spot_img
Home Blog Page 4752

ପୁଲଓ୍ୱାମାରେ ପୁଣି ଆତଙ୍କବାଦୀ ଆକ୍ରମଣ, ୨ ପୋଲିସ କର୍ମୀ ଆହତ

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ । ପୁଲଓ୍ୱାମାର ଏକ ପୋଷ୍ଟ ଅଫିସ ଉପରେ ଗ୍ରେନଡ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଏହି ଆକ୍ରମଣରେ ପୋଷ୍ଟ ଅଫିସ୍‌ରେ ଡ୍ୟୁଟିରେ ଥିବା ୨ ଜଣ ପୋଲିସକର୍ମୀ ଆହତ ହୋଇଛନ୍ତି । ଆକ୍ରମଣ ପରେ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆତଙ୍କବାଦୀ ଆକ୍ରମଣ ପରେ ସେହି ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜୋରଦାର କରିଛନ୍ତି ସୁରକ୍ଷାକର୍ମୀ ।

ବିଗତ କିଛି ମାସ ହେବ ଜାମ୍ମୁ କାଶ୍ମୀର ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ ଲଗାତାର ଭାବେ ବୃଦ୍ଧିପାଇବାରେ ଲାଗିଛି । ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବାହାର ରାଜ୍ୟର ଶ୍ରମିକ ପର୍ଯ୍ୟନ୍ତ ଅନେକ ଲୋକଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରୁଛନ୍ତି । କିନ୍ତୁ ଲଗାତାର ଭାବେ ହେଉଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ସେନା ପକ୍ଷରୁ ନୂଆ ଅପରେସନ ଆରମ୍ଭ ହୋଇଛି । ଏହି ଅପରେସନ ଜରିଆରେ ଆତଙ୍କବାଦୀଙ୍କୁ ଗୁପ୍ତ ତଥ୍ୟ ଦେଉଥିବା ବ୍ୟକ୍ତିମାନଙ୍କୁ ଧରିବା ପ୍ରକ୍ରିୟା ଆରମ୍ଭ କରିଛି ।

OTT ମୁହାଁ ପ୍ରଯୋଜକ, ହଜିଯିବ କି ସିନେମା ହଲର ସିଲଭର୍ ସ୍କ୍ରିନ୍ ?

ଭୁବନେଶ୍ୱର: ହଜିଯିବ କି ରୂପେଲି ପରଦା ? OTT ଓ ଟେଲିଭିଜନ ପ୍ଲାଟଫର୍ମରେ ସିନେମା କରିବାକୁ ପସନ୍ଦ କରୁଛନ୍ତି ପ୍ରଯୋଜକ । କରୋନା କାଳରେ ଲୋକେ ବି ସିନେମା ହଲକୁ ଯିବାକୁ ମନ ବଳାଉ ନାହାନ୍ତି । ଏଭଳି ପରିବର୍ତ୍ତନକୁ ଦେଖି ଚିନ୍ତା ପ୍ରକଟ କଲେଣି ସିନେ ସମୀକ୍ଷକ ।

More Odia Movie Releasing In OTT Other Than Cinema Hall

ପ୍ରେକ୍ଷାଳୟ ଅପେକ୍ଷା ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେଉଛି ଫିଲ୍ମ । ଡିଜିଟାଇଜେସନକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି ପ୍ରଯୋଜକ । ଯାହାକୁ ଚିନ୍ତା ପ୍ରକଟ କରିଛନ୍ତି ସିନେ ସମୀକ୍ଷକ । ୧୯୯୯ ଠାରୁ ରାଜ୍ୟରେ ହ୍ରାସ ପାଇବାକୁ ଲାଗିଲାଣି ପ୍ରେଖ୍ୟାଳୟ ସଂଖ୍ୟା । ଏହାସହ ମହାମାରୀ ଯୋଗୁ ପ୍ରଭାବିତ ହୋଇଛି ଚଳଚ୍ଚିତ୍ର ଶିଳ୍ପ । କଟକଣା ପାଇଁ କମ୍ ସଂଖ୍ୟକ ଦର୍ଶକରେ ଚାଲୁଛି ସିନେମା । ଯେଉଁଥିପାଇଁ କ୍ଷତି ସହୁଛନ୍ତି ଉଭୟ ପ୍ରଯୋଜକ ଓ ହଲ ମାଲିକ । ଏଥିପାଇଁ କମ ବଜେଟ୍ ଭିତରେ ସିନେମା କରି ଓଟିଟି ପ୍ଲାଟଫର୍ମରେ ରିଲିଜ୍ କରିବାକୁ ପସନ୍ଦ କରୁଛନ୍ତି ସିନେ ପ୍ରଯୋଜକ । 2021ରେ ୨୦ଟି ସିନେମା ବଡ଼ ପରଦାରେ ରିଲିଜ୍ ହୋଇଥିବା ବେଳେ ୩୦ଟି ଓଟିଟି ଫ୍ଲାଟଫର୍ମରେ ରିଲିଜ୍ ହୋଇଛି ।

More Odia Movie Releasing In OTT Other Than Cinema Hall

ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ସିଲଭର ସ୍କ୍ରିନ ସମ୍ପୂର୍ଣ୍ଣ ରୂପ ବନ୍ଦ ହୋଇଯିବା ନେଇ ଆଶଂକା ପ୍ରକଟ କରିଛନ୍ତି ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ । ଅନ୍ୟପଟେ ବର୍ତ୍ତମାନ ଓଟିଟି ପ୍ଲାଟଫର୍ମକୁ ସ୍ୱାଗତ କରିଛନ୍ତି ସିନେ ପ୍ରେମୀ ଓ ସିନେ ତାରକା । ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜ ମୋବାଇଲରେ ସିନେମା ଦେଖିବା ଅଧିକ ସୁବିଧାଜନକ ବୋଲି କହିଛନ୍ତି ସିନେପ୍ରେମୀ । ସେପଟେ କମ୍ ବଜେଟ ସିନେମା ଯୋଗୁ ନୂଆ ସିନେ ତାରକାଙ୍କୁ ସୁଯୋଗ ମିଳୁଥିବା କହିଛନ୍ତି ଅନେକ ।

ଟିକାକରଣ ଦଳକୁ ଦେଖି ଗଛ ଉପରେ ଚଢିଗଲେ ଗାଇଆଳ, ତା’ପରେ କଣ ହେଲା ଜାଣନ୍ତୁ

ଜାଲୋର: ସାରା ବିଶ୍ୱରେ ଆତଙ୍କ ଖେଳାଉଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଭାରତରେ ମଧ୍ୟ ଓମିକ୍ରନ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି ।  ଭାରତରେ ସଂକ୍ରମଣ ବୃଦ୍ଧି ପାଉଥିବାର ଦେଖି ଦେଶରେ ପୁଣି ଥରେ ଟିକାକରଣ ଦ୍ରୁତ ଗତିରେ ଚାଲୁଛି ।  ରାଜସ୍ଥାନରେ ୪୩ଟି ଓମିକ୍ରନ ମାମଲା ଚିହ୍ନଟ ହେବା ପରେ ସେଠାରେ ମଧ୍ୟ ଜୋରଶୋରରେ ଆରମ୍ଭ ହୋଇଛି ଟିକାକରଣ । ଯେଉଁମାନେ ପ୍ରଥମ ଡୋଜ ଓ ଦ୍ୱିତୀୟ ଡୋଜ ଟିକା ନେଇ ନାହାନ୍ତି ସେମାନଙ୍କ ଘରକୁ ଘର ବୁଲି ଟିକା ଦେଉଛନ୍ତି ସ୍ୱାସ୍ଥ୍ୟକର୍ମୀ । ତେବେ ଲୋକମାନଙ୍କୁ ଟିକା ଦେବା ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ୱାସ୍ଥ୍ୟକର୍ମୀ । କାହିଁକି ନା ଏବେ ବି ଲୋକମାନେ ଟିକା ନେବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି ।  ଏସବୁ ଭିତରେ ରାଜସ୍ଥାନର ଜାଲୋର ଜିଲ୍ଲାରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି । ସେଠାରେ ଜଣେ ପଶୁପାଳକ ଟିକା ନେବା ପାଇଁ ମନା କରିବାରୁ  ସ୍ୱାସ୍ଥ୍ୟକର୍ମୀ ତାଙ୍କୁ ଗଛ ଉପରେ ଚଢ଼ି ଟିକା ଦେଇଥିଲେ ।

ଏହି ଘଟଣା ଦେଖିବାକୁ ମିଳିଥିଲା ଜାଲୋର ଜିଲ୍ଲା ଆହୋର ଅଞ୍ଚଳର ରାମା ଗ୍ରାମର । ଏହି ଅଞ୍ଚଳରେ ଶନିବାର ଏକ ସ୍ୱତନ୍ତ୍ର ଟିକାକରଣ ଅଭିଯାନ କରାଯାଇଥିଲା । ଘରକୁ ଘର ବୁଲି ଲୋକମାନଙ୍କୁ ଟିକା ଦେଇଥିଲେ ସ୍ୱାସ୍ଥ୍ୟକର୍ମୀ । ଗୋରୁ ପାଳକଙ୍କୁ ମଧ୍ୟ ଟିକା ଦେଇଥିଲେ ସ୍ୱାସ୍ଥ୍ୟକର୍ମୀ । ଏହି ସମୟରେ ଜଣେ ପଶୁପାଳକଙ୍କୁ ଟିକା ଦେବା ପାଇଁ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା ସ୍ୱାସ୍ଥ୍ୟକର୍ମୀଙ୍କୁ ।

ଡାକ୍ତରୀଦଳରେ ଥିବା CHA ଜେଠାରାମଙ୍କ କହିବା ଅନୁସାରେ ସୁଜାରାମ ନାମରେ ଜଣେ ଲୋକ ଗଛ କାଟୁଥିବାର ଦେଖିବାକୁ ମିଳିଥିଲା । ତାଙ୍କୁ ଟିକା ସମ୍ପର୍କରେ ପଚରା ଯିବାରୁ ସେ କେବଳ ଗୋଟିଏ ଡୋଜ ନେଇଥିବା କହିଥିଲେ । ଯେତେବେଳେ ତାଙ୍କୁ ଆଉ ଏକ ଡୋଜ ନେବାକୁ କୁହାଗଲା, ସେ ଡାକ୍ତରୀଦଳକୁ ସିଧାସିଧା ମନା କରିଦେଇଥିଲେ । ଏହା ପରେ ସେ ଗଛ ଉପରକୁ ଚଢ଼ି ଯାଇଥିଲେ । ତାଙ୍କୁ ବହୁ ବୁଝାସୁଝା ପରେ ମଧ୍ୟ ସେ ତଳକୁ ଆସିନଥିଲେ । ଏହା ପରେ ଜେଠାରାମ ତାଙ୍କୁ ଟିକା ଦେବା ପାଇଁ ଗଛ ଉପରକୁ ଚଢ଼ିଥିଲେ ଏବଂ ତାଙ୍କୁ ଗଛ ଉପରେ ଚଢ଼ି ଟିକା ଦେଇଥିଲେ ।

ଜାଲୋରରେ ମୋଟ ୧୩ ଲକ୍ଷ ୭୫ ହଜାର ଟିକାକରଣ କରାଯିବାକୁ ଲକ୍ଷ୍ୟ ରହିଛି । ସେଥିମଧ୍ୟରୁ ୧୦ ଲକ୍ଷ ୭୪ ହଜାର ଲୋକ ପ୍ରଥମ ଡୋଜ ଟିକା ନେଇଛନ୍ତି ଓ ୭ ଲକ୍ଷ ୪୨ ହଜାର ଲୋକ ଦ୍ୱିତୀୟ ଡୋଜ ଟିକା ନେଇଛନ୍ତି । ଏବେ ବି ୩ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟିକା ନେଇ ନାହାନ୍ତି ।

ଶ୍ୱଶୂର ଘର ଯିବାବେଳେ ଗୁଡ଼ି ସୂତାରେ କଟିଗଲା ବେକ

କଟକ: ପୁଣି ଜୀବନ ନେଲା ମାଞ୍ଜା ସୂତା । ମାଞ୍ଜା ସୂତାରେ ବେକ କଟି ଯୁବକଙ୍କ ମୃତ୍ୟୁ ହୋଇଛି । ଜଗତପୁର ପୀରବଜାର ଅଞ୍ଚଳରେ ଘଟିଛି ଏହି ଘଟଣା । ମୃତ ଯୁବକ ହେଲେ ସ୍ଥାନୀୟ ଭୟରପୁରର ଜୟନ୍ତ ସାମଲ । ଅପରାହ୍ଣ ୪ଟା ବେଳେ ଜୟନ୍ତ ନିଜ ବାଇକ୍ ଯୋଗେ ତାଙ୍କ ସ୍ତ୍ରୀଙ୍କ ସହ ଶ୍ୱଶୂର ଘରକୁ ଯିବା ବେଳେ ପୀରବଜାର ଠାରେ ଏହି ଅଘଟଣ ଘଟିଛି । ଗୁଡ଼ି ଉଡାଇବା ପାଇଁ ବ୍ୟବହାର କରାଯାଉଥିବା ବେଆଇନ୍ ମାଞ୍ଜା ସୂତାରେ ତାଙ୍କ ବେକ କଟି ଯାଇଛି ।

Man Dies After Sanja Slits His Throat In Cuttack

ସୂତାଟି ଅତି ଶକ୍ତ ଥିବାରୁ ବର୍ତ୍ତି ପାରିନଥିଲେ ଜୟନ୍ତ । ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ବେଆଇନ୍ ଘୋଷିତ ମାଞ୍ଜା ସୂତା ବିକ୍ରି ଏବଂ ଉଡ଼ାଉଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜଗତପୁର ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକ ।

ସ୍ୱୟଂଶାସିତ ମହାବିଦ୍ୟାଳୟର ଶ୍ରେଣୀଗୃହକୁ ମାଡ଼ି ଗଲାଣି ଗଛ ଲତା

ଯାଜପୁର: ସର୍ବପୂରାତନ କଲେଜର ଦୟନୀୟ ଚିତ୍ର । ଅବ୍ୟବସ୍ଥା ଭିତରେ ଯାଜପୁର ଜିଲ୍ଲାର ନରସିଂହ ଚୌଧୁରୀ ସ୍ୱୟଂଶାସିତ ମହାବିଦ୍ୟାଳୟ । ଘଞ୍ଚ ଜଙ୍ଗଲରେ ପରିଣତ ହେଲାଣି କଲେଜ । ଶ୍ରେଣୀଗୃହକୁ ମାଡ଼ି ଗଲାଣି ଗଛ ଲତା । ଭଙ୍ଗା ଦଦରା ଅବସ୍ଥା ପଡ଼ିଛି ସବୁକିଛି । ମହାବିଦ୍ୟାଳୟର ଅନ୍ଧାର କୋଠରୀ ପାଲଟିଛି ଅସମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ।

Jajpur Narasingha Choudhury Autonomous College

ଭୂତକୋଠି ପାଲଟିଛି କଲେଜ୍ । କ୍ଲାସରୁମରେ ଗଡୁଛି ମଦ ବୋତଲ । ଅନ୍ଧାର କୋଠରୀ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଯାଜପୁର ନରସିଂହ ଚୌଧୁରୀ ସ୍ୱୟଂଶାସିତ କଲେଜରେ ଯେଉଁଠି ମଦ ବୋତଲ, ସେଇଠି ଗଢ଼ା ହେଉଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ଭଙ୍ଗା ଟେବୁଲ ଚେୟାର ସାଙ୍ଗକୁ ମୁଣ୍ଡ ଉପରେ ଝୁଲୁଛି ଭଙ୍ଗା ପଙ୍ଖା । ଶୌଚାଳୟ ଅବସ୍ଥା ନକହିବା ଭଲ ।

Jajpur Narasingha Choudhury Autonomous College

କଲେଜର ପ୍ରତିଷ୍ଠାତା ନରସିଂହ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ଗଛଲତା ଭିତରେ ଲୁଚି ଗଲାଣି । କ୍ଲାସ୍ ରୁମରେ ବି ମାଡ଼ିଗଲାଣି ଗଛ ଲତା । ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହା କୌଣସି କାମରେ ଲାଗୁନି । ପାଞ୍ଚ ହଜାରରୁ ଅଧିକ ଛାତ୍ରଛାତ୍ରୀ ପଢୁଥିବା ଏହି କଲେଜକୁ ନୂଆ ଘର ପ୍ରଶାସନ ହସ୍ତାନ୍ତର କରୁ ନଥିବାରୁ ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ । ଜିଲ୍ଲାପାଳ କହିଛନ୍ତି, କାମ ସମ୍ପୂର୍ଣ୍ଣ ହେଲେ ଘର ହସ୍ତାନ୍ତର ହେବ ।

ଓମିକ୍ରନ୍ ଆତଙ୍କ: କର୍ଣ୍ଣାଟକରେ ଲାଗୁ ହେଲା ନାଇଟ କର୍ଫ୍ୟୁ

ବାଙ୍ଗାଲୋର: ଭାରତରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆତଙ୍କ ଖେଳାଇଛି । ଦିନକୁ ଦିନ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଭାରତରେ ମୋଟ ୪୦୦ରୁ ଅଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ସାରା ଦେଶରେ ଓମିକ୍ରନ୍ ସଙ୍କଟ ବଢୁଥିବା ବେଳେ ୧୦ଦିନିଆ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି କର୍ଣ୍ଣାଟକ ସରକାର । ଡିସେମ୍ବର ୨୮ରୁ ୧୦ଦିନ ଯାଏ ଏହି କଟକଣା ଲାଗୁ ହେବ । ରାତି ୧୦ଟାରୁ ଭୋର ୫ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ କେ ସୁଧାକର ।

ରାତ୍ରିକାଳୀନ କର୍ଫ୍ୟୁ ସହ ନୂଆବର୍ଷ ପାର୍ଟି ଓ ସେଲିବ୍ରେସନ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ବରିଷ୍ଠ ଅଧିକାରୀ ଓ କୋଭିଡ୍‌ ଟେକ୍ନିକାଲ ଆଡଭାଇଜରୀ କମିଟି ସହ ଆଲୋଚନା ପରେ କଟକଣା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ । ନିରାଡମ୍ବର ଭାବେ ନୂଆବର୍ଷ ପାଳନ କରିବାକୁ ଗାଇଡଲାଇନ ଜାରି କରାଯାଇଛି । ଏହି ସମୟରେ ଡିଜେ ଓ ଜନଗହଳିକୁ ମଧ୍ୟ ବାରଣ କରାଯାଇଛି । କଟକଣା ପାଳନ ନ ହେଲେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।

ଘରେ ପଶି ସ୍ୱାମୀକୁ ବନ୍ଧୁକ ଦେଖାଇ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ

ଜୟପୁର: ଘରେ ପଶିଲେ, ସ୍ୱାମୀକୁ ବନ୍ଧୁକ ଦେଖାଇ ସ୍ତ୍ରୀକୁ ଦୁଷ୍କର୍ମ କଲେ । ଏଭଳି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ବ୍ରାହ୍ମଣୀ ଗାଁରୁ । ଜୟପୁର ମହିଳା ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ୨୪ ତାରିଖ ରାତିରେ ୨ ଜଣ ଦୁର୍ବୃତ୍ତ ବ୍ରାହ୍ମଣୀ ଗାଁରେ ଜୈନିକ ବ୍ୟକ୍ତିଙ୍କ ଘରେ ପଶିଥିଲେ । ଦମ୍ପତିଙ୍କୁ ମାରଧର କରିବା ସହ ସ୍ୱାମୀ ମୁଣ୍ଡରେ ବନ୍ଧୁକ ରଖି ସ୍ତ୍ରୀ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।

Miscreants Raped Wife In Gun Point Infront Of Husband In Jeypore

ଏନେଇ ପୀଡ଼ିତାଙ୍କ ସ୍ୱାମୀ ଜୟପୁର ମହିଳା ଥାନାରେ ଏତଲା ଦେଇଛନ୍ତି । ଅଭିଯୁକ୍ତଙ୍କୁ ଗିରଫ କରି ଦଣ୍ଡ ଦେବାକୁ ପୀଡ଼ିତାଙ୍କ ସ୍ୱାମୀ ଦାବି କରିଥିବା ବେଳେ ଦୁଷ୍କର୍ମକାରୀଙ୍କୁ ଫାଶୀ ନହେଲେ ସପରିବାର ଆତ୍ମହତ୍ୟା କରିବେ କହିଛନ୍ତି ପୀଡ଼ିତା । ଏତଲା କ୍ରମେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇ ଅଭିଯୋଗର ତଦନ୍ତ କରାଯାଉଥିବା କହିଛନ୍ତି ଏସଡିପିଓ । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିଥିବା ବେଳେ ମହିଳାଙ୍କ ଡାକ୍ତରୀମାଇନା କରାଯାଇଛି ।

ଏବେ ତଦନ୍ତ ପ୍ରାଥମିକ ସ୍ତରରେ ଥିବାରୁ ସବିଶେଷ ସୂଚନା ଦେବାକୁ ମନା କରି ଦେଇଛନ୍ତି ଏସଡିପିଓ । ମାଲା ସମ୍ବେଦନଶୀଳ ହୋଇ ଥିବାରୁ ପୋଲିସ ସତର୍କତାର ସହ ପଦକ୍ଷେପ ନେଉଛି ଓ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସଡିପିଓ କହିଛନ୍ତି । ତେବେ ଏହି ମାମଲାରେ ପୀଡ଼ିତା ଅଭିଯୁକ୍ତଙ୍କ ପରିଚୟ ଓ ଠିକଣା ଦର୍ଶାଇଥିବାରୁ ପୋଲିସକୁ ତଦନ୍ତରେ ସହାୟକ ହେବ ।

ଦ୍ୱିତୀୟ ଡୋଜ ଓ ବୁଷ୍ଟର ଡୋଜ ମଧ୍ୟରେ ବ୍ୟବଧାନ ୯ ରୁ ୧୨ ମାସ ରହିପାରେ

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଏବେ ସାରା ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି । କରୋନାର ଡେଲଟା ଭାରିଆଣ୍ଟଠାରୁ ଓମିକ୍ରନ୍ ଦ୍ରୁତ ଗତିରେ ସଂକ୍ରମଣ କରୁଛି ବୋଲି ବିଶେଷଜ୍ଞ କହିଛନ୍ତି । ଦିନକୁ ଦିନ ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ପାର କରିସାରିଲାଣି । ତେବେ ଏପରି ସ୍ଥିତିରେ ଭାରତର ଅନେକ ରାଜ୍ୟରେ ପୁଣିଥରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ଓମିକ୍ରନ୍ ସଂକ୍ରମଣକୁ ଦୃଷ୍ଟିରେ ରଖି କରୋନାର ଫ୍ରଣ୍ଟ ଲାଇନ୍ ଓ୍ୱାର୍କରଙ୍କୁ ବୁଷ୍ଟର ଡୋଜ ଦେବା ପାଇଁ ଘୋଷଣା କରିଛନ୍ତି ।

ଶନିବାର ରାତିରେ ଦେଶବାସୀଙ୍କୁ ସମ୍ବୋଧନ କରିବା ସମୟରେ ମୋଦି ଫ୍ରଣ୍ଟ ଲାଇନ ଓ୍ୱାର୍କରଙ୍କୁ ଜାନୁଆରୀ ୧୦ରୁ ବୁଷ୍ଟର ଡୋଜ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏଥି ସହ ଜାନୁଆରୀ ୩ରୁ ୧୫ରୁ ୧୮ ବର୍ଷର ପିଲାଙ୍କୁ ଟିକା ଦିଆଯିବ ବୋଲି ମଧ୍ୟ ଘୋଷଣା କରିଛନ୍ତି । ଏଜେନ୍ସି ରିପୋର୍ଟ ଅନୁସାରେ କୋଭିଡ-୧୯ ଭ୍ୟାକ୍ସିନର ଦ୍ୱିତୀୟ ଡୋଜ ଓ ବୁଷ୍ଟର ଡୋଜ ମଧ୍ୟରେ ବ୍ୟବଧାନ ୯ ରୁ ୧୨ ମାସ ରହିବା ଦରକାର ବୋଲି କହିଛନ୍ତି । କାହିଁକି ନା କେନ୍ଦ୍ର ଟିକାକରଣ ବିଭାଗ ଓ ଟିକାକରଣର ଜାତୀୟ ବୈଷୟିକ ବିଭାଗ ଏହି ବ୍ୟବଧାନକୁ ନେଇ ଚର୍ଚ୍ଚା ଜାରି ରଖିଛି ।

 

ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣତି ହୋଇଛି: ନବୀନ

ଭୁବନେଶ୍ୱର: ବିଜୁ ଜନତା ଦଳର ବସ୍ ହେଉଛନ୍ତି ଓଡ଼ିଶାବାସୀ, ଆମର ଦିଲ୍ଲୀରେ କେହି ବସ୍ ନାହାଁନ୍ତି । ଯାହା କରୁଛୁ ଓଡ଼ିଶାବାସୀଙ୍କ ପାଇଁ… ଓଡ଼ିଶାବାସୀଙ୍କ ଇଚ୍ଛାରେ… ଓଡ଼ିଶାର ହକ୍ ପାଇଁ… । ବିଜୁ ଜନତା ଦଳର ରୌପ୍ୟ ଜୟନ୍ତୀରେ ରାଜ୍ୟବାସୀଙ୍କୁ ଏଭଳି ବାର୍ତ୍ତା ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । କହିଛନ୍ତି, ଆମେ କେବଳ ଓଡ଼ିଶାବାସୀଙ୍କ ପାଖରେ ଉତ୍ତରଦାୟୀ । ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣତି ହୋଇଛି । ଏହି ସଫଳତା ପଛରେ ଅଛନ୍ତି ସମୃଦ୍ଧ ଓ ଶସକ୍ତ ଓଡ଼ିଶାର ସ୍ୱପ୍ନ ଦେଖିଥିବା ପ୍ରତ୍ୟେକ ଓଡ଼ିଶାବାସୀ । ସେମାନଙ୍କୁ ସାଥିରେ ଧରି ବିଜେଡି ଶହ ଶହ ବର୍ଷ ଧରି ଓଡ଼ିଶାବାସୀଙ୍କ ସେବା କରି ଚାଲିବ ।

 BJD Has A Social Movement With Blessings Of Odisha People

ସେ ଆହୁରି କହିଛନ୍ତି, ୨୫ ବର୍ଷ ତଳେ ବିଜୁବାବୁଙ୍କ ଆଦର୍ଶରେ ଆରମ୍ଭ ହୋଇଥିବା ବିଜୁ ଜନତା ଦଳ ଆଜି ଏକ ସାମାଜିକ ଆନ୍ଦୋଳନରେ ପରିବର୍ତ୍ତନ ହୋଇଛି । ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ଆଶା ଓ ବିଶ୍ୱାସର ପ୍ରତୀକ ପାଲଟିଛି । ରାଜ୍ୟବାସୀଙ୍କ ଆଶୀର୍ବାଦରେ ଦିନକ ଦିନ ଆଗକୁ ବଢ଼ୁଛି ବିଜେଡି । ବିଜୁ ଜନତା ଦଳ ଦେଶର ଏକମାତ୍ର ଦଳ ଯାହାର ଲୋକପ୍ରିୟତା ବର୍ଷକୁ ବର୍ଷ ବଢ଼ୁଛି । ଏଥିପାଇଁ ଦଳର ଲକ୍ଷ ଲକ୍ଷ କର୍ମୀ ଭାଇ ଭଉଣୀମାନଙ୍କ ପରିଶ୍ରମ ଓ ତ୍ୟାଗକୁ ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ଆପଣମାନେ ହେଉଛନ୍ତି ଆମ ଦଳର ମେରୁଦଣ୍ଡ । ୨୦୦୦ ମସିହା ଓ ଆଜିର ଓଡ଼ିଶା ମଧ୍ୟର ବହୁତ ବଡ଼ ପରିବର୍ତ୍ତନ ଘଟିଛି । ଗରିବୀ କମ କରିବାରେ ସାରା ଦେଶରେ ଆଗରେ ରହିଛି ଓଡ଼ିଶା । ରାଜ୍ୟରେ ଗରିବୀ ୬୩ ପ୍ରତିଶତରୁ ୨୯ ପ୍ରତିଶତକୁ ଖସିଛି । ୮୦ ଲକ୍ଷ ଲୋକ ଗରିବ ସୀମାରେକ୍ଷା ଉପରକୁ ଆସିଛନ୍ତି । ଆସନ୍ତା ୫ ବର୍ଷ ମଧ୍ୟରେ ଆପଣମାନଙ୍କ ସହଯୋଗରେ ଗରିବୀକୁ ୧୦ ପ୍ରତିଶତକୁ ହ୍ରାସ କରି ଓଡ଼ିଶା ଇତିହାସ ସୃଷ୍ଟି କରିବ । ଏଥିପାଇଁ ଯାହା ଦରକାର ଆମ ସରକାର ସମସ୍ତ ପଦକ୍ଷେପ ନେବ ।

 BJD Has A Social Movement With Blessings Of Odisha People

ଓଡ଼ିଶା ଅନ୍ତର୍ଜାତୀୟ ପରିଚୟ ପାଇଛି । ଜାତିସଂଘ ଠାରୁ ନୀତି ଆୟୋଗ ସମସ୍ତେ ଓଡ଼ିଶାକୁ ପ୍ରଂଶସା କରିଛନ୍ତି । ବିପତ୍ତି ସମୟରେ ଲୋକଙ୍କ ଜୀବନ ବଞ୍ଚାଇବାକୁ ସମସ୍ତଙ୍କୁ ବାଟ ଦେଇଖାଇଛି ଓଡ଼ିଶା । ଦିନ ଥିଲା ଓଡ଼ିଶା ଖାଦ୍ୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲା, ଆଜି ସେ ପରିସ୍ଥିତି ନାହିଁ । ଦେଶକୁ ଖାଦ୍ୟ ଯୋଗାଇବାରେ ଓଡ଼ିଶା ଆଜି ୩ ନମ୍ବର ସ୍ଥାନରେ ଅଛି । ଏହାର ସବୁ ଶ୍ରେୟ ଆମ ଚାଷୀ ଭାଇମାନଙ୍କର । ମହିଳା ଶସକ୍ତିକରଣରେ ଓଡ଼ିଶା ଆଜି ଆଗରେ । ମାଆମାନଙ୍କ ପାଇଁ ପଞ୍ଚାୟତ ନିର୍ବାଚନରେ ୫୦ ପ୍ରତିଶତ ସଂରକ୍ଷଣରେ ଓଡ଼ିଶା ଆଗରେ । ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ବିଜେଡି ବାଟ ଦେଖାଇଛି । ଏହି ଲକ୍ଷ୍ୟ ପୂରଣ ହେବା ପର୍ଯ୍ୟନ୍ତ ମାଆ ମାନଙ୍କ ହକ୍ ପାଇଁ ଆମ ଆନ୍ଦୋଳନ ଜାରି ରହିବ । ମିଶନ ଶକ୍ତି ଆଜି ଓଡ଼ିଶାର ପ୍ରତି ଘରର ମାଆମାନଙ୍କୁ ଶସକ୍ତ କରିଛି । ୭୦ ଲକ୍ଷ ମାଆଙ୍କ ବିରାଟ ଆନ୍ଦୋଳନ, ବିକାଶ କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ କରିଛି । ଏସସି, ଏସଟି ଓ ଓବିସି ଭାଇ ଭଉଣୀମାନଙ୍କ ବିକାଶ ଆମର ପ୍ରାଥମିକତା । ଶିକ୍ଷା ତଥା ବିଭିନ୍ନ ବିକାଶ ଜରିଆରେ ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ପାଇଁ ଅନେକ କାମ ଚାଲିଛି ।

 BJD Has A Social Movement With Blessings Of Odisha People

କରୋନା କାଳରେ ସବୁଠୁ ଅଧିକ ପୁଞ୍ଜିନିବେଶ ଓଡ଼ିଶାକୁ ଆସିଛି । ୪ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ଆସିଛି । ସାରା ଦେଶରେ ଏହା ସର୍ବାଧିକ । ଆମ ଯୁବପିଢ଼ି ପାଇଁ ଏହା ରୋଜଗାରର ନୂଆ ସୁଯୋଗ ଆଣିଛି । କରୋନା ସମୟରେ ମାଗଣାରେ ଚିକିତ୍ସା ଯୋଗାଇଛନ୍ତି ଆମ ସରକାର । ୧୭ ରାଜ୍ୟକୁ ଆମେ ଅମ୍ଲଜାନ ଯୋଗାଇଛି । ସ୍ୱାସ୍ଥ୍ୟକ୍ଷେତ୍ରରେ ବିଏସକେୱାଇ କାର୍ଡ ଦେଶର ବିଳ୍ପବ ଆଣିଛି । ସ୍କୁଲ୍ ରୂପାନ୍ତିକରଣ ପିଲାମାନଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି ସହ ବଡ଼ ସ୍ୱପ୍ନ ଦେଖିବାକୁ ପ୍ରେରଣା ଦେଇଛି । ସ୍ୱାସ୍ଥ୍ୟ ହେଉ କି ଖେଳ ସବୁକ୍ଷେତ୍ରରେ ଓଡ଼ିଶା ଏକ ନୂଆ ପରିଚୟ ନେଇ ଆଗକୁ ବଢ଼ିଛି ।

ମଧ୍ୟପ୍ରଦେଶରେ ହେବ ନାହିଁ ପଂଚାୟତ ନିର୍ବାଚନ, ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି

ଭୋପାଳ: ସାରା ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଓମିକ୍ରନ୍ ବଢ଼ୁଥିବାର ଦେଖି ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ । ଏପରି ସ୍ଥିତିରେ ଆଗକୁ କିଛି ରାଜ୍ୟରେ ବିଧାନସଭା ଓ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ଏହାରି ମଧ୍ୟରେ ଏକ ବଡ଼ ନିଷ୍ପତ୍ତି ନେଇଛି ମଧ୍ୟ ପ୍ରଦେଶ ସରକାର । ମଧ୍ୟ ପ୍ରଦେଶରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ଶିବରାଜ ସିଂ ଚୌହାନଙ୍କ ସରକାର । ଆଜି ଶିବରାଜଙ୍କ ସରକାର କ୍ୟାବନେଟ ବୈଠକରେ ପୂର୍ବରୁ ପାରିତ ହୋଇଥିବା ଅଧ୍ୟାଦେଶକୁ ପ୍ରତ୍ୟାହାର କରିନେଇଛନ୍ତି । ଏହା ପରେ ନିଷ୍ପତ୍ତିକୁ ଅନୁମୋଦନ ପାଇଁ ରାଜ୍ୟପାଳଙ୍କ ପାଖକୁ ପଠାଯାଇଛି । ଏହା ପରେ ରାଜ୍ୟ ନିର୍ବାଚନ ଆୟୋଗ ପଞ୍ଚାୟତ ନିର୍ବାଚନ ବାତିଲ କରିବାକୁ ନିଷ୍ପତ୍ତି ନେବେ ।

ମଧ୍ୟପ୍ରଦେଶରେ ପଞ୍ଚାୟତ ନିର୍ବାଚନ ସମ୍ପର୍କରେ ଗତ ମାସରେ ରାଜ୍ୟ ସରକାର ଏକ ନିୟମ ପ୍ରଣୟନ କରି ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହା ପରେ ଡିସେମ୍ବର ୪ରେ ରାଜ୍ୟ ନିର୍ବାଚନ ଆୟୋଗ ପଞ୍ଚାୟତ ନିର୍ବାଚନ ସୂଚୀ ଘୋଷଣା କରିଥିଲେ । ତିନୋଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନର କାର୍ଯ୍ୟସୂଚୀ ମଧ୍ୟ ଘୋଷଣା କରାଯାଇଥିଲା । କିନ୍ତୁ ଓମିକ୍ରନ ଆତଙ୍କ ପାଇଁ ପଞ୍ଚାୟତ ନିର୍ବାଚନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । କାରଣ ମଧ୍ୟ ପ୍ରଦେଶର ଇନ୍ଦୋରରେ ଓମିକ୍ରନର ୮ଟି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କାରଣରୁ ଶିବରାଜ ସିଂଙ୍କ ସରକାର ସତର୍କତା ଅବଲମ୍ବନ କରିଛନ୍ତି।

ରବିବାର କ୍ୟାବିନେଟ ବୈଠକରେ ଏହି ଅଧ୍ୟାଦେଶକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ପଞ୍ଚାୟତରାଜ ମନ୍ତ୍ରୀ ମହେନ୍ଦ୍ର ସିଂ ସିସୋଡିଆ ଏହି ପ୍ରସ୍ତାବ ଦେଇଛନ୍ତି ଏବଂ କ୍ୟାବିନେଟ୍ ଏହାକୁ ପାରିତ କରି ରାଜ୍ୟପାଳଙ୍କ ପାଖକୁ ଅନୁମୋଦନ ପାଇଁ ପଠାଇଛନ୍ତି। ଏହା ସହ ପଞ୍ଚାୟତ ନିର୍ବାଚନ ବାତିଲ ହେବାର ସମସ୍ତ ସମ୍ଭାବନା ରହିଛି ଏବଂ ରାଜ୍ୟପାଳ ପ୍ରତ୍ୟାହାର ପ୍ରସ୍ତାବକୁ ଅନୁମୋଦନ କରିବା ପରେ ରାଜ୍ୟ ନିର୍ବାଚନ ଆୟୋଗ ନିର୍ବାଚନ ବାତିଲ କରିବାକୁ ନିଷ୍ପତ୍ତି ନେବ ।