spot_img
Home Blog Page 5106

ଡ୍ରଗ୍ସ ଲିଙ୍କରେ ଗିରଫ ଆର୍ଯ୍ୟନଙ୍କ ସରୁଛି ରିମାଣ୍ଡ ଅବଧି, ରିମାଣ୍ଡ ଅବଧି ବଢ଼ାଇବା ପାଇଁ NCB କରିପାରେ ଆବେଦନ

ମୁମ୍ବାଇ: ଏନସିବି ହେପାଜତରେ ଆର୍ଯ୍ୟନ ଖାନଙ୍କର ଆଜି ଶେଷ ଦିନ। ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଏନସିବି ହେପାଜତକୁ ନେଇଥିବା ବେଳେ ଆଜି ଅବଧି ଶେଷ ହେଉଛି। ଆର୍ଯ୍ୟନଙ୍କ ସହିତ ଗିରଫ ଅନ୍ୟ ଦୁଇ ଜଣଙ୍କର ହେପାଜତ ଅବଧି ମଧ୍ୟ ପୂରଣ ହେଉଛି। ଏନସିବି ହେପାଜତରେ ଥିବା ବେଳେ ଆର୍ଯାନଙ୍କ ମୁହଁରୁ ସତ ଉଗାରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ପଚରାଉଚରା ବେଳେ ନିଜେ ଡ୍ରଗ୍ସ ବ୍ୟବହାର କରିବା ମାନିବା ସହିତ ଅନେକ ଗୁମର ଖୋଲିଛନ୍ତି ଶାହାରୁଖଙ୍କ ପୁଅ। ଆର୍ଯାନଙ୍କ ମୋବାଇଲ୍ ଚାଟରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି ଏନସିବି। ତାଙ୍କ ବିରୋଧରେ ୨ଟି ପ୍ରମାଣକୁ ଆଧାର କରି ମାମଲା ଚାଲିଛି। କ୍ରୁଜ୍‌ ପାର୍ଟିରେ ଆର୍ଯ୍ୟନଙ୍କୁ ଆମ୍ବାସାଡର କରାଯାଇଥିବା ମଧ୍ୟ ଜଣାପଡିଛି। ସେ ଡ୍ରଗସ୍ ବ୍ୟବସାୟୀଙ୍କଠାରୁ ଡ୍ରଗ୍ସ ଓ ନିଶାଦ୍ରବ୍ୟ ପାଉଥିବା ସ୍ପଷ୍ଟ ହୋଇଛି। ଆଜି ଏନସିବି ହେପାଜତ ସରିବା ପରେ ବେଲ୍ ପାଇଁ ଆବେଦନ କରିପାରନ୍ତି ଆର୍ଯ୍ୟନଙ୍କ ଓକିଲ। ସେପଟେ ରେଭ ପାର୍ଟି ରେଡ ବେଳେ ଗିରଫ ଦୁଇ ଓଡ଼ିଆଙ୍କ ନିକଟରୁ ଜବତ ହୋଇଥିଲା ଚରସ, ଡ୍ରଗ୍ସ, ଗଞ୍ଜେଇ। ଉଭୟ ପାର୍ଟିକୁ ନିଶାଦ୍ରବ୍ୟ ଯୋଗାଉଥିବା କହିଛି ଏନସିବି। ସେପଟେ ଗିରଫ ଦୁଇ ଓଡ଼ିଆ ମନୀଷ ଏବଂ ଅଭିନକୁ ଫସାଇ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ଉଭୟଙ୍କ ବାପା। ମାମଲାରେ ବର୍ତ୍ତମାନ ସୁଦ୍ଧା ୧୬ ଜଣ ଗିରଫ ହୋଇଛନ୍ତି।

ମାତାଲ ଡାକ୍ତର ଏମିତି କରୁଛନ୍ତି ରୋଗୀ ସେବା !

ଢେଙ୍କାନାଳ: ସରକାରୀ ପ୍ରାଥମିକ ଚିକିତ୍ସା କେନ୍ଦ୍ର ସାଧାରଣ ରୋଗୀଙ୍କ ପାଇଁ ବଡ଼ ଭରସା । କିନ୍ତୁ ଅନେକ ସମୟରେ ଦେଖିବାକୁ ମିଳେ ଯେ, ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ସବୁ ପ୍ରକାରର ସୁବିଧା ସୁଯୋଗ ମିଳେନାହିଁ । ଯଦି ଡାକ୍ତର ଥିବେ ତେବେ ଔଷଧ ନଥିବ ଯଦି ଔଷଧ ଥିବ ତେବେ ଡାକ୍ତର ନଥିବେ । ଆଜି କିନ୍ତୁ ଆମେ ଆପଣଙ୍କୁ ଏମିତି ଗୋଟିଏ ଡାକ୍ତରଖାନା ଓ ତା’ର ଡାକ୍ତରଙ୍କ କଥା କହିବୁ ଯିଏ ରୋଗୀ ସେବାକୁ ସତରେ ନିଜ ନିଶା ଭାବେ ଗ୍ରହଣ କରି ନେଇଛନ୍ତି । ଆଉ ପେଶାକୁ ଏତେ ଗମ୍ଭୀରତାର ସହିତ ନିଶା କରିଛନ୍ତି ଯେ, ଡାକ୍ତରଖାନାକୁ ମଦ ପିଇ ଆସୁଛନ୍ତି । ଆଉ ରୋଗୀ ସେବା କରୁକରୁ ମଦ ନିଶାରେ ନିଜେ ନିଦ୍ରା ଯାଉଛନ୍ତି । 

ଏହିଭଳି ଜଣେ ଡାକ୍ତରଙ୍କ କାରନାମ କ୍ୟାମେରାରେ କଏଦ ହୋଇଛି । ଏ ଦୃଶ୍ୟ ଢେଙ୍କାନାଳ ଗନ୍ଦିଆର ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର। ପାଖରେ ରୋଗୀ ଚିକିତ୍ସା ପାଇଁ ବସିଛନ୍ତି, ହେଲେ ଡାକ୍ତର ବାବୁ ନିଘୋଡ ନିଦରେ। ଏ ହେଉଛନ୍ତି ଆୟୂଷ ଡାକ୍ତର ଅନବୀକାନ୍ତ ସାହୁ। ମଦ ନିଶାରେ ଏତେ ଚୁର୍ ଯେ, ଡାକ୍ତର ବାବୁ ଆଉଟଡୋର୍ ଟେବୁଲରେ ଶୋଇ ପଡିଛନ୍ତି। କ୍ୟାମେରା ଦେଖି ସିକ୍ୟୁରିଟି ଗାର୍ଡ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ, ହେଲେ ଡାକ୍ତର ହୋସ୍‌ରେ ଥିଲେ ସିନା ଉଠିବେ। ତେବେ କିଛି ସମୟ ପରେ ଆଉ ଜଣେ ଡାକ୍ତର ମଦୁଆ ଡାକ୍ତରଙ୍କୁ ଉଠାଇବା ସହ ରୋଗୀଙ୍କ ଚିକିତ୍ସା କରିଥିଲେ। ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଏ। ହେଲେ ମଦ ପିଇ ରୋଗୀ ସେବା କରୁଥିବା ଏପରି କିଛି ଡାକ୍ତରଙ୍କ ପାଇଁ ଲୋକଙ୍କ ଭରସା ତୁଟିବାକୁ ବସିଲାଣି। କିଛିଦିନ ତଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡାକ୍ତର ପୋଲିସକୁ ଅଶାଳୀନ ବ୍ୟବହାର କରି ଚର୍ଚ୍ଚା ଆସିଥିଲେ।

ଭୀମଭୋଇ ମେଡିକାଲ କଲେଜର ଛାତ୍ରୀ ନିବାସରେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ବଲାଙ୍ଗୀର: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଛାତ୍ରୀ ନିବାସରେ ଅଘଟଣ। ବିଳମ୍ବିତ ରାତିରେ କଲେଜ ଛାତ୍ରୀ ନିବାସରେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ଜଣକ ହେଲେ ୨୦ ବର୍ଷିୟ ନିରୂପମା ନନ୍ଦ। ସେ ଏମବିବିଏସର ଦ୍ୱିତୀୟ ବର୍ଷ ଛାତ୍ରୀ। ତାଙ୍କ ଘର ବଲାଙ୍ଗୀର ସିଭିଲ କୋର୍ଟ ପଛପଟରେ ବୋଲି ଜଣାପଡିଛି। ବିଳମ୍ବିତ ରାତିରେ ପରିବାର ଲୋକଙ୍କ ଉପସ୍ଥିତିରେ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯିବା ସହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି ଟାଉନ ଥାନା ପୋଲିସ। ତେବେ ନିରୁପମାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକେ।

ରାଜ୍ୟର ବିଭିନ୍ନ ମନ୍ଦିରରେ ଚାଲିଛି ମାଆଙ୍କ ନବରାତ୍ର ପୂଜା, ହରଚଣ୍ଡି ବେଶରେ ଦର୍ଶନ ଦେଉଛନ୍ତି ମାଆ କଟକ ଚଣ୍ଡି

କଟକ: ପାଖେଇ ଆସୁଛି ଦଶହରା। ଆରମ୍ଭ ହେଲାଣି ମାଆଙ୍କର ନବରାତ୍ର ପୂଜା। ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ନବରାତ୍ର ପୂଜା। ଶାରଦୀୟ ଦୁର୍ଗାପୂଜା ଅବସରରେ ବିଭିନ୍ନ ଶକ୍ତି ପୀଠରେ ଚାଲିଛି ମାଆଙ୍କ ଷୋଡଶ ଉପଚାର ପୂଜା। ଏହିକ୍ରମରେ ଆଜି ହରଚଣ୍ଡି ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ କଟକ ଚଣ୍ଡି। ନବରାତ୍ର ପୂଜା ଦୃଷ୍ଚିରୁ ମାଆଙ୍କ ପୀଠରେ ପୂର୍ବାପେକ୍ଷା ଅଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ବିଭିନ୍ନ କଟକଣା ଜାରି କରାଯାଇଛି। ଭକ୍ତଙ୍କୁ ସାମାଜିକ ଦୂରତା ସହିତ କରୋନା କଟକଣରେ ମନ୍ଦିର ମଧ୍ୟକୁ ପ୍ରବେଶ ଅନୁମତି ମିଳୁଛି। ମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ କଟକଣାର କଡ଼ା  ଯାଞ୍ଚ କରାଯାଉଛି।

ସେପଟେ ମାଆ ସମଲେଇଙ୍କ ପୀଠରେ ଆଜିଠୁ ଆରମ୍ଭ ହେଉଛି ନବରାତ୍ର ପୂଜା। ଗତକାଲି ପରି ଆଜି ମଧ୍ୟ ଧବଳମୁଖି ବେଶରେ ଦର୍ଶନ ଦେବେ ମାଆ ସମଲେଶ୍ୱରୀ। ଅଢେଇଦିନ ଦିନ ପର୍ଯ୍ୟନ୍ତ ମାଆଙ୍କୁ ଧବଳମୁଖି ବେଶ କରିବା ନେଇ ପରମ୍ପରା ରହିଛି। ଆଜିଠୁ ସ୍ୱତନ୍ତ୍ର ପୂଜା ବିଧିରେ ମାଆଙ୍କର ନବରାତ୍ର ପୂଜା ଆରମ୍ଭ ହେବ। ମାନସିକଧାରୀ ମାନେ ଦୀପଦାନ କରିବା ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

ପୁଣି ପ୍ରବଳ ବର୍ଷାରେ ଭିଜିବ ଓଡ଼ିଶା, ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଲଘୁଚାପ

ଭୁବନେଶ୍ୱର: ପୁଣି ପ୍ରବଳ ବର୍ଷାରେ ଭିଜିବ ଓଡ଼ିଶା। ଦକ୍ଷିଣ-ଉପକୂଳ ଓଡ଼ିଶାର ସମସ୍ତ ଜିଲ୍ଲାକୁ ବୁଡାଇବ ଲଘୁଚାପ। ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଏହାର ପ୍ରଭାବରେ ଆସନ୍ତା ୧୦ରୁ ୧୫ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୧୦ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଅଧିକ ଘନିଭୂତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବ। ଲଘୁଚାପ ପାଇଁ ଯଦି ପାଗ ଅନୁକୂଳ ରହିବ ତେବେ ଏହା ଅଧିକ ଘନିଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇପାରେ।

ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ସହିତ ଦକ୍ଷିଣ-ଉପକୂଳ ଓଡ଼ିଶାର ସମସ୍ତ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଫଳରେ ଚଳିତବର୍ଷ ଲଘୁଚାପରେ ଭିଜିବ ଦଶହରା। ସେପଟେ ଆଜି ସକାଳ ସାଢେ ୮ଟା ପର୍ଯ୍ୟନ୍ତ ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେପଟେ ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ଓଡ଼ିଶାରୁ ଅକ୍ଟୋବର ୨୦ଭିତରେ ଯେକୌଣସି ମୁହୁର୍ତ୍ତରେ ମୌସୁମୀର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇପାରେ।

ଲଖମିପୁର ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ସୁପ୍ରିମକୋର୍ଟ, କାଲି ଶୁଣାଣି

ନୂଆଦିଲ୍ଲୀ: ଲଖିମପୁର ହିଂସା ଘଟଣାକୁ ନିଜ ଆଡ଼ୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଆସନ୍ତାକାଲି ଗୁରୁବାର ପ୍ରଧାନ ବିଚାରପତି ଏହାର ଶୁଣାଣି କରିବେ । ଲଖିମପୁରରେ ଅକ୍ଟୋବର ୩ରେ ହୋଇଥିବା ହିଂସାକୁ ନେଇ ସୁପ୍ରିମକୋର୍ଟ ହସ୍ତକ୍ଷେପ ପାଇଁ ଲଗାତାର ଦାବି ହେଉଥିଲା । ଲଖିମପୁର ଖିରିରେ କୃଷକଙ୍କ ବିକ୍ଷୋଭ ବେଳେ ହୋଇଥିବା ହିଂସାରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା ।

ସୁପ୍ରିମକୋର୍ଟ ଏହି ମାମଲାକୁ ନିଜ ଆଡ଼ୁ ଶୁଣାଣି ପାଇଁ ନିଅନ୍ତୁ ବୋଲି କହିଥିଲେ କପିଲ ଶିବ୍ବଲ । ଏହା ବାଦ୍ ଘଟଣାକୁ ନେଇ ସୁପ୍ରିମକୋର୍ଟଙ୍କୁ ମଙ୍ଗଳବାର ଏକ ଚିଠି ଲେଖି ଉଚ୍ଚସ୍ତରୀୟ ନ୍ୟାୟିକ ଯାଞ୍ଚ ପାଇଁ ଅନୁରୋଧ କରିଥିଲେ ।

ଲଖିମପୁର ଖିରି ଜିଲ୍ଲାର ତିକୋନିୟାରେ ରବିବାର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଗସ୍ତ, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୈତୃକ ଗାଁ ଗସ୍ତକୁ ନେଇ ବିରୋଧ ପରେ ହିଂସା ହୋଇଥିଲା । ଏଥିରେ ୪ ଜଣ କୃଷକଙ୍କ ସହ ୮ ଜଣଙ୍କ ପ୍ରାଣହାନି ଘଟିଥିଲା । ଏହି ମାମଲାରେ ଅଜୟ ମିଶ୍ରାଙ୍କ ପୁଅ ସମେତ ଅନ୍ୟ କେତେକ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ଆତଙ୍କବାଦୀଙ୍କୁ କାଶ୍ମୀର ପଣ୍ଡିତଙ୍କ ଝିଅର ଆହ୍ୱାନ, ‘ସାହାସ ଅଛି ତ ସାମ୍ନାକୁ ଆସ’

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ପୁଣି କଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଛନ୍ତି । ମଙ୍ଗଳବାର ଶ୍ରୀନଗରର ଇକବାଲ ପାର୍କ ଅଞ୍ଚଳରେ ପ୍ରତିଷ୍ଠିତ କେମିଷ୍ଟ ମଖନଲାଲ ବିନ୍ଦରୁଙ୍କୁ ଆତଙ୍କବାଦୀ ହତ୍ୟା କରିଥିଲେ । ମେଡିସିନ୍ ଷ୍ଟୋର ଭିତରେ ପଶି ତାଙ୍କୁ ଗୁଳି କରିଥିଲେ ଆତଙ୍କବାଦୀ । ବୁଧବାର ତାଙ୍କ ଝିଅ ଶ୍ରଦ୍ଧା ବିନ୍ଦରୁ ଆତଙ୍କବାଦୀଙ୍କୁ ଆହ୍ୱାନ ଦେଇଛନ୍ତି ।

ଶ୍ରଦ୍ଧା କହିଛନ୍ତି, ମୁଁ କଶ୍ମୀର ପଣ୍ଡିତଙ୍କ ଝିଅ । ଆତଙ୍କବାଦୀଙ୍କ ଯଦି ସାହାସ ଅଛି ତେବେ ତାଙ୍କ ସାମ୍ନାକୁ ଆସି ବିତର୍କ କରନ୍ତୁ । ୬୮ ବର୍ଷ ବୟସରେ ଆତଙ୍କବାଦୀ ଯାହାକୁ ହତ୍ୟା କରିଛନ୍ତି ସେ ୧୯୯୦ ମସିହାରେ କାଶ୍ମୀର ଛାଡ଼ି ଯାଇନଥିଲେ ।

ମୋ ପିତା ବହୁତ କର୍ମଠ ଥିଲେ । ଆରମ୍ଭରୁ କାମକୁ ସେ ସାଇକେଲରେ ଯାଉଥିଲେ । ସେ ମୋତେ ଓ ମୋ ଭାଇକୁ ପାଠ ପଢ଼ାଇଛନ୍ତି । ମୋ ଭାଇ ଏହି ଅଞ୍ଚଳର ପ୍ରତିଷ୍ଠିତ ମଧୁମେହ ଡାକ୍ତର । ମୁଁ ସହକାରୀ ଅଧ୍ୟାପିକା ଅଟେ । ମୋ ମାଆ ମହିଳା ହୋଇଥିଲେ ମଧ୍ୟ ମେଡିକାଲରେ କାର୍ଯ୍ୟରତ । ଏଥିରୁ ବୁଝି ପାରୁଥିବେ ମୋ ବାପାଙ୍କ ଧୈର୍ଯ୍ୟ ଶକ୍ତି କେତେ ?

ଆତଙ୍କବାଦୀ ମୋ ବାପାଙ୍କ ଶରୀରକୁ ମାରି ପାରନ୍ତି । କିନ୍ତୁ ତାଙ୍କ ଆତ୍ମା ସବୁବେଳେ ଅମର ରହିବ । ଯିଏ ବି ମୋ ବାପାଙ୍କୁ ଗୁଳି ମାରିଛି ତାକୁ ଚ୍ୟାଲେଞ୍ଜ ଦେଉଛି । ସେ ସାମ୍ନାକୁ ଆସି ମୋ ସହ ତର୍କ କରୁ । କରିପାରିବ ନାହିଁ, କାରଣ ଆତଙ୍କବାଦୀ ସବୁବେଳେ ପଛ ପାଖରୁ ଗୁଳି କରିପାରନ୍ତି । ମୁଁ ମୋ ବାପାଙ୍କ ଝିଅ, ସାହାସ ଅଛି ତ ଆଗକୁ ଆସି ଆଲୋଚନା କର ।

୧୦ ଦିନ ତଳେ ଶେଷଥର ପାଇଁ ‘ରାବଣ’ଙ୍କ ସହ କଥା ହୋଇଥିଲେ ‘ରାମ’

ରାମାନନ୍ଦ ସାଗରଙ୍କ ‘ରାମାୟଣ’ରେ ରାବଣର ଭୂମିକାରେ ଅଭିନୟ କରିଥିବା ଭେଟେରାନ୍ ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କର ୮୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ଅରବିନ୍ଦ ପରଦାରେ ରାବଣ ଭୂମିକାରେ ନଜର ଆସିଥିଲେ ବି ସେ  ବାସ୍ତବ ଜୀବନରେ ପ୍ରଭୁ ରାମଙ୍କର ଜଣେ ବଡ଼ ଭକ୍ତ ଥିଲେ । ଏନେଇ ସେ ଅନେକ ଥର ବିଭିନ୍ନ ସାକ୍ଷାତକାରରେ ପ୍ରକାଶ କରିଛନ୍ତି।

ପରଦାରେ ‘ରାମ’ ଭୂମିକାରେ ନଜର ଆସିଥିବା ଅଭିନେତା ଅରୁଣ ଗୋଭିଲ ମଧ୍ୟ ଅରବିନ୍ଦଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି । ଅରବିନ୍ଦଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିବା ସହ ଅରୁଣ କହିଛନ୍ତି ଯେ, ମୁଁ ଆଜି ଉଠିଲା ବେଳକୁ ମୋର ସହକର୍ମୀ ଅରବିନ୍ଦ ତ୍ରିବେଦୀଙ୍କ ମୃତ୍ୟୁ ଖବର ପାଇଥିଲି। ମୁଁ ତାଙ୍କ ସହିତ ୧୦ ଦିନ ତଳେ କଥା ହୋଇଥିଲି । ତାଙ୍କର କୗେଣସି ଦୁରାରୋଗ୍ୟ ନଥିଲେ ମଧ୍ୟ ସେ ବାର୍ଦ୍ଧକ୍ୟ ଜନିତ ସମସ୍ୟାର ସମ୍ମୁଖୀନ ହୋଇଥିଲେ।

ମୁଁ ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇ ନ ଥିବାରୁ ବହୁତ ଦୁଃଖିତ । ମୁଁ ତାଙ୍କ ସହିତ ଦୀର୍ଘ ସମୟ ଧରି କାମ କରିଥିଲି ଏବଂ ସେ ଜଣେ ଭଲ ବନ୍ଧୁ ଥିଲେ ବୋଲି କହିଛନ୍ତି ଅରୁଣ|

Cruise party Drugs Case: ଏନସିବିକୁ ଡ୍ରଗ୍ସ ମିଳିନଥିବା ଦାବି କଲେ ମହାରାଷ୍ଟ୍ର ମନ୍ତ୍ରୀ

ମୁମ୍ବାଇ: ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ୍ ଉପରେ ଗତ କିଛି ଦିନ ତଳେ ଏନସିବି ଚଢାଉ କରିଥିଲା । ଯେଉଁଥିରେ ବିପୁଳ ପରିମାଣର ଡ୍ରଗ୍ସ ଜବତ ହୋଇଥିଲା । ଏହି ରେଡକୁ ମିଛ ବୋଲି କହିବା ସହ ଏହା ପଛରେ ବିଜେପିର ହାତ ଥିବା ଦାବି କରିଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ।

ଏହି ରେଡ୍ ଘଟଣାରେ ବଲିଉଡ୍ କିଙ୍ଗ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ଗିରଫ କରାଯାଇଥିଲା ।

ଏକ ପ୍ରେସ୍ କନଫରେନ୍ସରେ ଏନସିପି ନେତା ଦାବି କରିଛନ୍ତି ଯେ, କ୍ରୁଜ୍ ଲାଇନର ଉପରେ ହୋଇଥିବା ଏନସିବି ରେଡ୍ ମିଛ । ଏହି ଘଟଣାରେ ମୋଟ୍ ୮ ଜଣ ଗିରଫ ହୋଇଛନ୍ତି । ଏହି ଗିରଫଙ୍କ ମଧ୍ୟରେ ଆର୍ଯ୍ୟନ ଖାନ୍ ସାମିଲ୍ । ଏହି କ୍ରୁଜରେ ଡ୍ରଗ୍ସ ଜବତ ହୋଇନାହିଁ । ଗିରଫ ବ୍ୟକ୍ତିଙ୍କୁ ଏନସିବି ଖାଲି ଫସାଇବାକୁ ଚାହୁଁଥିବା ବେଳେ ବିଜେପି ନେତା ମାନେ ଏହି ରେଡର ଅଂଶ ବୋଲି ସେ ପ୍ରକାଶ କରିଛନ୍ତି ।

 

ଆଇପିଏଲ୍ ବେଟିଂ ବେଳେ ପୋଲିସ ହାତରେ ଧରାପଡ଼ିଲେ ୨ ଭାଇ, ୯ ଲକ୍ଷ ଟଙ୍କା ଜବତ

ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ଜାଡ଼ାଗୋଳା ଗାଁରେ ପୋଲିସର ରେଡ୍ । ଆଇପିଏଲ ବେଟିଂ ଚାଲିଥିବା ସୂଚନା ପାଇ ଦେବଗଡ଼ ଏସପି ରାଜକିଶୋର ପାଇକରାୟଙ୍କ ନିର୍ଦ୍ଦେଶରେ ପୋଲିସର ସ୍ପେଶାଲ ସ୍କ୍ୱାଡ୍ ରେଡ୍ କରିଥିଲା । ଆଇପିଏଲରେ ବେଟିଂ କରୁଥିବା ୨ ଭାଇ ବାପୁନ ବେହେରା  ଓ ଲିପୁନ ବେହେରାଙ୍କୁ ପୋଲିସ ଗିରଫ କରିଛି ।

Deogarh Police Busted IPL Betting Racket, Arrested Two Brother

୨ ଭାଇଙ୍କ ନିକଟରୁ ୯ ଲକ୍ଷରୁ ଅଧିକ ଟଙ୍କା ସହ ମୋବାଇଲ୍ ଫୋନ, ଲାପଟପ୍, ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଓ ଏଟିଏମ କାର୍ଡ ଜବତ କରାଯାଇଛି । ତଦନ୍ତ ବେଳେ ଏହା ଏକ ଆନ୍ତଃ ରାଜ୍ୟ ଗ୍ୟାଙ୍ଗ ବୋଲି ପୋଲିସ ଜାଣିବାକୁ ପାଇଛି । ବେଟିଂରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଜଣା ପଡ଼ିଛି । ପୋଲିସ ୨ ଭାଇଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ।