spot_img
Home Blog Page 4896

ବିଜେପି ଛାଡ଼ିଲେ ରାୟଗଡ଼ା ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି

ରାୟଗଡ଼ା: ବିଜେପିରେ ଦୋଦୁଲ୍ୟମାନ ସ୍ଥିତି । ଅସୁରକ୍ଷିତ ନେତା । ଦଳ ଭିତରୁ ମିଳୁଛି ହତ୍ୟା ଧମକ । ବୁଝିବାକୁ ନାହିଁ ରାଜ୍ୟ ବିଜେପି ନେତୃବୃନ୍ଦଙ୍କ ପାଖରେ ସମୟ । ଏମିତି କିଛି ଅଭିଯୋଗ ଆଣି ବିଜେପି ଛାଡ଼ିବା ସହ ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି ରାୟଗଡ଼ା ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ମଇନା ଆଚାର୍ଯ୍ୟ।

ରାୟଗଡା ଜିଲ୍ଲା ବିଜେପି ସଭାପତିଙ୍କ ମନମୁଖୀ କାର୍ଯ୍ୟ ତଥା ମହିଳାଙ୍କୁ ଅସମ୍ମାନ ଅଭିଯୋଗରେ ମଇନା ଇସ୍ତଫା ଦେଇଛନ୍ତି । ମଇନା ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବେ କାମ କରୁଥିବା ବେଳେ ଜିଲ୍ଲା ସଭାପତି ଶିବ ପଟ୍ଟନାୟକ ଓ ସମ୍ପାଦକ କିଶୋର ପଣ୍ଡା ତାଙ୍କୁ ବାରମ୍ବାର ଅପମାନିତ କରିଥିବା ସେ ଅଭିଯୋଗ କରିଛନ୍ତି । ବିଜେପିର କିଛି କର୍ମକର୍ତ୍ତା ତାଙ୍କୁ ମାରିଦେବାକୁ ଧମକ ଦେଉଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ରାଜ୍ୟ ନେତୃମଣ୍ଡଳୀକୁ ଜଣାଇଥିଲେ ବି କେହି ଗୁରୁତ୍ୱ ଦେଉନଥିବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି । ଆବଶ୍ୟକ ପଡ଼ିଲେ ଆଇନର ଆଶ୍ରୟ ନେବେ ବୋଲି ମଧ୍ୟ କହିଛନ୍ତି ମଇନା ।

ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଆଗରେ କେନ୍ଦ୍ର ସରକାରଙ୍କ ବିଜ୍ଞାପନ ବ୍ୟାନର

ଭୁବନେଶ୍ବର: ଭୁବନେଶ୍ବରର ଗୋପବନ୍ଧୁ ଛକରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ସାମ୍ନାରେ କେନ୍ଦ୍ର ସରକାରଙ୍କର ଏକ କାର୍ଯ୍ୟକ୍ରମର ବିଜ୍ଞାପନ ବ୍ୟାନର ଲଗାଯାଇଛି । ଯାହାକୁ ନେଇ ଉଠିବାରେ ଲାଗିଛି ବିରୋଧର ସ୍ବର । ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଏଭଳି ବ୍ୟାନର ମରାକୁ ନେଇ ପ୍ରଶ୍ନ ଉଠାଯାଇଛି । କାଲିଠାରୁ ଏହି ବିଜ୍ଞାପନ ବ୍ୟାନର ହଟାଇବାକୁ ଚେତାବନୀ ଦିଆଯାଇଥିଲେ ମଧ୍ୟ ଏହାକୁ ହଟାଯାଇନଥିଲା । ଫଳରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଆଜି ବ୍ୟାନରକୁ ହଟାଯିବା ସହ ଆଗକୁ ଏଭଳି ନକରିବାକୁ ଚେତାବନୀ ଦେଇଛି।

ଆବଶ୍ୟକ ପଡ଼ିଲେ ପୁଣି ଫେରିବ କୃଷି ଆଇନ: କାଲରାଜ ମିଶ୍ର

ନୂଆଦିଲ୍ଲୀ: ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା ପରେ ଉତ୍ସବ ମନାଉଛନ୍ତି ଚାଷୀ । ବର୍ଷକର ଆନ୍ଦୋଳନ, ୭୦୦ରୁ ଅଧିକ ଚାଷୀଙ୍କ ବଳିଦାନ ଆଗରେ ଶେଷରେ ମୁଣ୍ଡ ନୁଆଁଇଛନ୍ତି ଅହଂକାରୀ କେନ୍ଦ୍ର ସରକାର । ବିବାଦୀୟ ଆଇନ ପ୍ରତ୍ୟାହାର ପୂର୍ବରୁ ବିରୋଧୀଙ୍କ ଟାର୍ଗେଟରେ ଥିଲେ କେନ୍ଦ୍ର ସରକାର । ପ୍ରତ୍ୟାହାର ନେଇ ଘୋଷଣା ପରେ ବି ବିରୋଧୀଙ୍କ ଆକ୍ରମଣରେ ଅସ୍ତବ୍ୟସ୍ତ ମୋଦି ସରକାର । ଏମିତି ସ୍ଥିତିରେ ମୋଦି ସରକାରଙ୍କ ଅଡୁଆ ବଢ଼ାଇବା ଭଳି ବୟାନ ଦେଇଛନ୍ତି ରାଜସ୍ଥାନ ରାଜ୍ୟପାଳ କାଲରାଜ ମିଶ୍ର । ଆବଶ୍ୟକ ପଡ଼ିଲେ ପୁଣି ଥରେ କୃଷି ଆଇନ ଅଣାଯିବ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ ବିରୋଧୀ ଓ ଚାଷୀ ସଂଗଠନ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠାଇ ଥିବା ବେଳେ କିଛି ଲୋକ ଏହାକୁ ପୁଣି ଥରେ ଆଣିବାକୁ ଦାବି କରୁଛନ୍ତି । ଚାଷୀ ସଂଗଠନଗୁଡିକ ମଧ୍ୟ ଏମିତି ହେବା ଆଶଙ୍କା ପ୍ରକାଶ କରିଛନ୍ତି । ସେଥିପାଇଁ ସଂସଦରେ କୃଷି ଆଇନ ପ୍ରତ୍ୟାହାରରେ ମୋହର ଲାଗିବା ପର୍ଯ୍ୟନ୍ତ ଆନ୍ଦୋଳନ ପ୍ରତ୍ୟାହାର କରାଯିବ ନାହିଁ ବୋଲି କହି ସାରିଛନ୍ତି ।

କାଲରାଜ ମିଶ୍ର କହିଛନ୍ତି, ‘କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ସ୍ବାଗତ ଯୋଗ୍ୟ । କୃଷି ଆଇନ ଚାଷୀଙ୍କ ହିତ ପାଇଁ ଥିଲା । ସରକାର ଚାଷୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ, ହେଲେ ଆାଇନ ପ୍ରତ୍ୟାହାର ଦାବିରୁ ହଟି ନଥିଲେ ଚାଷୀ । ଶେଷରେ ଆଇନ ପ୍ରତ୍ୟାହାର କରିନେବାକୁ ସରକାର ହୃଦୟଙ୍ଗମ କଲେ ।’

ସେ ଆହୁରି କହିଥିଲେ, ‘ଆବଶ୍ୟକ ପଡ଼ିଲେ ପୁଣି ଥରେ କୃଷି ଆଇନ ଅଣାଯିବ । ବର୍ତ୍ତମାନ ପାଇଁ ଏହାକୁ ପ୍ରତ୍ୟାହାର କରାଯାଉଛି ।’

କେବଳ ରାଜସ୍ଥାନ ରାଜ୍ୟପାଳ ନୁହଁନ୍ତି, ବିଜେପି ସାଂସଦ ସାକ୍ଷୀ ମହାରାଜ ମଧ୍ୟ କୃଷି ଆଇନ ପୁଣି ଅଣାଯିବା ନେଇ ମତ ରଖିଛନ୍ତି । ସେ କହିଛନ୍ତି, ‘ଆଇନ ତିଆରି ହୋଇଥାଏ, ଭାଙ୍ଗି ଥାଏ । ପୁଣି ଥରେ ଆସିଥାଏ ।’ ସେହିପରି ଫାରୁକବାଦର ବିଜେପି ସାଂସଦ ମୁକେଶ ରାଜପୁର କୃଷି ଆଇନ ପ୍ରତ୍ୟାହାର ନେଇ ଅସହମତି ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ବାଧ୍ୟ ବାଧକତାରେ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ।

ଚତୁର୍ଥ ଥର ବିବାହ କରିବେ ୫୨ ବର୍ଷୀୟ ଜେନିଫର ଲୋପେଜ

ନୂଆଦିଲ୍ଲୀ: ହଲିଉଡ୍ ଗାୟିକା ଓ ଅଭିନେତ୍ରୀ ଜେନିଫର ଲୋପେଜ ପୁଣି ଥରେ ଚର୍ଚ୍ଚାରେ । ଜେନିଫର ଲୋପେଜ ଦୀର୍ଘ ଦିନ ହେଲା ‘ବ୍ୟାଟମ୍ୟାନ’ର ଅଭିନେତା ବେନ୍ ଏପ୍ଲେକଙ୍କୁ ଡେଟ୍ କରୁଛନ୍ତି । ଦୁହିଁଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଛି । ଅନେକ ସମୟରେ ଉଭୟଙ୍କୁ ସର୍ବସାଧାରଣରେ ଦେଖିବାକୁ ମଧ୍ୟ ମିଳୁଛି । ଏବେ ଜେନିଫର ବିବାହକୁ ନେଇ କଥା ହୋଇଛନ୍ତି ।

ଏବେ ଜେନିଫର ଆଗାମୀ ଫିଲ୍ମ ‘ମେରି ମାଆ’ର ପ୍ରମୋସନ କରୁଛନ୍ତି । ଏକ କାର୍ଯ୍ୟକ୍ରମରେ ତାଙ୍କୁ ବିବାହ ନେଇ ପ୍ରଶ୍ନ କରାଯାଇଥିଲା । ୫୨ ବର୍ଷୀୟ ଜେନିଫର ପୂର୍ବରୁ ତିନିଥର ବିବାହ କରି ସାରିଛନ୍ତି । ଚତୁର୍ଥ ଥର ବିବାହ ନେଇ କହିଛନ୍ତି, ‘ହ୍ୟାପିଲି ଏଭର ଆଫଟର’ରେ ବିଶ୍ୱାସ ରଖେ ।

ସେ ଆହୁରି କହିଛନ୍ତି, ମୁଁ ଜଣେ ରୋମାଣ୍ଟିକ ମଣିଷ । ମୁଁ ପୂର୍ବରୁ ଅନେକ ଥର ବିବାହ କରିଛି । ମୁଁ ସମ୍ପୂର୍ଣ୍ଣ ଭାବେ ଖୁସି ଜୀବନ ଚାହେଁ । ଶତ ପ୍ରତିଶତ ଖୁସି ଚାହେଁ । ଜେନିଫରଙ୍କ ଏହି ମନ୍ତବ୍ୟରୁ ଜଣାପଡ଼ୁଛି ସେ ଖୁବଶୀଘ୍ର ଚତୁର୍ଥ ବିବାହ କରିବାକୁ ଯାଉଛନ୍ତି ।

୨୦୦୨ ମସିହାରେ ଜେନିଫର, ବେନ ଏପ୍ଲେକଙ୍କୁ ଡେଟ୍ କରୁଥିଲେ । ଏପରିକି ଦୁଇ ଜଣଙ୍କ ନିର୍ବନ୍ଧ ମଧ୍ୟ ସରିଥିଲା । କିନ୍ତୁ ଏହି ସମ୍ପର୍କ ବେଶି ଦିନ ତିଷ୍ଠି ନଥିଲା । ଦୁହେଁ ଦୁଇ ବର୍ଷ ପରେ ଅଲଗା ହୋଇ ଯାଇଥିଲେ । ଏବେ ପୁଣି ୧୮ ବର୍ଷ ପରେ ଦୁହିଁଙ୍କ ରୋମାନ୍ସ ଜୀବନ ଆରମ୍ଭ ହୋଇଛି ।

ଅଶ୍ଳୀଳ ନୃତ୍ୟ ପରିବେଷଣ କରି ୯ ଯୁବତୀ ଗିରଫ

ପଶ୍ଚିମବଙ୍ଗ : ସଭ୍ୟ ସମାଜରେ ଅସଭ୍ୟ ଆଚରଣ । ହିତାହିତ ଜ୍ଞାନକୁ ଭୁଲିଯାଇଛନ୍ତି ଲୋକେ । ପଶ୍ଚିମବଙ୍ଗରେ ଦର୍ଶକଙ୍କ ଆଗରେ ମଞ୍ଚ ଉପରେ ଅଶ୍ଳୀଳ ନୃତ୍ୟ ପରିବେଷଣ କଲେ ଯୁବତୀ  । ଅଶ୍ଳୀଳ ଇଙ୍ଗିତ ସହିତ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ପ୍ରଦର୍ଶନ କରି ନୃତ୍ୟ ପରିବେଷଣ କରାଯାଉଥିଲା । ହେଲେ ନିରବଦ୍ରଷ୍ଟା ସାଜିଥିଲେ ସେଠାରେ ଥିବା ଆୟୋଜକ । ଯାହାର ମଜା ଉଠାଉଥିଲେ କିଛି ଅସାମାଜିକ ବ୍ୟକ୍ତି  ।

ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲା ସ୍ଥିତ ଗୋପାଳ ନଗର ଓ ମାଣିକଖୋଲା ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି  । ଯାହାର ଫଟୋ କିମ୍ବା ଭିଡିଓ ଦେଖାଇବା ଆମ ପକ୍ଷେ ସମ୍ଭବ ନୁହେଁ  । ଯାତ୍ରା ମଞ୍ଚରେ କେତେକ ଯୁବତୀ ନୃତ୍ୟ ପରିବେଷଣ କରିଥିଲେ । ନୃତ୍ୟ ପରିବେଷଣ କରିବା ବେଳେ ମଞ୍ଚ ଉପରେ ହିଁ ଯୁବତୀ ଉଲଗ୍ନ ହୋଇ ନୃତ୍ୟ ପରିବେଷଣ କରିଥିଲେ । କେବଳ ଏତିକି ନୁହେଁ ନୃତ୍ୟ ପରିବେଷଣ ସମୟରେ ଦର୍ଶକମାନଙ୍କୁ ଅଶ୍ଳୀଳ ଇଙ୍ଗିତ ମଧ୍ୟ କରିଥିଲେ । ଏଭଳି ଅଶ୍ଳୀଳ ନୃତ୍ୟ ଚାଲିଥିବା ବେଳେ ଖବର ପାଇ ଚଢ଼ାଉ କରିଥିଲା ପୋଲିସ  । ଏଠାରେ ନୃତ୍ୟ ପରିବେଷଣ କରିୁଥିବା ୯ ଯୁବତୀଙ୍କ ସମେତ ମୋଟ ୨୭ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ବାଧୁଛି ଗ୍ୟାସ୍ ଦର; କାଲିଠୁ ରାଜ୍ୟବ୍ୟାପୀ ବିଜେଡିର ଆନ୍ଦୋଳନ

ଭୁବନେଶ୍ୱର: ଗ୍ୟାସର ବର୍ଦ୍ଧିତ ଦରକୁ ନେଇ ତେଜିଲାଣି ଜନ ଅସନ୍ତୋଷ । ବିଫଳ ହୋଇଛି ଉଜ୍ଜ୍ୱଳା ଯୋଜନା । ଯୋଜନାର ସୁଫଳ ମିଳୁ ନାହିଁ । ଦରବୃଦ୍ଧି ଯୋଗୁଁ ରିଫିଲିଂ ନ କରିପାରି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ମହିଳା । ଏହାର ପ୍ରତିବାଦର ବିଜୁ ଯୁବ, ଛାତ୍ର ଓ ମହିଳା ଜନତା ଦଳ ପକ୍ଷରୁ ଆସନ୍ତା ୨୨ରେ କଟକ, ୨୩ରେ ସମ୍ବଲପୁର ଓ ୨୪ ବ୍ରହ୍ମପୁର ଆରଡିସି ଜୋନରେ ଥିବ ସମସ୍ତ ବ୍ଲକରେ ଆନ୍ଦୋଳନ କରାଯିବ ବୋଲି ପ୍ରେସମିଟରେ କହିଛନ୍ତି ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ । ଏନେଇ ବିଜେଡି ପକ୍ଷରୁ ପ୍ରେସମିଟ୍ କରାଯାଇଛି ।

Gas Price Rise, BJD To Protest In front Of RDC Office From Tomorrow

ସାଢ଼େ ୩ ବର୍ଷ ମଧ୍ୟରେ ଗ୍ୟାସ ଦର ୭୦ ପ୍ରତିଶତ ବଢ଼ିଛି । ଗ୍ୟାସ୍ ଦର ନ କମାଇଲେ ବିରାଟ ଜନ ଆନ୍ଦୋଳନ ହେବ । ସିଏଜି ମଧ୍ୟ ତାଙ୍କ ରିପୋର୍ଟରେ ଉଜ୍ଜ୍ୱଳା ଗ୍ୟାସ୍ ରିଫିଲିଂ ହାର କମ ଥିବା କହିଛନ୍ତି । ନ୍ୟାସନାଲ ଫ୍ୟାମିଲି ହେଲଥ୍ ସର୍ଭେ ଅନୁସାରେ, ୯୮ ନୁହେଁ ମାତ୍ର ୨୦ ପ୍ରତିଶତ ସିଲିଣ୍ଡର ବ୍ୟବହାର ବଢ଼ିଛି । ଉଜ୍ଜ୍ୱଳା ଯୋଜନା କରି କେନ୍ଦ୍ର ସରକାର ଗରିବ ଲୋକଙ୍କୁ ଠକିଛନ୍ତି । ଏବେ ସିଲିଣ୍ଡର ଦାମ ୯ ଶହ ଟଙ୍କା ଉପରେ ରହିଛି । କେନ୍ଦ୍ର ସରକାର ଦର ହ୍ରାସ ନ କରିବା ଯାଏ ଏହା ବିରୋଧରେ ସାରା ରାଜ୍ୟରେ ଆନ୍ଦୋଳନ ହେବ ।

ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ କହିଛନ୍ତି, ବିଜୁ ଜନତା ଦଳ ସାଧାରଣ ଜନତାଙ୍କ ସ୍ୱର ହୋଇ ଆନ୍ଦୋଳନ କରିବ । ଆସନ୍ତାକାଲି କଟକ ଆରଡିସି ଜୋନର ସମସ୍ତ ବ୍ଲକରେ ଆନ୍ଦୋଳନ କରାଯିବ । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଆନ୍ଦୋଳନ କରାଯିବ । ଆନ୍ଦୋଳନ ତୀବ୍ରତର ହେବ । କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ଆଜି ପ୍ରବଞ୍ଚନାରେ ପରିଣତ ହୋଇଛି ।

ବସ୍ତିରେ ବୁଲି ବୁଲି ଗଛ ଲଗାଉଛି ପୋଲିସ

ଭୁବନେଶ୍ବର: ଭୁବନେଶ୍ବରରେ ବସ୍ତିମୁକ୍ତ ଅପରାଧ ପାଇଁ ପୋଲିସ ଜାରି ରଖିଛି ବସ୍ତିକୁ ଚାଲ ଅଭିଯାନ । ବିଭିନ୍ନ ଥାନା ଅଞ୍ଚଳରେ ବନ୍ଧୁତ୍ବରୁ ସୁରକ୍ଷା ନାରା ଦେଇ ପୋଲିସର ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ନୟାପଲ୍ଲୀ ପୋଲିସ ଥାନା ଓ ବସ୍ତି ମିତ୍ର, ଆସ ଆମ ବସ୍ତିରେ ଗଛଟିଏ ଲଗାଇବା ନାରା ଦେଇ ବୃକ୍ଷ ରୋପଣ କରିଛନ୍ତି ।

ବାଜପେୟୀ ନଗର ଓ ନୀଳଚକ୍ର ନଗରରେ ଯୁବ ଗୋଷ୍ଠୀଙ୍କୁ ଏକତ୍ର କରି ରାସ୍ତା କଡରେ ନିମ୍ବ, ଆସନ, କୃଷ୍ଣଚୁଡା ଆଦି ଗଛ ଲଗାଯାଇଛି । କେବଳ ଗଛ ଲଗାଇ କାମ ସାରିନି ପୋଲିସ । ଗୋଟିଏ ଗଛର ରକ୍ଷଣାବେକ୍ଷଣ ପାଇଁ ବସ୍ତିର ଗୋଟିଏ ଗୋଟିଏ ପରିବାରକୁ ଦାୟିତ୍ବ ନେବା ପାଇଁ ପୋଲିସ ନିବେଦନ କରିଛି । ଥାନା ଅଧିକାରୀ ଶରତ ସାହୁ ଓ ଜୋନ-୫ ଏସିପି ସଞ୍ଜୀବ ଶତପଥୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବସ୍ତି ମିତ୍ରଙ୍କୁ ଉତ୍ସାହିତ କରିଥିଲେ ।

ପୁଣି ବାହାରିଲା ଆନ୍ଧ୍ରର ପୁରୁଣା ରୋଗ: ସୀମାନ୍ତ ଗାଁରେ ମାରିଲା ପୋଷ୍ଟର

ଗଜପତି: କଥାରେ ଅଛି ‘ମୋତେ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡା କାଠ’ । ଏହି ଉକ୍ତିଟି ପଡୋଶୀ ଆନ୍ଧ୍ର ପ୍ରଦେଶ ପାଇଁ ଶତ ପ୍ରତିଶତ ସତ । ପଡୋଶୀଙ୍କ ସହ ଭଲ ସମ୍ପର୍କ କଥା ଛାଡ଼, କେମିତି ଅନ୍ୟ ରାଜ୍ୟର ଜମି ହଡପ କରାଯିବ ସେହି ଚିନ୍ତାରେ କଟିଥାଏ ଏହି ରାଜ୍ୟ ମୁଖିଆ ଦିନ । ସୀମାନ୍ତ ଓଡ଼ିଶାକୁ ନିଜ ଦଖଲକୁ ନେବାକୁ ରିତିମତ ଉଦ୍ୟମ ଚଲାଇଥିବା ଆନ୍ଧ୍ର ପୁଣି ଥରେ ମନ୍ଦ ଉଦ୍ଦେଶ୍ୟ ଦେଖାଇଛି । ସୀମାନ୍ତ ମାଣିକପାଟଣା ଗାଁରେ ଲଗାଇଛି ପୋଷ୍ଟର ।

ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଜଗନମୋହନ ରେଡ୍ଡିଙ୍କ ସାକ୍ଷାତ ପରେ ଆଶା କରାଯାଉଥିଲା ସୀମା ବିବାଦକୁ ନେଇ ଲାଗି ରହିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି । ବିଶେଷ କରି ଗଜପତି ଜିଲ୍ଲାରେ ସୀମା ବିବାଦ ସମାଧାନ ହେବାରେ ପନ୍ଥା ବାହାରିବା ନେଇ ଆଶା କରାଯାଉଥିଲା । ହେଲେ ଗଜପତି ଜିଲ୍ଲାର ଗଙ୍ଗାବାଡ ପଞ୍ଚାୟତର ସୀମାନ୍ତ ଗାଁଗୁଡିକରେ ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ଉଲ୍ଲେଖ ଥିବା ପୋଷ୍ଟର ଘରେ ଘରେ ଲାଗାଯାଇଛି ।

ପୁର୍ବରୁ ସୀମାକୁ ନେଇ ଗଜପତି ଜିଲ୍ଲା ପ୍ରଶାସନ ଏବଂ ଶ୍ରୀକାକୁଲମ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଟଣାଓଟରା ଲାଗିରହିଥିବା ବେଳେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ । କିନ୍ତୁ ଆନ୍ଧ୍ର ପ୍ରଶାସନିକ ଅଧିକାରୀଙ୍କ ଦ୍ବାରା ବିବାଦୀୟ ଅଞ୍ଚଳରେ ପୋଷ୍ଟର ମାରିବା ଘଟଣାକୁ ଅଧିକଜଟିଲ କରିଛି ।

ଗରିବ କଲ୍ୟାଣ ଯୋଜନା ଚାଲୁ ରଖିବାକୁ ମୋଦିଙ୍କୁ ନବୀନଙ୍କ ଚିଠି

ଭୁବେନଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା କାଳରେ ଲାଗୁ ହୋଇଥିବା ଗରିବ କଲ୍ୟାଣ ଯୋଜନା ଚାଲୁ ରଖିବାକୁ ଚିଠିରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଏବେ ବି ଦେଶରେ ମହାମାରୀ ସମ୍ପୂର୍ଣ୍ଣ ଯାଇନାହଁ । କରୋନା ପାଇଁ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ସମ୍ପୂର୍ଣ୍ଣ ଦୋହଲି ଯାଇଛି । ଏଣୁ ଗରିବଙ୍କ ପାଇଁ ଯୋଜନାକୁ ଚାଲୁ ରଖିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

୨୦୨୦ ମାର୍ଚ୍ଚ ମାସରୁ ଏହି ଯୋଜନାରେ ଗରିବ ପରିବାରକୁ ମାସିକ ମାଗଣାରେ ରାସନ ଯୋଗାଇ ଦିଆଯାଉଥିଲା । ରାଜ୍ୟ ସରକାର ମଧ୍ୟ ନିଜର ଅତିରିକ୍ତ ହିତାଧିକାରୀଙ୍କୁ ରାସନ ଯୋଗାଇଛନ୍ତି । କେନ୍ଦ୍ର ସହାୟତା ଦେବାକୁ କରିଥିବା ଘୋଷଣା ଅବଧି ଚଳିତ ମାସରେ ଶେଷ ହେଉଛି । କିନ୍ତୁ କରୋନା ସ୍ଥିତିରେ ଏବେ ବି ସୁଦ୍ଧାର ଆସିନଥିବାରୁ ଆଗାମୀ ୮ମାସ ପର୍ଯ୍ୟନ୍ତ ଲୋକଙ୍କୁ ସହାୟତା ଦେବାକୁ ଦେବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି ।

ରାଜ୍ୟର ୧୯ ଜିଲ୍ଲାରୁ ୨୦୫ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୨୦୫ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ମଧ୍ୟରେ ୪୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୧୯ ଜଣ ସଂକ୍ରମିତ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୮୬ ଜଣ ସ୍ଥାନୀୟ ସଂକ୍ରମିତ । ଏଥିସହ ରାଜ୍ୟରେ ମୋଟ କରୋନା ସଂକ୍ରମଣ ମାମଲା ୧୦ ଲକ୍ଷ ୪୭ ହଜାର ୩କୁ ବୃଦ୍ଧି ପାଇଛି ।

ରାଜ୍ୟରେ ସର୍ବାଧିକ ସଂକ୍ରମିତ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି । ବାଲେଶ୍ୱରରୁ ୫ ଜଣ, ବରଗଡ଼ରୁ ଜଣେ, ବଲାଙ୍ଗିରରୁ ଜଣେ, ବୌଦ୍ଧରୁ ୫ ଜଣ, କଟକରୁ ୧୦ ଜଣ, ଦେବଗଡ଼ରୁ ଜଣେ, ଗଞ୍ଜାମରୁ ଜଣେ, ଜଗତସିଂହପୁରରୁ ୩ ଜଣ, ଯାଜପୁରରୁ ୬ ଜଣ, କଳାହାଣ୍ଡିରୁ ୩ ଜଣ, କେନ୍ଦ୍ରାପଡ଼ାରୁ ୨ ଜଣ, କେନ୍ଦ୍ରାପଡ଼ାରୁ ୨ ଜଣ, କେନ୍ଦୁଝରରୁ ୨ ଜଣ, ଖୋର୍ଦ୍ଧାରୁ ୧୦୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ମୟୂରଭଞ୍ଜରୁ ୫ ଜଣ, ନୟାଗଡ଼ରୁ ୪ ଜଣ, ପୁରୀରୁ ଜଣେ, ରାୟଗଡ଼ାରୁ ଜଣେ, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ଜଣେ ଏବଂ ଷ୍ଟେଟପୁଲରୁ ୨୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୦ ଲକ୍ଷ ୩୬ ହଜାର ୨୩୦ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ଏବେ ରାଜ୍ୟରେ ୨୩୨୭ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।