spot_img
Home Blog Page 4881

ନବୀନଙ୍କ ପ୍ରସ୍ତାବକୁ କେନ୍ଦ୍ରର ମୋହର, ପୁଣି ୪ ମାସ ଗରିବଙ୍କୁ ମିଳିବ ରାସନ

ନୂଆଦିଲ୍ଲୀ: ବନ୍ଦ ହେବନାହିଁ ଗରିବ କଲ୍ୟାଣ ଅନ୍ନ ଯୋଜନା । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରସ୍ତାବକୁ ମୋହର ମାରିଛି କେନ୍ଦ୍ର କ୍ୟାବିନେଟ  ।  ଆଉ ୪ମାସ ଜାରି ରହିବ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା । ପୁଣି ୪ ମାସ ରାସନ ଯୋଗାଇବେ କେନ୍ଦ୍ର ସରକାର । ୨୦୨୨ ମାର୍ଚ୍ଚ ଯାଏ ଗରିବଙ୍କୁ ମିଳିବ ମାଗଣା ରାସନ । ନଭେମ୍ବର ୫ରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଷ୍ଟେଜ-ଥ୍ରୀ ଶେଷ ହୋଇଥିଲା ।ଆଉ ୮ ମାସ ଯୋଜନା ଜାରି ରଖିବା ସହ ରାସନ ଯୋଗାଇବାକୁ ଗତ ରବିବାର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ନବୀନ ପଟ୍ଟନାୟକ ।

କେନ୍ଦ୍ର ସରକାର ଏହି ଯୋଜନାକୁ ଆଉ ୪ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । କରୋନା ସଂକଟ ଟଳିନଥିବାବେଳେ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ତେଣୁ ଗରିବଙ୍କ ପେଟପାଟଣା କଥା ଚିନ୍ତା କରି ମୁଖ୍ୟମନ୍ତ୍ରୀ ମାଗଣା ରାସନ ଯୋଗାଇବାକୁ ପ୍ରସ୍ତାବ ଦେଇଥିଲେ । ଯାହାକୁ କଂଗ୍ରେସ ମଧ୍ୟ ସମର୍ଥନ କରିଥିଲା । ଗରିବ କଲ୍ୟାଣ ଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଜରିଆରେ ମୁଣ୍ଡ ପିଛା ୫କିଲୋ ଚାଉଳ ଓ ଏକ କିଲୋ ଡାଲି ମାଗଣାରେ ଦିଆଯାଉଛି ।

ଚଳିତ ବର୍ଷ ମେ’ରୁ ନଭେମ୍ବର ୭ ମାସ ପର୍ଯ୍ୟନ୍ତ ରାଜ୍ୟ ସରକାର ଏହି ଯୋଜନାରେ ହିତାଧିକାରୀଙ୍କୁ ମାଗଣାରେ ଚାଉଳ ଯୋଗାଇ ଦେଇଛନ୍ତି । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩ଲକ୍ଷ ୭୮ହଜାର ଲୋକଙ୍କୁ ମାଗଣାରେ ଚାଉଳ ଓ ଡାଲି ଦିଆଯାଉଛି । କରୋନା ସମୟରେ ଅତିରିକ୍ତ ୫୦ ହଜାର ଲୋକଙ୍କୁ ସାମିଲ କରାଯାଇ ଅଗ୍ରୀମ ରାସନ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର ।

ଓକାକ୍ ସିଇଓଙ୍କ ଟଙ୍କା ଠକେଇ ମାମଲା: ନାଇଜେରିଆରେ ରହିଛି ଗ୍ୟାଙ୍ଗ ଅପରେଟର

0

ଭୁବନେଶ୍ୱର: ଓକାକ୍ ସିଇଓଙ୍କ ହ୍ୱାଟସ୍ ଆପ୍ ହ୍ୟାକ ଓ ଟଙ୍କା ଠକେଇ ମାମଲା । ଗତକାଲି ଦିଲ୍ଲୀ ପୋଲିସ ଗିରଫ କରିଥିବା ପାସ୍କେଲ ମୁଖ୍ୟ ଅଭିଯୁକ୍ତ ନୁହେଁ । ଠକେଇ ପଛରେ ଆହୁରି ଅନେକ ଗ୍ୟାଙ୍ଗ ସାମିଲ ଅଛନ୍ତି । ଗିରଫ ଅଭିଯୁକ୍ତ ପାସ୍କେଲକୁ ଏବେ ଜେରା କରୁଛି ଓଡିଶା କ୍ରାଇମବ୍ରାଞ୍ଚ । ଜଣେ ଡିଏସପିଙ୍କ ନେତୃତ୍ୱରେ ପଚରାଉଚରା କରାଯାଉଛି । ବେଙ୍ଗାଲୁରୁ, ମୁମ୍ବାଇ, ଦିଲ୍ଲୀରେ ଗ୍ୟାଙ୍ଗର ଅନେକ ଠକ ଅଛନ୍ତି । ସମସ୍ତ ଠକ ନାଇଜେରିଆର ବୋଲି ଜଣାପଡ଼ିଛି । ଦିଲ୍ଲୀ ପୋଲିସ ଧରିଥିବା ଦୁଇ ଅଭିଯୁକ୍ତଙ୍କର ଭିସା ବାତିଲ୍ କରାଯାଇଛି । ୨୦୧୨ରୁ ଭାରତ ଆସି ଏମାନେ ଏଠାରେ ରହୁଛନ୍ତି । ଗିରଫ ଦୁଇ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଟଙ୍କା ଆସିବା ପରେ ଏଟିଏମ୍‌ରୁ ଟଙ୍କା ବାହାର କରନ୍ତି । ଠକେଇ ଟଙ୍କାର ୧୦ପ୍ରତିଶତ ଟଙ୍କା ନିଅନ୍ତି । ଗ୍ୟାଙ୍ଗର ମୁଖ୍ୟ ନାଇଜେଇରିଆରୁ ଅପରେଟ କରୁଥିବା ଜଣାପଡ଼ିଛି ।

ସୂଚନା ଯୋଗ୍ୟ ଯେ, ବେଙ୍ଗାଲୁରୁରୁ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ମିଳିଛି । ଦିଲ୍ଲୀ ପୋଲିସ ଅଭିଯୁକ୍ତ ଓକ୍ୱଡିରି ପାସ୍କେଲକୁ ବେଙ୍ଗାଲୁରୁରୁ ଗିରଫ କରିଛି । ସେ ଓକାକ୍ ସିଇଓଙ୍କ ହ୍ୱାଟ୍ସଆପ୍ ହ୍ୟାକ୍‌ର ମୁଖ୍ୟ ଅଭିଯୁକ୍ତ ହୋଇଥିବା ଅନୁମାନ କରାଯାଉଛି ।

୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ଏବେ ବେଙ୍ଗାଳୁରୁ ଅଭିମୁଖେ ଗସ୍ତ କରିଛନ୍ତି । ଗିରଫ ଅଭିଯୁକ୍ତକୁ ପଚରାଉଚରା କରିବାକୁ ବେଙ୍ଗଳୁରୁ ଯାଇଛି କ୍ରାଇମବ୍ରାଞ୍ଚ ଟିମ୍ । ପୂର୍ବରୁ ଜଣେ ନାଇଜେରିଆନ ଠକକୁ ଗିରଫ କରାଯାଇଥିଲା । ତାକୁ ଜେରା ପରେ ବିଭିନ୍ନ ସ୍ଥାନରେ ରେଡ୍ କରି ଓକ୍ୱଡିରିକୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ ।

ଏଥିସହିତ ପଢ଼ନ୍ତୁ: ଓକାକ୍ ସିଇଓଙ୍କ ହ୍ୱାଟ୍ସଆପ୍ ହ୍ୟାକ୍ କରି ଠକେଇ ମାମଲା, ଆଉ ଜଣେ ନାଇଜେରିଆନ୍ ଗିରଫ

କୋଭିଡ ବିରୋଧରେ ଲଢେଇ ପାଇଁ କୋଭାକ୍ସିନ ୫୦ ପ୍ରତିଶତ ସଫଳ: ରିପୋର୍ଟ

ନୂଆଦିଲ୍ଲୀ: କୋଭାକ୍ସିନର ଗୁଣବତ୍ତା ଉପରେ ଉଠିଲା ପ୍ରଶ୍ନ । ଲକ୍ଷଣଯୁକ୍ତ କୋଭିଡ ସଂକ୍ରମଣ ବିରୋଧରେ କୋଭାକ୍ସିନ ମାତ୍ର ୫୦ ପ୍ରତିଶତ ସଫଳ ବୋଲି ରିପୋର୍ଟ ଦେଇଛି ଲାନସେଟ । ଭାରତର ସ୍ବଦେଶୀ ଟିକା କୋଭାକ୍ସିନକୁ ନେଇ ଅନେକ ଆଶା ପ୍ରକାଶ ପାଇଥିବାବେଳେ ଲାନସେଟର ଏହି ତଥ୍ୟ ଚିନ୍ତା ଉଦ୍ରେକ କରିଛି ।

ଟିକା ନେବା ଲାଗି ଅଶେଷ ତତ୍ପରତା ପ୍ରକାଶ ପାଉଥିବା ବେଳେ ଟିକାର ଗୁଣବତ୍ତା ନେଇ ପ୍ରଶ୍ନ ଉଠିବା ଯୋଗୁ ଚିନ୍ତା ପ୍ରକାଶ ପାଇଛି । କୋଭାକ୍ସିନ ପ୍ରଙ୍ଗରେ ଚଳିତ ବର୍ଷ ପ୍ରଥମ ଭାଗରେ ଦିଲ୍ଲୀ ଏମସ ପକ୍ଷରୁ କୋଭାକ୍ସିନକୁ ଗୁରୁତ୍ବ ଦିଆଯାଇଥିଲା । ଏନେଇ ୨୭୦୦ରୁ ଅଧିକ ଲୋକଙ୍କ ଠାରେ ପ୍ରୟୋଗାତ୍ମକ ତଥ୍ୟକୁ ଆଧାର କରି କୋଭାକ୍ସିନ ପ୍ରକୃଷ୍ଠ ସଞ୍ଜୀବନୀ ବୋଲି କୁହାଯାଇଥିଲା । ମାତ୍ର ବର୍ତ୍ତମାନ ଲାନସେଟର ତଥ୍ୟ ଅଧିକ ଚିନ୍ତା ସୃଷ୍ଟି କରିଛି ।

ଚେତାବନୀ ଦେଲା WHO, ୟୁରୋପରେ ୭ ଲକ୍ଷରୁ ଅଧିକ ଜୀବନ ନେଇପାରେ କରୋନା

ଜେନେଭା: ୟୁରୋପର ଅଧିକାଂଶ ରାଷ୍ଟ୍ରରେ କାୟା ମେଲାଉଛି କରୋନା। ଏଭଳି ସମୟରେ ପୁଣି ଚିନ୍ତାଜନକ ଖବର ଦେଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଆସନ୍ତା ମାର୍ଚ୍ଚ ସୁଦ୍ଧା ୟୁରୋପ ଓ ଏସିଆର ଆଂଶିକ ଅଞ୍ଚଳରେ ଆଉ ୭ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇପାରେ ଭୂତାଣୁ । ବର୍ତ୍ତମାନ ସୁଦ୍ଧା ୟୁରୋପର ୫୩ଟି ରାଷ୍ଟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୫ ଲକ୍ଷ ପାର୍ ହୋଇଥିବାବେଳେ ଏବେବି ସଂକ୍ରମଣ ଜାରି ରଖିଛି।

ଏପରିକି ୟୁରୋପରେ ମୋଟ ମୃତ୍ୟୁ ସଂଖ୍ୟା ୨୨ ଲକ୍ଷ ହେବାର ଆଶଙ୍କା ସୃଷ୍ଟି ହୋଇଛି। ୟୁରୋପର ଅଧିକାଂଶ ରାଷ୍ଟ୍ରରେ ସଂକ୍ରମଣ ଗ୍ରାଫ ବଢିବା ସହ ମୃତ୍ୟୁ ସଂଖ୍ୟା ବଢୁଛି। ଅନେକ ରାଷ୍ଟ୍ରରେ ଲକଡାଉନ ପ୍ରକ୍ରିୟା ବି ଜାରି ରହିଛି। ସେପଟେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଆଶଙ୍କା ୟୁରୋପ ଓ ଏସିଆରେ ଚିନ୍ତା ସୃଷ୍ଟି କରିଛି।

ୟୁରୋପର ଫ୍ରାନ୍ସ, ଜର୍ମାନୀ ଓ ବ୍ରିଟେନରେ କରୋନା ଏବେ ଗଭୀର ସଙ୍କଟର କାରଣ ହୋଇଛି । କିଛି ରାଷ୍ଟ୍ର ଟିକାକରଣକୁ ଅଧିକ ଗୁରୁତ୍ବ ଦେଉଥିବା ସତ୍ତ୍ବେ ଟିକା ଅଭାବ ଯୋଗୁ ସମସ୍ୟାର ସମାଧାନ ହୋଇପାରୁନାହିଁ । ବର୍ତ୍ତମାନ ସଂକ୍ରମଣ ବୃଦ୍ଧି କାରଣରୁ ଅଷ୍ଟ୍ରିଆ, ନେଦରଲ୍ୟାଣ୍ଡ, ବେଲଜିୟମରେ ଲକଡାଉନ ଜାରି ରହିଛି । ବର୍ତ୍ତମାନ ଏହି ୟୁରୋପ ଓ ଏସିଆରେ ଦୈନିକ ମୃତ୍ୟୁ ସଂଖ୍ୟା ୪ ହଜାର୨୦୦ରୁ ଅଧିକ ରହିଛି । କେବଳ ଋଷରେ ଦୈନିକ ୧୨ଶହ ଲୋକ ପ୍ରାଣ ହରାଉଛନ୍ତି ।

ଗୌତମ ଗମ୍ଭୀରଙ୍କୁ ମାରିବାକୁ ISISର ଧମକ, ବଢିଲା ସୁରକ୍ଷା

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ତଥା ବିଜେପି ନେତା ଗୌତମ ଗମ୍ଭୀରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛି ଆତଙ୍କବାଦୀ ସଂଗଠନ (ISIS)। ISIS ଗ୍ରୁପ କାଶ୍ମୀରରୁ ଗମ୍ଭୀରଙ୍କୁ ମାରିବାକୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଏନେଇ ସେ ଦିଲ୍ଲୀର ଏକ ଥାନାରେ ଏତଲା ଦାଏର କରିଛନ୍ତି ।

ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ରାତିରୁ ଗମ୍ଭୀର ଥାନାରେ ଏତଲା ଦେବା ପରେ ଦିଲ୍ଲୀସ୍ଥିତ ତାଙ୍କ ବାସଭବନ ଆଗରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଇ-ମେଲ ଯୋଗେ ISIS ପକ୍ଷରୁ ତାଙ୍କୁ ଓ ପରିବାରକୁ ମାରିବା ପାଇଁ ହତ୍ୟା ଧମକ ଦିଆଯାଇଛି। ଅଭିଯୋଗ ପାଇବା ପରେ ଦିଲ୍ଲୀ ପୋଲିସ ତଦନ୍ତ ଆରମ୍ଭ କରିବା ସହ ତାଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ବୋଲି କହିଛନ୍ତି ଡିଜିପି ସେଣ୍ଟ୍ରାଲ ସ୍ବେତା ଚୌହାନ ।

ଗୌତମ ଗମ୍ଭୀର ଏବେ ପୂର୍ବ ଦିଲ୍ଲୀ ଲୋକସଭା ଆସନରୁ ସାଂସଦ ଅଛନ୍ତି । ଭାରତୀୟ କ୍ରିକେଟ ଟିମର ଏହି ପୂର୍ବତନ ଖେଳାଳି ୨୦୦୭ ଟି-୨୦ ଓ୍ବର୍ଲଡ କପ୍ ଓ ୨୦୧୧ ଓ୍ବର୍ଲଡ କପ୍ ଖେଳିଥିଲେ । ୨୦୧୮ରେ ସେ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଥିଲେ । ୨୦୧୯ରେ ବିଜେପି ଟିକେଟରେ ପୂର୍ବ ଦିଲ୍ଲୀ ଲୋକସଭା ସିଟ୍ ପାଇଁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ।

ମହାପ୍ରଭୁଙ୍କ ପବିତ୍ର କାର୍ଯ୍ୟରେ ବି ବିଜେପିର ରାଜନୀତି: ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌କୁ କଲେ ଅଣ୍ଡାମାଡ଼

ପୁରୀ: ଶ୍ରୀମନ୍ଦିର ପରିକ୍ରମା ଯୋଜନାର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ୱର କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ପାଇଁ ଏକ ପବିତ୍ର ଦିନ । ହେଲେ ବିକାଶ ସହିପାରୁନାହାନ୍ତି ବିଜେପି ନେତା । କୋଟି ଓଡିଆଙ୍କ ମଉଡ଼ମଣୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର କାର୍ଯ୍ୟରେ ବିଘ୍ନ ପାଇଁ ଚେଷ୍ଟା କରୁଛି ବିଜେପି । ସାରା ବିଶ୍ୱ ପ୍ରକଳ୍ପକୁ ପ୍ରଶଂସା କରୁଛି । ହେଲେ ଏଠିବି ହୀନ ରାଜନୀତି କରିଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଅଣ୍ଡାମାଡ଼ କରିବା ଭଳି ହୀନ ଉଦ୍ୟମ କରିଛନ୍ତି ବିଜେପି ନେତା। ପବିତ୍ର କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌ ଉପରକୁ ଅଣ୍ଡାମାଡ କରୁଛନ୍ତି ବିଜେପିର କିଛି କର୍ମୀ ।

ଏଭଳି କାର୍ଯ୍ୟ ବିଜେପିର ହୀନ ରାଜନୀତି ଓ ଅସହିଷ୍ଣୁତାକୁ ପଦାରେ ପକାଇଛି । ପ୍ରତି ଓଡ଼ିଆଙ୍କ ଆବେଗ ସହ ଜଡ଼ିତ ଶ୍ରୀଜଗନ୍ନାଥ । ଶ୍ରୀମନ୍ଦିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ । ହେଲେ ବିଜେପି ନେତାଙ୍କ ଏଭଳି କାର୍ଯ୍ୟ ପ୍ରମାଣିତ କରୁଛି ସେମାନେ ଐତିହ୍ୟ କ୍ଷେତ୍ର ବିକାଶକୁ ସହିପାରୁନାହିଁନ୍ତି । ତେବେ ପ୍ରଶ୍ନ ଉଠୁଛି, ଶ୍ରୀଜଗନ୍ନାଥ କୌଣସି ଦଳର କି? ଓଡ଼ିଆଙ୍କ ଆବେଗ ଓ ବିଶ୍ୱାସକୁ ନେଇ କାହିଁକି ରାଜନୀତି? ବିଶ୍ୱକୁ ପୁରୀ ମନସ୍କ କରିବାକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଭୁଲ କେଉଁଠି? ଶ୍ରୀକ୍ଷେତ୍ରକୁ ଆହୁରି ସୁନ୍ଦର କରିବାରେ ସମସ୍ୟା କେଉଁଠି? ପୁରୀ ପରିକ୍ରମା ପ୍ରକଳ୍ପକୁ ନିସର୍ତ୍ତ ସମର୍ଥନ କରିଥିଲେ ବିରୋଧୀ, ତାହାଲେ ଏବେ ସମସ୍ୟା କେଉଁଠି?

ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌କୁ ଅଣ୍ଡାମାଡ଼ କରି ଓଡ଼ିଆଙ୍କ ସ୍ୱାଭିମାନକୁ କାହିଁକି କୁଠାରଘାତ? ଶ୍ରୀକ୍ଷେତ୍ର ବିକାଶକୁ ସହିପାରୁନାହାନ୍ତି କି ବିଜେପି? ରାଜ୍ୟ ସ୍ୱାର୍ଥରେ ବିଜେପିର ବୈମାତୃକ ମନୋଭାବ କାହିଁକି ? ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ଚାନ୍ଦା ସଂଗ୍ରହ କରୁଥିବା ବିଜେପି ଶ୍ରୀମନ୍ଦିରର ବିକାଶ ପାଇଁ ଆକ୍ରମଣାତ୍ମକ ଭୂମିକାରେ କାହିଁକି ? ବିଜେପି କର୍ମୀଙ୍କ ଏଭଳି ନିନ୍ଦନୀୟ କାର୍ଯ୍ୟକୁ କଟୁ ସମାଲୋଚନା କରିଛନ୍ତି ଶ୍ରୀମନ୍ଦିର ସେବାୟତ । ଏପରିକି ବିଜେପିର ପୂର୍ବତନ କାଉନସିଲର ମଧ୍ୟ ନିଜ ଦଳୀୟ କର୍ମୀଙ୍କ କାର୍ଯ୍ୟକୁ ନିନ୍ଦା କରିଛନ୍ତି ।

ଡବଲ୍ ଡୋଜ୍ ଭ୍ୟାକ୍ସିନ ନେଇଥିଲେ ମଦ ଉପରେ ୧୦ ପ୍ରତିଶତ ଛାଡ଼ !

0

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ସରକାର କରୋନା ଭ୍ୟାକ୍ସିନର ଡବଲ ଡୋଜ୍ ନେବାକୁ ଲୋକଙ୍କୁ ସଚେତନ କରୁଥିବା ବେଳେ ଜିଲ୍ଲା ଅବକାରୀ ଅଧିକାରୀ ଏଥିପାଇଁ ଏକ ଅଜବ ପଦକ୍ଷେପ ନେଇଛନ୍ତି । ଯେଉଁ ବ୍ୟକ୍ତି କରୋନାର ଡବଲ ଡୋଜ୍ ନେଇସାରିଥିବେ ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଫର୍ ଆରମ୍ଭ କରିଛନ୍ତି ଏହି ଅବକାରୀ ଅଧିକାରୀ । କରୋନାର ଡବଲ୍ ଡୋଜ୍ ନେଇସାରିଥିବା ବ୍ୟକ୍ତିଙ୍କୁ ୧୦ ପ୍ରତିଶତ ଛାଡ଼ ଦେବାକୁ ନିଷ୍ପତ୍ତି ନେଇଛନ୍ତି ଏହି ଅଧିକାରୀ । ପୂର୍ବରୁ କରୋନା ଟିକା ନେଲେ ପୋଷାକ ଆଦିରେ ଛାଡ଼ ଦିଆଯାଉଥିବା କଥା ଆପଣ ଶୁଣିଥିବେ । କିନ୍ତୁ, ମଦରେ ଛାଡ଼ ଦିଆଯାଉଥିବା କଥା ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ ।

କରୋନା ଭ୍ୟାକ୍ସିନର ଡବଲ୍ ଡୋଜ ସାର୍ଟିଫିକେଟ୍ ଦେଖାଇ ଦେଶୀ ମଦ କ୍ରୟ କରୁଥିବା ବ୍ୟକ୍ତି ଏଥିରେ ୧୦ ପ୍ରତିଶତ ଛାଡ଼ ପାଇପାରିବେ । ଜିଲ୍ଲା ଅବକାରୀ ଅଧିକାରୀ ଏଭଳି ଏକ ନୂଆ ଆଦେଶ ଜାରି କରିଛନ୍ତି ବୋଲି ମନ୍ଦସୋର ଜିଲ୍ଲା ବାସିନ୍ଦା ପିଆରଓ ଇଶ୍ୱର ଲାଲ ଚୈାହାନ କହିଛନ୍ତି ।  ଏହି ନିୟମ କେବଳ ଦେଶୀ ମଦ ଉପରେ ହିଁ ଲାଗୁ କରାଯାଇଛି । ଆଦେଶନୁସାରେ ମନ୍ଦୋଦର ସହରରେ ଥିବା ୩ଟି ଦେଶୀ ମଦ ଦୋକାନରେ ଏହି ଡିସକାଉଣ୍ଟ ଅଫର୍ ଦିଆଯିବ । ମନ୍ଦୋଦର ସହରର ତିନୋଟି ମଦ ଦୋକାନ ସିତାରାମ ଫାଟକ, ଭୁନିୟା ଖେଡ଼ି ଏବଂ ପୁରୁଣା ବସ୍ ଷ୍ଟାଣ୍ଡର ମଦ ଦୋକାନ ଉପରେ ୧୦ ପ୍ରତିଶତ ଛାଡ଼ ପ୍ରଦାନ କରାଯାଇଛି ।

 

ଏଥିପାଇଁ ବ୍ୟକ୍ତିଙ୍କୁ ଡବସ ଡୋଜ୍ ସାର୍ଟିଫିକେଟ ଦେଖାଇବାକୁ ପଡ଼ିବ । ଏହା ପୂର୍ବରୁ ଖଣ୍ଡୱା ଜିଲ୍ଲା ଅବକାରୀ ଅଧିକାରୀ କରୋନା ଡବଲ ଡୋଜ୍ ନେଇ ନଥିବା ବ୍ୟକ୍ତିଙ୍କୁ ମଦ ନ ମିଳିବା ନେଇ ଆଦେଶ ଜାରି କରିଥିଲେ । କରୋନା ଭ୍ୟାକ୍ସିନ ନେବାକୁ ଲୋକ ଆଗ୍ରହ ପ୍ରକାଶ କରୁନଥିବାରୁ ମନ୍ଦୋଦର ଜିଲ୍ଲା ଅବକାରୀ ଅଧିକାରୀ ଏଭଳି ନିଷ୍ପତ୍ତି ନେଇଥିବା କଥା କୁହାଯାଉଛି ।

କ୍ରିପ୍ଟୋ କରେନ୍ସିକୁ ନିଷିଦ୍ଧ କରିବାକୁ ପ୍ରକ୍ରିୟା ଆରମ୍ଭ: ମୁଣ୍ଡରେ ହାତ ଦେଇଛନ୍ତି ନିବେଶକ

0

ନୂଆଦିଲ୍ଲୀ: କ୍ରିପ୍ଟୋ ଜଗତରେ ଆତଙ୍କ । ଭାରତରେ ସମସ୍ତ ପ୍ରକାର କ୍ରିପ୍ଟୋକରେନ୍ସିକୁ ନିଷିଦ୍ଧ କରିବା ଲାଗି ସରକାର ପଦକ୍ଷେପ ନେବା ଆରମ୍ଭ କରିବା ପରେ ମୁଣ୍ଡରେ ହାତ ଦେଇଛନ୍ତି ନିବେଶକ । ଆସନ୍ତା ଶୀତକାଳୀନ ଅଧିବେଶନରେ ସଂସଦରେ ଏକ ବିଲ୍ ଆଣିବାକୁ ଯାଉଥିବାବେଳେ ଡିଜିଟାଲ କରେନ୍ସିର ଭବିଷ୍ୟତ ଅନ୍ଧକାର ଆଡକୁ ଗତି କରିଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ଅନୁସାରେ ଆସନ୍ତା ଅଧିବେଶନ କାଳରେ ଡିଜିଟାଲ କରେନ୍ସିକୁ ନିୟନ୍ତ୍ରଣ କରିବା ନେଇ ଏକ ଫ୍ରେମଓ୍ୱାର୍କ ଆଣିବାକୁ ଯାଉଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପ୍ରକାଶ ପାଇବା ପରେ ସମସ୍ତ ପ୍ରମୁଖ ଡିଜିଟାଲ କରେନ୍ସି ସୂଚକାଙ୍କ ୧୮ ପ୍ରତିଶତରୁ ଅଧିକ ହ୍ରାସ ପାଇଛି ।

ଆସନ୍ତା ୨୯ରୁ ଆରମ୍ଭ ହେବାକୁ ଥିବା ଶୀତକାଳୀନ ଅଧିବେଶନରେ ସରକାର ଆଣିବେ କ୍ରିପ୍ଟୋକରେନ୍ସି ଓ ସରକାରୀ ଡିଜିଟାଲ କରେନ୍ସି ନିୟନ୍ତ୍ରଣ ବିଲ୍, ୨୦୨୧ । ଏହି ବିଲ୍‌ରେ ରିଜର୍ଭ ବ୍ୟାଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଡିଜିଟାଲ କରେନ୍ସିର ସୃଷ୍ଟି ସକାଶେ ଏକ ଫ୍ରେମଓ୍ୱାର୍କ ତିଆରି ଲାଗି ବ୍ୟବସ୍ଥା ରହିବ । ସମସ୍ତ ପ୍ରକାର ଘରୋଇ କ୍ରିପ୍ଟୋକରେନ୍ସିକୁ ଭାରତରେ ନିଷିଦ୍ଧ କରିବା ଲାଗି ମଧ୍ୟ ଉକ୍ତ ବିଲ୍‌ରେ ବ୍ୟବସ୍ଥା ରହିଛି । ତେବେ ଉକ୍ତ ବିଲରେ କ୍ରିପ୍ଟୋକରେନ୍ସି ପ୍ରଯୁକ୍ତି ଓ ଏହାର ବ୍ୟବହାରକାରୀଙ୍କ ସକାଶେ କିଛି ବ୍ୟବସ୍ଥା ରହିଛି । କେତେକ ବିଶ୍ୱସ୍ତରୀୟ କ୍ରିପ୍ଟୋକରେନ୍ସି ଯଥା ବିଟକଏନ ସମେତ ଅନ୍ୟ କେତେକ କରେନ୍ସିର ପରିମାଣ ବହୁ ଗୁଣ ବୃଦ୍ଧି ପାଇଥିବାରୁ ଉଦବେଗ ପ୍ରକାଶ କରିଥିଲେ ରିଜର୍ଭ ବ୍ୟାଙ୍କ ।

ଏଥିରେ ନିବେଶ କରିଥିବା ନିବେଶକାରୀଙ୍କ ଜମା ପରିମାଣ ମାତ୍ର ବର୍ଷକ ଭିତରେ ଦୁଇ ଗୁଣ ହୋଇଯାଇଥିବାରୁ ବି କେନ୍ଦ୍ରୀୟ ବ୍ୟାଙ୍କ ଚିନ୍ତା ପ୍ରକଟ କରିଥିଲେ । ଭାରତରେ ବର୍ତ୍ତମାନ ପ୍ରାୟ ୨୦ ନିୟୁତ କ୍ରିପ୍ଟୋ ନିବେଶକ ରହିଥିବାବେଳେ କ୍ରିପ୍ଟୋ ହୋଲଡିଂସର ପରିମାଣ ହୋଇଛି ପ୍ରାୟ ୪୦ ହଜାର କୋଟି ଟଙ୍କା ।

ଏଥିରେ ନିବେଶ କରି ଲାଭବାନ ହେବା ଲାଗି ବିଭିନ୍ନ ମନଗଢା ବିଜ୍ଞାପନମାନ ପ୍ରକାଶ ପାଇଥିବାରୁ କ୍ରିପ୍ଟୋ ଜଗତରେ ଏକ ଉଦବେଳନ ଦେଖାଦେଇଥିଲା । ଗତ ଏକ ଦଶନ୍ଧି ହେଲା ଘରୋଇ ଡିଜିଟାଲ କରେନ୍ସିର ବ୍ୟାପକ ଲୋକପ୍ରିୟତା ପରିଲକ୍ଷିତ ହୋଇଥିଲା ଏବଂ ଲୋକମାନେ ଆଖିବୁଜା ଅର୍ଥ ଏଥିରେ ନିବେଶ କରିଆସୁଥିଲେ । ଭର୍ଚୁଆଲ କରେନ୍ସି ସମ୍ପର୍କିତ ସେବା ଯୋଗାଇଦେବା ପ୍ରସଙ୍ଗରେ ଗତ ୨୦୨୧ ମାର୍ଚ୍ଚ ୪ରେ ସୁପ୍ରିମକୋର୍ଟ ରିଜର୍ଭ ବ୍ୟାଙ୍କକୁ ବାରଣ କରିଥିଲେ ।

ପୂର୍ବରୁ ଗତ ନଭେମ୍ବର ୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଡନି ଡାଇଲଗ ବୈଠକରେ କ୍ରିପ୍ଟୋକରେନ୍ସିର ଭବିଷ୍ୟତ ଯେପରି ଅସାଧୁଙ୍କ ହାତରେ ନପଡେ ସେଥିଲାଗି ସତର୍କ କରାଇଦେଇଥିଲେ । ଗତ ସପ୍ତାହରେ ଏନେଇ ହୋଇଥିବା ସଂସଦୀୟ ବୈଠକରେ ମତ ପ୍ରକାଶ ପାଇଥିଲା ଯେ କ୍ରିପ୍ଟୋକରେନ୍ସିକୁ ଭାରତର ବନ୍ଦ ନ କରି ଏହାକୁ ନିୟନ୍ତ୍ରଣ କରାଯାଉ । କ୍ରିପ୍ଟୋକରେନ୍ସିକୁ ନେଇ ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ବୋର୍ଡ ଅଫ ଇଣ୍ଡିଆ ବା ସେବି ଆଶଙ୍କା ବ୍ୟକ୍ତ କରିଆସୁଛି । ବର୍ତ୍ତମାନ ସୁଦ୍ଧା ବିଶ୍ୱର ଏକମାତ୍ର ରାଷ୍ଟ୍ର ହେଉଛି ଏଲ ସାଲଭାଡର ଯିଏକି କ୍ରିପ୍ଟୋକରେନ୍ସିକୁ ଆଇନଗତ ମାନ୍ୟତା ପ୍ରଦାନ କରିଛି ।

ଏଥିସହିତ ପଢ଼ନ୍ତୁ: ଅଭିନନ୍ଦନଙ୍କୁ ବୀରଚକ୍ର,ପାକିସ୍ତାନକୁ କାହିଁକି ବାଧୁଛି ?

ଶ୍ରୀମନ୍ଦିର ଚୌହଦୀ କହିବ ଜୟ ଜଗନ୍ନାଥ: ଝଟକିବ ଓଡ଼ିଆ ଐତିହ୍ୟ ଓ ସଂସ୍କୃତି

ଭୁବନେଶ୍ୱର: ଶ୍ରୀମନ୍ଦିର ଚୌହଦୀ କହିବ ଜୟ ଜଗନ୍ନାଥ । ଗାଇବ ଶ୍ରୀଜଗନ୍ନାଥଙ୍କ ଗାଥା । ଜଗନ୍ନାଥ ସଂସ୍କୃତିର କାହାଣୀ ରଖିବ ବିଶ୍ୱବାସୀଙ୍କ ଆଗରେ । ଚୌହଦୀର ପ୍ରତିଟି କାରୁକାର୍ଯ୍ୟରେ ଝଲସିବ ଓଡ଼ିଆ ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ଛାପ । ଜଗନ୍ନାଥଙ୍କ ଲୀଳା, ଭକ୍ତ-ଭଗବାନ ସମ୍ପର୍କ,  ପୁରାଣ ଓ କିମ୍ବଦନ୍ତୀ କାହାଣୀର ଚିତ୍ର ଟାଣିବ ସାରା ବିଶ୍ୱର ନଜର । ଜଗନ୍ନାଥ ସଂସ୍କୃତିକୁ ଆହୁରି ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏ ବ୍ଲୁ ପ୍ରିଣ୍ଟ ସାକାର ହେବାକୁ ଯାଉଛି । ଆଜି ଏହି ବହୁ ପ୍ରତିକ୍ଷୀତ ପ୍ରକଳ୍ପର ଶିଳାନ୍ୟାସ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗଜପତି ମହାରାଜା ଦିବ୍ୟ ସିଂହ ଦେବ ଶିଳା ସ୍ଥାପନ କରିଥିବା ବେଳେ ଯଜ୍ଞରେ ପୂର୍ଣ୍ଣାହୂତି ଦେଇଛନ୍ତି ଗଜପତି ମହାରାଜା । । ଏ ଅଧ୍ୟାତ୍ମିକ କାର୍ଯ୍ୟକ୍ରମରେ ୫ ଟି ସଚିବ ଭି କେ ପାଣ୍ଡିଆନଙ୍କ ସହ ମନ୍ତ୍ରୀ, ସାଂସଦ, ବିଧାୟକ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ପରିକ୍ରମା ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୮୦୦ କୋଟି ।

ପୁରୀ ପାଲଟିବ ବିଶ୍ୱ ଐତିହ୍ୟ ନଗରୀ । ଭାବେ ଗଢ଼ି ତୋଳିବା ପାଇଁ ସରକାର ଭଣ୍ଡାର ଖୋଲି ଦେଇଛନ୍ତି । ପୁରୀ ପାଇଁ ପ୍ରସ୍ତୁତ ହୋଇଛି ମେଗା ଯୋଜନା ।  ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଚାରିପାଖରେ ମେଘନାଦ ପାଚେରିଠାରୁ ୭୫ ମିଟର ପର୍ଯ୍ୟନ୍ତ ଜାଗାକୁ ଅବରୋଧମୁକ୍ତ କରାଯାଇଛି । ନୂଆ ରୂପ ପାଇବ ଶ୍ରୀମନ୍ଦିର ଚୌହଦୀ । ପୂର୍ବ ପାର୍ଶ୍ୱ (ସିଂହଦାର ପାର୍ଶ୍ୱ) ବାଦ ଦେଇ ବାକି ତିନି ପାର୍ଶ୍ୱେର ଏମିତି ସୌନ୍ଦର୍ଯ୍ୟକରଣ କରାଯିବ, ଦେଖିଲେ ଆତ୍ମ ସନ୍ତୋଷଭରା ନିଆରା ଅନୁଭୂତି ମିଳିବ । ୭୫ ମିଟର ମଧ୍ୟରୁ ମେଘନାଦ ପାଚେରିରୁ ୬୦ ମିଟର ପର୍ଯ୍ୟନ୍ତ ନିର୍ମାଣ ହେବ ପରିକ୍ରମା । ଗାଡ଼ିମୋଟର ଚଳାଚଳ ପାଇଁ ୧୫ ମିଟର ରାସ୍ତା ଛଡ଼ାଯିବ । ବିଶ୍ୱ ଦରବାରରେ ଶ୍ରୀମନ୍ଦିର ଆହୁରି ଆକର୍ଷଣୀୟ ହୋଇ ଝଲସିବ ।

ପରିକ୍ରମା କେବଳ ଚଲାପଥ ପାଇଁ ବ୍ୟବହାର ହେବ । ଭକ୍ତମାନେ ଏହି ପରିକ୍ରମା ଦେଇ ଶ୍ରୀମନ୍ଦିରର ମେଘନାଦ ପାଚେରି କଡ଼େ କଡ଼େ ବୁଲିବେ । ସମସ୍ତ ଦ୍ୱାରରେ ଦାନ ଓ ସୂଚନା କେନ୍ଦ୍ର ରହିବ । ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ପ୍ରାଥମିକ ଚିକିତ୍ସା କେନ୍ଦ୍ର, ଏଟିଏମ୍, ପାନୀୟ ଜଳ ସୁବିଧା ରହିବ । ଶ୍ରଦ୍ଧାଳୁଙ୍କ ପାଇଁ ରହଣୀସ୍ଥଳ ସହ ଅଭ୍ୟର୍ଥନା ପ୍ରକୋଷ୍ଠ ରହିବ । ଶ୍ରଦ୍ଧାଳୁଙ୍କ ଆକର୍ଷିତ କରିବା ପାଇଁ ସେଠି ପଥରର କାରୁକାର୍ଯ୍ୟ, ମୂର୍ତ୍ତି ନିର୍ମାଣ କରାଯିବ । ପଥର ମୂର୍ତ୍ତି ଓଡ଼ିଶାର ଐତିହ୍ୟ ଓ ଜଗନ୍ନାଥ ସଂସ୍କୃତିର ବାର୍ତ୍ତାବହ ହେବ । ଆମ ପଟ୍ଟଚିତ୍ରର ନିଦର୍ଶନ ରହିବ ପରିକ୍ରମାରେ । ବିଶ୍ୱପ୍ରସିଦ୍ଧ ଓଡ଼ିଶୀ ନୃତ୍ୟର ଝଲକ ଦେଖିବାକୁ ମିଳିବ କାରୁକାର୍ଯ୍ୟରେ ।

ସବୁଜିମା ବି ରହିବ । ପରିବେଶକୁ ସୌନ୍ଦର୍ଯ୍ୟମୟ କରିବା ପାଇଁ ଘାସ ଗାଲିଚା ଓ ଫାଉଣ୍ଟେନ ରହିବ । ଜଗନ୍ନାଥଙ୍କ ସେବା ଓ ପଜାରେ ଲାଗୁଥିବା ଫୁଲ ଏବଂ ଔଷଧୀୟ ଉଦ୍ୟାନ ମଧ୍ୟ ରହିବ । ତୁଳସୀ ବଚିଚା ପାଇଁ ମଧ୍ୟ ପ୍ରକଳ୍ପରେ ସ୍ଥାନ ରଖାଯାଇଛି । ବୟସ୍କ, ମହିଳା, ଶିଶୁ ଓ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପରିକ୍ରମାରେ  କିଛି ସମୟ ବିଶ୍ରାମ ଲାଗି ବସିବାର ବ୍ୟବସ୍ଥା ରଖାଯିବ । ଭକ୍ତମାନେ ଯେତେ ସମୟ ଚାହିଁବେ ଚୌହଦୀରେ ବସି ରହି ଜଗନ୍ନାଥ ମହିମାରେ ତଲୀନ ହେବେ । ଭଜନ କୀର୍ତ୍ତନ କରିବେ । ଭକ୍ତି-ଶ୍ରଦ୍ଧାର ଅପୂର୍ବ ସମନ୍ୱୟର ସମାହାର ଦେଖିବେ ଶ୍ରଦ୍ଧାଳୁ ।

କେବଳ ଦିନବେଳା ନୁହେଁ, ରାତିରେ ମଧ୍ୟ ଶ୍ରୀମନ୍ଦିର ପରିକ୍ରମା କରିପାରିବେ ଶ୍ରଦ୍ଧାଳୁ । ସେଥିପାଇଁ ଅର୍ନାମେଣ୍ଟାଲ ଷ୍ଟ୍ରିଟ୍ ଲାଇଟ୍ ଲାଗିବ । ଅଗଣିତ ଭକ୍ତଙ୍କ ପାଦ ଧୂଆ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ । ସବୁଠୁ ବଡ଼ କଥା ହେଲା, ଶ୍ରୀମନ୍ଦିର ଭିତରକୁ ବିଦେଶୀ ପର୍ଯ୍ୟଟକଙ୍କ ପ୍ରବେଶ ନିଷେଧ ଥିବାବେଳେ ଏହି ବ୍ୟବସ୍ଥା ଦ୍ୱାରା ମନ୍ଦିର ଚାରପାଖେ ପରିକ୍ରମା କରିପାରିବେ । ଏହାଦ୍ୱାରା ଶ୍ରୀମନ୍ଦିର ଓ ଜଗନ୍ନାଥ ସଂସ୍କୃତି ବାବଦରେ ସାରା ବିଶ୍ୱ ଆହୁରି ଅଧିକ ଜାଣିପାରିବ । ଏପରିକି ଭକ୍ତମାନଙ୍କୁ ଶ୍ରୀମନ୍ଦିର ଓ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ବୁଝାଇବା ପାଇଁ ପରିକ୍ରମାରେ ସ୍ୱତନ୍ତ୍ର ଗାଇଡ୍ ରଖିବା ପ୍ରସ୍ତାବ ଉପରେ ବିଚାର ବିମର୍ଶ କରାଯାଉଛି । ତେବେ ପରିକ୍ରମାର ୬୦ ମିଟର ଏକ କରିଡର ଭଳି ରହିବ । ଏହା ଭିତରକୁ ପ୍ରବେଶ କରିବାବେଳେ କଡ଼ା ଯାଞ୍ଚ୍ କରାଯିବ । ପରିକ୍ରମା ପ୍ରକଳ୍ପକୁ ଛାଡ଼ି ଗୁରୁତ୍ୱପୂର୍ଣ୍ଣ ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ଶ୍ରଦ୍ଧାଳୁ କେନ୍ଦ୍ର, ବହୁତଳ ପାର୍କିଂ, ମ୍ୟୁନିସିପଲିଟି ମାର୍କେଟର ନବୀକରଣ ପାଇଁ ରାଜ୍ୟ ସରକାର କାମ ହାତକୁ ନେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ତୃତୀୟ ଦିନରେ ଗ୍ୟାସ୍ ଦରବୃଦ୍ଧିକୁ ନେଇ ବିଜେଡି ଆନ୍ଦୋଳନ: ବ୍ରହ୍ମପୁରରେ ପ୍ରତିବାଦ କରୁଛି ଦଳ

ବ୍ରହ୍ମପୁର: ଧୂଆଁବାଣ ପାଲଟିଛି ଅଚ୍ଛେଦିନର ପ୍ରତିଶ୍ରୁତି  । ମହଙ୍ଗା ମାଡ଼ରେ ବେହାଲ ଖାଉଟି । କେବେ କମିବ ରନ୍ଧନ ଗ୍ୟାସ ଦର ? ଏପରି ପ୍ରଶ୍ନର ଜବାବ ମାଗୁଛି ବିଜେଡି  । ଗ୍ୟାସ୍ ଦରବୃଦ୍ଧିକୁ ନେଇ ଆଜି ତୃତୀୟ ଦିନରେ ବିକ୍ଷୋଭ କରିଛି ବିଜେଡି । କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ବିରୋଧରେ ରଣହୁଙ୍କାର ଦେଉଛନ୍ତି ବିଜେଡି ଯୁବ, ଛାତ୍ର ଓ ମହିଳା ନେତ୍ରୀ ।

ଆଜି ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛି ବିଜେଡି । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯିବ । ଲଗାତର ଗ୍ୟାସ ଦରବୃଦ୍ଧିକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଗତ ତିନି ବର୍ଷରେ ପାଖାପାଖି ଦୁଇ ଗୁଣା ଦର ବୃଦ୍ଧି ହୋଇଛି । ସେହିପରି ଉଜ୍ଜଳା ନାଁରେ କେନ୍ଦ୍ର ସରକାରଙ୍କ ଲୋକଙ୍କୁ ଠକି ଚାଲିଥିବା ବିଜେଡି ଅଭିଯୋଗ କରିଛି । କୋଭିଡ ପାଇଁ ସାଧାରଣ ଲୋକର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ଏପରି ସ୍ଥିତିରେ କିପରି ପରିବାର ଚାଲିବ ସେନେଇ ପ୍ରଶ୍ନ କରିଛି ଦଳ ।

ସୂଚନା ଯୋଗ୍ୟ, ଗତକାଲି ଆନ୍ଦୋଳନର ଦ୍ୱିତୀୟ ଦିନରେ ସମ୍ୱଲପୁର ଆରଡିସି କାର୍ଯ୍ୟାଳୟ ଆଗରେ ବିଜେଡି ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ଏଲପିଜି ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇଛି ବିଜେଡିର ମହିଳା, ଛାତ୍ର ଓ ଯୁବ ୱିଙ୍ଗ । ଉତ୍ତରାଞ୍ଚଳ ରାଜସ୍ୱ ଡିଭିଜନ୍ ଅନ୍ତର୍ଗତ ବିଭିନ୍ନ ଜିଲ୍ଲାରେ ବ୍ଲକ୍ ଅଫିସ ଆଗରେ ବିଜେଡି ଆନ୍ଦୋଳନ କରିଥିଲା । ରାଉରକେଲା ସହରର ସେକ୍ଟର-୨ ବିଜୁ ପଟ୍ଟନାୟକ ଛକରେ ରଘୁନାଥପାଲି ବିଜେଡି ପକ୍ଷରୁ ବିକ୍ଷୋଭ କରାଯାଇଥିବା ବେଳେ ଆଜି ବ୍ରହ୍ମପୁର ଆରଡିସି କାର୍ଯ୍ୟାଳୟ ଆଗରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।

ଏଥିସହିତ ପଢ଼ନ୍ତୁ: ଗ୍ୟାସ ଦରବୃଦ୍ଧିକୁ ନେଇ ବଢ଼ୁଛି ବିରୋଧ, ସମ୍ବଲପୁର ଆରଡିସି ଜୋନରେ ବିଜେଡିର ପ୍ରତିବାଦ