spot_img
Home Blog Page 4954

ଗ୍ରୋସରୀ ଦୋକାନରୁ ଲୁଟ ଉଦ୍ୟମ, ଲୁଟେରାକୁ ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟ ଲୋକେ

ଭୁବନେଶ୍ୱର: ରାଜଧାନୀରେ ଗନ୍ ପଏଣ୍ଟରେ ଗ୍ରୋସରୀ ଦୋକାନରୁ ଲୁଟ ଉଦ୍ୟମ । ଲୁଟ ଉଦ୍ୟମ ବେଳେ ଲୁଟେରାକୁ କାବୁ କରି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟ ଲୋକେ । ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଶ୍ରୀ ବିହାର ଛକରେ ଗ୍ରୋସରି ଦୋକାନରେ ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ କରିଥିଲେ ଯୁବକ । ଘଟଣାସ୍ଥଳରେ ଚନ୍ଦ୍ରେଶଖରପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସେପଟେ ଯୁବକଙ୍କ ପାଖରୁ ଏକ ଫାଇନାସ କମ୍ପାନୀର ଆଇ କାର୍ଡ ଜବତ ସହ ବ୍ୟାଗରୁ ଛୁରୀ ଓ ବନ୍ଧୁକ ଜବତ କରିଛି ପୋଲିସ । ତେବେ ବନ୍ଧୁକଟି ଅସଲି କି ନକଲି ତାହା ଯାଞ୍ଚ କରୁଛି ପୋଲିସ । ଯୁବକ ଜଣଙ୍କ ଏକ ହେଲମେଟ ପିନ୍ଧି ବାଇକ୍‌ରେ ଆସିଥିଲେ । ଟଙ୍କା ନେବା ପାଇଁ ଧସ୍ତାଧସ୍ତି ବେଳେ ଦୋକାନି ଆହତ ହୋଇଛନ୍ତି ।

ନଭେମ୍ବର ୧୫ରୁ ସ୍କୁଲ ଯିବେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲା, ମନ୍ତ୍ରୀ ଦେଲେ ସୂଚନା

ଭୁବନେଶ୍ୱର: ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ବିଦ୍ୟାଳୟ  । ଦିପାବଳୀ ପରେ ସ୍କୁଲ ଖୋଲିବା ନେଇ ମିଳିଥିବା ସୂଚନା ସତ ପ୍ରମାଣିତ ହୋଇଛି  । ଆସନ୍ତା ନଭେମ୍ବର 15 ରୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ ସ୍କୁଲ ।  ସୁବର୍ଣ୍ଣପୁର ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

କୋଭିଡର ପରବର୍ତ୍ତୀ ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି  । ଦ୍ୱାଦଶ, ଦଶମ, ନବମ ଖୋଲିବା ପରେ ଅଷ୍ଟମ ଶ୍ରେଣୀ ମଧ୍ୟ ଖୋଲିଛନ୍ତି ରାଜ୍ୟ ସରକାର  । କୋଭିଡ଼ ନିୟମ ଅନୁପାଳନ ସହ ସମସ୍ତ ନିମୟ ବାଧ୍ୟତା ମୂଳକ କରାଯାଇଛି  । ସେପଟେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ରାଜ୍ୟ ସରକାର ବିଚାର କରୁଥିବା ସୂଚନା ଦେଇଥିଲେ ମନ୍ତ୍ରୀ ସମୀର ରଞ୍ଜନ ଦାସ  ।

ଜୁଲାଇ ୨୬ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିଥିଲା  । ନବମ ଶ୍ରେଣୀର ଶିକ୍ଷାଦାନ ଅଗଷ୍ଟ ୧୬ ତାରିଖରୁ ଏବଂ ଏକାଦଶ ଶ୍ରେଣୀର ଶିକ୍ଷାଦାନ ସେପ୍ଟେମ୍ବର ୧୫ ତାରିଖରୁ ଆରମ୍ଭ କରାଯାଇଛି  । ତେବେ ଦିପାବଳୀ ପରେ ବାକି ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ମନ୍ତ୍ରୀ ସୂଚନା ଦେଇଥିଲେ  ।  ତେବେ ନଭେମ୍ବର ୧୫ରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବ ବୋଲି ସ୍ପଷ୍ଟ ସୂଚନା ପ୍ରଦାନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ  ।

UNSCରେ ଚୀନକୁ ଧୋଇଲା ଭାରତ

ନ୍ୟୁୟର୍କ: UNSCରେ ଚୀନର ନାଁ ନନେଇ ଧୋଇଲା ଭାରତ । ଚୀନର ବିସ୍ତାରବାଦ ନୀତିକୁ ଟାର୍ଗେଟ କରିବା ସହ ଅନ୍ୟ ଦେଶଙ୍କୁ ଋଣ ବାହାନାରେ ନିଜ ଅଧୀନକୁ ନେବାକୁ କଡ଼ା ସମାଲୋଚନା କରିଛି ଭାରତ । ମଙ୍ଗଳବାର UNSCରେ ଭାରତ ପକ୍ଷରୁ କୁହାଯାଇଛି, ‘ଆମେ ନିଜର ବିକାଶ ସହ ଅନ୍ୟମାନଙ୍କ ସହ ସହେଯାଗ ଓ ବିଶ୍ବକୁ ଏକାଠି କରିବାକୁ ଉଦ୍ୟମ କରିଆସିଛୁ । ଆମେ ଏହା ସୁନଶ୍ଚିତ କରିଛୁ ଯେ, ଭାରତର ସହଯୋଗ ଯେମିତି କୌଣସି ଦେଶକୁ ଋଣବୋଝରେ ଦବାଇ ନଦେବ ।’

ସୂଚନାଯୋଗ୍ୟ, ଭାରତର ଏ ଟିପ୍ପଣୀ ବିସ୍ତାରବାଦ ଚୀନକୁ ନେଇ ଥିଲା । କାରଣ, ବିକଶଶୀଳ ଦେଶଙ୍କୁ ସୁନେଲି ସ୍ବପ୍ନ ଦେଖାଇ ଋଣ ଦେଇଥାଏ ଜିନପିଙ୍ଗ ସରକାର । ଗରିବ ରାଷ୍ଟ୍ରଙ୍କ ଉପରେ ଋଣର ବୋଝ ଏତେ ଲଦି ଦେଇଥାଏ ଯେ, ସେମାନଙ୍କ ପକ୍ଷେ ଚୀନ ପଞ୍ଝାରୁ ବାହାରିବା ବି କଷ୍ଟକର ହୋଇଯାଇଥାଏ । ପରେ ଚୀନ ତା’ର ଅସଲ ରଙ୍ଗ ଦେଖାଇବା ଆରମ୍ଭ କରିଥାଏ । ଋଣ ଛାଡ଼ ବାବଦକୁ ସେ ଦେଶର କିଛି ଅଞ୍ଚଳକୁ ନିଜ ଅଧୀନକୁ ନେଇ ସେଠାରେ ଉପନିବେଶ ବସାଇଥାଏ । ସେଠାରେ ଚୀନ ସେନା ଓ ନାଗରିକଙ୍କୁ ଅବସ୍ଥାପିତ କରିଥାଏ । ସେଠାରେ ଚୀନ ମୁଦ୍ର ଓ ଭାଷା ପ୍ରଚଳିତ ହୋଇଥାଏ । କହିବାକୁ ଗଲେ ସେ ଦେଶ ମଧ୍ୟରେ ଚୀନ ନିଜ ସରକାର ଚଲାଇଥାଏ । ଯାହାର ଜ୍ବଳନ୍ତ ଉଦାହାରଣ ହେଉଛି ଆମ ପଡୋଶୀ ଶ୍ରୀଲଙ୍କା । ଦିନେ ଚୀନ ମୋହରେ ଭାରତ ସହ ବିବାଦୀୟ ପରିସ୍ଥିତି ସୃଷ୍ଟି କରିବାକୁ ପଛାଇ ନଥିବା ଶ୍ରୀଲଙ୍କା ଏବେ ନିଜକୁ ତା’ କବଳରୁ ବଞ୍ଚାଇବାକୁ ଭାରତକୁ ବିକଳ ଅନୁରୋଧ କରୁଛି ।

UNSCରେ ବର୍ତ୍ତମାନ ମେସ୍କିକୋ ଅଧ୍ୟକ୍ଷତା କରୁଛି । ଏଥିରେ ଆନ୍ତର୍ଜାତୀୟ ଶାନ୍ତି ଏବଂ ସୁରକ୍ଷା କାର୍ଯ୍ୟକ୍ରମ: ବହିଷ୍କାର, ସମାନତା ଓ ସଂଘର୍ଷ ଉପରେ ଖୋଲା ଆଲୋଚନା ହୋଇଥିଲା । ଏଥିରେ ଉଦବୋଧନ ଦେଇ ଭାରତ ବିଦେଶ ରାଜ୍ୟମନ୍ତ୍ରୀ ରାଜକୁମାର ରଞ୍ଜନ କହିଛନ୍ତି, ‘ପଡୋଶୀ ପ୍ରଥମ ନୀତି ଅନୁସାରେ, ଭାରତର ପଡୋଶୀ ହୁଅନ୍ତୁ ଅବା ଆଫ୍ରିକୀୟ ସହଭାଗିତା ଅଥବା ବିକାଶଶୀଳ ଦେଶଙ୍କ ସହ ସମ୍ପର୍କ, ଭାରତ ସେମାନଙ୍କୁ ଉତ୍ତମ ଓ ସଶକ୍ତ କରିବାକୁ ସହଯୋଗ ଯୋଗାଇ ଆସିଛି ଓ ଏହା ଆଗକୁ ଜାରି ରହିବ ।’

ସେ କହିଛନ୍ତି, ‘ଆମେ ସବୁବେଳେ ଗୋଟିଏ ବିଚାରରେ କାମ କରିଆସିଛୁ ଯେ ଆମର କୌଣସି ସହଯୋଗୀ ଯେମିତି ଋଣବୋଝରେ ତଳିତଳାନ୍ତ ନହେଉ । ଶାନ୍ତି ଓ ସୁରକ୍ଷା ସ୍ଥିତି କାଏମ ରଖିବାକୁ ବିଶ୍ବସ୍ତରରେ ଉଦ୍ୟମ ହେବା ଆବଶ୍ୟକ ।’ ଏହାସହ ମହିଳା ଓ ଅବହେଳିତ ବର୍ଗ ଯେମିତି ବିକାଶଠାରୁ ଦୂରେଇ ନଯାଇଥାନ୍ତି ତା’ଉପରେ ସମସ୍ତେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସେ କହିଥିଲେ ।

ନିକଟରେ ଭାରତ ଚୀନକୁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (NSA)ରେ ସାମିଲ ହେବାକୁ ଆମନ୍ତ୍ରଣ କରିଥିଲା । ଆଫଗାନିସ୍ତାନ ଅସ୍ଥିରତାକୁ ନେଇ ଏହି ଆଲୋଚନା ଆଜି ହେଉଛି । ଏଥିରେ ଇରାନ, କିର୍ଗିସ୍ତାନ, ରୁଷ, ତାଜିକସ୍ତାନ, ତୁର୍କମେନିସ୍ତାନ, ଉଜବେଗିସ୍ତାନ ସାମିଲ ହୋଇଛନ୍ତି । ହେଲେ ଚୀନ ଏଥିରେ ଯୋଗଦେବାକୁ ମନା କରିଦେଇଥିଲା ।

ସୂଚନାଯୋଗ୍ୟ, କରୋନ ମହାମାରୀ ହେଉ କି, ବିସ୍ତାରବାଦ ନୀତି ଚୀନର ଛବି ବିଶ୍ବ ଦରବାରରେ ଭଲ ନାହିଁ । ବିଶେଷ କରି ଆଫଗାନିସ୍ତାନରେ ତାଲିବାନ ଶାସନକୁ ସମର୍ଥନ ଓ  LACରେ ଭାରତ ସହ ବିବାଦୀୟ ସ୍ଥିତି ପରେ ଚୀନର ପ୍ରକୃତ ଉଦ୍ଦେଶ୍ୟ ଆଉ କାହାକୁ ଅଛପା ନାହିଁ । କ’ଣ କରିବା ଉଚିତ ଓ କ’ଣ ନକରିବା ଉଚିତ ବିଚାର କରିବା ବି ତା’ପକ୍ଷେ କାଠିକର ପାଠ ହୋଇଯାଇଛି । ଏମିତି ସ୍ଥିତିରେ କୌଣସି ବିଶ୍ବସ୍ତରୀୟ ସମ୍ମିଳନୀରେ ଯୋଗଦେଇ ଉପହାସିତ ହେବା ଡର ଓ ନିଜ ଉପରେ ଉଠିବାକୁ ଥିବା ପ୍ରଶ୍ନବାଣରୁ ବର୍ତ୍ତିବାକୁ ଜିନପିଙ୍ଗ ସରକାର ଗୋଟିଏ ପରେ ଗୋଟିଏ ବିଶ୍ବସ୍ତରୀୟ ସମ୍ମିଳନୀକୁ ବୟକଟ କରିବାରେ ଲାଗିଛନ୍ତି ।

ସଫଳ ହୋଇଛି ଆନ୍ଧ୍ର-ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ତୁଟିବ କୋଟିଆ- ପୋଲାଭରମ ବିବାଦ

ଭୁବନେଶ୍ୱର: କୋଟିଆ ଓ ପୋଲାଭରମ ସମସ୍ୟା ନେଇ ଆନ୍ଧ୍ର-ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ସଫଳ ହୋଇଛି । ସମାଧାନର ବାଟ ବାହାରିଛି ବୋଲି କହିଛନ୍ତି ବିଜେଡି ସାଂସଦ ଶର୍ମିଷ୍ଠା ସେଠୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦିଅନ୍ତି । ଏହି ଆଲୋଚନା ସଂଘୀୟ ବ୍ୟବସ୍ଥାର ଏକ ପ୍ରକୃଷ୍ଟ ଉଦାହରଣ। ସମସ୍ୟାର ସମାଧାନ ପାଇଁ ଏହା ପ୍ରଥମ ପଦକ୍ଷେପ । ଏହାକୁ ସ୍ୱାଗତ କରିବା ଦରକାର। ଆଗକୁ ନିଶ୍ଚିତଭାବେ ସବୁ ସମସ୍ୟାର ସମାଧାନ ହେବ। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସେଥିପାଇଁ ତତ୍ପର ଥିବା କହିଛନ୍ତି ସାଂସଦ ଶର୍ମିଷ୍ଠା ସେଠୀ  ।

ଗୋଟେପଟେ  ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ମଧ୍ୟରେ ଜମି ବିବାଦ ଚାଲିଛି  । ଗଜପତିର କୋଟିଆ ହେବ କିମ୍ବା ବହୁ ବିବାଦୀୟ ପୋଲାଭରମ ପ୍ରକଳ୍ପ  । ଏ ସମସ୍ତ ଘଟଣାକୁ ନେଇ ରାଜନୀତି ଜୋର ଧରିଥିବାବେଳେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଓଡ଼ିଶା ଗସ୍ତ କରିବା ଏହା ସମାଧାନର ରାସ୍ତା ବାହାରକରିବ ବୋଲି ଆଶା ରହିଥିଲା  । ତେବେ ଜଗନ ଏବଂ ନବୀନଙ୍କ ଭେଟଘାଟ ଏପରି ଏକ ସମୟରେ ସୁସ୍ଥ ସନ୍ଦେଶ ଦେଇଛି  । ଦୁଇ ରାଜ୍ୟର ଅଧିକାରୀଙ୍କ ସ୍ତରରେ ମଧ୍ୟ ଏନେଇ ଆଲୋଚନା ହୋଇଥିଲା  ।  ତେବେ କୋଟିଆ ମାମଲା ଖୁବ ଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି ବିଜେଡ଼ି ସାଂସଦ ଶର୍ମିଷ୍ଠା ସେଠୀ  ।

 

ଛଟ ପୂଜା ପାଇଁ ମାଗିଥିଲେ ନୂଆ ଶାଢୀ, ସ୍ୱାମୀ ଗୁଳି ମାରିଦେଲା

ଲକ୍ଷ୍ନୗେ: ଛଟ ପୂଜା ପାଇଁ ନୂଆ ଶାଢୀ ମାଗିବାରୁ ଲାଇସେନ୍ସ ବନ୍ଧୁକରେ ସ୍ତ୍ରୀକୁ ଗୁଳି କରି ହତ୍ୟା କରିଛି ନିର୍ଦ୍ଦୟ ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ଦେବରିଆରେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଧୁକ ଜବତ କରିବା ସହ ସମ୍ପୃକ୍ତ ସ୍ୱାମୀଙ୍କୁ ହେପାଜତରେ ନେଇଛି।

ସ୍ଥାନୀୟ ବରହଜର ଥାନାଧିକାରୀ ଟିଜେ ସିଂହ କହିଛନ୍ତି ଯେ, ପୌନା ଗ୍ରାମର ପୁରବ ପଟ୍ଟି ବାସିନ୍ଦା ନରେନ୍ଦ୍ର ତିୱାରୀ ଗତ ୪ ବର୍ଷ ହେବ ବିବାହ କରିଥିଲେ । ତାଙ୍କର ୧ ବର୍ଷର ଜଣେ ଝିଅ ମଧ୍ୟ ରହିଛି । ନରେନ୍ଦ୍ର ଏକ ଷ୍ଟେସନାରୀ ଦୋକାନ ଚଳାଉଥିବା ବେଳେ ଗତକାଲି ରାତିରେ ସ୍ତ୍ରୀ ଛଟ ପୂଜା ଉପଲକ୍ଷେ ନୂଆ ଶାଢୀ ମାଗିଥିଲେ । ଯାହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବିବାଦ ହୋଇଥିଲା ।

ପୋଲିସ ମୁତାବକ ଦୁଇ ଜଣଙ୍କ ମଧ୍ୟରେ ବିବାଦ ଦୀର୍ଘ ଦିନରୁ ଚାଲୁଥିଲେ । ନିକଟରେ ସ୍ତ୍ରୀ ଅନୁରାଧା ନିଜ ଭାଇର ତିଳକତ୍ସୋବରେ କିଛି ମୋଟା ଅଙ୍କର ଉପହାର ଦେବା ପାଇଁ କହିଆସୁଥିଲେ । ଯାହାକୁ ବାରମ୍ବାର ଅଣଦେଖା କରୁଥିଲେ ନରେନ୍ଦ୍ର । ଏଭଳି ସମୟରେ ସେ ନିଜ ପାଇଁ ନୂଆ କପଡା କିଣିଥିବା ବେଳେ ସ୍ତ୍ରୀ ପାଇଁ କିଛି ଆଣିନଥିଲେ । ଯାହାକୁ ନେଇ ପୁଣି ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା ।

ଏପରିକି ମୋବାଇଲ୍ ଫୋନ୍ ମାଗିବାରୁ ନରେନ୍ଦ୍ର ଫୋନକୁ ଲୁଚାଇ ଦେଇଥିଲେ । ପରେ କଳହ ହେବାରୁ ନରେନ୍ଦ୍ର ଉତକ୍ଷିପ୍ତ ହୋଇ ବାପାଙ୍କ ଲାଇସେନ୍ସ ବନ୍ଧୁକରେ ସ୍ତ୍ରୀକୁ ଗୁଳି ମାରିଦେଇଥିଲେ । ଯାହାପରେ ଘଟଣାସ୍ଥଳରେ ହିଁ ଅନୁରାଧାଙ୍କ ମୃତ୍ୟୁ ହୋଇଥିଲା । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।

ଇନଷ୍ଟାଗ୍ରାମ ଚଲାଇବା ପାଇଁ ନେବାକୁ ପଡ଼ିବ ସବସ୍କ୍ରିପସନ୍; କ’ଣ ଏହି ସବସ୍କ୍ରିପସନ ପ୍ଲାନ ଜାଣନ୍ତୁ…

ନୂଆଦିଲ୍ଲୀ: ବିଶ୍ବରେ ଏବେ ପ୍ରାୟ ସମସ୍ତେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି । ଆପଣମାନେ ସୋସିଆଲ ମିଡିଆକୁ ବିନା କୌଣସି ଶୁଳ୍କ ଦେଇ ବ୍ୟବହାର କରୁଛନ୍ତି ।  କିନ୍ତୁ ଏବେ ଆଉ ମାଗଣା ବ୍ୟବହାର କରିପାରିବେ ନାହିଁ ସୋସିଆଲ ମିଡିଆ । ଫେସବୁକ ଆପଣଙ୍କ ଡାଟାରୁ ସବୁଠାରୁ ଅଧିକ ଟଙ୍କା ଆଦାୟ କରିଥାଏ । କାରଣ କମ୍ପାନୀର ରୋଜଗାରର ପ୍ରମୁଖ ଅଂଶ ବିଜ୍ଞାପନରୁ ଆସିଥାଏ । ଉପଭୋକ୍ତାଙ୍କ ଡାଟା ଓ ରିଚ୍ ଆଧାରରେ କମ୍ପାନୀଙ୍କୁ ବିଜ୍ଞାପନ ମିଳିଥାଏ । ତେଣୁ ଆପଣଙ୍କ ଡାଟା ଓ ଆପଣଙ୍କ ପାଇଁ ଫେସବୁକ ଟଙ୍କା ରୋଜଗାର କରିଥାଏ । ତେବେ ଏସବୁ ଭିତିରେ ଏବେ ଏହି କମ୍ପାନୀ ଆପଣଙ୍କଠାରୁ ଟଙ୍କା ନେବ । ଯାହାର ଆରମ୍ଭ ଇନଷ୍ଟାଗ୍ରାମରୁ ହେବ ।

ଇନଷ୍ଟାଗ୍ରାମ ଏକ ନୂଆ ସବସ୍କ୍ରିପସନ୍ ଫିଚର ଉପରେ କାମ କରୁଛି । ଏହି ଫିଚର ଅନୁଯାୟୀ ଉପଭୋକ୍ତାଙ୍କୁ ଇନଷ୍ଟାଗ୍ରାମ ବ୍ୟବହାର କରିବା ପାଇଁ ପ୍ରତିମାସରେ ୮୯ ଟଙ୍କା ଦେବାକୁ ପଡ଼ିବ । କମ୍ପାନୀ କହିଛି କି ଏହା ଦ୍ବାରା ଇନଷ୍ଟାଗ୍ରାମ କ୍ରିଏଟର୍ସ ଓ ଇନଫ୍ଲୁଏନର୍ସଙ୍କୁ ଫାଇଦା ମିଳିବ । ଟେକ୍ ଫ୍ରେଞ୍ଚର ରିପୋର୍ଟ ଅନୁଯାୟୀ ଆପେଲ ଆପ୍ ଷ୍ଟୋରର ଲିଷ୍ଟିଂରେ ଏହି ସବସ୍କ୍ରିପସନକୁ ଆପଣ କିଣିପାରିବେ । ଏଥିପାଇଁ ଇନଷ୍ଟାଗ୍ରାମ ସବସ୍କ୍ରିପସନ କାଟାଗୋରୀ ମଧ୍ୟ ପ୍ରସ୍ତୁତ କରିଛି । ବର୍ତ୍ତମାନ ଏହା ପ୍ରତିମାସରେ ୮୯ ଟଙ୍କା ଚାର୍ଜ ଦେବାକୁ ପଡ଼ିବ ବୋଲି କମ୍ପାନୀ କହିଛି । ତେବେ ଯେତେବେଳେ ଏହା ଉପଭୋକ୍ତାଙ୍କ ପାଇଁ ବଜାରକୁ ଆସିବ ସେତେବେଳେ ଏଥିରେ କିଛି ପରିବର୍ତ୍ତନ ହୋଇପାରେ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଚରକୁ ଫାଇନାଲ କରାଯାଇନାହିଁ । ଟିପଷ୍ଟର ଆଲେସାଣ୍ଡ୍ରୋ ପାଲୁଜି ଇନଷ୍ଟାଗ୍ରାମ ସବସ୍କ୍ରିପସନକୁ ନେଇ କିଛି ଟୁଇଟ କରିଛନ୍ତି  । ସେ କହିଛନ୍ତି କି ଇନଷ୍ଟାଗ୍ରାମ ସବସ୍କ୍ରାଇବ ବଟନର ଟେଷ୍ଟଂ କରୁଛି । ଯାହା କ୍ରିଏଟର୍ସଙ୍କ ପ୍ରେଫାଇଲରେ ଦେଖିପାରିବେ । ଯଦି ଆପଣ ଆପଣଙ୍କ ପସନ୍ଦର କ୍ରିଏଟର୍ସଙ୍କ କଣ୍ଟେଣ୍ଟ ଦେଖିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ସବସ୍କ୍ରିପସନ ନେବାକୁ ପଡ଼ିବ । ତେବେ ଏହା କ୍ରିଏଟର୍ସଙ୍କ ସବୁ କଣ୍ଟେଣ୍ଟ ପାଇଁ ନୁହେଁ, କିଛି ଖାସ୍ ଓ ଲିମିଟେଡ କଣ୍ଟେଣ୍ଟ ପାଇଁ ଏହି ସବସ୍କ୍ରିପସନ୍ ରଖାଯାଇପାରେ । ଯଦି ଆପଣ ୮୯ ଟଙ୍କା ଦେଇ ସବସ୍କ୍ରିପସନ ନେବେ ତାହାଲେ ଆପଣଙ୍କୁ ଏକ ବ୍ୟାଚ ମିଳିବ । ଯେତେବେଳେ ବି ଆପଣ କମେଣ୍ଟ କରିବେ କିମ୍ବା ମେସେଜ କରିବେ ତେବେ ଏହି ବ୍ୟାଚ ଆପଣଙ୍କ ୟୁଜରନେମର ସାମ୍ନାରେ ଦେଖାଯିବ । କ୍ରିଏଟର୍ସ ବୁଝିଯିବ ଯେ ଆପଣ ଇନଷ୍ଟାଗ୍ରାମରେ ସବସ୍କ୍ରିପସନ ନେଇଛନ୍ତି ।

ତେବେ କଣ୍ଟେଣ୍ଟ କ୍ରିଏଟର୍ସମାନଙ୍କୁ ମଧ୍ୟ ଏକ ଅପସନ ମିଳିବ ଯାହାଦ୍ବାରା ସେମାନେ ସବସ୍କ୍ରିପସନ ଫି’ ନିଜେ ଚାର୍ଜ କରିପାରିବେ । ସବସ୍କ୍ରିପସନରୁ କେତେ ଟଙ୍କା ସେମାନେ ରୋଜଗାର କରୁଛନ୍ତି ଏବଂ କେବେ ଏହି ସବସ୍କ୍ରିପସନ ଏକ୍ସପାରି ହେଉଛି ତାହା ମଧ୍ୟ ଜାଣିପାରିବେ କ୍ରିଏଟର୍ସ । ତେବେ ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା କି ଏବେ କମ୍ପାନୀ କେତେ ଟଙ୍କା କାଟୁଛି । କାହିଁକି ନା ସାଧାରଣତଃ ଇନଷ୍ଟାଗ୍ରାମ ହେଉ କିମ୍ବା ଅନ୍ୟ କୌଣସି ପ୍ଲାଟଫର୍ମ ଏହି ସମସ୍ତ ପ୍ଲାଟଫର୍ମ ମନିଟାଇଜେସନ ସମୟରେ କିଛି ଟଙ୍କା କାଟନ୍ତି । ଅନ୍ୟପକ୍ଷରେ ମାଇକ୍ରୋ ବ୍ଲଗିଂ ଓ୍ବେବସାଇଟ ଟ୍ବିଟରବି ଟ୍ବିଟର ବ୍ଲୁ ଓ ସୁପର ଫଲୋ ଫିଚର ଆରମ୍ଭ କରିଛି । ଏହା ଦ୍ବାରା ଉପଭୋକ୍ତା ଯେକୌଣସି ଆକାଉଣ୍ଟକୁ କିଛି ସ୍ବତନ୍ତ୍ର କଣ୍ଟେଣ୍ଟ ଆକ୍ସେସ କରିବା ପାଇଁ ସବସ୍କ୍ରିପସନ ନେବାକୁ ପଡ଼ିବ ।

ହିସାବ ବାହାରେ ସାମଲ ବାବୁଙ୍କ ସମ୍ପତ୍ତି, ୨୨ ଘଣ୍ଟାର ରେଡ ପରେ ପତି-ପତ୍ନୀ ଗିରଫ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍‌ସ ଇତିହାସର ସବୁଠୁ ବଡ଼ ମାମଲା  । ଏତେ ଟଙ୍କା ଆଗରୁ କେବେ ଗଣିନଥିଲା ଭିଜିଲାନ୍ସ ବିଭାଗ ।  ଗିରଫ ହେଲେ ଓପିଏଚ୍‌ଡବ୍ଲୁସି ଉପପ୍ରବନ୍ଧକ ପ୍ରତାପ ସାମଲ । ପ୍ରତାପ ସାମଲଙ୍କ ପତ୍ନୀ ସସ୍ମିତା ସାମଲ ମଧ୍ୟ ଗିରଫ ହୋଇଛନ୍ତି  ।  14 କୋଟି 87 ଲକ୍ଷ 41 ହଜାର 194 ଟଙ୍କାର ଆୟ ବର୍ହିଭୂତ ସଂପତ୍ତି
ଆୟର 1021% ଅଧିକ ସଂପତ୍ତି ଠାବ କରିଛି ଭିଜିଲାନ୍‌ସ ଟିମ୍  ।

ସଂପତ୍ତି ଠୁଳ କରିଥିଲେ କିନ୍ତୁ ହିସାବ ଦେଇ ପାରୁ ନିଥିଲେ । ଯାହା ତଦନ୍ତକାରୀ ଟିମକୁ ସନ୍ତୋଷ କରି ପାରିନଥିଲା ।  ତେବେ ପ୍ରତାପଙ୍କ ବେହିସାବ ସମ୍ପତ୍ତି ପତି ଓ ପତ୍ନିଙ୍କୁ ଗିରଫ କରିବାରେ ସହାୟକ ହୋଇଛି  । ପାଖାପାଖି 22ଘଣ୍ଟାର ରେଡ୍‌ ପରେ ଭିଜିଲାନ୍‌ସ ହିସାବ ଶେଷ କରିଛି  । କୋଟି କୋଟି ଟଙ୍କାର ସଂପତ୍ତି ଆକଳନ କରୁଛି ଭିଜିଲାନ୍‌ସ । ଲଗାତର ୨୨ଘଣ୍ଟା ରେଡ୍ ପରେ ଭୋର ୩ଟାରେ ସରିଲା ଯାଞ୍ଚ ପ୍ରକ୍ରିୟା । ଯାଞ୍ଚ ବେଳେ ସାମ୍ନାକୁ ଆସିଛି ପୋଲିସ ହାଉସିଂ କର୍ପୋରେସନର ଉପପ୍ରବନ୍ଧକ ପ୍ରତାପ ସାମଲଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ତାଲିକା ।

୩କୋଟି ୪୧ଲକ୍ଷ ୫୮ହଜାର ୪୧୨ର ୨୫ଟି ପ୍ଲଟ୍ ରହିଛି ପ୍ରତାପଙ୍କ ନାଁରେ । ଗୋଠପାଟଣାରେ ଥିବା ୫ମହଲା ବିଶିଷ୍ଟ ବହୁତଳ ପ୍ରାସାଦର ମୂଲ୍ୟ ହେବ ୩କୋଟି ୮୯ଲକ୍ଷ ୬୦ ହଜାର । ଅନ୍ୟ ପ୍ଲଟ୍ ଓ ବିଲଡିଂର ମୂଲ୍ୟ ଏଯାଏ ନିରୂପଣ ହୋଇନି । ଓଡ଼ିଶା ଭିଜିଲାନ୍ସର ଟେକନିକାଲ ୱିଙ୍ଗ ମୂଲ୍ୟାୟନ ଜାରି ରଖିଛନ୍ତି । ପ୍ରତାପ ଓ ତାଙ୍କ ପରିବାର ନାଁରେ ଥିବା ୧୧ଟି ବ୍ୟାଙ୍କ ଆକାଉଣ୍ଟରେ ରହିଛି କୋଟିଏ ୬୧ ଲକ୍ଷ ୩୫ ହଜାର ୮୧୨ । ବ୍ୟାଙ୍କ ଆକାଉଣ୍ଟ ସିଜ୍ କରିଛି ଭିଜିଲାନ୍ସ ଟିମ୍ । ୫୭ଲକ୍ଷ ୭୨ହଜାର ୧୫୦ଟଙ୍କାର ବୀମା ରହିଛି ପ୍ରତାପଙ୍କ ନାଁରେ ।

୩୩ ବର୍ଷର ଚାକିରି କାର୍ଯ୍ୟକାଳ ଭିତରେ ସେ ଏତେ ଆୟ ବହିର୍ଭୁତ ସମ୍ପତ୍ତିର କିଭଳି ମାଲିକ ହେଲେ ସେନେଇ ତଦନ୍ତ ଚଳାଇଛି ଭିଜିଲାନ୍ସ। ଗତକାଲି ୧୦ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରିଥିଲା । ଆଇଆରସି ଭିଲେଜ ସ୍ଥିତ ଘରେ ଚଢ଼ାଉ ବେଳେ ଟିଭି ପେଟି ଭିତରେ ୩୬ ଲକ୍ଷ ନଗଦ ଟଙ୍କା ପଡୋଶୀ ଘରକୁ ଫୋପାଡିବା ବେଳେ ମାଡି ବସିଥିଲା ଭିଜିଲାନ୍‌ସ। ପ୍ରତାପ, ତାଙ୍କ ପୁଅ ଓ ସ୍ତ୍ରୀଙ୍କ ନାଁରେ ଭୁବନେଶ୍ୱରରେ ୧୭ଟି ପ୍ଲଟ ସହ ୨ଟି ବିଲ୍ଡିଂ ରହିଛି । ଭଦ୍ରକ ବାସୁଦେବପୁରରେ ୫ଟି ପ୍ଲଟ ଓ ଗୋଟିଏ ଘର ଠାବ କରିଥିଲା ଭିଜିଲାନ୍ସ । ସେହିପରି ଅଧ କେଜିଏ ସୁନା ମଧ୍ୟ ଜବତ କରାଯାଇଥିଲା  ।

ଗୁରୁତର ହେଉଛି ଦିଲ୍ଲୀରେ ବାୟୁ ପ୍ରଦୂଷଣ; ୩୮୨ରେ ପହଞ୍ଚିଲା AQI

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣରେ ଅଣ ନିଶ୍ୱାସୀ ହେଲାଣି ଦିଲ୍ଲୀ । ବାୟୁରେ ପ୍ରଦୂଷଣ ମାତ୍ରା ବଢୁଥିବା ବେଳେ ନିଶ୍ବାସ ନେବାରେ କଷ୍ଟ ଭୋଗୁଛନ୍ତି ରାଜଧାନୀବାସୀ । ଆଜି ବି ରାଷ୍ଟ୍ରୀୟ ରାଜଧାନୀର ବାୟୁ ଗୁଣାବତ୍ତା ଅତି ଖରାପ ଥିବା ରେକର୍ଡ ହୋଇଛି । ଆଜି ସକାଳୁ ଦିଲ୍ଲୀର ଏୟାର କ୍ୱାଲିଟି ୩୮୨ ରେକର୍ଡ ହୋଇଛି ।

ଦିଲ୍ଲୀ ୟୁନିଭର୍ସିଟିର ନର୍ଥ କ୍ୟାମ୍ପସରେ ଏୟାର କ୍ୱାଲିଟି ୪୪୧ ରେକର୍ଡ ହୋଇଥିବା ବେଳେ ପୁସା ରୋଡରେ AQI ୩୭୯, ମଥୁରା ରୋଡରେ ୪୨୨, ଲୋଧିରୋଡ୍ ଓ ଆଇଆଇଟି ଦିଲ୍ଲୀରେ AQI ୩୬୭ ରେକର୍ଡ ହୋଇଛି । ତେବେ ପବନର ବେଗ ସାମାନ୍ୟ ବଢ଼ିଥିବାରୁ ପ୍ରଦୂଷଣ ମାତ୍ରା ଗତ ଦୁଇ ଦିନ ତୁଳନାରେ ସାମାନ୍ୟ କମ୍ ହୋଇଛି ।

ସେପଟେ ପ୍ରଦୂଷଣ ଯୋଦଗୁ ଆଜି ବି ଯମୁନା ନଦୀରେ ଧଳା ଧଳା କେମିକାଲ ଭାସୁଥିବା ଦେଖାଯାଇଛି । ଛଟ୍ ପୂଜା ଯୋଗୁ ଲୋକମାନେ ଯମୁନାରେ ସ୍ନାନ କରୁଥିବାରୁ ପାଣିରୁ କେମିକାଲ ହଟାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି ।

ଅଡ଼ୁଆରେ ସାଉଥ୍ ସୁପରଷ୍ଟାର, ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଆଇନଗତ ନୋଟିସ୍

ଆଇନ ଜାଲରେ ଫସିଲେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । କିଛି ଦିନ ତଳେ କରିଥିବା ବିଜ୍ଞାପନ ଯୋଗୁଁ ବିବାଦରେ ପଡ଼ିଲେ ଷ୍ଟାଇଲିଷ୍ଟ ଷ୍ଟାର ଅଲ୍ଲୁ ଅର୍ଜୁନ । ନିକଟରେ ସେ ବାଇକ୍ ଟ୍ୟାକ୍ସି ଆପ୍ ‘ରାପିଡୋ’କୁ ନେଇ ଏକ ବିଜ୍ଞାପନ କରିଥିଲେ । ଯାହା ୟୁଟ୍ୟୁବରେ ଛଡ଼ାଯାଇଥିଲା । ଏହି ରାପିଡୋ ବାଇକ୍ ଖୁବ୍ ଶୀଘ୍ର ନିଜ ଆପଣଙ୍କ ଲକ୍ଷ୍ୟ ସ୍ଥଳରେ ପହଁଞ୍ଚାଉଥିବା ବେଳେ ଅନ୍ୟ ବସ୍ ବିଳମ୍ବ କରେ । ଏଥିସହ ରାପିଡୋ ବାଇକ୍ ବ୍ୟବହାର କଲେ ବସ୍ ଭିଡ଼ରୁ ଯାତ୍ରୀମାନେ ରକ୍ଷା ପାଇପାରିବେ ବୋଲି କହିଛନ୍ତି । ଏଭଳି କିଛି ସୂଚନା ସେ ଏହି ବିଜ୍ଞାପନ ମାଧ୍ୟମରେ ଯାତ୍ରୀମାନଙ୍କୁ ଦେଇଥିଲେ । ଏହି ବିଜ୍ଞାପନ ପାଇଁ ତେଲେଙ୍ଗାନା ରାଜ୍ୟ ସଡ଼କ ଓ ପରିବହନ ନିଗମ ଅଲ୍ଲୁଙ୍କୁ ଆଇନଗତ ନୋଟିସ୍ ଜାରି କରିଛି ।

ଏହି ବିଜ୍ଞାପନରେ ଅଲ୍ଲୁ ଜଣେ ଦୋସା ବିକାଳିର ଚରିତ୍ରରେ ଅଭିନୟ କରୁଛନ୍ତି । ଏଥିସହ ସେ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ବିରବସାରାମ ମାର୍ଗରେ ଛିଡ଼ା ହୋଇ ଆନ୍ଧ୍ରପ୍ରଦେଶର ସରକାରୀ ବସକୁ ଇସାରା କରୁଥିବା ଦେଖାଯାଉଛି । ଯାହାକୁ ନେଇ ବିବାଦ ଉଠିଛି ।

ପ୍ରସ୍ତୁତି ଆରମ୍ଭ: ଏପ୍ରିଲରେ ପୌର ନିର୍ବାଚନ !

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟରେ ହେବ ପୌର ନିର୍ବାଚନ । ସଙ୍କେତ ଦେଲେ ରାଜ୍ୟ ସରକାର । ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପରେ ଜନସାଧାରଣଙ୍କୁ ଆପତ୍ତି ଅଭିଯୋଗ ମଗାଯାଇଛି । ନଭେମ୍ବର ୨୯ ସୁଦ୍ଧା ଜିଲ୍ଲାପାଳମାନେ ଚୂଡ଼ାନ୍ତ ବିଜ୍ଞପ୍ତି ଜାରି ପରିବେ । କିଛି ଆପତ୍ତି ଥିଲେ ଜନସାଧାରଣ ଡିସେମ୍ବର ୧୨ ତାରିଖ ମଧ୍ୟରେ ନଗର ଉନ୍ନୟନ ବିଭାଗରେ ଆବେଦନ କରିପାରିବେ । ଜାନୁଆରୀ ୨୦ରେ ନଗର ଉନ୍ନୟନ ବିଭାଗ ଚୂଡ଼ାନ୍ତ ତାଲିକା ଜାରି କରିବ । ଯଦି ସବୁକିଛି ଠିକ ରହିଲା ତେବେ ଏପ୍ରିଲ ମାସ ବେଳକୁ ନିର୍ବାଚନ କମିଶନ ପୌର ଭୋଟ୍ କରିପାରନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୫୦ ପ୍ରତିଶତ ଭିତରେ ସଂରକ୍ଷଣ ରହିବ ।

ସୂଚନାଯୋଗ୍ୟ, ଜିଲ୍ଲାପାଳମାନେ ୱାର୍ଡ ସୀମା ନିର୍ଦ୍ଧାରଣ ସହ ଚିଠା ସଂରକ୍ଷଣ ତାଲିକା ଜାରି କରିଛନ୍ତି । ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ବିଜ୍ଞପ୍ତି ପ୍ରକାଶ ହୋଇଥିବା ବେଳେ କିଛି ଜିଲ୍ଲାରେ ତାଲିକା ଜାରି ହେବ । ୨୦୧୧ ଜନଗଣନାକୁ ଆଖିରେ ରଖି ଓଡ଼ିଶା ମ୍ୟୁନିସପାଲଟି ଆଇନ ଆଧାରରେ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ହୋଇଛି ।

ରାଜ୍ୟର ପୌରସଂସ୍ଥା ଓ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟକାଳ ଦୀର୍ଘଦିନ ହେବ ପୂରିଲାଣି । ରାଜ୍ୟ ନିର୍ବାଚନ କମିଶନ ନିର୍ବାଚନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳମାନେ ୱାର୍ଡ ପୁନର୍ଗଠନ ସହ ପଦବୀ ସଂରକ୍ଷଣ ତାଲିକା ପ୍ରସ୍ତୁତ କରିଛନ୍ତି । ସଂଶୋଧିତ ପୌର ଆଇନ ଅନୁସାରେ ଅନୁସୂଚିତ ଜାତି, ଜନଜାତି, ମହିଳା ଓ ପଛୁଆବର୍ଗଙ୍କ ପାଇଁ ଆସନ ସଂରକ୍ଷଣ ରହିଛି ।

ସୂଚନାଯୋଗ୍ୟ, ରାଜ୍ୟରେ ୧୧୫ଟି ପୌରସଂସ୍ଥା ଅଛି । ଏଥିରୁ ୪୭ ମ୍ୟୁନିସପାଲଟି ଓ ୫୮ ଏନଏସିରେ ଭୋଟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସମ୍ବଲପୁର ଓ ରାଉରକେଲା ମହାନଗର ନିଗମ ସହ କେନ୍ଦ୍ରପଡ଼ା ପୌରପାଳିକା, ନୂଆପଡା, ଓଡ଼ଗାଁ ଏନଏସିକୁ ନେଇ କୋର୍ଟରେ ମାମଲା ଥିବାରୁ ଏଗୁଡ଼ିକୁ ପ୍ରକ୍ରିୟାରୁ ବାଦ୍ ଦିଆଯାଇଛି । ହିନ୍ଦୋଳ ଓ ଅତାବିରା ଏନଏସିରେ ନିର୍ବାଚିତ ପରିଷଦର କାର୍ଯ୍ୟକାଳ ପୂରିନାହିଁ । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ କମିଶନରମାନେ ଆସନ୍ତା ୧୫ ସୁଦ୍ଧା ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ଚିଠା ତାଲିକା ନଗର ଉନ୍ନୟନ ବିଭାଗକୁ ଦେବେ ।