spot_img
Home Blog Page 5037

କରଓ୍ବାଚୌଥରେ ହତ୍ୟାକାରୀ ପତିକୁ ଧରାଇଲେ ପତ୍ନୀ, କହିଲେ- ‘ଗୁଳି ମାରିବନି’

ନୂଆଦିଲ୍ଲୀ: କରଓ୍ବାଚୌଥରେ ହତ୍ୟାକାରୀ ପତିଙ୍କ ଜୀବନ ବଞ୍ଚାଇବାକୁ ପତ୍ନୀ ନେଲେ ବଡ଼ ନିଷ୍ପତ୍ତି । ଫେରାର ପତିକୁ ପୋଲିସ ହାତରେ ଧରାଇଲେ ପତ୍ନୀ । ଅନୁରୋଧ କରି କହିଲେ- ତାଙ୍କ ପାଇଁ କରଓ୍ବାଚୌଥ କରିଛି, ଗୁଳି ମାରିବନି । ଏମିତି ଘଟଣା ଘଟିଛି ଦିଲ୍ଲୀରେ ।

ରବିବାର ଦ୍ବାରିକା ଡିସିପି ଶଙ୍କର ଚୌଧୁରୀଙ୍କ ପାଖକୁ ଏକ ଫୋନ୍ କଲ୍ ଆସିଥିଲା । ଅନ୍ୟପଟରୁ ଜଣେ ମହିଳା କହିଥିଲେ ମୋ ସ୍ବାମୀ ଫେରି ଆସିଛନ୍ତି । ଏହା ଜାଣିବା ପରେ ଡିସିପି ସଦଳବଳେ ମହିଳାଙ୍କ ଘରେ ପହଞ୍ଚି ଅଭିଯୁକ୍ତ ରାଜୀବ ଗୁଲାଟିଙ୍କୁ ଗିରଫ କରିଥିଲେ ।

ଗତ ୧୯ ଅକ୍ଟୋବରରେ ନଜଫଗଡ଼ ରାମଗଡ଼ରେ ଏକ ଦୋକାନରେ ପଶି ରାଜୀବ ଜଣେ ବୟସ୍କ ମହିଳା ଏବଂ ତାଙ୍କ ଝିଅକୁ ଗୁଳି ମାରି ଦେଇଥିଲେ । ଘଟଣାରେ ବୟସ୍କ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଏହା ପରଠାରୁ ରାଜୀବ ଫେରାର ହୋଇଯାଇଥିଲେ ।

ରବିବାର କରଓ୍ବାଚୌଥ ଥିବାରୁ ପତ୍ନୀଙ୍କୁ ଭେଟିବାକୁ ରାଜୀବ ଘରକୁ ଆସିଥିଲେ । ଏପଟେ ପତ୍ନୀ ଏନେଇ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ଡିସିପି ନିଜେ ରାଜୀବଙ୍କ ଘରେ ପହଞ୍ଚିବା ସହ ତାଙ୍କ କଲର ଧରି ଘୋଷଡ଼ି ଘୋଷାଡ଼ି ବାହାରକୁ ଆଣିଥିଲେ । ଏହାସହ ହତ୍ୟାରେ ବ୍ୟବହୃତ ପିସ୍ତଲ ବି ପୋଲିସ ଜବତ କରିଥିଲା । ପୀଡ଼ିତଙ୍କ ପରିବାର ଓ ରାଜୀବଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ବିବାଦ ଥିଲା । ଯେଉଁଥି ପାଇଁ ରାଜୀବ ଏଭଳି ଜଘନ୍ୟ କାଣ୍ଡ କରି ବସିଲେ ।

ଅଭିଯୁକ୍ତଙ୍କ ପତ୍ନୀ କହିଛନ୍ତି, ‘ସେ ହତ୍ୟା କରି ଫେରାର ହେବା ପରଠାରୁ ମନରେ ଭୟ ଥିଲା । କାଳେ ପୋଲିସ ଏନକାଉଣ୍ଟରରେ ତାଙ୍କୁ ମାରି ଦେବ ସେହି ଭୟରେ ଦିନ କଟୁଥିଲା । କରଓ୍ବାଚୌଥରେ ସେ ଯେତେବେଳେ ମୋତେ ଦେଖାକରିବାକୁ ଆସିଥିଲେ ତାଙ୍କ ଜୀବନ ବଞ୍ଚାଇବାକୁ ଫୋନ୍ କରି ପୋଲିସକୁ ଖବର ଦେଇଥିଲି ।’

ୱେବ୍ ସିରିଜ `ଆଶ୍ରମ’ ଝଡ଼, ଫିଲ୍ମ ନିର୍ମାତା ପ୍ରକାଶ ଝାଙ୍କ ମୁହଁରେ କଳା ବୋଳିଲେ ବଜରଙ୍ଗ ଦଳ କର୍ମୀ

ମୁମ୍ବାଇ:  ଫିଲ୍ମ ନିର୍ମାତା ପ୍ରକାଶ ଝାଙ୍କ ଉପରେ ବଜରଙ୍ଗ ଦଳର ଆକ୍ରମଣ । ତାଙ୍କ ମୁହଁରେ କଳା ବୋଳିବା ସହ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଛନ୍ତି କର୍ମୀ । ମଧ୍ୟପ୍ରଦେଶର ଭୋପାଳରେ ଏକ ଓ୍ବେବ୍‌ସିରିଜର ସୁଟିଂ ସେଟ୍‌କୁ ଭାଙ୍ଗିଦେଇଛନ୍ତି ବଜରଙ୍ଗ ଦଳ । ଏହା ସହ ସୁଟିଂ ସେଟରେ ଥିବା କିଛି କର୍ମଚାରୀଙ୍କ ଉପରେ ମଧ୍ୟ ସେମାନେ ଆକ୍ରମଣ କରିଛନ୍ତି । ବଜରଙ୍ଗ ଦଳର କର୍ମୀଙ୍କ ଅଭିଯୋଗ ହେଲା- ପ୍ରକାଶ ଝାଙ୍କ ଦ୍ବାରା ନିର୍ମିତ ହେଉଥିବା ଓ୍ବେବ ସିରିଜ `ଆଶ୍ରମ’ ହିନ୍ଦୁ ଭାବନା ଉପରେ କୁଠାରାଘାତ କରୁଛି ।

ଏହି ସିରିଜର ନାଁ ପରିବର୍ତ୍ତନ କରିବାକୁ ସେମାନେ ଦାବି କରିଛନ୍ତି । ଏହି ସିରିଜରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ବବି ଦେଓଲ । ଭୋପାଳର ପୁରୁଣା ଜେଲ ପରିସରରେ ଏହି ଓ୍ବେବସିରିଜ ସୁଟିଂ ହେଉଥିବାବେଳେ କର୍ମୀମାନେ ଆକ୍ରମଣ କରିଥିଲେ । ଏହି ସିରିଜରେ ଜଣେ ଧାର୍ମିକ ଗୁରୁଙ୍କ ଦ୍ବାରା ମହିଳା କିପରି ଶୋଷଣର ଶିକାର ହେଉଛନ୍ତି ତାହା ଦର୍ଶାଯାଇଛି ।

ଏହାକୁ ବଜରଙ୍ଗ ଦଳର କର୍ମୀମାନେ ବିରୋଧ କରିଥିଲେ । ଜେଲ ପରିସରରେ ସୁଟିଂ ଲାଗି ନିର୍ମିତ ତିନିଟି ଆଶ୍ରମରେ କର୍ମୀମାନେ ଭଙ୍ଗାରୁଜା କରିବା ସହ ପ୍ରକାଶ ଝା ଓ ବବି ଦେଓଲଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ଏହି ଘଟଣାରେ ପୋଲିସ କିଛି ବଜରଙ୍ଗୀ କର୍ମୀଙ୍କୁ ଗିରଫ କରିଛି । ଗତ 2017ରେ ମଧ୍ୟ କରଣୀ ସେନାର କର୍ମୀମାନେ ପଦ୍ମାବତ୍‌ ସିନେମାର ସୁଟିଂ ବେଳେ ଏହାର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲିଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲେ ।

ପାଣ୍ଡେଙ୍କ ପିଛା ଛାଡୁନି NCB, ଆଜି ପୁଣି ଅନନ୍ୟାଙ୍କୁ ଜେରା

ମୁମ୍ବାଇ: ଡ୍ରଗ୍ସ ଲିଙ୍କକୁ ନେଇ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ପିଛା ଛାଡୁନି ଏନସିବି । ଆଜି ପୁଣି ଅନନ୍ୟାଙ୍କୁ ଜେରା କରିବ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଆର୍ଯ୍ୟନଙ୍କ ସହ ସମ୍ପର୍କର ଗଭୀରତାକୁ ଖୋଜୁଛି ଏନସିବି । ଅନନ୍ୟା ପାଣ୍ଡେଙ୍କ ଡ୍ରଗ୍ସ ଖଟିରେ ଆଉ କିଏ ରହିଥିଲା ସାମିଲ୍ । ଅନନ୍ୟାଙ୍କୁ ଗତ ୨୨ତାରିଖିରେ ଦୀର୍ଘ ୪ଘଣ୍ଟାର ଜେରା ପରେ ବି ସନ୍ତୁଷ୍ଟ ହୋଇନଥିଲା ଏନସିବି । ଆର୍ଯ୍ୟନ ଖାନଙ୍କ ଡ୍ରଗ୍ସ ଯୋଗାଉଥିବା ଲୋକଙ୍କୁ ଅନନ୍ୟା ଚିହ୍ନିଥିବା ଏନସିବି ସୂଚନା ପାଇଛି । ଏହାର ସତ୍ୟତା ଜାଣିବାକୁ ଅନନ୍ୟାଙ୍କୁ ପୁଣି ଜେରା କରାଯିବ । ଆର୍ଯ୍ୟନ ଓ ଅନନ୍ୟାଙ୍କ ହ୍ବାଟ୍ସଆପ୍ ଚାଟ୍ରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇଛି ଏନସିବି ।

ହ୍ବାଟ୍ସଆପ୍ ଚାଟ୍ ଅନୁସାରେ ଅନନ୍ୟାଙ୍କ ଠାରୁ ଅନେକ ପ୍ରଶ୍ନ ଉତ୍ତର ଖୋଜୁଛି ଏନସିବି । ସେପଟେ ଆର୍ଯ୍ୟନଙ୍କ ଗିରଫ ମାମଲାରେ ଆସିଛି ନୂଆ ଟ୍ବିଷ୍ଟ । ଡ୍ରଗ୍ସ ପାର୍ଟିରେ ଚଢ଼ାଉ ମାମଲାରେ ଜଣେ ସାକ୍ଷୀ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ । ସାକ୍ଷୀ ପ୍ରଭାକର ସୈଲ୍ କହିଛନ୍ତି, ୨୫ କୋଟି ଟଙ୍କା ପାଇଁ ଡିଲ ହୋଇଥିଲା । ପରେ ୧୮ କୋଟିରେ ସେଟଲମେଣ୍ଟ ହୋଇଥିଲା । ପ୍ରଭାକର ନିଜକୁ କେ ପି ଗୋସାଭିଙ୍କ ବଡିଗାର୍ଡ ବୋଲି ପରିଚୟ ଦେଇଛନ୍ତି । ଗୋସାଭି ଆର୍ଯ୍ୟନ ଖାନ୍‌ଙ୍କ ସହ ସେଲଫି ନେଇ ଚର୍ଚ୍ଚାକୁ ଆସିଥିଲେ ।

ସତ୍ୟପାଠରେ ପ୍ରଭାକର ସୈଲ କହିଛନ୍ତି ଯେ କେ.ପି. ଗୋସାଭି ଓ ସାମ ଡି-ସୌଜା ନାମକ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ୧୮ କୋଟି ଟଙ୍କା ଦେବାନେବା କଥା ହୋଇଥିଲା । ଏହା ସହ ଏହି ଟଙ୍କାରୁ ୮ କୋଟି ଟଙ୍କା ସମୀର ଓ୍ବାଙ୍ଖଡେଙ୍କୁ ଦିଆଯିବା ନେଇ କଥା ହୋଇଥିଲା । ତେବେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡେ । ଏଥିସହ ଆଇନ୍‌ଗତ ସୁରକ୍ଷା ଦେବାକୁ ମୁମ୍ବାଇ ପୋଲିସ୍‌ କମିଶନରଙ୍କୁ ଚିଠି ଲେଖିଛନ୍ତି ସମୀର ଓ୍ବାଙ୍ଖଡେ । ଅନ୍ୟପଟେ ଆସନ୍ତାକାଲି ହେବ ଆର୍ଯ୍ୟନଙ୍କ ଜାମିନ ଶୁଣାଣି । ଏହା ପୂର୍ବରୁ ଆର୍ଯ୍ୟନଙ୍କ ଜାମିନକୁ ବିରୋଧ କରିବାକୁ ଏନସିବି ପ୍ରମାଣ ଯୋଗାଡ କରିଥିବା ଚର୍ଚ୍ଚା ହେଉଛି ।

ରିମାଣ୍ଡ ପରେ ଜେଲ ଗଲା ମମିତା ହତ୍ୟାକାରୀ ଗୋବିନ୍ଦ

ବଲାଙ୍ଗୀର: ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲା । ରିମାଣ୍ଡ ପରେ ଜେଲ ଗଲା ଅଭିଯୁକ୍ତ । କଣ୍ଟାବାଞ୍ଜି ଜେଲରେ ଅଭିଯୁକ୍ତ ଗୋବିନ୍ଦ ସାହୁ । ଆଉ ରିମାଣ୍ଡ ଆବେଦନ କରିବ ନାହିଁ ପୋଲିସ । ଭୋରରୁ ବଲାଙ୍ଗୀର ଏସ୍‌ପି ଅଫିସରୁ ନେଇ ବଙ୍ଗୋମୁଣ୍ଡା JMFC କୋର୍ଟରେ ହାଜର କରିଛି ବଲାଙ୍ଗୀର ପୋଲିସ ।
ମାମଲାରେ ବିଭିନ୍ନ ରାଜନୈତିକ ଦଳ ଲୋକଙ୍କୁ ଭ୍ରମିତ କରୁଥିବା ବେଳେ ମମିତାଙ୍କ ପରିବାର ତଦନ୍ତରେ ସନ୍ତୁଷ୍ଟି ପ୍ରକାଶ କରିଛନ୍ତି । ଘଟଣାକୁ ଲୋକଲୋଚନକୁ ଆଣିଥିବାରୁ ମମିତାଙ୍କ ବଡ଼ବାପା ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ପୋଲିସ ତଦନ୍ତରେ ସେ ଖୁସି ବୋଲି କହିଛନ୍ତି । ଜିଲ୍ଲାପାଳ ମମିତାଙ୍କ ମାଙ୍କ ସହ କଥା ହୋଇ ଆଶ୍ବାସନା ଦେଇଛନ୍ତି ।

ଗାଁ ପାଲଟିଲା ରଣକ୍ଷେତ୍ର, ୮ ଆହତ ମେଡିକାଲରେ ଭର୍ତ୍ତି

ବୌଦ୍ଧ:  ବଢିଗାଁ ପଂଚାୟତ ଯୋଗୀଭୋଗରା ଗାଁ ପାଲଟିଲା ରଣକ୍ଷେତ୍ର । ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ୮ ଆହତ । ସମସ୍ତ ଆହତଙ୍କୁ ଆମ୍ବୁଲାନସ୍ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି  । ଗତକାଲି ରାତିରେ ସ୍ଥାନୀୟ ସରପଞ୍ଚଙ୍କ ପରିବାର ଓ ବେହେରା ପରିବାର ମଧ୍ୟରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା । ପରସ୍ପରର ମଧ୍ୟରେ ଆକ୍ରମଣରେ ଉଭୟ ପରିବାରର ୮ ଜଣ ସଦସ୍ୟ ଆହତ ହୋଇଛନ୍ତି ।

ଆହତ ମାନେ ହେଲେ ସରପଞ୍ଚଙ୍କ ସ୍ବାମୀ ଅଜିତ ସେଠୀ, ଦେଢସୁର ପ୍ରଦୀପ ସେଠୀ, ଶ୍ୱଶୁର ଚହଟୀ ସେଠୀ । ସେହିପରି ବେହେରା ପରିବାରର ବାବୁଲା ବେହେରା, ଅନନ୍ତ ବେହେରା, ବୈକୁଣ୍ଠ ବେହେରା, ସ୍ବାଧୀନ ବେହେରା ଓ ଦିବସ ବେହେରା ମଧ୍ୟ ଆହତ ହୋଇଛନ୍ତି । ରାଜନୈତିକ କାରଣ ନା ଅନ୍ୟ କୌଣସି କାରଣରୁ ଗଣ୍ଡଗୋଳ ହୋଇଛି ଜଣା ପଡିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି ।

ଅମାନିଆ ହେଲେ ଓଡ଼ିଶା ଭୋଗିବ ପଶ୍ଚିମବଙ୍ଗ ସ୍ଥିତି

ଭୁବନେଶ୍ୱର: ଅମାନିଆ ହେଲେ ଓଡ଼ିଶା ଭୋଗିବ ପଶ୍ଚିମବଙ୍ଗ ସ୍ଥିତି । ରାଜ୍ୟରେ କରୋନା ନିୟନ୍ତ୍ରଣରେ ରହିଥିଲେ ମଧ୍ୟ ବିପଦ ଟଳିନାହିଁ । ଏଭଳି ସମୟରେ କେତେକ ଅମାନିଆ କଟକଣା ମାନୁନଥିବା ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ବରରେ ଅଧିକ ଲୋକ ଅମାନିଆ ହେଉଥିବା ଦେଖିବାକୁ ମିଳିଛି । ଫଳରେ ରାଜଧାନୀରେ କରୋନା ସଂକ୍ରମଣ କମିବାର ନାଁ ନେଉନାହିଁ । ଶତପ୍ରତିଶତ ଟିକାକରଣ ହୋଇଥିଲେ ମଧ୍ୟ କେତେକ ଲୋକଙ୍କ ବେପରୁଆ ନୀତି ପୁଣି ବିପଦକୁ ଆମନ୍ତ୍ରଣ କରୁଛି । କଟକଣା ଓ ସଚେତନତା ସତ୍ତ୍ବେ ରାଜଧାନୀରେ ଲକ୍ଷଣହୀନ କୋଭିଡ୍ ରୋଗୀ ବିନାମାସ୍କରେ ବୁଲୁଛନ୍ତି ।

କୋଭିଡ୍ ନିୟମ କଡ଼ାକଡ଼ି ନକଲେ ଦଶହରା ପରେ ପଶ୍ଚିମବଙ୍ଗରେ କୋଭିଡ୍ ସ୍ଥିତି ଯେପରି ହୋଇଛି ଓଡ଼ିଶାରେ ମଧ୍ୟ ସେପରି ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଆକଳନ କରିଛନ୍ତି । ଏବେ ଓଡ଼ିଶାରେ ସ୍ଥିତି ଭଲ ଥିଲେ ମଧ୍ୟ ନିୟମ ମାନିବାକୁ ପଡିବ । ଆଗାମୀ ୨ରୁ୩ ମାସ ନିୟମ ଠିକ ଭାବେ ପାଳନ କଲେ ମହାମାରୀ ଆଉ ଫେରିବ ନାହିଁ ବୋଲି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ସେପଟେ ଖୁବଶୀଘ୍ର ଦୀପାବଳି ପାଇଁ ଗାଇଡଲାଇନ୍କୁ ଜାରି କରିବେ ରାଜ୍ୟ ସରକାର ।

ବାଜିବ ସ୍କୁଲ ଘଣ୍ଟା, ୧୮ ମାସ ପରେ ସ୍କୁଲ ଯିବେ ଅଷ୍ଟମ ଛାତ୍ରଛାତ୍ରୀ

ଭୁବନେଶ୍ୱର:  ଆଜିଠୁ ଶ୍ରେଣୀ ଗୃହରେ ବସି ପାଠ ପଢିବେ ଅଷ୍ଟମ ଛାତ୍ରଛାତ୍ରୀ । ଦୀର୍ଘ ୧୮ମାସ ପରେ ବିଦ୍ୟାଳୟ ଖୋଲୁଥିବାରୁ ଉତ୍ସାହିତ ଅଛନ୍ତି ଛାତ୍ରଛାତ୍ରୀ । କରୋନା କଟକଣାରେ ସକାଳ ୯ଟାରୁ ୧୨ଟା ୩୦ ଯାଏ ହେବ କ୍ଲାସ୍ । ପୂର୍ବରୁ ସ୍କୁଲ ପରିସରକୁ ସଫେଇ କରାଯିବା ସହିତ କ୍ଲାସ ରୁମକୁ ସାନିଟାଇଜ୍ କରାଯାଇଛି । ପିଲାମାନେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରିବେ । ସ୍କୁଲରେ ପିଲାଙ୍କୁ ଦିଆଯିବନି ମଧ୍ୟାହ୍ନ ଭୋଜନ । ଶିକ୍ଷକ କି ଛାତ୍ରଛାତ୍ରୀଙ୍କ ସାମାନ୍ୟ ଲକ୍ଷଣ ଦେଖାଦେଲେ ବିଦ୍ୟାଳୟ ପ୍ରବେଶ ଅନୁମତି ନାହିଁ ।

ତେବେ ଆଜି ଓ ଆସନ୍ତାକାଲି ପିଲାଙ୍କୁ ପାଠ ପଢାଯିବନାହିଁ । ପିଲାଙ୍କ ମଧ୍ୟରେ ଆଲୋଚନା, ତର୍କ ପ୍ରତିଯୋଗିତା ଭଳି ବିଭିନ୍ନ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜ୍ କରାଯିବ । ସବୁ ପିଲାଙ୍କ ଶିକ୍ଷଣ ସ୍ତରରେ ଆଲୋଚନା ହେବ । ୨୭ରେ ଓଡିଆ, ୨୮ରେ ଗଣିତ ଓ ୨୯ରେ ଇଂରାଜୀ ବିଷୟରେ ଘଣ୍ଟାକର ପରୀକ୍ଷା ହେବ । ଏଥିପାଇଁ ପ୍ରଶ୍ନପତ୍ର ଓସେପା ଓ ଏସସିଇଆରଟି ଯୋଗାଇବ । ଏହି ଆକଳନର ଫଳାଫଳ ପରେ ବିଶ୍ଳେଷଣ ହେବ ।

ପ୍ରତି ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିକାତ୍ମକ ଶିକ୍ଷା ପ୍ରଧାନଶିକ୍ଷକଙ୍କ ଦ୍ବାରା କରାଯିବ । ପଢା ସହଜ କରିବାକୁ ସପ୍ତମ ଶ୍ରେଣୀର ସହଜ ପାଠ ପଢାଯିବ । ସେପଟେ ସ୍କୁଲ୍ ଛାଡିଥିବା ଛାତ୍ରଛାତ୍ରୀଙ୍କ ସର୍ଭେ ସରିଛି । ସେମାନଙ୍କୁ ପୁଣି ବିଦ୍ୟାଳୟ ଫେରାଇ ଆଣିବାକୁ ଯୋଗାଯୋଗ କରାଯିବ । ଶିକ୍ଷକ ପ୍ରତିଦିନ ଲେସନ ନୋଟ୍ ପ୍ରସ୍ତୁତ କରିବା ସହିତ ପଢା ସମ୍ପର୍କିତ ୩୦ ମିନିଟର ବୈଠକ କରିବେ ପ୍ରଧାନଶିକ୍ଷକ । ସିଆରସିସି, ଏବିଇଓ, ଏଡିଇଓ, ଡିଇଓ ପ୍ରତିଦିନ ସ୍କୁଲରେ ତଦାରଖ ପାଇଁ ଯିବେ ।

ବିଜେଡି ପ୍ରତି ବଢୁଛି ବିଶ୍ୱାସ, ପ୍ରଣବଙ୍କ ଉପସ୍ଥିତିରେ ଦଳରେ ମିଶିଲେ ତୁଙ୍ଗ ଯୁବ ନେତା

ଯାଜପୁର: ବିଜେଡି ପ୍ରତି ବଢୁଛି ବିଶ୍ୱାସ । ଆହୁରି ସଶକ୍ତ ହେଉଛି ଯାଜପୁର ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ବିଜେଡି ନେତାଙ୍କ ନିମର୍ଳ ଭାବମୂର୍ତ୍ତି ଉପରେ ଭରସା କରି ଦଳରେ ସାମିଲ ହେଉଛନ୍ତି ଅନ୍ୟ ଦଳର ଅନେକ ନେତା ଓ କର୍ମୀ । ଏନେଇ ଆଜି ଯାଜପୁର ବ୍ଲକ ଭୁବନେଶ୍ବରପୁର ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି ମିଶ୍ରଣ ପର୍ବ ।

ଯାଜପୁର ବିଧାୟକ ତଥା ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ୫୦ରୁ ଅଧିକ କଂଗ୍ରେସର ଆଗ ଧାଡ଼ିର ନେତା ଓ ଯୁବ ଗୋଷ୍ଠି ସଦସ୍ୟ । ତେବେ ଏହି କାର୍ଯ୍ୟକ୍ରମ ଅବସରରେ ପଞ୍ଚାୟତ ବାସୀ ବିଧାୟକଙ୍କୁ ଏକ ରୋଡ଼ ଶୋ ମାଧ୍ୟମରେ ଶଙ୍ଖ ହୁଳହୁଳି ପକାଇ ସଭାସ୍ଥଳକୁ ପାଛୋଟି ନେଇଥିଲେ ।

ପଞ୍ଚାୟତର ଆହୁରି କିପରି ଉନ୍ନତି ହେବ ଏବଂ ମହିଳା ମାନେ କିପରି ନିଜେ ସ୍ୱାବଲମ୍ବୀ ହୋଇପାରିବେ ସେନେଇ ବିଧାୟକ ଉଦବୋଧନ ଦେଇଥିଲେ । ମିଶ୍ରଣ ପର୍ବରେ ଯାଜପୁର ପୂର୍ବତନ ପୌରାଧକ୍ଷ ଭବପ୍ରସାଦ ଦାସ,ସ୍ଥାନୀୟ ସରପଞ୍ଚ ମାନସ ରଞ୍ଜନ ରାୟ,ଯାଜପୁର ବ୍ଲକ ସଭାପତି ପରେସ ବିଶ୍ୱାଳ ,ଉପ ସଭାପତି ପ୍ରକାଶ ତ୍ରିପାଠୀ, ବ୍ଲକ ଅଧ୍ୟକ୍ଷ ଉପସ୍ଥିତ ରହିଥିଲେ ।

T20 World Cup: ଲଜ୍ୟାଜ୍ଜନକ ପରାଜୟ, ପ୍ରଥମ ଥର ଭାରତ ବିପକ୍ଷରେ ପାକିସ୍ତାନର ବିଜୟ

ଦୁବାଇ: ଭାରତର ଐତିହାସିକ ପରାଜୟ  ।  ଭାରତ ପାକିସ୍ତାନ ମୁକାବିଲାରେ ପାକିସ୍ତାନର ବିଜୟ । ୧୫୨ ରନ୍‌ର ଲକ୍ଷ୍ୟକୁ ସହଜରେ ପୂରଣ କଲା ପାକିସ୍ତାନ । ବିନା କୌଣସି ଓ୍ବିକେଟ ହରାଇ ପାକିସ୍ତାନ ବିଜୟ ଲକ୍ଷ୍ୟ ପୂରଣ କରିଛି । ପାକିସ୍ତାନ କ୍ୟାପ୍‌ଟେନ୍‌ ବାବର ୬୮ ରନ୍‌ କରିଥିବା ବେଳେ ରିଜଓ୍ବାନ୍‌ ୭୯ ରନ୍‌ କରିଛନ୍ତି । ଭାରତ ୭ ଓ୍ବିକେଟ ହରାଇ ୧୫୧ ରନ୍‌ କରିଥିଲା । କ୍ୟାପ୍‌ଟେନ ବିରାଟ କୋହଲି ସର୍ବାଧିକ ୫୭ ରନ୍‌ କରିଥିବା ବେଳେ ରିସଭ ପନ୍ଥ ୩୯ ରନ୍‌ କରିଥିଲେ ।

ରବିନ୍ଦ୍ର ଜାଡେଜା ୧୩ ରନ୍‌, ହାର୍ଦ୍ଦିକ ପାଣ୍ଡ୍ୟା ୧୧ ରନ୍‌, ଭୁବନେଶ୍ବର କୁମାର ୫ ରନ୍‌ କରିଥିଲେ । ସେହି ଭଳି କେ ଏଲ ରାହୁଲ ୩ ରନ୍‌ କରିଥିବା ବେଳେ ରୋହିତ ଶର୍ମା ଖାତା ଖୋଲିପାରିନଥିଲେ । ଆରମ୍ଭରୁ ଭାରତର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ପ୍ରଥମ ଓଭରରେ ଓପନର ରୋହିତ ବିନା ରନରେ ପାଭିଲିୟନ ଫେରିଥିଲେ । ସେହିପରି ପାକିସ୍ତାନ ବୋଲର ସାହିନଙ୍କ ବଲରେ ଓପନର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ମଧ୍ୟ ଆଉଟ୍ ହୋଇଥିଲେ । ରାହୁଲଙ୍କ ପରେ ୧୧ରନ୍ କରି ବ୍ୟାଟ୍ସମ୍ୟାନ ସୂର୍ଯ୍ୟ କୁମାର ମଧ୍ୟ ଆଉଟ୍ ହୋଇଥିଲେ ।

ମଧ୍ୟକ୍ରମରେ ବିରାଟ କୋହଲି ଓ ରିଶଭ ପନ୍ଥ ଭଲ ଖେଳୁଥିବା ସମୟରେ ପୁଣି ଭାରତକୁ ଲାଗିଥିଲା ଆଉ ଏକ ଝଟକା । ୩୦ବଲରେ ୩୮ରନ୍ କରି ଆଉଟ୍ ହୋଇଥିଲେ ପନ୍ଥ । ପାକିସ୍ତାନର ସାହିନ ଆଫ୍ରିଦି ୩ଟି ଓ୍ବିକେଟ ନେଇଥିବା ବେଳେ ହାସନ ଅଲ୍ଲି ଦୁଇଟି ଓ୍ବିକେଟ ନେଇଥିଲେ । ସହଦାବ ଖାନ୍‌ ଏବଂ ହରିଶ ରୌଫ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ପାକିସ୍ତାନ ଟସ୍‌ ଜିତିଥିବା ବେଳେ ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା ।

’ମହାଲିଙ୍ଗ କଲେଜ ଓ ସ୍କୁଲକୁ ମିଥ୍ୟାରେ ବଦନାମ କରାଯାଉଛି’

କଳାହାଣ୍ଡି: ମମିତା ମେହେର ହତ୍ୟା ମାମଲାରେ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେଉ । ତେବେ ବିନା ପ୍ରମାଣରେ ମହାଲିଙ୍ଗ କଲେଜ ଓ ସ୍କୁଲକୁ ବଦନାମ କରାଯାଉଛି । କୌଣସି ପ୍ରମାଣ ନଥାଇ ମହାଲିଙ୍ଗ କଲେଜ ଓ ସ୍କୁଲରେ ସେକ୍ସ ରାକେଟ୍ ଚାଲିଥିବା ରିପୋର୍ଟ ପ୍ରକାଶ ପାଉଛି ।

ଏଭଳି ଖବର ପ୍ରଚାର ପ୍ରସାର ଦ୍ୱାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଉଛି । ତେଣୁ ବିନା ପ୍ରମାଣରେ ଏଭଳି ରିପୋର୍ଟ ପ୍ରକାଶ ନକରିବାକୁ କଳାହାଣ୍ଡି ପିପୁଲ୍‌ସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।