଉଥ ସୁପରଷ୍ଟାର ବିବାହ ବିଚ୍ଛେଦ ଘୋଷଣା କରିଛନ୍ତି । ସାଉଥ ଇଣ୍ଡଷ୍ଟ୍ରିର ଆଉ ଜଣେ ଲୋକପ୍ରିୟ ଅଭିନେତା ଧନୁଷ ଓ ପତ୍ନୀ ଐଶ୍ୱର୍ଯ୍ୟା ଉଭୟ ପରସ୍ପରଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଦୀର୍ଘ ୧୮ ବର୍ଷ ବୈବାହିକ ଜୀବନ ବିତାଇବା ପରେ ଉଭୟ ପରସ୍ପରଠାରୁ ଅଲଗା ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ଛାଡପତ୍ର ହେବା ନେଇ ଧନୁଷ ଟ୍ୱିଟ କରି ସୂଚନା ଦେଇଛନ୍ତି । ତେବେ ଏହି ଖବର ସାମ୍ନାକୁ ଆସିବା ପରେ ସାଉଥ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ସୃଷ୍ଟି ହୋଇଛି ।

ଧନୁଷ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି କି ସେ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କୁ ଛାଡପତ୍ର ଦେଇଛନ୍ତି । ଧନୁଷଙ୍କ ସହ ଐଶ୍ୱର୍ଯ୍ୟା ମଧ୍ୟ ଏହି ସୂଚନା ଦେଇଛନ୍ତି । ଦୁହେଁ ୧୮ ବର୍ଷ ଧରି ଏକାଠି ଥିବା ସହ ପରସ୍ପର ପରସ୍ପରର ବନ୍ଧୁ, ଦମ୍ପତି ଏବଂ ଶୁଭେଚ୍ଛୁ ଭାବେ ରହିଥିଲୁ। । ଜୀବନ ଯାତ୍ରାରେ ବୁଝାମଣା ରଖିବା ସହିତ ପରସ୍ପର ଚଳିଥିଲୁ ଏବଂ ଆଗକୁ ବଢ଼ିଥିଲୁ । କିନ୍ତୁ ଆମେ ଏବେ ଏଭଳି ଏକ ସ୍ଥାନରେ ଛିଡ଼ା ହୋଇଛୁ ଯେଉଁଠି ଆମର ରାସ୍ତା ଭିନ୍ନ। ଐଶ୍ୱର୍ଯ୍ୟା ଏବଂ ମୁଁ  ଦୁହେଁ ଅଲଗା ରହିବାକୁ ନିଷ୍ପତ୍ତି ନେଇଛୁ । ଏହା ସହ ଐଶ୍ଵର୍ଯ୍ୟାଙ୍କ ଭଲ ଭବିଷ୍ୟ ପାଇଁ ମଧ୍ୟ ଶୁଭ କାମନା କରୁଛି । ସେ ଭଲରେ ରୁହନ୍ତୁ ଏବଂ ଆଗକୁ ବଢନ୍ତୁ । ମୁଁ ଆଶା କରୁଛି ପ୍ରଶଂସକମାନେ ତାଙ୍କ ନିଷ୍ପତ୍ତି ଏବଂ ଗୋପନୀୟତାକୁ ସମ୍ମାନ କରିବେ ବୋଲି କହିଛନ୍ତି ଧନୁଷ ।

ସେହିଭଳି ଐଶ୍ୱର୍ଯ୍ୟା ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି କି କୌଣସି କ୍ୟାପସନର ଆବଶ୍ୟକତା ନାହିଁ । କେବଳ ଆପଣଙ୍କ ଭଲପାଇବା ଏବଂ ବୁଝିପାରିବା ଆବଶ୍ୟକ । ଧନୁଷ ଓ ଐଶ୍ୱର୍ଯ୍ୟାଙ୍କ ବିବାହ ବିଚ୍ଛେଦ ଖବର ଶୁଣିବା ପରେ ପ୍ରଶଂସକମାନେ ମଧ୍ୟ ଚକିତ ହୋଇଯାଇଛନ୍ତି । ଧନୁଷଙ୍କ ପୂର୍ବରୁ ସାଉଥ ସୁପରଷ୍ଟାର ନାଗା ଚୈତନ୍ୟ ଓ ସମନ୍ଥା ଉଭୟ ମଧ୍ୟ ପରସ୍ପରଠାରୁ ଅଲଗା ରହିବାକୁ ନିଷ୍ପତ୍ତି ନେଇଥିଲେ ।

ଦେଶରେ କମୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୨ ଲକ୍ଷ ୩୮ ହଜାର ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ସଂକ୍ରମଣ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଦେଶରେ ୨୪ ଘଣ୍ଟାରେ ୨ ଲକ୍ଷ ୩୮ ହଜାର ୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ଦେଶରେ ୩୧୦ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲିଠାରୁ ଆଜି ୨୦ ହଜାର ୭୧ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହିଛି । ସେହିପରି ଦୈନିକ ପଜିଟିଭ୍ ରେଟ୍‌ ୧୪.୪୨ ପ୍ରତିଶତ ରହିଛି । ଯଦି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କହିବା ତାହାଲେ ବର୍ତ୍ତମାନ ସୁଦ୍ଧା ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୮୯୧ରେ ପହଞ୍ଚିଛି ।

ଦେଶରେ ସୋମବାର ୨ ଲକ୍ଷ ୫୮ ହଜାର ୦୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଆଜି ଏହି ସଂଖ୍ୟା ହ୍ରାସ ପାଇ ୨ ଲକ୍ଷ ୩୮ ହଜାର ୦୧୮ରେ ପହଞ୍ଚିଛି । ଆକ୍ଟିଭ୍ କେସ୍ କଥା ଯଦି କହିବା ତାହାଲେ ଦେଶରେ ବର୍ତ୍ତମାନ ଆକ୍ଟିଭ୍ କେସ୍ ୧୭ ଲକ୍ଷ ୩୬ ହଜାର ୬୨୮ ରହିଛି । ସେହିପରି ବର୍ତ୍ତମାନ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୬ ହଜାର ୭୬୧ରେ ପହଞ୍ଚିଛି । ସେହିପରି ୨୪ ଘଣ୍ଟାରେ ଦେଶରେ ୧  ଲକ୍ଷ ୫୭ ହଜାର ୪୨୧ ଜଣ ସୁସ୍ଥ ହୋଇଛନ୍ତି ।

 

ଆଫଗାନିସ୍ତାନରେ ଭୂକମ୍ପ ଝଟକା, ମୃତ ସଂଖ୍ୟା ୨୬କୁ ବୃଦ୍ଧି

କାବୁଲ: ଆଫଗାନିସ୍ତାନରେ ଭୂକମ୍ପ । ଆଫଗାନିସ୍ତାନରେ ହୋଇଥିବା ଭୂକମ୍ପରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ମୃତାହତଙ୍କ ସଂଖ୍ୟା ଅଧିକ ହେବା ଆଶଙ୍କା କରାଯାଉଛି । ଗତକାଲି ପଶ୍ଚିମ ଆଫଗାନିସ୍ତାନରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୩ ଥିଲା । ବାଦଘିସ ପ୍ରଜାତନ୍ତ୍ର ଅନ୍ତର୍ଗତ କାଦିସ ଜିଲ୍ଲାରେ ଏହି ଭୂକମ୍ପ ସବୁଠାରୁ ଅଧିକ କ୍ଷତି ଘଟାଇଛି । ଘର ଭୁଶୁଡ଼ିବା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ୫ ମହିଳା ଓ ୪ ଶିଶୁ । ୪ ଜଣରୁ ଅଧିକ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ସେହିପରି ମୁକର ଜିଲ୍ଲା ବି ଭୂକମ୍ପରେ ପ୍ରଭାବିତ ହୋଇଛି ।

ତାଲିବାନ ଶାସନ ପରଠାରୁ ଦେଶରେ ଅରାଜକତା, ବିପର୍ଯ୍ୟୟ, କ୍ଷୁଧା, ଅନାହାର ମୃତ୍ୟୁ ଆଦି ଜାରି ରହିଥିବାବେଳେ ଏହି ଭୂକମ୍ପ ଲକ୍ଷାଧିକ ଲୋକଙ୍କ ଲାଗି ପୁଣି ସଙ୍କଟ ସୃଷ୍ଟି କରିଛି । ଗତ ୨୦ ବର୍ଷ ଧରି କାଦିସ ଜିଲ୍ଲାରେ ଭୟଙ୍କର ମରୁଡ଼ି ଜାରି ରହିଥିବାବେଳେ କେବଳ ଆନ୍ତର୍ଜାତିକ ସହାୟତାକୁ ଆଶ୍ରା କରି ଜିଲ୍ଲାବାସୀ କାଳ କାଟିଆସୁଛନ୍ତି । ପୁଣି ଏହି ଅଞ୍ଚଳର ଭୂକମ୍ପପ୍ରବଣ ଅଞ୍ଚଳ ଭାବେ ପରିଗଣିତ ହେବା ସହ ବାରମ୍ବାର ଏଠାରେ ଭୂକମ୍ପ ପରିଲକ୍ଷିତ ହୋଇଆସୁଛି । ୨୦୧୫ରେ ଏହି ଅଞ୍ଚଳରେ ୭.୫ ତୀବ୍ରତାର ଭୂକମ୍ପ ଘଟିବାରୁ ୨୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା ।

ରାଜ୍ୟରେ ବେକାବୁ କରୋନା, ୨୪ ଘଣ୍ଟାରେ ୧୧ ହଜାର ୮୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ରାଜ୍ୟରେ ୨୪ ଘଣ୍ଟାରେ ୧୧ ହଜାର ଟପିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ୧୧ ହଜାର ୮୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬ ହଜାର ୪୩୧ କେସ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ୍ କେସ୍ ୪ ହଜାର ୬୫୫ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ୦ରୁ ୧୮ ବର୍ଷ ମଧ୍ୟରେ ରାଜ୍ୟରେ ୧ ହଜାର ୬୧ ଜଣ ଚିହ୍ନଟ ହୋଇଛନ୍ତି ।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୩ ହଜାର ୪୬୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୧ ହଜାର ୪୧୬, କଟକରୁ ୭୬୬, ଷ୍ଟେଟପୁଲରୁ ୭୫୯, ସମ୍ବଲପୁରରୁ ୩୦୨, ବାଲେଶ୍ୱରରୁ ୩୨୩, ବଲାଙ୍ଗୀରରୁ ୩୦୦, ମୟୂରଭଞ୍ଜରୁ ୩୯୩, ସୋନପୁରରୁ ୧୫୩, ଝାରସୁଗୁଡାରୁ ୧୩୨, ରାୟଗଡ଼ାରୁ ୧୮୭, ଯାଜପୁରରୁ ୨୭୫, କଳାହାଣ୍ଡିରୁ ୨୫୩, ଜଗତସିଂହପୁରରୁ ୨୭୩, ନୟାଗଡ଼ରୁ ୧୪୯, ନବରଙ୍ଗପୁରରୁ ୧୩୭, କୋରାପୁଟରୁ ୧୯୬, ପୁରୀରୁ ୧୮୮, ଅନୁଗୁଳରୁ ୧୩୯, ବରଗଡ଼ରୁ ୧୨୫, ଗଞ୍ଜାମରୁ ୧୧୬, ଭଦ୍ରକରୁ ୧୩୨, ନୂଆପଡାରୁ ୧୦୪, ଗଜପତିରୁ ୯୩, ବୌଦ୍ଧରୁ ୮୩, କେନ୍ଦ୍ରାପଡାରୁ ୮୫, କେନ୍ଦୁଝରରୁ ୨୨୩, ଢେଙ୍କାନାଳରୁ ୧୫୭, ମାଲକାନଗିରିରୁ ୫୪, କନ୍ଧମାଳରୁ ୫୧ ଓ ଦେବଗଡ଼ରୁ ୫୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ରାଜ୍ୟରେ ୫ ହଜାର ୯୬୫ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

ମାର୍ଚ୍ଚ ସୁଦ୍ଧା ଆସିବ ଓମିକ୍ରନ ବିନାଶକାରୀ ଟିକା: ମଡର୍ଣ୍ଣା ସିଇଓ

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଆସିବ ଓମିକ୍ରନ ବିନାଶକାରୀ ଟିକା । ଆସନ୍ତା ମାର୍ଚ୍ଚ ସୁଦ୍ଧା ଏହି ଟିକା ଆସିବ ବୋଲି ସୂଚନା ଦେଇଛନ୍ତି ମଡର୍ଣ୍ଣା ସିଇଓ ଷ୍ଟିଫେନ ବାନସେଲ । ଓମିକ୍ରନ ନିରାକରଣ ଲାଗି ଗବେଷଣା କରାଯାଇଥିବା ଟିକାର ପ୍ରସ୍ତୁତି ପର୍ଯ୍ୟାୟ ଶେଷ ହୋଇଛି । ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହାର କ୍ଲିନିକାଲ ଟ୍ରାଏଲ କରାଯିବ । ଔଷଧ ନିୟାମକଙ୍କଠାରୁ ଗ୍ରୀନ ସିଗନାଲ ମିଳିଲେ ଏହା ଉପଲବ୍ଧ ହେବ ବୋଲି କହିଛନ୍ତି ଷ୍ଟିଫେନ ବାନସେଲ । ବିଶ୍ୱ ଅର୍ଥନୈତିକ ଫୋରମର ଡାଭୋସ ଶୀର୍ଷ ସମ୍ମିଳନୀରେ ଯୋଗ ଦେବା ଅବସରରେ ସେ କହିଛନ୍ତି- ମଡର୍ଣ୍ଣା ସିଙ୍ଗଲ ଡୋଜ ଭାକ୍ସିନ ଉପରେ ଗବେଷଣା କରୁଛି । ଯାହାକି କୋଭିଡ ଟିକା ସହ ବୁଷ୍ଟର ଡୋଜ ଭାବେ ବି କାମ କରିବ । ଏହି ଧରଣର ଟିକା ୨୦୨୩ ସୁଦ୍ଧା ଉପଲବ୍ଧ ହେବ । ଏହି ଟିକା ଉପଲବ୍ଧ ହେଲେ ଦୁଇ କିମ୍ବା ତିନିଟି ଟିକା ନେବାର ଆବଶ୍ୟକତା ପଡିବ ନାହିଁ । ମାତ୍ର ଗୋଟିଏ ଡୋଜରେ ସମସ୍ତ ସମସ୍ୟାର ସମାଧାନ ହେବ । ଯେଉଁମାନେ ବାରମ୍ବାର ଟିକା ନେବାକୁ ଚାହୁଁନାହାନ୍ତି, ସେମାନଙ୍କ ଲାଗି ଏହା ସହାୟକ ହେବ ।

ଅନେକ ଦେଶରେ ବୟସ୍କ, ଜରା ରୋଗଗ୍ରସ୍ତ, ଦୁର୍ବଳ ଲୋକଙ୍କୁ ତୃତୀୟ ଡୋଜ ତଥା ବୁଷ୍ଟର ଡୋଜ ଦିଆଯିବା ବେଳେ ସମସ୍ୟା ଉପୁଜିଛି । ସେ କ୍ଷେତ୍ରରେ ମଡର୍ଣ୍ଣାର ସିଙ୍ଗଲ ଡୋଜ ସହାୟକ ହେବ । ପୂର୍ବରୁ ମଡର୍ଣ୍ଣା ସିଇଓ କହିଥିଲେ କି ୨୦୨୨ ଶେଷ ବେଳକୁ କିଛି ଲୋକଙ୍କ ଲାଗି ଚତୁର୍ଥ ଡୋଜର ଆବଶ୍ୟକତା ଦେଖାଦେଇପାରେ । ସେପଟେ ଏହି ସମ୍ମିଳନୀରେ ଯୋଗ ଦେଇ ଆମେରିକାର ପ୍ରମୁଖ ସଂକ୍ରମିତ ରୋଗ ବିଜ୍ଞାନୀ ଆନ୍ଥୋନି ଫଉସି କହିଛନ୍ତି ଯେ, ବୁଷ୍ଟର ଡୋଜ ନେବା ଦ୍ୱାରା ଲୋକଙ୍କ ପ୍ରତିରୋଧକ ଶକ୍ତି ହ୍ରାସ ହେବାର ପ୍ରମାଣ ଆସିନାହିଁ । ବୁଷ୍ଟର ଡୋଜ ଲୋକଙ୍କ ଲାଗି କରୋନା ମୁକାବିଲାରେ ସହାୟକ ହେଉଛି ।

ଜାଡ଼ରେ ଥରୁଛି ଓଡ଼ିଶା, ଘନ କୁହୁଡ଼ି ପାଇଁ ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଅସମ୍ଭାଳ ଜାଡ ସହିତ ଘନ କୁହୁଡିରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ । ଉପାନ୍ତରୁ ଉପକୂଳ ସବୁଠି କମୁଛି ତାପମାତ୍ରା । ସ୍ୱାଭାବିକଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିଛି ତାପମାତ୍ରା । ଏହା ସହିତ ଉତ୍ତର ଦିଗରୁ ଆସୁଥିବା ଥଣ୍ଡା ଶୁଷ୍କ ପବନ ରାଜ୍ୟରେ ଜାଡ ବଢାଉଛି । ଅନ୍ୟପଟେ ବାୟୁମଣ୍ଡଳର ସ୍ଥିରତା ଏବଂ ଜଳୀୟବାଷ୍ପର ଉପସ୍ଥିତି ପାଇଁ କିଛି ଜିଲ୍ଲାରେ ଘନ କୁହୁଡି ଦେଖାଦେଉଛି ।  ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ପଡିବ ବୋଲି ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ଘନ କୁହୁଡ଼ି ପାଇଁ  ୯ଟି ଜିଲ୍ଲା ଓ ଆସନ୍ତାକାଲି ପାଇଁ  ୧୩ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ମଧ୍ୟରାତିରୁ ସକାଳ ପର୍ଯ୍ୟନ୍ତ ସତର୍କ ରହିବା ସହିତ ଯାତାୟତ ବେଳେ ଗାଡି ଚାଳକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ବିଭିନ୍ନ ସ୍ଥାନରେ ୨ଶହ ମିଟର ତଳେ ଦୃଶ୍ୟମାନ କ୍ଷମତା ରହିବ । ଦୁର୍ଘଟଣା ଘଟିବାର ସମ୍ଭାବନା ଅଧିକ ଥିବାରୁ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି ।

ଗଣମାଧ୍ୟମ ପ୍ରତିନିଧି ଅପହରଣ ମାମଲା, ଜଣେ କିନ୍ନର ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ଏକ ଗଣମାଧ୍ୟମ ସଂସ୍ଥାର ଭିଜୁଆଲ ଏଡିଟରକୁ ଅପହରଣ । ଅପହରଣ ପରେ କୌଶଳ କ୍ରମେ ଯୁବକଜଣଙ୍କ ଖସିଆସି ଥାନରେ ଏତଲା ଦେଇଛନ୍ତି । ଜଣେ କିନ୍ନର ଓ ୩ ଜଣ ଯୁବକ ଅପହରଣ କରିଥିବା ଅଭିଯୋଗ କରିଛନ୍ତି ଅପହରଣର ଶିକାର ହୋଇଥିବା ରାଜେନ୍ଦ୍ର ସାହୁ । ନୟାପଲ୍ଲୀ ଥାନାରେ ଏଭଳି ଅଭିଯୋଗ କରିଛନ୍ତି ରାଜେନ୍ଦ୍ର ସାହୁ । ତାଙ୍କୁ ଜଣେ କିନ୍ନର ଓ ୩ ଜଣ ଯୁବକ ନୟାପଲ୍ଲୀ ଅଞ୍ଚଳରୁ ଅପହରଣ କରି ଭରତପୁର ଅଞ୍ଚଳରେ ରଖିଥିଲେ । କିନ୍ତୁ ସେ ସେଠାରୁ କୌଣସି ପ୍ରକାର ଖସିଆସି ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି । ରାଜେନ୍ଦ୍ର ସାହୁଙ୍କ ଅଭିଯୋଗ କ୍ରମେ ନୟାପଲ୍ଲୀ ପୋଲିସ ଅପହରଣ କରିଥିବା ସଂପୃକ୍ତ କିନ୍ନରଙ୍କୁ ଗିରଫ କରିଛି ଏବଂ ଏହି ଅପହରଣରେ ସାମିଲ ଥିବା ଅନ୍ୟ ୩ ଜଣ ଯୁବକଙ୍କୁ ଖୋଜୁଛି ପୋଲିସ ।

ବିଜେପି-ଜେଡିୟୁ ମଧ୍ୟରେ ଫାଟ; ନୀତିଶଙ୍କୁ ସୀମା ମଧ୍ୟରେ ରହିବାକୁ କହିଲେ ବିଜେପି ନେତା, ନହେଲେ…

ପାଟନା: ବିହାରରେ ମହାଗଠବନ୍ଧନରେ ଫାଟ । ବିହାରରେ ବିଜେପି ଓ ଜେଡିୟୁ ମଧ୍ୟରେ ଦେଖା ଦେଇଛି ବିବାଦ । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଚେତାବନୀ ଦେଇଛନ୍ତି ବିଜେପି ନେତା ସଞ୍ଜୟ ଜୈଶଓ୍ୱାଲ । ନୀତିଶ କୁମାର ନିଜ ସୀମାରେ ରୁହନ୍ତୁ, ନହେଲେ ବିହାରର ୭୬ ଲକ୍ଷ ବିଜେପି କର୍ମୀ ନୀତିଶଙ୍କୁ ଠିକ୍‌ ଜବାବ ଦେବେ ବୋଲି କହିଛନ୍ତି ସଞ୍ଜୟ । ବିଜେପି ଓ ଜେଡିୟୁର ମିଳିତ ଗଠବନ୍ଧନରେ ସରକାର ଚାଲିଛି, ଏହାର ଅର୍ଥ ନୁହେଁ ଯେ ସବୁ କିଛି ବରଦାସ୍ତ କରାଯିବ । ଦରକାର ପଡିଲେ ଉଚିତ ଜବାବ ଦିଆଯିବ ବୋଲି କହିଛନ୍ତି ସଞ୍ଜୟ ଜୈଶଓ୍ୱାଲ । ଜେଡିୟୁ ନେତା ଉପେନ୍ଦ୍ର ଖୁସଓ୍ୱା ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠି ଏବଂ ସୋସିଆଲ ମିଡିଆରେ କରିଥିବା ଅପିଲକୁ ନେଇ ଏଭଳି ବିବାଦ ଦେଖାଦେଇଛି  ।

ନିକଟରେ ବିହାରର ପ୍ରସିଦ୍ଧ ନାଟ୍ୟକାର ଦୟା ପ୍ରକାଶଙ୍କୁ ପ୍ରଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ପରେ ସେ ସମ୍ରାଟ ଅଶୋକ ଏବଂ ଔରଙ୍ଗଜେବଙ୍କୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ  । ଯାହାକୁ ନେଇ ଜେଡିୟୁ ନେତା ବିରକ୍ତି ପ୍ରକାଶ କରିବା ସହ ତାଙ୍କଠାରୁ ପଦ୍ମଶ୍ରୀ ସମ୍ମାନ ଫେରସ୍ତ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅପିଲ କରିଥିଲେ । ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଥିଲେ । ଏଥିରେ ବିରକ୍ତି ପ୍ରକାଶ କରିଥିଲେ ବିଜେପି ନେତା  । ରାଜ୍ୟ ସରକାରଙ୍କୁ ଯଦି ଏହା ବେଆଇନ ଲାଗୁଛି ତେବେ ଦୟା ପ୍ରସାଦଙ୍କୁ କାହିଁକି ଗିରଫ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ସଞ୍ଜୟ ଜୈଶଓ୍ୱାଲ । ପ୍ରହସନ କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା କେତେଦୁର ଯଥାର୍ତ୍ତ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇବାକୁ ଜେଡିୟୁ କିଏ ବୋଲି କହିଛନ୍ତି ସଞ୍ଜୟ । ଏଭଳି ଡ୍ରାମା କରି ଜେଡିୟୁ ନିଜ ସୀମା ଲଘୁଂଛି ବୋଲି ସଂଜୟ କହିଛନ୍ତି । ସ୍ଥିତି ଏମିତି ହେଲା ଯେ ଫେସବୁକରେ ନୀତିଶ କୁମାରଙ୍କୁ ସୀମା ଭିତରେ ରହିବାକୁ ଅପିଲ କରିଛନ୍ତି । ନହେଲେ ପରିଣାମ ଭୟଙ୍କର ହେବ ବୋଲି ସେ କହିଛନ୍ତି  ।