ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀରେ ବିସ୍ଫୋରଣ ଯୋଜନା ପଣ୍ଡ। IED ବିସ୍ଫୋରଣ ଲାଗି ଷଡ଼ଯନ୍ତ୍ର ହୋଇଥିବା ବେଳେ ତାହାକୁ ପଣ୍ଡ କରିଛି ଦିଲ୍ଲୀ ପୋଲିସ। ଏହି ଘଟଣାରେ କିଛି ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ ହୋଇଛି। ବିସ୍ଫୋରଣ ଲାଗି କୁଖ୍ୟାତ ଆତଙ୍କୀ ସଂଗଠନ ISIS ଷଡ଼ଯନ୍ତ୍ର କରୁଥିବା ସୂଚନା ମିଳିବା ପରେ ପୋଲିସ ପକ୍ଷରୁ ଛାନବିନ ଆରମ୍ଭ ହୋଇଥିଲା। ୨ ସନ୍ଦିଗ୍ଧ ଆଇଏସଆଇଏସ ଆତଙ୍କୀଙ୍କୁ ଗିରଫ କରାଯାଇଛି। ୨ ସନ୍ଦିଗ୍ଧଙ୍କ ଭିତରେ ଜଣେ ଦିଲ୍ଲୀର ହୋଇଥିବାବେଳେ ଅନ୍ୟ ଜଣେ ମଧ୍ଯପ୍ରଦେଶର ହୋଇଥିବା ସୂଚନା ମିଳିଛି। ଦିଲ୍ଲୀ ପୋଲିସ ସ୍ପେସାଲ ସେଲ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଗୁଇନ୍ଦା ତଥ୍ୟ ଆଧାରରେ ସର୍ଚ୍ଚ ଅପରେସନ ବେଳେ ସେମାନଙ୍କୁ ଗିରଫ କରାଯାଇଥିଲା। ସେମାନେ ଏପରିକ ଆତ୍ମଘାତୀ ହମଲା କରିବା ଲାଗି ତାଲିମପ୍ରାପ୍ତ ହୋଇଥିବା ସୂଚନା ମିଳିଥିଲା। ଅତିରିକ୍ତ ପୋଲିସ କମିଶନର ପ୍ରମୋଦ କୁସୱାହା ଓ ଏସିପି ଲଳିତ ମୋହନ ନେଗିଙ୍କ ନେତୃତ୍ବରେ ଗଠିତ ଟିମ୍ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା। ପାକିସ୍ତାନର ଆଇଏସଆଇ ପକ୍ଷରୁ ସହଯୋଗ ପାଇ ସେମାନେ ରାଜଧାନୀରେ ଟେରର ମଡ୍ୟୁଲ କରୁଥିଲେ।
ଦୀପାବଳିରେ ବିପଦ ପାଲଟିଲା କାର୍ବାଇଡ୍ ବନ୍ଧୁକ ? ମଧ୍ୟପ୍ରଦେଶରେ ୩୦୦ ଆହତ, ୩୦ ଦୃଷ୍ଟିଶକ୍ତି ହରାଇଲେ
ନନ୍ଦିଘୋଷ ବ୍ୟୁରୋ : ସାରା ଦେଶରେ ଦୀପାବଳି ପାଳନ କରାଯାଉଥିଲା, ଲୋକମାନେ କାର୍ବାଇଡ୍ ବନ୍ଧୁକ ଦ୍ୱାରା ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମଧ୍ୟପ୍ରଦେଶରେ କାର୍ବାଇଡ୍ ବନ୍ଧୁକ ଯୋଗୁଁ ତିରିଶ ଜଣ ଆଖି ହରାଇଛନ୍ତି। ଏହା ସହ ୩୦୦ରୁ ଅଧିକ ଲୋକଙ୍କୁ ଗୁରୁତର ଆଖି ଆଘାତ ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ଯେ ବିହାର ସମେତ ଦେଶର ଅନ୍ୟ କେତେକ ରାଜ୍ୟରେ କାର୍ବାଇଡ୍ ବନ୍ଧୁକ ବ୍ୟବହାର ଯୋଗୁଁ ଆହତ ହେବାର ରିପୋର୍ଟ ଆସିଛି। ତଥାପି, ସବୁଠାରୁ ଖରାପ ପ୍ରଭାବ ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରେ ଦେଖିବାକୁ ମିଳିଛି, ଯେଉଁଠାରେ ସ୍ଥାନୀୟ ବଜାରରେ କାର୍ବାଇଡ୍ ବନ୍ଧୁକ ବ୍ୟାପକ ଭାବରେ ବିକ୍ରି ହେଉଥିଲା। ଯଦିଓ ମଧ୍ୟପ୍ରଦେଶ ସରକାର ଦୀପାବଳି ପୂର୍ବରୁ ଅକ୍ଟୋବର ୧୮ତାରିଖରେ ଏଗୁଡ଼ିକୁ ନିଷିଦ୍ଧ କରିଥିଲେ, ତଥାପି ଏଗୁଡ଼ିକର ଉତ୍ପାଦନ ଏବଂ ବିକ୍ରୟ ବନ୍ଦ କରାଯାଇ ପାରିନଥିଲା କାରଣ ଏଗୁଡ଼ିକ ସ୍ଥାନୀୟ ସ୍ତରରେ ନିର୍ମିତ ହୋଇଥାଏ।
କାର୍ବାଇଡ୍ ବନ୍ଧୁକ କାରଖାନାରେ ତିଆରି ହୁଏ ନାହିଁ। ଏଗୁଡ଼ିକ ସ୍ଥାନୀୟ ଭାବରେ ଏକ ଅତ୍ୟନ୍ତ ସ୍ୱଦେଶୀ ପଦ୍ଧତି ବ୍ୟବହାର କରି ତିଆରି କରାଯାଏ। ଯେପରି ଲୁହା ପାଇପ୍ ପୋଟାସ୍ ଟ୍ୟୁବ୍ ତିଆରି ପାଇଁ ବ୍ୟବହୃତ ହୁଏ, ସେହିପରି ଏହି ବନ୍ଧୁକ ଅନେକ ପ୍ଲାଷ୍ଟିକ୍ ପାଇପ୍ ସହିତ ଯୋଡ଼ି ତିଆରି କରାଯାଏ। ଏହା ଏକ ସ୍ଥାନୀୟ ମିଶ୍ରଣ, ଏବଂ କ୍ୟାଲସିୟମ୍ କାର୍ବାଇଡ୍ ବ୍ୟବହୃତ ହେଉଥିବାରୁ ଏହାକୁ କାର୍ବାଇଡ୍ ବନ୍ଧୁକ କୁହାଯାଏ। ଏହା ବହୁତ ଶସ୍ତା ଏବଂ ପିଲାମାନଙ୍କୁ ଆକର୍ଷିତ କରେ, ତେଣୁ ଏହି ବନ୍ଧୁକ ଏହି ଦୀପାବଳିରେ ବହୁ ସଂଖ୍ୟାରେ କିଣାଯାଇଥିଲା।
ଏହା ବ୍ୟାପକ ଲୋକପ୍ରିୟତା ହାସଲ କରିଥିଲା, ବିଶେଷକରି ସୋସିଆଲ ମିଡିଆ ମାଧ୍ୟମରେ, ଏବଂ ଲୋକମାନେ ଏହାକୁ ମାତ୍ର ୧୫୦ ରୁ ୨୦୦ ଟଙ୍କାରେ ତିଆରି କରି ବିକ୍ରି କରୁଥିଲେ। ଯେଉଁମାନେ ଅଳ୍ପ ସମ୍ପତ୍ତିର ଲୋଭରେ ଏହି ବନ୍ଧୁକ ତିଆରି କରି ବିକ୍ରି କରିଥିଲେ, ସେମାନେ ହୁଏତ ଜାଣି ନ ଥିବେ ଯେ ଏହା ପିଲାମାନଙ୍କ ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପକାଇବ ।
ଏହି ସ୍ୱଦେଶୀ କାର୍ବାଇଡ୍ ବନ୍ଧୁକଟି ବହୁତ ବିପଦପୂର୍ଣ୍ଣ କାରଣ ଏଥିରେ ରାସାୟନିକ ପଦାର୍ଥ ବ୍ୟବହାର କରାଯାଏ। ବନ୍ଧୁକର ପ୍ଲାଷ୍ଟିକ୍ ପାଇପ୍ରେ କ୍ୟାଲସିୟମ୍ କାର୍ବାଇଡ୍ ଢାଳି ଦିଆଯାଏ। ଏହି କ୍ୟାଲସିୟମ୍ କାର୍ବାଇଡ୍ ଉପରେ କିଛି ବୁନ୍ଦା ପାଣି ଢାଳି ଦିଆଯାଏ, ଯାହା ଏକ ଗ୍ୟାସ୍ ସୃଷ୍ଟି କରେ। ଲାଇଟର କିମ୍ବା ଦିଆସିଲି କାଠିରୁ ଏକ ସ୍ପାର୍କିଂ ବିସ୍ଫୋରଣ ଘଟାଇଥାଏ। ଦୀପାବଳିରେ ଏହି ବିସ୍ଫୋରଣ ପାଇଁ ପିଲାମାନେ ଏହାକୁ ବ୍ୟବହାର କରୁଥିଲେ।
କାର୍ବାଇଡ୍ ବନ୍ଧୁକରେ ପାଣି ଏବଂ କ୍ୟାଲସିୟମ୍ କାର୍ବାଇଡ୍ ଖଣ୍ଡର ରାସାୟନିକ ପ୍ରତିକ୍ରିୟା ଦ୍ୱାରା ଆସିଟିଲିନ୍ ଗ୍ୟାସ୍ ଉତ୍ପାଦିତ ହୁଏ। ୱେଲ୍ଡିଂରେ ମଧ୍ୟ ଆସିଟିଲିନ୍ ଗ୍ୟାସ୍ ବ୍ୟବହାର କରାଯାଏ। ଏହା ଅତ୍ୟନ୍ତ ଜ୍ୱଳନଶୀଳ। ଯେତେବେଳେ ପିଲାମାନେ ଏହାକୁ ଦେଖନ୍ତି କିମ୍ବା ମୁହଁ ପାଖରେ ରଖନ୍ତି, ବିସ୍ଫୋରଣ ଫଳରେ ଆସିଟିଲିନ୍ ଗ୍ୟାସ୍ ଏବଂ ଗରମ, ପୋଡ଼ିଯାଇଥିବା କାର୍ବାଇଡ୍ ସିଧାସଳଖ ମୁହଁ ଏବଂ ଆଖିରେ ଆଘାତ କରିପାରେ, ଯାହା ମୁହଁ ଏବଂ ଆଖିରେ ରାସାୟନିକ ପୋଡ଼ାଜଳା ସୃଷ୍ଟି କରେ । ଏହା ସହିତ, ବିସ୍ଫୋରଣ ସମୟରେ ପିଭିସି ପାଇପ୍ ରୁ ଛୋଟ ଛୋଟ ଖଣ୍ଡ ବାହାରକୁ ବାହାରି ଯାଏ। ଏହି ପ୍ଲାଷ୍ଟିକ୍ ଖଣ୍ଡଗୁଡ଼ିକ ଗୁଳି ପରି ଆଖି ଭିତରକୁ ପ୍ରବେଶ କରି ଆଖିକୁ କ୍ଷତି ପହଞ୍ଚାଇପାରେ ଏବଂ ଯଦି ଗୁରୁତର ହୁଏ, ତେବେ ଦୃଷ୍ଟିଶକ୍ତି ମଧ୍ୟ ହରାଇପାରେ।
କାର୍ବାଇଡ୍ ବନ୍ଧୁକ ଯୋଗୁଁ ଘଟିଥିବା ଦୁର୍ଘଟଣାକୁ ଦୃଷ୍ଟିରେ ରଖି, ମଧ୍ୟପ୍ରଦେଶ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ନିଷେଧ ସତ୍ତ୍ୱେ କାର୍ବାଇଡ୍ ବନ୍ଧୁକ କିପରି ବଜାରରେ ପ୍ରବେଶ କଲା ତାହା ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାର ବ୍ୟବହାରକୁ ରୋକିବା ଏବଂ ସେଗୁଡ଼ିକୁ ଜବତ କରିବା ପାଇଁ ବିଭିନ୍ନ ଜିଲ୍ଲାରେ ଚଢାଉ କରାଯାଉଛି। ଅନେକ ଲୋକଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରାଯାଇଛି ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
ପରଲୋକରେ ଆଡଭର୍ଟାଇଜିଂ ଲିଜେଣ୍ଡ ପୀୟୂଷ ପାଣ୍ଡେ
ନନ୍ଦିଘୋଷ ବ୍ୟୁରୋ : ଆଉନାହାନ୍ତି ଆଡଭର୍ଟାଇଜିଂ ଲିଜେଣ୍ଡ ପୀୟୂଷ ପାଣ୍ଡେ। ଫେଭିକଲ ଓ ଭୋଡାଫୋନ ଲାଗି ବିଜ୍ଞାପନ ସକାଶେ ଖ୍ୟାତି ଅର୍ଜନ କରିଥିବା ପୀୟୂଷ ୭୦ ବର୍ଷରେ ଇହଲୀଳା ସମ୍ବରଣ କରିଛନ୍ତି। ଅନେକ ଲୋକପ୍ରିୟ ବିଜ୍ଞାପନ ପ୍ରସାରଣ କରି ସେ କିମ୍ବଦନ୍ତୀ ସାଜିଥିଲେ। ତାଙ୍କ ମୃତ୍ୟୁରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସମେତ ବହୁ ବିଶିଷ୍ଟ ବ୍ଯକ୍ତି ଶୋକବ୍ୟକ୍ତ କରିଛନ୍ତି। କାଡବରୀ ଲାଗି କୁଛ ଖାସ ହୈ ସ୍ଲୋଗାନଠାରୁ ଆରମ୍ଭ କରି ଏସିଆନ ପେଣ୍ଟସର ହର ଖୁସି ମେ ରଙ୍ଗ ଲାୟେ ସମେତ ଭୋଡାଫୋନର ବିଜ୍ଞାପନ ଲାଗି ସେ ଖ୍ଯାତି ଅର୍ଜନ କରିଥିଲେ। ଏପରିକି ୨୦୧୪ରେ ଅବ କି ବାର୍ ମୋଦି ସରକାର ସ୍ଲୋଗାନ ସୃଷ୍ଟି କରି ସେ ସାରା ରାଜନୀତି ଜଗତରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ୧୯୫୫ରେ ଜନ୍ମିତ ପୀୟୂଷ ନିଜ ପ୍ରତିଭା ଲାଗି ପଦ୍ମଶ୍ରୀ ସମ୍ମାନରେ ବିଭୂଷିତ ହୋଇଥିଲେ। ଅମିତାଭ ବଚ୍ଚନଙ୍କ ସହ ପୋଲିଓ ବିଜ୍ଞାପନ, ଫେଭିକଲ ବସ୍ ଫେଭିକଲ ଫିସ୍ ଫେଭିକଲ ସୋଫା, ଫେଭିକଲ କ୍ବିକ, ପଣ୍ଡସ୍, ଚଲ ମେରି ଲୁନା, ବେଲ୍ ବଜାଓ, କ୍ୟାନସର ରୋଗୀ ସଂଘ ଲାଗି ଧୂମପାନ ନିରୋଧୀ ଅଭିଯାନରେ ନିଜର ପାରଦର୍ଶିତା ପ୍ରତିପାଦନ କରିଥିଲେ ପୀୟୂଷ।
ମହଙ୍ଗା ପଡିଲା କଙ୍ଗାରୁ କୋର୍ଟ, ୪ ଜଣଙ୍କୁ ବାନ୍ଧିଲା ପୋଲିସ
ଆନନ୍ଦପୁର : ମହଙ୍ଗାପଡିଲା କଙ୍ଗାରୁ କୋର୍ଟ । ଭିଡିଓ ଭାଇରାଲ ପରେ ୪ ଜଣଙ୍କୁ ବାନ୍ଧିଲା ପୋଲିସ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ଧାନ କାଟି ଫେରୁଥିବା ବେଳେ ପାଣି ପିଇବା ପାଇଁ ଜଣେ ମହିଳାଙ୍କ ନିକଟକୁ ଯାଇଥିଲେ । ଏହି ସମୟରେ ଗାଁର କିଛି ଯୁବକ ସେମାନଙ୍କ ମଧ୍ୟରେ ଖରାପ ସମ୍ପର୍କ ଥିବା କହି କବାଟ ବନ୍ଦ କରିଦେଇଥିଲେ । ପରେ ସମ୍ପୃକ୍ତ ମହିଳାଙ୍କ ସ୍ବାମୀଙ୍କୁ ଜଣାଇବା ସହ ଉଭୟଙ୍କୁ ନିର୍ଦ୍ଧୁମ ମାଡ଼ ମାରିବା ସହ ଲଙ୍କା ଗୁଣ୍ଡ ଏବଂ ପାଣି ଢ଼ାଳି ବାଡ଼େଇ ଥିଲେ । ପରେ ଉଭୟଙ୍କୁ ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇ ଥିବା ନେଇ ଅଭିଯୋଗ ହୋଇଛି। ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇବା ଭିଡିଓ ଭାଇରାଲ ହେଉଛି। ଏନେଇ ଆନନ୍ଦପୁର ଥାନାରେ ସମ୍ପୃକ୍ତ ମହିଳା ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ସେହି ଗ୍ରାମର ୨ ଜଣ ମହିଳା ଏବଂ ୨ ଜଣ ପୁରୁଷଙ୍କୁ ଗିରଫ କରିଛି ।
ଡୁଙ୍ଗୁରିପାଲି-ସୋନପୁର ମୁଖ୍ୟ ରାସ୍ତା ନଙ୍ଗଳକଟା ଠାରେ ରାସ୍ତାରୋକ
ଡୁଙ୍ଗୁରିପାଲି : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ନଙ୍ଗଳକଟା ଗ୍ରାମବାସୀ ନବନିର୍ମାଣ ରାଇସମିଲ ବନ୍ଦ ଦାବିରେ ଆନ୍ଦୋଳନ କରିଛନ୍ତି । ଆଜି ସକାଳ ୬ ଟାରୁ ଡୁଙ୍ଗୁରିପାଲି-ସୋନପୁର ମୁଖ୍ୟ ରାସ୍ତା ନଙ୍ଗଳକଟା ଠାରେ ରାସ୍ତାରୋକ ଓ ଧାରଣା ଦେଇଛନ୍ତି l ଉକ୍ତ ଗ୍ରାମର ରାସ୍ତା ପାର୍ଶ୍ବରେ ସରସ୍ଵତୀ ରାଇସମିଲ ନିର୍ମାଣ ହୋଇଛି ଏବଂ ଏହି ମିଲକୁ କାର୍ଯ୍ୟକାରୀ କରିବାକୁ ପ୍ରଚେଷ୍ଟା ଚାଲିଛି l ଏହି ମିଲ ଚାଲୁ ହେଲେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ନାନା ଅସୁବିଧା ଉପୁଜିବ । ପାଖରେ ଏକ ଡ଼ାକ୍ତରଖାନା ରହିଛି ଏବଂ ଏହା ଜନଗହଳି ପୂର୍ଣ୍ଣ ରାସ୍ତା ଥିବା ଯୋଗୁ ଜନ ସାଧାରଣ ବିଶେଷ ଅସୁବିଧା ଭୋଗିବେ । ତେଣୁ ଏହି ରାଇସମିଲକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ଦାବି କରି ପ୍ରତିବାଦ ଓ ଧାରଣା ଦେଇଛନ୍ତି ଲୋକେ l ଯାହା ଫଳରେ ଉଭୟ ପାର୍ଶ୍ୱରେ ଗାଡ଼ି ଗୁଡିକ ଅଟକି ରହିଛି ଏବଂ ସମ୍ପୂର୍ଣ୍ଣ ଭାବେ ରାସ୍ତା ବନ୍ଦ ହୋଇଛି l

