spot_img
Home Blog Page 5107

ଘଡ଼ିସନ୍ଧି ସମୟ ଦେଇ ଗତି କରୁଛି ରାଜ୍ୟ କଂଗ୍ରେସ: ଚିରଞ୍ଜୀବ ବିଶ୍ୱାଳ

ଭୁବନେଶ୍ୱର: କଂଗ୍ରେସରେ କିଛି ଭଲ ନାହିଁ । ଏ କଥାକୁ ମାନିଛନ୍ତି ଦଳର ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ । ରାଜ୍ୟ କଂଗ୍ରେସ ଏବେ ଏକ ଘଡ଼ିସନ୍ଧି ସମୟ ଦେଇ ଗତି କରୁଥିବା କହିଛନ୍ତି ଚିରଞ୍ଜୀବ । ପିପିଲିରେ କଂଗ୍ରେସ ମାତ୍ର ୪ ହଜାର ଭୋଟ୍ ପାଇବା ଦଳର ନେତା ଓ କର୍ମୀଙ୍କୁ କ୍ଷୁବ୍ଧ କରିଛି । ଯାହାର ପ୍ରତିଫଳନ କଂଗ୍ରେସ ଭବନ ସମ୍ମୁଖରେ ହୋଇଥିଲା । କିଛି କଂଗ୍ରେସ କର୍ମୀ ଦଳୀୟ ସଭାପତିଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନେତୃତ୍ବ ପରିବର୍ତ୍ତନ ପାଇଁ ଦାବି କରିଥିଲେ ।

Senior Congress Leader Chiranjib Biswal Over PCC President Change

ଏହାକୁ ନେଇ ଚିରଞ୍ଜୀବ କହିଛନ୍ତି, ନେତୃତ୍ୱ ପରିବର୍ତ୍ତନ ନିଷ୍ପତ୍ତି ହାଇକମାଣ୍ଡ ନେବେ । ଦଳର ପରିଚାଳନା  ନେଇ ଯଦି କାହାର କୌଣସି ଆପତ୍ତି ଥାଏ ତେବେ ସେମାନେ ହାଇକମାଣ୍ଡଙ୍କ ସହ ଆଲୋଚନା କରନ୍ତୁ । ପିପିଲିରେ ୪ ହଜାର ଭୋଟ୍ ୪ ଲକ୍ଷକୁ ବୃଦ୍ଧି ପାଇବାକୁ ବେଶି ସମୟ ଲାଗିବନି । ଉଭୟ ରାଜ୍ୟ ଓ ଦେଶରେ କଂଗ୍ରେସକୁ ପୁଣି ଥରେ ସଂଗଠିତ କରିବାକୁ ଦଳର ଶୀର୍ଷ ନେତାମାନେ ଉଦ୍ୟମ କରୁଥିବା କହିଛନ୍ତି ଚିରଞ୍ଜୀବ ବିଶ୍ୱାଳ ।

ବଜେଟ୍ ପାଇଁ ପ୍ରସ୍ତୁତି ଆରମ୍ଭ କଲାଣି ଅର୍ଥ ବିଭାଗ

ଭୁବନେଶ୍ୱର: ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ପାଇଁ ଅର୍ଥ ବିଭାଗ ସବୁ ବିଭାଗର ମତାମତ ଲୋଡ଼ିଛି । ଆସନ୍ତା ଡିସେମ୍ବର ୧୫ ତାରିଖ ସୁଦ୍ଧା ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ ପ୍ରସ୍ତାବ ପଠାଇବା ଲାଗି ସବୁ ବିଭାଗକୁ ଚିଠି ଲେଖିଛି ଅର୍ଥ ବିଭାଗ । ସେପଟେ ରାଜ୍ୟ ସରକାରଙ୍କ ବଜେଟ୍ ପ୍ରସ୍ତୁତିକୁ ନେଇ ରାଜନୀତି ବି ଜୋର ଧରିଛି । ପଞ୍ଚାୟତ ନିର୍ବାଚନକୁ ଦୄଷ୍ଟିରେ ରଖି ସରକାର କିଛି ନୂଆ ସ୍କିମ ଘୋଷଣା କରିବେ ବୋଲି ବିରୋଧୀ କହିଛନ୍ତି । ଯାହାର ଦୃଢ ଜବାବ୍ ଦେଇଛି ଶାସକ ଦଳ ।

Finance Department Seeks Proposal For Budget

ଆରମ୍ଭ ହୋଇଛି ବଜେଟ୍ ପ୍ରସ୍ତୁତି । ଆଗାମୀ ବଜେଟ୍ ପାଇଁ ସବୁ ବିଭାଗକୁ ପ୍ରସ୍ତାବ ମାଗିଲା ଅର୍ଥ ବିଭାଗ । ୨୦୨୨-୨୩ ଆର୍ଥିକବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ କାର୍ଯ୍ୟ ଡିସେମ୍ବର ୧୫ ତାରିଖ ସୁଦ୍ଧା ଶେଷ କରିବାକୁ ଅଣ୍ଟା ଭିଡ଼ିଛି ଅର୍ଥ ବିଭାଗ । ରାଜ୍ୟର ପ୍ରାଥମିକତା ଓ ଏସଡିଜି ପାଇଁ ଚିହ୍ନଟ ହୋଇଥିବା କ୍ଷେତ୍ର ଗୁଡିକୁ ବଜେଟ୍ ପ୍ରସ୍ତୁତି ସମୟରେ ପ୍ରାଥମିକତା ଦେବା ପାଇଁ ଚିଠିରେ ପରାମର୍ଶ ଦିଆଯାଇଛି । ବିଶେଷକରି କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଓ କେନ୍ଦ୍ରୀୟ ଯୋଜନା ଗୁଡ଼ିକରେ ମିଳୁଥିବା ଅର୍ଥକୁ ଦୃଷ୍ଟିରେ ରଖି ସବୁ ବିଭାଗ ବଜେଟ୍ ପ୍ରସ୍ତୁତି କରିବାକୁ ଗୁରୁତ୍ୱ ଦିଆଯାଇଛି । ଏଥର ଲୋକାଭିମୁଖି ବଜେଟ୍ କରିବା ପାଇଁ ସରକାର ସବୁ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଥିବା ଶାସକ ଦଳ କହିଛି ।

୨୦୨୧-୨୨ ଆର୍ଥିକ ବର୍ଷ ଶେଷ ବେଳକୁ ଋଣ ପରିମାଣ ମୋଟ ଘରୋଇ ଉତ୍ପାଦନର ୨୫ପ୍ରତିଶତ ଛୁଇଁବ । ୨୦୨୨-୨୩ ବଜେଟ୍‌ରେ ଏହାର ପରିମାଣ ସମାନ ରହିବ ବୋଲି ଅର୍ଥ ବିଭାଗ ଆକଳନ କରିଛି । ତେଣୁ ରାଜ୍ୟ ଅର୍ଥ କମିଶନ କିମ୍ବା ବ୍ୟୟ ବରାଦ ବାହାରେ କୌଣସି ଯୋଜନା ପାଇଁ ଅର୍ଥ ଆବଣ୍ଟନ ନକରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଏଥର ବଜେଟରେ ରାଜ୍ୟ ସରକାର ଅନେକ ନୂଆ ଯୋଜନା ଆଣିବେ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

Finance Department Seeks Proposal For Budget

ରାଜ୍ୟ ସରକାର ଏବେ ୫ ବର୍ଷିଆ ଯୋଜନାରେ ପ୍ରାଥମିକତା ଦେଉଥିବା କ୍ଷେତ୍ର ଗୁଡ଼ିକ ନିମନ୍ତେ ବଜେଟରେ ଆବଶ୍ୟକ ବ୍ୟୟବରାଦ କରିବାକୁ ମଧ୍ୟ ଅର୍ଥ ବିଭାଗ ପରାମର୍ଶ ଦେଇଛି । ବଜେଟରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରସ୍ତରରେ ଆଧୁନିକ ଭିତ୍ତିଭୂମି ସୁବିଧା, ରାଜ୍ୟରେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ସୁବିଧା, ଗ୍ରାମାଞ୍ଚଳରେ ପ୍ରାଥମିକ ସ୍କୁଲରେ ଆଇଟି ଭିତ୍ତିକ ଶିକ୍ଷା ନିମନ୍ତେ ବ୍ୟବସ୍ଥା ଆଦି ମାଧ୍ୟମରେ ରାଜ୍ୟର ସାମଗ୍ରିକ ଅଭିବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏବେ ୧ ଲକ୍ଷ ୭୨ହଜାର କୋଟିରେ ବଜେଟ୍ ପହଞ୍ଚିଛି ।

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ବ୍ରହ୍ମଗିରି ଗସ୍ତ, ହିତାଧିକାରୀଙ୍କୁ ବାଣ୍ଟିବେ BSKY କାର୍ଡ

ବ୍ରହ୍ମଗିରି: ପୁରୀ ପାଇଁ ବ୍ରହ୍ମଗିରିରୁ ଲେଖାହେବ ବିକାଶର ନୂଆ ଅଧ୍ୟାୟ । ଆସନ୍ତାକାଲି ଅପରାହ୍ଣରେ ବ୍ରହ୍ମଗିରି ଗସ୍ତରେ ଯାଇ ପୁରୀ ଜିଲ୍ଲା ପାଇଁ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବ୍ରହ୍ମଗିରି ବିକାଶ ପାଇଁ ପ୍ରାୟ ହଜାରେ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ମଧ୍ୟ କରିବେ । ଏଥିସହ ବ୍ରହ୍ମଗିରି ବ୍ଲକରେ ନବନିର୍ମିତ ମିନି ସଚିବାଳୟର ଶୁଭାରମ୍ଭ କରିବା କାର୍ଯ୍ୟକ୍ରମ ରହିଛି ।

CM Naveen Patnaik To Distribute BSKY Card To People Of Puri

ବ୍ରହ୍ମଗିରି ବିକାଶ ପାଇଁ ନୂଆ ବ୍ଲୁପ୍ରିଣ୍ଟ । ଲେଖାହେବ ବିକାଶର ନୂଆ କାହାଣୀ । ସ୍ମାର୍ଟ ହେଲ୍‌ଲଥ କାର୍ଡ ଦେଉଛି ମାଗଣାରେ ଉତ୍ତମ ସ୍ୱାସ୍ଥ୍ୟସେବାର ପ୍ରତିଶ୍ରୁତି । ବ୍ରହ୍ମଗିରି ବ୍ଲକରୁ ଆରମ୍ଭ ହେବ ପୁରୀ ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ । ଆସନ୍ତାକାଲି ଗୁରୁବାର ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିତାଧିକାରୀଙ୍କୁ ବାଣ୍ଟିବେ ସ୍ମାର୍ଟ କାର୍ଡ । ଆଉ ବନ୍ଧା ପଡ଼ିବନି ଜମି, ଗହଣା, ଅଧାରେ ପିଲାଙ୍କ ପାଠପଢ଼ାରେ ବନ୍ଧା ହେବନି ଡୋରି । ସୁରକ୍ଷିତ ରହିବ ସଞ୍ଚୟ, ସ୍ୱାସ୍ଥ୍ୟସେବା କଥା ବୁଝିବେ ରାଜ୍ୟ ସରକାର । ପୁରୀ ଜିଲ୍ଲାର ୩ ଲକ୍ଷ ୭୬ ହଜାର ହିତାଧିକାରୀ ସ୍ମାର୍ଟକାର୍ଡ ଯୋଜନାରେ ଉପକୃତ ହେବେ ।

CM Naveen Patnaik To Distribute BSKY Card To People Of Puri

ସ୍ମାର୍ଟ କାର୍ଡ ସହ ବ୍ରହ୍ମଗିରିରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ସହ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ବ୍ରହ୍ମଗିରି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ନବ ନିର୍ମିତ ମିନି ସଚିବାଳୟର ହେବ ଲୋକାର୍ପଣ । ପ୍ରାୟ ହଜାରେ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି । ନୂଆ ସଡ଼କ ପ୍ରକଳ୍ପ ସାଙ୍ଗକୁ ପାନୀୟ ଜଳ ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ସମ୍ପର୍କିତ ଏକାଧିକ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ କେରାଣ୍ଡିଆ ହେଲିପ୍ୟାଡରେ ଏକ ସାଧାରଣ ସଭାର ଆୟୋଜନ କରାଯାଉଛି । ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁରୀ ଜିଲ୍ଲାପାଳ ଓ ଏସ୍‌ପି ।

CM Naveen Patnaik To Distribute BSKY Card To People Of Puri

ସ୍ମାର୍ଟ ହେଲଥ କାର୍ଡ ରାଜ୍ୟ ସରକାରଙ୍କ ଏକ ଫ୍ଲାଗସିପ୍‌ କାର୍ଯ୍ୟକ୍ରମ । ଅଗଷ୍ଟ ୨୦ରେ ମୁଖ୍ୟମନ୍ତ୍ରୀ ମାଲକାନଗିରିରେ ଏହାର ଶୁଭାରମ୍ଭ କରିଥିଲେ । ଏହାପରେ ସୁନ୍ଦରଗଡ଼, ବଲାଙ୍ଗିର, ଗଜପତି ଓ ଆସନ୍ତାକାଲି ବ୍ରହ୍ମଗିରିରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

RJDରୁ ଆଉଟ୍ ତେଜ ପ୍ରତାପ ଯାଦବ, ଦାବି କଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶିବାନନ୍ଦ

ପାଟଣା: ଲାଲୁଙ୍କ ପାର୍ଟି ରାଷ୍ଟ୍ରୀୟ ଜନତା ଦଳରେ ସବୁ କିଛି ଠିକ୍ ନଥିବା ଚର୍ଚ୍ଚା ହେଉଛି। ନିକଟରେ ଲାଲୁଙ୍କ ବଡ ପୁଅ ତେଜ ପ୍ରତାପ ପ୍ରଦେଶ ଅଧ୍ୟକ୍ଷ ଜଗଦାନନ୍ଦଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିବା ପରେ ପାର୍ଟି ଅଫିସକୁ ଆସୁନାହାଁନ୍ତି । ଏପରିକି ଲାଲୁଙ୍କୁ ବନ୍ଧକ ରଖାଯାଇଥିବା ଅଭିଯୋଗ କରି ପୂବର୍ରୁ ସାନ ଭାଇ ତେଜସ୍ୱୀଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ।

ଏଭଳି ସ୍ଥିତିରେ ଆରଜେଡିର ପ୍ରଦେଶ ଉପାଧ୍ୟକ୍ଷ ଶିବାନନ୍ଦ ତିୱାରୀ ତେଜ ପ୍ରତାପଙ୍କ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି।ହାଜିପୁରର ଆରଜେଡି କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଶିବାନନ୍ଦ ତିୱାରୀ କହିଛନ୍ତି ଯେ ତେଜ ପ୍ରତାପ ପାର୍ଟିରେ ନାହାଁନ୍ତି। ସେ ଏକ ନୂଆ ସଂଗଠନ ତିଆରି କରିଛନ୍ତି। ତେଜ ପ୍ରତାପ ଯାଦବ ନିଜେ ଆରଜେଡିରୁ ବାହାରିଥିବା ସେ କହିଛନ୍ତି ।

ଆରଜେଡିର ବଡ ବଡ ନେତାମାନେ ତେଜ ପ୍ରତାପ ଯାଦବଙ୍କ ଉପରେ ଅସନ୍ତୁଷ୍ଟ ରହିଆସିଛନ୍ତି । ଏହାପୂର୍ବରୁ ଆରଜେଡି ପ୍ରଦେଶ ଅଧ୍ୟକ୍ଷ ଜଗଦାନନ୍ଦ ସିଂ ତେଜ ପ୍ରତାପଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ତେଜ ପ୍ରତାପ ନିକଟରେ ଛାତ୍ର ଜନଶକ୍ତି ପରିଷଦ ନାମକ ଏକ ସଂଗଠନ ତିଆରି କରିଛନ୍ତି। ଆଉ ଏହି ସଂଗଠନ ମାଧ୍ୟମରେ ସେ ରାଜନୀତି କରୁଛନ୍ତି। ସେ ଆରଜେଡି ବୈଠକରୁ ମଧ୍ୟ ଦୂରରେ ରହୁଥିବା ବେଳେ ମଙ୍ଗଳବାର ଦଳର ତାଲିମ ଶିବିରରେ ତେଜ ପ୍ରତାପଙ୍କ ବିଷୟରେ କୌଣସି ଆଲୋଚନା ହୋଇନଥିଲା।

ଠକାମୀର ଶିକାର SHG, ବିରି ବିହନ ବୁଣାର ୪ ମାସ ପରେ ବି ବିରି ଧରୁନି ଫଳ

ଦେବଗଡ଼: ଉଜୁଡିଲା ବିରି ଚାଷ । ନକଲି ବିହନ ଯୋଗୁଁ ଠକାମିର ଶିକାର ହୋଇଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ । ଦେବଗଡ଼ ଜିଲ୍ଲା ତିଲେଇବଣୀରେ ବିରି ଚାଷ କରିଥିଲେ ଏସଏଚଜି ମହିଳା । ହେଲେ ବିରି ବୁଣା ହେବାର ଚାରିମାସ ପରେ ବି ଗଛରେ ଫଳ ଆସୁନଥିବା ଅଭିଯୋଗ ହୋଇଛି । ଫଳରେ ଋଣ ଆଣି ଚାଷ କରିଥିବା ମହିଳା ଏବେ ଚିନ୍ତାରେ ।

 Allegation Of Duplicate Vigna Mungo To SHG Deogarh

ଠକାମିର ଶିକାର ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା । ୪ମାସ ପରେ ବି ବିରି ଫସଲରେ ଧରୁନି ଫଳ । ଆଇଟିଡିଏ ପକ୍ଷରୁ ମିଳିଥିବା ବିହନ ନକଲି ଅଭିଯୋଗ । ମହିଳାଙ୍କୁ ସଶକ୍ତ କରିବାକୁ ତିଲେଇବଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ବିରି ଚାଷ ପାଇଁ ବିହନ ଯୋଗାଇ ଦେଇଥିଲା । ହେଲେ ବିରି ବୁଣା ହେବାର ୪ ମାସ ପରେ ବି ଗଛରେ ଫଳ ଆସୁନଥିବା ଅଭିଯୋଗ ହୋଇଛି । ପତ୍ର ସବୁ ନଷ୍ଟ ହେବାକୁ ବସିଥିବା ବେଳେ ହେକ୍ଟର ହେକ୍ଟର ଫସଲରେ ଗାଈ ଗୋରୁ ଚରୁଛନ୍ତି ।

 Allegation Of Duplicate Vigna Mungo To SHG Deogarh

ତିଲେଇବଣୀ ବ୍ଲକ ଦୁଧିଆନାଳୀ ପଞ୍ଚାୟତର ପ୍ରାୟ ୨୫୦ରୁ ଅଧିକ ମହିଳା ଆଇଟିଡିଏରୁ ବିହନ, କୀଟନାଶକ ଓ ସାର ଆଣି ରବି ଫସଲ କରିଥିଲେ । ମାତ୍ର ନିମ୍ନମାନର ବିହନ ଓ ନକଲି କୀଟନାଶକ ପାଇଁ ବିରି ଫସଲରେ ଫଳ ଧରୁନଥିବା ଅଭିଯୋଗ କରିଛନ୍ତି ମହିଳାମାନେ । ସେପଟେ ବିରିରେ ଫୁଲ ଧିରିବା ସମୟରେ ଅତ୍ୟଧିକ ବର୍ଷା ପାଇଁ ଏଭଳି ସମସ୍ୟା ଦେଖା ଦେଇଛି ବୋଲି କହିଛନ୍ତି ଆଇଟିଡିଏ ପ୍ରୋଜେକ୍ଟ ମ୍ୟାନେଜର । ନକଲି ବିହନ ପାଇଁ ବିରି ଫସଲ ନଷ୍ଟ ହେଉ କି ମାତ୍ରାଧିକ ବର୍ଷା ପାଇଁ, ଏହାର ତଦନ୍ତ କରି ଏସଏଚଜି ମହିଳାଙ୍କୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି ।

କାବୁଲ ଫେରିଲା ଅବଦୁଲ୍ ଘନି ବରାଦର, ବଢିପାରେ ଟେନସନ୍

ନୂଆଦିଲ୍ଲୀ: ଆଫଗାନିସ୍ତାନର ପ୍ରଧାନମନ୍ତ୍ରୀ ତଥା ତାଲିବାନର ବରିଷ୍ଠ ନେତା ଅବଦୁଲ ଘନି ବରାଦର କାବୁଲ ଫେରିଛନ୍ତି । ସାଙ୍ଗରେ ଆଣିଛନ୍ତି ନିଜ ବଡିଗାର୍ଡ । ଏଥିସହିତ ସେ ସିରାଜୁଦ୍ଦିନ ହକାନୀଙ୍କ ନେତୃତ୍ୱରେ ଥିବା ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ସୁରକ୍ଷାକୁ ପ୍ରତ୍ୟାଖାନ କରିଦେଇଛନ୍ତି ।

ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବରରେ ହକାନୀ ନେଟୱର୍କ ତାଙ୍କ ଉପରକୁ ଆକ୍ରମଣ କରିଥିଲା। ହକାନୀ ଓ ବରାଦର ଗ୍ରୁପ ମଧ୍ୟରେ ଝଗଡା ପରେ ବରାଦର ଆହତ ହୋଇଥିଲା । ଏପରିକି ସେ ମୃତ୍ୟୁବରଣ କରିଥିବା ନେଇ ଚର୍ଚ୍ଚା ମଧ୍ୟ ହୋଇଥିଲା । ଯାହା ପରେ ତାଲିବାନ ପକ୍ଷରୁ ଏକ ଅଡ଼ିଓ ରିଲିଜ କରାଯିବା ସହ ବରାଦର ଜୀବିତ ଓ ସୁସ୍ଥ ଥିବା କୁହାଯାଇଥିଲା ।

ଏବେ ହକାନୀଙ୍କ ସୁରକ୍ଷାକୁ ପ୍ରତ୍ୟାଖାନ କରିବା ପରେ ଉଭୟଙ୍କ ଝଗଡା ଏହାର କାରଣ ବୋଲି କୁହାଯାଉଛି ।  ତେବେ ରିପୋର୍ଟ ଅନୁଯାୟୀ, ତାଲିବାନ ସମସ୍ତଙ୍କ ଆଗରେ ଏକତା ପ୍ରଦର୍ଶନ କରୁଥିଲା ବେଳେ ନେତୃତ୍ୱକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ରହିଛି । ତେବେ ହକାନୀ ନେଟୱର୍କ ପକ୍ଷରୁ କୁହାଯାଇଛି ଯେ ବରାଦରଙ୍କୁ ଗୃହ ମନ୍ତ୍ରଣାଳୟର ସୁରକ୍ଷା ନେବା ଉଚିତ୍ । କିନ୍ତୁ ଡେପୁଟି ମୁଖ୍ୟମନ୍ତ୍ରୀ ମନା କରିଦେଇଛନ୍ତି । ସେପଟେ ବରାଦର କାବୁଲ ଫେରିବା ପରେ ପୁଣି ଟେନସନ୍ ବଢିପାରେ । ବିଶେଷଜ୍ଞଙ୍କ ଅନୁଯାୟୀ, ISI ସମର୍ଥିତ ହକାନୀ ନେଟୱର୍କ ଓ ତାଲିବାନ ମଧ୍ୟରେ ଆଗାମୀ ଦିନରେ ବିବାଦ ବଢିବାର ଆଶଙ୍କା ରହିଛି ।

 

ସ୍ୱରେଜ କାମ ବେଳେ ଫାଟିଲା ପିଏଚଡି ପାଣି ପାଇପ୍, ରିଂ ରୋଡରେ କୃତ୍ରିମ ବନ୍ୟା

କଟକ: ଜାଇକାର ସ୍ୱରେଜ କାମ ବେଳେ ଫାଟିଲା ପିଏଚଡି ପାଣି ପାଇପ୍ । ପୁରୀ ଘାଟରୁ ଖାନନଗର ଯାଉଥିବା ରିଂ ରୋଡରେ ଫାଟିଛି ପାଇପ୍ । ପାଇପ୍ ଫାଟି ୩୦ ଫୁଟରୁ ଅଧିକ ଉଚ୍ଚକୁ ପାଣି ଉଠୁଛି । ସ୍ଥାନୀୟ ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି ।

Crack In PHED Water Pipe Cuttack

ପିଚୁ ରାସ୍ତା ଫଟେଇ ପାଣି ସୁଅ ଉଠିବାରେ ଲାଗିଛି । ଜନଗହଳିପୂର୍ଣ୍ଣ ରିଂ ରୋଡ୍ ରାସ୍ତାରେ ଏଭଳି ଅଘଟଣା ଘଟିଥିବା ବେଳେ ଜାଇକାର କୌଣସି ଅଧିକାରୀଙ୍କୁ ଦେଖିବାକୁ ମିଳିନାହିଁ । ପାଇପ୍ ପାଣି ସୁଅ ପିଚୁ ରାସ୍ତାକୁ ଖଣ୍ଡ ଖଣ୍ଡ କରି ଦେଇଛି ।

ନନ୍ଦନକାନନର ବାଘ ଖୁଆଡ଼ରେ ବାଘ-ଅଜଗର ଲଢେଇ

ମେଣ୍ଢାଶାଳ: ନନ୍ଦନକାନନର ବାଘ ଖୁଆଡ଼ରେ ବାଘ-ଅଜଗର ଲଢ଼େଇ ଦେଖିବାକୁ ମିଳିଛି । ୩୨ ନମ୍ବର ଖୁଆଡ଼ରେ ରହୁଥିବା ଧଳା ମହାବଳ ବାଘୁଣୀ ରୂପା ଖୁଆଡ଼ରେ ଦେଖିବାକୁ ମିଳିଥିଲା ଏ ଦୃଶ୍ୟ । ୧୨ ଫୁଟର ଅଜଗର ସହ ଲଢିଥିଲା ବାଘୁଣୀ ରୂପା । ଯାହାର ମଜା ନେଇଥିଲେ ପର୍ଯ୍ୟଟକ ।

Python And Tiger Fight In Nandankanan Zoo

ହିଂସ୍ର ବାଘୁଣୀକୁ ଆୟତ୍ତ କରିବା ପାଇଁ ଅନେକ ସମୟ ଲାଗିଥିଲା । ବିଳମ୍ବିତ ରାତିରେ ବାଘ ଫିଡିଙ୍ଗ ଚାମ୍ବରକୁ ଗଲାପରେ, ଆହତ ଅଜଗରକୁ ଉଦ୍ଧାର କରାଯାଇଥିଲା । ନନ୍ଦନକାନନ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଅଜଗରର ଚିକିତ୍ସା ପରେ ସରୀସୃପ ଉଦ୍ୟାନରେ ଛଡ଼ାଯାଇଛି ।

କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ରେଳ କର୍ମଚାରୀଙ୍କୁ ମିଳିବ ୭୮ ଦିନର ବୋନସ୍

ନୂଆଦିଲ୍ଲୀ: MITRA ସ୍କିମକୁ ବୁଧବାର ଦିନ ମଞ୍ଜୁରି ପ୍ରଦାନ କରିଛି କ୍ୟାବିନେଟ୍ । ଏହି ଯୋଜନା ଅଧିନରେ ସାରା ଦେଶରେ ୭ ମେଗା ଟେକ୍ସଟାଇଲ୍ ଇନଭେଷ୍ଟମେଣ୍ଟ ପାର୍କ ତିଆରି କରାଯିବ । ଏହାବ୍ୟତୀତ ରେଳ କର୍ମଚାରୀ (ନନ୍-ଗେଜେଟେଡ୍)ଙ୍କୁ ୭୮ ଦିନର ବୋନସ୍ ଦିଆଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର । ଏଥିରେ ପାଖାପାଖି ୧୧,୫୬,୦୦୦ କର୍ମଚାରୀ ଉପକୃତ ହେବାକୁ ଥିବା ବେଳେ ଖର୍ଚ୍ଚ ହେବ ୧,୯୮୫ କୋଟି ଟଙ୍କା ।

କ୍ୟାବିନେଟ୍ ବୈଠକରେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଅନୁରାଗ ।

ଅପରପକ୍ଷେ ପିୟୁଷ ଗୋଏଲ୍ କହିଛନ୍ତି ଯେ, କପଡା ଉଦ୍ୟୋଗରେ ରପ୍ତାନୀକୁ ପ୍ରେତ୍ସାହନ ଦେବା ଲାଗି ସରକାର ୭ଟି ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ୬ଟି ନିଷ୍ପତ୍ତି ହୋଇଥିବା ବେଳେ ଆଜି ଆଉ ଗୋଟିଏ ନିଷ୍ପତ୍ତି ହୋଇଛି ।  ୭ଟି ଟେକ୍ସଟାଇଲ୍ ପାର୍କ ଲାଗି ୧୦ ରାଜ୍ୟ ଇଚ୍ଛା ପ୍ରକାଶ କରିଛନ୍ତି । ଏହି ପାର୍କ ତିଆରି ହେଲେ ୭ ଲକ୍ଷ ପ୍ରତ୍ୟକ୍ଷ ଓ ପରାେକ୍ଷ ଭାବେ ୧୪ ଲକ୍ଷ ରୋଜଗାର ସୃଷ୍ଟି ହେବ । ଏହି ପାର୍କ ୧୦୦୦ ଏକରର ପରିବ୍ୟାପ୍ତ ହେବାକୁ ଥିବା ବେଳେ ତିଆରି ପାଇଁ ପାଖାପାଖି ୧୭୦୦ କୋଟି ଟଙ୍କା ଖର୍ଚ୍ଚ ହେବ।

ସ୍ୱପ୍ନାଦେଶ ପରେ ଜଙ୍ଗଲରେ ତପସ୍ୟାରତ ମହିଳା, ପୂଜାର୍ଚ୍ଚନା ପାଇଁ ଲୋକଙ୍କ ଭିଡ଼

ନବରଙ୍ଗପୁର: ନିର୍ଜନ ଜଙ୍ଗଲ ଓ ପାହାଡ଼ ମଧ୍ୟରେ ବିଶ୍ୱାସର ଲଢ଼େଇ । ସ୍ବପ୍ନାଦେଶ ପରେ ଭଗବାନଙ୍କ କୃପା ପାଇବା ପାଇଁ ତିନି ଦିନ ହେଲା ଜଙ୍ଗଲରେ ତପସ୍ୟାରତ ଅଛନ୍ତି ଜଣେ ମହିଳା । ନା କିଛି ଖାଉଛନ୍ତି ନା କାହା ସହ କଥା ହେଉଛନ୍ତି, ନିମଗ୍ନ ତପସ୍ୟାରେ । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଧାମନାପଦର ଗାଁ ନିକଟ ବାହାଲି ଜଙ୍ଗଲରେ ତପସ୍ୟା କରୁଛନ୍ତି ବାଲମତି ହରିଜନ ।

 Nabarangpur Woman Penance In Forest

ଜଙ୍ଗଲୀ ପଶୁପକ୍ଷୀଙ୍କ ଭୟକୁ ବେଖାତିର୍ କରି ବାଲିମତି ଭଗବତ୍ ବିଶ୍ୱାସକୁ ଆଦରି ନେଇଛନ୍ତି । ତପସ୍ୟା ଖବର ପ୍ରଚାରିତ ହେବା ପରେ ମହିଳାଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ଲୋକଙ୍କ ଭିଡ଼ ଜମୁଛି । ରାତିର ଗହନ ନିଦରେ ସ୍ୱପ୍ନକୁ ବାସ୍ତବରେ ପରିଣତ କରିବାକୁ ବାଲମତିଙ୍କ ତପସ୍ୟା ତିନିଦିନ ହେବ ଜାରି ରହିଛି । ଜଙ୍ଗଲ ମଧ୍ୟରେ ରାତିରେ ମହିଳାଙ୍କ ସ୍ୱାମୀ ସହ କିଛି ଗ୍ରାମବାସୀ ଜଗି ରହୁଛନ୍ତି ।

 Nabarangpur Woman Penance In Forest

ପାପଡ଼ାହାଣ୍ଡି ନିକଟସ୍ଥ ଦଳେଇଗୁଡ଼ା ଗାଁର ସିଙ୍ଗି ହରିଜନ ଗାଈ ଚରାଉ ଥିବାବେଳେ ଝଡ଼ାଫୁଙ୍କା କରି ପରିବାର ଚଳାଇଥାନ୍ତି ପତ୍ନୀ ବାଲମତି ହରିଜନ । ଉଭୟ ଅଲେଖ ମହିମା ଧର୍ମ ଗ୍ରହଣ କରିଛନ୍ତି । ଗତ ଶନିବାର ରାତିରେ ସମସ୍ତେ ଶୋଇଥିବା ବେଳେ କାହାରିକୁ କିଛି ନକହି ଘରୁ ବାହାରି ଯାଇଥିଲେ ସ୍ତ୍ରୀ ବାଲମତି ହରିଜନ । ସକାଳ ହେବା ପରେ ବାଲମତି ଘରେ ନଥିବା ଦେଖି ସ୍ୱାମୀ ସିଙ୍ଗି ଓ ଗ୍ରାମବାସୀ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ଶେଷରେ ଧାମନାପଦର ଗାଁଠାରୁ କିଛି ଦୂରରେ ଥିବା ବାହାଲି ଜଙ୍ଗଲର ଏକ ଛୋଟିଆ ପାହାଡ଼ରେ ତପସ୍ୟାରତ ଅବସ୍ଥାରେ ବସିଥିବା ଦେଖିବାକୁ ପାଇଥିଲେ ।

 Nabarangpur Woman Penance In Forest

ଜଙ୍ଗଲକୁ ଯାଇ ତପସ୍ୟା କଲେ ଭଗବାନଙ୍କ କୃପା ମିଳିବ ବୋଲି ସ୍ୱପ୍ନାଦେଶ ହୋଇଥିବା କହିଛନ୍ତି ବାଲମତି । ତିନି ଦିନ ‌ହେଲା ବାଲମତି ଦୁଇ ଚାମଚ କ୍ଷୀର ପିଉଥିବା ବେଳେ ଭୋର ପ୍ରାୟ ୪ ଟାରେ ଗାଧୋଇବାକୁ ଯାଉଛନ୍ତି । ସେ ତିନି ଦିନ ହେଲା କାହା ସହ କଥା ହୋଇ ନାହାନ୍ତି । ବାଲମତି ତପସ୍ୟାରତ ଥିବା ବେଳେ ଲୋକେ ତାଙ୍କ ନିକଟରେ ନଡ଼ିଆ ଓ କଦଳୀ ଭୋଗ ଲଗାଇବା ସହ ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ଏପରିକି ଅନେକ ‌ଲୋକ ଟଙ୍କା ମଧ୍ୟ ଦାନ କରୁଛନ୍ତି । ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହେଉଥିବା ବେଳେ ଭଗବତ୍ ଆରାଧନା କରୁଥିବା ବାଲମତିଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଏଥିସହ ପଢ଼ନ୍ତୁ: ଘଞ୍ଚ ଜଙ୍ଗଲରେ ଭଗବତ୍ ଆରାଧନା, ଅଖିଆ ଅପିଆ ତପସ୍ୟା କରୁଛନ୍ତି ନିରାବତୀ