spot_img
Home Blog Page 4695

ଜାନୁଆରୀ ୧୫ ସୁଦ୍ଧା ପିକ୍‌ ନେଇପାରେ କରୋନା: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଦେଶ ସହ ରାଜ୍ୟରେ ବଢୁଛି ସଂକ୍ରମଣ । ରାଜ୍ୟରେ ମୁଖ୍ୟତ କିଛି ଜିଲ୍ଲାରେ ଅଧିକ ରହୁଛି ସଂକ୍ରମଣ ହାର । ଜାନୁଆରୀ ୧୫ ସୁଦ୍ଧା କରୋନା ପିକ୍ ନେଇପାରେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସଂକ୍ରମଣ ବଢୁଥିବା ବେଳେ, ରାଜ୍ୟ ସରକାର ମଧ୍ୟ ସ୍ଥିତି ଉପରେ ନଜର ରଖିଛନ୍ତି । ଏଭଳି ସ୍ଥିତିରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେହିପରି ଆଇସିଏମଆର ଅନୁବନ୍ଧିତ କିଟରେ ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଅନ୍ୟପଟେ ଆଜିଠୁ ଆରମ୍ଭ ହୋଇଛି ବୁଷ୍ଟର ଡୋଜ ଟିକାକରଣ । ବୟସ୍କ, ସମୁଖ ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଉଛି ଟିକା । ରାଜ୍ୟରେ ମୋଟ ୧୭ ଲକ୍ଷ ୫୨ ହଜାର ୮୩୮ ଲୋକ ପ୍ରିକସନ ଟିକା ନେବେ । ଯେଉଁମାନଙ୍କର ଦ୍ୱିତୀୟ ଡୋଜରୁ ୯ ମାସ ହୋଇଥିବ, ସେମାନେ ପ୍ରିକସନ ଡୋଜ ପାଇଁ ଯୋଗ୍ୟ ହେବେ । ଜାନୁଆରୀ ଶେଷ ସୁଦ୍ଧା ୫ ଲକ୍ଷ ୨୫ ହଜାର ୬୦୭ ଜଣ ପ୍ରିକସନ ଡୋଜ ନେବେ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆରମ୍ଭ ହେବ ବର୍ଷା: ୭ଜିଲ୍ଲାକୁ ୟେଲୋ ଆଲର୍ଟ

ଅପରାହ୍ଣରେ କୋଭିଡ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଅପରାହ୍ଣରେ ରାଜ୍ୟରେ କୋଭିଡ୍ ସ୍ଥିତିର ସମୀକ୍ଷା କରିବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ସାଢ଼େ ୫ଟାରେ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହେବ । ବୈଠକରେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ଆର.କେ ଶର୍ମା, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସହ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ୧୫ରୁ ୧୮ ବର୍ଷ ବୟସ୍କଙ୍କ ଟିକାକରଣକୁ ତ୍ୱରାନ୍ୱିତ କରିବା ସହ ବୁଷ୍ଟର ଡୋଜ ପ୍ରକ୍ରିୟାକୁ ଜୋରଦାର କରିବା ଉପରେ ଆଲୋଚନା ହେବ ।

ଏହାସହ ସଂକ୍ରମଣ ବଢୁଥିବାରୁ କଟକଣାକୁ କଡ଼ାକଡ଼ି କରିବା ସମ୍ପର୍କରେ ମଧ୍ୟ ଆଲୋଚନା ହେବ । ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୫ ହଜାର ମୁହାଁ ହୋଇଛି । ୯ଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶହେରୁ ଅଧିକ ହେଲାଣି । ସଂକ୍ରମଣ ଉପରମୁହାଁ ହେଉଥିବା ବେଳେ ଆଜି ସ୍ଥିତି ବାବଦରେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଅପଡେଟ୍ କରାଇବେ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୪୮୨୯ ଜଣ କରୋନା ସଂକ୍ରମିତ ଚିହ୍ନଟ

ସୁନ୍ଦରଗଡ଼ରେ ବ୍ୟାରେଜ୍ ନିର୍ମାଣ ନେଇ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ: କହିଲେ, ଘରେ ଘରେ ପହଞ୍ଚିବ ପିଇବା ପାଣି

ରାଉରକେଲା: ଇବ୍ ନଦୀରେ ନିର୍ମାଣ ହେବ ୨ଟି ବ୍ୟାରେଜ୍ । ଏ ନେଇ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବ୍ୟାରେଜ୍ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରି ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ଘରେ ଘରେ ପିଇବା ପାଣି ପହଞ୍ଚି ପାରିବ । ଚାଷୀର ଜମିକୁ ମଧ୍ୟ ଆବଶ୍ୟକୀୟ ଜଳ ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । ହକି ଖେଳକୁ ସୁନ୍ଦରଗଡ଼ ଜିଲ୍ଲାର ଅବଦାନ ସମ୍ପର୍କରେ ମଧ୍ୟ ନିଜ ଅଭିଭାଷଣରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ସବୁଥିରେ ସୁନ୍ଦରଗଡ଼ ଜିଲ୍ଲା ଆଗୁଆ, ସୁନ୍ଦରଗଡ଼ର ହକି ଖେଳାଳି ଦେଶର ଗୌରବ ବଢ଼ାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ସରକାରଙ୍କ ସବୁ ଯୋଜନାରୁ ସୁବିଧା ନେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

ମୋଟ ୪୯୩ କୋଟି ଟଙ୍କାରେ ନିର୍ମାଣ ହେବ ୨ଟି ବ୍ୟାରେଜ୍ । ସୁନ୍ଦରଗଡ଼ ସଦର ବ୍ଲକର କୋପସିଙ୍ଗା ଏବଂ କୁଡ଼ାବଗାଠାରେ ୨ଟି ବ୍ୟାରେଜ୍ ନିର୍ମାଣ ହେବ । କୋପସିଙ୍ଗା ବ୍ୟାରେଜ୍ ନିର୍ମାଣ ପାଇଁ ୨୪୮ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କୁଡାବଗା ବ୍ୟାରେଜ୍ ପାଇଁ ୨୪୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ୨ଟି ବ୍ୟାରେଜ୍ ନିର୍ମାଣ ହେଲେ ୧ ହଜାର ୨୧୬ ଏକର ଜମି ଜଳ ସେଚିତ ହେବା ସହ ମାଛ ଚାଷ ହୋଇପାରିବ । ଏହାସହ ଖରାଦିନେ ପାଣି ସମସ୍ୟା ଦୁର ହେବ । ସୁନ୍ଦରଗଡ଼ ସଦର ବ୍ଲକ, ଟାଙ୍ଗରପାଲି ବ୍ଲକ, ଲେଫ୍ରିପଡ଼ା ବ୍ଲକ, ବାଲିଶଙ୍କରା ସବଡେଗା ସହ ସୁନ୍ଦରଗଡ଼ ପୌରାଞ୍ଚଳବାସୀ ଏହି ବ୍ୟାରେଜ ଦ୍ୱାରା ଉପକୃତ ହେବେ ।

ଏଥିସହିତ ପଢ଼ନ୍ତୁ: ପଞ୍ଚାୟତ ନିର୍ବାଚନ ନେଇ ରାଜନୈତିକ ଦଳ ସହ ଆଲୋଚନା କରିବେ ରାଜ୍ୟ ନିର୍ବାଚନ ଆୟୋଗ

ବ୍ରହ୍ମପୁର ବିବାହ ବିବାଦ ମାମଲା: ମୂଳ ପିଟିସନ୍ ଉପରେ ଆଜି ଶୁଣାଣି

 ବ୍ରହ୍ମପୁର: ବ୍ରହ୍ମାନଗରର ବହୁଚର୍ଚ୍ଚିତ ଡିମ୍ପଲ ଓ ସୁମିତ ପାରିବାରିକ ବିବାଦ ମାମଲା । ସୁମିତଙ୍କ ପରିବାର ଉପରେ ଡିମ୍ପଲ ଦେଇଥିବା ପିଟିସନର ଆଜି ହୋଇପାରେ ଶୁଣାଣି । ଏସଡିଜେମ କୋର୍ଟରେ ହୋଇପାରେ ଶୁଣାଣି । ଏହାସହ ସୁମିତଙ୍କ ମା ଓ ଜେଜେମା ଦେଇଥିବା ପିଟିସନ ଉପରେ ଡିମ୍ପଲଙ୍କ ଓକିଲ କାଉଣ୍ଟର ପିଟିସନ କରିପାରନ୍ତି ।

ସେପଟେ ଆଉ ୧୫ ଦିନ ଛୁଟି ନେଇଛନ୍ତି ଡାକ୍ତର ସୁମିତ । ଦେହ ଅସୁସ୍ଥତା ଦର୍ଶାଇ ପୁଣି ଛୁଟିନେଇଥିବା ସୂଚନା ଦେଇଛନ୍ତି ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରା । ତେବେ ଡାକ୍ତର ସୁମିତ କେଉଁଠି ଅଛନ୍ତି ତାହା ଜଣାପଡିନାହି । କୋର୍ଟଙ୍କ ରାୟ ପରେ ଡିମ୍ପଲ ଏବେ ଶ୍ୱଶୁର ଘରେ ରହୁଛନ୍ତି ।

ସୂଚନା ଯୋଗ୍ୟ ଯେ, ମାନ୍ୟବର କୋର୍ଟଙ୍କ ରାୟ ମୁତାବକ ଶ୍ୱଶୁର ଘରେ ପ୍ରବେଶ କରିଛନ୍ତି ଡିମ୍ପଲ  । ଦିନ ସମୟରେ ତପସ୍ୱିନୀ ଘରେ ରହିବା ପ୍ରସଙ୍ଗ ଠିକଠାକ୍ ଥିବାବେଳେ ଅପରାହ୍ମରେ ବିଗିଡିଯାଇଥିଲା ସ୍ଥିତି । କୋର୍ଟ କେବଳ ମାସିକ ୧୭ ହଜାର ଟଙ୍କା ପ୍ରଦାନ କରିଥିବାବେଳେ ଘରେ ରହିବା ନେଇ କୌଣସି ଅନୁମତି ନଥିବା କହିଥିଲେ ଡିମ୍ପଲଙ୍କ ଶ୍ୱଶୁର  । ରାତିରେ ପ୍ରଶାସନିକ ଅଧିକାରୀ ବ୍ରହ୍ମାନଗର ଅଞ୍ଚଳରେ ପହଁଚିଥିଲେ  ।  ଏହାପରେ SDPO, ସ୍ଥାନୀୟ ଆଇଆଇସି, ତହସିଲଦାର ଓ ପ୍ରୋଟେକ୍ସନ ଅଫିସର ପହଁଚି ଡିମ୍ପଲଙ୍କୁ ଘର ଭିତରକୁ ଯିବା ନେଇ ଅନୁମତି ଦେଇଥିଲେ  । ତେବେ ଘରେ ତାଲା ପକାଇଥିବା ଡିମ୍ପଲଙ୍କ ଶ୍ୱଶୁର ଘର ତାଲା ଖୋଲିଥିଲେ  । ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଡିମ୍ପଲ ଗୃହ ପ୍ରବେଶ କରିଥିଲେ  ।

ଏଥିସହିତ ପଢ଼ନ୍ତୁ: ଡିମ୍ପଲଙ୍କୁ ଶ୍ୱଶୁର ଘରେ ପ୍ରବେଶ କଲେ ପ୍ରଶାସନିକ ଅଧିକାରୀ

ରାଜଧାନୀରେ ମହାମାରୀର ବିସ୍ଫୋରକ ରୂପ: ୩୦୦ ପୋଲିସ କର୍ମଚାରୀଙ୍କୁ କରୋନା

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ବିସ୍ଫୋରକ ରୂପ ନେବାରେ ଲାଗିଛି କରୋନା । ବିଶେଷକରି ସମ୍ମୁଖ ଯୋଦ୍ଧା ଭାବେ ନିୟୋଜିତ କର୍ମଚାରୀ ଏହା ଦ୍ୱାରା ସଂକ୍ରମିତ ହେଉଥିବା ଜଣାପଡ଼ିଛି । ସୋମବାର ଦିଲ୍ଲୀ ପୋଲିସର ପ୍ରାୟ ୩ଶହ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଲୋକ ସମ୍ପର୍କର ଅଧିକାରୀ ଓ ଅତିରିକ୍ତ କମିଶନର ଚିନ୍ମୋୟ ବିଶ୍ୱାଳ କରେନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଦିଲ୍ଲୀ ପୋଲିସରେ ମୋଟ କର୍ମଚାରୀ ୮୦ ହଜାର କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ତାନା କରୋନା ସଂକ୍ରମଣକୁ ରୋକିବା ପାଇଁ ଏସ୍‌ଓପି ଜାରି କରିଛନ୍ତି । ଏହା ଅନୁଯାୟୀ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି ଏଥିସହିତ ସାମାଜିକ ଦୂରତ୍ୱକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଡ୍ୟୁଟି ସମୟରେ ବାରମ୍ୱାର ହାତ ଧୋଇବା ସହିତ ପରିବାର ଲୋକଙ୍କ ଟିକାକରଣ କରାଇବା ନେଇ ପରାମର୍ଶ ଦେଇଛନ୍ତି ।

ବଢ଼ିଲା ପେପର ଲିକ୍ ଅଡ଼ୁଆ: ଇସ୍ତଫା ଦେଲେ ବିଜେପି ବିଧାୟକ

0

ପାଟଣା: ବଢ଼ିଲା ବିହାର ୟୁପିଟିଇଟି ପେପର୍ ଲିକ୍ ଅଡୁଆ । ପ୍ରଶ୍ନପତ୍ର ଲିକ୍ ମାମଲାରେ ଇସ୍ତଫା ଦେଇଛନ୍ତି ବିହାର ବିଜେପି ବିଧାୟିକା ରଶ୍ମୀ ବର୍ମା । ଘଟଣାରେ ଭାଇ ଗିରଫ ହେବା ପରେ ଇସ୍ତଫା ଦେଇଛନ୍ତି ରଶ୍ମୀ । ନର୍କତିଆଗଞ୍ଜ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ରଶ୍ମୀ ନିଜର ଇସ୍ତଫା ପତ୍ର ବାଚସ୍ପତି ବିଜୟ କୁମାର ସିହ୍ନାଙ୍କୁ ପ୍ରଦାନ କରିଛନ୍ତି ।

ବହୁଚର୍ଚ୍ଚିତ ଉତ୍ତରପ୍ରଦେଶ ଟିଚର୍ସ ଏଲିଜିବିଲିଟି ଟେଷ୍ଟର ପ୍ରଶ୍ନପତ୍ର ଲିକ୍ ହେବା ଘଟଣାରେ ରଶ୍ମୀଙ୍କ ଭାଇ ଅନୂପ ପ୍ରସାଦଙ୍କୁ ଗିରଫ କରିଥିଲା ଉତ୍ତରପ୍ରଦେଶ ଏସଟିଏଫ । ଦିଲ୍ଲୀରେ ଅନୂପଙ୍କ ଏକ ପ୍ରିଣ୍ଟିଂ ପ୍ରେସ ରହିଛି । ପ୍ରଶ୍ନପତ୍ର ଲିକ୍ ଘଟଣାରେ ଭାଇଙ୍କ ଗିରଫ ପରେ ରଶ୍ମୀ କହିଥିଲେ, ତାଙ୍କ ସହ ଏହି ଘଟଣାର ସମ୍ପର୍କ ନାହିଁ । ହେଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ପ୍ରଶ୍ନପତ୍ର ଲିକ୍ ମାମଲାରେ ବିଧାୟିକା ରଶ୍ମୀ ଓ ଭାଇ ଅନୂପଙ୍କ ଲିଙ୍କ୍ ପ୍ରକାଶ କରିବା ପରେ ଘଟଣାର ମୋଡ ବଦଳି ଯାଇଥିଲା ।

ରାଜ୍ୟରେ ଆଉ ୪୮୨୯ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ୫ ହଜାର ମୁହାଁ ହୋଇଛି। ଦିନକରେ ଏତେ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତାର ବିଷୟ । ଗତ ୨୪ ଘଣ୍ଟାରେ ୪୮୨୯ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୪୪୮ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୨୮୨୩ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୨୦୦୬ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୭୫୬୯୮ ଜଣ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

୩୦ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୩୩ ଜଣ, ସୁନ୍ଦରଗଡ଼ରୁ ୮୬୯ ଜଣ, ସମ୍ବଲପୁରରୁ ୬୪୪ ଜଣ, କଟକରୁ ୪୦୧ ଜଣ, ବାଲେଶ୍ବରରୁ ୨୧୦ ଜଣ, ଝାରସୁଗୁଡ଼ାରୁ ୧୮୯ ଜଣ, ମୟୂରଭଞ୍ଜରୁ ୧୬୨ ଜଣ,ପୁରୀରୁ ୧୩୦ ଜଣ, ବଲାଙ୍ଗୀରରୁ ୧୦୪ ଜଣ, ନବରଙ୍ଗପୁରରୁ ୮୫ ଜଣ, ବରଗଡ଼ରୁ ୮୪ ଜଣ, ରାୟଗଡ଼ାରୁ ୮୨ ଜଣ, କୋରାପୁଟରୁ ୭୭ ଜଣ, ଅନୁଗୁଳ ଓ ଭଦ୍ରକ ଜିଲ୍ଲାରୁ ୬୯ ଜଣ ଲେଖାଁଏ, କେନ୍ଦୁଝରରୁ ୬୩ ଜଣ, ନୂଆପଡ଼ାରୁ ୫୧ ଜଣ, ଗଞ୍ଜାମରୁ ୪୯ ଜଣ, କଳାହାଣ୍ଡିରୁ ୪୮ ଜଣ, ଜଗତସିଂହପୁୁରରୁ ୪୬ ଜଣ, ଗଜପତି ଓ ସୋନପୁର ଜିଲ୍ଲାରୁ ୩୨ ଜଣ ଲେଖାଁଏ, କେନ୍ଦ୍ରାପଡ଼ା ଓ ନୟାଗଡ଼ ଜିଲ୍ଲାରୁ ୨୪ ଜଣ ଲେଖାଁଏ, ଢ଼େଙ୍କାନାଳରୁ ୨୩ ଜଣ, ଦେବଗଡ଼ରୁ ୧୯ ଜଣ,ମାଲକାନଗିରିରୁ ୧୧ ଜଣ, କନ୍ଧମାଳରୁ ୮ ଜଣ, ବୌଦ୍ଧରୁ ୬ ଜଣ ଏବଂ ଷ୍ଟେଟ୍ ପୁଲ୍‌ରୁ ୨୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ପଞ୍ଚାୟତ ନିର୍ବାଚନ ନେଇ ରାଜନୈତିକ ଦଳ ସହ ଆଲୋଚନା କରିବେ ରାଜ୍ୟ ନିର୍ବାଚନ ଆୟୋଗ

0

ଭୁବନେଶ୍ୱର: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ସହ ଆଲୋଚନା କରିବେ ରାଜ୍ୟ ନିର୍ବାଚନ ଆୟୋଗ । ଆଜି ଦିନ ୧୧ଟା ୩୦ରେ ଗୀତଗୋବନ୍ଦ ସଦନରେ ସର୍ବଦଳୀୟ ବୈଠକ ବସିବ । କୋଭିଡ କଚଟକଣା ଦୃଷ୍ଟିକୋଣରୁ ପ୍ରତ୍ୟେକ ଦଳରୁ ଜଣେ ଲେଖାଏଁ ପ୍ରତିନିଧି ବୈଠକରେ ଯୋଗଦେବେ ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାଜନୈତିକ ଦଳ ଗୁଡ଼ିକର ଭୂମିକା, ସେମାନଙ୍କ ପ୍ରସ୍ତାବ, ନିର୍ବାଚନ ଆୟୋଗଙ୍କ ଗାଇଡଲାଇନ ଏବଂ ବିଶେଷକରି କୋଭିଡ ସଂକ୍ରମଣର ବୃଦ୍ଧି ଯୋଗୁଁ ନିର୍ବାଚନ ପ୍ରଚାର ସମ୍ପର୍କରେ ବୈଠକରେ ଆଲୋଚନା ହେବ । ପୂର୍ବରୁ ରାଜ୍ୟ ନିର୍ବାଚନ ଆୟୋଗ କୋଭିଡ ସ୍ଥିତି ସଂପର୍କରେ ସରକାରଙ୍କ ସହ ଆଲୋଚନା କରିଛନ୍ତି । ପ୍ରଶାସନିକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଜିର ବୈଠକକୁ ଅନେକ ଗୁରୁତ୍ୱ ଦିଆଯାଉଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆରମ୍ଭ ହେବ ବର୍ଷା: ୭ଜିଲ୍ଲାକୁ ୟେଲୋ ଆଲର୍ଟ

ଜମ୍ମୁ କଶ୍ମୀରରେ ୨ ଆତଙ୍କବାଦୀ ନିପାତ

0

ଶ୍ରୀନଗର: ଭାରତୀୟ ସୁରକ୍ଷା ବାହିନୀଙ୍କୁ ଆଉ ଏକ ସଫଳତା । ନିପାତ ହେଲେ ୨ଆତଙ୍କବାଦୀ । ତେବେ ସେମାନେ କେଉଁ ସଂଗଠନ ସହ ଜଡ଼ିତ ତାହା ସ୍ପଷ୍ଟ ହୋଇନାହିଁ ।ଆଜି ଭୋର ସକା‌ଳୁ କୁଲ୍‌ଗାମ୍‌ ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ଦ୍ୱାରା ନିହତ ହୋଇଛନ୍ତି।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ସୁରକ୍ଷା ବାହିନୀ କୁଲଗାମ୍ ଜିଲ୍ଲା ହସନ୍‌ପୁରା ଗାଁରେ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା । ପରେ ଅପରେସନ୍ ଏନକାଉଣ୍ଟରରେ ପରିଣତ ହୋଇଥିଲା । ଆଉ ଏହି ଏନକାଉଣ୍ଟରରେ ୨ ଜଣ ନିହତ ହୋଇଛନ୍ତି । ସେମାନଙ୍କ ନିକଟରୁ ବିସ୍ଫୋରକ ସାମଗ୍ରୀ, ମାରଣାସ୍ତ୍ର ଜବତ ହୋଇଛି ।

ରାଜ୍ୟରେ ଆରମ୍ଭ ହେବ ବର୍ଷା: ୭ଜିଲ୍ଲାକୁ ୟେଲୋ ଆଲର୍ଟ

0

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବଦଳିବ ପାଣିପାଗ । ଆସନ୍ତା ୪ ଦିନ ଯାଏ ଭିଜିବ ପଶ୍ଚିମ ଓଡ଼ିଶା । ଆସନ୍ତାକାଲିଠୁ ୧୪ ତାରିଖ ପର୍ଯ୍ୟନ୍ତ ବଜ୍ରପାତ ସହ କୁଆପଥର ବୃଷ୍ଟି ହେବା ନେଇ ସତର୍କତା ଜାରି କରାଯାଇଛି । ପ୍ରବଳ ବର୍ଷା ପାଇଁ ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପଶ୍ଚିମାଝଡ଼ ପ୍ରଭାବରେ ଆଜିଠାରୁ ରାଜ୍ୟର କେତେକ ଅଞ୍ଚଳରେ ପାଗରେ ପରିବର୍ତ୍ତନ ଆସିବ । ବିଜୁଳି ଘଡ଼ଘଡ଼ି ସହିତ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବ । ୧୧ ତାରିଖରୁ ବର୍ଷାର ପରିମାଣ ବଢ଼ିବ । ପ୍ରବଳ ବର୍ଷା ପାଇଁ ବରଗଡ, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଏବଂ ଦେବଗଡକୁ ୟେଲୋ ଆଲର୍ଟ ଜାରି ହୋଇଛି ।

ଏଥିସହିତ ପଢ଼ନ୍ତୁ: ଇବ୍ ନଦୀରେ ନିର୍ମାଣ ହେବ ୨ଟି ବ୍ୟାରେଜ୍: ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ