spot_img
Home Blog Page 4868

ଅସୁସ୍ଥ ଅଛନ୍ତି ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ; ଦିଲ୍ଲୀ ଏମସରେ ଭର୍ତ୍ତି

ନୂଆଦିଲ୍ଲୀ: ଅସୁସ୍ଥ ଅଛନ୍ତି ରାଷ୍ଟ୍ରୀୟ ଜନତା ଦଳର ଅଧ୍ୟକ୍ଷ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ । ଗତକାଲି ଅଚାନକ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଯାହା ଫଳରେ ତାଙ୍କୁ ଦିଲ୍ଲୀ ଏମସରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ସେ ଜ୍ବର ଓ ଦୁର୍ବଳତା କାରଣରୁ ତାଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏମସରେ ଏକ ଡାକ୍ତରୀ ଦଳ ଲାଲୁଙ୍କ ଚିକିତ୍ସା କରୁଛନ୍ତି । ବିହାର ଉପନିର୍ବାଚନ ପରେ ସ୍ବାସ୍ଥ୍ୟଗତ କାରଣରୁ ଲାଲୁ ଯାଦବ ବିହାର ପାଟନାରୁ ଦିଲ୍ଲୀ ଆସିଥିଲେ । କିନ୍ତୁ କିଛି ଦିନ ପରେ ଚାରେ ଘୋଟାଲା କେସ୍ ପାଇଁ କୋର୍ଟରେ ହାଜିର ହେବା ପାଇଁ ପୁଣି ଥରେ ପାଟନା ଆସିଥିଲେ ।

୨୨ ନଭେମ୍ବରରେ ଦିଲ୍ଲୀରୁ ପାଟନାରେ ପହଞ୍ଚିଥିଲେ ଲାଲୁ ପ୍ରସାଦ ଯାଦବ ଏବଂ ୨୩ ନଭେମ୍ବରରେ ସିବିଆଇ କୋର୍ଟରେ ହାଜିର ହୋଇଥିଲେ । ତେବେ କୋର୍ଟରେ ହାଜିର ହେବା ପରେ ଆରଜେଡି କାର୍ଯ୍ୟାଳୟରେ ଆୟୋଜିତ ଏକ ସଭାରେ ଯୋଗ ଦେଇ କର୍ମୀମାନଙ୍କୁ ଉଦବୋଧନ ଦେଇଥିଲେ । ଏହି ସମୟରେ ସେ ଏକ ଜିପ୍ ଚଲାଉଥିବାର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା ।

ଏଟିଏମ ମେସିନରେ ଟଙ୍କା ଭର୍ତ୍ତି ବେଳେ ଟ୍ରଙ୍କ୍‌ ଟେକି ନେଲେ, ୬ ଜଣ ଲୁଟେରା ନେଇଗଲେ ୨୯ ଲକ୍ଷ

ଭଦ୍ରକ: ଏଟିଏମ ମେସିନରେ ଟଙ୍କା ଭର୍ତ୍ତି କରୁଥିବା ବେଳେ ଟଙ୍କା ଭର୍ତ୍ତି ଟ୍ରଙ୍କ୍‌ ଲୁଟି ନେଲେ ଲୁଟେରା । ବାଇକରେ ଆସିଥିବା ଲୁଟେରା ବନ୍ଧୁକ ଦେଖାଇ ଲୁଟ କରିଥିବା ଅଭିଯୋଗ ହୋଇଛି । ଟ୍ରଙ୍କରେ ପ୍ରାୟ 29 ଲକ୍ଷ ଟଙ୍କା ଥିଲା । ଭଦ୍ରକ ଟାଉନ ଥାନା ଅଧିନସ୍ଥ ଚରମ୍ପା ଅଞ୍ଚଳରେ ଘଟିଛି ଘଟଣା । ଲଷ୍ମୀ ନାରାୟଣ ମନ୍ଦିର ନିକଟ ଏଟିଏମରେ ଟଙ୍କା ଭର୍ତ୍ତି କରୁଥିବା ବେଳେ ଲୁଟ ହୋଇଛି ।

ଟଙ୍କା ଭର୍ତ୍ତି କରୁଥିଲେ CMS ସଂସ୍ଥାର କର୍ମଚାରୀ । ତିନୋଟି ବାଇକରେ 6 ଜଣ ଲୁଟେରା ଆସି ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଟ କରିଛନ୍ତି । CMS ସଂସ୍ଥାର ଚାରି ଜଣ କର୍ମଚାରୀଙ୍କୁ ଟାଉନ ଥାନାରେ ପଚରା ଉଚରା କରାଯାଉଛି । ମିଳିଥିବା ସୂଚନା ମୁତାବକ ଯେଉଁ ସମୟରେ ଏଟିଏମରେ କର୍ମଚାରୀ ଟଙ୍କା ଭର୍ତ୍ତି କରିବାକୁ ଯାଇଥିଲେ, ସେହି ସମୟରେ ଦୁର୍ବୁତ୍ତ ମାନେ ଲୁଟ ଯୋଜନା ପ୍ରସ୍ତୁତ କରିସାରିଥିଲେ  ।

T20 World Cup: ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭୟଭିତ ଥିଲେ ଭାରତୀୟ ଖେଳାଳି

ଲାହୋର: ଟି-୨୦ ବିଶ୍ବକପ୍ ମ୍ୟାଚ୍ ପୂର୍ବରୁ ଭୟଭିତ ଅବସ୍ଥାରେ ଥିଲେ ଭାରତୀୟ ଖେଳାଳି । ଏକଥା କହିଛନ୍ତି ପାକିସ୍ତାନ ଟିମର ପୂର୍ବତନ ଅଧିନାୟକ ଇଞ୍ଜାମମ ଉଲ୍ଲ ହକ୍ । ଏକ ଟିଭି ଚ୍ୟାନେଲରେ ଇଞ୍ଜାମାମ କହିଛନ୍ତି, ‘ପାକିସ୍ତାନ ବିପକ୍ଷ ମୁକାବିଲାର ବହୁତ ଆଗରୁ ଭାରତୀୟ ଭାଳାଳି ମାନସିକ ଚାପ ଓ ଭୟଭିତ ଥିବା ପରି ଲାଗୁଥିଲା ।’

ସେ କହିଛନ୍ତି, ‘ପାକିସ୍ତାନଠାରୁ ହାରିବା ପରେ ଭାରତୀୟ ଟିମ ଉପରେ ଚାପ ଏତେ ବଢ଼ି ଯାଇଥିଲା ଯେ ନ୍ୟୁଜିଲାଣ୍ଡଠାରୁ ମଧ୍ୟ ହାରି ଯାଇଥିଲା ଓ ଭାରତ ଟି୨୦ ବିଶ୍ବକପ୍ ସେମିଫାଇନାଲରୁ ବାହାର ହୋଇଯାଇଥିଲା ।’

ସେ ଆହୁରି କହିଛନ୍ତି, ‘ଯଦି ଆପଣ ଦୁଇ ଟିମର ଅଧିନାୟକଙ୍କୁ ଟସ ପକାଇବା ସମୟର ବଡି ଲାଙ୍ଗୁଏଜ ଦେଖିବେ ଜାଣିପାରିବେ ବାବର ଆଜମଙ୍କ ତୁଳନାରେ ବିରାଟ କୋହଲି ବହୁତ ଭୟଭିତ ଓ ଚାପରେ ଥିବା ଜଣାପଡୁଥିଲେ । ପାକିସ୍ତାନ ଟିମର ବଡି ଲାଙ୍ଗୁଏଜ ଭାରତୀୟ ଟିମର ଖେଳାଳିଙ୍କଠାରୁ ବହୁତ ଭଲ ଥିଲା । ରୋହିତ ଶର୍ମା ଓ କେ ରାହୁଲଙ୍କ ଓ୍ବିକେଟ୍ ଶୀଘ୍ର ପଡ଼ିଯିବା ପରେ ଭାରତୀୟ ଟିମ ଆହୁରି ଅଧିକ ଚାପକୁ ଚାଲି ଆସିଥିଲା ।’

ଇଞ୍ଜାମମ ଭାରତୀୟ ଟିର ପ୍ରଦର୍ଶନକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ କହିଛନ୍ତି, ‘ଭାରତଠାରୁ ଆପଣ କେବେ ବି ଏମିତି କ୍ରିକେଟ ଆଶା କରିନଥିବେ ।’

ସୂଚନାଯୋଗ୍ୟ, ଏହି ମ୍ୟାଚରେ ପାକିସ୍ତାନ ୧୦ ଓ୍ବିକେଟରେ ଭାରତକୁ ହରାଇଥିଲା । ଭାରତ ଦେଇଥିବା ୧୫୨ ରନର ଲକ୍ଷ୍ୟକୁ ପାକିସ୍ତାନର ଦୁଇ ଓପନର ସହଜରେ ହାସଲ କରିନେିଥିଲେ ।

SCB ପ୍ଲାଟିନମ ଜୟନ୍ତୀରେ ଚିକିତ୍ସା ସେବାକୁ WHOର ପ୍ରଶଂସା

କଟକ: ଏସସିବି ବଡ଼ ମେଡିକାଲର ଚିକିତ୍ସା ସେବାକୁ ପ୍ରଶଂସା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଯାହା ଆମ ଡାକ୍ତର ବନ୍ଧୁ ମାନଙ୍କ ପାଇଁ ସମ୍ଭବପର ହୋଇପାରିଛି । ଏସସିବିର ବରିଷ୍ଠ ଡାକ୍ତର ଆଜି ସମଗ୍ର ବିଶ୍ୱରେ ପ୍ରଂଶସନୀୟ ହୋଇପାରିଛନ୍ତି । ରାଜ୍ୟ ସରକାର ଉପାନ୍ତରୁ ଉପକୂଳରେ ଥିବା ସମସ୍ତ ଲୋକଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇଦେବାକୁ ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।

ଏସସିବି ମେଡିକାଲର ଉନ୍ନତିକରଣ, ଅତ୍ୟାଧୁନିକ ସେବା ଯୋଗାଇବା ରାଜ୍ୟ ସରକାରଙ୍କ ପ୍ରଧାନ ଉଦେଶ୍ୟ  । ମେଡିକାଲକୁ ବିଶ୍ୱସ୍ତରୀୟ କରିବା ସହ ଏମସ ପ୍ଲସରେ ପରିଣତ କରିବା ମୋର ସ୍ୱପ୍ନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏସସିବିର ପ୍ଲାଟିନମ୍ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । ସମର୍ପିତ ସେବା ପାଇଁ ଏସସିବିର ସମସ୍ତ ଡାକ୍ତର କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ 75ବର୍ଷ ପୂର୍ତ୍ତି ଉପଲକ୍ଷେ ଅଭିନନ୍ଦନୀକା ଓ ବ୍ରୋଞ୍ଚ ପ୍ରତିମାକୁ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଆଇନ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ବିଧାୟକ ସୌଭିକ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

ମନି ଲାଣ୍ଡରିଂ ମାମଲା: ପଦାକୁ ଆସିଲା ଜ୍ୟାକଲିନ-ସୁକେଶଙ୍କ ଅନ୍ତରଙ୍ଗ ସମୟର ଫଟୋ

ମୁମ୍ବାଇ: ମନି ଲାଣ୍ଡରିଂ ମାମଲାରେ ପଦାକୁ ଆସିଲା ଜ୍ୟାକଲିନ ଫର୍ଣ୍ଣାଡିସ୍ ନାଁ । ମହାଠକ ସୁକେଶ ଚନ୍ଦ୍ରଶେଖର ଏବଂ ଜ୍ୟାକଲିନଙ୍କ ମଧ୍ୟରେ ଘନିଷ୍ଠତା ପ୍ରମାଣ ପାଇଛି ଇଡି । ଯାହା ମାମଲାରେ ଇଡି ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । ଜ୍ୟାକଲିନ ଏବଂ ସୁକେଶଙ୍କ ଏମିତି ଏକ ଫଟୋ ଇଡି ହାତରେ ଲାଗିଛି, ଯେଉଁଥିରେ ଉଭୟ ଅତି ନିକଟତର ଥିବା ଦେଖାଯାଉଛି । ଫଟୋରୁ ଜଣାପଡୁଛି ସୁକେଶ କେମିତି ଜ୍ୟାକଲିନଙ୍କୁ ଫସାଇ ତାଙ୍କ ସହ ବନ୍ଧୁତ୍ବ କରିଥିଲେ ।

ସୁକେଶ ତିହାଡ଼ ଜେଲରୁ ଜାମିନରେ ଆସିଥିବା ବେଳେ ଏହି ଫଟୋ ଉଠା ଯାଇଥିବା ଜଣାପଡ଼ିଛି । ଜେଲରୁ ଜାମିନରେ ଆସିବା ପରେ ସୁକେଶ ଫ୍ଲାଇଟରେ ଚେନ୍ନାଇ ଯାଇଥିଲା । ସେଠାରେ ଏକ ଫାଇବ ଷ୍ଟାର ହୋଟେଲରେ ଜ୍ୟାକଲିନଙ୍କ ସହ ଦେଖା କରିଥିଲା ଓ ତାଙ୍କ ସହ ଫଟୋ ଉଠାଇଥିଲା ।

ଫଟୋରେ ସୁକେଶ ହାତରେ ଏକ ୧୨ ପ୍ରୋ ଆଇ ଫୋନ୍ ଧରିଥିବା ଦେଖିବାକୁ ମିଳୁଛି । ଏହି ଫୋନରେ ଇସ୍ରାଏଲର ସିମ୍ ପକାଇ ସୁକେଶ ୨୦୦ କୋଟି ଟଙ୍କାର ବଟି ଆଦାୟ କରିଥିଲା । ଆଶ୍ଚର୍ଯ୍ୟର କଥା ହେଲା ଜେଲରୁ ଜାମିନରେ ଆସିଥିବା ସମୟରେ ମଧ୍ୟ ସୁକେଶ ଏହି ଫୋନ୍ ବ୍ୟବହାର କରିଥିଲା ।

ସୂଚନାଯୋଗ୍ୟ, ସୁକେଶ ଛଳନା କରି ଜ୍ୟାକଲିନଙ୍କ ସହ ବନ୍ଧୁତ୍ବ କରିଥିଲା । ନିଜକୁ ଜଣେ ବଡ ବ୍ୟବସାୟୀ କହି ଜ୍ୟାକଲିନଙ୍କ ଭରସା ଜିତିବାକୁ ସକ୍ଷମ ହୋଇଥିଲା । ଏହି କାରଣରୁ ଇଡି ଜ୍ୟାକଲିନଙ୍କୁ ସମନ କରିବା ସହ ପଚରାଉଚରା ପାଇଁ ଆସିବା ବେଳେ ବ୍ୟାଙ୍କ ଓ କ୍ରେଡିଟ କାର୍ଡରେ କରିଥିବା ସମସ୍ତ ନେଣଦେଣ ବିବରଣୀ ସାଙ୍ଗରେ ଆଣିବାକୁ କହିଥିଲା ।

ଡିସେମ୍ବର ପ୍ରଥମ ସପ୍ତାହରେ ଇଡି ମନି ଲାଣ୍ଡରିଂ ମାମଲାରେ ଦିଲ୍ଲୀ ପୋର୍ଟରେ ଚାର୍ଜସିଟ୍ ଦାଖଲ କରିବାକୁ ଯାଉଛି । ଏଥିରେ ସୁକେଶ ଓ ଜ୍ୟାକଲିନଙ୍କ ଭୂମିକାକୁ ମଧ୍ୟ ଉଲ୍ଲେଖ କରାଯାଇଛି ।

ସୂଚନାଯୋଗ୍ୟ, ଗତ ଏପ୍ରିଲରୁ ଜୁନ ମଧ୍ୟରେ ସୁକେଶ, ଜ୍ୟାକଲିନଙ୍କୁ ଚେନ୍ନାଇ ଯାଇ ୪ ଥର ଭେଟିଥିଲା । ଏଥିପାଇଁ ସୁକେଶ ଜ୍ୟାକଲିନଙ୍କ ପାଇଁ ପ୍ରାଇଭେଟ୍ ଜେଟର ବି ବ୍ୟବସ୍ଥା କରିଥିଲା ।

ସରକାରୀ ବାବୁଙ୍କ ଘରେ ପୁଳା ପୁଳା କଳା ଟଙ୍କା, କେଉଁଠୁ ଆସୁଛି ଅଚଳାଚଳ ସମ୍ପତ୍ତି

ଭୁବନେଶ୍ୱର: କୁବେର ସହକାରୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି। ଦୁଇ ଦିନର ମାରାଥନ ରେଡ୍। ଯେତେ ଖୋଲିଲେ ସେତେ ବାହାରୁଛି। ଟଙ୍କା ଦେଖି ଟେରା ଭିଜିଲାନ୍‌ସ ଅଧିକାରୀ। ପୁଳା ପୁଳା ଟଙ୍କା, ସୁନା, ଫ୍ଲାଟ ଆଉ ପ୍ଲଟ୍‌ । ଅସାଧୁ ଉପାୟରେ ଠୁଳ କରିଥିଲେ ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ। ଚଢାଉ ବେଳେ ସନ୍ତୋଷଙ୍କ ଘରୁ ମିଳିଛି ନଗଦ ୪୧ ଲକ୍ଷ ଟଙ୍କା। ସାରା ରାତି ଟଙ୍କା ଗଣି ଗଣି ହାଲିଆ ଭିଜିଲାନ୍‌ସ ଟିମ୍‌ । ଆଦିବାସୀ ଅଞ୍ଚଳର ବିକାଶ ପାଇଁ ଆସୁଥିଲା ପୁଳା ପୁଳା ଟଙ୍କା । ୩୫ ବର୍ଷ ଚାକିରୀ କାର୍ଯ୍ୟକାଳରେ ସହକାରୀ ଯନ୍ତ୍ରୀ ସାଜି କରୁଥିଲେ ପକେଟ ଗରମ । ଲଗାତର ଦୁଇ ଦିନ ମାରାଥନ ରେଡ୍‌ରେ ଠାବ ହୋଇଛି ଅଚଳାଚଳ ସମ୍ପତ୍ତି।

ସନ୍ତୋଷଙ୍କ ବାଲେଶ୍ୱର ଘରୁ ମିନିଛି ନଗଦ ୪୧ ଲକ୍ଷ ୭୭ ହଜାର ଟଙ୍କା ଓ ୬୫୯ ଗ୍ରାମ ସୁନା। ଏହାଛଡ଼ା ବାରିପଦା, ବାଲେଶ୍ୱର ଓ ଭୁବନେଶ୍ୱରରେ ପୁଞ୍ଜା ପୁଞ୍ଜା କୋଠାବାଡି ସାଙ୍ଗକୁ ପ୍ଳଟ, ଜମି, ଫିକ୍ସ ଡିପୋଜିଟ। ଦ୍ୱିତୀୟ ଦିନରେ ଭୁବନେଶ୍ୱର ବଡଗଡର ଘରେ ରେଡ ବେଳେ ୨ହଜାର ଟଙ୍କିଆ ରୂପା ନୋଟ, ଚାମଚ ଓ ସୁନା ମୁଦି ଜବତ କରିଛି । ବଡଗଡ ଘରେ ଥିଲା ସନ୍ତୋଷଙ୍କ ସିକ୍ରେଟ ଚାମ୍ବର। ସେଠାରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ଜବତ ଟଙ୍କାର ଉତ୍ସ ନେଇ ସନ୍ତୋଷଙ୍କୁ ଅଟକ ରଖି ଜେରା କରୁଛି ଭିଜିଲାନ୍‌ସ ସେଲ୍‌।

ସେପଟେ ଭିଜିଲାନ୍‌ସ ରାଜ୍ୟରେ ଚଳିତ ବର୍ଷର କୋଟିପତି ଲାଞ୍ଚୁଆ ଅଫିସରଙ୍କ ତାଲିକା ଦେଇଛି । ଭିଜିଲାନ୍ସ ଇତିହାସରେ ଟପ-୩ ଟଙ୍କା ଜବତ ମାମଲାରେ ସବୁଠୁ ଆଗରେ ରହିଛି ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ନାଁ। ରେଡ୍‌ରେ ମିଳିଛି ୪୧ ଲକ୍ଷ ୭୭ ହଜାର ଟଙ୍କା। ଦ୍ବିତୀୟରେ ଅଛନ୍ତି ଚାକିରିରୁ ବିଦା ହୋଇଥିବା OPHWC ପୂର୍ବତନ ଡେପୁଟି ମ୍ୟାନେଜର ପ୍ରତାପ ସାମଲ। ରେଡ୍‌ ବେଳେ ପ୍ରତାପଙ୍କ ଘରୁ ମିଳିଥିଲା ନଗଦ ୩୮ ଲକ୍ଷ ଟଙ୍କା। ତୃତୀୟରେ ଅଛନ୍ତି ପ୍ରଦୂଷଣ ବିଭାଗରୁ ତଡା ଖାଇଥିବା ନରୋତ୍ତମ ବେହେରା। ରେଡରେ ମିଳିଥିଲା ନଗଦ ୧୬ ଲକ୍ଷ ୫୦ ହଜାର ଟଙ୍କା। ସେହିପରି ଟପ୍‌-୪ରେ ଅଛନ୍ତି ଭବାନୀପାଟଣର ସ୍ପେଶାଲ ପିପି ଆଶୁତୋଷ ମିଶ୍ର। ତାଙ୍କ ଘରୁ ମିଳିଥିଲା ୧୫ ଲକ୍ଷ ୬୦ ହଜାର ଟଙ୍କା।

ପଞ୍ଚମରେ ବାଲିଗୁଡା ଆଇଟିଡିଏର କିରାଣୀ ବସନ୍ତ କୁମାର ପାଣିଗ୍ରାହୀ ରେଡ୍‌ରେ ତାଙ୍କ ଘରୁ ମିଳିଥିଲା ୧୩ ଲକ୍ଷ ୨୫ ହଜାର ଟଙ୍କା । ତାଲିକାର-୬ ନମ୍ବରରେ ଭୁବନେଶ୍ବରର ଓଏସଏସସିର ପିଏସ- ଟୁ ମେମ୍ବର ବିରଞ୍ଚି ନାରାୟଣ ସାହୁ। ତାଙ୍କ ଘରୁ ମିଳିଥିଲା ୧୨ ଲକ୍ଷ ୪୬ ହଜାର ଟଙ୍କା। ତାଲିକାର ଶେଷରେ ଅଛନ୍ତି କେନ୍ଦୁଝର ବୈତରଣୀ ଜଳସେଚନ ବିଭାଗରୁ ତଡା ଖାଇଥିବା ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ। ଲାଞ୍ଚ ନେବା ମାମଲାରେ ଚଢାଉ କରୁଥିବା ବେଳେ ତାଙ୍କ ଘରୁ ମିଳିଥିଲା ୧୦ ଲକ୍ଷ ୭ ହଜାର ଟଙ୍କା। ଆଉ ଏବେ ଅନେକ ଅଫିସର ଭିଜିଲାନ୍‌ସ ସ୍କାନରରେ। ରାଜ୍ୟ ସରକାରଙ୍କ ଜିରୋ ଟଲେରାନ୍ସ ନୀତିରେ ଏବେ ସୁଦ୍ଧା ୧୩୨ ଜଣଙ୍କୁ ଚାକିରିରରୁ ବିଦା କରାଯାଇଛି।

୨୦୪ ଫୁଟର କାଠ ଜାହାଜ: ଦାମ ଶୁଣିଲେ ହୋସ୍ ଉଡିଯିବ

କଚ୍ଛ: ମାଣ୍ଡବୀରେ ଏମିତି ଏକ କାଠ ଜାହାଜ ତିଆରି ହେଉଛି ଯାହା ବିଷୟରେ ଯିଏ ବି ଶୁଣୁନ୍ତି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ୨୦୪ ଫୁଟ ଉଚ୍ଚାର ଏହି ଜାହାଜରେ ରହିଛି ସବୁ ପ୍ରକାର ଅତ୍ୟାଧୁନିକ ସୁବିଧା । ଏଥିରେ ଅଛି ୯ଟି ଘର । କାଠ ବୋଟ୍ ତିଆରି ପାଇଁ ମାଣ୍ଡବୀ ବେଶ ପ୍ରସିଦ୍ଧ । ଦେଶର ବିଭିନ୍ନ ପ୍ରାନ୍ତରୁ କାଠ ବୋଟ୍ ପାଇଁ ଏଠାକୁ ଅର୍ଡର ଆସିଥାଏ । ଏଥର ଅର୍ଡର ଆସିଛି ଦୁବାଇରୁ । ସେଠିକାର ଜଣେ ବେପାରୀ ମାଛମରା ବୋଟ୍ ପାଇଁ ମାଣ୍ଡବୀର ବୋଟ୍ କାରିଗରଙ୍କୁ ବହୁତ ବଡ ଅର୍ଡର ଦେଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ୧୭୦ରୁ ୧୮୦ ଫୁଟ ଲମ୍ବର ଜାହାଜ ମାଣ୍ଡବୀରେ ତିଆରି ହୋଇଛି । ହେଲେ ଏଥର ତିଆରି ହେଉଥିବା ଜାହାଜ ୨୦୪ ଫୁଟ୍ ଉଚ୍ଚା ଜାହାଜ ।

୧୭ ମାସ ହେଲା ଜାହାଜର କାମ ଚାଲିଛି । ୨୧ ମାସରେ ଏହାର କାମ ଶେଷ ହେବାକୁ ଥିଲା । ହେଲେ ଆହୁରି ଅଧିକ ୩ରୁ ୪ ମାସ ଲାଗିବ ବୋଲି କାରିଗର କହିଛନ୍ତି । ଜାହାଜକୁ ତିଆରି କରୁଥିବା କାରିଗରଙ୍କ ମତରେ କାମ ଆରମ୍ଭ ହେବା ପରେ ମାଲିକଙ୍କ ଡିମାଣ୍ଡ ବଢ଼ି ଯାଇଥିଲା । ଜାହାଜରେ କିଛି ନୂଆ କରିବାକୁ ସେ ବାରମ୍ବାର ଅର୍ଡର ଦେଉଥିଲେ । ଯେଉଁଥି ପାଇଁ ଏହାକୁ ନିର୍ଦ୍ଧାରିତ ସମୟରେ ସାରିବା ସମ୍ଭବ ହୋଇପାରିବନି । ଏଥିପାଇଁ ଆହୁରି ୪ ମାସ ଅଧିକ ସମୟ ଲାଗିବ । ଜାହାଜକୁ ଏମିତି ତିଆରି କରାଯାଉଛି ଏଥିରେ ଦୁବାଇ ମାଲିକ ଚାହିଁଲେ, ନିଜ ହିସାବରେ ଇଞ୍ଜିନ ଫିଟ୍ କରିପାରିବେ ।

ଜାହାଜରେ ରହିଛି ୯ଟି କୋଠରୀ । ୨ଟି ଷ୍ଟାର୍ ରୁମ୍ ଥିବା ବେଳେ ୨ଟି ଫ୍ରିଜର ରୁମ୍ ରହିଛି । ଏହାସହ ବୋଟ କର୍ମଚାରୀଙ୍କ ପାଇଁ ୨ଟି ରୁମ୍ ରହିଛି । ଜାହାଜ ଉପରେ ରୋଷେଇ ଘର ସହ ୩ଟି କୋଠରୀ ରହିଛି ।

ଯେତେବେଳେ ଜାହାର ନିର୍ମାଣ ପାଇଁ ଅର୍ଡର ଆସିଥିଲା ଏହାର ମୂଲ୍ୟ ୬.୫ କୋଟି ଟଙ୍କା ଥିଲା । ଯାହା ବଢ଼ି ଏବେ ୧୦ କୋଟି ଟଙ୍କାରେ ପହଞ୍ଚିଛି । ଜାହାଜ ମାଲିକ ଏଥିରେ କିଛି ପରିବର୍ତ୍ତନ କରିବାକୁ କହିବାରୁ ଏହାର ମୂଲ୍ୟ ଅଧିକ ୩.୫ କୋଟି ଟଙ୍କା ବଢ଼ି ଯାଇଛି ।

‘ସୀମାନ୍ତରେ ବଢିବ ଓଡ଼ିଆ ଭାଷାର ଗୁରୁତ୍ୱ, ଖୋଲିବ ବନ୍ଦ ଥିବା ସ୍କୁଲ’

ଭୁବନେଶ୍ୱର: ସୀମାବର୍ତ୍ତୀ ଅଞ୍ଚଳ ମାନଙ୍କରେ ଓଡିଆ ଭାଷାକୁ କିଭଳି ଅଧିକ ଗୁରୁତ୍ୱ ଦିଆଯିବ ସେ ନେଇ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ବନ୍ଦ ଥିବା ସ୍କୁଲ ଖୋଲିବା, ଶିକ୍ଷକ ନିଯୁକ୍ତି କରିବା, ଓଡ଼ିଆ ପୁସ୍ତକ ଯୋଗାଇ ଦେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ଭାବାତ୍ମକ ଏକତା ବଢାଇବା ପାଇଁ କରାଯିବ ପ୍ରୟାସ । ବିଧାନସଭାର ସବ-କମିଟି ବୈଠକରେ ପଡୋଶୀ ରାଜ୍ୟ ଛତିଶଗଡରେ ଓଡ଼ିଆ ଭାଷା କିଭଳି ଅଧିକ ଗୁରୁତ୍ୱ ଦିଆଯିବ ତାହା ଉପରେ ଆଲୋଚନା ହୋଇଥିଲା ।

ସୁଚନା ଅନୁଯାୟୀ ଛତିଶଗଡରେ ୧୮୦ରୁ ଅଧିକ ସ୍କୁଲ ରହିଛି, ଏ ସମସ୍ତ ସ୍କୁଲରେ କିଭଳି ଓଡ଼ିଆ ଭାଷାକୁ ଗୁରୁତ୍ୱ ଦିଆଯାଉଛି ସେଥିପାଇଁ ସୀମାନ୍ତବର୍ତ୍ତୀ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  ଏହାସହ ରାୟପୁରରେ ବନ୍ଦ ଥିବା ଓଡ଼ିଆ ସ୍କୁଲ ମଧ୍ୟ ଖୋଲିବ । ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଏବଂ ସେହି ଅଞ୍ଚଳରେ ଓଡ଼ିଆ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ବିଧାନସଭା ସବ କମିଟିରେ ଆଲୋଚନା ହୋଇଥିବା ସୂଚନା ରହିଛି  ।

ଅନଲାଇନରେ ନିଶା ବିକୁଛି ଆମାଜନ, ମଧ୍ୟପ୍ରଦେଶରୁ ବିଶାଖାପାଟ୍ଟଣମ ଲମ୍ବିଛି ଚେର୍

ନୂଆଦିଲ୍ଲୀ: ଧରା ପଡ଼ିଲା ଆମାଜନ । ଅନଲାଇନରେ ବିକୁଥିଲା ନିଶା ସାମଗ୍ରୀ । ଡିଜିଟାଲ୍ ଜମାନାରେ ଘରେ ବସି ଅର୍ଡର କଲେ ମିଳୁଛି ସବୁକିଛି । ମହୁଠୁ ମଦ ସବୁକିଛି ବିକ୍ରି ହେଉଛି ଅନଲାଇନରେ । ତେବେ ଗଞ୍ଜେଇ ଭଳି ନିଶାଦ୍ରବ୍ୟ ବିକ୍ରି ଆମ ଦେଶରେ ଆଇନସିଦ୍ଧ ନୁହେଁ । ତଥାପି ଆଇନ୍ ଆଖିରେ ଅଙ୍ଗୁଠି ଗେଞ୍ଜି ଅନଲାଇନରେ ଚାଲିଛି ଗଞ୍ଜେଇ ବେପାର । ଲୋକପ୍ରିୟ ସପିଂ ସାଇଟ୍ ଆମାଜନ ବିକୁଛି ଗଞ୍ଜେଇ ।

ଆମାଜନରେ ବିକ୍ରି ହେଉଛି ଗଞ୍ଜେଇ । ପୋଲିସ କଲା ପର୍ଦ୍ଦାଫାସ୍ । ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲା ପୋଲିସ ହାତରେ ଲାଗିଛି ପ୍ରମାଣ । ଆମାଜନ ବକ୍ସ ସହ ଓ ଟେପ୍ ସମତେ ବକ୍ସ ଭିତରେ ଥିବା ୨୧ କେଜି ୭୩୪ ଗ୍ରାମ୍ ଗଞ୍ଜେଇକୁ ଜବତ କରିଛି ଗୋହଦ ଚୌରହା ଥାନା ପୋଲିସ । ମାମଲାରେ ପୋଲିସ ଆମାଜନର କାର୍ଯ୍ୟକାରୀ ପ୍ରବନ୍ଧକଙ୍କ ବିରୋଧରେ ଏନଡିପିଏସ୍ ଧାରା ଲଗାଇଥିବା ବେଳେ ୩ ଜଣଙ୍କୁ ଗିରଫ କରିଛି । ଆମାଜନ ଅନଲାଇନ୍ କାର୍ଯ୍ୟକାରୀ ପ୍ରବନ୍ଧକଙ୍କ ଭୂମିକା ନେଇ ତଦନ୍ତ କରୁଛି ପୋଲିସ ।

ଆଶଙ୍କା କରାଯାଉଛି ଆମାଜନ ଅନଲାଇନ୍ କାର୍ଯ୍ୟକାରୀ ପ୍ରବନ୍ଧକ ଦେଶବ୍ୟାପୀ ମାଦକ ଦ୍ରବ୍ୟର ନେଟୱର୍କ ତିଆରି କରିଥିଲେ । ପୋଲିସ ତଦନ୍ତ ବେଳେ ତଥ୍ୟ ଆଧାରରେ କେତେକ ସହରରେ ରେଡ୍ କରିଛି । ମଧ୍ୟପ୍ରଦେଶରୁ ବିଶାଖାପାଟ୍ଟମ ଲମ୍ବିଛି ଚେର । ଗଞ୍ଜେଇ ଡେଲିଭରି କରିଥିବା ଶ୍ରୀନିବାସ ରାଓ ଓରଫ ବାସୁ, ଆମାଜନ ପିକଅପ୍ ବୟ ଜିରୁ କୁମାର ସ୍ୱାମୀ, କୃଷ୍ଣମ ରାଜୁ, ଆମାଜନ ଅନଲାଇନ୍ ଭ୍ୟାନ୍ ଡ୍ରାଇଭର ଚିପୁଋପଲ୍ଲି ଭେଙ୍କଟେଶ ରାଓଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଖସି ଯାଇଛି ।

୨୧ ଶହ ଟଙ୍କାର ଫଟୋ ରାତିରାତି କରିଦେଲା ୩୬୮ କୋଟି ଟଙ୍କାର ମାଲିକ

ଓ୍ବାସିଂଟନ: କଥାରେ ଅଛି ‘ଉପର ଓ୍ବାଲା ଜଭି ଦେତା, ଦେତା ଛପର ଫାଡ କେ’ । ଏହା ଉପରେ ହିନ୍ଦି ଫିଲ୍ମରେ ଏକ ଗୀତ ବି ବେଶ ହିଟ୍ ହୋଇଛି । କଥାଟା ବି ଏକ ଦମ୍ ସତ । କେତେ ବେଳେ କାହା ଭାଗ୍ୟ ଉଦୟ ହେବ ଓ ଦିନ ରଙ୍କି କୋଟିପତି ହୋଇ ନଯିବ କହି ହେବନି । ଏହି ଯେମିତି ଆମେରିକାର ଜଣେ ବ୍ୟକ୍ତିଙ୍କୁ ଏକ ଚିତ୍ରକଳା କୋଟିପତି ବନାଇ ଦେଇଛି । ଗୋଟେ କି ଦୁଇ କୋଟି ନୂହେଁ, ପୂରା ୩୬୮ କୋଟି ଟଙ୍କାର ମାଲିକ ହୋଇଯାଇଛନ୍ତି ବ୍ୟକ୍ତି ଜଣକ । ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ବ୍ୟକ୍ତି ଜଣଙ୍କ ମାତ୍ର ୨୧ ଶହ ଟଙ୍କାରେ ଉକ୍ତ ସ୍କେଚ୍ (ଫଟୋଚିତ୍ର)ଟିକୁ କିଣିଥିଲେ ।

ମିରର ୟୁକେରେ ପ୍ରକାଶିତ ରିପୋର୍ଟ ଅନୁସାରେ ବ୍ୟକ୍ତି ଜଣଙ୍କ ନିଜ ନାମ ଗୁପ୍ତ ରହିଛନ୍ତି, ‘ସେ ମାସାଚୁସେଟ୍ସରେ ରୁହନ୍ତି । ଏକ ଚିତ୍ରକଳା ପ୍ରଦର୍ଶନୀ ବୁଲିବାକୁ ଯାଇଥିବା ବେଳେ ଏକ ଫଟୋଚିତ୍ର ତାଙ୍କ ମନକୁ ବେଶ ଛୁଇଁଥିଲା । ଏଥିରେ ଜଣେ ମହିଳା ଏକ ପିଲାକୁ ଧରିଥିବା ଦେଖିବାକୁ ମିଳୁଛି । କୌଣସି ପ୍ରସିଦ୍ଧ ଚିତ୍ରକାରଙ୍କ ଏହା ହୋଇଥିବ ଭାବି ସେ ମାତ୍ର ୨୧ ଶହ ଟଙ୍କାରେ ଏହାକୁ କିଣି ଘରକୁ ନେଇ ଆସିଥିଲେ ।’

ମଜାଦାର କଥା ହେଲା କିଣିବା ବେଳେ ସେ କେବେ ଭାବି ନଥିଲେ ଏହି ଫଟୋଚିତ୍ରଟିର ପ୍ରକୃତ ମୂଲ୍ୟ କେତେ ?  ତାଙ୍କୁ ଏହା ବି ଜଣା ନଥିଲା ଏହା କେତେ ଶତାବ୍ଦୀ ପୁରୁଣା ଓ ଫଟୋ କପି ନୁହେଁ ବରଂ ପୂରା ଅରିଜିନାଲ । ଯାହା ତାଙ୍କୁ ସାରା ଦୁନିଆରେ ପ୍ରସିଦ୍ଧି ଦେବା ସହ ରାତାରାତି କୋଟିପତି ବନାଇ ଦେବ ।

ସୂଚନାଯୋଗ୍ୟ, ହଳଦିଆ ରଙ୍ଗର ଲେଲିନ କପଡ଼ାରେ ଅଙ୍କା ଯାଇଥିବା ଏହି ଚିତ୍ରଟି ୧୫ ଶତାବ୍ଦୀର । ଏହାକୁ ବିଶ୍ବ ପ୍ରସିଦ୍ଧ ମନୋଗ୍ରାମ୍ସ ଆଲବ୍ରେଚ୍ ଡୁରେର ଆଙ୍କି ଥିଲେ । ଏକ ରିପୋର୍ଟ ଅନୁସାରେ ପୁର୍ନ ଜାଗରଣ କାଳରେ ଜର୍ମାନୀ ଚିତ୍ରକାର ଡୁରେର ଏହାକୁ ଆଙ୍କିଥିଲେ ।  ଏହାକୁ ଅନୁଧ୍ୟାନ କରିବା ପରେ ଏହାର ମୂଲ୍ୟ ବର୍ତ୍ତମାନ ସମୟରେ ୩୬୮ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

ଫଟୋଟିକୁ ଦେଖି ଚିତ୍ରକଳା ବିଶେଷଜ୍ଞମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେମାନଙ୍କ ମତରେ, ଏତେ କମ ମୂଲ୍ୟରେ କେମିତି ସମ୍ପୃକ୍ତ ବ୍ୟକ୍ତି ଏହାକୁ ପାଇଗଲେ । ଏହାକୁ ବିକ୍ରି କରିଥିବା ବ୍ୟକ୍ତି ବି କେମିତି ଏହାକୁ ଚିହ୍ନି ପାରିଲେନି ଓ ଏତେ କମ ମୂଲ୍ୟରେ ବିକ୍ରି କରିଦେଲେ । ସୂଚନାଯୋଗ୍ୟ, ଏହା ପୂର୍ବରୁ ମାସାଚୁସେଟ୍ସରେ ୨୦୧୬ରେ ଦିବଙ୍ଗତ ବାସ୍ତୁକାର ଜିନ ପାଲ କାର୍ଲହିୟନଙ୍କ ପରିବାର ଏହାକୁ ଶେଷ ଥର ପାଇଁ ବିକ୍ରି କରିଥିଲେ ।

କଳାକୃତି ସଂଗ୍ରହ ସଉକ ରଖୁଥିବା କ୍ଲିଫୋର୍ଡ ଶୋରର କହିଛନ୍ତି, ‘ଏହା ମୋ ପାଇଁ ବିଶ୍ବାସ ଯୋଗ୍ୟ ନଥିଲା, ଯେତେବେଳେ ମୁଁ ଆଲବ୍ରେଚ୍ ଡୁରେରଙ୍କ ହାତ ତିଆାରି ଚିତ୍ରକଳା ଦେଖିଲି । ଏହି ଚିତ୍ରକଳାର କୌଣସି ତୁଳନା ନାହିଁ ।’

ସେ ଆହୁରି କହିଛନ୍ତି, ‘ଆଲବ୍ରେଚ୍ ଡୁରେର ପୁର୍ନ ଜାଗରର ଆନ୍ଦୋଳନର ଜଣେ ଜର୍ମାନୀ ଚିତ୍ରକାର ଥିଲେ । ଯିଏ ନିଜ ଉଡକଟ ପ୍ରିଣ୍ଟ ପାଇଁ ପୂରା ୟୁରୋପରେ ପ୍ରସିଦ୍ଧ ଥିଲେ । ପ୍ରସିଦ୍ଧ ଇଟାଲୀ ଚିତ୍ରକାର ଲିଓନାର୍ଡୋ ଦା ଭିନ୍ସଙ୍କ ସମେତ ସେ ସମୟର ଅନ୍ୟ ଚିତ୍ରକାରଙ୍କ ସମ୍ପର୍କରେ ଥିଲେ ।’