spot_img
Home Blog Page 5311

କରୋନାର ତୃତୀୟ ଲହରରେ ଶିଶୁଙ୍କୁ ସୁରକ୍ଷା ଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ନିମ୍ନଗାମୀ। ଦ୍ୱିତୀୟ ଲହର ସରିଆସୁଛି, କିନ୍ତୁ ସମ୍ପୂର୍ଣ୍ଣ ସରିନି ବୋଲି ଡିଏମଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି। ପିଆଇବି ରିପୋର୍ଟ ଅନୁସାରେ ଶିଶୁଙ୍କ ସଂକ୍ରମଣ ୧୨ପ୍ରତିଶତ ପାଖାପାଖି ରହୁଛି। ଯେହେତୁ ଯୁବଗୋଷ୍ଠୀ ଓ ବୟସ ବର୍ଗ ସଂକ୍ରମିତ ହୋଇସାରିଛନ୍ତି ବା ଟିକା ନେଇସାରିଛନ୍ତି ସେଥିପାଇଁ ଶିଶୁଙ୍କୁ ଅଧିକ ସଂକ୍ରମଣର ଆଶଙ୍କା ରହୁଛି। ଶିଶୁ ସଂକ୍ରମଣ ତଥ୍ୟ ଉପରେ ସପ୍ତାହେ ନଜର ରଖିବା ପରେ ସ୍ଥିତି କେମିତି ଅଛି ଜଣାପଡ଼ିବ। ତେବେ ଶିଶୁ ଗୁରୁତର ହେବା ବହୁତ କମ ରହିଛି। ପ୍ରଥମ ଓ ଦ୍ୱିତୀୟ ଲହରରେ ଯେଉଁ ପଦକ୍ଷେପ ନିଆଯାଇଥିଲା, ତୃତୀୟ ଲହରରେ ବି ସମାନ ପଦକ୍ଷେପ ନିଆଯିବ। ଶିଶୁଙ୍କ ସୁରକ୍ଷା ଲାଗି ଅଧିକ ବ୍ୟବସ୍ଥା କରାଯାଇଛି। ସେପଟେ ଏକ୍‌ମୋ ମେସିନ ଇନଷ୍ଟଲେସନ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସମସ୍ତ ୯ଟି ମେସିନ କଟକ ଏସସିବି ମେଡିକାଲରେ ରେ ଇନଷ୍ଟଲ ହୋଇସାରିଛି। ଏହା ଜୀବନ ରକ୍ଷାକାରୀ ମେସିନ। ଏଥିରେ ଟ୍ରାଏଲ ଆଣ୍ଡ ଏରର୍‌ କରାଯାଇପାରିବ ନାହିଁ। ଭଲ ଭାବେ ପରୀକ୍ଷା କରାଯିବା ପରେ ମେସିନ କାର୍ଯ୍ୟକ୍ଷମ ହେବ।

ଓଡ଼ିଶାରେ ପହଞ୍ଚିଲେ ପୁରୁଷ ଓ ମହିଳା ହକି ଟିମ୍‌, ସନ୍ଧ୍ୟାରେ ଟିମ୍‌କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ହକି ହିରୋ ବ୍ରିଲିଆଣ୍ଟ ବ୍ଲୁ। ଭୁବନେଶ୍ୱରରେ ପହଞ୍ଚିଛନ୍ତି ଭାରତୀୟ ହକି ଟିମ୍।  ବ୍ରିଲିଆଣ୍ଟ ଇନ ବ୍ଳୁ ପହଞ୍ଚିବା ପରେ ଦିଆଯାଉଛି ଭବ୍ୟ ସମ୍ବର୍ଦ୍ଧନା। ଭୁବନେଶ୍ୱରରେ ପହଞ୍ଚିବା ପରେ ବିଶାଳ ପ୍ରୋସେସନରେ ହୋଟେଲକୁ ନିଆଯାଉଛି। ମାଦଳ ଠାରୁ ଆରମ୍ଭ କରି ଘୋଡ଼ା ବାଘ ଭାଲୁ ନାଚରେ ତାଙ୍କୁ ସ୍ୱାଗତ କରାଯାଇଛି। ମାଦଳ ଏବଂ ଶଂଙ୍ଖ ଶବ୍ଦରେ ଉଛୁଳି ପଡ଼ିଛି ବିମାନବନ୍ଦର ପାଖ। ଉଭୟ ପୁରୁଷ ଏବଂ ମହିଳା ହକି ଦଳକୁ ଏବେ ହୋଟେଲକୁ ନିଆଯାଉଛି।

ସନ୍ଧ୍ୟାରେ ପୁରୁଷ ଓ ମହିଳା ହକି ଟିମକୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ। ଏଥି ପାଇଁ ସମସ୍ତ ପ୍ରସ୍ତୁତି ସରିଥିବାବେଳେ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ହୋଟେଲେ ପହଞ୍ଚିଲା ପରେ ସେଠାରେ ମଧ୍ୟ ମହିଳା ଏବଂ ପୁରୁଷ ହକି ଦଳକୁ ଭବ୍ୟ ସ୍ୱାଗତ କରାଯିବାର ବ୍ୟବସ୍ଥା ରହିଛି। ଖେଳାଳିଙ୍କ ପାଇଁ ହୋଟେଲ ପକ୍ଷରୁ ମଧ୍ୟ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଖେଳାଳିମାନେ ହୋଟେଲରେ ପହଞ୍ଚିବା ପରେ ପ୍ରଥମେ କେକ୍ କାଟିବେ।

କେକ୍‌ କାଟିବା ପରେ ହୋଟେଲରେ ବିଶ୍ରାମ ପାଇଁ ଯିବେ। ତେବେ ଉଭୟ ଟିମ୍ ପାଇଁ ହୋଟେଲରେ ୩୫ରୁ ୪୦ଟି ରୁମ୍ ବୁକିଂ କରାଯାଇଛି। ଖେଳାଳିଙ୍କ ମନପସନ୍ଦର ଖାଦ୍ୟ ମେନ୍ୟୁ ପ୍ରସ୍ତୁତ କରାଯାଇଛି। ହକି ଟିମର ମନପସନ୍ଦର ଖାଦ୍ୟ ମଟନ ଦମ ବିରିଆନି ଓ ଗାର୍ଲିକ ନାନ୍ ହୋଇଥିବା ବେଳେ ବ୍ରେକଫାଷ୍ଟରେ ଫ୍ରୁଟ୍ ବାସ୍କେଟ, ଫ୍ରେସ ଫ୍ରୁଟ୍ ଜୁସ, ମିଲ୍କ ସେକ୍ ଆଦି ରହିଛି।

ଲଞ୍ଚରେ ସୁଫିଆନା ପନିର ଟିକା, କ୍ରିସ୍ପ କର୍ଣ୍ଣ କବାବ୍ ଓ  ଆମିଷରେ ଲସୁନୀ କବାବ୍, ତନ୍ଦୁରୀ ଚିକେନ ଆଦି ରହିଛି। ଓଡ଼ିଆ ଖାଇବା ମଧ୍ୟ ମେନୁରେ ସ୍ଥାନ ପାଇଛି। ସେହିପରି ରାତ୍ରିଭୋଜନ ପାଇଁ ମଧ୍ୟ ସ୍ୱତନ୍ତ୍ର ମେନ୍ୟୁ ରହିଛି। ଟୋକିଓ ଅଲିମ୍ପିକ୍ସରେ ଜବରଦସ୍ତ ପ୍ରଦର୍ଶନ କରି ମନ ଜିଣିଛି ହକି ଟିମ୍। ପୁରୁଷ ଟିମ୍ ବ୍ରୋଞ୍ଜ ମେଡାଲ୍ ପାଇଥିବା ବେଳେ ମହିଳା ଟିମ୍ ଭଲ ପ୍ରଦର୍ଶନ କରିଛି।

କରୋନା କଟକଣାରେ ହେବ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର: କରୋନା କଟକଣାରେ ହେବ ବିଧାନସଭାର ମୌସୁମୀ ଅଧିବେଶନ।  ସେପଟେମ୍ବର ୧ରୁ ୯ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ। ଏଥର ମୌସୁମୀ ଅଧିବେଶନ ପାଇଁ କରୋନା ଟେଷ୍ଟ ବାଧ୍ୟତାମୂଳକ ନୁହେଁ। ଯେଉଁମାନେ ଡବଲ ଡୋଜ୍ ଟିକା ନେଇଥିବେ, ସେମାନଙ୍କୁ ବିଧାନସଭାରେ ପ୍ରବେଶ ଅନୁମତି ମିଳିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି। ସାମାଜିକ ଦୂରତା ବଜାୟ ରଖି ୪ଫୁଟ ଦୂରରେ ବିଧାୟକଙ୍କ ବସିବା ବ୍ୟବସ୍ଥା ହୋଇଛି। କିଭଳି ବିଧାନସଭା ଅଧିବେଶନ ସୁରୁଖୁରୁରେ ଚାଲିବ, ସେନେଇ ବାଚସ୍ପତି ବିଭିନ୍ନ ଦଳ ସହ ଆଲୋଚନା କରିବେ। ଚଳିତ ଅଧିବେଶନରେ ୮ଟି କାର୍ଯ୍ୟଦିବସ ରହିଛି। ଶୋଡ଼ଷ ବିଧାନସଭାର ସପ୍ତମ ଅଧିବେଶନରେ ଅନେକ ବିଲ୍ ପାରିତ ହେବାର କାର୍ଯ୍ୟକ୍ରମ ରହିଛି।

ପ୍ରଥମ ଥର ପାଇଁ ଅଧା ଓଡ଼ିଶାରେ ମପାଯିବ ଶିଶୁମାନଙ୍କର ଆଣ୍ଟିବଡି

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଅଧା ଓଡ଼ିଶାର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ହେବ ସେରୋ ସର୍ଭେ। ଏହାସହ ଶିଶୁମାନଙ୍କର ଆଣ୍ଟିବଡି ମପାଯିବ। ରାଜ୍ୟର ୧୨ଟି ଜିଲ୍ଲାରେ ରାଣ୍ଡମ ସାମ୍ପଲ ଟେଷ୍ଟ କରାଯିବ। ୬ରୁ ୧୮ ବର୍ଷ ଓ ସବୁବର୍ଗର ଲୋକଙ୍କର ହେବ ସେରୋ ସର୍ଭେ। ଲୋକଙ୍କ ଶରୀରରେ କେତେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି, ତାହା ସ୍ପଷ୍ଟ ହେବ ବୋଲି ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି କହିଛନ୍ତି। ପୂର୍ବରୁ କୋରାପୁଟ, ରାୟଗଡ଼ା, ଗଞ୍ଜାମ ଜିଲ୍ଲାରେ ସେରୋ ସର୍ଭେ କରାଯାଇଥିଲା। ଗଞ୍ଜାମରେ ଲୋକଙ୍କ ଦେହରେ ସର୍ବାଧିକ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥିବା ବେଳେ ରାୟଗଡ଼ା ଓ କୋରାପୁଟରେ ୬୦ପ୍ରତିଶତ ଉପରେ ରହିଥିଲା ରୋଗ ପ୍ରତିରୋଧକ ଶକ୍ତି। ପିଲାଙ୍କ ପାଇଁ କୋଭିଡ ଟିକା ଆସିନଥିବାରୁ ପ୍ରକୃତରେ ସେମାନଙ୍କ ଶରୀରେ କେତେ ଆଣ୍ଟିବଡି ସୃଷ୍ଟି ହୋଇଛି ସେରୋ ସର୍ଭେରେ ଜଣାପଡିବ। ଏଥିପାଇଁ ରାଜ୍ୟ ସରକାର ୫୭ ଦଶମିକ ୭୦ ଲକ୍ଷ ଟଙ୍କା ବ୍ୟୟବରାଦ କରିଛନ୍ତି। ଖୁବଶୀଘ୍ର  ସେରୋ ସର୍ଭେ ଆରମ୍ଭ ହେବ ବୋଲି ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି କହିଛନ୍ତି ।

ଆଫଗାନ୍ ବିମାନବନ୍ଦରରେ ବାୟୁସେନା ବିମାନ: ରାଷ୍ଟ୍ରଦୂତଙ୍କ ସମେତ ୧୨୦ ଭାରତୀୟ ଉଦ୍ଧାର

କାବୁଲ୍: ତାଲିବାନ କବଳିତ ଆଫଗାନିସ୍ତାନରୁ ଭାରତୀୟ କୂଟନୀତିକ ଅଧିକାରୀଙ୍କୁ ଉଦ୍ଧାର କରିଛି ଭାରତ। ଆମେରିକା ସେନା ବାହିନୀଙ୍କ ସହାୟତାରେ ଭାରତୀୟ ବାୟୁସେନାର ଏକ ବିମାନ ଦ୍ୱାରା ଆଫଗାନିସ୍ତାନରେ ନିୟୋଜିତ ଭାରତୀୟ ରାଷ୍ଟ୍ରଦୂତଙ୍କ ସମେତ ୧୨୦ଜଣ ଅନ୍ୟ ଅଧିକାରୀଙ୍କୁ ଉଦ୍ଧାର କରାଯାଇଛି। କାବୁଲ୍ ସମୟ ଅନୁସାରେ ମଙ୍ଗଳବାର ସକାଳ ୮ଟାରେ ଏହି ବିମାନ ହମିଦ କର୍ଜାଇ ବିମାନ ବନ୍ଦରରୁ ସମସ୍ତ ଯାତ୍ରୀଙ୍କୁ ନେଇ ଉଡ଼ାଣ ଆରମ୍ଭ କରିଥିଲା। ଏହା ଅପରାହ୍ଣ ଗୋଟାଏ ବେଳେ ନୂଆଦିଲ୍ଲୀରେ ପହଞ୍ଚିବ।

ମିଳିଥିବା ସୂଚନା ଅନୁସାରେ, ଆଫଗାନିସ୍ତାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ରୁଦ୍ରେନ୍ଦ୍ର ଟଣ୍ଡନ୍‌ଙ୍କ ସମେତ ଅନ୍ୟ ଅଧିକାରୀମାନଙ୍କୁ ନିରାପଦ ଭାବେ ଭାରତ ଆଣିବାକୁ ଭାରତ ପ୍ରୟାସ କରିଥିଲା। ପ୍ରଥମେ ତୁର୍କୀ ସହାୟତାରେ ଏହି ଅଧିକାରୀଙ୍କୁ ଉଦ୍ଧାର କରାଯିବା ଲାଗି ଚେଷ୍ଟା ହୋଇଥିଲା। ଉଦ୍ଧାର ଚୁକ୍ତି ଅନୁସାରେ ତୁର୍କୀ ପକ୍ଷରୁ ବିମାନ ବନ୍ଦରରେ ଆବଶ୍ୟକ ସୈନ୍ୟ ମୁତ୍ତୟନ କରାଯିବାକୁ ଥିଲା। ହେଲେ ଶେଷ ମୁହୂର୍ତ୍ତ ବେଳକୁ ତୁର୍କୀ ଆବଶ୍ୟକ ନିଷ୍ପତ୍ତି ନେଇ ପାରି ନଥିବାରୁ ଦ୍ୱନ୍ଦ୍ୱ ବଢ଼ିଥିଲା। ପରେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଆମେରିକୀୟ ବୈଦେଶିକ ସଚିବ ବ୍ଲିଙ୍କେନ୍‌ଙ୍କ ସହ ଆଲୋଚନା କରି ଯୁକ୍ତରାଷ୍ଟ୍ର ସହାୟତା କାମନା କରିଥିଲେ।

ପରେ ଆମେରିକା କେବଳ ସାମରିକ ବିମାନ ଅବତରଣ ଓ ପରିଚାଳନା ପାଇଁ ରାଜି ହୋଇଥିଲା। ଏହାଦ୍ୱାରା ଭାରତୀୟ ବାୟୁସେନାର ଏକ ବିମାନ ବିମାନ ଉଡ଼ାଣ ସମ୍ଭବ ହୋଇପାରିଥିଲା। ବେସାମରିକ ବିମାନକୁ ଅନୁମତି ନଥିବାରୁ ସେଠାରେ ଥିବା ଅନ୍ୟ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ସମ୍ଭବ ହୋଇପାରି ନାହିଁ।

କାବୁଲ୍ ଅଧିକାର ପରେ ଭିନ୍ନ ଚେକ୍‌ପୋଷ୍ଟକୁ ତାଲିବାନ ମାନେ ଅଧିକାର କରି ନେଇଛନ୍ତି। ଏଣୁ ଭାରତୀୟ ମିଶନରେ ଥିବା ଅଧିକାରୀମାନଙ୍କୁ ବିମାନ ବନ୍ଦରକୁ ଆଣିବା ଭାରତ ସରକାରଙ୍କ ପାଇଁ ଏକ ଆହ୍ୱାନ ଥିଲା। ହେଲେ ଭାରତୀୟ ଅଧିକାରୀମାନେ ଏହାକୁ ବିଶେଷ ଧ୍ୟାନ ଦେଇ କାବୁଲ୍ ବିମାନ ବନ୍ଦରରେ ଅଧିକାରୀମାନଙ୍କୁ ପହଞ୍ଚାଇ ପରିଥିଲେ। ଉପସ୍ଥିତ ତାଲିବାନୀମାନଙ୍କର ବିମାନ ପରିଚାଳନା ସମ୍ବନ୍ଧୀୟ ଆବଶ୍ୟକ ଜ୍ଞାନର ଅଭାବ ହେତୁ ବିମାନବନ୍ଦରରେ ଅସ୍ୱାଭାବିକ ଅବସ୍ଥା ସୃଷ୍ଟି ହୋଇଛି।

ଅପରପକ୍ଷେ ଆଫଗାନିସ୍ତାନ ନାଗରିକମାନେ ଦେଶ ଛାଡ଼ି ଚାଲିଯିବା ପାଇଁ ବିମାନ ବନ୍ଦରରେ ଗହଳି କରିଥିବାରୁ ଆମେରିକୀୟ ସୈନ୍ୟବାହିନୀଙ୍କୁ ଗୁଳିଚାଳନା କରିବାକୁ ପଡ଼ିଥିଲା। ପୁଣି ପରିସ୍ଥିତି ପ୍ରତି ମୁହୂର୍ତ୍ତରେ ବଦଳୁଥିବାରୁ ଭାରତୀୟ ଅଧିକାରୀଙ୍କୁ ନିରାପଦ ଭାବେ ଭାରତ ଫେରାଇ ଆଣିବା କଷ୍ଟକର ହୋଇପଡ଼ିଥିଲା।

୧୨୦ ଜଣ କୂଟନୀତିକ ଅଧିକାରୀ ଉଦ୍ଧାର ହୋଇଥିଲେ ମଧ୍ୟ ସେଠାରେ ଏବେ ଅନେକ ଭାରତୀୟ ଫଶିଛନ୍ତି। ହମିଦ କରଜାଇ ଆନ୍ତର୍ଜାତୀୟ ବିମାନବନ୍ଦର ସାଧାରଣ ବିମାନଚଳାଚଳ ପାଇଁ ଉନ୍ମୁକ୍ତ ହେବା ପରେ ଯାଇ ଅନ୍ୟ ଭାରତୀୟଙ୍କୁ ଉଦ୍ଧାର କରାଯାଇପାରିବ।

ଲଘୁଚାପ ରୂପ ନେଲା ସୃଷ୍ଟ ଘୂର୍ଣ୍ଣିବଳୟ, ଆସନ୍ତା ୩ ଘଣ୍ଟା ମଧ୍ୟରେ ୧୩ ଜିଲ୍ଲାରେ ଘଡଘଡି ସହ ବର୍ଷା

ଭୁବନେଶ୍ୱର: ଲଘୁଚାପ ରୂପ ନେଲା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ର ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ। ଘନୀଭୂତ ହେବା ପରେ ଏହା ଦକ୍ଷିଣ ଓଡ଼ିଶା, ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ମଧ୍ୟରେ ରହିଛି। ଲଘୁଚାପ ପ୍ରଭାବରେ ଆଗାମୀ ୩ଘଣ୍ଟାରେ ୧୩ଜିଲ୍ଲାରେ ସ୍ୱଲ୍ପରୁ ମଦ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ପୁରୀ, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର , ବାଲେଶ୍ୱର, ମୟୂରଭ଼ଞ୍ଜ, ଢେଙ୍କାନାଳ, ନୟାଗଡ଼ ଓ କଟକରେ ଘଡ଼ଘଡି ସହ ମଧ୍ୟମ ଧରଣର ବର୍ଷା ହେବ।

ଆଜି ୫ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଜପତି ଏବଂ ରାୟଗଡା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏଥିପାଇଁ ୫ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ଗଞ୍ଜାମ, ପୁରୀ, କଟକ, ଖୋର୍ଦ୍ଧା, କନ୍ଧମାଳ, ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲା ପାଇଁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। କନ୍ଧମାଳ, ବୌଦ୍ଧ, ପୁରୀ, କଳାହାଣ୍ଡି ଏବଂ କଟକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଆସନ୍ତାକାଲି ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବର୍ଷା ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋମିଟର ରହିବ। ସମୁଦ୍ର ଅଶାନ୍ତ ରହିବା କାରଣରୁ ଆଜି ଏବଂ ଆସନ୍ତାକାଲି ମତ୍ସଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ସେପଟେ ରାଜ୍ୟରେ ମୌସୁମୀ ଦୁର୍ବଳ ରହିଥିବାରୁ ଏବେ ବି ବିଭିନ୍ନ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।

ଜୁନ୍ ୧ ତାରିଖରୁ ଅଗଷ୍ଟ ୧୬ ପର୍ଯ୍ୟନ୍ତ ରାଜ୍ୟରେ ୫୩୭.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷାଠାରୁ ୨୯ ପ୍ରତିଶତ କମ୍। ଯାଜପୁରରେ ସର୍ବନିମ୍ନ ୫୪ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଭଦ୍ରକରେ ୫୨, ବଲାଙ୍ଗିରରେ ୪୨ ପ୍ରତିଶତ କମ୍ ବର୍ଷା ହୋଇଛି। ସେହିପରି କେନ୍ଦୁଝର, ଝାରସୁଗୁଡାରେ ୪୧ ପ୍ରତିଶତ ଏବଂ ଅନୁଗୁଳରେ ସ୍ୱାଭାବିକଠାରୁ ୪୦ ପ୍ରତିଶତ କମ୍ ବର୍ଷା ହୋଇଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରାଯିବା ଠିକ୍‌ ନିଷ୍ପତ୍ତି ବୋଲି କହିଲେ ଆମେରିକା ରାଷ୍ଟ୍ରପତି ଜୋ ବିଡେନ୍‌

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଗଣତନ୍ତ୍ର ଶାସନର ପତନ ସହ ଆରମ୍ଭ ହୋଇଛି ତାଲିବାନର ଅନ୍ଧାରୀରାଜ୍। ଆଫଗାନିସ୍ତାନକୁ ତାଲିବାନ ଦଖଲକୁ ନେବା ପରେ ପ୍ରଥମ ଥର ଲାଗି ମୁହଁ ଖୋଲିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବିଡେନ। ସେ କହିଛନ୍ତି, ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରିବା ନିଷ୍ପତ୍ତିରେ ସେ ଅଟଳ ଅଛନ୍ତି। ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ନେଇ ସାରା ବିଶ୍ୱରୁ ସମାଲୋଚନାର ଶିକାର ହୋଇଥିବା ବିଡେନ କହିଛନ୍ତି, ୨୦ ବର୍ଷ ପରେ ଯୁଦ୍ଧବିଧ୍ୱସ୍ତ ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରିବା ନିଷ୍ପତ୍ତିରେ ସେ ଅଟଳ ଅଛନ୍ତି।

ପୂର୍ବ ରାଜିନାମା ଅନୁସାରେ ସୈନ୍ୟ ପ୍ରତ୍ୟାହାର କିମ୍ବା ତୃତୀୟ ଦଶନ୍ଧି ଲାଗି ସୈନ୍ୟ ପ୍ରେରଣ- ଏହି ଦୁଇଟି ମଧ୍ୟରୁ ସେ ଗୋଟିଏକୁ ବାଛିବା ଜରୁରୀ ଥିଲା। ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ କରିଥିବା ରାଜିନାମା ଅନୁସାରେ ସେ ସୈନ୍ୟ ପ୍ରତ୍ୟାହାର କରିବାକୁ ଯଥାର୍ଥ ମନେ କରିଛନ୍ତି। ଏହି ରାଜିନାମା ଅନୁସାରେ ଆଫଗାନିସ୍ତାନରେ ଆମେରିକୀୟ ସୈନ୍ୟଙ୍କ ସୁରକ୍ଷା ଲାଗି କୌଣସି ଅସ୍ତ୍ରବିରତି କିମ୍ବା ରାଜିନାମା ହୋଇନଥିଲା। ଆମେରିକାର ସବୁଠାରୁ ଦୀର୍ଘ ଯୁଦ୍ଧ ପରିପ୍ରେକ୍ଷୀରେ ସେ ତାଙ୍କ ଦେଶ ଲାଗି ସୈନ୍ୟ ପ୍ରତ୍ୟାହାର ପରି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସେ ଆମେରିକୀୟଙ୍କ ସହ ସର୍ବଦା ରହି ଆସିଛନ୍ତି।

ଯାହା ଆଶା କରୁଥିଲା ତାହାଠାରୁ ବହୁ ପୂର୍ବରୁ ସତ୍ୟ ଉନ୍ମୋଚିତ ହୋଇଛି। ଦେଶରୁ ଆସୁଥିବା ଦୁର୍ଦ୍ଦଶାର ଚିତ୍ରକୁ ସେ ସ୍ୱୀକାର କରୁଛନ୍ତି ମାତ୍ର ସେ ଏହାକୁ ଏକ ବ୍ୟକ୍ତିଗତ ସ୍ତରକୁ ନେଇଛନ୍ତି। ସେ କହିଛନ୍ତି ୨୦ ବର୍ଷ ପରେ ସୈନ୍ୟ ପ୍ରତ୍ୟାହାର କରିବା ଲାଗି ଏକ ଉତ୍ତମ ସମୟ ଆସି ନଥିଲା। ଅଧିକ ବର୍ଷ ରହିଥିଲେ ବି ସେପରି କିଛି ବେଶ୍ ଫରକ ପଡି ନଥାନ୍ତା। ତାଲିବାନର ବିଜୟ ପ୍ରସଙ୍ଗରେ ସେ କହିଛନ୍ତି ଆଫଗାନିସ୍ତାନର ରାଜନୈତିକ ନେତାମାନ ହାତଛଡା କରିବା ସହ ଦେଶ ଛାଡି ପଳାୟନ କଲେ। ସାମରିକ ଶକ୍ତିର ପତନ ଘଟିଲା। ଏପରିକି ଅନେକ ସ୍ଥାନରେ ତାଲିବାନ ସହ ଯୁଦ୍ଧ ଲାଗି ଚେଷ୍ଟା ବି କରାଗଲା ନାହିଁ।

ଦୀର୍ଘ ୨୦ ବର୍ଷ ମଧ୍ୟରେ ଆମେରିକା ଟ୍ରିଲିୟନ ଡଲାର ଖର୍ଚ୍ଚ କରିଛି। ଆଫଗାନମାନଙ୍କୁ ଆମେରିକା ଅନେକ ସୁଯୋଗ ଦେଇଛି। ମାତ୍ର ସେମାନଙ୍କ ଭବିଷ୍ୟତ ସମ୍ପର୍କରେ ଲଢେଇ ଲାଗି ଆମେ ସେମାନଙ୍କୁ ଇଚ୍ଛାଶକ୍ତି ଯୋଗାଇ ପାରିବୁ ନାହିଁ ବୋଲି ସେ କହିଛନ୍ତି। ତାଲିବାନ ବିରୋଧରେ ଲଢିବା ଲାଗି ଆଫଗାନ ସୈନ୍ୟ ଚାହିଁଲେ ନାହିଁ। ଏ କ୍ଷେତ୍ରରେ ସେମାନଙ୍କ ଲାଗି ଆମେରିକୀୟ ସୈନ୍ୟ କାହିଁକି ମରିବେ। ଏଥିଲାଗି ସେଠାରୁ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ଯଥାର୍ଥ ଥିଲା।

ଏକ ଅନିଶ୍ଚିତ ଫଳାଫଳ ସମ୍ପନ୍ନ ଯୁଦ୍ଧରେ ଆମେରିକାର ପୁଅ ଝିଅମାନଙ୍କ ଆଉ କେତେ ପିଢି ଆଫଗାନମାନଙ୍କ ଲାଗି ବଳି ପଡିବେ ବୋଲି ପ୍ରଶ୍ନ କରିଛନ୍ତି ବିଡେନ। ଗୃହଯୁଦ୍ଧରୁ ରକ୍ଷା ଲାଗି ପୂର୍ବତନ ରାଷ୍ଟ୍ରପତି ଅସରଫ ଘନି ବିଫଳ ହୋଇଛନ୍ତି ବୋଲି ସେ କହିଛନ୍ତି। ସେ ଗତ ଜୁଲାଇରେ ଘନିଙ୍କ ସହ ଫୋନରେ କଥା ହୋଇଥିଲେ। ସୈନ୍ୟ ପ୍ରତ୍ୟାହାର ପରେ ସମ୍ଭାବ୍ୟ ଗୃହଯୁଦ୍ଧ ଲାଗି ପ୍ରସ୍ତୁତ ରହିବାକୁ ସେ ତାଙ୍କୁ ପରାମର୍ଶ ଦେଇଥିଲେ। ଏଥିଲାଗି ଆଫଗାନ ରାଜନେତାମାନେ ହାତ ମିଳାଇବା ଆବଶ୍ୟକ ବୋଲି ସେ କହିଥିଲେ। ମାତ୍ର ତାଙ୍କ ପରାମର୍ଶ ବିଫଳ ହୋଇଥିଲା ବୋଲି ସେ କହିଛନ୍ତି।

ରାଜ୍ୟରେ ୮ଶହ ତଳେ କରାେନା ସଂକ୍ରମଣ, ୬୮ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ସଂକ୍ରମଣ। ଦିନକରେ ୨୯ଜିଲ୍ଲା ଓ ଷ୍ଟେଟପୁଲରୁ ୭୨୦ ସଂକ୍ରମିତ ଚିହ୍ନଟ। ଏହା ମଧ୍ୟରୁ ୯୬ଜଣ ଶୂନରୁ ୧୮ ବୟସର ପିଲା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗଜପତିରେ ଶୂନ ସଂକ୍ରମଣ ରହିଛି। କ୍ୱାରେଣ୍ଟାଇନରୁ ୪୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୨୯୯। ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୧ଶହ୬୭ ଜଣ କରୋନା ରୋଗୀ। ଦିନକରେ ୬୮ ଆକ୍ରାନ୍ତଙ୍କ ଜୀବନ ନେଇଛି କିଲର କରୋନା। ଖୋର୍ଦ୍ଧାରୁ ସର୍ବାଧିକ ୨୭୯, କଟକରୁ ୯୧, ଷ୍ଟେଟପୁଲରୁ ୬୦, ଜଗତସିଂହପୁରରୁ ୩୩, ମୟୂରଭଞ୍ଜରୁ ୨୯, ଯାଜପୁରରୁ ୨୮, ଭଦ୍ରକରୁ ୨୨, ବାଲେଶ୍ୱରରୁ ୧୯, ନୟାଗଡ଼ରୁ ୧୮, ପୁରୀରୁ ୧୬, ଅନୁଗୁଳ ଓ ଢେଙ୍କାନାଳରୁ ୧୫ଜଣ ଲେଖାଏଁ, କେନ୍ଦ୍ରାପଡାରୁ ୧୨, କେନ୍ଦୁଝର ଓ ସୁନ୍ଦରଗଡ଼ରୁ ୧୧ଜଣ ଲେଖାଏଁ, କନ୍ଧମାଳରୁ ୯, ରାୟଗଡ଼ାରୁ ୮, ସମ୍ବଲପୁରରୁ ୬, ଦେବଗଡ଼, ଗଞ୍ଜାମ ଓ କଳାହାଣ୍ଡିରୁ ୫ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବଲାଙ୍ଗୀର ଓ ମାଲକାନଗିରିରୁ ୪ଜଣ ଲେଖାଏଁ, ଝାରସୁଗୁଡା, କୋରାପୁଟ ଓ ସୋନପୁରରୁ ୩ଜଣ ଲେଖାଏଁ, ବରଗଡ଼ ଓ ନୂଆପଡାରୁ ୨ଜଣ ଲେଖାଏଁ, ବୌଦ୍ଧ ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ। ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୯୬ହଜାର ୧୫୩। ମୋଟ୍ ସୁସ୍ଥ ହେଲେଣି ୯ଲକ୍ଷ ୭୯ହଜାର ୪୦୭। ଆକ୍ଟିଭ କେସ୍ ୯ହଜାର ୬୭୨।

ରାଜସ୍ଥାନକୁ ଚାଲାଣ ବେଳେ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ୩ଜଣ ଗିରଫ

ଲମତାପୁଟ: ଜଳାପୁଟ ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ। ରାଜସ୍ଥାନକୁ ଗଞ୍ଜେଇ ଚାଲାଣ ବେଳେ ୩ଜଣଙ୍କୁ ଗିରଫ କରିଛି ମାଛକୁଣ୍ଡ ପୁଲିସ। ସୂଚନା ଅନୁଯାୟୀ ଜଳାପୁଟରୁ ରାଜସ୍ଥାନକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ମାଛକୁଣ୍ଡ ଓ ଲମତାପୁଟ ପୁଲିସ। ଖବର ପାଇବା ପରେ ପୋଲିସ ସ୍ୱତନ୍ତ୍ର ଟିମ୍ ଗଠନ କରିବା ସହ ଟିକାପୁଟ ଛକ ନିକଟରେ ନାକାବନ୍ଦୀ କରି ଗାଡି ମୋଟର ଯାଞ୍ଚ କରିଥିଲେ।

ଘଟଣାସ୍ଥଳରେ ସନ୍ଦେହରେ ଗୋଟିଏ କାରକୁ ଅଟକ ରଖିଥିଲା। ଅଟକ କାରରୁ ଶହେ ୮କେଜି ଗଞ୍ଜେଇ ଜବତ କରିବା ସହ ୩ଜଣକୁ ଗିଫ କରିବାରେ ସଫଳ ହୋଇଛି ପୋଲିସ। ହେଲେ ଘଟଣାସ୍ଥଳରୁ କାର୍ ମାଲିକ ଫେରାର ହୋଇଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ୪ଲକ୍ଷ ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ୩ଗିରଫ ଚାଲାଣକାରୀଙ୍କ ନିକଟରୁ ୪ଟି ମୋବାଇଲ ଫୋନ ସହ ATM କାର୍ଡ ଓ ପରିଚୟ ପତ୍ର ଜବତ କରିଛି।

ଧରାପଡ଼ିଲା ମଦ ବ୍ୟବସାୟୀଙ୍କ ସହ ଅବକାରୀ ବିଭାଗ କର୍ମଚାରୀ ଡିଲ୍ : ଟଙ୍କା ନେଉଥିବା ଭିଡିଓ ଭାଇରାଲ

ଗୁଣୁପୁର: ହୋଟେଲ ରୁମରେ ଖୋଲା ଡିଲ୍ । ଚାଲିଛି ଟଙ୍କା କାରବାର । ମଦ ବ୍ୟବସାୟୀଙ୍କ ଠାରୁ ଟଙ୍କା ନେଉଛନ୍ତି ଅବକାରୀ ବିଭାଗର କନେଷ୍ଟବଳ । ଖଟ ଉପରେ ଅନନ୍ତ ଶୟନ ମୁଦ୍ରାରେ ଅଛନ୍ତି ଖୋଦ ଅବକାରୀ ଅଧିକ୍ଷକ । କେତେ ବାକି ଥିଲା, କେତେ ଆଡଭାନ୍ସ ଦେବେ ସବୁର ହିସାବ ଦେଉଛନ୍ତି କନେଷ୍ଟବଳ । ରାୟଗଡ଼ା ଅବକାରୀ ବିଭାଗରେ ଚାଲିଛି ଏଭଳି କାରବାର । ମଦବ୍ୟବସାୟୀଠୁ ଟଙ୍କା ନେଇ କମିଶନ ଭାଗବଣ୍ଟା ବି ହେଇଛି । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି । ଆଉ ପଦାରେ ପଡ଼ିଛି ଅବକାରୀ ବିଭାଗର କଳାକାରନାମା । ଜଣେ କନେଷ୍ଟବଳଙ୍କୁ ଢାଲ କରି ଅବକାରୀ ଅଧିକ୍ଷକ ଲୁଟୁଛନ୍ତି ଟଙ୍କା । ସେପଟେ ଭିଡିଓ ଭାଇରଲ୍ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ତଦନ୍ତ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ଭିଡିଓ ରେ ଥିବା କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଛି । ରିପୋର୍ଟ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।