spot_img
Home Blog Page 4778

ଦକ୍ଷିଣ ଆଫ୍ରିକାରେ ମସ୍ତି କରୁଛି ଟିମ୍ ଇଣ୍ଡିଆ; ସୋସିଆଲ ମିଡିଆରେ ଭିଡିଓ ସେୟାର କଲା ବିସିସିଆଇ

କେପଟାଉନ: ଆସନ୍ତା ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକାରେ ପହଞ୍ଚି ସାରିଛି । ଦକ୍ଷିଣ ଆଫ୍ରିକାରେ ପହଞ୍ଚିବା ପରେ ସମସ୍ତ ଖେଳାଳି ଜୋହାନର୍ସବର୍ଗରେ ଫୁଟଭଲି ଖେଳୁଥିବାର ନଜର ଆସିଥିଲେ ।

ବିସିସିଆଇ ଟିମ୍ ଇଣ୍ଡିଆର ଏହି ପ୍ରାକ୍ଟିସ୍ ସେସନର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲା । ଯେଉଁଥିରେ ଅଧିନାୟକ ବିରାଟ କୋହଲି ଏବଂ କୋଚ ରାହୁଲ ଦ୍ରାବିଡଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓରେ ଋଷଭ ପନ୍ତ, ରବିଚନ୍ଦ୍ରନ ଅଶ୍ୱିନୀଙ୍କ ସହ ଅନ୍ୟ ଖେଳାଳି ମସ୍ତି କରୁଥିବାର ନଜର ଆସିଥିଲେ । ଏହି ସମୟରେ କୋଚ ରାହୁଲ ଦ୍ରାବିଡ ଦଳ ସହ ଫୁଟବଲ ଖେଳିବା ଆରମ୍ଭ କରିଦେଇଥିଲେ । ଏହି ସମୟରେ ଦ୍ରାବିଡ ଓ କୋହଲି ମସ୍ତି କରୁଥିବାର ଦେଖିବାକୁ ମିଳିଥିଲା ।

ସୂଚନା ଅନୁସାରେ ଟିମ୍ ଇଣ୍ଡିଆ ୨୬ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ । ଭାରତ ଦକ୍ଷିଣ ଆଫ୍ରିକାରେ ତିନୋଟି ଟେଷ୍ଟ ଓ ତିନୋଟି ଦିନିକିଆ ମ୍ୟାଚ ଖେଳିବ । ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଭାରତୀୟ ଦଳରେ ବହୁ ବିବାଦ ଦେଖିବାକୁ ମିଳିଥିଲା । ଖାସ୍ କରି ଅଧିନାୟକ ପଦକୁ ନେଇ ବିବାଦ ଦେଖିବାକୁ ମିଳିଥିଲା ।  ତେବେ ଦକ୍ଷିଣ ଆଫ୍ରିକା ପହଞ୍ଚିବା ପରେ ଏହି ସବୁ ବିବାଦ ଭୁଲି ଟିମ୍ ଇଣ୍ଡିଆ ମସ୍ତି କରୁଥିବାର ନଜର ଆସିଥିଲା ।

 

ସାବଧାନ! ୟୁରୋପରେ କରୋନା ପଞ୍ଚମ ଲହରର ପଦଧ୍ୱନୀ

ପ୍ୟାରିସ: ଫ୍ରାନ୍ସରେ ଦ୍ରୁତ ଗତିରେ ମାଡି ଚାଲିଛି କରୋନା ସଂକ୍ରମଣ । ଫ୍ରାନ୍ସରେ ଦ୍ରୁତ ଗତିରେ କରୋନା ଭାଇରସ ବଢ଼ୁଥିବାର ଦେଖି ଶୀଘ୍ର ଟୀକାକରଣ କରିବାକୁ ଲୋକମାନଙ୍କୁ ଶୁକ୍ରବାର ଫ୍ରାନ୍ସ ସରକାର ଅନୁରୋଧ କରିଛନ୍ତି । ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଜିନ୍ କାଷ୍ଟେକ୍ସ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି କି ‘ଫ୍ରାନ୍ସରେ କରୋନାର ପଞ୍ଚମ ଲହର ଆସିଯାଇଛି । ଏହା ସହ ସେ ଓମିକ୍ରନ ଭାରିଆଣ୍ଟ ସଂକ୍ରମଣର ତୁଳନା ‘ବିଜୁଳି’ ସହ କରିଛନ୍ତି ।

ସେ ଆହୁରି କହିଛନ୍ତି କି ଜାନୁଆରୀ ଆରମ୍ଭରୁ ଫ୍ରାନ୍ସରେ ଓମିକ୍ରନ୍ ଭାରିଆଣ୍ଟ ଦ୍ରୁତ ଗତିରେ ବ୍ୟାପିବାର ସମ୍ଭାବନା ରହିଛି। ଛୁଟିଦିନରେ ସଂକ୍ରମଣ ରୋକିବା ପାଇଁ ସରକାର ସର୍ବସାଧାରଣ କାର୍ଯ୍ୟକ୍ରମ ଏବଂ ନୂତନ ବର୍ଷର ଉତ୍ସବ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଏବଂ ଖ୍ରୀଷ୍ଟମାସ ଅବସରରେ ଲୋକମାନେ ଯେପରି ବହୁ ସଂଖ୍ୟାରେ ଏକାଠି ନହେବେ ସେଥିପାଇଁ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି |

ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଜିନ୍ କାଷ୍ଟେକ୍ସ ଲୋକମାନଙ୍କ ଉଦ୍ଦେଶ୍ୟରେ ଆହୁରି କହିଛନ୍ତି କି ଆପଣ ଯେତେ କମ୍ ସଂଖ୍ୟାରେ ବାହାରକୁ ବାହାରିବେ, ସଂକ୍ରମଣ ହେବାର ଆଶଙ୍କା ସେତେ କମ୍ । ଫ୍ରାନ୍ସରେ ଓମିକ୍ରନ ମାମଲା ବଢ଼ିବା ଦ୍ୱାରା ବାହାର ଦେଶର ଯାତ୍ରୀଙ୍କ ଉପରେ ପ୍ରତିବନ୍ଧତା ଲଗାଯାଇଛି । ଟୀକାକରଣକୁ କର୍ତ୍ତୁପକ୍ଷ ଜୋରଦାର କରିଛନ୍ତି । ସ୍ୱାସ୍ଥ୍ୟ ଅଧିକାରୀମାନେ ଦ୍ୱିତୀୟ ଏବଂ ତୃତୀୟ ଡୋଜ ମଧ୍ୟରେ ବ୍ୟବଧାନକୁ ପାଞ୍ଚ ମାସରୁ ଚାରିମାସକୁ ହ୍ରାସ କରିଛନ୍ତି | ଗତ ସପ୍ତାହରେ ଫ୍ରାନ୍ସ ପ୍ରତିଦିନ ହାରାହାରି ୫୦,୭୦୪ଟି ନୂଆ ମାମଲା ସାମ୍ନାକୁ ଆସୁଛି । କେବଳ ଗୁରୁବାର ଦିନ ୬୦ ହଜାର ୮୬୬ଟି ମାମଲା ରୁଜୁ ହୋଇଛି ବୋଲି କହିଛନ୍ତି ଫ୍ରାନ୍ସ ପ୍ରଧାନମନ୍ତ୍ରୀ ।

ଓମିକ୍ରନ୍ ଭାରିଆଣ୍ଟ ଅଧିକ ଥର ମ୍ୟୁଟେସନ କରିଥିବାର ନଜର ଆସିଛି ବୋଲି ବୈଜ୍ଞାନିକମାନେ କହିଛନ୍ତି । କରୋନାର ନୂଆ ଭାରିଆଣ୍ଟ B.1.1.1.529 ଭାଇରସ ପ୍ରଥମ ଥର ପାଇଁ ୨୪ ନଭେମ୍ବରରେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା । ଏହା ପରେ ଭାରତ ସମେତ ବିଶ୍ୱର ୯୧ଟି ଦେଶରେ ନିଜର କାୟା ବିସ୍ତାର କରିସାରିଲାଣି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ।

ରାଜ୍ୟରେ ଶାନ୍ତିପୂର୍ଣ୍ଣ ରହିଛି ଆଇନ ଶୃଙ୍ଖଳା ପରିସ୍ଥିତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହାମାରୀ କାଳରେ ଓଡ଼ିଶା ପୋଲିସର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମୁକାବିଲା ସମୟରେ ୬୧ ଜଣ ପୋଲିସ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ଜୀବନର ବଳିଦାନକୁ ଦେବାକୁ ପଡ଼ିଥିଲା । ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ସେମାନଙ୍କ ପରିବାରବର୍ଗଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବାର ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ବରିଷ୍ଠ ପୋଲିସ ଅଧିକାରୀଙ୍କ କନ୍‌ଫରେନ୍ସ-୨୦୨୧ର ଉଦ୍‌ଯାପନୀ ଅବସରରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ  ଯୋଗଦେଇ ବର୍ଷ ୨୦୨୧ରେ ମଧ୍ୟ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତପୂର୍ଣ୍ଣ ଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଏଥିସହିତ ମାଓ ଦମନ କ୍ଷେତ୍ରରେ ଓଡ଼ିଶା ପୋଲିସର ଉଲ୍ଲେଖନୀୟ କାର୍ଯ୍ୟ ଫଳରେ ବିଗତ ୫ବର୍ଷ ମଧ୍ୟରେ ଅନୁଗୁଳ, ବୌଦ୍ଧ, ଦେବଗଡ଼, ନୟାଗଡ଼ ଏବଂ ସମ୍ୱଲପୁର ଜିଲ୍ଲାକୁ ମାଓ ମୁକ୍ତ ହୋଇପାରିଥିବା କହିଛନ୍ତି ।

            ‘ମୋ- ସରକାର’ ଅଧିନରେ ଓଡ଼ିଶା ପୋଲିସ ସମ୍ପର୍କରେ ଭଲ ଫିଡ୍ ବ୍ୟାକ୍ ପ୍ରାପ୍ତ ହୋଇଛି । ସେହିଭଳି ୫-ଟି ଅଧିନରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଯେଉଁଥିରେ ପାସପୋର୍ଟ ଭ୍ୟାରିଫିକେସନକୁ ତ୍ୱରାନ୍ୱିତ କରିବା, ପୋଲିସ କର୍ମଚାରୀଙ୍କ ସମୟାନୁଯାୟୀ ପଦୋନ୍ନତି, ଚୋରି ମାମଳାରେ ଇ-ଏଫଆଇଆର ରହିଥିଲା । ଏଥିସହିତ ଆଗକୁ ମଧ୍ୟ ଆହୁରି ଅନେକ ପଦକ୍ଷେପ ନିଆଯିବ ।

            ଅନ୍ୟପକ୍ଷରେ ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍) ନେତୃତ୍ୱରେ ରାଜ୍ୟରେ ଜାରି ରହିଥିବା ବ୍ରାଉନସୁଗାର ବିରୋଧୀ ଅଭିଯାନର ସଫଳତାକୁ ମଧ୍ୟ ପ୍ରଶଂସା କରିଛନ୍ତି । ଏଥିସହିତ ବଜ୍ରକାପ୍ତା, ବାଘ ଚମଡ଼ା ଭଳି ବନ୍ୟଜନ୍ତୁଙ୍କୁ ନେଇ ଚାଲିଥିବା କାରବାରର ପର୍ଦ୍ଦାଫାସ ନେଇ ମଧ୍ୟ ଏସ୍‌ଟିଏଫ୍‌କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

 ବାତ୍ୟା ‘ୟାସ୍’ ଲୋକଙ୍କୁ ସ୍ଥାନାନ୍ତର ଓ ରିଲିଫ୍ ସାମଗ୍ରୀ ବଣ୍ଟନ ନେଇ ଓଡ୍ରାଫ୍ ଏବଂ ହୋମଗାର୍ଡ କର୍ମଚାରୀଙ୍କ ଉଲ୍ଲେଖନୀୟ କାର୍ଯ୍ୟକୁ ମଧ୍ୟ ବେଶ୍ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।

‘ଯୋଗୀ ଲୋକର ସମସ୍ୟା ବୁଝେ, ନାଁ ବଦଳାଏ ନାହିଁ’

ଲକ୍ଷ୍ନୌ: ଗଳି ଗଳିରେ ନେତା  । ୟୁପି ଆକାଶରେ ଉଡ଼ୁଛି ହେଲିକପ୍ଟର  । ନେତାଙ୍କ ସମ୍ମିଳନୀ ୟୁପିରେ ପ୍ରୟାଗରାଜର ପ୍ରହେଳିକା ସୃଷ୍ଟି କରିଛି  । କରିବା ମଧ୍ୟ ସ୍ୱାଭାବିକ ଯେ, ଆଗାମୀ ଦିନରେ ୟୁପିରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉତ୍ତର ପ୍ରଦେଶ ଗସ୍ତ କରିବା ସହ ଗଙ୍ଗା ଏକ୍ସପ୍ରେସକୁ ଉଦଘାଟନ କରିଛନ୍ତି  । ଏହାପରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ  । ନିଜ ଭାଷଣରେ ରାଜନୀତିର ଛୁଙ୍କ ଭରି ଦେଇଛନ୍ତି ମୋଦି  । ଯାହା ଏବେ ଉତ୍ତରପ୍ରଦେଶରେ ଥିବା ବିପକ୍ଷ ନେତାଙ୍କ ନାକରେ ପଶିଛି  । ଅର୍ଥାତ କହିବାକୁ ଗଲେ ଏହି ଛୁଙ୍କ ହିଁ ସପା, ବସପା ଭଳି ପାର୍ଟିକୁ ତୁଣ୍ଡ ଖୋଲିବାକୁ ବାଧ୍ୟ କରିଛି  ।

ଜନସଭାରେ ପ୍ରଧାନମନ୍ତ୍ରୀ କହିଥିଲେ ୟୁପି ପ୍ଲସ ଯୋଗୀ ଏଠି ଅଧିକ କିନ୍ତୁ ଉପଯୋଗୀ ଜଣେ  । ଅର୍ଥାତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୁନର୍ବାର ଉତ୍ତରପ୍ରଦେଶ ଜନାଦେଶ ସମର୍ଥନ କରୁଥିବା ପରୋକ୍ଷରେ କହିଥିଲେ ମୋଦି  । UP + YOGI = UPYOGI  । ଅର୍ଥାତ ଉତ୍ତରପ୍ରଦେଶ ସହ ଯୋଗୀଙ୍କ ମିଶ୍ରଣ ଯାହା ଅନ୍ୟ ସମସ୍ତ ଦଳ ଗୁଡିକର ମିଶ୍ରଣ ସେତିକି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ  ।  ସେପଟେ ପ୍ରଧାନମନ୍ତ୍ରୀଙ୍କ ଏହି ବୟାନକୁ ନେଇ ପ୍ରତିକ୍ରିୟା ପ୍ରକାଶ କରଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ  । ସେ କହିଛନ୍ତି ଉତ୍ତରପ୍ରଦେଶର ଜନତା ଉପଯୋଗୀ ଚାହୁଁ ନାହାଁନ୍ତି  । ବଂର ଜନତା ମନ ବଳାଇ ସାରିଛନ୍ତି ଯେ ଜଣେ ଉପଯୁକ୍ତ ପ୍ରାର୍ଥୀକୁ ହିଁ  ମୁଖ୍ୟମନ୍ତ୍ରୀ କରିବେ  । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଥିବା ଯୋଗୀ ଆଦିତ୍ୟନାଥ ଅନୁପଯୁକ୍ତ ବୋଲି ସାଧାରଣ ଲୋକେ କହୁଥିବା କହିଛନ୍ତି ଅଖିଳେଶ  ।

ସେପଟେ ଟ୍ୱିଟ କରି ଅଖିଳେଶ ଯାଦବ ଲେଖିଛନ୍ତି ହାଥରସର ଝିଅ, ଲଖୀମପୁରର କୃଷକ, ଗୋରଖପୁର ବେପାରୀ, ଅସୁରକ୍ଷିତ ମହିଳା, ବୃଦ୍ଧ ଲୋକ, ଦଳିତ ଓ ପଛୁଆ ବର୍ଗର ଲୋକ ପଚାରୁଛନ୍ତି ଯଦି ଯୋଗୀ ଆଦିତ୍ୟନାଥ ଉପଯୋଗୀ, ତେବେ ମୁଖ୍ୟ ଯୋଗୀ କିଏ ବୋଲି ପ୍ରଶ୍ନ କରିଛନ୍ତି । ଲୋକେ ମାନସିକ ଭାବେ ପ୍ରସ୍ତୁତ ହୋଇଛନ୍ତି, କେଉଁ ଦଳକୁ ଭୋଟ ଦେବେ ଓ କାହାକୁ ନେତା ବାଛିବେ । ଯିଏ ସାଧାରଣ ଲୋକଙ୍କ କଥାକୁ ବୁଝିଥାଏ, ତାକୁ ହିଁ ଯୋଗୀ କୁହାଯାଇଥାଏ  । କିନ୍ତୁ ଏଠି ଥିବା ଯୋଗୀ କେବଳ ବିଭିନ୍ନ ସ୍ଥାନର ନାଁ ପରିବର୍ତ୍ତନରେ ରହିଛନ୍ତି  । ଜନତାଙ୍କ ସମସ୍ୟା ବୁଝିବାକୁ ଏ ସରକାର ପାଖରେ ସମୟ ନଥିବା କହିଛନ୍ତି ଅଖିଳେଶ  ।

ସମାଜବାଦୀ ପାର୍ଟି ସାଧାରଣ ସମ୍ପାଦକଙ୍କ ଘରେ ଆୟକର ବିବାଘର ରେଡ଼ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଅଖିଳେଶ  । ବିଜେପି ନିର୍ବାଚନ ପୂର୍ବରୁ ବିରୋଧି ଦଳ ନେତାଙ୍କ ଘରେ ଧସେଇ ପସେ  । ଏକଥା  ନୂଆ ନୁହେଁ  । ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ମଧ୍ୟ ବିଜେପି ତାହାର ପରିଚୟ ଦେଖାଇ ସାରିଥିବା କହିଛନ୍ତି ଅଖିଳେଶ  । ତେଣୁ ବିଭିନ୍ନ ତଦନ୍ତକାରୀ ଦଳ ଦ୍ୱାରା ବିଜେପି ଆମକୁ ଡ଼ରାଇବାରେ ସଫଳ ହେବ ନାହିଁ  । ବିଧାନସଭା ନିର୍ବାଚନରେ ପରାଜିତ ହେବା ନେଇ ଭୟଭୀତ ହୋଇ ପଡ଼ିଛି ଭାରତୀୟ ଜନତା ପାର୍ଟି  । ଉତ୍ତରପ୍ରଦେଶ ରାମରାଜ୍ୟରେ ପରିଣତ ହେବ ଏହା ନିଶ୍ଚିତ ଏବଂ ଏହି କାର୍ଯ୍ୟ କେବଳ ସମାଜବାଦୀ ପାର୍ଟି ହିଁ କରିବ ବୋଲି ଦୃଢୋକ୍ତି ବାଢିଛନ୍ତି ଅଖିଳେଶ ଯାଦବ  ।

ହିନ୍ଦୁ ସତ୍ୟ ପାଇଁ ଲଢ଼ନ୍ତି, ହିନ୍ଦୁତ୍ୱବାଦୀ ହିଂସା ସୃଷ୍ଟି କରନ୍ତି: ରାହୁଲ ଗାନ୍ଧୀ

ଆମେଠି: ଉତ୍ତରପ୍ରଦେଶ ଆମେଠିରେ ବିଜେପି ଉପରେ ବର୍ଷିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଦରବୃଦ୍ଧି ଓ ବିଜେପି ସରକାରଙ୍କ ଏକଛତ୍ରବାଦ ଶାସନକୁ ବିରୋଧ କରି ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏକ ପଦଯାତ୍ରା କରିଥିଲେ । ଏହି ପଦଯାତ୍ରାରେ ରାହୁଲ ଗାନ୍ଧୀ ପୁଣିଥରେ ହିନ୍ଦୁ ଓ ହିନ୍ଦୁତ୍ୱବାଦୀ ପ୍ରସଙ୍ଗକୁ ଉଠାଇଥିଲେ । ଏହି ପଦଯାତ୍ରାରେ ରାହୁଲ କହିଥିଲେ କି ଗାନ୍ଧୀଜି କହିଥିଲେ କି ହିନ୍ଦୁଙ୍କ ରାସ୍ତା ହେଉଛି ସତ୍ୟାଗ୍ରହ କିନ୍ତୁ ହିନ୍ଦୁତ୍ୱବାଦୀଙ୍କ ରାସ୍ତା ହେଉଛି କିପରି ଭାବରେ କ୍ଷମତା ଲାଭ କରିବେ । ଯେଉଁମାନେ ଅନ୍ୟାୟ ପାଇଁ ଲଢ଼େଇ କରନ୍ତି ସେମାନେ ହେଉଛନ୍ତି ହିନ୍ଦୁ ଆଉ ଯେଉଁମାନେ ହିଂସା ବିସ୍ତାର କରୁଛନ୍ତି ସେମାନେ ହେଉଛନ୍ତି ହିନ୍ଦୁତ୍ୱବାଦୀ ବୋଲି କହିଥିଲେ ରାହୁଲ ଗାନ୍ଧୀ ।

ଆମେଠିରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିବା ସମୟରେ ରାହୁଲ ଗାନ୍ଧୀ କହିଥିଲେ କି ବର୍ତ୍ତମାନ ଗୋଟିଏ ପକ୍ଷରେ ହିନ୍ଦୁମାନେ ଅଛନ୍ତି ଯେଉଁମାନେ ସତ କହୁଛନ୍ତି । ଅନ୍ୟ ପକ୍ଷରେ ରହିଛନ୍ତି ହିନ୍ଦୁତ୍ୱବାଦୀ ଯେଉଁମାନେ ଲୋକମାନଙ୍କ ମଧ୍ୟରେ ଘୃଣାଭାବ ସୃଷ୍ଟି କରୁଛନ୍ତି ଏବଂ କ୍ଷମତା ହାତେଇବା ପାଇଁ କିଛି ବି କରିପାରନ୍ତି ବୋଲି ରାହୁଲ କହିଛନ୍ତି । ରାହୁଲ ଆହୁରି କହିଛନ୍ତି କି କେନ୍ଦ୍ର ସରକାର କୃଷକମାନଙ୍କ ଭଲ ପାଇଁ କୃଷି ଆଇନ ଆଣିଥିଲେ । କିନ୍ତୁ ଏକ ବର୍ଷ ପରେ ପ୍ରଧାନମନ୍ତ୍ରୀ ଏହି ଆଇନକୁ ନେଇ କ୍ଷମା ମାଗିଥିଲେ ଏବଂ ଏହି ଆଇନକୁ ପ୍ରତ୍ୟାହାର କରିଥିଲେ । କେନ୍ଦ୍ର ସରକାର ଯେଉଁ ସବୁ ଆଇନ ଆଣିଛନ୍ତି ଯଥା ବିମୁଦ୍ରାକରଣ, ଜିଏସଟି କିମ୍ବା କୃଷି ଆଇନ । ଏହି ସମସ୍ତ ଆଇନ ଫଳରେ ସାଧାରଣ ଲୋକଙ୍କର କିଛି ଲାଭ ହୋଇନାହିଁ । ଏହା କେବଳ ବଡ଼ ବଡ଼ ପୁଞ୍ଜିପତିଙ୍କ ପାଇଁ ହୋଇଛି ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ଏହି କାର୍ଯ୍ୟକ୍ରମରେ ରାହୁଲ ଆହୁରି କହିଥିଲେ କି ଲଦାଖରେ ଚୀନ ସେନା ଦିଲ୍ଲୀ ପରିମାଣରେ ଜମି ଭାରତଠାରୁ ଛଡାଇ ନେଇଛି । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରସଙ୍ଗରେ କିଛି କଲେ ନାହିଁ କି କିଛି କହିଲେନି ମଧ୍ୟ । ଏହି ପ୍ରସଙ୍ଗରେ ଯେତେବେଳେ ମୋଦିଙ୍କୁ ପଚରାଯାଇଥିଲା ସେ କହିଥିଲେ କି କେହି ବି ଭାରତର ଜମି ନେଇ ନାହାନ୍ତି କିନ୍ତୁ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି କି ଚୀନ ଆମ ଜମି ଅକ୍ତିଆର କରିଛି । ରାହୁଲ ଗାନ୍ଧୀ ଆହୁରି କହିଥିଲେ କି ଦେଶରେ ବେରୋଜଗାରୀ ଓ ଦରବୃଦ୍ଧି ଦୁଇଟି ବଡ଼ ପ୍ରସଙ୍ଗ । କିନ୍ତୁ ଏହି ଦୁଇଟି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଉତ୍ତର ରଖୁନାହାନ୍ତି ବୋଲି କହିଥିଲେ ରାହୁଲ ଗାନ୍ଧୀ ।

 

ଓ-ହବ୍ ଷ୍ଟାର୍ଟଅପ୍ ଓଡ଼ିଶା ଇନ୍‌କ୍ୟୁବେସନ୍ ସେଣ୍ଟରର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ୧୦ହଜାର ନିଯୁକ୍ତି ସୃଷ୍ଟି ହେବ

ଭୁବନେଶ୍ୱର: ଷ୍ଟାର୍ଟଅପକୁ ବୁଷ୍ଟର ଡୋଜ୍ । ଷ୍ଟାର୍ଟଅପ୍ କ୍ଷେତ୍ରରେ ଆଗଉଛି ଓଡ଼ିଶା । ଓ-ହବ୍ ଷ୍ଟାର୍ଟଅପ୍ ଓଡ଼ିଶା ଇନ୍କ୍ୟୁବେସନର ଶୁଭାରମ୍ଭ । ଚନ୍ଦ୍ରଶେଖରପୁରରେ ଓ-ହବ୍ ଷ୍ଟାର୍ଟଅପ୍ ସେଣ୍ଟରକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୁବ ଉଦ୍ୟୋଗୀଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିକାଶରେ ଓ-ହବ୍ ବହୁତ ଉପାଦେୟ ହୋଇପାରିବ ।

ରାଜ୍ୟ ସରକାର ଘରୋଇ ପୁଞ୍ଜିନିବେଶକାରୀକୁ ମଧ୍ୟ ପ୍ରୋତ୍ସାହନ ଦେଉଛନ୍ତି । ଷ୍ଟାର୍ଟଅପ୍ ପାଇଁ ରାଜ୍ୟ ସରକାର ଏକ ନୂଆ ଡ୍ରାଫ୍ଟ ପଲିସି ଆଣିବେ । ଏଥିରେ ସ୍କୁଲ ପାଠ୍ୟକ୍ରମରେ ଏଣ୍ଟରପ୍ରେନରସିପ୍‌କୁ ନେଇ ସ୍ୱତନ୍ତ୍ର ପାଠ୍ୟକ୍ରମ ସ୍ଥାନ ପାଇବ । ଯୁବଗୋଷ୍ଠୀଙ୍କୁ ଏଣ୍ଟରପ୍ରେନରସିପ୍‌ କରିବା ପାଇଁ ଛାତ୍ର ଜୀବନରୁ ମଧ୍ୟ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଓ-ହବ୍ ଷ୍ଟାର୍ଟଅପ୍ ଓଡ଼ିଶା ଇନ୍‌କ୍ୟୁବେସନ୍ ସେଣ୍ଟରର ଶୁଭାରମ୍ଭ ଅବସରରେ ସେ ଆହୁରି କହିଛନ୍ତି ଯେ, ୨୦୨୫ ସୁଦ୍ଧା ୫ହଜାର ଷ୍ଟାର୍ଟ-ଅପ୍ ଉଦ୍ୟୋଗୀ ସୃଷ୍ଟି ନେଇ ଯେଉଁ ଲକ୍ଷ୍ୟ ରହିଛି ତାହା ପୂରଣ କରିବା ଦିଗରେ ଓ-ହବ୍ ସହାୟକ ହେବ ।

ଦେଢଲକ୍ଷ ବର୍ଗଫୁଟରୁ ଅଧିକ ବିଲଡ଼ିଙ୍ଗରେ ୯୩ ଇନକ୍ୱିବେଟରଙ୍କୁ ସ୍ଥାନ ମିଳିବା ସହ ଖୁବଶୀଘ୍ର ୨୦୦ ଯୁବ ଉଦ୍ୟୋଗୀଙ୍କୁ ଏଠାରେ ସୁଯୋଗ ମିଳିବ । ରାଜ୍ୟରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିକାଶରେ ଓ-ହବ୍‌ ବହୁତ ଉପାଦେୟ ହୋଇପାରିବ । ରାଜ୍ୟରେ ଷ୍ଟାର୍ଟଅପର ଇକୋ ସିଷ୍ଟମ୍ ବାତାବରଣକୁ ଏହା ଅଧିକ କ୍ରିୟାଶୀଳ କରିବ । ଅଧିକ ସଂଖ୍ୟକ ମହିଳା କିପରି ଉଦ୍ୟୋଗୀ ହୋଇପାରିବେ, ସେଥିପ୍ରତି ଦୃଷ୍ଟି ଦିଆଯାଉଛି । ଏଥିରେ ୭୫ଟି ଇ-ସେଲସ୍ କାଉଂଟର, ୯୩ ଇନକ୍ବ୍ୟୁବେଟର ସହ ୧୦ହଜାର ନିଯୁକ୍ତି ପାଇଁ ବ୍ୟବସ୍ଥା ହୋଇଛି । ବିଶେଷ କରି କୃଷି, ସ୍ବାସ୍ଥ୍ୟ, ସବୁଜ ଶକ୍ତି କ୍ଷେତ୍ରରେ ଷ୍ଟାର୍ଟ ଅପ୍ ଉଦ୍ୟୋଗୀଙ୍କ ଆଇଡ଼ିଆ ଏଠାରେ ବାସ୍ତବ ରୂପ ନେବ ।

ଓଡ଼ିଶାର ଓୟୋ, ଆଇ ସର୍ଭ ୟୁ ଭଳି ସଂସ୍ଥା ଅନ୍ତର୍ଜାତୀୟ ସ୍ତରରେ ଅନେକ ସୁନାମ ଆଣିଛନ୍ତି । ଫଣ୍ଡିଂ, ଟେକନିକାଲ ସହାୟତା, ଆବଶ୍ୟକ ଅନୁସାରେ ସହାୟତା ବି ଯୋଗାଇବ ଓ-ହବ୍ । ୨୦୧୬ରେ ରାଜ୍ୟ ସରକାର ଆଣିଥିଲେ ଷ୍ଟାର୍ଟ ଅପ୍ ପଲିସି । ଏହା ଭିତରେ ଅନେକ ଆଗେଇଛି ଷ୍ଟାର୍ଟ ଅପ୍ । ରାଜ୍ୟର ରାଉରକେଲା, ଭୁବନେଶ୍ୱର, କଟକରେ ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ସ୍ୱତନ୍ତ୍ର ସେଣ୍ଟର କରାଯାଇଛି । ଓ-ହବରେ ସମସ୍ତ ଅତ୍ୟାଧୁନିକ ଟେକ୍ନୋଲୋଜିରେ ସବୁ ପ୍ରକାର ସୁବିଧା ଷ୍ଟର୍ଟ ଅପ୍ ଉଦ୍ୟୋଗୀଙ୍କୁ ଯୋଗାଇ ଦିଆଯିବ ବୋଲି ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ୧୨ ଡିଗ୍ରୀ ତଳେ ୧୨ ସହର ତାପମାତ୍ରା: ୫ଦିନ ଯାଏଁ ନିସ୍ତାର ନାହିଁ

ଟିକା ନେଇଛନ୍ତି ତଥାପି ଓମିକ୍ରନରେ ଆକ୍ରାନ୍ତ

ମୁମ୍ବାଇ: ଓମିକ୍ରନ ଲାଗି କାମ କରୁନି ଫାଇଜର ଟିକା । ନ୍ୟୁୟର୍କରୁ ମୁମ୍ବାଇ ଫେରିଥିବା ଜଣେ ୨୯ ବର୍ଷ ବୟସ୍କ ଯୁବକ ଓମିକ୍ରନ ସଂକ୍ରମିତ ହେବା ପରେ ଏହା ସ୍ପଷ୍ଟ ହୋଇଛି । ଉକ୍ତ ଯୁବକ ଫାଇଜରର ୩ଟି ଟିକା ନେଇଥିବା ସତ୍ତ୍ବେ ସେ ଓମିକ୍ରନ ସଂକ୍ରମିତ ହୋଇଥିବା ବୃହନ ମୁମ୍ବାଇ ମହାନଗର ନିଗମ ପକ୍ଷରୁ କୁହାଯାଇଛି । ସେ ନଭେମ୍ବର ୯ରେ ମୁମ୍ବାଇ ଆସିବା ପରେ ତାଙ୍କର ଆରଟିପିସିଆର ଟେଷ୍ଟ ହୋଇଥିଲା । ପରେ ସେ କୋଭିଡରେ ସଂକ୍ରମିତ ଥିବା ଜଣାପଡିଥିଲା ।

ଓମିକ୍ରନ ଟେଷ୍ଟ ଲାଗି ତାଙ୍କର ଜିନୋମ ସିକ୍ବେସିଂ କରାଯାଇଥିଲା । ଏଥିରେ ସେ ଓମିକ୍ରନ ସଂକ୍ରମିତ ଥିବା ଜଣାପଡିଥିଲା । ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ଦୁଇ ଜଣ ବ୍ୟକ୍ତି ନେଗେଟିଭ ପ୍ରମାଣିତ ହୋଇଛନ୍ତି । ଉକ୍ତ ଯୁବକଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୁମ୍ବାଇରେ ଚିହ୍ନଟ ହୋଇଥିବା ଓମିକ୍ରନ ସଂକ୍ରମିତଙ୍କ ମଧ୍ୟରୁ ୧୩ଜଣ ସୁସ୍ଥ ହୋଇସାରିଛନ୍ତି । ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ୪୦ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣା ପଡ଼ିଛି  ।

 

୧୨ ଡିଗ୍ରୀ ତଳେ ୧୨ ସହର ତାପମାତ୍ରା: ୫ଦିନ ଯାଏଁ ନିସ୍ତାର ନାହିଁ

ଭୁବନେଶ୍ୱର: କମୁଛି ତାପମାତ୍ରା ବଢ଼ୁଛି ଶୀତ । ଉପାନ୍ତରୁ ଉପକୂଳ ପ୍ରବଳ ଜାଡ଼ରେ ଥରହର । ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୨ ସହରର ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଛି । କ୍ରମାଗତ ଭାବରେ ଉତ୍ତର ଦିଗର ଓଡ଼ିଶା ମଧ୍ୟକୁ ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବାହ ବଢୁଥିବାରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଜାଡରୁ ମୁକ୍ତି ମିଳିବ ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ୨.୭ ଡିଗ୍ରୀ ତାପମାତ୍ରା ହ୍ରାସ ପାଇଥିବାବେଳେ ଉପକୂଳ ଓଡ଼ିଶାରେ ୧ ଡିଗ୍ରୀ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୨.୭ ଡିଗ୍ରୀ ତାପମାତ୍ରା ବୃଦ୍ଧି ହୋଇଛି । ୭ ଡିଗ୍ରୀ ତାପମାତ୍ରା ସହ ଫୁଲବାଣୀ ରାଜ୍ୟର ସବୁଠାରୁ ଥଣ୍ଡା ସହର ରହିଛି । ଶୀତ ବଢୁଥିବା କାରଣରୁ ସଂନ୍ଧ୍ୟା ପରଠାରୁ ବିନା ଶୀତ ବସ୍ତ୍ରରେ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡି ସହ ଅଧିକାଂଶ ଜିଲ୍ଲାରେ ସାମାନ୍ୟ କୁହୁଡି ଦେଖିବାକୁ ମିଳିବ ବୋଲି କହିଛି ପାଣିପାଗ କେନ୍ଦ୍ର ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଦୈନିକ ଓମିକ୍ରନ୍ ସଂକ୍ରମଣ ୫୦ ହଜାର ଛୁଇଁପାରେ

 

କରାଚୀରେ ବିସ୍ଫୋରଣ: ୧୧ ମୃତ, ୧୨ ଆହତ

କରାଚୀ: ବିସ୍ଫୋରଣରେ ପୁଣି ଥରିଲା ପାକିସ୍ତାନ  । ଶନିବାର ମଧ୍ୟାହ୍ନରେ କରାଚୀ ଅଞ୍ଚଳରେ ଏକ ବିସ୍ଫୋରଣ ଘଟିଥିଲା  । ଏହି ବିସ୍ଫୋଣ ଏତେ ମାତ୍ରାରେ ରହିଥିଲା ଯେ, ଏଥିରେ ସମଗ୍ର ଅଞ୍ଚଳରେ ଏକ ଶବ୍ଦ ଶୁଣିବାକୁ ମିଳିଥିଲା  । ବିସ୍ଫୋରଣଟି ଶେରଶାହ ଅଞ୍ଚଳରେ ପରଚା ନିକଟଦରେ ଘଟିଥିବା ସୂଚନା ଦେଇଛି ସ୍ଥାନୀୟ ପୋଲିସ  । ଏଥିରେ ସମୁଦାୟ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ   ୧୨ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାିଛି  ।

ଘଟଣା ସ୍ଥଳରେ ତଦନ୍ତ କରୁଥିବା ପୋଲିସ ଅଧିକାରୀ କହିଛନ୍ତି ଏହି ବିସ୍ଫୋରଣ ଏକ ବ୍ୟାଙ୍କ ନିକଟରେ ଘଟିଛି  । ବ୍ୟାଙ୍କ ପାଖରେ ଯାଇଥିବା ଏକ ନାଳ ନିକଟରେ ଏହି ଘଟଣା ଘଟିଛି  । ସ୍ଥାନୀୟ ପ୍ରଶାସନ ଦ୍ୱାରା ନାଳ ସଫା କରାଯାଉଥିଲା  । ପୂର୍ବରୁ ଏନେଇ ନୋଟିସ ମଧ୍ୟ ଲଗାଯାଇଥିଲା  । ଏହି ସମୟରେ ଏକ ବିସ୍ଫୋରଣ ଘଟିଥିଲା  । ଯଦ୍ୱାରା ପାଖରେ ଥିବା ଏକ ବ୍ୟାଙ୍କ ଓ ଏକ ପେଟ୍ରୋଲ ପମ୍ପରେ ବ୍ୟାପକ କ୍ଷତି ଘଟିଛି  ।

ପୋଲିସ ଅନୁମାନ କରିଛି ଯେ, କେନାଲ ଭିତରେ କିଛି ବିସ୍ଫୋରକ ସାମଗ୍ରୀ କିମ୍ବା ଗ୍ୟାସ ରହିଥିଲା । ଯଦ୍ୱାରା ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣର ସୂଚନା ପାଇବା ମାତ୍ରେ ତୁରନ୍ତ ବିସ୍ଫୋରକ ନିରୋଧି ଗ୍ୟାଙ୍ଗ ପହଁଚିଥିଲା  । ଘଟଣାସ୍ଥଳର ଚତୁଃର୍ପାଶ୍ୱକୁ ଘେରାବନ୍ଦୀ କରାଯାଇଥିଲା  । ଉକ୍ତ ସ୍ଥାନରେ ଥିବା ଗାଡ଼ି ମଟର ଆଦି ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିରହିଥିବାବେଳେ ଆବର୍ଜନା ମଧ୍ୟ ଅନ୍ୟତ୍ର ପଡ଼ିଥିବା କହିଛନ୍ତି ପୋଲିସ ଅଧିକାରୀ  । ତେବେ କାହିଁକି ଓ କେଉଁ କାରଣରୁ ଏହି ଘଟଣା ଘଟିଛି  । ଏହା ପଛରେ କାହାର ହାତ ରହିଛି କି ନାହିଁ, ତାହାର କାରଣ ଖୋଜୁଛି ଏକ ତଦନ୍ତକାରୀ ଟିମ୍  ।

IPLକୁ ଫେରିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ଆସନ୍ତା ବର୍ଷ ପ୍ରଥମ ଥର ପାଇଁ ୧୦ଟି ଟିମକୁ ନେଇ ଖେଳାଯିବ ଆଇପିଏଲ । ଆଇପିଏଲ ସିଜିନ୍-୧୫ରେ ନୂଆ କରି ଲକ୍ଷ୍ନୌ ଓ ଅହମଦାବାଦ ଦୁଇଟି ଟିମ୍ ଯୋଡି ହୋଇଛି । ଆସନ୍ତା ବର୍ଷ ହେବାକୁ ଥିବା ଆଇପିଏଲ ପାଇଁ ଏବେଠାରୁ ଆରମ୍ଭ ହୋଇସାରିଛି ପ୍ରକ୍ରିୟା । ଆସନ୍ତା ବର୍ଷ ହେବାକୁ ଥିବା ଆଇପିଏଲ ପୂର୍ବରୁ ଜାନୁଆରୀରେ ହେବାକୁ ଯାଉଛି ମେଗା ନିଲାମ । ତେବେ ଆଇପିଏଲ ସିଜିନ୍-୧୫ ଆରମ୍ଭ ହେବା ପୂର୍ବରୁ ନୂଆ କରି ହୋଇଥିବା ଲକ୍ଷ୍ନୌ ଦଳ ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫଙ୍କୁ ଚୟନ କରୁଛନ୍ତି । ତେବେ ଆଇପିଏଲ ସିଜିନ-୧୫ରେ ଗୌତମ ଗମ୍ଭୀରଙ୍କୁ ମିଳିଛି ଗୁରୁ ଦାୟିତ୍ୱ ।

ଆଇପିଏଲରେ ପୁଣି ଥରେ ନଜର ଆସିବେ ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ତଥା ବିଜେପି ସାଂସଦ ଗୌତମ ଗମ୍ଭୀର । କିନ୍ତୁ ଏଥର ଖେଳାଳି ଭାବରେ ନୁହେଁ ବରଂ ମେଣ୍ଟର ଭାବରେ ଦାୟିତ୍ୱ ତୁଲାଇବେ ଗମ୍ଭୀର । ଆଇପିଏଲ ସିଜିନ୍-୧୫ ପାଇଁ ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ଗମ୍ଭୀରଙ୍କୁ ଦେଇଛି ଏହି ଗୁରୁ ଦାୟିତ୍ୱ । ଏହା ପୂର୍ବରୁ ଗମ୍ଭୀର ଆଇପିଏଲରେ କୋଲକାତା ନାଇଟ ରାଇଡର୍ସର ଅଧିନାୟକତ୍ୱ କରି ଦୁଇ ଦୁଇ ଥର କେକେଆରକୁ ଟ୍ରଫି ଦେବାରେ ସଫଳ ହୋଇଥିଲେ ।  ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ଗୁରୁବାର ଜିମ୍ବାଓ୍ୱେର ପୂର୍ବତନ ଅଧିନାୟକ ଆଣ୍ଡି ଫ୍ଲାଓ୍ୱାରଙ୍କୁ କୋଚ ଭାବରେ ନିଯୁକ୍ତି ଦେଇଥିଲା । ଫ୍ଲାଓ୍ୱାରଙ୍କ ପରେ ଲକ୍ଷ୍ନୌ ଫ୍ରାଞ୍ଚାଇଜରେ ଗୌତମ ଗମ୍ଭୀରଙ୍କୁ ମେଣ୍ଟର ଭାବରେ ନିଯୁକ୍ତି କରିଛି ।

ଲକ୍ଷ୍ନୌ ଦଳର ମେଣ୍ଟର ଭାବରେ ନିଯୁକ୍ତି ହେବା ପରେ ଗମ୍ଭୀର କହିଛନ୍ତି କି ମୁଁ ଡ. ଗୋୟଙ୍କା ଓ RPSG ଗ୍ରୁପକୁ ଧନ୍ୟବାଦ ଜଣାଉଛି କି ସେ ମୋତେ ଏପରି ଏକ ଗୁରୁ ଦାୟିତ୍ୱ ଦେଇଛନ୍ତି । ଗମ୍ଭୀର ଆହୁରି କହିଛନ୍ତି କି ମୋ ମଧ୍ୟରେ ଜିତିବା ପାଇଁ  ଏବେ ବି ଢ଼େର ଜୋଶ ରହିଛି । କେବଳ ଏହି ଟିମକୁ ନୁହେଁ ପୂରା ଉତ୍ତରପ୍ରଦେଶ ଯୁବ କ୍ରିକେଟରଙ୍କୁ ଆଗକୁ ନେଇ ଯିବି ବୋଲି କହିଛନ୍ତି ଗୌତମ ଗମ୍ଭୀର ।

ଆଇପିଏଲ ଇତିହାସରେ ଜଣେ ସଫଳତମ ଅଧିନାୟକ ହେଉଛନ୍ତି ଗମ୍ଭୀର । ତାଙ୍କ ନେତୃତ୍ୱରେ କୋଲକାତା ନାଇଟ ରାଇଡର୍ସ ୨୦୧୨ ଓ ୨୦୧୪ରେ ଚମ୍ପିଆନ ହୋଇଥିଲା । ଏଥିସହ ଗମ୍ଭୀର ୨୦୦୭ ଟି-୨୦ ବିଶ୍ୱକପ ବିଜେତା ଓ ୨୦୧୧ ଦିନିକିଆ ବିଶ୍ୱକପ ବିଜେତା ଦଳର ସଦସ୍ୟ ଥିଲେ । ଆଇପିଏଲ ଇତିହାସରେ ଗମ୍ଭୀର ଦିଲ୍ଲୀ ଓ କୋଲକାତା ପକ୍ଷରୁ ୧୫୪ଟି ମ୍ୟାଚ ଖେଳି ୪ ହଜାର ୨୧୮ ରନ ସଂଗ୍ରହ କରିଛନ୍ତି ।