spot_img
Home Blog Page 530

ପୋଲିସ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ କରିପାରିବ କି?

ରାସ୍ତାରେ ଗାଡ଼ି ଚଳାଉଥିବା ସମୟରେ ଟ୍ରାଫିକ ଚାଲାଣ କଟିବା ଏକ ସାଧାରଣ କଥା । ସେଥିପାଇଁ ଟ୍ରାଫିକ୍ ନିୟମ ମାନିବାକୁ ପରାମର୍ଶ ଦିଆଯାଇଥାଏ । ତେବେ କିଛି ଗମ୍ଭୀର ମାମଲାରେ ଗାଡ଼ି ଚାଳକଙ୍କ ଡ୍ରାଇଭିଂ ଲାଇସେନନ୍ସ ସସପେଣ୍ଡ ବା ରଦ୍ଦ କରିଦିଆଯାଇଥାଏ । କୋର୍ଟଙ୍କ ଅନୁସାରେ, ପୋଲିସ ପାଖରେ ଏହି ଅଧିକାର ନାହିଁ ଯେ, ସେ ଗାଡ଼ି ଚାଳକଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିପାରିବେ । ମାତ୍ର ପୋଲିସ ଆପଣଙ୍କର ଡିଏଲ ଜବତ କରିପାରେ ।

ନିକଟରେ କୋଲକାତା ହାଇକୋର୍ଟ ଏକ ମାମଲାର ଶୁଣାଣି କରି କହିଛନ୍ତି, ଟ୍ରାଫିକ ପୋଲିସ ପାଖରେ ଡିଏଲ ଜବତ କରିବା, ନିଲମ୍ବିତ କରିବା, ରଦ୍ଦ କରିବାର ଅଧିକାର ନାହିଁ । ମୋଟର ବାହନ ଅଧିନିୟମ, ୧୯୯୮ର ଧାରା (୨୦୬(୪) ଓ ସମ୍ବନ୍ଧିତ ଧାରା ଅନୁସାରେ, କୌଣସି ଠୋସ୍ କାରଣ ପାଇଁ ଡିଏଲ ଜବତ କରିବାର ଅଧିକାର ପୋଲିସର ଅଛି । ସେଥିରେ ବିପଜ୍ଜନକ ଡ୍ରାଇଭିଂ, ନିଶାରେ ଗାଡ଼ି ଚଳାଇବା ବା ଦ୍ରୁତ ଗତିରେ ଗାଡ଼ି ଚଳାଇବା ଆଦି ସାମିଲ ରହିଛି । ଗତ ୨୪ ତାରିଖରେ କୋଲକାତା ହାଇକୋର୍ଟ ଏକ ମାମଲାରେ ନିଷ୍ପତ୍ତି ଶୁଣାଇଥିଲେ ଯେ, ପୋଲିସ ଅଧିକାରୀଙ୍କ ପାଖରେ ଡିଏଲ ଜବତ କରିବାର ଅଧିକାର ନାହିଁ । ଏହାର ପ୍ରୟୋଗ କେବଳ ମୋଟର ଯାନ ଅଧିନିୟମର ଅନୁସାରେ କିଛି ଖାସ୍ ପରିସ୍ଥିତିରେ କରାଯାଇପାରେ ।

ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ: ସୁରତରୁ ୩ ଠକ ଗିରଫ

ଗାରମେଣ୍ଟ ଦେବା ବାହାନାରେ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ। ଗୁଜୁରାଟର ସୁରତରୁ ୩ ଜଣଙ୍କୁ ଗିରଫ କଲା ସାଇବର ଥାନା ପୋଲିସ। ଫେକ ଆପରେ ୫୦ ପ୍ରତିଶତ ରିହାତିରେ ପୋଷାକ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ବିଭିନ୍ନ ଉପାୟରେ ୧୪ ଲକ୍ଷ ୫୫ ହଜାର ଟଙ୍କା ନେଇଥିଲା ଠକ। ଟଙ୍କା ନେବା ପରେ ମଧ୍ୟ ପୋଷାକ ମିଳି ନଥିଲା। ଏନେଇ ମହିଳା ବ୍ୟବସାୟୀ ଏପ୍ରିଲ ମାସରେ ସାଇବର ଥାନାରେ ଅଭିଯୋଗ କରିଥଲେ। ଟଙ୍କା ଯାଇଥିବା ଆକାଉଣ୍ଟକୁ ଟ୍ରାକ କରି ସାଇବର ପୋଲିସ ସୁରତରେ ପହଞ୍ଚିଥିଲା । ସୁରତର କାମରେଶ ଥାନା ପୋଲିସ ସହାୟତାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ଫେଲ । ତଦନ୍ତ ସମୟରେ ୮ ଟି ରାଜ୍ୟରେ ଅଭିଯୁକ୍ତମାନେ ଠକେଇ କରିଥିବା ସୂଚନା ପାଇଛି ସାଇବର ପୋଲିସ ।

ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ: ଅସୁସ୍ଥ ମହିଳା କର୍ମଚାରୀଙ୍କୁ ସାକ୍ଷାତ କଲା କଂଗ୍ରେସ ଟିମ୍

ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ଭିତରେ ଜଣେ ମହିଳା କର୍ମଚାରୀ କବାଟ ବନ୍ଦ କରି ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରାଉରକେଲା ମହାନଗର ନିଗମର ଜଏଣ୍ଟ କମିଶନର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଆତ୍ମହତ୍ୟା ଉଦ୍ୟମ କରି ଅସୁସ୍ଥ ଥିବା ମହିଳା କର୍ମଚାରୀ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଅସୁସ୍ଥ ମହିଳା କର୍ମଚାରୀଙ୍କୁ କଂଗ୍ରେସର ଏକ ପ୍ରତିନିଧି ଦଳ ସାକ୍ଷାତ କରିଛନ୍ତି। ମହିଳା କର୍ମଚାରୀଙ୍କ ଦାବି ପୂରଣ କରିବା ପାଇଁ କଂଗ୍ରେସ ଦଳ ଲଢିବ ଵୋଲି ରାଉରକେଲା ଜିଲ୍ଲା କଂଗ୍ରେସ ସଂଯୋଜକ ଜ୍ଞାନେନ୍ଦ୍ର କୁମାର ଦାସ କହିଛନ୍ତି। ମହିଳା କର୍ମଚାରୀଙ୍କ ସ୍ବାମୀ RMCରେ ଲାଇନମ୍ୟାନ ଭାବେ କାର୍ଯ୍ୟ କରୁଥିବା ସମୟରେ ୨୦୧୬ରେ ମୃତ୍ୟୁ ହୋଇଥିଲା । ସ୍ଵାମୀଙ୍କ ମୃତ୍ୟୁ ପରେ ମହିଳା ଅସ୍ଥାୟୀ କର୍ମଚାରୀ ଭାବେ ରାଉରକେଲା ମହାନଗର ନିଗମରେ କାର୍ଯ୍ୟ କରୁଛନ୍ତି । ବିଭିନ୍ନ ସମସ୍ୟା ସମାଧାନ କରିବା ପାଇଁ ବାରମ୍ବାର ଦାବି କରି ଵିଫଳ ହେବା ପରେ ସୋସିଆଲ ମିଡିଆରେ ନିଜର ମନ୍ତବ୍ୟ ରଖି ଗତକାଲି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ଆଜି ବି ରାଜ୍ୟରେ ପ୍ରବଳ ବର୍ଷା: ଆଲର୍ଟ ଜାରି କଲା ବିଭାଗ

ଆଜି ବି ରାଜ୍ୟରେ ପ୍ରବଳ ବର୍ଷା । ଦକ୍ଷିଣ ବାଂଲାଦେଶ ଏବଂ ତାହାର ଆଖପାଖ ଅଞ୍ଚଳର ବାୟୁ ମଣ୍ଡଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ଯାହାର ଉତ୍ତର ଆଭ୍ୟନ୍ତରଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ବିଭାଗ। ସେପଟେ ଗତ ୨୪ ଘଣ୍ଟାରେ ଅନେକ ସ୍ଥାନରେ ବର୍ଷା ଅଧିକ ହୋଇଥିବା ବେଳେ, ରାଜ୍ୟରେ କଳାହାଣ୍ଡି ଜିଲ୍ଲା ୫୫ ମିଲି ମିଟର ବର୍ଷା ରେକର୍ଡ ହୋଇଛି । ସେପଟେ ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟରେ ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ସହ ଗୋଟେ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ବର୍ଷା ସହ ବିଜୁଳି ଘଡଘଡି ଓ ଘଣ୍ଟା ପ୍ରତି ୩୦ ରୁ ୩୫ କିମି ବେଗରେ ପବନ ବହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ।

ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ହେବ ବନକଲାଗି ନୀତି

ଆଜି ଶ୍ରାବଣ ଶୁକ୍ଳ ଷଷ୍ଠୀ ତିଥି। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ହେବ ବନକଲାଗି ନୀତି  । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ଟାରୁ ଠାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ପ୍ରାୟ ୪ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡ

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଯୁବତୀକୁ ଦୁଷ୍କର୍ମ ଅଭିଯୋଗ ମାମଲା। ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କଲେ ଅତିରିକ୍ତ ଜିଲ୍ଲା ଦୌରାଜଜ । ୨୮ ଅଗଷ୍ଟ ୨୦୨୨ କାଠପାଳ ଗ୍ରାମର ଧବଳ ମାଝୀ ଛେଳି ଚରାଇଥିବା ଜନୈକା ଯୁବତୀଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲା l ଏନେଇ ଯୁବତୀ ଜଣଙ୍କ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ  । ପୋଲିସ ଧବଳ ମାଝୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା l ଅନୁଗୋଳ ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟର ବିଚାରପତି ହୃଷିକେଶ ଆଚାର୍ଯ୍ୟ ମାମଲାର ଶୁଣାଣି କରି ୧୦ଜଣ ସାକ୍ଷୀଙ୍କ ବୟାନକୁ ଆଧାରକରି କୋର୍ଟ ଧବଳ ମାଝୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଧବଳକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି କୋର୍ଟ  । ଜୋରିମାନା ଅନାଦେୟ ଅଧିକ ୬ମାସ ଜେଲଦଣ୍ଡ ଆଦେଶ ଦିଆଯାଇଛି । ମାମଲାକୁ ସରକାରୀ ଓକିଲ ତାପସ ରଞ୍ଜନ ମିଶ୍ର ପରିଚାଳନା କରିଥିଲେ।

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଜଣେ ଶିକ୍ଷକଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଜଣେ ଶିକ୍ଷକଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ। ରାୟଗଡ଼ା, ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ କ୍ରାଇମବ୍ରାଞ୍ଚ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଗାଁର ଜଣେ ଶିକ୍ଷକଙ୍କୁ ଉଠାଇନେଇଥିବା ଜଣାପଡିଛି। ପ୍ରଶ୍ନପତ୍ର ପ୍ରଘଟ ଯୋଗୁଁ ଓଟିଇଟି ପରୀକ୍ଷା ବାତିଲ କରାଯାଇଥିଲା। ତେବେ ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ରାୟଗଡ଼ା ଜିଲ୍ଲା ଏକ୍ସ କ୍ୟାଡର ଶିକ୍ଷକ ସଂଘର ସଭାପତି ତଥା ଡ଼ଙ୍ଗରବୋରି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ବିଜୟ ମିଶ୍ରଙ୍କ ସମ୍ପୃକ୍ତି ଥିବା ଜଣାପଡିଥିଲା।ସ୍ଥାନୀୟ ପୋଲିସ ସାହାଯ୍ୟରେ କ୍ରାଇମବ୍ରାଞ୍ଚ ବିଜୟଙ୍କୁ ଉଠାଇ ନେଇଥିବା ଜଣାପଡିଛି। କ୍ରାଇମବ୍ରାଞ୍ଚ ତାଙ୍କୁ କେଉଁଠିକି ନେଇଛନ୍ତି ସେନେଇ କୌଣସି ସୂଚନା ମିଳିପାରିନାହିଁI

ଘରୋଇକରଣ ହୋଇପାରେ ୱାଟକୋ, ସରକାରଙ୍କ ଯୋଜନାକୁ ରାଜନୈତିକ ଦଳ ଓ ବୁଦ୍ଧିଜୀବୀଙ୍କ ନିନ୍ଦା

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା ଜଳ ନିଗମ ବା ୱାଟକୋ ଘରୋଇକରଣ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ସହରାଞ୍ଚଳରେ ଜଳ ଯୋଗାଣ, ସ୍ଵେରେଜ ଓ ପରିମଳ ଦାୟିତ୍ଵ ୱାଟକୋ ହାତରେ ଥିବା ବେଳେ ଏବେ ବିଭିନ୍ନ କାରଣରୁ ଓ୍ବାଟକୋ ଦୁର୍ବଳ ହେବାରେ ଲାଗିଛି। ପୁରୀକୁ ବାଦ୍ ଦେଲେ ବାକି ୧୧ ସହରରେ ୨୪ଘଣ୍ଟିଆ ଜଳ ଯୋଗାଣ କଥା ନିଗମ କହୁଥିଲେ ମଧ୍ୟ ବାସ୍ତବତା ହେଉଛି ଦିନକୁ ୧୧ଘଣ୍ଟାରୁ ୧୨ ଘଣ୍ଟା ପାଣି ମିଳୁଛି। ଏଥିପାଇଁ କର୍ମଚାରୀ, ମାନବସମ୍ବଳ ଓ ଫଣ୍ଡିଂର ଅଭାବ ରହିଛି। ଏବେ ଏହାକୁ ଘରୋଇ କମ୍ପାନୀ ହାତକୁ ଟେକି ଦେବା ନେଇ ସରକାର ଚିନ୍ତା କରୁଥିବା ଜଣାପଡିଛି ।

ସହରାଞ୍ଚଳରେ ବିଶୁଦ୍ଧ ଜଳ ଯୋଗାଣ ଦାୟିତ୍ଵ ୱାଟକୋ ହାତରେ। ନଗର ଉନ୍ନୟନ ବିଭାଗ ଅଧୀନରେ  କାମ କରୁଥିବା ଜଳ ନିଗମ ଏବେ ଘରୋଇ କମ୍ପାନୀ ହାତକୁ ଯିବା ନେଇ ଚର୍ଚ୍ଚା ହେଉଛି । ସରକାରଙ୍କ ଏପରି ଯୋଜନାକୁ ରାଜନୈତିକ ଦଳ ଓ ବୁଦ୍ଧିଜୀବୀ ଗ୍ରହଣ କରିବାକୁ ନାରାଜ। ରାଜ୍ୟର ୧୧୪ ସହରରେ ବିଶୁଦ୍ଧ ଜଳ ଯୋଗାଣ, ସ୍ବେରେଜ ଓ ପରିମଳ ବ୍ୟବସ୍ଥା ପାଇଁ ୨୦୧୫ରେ ରାଜ୍ୟ ସରକାର ଗଢିଥିଲେ ଓ୍ବାଟର କର୍ପୋରେସନ ଅଫ୍ ଓଡ଼ିଶା, ଓ୍ବାଟକୋ। ୨୦୧୯ରେ ୩ଟି ସହରରୁ କାମ ଆରମ୍ଭ କରିଥିବା ଓ୍ବାଟକୋ ଏବେ ସୁଦ୍ଧା ୨୯ଟି ସହରାଞ୍ଚଳରେ କାମ କରୁଛି। ପ୍ରାୟ ୬୫ ପ୍ରତିଶତ ସହରୀ ବାସିନ୍ଦାଙ୍କୁ ସୁବିଧା ଯୋଗାଉଛି ସେବା।  ବିଶ୍ବର ପ୍ରଥମ ସହର ଭାବେ ପୁରୀରେ ୨୪ ଘଣ୍ଟିଆ ବିଶୁଦ୍ଧ ଜଳ ଯୋଗାଣ ଥିଲା କମ୍ପାନୀର ସବୁଠାରୁ ବଡ଼ ଉପଲବ୍ଧି। ଏବେ ସରକାର ୱାଟକୋର ଘରୋଇକରଣ ପାଇଁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି ।

ନଦୀ ନାଳ ଭରା ଓଡ଼ିଶାରେ ଏବେ ଜଳ ସଙ୍କଟ। ସବୁ ସହରାଞ୍ଚଳକୁ ୨୪ ଘଣ୍ଟିଆ ଜଳ ଯୋଗାଣ ହୋଇପାରିନି। ପୁଣି ଗ୍ରାହକଙ୍କୁ ଜଳକର ମଧ୍ୟ ଅଧିକ ଦେବାକୁ ପଡ଼ୁଛି। ଏବେ ସରକାର ଘରୋଇ କମ୍ପାନୀକୁ ବିଲ୍ କଲେକ୍ସନ ସହ ଜଳ ଯୋଗାଣ ଦାୟିତ୍ବ ଦେବାକୁ ଚିନ୍ତା କରୁଛନ୍ତି । ସରକାରଙ୍କ ଏଭଳି ଯୋଜନାକୁ ବିରୋଧ କରିଛି ଓଡ଼ିଆ ଅସ୍ମିତା ପରିଷଦ। ଏଥିପାଇଁ ଆସନ୍ତା ୩୧ ତାରିଖରେ ସର୍ବଦଳୀୟ ବୈଠକ ଡ଼କାଯାଇଛି ବୋଲି ପରିଷଦର ସଭାପତି ରବି ବେହେରା କହିଛନ୍ତି। ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନା ଜରିଆରେ ସାରା ଦେଶରେ ପ୍ରଶଂସିତ ହୋଇଥିଲା ଓ୍ବାଟକୋ। କେନ୍ଦ୍ର ସରକାର ଅମୃତ ୨.୦ରେ ଓ୍ବାଟକୋର ଏହି ମଡ଼େଲକୁ ସାମିଲ କରିଥିଲେ।

ପଞ୍ଜିକରଣ ସାଜିଛି କଣ୍ଟା, ଧାନବିକ୍ରିରୁ ବାଦ ପଡିବେ ଲକ୍ଷ ଲକ୍ଷ ଚାଷୀ

ନନ୍ଦିଘୋଷ ବ୍ୟୁରୋ: ଧାନ ବିକିବାକୁ ପଞ୍ଜିକରଣ ନେଇ ଜାରି ରହିଛି ରାଜନୈତିକ ବୟାନବାଜି । ଧାନ ବିକ୍ରି କରିବା ପ୍ରସଙ୍ଗରେ ଦଲାଲ ଚିହ୍ନଟ କରିବା ସମୟରେ ପ୍ରକୃତ ଚାଷୀ ଯେମିତି ବାଦ ନପଡ଼ିବେ ତାକୁ ଗୁରୁତ୍ବ ଦେବାକୁ ଦାବି କରିଛି ବିଜେଡି। ଏହାସହ ଅନଲାଇନ ପଞ୍ଜୀକରଣ ଲାଗି ନୂଆ ନିୟମ ଚାଷୀଙ୍କ ତଣ୍ଟିରେ କଣ୍ଟା ସାଜିଛି । ସରକାରଙ୍କ ଏପରି ନିଷ୍ପତ୍ତିରେ ଲକ୍ଷ ଲକ୍ଷ ଚାଷୀ ଧାନ ବିକ୍ରି କରିବାକୁ ବଂଚିତ ହେବେ ବୋଲି ବିଜେଡି କହିଛି । କଂଗ୍ରେସ ସାଟେଲାଇଟ ସର୍ଭେକୁ ନେଇ ସନ୍ଦେହ ପ୍ରକାଶ କରିଛି। ଶାସକ ଦଳ ମଧ୍ୟ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳୀକରଣ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ବୋଲି କହିଛନ୍ତି।

ପଞ୍ଜିକରଣ ସାଜିଛି କଣ୍ଟା । ଧାନବିକ୍ରିରୁ ବାଦ ପଡିବେ ଲକ୍ଷ ଲକ୍ଷ ଚାଷୀ । ଚାଷୀଙ୍କ ପାଇଁ ଶାସକ ଓ ବିରୋଧୀଙ୍କ ସ୍ବର ଏକ । ନୂଆ ନିୟମକୁ କୋହଳ କରିବାକୁ ସଭିଁଙ୍କ ଦାବି । ସ୍ବଚ୍ଛତା ପାଇଁ ବଳି ନପଡନ୍ତୁ ପ୍ରକୃତ ଚାଷୀ। ଧାନ ପଞ୍ଜିକରଣରେ ନୂଆ ନିୟମ ଚାଷୀଙ୍କ ପାଇଁ କଣ୍ଟା ସାଜିଛି। ରାଜ୍ୟ ସରକାରଙ୍କ ନୂଆ ନିୟମ ପାଇଁ ଖରିଫ ଧାନ ବିକ୍ରି କରିବାରୁ ବଂଚିତ ହେବେ ଲକ୍ଷ ଲକ୍ଷ ଚାଷୀ । ଯାହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ଧାନ ବିକ୍ରିରେ ଦଲାଲ ମୁକ୍ତ କରାଯାଉ । ହେଲ ସ୍ବଚ୍ଛତା ଆଳରେ ପ୍ରକୃତ ଚାଷୀ ଯେମିତି ଧାନ ବିକ୍ରି କରିବାବୁ ବଂଚିତ ନହୁଅନ୍ତି ତାକୁ ଗୁରୁତ୍ବ ଦେବାକୁ ମୁଖ୍ୟ ବିରୋଧୀ ବିଜେଡି ଦାବି କରିଛି । ଧାନକିଣାରେ ସରକାରଙ୍କ ନୂଆ ନିୟମ ବହୁତ ଜଟିଳ ହୋଇଥିବାରୁ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମଖୀନ ହେଉଛନ୍ତି ବୋଲି ବିଜେଡି କହିଛି । ଶାସକ ବିଜେପି ବିଧାୟକ ଅଶୋକ ମହାନ୍ତି ଧାନ ପଞ୍ଚିକରଣର ନୂଆ ନିୟମକୁ କୋହଳ କରିବା ସପକ୍ଷରେ ସ୍ବର ଉଠାଇଛନ୍ତି । ପଞ୍ଜୀକରଣ ସରଳ କରିବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ସେ କହିଛନ୍ତି ।

ଗତ ଥର କିଛି ଫେକ ଚାଷୀ ପଞ୍ଜୀକରଣ କରି ଧାନ ବିକ୍ରି କରିଥିଲେ । ବିଭିନ୍ନ ଅଞ୍ଚଳରେ ଜଣା ପଡ଼ିଛି ଧାନ ଯିଏ କରିଛି ସେ ଟୋକନ ପାଉନି । କିନ୍ତୁ ଧାନ ଯିଏ କରିନି ଓ ବିଲ ପଡିଆ ପଡିଛି ସେ ଟୋକନ ପାଉଛି । ଏହି ଘଟଣାପରେ ତନ୍ନ ତନ୍ନ କରି ଯାଞ୍ଚ ପାଇଁ ବିଭାଗ ନିର୍ଦ୍ଦେଶ ଦେଇଥିଲା । ତଦନ୍ତ ପରେ ୧ ଲକ୍ଷ ୮୧ ହଜାର ଏମିତି ଫେକ ଚାଷୀ ଧରାପଡିଛନ୍ତି । ଆହୁରି ମଧ୍ୟ କିଛି ଲୋକ ବାହାରିବେ । ତେଣୁ ତାଙ୍କୁ କାରଣ ଦର୍ଶଆ ନୋଟିସ କରାଯାଇଛି । କଣ ପାଇଁ ଏମିତି ଚାଷୀ ନାଁରେ ପଞ୍ଜିକରଣ କରି ସରକାରୀ ରାଜସ୍ୱ ଲୁଟ କରୁଛନ୍ତି ତାଙ୍କଠୁ ଉତ୍ତର ଆସିବା ପରେ ସେମାନେ ଅଣ୍ଡରଟେକିଙ୍ଗି ଲେଖିକି ଦେବେ । ଏହାସହ ବର୍ଷକ ପାଇଁ ଧାନ କିଣା ପ୍ରକ୍ରିୟାରୁ ବାଦ ଦିଆଯିବ । ବିଧାୟକ ତାରା ପ୍ରସାଦ ବାହିନୀପତି କିନ୍ତୁ ସମବାୟ ମନ୍ତ୍ରୀଙ୍କ ଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଫସଲ ଅମଳ ପରେ ସାଟେଲାଇଟ ସର୍ଭେରେ ଚାଷ ଜମି ବଦଳରେ ପାହାଡ ଦେଖାଯାଇଥିବା ଜଣାପଡ଼ୁଛି । ତେଣୁ ଚାଷୀ ଅଯଥାରେ ହଇରାଣ ହେଉଛନ୍ତି ବୋଲି ତାରା ଅଭିଯୋଗ କରିଛନ୍ତି । ଅନ୍ୟପଟେ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆ କହିଛନ୍ତି ଚାଷୀ ସମସ୍ୟା କଥା ଆଗାମୀ ବିଧାନସଭା ଅଧିବେଶନରେ ବିଜେଡି ଉଠାଇବ ।

୨୦୨୫-୨୬ ଖରିଫ ଧାନ ବିକ୍ରି କରିବା ନେଇ ସରକାରଙ୍କ ନୂଆ ନିୟମକୁ ନେଇ ଉଭୟ ଶାସକ ଓ ବିରୋଧୀ ବିଧାୟକ ପ୍ରଶ୍ନ ଉଠାଇନ୍ତି । ସମସ୍ତଙ୍କର ଗୋଟିଏ ଦାବି, ପଞ୍ଚିକରଣ କରାଯାଉ ସରଳ ।

ଲୋକଙ୍କ ମନରୁ ହଟୁନି ଅନ୍ଧବିଶ୍ଵାସ, ଗୁଣିଗାରେଡିରୁ ଗଡୁଛି ମୁଣ୍ଡ

ନନ୍ଦିଘୋଷ ବ୍ୟୁରୋ: ରାୟଗଡା ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ଗୁଣିଗାରେଡି ସନ୍ଦେହରେ ମୃତ୍ଯୁ ସଂଖ୍ଯା । କେଉଁଠି ଗୁଣିଆର ଆଖ୍ୟା ଦେଇ ନିରୀହ ଲୋକଙ୍କୁ ହତ୍ୟା କରାଯାଉଛି, ତ ଆଉ କେଉଁଠି ଗାଁରୁ ନିଆଁପାଣି ବାସନ୍ଦ କରାଯାଉଛି । ଗତ ସାତ ବର୍ଷ ମଧ୍ଯରେ ଜିଲ୍ଲାରେ ୫୪ଟି ଗୁଣିଗାରେଡି ଜନିତ ଆକ୍ରମଣ ଓ ହତ୍ଯା ଘଟଣା ଦେଖିବାକୁ ମିଳିଛି । ଯାହା ପୋଲିସ ଓ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ଲୋକଙ୍କ ମନରୁ ହଟୁନି ଅନ୍ଧବିଶ୍ଵାସ । ଗୁଣିଗାରେଡିରୁ ଗଡୁଛି ମୁଣ୍ଡ । କରାଯାଉଛି ନିଆଁପାଣି ବାସନ୍ଦ । ଅନ୍ଧବିଶ୍ଵାସର ଅନ୍ଧାରୀ ମୁଲକରେ ପେଷି ହେଉଛନ୍ତି ନିରୀହ ଲୋକ । ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ଗୁଣିଗାରେଡି ଜନିତ ମୃତ୍ଯୁସଂଖ୍ଯା । ଗତ ଜାନୁଆରୀ ୧୯ ତାରିଖରେ ରାୟଗଡା ସଦର ମହକୁମାରେ ଗୁଣିଗାରେଡି ଘଟଣାରୁ ମାଙ୍କଡଝୋଲା ଗାଁର ଜଣେ ୭୫ ବର୍ଷୀୟ ବୃଦ୍ଧା ଖଲିମଣି ଜାନୀଙ୍କୁ ହତ୍ୟା କରାଯାଇଥିଲା । ଏପ୍ରିଲ ୨୧ରେ ପଦ୍ମପୁର ବ୍ଲକର ହାଟପଦା ସାହିରେ ୫୦ ବର୍ଷୀୟ ଗୌରହାରୀ ସାହୁଙ୍କୁ ଗୁଣିଆ ସନ୍ଦେହରେ ହତ୍ଯା କରାଯାଇଛି । ଘଟଣାରେ ପଦ୍ମପୁର ପୋଲିସ ୬ ଜଣ ନାବାଳକ ସମେତ ୩୪ ଜଣକୁ ଗିରଫ କରିଛି l ହେଲେ ଗୁଣିଗାରେଡି ଜନିତ ଘଟଣା ଜିଲ୍ଲାରେ ବନ୍ଦ ହେବାର ନାଁ ନେଉନି।

ଆଦିବାସୀ ଅଞ୍ଚଳରେ ଲୋକଙ୍କୁ ସଚେତନ କରିବା ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନ ଅଭିନବ ପ୍ରୟାସ କରୁଛି । ନୃତ୍ୟ ଓ ପଥପ୍ରାନ୍ତ ନାଟ୍ୟ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯାଉଛି । ତଥାପି କୁସଂସ୍କାର ବନ୍ଦ ହୋଇପାରୁନି । ଗତ ସାତ ବର୍ଷ ମଧ୍ୟରେ ଅର୍ଥାତ ୨୦୧୮ ମସିହା ଠାରୁ ୨୦୨୫ ମସିହା ମଧ୍ଯରେ ରାୟଗଡା ଜିଲ୍ଲାରେ ୫୪ଟି ଗୁଣିଗାରେଡି ଜନିତ ଆକ୍ରମଣ ଓ ହତ୍ଯା ଘଟଣା ଘଟିଛି । ସେଥିମଧ୍ଯରୁ କାଶୀପୁର ବ୍ଲକରେ ସର୍ବାଧିକ ୨୪ଟି ଘଟଣା ଘଟିଛି । ରାୟଗଡା ବ୍ଲକରେ ୧୩ଟି, କଲ୍ୟାଣସିଂହପୁର ବ୍ଲକରେ ୯ଟି, ଗୁଣପୁର ବ୍ଲକରେ ୪ଟି, ବିଷମକଟକରେ ଗୋଟିଏ ଓ ପଦ୍ମପୁର ବ୍ଲକରେ ୨ଟି ଘଟଣା ଘଟିଛି । ଘଟଣାରେ ୭ ଜଣ ମୃତ୍ୟୁବରଣ କରିଥିବା ବେଳେ ୮୮ ଜଣ ଗିରଫ ହୋଇଛନ୍ତି । ସେଥିରେ ୭ ଜଣ ନାବାଳକ ସାମିଲ ଅଛନ୍ତି । ସେହିପରି ଅନେକ ଅଭିଯୁକ୍ତ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ବେଳେ କିଛି ଅଭିଯୁକ୍ତ ମୁକୁଳି ଗଲେଣି । ଯାହାକୁ ନେଇ ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କରିଛନ୍ତି । ଅନ୍ୟପଟେ ଗ୍ରାମାଞ୍ଚଳରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ରାୟଗଡା ଏସପି କହିଛନ୍ତି ।