spot_img
Home Blog Page 4688

ISROର ନୂଆ ମୁଖ୍ୟ ହେବେ ଏସ. ସୋମନାଥ

ନୂଆଦିଲ୍ଲୀ: ISROକୁ ମିଳିଲା ନୂଆ ମୁଖ୍ୟ । କେ. ଶିବନଙ୍କ ସ୍ଥାନରେ ଏସ. ସୋମନାଥ ହୋଇଛନ୍ତି ନୂଆ ISRO ମୁଖ୍ୟ । ଜାନୁଆରୀ ୧୪ରେ କେ. ଶିବନଙ୍କ କାର୍ଯ୍ୟକାଳ ଶେଷ ହେବ । ବିକ୍ରମ ସାରାଭାଇ ସ୍ପେସ୍‌ ସେଣ୍ଟର (VSSC) ନିର୍ଦ୍ଦେଶକ ତଥା ଇସ୍ରୋର ପ୍ରମୁଖ ବୈଜ୍ଞାନିକ ଏସ୍‌. ସୋମନାଥ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ISRO)ର ନୂଆ ମୁଖ୍ୟ ହୋଇଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । VSSC ପୂର୍ବରୁ ଏସ. ସୋମନାଥ ଥିରୁଓ୍ବନନ୍ତପୁରମ ସ୍ଥିତ ଲିକ୍ୱଡ୍ ପ୍ରୋପଲ୍ସେନ ସିଷ୍ଟମ ସେଣ୍ଟରର ନିର୍ଦ୍ଦେଶକ ରହିଥିଲେ । VSSC ନିର୍ଦ୍ଦେଶକ ଏସ୍‌ ସୋମନାଥଙ୍କୁ ଦେଶର ଜଣେ ବିଚକ୍ଷଣ ଟେକ୍ନୋଲୋଜିଷ୍ଟ ଏବଂ ଏରୋସ୍ପେସ୍‌ ଇଞ୍ଜିନିୟର ଭାବେ ଗଣାଯାଏ ।

ଇସ୍ରୋର ରକେଟ୍‌ ବିକାଶ ପାଇଁ ତାଙ୍କ ଭୂମିକା ଅତୁଳନୀୟ । ସେ ଲଞ୍ଚ ଡିଜାଇନିଂରେ ବିଶେଷ ରୁଚି ରଖିଛନ୍ତି । କେବଳ ସେତିକି ନୁହେଁ ଏସ୍‌. ସୋମନାଥ ଲଞ୍ଚ ସିଷ୍ଟମ୍‌ ଇଞ୍ଜିନିୟରିଂ, ଷ୍ଟ୍ରକଚରାଲ ଡିଜାଇନ୍‌, ଷ୍ଟ୍ରକଚରାଲ ଡାୟନେମକ୍ସ ଏବଂ ପାଇରୋଟେକନିକ୍ସ ଏକ୍ସପର୍ଟ ।

କ୍ୟାରିଅରର ଆରମ୍ଭରେ ପିଏସ୍‌ଏଲଭି ସାଟେଲାଇଟ୍‌ ଲଞ୍ଚିଂରେ ସେ ଥିଲେ ଟିମ୍ ଲିଡ଼ର । ଦୃଢ ଇଚ୍ଛା ଶକ୍ତି ଯେ ଅସମ୍ଭବକୁ ସମ୍ଭବ କରିପାରେ ତାହା ପ୍ରମାଣ କରିଛନ୍ତି ଏସ୍ ସୋମନାଥ । ଜୁଲାଇ ୧୯୬୩ରେ ଜନ୍ମଗ୍ରହଣ କରିଥିଲେ ଏସ. ସୋମନାଥ । କେରଳ ବିଶ୍ବବିଦ୍ୟାଳୟରେ ମେକାନିକାଲ ଇଞ୍ଜିନିୟରିଂ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ଆଇଆଇଏସସିରେ ଏରୋସ୍ପେସ୍ ଇଞ୍ଜିନିୟରିଂରେ ପିଜି ପରେ ବେଙ୍ଗାଳୁରୁରେ ପାଇଥିଲେ ଗୋଲ୍ଡ ମେଡାଲ୍ । ୨୦୧୪ରେ ISRO ପକ୍ଷରୁ ପରଫରମାନ୍ସ ଏକ୍ସଲେନ୍ସ ସମ୍ମାନ ପାଇଥିଲେ ସେ ।

ଆଜି ବି ପ୍ରବଳ ବର୍ଷିବ, ୧୭ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜି ବି ଅସ୍ତବ୍ୟସ୍ତ କରିବ ଅଦିନିଆ ବର୍ଷା । ପଶ୍ଚିମା ଝଡ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା ।  ଭିଜୁଛି ଉପାନ୍ତରୁ ଉପକୂଳ । ଅଦିନିଆ ବର୍ଷା ଚାଷୀଙ୍କ ଉପରେ ଚଡକ ପକାଇଛି । ବର୍ତ୍ତମାନ ସମୟ ଅମଳର, ଆଉ ଅମଳ ସମୟରେ ଏପରି ଅଦିନିଆ ବର୍ଷା ହେବା ଫଳରେ ଚାଷୀ ଗୁରୁତର ଭାବରେ ପ୍ରଭାବିତ ହୋଇଛନ୍ତି । ତେବେ ଏହି ଅଦିନିଆ ବର୍ଷା ଆସନ୍ତା ଦୁଇ ଦିନ ଲାଗି ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  । କେତେକ ସ୍ଥାନରେ କୁଆପଥର ପଡିବା ସହିତ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଜି ଉତ୍ତର ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କେତେକ ସ୍ଥାନରେ ଘଡଘଡି ବିଜୁଳି ସହିତ ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସମୟରେ ସଚେତନ ସହ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି । ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଆଜିଠୁ ରାସ୍ତାରେ ବସିବ ହାଟ, କରୋନା ସଂକ୍ରମଣକୁ ଦେଖି ବିଏମସିର କଡ଼ା ପଦକ୍ଷେପ

ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ ବଢ଼ୁଥିବାର ଦେଖି କଡ଼ା ପଦକ୍ଷେପ ଗ୍ରହଣ କରିଛି ବିଏମସି । ଭୁବନେଶ୍ୱରରେ ଥିବା ହାଟର ଭିଡକମାଇବା ପାଇଁ ପୁଣି ଥରେ ହାଟ ଓ ବଜାରକୁ ବିକେନ୍ଦ୍ରୀକରଣ କରିଛି ବିଏମସି । ରାସ୍ତା କଡରେ କୋଭିଡ କଟକଣା ଭିତରେ ହେବ ବ୍ୟବସାୟ । ପ୍ରଥମେ ୟୁନିଟ-୪ ମାର୍କେଟ ଓ ୟୁନିଟ-୧ ହାଟକୁ ବିକେନ୍ଦ୍ରୀକରଣ କରିଛି ବିଏମସି । ଏହା ପରେ ପର୍ଯ୍ୟାୟ କ୍ରମେ ସବୁ ଭିଡ଼ ସ୍ଥାନରେ ଲାଗୁ ହେବ କଡ଼ା ନିୟମ ।

ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବିଏମସି । ସଚେତନ ଥିଲେ ମଧ୍ୟ ଟିକା ନେଇଥିବାରୁ କରୋନା ଗାଇଡଲାଇନ୍ ମାନିବାରେ ଅବହେଳା କରୁଛନ୍ତି ଲୋକେ । ତେଣୁ ଏଥର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଣ୍ଟା ଭିଡିଛି ବିଏମସି । ଅମାନିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ସହିତ ହାଟ ଓ ମାର୍କେଟର ବିକେନ୍ଦ୍ରୀକରଣ ଉପରେ ଗୁରୁତ୍ୱ ଦେଇଛନ୍ତି ବିଏମସି କମିଶନର ।

ଆଜିଠୁ ୫ ଦିନ ପର୍ଯ୍ୟନ୍ତ ହାଇକୋର୍ଟ ବନ୍ଦ

କଟକ: ସାରା ରାଜ୍ୟରେ  ଦିନକୁ ଦିନ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହାଇକୋର୍ଟକୁ ବନ୍ଦ ରଖାଯାଇଛି । ଆଜିଠାରୁ ୫ ଦିନ ପର୍ଯ୍ୟନ୍ତ ହାଇକୋର୍ଟକୁ ବନ୍ଦ ରଖାଯାଇଛି । କରୋନା ସ୍ଥିତିକୁ ନଜରରେ ରଖି ହାଇକୋର୍ଟକୁ ୫ ଦିନ ପାଇଁ ସଟଡାଉନ୍ ଘୋଷଣା କରାଯାଇଛି । ଆଜିଠାରୁ ଅର୍ଥାତ ୧୩ ଜାନୁଆରୀରୁ ୧୭ ଜାନୁଆରୀ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ବନ୍ଦ ରଖିବାକୁ ହାଇକୋର୍ଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ୫ ଦିନ ବନ୍ଦ ରହିବା ପରେ ୧୮ ତାରିଖରୁ ପୁଣି ହାଇକୋର୍ଟର କାର୍ଯ୍ୟ ଆରମ୍ଭ ହେବ । ୧୮ ଜାନୁଆରୀରୁ କେବଳ ଦୁଇଟି ଡିଭିଜନ ବେଞ୍ଚ ଓ ୭ଟି ସିଙ୍ଗଲ ବେଞ୍ଚ ଚାଲିବ । ଫେବ୍ରୁଆରି ୪ ତାରିଖ ପର୍ଯ୍ୟନ୍ତ ଏହିପରି ଭାବେ ଚାଲିବ କୋର୍ଟ କାର୍ଯ୍ୟ । ଏହି ସମୟ ମଧ୍ୟରେ ହେବାକୁ ଥିବା ସମସ୍ତ ଶୁଣାଣି ବାତିଲ କରାଯାଇଛି ।

୨୧୦ ରନ୍‌ରେ ସୀମିତ ଦକ୍ଷିଣ ଆଫ୍ରିକା: ୭୦ରନ୍‌ରେ ଆଗୁଆ ଭାରତ

କେପ୍ ଟାଉନ୍: ଦମ୍ ଦେଖାଇଲେ ଭାରତୀୟ ବୋଲର । ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟରେ ଦ୍ୱିତୀୟ ଦିବସରେ ଭାରତୀୟ ବୋଲରଙ୍କ ଶାଣିତ ଓ ଶୃଙ୍ଖଳିତ ବୋଲିଂ ଫଳରେ ୨୧୦ ରନ୍‌ରେ ସୀମିତ ରହିଛି ଆୟୋଜକ ଦଳ । ଯଶପ୍ରୀତ ବୁମ୍‌ରା ସର୍ବାଧିକ ୫ ୱିକେଟ୍ ହାସଲ କରିଥିବା ବେଳେ ଭାରତ ପ୍ରଥମ ଇନିଂସରେ ୧୩ ରନର ଅଗ୍ରଣୀ ହାସଲ କରିଛି। ଦ୍ୱିତୀୟ ଇନିଂସରେ ମଧ୍ୟ ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଦୁଇ ଓପ୍ନରଙ୍କୁ ହରାଇଛି ଏବଂ ଦିବସର ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ୫୭ ରନ୍ କରିଛି। ଫଳରେ ଭାରତ ମୋଟ ୭୦ ରନରେ ଆଗୁଆ ରହିଛି। ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଅଧିନାୟକ ବିରାଟ୍ କୋହଲି ୧୪ ଓ ଚେତେଶ୍ୱର ପୂଜାରା ୯ ରନ୍ କରି ଅପରାଜିତ ରହିଛନ୍ତି।

Image

ପ୍ରଥମ ଇନିଂସରେ ୧୩ ରନରେ ଆଗୁଆ ଥିବା ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଥିଲା।  ଦୁଇ ଓପ୍ନର ମୟଙ୍କ ଅଗ୍ରୱାଲ୍ (୧୦) ଓ ଲୋକେଶ ରାହୁଲ (୭) ଶସ୍ତାରେ ପ୍ୟାଭିଲିୟନ୍ ଫେରିଥିଲେ। ତେବେ କୋହଲି ଓ ପୂଜାରା ଅଭିଜ୍ଞତାର ଫାଇଦା ଉଠାଇଥିଲେ ଏବଂ ଦଳକୁ ଆଉ କ୍ଷତି ହେବାକୁ ଦେଇନାହାନ୍ତି। ଦୁହେଁ ତୃତୀୟ ୱିକେଟ୍ ପାଇଁ ୩୩ ରନର ଭାଗିଦାରୀ କରିଛନ୍ତି। ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ୍ ଓ କାଗିସୋ ରବାଡା ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।

 ୧୭/୧ରୁ ଦକ୍ଷିଣ ଆଫ୍ରିକା ଦଳ ନିଜର ଖେଳ ଆରମ୍ଭ କରିଥିଲା। ଦଳ ପକ୍ଷରୁ କୀଗାନ ପିଟରସନଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ଓପ୍ନର ଏଡେନ୍ ମାର୍କରମ ୮ ରନ୍ କରି ବୁମ୍‌ରାଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିବା ବେଳେ ନାଇଟ୍ ୱାଚ୍ ମ୍ୟାଚ୍ ଭାବେ ଆସିଥିବା କେଶବ ମହାରାଜ ୨୫ ରନ୍ କରି ଉମେଶ ଯାଦବଙ୍କ ଶିକାର ହୋଇଥିଲେ। କେବେ ପିଟରସନ୍ ଓ ରାସି ଭାନ୍ ଡର୍ ଡୁସେନ୍ ଚତୁର୍ଥ ୱିକେଟ୍ ପାଇଁ ୬୭ ରନ୍ ଯୋଡ଼ି ଦଳର ସ୍କୋରକୁ ୧୦୦ରେ ପହଞ୍ଚାଇଥିଲେ। ଡୁସେନ୍ ପୁଣିଥରେ ନିରାଶ କରି ମାତ୍ର ୨୧ ରନରେ ଆଉଟ୍ ହୋଇଥିଲେ। ଭାରତ ପକ୍ଷରୁ ବୁମ୍‌ରା ସର୍ବାଧିକ ୫ ଓ୍ୱିକେଟ ନେଇଥିବା ବେଳେ ଉମେଶ ଓ ମହମ୍ମଦ ଶାମି ୨ଟି ଲେଖାଏ ୱିକେଟ୍ ଓ ଶ୍ରାଦ୍ଧୁଳ ଠାକୁର ଗୋଟିଏ ଓ୍ୱିକେଟ ନେଇଥିଲେ । ତେବେ ଆର ଅଶ୍ୱିନ କେବଳ ୯ ଓଭର ବୋଲିଂ କରିଥିବା ବେଳେ କୌଣସି ଓ୍ୱିକେଟ ହାସଲ କରିନାହାନ୍ତି ।

୪ ଡକାୟତଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ: ସୁନା, କାର୍ ଓ ବୁଲେଟ ଜବତ

ଢେଙ୍କାନାଳ: ରାସୋଲ ବ୍ୟାଙ୍କ ଡକାୟତି ଘଟଣା । ଧରପଡିଲେ ୪ ଡକାୟତ । ଢେଙ୍କାନାଳ ଗୋବିନ୍ଦପୁର ଫାଣ୍ଡି ଅଧିନ ଏକ କୋଠାଘରୁ ଗୋଡ଼ାଇ ଧରିଲା ପୋଲିସ । ଡକାୟତଙ୍କୁ ପଚରା ଉଚରା କରୁଛି ପୋଲିସ । ସେମାନଙ୍କ ଠାରୁ ଲୁଟ ସୁନା, ଗୋଟିଏ କାର ଓ ଗୋଟିଏ ବୁଲେଟ ଜବତ କରାଯାଇଛି । ଜବତ ସୁନାର ମୁଲ୍ୟ କୋଟିଏରୁ ଅଧିକ ହେବ ବୋଲି ସୂଚନା ରହିଛି ।

ରାସୋଳ ଥାନା ଠାରୁ ୨୦୦ ମିଟରରେ ଥିବା ବ୍ୟାଙ୍କରୁ ଦିନ ଦ୍ୱି ପ୍ରହରରେ ହୋଇଥିଲା ଲୁଟ । କର୍ମଚାରୀ ଖାଇବା ଛୁଟିରୁ ଫେରିବା ବେଳେ ମାରଣାସ୍ତ୍ର ଦେଖାଇ ଅତର୍କିତ ଆକ୍ରମଣ କରି ଟଙ୍କା, ସୁନା ଓ ସିସିଟିଭି ହାର୍ଡଡିସ୍କ ଲୁଟ କରିଥିଲେ ଲୁଟେରା । ୪ ଜଣ ମୁଖାଧାରି ବ୍ୟାଙ୍କ୍ ଭିତରେ ପସିଥିବା ବେଳେ ବାହାରେ ଜଣେ ବ୍ୟକ୍ତି ଜଗି ରହିଥିଲା । ଦୁଇଟି ବୁଲେଟରେ ୫ ଜଣ ଆସିଥିଲେ । ସମସ୍ତେ ମୁଖା ପିନ୍ଧିବା ସହ ମାରଣାସ୍ତ୍ର ଏବଂ ଛୁରୀ ଧରି ଥିଲେ । ଡକାୟତଙ୍କ ଆକ୍ରମଣରେ କ୍ୟାସିଅର ଏବଂ ଫିଲ୍ଡ ଅଫିସର ଆହତ ହୋଇଛନ୍ତି । ବ୍ୟାଙ୍କରେ କୌଣସି ସିକୁରିଟି ନଥିବାର ଫାଇଦା ଉଠାଇ ଥିଲେ ଡାକାୟତ । ଖବର ପାଇ ହିନ୍ଦୋଳ ଏସଡିପି ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ବା ସହ ତଦନ୍ତ ଆରମ୍ଭ କରିଥିଲେ ।

ପଞ୍ଚାୟତ ନିର୍ବାଚନ ନେଇ ଏସ୍‌ଆରସିଙ୍କ ଗାଇଡଲାଇନ୍: ସମାବେଶକୁ ନା, ସୋସିଆଲ ମିଡିଆରେ ହେବ ପ୍ରଚାର

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଜାରି ହେଲା ଗାଇଡଲାଇନ୍ । କୋଭିଡ ସଂକ୍ରମଣ ଦୃଷ୍ଟିରେ ରଖି ଗାଇଡଲାଇନ୍ ଜାରି କଲେ ଏସଆରସି । ସାମାଜିକ ଦୂରତା ସହିତ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ଗଣତି କେନ୍ଦ୍ର ଆଗରେ ଏକାଠି ହେବାକୁ ବାରଣ କରାଯାଇଛି । ହୋଇପାରିବନି ଶୋଭାଯାତ୍ରା, ରାଲି, ସମାବେଶ । କେବଳ ସୋସସିଆ ମିଡିଆ ଓ ବୈଦ୍ୟୁତିକ ଗଣମାଧ୍ୟମ ପ୍ରଚାରକୁ ଅନୁମତି ଦିଆଯାଇଛି ।

ଡୋର ଟୁ ଡୋର କ୍ୟାମ୍ପେନରେ ସର୍ବାଧିକ ୫ଜଣଙ୍କୁ ଅନୁମତି ରହିଛି । ସମସ୍ତେ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି । ଭୋଟର ସହିତ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରୁଥିବା ସମସ୍ତେ ମାସ୍କ ପିନ୍ଧିବେ । ନିର୍ବାଚନ ପରିଚାଳନାରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତି ଡବଲ୍ ଡୋଜ୍ ଟିକା ନେବେ । ଏହା ସହିତ କୋଭିଡ ଗାଇଡଲାଇନ୍ ପାଳନ ଉପରେ ସ୍ୱତନ୍ତ୍ର ନଜର ରଖାଯିବ । ପ୍ରକ୍ରିୟାରେ ସାମିଲ ଥିବା କୌଣସି ଅଧିକାରୀଙ୍କର ଯଦି ସାମାନ୍ୟ ଲକ୍ଷଣ ଥାଏ ତାଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ବାଦ୍ ଦିଆଯିବ । ଭୋଟ ଦାନ କେନ୍ଦ୍ରକୁ ସାନିଟାଇଜ୍ କରାଯିବା ସହିତ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ ।

ସମସ୍ତ ଉପକରକୁ ମଧ୍ୟ ସାନିଟାଇଜ୍ କରାଯିବ । କଣ୍ଟେନମେଣ୍ଟ ଜୋନରୁ ଆସିଥିବା କୌଣସି ବ୍ୟକ୍ତିଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରାଯିବନି । ନୋମିନେସନ ସମୟରେ ପ୍ରାର୍ଥୀଙ୍କ ସହିତ କେବଳ ଜଣେ ନାମାଙ୍କନ ଦାଖଲ କରିବାକୁ ଯାଇପାରିବେ । ଏହି ସମୟରେ କେବଳ ଗୋଟିଏ ଗାଡିକୁ ଅନୁମତି ମିଳିବ । କୋଭିଡ ସଂକ୍ରମିତ ପ୍ରାର୍ଥୀ ନିଜ ପ୍ରସ୍ତାବକ ଜିରିଆରେ ନାମାଙ୍କନ ପତ୍ର ଦାଖଲ କରିବେ । କଣ୍ଟେନମେଣ୍ଟ ଜୋନ୍‌ରେ ଥିବା ବୁଥ୍‌କୁ ସ୍ଥାନାନ୍ତର କରାଯିବ । ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଗାଇଡଲାଇନରେ କୁହାଯାଇଛି ।

ବ୍ରହ୍ମପୁର ଓ ଭୁବନେଶ୍ୱର ମହାନଗର ନିଗମ ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ

ଭୁବନେଶ୍ୱର: ପୌର ନିର୍ବାଚନ ନେଇ ପ୍ରକ୍ରିୟା ଆଉ ପାଦେ ଆଗେଇଲା । ବହୁଚର୍ଚ୍ଚିତ ଭୁବନେଶ୍ୱର ମହାନଗର ନିଗମ ଓ ବ୍ରହ୍ମପୁର ମହାନଗର ନିଗମ ମେୟର ପଦବୀକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବାବେଳେ କଟକ ମହାନଗର ନିଗମର ମେୟର ପଦବୀକୁ ଅଣସଂରକ୍ଷିତ ରଖାଯାଇଛି। ଆଜି ଏନେଇ ଗେଜେଟ୍ ବିଜ୍ଞପ୍ତି ଜାରି ହେବା ସହ ଏହା ଉପରେ ଆପତ୍ତି-ଅଭିଯୋଗ ଥିଲେ ୧୫ଦିନ ମଧ୍ୟରେ ପୌର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଜଣାଇବାକୁ କୁହାଯାଇଛି।

ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ମହାନଗର ନିଗମ ଆଇନ-୨୦୦୩ର ଧାରା ୧୪ର ଉପଧାରା ୩ ଓ ୪ ଅନ୍ତର୍ଗତ ଏବଂ ଓଡ଼ିଶା ମହାନଗର ନିଗମ ରୁଲସ-୨୦୦୩ର ରୁଲ-୮୦(୮) ର ପ୍ରାବଧାନ ଅନୁସାରେ ମହାନଗରଗୁଡ଼ିକର ମେୟର ପଦବୀକୁ ସଂରକ୍ଷିତ ରଖିବାକୁ ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି ।

ଏଥିସହିତ ପଢ଼ନ୍ତୁ: କରୋନା ପ୍ରଭାବ ସତ୍ତ୍ୱେ ଅଧିକ ମାମଲା ରୁଜୁ କରିଛି ଭିଜିଲାନ୍ସ ବିଭାଗ

ବିଜେଡିରେ ନୂଆ ନିଯୁକ୍ତି: ପ୍ରଦୀପ ମାଝୀଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ, ଅରିନ୍ଦମଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ୱ

ଭୁବନେଶ୍ୱର: ବିଜୁ ଜନତା ଦଳରେ ନୂଆ ନିଯୁକ୍ତି । ବିଭିନ୍ନ ସାଂଗଠନିକ ପଦ ପାଇଁ ଦଳରେ ନିଯୁକ୍ତି ଦିଆଯାଇଛି । ୩ଜଣଙ୍କୁ ସାଧାରଣ ସମ୍ପାଦକ, ୪ଜଣଙ୍କୁ ସାଧାରଣ ସମ୍ପାଦକ ଓ ୭ ଜଣଙ୍କୁ ସମ୍ପାଦକ ଭାବେ ଦାୟିତ୍ୱ ଦିଆଯାଇଛି । ମହେଶ ସାହୁ ( ଢେଙ୍କାନାଳ), ପ୍ରଦୀପ ମାଝୀ (ନବରଙ୍ଗପୁର) ପ୍ରଫୁଲ୍ଲ ମାଝୀ (ସୁନ୍ଦରଗଡ଼)ଙ୍କୁ ବିଜେଡି ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି ।

ସେହିଭଳି ସାଧାରଣ ସମ୍ପାଦକ ଭାବେ ଅରିନ୍ଦମ ରୟ(କଟକ) , ଧନୁର୍ଜୟ ସିଦ୍ଧୁ (କେନ୍ଦୁଝର), ଚନ୍ଦ୍ର ଶେଖର ମାଝି (କୋରାପୁଟ) ଓ କୌଳାଶ ଚନ୍ଦ୍ର କୁଳେଶିକାଙ୍କୁ (କୋରାପୁଟ) ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି । ସେହିଭଳି ଭାବେ ସମ୍ପାଦକ ଭାବେ ବିଶ୍ୱରଞ୍ଜନ ମଲ୍ଲିକ (ଯାଜପୁର), ରମେଶ ଚନ୍ଦ୍ର ପରିଡ଼ା, (ଯାଜପୁର), ପ୍ରଦୀପ ସାହୁ ଖୋର୍ଦ୍ଧା, ଦିଲ୍ଲୀପ କୁମାର ସାହୁ ମୟୂରଭଞ୍ଜ, ମହେଶ ହେମ୍ୱ୍ରମ୍ ମୟୂରଭଞ୍ଜ, ପ୍ରିୟବ୍ରତ ସାମନ୍ତରାୟ ପୁରୀଙ୍କୁ ନିଯୁକ୍ତି ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ନିଯୁକ୍ତି ଦିଆଯାଇଥିବା ବେଳେ, ଏ ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ମାନସ ମଙ୍ଗରାଜ( ସାଧାରଣ ସମ୍ପାଦକ,ଗଣମାଧ୍ୟମ ବ୍ୟାପାର) ଅବଗତ କରାଇଛନ୍ତି ।

କରୋନା ପ୍ରଭାବ ସତ୍ତ୍ୱେ ଅଧିକ ମାମଲା ରୁଜୁ କରିଛି ଭିଜିଲାନ୍ସ ବିଭାଗ

କଟକ: ଗତ ବର୍ଷ (୨୦୨୧)ରେ କରୋନା ପ୍ରଭାବ ସତ୍ତ୍ୱେ ଦୁର୍ନୀତି ରୋକିବା ଦିଗରେ କାର୍ଯ୍ୟ ଜାରି ରଖିଥିଲା ଭିଜିଲାନ୍ସ ବିଭାଗ । ୪୬ ଜଣ ପ୍ରଥମ ଶ୍ରେଣୀ କର୍ମଚାରୀଙ୍କୁ ମିଶାଇ ମୋଟ ୪୭୫ଜଣଙ୍କ ବିରୋଧରେ ୨୬୭ ଅପରାଧିକ ମାମଲା ରୁଜୁ କରିଛି ଭିଜିଲାନ୍ସ ବିଭାଗ । ସେମାନଙ୍କ ମଧ୍ୟରେ ୪୦ ଜଣ ଦ୍ୱିତୀୟ ଶ୍ରେଣୀ, ୨୩୧ ଜଣ ତୃତୀୟ ଶ୍ରେଣୀ ଏବଂ ୪ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ମଧ୍ୟ ରହିଛନ୍ତି । ୨୦୨୦ ଅପେକ୍ଷା ଅଧିକ ମାମଲା ରୁଜୁ କରିଛି ଦୁର୍ନୀତି ନିବାରଣ ବିଭାଗ ।

୨୬୭ ଜଣ ସରକାରୀ ଅଧିକାରୀଙ୍କ ବିରୋଧରେ ୧୬୭ଟି ଅପରାଧିକ ମାମଲା ରୁଜୁ ହୋଇଛି । ୯୨ଟି ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ମାମଲା ରୁଜୁ ହୋଇଥିବା ବେଳେ ୧୦୭ କୋଟି ଜବତ କରାଯାଇଛି । ୧୦୦ ଜଣ ସରକାରୀ କର୍ମଚାରୀଙ୍କୁ ମିଶାଇ ୧୦୯ ଜଣ ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ । ଏଥିସହିତ ୧୫ ଜଣ ସରକାରୀ ଅଧିକାରୀଙ୍କ ଠାରୁ ୫୮.୮୪ ଲକ୍ଷ ଅନ୍‌ଆକାଉଣ୍ଟଟେଡ୍ ଟଙ୍କା ଜବତ କରିଛି ।

ଜିରୋ ଟଲେରାନ୍ସ ନୀତି ଅନୁଯାୟୀ ନିମାପଡ଼ା ତହସିଲଦାର ରାମ ଚନ୍ଦ୍ର ଜେନା , ଜଗତସିଂହପୁର ଉପ ଜିଲ୍ଲାପାଳ ଗୌରାଙ୍ଗ ଚରଣ ମହାନ୍ତି, ବୈତରଣୀ ଜଳ ସେଚନ ଡିଭିଜନ ଏସ୍ଇ ବିଧାନ ଚରଣ ସାହୁ, କଳାହାଣ୍ଡି ବିଶ୍ୱନାଥପୁର ସିଡିପିଓ ମୀନା ପାତ୍ର, ଥୁଆମୂଳ ରାମପୁର ପୁଷ୍ପାଞ୍ଜଳି ରଥ, ଦେବଗଡ଼ ଅବକାରୀ ବିଭାଗ ଡେପୁଟୀ ସୁପରିଟେଣ୍ଡେଣ୍ଟ ଅଜିତ କୁମାର ମହାପାତ୍ର, ତିହିଡି ବ୍ଳକ୍ କେସିଅର ପ୍ରଭାକର ପ୍ରଧାନ, ଡେପୁଟୀ ମ୍ୟାନେଜର ଓପିଏଚ୍ଡବ୍ଳ୍ୟୁସି ପ୍ରତାପ କୁମାର ସାମଲ, ନରୋତ୍ତମ ବେହେରା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବାଲେଶ୍ୱର ଆଞ୍ଚଳିକ ଅଧିକାରୀ ଭାବେ କାର୍ଯ୍ୟରତ ଥିବା ସମୟରେ ସେମାନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବାରୁ ସେମାନଙ୍କୁ ବିହିଷ୍କୃତ କରାଯାଇଥିଲା ।