spot_img
Home Blog Page 4897

ମାତିଛନ୍ତି ହାତୀ: ଦେଢ଼ମାସ ହେଲା କରୁଛନ୍ତି ଉତ୍ପାତ

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ ମାତିଛନ୍ତି ହାତୀ । ୨୫ ଟିକିଆ ହାତୀପଲର ଉତ୍ପାତରେ ତ୍ରାହି ତ୍ରାହି ଡାକୁଛନ୍ତି ସ୍ଥାନୀୟ ଲୋକେ ।  ଦେଢ ମାସରୁ ଅଧିକ ହେଲା ସ୍ଥାନୀୟ ଅଞ୍ଚଳରେ କରୁଛନ୍ତି ଉତ୍ପାତ । ବ୍ୟାପକ ଫସଲ ନଷ୍ଟ ସହ ଘରଦ୍ବାର ଭାଙ୍ଗି କରୁଛନ୍ତି ଛାରଖାର ।

ଗତକାଲି ରାତିରେ ହାତୀ ପଲ ଚମ୍ପୁଆ ବନଖଣ୍ଡକୁ ଫେରିଯାଇଥିବାବେଳେ ସକାଳୁ ପୁଣି କରଞ୍ଜିଆ ଅଞ୍ଚଳକୁ ଲେଉଟିଛନ୍ତି । ହାତୀଙ୍କୁ ଘଉଡ଼ାଇବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିବାବେଳେ ଏବେ ଯାଏଁ ସଫଳତା ମିଳିପାରିନାହିଁ ।

ପୁଣି ମମତାଙ୍କ ଟାର୍ଗେଟରେ ମୋଦି ସରକାର

କୋଲକାତା: କେନ୍ଦ୍ର ସରକାରଙ୍କ ବିରୋଧରେ ପୁଣି ମୋର୍ଚ୍ଚା ଖୋଲିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ୨୨ରୁ ୨୫ ତାରିଖ ମଧ୍ୟରେ ମମତା ଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ତମାମ ବିରୋଧୀ ଦଳର ନେତାଙ୍କୁ ଭେଟିବେ ମମତା ।

ସଂସଦ ଅଧିବେଶନରେ କ’ଣ ରହିବ ବିରୋଧୀଙ୍କ ରଣନୀତି ସେ ନେଇ ଆଲୋଚନା କରିବେ ଦିଦି । କିଭଳି କେନ୍ଦ୍ର ସରକାରଙ୍କୁ ଗୃହ ଭିତରେ ମୁକାବିଲା କରାଯାଇପାରିବ ସେ ନେଇ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ କଥା ହେବେ । ତିନି କୃଷି ଆଇନ୍ ପ୍ରତ୍ୟାହାର ନେଇ ଘୋଷଣା କରିସାରିଛନ୍ତି କେନ୍ଦ୍ର ସରକାର । ସଂସଦ ଅଧିବେଶନରେ ଏ ନେଇ ପ୍ରକ୍ରିୟା ଆରମ୍ଭ ହେବ । ଏଥିସହ ଦରଦାମ ବୃଦ୍ଧି, ସୀମା ପ୍ରସଙ୍ଗ ସହ ଅନେକ ପ୍ରସଙ୍ଗ ରହିଛି । ଯେଉଁଥିରେ କେନ୍ଦ୍ର ସରକାରଙ୍କୁ ବିରୋଧୀ ଘେରିବାକୁ ଉଦ୍ୟମ କରିବେ । ପୂର୍ବରୁ ମଧ୍ୟ ମମତା ବାନାର୍ଜୀ ଦିଲ୍ଲୀରେ ତମାମ ବିରୋଧୀ ଦଳର ନେତାଙ୍କୁ ଭେଟି ଅନେକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ପାଇଁ ଆଜିଠାରୁ ଯଜ୍ଞ

ପୁରୀ: ଆସନ୍ତା ୨୪ ତାରିଖରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଶିଳାନ୍ୟାସ ପୂର୍ବରୁ ବିଧି ପରମ୍ପରା ଅନୁସାରେ ଅନୁଷ୍ଠିତ ହେବାକୁ ଯାଉଛି ମହାଯଜ୍ଞ । ମହାଯଜ୍ଞରେ କର୍ତ୍ତା ସାଜିବେ ପୁରୀ ଗଜପତି ମହାରାଜା ଦିବ୍ୟ ସିଂହ ଦେବ । ଏ ନେଇ ଆଜି ଶ୍ରୀନହରରେ ଗୁଆ ଟେକା ନୀତି ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନ ୧୨ଟାରେ ଯଜ୍ଞ ଅନୁଷ୍ଠାନ ଅଧିବାସ ବିଦ୍ଧି ସମ୍ପନ୍ନ କରାଯିବା ପରେ ଅଙ୍କୁରା ରୋପଣ ବିଧି ପାଳନ କରାଯିବ । ୨୪ ତାରିଖରେ ଏହି ଯଜ୍ଞର ପୂର୍ଣ୍ଣାହୁତି ପରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟସ କରିବେ । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶାରେ କୋହଲା ପାଗ ଲାଗି ରହିଛି । ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ନ ଥିଲେ ମଧ୍ୟ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । କନ୍ଧମାଳ ଜିଲ୍ଲାରେ ମଧ୍ୟ ଆକାଶ ମେଘୁଆ ରହିଛି । ବାଲିଗୁଡ଼ା ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ପାଗ ମେଘୁଆ ରହିବା ସହ ଗତକାଲି ଅପରାହ୍ନରୁ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି ।

ଆଜି ଟି୨୦ ତୃତୀୟ ମ୍ୟାଚ: କ୍ଲିନ ସୁଇପ୍ ଲକ୍ଷ୍ୟରେ ଭାରତ

କୋଲକାତା: ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ୍ । କୋଲକାତାର ଇଡେନ ଗାଡେନରେ ମୁହାଁମୁହଁ ହେବେ ଉଭୟ ଟିମ୍ । ଭାରତ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜ୍ କବଜା କରିସାରିଥିବାବେଳେ ଆଜିର ମ୍ୟାଚ୍ ଜିତି କ୍ଲିନ୍ ସ୍ବିପ୍ କରିବା ଲକ୍ଷ୍ୟରେ ରହିଛି ।

ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ ଫର୍ମରେ ଅଛନ୍ତି । ବୋଲିଂରେ ମଧ୍ୟ ଭଲ ପ୍ରଦର୍ଶନ କରୁଛି ଟିମ୍ । ଆଜି ରତୁରାଜ ଗାଏକଓ୍ବାଡ ଓ ଆବେଶ ଖାନଙ୍କୁ ମିଳିପାରେ ସୁଯୋଗ ।

ସେପଟେ ଦୁଇଟ ମ୍ୟାଚ୍ ହାରି ବ୍ୟାକଫୁଟରେ ଥିବା କିଓ୍ବି ଟିମ୍ ଆଜିର ମ୍ୟାଚ୍ ଜିତି ସମ୍ମାନ ବଞ୍ଚାଇବା ପାଇଁ ଚେଷ୍ଟା କରିବ । ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳର ଖରାପ ପ୍ରଦର୍ଶନ ଚିନ୍ତା ବଢ଼ାଇଛି ।

ସୂର୍ଯ୍ୟମଣି ମିଶ୍ରଙ୍କ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ତଥା ଲେଖକ ସୂର୍ଯ୍ୟମଣି ମିଶ୍ରଙ୍କ ଏକ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଏଥିରେ ରାଜନୀତିର ଅର୍ଥ, ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତାର ପରିଭାଷା ସମେତ କ୍ଷମତା ପାଖେ କିପରି ଅହଂକାର ମାଡିବସେ ତାହା ଉପସ୍ଥାପିତ କରାଯାଇଛି । ଯାହାକି ସାମାଜକୁ ପରିବର୍ତ୍ତନ ଦିଗର ଆହ୍ୱାନ ଦେଇଛି ।

ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ପେନ ଇନ୍ ବୁକ୍ସର ବହି ପର୍ବରେ ସୂର୍ଯ୍ୟମଣିଙ୍କ ପ୍ରବନ୍ଧ ପୁସ୍ତକର ଉନ୍ମୋଚନ ହୋଇଯାଇଛି । ଏହି ଅବସରରେ ବରିଷ୍ଠ କବି ଓ ଚିନ୍ତକ ହରି ପ୍ରସାଦ ଦାସ , ବରିଷ୍ଠ କଥା ଶିଳ୍ପୀ ଓ ଶିଶୁ ସାହିତ୍ୟିକ ଶ୍ରୀ ଦାସ ବେନହୁର, ବରିଷ୍ଠ ସାମ୍ବାଦିକ ଇ ଲେଖକ ଭାସ୍କର ପରିଚ୍ଛା, ଯୁବ ଉଦ୍ୟୋଗୀ ଗୌରୀଶଙ୍କର ମହାପାତ୍ର, କଥାଶିଳ୍ପୀ ତଥା ପ୍ରକାଶକ ଶୁଭ୍ରାଂଶୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ଜମିବ ଛାଡ଼ଖାଇ: ଚାନ୍ଦି କେଜି ୧୪ ଶହକୁ ଇଲିସ କେଜି ୧୨ ଶହ

ଭୁବନେଶ୍ବର: ସରିଲା ପଞ୍ଚୁକ । ଆଜି ଛାଡ଼ଖାଇ । ପାଟିରେ ବାଜିବ ଆମିଷ ।  ମାଛ, ଚିକେନ୍ ଓ ମଟନ୍ ଦୋକାନ ଆଗରେ ଲମ୍ବା ଲାଇନ୍ । ଗ୍ରାହକଙ୍କ ଭିଡ଼ ସାଙ୍ଗକୁ ଦର ବି ରହିଛି ଚଡ଼ା । ତଥାପି ଦରକୁ ନେଇ ଟେନସନ ନାହିଁ, ଯାହାର ଯେତେ ଇଚ୍ଛା ବୋହି ନେଉଛନ୍ତି । ଏମିତି କିଛି ଦୃଶ୍ୟ ରାଜ୍ୟର ବିଭିନ୍ନ ଆମିଷ ବଜାରରେ ଦେଖିବାକୁ ମିଳୁଛି ।

ଶନିବାର ଛାଡ଼ ଖାଇ ବଜାରରେ ଏତେଟା ଭିଡ଼ ଦେଖିବାକୁ ମିଳି ନଥିଲା । ହେଲେ ରବିବାରରେ ପ୍ରବଳ ଭିଡ଼ । ମାଛ ହେଉ କି ମାଂସ ନେବା ପାଇଁ ଲୋକଙ୍କ ଭିଡ଼ । ଦର କଥା କିଏ ପଚାରୁଛି ବେପାରୀ ପାଟିରୁ ଯାହା ବାହାରିଲା ଧରେଇ ଦେଇ ଘରକୁ ବୋହି ନେଉଛନ୍ତି । ନେବେ ନାହିଁ କାହିଁକି ବା ଏତେ ଦିନ ପରେ ପାଟିରେ ବାଜିବ ଆମିଷ ସ୍ବାଦ । ପଞ୍ଚୁକରେ କିଛି ଲୋକ ସ୍ବଇଚ୍ଛାରେ ଆମିଷ ଛାଡ଼ିଥିବା ବେଳେ କିଛି ଲୋକ ପରିବାରର ଅନ୍ୟ ସଦସ୍ୟଙ୍କୁ ସମ୍ମାନ ଜଣାଇ ଆମିଷ ଖାଇ ନଥିଲେ । ନିରାମିଷ ଖାଇ ଖାଇ ଅରୁଚି ହୋଇଯାଇଥିଲା । ଏବେ ତ ପଞ୍ଚୁକ ସରିଛି, ଏତେ ଦିନ ପରେ ପାଟିରେ ବାଜିବ ଆମିଷ ଟେଷ୍ଟ ।

ଏପଟେ ରବିବାର ଆମିଷ ମାର୍କେଟରେ ଲୋକଙ୍କ ଭିଡ଼ ଲାଗିବା କଥା ଦୋକାନୀଙ୍କୁ ଆଗରୁ ଜଣାଥିଲା । ସେଥିପାଇଁ ପ୍ରତିଦିନ ତୁଳନାରେ ଆଜି ଅଧିକ ମାଛ ଗଦାଇଛନ୍ତି । ରେଟ ବି ଚଢ଼ା ରହିଛି । ବିଶେଷ କରି ରୋହି, ଭାକୁଡ଼, ଇଲିସ, ଚିଙ୍ଗୁଡି, ଚାନ୍ଦି, ଭେକଟି ମାଛର ଚାହିଦା ଅଧିକ ରହିଛି । ଭାକୁଡ଼ ୩୦୦ରୁ ୩୨୦ରେ ବିକ୍ରି ହେଉଥିବା ବେଳେ ରୋହି ୨୮୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି । ଇଲିସ ଓ ଚାନ୍ଦିର ଦରରେ ରେକର୍ଡ ପାର କରିଯାଇଛି । ଇଲିସ କେଜି ୧୦୦୦ରୁ ୧୨୦୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ଚାନ୍ଦି ୧୨୦୦ରୁ ୧୪୦୦ ଟଙ୍କା କେଜିରେ ବିକ୍ରି ହେଉଛି । ଏତେ ଚଢ଼ା ଦର ପରେ ବି ଏ ଦୁଇ ପ୍ରକାର ଭେରାଇଟ୍ ବଜାରରେ ମିଳିବା କଷ୍ଟ । ଯାହା କିଛି ମାର୍କେଟକୁ ଆସିଥିଲା, ପ୍ରାୟତଃ ଶେଷ ହୋଇଗଲାଣି ।

ଭେକଟି ଦର ବି ଚଢ଼ା ରହିଛି । କେଜି ପ୍ରତି ୫୦୦ରୁ ୬୦୦ ଟଙ୍କାରେ ବିକ୍ରି ହେଉଛି ଭେକଟି । ଚିଙ୍ଗୁଡିର ଡିମାଣ୍ଡ ବି ବହୁତ ଅଧିକ ରହିଛି । ୨୫୦ରୁ ୩୦୦ ଟଙ୍କା କେଜିରେ ବିକ୍ରି ହେଉଥିବା ଛୋଟ ଚିଙ୍ଗୁଡ଼ି ୫୦୦ ଟଙ୍କାରେ ବିକ୍ରି ହେଉଛି । ଆଉ ବଡ଼ ସାଇଜ କଥା କିଏ ପଚାରେ । ଟିକେ ବଡ଼ ସାଇଜର ଚିଙ୍ଗୁଡ଼ି କେଉଁଠି ୭୦୦ରୁ ୮୦୦ କେଜିରେ ବିକ୍ରି ହେଉଛି ତ ଆଉ କେଉଁଠି ୧୦୦୦ ପାର କରିଯାଇଛି । ପ୍ରତିଦିନ ତୁଳନାରେ ଆଜି କଙ୍କଡାର ବି ଭଲ ଡିମାଣ୍ଡ ରହିଛି । ବଡ଼ ସାଇଜ୍ କଙ୍କଡା କେଜି ପ୍ରତି ୭୦୦ରୁ ୮୦୦ ଟଙ୍କା ହୋଇଥିଲେ ବି ଲୋକ ବୋହି ନେଉଥିବା ଦେଖିବାକୁ ମିଳୁଛି ।

ଖାଲି ମାଛ ନୁହେଁ ମାଂସ ଦୋକାନରେ ବି ଲୋକଙ୍କ ଗହଳି ଦେଖିବାକୁ ମିଳୁଛି । ଚିକେନ୍ ଦର ୨୩୦ରୁ ୨୫୦ ରହିଛି । ଖାସି ମାଂସ ଦର ବି ସାଧାରଣ ଦିନଠାରୁ ଅଧିକ ରହିଛି । ୭୦୦ରୁ ୭୫୦ କେଜିରେ ବିକ୍ରି ହେଉଥିବା ଖାସି ମାଂସ ଦର ଆଜି ହଜାରେ ପର୍ଯ୍ୟନ୍ତ ଧରିବାକୁ ବସିଲାଣି । ତଥାପି ମାଂସ କିଣିବାକୁ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି ।

ନୂଆ ରୂପ ନେବ ଗେହଲଟ ସରକାର

ଜୟପୁର: ରାଜସ୍ଥାନରେ ଗଠନ ହେବ ନୂଆ ମନ୍ତ୍ରିମଣ୍ଡଳ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପାଇବେ ନୂଆା ଟିମ୍ । ଆାଜି ଗେହଲଟଙ୍କ ନୂଆ ବ୍ରିଗେଡ୍ ନେବେ ଶପଥ । ଅପରାହ୍ଣ ୨ଟାରେ ପାର୍ଟି ମୁଖ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକରେ ମନ୍ତ୍ରିମଣ୍ଡଳର ରୂପରେଖ ନେଇ ହେବ ଆଲୋଚନା । ଗତକାଲି ଗେହଲଟ ସରକାରର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିଲେ ।

ପ୍ରାୟ ୧୫ ଜଣ ନୂଆ ମନ୍ତ୍ରୀ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ଏଥି ମଧ୍ୟରୁ ୧୧ ଜଣକୁ ମିଳିବ କ୍ୟାବିନେଟ୍ ପାହ୍ୟା ଓ ୪ ଜଣକୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା । କୁହାଯାଉଛି ବରିଷ୍ଠ ନେତା ତଥା ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସମର୍ଥକଙ୍କୁ ଦିଆଯିବ ଅଧିକ ସୁଯୋଗ । ଅଧିକରୁ ଅଧିକ ମନ୍ତ୍ରୀ ପାଇଲଟଙ୍କ ସମର୍ଥକ ରହିବେ । ଏହାଦ୍ବାରା ଦଳ ଭିତରେ ଲାଗି ରହିଥିବା ଅସନ୍ତୋଷ ଦୂର ହୋଇପାରିବ ବୋଲି ଆଶା କରାଯାଉଛି ।

ବିଧାନସଭା ନିର୍ବାଚନ ପୂର୍ବରୁ ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ବରିଷ୍ଠ ନେତା ତଥା ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସଚିନ୍ ପାଇଲାଟଙ୍କ ସମର୍ଥକ ବିଧାୟକଙ୍କୁ ମନ୍ତ୍ରୀ କରିବା ପାଇଁ ଯୋଜନା କରିଛି କଂଗ୍ରେସ ।

ଧାର୍ଯ୍ୟ ସମୟର ଦିନକ ପୂର୍ବରୁ ପହଞ୍ଚିଲା ପାକିସ୍ତାନ ହକି ଟିମ୍

ଭୁବନେଶ୍ୱର: ଜୁନିଅର ପୁରୁଷ ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ପାକିସ୍ତାନ ଦଳ । ଧାର୍ଯ୍ୟ ସମୟର ଗୋଟିଏ ଦିନ ଆଗରୁ ଭୁବନେଶ୍ୱରରେ ପହଞ୍ଚିଛି ପାକିସ୍ତାନ ଦଳ । ଖେଳାଳିଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ବିମାନ ବନ୍ଦରରୁ ସ୍ୱସ୍ତି ପ୍ରିମିୟମ ହୋଟେଲକୁ ନିଆଯାଇଛି । ହୋଟେଲରେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ ରହିବ ପାକିସ୍ତାନ ଟିମ୍ । ଖେଳାଳିଙ୍କ ପାଇଁ ହୋଟେଲରେ ସ୍ୱତନ୍ତ୍ର ରେଷ୍ଟୁରାଣ୍ଟ, ସେଲୁନ, ସୁଇମିଂ ପୁଲ ଏବଂ ଜି୍‌ମର ବ୍ୟବସ୍ଥା କରାଯାଇଛି । ବିନା ଅନୁମତିରେ କାହାକୁ ଦେଖା କରିବାକୁ ବାରଣ କରାଯାଇଛି ।

Hockey Mens Junior World Cup Pakistan Team In Bhubaneswar

ଏଥିସହ ପଢ଼ନ୍ତୁ: ଜୁନିଅର ପୁରୁଷ ହକି ବିଶ୍ୱକପ୍: ପ୍ରତି ୭୨ ଘଣ୍ଟାରେ ଖେଳାଳି ଓ ଅନ୍ୟମାନଙ୍କ ହେଉଛି କୋଭିଡ୍ ଟେଷ୍ଟ

ନଭେମ୍ବର ୨୪ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ମହାକୁମ୍ଭ । ଡିସେମ୍ବର ୫ ଯାଏଁ ହକିକୁ ନେଇ ଝୁମିବ ଓଡ଼ିଶା । ୪ଟି ଗ୍ରୁପରେ ୧୬ଟି ଟିମକୁ ନେଇ ମୋଟ ୪୮ଟି ମ୍ୟାଚ୍ ଖେଳାଯିବ । କୋଭିଡ୍ ପ୍ରୋଟୋକଲ ସହ ସାମାଜିକ ଦୂରତା ରକ୍ଷା କରାଯିବ । କରୋନା କଟକଣା ପାଇଁ ଦର୍ଶକଙ୍କ ଅନୁପସ୍ଥିତିରେ ଅନୁଷ୍ଠିତ ଜୁନିଅର ପୁରୁଷ ହକି ବିଶ୍ୱକପର ସମସ୍ତ ମ୍ୟାଚ୍ ।

 

ଜୁନିଅର ପୁରୁଷ ହକି ବିଶ୍ୱକପ୍: ପ୍ରତି ୭୨ ଘଣ୍ଟାରେ ଖେଳାଳି ଓ ଅନ୍ୟମାନଙ୍କ ହେଉଛି କୋଭିଡ୍ ଟେଷ୍ଟ

ଭୁବନେଶ୍ୱର: ହକି ପାଇଁ ପ୍ରସ୍ତୁତ କଳିଙ୍ଗ ଷ୍ଟାଡିୟମ୍ । ମହାମାରୀ କରୋନା କାଳରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଜୁନିଅର ପୁରୁଷ ହକି ବିଶ୍ୱକପ୍ । ଖେଳାଳିଙ୍କୁ ଉତ୍ତମ ଅଭିଜ୍ଞତା ସହ ଜୁନିଅର ପୁରୁଷ ହକି ବିଶ୍ୱକପକୁ ସ୍ମରଣୀୟ କରିବାକୁ ନିଆଯାଉଛି ପଦକ୍ଷେପ । ପ୍ରତିଦିନ ନିରବଚ୍ଛିନ୍ନ ଭାବେ ଟେଷ୍ଟିଂ ଓ ଟ୍ରାକିଂ କରାଯାଉଥିବା ସୂଚନା ଦେଇଛନ୍ତି କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା ।

Hockey Men’s Junior World Cup 2021 Testing and Tracking on full swing (3)

ଦୈନିକ ହାରାହାରି ୫୦୦ କରୋନା ଟେଷ୍ଟ ଆଇସିଏମ୍ଆର୍ ଦ୍ୱାରା କରାଯାଉଛି । ପ୍ରତି ୭୨ ଘଣ୍ଟାରେ ଖେଳାଳି, ଅଫିସିଆଲ୍ସ, ହୋଟେଲ ଷ୍ଟାଫଙ୍କର କରୋନା ପରୀକ୍ଷା କରାଯାଉଛି । ଟେଷ୍ଟିଂ ଓ ଟ୍ରାକିଂକୁ ଶୃଙ୍ଖଳିତ କରିବା ପାଇଁ ରାଜ୍ୟ କ୍ରୀଡ଼ା ବିଭାଗ ସମସ୍ତ ପଦକ୍ଷେପ ନେଇଛି । ହକିର ମେଗା ଇଭେଣ୍ଟରେ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି । ନଭେମ୍ବର ୮ରୁ ଭାରତୀୟ ଜୁନିଅର ଦଳ ପହଞ୍ଚିବା ଠାରୁ ୧୫ ତାରିଖ ଯାଏଁ ଲଗାତାର ଖେଳାଳି ଓ ଅନ୍ୟମାନଙ୍କ ଟେଷ୍ଟିଂ କରାଯାଇଥିଲା ।

Hockey Men’s Junior World Cup 2021 Testing and Tracking on full swing (3)

ଏବେବି ଟେଷ୍ଟିଂ ଜାରି ରହିଛି । ବିଏମସି ଓ କ୍ୟାପିଟାଲ ହସ୍ପିଟାଲର ଟିମ୍ ଏଥିରେ ନିୟୋଜିତ ଅଛନ୍ତି । ବିଭିନ୍ନ ହୋଟେଲରେ ଖେଳାଳିମାନେ ରହୁଥିବା ବେଳେ ନମୁନା ସଂଗ୍ରହ ପାଇଁ ୧୨ଟି ଟିମ୍ ମୁତୟନ ହୋଇଛନ୍ତି । ଏୟାରପୋର୍ଟରେ ପହଞ୍ଚିବା ପରେ ଖେଳାଳିଙ୍କୁ ହୋଟେଲ ନିଆଯାଉଛି । ସେଠାରେ ସମସ୍ତଙ୍କର ଟେଷ୍ଟ କରାଯାଉଛି । ସମସ୍ତ ଗାଇଡଲାଇନକୁ ଧ୍ୟାନ ଦେଇ ଆରଟିପିସିଆର୍ ଟେଷ୍ଟ କରାଯାଉଛି ।

Hockey Men’s Junior World Cup 2021 Testing and Tracking on full swing (3)

ଖେଳାଳିଙ୍କୁ କୋଭିଡ୍ ପ୍ରୋଟୋକଲ୍ ମଧ୍ୟରେ ରଖାଯାଇଛି । ପ୍ରଥମ ସହର ଭାବେ ଭୁବନେଶ୍ୱରରେ ଶତ ପ୍ରତିଶତ ଟିକାକରଣ ସରିଛି । କୋଭିଡ୍ କାଳରେ ଏହା ଦେଶରେ ପ୍ରଥମ ଅନ୍ତର୍ଜାତୀୟ ଇଭେଣ୍ଟ । ଭାରତ ସହ ଜର୍ମାନୀ, ପୋଲାଣ୍ଡ, ବେଲଜିୟମ, ଆମେରିକା, କାନାଡ଼ା, ଦକ୍ଷିଣ ଆଫ୍ରିକା ଓ ଦ ନେଦରଲାଣ୍ଡ୍ସ ଟିମ୍ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି । ଅନ୍ୟ ଟିମ୍ ଶୀଘ୍ର ପହଞ୍ଚିଯିବେ । ୨୪ ତାରିଖରୁ ଆରମ୍ଭ ହେବ ମୁକାବିଲା ।