spot_img
Home Blog Page 522

ଚୋରା ମଦ ଭାଟି ଉପରେ ବୁଲିଲା ବୁଲଡୋଜର

ଚୋରା ମଦ ଭାଟି ଉପରେ ବୁଲିଲା ବୁଲଡୋଜର । ଆଠଗଡ଼ ଥାନା କୋରଙ୍ଗା ଗାଁରେ ଚୋରା ଦେଶୀ ମଦଭାଟି ଉପରେ ଅବକାରୀ ବିଭାଗ ପକ୍ଷରୁ ବଡ଼ ଧରଣର ଚଢାଉ କରାଯାଇଛି। ଘଟଣାସ୍ଥଳରୁ ଭାଟି ଛାଡ଼ି ମଦ ମାଫିଆ ଫେରାର୍ ହୋଇଯାଇଛି। ଆଠଗଡ଼ ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଆଠଗଡ଼ ଡିଏସପି, ଆଇଆଇସି, ଆଠଗଡ଼ ଅବକାରୀ ଉପଅଧୀକ୍ଷକ ସମେତ ଏକ ପ୍ଲାଟୁନ ଫୋର୍ସ ଚଢ଼ାଉରେ ସାମିଲ ଅଛନ୍ତି । ଦୀର୍ଘ ଦିନ ଧରି ଏହି ଗାଁରେ ଚୋରା ଦେଶୀ ମଦ ପ୍ରସ୍ତୁତ ହୋଇ ଓଡିଶାର ବିଭିନ୍ନ ସ୍ଥାନକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଥିଲା।

ଜଗତସିଂହପୁର ଜିଲ୍ଲାରେ ପୁଣି ଲଜ୍ଜା: ସିଡବ୍ଲୁସି କାର୍ଯ୍ୟାଳୟର ସଭ୍ୟଙ୍କ ନାମରେ ସାଙ୍ଘାତିକ ଅଭିଯୋଗ

ଜଗତସିଂହପୁର ଜିଲ୍ଲାରେ ପୁଣି ଲଜ୍ଜା । ସିଡବ୍ଲୁସି କାର୍ଯ୍ୟାଳୟର ସଭ୍ୟ ବିବେକାନନ୍ଦ ବଳଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ। ଅଭିଯୋଗ ଆଣିଛନ୍ତି ସେହି କାର୍ଯ୍ୟାଳୟର ସାମାଜିକ କୋଅର୍ଡିନେଟର ମହିଳା। ଯୁବତୀ ଜଣକ ଭୁବନେଶ୍ୱର ରୁଚିକା ସମାଜ ମଙ୍ଗଳ ସଂଗଠନ ତରଫରୁ ଏଠାରେ ଶିଶୁ ଶ୍ରମିକ, ଶିଶୁ ଶ୍ରମିକ ଚାଲାଣ, ବାଲ୍ୟ ବିବାହ ରୋକିବା ନିମନ୍ତେ ଜଗତସିଂହପୁର ଜିଲ୍ଲାରେ କୋଅର୍ଡିନେଟର ଭାବେ କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ। ସେ ଏହି କାର୍ଯ୍ୟାଳୟ ପରିସରରେ ଏକ କ୍ଵାର୍ଟର୍ସରେ ରୁହନ୍ତି। ଯୁବତୀ ଜଣକ ଏକୁଟିଆ ରହୁଥିବାର ସୁଯୋଗ ନେଇ ସିଡବ୍ଲୁସି ସଭ୍ୟ ବିବେକାନନ୍ଦ ତାଙ୍କ ପ୍ରତି ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତାଙ୍କ ପକ୍ଷରୁ ଜଗତସିଂହପୁର ଥାନାରେ ଏତଲା ଦାଏର କରାଯାଇଛି। ଅଭିଯୁକ୍ତକୁ ଜଗତସିଂହପୁର ପୋଲିସ ନିଜ ହେପାଜତରେ ରଖିଛି। ସିଡବ୍ଲୁସି ସଭ୍ୟ ବିବେକାନନ୍ଦଙ୍କ ନାମରେ ପୂର୍ବରୁ ଶିଶୁ ସୁରକ୍ଷା କମିଟି ଅଧ୍ୟକ୍ଷଙ୍କ ନିକଟରେ ଫେବୁଆରୀରୁ ପୀଡିତା ଅଭିଯୋଗ କରିଥିଲେ ସୁଦ୍ଧା କଣ ପାଇଁ ଶିଶୁ ସୁରକ୍ଷା କମିଟି ଅଧ୍ୟକ୍ଷ ଏହି ଘଟଣାକୁ ଚାପି ରଖୁଥିଲେ ତାହା ତଦନ୍ତ ସାପେକ୍ଷ।

ବଢ଼ିଲା ରୁଷ-ଆମେରିକା ଉତ୍ତେଜନା: ରୁଷ ନିକଟରେ ମୁତୟନ ହେବ ଦୁଇଟି ଆମେରିକୀୟ ଆଣବିକ ବୁଡ଼ାଜାହାଜ

ରୁଷ ନିକଟରେ ମୁତୟନ ହେବ ଦୁଇଟି ଆମେରିକୀୟ ଆଣବିକ ବୁଡ଼ାଜାହାଜ। ରୁଷର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରି ମେଦଭେଦେବଙ୍କ ଧମକ ପରେ ଏହି ପଦକ୍ଷେପ ନେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ଯଦି ଆକ୍ରମଣ କରାଯାଏ ତେବେ ଜବାବରେର ରୁଷ ଆଣବିକ ହମଲା କରିବାକୁ ପଛାଇବ ନାହିଁ ବୋଲି ରୁଷର ନିରାପତ୍ତା ପରିଷଦ ଉପାଧ୍ୟକ୍ଷ ମେଦଭେଦେବ କହିବା ପରେ ଟ୍ରମ୍ପ ନେଇଛନ୍ତି ପଦକ୍ଷେପ। ଶୀତଳ ଯୁଦ୍ଧ ସମୟରେ ରୁଷ ଯେଉଁ ଭୂମିକା ନିର୍ବାହ କରୁଥିଲା ଠିକ୍ ସେହି ନୀତି ଆପଣାଇବ ବୋଲି ସେ କହିବା ପରେ ଟ୍ରମ୍ପ ହୋଇଛନ୍ତି। ରୁଷଠାରୁ ଭାରତ ତୈଳ ଓ ଶକ୍ତି କ୍ରୟ କରୁଥିବାରୁ ଭାରତ ବିରୋଧରେ ଆମେରିକା ୨୫ ପ୍ରତିଶତ ଟାରିଫ ଲାଗୁ କରିବା ପରଠାରୁ କ୍ଷୁବ୍ଧ ହୋଇଛି ରୁଷ। ସେପଟେ ୟୁକ୍ରେନ ସହ ଅସ୍ତ୍ରବିରତି ସମୟସୀମା ୫୦ ଦିନରୁ ୧୨ ଦିନକୁ ଆମେରିକା ହ୍ରାସ କରିବା ଘଟଣାକୁ ନେଇ ଉତକ୍ଷିପ୍ତ ଅଛି ରୁଷ।

ବିଳମ୍ବିତ ରାତିରେ ଟ୍ରକ ପଛରେ ପିଟି ହେଲା ଟ୍ରାଭେଲର: ୧୩ ଜଣ ଯବାନ ଆହତ

ଅନୁଗୁଳ ଜାତୀୟ ରାଜପଥ-୫୫ ମୁଣ୍ଡାସାହି ଛକରେ ଦୁର୍ଘଟଣା । ବିଳମ୍ବିତ ରାତିରେ ଟ୍ରକ ପଛରେ ପିଟି ହେଲା ଟ୍ରାଭେଲର । ଟ୍ରାଭେଲରରେ ଥିବା ୧୩ ଜଣ ଯବାନ ଆହତ। ସେମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ହୋଇଥିବା ସୂଚନା। ସମସ୍ତ ଯବାନ ଦ୍ବିତୀୟ ବାଟାଲିୟନର ହୋଇଥିବା ସୂଚନା। ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଝାରସୁଗୁଡ଼ାରୁ ଭୁବନେଶ୍ବର ଯାଉଥିବା ବେଳେ ଦୁର୍ଘଟଣା। ୨ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଉଦଳା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ: ୭୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଶାଢ଼ୀ ଜଳିଗଲା

ମୟୂରଭଞ୍ଜ ଉଦଳା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ। ବିଳମ୍ବିତ ରାତିରେ ଶାଢ଼ୀ ସୋରୁମରେ ଲାଗିଲା ନିଆଁ। ହୁ ହୁ ହୋଇ ଜଳିଲା ଦୋକାନ ଘର। ଜଳି ନଷ୍ଟ ପୋଡି ହୋଇଗଲା ୭୦ ଲକ୍ଷ ରୁ ଊର୍ଦ୍ଧ୍ବ ଟଙ୍କାର ଶାଢ଼ୀ ସହିତ ଅନ୍ୟ ସାମଗ୍ରୀ। ୩ ଘଣ୍ଟାର ପରିଶ୍ରମ ପରେ ଅଗ୍ନିଶମ ବାହିନୀ ଦ୍ବାରା ନିଆଁ ଆୟତ୍ତ ହୋଇଛି। ମାର୍କେଟରେ ଥିବା ଶାଢ଼ୀ ମହଲରେ ଅଚାନକ ନିଆଁ ଲାଗିଥିଲା। ଦୋକାନ ଭିତରେ ନିଆଁ ଲାଗିବା ପରେ ସଟର ଦେଇ ଧୂଆଁ ବାହାରିବା ରାତ୍ର ଜଗୁଆଳି ଏହା ଦେଖି ଦୋକାନ ମାଲିକଙ୍କ ଫୋନ କରିଥିଲେ। ଖବର ପାଇ ଉଦଳା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ୩ ଘଣ୍ଟାର ପରିଶ୍ରମ ପରେ ନିଆଁ କୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ। ଅଗ୍ନିକାଣ୍ଡରେ ୭୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଥିବା ବେଳେ ସର୍ଟ ସର୍କିଟ କୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି।

ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ନାହାକକୁ ଏନକାଉଣ୍ଟର: ସୁନିଲର ବାମ ଗୋଡ଼ରେ ବାଜିଛି ଗୁଳି

ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ନାହାକକୁ ଏନକାଉଣ୍ଟର। ବ୍ରହ୍ମପୁର ପୋଲିସ ଜିଲ୍ଲା ଗୋଳନ୍ଥରା ଥାନା ପକ୍ଷରୁ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର କରାଯାଇଛି । ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଥାନା ଅଧିକାରୀ ବିବେକାନନ୍ଦ ଓ ତାଙ୍କ ଟିମ ଏନକାଉଣ୍ଟର କରିଛନ୍ତି। ସୁନିଲ ନିମଖଣ୍ଡି ଥାନା ଲୁଟ୍ ଘଟଣା ସମେତ ଅନ୍ୟାନ୍ୟ ମାମଲାରେ ସମ୍ପୃକ୍ତ ରହି ଫେରାର ରହିଥିଲା । ଗୋଳନ୍ଥରା ଥାନା ପୋଲିସ ଓ ସ୍ୱତନ୍ତ୍ର ଟିମ ଚଢ଼ାଉ ବେଳେ ସୁନିଲ ନାହାକ ପୋଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି କରିଥିବା ଜଣାପଡ଼ିଛି । ସୁନିଲର ବାମ ଗୋଡ଼ରେ ଗୁଳି ବାଜିଥିବା ସୂଚନା ରହିଛି ।

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ନାଁ ଘୋଷଣା: କଥଲ ଶ୍ରେଷ୍ଠ ହିନ୍ଦି ଫିଲ୍ମ, ପୁଷ୍କରାକୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର

ନନ୍ଦିଘୋଷ ବ୍ୟୁରୋ: ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାଁ ଘୋଷଣା କରାଯାଇଛି । ଏଥର ଏହି ପୁରସ୍କାରଗୁଡ଼ିକ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ପାଇଁ ଦିଆଯାଇଛି । ଏଥର ଜାତୀୟ ପୁରସ୍କାରରେ ସର୍ବୋତ୍ତମ ହିନ୍ଦୀ ଚଳଚ୍ଚିତ୍ର ପାଇଁ ‘କଥଲ’କୁ ପୁରସ୍କାର ଦିଆଯାଇଛି । ଏହି ଚଳଚ୍ଚିତ୍ରଟି ୧୯ ମଇ ୨୦୨୩ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିଲା । ‘କଥଲ’ରେ ସାନ୍ୟା ମାଲହୋତ୍ରା, ଅନନ୍ତ ଭି ଜୋଶୀ, ବିଜୟ ରାଜ, ରାଜପାଲ ଯାଦବ, ବ୍ରିଜେନ୍ଦ୍ର କାଲା ଏବଂ ନେହା ସରାଫଙ୍କ ଭଳି କଳାକାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

ଫିଲ୍ମ ‘ଜବାନ’ ପାଇଁ ଶାହରୁଖ ଖାନ ଏବଂ ଫିଲ୍ମ ‘ଟ୍ବେଲଥ ଫେଲ୍’ ପାଇଁ ବିକ୍ରାନ୍ତ ମାସେଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଫିଲ୍ମ ‘ମିସେସ୍ ଚାଟାର୍ଜୀ ଭର୍ସେସ୍ ନରୱେ’ ପାଇଁ ରାଣୀ ମୁଖାର୍ଜୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଦିଆଯାଇଛି । କେରଳ ଫାଇଲ୍ସ ସିନେମା ଶ୍ରେଷ୍ଠ ସିନେମାଟୋଗ୍ରାଫି ପାଇଁ ପୁରସ୍କାର ଜିତିଛି ।

ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶିକଙ୍କ କଥା କହିବା, ତେବେ ବୈଭବୀ ମର୍ଚାଣ୍ଟଙ୍କୁ ‘ରକି ରାନୀ କି ପ୍ରେମ କାହାନି’ ଚଳଚ୍ଚିତ୍ରର “ଢ଼ିଣ୍ଡୋରା ବାଜେ”ରେ ଗୀତ ପାଇଁ ପୁରସ୍କାର ମିଳିଛି । ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ “ଆନିମଲ୍” ଚଳଚ୍ଚିତ୍ରକୁ ଏକ ସ୍ୱତନ୍ତ୍ର ଉଲ୍ଲେଖ ମିଳିଛି । ଶ୍ରେଷ୍ଠ ତେଲୁଗୁ ଚଳଚ୍ଚିତ୍ର ‘ବାଗୱନ୍ତ କେଶରୀ’ ସମ୍ନାନିତ ହୋଇଛି । ଶ୍ରେଷ୍ଠ ଅଣ ଫିଚର ଫିଲ୍ମ ପୁରସ୍କାର “ଦି ସାଇଲେଣ୍ଟ ଏପିଡେମିକ୍”କୁ ଦିଆଯାଇଛି । ଶ୍ରେଷ୍ଠ ଚଳଚ୍ଚିତ୍ର ସ୍କ୍ରିପ୍ଟ ପାଇଁ “ସନଫ୍ଲାୱାର୍ ୱେର୍ ଦି ଫାଷ୍ଟ ୱନ୍ସ ଟୁ ନୋ” ଚଳଚ୍ଚିତ୍ରକୁ ଚୟନ କରାଯାଇଛି । ଶ୍ରେଷ୍ଠ ଚଳଚ୍ଚିତ୍ର କ୍ରିଟିକ୍ ପୁରସ୍କାର ଉତ୍ପଲ୍ ଦତ୍ତଙ୍କୁ ଦିଆଯାଇଛି ।

ଏହି ଅବସରରେ ଓଡ଼ିଆ ସିନେ ଜଗତକୁ ମିଳିଛି ବଡ଼ ଉପହାର । ଓଲିଉଡ୍ ଇଣ୍ଡଷ୍ଟ୍ରି ପାଇଁ ଆସିଛି ଖୁସିର ଖବର । ସବ୍ୟସାଚୀ ମିଶ୍ର ଅଭିନୀତ ‘ପୁଷ୍କରା’କୁ ମିଳିଛି ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର । ୨୦୨୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’ ବହୁ ପ୍ରଶଂସା ସାଉଁଟିଥିଲା । ଏହି ଚଳଚ୍ଚିତ୍ରରେ ସବ୍ୟସାଚୀ ମିଶ୍ର ଏବଂ ସୁପ୍ରିୟା ନାୟକ ଜୀବନ୍ତ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିବାରେ ସଫଳ ହୋଇଥିଲେ । ‘ପୁଷ୍କରା’ ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ ରମେଶ ବାରିକ । ଶଙ୍କର ତ୍ରିପାଠୀ ଏହାର କାହାଣୀ ଏବଂ ସଂଳାପ ଲେଖିଥିଲେ ।

ନବୀନ ନାଁ ନେଇଯିବେ ବୋଲି ମେଟ୍ରୋ ପ୍ରକଳ୍ପକୁ ବଳି ପକାଇ ଦେଲେ ରାଜ୍ୟ ସରକାର

ନନ୍ଦିଘୋଷ ବ୍ୟୁରୋ: ଓଡିଶାର ମେଟ୍ରୋ ରେଳ ସ୍ବପ୍ନ ସ୍ବପ୍ନରେ ରହିଗଲା । ନବୀନ ପଟ୍ଟନାୟକ ନାଁ ନେଇଯିବେ ବୋଲି ବିଜେପି ସରକାର ମେଟ୍ରୋ ପ୍ରକଳ୍ପ କରିବାକୁ ଚାହୁନାହିଁ ବୋଲି ଅଭିଯୋଗ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେଡି । ରାଜ୍ୟ ସରକାରଙ୍କ ଏପରି ଆଭିମୁଖ୍ୟ ଓଡ଼ିଶାକୁ ପଛକୁ ନେଇଯାଇଛି ବୋଲି ବିଜେଡି ଅଭିଯୋଗ କରିଛି । ଯାହାର ଜବାବରେ ବିଜେପି କହିଛି ରାଜଧାନୀରେ ମେଟ୍ରୋ ପ୍ରକଳ୍ପ ଆବଶ୍ୟକତା ନାହିଁ । ଯାହାକୁ ନେଇ ରାଜନୀତି ତେଜିବାରେ ଲାଗିଛି ।

ନବୀନଙ୍କ ଶାସନ ସମୟରେ ଓଡ଼ିଶାର ରାଜଧାନୀ ଭୁବନେଶ୍ବର ସାଜିଥିଲା ଦେଶ ତଥା ବିଶ୍ବର ଏକ ପ୍ରମୁଖ ଡେଷ୍ଟିନେସନ । କ୍ରୀଡା, ଶିଳ୍ପୟନ, ଆଇଟି, ପର୍ଯ୍ୟଟନ ସବୁଥିରେ ମୁଖ୍ୟ ଆକର୍ଷଣ ସାଜିଥିଲା ଭୁବନେଶ୍ବର । ସେଥିପାଇଁ ହୁ ହୁ ହୋଇ ବଢୁଥିବା ଭୁବନେଶ୍ବରକୁ ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର ସହର ପରି ଗଢି ତୋଳିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମେଟ୍ରୋ ପ୍ରକଳ୍ପର ପରିକଳ୍ପନା କରିଥଲେ । ୨୦୨୩ ଏପ୍ରିଲ ୧ ତାରିଖରେ ମେଟ୍ରୋ ପ୍ରକଳ୍ପକୁ ଅନୁମୋଦନ କରିଥିଲେ ନବୀନ । ୨୦୨୪ ଜାନୁଆରୀ ପହିଲାରେ ତ୍ରିଶୁଳିଆରେ ନବୀନ ପ୍ରଳ୍ପଳର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । କାମ ମଧ୍ୟ ଆରମ୍ଭ ହୋଇଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନବନ୍ଦରୁ ତ୍ରିଶୁଳିଆ ଯାଏଁ ମେଟ୍ରୋ ଗଡିଥାନ୍ତା । ପ୍ରକଳ୍ପ ପାଇଁ ମୋଟ ୬ ହଜାର ୨୫୫ କୋଟି ଟଙ୍କା ଖର୍ଚ୍ଚ ହୋଇଥାନ୍ତା । ହେଲେ ନବୀନଙ୍କ ଏହି ସ୍ବପ୍ନକୁ ବିଜେପି ସରକାର ଧୂଳିସାତ କରିଛି । ତାହା କେବଳ ଶ୍ରେୟ ରାଜନୀତି ପାଇଁ । ଯାହାକୁ ନେଇ ବିଜେପି ସରକାର ଉପରେ ବର୍ଷିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ବିଜେଡି ସରକାର ମେଟ୍ରୋ ଶ୍ରେୟ ନେଇଯିବ ବୋଲି ବିଜେପି ପ୍ରକଳ୍ପ କରୁନାହିଁ । ବିଜେପି ସରକାରକୁ ଆସିବା ପରେ ଓଡିଶାବାସୀଙ୍କ ସବୁ ସ୍ବପ୍ନକୁ ଧୂଳିସାତ କରୁଛି ବୋଲି କହିଛନ୍ତି ବିଜେଡି ବିଧାୟକ ସାରଦା ଜେନା । ମେଟ୍ରୋ ପ୍ରକଳ୍ପ ହେଲେ ନବୀନ ପଟ୍ଟନାୟକ ନାଁ ନେଇଯିବେ ବୋଲି ବିଜେପି ପ୍ରକଳ୍ପକୁ ବନ୍ଦ କରିଦେଲା । ବିଜେପି ବିଧାୟକ ବାବୁ ସିଂହ ଏହାର ଜବାବରେ କହିଛନ୍ତି ରାଜଧାନୀରେ ମେଟ୍ରୋର ଆବଶ୍ୟକତା ନାହିଁ ।

ଅନ୍ୟପଟେ ଭୁବେନଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, ମେଟ୍ରୋ ପ୍ରକଳ୍ପ ନେଇ ବିଜେପି ବିଧାୟକ ଓ ମନ୍ତ୍ରୀମାନେ କେତେବେଳେ କେଉଁ ସୂଚନା ଦେଉଛନ୍ତି ତାହାର ତାଳମେଳ ନାହିଁ । ଭୁବନେଶ୍ବର ମେଟ୍ରୋ ଚୁକ୍ତିନାମା ବାତିଲ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଭୁବନେଶ୍ବର ପାଇଁ ମେଟ୍ରୋ ଜରୁରୀ ହୋଇପଡ଼ିଛି । ବିଜେଡି ସରକାର କାମ ଆରମ୍ଭ କରିଥିଲେ । ପ୍ରକଳ୍ପ ଶେଷ ହେଲେ କାଳେ ନବୀନ ନାଁ ନେଇଯିବେ ତେଣୁ ବିଜେପି ପ୍ରକଳ୍ପକୁ ବନ୍ଦ କରିଛି । ଓଡିଶାବାସୀ ଏହାର ଜବାବ ଦେବେ ବୋଲି ସେ କହିଛନ୍ତି ।

୨୦୨୭-୨୮ ସୁଦ୍ଧା ମେଟ୍ରୋ ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ହେଲେ ସରକାର ବଦଳିବା ପରେ ସବୁ କିଛି ବଦଳିଗଲା ଓ ମେଟ୍ରୋ ରେଳ ଏବେ ଅନ୍ଧାରକୁ ଚାଲିଯାଇଛି ।

ବଜାରରେ ଲାଗିଛି ଦରଦାମ ନିଆଁ, ସରକାରଙ୍କ ଉପରେ ବର୍ଷିଲା ବ୍ୟବସାୟୀ ମହାସଂଘ

ନନ୍ଦିଘୋଷ ବ୍ୟୁରୋ: ଦୋକନ ବଜାରରେ ଯିଏ ଯେତେ ପାରିଲା ସେତେ ଦର ନେଲା । ଅତ୍ୟାବଶ୍ୟକ ସାମଗ୍ରୀ ଠାରୁ ଆରମ୍ଭ କରି ପନିପରିବା ସବୁଥିରେ ଏବେ ଏଭଳି ଅବସ୍ଥା । ଯାହାକୁ ନେଇ ସରକାରଙ୍କ ଉପରେ ବର୍ଷିଛି ବ୍ୟବସାୟୀ ମହାସଂଘ । ସରକାରଙ୍କ ଆନ୍ତରିକତା ନ ରହିଲେ ଏମିତି ହିଁ ହେବ ବୋଲି କହିଛି ମହାସଂଘ । ଏପରିକି ସରକାରକୁ ୧୩ ମାସରୁ ଅଧିକ ବିତିଯାଇଥିଲେ ମଧ୍ୟ ନା ଉତ୍ପାଦନ ବଢ଼ିଲା ନା ଚାଷୀ ସାମଗ୍ରୀ ରଖିବାକୁ ଶିତଲଭଣ୍ଡାରଟିଏ ହେଲା । ତେଣୁ ସାଧାରଣ ଲୋକେ ହିଁ ହଇରାଣ ହେବା ସାର ହୋଇଛି ବୋଲି କୁହାଯାଇଛି । ସେପଟେ ଛୋଟ ବ୍ୟବସାୟୀମାନେ ମଧ୍ୟ ସେମାନଙ୍କ ହାତରେ କିଛି ନ ଥିବା କହିଛନ୍ତି ।

ଦର ବୃଦ୍ଧି ଓ ଦରରେ ଅସଂଗତିକୁ ନେଇ ସରକାରଙ୍କୁ ସମ୍ପୂର୍ଣ୍ଣ ଦୋଷ ଦେଇଛି ଓଡିଶା ବ୍ୟବସାୟୀ ମହାସଂଘ। କଞ୍ଚାଲଙ୍କା, କଦଳୀ, ଟମାଟୋଠୁ ଆରମ୍ଭ କରି ଏକାଧିକ ସାମଗ୍ରୀ ପାଇଁ ବାହାର ରାଜ୍ୟ ଉପରେ ଓଡ଼ିଶା ନିର୍ଭରଶୀଳ । ରାଜ୍ୟ ସରକାରଙ୍କ ଉପରେ ଯେଉଁ ଆଶା ଥିଲା ତାହା ହେଲାନି । ଏ ସମ୍ପର୍କରେ ଆଲୋଚନା ପାଇଁ ସରକାର କାହିଁକି ପଛାଉଛନ୍ତି ବୋଲି ପ୍ରଶ୍ନ କରିଛି ବ୍ୟବସାୟୀ ମହାସଂଘ । ଏସବୁ ପ୍ରସଙ୍ଗକୁ ନେଇ ଆସନ୍ତାକାଲି ଦିଲ୍ଲୀ ଗସ୍ତ କରିବ ବ୍ୟବସାୟୀ ମହାସଂଘ । ଦିଲ୍ଲୀରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଦିଲ୍ଲୀରେ ଲୋକସଭା ବାଚସ୍ପତି ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବ ବ୍ୟବସାୟୀ ମହାସଂଘ ।

ଏବେ ଟମାଟୋ ଦର ଆକାଶଛୁଆଁ । କେଉଁଠି ଦର କିଲୋ ପିଛା ୬୦ ତ ଆଉ କେଉଁଠି ୧୦୦ ରେ ବିକ୍ରି ହେଉଛି । ବିଶେଷ କରି ଖୁଚୁରା ବଜାରରେ ମନଇଚ୍ଛା ଦର ନିଆଯାଉଛି । ଓଡ଼ିଶାରେ ସାମଗ୍ରୀ ସଂରକ୍ଷଣ ପାଇଁ ବ୍ୟବସ୍ଥା କାହିଁକି ଅଣାଯାଉନାହିଁ ବୋଲି ପ୍ରଶ୍ନ ଉଠିଛି । ଯେଉଁଥି ପାଇଁ ବାହାରୁ ଆସୁଥିବା ସାମଗ୍ରୀକୁ ଯିଏ ଯାହା ସୁବିଧା ଦରରେ ବିକୁଛନ୍ତି । ସରକାର ଚାଷୀଙ୍କ ଉପରେ ଫୋକସ କରୁ ନଥିବା ଅଭିଯୋଗ ହୋଇଛି । କିଛି ଦିନ ଆଳୁ ଓ ପୂର୍ବରୁ ଟମାଟୋ ଯନ୍ତ୍ରଣା ଭୋଗୁଥିବା ଲୋକେ ଏବେ ପୁଣି ଦରଦାମ ନିଆଁରେ ଜଳିବା ଆରମ୍ଭ କରିଛନ୍ତି ।

ମ୍ୟାଲେରିଆ ନିରାକରଣରେ ଓଡ଼ିଶା ଫେଲ, NVBDCP ରିପୋର୍ଟ ପଦାକୁ ଆଣିଲା ବାସ୍ତବ ଚିତ୍ର

ନନ୍ଦିଘୋଷ ବ୍ୟୁରୋ: ମ୍ୟାଲେରିଆ ନିରାକରଣରେ ଓଡ଼ିଶା ଫେଲ । ଜାତୀୟ କୀଟବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ (NVBDCP) ରିପୋର୍ଟ ଅନୁସାରେ ମ୍ୟାଲେରିଆ ବୃଦ୍ଧିରେ ଝାଡ଼ଖଣ୍ଡ ଓ ଛତିଶଗଡ ପରି ମ୍ୟାଲେରିଆ ପ୍ରବଣ ରାଜ୍ୟକୁ ପଛରେ ପକାଇଲା ଓଡ଼ିଶା । ଚଳିତବର୍ଷ ୫ ଜିଲ୍ଲାରେ ୧୦ ହଜାରରୁ ଅଧିକ ରୋଗୀ ଥିବାବେଳେ ସର୍ବାଧିକ ରୋଗୀ ସଂଖ୍ୟା ଏକ ଲକ୍ଷ ଟପିଛି । ଯାହା ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛି ।

ଓଡ଼ିଶାର ଅଲୋଡ଼ା ରେକର୍ଡ । ଜାତୀୟ କୀଟ ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ରିପୋର୍ଟ ରାଜ୍ୟର ମ୍ୟାଲେରିଆ ନିରାକରଣର ବାସ୍ତବ ଚିତ୍ର ପଦାରେ ପକାଇ ଦେଇଛି । ସ୍ଥିତି ଏପରି ବିଗିଡ଼ିଲାଣି ଯେ ମ୍ୟାଲେରିଆ ବୃଦ୍ଧିରେ ଝାଡ଼ଖଣ୍ଡ ଓ ଛତିଶଗଡ ପରି ରାଜ୍ୟକୁ ପଛରେ ପକାଇଦେଇଛି ଓଡ଼ିଶା । ଚଳିତ ବର୍ଷ ଏକ ଲକ୍ଷ ୬୭ ହଜାର ୨୩୩ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି । ସ୍ବାସ୍ଥ୍ୟ ବିଭାଗ ପାଖରେ ରାୟଗଡ଼ାରେ ୩୧ ହଜାର ୭୪୫, ନବରଙ୍ଗପୁରରେ ୨୮ ହଜାର ୧୩୪, କନ୍ଧମାଳରେ ୨୨ ହଜାର ୧୦୫, ନୟାଗଡ଼ରେ ୧୨ ହଜାର ୪୬୦, କେନ୍ଦୁଝରରେ ୧୧ ହଜାର ୭୬୫ ମ୍ୟାଲେରିଆ ରୋଗୀଙ୍କ ରିପୋର୍ଟ ରହିଛି । ସୁବର୍ଣ୍ଣପୁର, ଅନୁଗୁଳ, ମାଲକାନଗିରିରେ ୬ ହଜାରରୁ ଅଧିକ ମ୍ୟାଲେରିଆ ରୋଗୀ ଅଛନ୍ତି । କୋରାପୁଟ ଓ ବଲାଙ୍ଗୀର ୫ ହଜାର ଛୁଇଁବାକୁ ଯାଉଛି ସଂଖ୍ୟା । ମ୍ୟାଲେରିଆରେ ୬ ଜଣଙ୍କ ମୃତ୍ୟୁ ବି ହୋଇଛି । ମାଲକାନଗିରିରେ ୩, କେନ୍ଦୁଝର, ଅନୁଗୁଳ ଓ ବୌଦ୍ଧରେ ଜଣେ ଲେଖାଏଁ ରୋଗୀ ମ୍ୟାଲେରିଆ ଯୋଗୁଁ ପ୍ରାଣ ହରାଇଛନ୍ତି । ଦେଶର ସମୁଦାୟ ରୋଗୀଙ୍କ ୩୮ ପ୍ରତିଶତ ମ୍ୟାଲେରିଆ ରୋଗୀ ଓଡ଼ିଶାରେ ଅଛନ୍ତି । ଛତିଶଗଡ଼, ଝାଡ଼ଖଣ୍ଡ ଭଳି ମ୍ୟାଲେରିଆ ପ୍ରବଣ ରାଜ୍ୟରେ ରୋଗୀଙ୍କ ସଂଖ୍ୟା ଓଡ଼ିଶା ତୁଳନାରେ ଯଥେଷ୍ଟ କମ୍ ରହିଛି । ଓଡ଼ିଶାର ଏହି ଚିନ୍ତାଜନକ ସ୍ଥିତି ଜୁଲାଇ ଶେଷ ଯାଏଁ ରେକର୍ଡ କରାଯାଇଛି । ଆଗାମୀ ୫ ମାସରେ ଏହା ଯଥେଷ୍ଟ ବୃଦ୍ଧି ପାଇବ ବୋଲି ଆଶଂକା କରାଯାଉଛି ।

ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ବଢିବା ସହ ଦମନ କାର୍ଯ୍ୟକ୍ରମର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଲାଣି । ଦମନରେ ଚିହ୍ନଟ ହେଉଥିବା ରୋଗୀଙ୍କୁ ରାଜ୍ୟ ସରକାରଙ୍କ ବାର୍ଷିକ ମ୍ୟାଲେରିଆ ରୋଗୀ ତାଲିକାରେ ସାମିଲ କରାଯାଉ ନାହିଁ । ଯେଉଁଥି ପାଇଁ ରାଜ୍ୟରେ ପ୍ରତିବର୍ଷ ପ୍ରକୃତରେ କେତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ତାହାର ସ୍ପଷ୍ଟ ଚିତ୍ର ମିଳୁନି । ଲୋକଙ୍କ ଏଲଏଲଆଇଏନ ମଶାରୀ ବ୍ୟବହାର ଉପରେ ବି ସନ୍ଦେହ ଉପୁଜିଲାଣି । ସଚେତନତା ଅଭାବ ବି ଏହାର ଏକ ବଡ଼ କାରଣ ପାଲଟିଛି ।

୨୦୩୦ ମସିହା ସୁଦ୍ଧା କେନ୍ଦ୍ର ସରକାର ମ୍ୟାଲେରିଆ ନିରାକରଣ ପାଇଁ ଲକ୍ଷ୍ୟ ରଖିଛନ୍ତି । ୨୦୨୭ ସୁଦ୍ଧା ନିଜ ଅଞ୍ଚଳରେ ମ୍ୟାଲେରିଆ ଚିହ୍ନଟକୁ ଶୂନ କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ହେଲେ ଓଡ଼ିଶାରେ ଯେଉଁଭଳି ଢଙ୍ଗରେ ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଚାଲିଛି, ତାହା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ପୂରଣରେ ବାଧକ ସାଜିପାରେ ।