spot_img
Home Blog Page 5097

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର: ଡିଲ୍ ବେଳେ ମାଡ଼ିବସିଲା ବନ ବିଭାଗ

କଣ୍ଟାବାଞ୍ଜି: ପୁଣି ଜବତ ହେଲା ଜୀବନ୍ତ ବଜ୍ରକାପ୍ତା । ବଲାଙ୍ଗୀର ଖପ୍ରାଖୋଲରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି । ବଜ୍ରକାପ୍ତା ଚାଲାଣ ନେଇ ମହରାପଦର ଗାଁ ଠାରେ ଡିଲ୍‌ ହେଇଥିବା ବେଳେ ଜବତ କରିଛି ବନ ବିଭାଗ । ଲାଠୋର ଓ ଖପ୍ରାଖୋଲ ବନ ବିଭାଗ ମିଳିତ ଭାବେ ଗ୍ରାହକ ବେଶରେ ଯାଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ବଲାଙ୍ଗୀର ଡିଏଫଓ ନୀତିଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ୍ ଗ୍ରାହକ ସାଜି ଅଭିଯୁକ୍ତ ମାନଙ୍କୁ ଧରିଥିଲେ । ତିନି ଜଣ ଅଭିଯୁକ୍ତ ଡିଲରେ ସାମିଲ ଥିବା ବେଳେ ବନ ବିଭାଗର ଦୁଇ ଜଣକୁ କାବୁ କରିବାକୁ ସକ୍ଷମ ହୋଇଥିଲା । ଗିରଫ ଦୁଇ ଅଭିଯୁକ୍ତ ମହରାପଦରର ସୁଶୀଲ ଧାରୁଆ ଓ ସର୍ଗୀପାଳି ଗାଁର ବଜରଙ୍ଗ ଧରୁଆ ବୋଲି ସୂଚନା ଦେଇଛି ବନ ବିଭାଗ। ତେବେ ଏହି ଘଟଣାରେ ଆଉ କିଏ କିଏ ସାମିଲ ରହିଛନ୍ତି ଏନେଇ ତଦନ୍ତ ଚାଲିଛି । ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି । ଉଦ୍ଧାର ବଜ୍ରକାପ୍ତା କେଉଁ ସ୍ଥାନକୁ ଚାଲାଣ ହୋଇଥାନ୍ତା ଜଣାପଡ଼ିନାହିଁ ।

ଏଥିସହିତ ପଢ଼ନ୍ତୁ: ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ: ପାଗ ଅନୁକୂଳ ରହିଲେ ବାତ୍ୟାରେ ପରିଣତ ହେବ

ମୋଲନୁପିରାଭିରର ଫେଜ୍-୩ ଟ୍ରାଏଲ୍ ରୋକିବାକୁ ଅନୁମତି ମାଗିଲା କମ୍ପାନୀ

ନୂଆଦିଲ୍ଲୀ: ଆମେରିକୀୟ କମ୍ପାନୀ ମର୍କର କୋଭିଡ ଔଷଧ ମୋଲନୁପିରାଭିରର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ରୋକିବାକୁ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI)କୁ  ଅନୁମତି ମାଗିଛନ୍ତି ଭାରତର ଦୁଇଟି ଫାର୍ମାସ୍ୟୁଟିକାଲ କମ୍ପାନୀ। ମଧ୍ୟମ ଧରଣର କୋଭିଡ ସଂକ୍ରମଣ କ୍ଷେତ୍ରରେ ଏହି ଔଷଧ ସମ୍ପୂର୍ଣ୍ଣ ସଫଳ ହୋଇଛି ବୋଲି ଦର୍ଶାଇଛି କମ୍ପାନି । କମ୍ପାନୀଗୁଡିକ ଏହି ଔଷଧକୁ ‘ସାମାନ୍ୟ ଗୁରୁତର’ ଅର୍ଥାତ୍ ମଧ୍ୟମ ଏବଂ ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ କ୍ଷେତ୍ରରେ ଟ୍ରାଏଲ୍ କରୁଛନ୍ତି । କିନ୍ତୁ ବର୍ତ୍ତମାନ ମଧ୍ୟମ ଲକ୍ଷଣ ଥିବା ରୋଗୀମାନଙ୍କ ପାଇଁ ଫେଜ୍-୩ ଟ୍ରାଏଲ୍ ରୋକିବାକୁ ଦାବି କରାଯାଇଛି।

ବଟିକା ଭାବେ ସେବନ କରାଯାଇପାରୁଥିବା ଏହି ଔଷଧକୁ ଯଦି ଅନୁମତି ମିଳେ, ତେବେ ଏହା ଏକ ଗେମ୍ ଚେଞ୍ଜର ହେବ ଏଂବ ପ୍ରଥମ ଭୂତାଣୁନାଶକ ଔଷଧ ଭାବେ ସାବ୍ୟସ୍ତ ହେବ । ଅବବିନ୍ଦ ଫାର୍ମା ଓ ଏମଏସଏନ ଲାବରେଟୋରି ପକ୍ଷରୁ ଏହି ଔଷଧ ପ୍ରସ୍ତୁତ ହୋଇଛି । ଏହାର ଅନ୍ତରୀଣ ଫେଜ-୩ ଟ୍ରାଏଲ ରିପୋର୍ଟ ବିଷୟଗତ ବିଶେଷଜ୍ଞ କମିଟି ବା ଏସଇସି ନିକଟରେ ଦାଖଲ କରାଯାଇଛି। ନିୟମ ଅନୁସାରେ ନୂଆ ଔଷଧ, ଟିକା ଓ କ୍ଲିନିକାଲ ଟ୍ରାଏଲ ସମ୍ପର୍କିତ ରିପୋର୍ଟ ଡିସିଜିଆଇଙ୍କ ନିକଟରେ ଏସଇସି ଦାଖଲ କରିବା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଥାଏ ।

ମୋଲନୁପିରାଭିରର ୨୦୦ ମିଲିଗ୍ରାମ ଓ ୪୦୦ ମିଲିଗ୍ରାମ କ୍ୟାପସୁଲର ଟ୍ରାଏଲ କରାଯାଇଛି । ଗତ ଅକ୍ଟୋବର ୪ ତାରିଖରେ ଏହି ଦୁଇ କମ୍ପାନୀ ଦର୍ଶାଇଥିଲା ଯେ, ମଧ୍ୟମ ଧରଣର କୋଭିଡ କ୍ଷେତ୍ରରେ ସେମାନଙ୍କ ଫେଜ ୩ ଟ୍ରାଏଲ ବନ୍ଦ କରିବା ସହ ସାମାନ୍ୟ ଧରଣର କୋଭିଡ କ୍ଷେତ୍ରରେ ଫେଜ-୩ ଟ୍ରାଏଲ ଲାଗି ଅନୁମତି ଦିଆଯାଉ ।

ସେହିପରି ଗତ ଅକ୍ଟୋବର ୧ ତାରିଖରେ ମର୍କ ପକ୍ଷରୁ ଘୋଷଣା କରାଯାଇଥିଲା ମୃତ୍ୟୁ ବା ହସ୍ପିଟାଲରେ ଭର୍ତ୍ତି ହେବାର ରିସ୍କକୁ ଏହି ଔଷଧ ୫୦ ପ୍ରତିଶତ ହ୍ରାସ କରିବାକୁ ସକ୍ଷମ । ଏହି ଔଷଧ ପ୍ରସ୍ତୁତି ଲାଗି ସିପଲା, ଡକ୍ଟର ରେଡିସ, ସନ ଫାର୍ମା, ହେଟେରୋ, ଏମକ୍ୟୁୟର, ଅରବିନ୍ଦ ଫାର୍ମା ଓ ଏମଏସଏନ ଲାବରେଟୋରି ସହ ମର୍କ କମ୍ପାନୀ ସ୍ବେଚ୍ଛାକୃତ ଲାଇସେନସିଂ ରାଜିନାମା ସ୍ବାକ୍ଷର କରିଛି । ମର୍କ ପକ୍ଷରୁ ବି କୁହାଯାଇଛି ମୋଲନୁପିରାଭିର ସେବନ ପରେ ରୋଗୀଙ୍କ ମୃତ୍ୟୁ ଘଟିବା ଦେଖାଯାଇନାହିଁ ।

ପୋଖରୀକୁ ଖସିପଡ଼ିଲା କାର୍: ଜଣେ ମୃତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥ ଜାମୁଡିହା ନିକଟରେ ଦୁର୍ଘଟଣା । ପୋଖରୀରେ ପଶିଗଲା କାର୍ । ଜଣେ ମୃତ । ବିଳମ୍ବିତ ରାତିରେ କାରଟି ରାସ୍ତାରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ୪୦ ଫୁଟ ତଳେ ଥିବା ପୋଖରୀ ମଧ୍ୟକୁ ଖସି ପଡ଼ିଥିବା ଅନୁମାନ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି କାର୍ ପାଣିରୁ ବାହାର କରିବା ସହ ପୋଖରୀରୁ ଜଣେ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର କରିଛନ୍ତି । ମୃତକ କେନ୍ଦ୍ରାପଡା ଜିଲ୍ଲାର ବୋଲି ସୂଚନା ମିଳିଛି ।

 

 

ତାଓ୍ବାଙ୍ଗ ସେକ୍ଟରରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ହେବାକୁ ଯାଉଥିବା ବେଳେ ସୀମାନ୍ତରେ ପୁଣି ଉତ୍ତେଜନା ଦେଖାଦେଇଛି। ଦୁଇ ଦେଶର ସୀମାନ୍ତ ଅନ୍ତର୍ଗତ ପୂର୍ବାଞ୍ଚଳ ସେକ୍ଟରରେ ଉଭୟ ସୈନ୍ୟବାହିନୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଅରୁଣାଚଳ ପ୍ରଦେଶ ଅନ୍ତର୍ଗତ ସୀମା ରେଖାରେ ଏହି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ପରେ ଉଭୟ ପକ୍ଷ ସତର୍କ ରହିଛନ୍ତି।

ତାଓ୍ବାଙ୍ଗ ସେକ୍ଟରର ୟାଙ୍ଗସେ ଅଞ୍ଚଳରେ ଏହି ଉତ୍ତେଜନା ଘଟିଥିଲା। ଚୀନର ଏକ ବଡ ବାହିନୀ ସୀମାନ୍ତରେ ସଂଘର୍ଷର ସୂତ୍ରପାତ କରିବା ଲାଗି ଚାହିଁଥିଲେ ଏବଂ ଭାରତୀୟ ପାଟ୍ରୋଲିଂ ଟିମ୍ ଏହାର ସଫଳ ମୁକାବିଲା କରିବାରେ ସକ୍ଷମ ହୋଇଥିଲା। ତେବେ ପରେ ପରେ ଲୋକାଲ କମାଣ୍ଡରମାନଙ୍କ ହସ୍ତକ୍ଷେପ ଯୋଗୁ ଏହି ଉତ୍ତେଜନା ଥମିଥିଲା। ପ୍ରକୃତ ନିୟନ୍ତ୍ରଣ ରେଖା ନେଇ ସ୍ପଷ୍ଟତା ରକ୍ଷା କରାଯାଇ ନଥିବାରୁ ଦୁଇ ଦେଶର ସୀମାରେ ଏପରି ସ୍ଥିତି ସୃଷ୍ଟି ହେଉଛି । ତେବେ ଭାରତର ପ୍ରତିରକ୍ଷା ଭିତ୍ତିଭୂମି ପ୍ରତି ଆଞ୍ଚ ଆସିନାହିଁ ବୋଲି କୁହାଯାଇଛି।

ତାଓ୍ବାଙ୍ଗ ସେକ୍ଟରରେ ଗତ ୨୦୧୬ ମସିହାରେ ଏପରି ସମସ୍ୟା ସୃଷ୍ଟି ହୋଇଥିଲା। ମାତ୍ର ସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା । ଆସନ୍ତା କିଛି ଦିନ ମଧ୍ୟରେ ୧୩ତମ କର୍ପସ କମାଣ୍ଡରସ୍ତରୀୟ ଆଲୋଚନା ହେବାକୁ ଯାଉଥିବା ବେଳେ ସୀମା ଉତ୍ତେଜନା ଏଥିରେ ସ୍ଥାନ ପାଇବ ବୋଲି ଆଶା କରାଯାଉଛି। ହଟସ୍ପ୍ରିଙ୍ଗସର ଏକ ସ୍ଥାନରେ ଏବେ ବି ଚୀନ ସୈନ୍ୟ ରହିଛନ୍ତି। ଡେପସାଙ୍ଗ ପ୍ଲେନସରେ ବି ଭାରତୀୟ ସୈନ୍ୟଙ୍କୁ ଚୀନ ପ୍ରବେଶ ଅନୁମତି ଦେଉନାହିଁ । ଗତ ଅଗଷ୍ଟରେ ଉତ୍ତରାଖଣ୍ଡର ବାରାହୋତି ସେକ୍ଟରରେ ବି ୧୦୦ରୁ ଅଧିକ ଚୀନ ସୈନ୍ୟ ପ୍ରବେଶ କରି ଉତ୍ତେଜନା ସୃଷ୍ଟି କରିଥିଲେ।

କରୋନା ସ୍ଥିତି ନେଇ ରାଜ୍ୟ-କେନ୍ଦ୍ର ଆଲୋଚନା ଆଜି: କୋଭିଡ ଗାଇଡଲାଇନ ପାଳନ ସହ ଆଗାମୀ ଦିନ ପାଇଁ ପ୍ରସ୍ତୁତ ହେବ ରୂପରେଖ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ସ୍ଥିତିକୁ ନେଇ ଆଜି ରାଜ୍ୟମାନଙ୍କ ସହ କେନ୍ଦ୍ର ସରକାରଙ୍କ ବୈଠକ ଅନୁଷ୍ଠିତ ହେବ । ଆଗାମୀ ୩ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏନେଇ କଣ କଣ ପଦକ୍ଷେପ ନିଆଯିବ ତା’ ଉପରେ ବିସ୍ତୃତ ଆଲୋଚନା ହେବ । ପାର୍ବଣ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରାଯିବା ସହ ଆଗାମୀ ଦିନ ପାଇଁ ନୂଆ ରୂପରେଖ ପ୍ରସ୍ତୁତ କରାଯିବ । ଡିସେମ୍ବର ମାସରେ ବାହାରକୁ ଅନେକ ଲୋକ ବୁଲିବାକୁ ଯାଇଥାନ୍ତି । ହେଲେ ସଂକ୍ରମଣ କମିନଥିବାରୁ ଚିନ୍ତାପ୍ରକଟ କରିବା ସହ ସମସ୍ତଙ୍କୁ ସଚେତନ ରହିବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର ।

ସେପଟେ ରାଜ୍ୟର ସଂକ୍ରମିତ ସଂଖ୍ୟା ମଧ୍ୟରୁ ଅଧାରୁ ଅଧିକ ରାଜଧାନୀ ଭୁବନେଶ୍ୱରରେ ଚିହ୍ନଟ ହେଉଛନ୍ତି । ଭୁବନେଶ୍ୱରରେ କରୋନା ସଂକ୍ରମଣ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇବାରେ ଲାଗିଛି । ପ୍ରତ୍ୟେକ ଦିନ ୨୫୦ରୁ ୩୦୦ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏଥିପାଇଁ ମୁଖ୍ୟତଃ ଭୁବନେଶ୍ୱରବାସୀଙ୍କୁ ଜଗିରଖି ଚଳିବା ପାଇଁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । କଟକଣା ମାନି ନଚଳିଲେ ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ିପାରେ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି । ଅକ୍ଟୋବର ପାର୍ବଣର ଋତୁ ହୋଇଥିବାରୁ ଏହି ସମୟରେ ଭିଡ଼ ଲାଗିରହେ । ସାମାଜିକ ଦୂରତା ରହୁନଥିବା ବେଳେ ମାସ୍କ ବ୍ୟବହାର କମ ଦେଖିବାକୁ ମିଳେ । ଏହାକୁ ନଜରରେ ରଖି କେନ୍ଦ୍ର ସରକାର ୩ ମାସ ପର୍ଯ୍ୟନ୍ତ ଅଧିକ ସଚେତନତ ରହିବାକୁ ପରାମର୍ଶ ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ହାତୀ ଉତ୍ପାତ: ରାତି ହେଲେ ଗାଁ ମୁହାଁ ହେଉଛନ୍ତି ହାତୀ ପଲ

ହାତୀ ଉତ୍ପାତ: ରାତି ହେଲେ ଗାଁ ମୁହାଁ ହେଉଛନ୍ତି ହାତୀ ପଲ

ଟାଙ୍ଗୀ: ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜରେ ଜଙ୍ଗଲୀ ହାତୀ ଉତ୍ପାତ । ଦିନ ବେଳା ହାତୀପଲ ଜଙ୍ଗଲରେ ରହୁଥିବା ବେଳେ ରାତି ହେଲେ ଖାଦ୍ୟ ଲୋଭରେ ଗାଁ ମୁହାଁ ହେଉଛନ୍ତି ଜଙ୍ଗଲୀ ହାତୀ । ହାତୀ ପଲଙ୍କ ଉପଦ୍ରବ ଯୋଗୁଁ ଲୋକେ ଆତଙ୍କିତ ହେଉଛନ୍ତି । ଗତକାଲି ରାତିରେ ଟାଙ୍ଗୀ ବନାଞ୍ଚଳରୁ ୨ଟି ହାତୀପଲ ବାହାରି ୧୬ନମ୍ବର ଜାତୀୟ ରାଜପଥ ଚମ୍ପାଗଡ଼ ନିକଟ ଓସକେଇ ଖୋଲ ଛକରେ ମଚାଇଥିଲେ ଆତଙ୍କରାଜ । ଫଳରେ ରାସ୍ତାରେ ଗାଡ଼ି ମୋଟର ଚଳାଚଳ ବନ୍ଦ ହୋଇଯାଇଥିଲା । ଖବର ପାଇ ଟାଙ୍ଗୀ ବନ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଦନ୍ତା ୨ଟିକୁ ଜଙ୍ଗଲ ମଧ୍ୟକୁ ଘଉଡ଼ାଇ ଦେଇଛନ୍ତି ।

ବାରିପଦା: ଅପରପକ୍ଷରେ ବାରିପଦା ସହରରେ ଦନ୍ତା ଆତଙ୍କ । ସହରର ମୁର୍ଗବାଡି ଅଞ୍ଚଳରେ ହାତୀ ବୁଲୁଥିବାର ଦେଖିବାକୁ ମିଳିଛି । ତେବେ କୌଣସି କ୍ଷୟକ୍ଷତି ଘଟାଇ ନଥିବା ବେଳେ ବାରିପଦା ବନ ବିଭାଗ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି । ହାତୀ ଯେମିତି ଜନବସତୀ ଆଡକୁ ନଯିବ ସେଥିପାଇଁ ବାଣ ଫୁଟାଇ ହାତୀକୁ ଘଉଡାଇବାକୁ ଚେଷ୍ଟା କରୁଛନ୍ତି ବନ କର୍ମଚାରୀ । ଏବେ ହାତୀ ସଂଖାଭଙ୍ଗା ଅଞ୍ଚଳରେ ଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ: ପାଗ ଅନୁକୂଳ ରହିଲେ ବାତ୍ୟାରେ ପରିଣତ ହେବ

ଭୁବନେଶ୍ୱର: ଆସନ୍ତାକାଲି ଲଘୁଚାପ ସମ୍ଭାବନା । ୧୨ ଘଣ୍ଟାରେ ଘନୀଭୂତ ହୋଇ ଓ୍ୱେଲମାର୍କ ଲୋ-ପ୍ରେସରର ରୂପ ନେବ ଲଘୁଚାପ । ଏହା ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ପରେ ୪ରୁ ୫ ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶା ଉପକୂଳ ଏବଂ ଆନ୍ଧ୍ରପ୍ରଦେଶର କାକିନାଡାରେ ସ୍ଥଳଭାଗ ଛୁଇଁବାର ଅଧିକ ସମ୍ଭାବନା ରହିଛି । ଯଦି ସେହି ସମୟରେ ପାଣିପାଗ ସ୍ଥିତି ଅନୁକୂଳ ରୁହେ ତେବେ ଲଘୁଚାପ ବାତ୍ୟା ଜଓ୍ୱାଦରେ ପରିଣତ ହେବ ।

ଏହାର ପ୍ରଭାବରେ ୧୨ ତାରିଖ ବେଳକୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଆରମ୍ଭ ହେବ । ବିଶେଷ କରି ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁରରେ ବର୍ଷା ହେବ । ବର୍ଷା ସମୟରେ ପବନର ବେଗ ଘଣ୍ଟାପ୍ରତି ଶହେରୁ ଶହେ କୋଡିଏ କିଲୋମିଟର ହେବାର ସମ୍ଭାବନା ରହିଛି । ତେବେ ବାତ୍ୟା ସମ୍ପର୍କରେ ଆସନ୍ତା ୧୩ କିମ୍ବା ୧୪ ତାରିଖରେ ଚିତ୍ର ସ୍ପଷ୍ଟ ହେବ । ସେପଟେ ରାଜ୍ୟରେ ଜାରି ରହିଛି ଘଡଘଡି ବିଜୁଳି ଜନିତ ବର୍ଷା । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଘଡଘଡି ବିଜୁଳି ସହ ବର୍ଷା ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ଦେବଗଡ଼ ଗସ୍ତରରେ ଯିବେ ମୁଖ୍ୟମନ୍ତ୍ରୀ: BSKY ସ୍ମାର୍ଟକାର୍ଡ ବଣ୍ଟନର କରିବେ ଶୁଭାରମ୍ଭ

ଦ୍ୱିତୀୟ ଥର ପାଇଁ ଇନଷ୍ଟାଗ୍ରାମ୍ ଡାଉନ୍, ଫେସବୁକର ବୟାନ ଜାରି

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ଆପ୍ ଇନଷ୍ଟାଗ୍ରାମ୍ ଆଜି ପୁଣି ଥରେ ଡାଉନ୍ ହୋଇଛି । ଗୋଟିଏ ସପ୍ତାହରେ ଦ୍ୱିତୀୟ ଥର ପାଇଁ ଡାଉନ୍ ରହିଥିଲା ଇନଷ୍ଟାଗ୍ରାମ୍ । ବିଳମ୍ବିତ ରାତି ୧୨ଟା ପରେ ସର୍ଭିସ୍ ଡାଉନ୍ ହୋଇଥିବା ସୂଚନା ମିଳିଥିଲା । ଏହି ସମୟରେ ୟୁଜର୍ସ ମେସେଜ୍ ପଠାଇ ପାରୁଥିଲେ ମଧ୍ୟ ଫିଡ୍ ଅପଡେଟ୍ କରି ପାରୁନଥିଲେ ।

ଇନଷ୍ଟାଗ୍ରାମ୍ ଡାଉନ୍ ହେବା ମାତ୍ରେ ଟ୍ୱିଟରରେ #instagramdownagain ର ହ୍ୟାଶଟ୍ୟାଗ୍ ସହ ୟଚଜର୍ସ ମାନେ ମିମ୍ସ ପୋଷ୍ଟ କରୁଥିବା ନଜର ଆସିଥିଲା । ଏହାର କିଛି ସମୟ ପରେ ପୁଣିଥରେ ଇନଷ୍ଟାଗ୍ରାମ୍ ସ୍ୱାଭାବିକ ହୋଇଥିଲା ।

ନ୍ୟୁଜ୍ ଏଜେନ୍ସି  ମୁତାବିକ, ଇନଷ୍ଟାଗ୍ରାମ ବ୍ୟତୀତ ଫେସବୁକ୍ ମେସେଞ୍ଜର ମଧ୍ୟ ଡାଉନ୍ ହୋଇଥିବା ରିପୋର୍ଟ ହୋଇଥିଲା । ବିଶ୍ବର ବହୁ ରାଷ୍ଟ୍ରରେ ଏହି ଆଉଟେଜ ହେବା ଯୋଗୁ କ୍ଷମା ପ୍ରାର୍ଥନା କରିଛି କମ୍ପାନି । ଫେସବୁକ ପକ୍ଷରୁ କୁହାଯାଇଛି ଏହି ତ୍ରୁଟି ଯୋଗୁ କମ୍ପାନି ଦୁଃଖିତ । ୟୁଜରମାନେ ଫେସବୁକ ଉପରେ ନିର୍ଭର କରୁଛନ୍ତି ଏବଂ ପରସ୍ପର ସହ ସମ୍ପର୍କ ରକ୍ଷା କରୁଛନ୍ତି । ଆଉଟେଜ ଯୋଗୁ ୟୁଜରମାନେ ସମସ୍ୟାରେ ପଡିଥିଲେ । ତେବେ ଏହି ସମସ୍ୟାର ସମାଧାନ ହୋଇପାରିଛି ।

ତେବେ ଏହି ଆଉଟେଜ ସମୟରେ ୟୁଜରମାନେ ସେମାନଙ୍କ ଫିଡ୍ ଅପଲୋଡ କରିପାରି ନଥିଲେ କି ମେସେଜ ପଠାଇ ପାରିନଥିଲେ।

ଦେବଗଡ଼ ଗସ୍ତରରେ ଯିବେ ମୁଖ୍ୟମନ୍ତ୍ରୀ: BSKY ସ୍ମାର୍ଟକାର୍ଡ ବଣ୍ଟନର କରିବେ ଶୁଭାରମ୍ଭ

ଦେବଗଡ଼: ଆଜି ଦେବଗଡ଼ରେ ଲେଖାଯିବ ସ୍ମାର୍ଟ ସ୍ୱାସ୍ଥ୍ୟସେବାର ନୂଆ ଇତିହାସ । ଆଜି ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ ହେବ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ଉପସ୍ଥିତ ରହିବେ । ଜିଲ୍ଲାର ୭୮ ହଜାର ୬ ଶହ ୧୫ ଜଣ ଗରିବ ହିତାଧିକାରୀ ଏହି ଯୋଜନାରେ ଉପକୃତ ହେବେ । ଜିଲ୍ଲା ଇଣ୍ଡୋର ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ତିନିଟି ବ୍ଲକର ୭୦ଟି ପଞ୍ଚାୟତରେ କାର୍ଡ ବଣ୍ଟନ କରାଯିବ । ବାରକୋଟ ବ୍ଲକର ୨୪ ପଞ୍ଚାୟତରେ ୨୮ହଜାର ୬୯ ଜଣ ହିତାଧିକାରୀଙ୍କୁ ଦିଆଯିବ କାର୍ଡ । ରିଆମାଳ ବ୍ଲକର ୨୬ଟି ପଞ୍ଚାୟତରେ ୨୭ ହାଜର ୧୭୫ ଓ ତିଳେଇବଣି ବ୍ଲକର ୨୦ଟି ପଞ୍ଚାୟତରେ ୧୯ ହଜାର ୮୬୨ କାର୍ଡ ପ୍ରଦାନ କରାଯିବ । ସେହିପରି ଦେବଗଡ଼ ପୌରପରିଷଦରେ ୩ହଜାର ୫୦୯ ଜଣ ହିତାଧିକାରୀଙ୍କୁ ମଧ୍ୟ କାର୍ଡ ଦିଆଯିବ  । ଏହା ସହିତ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ କରାଯିବ । କାର୍ଯ୍ୟକ୍ରମକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

 

ଲଖିମପୁର-ଖେରି ହିଂସା; ପୋଲିସ ନିକଟରେ ହାଜର ହେବେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର

ଲକ୍ଷ୍ନୗେ: ଆଜି ସକାଳ ୧୧ଟା ସୁଦ୍ଧା ପୋଲିସ ନିକଟରେ ହାଜର ହେବେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର। ଉତ୍ତରପ୍ରଦେଶର ଲଖିମପୁର-ଖେରି ଚାଷୀ ମୃତ୍ୟୁ ମାମଲାରେ ତାଙ୍କୁ ସମନ କରିଥିଲା ପୋଲିସ। ଗତକାଲି ତାଙ୍କୁ ସମନ କରାଯାଇଥିଲେ ମଧ୍ୟ ସେ ହାଜର ହୋଇନଥିଲେ। ପରେ ଆଉ ଥରେ ସମନ କରାଯାଇଥିଲା ।

ଅପରପକ୍ଷେ ଗତକାଲି ସୁପ୍ରିମକୋର୍ଟରେ ୟୁପି ସରକାର ମାମଲାର ଷ୍ଟାଟସ ରିପୋର୍ଟ ରଖିଥିବା ବେଳେ ତଦନ୍ତରେ ଅବହେଳା ନେଇ ପ୍ରବଳ ବର୍ଷିଥିଲେ କୋର୍ଟ। ମାମଲାରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଆଦୌ ସନ୍ତୋଷଜନକ ନୁହେଁ। ହତ୍ୟା ଅଭିଯୁକ୍ତଙ୍କୁ ଧରିବା ପାଇଁ ଏମିତି ସମନ କରାଯାଏ କି ବୋଲି ପ୍ରଶ୍ନ ପଚାରିଥିଲେ ସର୍ବୋଚ୍ଚ ଅଦାଲତ। ଏଥିସହ ତଦନ୍ତ ବେଳେ ଯେମିତି କୌଣସି ପ୍ରମାଣ ନଷ୍ଟ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ତେବେ ହିଂସାକାଣ୍ଡ ପରେ ସ୍ଥାନୀୟ ପୋଲିସ ତଦନ୍ତରେ ସାଂଘାତିକ ଅବହେଳା କରିଛି। ତଥ୍ୟ ପ୍ରମାଣକୁ ସୁରକ୍ଷା ଦେବାରେ ଅବହେଳା କରିଛି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାରେ ବିଫଳ ହୋଇଛି ପୋଲିସ। ଖଣ୍ଡପୀଠ ପୋଲିସ ତଦନ୍ତରେ ଆଦୌ ସନ୍ତୁଷ୍ଟ ନଥିବା କହିଛନ୍ତି। ଏଥିସହିତ ଏଯାଏଁ କାହିଁକି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇନି ବୋଲି କୋର୍ଟ ପ୍ରଶ୍ନ କରିଥିଲେ।