spot_img
Home Blog Page 5314

‘ଆଫଗାନିସ୍ତାନକୁ ଧୋକା ଦେଇଛି ଆମେରିକା’ ୱାଇଟ ହାଉସ ଆଗରେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ

ଯୁକ୍ତରାଷ୍ଟ୍ର ଆମେରିକା: Save us, Save Afghanistan । ହ୍ୱାଇଟ ହାଉସ ଆଗରେ ଆଫଗାନୀଙ୍କ ଜୋରଦାର ବିକ୍ଷୋଭ । ଆଫଗାନରେ ସୃଷ୍ଟି ହୋଇଥିବା ଭୟଙ୍କର ସ୍ଥିତି ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବିଡେନ ଦାୟୀ ବୋଲି ସ୍ଲୋଗାନ ଦେଇ ବିକ୍ଷୋଭ କରାଯାଉଛି । ଆମେରିକା ସୈନ୍ୟ ପ୍ରତ୍ୟାହାର କରିନେବା ପରେ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇଛି ତାଲିବାନ । ଆମେରିକା ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ବିରୋଧରେ ଆକ୍ରୋଶ ବଢୁଥିବା ବେଳେ ଆଜି ହ୍ୱାଇଟ୍ ହାଉସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆଫଗାନସ୍ତାନ ବାସିନ୍ଦା ।

ୱାସିଂଟନଠାରେ ରହୁଥିବା ଆଫଗାନୀମାନେ ବାଇଡେନ ପ୍ରଶାସନକୁ ଦାୟୀ କରିବା ସହ ନାରାବାଜି କରିଛନ୍ତି । ଆମେରିକା ଆଫଗାନିସ୍ତାନକୁ ଧୋକା ଦେଇଛି ବୋଲି ଲେଖାଥିବା ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆଫଗାନୀ । ଆଫଗାନିସ୍ତାନର ଏଭଳି ସ୍ଥିତି ପାଇଁ ଆମେରିକାକୁ ଦାୟୀ କରି ବିକ୍ଷୋଭ କରିଛନ୍ତି ଆଫଗାନୀସ୍ତାନ ଜନତା ।

ଆଫଗାନିସ୍ତାନ ଶାସନ ତାଲିବାନ ହାତକୁ ଚାଲିଗଲେ ହଜାର ହଜାର ଓସାମା ବିନ ଲାଡେନ ଜନ୍ମ ନେବେ, ପାକିସ୍ତାନ ସହ ମିଶି ତାଲିବାନୀ ସାରାବିଶ୍ୱରେ ଅରାଜକତା ସୃଷ୍ଟି କରିବେ ବୋଲି ବିକ୍ଷୋଭକାରୀ କହିଛନ୍ତି । ଆସନ୍ତା ସେପ୍ଟେମ୍ବର ୧୧ ସୁଦ୍ଧା ଆମେରିକା ସେନା ଆଫଗାନିସ୍ତାନ ଛାଡ଼ିବ ବୋଲି ବାଇଡେନ ଘୋଷଣା କରିଥିଲେ । ଏବେସୁଦ୍ଧା ୯୦ ପ୍ରତିଶତ ଆମେରିକା ସେନା ଆଫଗାନିସ୍ତାନ ଛାଡ଼ି ସାରିଛନ୍ତି ।

ଦୁର୍ବଳ ପ୍ରତିରୋଧକ ଶକ୍ତି ଥିବା ଗୁରୁତର ରୋଗୀଙ୍କୁ ଅତିରିକ୍ତ ଡୋଜ ଭାବେ ଦିଆଯିବ ଏମ-ଆରଏନଏ ଟିକାର ୨ଟି ଡୋଜ୍‌

ନୂଆଦିଲ୍ଲୀ: ଦୁର୍ବଳ ପ୍ରତିରୋଧକ ଶକ୍ତି ଥିବା ଗୁରୁତର ରୋଗୀଙ୍କୁ ଅତିରିକ୍ତ ଡୋଜ ଦିଆଯାଇପାରେ। ଅଙ୍ଗ ପ୍ରତିରୋପଣ କରିଥିବା ବ୍ୟକ୍ତି, କର୍କଟରେ ପୀଡିତ ରୋଗୀ, ଏଚଆଇଭି ସଂକ୍ରମିତ ବ୍ୟକ୍ତିଙ୍କ କ୍ଷେତ୍ରରେ ଅଧିକ ୨ ଡୋଜ ଏମ-ଆରଏନଏ କୋଭିଡ ଟିକା ଦିଆଯିବା ନେଇ ସବୁଜ ସଂକେତ ଦେଇଛି ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର ବା ସିଡିସି। ଡେଲଟା ଭାରିଆଣ୍ଟର ପ୍ରଭାବ ବୃଦ୍ଧି ପାଉଥିବାବେଳେ ଦୁର୍ବଳ ଥିବା ବ୍ୟକ୍ତିଙ୍କୁ ଏହି ଟିକା ଅତିରିକ୍ତ ଦିଆଯାଇପାରେ ବୋଲି କହିଛନ୍ତି ସିଡିସିର ନିର୍ଦ୍ଦେଶକ ରାଚେଲ ଓ୍ୱାଲେନସ୍କି। ଦୁରାରୋଗରେ ପଡିଥିବା ତଥା ଜୀବନ ପ୍ରତି ବିପଦ ଥିବା ରୋଗୀଙ୍କ ଲାଗି ଏହା ସହାୟକ ହେବ ବୋଲି ସେ କହିଛନ୍ତି।

ଫାଇଜର-ବାୟୋଏନଟେକ ଓ ମଡର୍ଣ୍ଣାକୁ ତୃତୀୟ ଡୋଜ ଭାବେ ଗ୍ରହଣ କରିବା ଉଚିତ । ପ୍ରାଥମିକ ଟିକାକରଣର ୪ ସପ୍ତାହ ପରେ ଏହାକୁ ବୁଷ୍ଟର ଡୋଜ ଭାବେ ନିଆଯିବାକୁ ସେ ପରାମର୍ଶ ଦେଇଛନ୍ତି। ଆମେରିକାର ୩ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ପ୍ରତିରୋଧକ ଶକ୍ତି କମ୍ ଥାଏ। ସମ୍ପୂର୍ଣ୍ଣ ଟିକା ନେଇଥିଲେ ମଧ୍ୟ ପୁଣି କୋଭିଡ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ମଧ୍ୟରୁ ୪୦ରୁ ୪୪ ପ୍ରତିଶତ ରୋଗୀଙ୍କ ନିକଟରେ ପ୍ରତିରୋଧକ ଶକ୍ତି କମ୍ ଥାଏ ବୋଲି ସେ କହିଛନ୍ତି।

ଭୂତ ସୈନିକଙ୍କ ପାଇଁ ହାତରୁ ଖସିଲା ଆଫଗାନିସ୍ତାନ, ଆମେରିକାର ଅସ୍ତ୍ର ଯାଉଥିଲା ତାଲିବାନ ହାତକୁ

କାବୁଲ: ଭୂତ ସୈନିକଙ୍କ ଲାଗି ଆଫଗାନିସ୍ତାନ ଶାସନ ଯାଇଛି ତାଲିବାନ ହାତକୁ । ଦୀର୍ଘ ବର୍ଷ ଧରି ଆମେରିକା ସହାୟତାରେ ଶକ୍ତିଶାଳୀ ହୋଇଥିବା ଆଫଗାନ ବାହିନୀ କାହିଁକି ସହଜରେ ତାଲିବାନ ନିକଟରେ ପରାସ୍ତ ହେଲେ ତାହାକୁ ନେଇ ଉଠିଛି ପ୍ରଶ୍ନ । ବାସ୍ତବରେ ଆଫଗାନ ସରକାରରେ ଯେଉଁ ସୈନ୍ୟମାନେ ରହିଥିବା ଦର୍ଶାଯାଉଥିଲା ସେମାନଙ୍କ ମଧ୍ୟରେ ଅଧିକାଂଶ ଥିଲେ ଭୂତ ସୈନିକ । ଅର୍ଥାତ ସେହି ସୈନିକମାନେ ପ୍ରକୃତରେ ନଥିଲେ । ଜାଲ୍ ମଷ୍ଟର ରୋଲ୍ କରାଯାଇ ସେମାନଙ୍କ ଦରମା ଆତ୍ମସାତ୍ କରାଯାଉଥିଲା । ଆଫଗାନ ପୁନର୍ଗଠନ ଲାଗି ଆମେରିକାର ସ୍ବତନ୍ତ୍ର ମହାନିର୍ଦ୍ଦେଶକ ବା ସିଗାର ଦର୍ଶାଇଥିଲା ଯେ ଦେଶର ପ୍ରତିରକ୍ଷା ବାହିନୀରେ ୩ ଲକ୍ଷ ସୈନ୍ୟ ରହିଛନ୍ତି । ସେମାନଙ୍କୁ ନିୟମିତ ଦରମା ଦିଆଯାଉଛି । ମାତ୍ର ବାସ୍ତବରେ ଲକ୍ଷାଧିକ ସୈନିକ ଭୂତ ସୈନିକ ଥିଲେ । ସେମାନଙ୍କ ନାଁରେ ମିଥ୍ୟା ରେକର୍ଡ ପ୍ରସ୍ତୁତ କରାଯାଇ ଅର୍ଥ ହଡପ କରାଯାଉଥିଲା ।

ଯଦିଓ ବାୟୋମେଟ୍ରିକ ସିଷ୍ଟମ ଲାଗୁ ହୋଇଥିଲା ତଥାପି ମଷ୍ଟର ରୋଲ ଓ ବାୟୋମେଟ୍ରିକରେ ବ୍ୟାପକ ଅସଙ୍ଗତି ଦେଖାଯାଉଥିଲା । ମାତ୍ର ତାଲିବାନ ନିକଟରେ ୬୦ ହଜାର ପ୍ରକୃତ ଯୋଦ୍ଧା ସମେତ ୨ ଲକ୍ଷରୁ ଅଧିକ କର୍ମୀ ଥିଲେ । ଏହା ସହ ୯୦ ହଜାରରୁ ଅଧିକ ସ୍ଥାନୀୟ ସମର୍ଥକ ଯୋଦ୍ଧା ଥିଲେ । ଆଫଗାନ ସରକାରୀ ସେନାବାହିନୀ ତୁଳନାରେ ତାଲିବାନର ସଂଖ୍ୟା କମ୍ ଥିଲେ ବି ଆତ୍ମବଳ ଯୋଗୁ ସେମାନେ ସହଜରେ ଦେଶକୁ ଅଧିକାର କରିଥିଲେ ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ଆଫଗାନ ବାହିନୀକୁ ଆମେରିକା ଯେଉଁ ଅସ୍ତ୍ରଶସ୍ତ୍ର ଯୋଗାଉଥିଲା ତାହା ତାଲିବାନୀଙ୍କ ହାତରେ ଶୋଭା ପାଉଥିଲା । ଏପରିକି ଆଫଗାନିସ୍ତାନକୁ ଦିଆଯାଇଥିବା ଆମେରିକୀୟ ସାମରିକ ହେଲିକପ୍ଟରକୁ ବି କବଜା କରିଥିଲା ତାଲିବାନ ।

ରାଜଧାନୀକୁ ଡ୍ରଗ୍ସ ମୁକ୍ତ କରିବା ପାଇଁ ଭୁବନେଶ୍ୱରରେ ଆରମ୍ଭ ହେବ ଅପରେସନ୍‌ ହ୍ୱାଇଟ ସ୍ପାଇଡର

ଭୁବନେଶ୍ୱର: କରୋନା ସମୟରେ ରାଜଧାନୀ ଭବନେଶ୍ୱରରେ ବୃଦ୍ଧି ପାଇଛି ଧଳା ଜହର ବେପାର। ବାରମ୍ବାର ରେଡ୍‌ ପରେ ମଧ୍ୟ ସୁଧୁରୁ ନାହାଁନ୍ତି ନିଶା ବେପାରୀ। ସେଥିପାଇଁ ଭୁବନେଶ୍ୱରରେ ଡ୍ରଗ୍ସ ମୁକ୍ତ କରିବା ପାଇଁ ଆରମ୍ଭ ହୋଇଛି ଅପରେସନ୍‌। ଆରମ୍ଭ ହୋଇଛି ଅପରେସନ ହ୍ୱାଇଟ ସ୍ପାଇଡର। ଷ୍ଟ୍ରିଟ କ୍ରାଇମ ରୋକିବା ପାଇଁ ଏବଂ ବିଶେଷକରି ବସ୍ତିରେ ଥିବା ପିଲାମାନେ ଡ୍ରଗ୍ସ ଖାଇ ଭିଭିନ୍ନ ଅପରାଧରେ ଲିପ୍ତ ରହୁଥିବାରୁ ଏହି ପଦକ୍ଷେପ ନିଆଯାଇଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ଭୁବନେଶ୍ୱରରେ ହୋଟେଲ ଓ ଲଜ ପାଇଁ ଲଞ୍ଚ ହୋଇଛି ନୂଆ ଆପ୍‌ । ପ୍ରଥମ ଥର ପାଇଁ ଲଞ୍ଚ ହୋଇଥିବା ଏହି ଆପ୍ଲିକେସନର ନାଁ ହେଉଛି -ସରାଇ ଆପ୍‌ । ଏହି ଆପ୍ ଜରିଆରେ ପ୍ରତ୍ୟେକ ଦିନର ବିବରଣୀ ହୋଟେଲ କର୍ତ୍ତୃପକ୍ଷ ଦେଇପାରିବେ।…

ଭୁବନେଶ୍ୱରରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୭ ଜଣ ଡେଙ୍ଗୁ ରୋଗୀ

ଭୁବନେଶ୍ୱର: ରାଜଧାନୀରେ ବଢ଼ିଚାଲିଛି ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା। କରୋନା ପରେ ଏବେ କାଳ ହେଲାଣି ଡେଙ୍ଗୁ ରୋଗୀ। ଗତ ୨୪ଘଣ୍ଟାରେ ଭୁବନେଶ୍ୱରରେ ମୋଟ ୫୭ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଭୁବନେଶ୍ୱରରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ହଜାରେ ପାର ହୋଇଛି। ମୋଟ ୧୨୮୬କୁ ବୃଦ୍ଧି ପାଇଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ତେବେ ୧୨୮୬ ରୋଗୀଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୯୫୭ଜଣ ସୁସ୍ଥ ହୋଇଛନ୍ତି। ଏବେ ଭୁବନେଶ୍ୱରରେ ଆକ୍ଟିଭ କେସ ରହିଛି ୩୨୬। ଡେଙ୍ଗୁ ବୃଦ୍ଧିକୁ ଦୃଷ୍ଟିରେ ରଖି ଗତ ୨୪ ଘଣ୍ଟାରେ ସଚେତନତା ଓ ସଫେଇ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି। ୧୬୬୦୮ଟି ଘରେ ମୋଟ ୭୦ହଜାର ୨୭୮ ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଛି।

ଲୋକପ୍ରିୟ ରିଆଲିଟି ସୋ ଇଣ୍ଡିଆନ ଆଇଡଲ ସିଜିନ ୧୨ର ବିଜେତା ହେଲେ ପୱନଦୀପ ରାଜନ୍

ମୁମ୍ବାଇ:  ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ମ୍ୟୁଜିକ ରିୟଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍’ର ୧୨ତମ ସଂସ୍କରଣର ବିଜେତା ହୋଇଛନ୍ତି ଗାୟକ ପୱନଦୀପ୍ ରାଜନ୍। ଗତକାଲି ଅନୁଷ୍ଠିତ ଗ୍ରାଣ୍ଡ୍ ଫିନାଲେରେ ପୱନଦୀପ ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜେତାର ମୁକୁଟ ପିନ୍ଧିଛନ୍ତି। ସେ ପୁରସ୍କାର ସ୍ବରୂପ ‘ଇଣ୍ଡିଆନ୍ ଆଇଡଲ୍’ ଟ୍ରଫି ସହ ୨୫ଲକ୍ଷ ଟଙ୍କା ଏବଂ ମାରୁତୀ ସୁଇଫ୍ଟ କାର ପାଇଛନ୍ତି। ୨୦୨୦ ନଭେମ୍ବର ୨୮ରେ ୧୫ଜଣ କଣ୍ଠଶିଳ୍ପୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ରିୟଲିଟି ସୋ’ର ଦ୍ବାଦଶ ସଂସ୍କରଣ ସ୍ବାଧୀନତା ଦିବସରେ ଶେ‌ଷ ହୋଇଛି। ଏହି ସୋ’ରେ ଅରୁଣିତା କାଞ୍ଜିଲାଲ୍ ଓ ସାୟଲି କମ୍ବଲେ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ରନର୍ସ-ଅପ୍ ହୋଇ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ହାସଲ କରିଛନ୍ତି।

ରିଆଲିଟି ସୋ’ ଜିତିବା ପରେ ପୱାନଦୀପ କହିଛନ୍ତି, “ଇଣ୍ଡିଆନ୍ ଆଇଡଲ୍ ସିଜନ ୧୨ର ଟାଇଟଲ୍ ଜିତିବା ମୋ ପାଇଁ ଅବିଶ୍ୱସନୀୟ | ମତେ ଲାଗୁଛି ସତେ ଯେପରି ମୁଁ ସ୍ୱପ୍ନ ଦେଖୁଛି ଏବଂ ବିଜୟ ବାସ୍ତବତା ନୁହେଁ | ଏହା ମୋ ପାଇଁ ଏକ ବଡ଼ ସମ୍ମାନ | ମୋର ସମସ୍ତ ପ୍ରଶଂସକ ଏବଂ ଦର୍ଶକଙ୍କୁ ମୁଁ ଧନ୍ୟବାଦ ଦେବାକୁ ଚାହେଁ, ଯେଉଁମାନେ ମୋତେ ଭୋଟ୍ ଦେଇଛନ୍ତି ଏବଂ ମୋତେ ଏହି ସମ୍ମାନଜନକ ପ୍ରତିଯୋଗିତାରେ ଜିତାଇଛନ୍ତି | ଏ ଟ୍ରଫି ମୋର ନୁହେଁ,  ନିର୍ମାତାଙ୍କ ଠାରୁ ଆରମ୍ଭ କରି ଆମର ବିଚାରକ,ପ୍ରଶିକ୍ଷକ ଏବଂ ମୋର ସାଥୀ ପ୍ରତିଯୋଗୀ, ଏହା ସମସ୍ତଙ୍କର | ଏହି ବିଜୟ ମୋ ଜୀବନର ଅନୁଭବ ସର୍ବୋତ୍ତମ ।’’

ପୱନଦୀପ ରାଜନ୍ ଉତ୍ତରାଖଣ୍ଡର ବଣପାହାଡ଼ ଘେରା ଚମ୍ପାୱତ୍ ଜିଲ୍ଲାର ବାସିନ୍ଦା ଏବଂ  କଣ୍ଠଶିଳ୍ପୀ ହେବା ସହ ସେ ଜଣେ ଭଲ ବାଦ୍ୟଯନ୍ତ୍ର ଶିଳ୍ପୀ ମଧ୍ୟ। ସେ ଗିଟାର୍, ତବଲା, ଢ଼ୋଲକ୍, ଡ୍ରମସ୍ ଓ ପିଆନୋ ଦକ୍ଷତାର ସହ ବଜାଇ ପାରନ୍ତି। ଏହା ପୂର୍ବରୁ ୨୦୧୫ରେ ସେ ମ୍ୟୁଜିକ ରିୟଲିଟି ସୋ’ ‘‘ଦ ଭଏସ୍ ଅଫ୍ ଇଣ୍ଡିଆ’’ରେ ବିଜେତା ହୋଇଥିଲେ ।

ଭିଡିଓ କଲ୍‌ରେ ସ୍ମାର୍ଟ କ୍ଲାସ୍‌ର ସ୍ଥିତି ଦେଖିଲା ପରେ ଛାତ୍ରଛାତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍କୁଲରେ ସ୍ମାର୍ଟ କ୍ଲାସରୁମ୍‌ର ସମୀକ୍ଷା କରିଛନ୍ତି ୫-Tସଚିବ ଭି.କେ ପାଣ୍ଡିଆନ। ଦ୍ୱିତୀୟ ଦିନରେ ୫-ଟି ସଚିବ ଭିକେ ପାଣ୍ଡିଆନ୍ ସ୍କୁଲରୁ ସ୍କୁଲକୁ ବୁଲିଛନ୍ତି। ସ୍ମାର୍ଟ ସ୍କୁଲର ସ୍ଥିତି କେମିତି ରହିଛି ଦେଖିଛନ୍ତି। ତେବେ ୫-T ସଚିବ ନିଜେ ସ୍ଥିତି ଦେଖିବା ସହ ସ୍ମାର୍ଟ କ୍ଲାସ୍‌ ନେଇ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରାଇଛନ୍ତି। ଭିଡିଓ କଲ୍‌ ମାଧ୍ୟମରେ ସ୍ମାର୍ଟ ସ୍କୁଲ ଦେଖିଛନ୍ତି ମୁଖ୍ୟମନ୍ତ୍ରୀ। ୫-T ସଚିବ ଭି.କେ ପାଣ୍ଡିଆନ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଶାସନ ଆମ୍ବଗାଁ ଉଚ୍ଚ ବିଦ୍ୟାଳୟରେ ପହଞ୍ଚିବା ପରେ ମୋବାଇଲରୁ ଭିଡିଓ କଲ୍‌ ଯୋଗେ ସ୍ମାର୍ଟ କ୍ଲାସ୍‌ର ଚିତ୍ର ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ ଦେଖିବା ସହ ପିଲାମାନଙ୍କ ସହ ସିଧାସଳଖ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ପିଲାମାନଙ୍କୁ ସ୍କୁଲ ଅନୁଭୂତି ବିଷୟରେ ପଚାରିଥିଲେ। ସ୍ମାର୍ଟ କ୍ଲାସ ବିଷୟରେ ମଧ୍ୟ ପଚାରିଛନ୍ତି। ଗ୍ରାମବାସୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଖିବନ୍ଦ କରି ଚାଲୁଛି କଂଗ୍ରେସ: ସୁସ୍ମିତା ଦେବଙ୍କ ଇସ୍ତଫା ପରେ ମୁହଁ ଖୋଲିଲେ କପିଲ ସିବଲ

ନୂଆଦିଲ୍ଲୀ: କଂଗ୍ରେସ ନେତୃତ୍ୱକୁ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରିଛନ୍ତି ରାଜ୍ୟସଭା ସଦସ୍ୟ ତଥା ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ୍ । ସେ କହିଛନ୍ତି କଂଗ୍ରେସ ଏବେ ଆଖିବନ୍ଦ କରି ଚାଲୁଛି । କଂଗ୍ରେସର ବରିଷ୍ଠ ସଦସ୍ୟ ତଥା ମହିଳା କଗ୍ରେସ ସଭାନେତ୍ରୀଙ୍କ ଇସ୍ତଫା ତଥା ପ୍ରାଥମିକ ସଦସ୍ୟ ପଦରୁ ଓହରି ଯିବା ପ୍ରସଙ୍ଗକୁ ନେଇ ଶ୍ରୀ ସିବଲ ଏହା କହିଛନ୍ତି ।

୨୦୧୯ ନିର୍ବାଚନ ବିପର୍ଯ୍ୟୟ ପରେ କଂଗ୍ରେସ ଜଣେ ପୂଣ୍ଣକାଳୀନ ସଭାପତିଙ୍କୁ ପାଇବାରେ ଅକ୍ଷମ ହେଉଛି ବୋଲି ସିବଲ୍ ପୂର୍ବରୁ ଅଭିଯୋଗ କରିଥିଲେ। କେବଳ ସେ ନୁହଁନ୍ତି କଂଗ୍ରେସର ଅନ୍ୟ ୨୨ ଜଣ ବରିଷ୍ଠ ନେତା ମଧ୍ୟ କାର୍ଯ୍ୟକାରୀ ସଭାପତି ସୋନିଆ ଗାନ୍ଧିଙ୍କୁ ନିର୍ବାଚନ ମାଧ୍ୟମରେ ସଭାପତି ଚୟନ କରିବାକୁ ଅନୁରୋଧ କରି ପତ୍ର ଲେଖିଥିଲେ। ଏଯାଏ ତାହା କାର୍ଯ୍ୟକାରୀ ହୋଇନାହି। ଏହାଦ୍ୱାରା ଯୁବା ନେତୃତ୍ୱଙ୍କ କଂଗ୍ରେସ ଉପରେ ଆସ୍ଥା ତୁଟୁଛି ଏବଂ ସେମାନେ ଆମମାନଙ୍କୁ ଦାୟୀ କରି କଂଗ୍ରେସ ଛାଡ଼ୁଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି କପିଲ୍।

ସୁସ୍ମିତା ଦେବ ୨୦୧୪ ମସିହାରେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ।  କଂଗ୍ରେସ ପରିବାରର ଜଣେ ପ୍ରମୁଖ ସଦସ୍ୟ ଭାବେ ତାଙ୍କ ଇସ୍ତଫା ଦ୍ୱାରା କଂଗ୍ରେସ ସଂଗଠନ ଭିତରେ ଅସନ୍ତୋଷ ପୁଣିଥରେ ପଦାକୁ ଆସିଛି। ଏହା ପୂର୍ବରୁ ରାଜସ୍ଥାନ ଓ ପଞ୍ଜାବରେ କଂଗ୍ରେସ ନେତୃତ୍ୱକୁ ନେଇ ଦଳ ଭିତରେ ଅନେକ ବାଦ ବିବାଦ ଲାଗି ରହିଛି। ରାଜସ୍ଥାନରେ ସଚିନ ପାଇଲଟ୍ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବା ଏଯାଏ ଜାରି ରହିଛି। ତାଙ୍କୁ ପ୍ରଶମିତ କରିବାରେ କେନ୍ଦ୍ରୀୟ ନେତୃତ୍ୱ ବିଫଳ ହୋଇଛନ୍ତି। ଅନ୍ୟପକ୍ଷରେ ନିକଟରେ ନବଜୋତ୍ ସିଂ ସିଦ୍ଧୁଙ୍କୁ ପ୍ରଦେଶ କଂଗ୍ରେସ ଦାୟିତ୍ୱ ଦେଇ ପଞ୍ଜାବରେ ଚାଲିଥିବା କନ୍ଦଳକୁ କିଛି ପରିମାଣରେ ପ୍ରଶମିତ କରାଯାଇପାରିଛି । ହେଲେ ବିବାଦ ଏଯାଏ ଟଳି ନାହିଁ ।

ଏପରି ଲାଗି ରହିଲେ ଆଗକୁ ଦଳ ଅନେକ ଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି । ଏପରି ଏକ ମୁହୂର୍ତ୍ତକୁ ସମ୍ଭାଳିବାକୁ ହେଲେ ଜଣେ ପୂର୍ଣ୍ଣକାଳୀନ ସଭାପତିଙ୍କ ଆବଶ୍ୟକତାକୁ କଂଗ୍ରେସର ବରିଷ୍ଠ ନେତାମାନେ ଅନୁଭବ କରି ଦଳର କାର୍ଯ୍ୟକାରୀ ସଭାପତି ସୋନିଆ ଗାନ୍ଧିଙ୍କୁ ପତ୍ର ଲେଖିଥିଲେ। ଏବେ କପିଲଙ୍କ ଅନୁରୂପ ପ୍ରତିକ୍ରିୟା ଦଳରେ ନିର୍ବାଚିତ ସଭାପତି ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିବାକୁ ପରୋକ୍ଷରେ ଆହ୍ୱାନ ଦେଇଛି ।

ଡିଲ୍‌ ବେଳେ ରେଡ୍‌ କରି ୨ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ କଲା STF

ଜଳେଶ୍ୱର: କରୋନା ଭିତରେ ରାଜ୍ୟରେ ବଢ଼ିଚାଲିଛି ଧଳା ଜହର ବେପାର। ପୋଲିସ୍‌ର ବାରମ୍ବାର ରେଡ୍‌ ପରେ ମଧ୍ୟ ସୁଧୁରୁ ନାହାନ୍ତି ବେପାରୀ। ପ୍ରତିଦିନ ଜବତ ହେଉଛି ପୁଳା ପୁଳା ଧଳା ଜହର। ଜଳେଶ୍ୱର ପାଲଟିଛି ଧଳା ଜହରର ହବ୍‌। ପୂର୍ବରୁ ବହୁଥର ଜଳେଶ୍ୱରରୁ ରେଡ ହୋଇଥିଲେ ମଧ୍ୟ ଆଜି ୨କେଜି ୪୦୨ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି। ଜଳେଶ୍ୱର ବଜାରରେ ଡିଲ୍ ବେଳେ ଚଢାଉ କରି ବ୍ରାଉନସୁଗାର ସହ ବେପାରୀଙ୍କୁ କାବୁ କରିଛି ଏସଟିଏଫ୍।

ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨କୋଟି ୪୦ଲକ୍ଷ ଟଙ୍କା ହେବ। ଗିରଫ ୩ ବେପାରୀ ହେଲେ ଜଦ୍ଧେଶ୍ୱରପୁରର ମମତାଜ୍ ଖାନ୍, ଜଗତସିଂହପୁରର ଉଦୟନାଥ ରଥ ଓ କଟକର ପ୍ରଦୀପ କୁମାର ଦାସ। ଗତବର୍ଷ ୩୮କେଜି ବ୍ରାଉନସୁଗାର ୮୪ କୁଇଣ୍ଟାଲ ୨୮କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ, ଶହେ ଡ୍ରଗ୍ସ ବେପାରୀଙ୍କୁ କାବୁ କରିବାରେ ସଫଳ ହୋଇଛି ଏସଟିଏଫ୍।

‘ଯୁଦ୍ଧ ଶେଷ, ଏବେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ’: ତାଲିବାନ ମୁଖପାତ୍ର ମହମ୍ମଦ ନଇମ୍

କାବୁଲ୍: ଆଫଗାନିସ୍ତାନରେ ଯୁଦ୍ଧ ଶେଷ ହୋଇଛି । ଏବେ ଆନ୍ତର୍ଜାତିକ ସମୁଦାୟ ସହ ଶାନ୍ତିପୂଣ୍ଣ ସହାବସ୍ଥାନ ପାଇଁ ଚିନ୍ତା କରୁଛି ତାଲିବାନ୍। କାବୁଲ୍ ଅକ୍ତିଆର ପରେ ତାଲିବାନ ମୁଖପାତ୍ର ମହମ୍ମଦ ନଇମ୍ ଅଲଜଜୀରା ଟେଲିଭିଜନକୁ ଦେଇଥିବା ଏକ ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ତାଲିବାନ କିପରି ଆଫଗାନିସ୍ତାନକୁ ଶାସନ କରିବ ତାହା ଅଳ୍ପ କିଛିଦିନ ମଧ୍ୟରେ ସ୍ତିର ହେବ। ଏହି ରୂପ ରେଖ ସମସ୍ତଙ୍କୁ ଜଣାଇଦିଆଯିବ। କିନ୍ତୁ ଆନ୍ତର୍ଜାତୀୟ ସମୁଦାୟ ଏଥିରେ କୌଣସି ଭାବେ ଆତଙ୍କିତ ହେବା ଅନୁଚିତ । ତାଲିବାନ କଦାପି ବିଶ୍ବ ସମୁଦାୟଠାରୁ ଅଲଗା ହୋଇ ରହିବାକୁ ଚାହେଁ ନାହିଁ ।

କାବୁଲରୁ ଆଫଗାନ ସେନା ଛତ୍ରଭଙ୍ଗ ଦେବା ପରେ ତାଲିବାନ୍ କାବୁଲକୁ ଅକ୍ତିଆର କରିଥିଲେ। ଏହି ସମୟରେ କୌଣସି ଗୁଳିକାଣ୍ଡ ବା ବିସ୍ଫୋରଣ ହୋଇ ନଥିଲା । ରାଷ୍ଟ୍ରପତି ପ୍ରାସାଦକୁ ଦଖଲ କରିବା ଅବ୍ୟବହିତ ପୂର୍ବରୁ ଏହାର ନିର୍ବାଚିତ ରାଷ୍ଟ୍ରପତି ନିଜର ପରିବାର ଓ ସହଯୋଗୀଙ୍କ ସହ କାବୁଲ୍ ଛାଡ଼ି କାଜାଗିସ୍ତାନ ପ୍ରସ୍ଥାନ କରିଥିଲେ। ଏପରିକି ଆଫଗାନିସ୍ତାନ ସରକାରଙ୍କ ମୁଖପାତ୍ର ତାଙ୍କୁ ପୂର୍ବତନ ରାଷ୍ଟ୍ରପତି ବୋଲି  ସମ୍ବୋଧନ କରିଥିଲେ । ଯୁକ୍ତ ରାଷ୍ଟ୍ର ଆମେରିକା ତାଲିବାନର ଏହି କ୍ଷୀପ୍ର ଅଧିଗ୍ରହଣକୁ ଆକଳନ ବାହାରେ ବୋଲି ଅଭିହିତ କରିଛି । ୱାସିଂଟନ ତାଲିବାନ ଅଧିଗ୍ରହଣ ଆଉ ୩ ମାସ ପରେ ହେବ ବୋଲି ଚିନ୍ତା କରିଥିଲେ । ଏହାର ଗୁଇନ୍ଦା ତଥ୍ୟକୁ ଆଧାର କରି ଆମେରିକା ତାହାର ନିୟୋଜିତ ସୈନ୍ୟଙ୍କୁ ଅପସାରଣ କରିବାକୁ ଯୋଜନା ଆରମ୍ଭ କରିଥିଲା। ହେଲେ ଅପସାରଣ ଶେଷ ନ ହେଉଣୁ କାବୁଲ୍ ଅଧଗ୍ରହଣ ଶେଷ କରିଛି ।

ଆଫଗାନିସ୍ତାନରେ ମାନବାଧିକାର ଉଲ୍ଲଙ୍ଘନ ଓ ମହିଳାଙ୍କ ସ୍ୱାଧୀନତା ନେଇ ଆନ୍ତର୍ଜାତୀୟ ସମୁଦାୟ ଆପତ୍ତି ଉଠାଇଛନ୍ତି । ତାଲିବାନ ଶାସନ ସମୟରେ ଏହି ଅବସ୍ଥା ଆହୁରି ସାଂଘାତିକ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି । କିନ୍ତୁ ନଇମ କହିଛନ୍ତି ସାରୀୟ ଆଇନ୍ ଅନୁସାରେ ମହିଳାଙ୍କ ସ୍ୱାଧୀନତା ଓ ସୁରକ୍ଷାକୁ ଗୁରୁତ୍ୱ ଦେବ ତାଲିବାନ ।