spot_img
Home Blog Page 4716

କଟକରେ ହକର୍‌ଙ୍କୁ ପରିଚୟ ପତ୍ର ପ୍ରଦାନ କଲେ ମାନସ ମଙ୍ଗରାଜ

ଭୁବନେଶ୍ୱର: ହକର୍‌ମାନଙ୍କ କଷ୍ଟ ବୁଝିପାରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା କଟକଣା ଯୋଗୁଁ ହକର ଭାଇମାନେ କିଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାହା ଅନୁଭବ କରିପାରିଥିଲେ । ଏଣୁ ହକର୍‌ମାନଙ୍କ ସହ କଥା ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ହକର ସଂଘ କର୍ମକର୍ତ୍ତା ଓ ୫-ଟି ସଚିବଙ୍କ ମଧ୍ୟରେ  ଆଲୋଚନା ହୋଇଥିଲା । ଏବଂ ପରେ ପଞ୍ଜୀକୃତ ହକରମାନଙ୍କ ନିମନ୍ତେ ଆର୍ଥିକ ସହାୟତା ଘୋଷଣା ସହ ସେମାନଙ୍କ ସମାଜିକ ସୁରକ୍ଷାକୁ ନିଶ୍ଚିତ କରିବାକୁ ଅନ୍ୟାନ୍ୟ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ସାରା ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଯିଏ ହକର୍‌ମାନଙ୍କୁ ପରିଚୟ ପତ୍ର ଯୋଗାଇ ଦେଉଛି ।

କଟକରେ ହକର୍‌ଙ୍କୁ ପରିଚୟ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ । ମୁଖ୍ୟମନ୍ତ୍ରୀ ପକ୍ଷରୁ ଘୋଷଣା କରାଯାଇଥିବା ସାମାଜିକ ସୁରକ୍ଷା ସମ୍ପର୍କରେ ଉପସ୍ଥିତ ହକର ଭାଇଙ୍କୁ ସୂଚିତ କରିବାକୁ ଯାଇ କହିଥିଲେ ଯେ, ହକର ଭାଇମାନଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ ୨ ଲକ୍ଷ ଟଙ୍କା ଓ ସ୍ୱାଭାବିକ କ୍ଷେତ୍ରରେ ମୃତ୍ୟୁ ହେଲେ ୧ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବ । ଦୁର୍ଘଟଣା ଯୋଗୁଁ ସମ୍ପୂର୍ଣ୍ଣ ଅକ୍ଷମ ହେଲେ ଦେଢ଼ ଲକ୍ଷ ଟଙ୍କା ଓ ଆଂଶିକ ଅକ୍ଷମ ହେଲେ ଆର୍ଥାତ ୨ଟି ଅଙ୍ଗ ହରାଇଲେ ୮୦ ହଜାର ଟଙ୍କା ଓ ଗୋଟିଏ ଅଙ୍ଗ ହରାଇଲେ ୪୦ ହଜାର ଟଙ୍କା ସହାୟତା ଯୋଗାଇଦିଆଯିବ କହିଛନ୍ତି ଶ୍ରୀ ମଙ୍ଗରାଜ ।

ପୂର୍ବରୁ ଖୋର୍ଦ୍ଧାରେ ହକରଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିବା ବେଳେ ଆଜି କଟକରେ ପରିଚୟ ପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାରେ ମୋଟ ୮୪୨ ଜଣ ପଞ୍ଜୀକୃତ ହକର ରହିଥିବା ବେଳେ କରୋନା କଟକଣା ଯୋଗୁଁ ଆଜିର କାର୍ଯ୍ୟକ୍ରମରେ ସୀମିତ ସଂଖ୍ୟକ ଅର୍ଥାତ ୧୦୦ ଜଣଙ୍କୁ ପରିଚତ୍ର ପ୍ରଦାନ କରାଯାଇଛି । ଅନ୍ୟମାନଙ୍କୁ ଦିନେ କିମ୍ୱା ଦୁଇ ଦିନ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପରିଚୟ ପତ୍ର ପ୍ରଦାନ କରାଯିବ ।

ତେବେ ଖୋର୍ଦ୍ଧାର ୨ଜଣ ଓ କଟକର ୪ ଜଣ  ହକର ରାଜ୍ୟ ସରକାରଙ୍କ ପକ୍ଷରୁ ୬ହଜାର ଟଙ୍କାର ଆର୍ଥିକ ସହାୟତା ପାଇପାରିନାହାଁନ୍ତି । ଆଇଏଫ୍‌ଏସ୍‌ସି କୋର୍ଡ ଓ ବ୍ୟାଙ୍କ ଖାତା ନମ୍ୱରରେ ଅସଙ୍ଗତି ଥିବାରୁ ଏଭଳି ଅସୁବିଧା ହୋଇଛି । ତେବେ ଖୁବଶୀଘ୍ର ଏହାର ସମାଧାନ ହେବା ସହ ସେମାନେ ଆର୍ଥିକ ସହାୟତା ପାଇପାରିବେ ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ମଧ୍ୟ ଉପସ୍ଥିତ ଥିଲେ ।

ଗାଙ୍ଗୁଲିଙ୍କ ପରେ ତାଙ୍କ ଝିଅ ସାନା କରୋନାରେ ଆକ୍ରାନ୍ତ

କୋଲକାତା: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କରୋନାର ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିଛି ଦିନ ହସ୍ପିଟାଲରେ ଚିକିତ୍ସା ହୋଇ ଘରକୁ ଫେରିବା ପରେ ତାଙ୍କ ଝିଅ ସାନା କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସାନା କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ତାଙ୍କ ମଧ୍ୟରେ କରୋନାର ସ୍ୱଳ୍ପ ଲକ୍ଷଣ ଦେଖାଯାଇଛି । ଯାହା ଫଳରେ ସେ ଡାକ୍ତରଙ୍କ ପରାମର୍ଶରେ ଘରେ ଆଇସୋଲେସନରେ ରହିଛନ୍ତି । ଗାଙ୍ଗୁଲିଙ୍କ ଝିଅଙ୍କ ସହ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କର ମଧ୍ୟ କରୋନା ଟେଷ୍ଟ ହୋଇଥିଲା କିନ୍ତୁ ଡୋନା ଗାଙ୍ଗୁଲିଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା ।

କିଛି ଦିନ ପୂର୍ବରୁ ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ କରୋନା ଲକ୍ଷଣ ଦେଖାଯାଇଥିଲା। ଏହା ପରେ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା ଯାହା ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କରୋନା ପଜିଟିଭ୍ ହେବା ପରେ ତାଙ୍କ ସାମ୍ପୁଲ ଜେନମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । କିନ୍ତୁ ତାଙ୍କ ରିପୋର୍ଟ ଓମିକ୍ରନ ନେଗେଟିଭ୍ ଆସିଥିଲା । କିନ୍ତୁ ତାଙ୍କ ମଧ୍ୟରେ ଡେଲଟା ଭାରିଆଣ୍ଟ ଥିବା ଚିହ୍ନଟ ହୋଇଥିଲେ ।

ତେବେ କରୋନାରେ କେବଳ ସୌରଭ ଗାଙ୍ଗୁଲି କିମ୍ବା ତାଙ୍କ ଝିଅ ସାନା ଆକ୍ରାନ୍ତ ହୋଇ ନାହାନ୍ତି, ତାଙ୍କ ବଡ଼ ଭାଇ ସ୍ନେହାଶିଷ ମଧ୍ୟ ଚଳିତ ବର୍ଷ ଆରମ୍ଭରୁ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏଥି ସହ ୨୦୨୧ରେ ବିସିସିଆଇ ବସ୍ ଗାଙ୍ଗୁଲି ଦୁଇ ଥର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରାଯାଇଥିଲା।

 

 

କୋଭିଡ୍ ସଂକ୍ରମଣ ବୃଦ୍ଧି ସହ ରାଜଧାନୀରେ ବଢ଼ୁଛି କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ୱର: ଡରାଉଛି କରୋନା, ପ୍ରତିଦିନ ବଢ଼ି ବଢ଼ି ଚାଲିଛି ସଂକ୍ରମଣ ମାମଲା । ରାଜଧାନୀ ଭୁବନେଶ୍ୱରରେ ସଂକ୍ରମଣ ମାମଲା ବଢ଼ିବା ସହ କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ବଢ଼ୁଛି । ଆଜି ଆଉ ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରିଛି ବିଏମସି । ସମସ୍ତ କଣ୍ଟେନମେଣ୍ଟ ୭ ଦିନ ପାଇଁ ବଳବତ୍ତର ରହିବ । ଗତକାଲି ଏକାଧିକ ପୋଲିସ କର୍ମଚାରୀ କୋଭିଡ୍ ସଂକ୍ରମିତ ହେବା ପରେ ଭୁବନେଶ୍ୱର ଡିସିପି ଅଫିସକୁ ସିଲ୍ କରାଯାଇଥିଲା ।

ଆଜି ବାପୁଜୀନଗରର ପ୍ଲଟ ନମ୍ବର ୬୦, ସତ୍ୟନଗରର ପ୍ଲଟ ନମ୍ବର ୧୨୦ (ବି), ଆଚାର୍ଯ୍ୟ ବିହାରର ପ୍ଲଟ ନମ୍ବର ୧୪୧୯ (ଏ), ଟଙ୍କପାଣି ରୋଡ ବିଷ୍ଣୁ ନଗରର ପ୍ଲଟ ନମ୍ବର ୧୧୪୭ ଓ ଆଚାର୍ଯ୍ୟ ବିହାରର ପ୍ଲଟ ନମ୍ବର ଏଲ୍୩/୬୫କୁ କଣ୍ଟେନମେଣ୍ଟ ଘୋଷଣା କରିଛି ବିଏମସିର ଦକ୍ଷିଣ ପୂର୍ବ ଜୋନ । ସଂକ୍ରମଣ ବୃଦ୍ଧି ପରେ ଏ ପଦକ୍ଷେପ ନିଆଯାଇଥିବା ଜୋନାଲ ଡେପୁଟି କମିଶନର ମହେନ୍ଦ୍ର କୁମାର ବଢ଼େଇ ସୂଚନା ଦେଇଛନ୍ତି ।

ଗୋଟିଏ ସ୍ଥାନରେ ଏକାଧିକ ସଂକ୍ରମିତ ଚିହ୍ନଟ ଯୋଗୁଁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । କଣ୍ଟେନମେଣ୍ଟ ଘୋଷଣା ଦିନ ଠାରୁ କଟକଣା ୭ ଦିନ ଯାଏ ବଳବତ୍ତର ରହିବ । ବିଏମସିର ତଥ୍ୟ ଅନୁସାରେ, ୩ ତାରିଖରେ ୧୪୨ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେଥିରୁ ୧୯ଟି କ୍ୱାରେଣ୍ଟାଇନ୍ ମାମଲା ଥିବାବେଳେ ୧୨୩ଟି ସ୍ଥାନୀୟ ସଂକ୍ରମଣ ।

ପୁଲଓ୍ୱାମାରେ ପୁଣି ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କବାଦୀ

ଶ୍ରୀନଗର: ବର୍ଷ ଆରମ୍ଭରୁ ଭାରତୀୟ ସେନାଙ୍କୁ ମିଳିଛି ବଡ଼ ସଫଳତା । ଭାରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୩ ଜଣ ଆତଙ୍କୀ ମୃତ୍ୟୁ ବରଣ କରିଛନ୍ତି । ଏହି ଏନକାଉଣ୍ଟର ଜାମ୍ମୁ କାଶ୍ମୀର ପୁଲଓ୍ୱାମାରେ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଗତ କିଛି ଦିନ ମଧ୍ୟରେ ୫ଟି ଏନକାଉଣ୍ଟର ହେବା ସହ ଏହି ଏନକାଉଣ୍ଟରରେ ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଲେଣି ୮ ଆତଙ୍କବାଦୀ । ପୁଲଓ୍ବାମାର ଚନ୍ଦଗାଁ ଇଲାକାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏହି ସଂଘର୍ଷ ହୋଇଥିଲା ।

ଏହି ଏନକାଉଣ୍ଟରରେ ମୃତ୍ୟୁ ବରଣ କରିଥିବା ଆତଙ୍କବାଦୀମାନେ ଜୈସ-ଏ-ମହମ୍ମଦ ସଂଗଠନର କର୍ମୀ । ସେମାନଙ୍କ ମଧ୍ୟରୁ ଜଣେ ପାକିସ୍ତାନ ନାଗରିକ ବୋଲି ସୂଚନା ମିଳିଛି । ଏନକାଉଣ୍ଟରରୁ ବିପୁଳ ଅସ୍ତ୍ରଶସ୍ତ୍ର, ଆମେରିକା ତିଆରି ଏମ-୪ ଆସଲ୍ଟ ରାଇଫଲ, ୨ଟି ଏମ୪ କାରବାଇନ, ଗୋଟିଏ ଏକେ-୪୭ ସେମାନଙ୍କଠାରୁ ଜବତ ହୋଇଛି ବୋଲି ଆଇଜିପି ବିଜୟ କୁମାର କହିଛନ୍ତି । ସେହିପରି ଗତ ମଙ୍ଗଳବାର କୁଲଗାମ ଜିଲ୍ଲାରେ ୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବାବେଳେ ସୋମବାର ଶ୍ରୀନଗରର ଶାଲିମାର ଗାର୍ଡେନରେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ । ସେହିପରି ରବିବାର କୁପଓ୍ବାରା ଜିଲ୍ଲାରେ ଜଣେ ପାକିସ୍ତାନ ଆତଙ୍କବାଦୀ ପ୍ରାଣ ହରାଇଥିଲା ।

 

 

 

ଶ୍ରୀଜଗନ୍ନାଥ ମନ୍ଦିର ସ୍ଥାବର ସମ୍ପତ୍ତି ବିକ୍ରି କିମ୍ୱା ଲିଜ୍ ପାଇଁ ଅନୁମୋଦନ ପ୍ରଦାନ କରିପାରିବେ ସରକାରୀ ଅଧିକାରୀ

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ୧୯୫୪ ସଂଶୋଧନ ସମ୍ପର୍କିତ ପ୍ରସ୍ତାବ ଉପରେ ବାଜିଲା ରାଜ୍ୟ କ୍ୟାବିନେଟ୍‌ ମୋହର । ଜାରି ହୋଇଛି ଅଧ୍ୟାଦେଶ । ଏହାଦ୍ୱାରା ପରିଚାଳନା କମିଟିରେ ଅଧୀନରେ ଥିବା ସ୍ଥାବର ସମ୍ପତ୍ତି, ଜମିବାଡିର ମାଲିକାନା ସ୍ୱତ୍ତ୍ୱ ପରିବର୍ତ୍ତନ ହୋଇପାରିବ । ମାଲିକାନା ସ୍ୱତ୍ତ୍ୱ ପରିବର୍ତ୍ତନ ଓ ତୁରନ୍ତ ଫୈସଲା ପାଇଁ କାର୍ଯ୍ୟକାରୀ ହେବ ।

ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ୧୯୫୪ ଧାରା ୧୬-୨ ଅନୁସାରେ ଶ୍ରୀଜଗନ୍ନାଥ ମନ୍ଦିରର ସ୍ଥାବର ସଂପତ୍ତିକୁ ବିକ୍ରି, ଲିଜ୍‌ କିମ୍ବା ବନ୍ଧା ପକାଇବା ବେଳେ ହସ୍ତାନ୍ତର କରିବା ପାଇଁ ସରକାରଙ୍କ ପୂର୍ବ ଅନୁମୋଦନ ଦରକାର ପଡୁଥିଲା । କିନ୍ତୁ ଏଣିକି ଅଧ୍ୟାଦେଶ ବଳରେ ସବୁ କ୍ଷେତ୍ରରେ ସରକାରଙ୍କ ଅନୁମୋଦନ ଦରକାର ପଡିବ ନାହିଁ । ଅଧ୍ୟାଦେଶ ଆସିବା ପରେ ସେ ସମ୍ପର୍କିତ ନିୟମରେ ଆବଶ୍ୟକ ସଂଶୋଧନ କରାଯାଇଛି । ସରକାରଙ୍କ ବିନା ଅନୁମୋଦନରେ କେତେକ ସରକାରୀ ଅଧିକାରୀ, ଯେମିତି ମନ୍ଦିର କାର୍ଯ୍ୟକାରୀ ସଭାପତି, ମୁଖ୍ୟ ପ୍ରଶାସକ, ମନ୍ଦିର ପ୍ରଶାସକ, ଉପପ୍ରଶାସକ ପ୍ରମୁଖଙ୍କୁ ନିର୍ଦ୍ଦିଷ୍ଟ ପରିମିତ ଜମିର ହସ୍ତାନ୍ତରୀକରଣ ପାଇଁ କ୍ଷମତା ପ୍ରଦାନ କରାଯିବ ।

ଦିଲ୍ଲୀରେ କରୋନାର ପଞ୍ଚମ ପ୍ରବାହ, ଆଜି ୧୦ ହଜାରରୁ ଅଧିକ ମାମଲା ଆସିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଶଙ୍କା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବଢ଼ୁଥିବା ସଂକ୍ରମଣ ମାମଲା ବଡ଼ ବିପଦର ସଂକେତ ଦେଉଛି । ଦେଶରେ କରୋନାର ତୃତୀୟ ପ୍ରବାହ ଆସିଥିବା ବେଳେ ଦିଲ୍ଲୀରେ କରୋନାର ପଞ୍ଚମ ପ୍ରବାହ ଆସିଛି । ଆଜି ଦିଲ୍ଲୀରେ ଚିହ୍ନଟ ହୋଇପାରନ୍ତି ୧୦ ହଜାର ସଂକ୍ରମିତ । କରୋନା ମାମଲା ବୃଦ୍ଧି ପାଉଥିବା ବେଳେ ଏଭଳି କହିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ସେ କରିଛନ୍ତି ଆଜି ୧୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ସହ ଏବଂ ପଜିଟିଭିଟି ରେଟ୍ ୧୦ ପ୍ରତିଶତ ହୋଇଯିବ । ଗୋଟିଏ ଦିନ ପୂର୍ବରୁ ମଙ୍ଗଳବାର ଦିଲ୍ଲୀରେ କରୋନାର ୫ ହଜାର ୫୦୦ ମାମଲା ଆସିବା ସଂକ୍ରମଣ ହାର ୮.୫ ପ୍ରତିଶତ ରହିଥିଲା ।

ବଢ଼ୁଥିବା ସଂକ୍ରମଣକୁ ଦେଖି ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଲଗାଯାଇଛି । ତେବେ ଚିନ୍ତା ହେଉଛି କଡ଼ା କଟକଣା ପରେ ସଂକ୍ରମଣ ମାମଲା ଏପରି ବଢ଼ିଲେ ସ୍ଥିତି ଉଦବେଗଜନକ ହୋଇଯିବ । ଏପରିକି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଯାଏ ପହଞ୍ଚିପାରେ । ସୋମବାର ଦିଲ୍ଲୀରେ ୪ ହଜାର ୯୯ ଜଣ ସଂକ୍ରମିତ ଚିହ୍ନଟ ହେବା ସହ ସଂକ୍ରମଣ ହାର ୬.୪୬ ପ୍ରତିଶତ ଥିଲା ।

ଦିଲ୍ଲୀକୁ ଅଧିକାଂଶ ଲୋକ ବାହାରୁ ଆସୁଥିବାରୁ ସଂକ୍ରମଣର ବିପଦ ଅଧିକ ରହୁଛି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅନୁସାରେ, କରୋନା ପୂରା ଦେଶରେ ବ୍ୟାପୁଛି । ଏବେ ଆକ୍ରାନ୍ତଙ୍କ ଠାରେ ସ୍ୱଳ୍ପ ଲକ୍ଷଣ ଦେଖା ଯାଉଛି । ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ଠିକ୍ ଥିବା ସୂଚନା ଦେଇଛନ୍ତି ସତ୍ୟେନ୍ଦ୍ର ଜୈନ୍ ।

ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ୍ ପ୍ରତିଷ୍ଠାନର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ପୁରୀ: କୃଷ୍ଣପ୍ରସାଦ ବ୍ଳକ ଶିଆଣ୍ଡି ପଞ୍ଚାୟତ ଗୋପାଳପୁରଠାରେ ନୂତନ ଭାବେ ନିର୍ମାଣ ହୋଇଛି ବିଜୁପଟ୍ଟନାୟକ ଶିଳ୍ପ ତାଲିମ ପ୍ରତିଷ୍ଠାନ । ଏହାକୁ ଆଜି ଉଦଘାଟନ କରାଯାଇଛି । କୃଷ୍ଣପ୍ରସାଦ ବ୍ଳକର ଚିଲିକା ପାର୍ଶ୍ୱରେ ଥିବା ଛାତ୍ରଛାତ୍ରୀମାନଙ୍କୁ ବୈଷୟିକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଏହି ପ୍ରତିଷ୍ଠାନ ବେଶ୍ ସହାୟକ ହେବ । ଏଭଳି ଲକ୍ଷ୍ୟ ନେଇ ଏହି ଶିକ୍ଷାନୁଷ୍ଠାନ ନିର୍ମାଣ କରିଛନ୍ତି ରାଜ୍ୟ ସରକାର । ଏଠାରେ ଶିକ୍ଷା ଗ୍ରହଣ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ।

 

ସୁନ୍ଦରଗଡ଼ ସର୍ଗିପାଲି ନବୋଦୟ ବିଦ୍ୟାଳୟରେ ୩୬ଜଣ ଛାତ୍ରଛାତ୍ରୀ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମଧ୍ୟ ସଂକ୍ରମଣ ବ୍ୟାପିବାରେ ଲାଗିଲାଣି। ଏହି କ୍ରମରେ ସୁନ୍ଦରଗଡ଼ ନବୋଦୟ ବିଦ୍ୟାଳୟରେ କରୋନା ବିସ୍ଫୋରଣ ଘଟିଛି। ୩୬ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ସମସ୍ତଙ୍କୁ ହୋମ୍ ଆଇସୋଲେସନରେ ରଖାଯାଇଛି।

ସୁନ୍ଦରଗଡ଼ ସର୍ଗିପାଲି ସ୍ଥିତ ନବୋଦୟ ବିଦ୍ୟାଳୟରେ ୩୬ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାସହ ଜଣେ କର୍ମଚାରୀ ମଧ୍ୟ କରୋନା ପଜିଟିଭ ଚିହ୍ନଟ । ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ସମସ୍ତଙ୍କର ସାମନ୍ୟ ଲକ୍ଷଣ ରହିଛି । ସମସ୍ତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ସମସ୍ତ ଛାତ୍ରଛାତ୍ରୀଙ୍କର ସାମନ୍ୟ ଲକ୍ଷଣ ରହିଛି ।

ଅନ୍ୟପକ୍ଷରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୧୨୧୬ ଜଣ ସଂକ୍ରମିତ । କ୍ୱାରେଣ୍ଟାଇନ୍‌ରୁ ୭୧୦ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୫୦୬ । ଶୂନରୁ ୧୮ ବର୍ଷ ମଧ୍ୟରେ ଆକ୍ରାନ୍ତ ହୋଇଛନ୍ତି ୧୮୭ ଜଣ । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୫୬ ଜଣ ସଂକ୍ରମିତ ହୋଇଛନ୍ତି । ଆଗକୁ ସଂଖ୍ୟା ଆହୁରି ବଢିବ ବୋଲି ଆକଳନ କରିଛି ସ୍ୱାସ୍ଥ୍ୟ ବିଭାଗ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ: ୧୨୧୬ଜଣ ନୂଆ ସଂକ୍ରମିତ ଚିହ୍ନଟ

ERSS 112 ସେବା ମାଧ୍ୟମରେ ୪୦୨୮ ଜଣଙ୍କୁ ସହାୟତା ଯୋଗାଇ ଦେଇଛି ପୋଲିସ

ଭୁବନେଶ୍ୱର: ସହରାଞ୍ଚଳରେ ଜନସାଧାରଣମାନଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା ପାଇଁ Victor Control Room  ଦ୍ଵାରା ଗତ ବର୍ଷ ଡିସେମ୍ବର ମାସରେ ଜରୁରୀକାଳୀନ ସହାୟତା ବ୍ୟବସ୍ଥା( ERSS-112) ସେବା ମାଧ୍ୟମରେ ସମୁଦାୟ ୪୦୨୮ ଗୋଟି ଫୋନ କଲ ଗ୍ରହଣ କରାଯାଇଥିଲା । ସାହାଯ୍ୟ  ଚାହୁଁଥିବା ବ୍ୟକ୍ତି ମାନଙ୍କ ନିକଟରେ ତୁରନ୍ତ ପହଞ୍ଚି ସେମାନଙ୍କ ସମସ୍ୟାର ସମାଧାନ କରାଯାଇ ପାରିଛି ।  ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଜିଲ୍ଲାରେ ଉପଲବ୍ଧ ୩୫ ଗୋଟି ପିସିଆର ଭ୍ୟାନରେ କାର୍ଯ୍ୟରତ କର୍ମଚାରୀମାନେ ନିର୍ଦ୍ଦିଷ୍ଟ ସ୍ଥାନମାନଙ୍କରେ ଅବିଳମ୍ବେ ପହଞ୍ଚିବା ଫଳରେ ଘଟିବାକୁ ଥିବା ଅନେକ ଗଣ୍ଡଗୋଳର ପ୍ରାକ ସମାଧାନ କରିବା ସହ ଅପରାଧୀଙ୍କୁ କାବୁ କରାଯାଇପାରିଛି । ଏହା ଛଡା ବିଭିନ୍ନ ଧାରଣା, ପ୍ରତିବାଦ ସଭା ସମୟରେ  ଟ୍ରାଫିକ୍ ନିୟନ୍ତ୍ରଣ , ଆନ୍ଦୋଳନକାରୀ ମାନଙ୍କୁ ସ୍ଥାନାନ୍ତରିତ କରିବା ସହ ଦୁର୍ଘଟଣାର ଶିକାର ବ୍ୟକ୍ତି ମାନଙ୍କୁ ତୁରନ୍ତ ହସ୍ପିଟାଲ ନେବା ତଥା ପୀଡ଼ିତ ବ୍ୟକ୍ତିଙ୍କୁ ତୁରନ୍ତ ସାହାଯ୍ୟ କରିବାରେ ପିସିଆର ଭ୍ୟାନରେ କାର୍ଯ୍ୟରତ କର୍ମଚାରୀମାନେ ଉଦ୍ୟମ କରିଛନ୍ତି ।

କିଛି ଉଲ୍ଲେଖନୀୟ ଘଟଣାବଳୀ

୧. ଗତ ତା ୦୫.୧୨. ୨୦୨୧ ରିଖ ସକାଳ ପ୍ରାୟ ୯.୩୬  ରେ ପ୍ରାୟ ୭୫ ବର୍ଷ ବୟସର ଜଣେ ବୃଦ୍ଧ ମହିଳା ଲକ୍ଷ୍ମୀସାଗର ଯାତ୍ରୀ  ନିବାସ ପାଖରେ ଅସହାୟ ଅବସ୍ଥାରେ ବୁଲୁଥିବା ସମୟରେ ପିସିଆର –୯ ଟିମ ତାଙ୍କୁ  ଉଦ୍ଧାର କରି ରଙ୍ଗବଜାରସ୍ଥିତ  ଏକାମ୍ର ନୀଳୟ  ଆଶ୍ରମକୁ ସ୍ଥାନାନ୍ତରିତ କରିଥିଲେ।

୨. ଗତ ତା ୦୭.୧୨. ୨୦୨୧ ରିଖ ଦିନ ବେଳେ ERSS -112 କଣ୍ଟ୍ରୋଲ ରୁମ ମାଧ୍ୟମରେ ସୂଚନା ପାଇ ପିସିଆର-୩୨ ଟିମ ଯାଁଳା ଜନ ସ୍ଵାସ୍ଥ୍ୟ କେନ୍ଦ୍ରରେ ଆହତ ଅବସ୍ଥାରେ ଥିବା ଜଣେ ମାନସିକ ସ୍ତରରେ ଅସୁସ୍ଥ ମହିଳାଙ୍କୁ ଚିକିତ୍ସା ପରେ “ଆଶା କିରଣ ” ଅନୁଷ୍ଠାନକୁ ଥଇଥାନ ନିମନ୍ତେ ସ୍ଥାନାନ୍ତରିତ କରିଥିଲେ।

୩. ଗତ ତା ୧୯.୧୨.୨୦୨୧ ରେ ରାତିରେ  ସୂଚନା ପାଇ ପିସିଆର୍-୩୫ ଟିମ  ଭରତପୁର ମାଛ ବଜାରରେ ମାରଣାସ୍ତ୍ର ଦେଖାଇ ଭୟ ସୃଷ୍ଟି କରୁଥିବା ଦୁଇ ଜଣ ବ୍ୟକ୍ତିଙ୍କୁ କାବୁ କରି ଭରତପୁର ଥାନାକୁ ଆଣିଥିଲେ ।

୪. ଗତ ତା ୨୦.୧୨.୨୦୨୧ ରେ ପିସି ଆର୍ -୭ ଟିମ୍ ପଳାସୁଣି ହାଟ ରୁ ଜଣେ ସ୍ତ୍ରୀ ଲୋକଠୁ ସୁନା ଚେନ୍ ଲୁଟ କରିବାକୁ ଉଦ୍ୟମ କରି ଖସି ପଳାଇବା କୁ ଚେଷ୍ଟା  କରୁଥିବା ଲୁଟେରା କୁ ଧରି ଥାନାରେ ହାଜର କରିଥିଲେ।

୫. ଗତ ତା ୨୭.୧୨.୨୦୨୧ ରାତିରେ ପିସିଆର୍-୨ ଟିମ  ୟୁନିଟ – ୨ ବାଳିକା ବିଦ୍ୟାଳୟ ନିକଟରେ ପେଟ୍ରଲିଙ୍ଗ କରୁଥିବା ସମୟରେ ଡଷ୍ଟବିନ୍ ରେ ପଡ଼ିଥିବା ଏକ ୫ ରୁ ୬ ଦିନର ସଦ୍ୟଜାତ ଶିଶୁକୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ କୁ ନେଇଥିଲେ।

କଟକରେ ହକର୍‌ଙ୍କୁ ପରିଚୟ ପତ୍ର ପ୍ରଦାନ କରିବେ ମାନସ ମଙ୍ଗରାଜ

କଟକ: ଆଜି ହକରଙ୍କୁ ମିଳିବ ନୂଆ ପରିଚୟ । ହକରଙ୍କୁ ସେମାନଙ୍କ ହକ୍ ଦେବା ପାଇଁ ଆଗେଇ ଆସିଛନ୍ତି ରାଜ୍ୟ ସରକାର । ଆଜି କଟକ ସହିଦ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ୧୦୦ ଜଣ ହକରଙ୍କୁ ମିଳିବ ପରିଚୟ ପତ୍ର । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରିଚୟ ପତ୍ର ବଣ୍ଟନ କରିବେ ।

ସୂଚନା ଓ ଲୋକସମ୍ପର୍କ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ସିଏମସି କମିସନର ଅନନ୍ୟା ଦାଶ ଓ କଟକ ଏଡିଏମଓ ବିଜୟ ଖଣ୍ଡାୟତ ରାୟ ଏହି ଅତିଥି ଭାବେ ଯୋଗ ଦେବେ । ଜିଲ୍ଲାପାଳ ଭବାନୀଶଙ୍କର ଚୟନୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ୧୦୦ ଜଣ ହକରଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ । ଜିଲ୍ଲାରେ ମୋଟ ୮୨୨ ହକରଙ୍କୁ ମିଳିବ ପରିଚୟ ପତ୍ର ।

ଏହା ପୂର୍ବରୁ ଖୋର୍ଦ୍ଧାରେ ଖବରକାଗଜ ହକରଙ୍କୁ ପରିଚୟପତ୍ର ବଣ୍ଟନ କରାଯାଇଥିଲା । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଏହି ପରିଚୟପତ୍ର ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମରେ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ବିଷ୍ଣୁପଦ ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ରାଜ୍ୟର ୭ ହଜାର ୩୦୦ ଖବରକାଗଜ ହକରଙ୍କୁ ପରିଚୟପତ୍ର ବଣ୍ଟନ କରାଯିବ । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ହକର୍‌ଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ୭୩୦୦ ପଞ୍ଜିକୃତ ହକରଙ୍କୁ ୬୦୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ