spot_img
Home Blog Page 5322

ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଫଳ । orisharesults.nic.in ଓ୍ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ । କଳା ଓ ଧନ୍ଦାମୂଳକ ଶିକ୍ଷାରେ ରାଜ୍ୟର ମୋଟ ୨ ଲକ୍ଷ ୨୧ ହଜାର ୮୬୭ ଜଣ ଛାତ୍ରଛାତ୍ରୀଙ୍କ ଫଳ ବାହାରିବ । ପୂର୍ବରୁ ଗତ ଜୁଲାଇ ୩୧ରେ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇଥିଲା । ଦୁଇ ସପ୍ତାହ ମଧ୍ୟରେ କଳା ଫଳ ପ୍ରକାଶ ପାଇବ ବୋଲି ବିଭାଗ ପକ୍ଷରୁ ଦର୍ଶାଯାଇଥିଲା । ଚଳିତ ବର୍ଷ ବିଜ୍ଞାନ ଓ ବାଣିଜ୍ୟରେ ରେକର୍ଡ ପାସ ହାର ହୋଇଛି । ବିଜ୍ଞାନରେ ୯୯ ଦଶମିକ ୮୮ ପ୍ରତିଶତ ପିଲା ପାସ କରିଥିବା ବେଳେ ବାଣିଜ୍ୟରେ ୯୯ ଦଶମିକ ୫୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିଲେ । କରୋନା ପାଇଁ ବିନା ପରୀକ୍ଷାରେ ଏଥର ରେଜଲ୍ଟ ପ୍ରକାଶ ପାଇଛି ।

ଏଥିସହିତ ପଢ଼ନ୍ତୁ: ମେୟର ଓ ପୌରାଧ୍ୟକ୍ଷ ପଦବୀ ନେଇ ହେବ ପ୍ରତ୍ୟକ୍ଷ ନିର୍ବାଚନ: ସର୍ବସାଧାରଣଙ୍କ ମତାମତ ନେଇ ଚିଠା ପ୍ରସ୍ତାବ ଜାରି

ପୃଥକ ପୃଥକ ସ୍ଥାନରୁ ଗ୍ରୀଲ ଭାଙ୍ଗି ଲୁଟିନେଲେ ୧୫ ଲକ୍ଷ ଟଙ୍କା

ବ୍ରହ୍ମପୁର: ଗୋଟିଏ ରାତିରେ ଦୁଇ ଦୁଇଟି ଚୋରି । ତାହା ପୁଣି ଗୋଟିଏ ଥାନା ଇଲାକାରେ । ଏଭଳି ବଡ଼ ଧରଣର ଚୋରି ହୋଇଛି ବ୍ରହ୍ମପୁର ବୌଦ୍ୟନାଥପୁର ଥାନା ଅଞ୍ଚଳରେ । ଏକ ପ୍ଲାଇ ହାଉସ ଦୋକାନରୁ ୭ ଲକ୍ଷ ଟଙ୍କା ନଗଦ ଟଙ୍କା ଲୁଟେରା ମାନେ ଦୋକାନର ପଛ ପଟ ଗ୍ରିଲ୍‌ ଭାଙ୍ଗି ଡ୍ର ରୁ ଲୁଟିନେଇଛନ୍ତି । ପୋଲିସର ଢିଲା ପାଟ୍ରୋଲିଂ ଯୋଗୁଁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସେପଟେ ନୁଆଁ ବସଷ୍ଟାଣ୍ଡ ନିକଟରେ ଥିବା ଏକ ସପିଂ ମଲ୍‌ରୁ ସମାନ ଢଙ୍ଗରେ କବାଟ ଭାଙ୍ଗି ୮ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ପୋଲିସ ଘଟଣା ସ୍ଥଳରେ ପହଁଚି ସାଇଣ୍ଟିଫିକ ଟିମ ସାହାର୍ଯ୍ୟରେ ତଦନ୍ତ ଆରମ୍ଭ କରିଛି ।

ଏଥିସହିତ ପଢ଼ନ୍ତୁ: ମେୟର ଓ ପୌରାଧ୍ୟକ୍ଷ ପଦବୀ ନେଇ ହେବ ପ୍ରତ୍ୟକ୍ଷ ନିର୍ବାଚନ: ସର୍ବସାଧାରଣଙ୍କ ମତାମତ ନେଇ ଚିଠା ପ୍ରସ୍ତାବ ଜାରି

ରାଜଧାନୀ ଭୁବନେଶ୍ୱରରେ ମିଳିବ ବ୍ଲୁ କ୍ରାବ ଦମ୍ ବିରିୟାନି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମିଳିବ ବ୍ଲୁ କ୍ରାବ ଦମ୍ ବିରିୟାନି । ଇନଫୋସିଟି ଛକ ନିକଟରେ ସ୍କ୍ରମ୍ପସିୟସ ବିରିୟାନି ପଏଣ୍ଟର ଶୁଭ ଉଦଘାଟନ ହୋଇଛି । ବିରିୟାନି ପଏଣ୍ଟରେ ବ୍ଲୁ କ୍ରାବ ଦମ୍ ବିରିୟାନି, ଚିକେନ ବିରିୟାନି, ପନିର ବିରିୟାନିର ସ୍ୱତନ୍ତ୍ର ମଜା ନେଇପାରିବେ ଗ୍ରାହକ । ବିଶେଷକରି ଗ୍ରାହକଙ୍କ ସ୍ୱାସ୍ଥ୍ୟ ଓ ସ୍ୱାଦକୁ ଦୃଷ୍ଟିରେ ରଖି ଉତ୍ତମ ମାନର ବିରିୟାନି ପ୍ରସ୍ତୁତ କରାଯାଉଛି । ଗ୍ରାହକଙ୍କ ସୁବିଧା ପାଇଁ ପ୍ୟାକେଜିଂରେ ସାନିଟଇଜର, ଉଡେନ୍ ସ୍ପୁନ୍, ଉଡ଼େନ୍ ଫର୍କ, ଲୁଣ, ମାଉଥ ଫ୍ରେଶନର ଉପଲବ୍ଧ ରଖାଯାଇଛି । ସ୍କ୍ରମ୍ପସିୟସ ବିରିୟାନି ପଏଣ୍ଟ ଆଗକୁ ଗ୍ରାହକଙ୍କର ଅତିପ୍ରିୟ ଫୁଡ୍ ଡେଷ୍ଟିନେସନ ହେବ ବୋଲି ମାଲିକ ଆଶା ରଖିଛନ୍ତି ।

ମେୟର ଓ ପୌରାଧ୍ୟକ୍ଷ ପଦବୀ ନେଇ ହେବ ପ୍ରତ୍ୟକ୍ଷ ନିର୍ବାଚନ: ସର୍ବସାଧାରଣଙ୍କ ମତାମତ ନେଇ ଚିଠା ପ୍ରସ୍ତାବ ଜାରି

ଭୁବନେଶ୍ୱର: ଏଣିକି ଭୋଟରଙ୍କ ଦ୍ୱାରା ସିଧାସଳଖ ନିର୍ବାଚିତ ହେବେ ପୌରଧ୍ୟକ୍ଷ ଓ ମହାନଗର ନିଗମ ମେୟର । ପୂର୍ବରୁ ରାଜ୍ୟ କ୍ୟାବିନେଟ ଏନେଇ ନିଷ୍ପତ୍ତି ହୋଇଥିବା ବେଳେ ଗୃହ ଓ ନଗର ଉନ୍ନୟନ ବିଭାଗର ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି ହୋଇଛି । ଏଥିପାଇଁ ଓଡ଼ିଶା ମ୍ୟୁନିସିପାଲ(ସୀମା ପୁନନିର୍ଦ୍ଧାରଣ) ରୁଲ୨୦୨୧ର ହେବ ସଂଶୋଧନ । ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠା ପ୍ରସ୍ତାବ ପ୍ରସ୍ତୁତ ହୋଇଛି । ସର୍ବସାଧାରଣଙ୍କ ମତାମତ ପାଇଁ ଚିଠା ପ୍ରସ୍ତାବ ଜାରି ହୋଇଛି । ନୂତନ ଚିଠା ପ୍ରସ୍ତାବର ନାମ ହେଲା ଓଡ଼ିଶା ମ୍ୟୁନିସିପାଲ ଓ୍ୱାର୍ଡ ସୀମା ପୁନନିର୍ଦ୍ଧାରଣ ସଂଶୋଧନ ଅଧିନିୟମ ୨୦୨୧ । ଅଧ୍ୟକ୍ଷଙ୍କ ନାମାଙ୍କନପତ୍ର ପାଇଁ ସମ୍ପୃକ୍ତ ପୌରାଞ୍ଚଳର ୨ଜଣ ଭୋଟର ଦସ୍ତଖତ କରିବେ । ସେହିପରି କାଉନସିଲରଙ୍କ ନାମାଙ୍କନ ପତ୍ରରେ ସମ୍ପୃକ୍ତ ଓ୍ୱାର୍ଡର ୨ଜଣ ଦସ୍ତଖତ କରିବେ । ଅଧ୍ୟକ୍ଷ ଓ କାଉନସିଲର ନିର୍ବାଚନ ପାଇଁ ପୃଥକ ବ୍ୟାଲେଟ୍ ବକ୍ସ ବ୍ୟବହାର ହେବ । ଅଧ୍ୟକ୍ଷ ଓ କାଉନସିଲର ଭୋଟ୍ ପାଇଁ ୨ଟି ଅଲଗା ବ୍ୟାଲେଟ ପେପର ଦିଆଯିବ । ଇଭିଏମରେ ଭୋଟ ହେଲେ ୨ଟି ପୃଥକ ଇଭିଏମ ମେସିନ ବ୍ୟବହାର ହେବ । ଗୋଟିଏ ଅଧ୍ୟକ୍ଷ ପଦ ଓ ଅନ୍ୟଟି କାଉନସିଲର ପଦ ପାଇଁ ଉଦ୍ଦିଷ୍ଟ ରହିବ ।

ଏଥିସହିତ ପଢ଼ନ୍ତୁ: ସମ୍ଭାବ୍ୟ ତୃତୀୟ ଲହର ପାଇଁ ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ ଗଠନ: ଡିଏମଇଟି ନିର୍ଦ୍ଦେଶକ

ମହାରାଷ୍ଟ୍ରରେ ନାହିଁ ପାର୍କିଂ ପାଇଁ ଜାଗା: ‘ଗୋଟିଏ ଫ୍ଳାଟ୍‌ରେ ଥିବା ପରିବାରଙ୍କୁ ୪-୫ଟି କାରର ମାଲିକାନ ଦିଆନଯାଉ’

ମୁମ୍ୱାଇ: ମହାରାଷ୍ଟ୍ରରେ ପାର୍କିଂ ସ୍ପେସର ଅଭାବ ସହ ଏନେଇ କୌଣସି ସ୍ପଷ୍ଟ ନୀତି ନଥିବାରୁ କ୍ଷୁବ୍ଧ ହୋଇଛନ୍ତି ବମ୍ବେ ହାଇକୋର୍ଟ । ଗୋଟିଏ ଫ୍ଲାଟ ଥିବା ପରିବାରକୁ ୪-୫ଟି କାରର ମାଲିକାନା ନେଇ ଅନୁମତି ଦିଆ ନଯାଉ ବୋଲି କହିଛନ୍ତି କୋର୍ଟ । ମୁଖ୍ୟ ବିଚାରପତି ଜଷ୍ଟିସ ଦୀପଙ୍କର ଦତ୍ତ ଓ ଜଷ୍ଟିସ ଜି.ଏସ. କୁଲକର୍ଣ୍ଣୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି- ଯଦି ଗୋଟିଏ ପରିବାରର ଗୋଟିଏ ଫ୍ଲାଟ ରହିଛି ଏବଂ ସେହି ଫ୍ଲାଟରେ ଅଧିକ ସ୍ପେସ ନାହିଁ ତେବେ ସେହି ପରିବାରକୁ ୪ ବା ୫ଟି କାର୍ ମାଲିକ ହେବାକୁ ଅନୁମତି ଦିଆନଯାଉ । ନଭି ମୁମ୍ବାଇର ଜଣେ ବାସିନ୍ଦାଙ୍କ ପକ୍ଷରୁ ଆଗତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଖଣ୍ଡପୀଠ ଏହି ପରାମର୍ଶ ସରକାରଙ୍କୁ ଦେଇଛନ୍ତି । ପାର୍କିଂ ସ୍ପେସ ହ୍ରାସ କରିବା ସଂକ୍ରାନ୍ତ ଏକକ ବିକାଶ ନିୟନ୍ତ୍ରଣ ନିୟମାବଳୀର ସଂଶୋଧନ ପ୍ରସଙ୍ଗରେ ସରକାରଙ୍କ ଏକ ବିଜ୍ଞପ୍ତିକୁ ଚାଲେଞ୍ଜ କରି ଉକ୍ତ ବ୍ୟକ୍ତି ଏହି ପିଟିସନ ଦାୟର କରିଥିଲେ । ପିଟିସନର ଦର୍ଶାଇଥିଲେ ଯେ ନୂଆ ଆପାର୍ଟମେଣ୍ଟଗୁଡିକରେ ବିଲଡରମାନେ ପାର୍କିଂ ନିମନ୍ତେ ପର୍ଯ୍ୟାପ୍ତ ସ୍ଥାନ ଯୋଗାଉନାହାନ୍ତି । ଫଳରେ ଲୋକେ ବାହାରେ ଗାଡ଼ି ରଖୁଛନ୍ତି ।

ଏଥିସହିତ ପଢ଼ନ୍ତୁ: ସାଉଥ୍‌ ଷ୍ଟାର ପ୍ରକାଶ ରାଜ୍‌ଙ୍କ ଅସ୍ତ୍ରୋପଚାର ସଫଳ

ଏଣିକି ପ୍ରତି ଶନିବାର ଇଲେକ୍ଟ୍ରୋନିକ୍ସ ଏବଂ ବିପଜ୍ଜନକ ବର୍ଜ୍ୟବସ୍ତୁ ସଂଗ୍ରହ କରାଯିବ

ଭୁବନେଶ୍ୱର: ଏଣିକି ପ୍ରତି ଶନିବାର ଇଲେକ୍ଟ୍ରୋନିକ୍ସ ଏବଂ ବିପଜ୍ଜନକ ବର୍ଜ୍ୟବସ୍ତୁ  ସଂଗ୍ରହ କରାଯିବ । ଏ ନେଇ ଗୃହ ଓ ନଗର ଉନ୍ନୟନ ପ୍ରମୁଖ ସଚିବ ସମସ୍ତ ଅର୍ବାନ ଲୋକାଲ୍ ବଡିକୁ ନିର୍ଦ୍ଦେଶ ଦେଇଛନ୍ତି । ଏ ଦିନ ମାନଙ୍କରେ କୌଣସି ଶୁଖିଲା ବର୍ଜ୍ୟବସ୍ତୁ ସଂଗ୍ରହ କରାଯିବ ନାହିଁ । ତେବେ ଶୁଖିଲା ଏବଂ ଓଦା ଉଭୟ ବର୍ଜ୍ୟବସ୍ତୁ ଶନିବାର ବ୍ୟତୀତ ଅନ୍ୟ ଦିନମାନଙ୍କରେ ସଂଗ୍ରହ କରାଯିବ । ଏ ନେଇ ବିଭିନ୍ନ ମାଧ୍ୟମରେ ସଚେତନ କରାଯାଇଛି । ଡାକବାଜି ଯନ୍ତ୍ରରେ ଘୋଷଣା କରାଯିବା ସହ ବ୍ୟାନର ଧରି ବୁଲି ଏ ବିଷୟରେ ଲୋକଙ୍କୁ ଅବଗତ କରାଯାଉଛି । ଏଥିସହିତ ଓ୍ୱାଲ୍ ପେଣ୍ଟିଂ, ବିଭିନ୍ନ ମିଡିଆରେ ଏ ନେଇ ପ୍ରଚାର କରିବା ସହ ଲୋକଙ୍କୁ ସଚେତନ କରାଯାଉଛି ।

 

ଜଗତସିଂହପୁର ଜିଲ୍ଲାରେ ୨୧୫ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜଗତସିଂହପୁର ହେଉଛି ଓଡିଶାର ବିକାଶର ମୁଖ୍ୟ ଦ୍ୱାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଗତସିଂହପୁର ଜିଲ୍ଲାରେ ୨୧୫ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ଏହା କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଜଗତସିଂହପୁର ଜିଲ୍ଲା ଓଡିଶାର ଏକ ଆଗୁଆ ଜିଲ୍ଲା । ଶିଳ୍ପ, କୃଷି ସବୁଥିରେ ଜଗତସିଂହପୁର ଜିଲ୍ଲାର ସୁନାମ ରହିଛି । ଜଗତସିଂହପୁର ଜିଲ୍ଲାରୁ ହିଁ ବିଜୁ ବାବୁ ଓଡିଶାର ବିକାଶ ଯାତ୍ରାର ଆରମ୍ଭ କରିଥିଲେ । ପାରାଦୀପ ବନ୍ଦର ଆଜି ଦେଶର ମୁଖ୍ୟ ବନ୍ଦର ମାନଙ୍କ ମଧ୍ୟରେ ସ୍ଥାନ ପାଇଛି । ଶିଳ୍ପ ନଗରୀ ଭାବରେ ମଧ୍ୟ ପାରାଦୀପର ଗୁରତ୍ୱ ବଢିଛି ।

ମୁଖ୍ୟମନ୍ତ୍ରୀ କହିଲେ ଯେ ଆଜିର ପ୍ରକଳ୍ପରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଯୋଗାଯୋଗ, ଜଳସେଚନ, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରର ବିକାଶ ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ସେ କହିଥିଲେ । କରୋନା ମହାମାରୀ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ମହାମାରୀ ଯୋଗୁ ଗତ ଏକ ବର୍ଷରୁ ଅଧିକ ସମୟ ଧରି ଆମେ ସମସ୍ତେ ପ୍ରଭାବିତ ହୋଇଛେ । ବହୁ ଲୋକଙ୍କ ରୋଜଗାର ଉପରେ ପ୍ରଭାବ ପଡିଛି । ତେଣୁ ରାଜ୍ୟ ସରକାର ଗରିବ ଲୋକ, ଚାଷୀ, ଶ୍ରମିକ, ମା ସମସ୍ତଙ୍କ ପାଇଁ ୨୦୦୦ କୋଟିରୁ ଅଧିକ ଟଙ୍କାର ସହାୟତା ଯୋଗାଇ ଦେଇଛନ୍ତି ।

ଆଜି ଜଗତସିଂହପୁର ଜିଲ୍ଲାରେ ଲିକ୍ୟୁଡ୍ ଅକ୍ସିଜେନ୍ ପ୍ଳାଣ୍ଟ୍ ଉଦ୍‌ଘାଟିତ ହେଲା ବୋଲି ପ୍ରକାଶ କରି ସେ କହିଲେ ଯେ କୋଭିଡ ସମୟରେ ଓଡିଶା ଦେଶର ୧୭ଟି ରାଜ୍ୟକୁ ମେଡିକାଲ ଅକ୍‌ସିଜେନ ଯୋଗାଇ ଦେଇଥିଲା।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାଧାରଣ ଲୋକର ଖୁସି ମୋ ପାଇଁ ସବୁଠାରୁ ବଡ ସନ୍ତୋଷ । ଲୋକଙ୍କ ପାଇଁ ଆମେ କାମ କରୁଛୁ ଓ କରିଚାଲିବୁ । ସେ କୃଷକ ମାନଙ୍କ କଲ୍ୟାଣ ହେଉ ବା ମା’ ମାନଙ୍କ ସଶକ୍ତିକରଣ ବା କ୍ରୀଡା ପ୍ରତିଭାର ବିକାଶ – ଏ ସବୁ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଓଡିଶା ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବା । ଅନେକ କ୍ଷେତ୍ରରେ ଓଡିଶା ଆଜି ଅନ୍ୟ ମାନଙ୍କ ପାଇଁ ଆଦର୍ଶ ହୋଇପାରିଛି । ଏହି ଧାରାକୁ ଆମେ ସମସ୍ତେ ମିଶି ଆଗକୁ ନେବା ଓ ଓଡିଶାର ଗୌରବକୁ ନୂତନ ଶିଖରରେ ପହଞ୍ଚାଇବା ପାଇଁ ସେ ଆହ୍ୱାନ ଦେଇଥିଲେ ।

କାର୍ଯ୍ୟକ୍ରମରେ ଯୋଗ ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ଜଳସମ୍ପଦ ବିକାଶ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଜଗତସିଂହପୁରର ବିଭିନ୍ନ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଯୋଗୁଁ ଆଜି ଓଡିଶା ମହିଳା ସଶକ୍ତିକରଣଠାରୁ ଆରମ୍ଭ କରି କ୍ରୀଡାର ବିକାଶ ପର୍ଯ୍ୟନ୍ତ ଏବଂ ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମ କ୍ଷେତ୍ରରେ ସାରା ଦେଶ ପାଇଁ ଆଦର୍ଶ ହୋଇପାରିଛି ବୋଲି ସେମାନେ କହିଥିଲେ ।

ଏଥିସହିତ ପଢ଼ନ୍ତୁ: ବରଗଡ଼ରେ ନିର୍ମାଣ ହେବ କ୍ୟାନସର କେୟାର ସେଣ୍ଟର

ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ପ୍ରମୁଖ ସେମାନଙ୍କର ବକ୍ତବ୍ୟ ରଖି ଓଡିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।

ଆଜିର କାର୍ଯ୍ୟକ୍ରମରେ ବିଜୁ ସେତୁ ଯୋଜନାରେ ବୋରିକିନା-ସୁଙ୍ଗୁଡା ରାସ୍ତାର ସ୍ଥାନୀୟ ନାଳ ଉପରେ ସେତୁ, ପାଇକା ନଦୀ ଉପରେ ଲଙ୍କାପଡାଠାରେ ଏକ ଉଚ୍ଚସ୍ତରୀୟ ସେତୁ, ମା ଶାରଳାଙ୍କ ମନ୍ଦିର ନିକଟରେ ମାର୍କେଟ କମ୍ପ୍ଲେକ୍ସ, ପାରାଦୀପ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଏବଂ ପାରାଦୀପ କୋଭିଡ ଚିକିତ୍ସାଳୟରେ ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଅକ୍ସିଜେନ ଉତ୍ପାଦନ ଓ ବଣ୍ଟନ ଆଦି ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ ହେବା ସହିତ ଅନେକ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ରଖାଯାଇଥିଲା ।

ଏଥିସହିତ ପଢ଼ନ୍ତୁ: ବୁଣାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ; ବିନା ସୁଧରେ ମିଳିବ ୫୦ ହଜାର ଟଙ୍କା ଯାଏଁ ଋଣ

ପ୍ରଥମ ଇନିଂସରେ ୩୬୪ରନ୍‌ରେ ଭାରତ ଅଲ୍‌ଆଉଟ: ଇଂଲଣ୍ଡର ବ୍ୟାଟିଂ ଜାରି

ଲଣ୍ଡନ: ଐତିହାସିକ ଲର୍ଡସ୍ ଗ୍ରାଉଣ୍ଡରେ ଖେଳାଯାଉଥିବା ଭାରତ- ଇଂଲଣ୍ଡ ଟେଷ୍ଟ ସିରିଜ୍ ଦ୍ୱିତୀୟ ମ୍ୟାଚ୍‌ ଭଲ ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ । ପ୍ରଥମ ଇଂନିସରେ ସମସ୍ତ ଓ୍ୱିକେଟ ହରାଇ ୩୬୪ ରନ୍ କରିବାରେ ସକ୍ଷମ ହୋଇଛି ଭ୍ରମଣକାରୀ ଦଳ । ଭାରତୀୟ ଟିମ୍ ମୋଟ ୧୨୧.୧ ଓଭର ବ୍ୟାଟିଂ କରି ଏହି ସ୍କୋର କରିଥିବା ବେଳେ ଦଳ ପକ୍ଷରୁ କେଏଲ୍ ରାହୁଲ ସର୍ବାଧିକ ୧୨୯ ରନ୍ କରିଛନ୍ତି ।

ଇଂଲଣ୍ଡ ଅଧିନାୟକ ଜୋଏ ରୁଟ୍ ଟସ୍ ଜିତି ଭାରତୀୟ ଦଳକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଦଳ ପକ୍ଷରୁ ମଇଦାନ ଓହ୍ଲାଇ ଥିବା ଦୁଇ ଓପନର ରୋହିତ  ଓ ରାହୁଲ ଭଲ ଆରମ୍ଭ କରି ଶତକୀୟ ଇନିଂସ ଖେଳିଥିଲେ । ଦଳୀୟ ସ୍କୋର ୧୨୬ ରନ୍ ହୋଇଥିବା ବେଳେ ୮୩ ରନ୍‌ର ବ୍ୟକ୍ତିଗତ ସ୍କୋରରେ ଜେମ୍ସ ଆଣ୍ଡ୍ରସନ୍ ବଲ୍‌ରେ କ୍ଳିନ୍ ବୋଲ୍ଡ ହୋଇଥଲେ । ଏହାପରେ ପୂଜାରା ରାହୁଲଙ୍କ ସାଥ୍‌ ଦେବା ପାଇଁ କ୍ରିଜକୁ ଆସିଥିଲେ। ହେଲେ ବିଶେଷ କିଛି କରି ପାରି ନଥିଲେ। ମାତ୍ର ୯ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ ପୂଜରା। ଆଣ୍ଡରସନ୍‌ହିଁ ପୂଜାରାଙ୍କୁ ଆଉଟ୍‌ କରି ପ୍ୟାଭଲିଅନ୍‌ ପଠାଇଥିଲୋ।

ଏହାପରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ରାହୁଲଙ୍କ ସାଥ୍‌ ଦେଇଥିଲେ। ଦୁହେଁ ମିଶି ଦଳୀୟ ସ୍କୋରକୁ ୨୦୦ ପାର୍‌ କରାଇଥିଲେ। ଦଳୀୟ ସ୍କୋର ୨୬୭ ହେଇଥିବା ବେଳେ ଭାରତୀୟ ଦଳକୁ ଲାଗିଥିଲା ତୃତୀୟ ଝଟକା। ବିରାଟ ମାତ୍ର ୪୨ ରନ୍‌ କରି ରବିନସନଙ୍କ ଶିକାର ହୋଇଥିଲେ। ଏହାପରେ ରାହାଣେ ରାହୁଲଙ୍କ ସାଥ୍‌ ଦେବା ପାଇଁ କ୍ରିଜକୁ ଆସିଥିଲେ।  ପ୍ରଥମ ଦିନର ଖେଳ ଶେଷ ବେଳକୁ ଟିମ୍‌ ଇଣ୍ଡିଆ ୩ ଓ୍ୱିକେଟ ହରାଇ ୨୭୬ ରନ୍‌ ସ୍କୋର କରିଥିଲା।

ତେବେ ଦ୍ୱିତୀୟ ଦିନର ଖେଳ ଆରମ୍ଭ ବେଳକୁ ଟିମ୍ ଇଣ୍ଡିଆକୁ ଲାଗିଥିଲା ଡବଲ ଝଟକା । ମାତ୍ର ୪ରନ୍‌ରେ ୨ ଓ୍ୱିକେଟ ହରାଇଥିଲା ଦଳ । ଓପନିଂ ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ ୧୨୯ ରନ୍‌ର ବ୍ୟକ୍ତିଗତ ସ୍କୋରରେ ରବିନସନ୍‌ଙ୍କ ଶିକାର ହୋଇଥିଲେ । ଏହା ପରେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସେଭଳି କୌଣସି ଭଲ ସ୍କୋର କରିପାରିନଥିବା ବେଳେ ରବିନ୍ଦ୍ର ଜାଡେଜା ଶେଷ ଆଡ଼କୁ ଲଢ଼ୁଆ ୪୦ ରନ୍ କରିଥିଲେ । ବର୍ତ୍ତମାନ ଖବର ଲେଖା ହେବା ବେଳକୁ ଇଂଲଣ୍ଡ ଦଳ ବିନା କୌଣସି ଓ୍ୱିକେଟ ହରାଇ ୧୪ ରନ୍ କରିବାରେ ସକ୍ଷମ ହୋଇଛି ।

ଲୁପ୍ତ ହେବାକୁ ବସିଛି ଐତିହାସିକ ପାଇକଙ୍କ ସ୍ମୃତି

ଖୋର୍ଦ୍ଧା: ମାଟିରେ ମିଶିବ ଭାରତର ଶେଷ ସ୍ୱାଧୀନ ଦୁର୍ଗ । ରକ୍ଷଣାବେକ୍ଷଣ ଅଭାବରୁ ଲୁପ୍ତ ହେବାକୁ ବସିଛି ଖୋର୍ଦ୍ଧାର ଐତିହାସିକ ପାଇକଙ୍କ ସ୍ମୃତି । ଖୋଲା ଆକାଶ ତଳେ ପଡିଛି ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି । ଦେଶ ସ୍ୱାଧୀନ ହେବାକୁ ୭୫ ବର୍ଷ ବିତିଥିବାବେଳେ ଏହି ଐତିହାସିକ ଦୁର୍ଗର ଏପରି ଅବସ୍ଥା ଏବେ ସମସ୍ତଙ୍କୁ ବ୍ୟଥିତ କରିଛି ।

ବୀରଙ୍କ ମାଟି, ଖୋର୍ଦ୍ଧା ମାଟି । ଦେଶ ସ୍ୱାଧୀନରେ ରହିଛି ବିଶେଷ ଭୂମିକା । ବୀର ପାଇକଙ୍କ ପାଇଁ ଗର୍ବିତ ଦେଶ । ହେଲେ ସ୍ୱାଧୀନତାର ୭୫ ବର୍ଷ ବିତିଥିଲେ ସୁଦ୍ଧା ଏହାର ସ୍ମାରକୀ ଆଜି ଅବହେଳିତ । ରକ୍ଷଣାବେକ୍ଷଣ ଅଭାବରୁ ମାଟିରେ ମିଶିବାକୁ ବସିଲାଣି ଭାରତର ଶେଷ ସ୍ୱାଧୀନ ଦୁର୍ଗ, ଖୋର୍ଦ୍ଧା ଗଡ଼ । ଯାହାକୁ ରକ୍ଷା କରିବାକୁ ପ୍ରାଣବଳି ଦେଇଥିଲେ ବହୁ ସଂଗ୍ରାମୀ । ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ, କୃତିବାସ ପାଟ୍ଟଶାଣୀ, ମାଧବଚନ୍ଦ୍ର ରାଉତରାୟ, ପିଣ୍ଡିକି ବାହୁ ବଳେନ୍ଦ୍ରଙ୍କ ପରି ଅନେକ ପାଇକ ବୀରଙ୍କ ପ୍ରତିମୂର୍ତ୍ତି ଖୋଲା ଆକାଶ ତଳେ ପଡି ରହିଛି ।

୨୦୧୭ ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତ୍ତି ଏହି ଖୋର୍ଦ୍ଧା ମାଟିରୁ ପାଳିତ ହୋଇ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପିଥିଲା । ଭାରତର ରାଷ୍ଟ୍ରପତି ପାଇକ ସ୍ମାରକୀ ନିର୍ମାଣ ପାଇଁ ୨୦୧୯ ଡିସେମ୍ବର ୮ରେ ଭୂମିପୂଜା କରିଥିଲେ । ତେଣୁ ଖୁବଶୀଘ୍ର ଏହାକୁ ନିର୍ମାଣ କରି ଐତିହାସିକ ସ୍ମୃତିକୁ ଜୀବିତ ରଖିବାକୁ ଦାବି ହୋଇଛି ।

ଏଥିସହିତ ପଢ଼ନ୍ତୁ: ‘ରୁଟି’ ଥିଲା କୋଡ୍, ୧୮୫୭ରେ ଭାରତ ଏମିତି କରିଥିଲା ବିଦ୍ରୋହ

ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ସମ୍ପର୍କରେ କିଛି ଏଭଳି ପ୍ରତିକ୍ରିୟା ରଖିଲେ ପ୍ରଦୀପ

ପିସିସି କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଂଗ୍ରେସ ଛାଡିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ସେ ଏ ନେଇ ନନ୍ଦିଘୋଷ ଟିଭିକୁ ପ୍ରତିକ୍ରିୟା ଦେଇଛନ୍ତି । ସେ ଏଭଳି ପ୍ରଚାରକୁ ଖଣ୍ଡନ କରିବା ସହ ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏସବୁ ଗୁଜବ ପ୍ରଚାର କରାଯାଉଥିବା କହିଛନ୍ତି । କଂଗ୍ରେସ ପାଇଁ ସେ କାମ କରୁଛନ୍ତି । ପଞ୍ଚାୟତ ନିର୍ବାଚନ ପାଇଁ କଳ ବଳ କୌଶଳ ଲଗାଇଛନ୍ତି । ସେ ହାତ ଛାଡିବାର ପ୍ରଶ୍ନ ଉଠୁନି ବୋଲି ପ୍ରଦୀପ କହିଛନ୍ତି । ୨୦୦୯-୨୦୧୪ ଯାଏଁ ସେ ନବରଙ୍ଗପୁରରର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । କଂଗ୍ରେସର ଜଣେ ଯୁବ ନେତା ଭାବେ ବେଶ ପରିଚିତ ପ୍ରଦୀପ । ସେପଟେ ପ୍ରଦୀପ ମାଝୀ ଅନ୍ୟଦଳରେ ମିଶିବା ନେଇ ଖବର ଆସୁଥିବା କହୁଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ । ୨୧ତାରିଖରେ କଂଗ୍ରେସ ଛାଡି ଅନ୍ୟ ଦଳରେ ମିଶିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏନେଇ ବ୍ୟକ୍ତିଗତ ଭାବେ ପ୍ରଦୀପଙ୍କ ସହ ଆଲୋଚନା କରିବେ ବୋଲି ସୁର କହିଛନ୍ତି । କଂଗ୍ରେସ ଦଳ ଏକ ହିମାଳୟ , କିଏ ଦଳ ଛାଡିଲେ କି ଦଳକୁ ପ୍ରବେଶ କଲେ ଦଳ ଉପରେ କିଛି ପ୍ରଭାବ ପଡିବନାହିଁ ବୋଲି ସେ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ବୁଣାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ; ବିନା ସୁଧରେ ମିଳିବ ୫୦ ହଜାର ଟଙ୍କା ଯାଏଁ ଋଣ