spot_img
Home Blog Page 4735

ଦେଶରେ ୧୨ ଶହ ଟପିଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ସାରା ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଭାରତରେ ଦ୍ରୁତ ଗତିରେ ମାଡି ଚାଲିଛି । ଗୁରୁବାର ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୯୬୧ ଥିବା ବେଳେ ଶୁକ୍ରବାର ଏହି ସଂଖ୍ୟା ୧୨୭୦ରେ ପହଞ୍ଚିଛି । ଅର୍ଥାତ ଗତ ୨୪ ଘଣ୍ଟାରେ ଦେଶରେ ୩୦୦ରୁ ଅଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶର ଓମିକ୍ରନ ଆକ୍ରାନ୍ତଙ୍କ ସର୍ବାଧିକ କେସ୍ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ଆଜି ୧୯୮ ନୂଆ ଓମିକ୍ରନ ଚିହ୍ନଟ ହୋଇଥିବାବେଳେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୫୦ ପାର୍ କରିଛି ।

ମହାରାଷ୍ଟ୍ର ପରେ ଦିଲ୍ଲୀରେ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଦିଲ୍ଲୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୦ରେ ପହଞ୍ଚିଛି । ସେହିପରି କେରଳରେ ୧୦୯, ଗୁଜରାଟରେ ୯୭, ରାଜସ୍ଥାନରେ ୬୯, ତେଲେଙ୍ଗାନାରେ ୬୨, ତାମିଲନାଡୁରେ ୪୬, କର୍ଣ୍ଣାଟକରେ ୩୪, ଆନ୍ଧ୍ର ପ୍ରଦେଶରେ ୧୬, ହରିୟାଣାରେ ଓ ଓଡ଼ିଶାରେ ୧୪ ଓ ପଶ୍ଚିମବଙ୍ଗରେ ୧୧, ମଧ୍ୟପ୍ରଦେଶରୁ ୯, ଉତ୍ତରାଖଣ୍ଡରୁ ୪, ଚଣ୍ଡିଗଡ଼ରୁ ୩, ଜମ୍ମୁ-କଶ୍ମୀରରୁ ୩, ଆଣ୍ଡାମାନ ଓ ନିକୋକର ଦ୍ୱୀପରୁ ୨, ଉତ୍ତର ପ୍ରଦେଶରୁ ୨, ଗୋଆ, ହିମାଚଳ ପ୍ରଦେଶ, ଲଦାଖ, ମଣିପୁର ଓ ପଞ୍ଜାବରୁ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କଳ୍ପନାଜଳ୍ପନାର ଅନ୍ତ, ୩ରେ ଖୋଲିବ ପ୍ରାଥମିକ ସ୍କୁଲ

ଭୁବନେଶ୍ବର: ୩ ତାରିଖରେ ସ୍କୁଲ ଖୋଲିବା ନେଇ ଲାଗି ରହିଥିବା କଳ୍ପନାଜଳ୍ପନାରେ ବିରାମ । ଘୋଷଣା ତାରିଖରେ ହିଁ ଖୋଲିବ ସ୍କୁଲ । ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । କହିଲେ- ସ୍କୁଲ ଖୋଲିବା ନେଇ କୌଣସି ଦ୍ବନ୍ଦ୍ବ ନାହିଁ । ଏହାସହ ଦୀର୍ଘ ୨ ବର୍ଷ ପରେ ଖୋଲିବାକୁ ଯାଉଛି ପ୍ରାଥମିକ ବିଦ୍ୟାଳୟ । ୩ ତାରିଖରୁ କୋଭିଡ କଟକଣାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଖୋଲିବ ।

ମନ୍ତ୍ରୀ କହିଛନ୍ତି, ‘ଜିଲ୍ଲା ସ୍ତରରେ ନୋଡାଲ ଅଫିସର ବୁଲି ଭିତ୍ତିଭୂମି ଦେଖିବା ସହ ଜିଲ୍ଲା ଶିକ୍ଷାଧିକାରୀ ସହ ଆଲୋଚନ କରିଛନ୍ତି । ସଚିବ ଡିଇଓ ଓ ବିଇଓଙ୍କ ସହ ବୈଠକ କରିଛନ୍ତି । ଆସନ୍ତା 4 ତାରିଖରେ ଡିଇଓଙ୍କ ସହ ଫଲ ଆଉଟ୍ ସମ୍ପର୍କରେ ବୈଠକ କରିବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଯିଏ ଚାହିଁବେ, ଅନଲାଇନରେ ପଢିବେ । ଭିତ୍ତିଭୂମିକୁ ନଜରରେ ଏହି ନିଷ୍ପତ୍ତି ନିଆଯାଇଛି । ସ୍କୁଲ କ୍ୟାମ୍ପସକୁ ସ୍ବଚ୍ଛ କରାଯାଇଛି । କରୋନା ସମ୍ପୂର୍ଣ୍ଣ ଭାବେ ଯାଇନି । ତେଣୁ ପିଲାଙ୍କୁ ଗହଳି ସ୍ଥାନରୁ ଦୂରେଇ ରଖିବାକୁ ଅଭିଭାବକମାନଙ୍କୁ ନିବେଦନ କରାଯାଇଛି । ଓମିକ୍ରନକୁ ଦୃଷ୍ଟିରେ ରଖି ସଂକ୍ରମଣ ମୁକ୍ତ ଶିକ୍ଷା ଲାଗି ବ୍ୟବସ୍ଥା ହୋଇଛି । 2022ରେ ପରୀକ୍ଷା ଠିକ ସମୟରେ ହେବ ଓ ଫଳ ଠିକ ସମୟରେ ପ୍ରକାଶ ପାଇବାକୁ ପ୍ରସ୍ତୁତି କରାଯାଇଛି ।’

ଓଡ଼ିଶା ପାଇବ ନୂଆ ଡିଜିପି

ଭୁବନେଶ୍ବର: ଆଜି ଓଡ଼ିଶା ପାଇବ ନୂଆ ପୋଲିସ ମୁଖିଆ । ନୂଆ ଡିଜିପି ଭାବେ ଆଜି ଦାୟିତ୍ବ ନେବେ ୧୯୮୭ ବ୍ୟାଚର ଆଇପିଏସ୍‌ ଅଫିସର ସୁନିଲ ବଂଶଲ । ଅପରାହ୍ନରେ ୪ଟାରେ ଡିଜିପିଙ୍କ କାର୍ଯ୍ୟାଳୟରେ ଦାୟିତ୍ବ ନେବେ ସୁନିଲ ।

କେନ୍ଦ୍ରୀୟ ଡେପୁଟେସନରେ ଗୁରୁତ୍ବପୂର୍ଣ୍ଣ ଗୁଇନ୍ଦା ବିଭାଗର ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ ଦାୟିତ୍ବ ତୁଲାଇଛନ୍ତି ବଂଶଲ । ଏହାସହ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସେ ପୂର୍ବରୁ ସଫଳତାର ସହିତ କାମ କରିଛନ୍ତି । ଅଭିଜ୍ଞତାକୁ ପାଥେୟ କରି ଅପରାଧ ଦମନରେ ଓଡିଶା ପୋଲିସକୁ ଆଗକୁ ନେବେ ବୋଲି କହିଛନ୍ତି ବଂଶଲ ।

ଆଜି କିଶୋରଙ୍କ ଅନ୍ତିମ ସଂସ୍କାର

ଝାରସୁଗୁଡ଼ା: ଆଜି ପଞ୍ଚଭୂତରେ ବିଲୀନ ହେବେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି । ଝାରସୁଗୁଡାରେ କିଶୋରଙ୍କର ଅନ୍ତିମ ସଂସ୍କାର ହେବ । ତାଙ୍କ ପାର୍ଥିବ ଶରୀରକୁ ମଙ୍ଗଳ ବଜାର ସ୍ଥିତ ବାସଭବନରୁ ନିଆଯାଇ ସହର ପରିକ୍ରମା କରାଯିବ । ପରେ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ସାଧାରଣ ଲୋକ ଶେଷ ଦର୍ଶନ କରିପାରିବେ । ଅପରାହ୍ନରେ ଝାଡ଼େଶ୍ବର ମନ୍ଦିରସ୍ଥିତ ମୁକ୍ତିଧାମଠାରେ ପାର୍ଥିବ ଶରୀରକୁ ଶେଷକୃତ୍ୟ କରାଯିବ । ଗତକାଲି କିଶୋର ମହାନ୍ତିଙ୍କର ଅକାଳ ବିୟୋଗ ହୋଇଥିଲା ।

ଛାତ୍ରୀ ନିବାସରୁ ମିଳିଲା ମୃତଦେହ

ପଟ୍ଟମୁଣ୍ଡାଇ: ଘରୋଇ ଛାତ୍ରୀ ନିବାସରେ ଛାତ୍ରୀଙ୍କ ଆତ୍ମହତ୍ୟା । ପଟ୍ଟାମୁଣ୍ଡାଇ ମହା ବିଦ୍ୟାଳୟର ଯୁକ୍ତତିନି ବିଜ୍ଞାନ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନି । ଖବର ପାଇ ପୋଲିସ ହଷ୍ଟେଲରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ଘର ପଟ୍ଟାମୁଣ୍ଡାଇ ବ୍ଲକ ଦିହୁଡିପୁର ପଞ୍ଚାୟତର ଖଦାଳସାହିରେ ବୋଲି ଜଣାପଡ଼ିଛି ।

ବର୍ଷର ଶେଷ ଦିନରେ ରକ୍ତ ରଞ୍ଜିତ ହେଲା ରାଜଧାନୀ

ଭୁବନେଶ୍ବର: ୨୦୨୧ରେ ରାଜଧାନୀ ଭୁବନେଶ୍ବର ଅପରାଧୀଙ୍କ ପାଇଁ ପାଲଟିଥିଲା ଚରାଭୁଇଁ । ପୋଲିସ-ଅପରାଧୀ ଲୁଚକାଳି ଖେଳରେ ସରିଗଲା ପୂରା ବର୍ଷ । ପୋଲିସ ଡାଳେ ଡାଳେ ଗଲେ ଅପରାଧୀ ଯାଉଥିଲେ ପତରେ ପତରେ । ପୋଲିସର କଠୋର କାର୍ଯ୍ୟାନୁଷ୍ଠା ପରେ ବି ଲୁଟ, ଡକାୟତିଠାରୁ ଆରମ୍ଭ କରି ଅପହରଣ ଓ ହତ୍ୟା ଭଳି ଟଣା ପୂରା ବର୍ଷ ଦେଖିବାକୁ ମିଳିଥିଲା । ବର୍ଷର ଶେଷ ଦିନରେ ମଧ୍ୟ ରାଜଧାନୀରେ ରକ୍ତର ଖେଳ । ଶାଳକର ଖଣ୍ଡା ଚୋଟରେ ଗଲା ଭିଣୋଇର ଜୀବନ ।

ଦୁଇଦିନରେ ରାଜଧାନୀର ମଞ୍ଚେଶ୍ବର ଥାନା ଅଞ୍ଚଳରେ ଦୁଇଟି ବଡ଼ ଧରଣର ଅପରାଧ । ଧୀରିକୁଟୀ ବସ୍ତିରେ ଶଳାର ଖଣ୍ଡା ଚୋଟରେ ଯାଇଛି ଭିଣୋଇର ଜୀବନ । ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟିଥିବା ବେଳେ ପୋଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ନାଁ ଶୁଶାନ୍ତ ଘଡେଇ । ସେ ନୟାଗଡ଼ ଅଞ୍ଚଳର ବୋଲି ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହତ୍ୟା ପରେ ଅଭିଯୁକ୍ତ ଶାଳକ ଫେରାର ଥିବା ଜଣାପଡିଛି ।

ସେହି ମଞ୍ଚେଶ୍ବର ଥାନା ଭୋଟପଡ଼ାରେ ଦମ୍ପତିଙ୍କ ଘରେ ହୋଇଥିଲା ଡକାୟତି । ଲୁଟେରା ଦମ୍ପିତଙ୍କ ହାତଗୋଡ଼ ବାନ୍ଧି ବନ୍ଧୁକ ମୁନରେ ୩୦ ଲକ୍ଷ ଟଙ୍କାର ଗହଣା ଓ ୩ ଲକ୍ଷରୁ ଅଧିକ ନଗଦ ଟଙ୍କା ଲୁଟିବା ସହ ଦମ୍ପତିଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲେ ।

ମୁମ୍ବାଇ ଉପରେ ଖାଲିସ୍ତାନୀ ଆତଙ୍କୀ ଆକ୍ରମଣ ଭୟ

ମୁମ୍ବାଇ: କରୋନା ସଙ୍କଟ ଭିତରେ ମୁମ୍ବାଇ ଉପରେ ପୁଣି ଏକ ଆତଙ୍କବାଦୀ ଆକ୍ରମଣ ଭୟ । ଖଲିସ୍ତାନୀ ଆତଙ୍କୀଙ୍କ ଆକ୍ରମଣ ନେଇ ଗୁଇନ୍ଦା ରିପୋର୍ଟ । ପୂରା ମୁମ୍ବାଇରେ ହାଇ ଆଲର୍ଟ । ରେଳ ଷ୍ଟେସନ ସମେତ ଅନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନରେ ସୁରକ୍ଷା କଡ଼ାକଡ଼ି ।

ଗୁଇନ୍ଦା ରିପୋର୍ଟ ଆସିବା ପରେ ମୁମ୍ବାଇର ସମସ୍ତ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ କରିଦିଆଯାଇଛି । ନୂଆବର୍ଷ ପୂର୍ବରୁ ଆକ୍ରମଣ ଯୋଜନା ଥିବା ସୂଚନା ମିଳିଥିବାରୁ ଗେଟ୍ ଓ୍ବେ ଅଫ୍ ଇଣ୍ଡିଆ ଓ ମେରାଇନ ଡ୍ରାଇଭ ଏରିଆରେ ବ୍ୟାପକ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି । ମୁମ୍ବାଇ ସମେତ ପୂରା ମହାରାଷ୍ଟ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ସଙ୍କଟରେ ବିଶ୍ବ, ନୂଆବର୍ଷକୁ ସ୍ବାଗତ ପାଇଁ ନାହିଁ ଉତ୍ସହ

ନୂଆଦିଲ୍ଲୀ: କେଇ ଘଣ୍ଟା ପରେ ଆସିବ ନୂଆ ବର୍ଷ । ମାତ୍ର ସାରା ବିଶ୍ବରେ ଏବେ ଆନନ୍ଦ ବଦଳରେ ସଙ୍କଟର କଳାବାଦଲ । ନା ଅଛି ସେଲିବ୍ରେସନ, ନା ଅଛି ଉତ୍ସାହ । ଗତବର୍ଷ ମାର୍ଚ୍ଚରୁ ଆରମ୍ଭ ହୋଇଥିବା କୋଭିଡ ବିପତ୍ତିର ଅବସାନ ନେଇ ସାରା ବିଶ୍ବବାସୀ ଆଶା କରୁଥିବା ବେଳେ, ଏବେ ସେସବୁକୁ ଛାରଖାର କରିଦେଇଛି ଓମିକ୍ରନ ।

ବର୍ତ୍ତମାନ ସୁଦ୍ଧା ବିଶ୍ବରେ ୨୮ କୋଟି ୬୮ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ବିଶ୍ବବ୍ୟାପୀ ୫୪ ଲକ୍ଷ ୪୫ ହଜାର ଲୋକଙ୍କ ଜୀବନ ନେଲାଣି କିଲର ଭାଇରସ । କୋଟି କୋଟି ଲୋକଙ୍କୁ ଆର୍ଥିକ ସଙ୍କଟ ମଧ୍ୟକୁ ଠେଲି ଦେଇଛି କୋଭିଡ । ନୂଆ ରୂପରେ ଭାରିଆଣ୍ଟ ଆସିବା ସହ ଓମିକ୍ରନ ବିପଦ ଯୋଗୁଁ ଆମେରିକା, ବ୍ରିଟେନ, ଫ୍ରାନସ, ଜର୍ମାନୀ ସମେତ ଅଧିକାଂଶ ଦେଶରେ କଟକଣା ଆରମ୍ଭ ହୋଇଛି । ଗତ ୭ ଦିନରେ ବିଶ୍ବରେ ଚିହ୍ନଟ ହୋଇଛନ୍ତି ୭୩ ଲକ୍ଷ ନୂଆ ସଂକ୍ରମିତ ।

ସାରା ୟୁରୋପରେ ଏବେ ଉଭୟ କୋଭିଡ ଓ ଓମିକ୍ରନର କଳାବାଦଲ । ସମସ୍ତ ପ୍ରକାର ସଭା, ସମ୍ମିଳନୀ ଉପର କଟକଣା ଲାଗୁ କରାଯାଇଥିବା ବେଳେ ଅଧିକାଂଶ ଦେଶରେ ବନ୍ଦ ରହିଛି ନାଇଟ କ୍ଲବ । ଆମେରିକାରେ ଗତ ୭ ଦିନରେ ଚିହ୍ନଟ ହୋଇଛନ୍ତି ୨ ଲକ୍ଷ ୬୫ ହଜାରରୁ ଅଧିକ କୋଭିଡ ସଂକ୍ରମିତ । ସେପଟେ ଚୀନର ଜିଆନରେ ଜାରି ହୋଇଛି ଲକଡାଉନ । ଘରୁ ପଦାକୁ ବାହାରିବା ଉପରେ ୧୩ ନିୟୁତ ଲୋକଙ୍କ ଉପରେ ଲାଗିଛି କଟକଣା । ସେହିପରି ବ୍ରିଟେନରେ ଅତି ଗଭୀର ସଙ୍କଟର ରୂପ ନେଲାଣି ଭାଇରସ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୮୩ ହଜାରରୁ ଅଧିକ କୋଭିଡ ସଂକ୍ରମିତ । ଯାହାକି ପୂର୍ବ ଦିନ ତୁଳନାରେ ୩୨ ପ୍ରତିଶତ ଅଧିକ । ଦେଶର ସମସ୍ତ ହସ୍ପିଟାଲକୁ ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆଜି ଶେଷ କ୍ୟାବିନେଟ ବୈଠକ

ଭୁବନେଶ୍ବର: ଆଜି ବର୍ଷର ଶେଷ ରାଜ୍ୟ କ୍ୟାବିନେଟ୍‌ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡ଼ରେ ଅପରାହ୍ନ 12ଟା 30ରେ ହେବ କ୍ୟାବିନେଟ୍‌ ବୈଠକ । ଉଚ୍ଚ ଶିକ୍ଷା, ସ୍କୁଲ ଓ ଗଣଶିକ୍ଷା, ସ୍ବାସ୍ଥ୍ୟ, ପଞ୍ଚୟତିରାଜ ଓ ନଗର ଉନ୍ନୟନ ଭଳି ବିଭାଗର ଏଜେଣ୍ଡାକୁ ମିଳିବ ମଞ୍ଜୁରୀ । ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜର କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ଦରମା ମିଳିବା ନେଇ କ୍ୟାବିନେଟର ମୋହର ମାରିବା ସମ୍ଭାବନା ରହିଛି । କିଛି ସର୍ଭିସ କ୍ୟାଡର ପୁନର୍ଗଠନକୁ ବୈଠକରେ ମଞ୍ଜୁରୀ ମିଳିବାର ସମ୍ଭାବନା ଅଛି ।

ଘରେ ପଶି ଯୁବତୀଙ୍କୁ ଆକ୍ରମଣ

ରାୟଗଡ଼ା: ଘରେ ପଶିଲେ ଯୁବତୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲେ । ଘରେ ଥିବା ଅନ୍ୟ ଜଣେ ଯୁବକ ବି ହେଲେ ରକ୍ତାକ୍ତ । ଏମିତି ଘଟଣା ଘଟିଛି ରାୟଗଡା ଜିଲ୍ଲା ଗୁଣୁପୁର ମଣିଙ୍ଗ ସାହିରେ । ଘରେ ପଶି ଏମିତି ଆକ୍ରମଣ କରିଚନ୍ତି ଦୁର୍ବୃତ୍ତ । ଗୁରୁତର ଆହତ ହୋଇଛନ୍ତି ଯୁବକଯୁବତୀ ।

ଉଭୟଙ୍କୁ ଗୁଣୁପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଯୁବତୀକୁ ଆନ୍ଧ୍ର ବିଶାଖାପାଟଣା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଯୁବକକୁ ବ୍ରହ୍ମପୁର ବଡ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଛି । ଯୁବତୀଙ୍କ ପେଟରେ ଲାଗିଛି ଶକ୍ତ ଆଘାତ । ଯୁବକଙ୍କ ଘର ଆନ୍ଧ୍ର ଶ୍ରୀକାକୁଲମରେ ହୋଇଥିବା ସୂଚନା ମିଳିଛି । କିଏ ଓ କାହିଁକି ଏହି ଆକ୍ରମଣ କଲା ସ୍ପଷ୍ଟ ହୋଇନଥିବା ବେଳେ ଗୁଣୁପୁର ପୋଲିସ ତଦନ୍ତ ଜାରି ରଖିଛି । ଅନ୍ୟପଟେ ଯୁବକ ଜଣଙ୍କ କାହିଁକି ଯୁବତୀଙ୍କ ଘରକୁ ଆସିଥିଲେ ତାହା ବି ସ୍ପଷ୍ଟ ହୋଇନି । ପ୍ରେମ ବ୍ୟାପାର ନେଇ ଏଭଳି କାଣ୍ଡ ଘଟିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।