ସମ୍ବଲପୁର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଲଗାତର ଦୁଇ ଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ ୧୦ ହଜାର ଉପରେ ରହିଛି । ୨୪ ଘଣ୍ଟାରେ ରାଜ୍ୟରେ ୧୦ ହଜାର ୨୭୩ କରୋନା ଆକ୍ରାନ୍ତ ସଂଖ୍ୟା ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବୁର୍ଲା ଭିମସାର କର୍ତ୍ତୁପକ୍ଷ ବଡ଼ ନିଷ୍ପତ୍ତି ନେଇଛି । ଭିମିସାରରେ ଘୁଞ୍ଚିଛି ଏମବିବିଏସ୍ ପରୀକ୍ଷା । ଆସନ୍ତା ୧୫ ଦିନ ପାଇଁ ଏମବିବିଏସ୍ ଅଫଲାଇନ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଭିମସାରରେ ଅନେକ ଛାତ୍ରଛାତ୍ରୀ ଓ କିଛି ଡାକ୍ତର ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାକୁ ଦୃଷ୍ଟିରେ ପରୀକ୍ଷା ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୁପକ୍ଷ । ଆଗକୁ ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଭିମସାର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର ।
ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ପବିତ୍ର ମକର ସଂକ୍ରାନ୍ତି । କରୋନା କଟକଣା ମଧ୍ୟରେ ସାରା ରାଜ୍ୟରେ ପାଳନ ହେଉଛି ମକର ସଂକ୍ରାନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ କରୋନା ସଂକ୍ରମଣ ପାଇଁ ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛନ୍ତି । ପବିତ୍ର ମକର ସଂକ୍ରାନ୍ତି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ବନ୍ଧୁତ୍ୱ ଓ ମିଳନର ଏହି ଅନନ୍ୟ ପର୍ବରେ ସେ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ୍ ।
ପବିତ୍ର ମକର ସଂକ୍ରାନ୍ତି ଅବସରରେ ମାନ୍ୟବର ରାଜ୍ୟପାଳ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ବନ୍ଧୁତ୍ବ ଓ ମିଳନର ଏହି ଅନନ୍ୟ ପର୍ବରେ ସେ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି। #makarsankranti2022 pic.twitter.com/0bKqoUgsc3
— Governor Odisha (@GovernorOdisha) January 14, 2022
ପବିତ୍ର ମକର ସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରୁଛି। pic.twitter.com/eF4Fgxezqd
— Naveen Patnaik (@Naveen_Odisha) January 14, 2022
ପବିତ୍ର ମକର ଉତ୍ସବ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ସମସ୍ତଙ୍କର ସୁଖ, ସମୃଦ୍ଧି ଓ ମଙ୍ଗଳମୟ ଜୀବନ କାମନା କରୁଛି। pic.twitter.com/3r4bhhiOWc
— Pranab Prakash Das (@pranabpdas) January 14, 2022
ସେହିପରି ମକର ସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ପବିତ୍ର ମକର ସଂକ୍ରାନ୍ତି ଅବସରରେ ଟ୍ୱିଟ୍ କରି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳମୟ ଜୀବନ କାମନା କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।
ଚାଲିଗଲେ ଚିର ସବୁଜ ଗୀତର ସ୍ରଷ୍ଟା ସରୋଜ ପଟ୍ଟନାୟକ
ବାରିପଦା: ଓଡ଼ିଆ ସିନେ ଜଗତକୁ ଆଉ ଏକ ଝଟକା । ଭେଟରାନ ଅଭିନେତା ମିହିର ଦାସଙ୍କ ମୃତ୍ୟୁ ପରେ ଏବେ ଆଉ ଜଣେ ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକଙ୍କୁ ହରାଇଲା ଓଡ଼ିଶା । ’ଏଇ ଝୁମାଝୁମା ଗୋଲାପୀ ବେଳାରେ ହେଉ’ କି ’ଏଇ ଯେ ବନଲତା ପାହାଡ’ ପରି ବହୁ ସୁପର ଡୁପର ହିଟ୍ ସଂଗୀତର ସୁରକାର ଏବଂ ଗୀତିକାର ଓଡ଼ିଆ ସିନେ ଜଗତର ଅନ୍ୟତମ ବାଦଶାହ ସରୋଜ ପଟ୍ଟନାୟକ ଓରଫ କାବୁଲ ଦା ଆଉ ନାହାନ୍ତି । ବାରିପଦା ବଡ ବଜାର ସ୍ଥିତ ତାଙ୍କ ବାସଭବନରେ ଗୁରୁବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି ।
ସରୋଜ ପଟ୍ଟନାୟକଙ୍କ ୧୯୪୦ ମସିହା ଜୁନ୍ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ସିଭିଲ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିଲେ । ରାଜ୍ୟ ସରକାରଙ୍କ ଅଧୀନରେ ଚାକିରୀ କରିଥିଲେ। ଗଣେଶ ଜୀଉ ଯେତେବେଳେ ଅଭିମାନ ସିନେମା କରିବା ପାଇଁ ମନ ବଳାଇଲେ ସେତେବେଳେ ସେହି ସିନେମାର ସଙ୍ଗୀତ କରିବାକୁ ସ୍ୱର୍ଗତଃ ରାଧାକୃଷ୍ଣ ଭଞ୍ଜ ଏବଂ ସରୋଜ ପଟ୍ଟନାୟକଙ୍କୁ ବାଛିଥିଲେ। ରାଧାକୃଷ୍ଣ ଓ ସରୋଜ ପଟ୍ଟନାୟକ ଯୋଡ଼ି ସେତେବେଳେ ଓଡ଼ିଆ ସିନେ ଜଗତରେ ଚହଳ ସୃଷ୍ଟି କରିଥିଲା । ଫୁଲ ଚନ୍ଦନ ଫିଲ୍ମର ’ଏଇ ଯେ ବନଲତା ପାହାଡ଼’ ଗୀତଠାରୁ ଆରମ୍ଭ କରି ’କହନା ଏ ଫୁଲ କହନା’ ହେଉ କି ’ମନେ ପଡେ ଆଜି ସେଇ ଦିନ’ ଭଳି ସବୁ ଗୀତ ଥିଲା ସୁପରହିଟ୍ । ଏହା ପରେ ସେ ’ଝିଅଟି ସୀତା ପରି’, ଅଭିଳାଷ, ହାକିମବାବୁ, ଏଇ ସଙ୍ଘର୍ଷ, ମୋ ମନ ଖାଲି ତୋରି ପାଇଁ, ତୁମେ ହିଁ ସାଥି ମୋର ଆଦି ଫିଲ୍ମରେ ମିଠା ସଙ୍ଗୀତର ସୁରରେ ସଜାଇ ଶ୍ରୋତାଙ୍କୁ ଝୁମାଇ ଥିଲେ ।
୧୯୯୮ରେ ସେ ସରକାରୀ ଚାକିରୀରୁ ଅବସର ନେବା ପରେ ବାରିପଦାରେ ରହୁଥିଲେ। ତେବେ ପାଖାପାଖି ୬ମାସ ହେବ ସେ ଶଯ୍ୟାଶାୟୀ ଥିଲେ । ଗତ ବୁଧବାର ସେ ସୁସ୍ଥ ଥିବା ବେଳେ ହଠାତ୍ ତାଙ୍କ ଶରୀରରେ ସୋଡିୟମ ମାତ୍ରା କମିଯାଇଥିଲା ଏବଂ ତାଙ୍କର ହିକ୍କା ଆରମ୍ଭ ହୋଇଥିଲା ବୋଲି ତାଙ୍କ ସାନଭାଇ ସ୍ୱରୂପ ପଟ୍ଟନାୟକ କହିଛନ୍ତି । ତାଙ୍କ ମୃତ୍ୟୁରେ ସମଗ୍ର ଓଡ଼ିଶାର ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।
ଜଗା ପାଳୁଛି ମକର ସଂକ୍ରାନ୍ତି, ହେଲେ ବିନା ଭକ୍ତରେ
ପୁରୀ: ଆଜି ପବିତ୍ର ମକର ସଂକ୍ରାନ୍ତି । ଏନେଇ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବିଶେଷ ପୂଜାବିଧି ରହିଥାଏ । ମକର ସଂକ୍ରାନ୍ତି ଦିନ ଶ୍ରୀଜିଉଙ୍କ ମଙ୍ଗଳା ଆଳତି ଓ ଅବକାଶ ନୀତି ବଢ଼ିବା ପରେ ଶ୍ରୀଜିଉଙ୍କର ପଟା ପହରଣ ଲାଗି କରାଯିବା ପରେ ତ୍ରିମୁଣ୍ଡିରେ ମକରଚୂଳ ଲାଗି ହୋଇଥାଏ । ଏହାପରେ କର୍ପୂର ଲାଗି ହୋଇ ଶ୍ରୀବିଗ୍ରହମାନଙ୍କର ବେଶ ବଢ଼ିଥାଏ । ଗୋପାଳବଲ୍ଲଭ ଓ ସକାଳ ଧୂପ ନୀତି ବଢ଼ିବା ପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ ଲାଗି, ନୂଆଲୁଗା ଲାଗି, ମାଳଚୂଳ ଲାଗି ହେବା ପରେ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ମକରବେଶ ବଢ଼ିଥାଏ । ପୂର୍ବ ଦିନରୁ ଭୋଗମଣ୍ଡପ ଘରେ ଶୁଦ୍ଧପୂତ ଭାବେ ଅଧିବାସ ହୋଇ ରଖାଯାଇଥିବା ମକରଚାଉଳକୁ ପତ୍ରିବଡ଼ୁ ସେବକ ମୁହଁରେ ବାଘତୁଣ୍ଡି ବାନ୍ଧି ଘଣ୍ଟ, ଛତା, କାହାଳୀ ପଟୁଆରରେ ମୁଖ୍ୟ ମନ୍ଦିରକୁ ତିନିଥର ପରିକ୍ରମା କରି ତିନି ବାଡ଼ରେ ତିନି ପୂଜାପଣ୍ଡା ପଞ୍ଚୋପଚାରରେ ମଣୋହି କରନ୍ତି । ଭୋଗ ସରିବା ପରେ ଶ୍ରୀଜିଉମାନଙ୍କୁ ବନ୍ଦାପନା କରାଯାଏ । ହିନ୍ଦୁ ଧର୍ମ ବିଶ୍ୱାସ ଅନୁସାରେ ମକର ସଂକ୍ରାନ୍ତି ଦିନ ଯେଉଁ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ବିଧିପୂର୍ବକ ବେଢ଼ା ପ୍ରଦକ୍ଷିଣ କରନ୍ତି, ସେମାନେ ପୁଣ୍ୟଲାଭ ସହିତ ମୁକ୍ତିଲାଭ କରିଥାଆନ୍ତି । ହେଲେ କରୋନା କଟକଣା ପାଇଁ ଶ୍ରୀମନ୍ଦିରରେ ସର୍ବ ସାଧାରଣ ଦର୍ଶନ ବ୍ୟବସ୍ଥାକୁ ବନ୍ଦ ରଖାଯାଇଛି । ଭକ୍ତ ମାନେ କେବଳ ପତିତପାବନଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇପାରିବେ ।
କେମିତି ହେଲା ଦୁର୍ଘଟଣା, କାରଣ ଖୋଜୁଛି ଉଚ୍ଚସ୍ତରୀୟ କମିଟି
କୋଲକାତା: କେମିତି ହେଲା ରେଳ ଦୁର୍ଘଟଣା ? ଟ୍ରେନ୍ ଲାଇଚ୍ୟୁତ ହେବାର କାରଣ କ’ଣ? ବିକାନେର-ଗୁଆହାଟି ଏକ୍ସପ୍ରେସର ପ୍ରାୟ ୧୨ ବଗି ଲାଇନଚ୍ୟୁତ ଘଟଣାର କାରଣ ଖୋଜୁଛି ଉଚ୍ଚସ୍ତରୀୟ ତଦନ୍ତ କମିଟି । ଆଜି ଦୁର୍ଘଟଣାସ୍ଥଳକୁ ଯିବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଦୁର୍ଘଟଣାରେ ମୃତଙ୍କ ସଂଖ୍ୟା ୭ରେ ପହଞ୍ଚିଥିବାବେଳେ ୫୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ମେଡିକାଲ୍ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ୧୫ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପର୍ଣ୍ଣ ରହିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ରେଲଓ୍ୱେ ସେଫ୍ଟି କମିଶନର ପୂରା ଘଟଣାର ଯାଞ୍ଚ କରୁଛନ୍ତି ।
Enhanced amount of ex-gratia compensation to the victims of this unfortunate accident:
Rs. 5 Lakh in case of death,
Rs. 1 Lakh towards grievous and
Rs. 25,000 for minor injuries.— Ashwini Vaishnaw (@AshwiniVaishnaw) January 13, 2022
ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପରିବାରକୁ ୫ ଲକ୍ଷ ଓ ଆହତଙ୍କୁ ୧ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଗତକାଲି ସନ୍ଧ୍ୟାରେ ପଶ୍ଚିମବଙ୍ଗ ମୋୟନାଗୁରି ନିକଟରେ ବଡ ଧରଣର ଟ୍ରେନ ଦୁର୍ଘଟଣା ହୋଇଥିଲା । ବିକାନେର- ଗୁଆହାଟି ଏକ୍ସପ୍ରେସର ପ୍ରାୟ ୧୨ ବଗି ଲାଇନଚ୍ୟୁତ ହୋଇଥିଲା । ଦୁର୍ଘଟଣା ସମ୍ପର୍କରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରେଳ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି ।
ଆଜି ଉପକୂଳରେ ଛେଚିବ ବର୍ଷା, ୧୬ରୁ ବଢ଼ିବ ଶୀତ
ଭୁବନେଶ୍ୱର: ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ବର୍ଷା । ନିମ୍ନ ଚାପ ରେଖା ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କୁଆପଥର ମାଡ଼ ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୫ତାରିଖ ସକାଳ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଏଥିପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ନୟାଗଡ଼, ଖୋର୍ଦ୍ଧା , ପୁରୀ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ଢେଙ୍କାନାଳ ଓ ମାଲକାନଗିରିକୁ ବଜ୍ରପାତ ଜନିତ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୬ ତାରିଖ ପରଠାରୁ ପାଗରେ ପରିବର୍ତ୍ତନ ଆସିବା ସହିତ ଶୀତ ଫେରିବ । ସ୍ୱାଭାବିକଠାରୁ ୨ରୁ ୩ଡିଗ୍ରୀ ତାପମାତ୍ରା କମିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

