spot_img
Home Blog Page 4736

ଆଜି ନନ୍ଦିଘୋଷ ଟିଭିରେ ‘ନିଝୁମ ରାତିର ସାଥୀ’

ଭୁବନେଶ୍ବର: ଆଜି ବର୍ଷର ଶେଷ ଦିନ । ଶେଷ ଦିନକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ବାଗତ କରିବାକୁ ନନ୍ଦିଘୋଷ ଟିଭି ଆପଣଙ୍କ ପାଇଁ ନେଇ ଆସୁଛି ନ୍ୟୁୟର ସେଲିବ୍ରେସନ୍ ‘ନିଝୁମ ରାତିର ସାଥୀ’ । ଆଜି ରାତି ୯ଟା ୫ରୁ ଦେଖନ୍ତୁ କେବଳ ନନ୍ଦିଘୋଷ ଟିଭିରେ ।

କୁନା ତ୍ରିପାଠୀ, ପପୁ ପମପମ୍, ପ୍ରଜ୍ଞାନ, ଶଙ୍କରଙ୍କ ତଡକାରେ ହସି ହସି ହେବେ ବେଦମ୍ । ସୁର ଭାଇଙ୍କ ମାଡ଼ିଚାଲ ଡାକରେ ଦର୍ଶକ ହେବେ ମତୁଆଲା । ଏକାଠି ହେବେ ଓଲିଉଡ଼ କଳାକାରଙ୍କ ସହିତ ବହୁ ବିଶିଷ୍ଠ ବ୍ୟକ୍ତି । ନୃତ୍ୟଗୀତ ଓ ସଙ୍ଗୀତରେ ଝୁମିବ ଏହି ରାତି । କଳାକାରଙ୍କ ଠୁମକାରେ ଦୁଲୁକିବ ମଞ୍ଚ ।

ଦର୍ଶକଙ୍କ ମନୋରଞ୍ଜନ ପାଇଁ ସବୁ ପ୍ରକାର ଆଇଟମ୍ ଏହି ଶୋ’ରେ ଦେଖିବାକୁ ମିଳିବ । କୋଭିଡ କଟକଣା ଭିତରେ ସାରା ପରିବାର ଏକାଠି ଏହି ଶୋ’ର ମଜା ଉଠାଇପାରିବେ । ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେବ ଆଉ ମତୁଆଲା କରିବ ‘ନିଝୁମ ରାତିର ସାଥୀ’ ।

ଲେଉଟିବ ଶୀତ, ଛାଇଯିବ ଘନ କୁହୁଡ଼ି

ଭୁବନେଶ୍ବର: ଦୁର୍ବଳ ହେଲା ଘୂର୍ଣ୍ଣିବଳୟ । ଆଜିଠୁ ବଦଳିଯିବ ରାଜ୍ୟରେ ପାଣିପାଗ । ପୁଣି ଲେଉଟିବ ହାଡ଼ଭଙ୍ଗା ଶୀତ । ଘନ କୁହୁଡ଼ିରେ ଅସ୍ତବ୍ୟସ୍ତ ହେବ ଜନଜୀବନ । ଓଡ଼ିଶାକୁ ଆସୁଥିବା ଜଳୀୟବାଷ୍ପ ପୂର୍ଣ୍ଣ ଉଷ୍ଣ ବାୟୁ ପ୍ରବାହରେ ରାଜ୍ୟରେ ଏଭଳି ପାଗ ଜାରି ରହିବ ।

ଆଜି ରାଜ୍ୟର ଗୋଟିଏରୁ ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଘନ କୁହୁଡି ସହିତ ଶୀତରେ ଅସ୍ତବ୍ୟସ୍ତ ହେବ ଓଡ଼ିଶା । ଗତ କିଛି ଦିନ ହେଲା ସ୍ବାଭାବିକ ତାପମାତ୍ରାରେ ବୃଦ୍ଧି ହୋଇଥିଲା ବେଳେ ଏଥର ପାରା କମିବ । ଫଳରେ ଉପାନ୍ତରୁ ଉପକୂଳ ଜାଡ ବଢିବ । ଏନେଇ ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା କମିବ । ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ପାରା କମିବା ସହ ଶୀତ ବଢିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।

ଜମିବନି ଜିରୋ ନାଇଟ୍ ସେଲିବ୍ରେସନ

ଭୁବନେଶ୍ବର: ରାତି ପାହିଲେ ନୂଆ ବର୍ଷ । ଆଜି ଜିରୋ ନାଇଟ୍ ସେଲିବ୍ରେସନ । ବର୍ଷ ୨୧କୁ ବିଦାୟ ଦେଇ ୨୨କୁ ସ୍ବାଗତ କରିବାକୁ କାହାର କେତେ ଯୋଜନା ଥିଲା । ହେଲେ କରୋନା ଭାରିଆଣ୍ଟ ଓମିକ୍ରନ ସବୁ ଯୋଜନାରେ ପାଣି ମିଶାଇ ଦେଇଛି । ଗତବର୍ଷ ଭଳି ଏଥର ବି ଜିରୋ ନାଇଟ୍ ସେଲିବ୍ରେସନ୍ ଫିକ୍ । ନା ଜମିବ ଭୋଜିର ଆସର ନା ବାଜିବ ଡିଜେ । ରଙ୍ଗୀନ ଆଲୁଅରେ ନାଚି, ଗାଇ ନୂଆବର୍ଷ ୨୦୨୨କୁ କରି ହେବନି ସ୍ବାଗତ । କାରଣ କରୋନା ସଂକ୍ରମଣକୁ ଚେକ୍ ଦେବାକୁ ରାଜ୍ୟ ସରକାର ନେଇଛନ୍ତି ଆଗୁଆ ପଦକ୍ଷେପ । ଜିରୋନାଇଟ୍ ସେଲିବ୍ରେସନ ଓ ନୂଆବର୍ଷ ସେଲିବ୍ରିସନ ପାଇଁ ଜାରି ହେଲା ସ୍ବତନ୍ତ୍ର ମାର୍ଗଦର୍ଶିକା । ସାମୁହିକ ଉତ୍ସବ ପାଳନ ଉପରେ ଲାଗିଲା କଟକଣା ।

ଭୁବନେଶ୍ବର, କଟକ, ସମ୍ବଲପୁର ସମେତ ରାଜ୍ୟର ପ୍ରମୁଖ ସହରରେ କଟକଣା ଲାଗୁ ହୋଇଛି । ହୋଟେଲ, ପବ୍ଲିକ୍ ଓ ବିଭିନ୍ନ ପାର୍କରେ ନୂତନ ବର୍ଷ ପାଳନକୁ ନିଷେଧ କରାଯାଇଛି । ନନ୍ଦନକାନନ ସହିତ ପ୍ଲାନେଟୋରିୟମ୍ ଓ ଧାର୍ମିକ ଅନୁଷ୍ଠାନରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ ଲାଗିଛି କଟକଣା । ପୂର୍ବ ଘୋଷଣା ଅନୁଯାୟୀ ଆଜିଠୁ 2 ତାରିଖ ପ୍ରଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିବ । ଭୁବନେଶ୍ବରରେ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବିଏମସି । ପରିସ୍ଥିତି ଉପରେ ନଜର ରଖିବାକୁ ଗଠନ ହୋଇଛି ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ । ଆଇନ ଉଲ୍ଲଂଘନ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ । କଟକରେ ଏଣ୍ଟ୍ରି, ଏକ୍‌ଜିଟ ଓ ପ୍ରତିଟି ସ୍ଥାନରେ ମୁତୟନ ହେବେ ପୋଲିସ । ଜିଲ୍ଲାର କୌଣସି ସ୍ଥାନରେ ନୂଆବର୍ଷ ଉତ୍ସବ, ଅର୍କେଷ୍ଟ୍ରା, ନାଚଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ, ଭୋଜିଭାତ ପାଳନ ନ କରିବାକୁ ଜିଲ୍ଲାପାଳ ଏକ ଏସୋପି ଜାରି  କରିଛନ୍ତି ।

ଓଡ଼ିଶାରେ ଚିନ୍ତା ବଢ଼ାଇଲା ଓମିକ୍ରନ

ଭୁବନେଶ୍ବର: ରାଜ୍ୟରେ କରୋନା ଭାରିଆଣ୍ଟ ଓମିକ୍ରନକୁ ନେଇ ବଢ଼ିଛି ଚିନ୍ତା । ବିଦେଶ ଫେରନ୍ତାଙ୍କ ବାଦ ପ୍ରଥମ ଥର ଜଣେ ଅଣ ବିଦେଶ ଫେରନ୍ତା ଓମିକ୍ରନ ଆକ୍ରାନ୍ତ ହୋଇଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି । ଗତକାଲି ଚିହ୍ନଟ ହୋଇଥିବା ୫ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ବିଦେଶ ଫେରନ୍ତା ହୋଇଥିବା ବେଳେ ଜଣେ କଣ୍ଟ୍ରାକ୍ଟ ଟ୍ରେସିଂରେ ଚିହ୍ନଟ ହୋଇଛନ୍ତି । ତେବେ ସମସ୍ତଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏହାସହ ଆହୁରି ସତର୍କ ରହିବାକୁ ବିଭାଗ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

ଅନ୍ୟପଟେ କିଶୋରଙ୍କୁ ଟିକାକରଣ ପାଇଁ ପ୍ରସ୍ତୁତ ଅଛି ଓଡ଼ିଶା । ଜାନୁଆରୀ ୩ ତାରଖରୁ ୧୫ରୁ ୧୮ ବର୍ଷ ବର୍ଗରେ ୨୩ ଲକ୍ଷ ୬୫ ହଜାର କିଶୋର ଟିକା ନେବେ । ମାସେ ଭିତରେ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖିଛି ସ୍ବାସ୍ଥ୍ୟ ବିଭାଗ । ଏଥିପାଇଁ ଆସନ୍ତାକାଲିଠୁ ପଞ୍ଜିକରଣ ଆରମ୍ଭ ହେବ । ଜିଲ୍ଲାସ୍ତରରେ ଅଧିକ ଟିକାକେନ୍ଦ୍ର ଖୋଲିବା ସହ ଆବଶ୍ୟକ ପଡ଼ିଲେ ସ୍କୁଲରେ ଟିକାକେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ ।

ଭାରତରେ ମୁଣ୍ଡ ନେଲା ଓମିକ୍ରନ

ନୂଆଦିଲ୍ଲୀ: ବଢ଼ିଲା ଟେନସନ୍ । ଭାରତରେ ପ୍ରଥମ ମୁଣ୍ଡ ନେଲା ଓମିକ୍ରନ । ମୃତକ ଜଣଙ୍କ ମହାରାଷ୍ଟ୍ରର ହୋଇଥିବା ସୂଚନା । ସେପଟେ ଦେଶରେ ଆରମ୍ଭ ହେଲାଣି ତୃତୀୟ ଲହର । ଏବେଠୁ ସତର୍କ ନହେଲେ ଆଗକୁ ବିଗିଡ଼ିଯିବ ସ୍ଥିତି । ଦିଲ୍ଲୀ ଓ ମୁମ୍ବାଇରେ ଦ୍ରୁତଗତିରେ ମାଡି ଚାଲିଛି ଓମିକ୍ରନ । ଦିନକୁ ଦିନ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ଦେଶର ୧୪ ସହରରେ ସଂକ୍ରମଣ ଗ୍ରାଫ୍ ବଢୁଥିବା ବେଳେ ହଜାରେ ପାଖାପାଖି ହେଲାଣି ଓମିକ୍ରନ କେସ୍ । ଅଧିକ ସଂକ୍ରମିତ ହେଉଥିବା ୮ ରାଜ୍ୟକୁ କେନ୍ଦ୍ର ଚିଠି ଲେଖି ସତର୍କ କରାଇଛନ୍ତି । ଦିଲ୍ଲୀରେ ମୋଟ ମାମଲା ମଧ୍ୟରୁ ୪୬ ପ୍ରତିଶତ ଓମିକ୍ରନ କେସ୍ । ଦିଲ୍ଳୀ, ମୁମ୍ବାଇ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁରେ ବି ଅଣାୟତ ହେବାରେ ଲାଗିଛି ସଂକ୍ରମଣ । କେରଳରେ ସର୍ବାଧିକ ଆକ୍ଟିଭ୍ କେସ୍ ରହିଥିବା ବେଳେ ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ପଜିଟିଭିଟି ରେଟ୍ ବଢିଛି ।

ସଂକ୍ରମଣକୁ ମାତ୍‌ ଦେବାକୁ ଟିକାକରଣ ଉପରେ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସରକାର । ସେପଟେ ବିଦେଶରେ ବି ତାଣ୍ଡବ ରଚୁଛି ଓମିକ୍ରନ । ଅଧିକାଂଶ ଦେଶରେ ଭୟଙ୍କର ସ୍ଥିତି । ଫ୍ରାନ୍ସରେ ରୋଗୀଙ୍କୁ ବେଡ୍ ମିଳୁ ନଥିବା ବେଳେ ଆଗକୁ ଭୟଙ୍କର ସ୍ଥିତି ଆସିବ ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।

ଏହି ସବୁ ବିଭାଗର ଏଜେଣ୍ଡାକୁ ମିଳିପାରେ ଅନୁମତି..

ଭୁବନେଶ୍ୱର: ଶୁକ୍ରବାର ବସିବ ବର୍ଷର ଶେଷ ରାଜ୍ୟ କ୍ୟାବିନେଟ୍‌ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡ଼ରେ ବସିବ କ୍ୟାବିନେଟ ବୈଠକ  । ସୂଚନା ମୁତାବକ ଅପରାହ୍ନ 12ଟା 30ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ କରାଯିବ । ଉଚ୍ଚ ଶିକ୍ଷା, ସ୍କୁଲ ଓ ଗଣଶିକ୍ଷା, ସ୍ବାସ୍ଥ୍ୟ, ପଞ୍ଚୟତିରାଜ ଓ ନଗରଉନ୍ନୟନ ଭଳି ବିଭାଗର ଏଜେଣ୍ଡାକୁ ମିଳିବ ମଞ୍ଜୁରୀ ।

ସେହିପରି ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜର କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ଦରମା ମିଳିବା ନେଇ କ୍ୟାବିନେଟର ମୋହର ମାରିବା ସମ୍ଭାବନା ରହିଛି । କିଛି ସର୍ଭିସ କ୍ୟାଡର ପୁନର୍ଗଠନକୁ ବୈଠକରେ ମଞ୍ଜୁରୀ ମିଳିବାର ମଧ୍ୟ ସମ୍ଭାବନା ରହିଛି ।

ଏଡିଜି ପାହ୍ୟାରେ ରେଖା ଲୋହାନୀଙ୍କ ସମେତ ୪ IPS

ଭୁବନେଶ୍ୱର: ୧୯୯୭ ବ୍ୟାଚ୍ର ୪ଜଣ ଆପିଏସ ଅଫିସରଙ୍କ ପଦନ୍ନୋତି ଦେଲେ ରାଜ୍ୟ ସରକାର । ଡିଏସ କୁଟ୍ଟେ, ଦିପ୍ତେଶ ପଟ୍ଟନାୟକ, ଅସିତ ପାଣିଗ୍ରାହୀ, ରେଖା ଲୋହାନୀଙ୍କୁ ଏଡିଜି ପାହ୍ୟାକୁ ପଦନ୍ନୋତି ମିଳିଛି । ଡିଏସ କୁଟ୍ଟେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ତୁଲାଉଛନ୍ତି । ପଦୋନ୍ନତି ପରେ ବି ସେ ସିଏମଓରେ କାର୍ଯ୍ୟ କରିବେ ।

ସେପଟେ ଦୀପ୍ତେଶ ପଟ୍ଟନାୟକ ଜେଲ ବିଭାଗର ଆଇଜି ଅଛନ୍ତି । ଏଥିସହ OSRTCର ସିଏମଡି ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି । ଅସୀତ ପାଣିଗ୍ରାହୀ ଭିଜିଲାନ୍ସ ଆଇଜି ଅଛନ୍ତି । ଭୁବନେଶ୍ୱର-କଟକ ପୋଲିସରେ ଅତିରିକ୍ତ ପୋଲିସ କମିଶନର ଅଛନ୍ତି ରେଖା ଲୋହାନି । ଏହି ବରିଷ୍ଠ ଅଧିକାରୀ ମାନେ ପଦନ୍ନୋତି ପରେ ବି ପୂର୍ବଭଳି ନିଜ ପଦରେ ରହି କାର୍ଯ୍ୟ କରିବେ ।

 

ମର୍ଯ୍ୟାଦାର ସହ ହେବ କିଶୋର ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ

ଝାରସୁଗୁଡ଼ା: ପଶ୍ଚିମ ଓଡ଼ିଶାର ଆକାଶରୁ ଅପସରି ଗଲେ କିଶୋର ମହାନ୍ତି । ଓଡ଼ିଶା ରାଜନୀତିର ପ୍ରବୀଣ ରାଜନେତା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ । ଶାସକ ଦଳ ଠାରୁ ବିରୋଧି କିଶୋରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ସଭିଏଁ । ରାଜ୍ୟସରକାରଙ୍କ ନିର୍ଦ୍ଦେଶ କ୍ରମେ ଗାର୍ଡ ଅଫ ଅନର ଦିଆଯିବ । ସେପଟେ କିଶୋର ମହାନ୍ତିଙ୍କୁ ଗାର୍ଡ ଅଫ ଅନର ଦିଆଯିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ପ୍ରଶାସନ  ।

ଆସନ୍ତାକାଲି କିଶୋରଙ୍କ ପାର୍ଥିବ ଶରୀରକୁ ପରିବାର ଓ ସାଧାରଣ ଲୋକ ଶେଷ ଦର୍ଶନ କରିପାରିବେ  ।  କୋଭିଡ କଟକଣା ଭିତରେ ଜାରି ରହିବ ସାଧାରଣ ଦର୍ଶନ ପ୍ରକ୍ରିୟା । ଏପରି ସ୍ଥିତିରେ  ଶୋଭାଯାତ୍ରା ହେବନାହିଁ , ବ୍ରଜରାଜନଗରକୁ କେବଳ ଦର୍ଶନ ପାଇ ନିଆଯିବ, ସେହିପରି ଝାରସୁଗୁଡ଼ାରେ ଦିବଙ୍ଗତ ବିଧାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହେବା ନେଇ ସୂଚନା ପ୍ରଦାନ କରିଛନ୍ତି  ।

୧୭ ବର୍ଷର ରାଜୁତି ପରେ ନାଁ ପରିବର୍ତ୍ତନ କଲା ଫେସବୁକ

ନନ୍ଦିଘୋଷ ବ୍ୟୁରୋ: ୨୦୨୧ ସୋସିଆଲ ମିଡିଆ ଓ ଟେକ୍ନୋଲୋଜି କ୍ଷେତ୍ରରେ ଏକ ଘଟଣା ବହୁଳ ବର୍ଷ ଥିଲା । ଫେସବୁକଠାରୁ ଆରମ୍ଭ କରି ଟ୍ୱିଟର ପର୍ଯ୍ୟନ୍ତ ସବୁଠାରେ ଦେଖିବାକୁ ମିଳିଥିଲା କିଛି ନା କିଛି ପରିବର୍ତ୍ତନ । ଏପରି ପରିବର୍ତ୍ତନକୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲା ଫେସବୁକ୍ । ୧୭ ବର୍ଷର ବିଜୟ ଯାତ୍ରା ପରେ ନାମ ପରିବର୍ତ୍ତନ କରିଥିଲା ଏହି ବହୁଳ ବ୍ୟବହୃତ ସୋସିଆଲ ମିଡ଼ିଆ ଫେସବୁକ । ଆସିଥିଲା ନୂଆ ନାଁ ‘ମେଟା’।

ସୋସିଆଲ ମିଡିଆ ପ୍ଲାଟଫର୍ମର ବାଦଶାହା ‘ଫେସବୁକ’ । ବିଶ୍ୱରେ ସର୍ବାଧିକ ଲୋକପ୍ରିୟ ସାମାଜିକ ଗଣମାଧ୍ୟମ କମ୍ପାନୀ ମଧ୍ୟରେ ଅନ୍ୟତମ ଫେସବୁକ । ବିଶ୍ୱରେ ମୋଟ ୨.୮୯ ବିଲିୟନ ୟୁଜର୍ସ ଫେସବୁକ ବ୍ୟବହାର କରୁଛନ୍ତି । କେବଳ ଭାରତରେ ଫେସବୁକ ବ୍ୟବହାରକାରୀଙ୍କ ସଂଖ୍ୟା ୪୧ କୋଟି । ୪ ଜାନୁଆରୀ ୨୦୦୪ରେ ମାର୍କ ଜୁକରବର୍ଗଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଏହି କମ୍ପାନୀ ଏବେ ବିଶ୍ୱରେ ପ୍ରମୁଖ ସାମାଜିକ ଗଣମାଧ୍ୟମ ହୋଇପାରିଛି । ଏହି ୧୭ ବର୍ଷ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ରାଜୁତି କରିବା ପରେ ୨୦୨୧ରେ ନାଁ ବଦଳାଇଛି କମ୍ପାନୀ । ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏବେ ’ମେଟା’ ନାଁରେ ଲୋକଙ୍କ ପାଖରେ ପହଞ୍ଚିଛି । ଫେସବୁକ ମୂଳ କମ୍ପାନୀର ନାଁ ପରିବର୍ତ୍ତନ ନେଇ ଘୋଷଣା କରିଥିଲେ ଫେସବୁକ କମ୍ପାନୀର ସିଇଓ ମାର୍କ ଜୁକରବର୍ଗ । ମୂଳ କମ୍ପାନୀର ନାଁ ବଦଳୁଥିଲେ ମଧ୍ୟ ଏକକ ବ୍ରାଣ୍ଡ ଫେସବୁକ୍, ଇନଷ୍ଟାଗ୍ରାମ୍, ହ୍ୱାଟସଆପର ନାଁ ଅପରିବର୍ତ୍ତିତ ରହିବ ।

’ମେଟା’ ନାଁର ଉଦ୍ଦେଶ୍ୟ କ’ଣ?

ଫେସବୁକ ନାଁ ପରିବର୍ତ୍ତନ ପୂର୍ବରୁ ବିଗତ କିଛିଦିନ ଧରି ଫେସବୁକ ନୂଆ ନାଁ ସହ ରିବ୍ରାଣ୍ଡ୍ କରିବ ବୋଲି ରିପୋର୍ଟ ଆସୁଥିଲା । ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ମେଟାଭର୍ସ କରିବା ପାଇଁ ଫୋକସ କରୁଥିଲା । ଯାହା ମୂଳତଃ ଏକ ଅନଲାଇନ ଦୁନିଆ, ଯେଉଁଥିରେ ୟୁଜର ଭର୍ଚ୍ୟୁଆଲ ପରିବେଶରେ ଭିନ୍ନ ଭିନ୍ନ ଟୁଲ୍ସର ବ୍ୟବହାର କରିପାରିବେ ।

ମାର୍କ ଜୁକରବର୍ଗ ଘୋଷଣା କରି କହିଥିଲେ କମ୍ପାନୀ କେବଳ ଏକ ସୋସିଆଲ ମିଡିଆ କମ୍ପାନୀରୁ ଆଗକୁ ବଢି ମେଟାଭର୍ସ କମ୍ପାନୀ ହେବ । ଏହା ଆମ୍ବାଇଟେଡ୍ ଇଣ୍ଟରନେଟ୍ ଉପରେ କାମ କରିବ । ଯେଉଁଥିରେ ଭର୍ଚ୍ୟୁଆଲ ଦୁନିଆରେ ପରସ୍ପର ସହ ଅଧିକ ଭଲ ଭାବେ ଯୋଡି ହୋଇପାରିବେ । ସାରା ବିଶ୍ୱର ଲୋକଙ୍କୁ ଡିଜିଟାଲ କ୍ଷେତ୍ରରେ ଏକତ୍ର କରିବା ପାଇଁ ପ୍ରୟାସ କରିବାକୁ ଏଭଳି କରାଯାଇଥିବା ଜୁକରବର୍ଗ କହିଥିଲେ । ପୁଣି ଥରେ ଏହାର ରି-ବ୍ୟାଣ୍ଡିଂ ସହ ବହୁ ସମୟରେ ଆସୁଥିବା କପି ରାଇଟ୍ ସମସ୍ୟାକୁ ଏଡ଼ାଇବାକୁ ଏପରି କରାଯାଇଥିବା ଜଣାପଡ଼ିଥିଲା ।

କମ୍ପାନୀର ପୂର୍ବତନ ସିଭିକ୍ ଇଣ୍ଟିଗ୍ରିଟି ଚିଫ୍ ସମୀଥ ଚକ୍ରବର୍ତ୍ତୀ କମ୍ପାନୀର ନୂଆ ନାଁ ’ମେଟା’ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହା ପୂର୍ବରୁ ୨୦୦୪ରେ ଯେତେବେଳେ ଫେସବୁକ ପ୍ରତିଷ୍ଠା ହୋଇଥିଲା ଏହାର ନାଁ ‘ଦି ଫେସବୁକ’ ରହିଥିଲା । କିନ୍ତୁ ୨୦୦୫ ମସିହାରେ ଏହାର ନାମ ପରିବର୍ତ୍ତନ କରି କେବଳ ଫେସବୁକ ରଖାଯାଇଥିଲା ।

ଫେସବୁକ୍ ପ୍ଲାଟଫର୍ମକୁ କେତେକ ନ୍ୟସ୍ତସ୍ୱାର୍ଥ୍ୟ ବ୍ୟକ୍ତି ମନ୍ଦ ଉଦ୍ଦେଶ୍ୟରେ ଲଗାଇବା, ଫେକ୍ ନ୍ୟୁଜ୍ ପ୍ରସାରଣ ହେବା ସହ ବିଭିନ୍ନ ରାଷ୍ଟ୍ରର ରାଜନେତାମାନଙ୍କ ସମାଲୋଚନା ପରେ ଫେସବୁକ୍ ଏହି ନିଷ୍ପତ୍ତି ନେଇଥିଲା । ଆଗାମୀ ୫ ବର୍ଷରେ ଫେସବୁକ ଏକ ‘ମେଟାଭର୍ସ କମ୍ପାନୀ ହେବାକୁ ଯାଉଥିବା ଜୁକରବର୍ଗ କହିଥିଲେ। ମେଟାଭର୍ସ ଯୋଜନାର ଏକ ଅଂଶ ଭାବେ ସେ କମ୍ପାନୀର ରିବ୍ରାଣ୍ଡିଂ କରି ଏପରି ନାଁ ରଖିଥିବା କହିଥିଲେ ସିଇଓ ମାର୍କ ଜୁକରବର୍ଗ ।

ନୂଆବର୍ଷରେ ଫେରିଲା କଟକଣା, ଭୋଜିଭାତ-ପିକନିକ୍ ମନା

ଭୁବନେଶ୍ୱର: ନୂଆବର୍ଷରେ ଫେରିଲା କରୋନା କଟକଣା  । ଜାନୁଆରୀ ୧ ତାରିଖରୁ ଫେବ୍ରୀଆରୀ ୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ କୋଭଡ଼ ନିର୍ଦ୍ଦେଶାବଳୀ ଅନୁପାଳନ  । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା କୋଭିଡ ଗାଇଡଲାଇନ ଅନୁଯାୟୀ,  ରାତି ୧୦ଟାରୁ ଭୋର ୫ଟା ଯାଏ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ଜାରି ରହିବ  । ଭୋର ୫ଟାରରୁ ରାତି ୧୦ ଯାଏ ଦୋକାନ ବଜାର ଖୋଲା ରହିବ  । ସମସ୍ତ ସାମାଜିକ ଓ ଧାର୍ମିକ ସମ୍ମିଳନୀ ଉପରେ ରୋକ୍   ।  ସେହିପରି୧୦୦ ଲୋକଙ୍କ ମଧ୍ୟରେ  ରାଜନୈତିକ କାର୍ଯ୍ୟକ୍ରମ ସୀମିତ ରହିବ  ।

ସେହିପରି ପ୍ରଦର୍ଶନୀ ଓ ବାଣିଜ୍ୟ ମେଳା, ପାର୍କ, ନେଚରକ୍ଲବ, ବେଳାଭୂମି ଓ ପର୍ଯ୍ୟଟନସ୍ଥଳୀରେ ଭୋଜିଭାତ ଆଦି ନିଷେଧ ରହିବ  । କେବଳ ସରକାରୀ ଅନୁମୋଦିତ କାର୍ଯ୍ୟକ୍ରମକୁ ଅନୁମତି ମିଳିଛି  । ହୋଟେଲ ଓ ଅନ୍ୟ ପ୍ରତିଷ୍ଠାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ମନା ରହିଛି  । ଶିକ୍ଷା ଅନୁଷ୍ଠାନ ଓ ଅନ୍ୟ ପ୍ରତିଷ୍ଠାନର ବାର୍ଷିକତ୍ସୋବ ମନା, ୫୦ ପ୍ରତିଶତ ଦର୍ଶକରେ ଚାଲିପାରିବ ଅଡିଟୋରିୟମ ଓ ସମ୍ମିଳନୀ କକ୍ଷ  । ୫୦ ପ୍ରତିଶତ ଦର୍ଶକରେ ଚାଲିପାରିବ ସିନେମା ହଲ୍  । ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶରେ ଚାଲିପାରିବ ଖୋଲା ମଞ୍ଚ ଓ ଯାତ୍ରା  । ସେପଟେ ୨୫୦ ଲୋକଙ୍କୁ ନେଇ ହୋଇପାରିବ ବିବାହ, ବ୍ରତଘର ଓ ଦଶାହ କାର୍ଯ୍ୟ ହେବା ନେଇ ନିର୍ଦ୍ଦେଶ ନାମାରେ ଉଲ୍ଲେଖ ରହିଛି  ।