spot_img
Home Blog Page 5299

ତାଲିବାନୀଙ୍କ ବର୍ବରତା: ସାମ୍ୱାଦିକଙ୍କ ସମ୍ପର୍କୀୟଙ୍କୁ ଗୁଳି କରି ହତ୍ୟା

କାବୁଲ: ତାଲିବାନ ଟାର୍ଗେଟରେ ସାମ୍ବାଦିକ । ଆଫଗାନିସ୍ତାନରେ କାର୍ଯ୍ୟରତ ଜର୍ମାନୀର ଜଣେ ସାମ୍ବାଦିକଙ୍କ ସମ୍ପର୍କୀୟଙ୍କୁ ଗୁଳି କରି ହତ୍ୟା କରିଛନ୍ତି ତାଲିବାନ । କିଛି ସାମ୍ବାଦିକଙ୍କ ଘରେ ବି ସର୍ଚ୍ଚ ଅପରେସନ କରିଛନ୍ତି ଆତଙ୍କବାଦୀ । ସେପଟେ ସରକାରୀ ଟିଭି ଚାନେଲରେ କାର୍ଯ୍ୟରତ ଲେଡି ଆଙ୍କରଙ୍କ ଉପରେ ତାଲିବାନର ନାଲିଆଖି । ଏହା ସହ ଖବର ପ୍ରସାରଣ ଉପରେ ବି କଟକଣା । କର୍ମକ୍ଷେତ୍ରକୁ ଯାଉଥିବା ସାମ୍ବାଦିକଙ୍କ ଉପରେ କଡ଼ା ନଜର । ଦେଶରେ ସାମ୍ବାଦିକଙ୍କ ଜୀବନ ପାଲଟିଛି ବିପଦପୂର୍ଣ୍ଣ । ଦେଶରେ ମହିଳା ସାମ୍ବାଦିକ ଓ ଆଙ୍କରମାନଙ୍କ ସ୍ଥିତି ସବୁଠାରୁ ସଙ୍କଟଜନକ ହୋଇଛି ।

ସରକାରଙ୍କ ନିୟନ୍ତ୍ରଣରେ ଥିବା ସମସ୍ତ ଟିଭି ଚାନେଲରୁ ମହିଳା ଆଙ୍କରମାନଙ୍କୁ ହଟାଇବା ଲାଗି ତାଲିବାନ ପଦକ୍ଷେପ ନେଇଛି । ରାଷ୍ଟ୍ରୀୟ ମାଲିକାନାରେ ଥିବା ଆରଟିଏ ପସ୍ତୋ ଚ୍ୟାନେଲରେ ଆଙ୍କର ଥିବା ଶବନମ ଦାଓ୍ୱରନ୍ ତାଲିବାନର ଟାର୍ଗେଟ ହୋଇଛନ୍ତି । ତାଙ୍କୁ ଅଫିସ ଆସିବାକୁ ବାରଣ କରାଯାଇଛି । ସବନମ କହିଛନ୍ତି ତାଙ୍କୁ ଅଫିସ ନ ଆସିବାକୁ ତାଲିବାନ ଚେତାବନୀ ଦେଇଛି । ଏହାର କାରଣ ସେ ପଚାରିବାରୁ ତାଲିବାନର ଜଣେ କର୍ମୀ କହିଥିଲା ବର୍ତ୍ତମାନ ନିୟମ ବଦଳିଛି । ମହିଳାମାନେ କାମ କରିବାକୁ ଆସିବା ମନା । ଆରଟିଏ ଅଫିସକୁ ଯିବାକୁ ଯେତେ ନିବେଦନ କଲେ ବି ସବୁ ବ୍ୟର୍ଥ ହୋଇଥିଲା । ବାଧ୍ୟ ହୋଇ ସେ ଘରକୁ ଫେରିଥିଲେ । ତେବେ ତାଙ୍କ ସହ ଥିବା ଜଣେ ପୁରୁଷ ସାମ୍ବାଦିକଙ୍କୁ ତାଲିବାନ ଅଫିସକୁ ଛାଡିଥିଲା ବୋଲି ସେ କହିଛନ୍ତି । ସେପଟେ ରାଷ୍ଟ୍ରୀୟ ଟିଭି ଚାନେଲରେ ଆଙ୍କର ଥିବା ଖାଦିଜା ଅମିନଙ୍କୁ ବି ତାଲିବାନ ବହିଷ୍କୃତ କରିଛି । ତାଙ୍କ ସ୍ଥାନରେ ଜଣେ ପୁରୁଷ ଆଙ୍କରଙ୍କୁ ଅବସ୍ଥାପିତ କରାଯାଇଛି । କାବୁଲରେ ମଧ୍ୟ ଜଣେ ମହିଳା ସାମ୍ବାଦିକ ଓ ତାଙ୍କର କ୍ୟାମେରାପର୍ସନଙ୍କୁ ଆକ୍ରମଣ କରିଛନ୍ତି ତାଲିବାନ ।

ଉକ୍ତ ମହିଳା ସାମ୍ବାଦିକ କଳା ହାଜିବ ପିନ୍ଧି ନଥିବାରୁ ତାଲିବାନ କର୍ମୀ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଆକ୍ରମଣ କରିଥିଲେ । ଏପରିକି ଆଙ୍କର, କ୍ୟାମେରାପର୍ସନ ଓ ପ୍ରଡ୍ୟୁସରଙ୍କ ଉପରକୁ ତାଲିବାନ ରାଇଫଲ ମୁହାଁଇଥିଲା । ପରିଚୟ ପତ୍ର ଦେଖାଇଥିଲେ ମଧ୍ୟ ତାଲିବାନୀ କିଛି ଶୁଣି ନଥିଲେ । ରିପୋର୍ଟିଂ ଲାଗି ସେମାନଙ୍କୁ ଅନୁମତି ଦିଆଯାଇ ନଥିଲା । ଗତ ଦୁଇ ସପ୍ତାହ ତଳେ ଆଫଗାନିସ୍ତାନ ମିଡିଆ ଆଣ୍ଡ ଇନଫର୍ମେସନ ସେଣ୍ଟରର ମୁଖ୍ୟ ଦାଓ୍ୱା ଖାଁ ମୈନାପାଲଙ୍କୁ ତାଲିବାନ କର୍ମୀ ହତ୍ୟା କରିଥିଲେ । ସେ ତାଲିବାନର ଘୋର ବିରୋଧୀ ଥିଲେ । ଗତ ଜୁଲାଇ ୧୬ତାରିଖରେ କାନ୍ଦାହାର ସ୍ପିନ ବୁଲଦାକରେ ରିପୋର୍ଟିଂ କରୁଥିବାବେଳେ ପୁଲିଜର ବିଜେତା ଭାରତୀୟ ସାମ୍ବାଦିକ ଡାନିସ ସିଦ୍ଦିକଙ୍କୁ ତାଲିବାନ ବୀଭତ୍ସ ହତ୍ୟା କରିଥିଲା । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୩୦ରୁ ଅଧିକ ସାମ୍ବାଦିକ ତାଲିବାନ ଓ ଅନ୍ୟ ଆତଙ୍କବାଦୀ ଶକ୍ତିଙ୍କ ଆକ୍ରମଣରେ ମୃତାହତ ହେଲେଣି ।

ଏଥିସହିତ ପଢ଼ନ୍ତୁ: ପଦାରେ ପଡ଼ିଲା ସରକାରଙ୍କ ଅପାରଗତା: ଦେଶରେ ଟିକାକରଣରେ ମାନ୍ଦାଗତି ଲାଗି ଜିଡିପି ଅଭିବୃଦ୍ଧି ବାଧାପ୍ରାପ୍ତ

ପଦାରେ ପଡ଼ିଲା ସରକାରଙ୍କ ଅପାରଗତା: ଦେଶରେ ଟିକାକରଣରେ ମାନ୍ଦାଗତି ଲାଗି ଜିଡିପି ଅଭିବୃଦ୍ଧି ବାଧାପ୍ରାପ୍ତ

ଦେଶରେ ଟିକାକରଣରେ ମାନ୍ଦାଗତି । ପଦାରେ ପଡୁଛି ସରକାରଙ୍କ ଅପାରଗତା । ଆଉ ଏଥିଲାଗି ଜିଡିପି ଯାହା ଆଶା କରାଯାଉଥିଲା ତାହା ହୋଇପାରୁନାହିଁ । ମଜୁରୀ ଓ ଦରମା ହ୍ରାସ, ସ୍ୱାସ୍ଥ୍ୟ ସେବାରେ ବ୍ୟୟ, ପରିବାରର ସଞ୍ଚୟ ସୀମା ହ୍ରାସ ଓ ଖାଉଟି ମୁଦ୍ରାସ୍ଫୀତି ଯୋଗୁ ଅଭିବୃଦ୍ଧି ହାର ହ୍ରାସ ପାଉଛି । ଇଣ୍ଡିଆ ରେଟିଂସ ପକ୍ଷରୁ କୁହାଯାଇଛି ଗତ ମାର୍ଚ୍ଚ ସୁଦ୍ଧା ବୟସ୍କଙ୍କୁ ଟିକାକରଣ ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ମାତ୍ର ଏହା ହେଲା ନାହିଁ । ଫଳରେ ଅଭିବୃଦ୍ଧି ହାର 9.6 ପ୍ରତିଶତ ବଦଳରେ ଏହା 9.4 ପ୍ରତିଶତକୁ ହ୍ରାସ ପାଇବ । 20221-22ରେ ଜିଡିପି ଅଭିବୃଦ୍ଧି ହାର 9.5 ପ୍ରତିଶତ ହେବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଆକଳନ କରିଥିଲେ । ମାତ୍ର ବିଭିନ୍ନ କାରଣ ଯୋଗୁ ସମ୍ଭବ ହୋଇନାହିଁ । ଆସନ୍ତା ଡିସେମ୍ବର 31 ସୁଦ୍ଧା ବୟସ୍କଙ୍କୁ ଟିକାକରଣ ସମ୍ପନ୍ନ ହେବା ପରେ ଜିଡିପି ଅଭିବୃଦ୍ଧା ହାର ବଢିବା ଆଶା ରହିଛି ବୋଲି ଇଣ୍ଡିଆ ରେଟିଂସ ପକ୍ଷରୁ କୁହାଯାଇଛି । ଯଦି ଟିକାକରଣ ନ ସରିବ ତେବେ ଜିଡିପି ଅଭିବୃଦ୍ଧି ହାର 9.1ପ୍ରତିଶତକୁ ଖସିପାରେ ବୋଲି ଇଣ୍ଡିଆ ରେଟିଂସ କହିଛି । ସେପଟେ ପ୍ରତିଷ୍ଠିତ ଅର୍ଥନୀତିଜ୍ଞ ସୁନୀଲ କୁମାର ସିହ୍ନା କହିଛନ୍ତି ବର୍ତ୍ତମାନ ଯେଉଁ ହାରରେ ଟିକାକରଣ ଚାଲିଛି ସେଥିରୁ ପ୍ରତୀୟମାନ ହେଉଛି ଯେ ଆସନ୍ତା 31 ଡିସେମ୍ବର ସୁଦ୍ଧା ଟିକାକରଣ ସରିପାରିବ ନାହିଁ । ଦ୍ବିତୀୟ ଲହରୀରେ ଆରୋଗ୍ୟ ହାର ବୃଦ୍ଧି, ଅଧିକ ରପ୍ତାନୀ ଯୋଗୁ ଅର୍ଥନୈତିକ ଅବସ୍ଥାକୁ ସହାୟ ହୋଇପାରେ ବୋଲି ସେ କହିଛନ୍ତି

ଏଥିସହିତ ପଢ଼ନ୍ତୁ: କ୍ଳିନିକାଲ୍ ଟ୍ରାଏଲ ଲାଗି ଭାରତ ସରକାରଙ୍କୁ ଅନୁମତି ମାଗିଲା ଜନସନ୍ ଆଣ୍ଡ ଜନସନ୍

ମମତା ପଡ଼ିଆମୀଙ୍କ କଥା ରଖିଲେ ମୁଖ୍ୟମନ୍ତ୍ରୀ, ମହିଳାଙ୍କ ଚିକିତ୍ସା ସହୟତା ୧୦ଲକ୍ଷ ଯାଏଁ ବଢାଇଲେ

ମାଲକାନଗିରି: ମମତା ପଡ଼ିଆମୀଙ୍କ କଥା ରଖିଲେ ନବୀନ । ଜଣେ ସାଧାରଣ ମହିଳାଙ୍କ ଅନୁରୋଧକୁ ଯୋଜନାରେ ରୂପାନ୍ତରିତ କରିଛନ୍ତି ମଖ୍ୟମନ୍ତ୍ରୀ  । ମହିଳାଙ୍କ ପାଇଁ ୧୦ଲକ୍ଷ ପର୍ଯ୍ୟନ୍ତ ବଢାଇଛନ୍ତି ଚିକିତ୍ସା ସହାୟତା । ୨୦୧୮ ମସିହାରେ ମାଲକାନଗିରି ପାଇଁ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଚାଲିଥିଲା। ଲୋକସେବା ଭବନରୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ।

ସେହି ସମୟରେ ମାଲାକାନଗିରିର ମମତା ପଢିଆମୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଭର୍ଚ୍ଚୁଆଲ ମାଧ୍ୟମରେ ଅନୁରୋଧ କରିଥିଲେ  । ମହିଳାଙ୍କ ସ୍ୱାସ୍ଥ୍ୟ ସେବାର ଉତ୍ତମ ଚିକିତ୍ସା ପାଉଇଁ ସହାୟତା ରାଶିକୁ ବଢାଇଥିଲେ  ।  ସେ ସଭାରେ ମମତା ପଡ଼ିଆମୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଆ ମାନଙ୍କ ପାଇଁ ଚିକିତ୍ସା ଖର୍ଚ୍ଚ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ମମତାଙ୍କ ସାହାସ ଓ ବୁଦ୍ଧିକୁ ସମସ୍ତେ ସେଦିନ ପ୍ରଶଂସା କରିଥିଲେ ।

ମମତାଙ୍କ ପ୍ରସ୍ତାବକୁ ଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ  । ଏହାକୁ ମଧ୍ୟ ସହୃଦୟତାର ସହ ନେଇଥିଲେ ନବୀନ  । ଏହାପରେ ସେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ଚିକିତ୍ସା ସୁବିଧାକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଅନୁରୋଧ ରଖିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମମତା ।

କ୍ଳିନିକାଲ୍ ଟ୍ରାଏଲ ଲାଗି ଭାରତ ସରକାରଙ୍କୁ ଅନୁମତି ମାଗିଲା ଜନସନ୍ ଆଣ୍ଡ ଜନସନ୍

ନୂଆଦିଲ୍ଲୀ: ୧୨ରୁ ୧୭ ବର୍ଷ ବୟସ୍କଙ୍କ ଲାଗି ଉପଲବ୍ଧ ହୋଇପାରେ ସିଙ୍ଗଲ ଡୋଜ ଭ୍ୟାକ୍ସିନ୍ । ଏନେଇ କ୍ଲିନିକାଲ ଟ୍ରାଏଲ ଲାଗି ଭାରତ ସରକାରଙ୍କଠାରୁ ଅନୁମତି ମାଗିଛି ଜନସନ ଆଣ୍ଡ ଜନସନ । ଯଦି ସରକାରଙ୍କ ପକ୍ଷରୁ ଏଥିଲାଗି ଅନୁମତି ମିଳିବ ତେବେ ଦେଶରେ ଖୁବ୍ ଶୀଘ୍ର ୧୨ରୁ ୧୭ ବର୍ଷ ବୟସ୍କଙ୍କୁ ସିଙ୍ଗଲ ଡୋଜ ଟିକା ମିଳିବ । ଆମେରିକାର ଫାର୍ମା କମ୍ପାନୀ ଜନସନ ଆଣ୍ଡ ଜନସନ ପକ୍ଷରୁ ଭାରତ ସରକାରଙ୍କ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ବା ସିଡିଏସସିଓଙ୍କଠାରେ ଆବେଦନ କରାଯାଇଛି । ଫେଜ-୩ ଟ୍ରାଏଲରେ ଜନସନ ଟିକା କୋଭିଡର ମୁକାବିଲାରେ ୮୫ ପ୍ରତିଶତ ସଫଳ ହୋଇଥିବା ପ୍ରମାଣିତ ହୋଇଛି । ଗତ ଅଗଷ୍ଟ ୭ ତାରିଖରେ ଭାରତରେ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କ ଲାଗି ଜନସନ ଟିକାକୁ ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଦିଆଯାଇଥିଲା । ସରକାର ଯଦି ଜନସନକୁ ଅନୁମତି ଦିଅନ୍ତି ତେବେ ଦେଶରେ ଟିକାକରଣ କାର୍ଯ୍ୟ ଯଥେଷ୍ଟ ଆଗେଇବ ।

ଏଥିସହିତ ପଢ଼ନ୍ତୁ: ଆଫଗାନିସ୍ତାନ ବିମାନ ବନ୍ଦରର ଆଉ ଏକ ଛାତିଥରା ଦୃଶ୍ୟ: ଏଭଳି ଅବସ୍ଥା ଦେଖି କାନ୍ଦିପକାଇଲେ ସୈନିକ

 

ଆଫଗାନିସ୍ତାନ ବିମାନ ବନ୍ଦରର ଆଉ ଏକ ଛାତିଥରା ଦୃଶ୍ୟ: ଏଭଳି ଅବସ୍ଥା ଦେଖି କାନ୍ଦିପକାଇଲେ ସୈନିକ

କାବୁଲ: ତାଲିବାନୀଙ୍କୁ ନେଇ ଆତଙ୍କିତ ଆଫଗାନିସ୍ତାନବାସୀ । କେବଳ ଦେଶବାସୀ ନୁହଁନ୍ତି ଆଫଗାନିସ୍ତାନରେ ରହୁଥିବା ଅନ୍ୟ ଦେଶର ନାଗରିକ ମଧ୍ୟ ଭୟଭୀତ । ଏଣୁ ଦେଶରୁ ପଳାୟନ ନେଇ ପ୍ରାଣପ୍ରଣେ ଉଦ୍ୟମ କରୁଛନ୍ତି ଲୋକେ । ଜୀବନକୁ ବାଜି ଲାଗାଇବାକୁ ପଛାଉନାହାନ୍ତି । ଯାହାର କିଛି ଛାତିଥରା ଦୃଶ୍ୟ ପୂର୍ବରୁ ଗଣମାଧ୍ୟମ ତଥା ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିବା ବେଳେ ଏବେ ଆଉ କିଛି ହୃଦୟବିଦାରକ ଘଟଣା  ସବୁ ସାମ୍ନାକୁ ଆସିଛି ।

ତାଲିବାନୀଙ୍କ କାବୁଲ କବ୍‌ଜା ପରେ ଲୋକେ ଅନ୍ୟ ଦେଶକୁ ପଳାୟନ ନେଇ ଉଦ୍ୟମ କରୁଛନ୍ତି । ଏଣୁ କାବୁଲ ବିମାନ ବନ୍ଦରରେ ବହୁ ସଂଖ୍ୟାରେ ଲୋକେ ରୁଣ୍ଢ ହେବା ସହ ବିମାନରେ ଓହଳି ଯାଉଥିବା ଭଳି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ଏଭଳି ସ୍ଥିତିକୁ ଏଡ଼ାଇବା ଲାଗି ବିମାନବନ୍ଦର ଚାରିପାଖରେ କଣ୍ଟାଯୁକ୍ତ ତାରବାଡ଼ ବେଢ଼ାଯାଇଛି । ଯାହା ଫଳରେ ଲୋକେ ବିମାନ ବନ୍ଦରର ଭିତରକୁ ଅଯଥାରେ ପ୍ରବେଶ କରିପାରିିବେ ନାହିଁ । କିନ୍ତୁ ତାଲିବାନୀ ଲୋକେ ଏତେ ସଂଖ୍ୟାରେ ଆତଙ୍କିତ ହୋଇ ଯାଇଛନ୍ତି ଯେ, ସେମାନେ ଏ ସବୁକୁ ବି ଖାତିର କରୁନାହାନ୍ତି ।

Afghanistan news: Mothers throw babies over barbed wire fences at Kabul airport | Metro News

କଣ୍ଟାଯୁକ୍ତ ତାର ବାଡ଼ ଗୋଟିଏ ପାଖରେ ଶହ ଶହ ଆଫଗାନୀ  ଓ ତାଙ୍କ ଛୋଟ ଛୋଟ ଛୁଆ ଥିବା ବେଳେ ତାର ବାଡ଼ ଆରପାଖରେ ଥିଲେ ବ୍ରିଟିସ୍ ସୈନିକ । ଏଭଳି ସ୍ଥିତିରେ ତାରବାଡ଼ ଡେଇଁ ଯିବା ଆଫଗାନୀଙ୍କ ପାଇଁ ଅସମ୍ଭବ ହୋଇପଡ଼ଥିଲା । କିନ୍ତୁ ସେମାନେ ନିଜ ଛୁଆଙ୍କୁ ଏଭଳି ଆତଙ୍କିତ ସ୍ଥିତି ଅନିଶ୍ଚିତତା ମଧ୍ୟରେ ରଖିବାକୁ ଚାହୁଁନଥିଲେ । ଏଣୁ ନିଜ ଛୋଟ ଛୁଆଙ୍କ ଜୀବନକୁ ବାଜି ଲଗାଇ ପିଲାମାନଙ୍କୁ ତାର ବାଡ଼ ସେପଟକୁ  ଫୋପାଡ଼ି ଦେଉଥିଲା । ଫଳରେ ସେପଟେ ଥିବା ସୈନିକ ସେମାନଙ୍କୁ ଧରିବା ପାଇଁ ବାଧ୍ୟ ହେବେ ଏବଂ ସେମାନଙ୍କୁ ବିମାନରେ ନେଇକି ଯିବେ । ଏବଂ ସେଇଆ ହୋଇଥିଲା ସେମାନେ ସେମାନଙ୍କ ଛୋଟ ଛୁଆକୁ ତାର ବାଡ଼ ସେପଟେ ଫୋପାଡ଼ି ଦେଉଥିଲେ ଏବଂ ସେମାନଙ୍କୁ ସୈନିକମାନେ କୋଳେଇ ଧରୁଥିଲେ । କିଛି ପିଲା ତାର ବାଡ଼ ମଧ୍ୟରେ ଫସି ଛଟପଟ ହେଉଥିଲା ଆଉ ଏଭଳି ଦୃଶ୍ୟ ଦେଖି ସୈନିକଙ୍କମାନଙ୍କ ଆଖି ମଧ୍ୟ ଲୁହରେ ଭରିଯାଇଥିଲା ।

ଜେନୖକ ବ୍ରିଟିସ ଅଧିକାରୀ କହିଛନ୍ତି ଯେ, ଉତ୍ତମ ଭବିଷ୍ୟତ ଆଶାରୋ ଲୋକେ ଆଫଗାନିସ୍ତାନ ଛାଡ଼ିବାକୁ ଚାହୁଁଛନ୍ତି । ବାଟରେ ଫାୟରିଂ ମଧ୍ୟ ହେଉଛି । ତାଲିବାନୀ ସେମାନଙ୍କୁ ମାରପିଟ୍ ମଧ୍ୟ କରୁଛନ୍ତି କିନ୍ତୁ ସେମାନେ ମାନିବାକୁ ନାରାଜ ।

ନନ୍ଦନକାନନ ଫାର୍ମ ହାଉସ ପୋଖରୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ନନ୍ଦନକାନନର ଏକ ଫାର୍ମ ହାଉସ ଫୋଖରୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର। ନନ୍ଦନକାନନ ଥାନା ପୋଲିସ ମୃତଦେହ ଉଦ୍ଧାର କରିଛି। ତେବେ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ପୋଲିସ ଦେଇଥିବା ସୂଚନା ମୁତାବକ ପରିବାର ସହ ଯୁବତୀ ଜଣକ ରଘୁନାଥପୁରରେ ଭଡାରେ ରହୁଥିଲେ। ତେବେ ଗତକାଲି ରାତିରେ କିନ୍ତୁ ସେ ଘରୁ ପଳାଇ ଆସିଥିଲେ। ଜେଇଇ ଏଣ୍ଟ୍ରାନ୍ସରେ ରେଜଲ୍ଟ ଭଲ ନେହେବାରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାରେ ପୋଲିସ ତଦନ୍ତ ଜାରି ରହିଛି । ପୋଖରୀ ଭିତରୁ ଭାସମାନ ଅବସ୍ଥାରେ ପୋଲିସ ମୃତଦେହ ଉଦ୍ଧାର କରିଛି ।

ମୃତ୍ୟୁକାଳୀନ ଜମାନବନ୍ଦୀ ବେଳେ ସେଠାରେ କ’ଣ କରୁଥିଲେ ଡିଏଫ୍‌ଓ: ବଢ଼ିଲା ରହସ୍ୟ

ପାରଳାଖେମୁଣ୍ଡି: ଏସିଏଫ୍ ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ ହେଲାବେଳେ ପାରଳାଖେମୁଣ୍ଡି ଡିପିଏଫ୍‌ଓ ଉପସ୍ଥିତ ଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ମୃତ୍ୟୁକାଳୀନ ଜମାନବନ୍ଦୀ ବେଳେ ପରିବାର ସଦସ୍ୟ ପୋଲିସ ଏବଂ ମାଜିଷ୍ଟ୍ରେଟ୍ ରହିବା କଥା । ଏଠାରେ ଡିଏଫ୍‌ଓ  କ’ଣ କରୁଥିଲେ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି । ସୌମ୍ୟଙ୍କ ମୃତ୍ୟ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏହି ଦିଗ ପ୍ରତି ମଧ୍ୟ ଦୃଷ୍ଟି ଦେଉ ବୋଲି ଦାବି ହୋଇଛି । ସୌମ୍ୟ ମୃତ୍ୟୁ ମାମଲାର ତଦନ୍ତଭାର ନେବା ପରଠୁ କ୍ରାଇମବ୍ରାଞ୍ଚ ଅଦ୍ୟାବଧି ୧୩ ଜଣଙ୍କୁ ଜେରା କରିସାରିଲାଣି । ପରବର୍ତ୍ତୀ ସମୟରେ ଡିଏଫ୍‌ଓ ଏବଂ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ମଧ୍ୟ ଜେରା କରିବ । ଆଜି କ୍ରାଇମବ୍ରାଞ୍ଚ ଆଇଆଇସି ମମତା ପଣ୍ଡାଙ୍କୁ ଜେରା କରିଛି । ବିଦ୍ୟାଭରତୀ ଓ ମମତା ପଣ୍ଡାଙ୍କ ମଧ୍ୟରେ ପୁରୁଣା ସମ୍ପର୍କ ରହିଛି । ତେଣୁ ସୌମ୍ୟଙ୍କ ଆମ୍ୱୁଲାନ୍ସକୁ ସେ ଅଧିକ ସମୟ ଅଟକାଇଥିଲେ ଏବଂ ମାମଲାକୁ ରଫାଦଫା କରିବା ପାଇଁ  ଉଦ୍ୟମ କରିଥିଲେ ବୋଲି ସୌମ୍ୟଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲେ ।

ଉଲ୍ଲେଖ ଥାଉ କି, ପୂର୍ବରୁ ସୌମ୍ୟଙ୍କ ମୃତ୍ୟୁ ମାମଲାରେ ପୋଲିସ ଡିଏଫ୍‌ଓଙ୍କୁ ଜେରା କରିଥିଲା । ତେବେ ମାମଲାରେ ଡିଏଫ୍‌ଓଙ୍କ କୌଣସି ସମ୍ପୃକ୍ତି ନାହିଁ ବୋଲି ଗଜପତି ଏସପି ତପନ କୁମାର ପଟ୍ଟନାୟକ କହିଛନ୍ତି । ଜେରା ବେଳେ ଡିଏଫ୍‌ଓ ବିଦ୍ୟାଭାରତୀଙ୍କୁ ଜାଣିନଥିବା କହିଥିଲେ । ପୂର୍ବରୁ ସେ କେବେ ଦିଦ୍ୟାଭାରତୀଙ୍କୁ ଭେଟିନଥିଲେ। ଘଟଣା ଦିନ ହିଁ ସେ ପ୍ରଥମ କରି ବିଦ୍ୟାଙ୍କୁ ଦେଖିଥିବା କହିଥିଲେ। ଏଥିସହ ତାଙ୍କ ସହ ସଂପର୍କକୁ ଅସ୍ୱୀକାର କରିଥିଲେ ଡିଏଫଓ। ଅନ୍ୟ ପକ୍ଷରେ ଏହି ମାମଲାରେ ଡିଏଫ୍‌ଓଙ୍କୁ କ୍ଳିନ୍ ଚିଟ୍ ଦେଇଥିଲା ପୋଲିସ ।

ଏଥିସହିତ ପଢ଼ନ୍ତୁ: ଏସିଏଫ୍‌ ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ଡିଏଫ୍‌ଓଙ୍କୁ କ୍ଲିନ୍‌ ଚିଟ୍‌

ବିଧାୟକ ମାସ୍କ ବାଣ୍ଟିଲେ, ଡେଙ୍ଗୁ ଓ କରୋନା ସଚେତନତା ବି କରାଇଲେ

ଭୁବନେଶ୍ୱର:  ଭୁବନେଶ୍ୱର  ଲକ୍ଷ୍ମୀ ସାଗର ୩୧ ନମ୍ୱର୍ ଓ୍ୱାର୍ଡ ବଙ୍ଗାଳୀ ସାହିରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ପହଞ୍ଚି ଲୋକଙ୍କୁ ମାସ୍କ ବାଣ୍ଟିବା ସହ ଲୋକଙ୍କ ସମସ୍ୟା ବୁଝିଛନ୍ତି। ସାହିରେ ଥିବା ଡ୍ରେନ୍ ସମସ୍ୟା,ସ୍ୱରେଜ୍ ବ୍ୟବସ୍ଥା,ଆଲୋକ,ପାନୀୟ ଜଳ ସମସ୍ୟା ଓ ରାସ୍ତାକୁ କଂକ୍ରିଟକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି।

ଏଥିସହିତ ବିଧାୟକ ଖୁବ୍ ଶୀଘ୍ର ଏହି କାର୍ଯ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯକ୍ରମ ଉପରେ ବସ୍ତି ଲୋକଙ୍କୁ ଆଲୋକପାତ କରିଥିଲେ ବିଧାୟକ। ଏହି କାର୍ଯକ୍ରମରେ ଜିଲ୍ଲା ବିଜେଡି ଉପସଭାପତି ମୁଶରଫ୍ ଖାଁ ବିଜେଡ଼ି ଯୁବ ନେତା ଭରତ ଲେଙ୍କା,ଦୀପକ୍ ପରିଡ଼ା, ଜୟନ୍ତୀ କର, ରଞ୍ଜିତ ପ୍ରଧାନ, ଟୁକୁନୁ ଗୁପ୍ତା, କୁମରେନ୍ଦ୍ର ମହାପାତ୍ର, କୁନୁମୁନି ପାତ୍ର, କବିତା ମଞ୍ଜରୀ ପରିଡ଼ା ଓ ବିତିକା ପଟ୍ଟନାୟକ କାର୍ଯକ୍ରମ ପରିଚାଳନା କରିଥିଲେ।

ମାଲକାନଗିରିରୁ ସ୍ୱାସ୍ଥ୍ୟସେବାର ‘ସ୍ମାର୍ଟ’ ଯୁଗ ଆରମ୍ଭ, ପ୍ରଥମ ସ୍ମାର୍ଟ କାର୍ଡ଼ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି: ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ‘ସ୍ମାର୍ଟ’ ଯୁଗର ମହାବିପ୍ଲବ। ମାଲକାନଗିରିରେ BSKYର ସ୍ମାର୍ଟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜ ହାତରେ ମୁଖ୍ୟମନ୍ତ୍ରୀ ସୁକ୍ରି ଧାଙ୍ଗଡ଼ାମାଝୀଙ୍କୁ ପ୍ରଥମ ସ୍ମାର୍ଟ କାର୍ଡ ଦେଇଛନ୍ତି। ସାରା ଦେଶରେ ପ୍ରଥମ ଥର ପାଇଁ ସ୍ୱାସ୍ଥ୍ୟ ଚିକିତ୍ସା କ୍ଷେତ୍ରରେ ଓଡ଼ିଶା ଆଣିଲା ନୂଆ ବିପ୍ଳବ। ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ଼ ଦେବାରେ ଦେଶରେ ପ୍ରଥମ ରାଜ୍ୟ ହେଲା ଓଡ଼ିଶା।

ନିଜ ଉଦବୋଧନରେ ନବୀନ କହିଛନ୍ତି, ପରିବାରର କେହି ଅସୁସ୍ଥ ହେଲେ ଟେନସନ ବଢ଼ିଯାଏ। ଚିକିତ୍ସା ପାଇଁ କିଏ ଜମି ତ କିଏ ଗହଣା ବିକି ଅର୍ଥ ଯୋଗାଡ଼ କରିଥାନ୍ତି। ଏପରିକି ପିଲାଙ୍କ ପାଠପଢ଼ାରେ ବି ଡୋରି ଲାଗିଯାଏ। ଯାହା ତାଙ୍କୁ ଖୁବ ଦୁଃଖ ଦିଏ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଣିକି ଆଉ କାହାକୁ ଏପରି ଅସୁବିଧା ଭୋଗିବାକୁ ପଡ଼ିବନି। ସ୍ମାର୍ଟ କାର୍ଡରେ ସୁବିଧାରେ ମିଳିବ ସମସ୍ତ ଚିକିତ୍ସା ସହାୟତା। କୋଭିଡ ଓ ଅଣକୋଭିଡ ଚିକିତ୍ସା ବିନା କାଗଜପତ୍ରରେ ଅବିଳମ୍ବେ ଏହି ସୁବିଧା ମିଳିବ। ତେଣୁ ସଂଚିତ ଅର୍ଥ ରୋଗ ପାଇଁ ଖର୍ଚ୍ଚ ନହୋଇ ପିଲାଙ୍କ ପଢ଼ାରେ ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି। ପ୍ରତି ଜୀବନ ମୂଲ୍ୟବାନ ବୋଲି ନବୀନ କହିଥିବାବେଳେ ଗାଁ ହେଉ କି ସହର ସମସ୍ତେ ସୁସ୍ଥରେ ରୁହନ୍ତୁ ବୋଲି କହିଛନ୍ତି। ଚିକିତ୍ସା ପାଇଁ ଅର୍ଥ ବାଧକ ନ ହେଉ ବୋଲି କହିଛନ୍ତି। ସୁସ୍ଥ ରହି ନିଜ ପରିବାରର ଉନ୍ନତି ପାଇଁ କାମ କରନ୍ତୁ। ପରିବାରର ଉନ୍ନତି ହେଲେ ରାଜ୍ୟର ଉନ୍ନତି ହେବ ବୋଲି କହିଛନ୍ତି ନବୀନ।

ଏହି ଅବସରରେ ମାଲକାନଗିରିରେ ଗଡ଼ିଛି ସ୍ୱାସ୍ଥ୍ୟ ଚେତନା ରଥ। ୯୬.୫ଲକ୍ଷ ପରିବାରକୁ ମିଳିବ କାର୍ଡ, ସେପ୍ଟେମ୍ବର ପହିଲାରୁ ସୁବିଧା ଲାଗୁ ହେବାକୁ ଥିବାବେଳେ ସାରା ରାଜ୍ୟରେ ନଭେମ୍ବର ସୁଦ୍ଧା ସରିବ ସ୍ମାର୍ଟ କାର୍ଡ ବଣ୍ଟନ।

ଆସନ୍ତା ୨୩ରୁ ଖୋଲିବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର: ଶନିବାର ସାନିଟାଇଜେସନ୍ ଲାଗି ବନ୍ଦ ରହିବ ମନ୍ଦିର

ଆରଡ଼ି: ଦୀର୍ଘ ୪ମାସ ପରେ ଅର୍ଥାତ ଆସନ୍ତା ୨୩ରେ କୋଭିଡ କଟକଣା ମଧ୍ୟରେ ଖୋଲିବ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ଏଥିପାଇଁ ସ୍ୱତନ୍ତ୍ର ଏସଓପି ଜାରି କରିଛନ୍ତି ଭଦ୍ରକ ଜିଲାପାଳ ତ୍ରିଲୋଚନ ମାଝୀ। ମନ୍ଦିରର ସାନିଟାଇଜ ପାଇଁ ପ୍ରତି ଶନିବାର ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ସେହିପରି କୋଭିଡ_୧୯ର ନିୟମ ଅନୁଯାୟୀ ୧୦ବର୍ଷରୁ କମ୍ ଓ ୬୫ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ମନ୍ଦିର ପ୍ରବେଶ ଉପରେ ରୋକ ଲଗାଇଛି ଜିଲ୍ଲା ପ୍ରଶାସନ। ଦର୍ଶନ ନିମନ୍ତେ ସକାଳ ୬ଟାରୁ ସନ୍ଧ୍ୟା ୮ଟା ଯାଏଁ ମନ୍ଦିର ଖୋଲା ରହିବ। ଭକ୍ତ ସେବାୟତମାନେ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପରାମର୍ଶ ଦେଇଛି ପ୍ରଶାସନ। ତାହାସହ ଭକ୍ତମାନେ କେବଳ ବାବାଙ୍କୁ ଦର୍ଶନ କରିବେ। ଭୋଗଡାଲା , ଫୁଲ, ବେଲପତ୍ର ଆଦି ଭକ୍ତମାନେ ନେଇ ପାରିବେ ନାହିଁ। ଏଥିସହ ପାର୍ଶ୍ୱଦେବାଦେବୀଙ୍କ ଛୁଇଁ ପାରିବେନାହିଁ । ମଣିବାବାଙ୍କ ନୀତିକାନ୍ତି ପୂର୍ବପରି ସେବାୟତଙ୍କ ଦ୍ୱାରା ସମ୍ପନ୍ନ କରାଯିବ। ମନ୍ଦିର ମଧ୍ୟରେ ବିବାହ, ମେଳା ଆଦି ପୂଜାର୍ଚ୍ଚନା ଉପରେ ପୂର୍ବପରି କଟକଣା ବଳବତ୍ତର ରହିବ ।

ଏଥିସହିତ ପଢ଼ନ୍ତୁ: ଉପାନ୍ତ ଦେଖିବ ସ୍ମାର୍ଟ ଇତିହାସ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟକାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ