spot_img
Home Blog Page 4680

ୟୁପି ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ପ୍ରଥମ ଥର ବିଧାନସଭା ଭୋଟ ଲଢ଼ିବେ ଯୋଗୀ

ଗୋରଖପୁର: ଉତ୍ତରପ୍ରଦେଶରେ ହେବାକୁ ଥିବା ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ଶନିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂ ପ୍ରେସ କନଫରେନ୍ସ କରି ଦୁଇଟି ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ଉତ୍ତର ପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ଭୋଟ ଫେବ୍ରୁଆରୀ ୧୦ରେ ହେବ ସେହିପରି ଫେବ୍ରୁଆରୀ ୧୪ରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଭୋଟ । ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୫୮ ସିଟରୁ ୫୭ ସିଟ୍ ପାଇଁ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ୫୫ ସିଟରୁ ୪୮ ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି ।

ଦୁଇଟି ପର୍ଯ୍ୟାୟ ପାଇଁ ଘୋଷଣା ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରୁ ନିର୍ବାଚନ ଲଢ଼ିବେ । ଯୋଗୀ ଆଦିତ୍ୟନାଥ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ତାଙ୍କ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ପୂର୍ବରୁ ଅଯୋଧ୍ୟା କିମ୍ବା ମଥୁରାରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ସେ ତାଙ୍କ ପାରମ୍ପାରିକ ଗଡ଼ ଗୋରଖପୁରରୁ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ଗୋରଖପୁର ଆସନରୁ ସେ ପାଞ୍ଚ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତେଣୁ ସେ ଗୋରଖପୁର ଆସନରୁ ବିଧାନସଭା ନିର୍ବାଚନ ଲଢ଼ିବେ ।

ସେହିପରି ଉତ୍ତରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ପ୍ରୟାଗରାଜର ସିରାଥୁ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ । ଯଦି ମଥୁରା କଥା କହିବା ତାହାଲେ ମଥୁରାରୁ ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା ନିର୍ବାଚନ ଲଢ଼ିବେ ।

ବିଦ୍ୟୁତ ସଂସ୍ପର୍ଶରେ ଆସି ସହିଦ ହେଲେ ଓଡ଼ିଆ ଯବାନ

ଗଜପତି: ଜାମ୍ମୁ-କାଶ୍ମୀରରେ ଓଡ଼ିଆ ଯବାନ ସହିଦ । ସଶସ୍ତ୍ର ସୀମା ବଳ ବୀରପୁର ତାଲିମ କେନ୍ଦ୍ରରେ ଟ୍ରେନିଂ ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୩ ଯବାନ ସହିଦ ହୋଇଛନ୍ତି । ମୃତ ଯବାନଙ୍କ ମଧ୍ୟରେ ଗଜପତି ଜିଲ୍ଲା ରାୟଗଡ ବ୍ଲକର କୁରୁଗୁବା ଗାଁର ପର୍ଶୁରାମ ଶବରଙ୍କ ମୃତ୍ୟୁ ହୋଇଛି । ଗତ ଏପ୍ରିଲ ମାସରେ ସେ SSBରେ ଯବାନ ଭାବେ ନିଯୁକ୍ତି ପାଇଥିଲେ । ନିଯୁକ୍ତି ପାଇବା ପରେ ସେ ତାଲିମ ନେଉଥିବା ସମୟରେ ଏହି ଅଘଟଣ ଘଟିଛି । ପର୍ଶୁରାମ ଶବରଙ୍କ ମୃତ୍ୟୁ ଖବର ଆସିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଆଜି ତାଙ୍କ ମରଶରୀର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବ । ସେଠାରୁ ତାଙ୍କ ନିଜ ଗାଁ କୁରୁବୁଗାକୁ ଅଣାଯିବ। ଅପରାହ୍ନ ଦୁଇଟା ସମୟରେ ମରଶରୀର ଗାଁରେ ପହଞ୍ଚିବା ନେଇ ସୂଚନା ମିଳିଛି।

ଠକ ଖୋଲିଲା ଠକେଇ ରହସ୍ୟ

ଭୁବନେଶ୍ୱର: ରାଜଧାନୀର ହାଇଟେକ୍ ଠକ ଖୋଲିଲା ଠକେଇ ରହସ୍ୟ । ଜାଲ କାଗଜପତ୍ରରେ ଅନ୍ୟ ନାମରେ ଲୋନ କରି ଠକେଇ ମାମଲାରେ ରିମାଣ୍ଡରେ ଥିବା ଠକ ସ୍ମୃତିରଞ୍ଜନ ସାହୁ ଖୋଲିଲା ରହସ୍ୟ । ମୃତ ବ୍ୟକ୍ତିଙ୍କ ନାମରେ ୨୨ ଲକ୍ଷ ଟଙ୍କା ଲୋନ କରି ଉଠେଇ ଥିଲା ଟଙ୍କା । ଠକ ସ୍ମୃତିରଞ୍ଜନ ସାହୁ ନାମରେ ବଢ଼ିଲା ଠକେଇ ଅଭିଯୋଗ । ଏକ ଘରୋଇ ବ୍ୟାଙ୍କରୁ ଟଙ୍କା ଉଠାଇଥିଲା ସ୍ମୃତି ରଞ୍ଜନ । ଏନେଇ ଘରୋଇ ବ୍ୟାଙ୍କ ମ୍ୟାନେଜର ଖାରବେଳ ନଗର ଥାନାରେ ଅଭିଯୋଗ କରିଛନ୍ତି ।

ନିଜକୁ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ କର୍ମଚାରୀର ପରିଚୟ ଦେଇ ଠକୁଥିଲା ସ୍ମୃତି ରଞ୍ଜନ । ସ୍ମୃତି ରଞ୍ଜନକୁ ଅଡ଼ଶପୁରରୁ ଗିରଫ କରି ରିମାଣ୍ଡରେ ନେଇ ଜେରା କରୁଛି ମଞ୍ଚେଶ୍ୱର ଥାନା ପୋଲିସ । ନକଲି ପାନ୍‌ କାର୍ଡ, ଆଧାର କାର୍ଡ ତିଆରି କରି ଠକେଇ କରୁଥିଲା । ଫାଇନାନ୍ସ କମ୍ପାନୀ ସହ ବିଭିନ୍ନ ବ୍ୟାଙ୍କରେ ଫେକ ଡକୁମେଣ୍ଟ ଦେଇ ସ୍ମୃତି ରଞ୍ଜନ ଲୋନ ଆଣିବା ସହ ଅନେକ ଲୋକଙ୍କୁ ଠକିଥିବା ଅଭିଯୋଗ ରହିଛି ।

ସମାଜବାଦୀ ପାର୍ଟି ସହ ମେଣ୍ଟ କରିବନି ଭୀମ ସେନା

ଲକ୍ଷ୍ନୌ: ସରଗରମ ହେଉଛି ଉତ୍ତର ପ୍ରଦେଶ ନିର୍ବାଚନ । ଗୁରୁବାର ଭୀମ ସେନା ମୁଖ୍ୟ ଚନ୍ଦ୍ର ଶେଖର ଆଜାଦ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଥିଲେ । ଏହା ପରେ ଭୀମ ସେନା ସମାଜବାଦୀ ପାର୍ଟି ସହ ମେଣ୍ଟ କରିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଉତ୍ତରପ୍ରଦେଶ ନିର୍ବାଚନରେ ସମାଜବାଦୀ ପାର୍ଟି ସହ ମେଣ୍ଟ କରିବନି ଭୀମ ସେନା । ଭୀମ ସେନା ମୁଖ୍ୟ ଚନ୍ଦ୍ର ଶେଖର ଆଜାଦ କହିଛନ୍ତି ତାଙ୍କ ଦଳ ଆଜାଦ ସମାଜ ପାର୍ଟି ଆସନ୍ତା ନିର୍ବାଚନରେ ଏସପି ସହ ମେଣ୍ଟ କରିବ ନାହିଁ । ସମାଜବାଦୀ ପାର୍ଟି ଦଳିତ ଭୋଟ ହାସଲ କରିବାକୁ ଚାହୁଁନି ବୋଲି କହିଛନ୍ତି ଚନ୍ଦ୍ରଶେଖର ।

ଚନ୍ଦ୍ରଶେଖର କହିଛନ୍ତି କି ଦୁଇ ଦଳ ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଚାଲିଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ଏହା ବିଫଳ ହୋଇଛି । ବର୍ତ୍ତମାନ ସୁଦ୍ଧା ସୁହେଲଦେବ ଭାରତୀୟ ସମାଜ ପାର୍ଟି, ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି, ରାଷ୍ଟ୍ରୀୟ ଲୋକଦଳ, ଜନବାଦୀ ପାର୍ଟି, ସମାଜବାଦୀ, ଆପନା ଦଳ- କ୍ରିଷ୍ଣା ପଟେଲ, ପ୍ରଗତିଶୀଳ ସମାଜବାଦୀ ପାର୍ଟି- ଲୋହିୟା ଓ ମହାନ ଦଳ ସହ ସମାଜବାଦୀ ପାର୍ଟି ମେଣ୍ଟ କରିସାରିଛି । ଆସନ୍ତା ଫେବ୍ରୁଆରୀ ୧୦ରୁ ମାର୍ଚ୍ଚ ୭ ମଧ୍ୟରେ ଉତ୍ତରପ୍ରଦେଶରେ ୭ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ ।

ବିଏମସିରେ ପୁଣି ପଶିଲା କରୋନା, ଦକ୍ଷିଣ ପୂର୍ବ ଜୋନରେ ୪ ପଜିଟିଭ୍

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ମୁଖ୍ୟ କାର୍ଯ୍ୟାଳୟରେ ପୁଣି ପଶିଲା କରୋନା । ଗୋଟିଏ ଦିନରେ ବିଏମସିର ୨୨ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ପୁଣି ବିଏମସିର ଦକ୍ଷିଣ ପୂର୍ବ ଜୋନରେ ପଶିଲା କରୋନା । ବିଏମସିର ଦକ୍ଷିଣ ପୂର୍ବ ଜୋନରେ ୪ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବିଏମସି ଅଫିସରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲାଗିଛି । ଜରୁରୀ ନଥିଲେ କାର୍ଯ୍ୟାଳୟକୁ ନଆସିବା ପାଇଁ ସାଧାରଣ ଲୋକଙ୍କୁ ନିବେଦନ କରିଛନ୍ତି ଜୋନାଲ ଡେପୁଟି କମିଶନର ।

ସୂଚନା ଅନୁସାରେ ୨୪ ଘଣ୍ଟାରେ ରାଜ୍ୟରେ ୧୦ ହଜାର ୮୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରେ ୩ ହଜାର ୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯଦି ଭୁବନେଶ୍ୱର କଥା କହିବା ତାହାଲେ ଗତକାଲି ଭୁବନେଶ୍ୱରରୁ ୧୧୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୫୪ ଜଣ ଚିହ୍ନଟ ହୋଇଥିବାବେଳେ ୧୦୯୪ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି ।

ଲକ୍ଷଣ ନଥିଲେ କରନ୍ତୁ ନାହିଁ କରୋନା ଟେଷ୍ଟିଂ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଲକ୍ଷଣ ନଥିଲେ କୋଭିଡ-୧୯‌ ଟେଷ୍ଟିଂ କରନ୍ତୁ ନାହିଁ । ପଜିଟିଭ୍ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଯଦି ଆପଣଙ୍କ ପାଖରେ ଲକ୍ଷଣ ନାହିଁ ତେବେ ଟେଷ୍ଟିଂ କରିବା ଆବଶ୍ୟକ ନାହିଁ । କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ୍ ଅନୁସାରେ ବୃଦ୍ଧ ବ୍ୟକ୍ତିଙ୍କ ମଧ୍ୟରେ ଲକ୍ଷଣ କମ୍ ଥିଲେ ଆଇସୋଲେସନରେ ରହିବା ଭଲ । ଏହା ସହ ଅନାବଶ୍ୟକ ମେଡିସିନ୍ ବ୍ୟବହାର ନକରିବାକୁ ମଧ୍ୟ ସତର୍କ କରାଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆହୁରି କହିଛନ୍ତି କି ଭାଇରାଲ ଫ୍ଳୁ ପାଇଁ ଆଣ୍ଟିବାଓଟିକ୍ ଆବଶ୍ୟକ ନାହିଁ । ତେଣୁ ଅଯଥା ମେଡିସିନ୍ ବ୍ୟବହାର ଆବଶ୍ୟକ ନାହିଁ । କରୋନା ସଂକ୍ରମଣ ବଢୁଛି, ହେଲେ ସିଭିୟରିଟି ନାହିଁ । ଆଜି ସୁଦ୍ଧା ୬୧ ହଜାର ପଜିଟିଭ୍ ଥିବାବେଳେ ମାତ୍ର ୧୧୦୦ ଆକ୍ରାନ୍ତ ଡାକ୍ତରଖାନାରେ ଅଛନ୍ତି । ସେହିପରି ହସ୍ପିଟାଲରେ ୨ ପ୍ରତିଶତରୁ କମ୍ କୋଭିଡ ରୋଗୀଙ୍କ ଚିକିତ୍ସା ଚାଲିଛି । ଅନ୍ୟପକ୍ଷରେ ଆଇସିୟୁରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦୦ ଜଣ ଚିକିତ୍ସିତ ହେଉଛନ୍ତି ।

ଆଜି ୭୪ତମ ପ୍ରତିଷ୍ଠା ଦିବସ ପାଳୁଛି ଭାରତୀୟ ସେନା, ସେନାର ବିରତ୍ୱ ଓ ବଳିଦାନକୁ ମନେ ପାକଉଛି ଦେଶବାସୀ  

ନୂଆଦିଲ୍ଲୀ: ଭାରତୀୟ ସେନା ପାଳୁଛି ୭୪ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ନୂଆଦିଲ୍ଲୀ କାଣ୍ଟେନମେଣ୍ଟ ଅନ୍ତର୍ଗତ କାରିଆପ୍ପା ପରେଡ ଗ୍ରାଉଣ୍ଡରେ ଆୟୋଜିତ ହେଉଛି ଚିତ୍ତାକର୍ଷକ ପରେଡ । ପରେଡରେ ପ୍ରଦର୍ଶିତ କରାଯାଉଛି ବିଭିନ୍ନ ସାମରିକ ଅସ୍ତ୍ରଶସ୍ତ୍ର । ଦେଶର ସୁରକ୍ଷା ଲାଗି ସଂଗ୍ରାମ କରୁଥିବା ଯବାନମାନଙ୍କ ତ୍ୟାଗ ଓ ଅବଦାନକୁ ସ୍ମରଣ କରି ପ୍ରତିବର୍ଷ ଜାନୁଆରୀ ୧୫ରେ ପାଳିତ ହେଉଛି ଭାରତୀୟ ସେନା ଦିବସ । ୧୮୯୫ ମସିହା ଏପ୍ରିଲ ୧ ତାରିଖରେ ବ୍ରିଟିଶ-ଇଣ୍ଡିଆନ ଆର୍ମି ପ୍ରତିଷ୍ଠା ହୋଇଥିଲା । ପରେ ଜେନେରାଲ ଫ୍ରାନ୍ସିସ ବଚର ଏହାର ମୁଖ୍ୟ ହୋଇଥିଲେ । ୧୯୪୯ ଜାନୁଆରୀ ୧୫ ତାରିଖରେ ଭାରତ ପ୍ରଥମ ସେନାମୁଖ୍ୟଙ୍କୁ ଲାଭ କରିଥିଲା ଏବଂ ଜେନେରାଲ ଫ୍ରାନସିସଙ୍କଠାରୁ ଦାୟିତ୍ୱ ନେଇଥିଲେ ଲେଫ୍ଟନାଣ୍ଟ ଜେନେରାଲ କେ.ଏମ. କାରିଆପ୍ପା । ସେହିଦିନଠାରୁ ଭାରତୀୟ ସେନା ନିଜର ପ୍ରତିଷ୍ଠା ଦିବସ ପାଳନ କରୁଛି ।

୭୪ ତମ ସେନା ଦିବସ ଅବସରରେ ଭାରତୀୟ ସେନାର ବିରତ୍ୱ ଓ ବଳିଦାନ ପାଇଁ ସେନା ଓ ତାଙ୍କ ପରିବାର ପ୍ରତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

ଲେଫ୍ଟନାଣ୍ଟ ଜେନେରାଲ କାରିଆପ୍ପାଙ୍କ ଅସାଧାରଣ ତ୍ୟାଗକୁ ସ୍ମରଣ କରି ଏହି ଦିବସ ପାଳିତ ହୋଇଆସୁଛି । ଭାରତୀୟ ଯବାନଙ୍କ ଅସୀମ ତ୍ୟାଗ, ବଳିଦାନ ସହ ଜଡିତ ଏହି ଦିବସରେ ଦେଶର କେତେକ ବରିଷ୍ଠ ସୈନିକ, ସେନା ଅଫିସରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି । ଏହି ପରେଡରେ ବିଭିନ୍ନ ପରମବୀର ଚକ୍ର, ବୀରଚକ୍ର ଓ ଅନ୍ୟାନ୍ୟ ସମ୍ମାନଧାରୀ ଅଫିସର ବି ସାମିଲ ହୋଇଛନ୍ତି । ଉତ୍ସବରେ ଯବାନମାନେ ସେମାନଙ୍କ ଦକ୍ଷତା, ଯୁଦ୍ଧକୌଶଳ ଆଦି ପ୍ରଦର୍ଶିତ ହୋଇଥିଲା ।

ଦେଶରେ କରୋନା ସଂକ୍ରମଣରେ ଲାଗୁନି ବ୍ରେକ, ୨୪ ଘଣ୍ଟାରେ ୨ ଲକ୍ଷ ୬୮ ହଜାର ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ସାରା ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ପ୍ରତିଦିନ କରୋନା କରୋନା କେସ୍ ବୃଦ୍ଧି ପାଉଛି । 2୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୬୮ ହଜାର ୮୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ଦେଶରେ ୪୦୨ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲିଠାରୁ ଆଜି ୪ ହଜାର ୬୩୧ ଜଣ ଆକ୍ରାନ୍ତ ଅଧିକ ଚିହ୍ନଟ ହୋଇଛନ୍ତି । ଯଦି ଓମିକ୍ରନ ଆକ୍ରାନ୍ତଙ୍କ କଥା କହିବା ତାହାଲେ ବର୍ତ୍ତମାନ ସୁଦ୍ଧା ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୪୧ରେ ପହଞ୍ଚିଛି ।

ଦେଶରେ ଶୁକ୍ରବାର ୨ ଲକ୍ଷ ୬୪ ହଜାର ୨୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଆଜି ଏହି ସଂଖ୍ୟା ବଢ଼ି ୨ ଲକ୍ଷ ୬୮ ହଜାର ୮୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ଦେଶରେ ୪୦୨ ଜଣଙ୍କର ମୃତ୍ୟୁ ହୋଇଛି । ଅକ୍ଟିଭ୍ କେସ୍ କଥା ଯଦି କହିବା ତାହାଲେ ଦେଶରେ ବର୍ତ୍ତମାନ ଅକ୍ଟିଭ୍ କେସ୍ ୧୪ ଲକ୍ଷ ୧୭ ହଜାର ୮୨୦ରେ ପହଞ୍ଚିଛି । ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୪ଲକ୍ଷ ୮୫ହଜାର ୭୫୨ରେ ପହଞ୍ଚିଛି ।

 

 

ପୁଣି ଅଡ଼ୁଆରେ ଜୋକୋଭିକ, ଦ୍ୱିତୀୟ ଥର ରଦ୍ଦ ହେଲା ତାଙ୍କ ଭିସା

ମେଲବର୍ଣ୍ଣ: ପୁଣି ଅଡୁଆରେ ଟେନିସ ଷ୍ଟାର ନୋଭାକ ଜୋକୋଭିକ । ଦ୍ୱିତୀୟ ଥର ପାଇଁ ତାଙ୍କ ଭିସା ରଦ୍ଦ କରାଯାଇଛି । ଟିକା ନେଇ ନଥିବା ଜୋକୋଭିକ ଅଷ୍ଟ୍ରେଲୀୟମାନଙ୍କ ଲାଗି ଏକ ବିପଦ ଦର୍ଶାଇ ଏହି ପଦକ୍ଷେପ ନିଆଯାଇଛି ।  ୩୪ ବର୍ଷ ବୟସ୍କ ଜୋକୋଭିକ ଏବେ ମେଲବର୍ଣ୍ଣରେ ଥିବାବେଳେ, ତାଙ୍କୁ ସ୍ୱଦେଶକୁ ପଠାଇବା ଲାଗି ପଦକ୍ଷେପ ବିରୋଧରେ କୋର୍ଟରେ ଆବେଦନ କରିଛନ୍ତି । ଅଷ୍ଟ୍ରେଲିଆ ଓପନ ଆରମ୍ଭ ହେବାକୁ ଆଉ ମାତ୍ର ୨ ଦିନ ବାକିଥିବାବେଳେ ଜୋକୋଭିକଙ୍କ ଅଡୁଆ ଦିନକୁ ଦିନ ଅଧିକ ହେବାରେ ଲାଗିଛି । ଅଷ୍ଟ୍ରେଲିଆର ଇମିଗ୍ରେସନ ବିଭାଗ ମନ୍ତ୍ରୀ ଆଲେକ୍ସ ହକ୍ କହିଛନ୍ତି, ଜୋକୋଭିକ କୋଭିଡ ଟିକା ବିରୋଧୀ ମନୋଭାବ ଅଷ୍ଟ୍ରେଲିଆରେ ସମସ୍ୟା ସୃଷ୍ଟି କରୁଛି ଏବଂ ଏହି ପ୍ରସଙ୍ଗକୁ ନେଇ ଦେଶରେ ଅସ୍ଥିରତା ଦେଖାଯାଇପାରେ । ଏହା ସହ ଅଷ୍ଟ୍ରେଲିଆରେ ଟିକା ବିରୋଧୀ ମାନସିକତାକୁ ଜୋକୋଭିକ ପ୍ରୋତ୍ସାହନ ଯୋଗାଇବାର ଆଶଙ୍କା ରହିଛି ।

ଫେଡେରାଲ କୋର୍ଟରେ ଏହି ମାମଲାର ଶୁଣାଣି ଆଜି ଓ ଆସନ୍ତାକାଲି ହେବାକୁ ଥିବାବେଳେ ମେଲବର୍ଣ୍ଣସ୍ଥିତ ଇମିଗ୍ରେସନ କର୍ତ୍ତୃପକ୍ଷଙ୍କ ନିକଟରେ ହାଜର ହେବା ଲାଗି ଜୋକୋଭିକଙ୍କୁ ସମନ ଜାରି କରାଯାଇଛି । ଅଷ୍ଟ୍ରେଲିଆନ ବର୍ଡର ଫୋର୍ସ ଅଧୀନରେ ଏବେ ଜୋକୋଭିକ ରହିଛନ୍ତି । ଗତ ଜାନୁଆରୀ ୫ରେ ସେ ମେଲବର୍ଣ୍ଣରେ ପାଦ ଦେବା ପରଠାରୁ ତାଙ୍କର ଭିସା ଦୁଇ ଥର ନାକଚ ହେଲାଣି । ମେଡିକାଲ ଏକ୍ସେମ୍ପସନ କାରଣ ଦର୍ଶାଇ ସେ ଅଷ୍ଟ୍ରେଲିଆରେ ପ୍ରବେଶ କରିଥିଲେ । ତେବେ ଏହାକୁ ନେଇ ପ୍ରତିବାଦ ହେବା ପରେ ପ୍ରଧାନମନ୍ତ୍ରୀ ସ୍କଟ ମରିସନ ତାଙ୍କର ଭିସା ରଦ୍ଦ କରିଥିଲେ । ମାତ୍ର ମାମଲାର ଶୁଣାଣି କରି କୋର୍ଟ ତାଙ୍କ ଭିସାକୁ ପୁନଃକାର୍ଯ୍ୟକ୍ଷମ କରିଥିଲେ ।

ଗାଁ’ରେ ବୁଲୁଛି ଭାଲୁ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ଦହଣା ଗାଁ’ରେ ବୁଲୁଛି ଭାଲୁ । ହନୁମାନ ମନ୍ଦିର ଓ ଶିବ ମନ୍ଦିର ପରିସରରେ ମା’ ସହ ଦୁଇ ଛୁଆ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି । ପ୍ରତ୍ୟେକ ଦିନ ସନ୍ଧ୍ୟା ହେବା ମାତ୍ରେ ମା’ ଭାଲୁ ନିଜର ଦୁଇ ଛୁଆକୁ ଧରି ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ଚାଲି ଆସୁଛି । ଗତକାଲି ରାତିରେ ଏଭଳି ଖାଦ୍ୟ ପାଇଁ ପ୍ରଥମେ ଗାଁ’ ଉପକଣ୍ଠରେ ଥିବା ହନୁମାନ ଓ ଶିବ ମନ୍ଦିର ପରିସର ଭିତରକୁ ପ୍ରବେଶ କରୁଥିବାର ଦେଖିବାକୁ ମିଳିଛି । ଗତକାଲି ମକର ସଂକ୍ରାନ୍ତି ଥିବାରୁ ମନ୍ଦିରରେ ଥିବା ପୂଜା ନଡ଼ିଆ ସହ ଅନ୍ୟ ଫଳ ପ୍ରସାଦ ଖାଇବାକୁ ମନ୍ଦିରକୁ ଯାଉଥିଲା ।

ଗ୍ରାମବାସୀଙ୍କ କହିବା ଅନୁସାରେ ଭାଲୁ କାହାର କିଛି କ୍ଷତି ନ ପହଞ୍ଚାଇ ଏଭଳି ପ୍ରତ୍ୟେକ ଦିନ ଆସନ୍ତି ଓ ରାତି ପାହିଲେ ନିକଟସ୍ଥ ଜଙ୍ଗଲକୁ ଚାଲିଯାନ୍ତି । ଇନ୍ଦ୍ରାବତୀଠାରୁ ନବରଙ୍ଗପୁର ମୁଖ୍ୟାଳୟକୁ ସଂଯୋଗ କରୁଥିବା ମୁଖ୍ୟ ଯାତାୟାତର ମାର୍ଗ ହୋଇଥିବାରୁ ରାସ୍ତା ଦେଇ ରାତିରେ ବି ଯାନବାହନ ଚଳାଚଳ ଜାରି ରହିଥାଏ । ତେଣୁ ବନ ବିଭାଗ ଏହା ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ଗ୍ରାମବାସୀ କହିଛନ୍ତି ।