spot_img
Home Blog Page 5325

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ସମୟରେ ଏମିତି ରହିବ ଟ୍ରାଫିକ୍‌ ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ଆସିଲା ଗାଇଡଲାଇନ୍। କୋଭିଡ କଟକଣା ଭିତରେ ପ୍ରଦର୍ଶନୀ ପଡିଆରେ ପାଳିତ ହେବ ଉତ୍ସବ। ଏନେଇ ୧୫ ତାରିଖ ସକାଳ ୬ଟା ୩୦ରୁ ପ୍ୟାରେଡ ଶେଷ ପର୍ଯ୍ୟନ୍ତ ରାମ ମନ୍ଦିର ଛକ ଠାରୁ ହାଉସିଂ ବୋର୍ଡ ଛକ ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ବନ୍ଦ ରହିବ। ରାମମନ୍ଦିର ଛକକୁ ଯିବାକୁ ହେଲେ ଏମବିଏସ୍ ସ୍କୁଲ ଗଳି ଦେଇ ଯିବାକୁ ପଡିବ। ହାଉସିଂ ବୋର୍ଡ ଛକକୁ ଯିବାକୁ ହେଲେ ସେଣ୍ଟ ଜୋସେଫ୍ ସ୍କୁଲ ଗଳି ରାସ୍ତା ଦେଇ ଯାଇପାରିବେ।

ସେହିଭଳି ପିଏମଜି ଓ କେଶରୀ ଟକିଜ୍ ପଟୁ ଆସୁଥିବା ସମସ୍ତ ଗାଡି ଚାର୍ଲି ହୋଟେଲ ଠାରୁ ସଚିବାଳୟ ମାର୍ଗ ଦେଇ ଯାଇ ପାରିବେ। ଗାଡି ପାର୍କିଂ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଭିଭିଆଇପି ଗାଡି ଗୁଡିକ ଗେଟ୍ ନମ୍ବର ୧ ନିକଟରେ  ପାର୍କି ବ୍ୟବସ୍ଥା ହୋଇଛି। ସମସ୍ତ ଅତିଥିଙ୍କ ଗାଡି ଗେଟ୍ ନମ୍ବର-୨ ନିକଟରେ ପାର୍କି କରାଯିବ। ଗଣମାଧ୍ୟମ ଗାଡି ଗୁଡିକ ପାଇଁ ଗେଟ୍ ନମ୍ବର-୫ ନିକଟରେ ପାର୍କି ବ୍ୟବସ୍ଥା କରାଯାଇଛି। ସେହିଭଳି ପୋଲିସ ବାହିନୀର ଗାଡି ପାର୍କି ପାଇଁ ଏମବିଏସ୍ ସ୍କୁଲ ଓ ସେଣ୍ଟ ଜୋସେଫ୍ ସ୍କୁଲ ଗଳିରେ କରାଯାଇଛି।

୩ ମାସ ମଧ୍ୟରେ ଆଫଗାନିସ୍ତାନକୁ କବ୍‌ଜା କରିପାରେ ତାଲିବାନ, ଆଫଗାନିସ୍ତାନର ୬୫% ଦଖଲ କଲା ତାଲିବାନ

ନୂଆଦିଲ୍ଲୀ: ପୂରା ଆଫଗାନିସ୍ତାନକୁ କବ୍‌ଜା କରିବ ତାଲିବାନ। ରାଜଧାନୀରୁ ମାତ୍ର ୧୫୦ କିଲୋମିଟର ଦୁରରେ ଅଛନ୍ତି ତାଲିବାନୀ। ଆଜି ଗଜନୀ ସହରକୁ ନିଜ କବ୍‌ଜାକୁ ନେଇ ନେବା ପରେ ତାଲିବାନର ଆତ୍ମବିଶ୍ୱାସ ଢେର ବଢିଛି। ତାଲିବାନୀ ମାନେ କାନ୍ଦାହାରର ଜେଲ ମଧ୍ୟ ଭାଙ୍ଗିଛନ୍ତି। ଜେଲ ଭାଙ୍ଗିବା ସହ ସେଠାରେ ଥିବା ସମସ୍ତ ରାଜନୈତିକ କଏଦୀଙ୍କୁ ନେଇ ପଳାଇଛନ୍ତି। ଗତ କିଛି ଦିନ ପୂର୍ବରୁ କାନ୍ଦାହାର ଜେଲ ଉପରେ ନଜର ପକାଇଥିଲେ ମଧ୍ୟ ବିଫଳ ହୋଇଥିଲା ତାଲିବାନ। ହେଲେ ଏବେ ସେ ମିଶନରେ ସଫଳ ହୋଇଛି। ଯଦି ଏଭଳି ଭାବେ ତାଲିବାନ ବର୍ବରତା ଜାରି ରୁହେ ତେବେ ୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ ତାଲିବାନ ନିଜ ଅକ୍ତିଆରକୁ ନେଇଯିବ ବୋଲି ପୂର୍ବାନୁମାନ କରିଛି ଆମେରିକାର ଗୁଇନ୍ଦା ସଂସ୍ଥା।

ଏବେ ସୁଦ୍ଧା ଆଫଗାନିସ୍ତାନର ଅଧାରୁ ଅଧିକ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଇ କ୍ରୁର ଶାସନ ଆରମ୍ଭ କରିଛି ତାଲିବାନ। ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର କରିନେବା ପରେ ତାଲିବାନକୁ ଆୟତ କରିବା ଏବେ କାଠିକର ହୋଇପଡିଛି। ଏପଟେ ପରିସ୍ଥିତିକୁ ନଜରରେ ରଖି ଆଫଗାନିସ୍ତାନ ନିଜର ସେନା ମୁଖ୍ୟ ପରିବର୍ତ୍ତନ କରିଛି। ଅନ୍ୟପଟେ ଆଫଗାନିସ୍ତାନକୁ ଭାରତ ଦେଇଥିବା ଯୁଦ୍ଧ ବିମାନ ଏମ୍‌ଆଇ-୨୪ କୁ ନିଜ ଅକ୍ତିଆରକୁ ନେଇଛି ତାଲିବାନ।

୨୦୧୯ରେ ଭାରତ ଆଫଗାନିସ୍ତାନକୁ ଏହି ହେଲିକାପ୍ଟର ଗିଫ୍ଟ ଦେଇଥିଲା। ଆଫଗାନିସ୍ତାନରେ ଏଭଳି ସଙ୍କଟ ଦେଖି ପଡୋଶୀ ଦେଶ ମଧ୍ୟ ଚିନ୍ତାରେ। ଆପୋଷ ଆଲୋଚନା ମଧ୍ୟରେ ବିବାଦର ସମାଧାନ ହେବା ଦରକାର ବୋଲି ବିରୋଧୀ କହିଛନ୍ତି। ଆମେରିକା ମଧ୍ୟ ଏଥିରେ କୌଣସି ପ୍ରକାର ହସ୍ତକ୍ଷେପ ନକରିବାକୁ ସିଧାସିଧା କହିଦେଇଛନ୍ତି। ଏପଟେ ଆଫଗାନ୍‌ ସରକାର ସରକାରୀ କ୍ଷମତାକୁ ତାଲିବାନ ସହ ବାଣ୍ଟିବା ପାଇଁ ଚିନ୍ତା କରୁଛନ୍ତି। ଦେଶରେ ଚାଲିଥିବା ହିଂସାକୁ ବନ୍ଦ କଲେ ତାଲିବାନ, ସରକାରରେ ମଧ୍ୟ କିଛିମାତ୍ରାରେ କ୍ଷମତାରେ ରହିବ ବୋଲି ଆଫଗାନ୍‌ ସରକାର ପ୍ରସ୍ତାବ ରଖିଛନ୍ତି।

ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି, କମିଟିରେ ୧୦ ଜଣଙ୍କ ମଧ୍ୟରୁ ୭ ଜଣ ନୂଆ

ପୁରୀ: ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି। ଏନେଇ ଆଜି ଆଇନ ବିଭାଗ ପକ୍ଷରୁ ବିଧିବଦ୍ଧ ନୋଟିସ ଜାରି ହୋଇଛି। ନୂଆ କରି ଗଠିତ ୧୦ ଜଣ ମନୋନୀତ ସଦସ୍ୟଙ୍କ ମଧ୍ୟରେ ୭ ଜଣଙ୍କୁ ନୂତନ ଭାବେ କମିଟିରେ ସାମିଲ କରାଯାଇଛି। ମହାପ୍ରଭୁଙ୍କ ସେବା କରିବା ପାଇଁ ସୁଯୋଗ ମିଳିଥିବାରୁ ନୂଆକରି ସାମିଲ ହୋଇଥିବା ସଦସ୍ୟ ମାନେ ନିଜକୁ ଧନ୍ୟମନେ କରିଛନ୍ତି। ପୂର୍ବ ପରିଚାଳନା କମିଟିରେ ସଦସ୍ୟ ଥିବା ବରିଷ୍ଠ ସଦସ୍ୟ ମାଧବ ପୂଜାପଣ୍ଡା ପୁନର୍ବାର କମିଟି ସଦସ୍ୟ ମନୋନୀତ ହୋଇଥିବା ବେଳେ ସେବାୟତ କଲ୍ୟାଣ, ସ୍ୱାସ୍ଥ୍ୟ, ଶିକ୍ଷାର ବିକାଶ ଦିଗରେ କାର୍ଯ୍ୟ କରିବାକୁ ମତ ରଖିଛନ୍ତି। ବିଶେଷ କରି ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ ଓ ମହାପ୍ରସାଦ କିଭଳି ବ୍ୟବସ୍ଥିତ ଢଙ୍ଗରେ ପାଇପାରିବେ ସେନେଇ ଗୁରୁତ୍ୱ ଦିଆଯିବ ବୋଲି ମତ ରଖିଛନ୍ତି।

ବିଫଳ ହେଲା ଇସ୍ରୋର ମିଶନ, ଅଧାରେ ଅଟକିଲା ମିଶନ ଆଇ ଇନ୍ ସ୍କାଏ

ନୂଆଦିଲ୍ଲୀ: ବିଫଳ ହେଲା ଇସ୍ରୋର ମିଶନ। ଫେଲ ମାରିଲା ଜିସାଟ୍‌-୧। ଯାହାଫଳରେ ଅଧାରେ ଅଟକିଲା ମିଶନ ଆଇ ଇନ୍ ସ୍କାଏ। କ୍ରାୟୋଜନିକ ଇଞ୍ଜିନରେ ତ୍ରୁଟି ଯୋଗୁଁ ମିଶନ ଫେଲ୍ ହୋଇଥିବା ଇସ୍ରୋ ଅଧ୍ୟକ୍ଷ କେ ଶିବନ ସୂଚନା ଦେଇଛନ୍ତି। ଆଜି ଭୋର ୫ଟା ୪୩ ମିନିଟରେ ଆନ୍ଧ୍ରର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ ହୋଇଥିଲା ଜିସାଟ୍‌-୧। ହେଲେ ମିଶନର ମାତ୍ର ୧୦ ସେକେଣ୍ଡ ପୂର୍ବରୁ କ୍ରାୟୋଜନିକ ଇଞ୍ଜିନରେ ତ୍ରୁଟି ସାମ୍ନାକୁ ଆସିଥିଲା। ଯାହାଫଳରେ ବୈଜ୍ଞାନିକମାନେ କୌଣସି ତଥ୍ୟ ପାଇପାରିନଥିଲେ। ଜିସାଟ-୧ ଆର୍ଥ ଅବଜର୍ଭେସନ ସାଟେଲାଇଟ ବା ଇଓଏସର ଲଞ୍ଚ ସଫଳ ହୋଇଥିଲେ ଭାରତୀୟ ମହାକାଶ ବିଜ୍ଞାନ ଲାଗି ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଥାଆନ୍ତା। ବିଶେଷ କରି ପ୍ରାକୃତିକ ବିପର୍ଯ୍ୟୟ ଓ ଅନ୍ୟାନ୍ୟ ଘଟଣାଗୁଡିକ ସମ୍ପର୍କରେ ନିର୍ଦ୍ଦିଷ୍ଟ ତଥ୍ୟ ପାଇ ପାରିଥାଆନ୍ତା ଇସ୍ରୋ।

ଓଡ଼ିଆ ସମାଜ ପ୍ରତିଷ୍ଠାତା ଡକ୍ଟର ଅରୁଣ କୁମାରଙ୍କ ପ୍ରଚେଷ୍ଟାରେ ଓଡ଼ିଶା ଫେରୁଛି ସୀମାଞ୍ଚଳଙ୍କ ମରଶରୀର

ଭୁବନେଶ୍ୱର: ଓଡ଼ିଶା ଫେରୁଛି ସୀମାଞ୍ଚଳ ରାଉତଙ୍କ ମରଶରୀର। ଆସନ୍ତା ୧୫ ତାରିଖରେ ସୀମାଞ୍ଚଳଙ୍କ ମୃତଦେହ ଏୟାରଇଣ୍ଡିଆର ବିମାନଯୋଗେ ଭୁବନେଶ୍ୱର ପହଞ୍ଚିବ। ବାହାରିନରେ ଅବସ୍ଥାପିତ ଓଡ଼ିଆ ସମାଜ ପ୍ରତିଷ୍ଠାତା ତଥା ବିଶ୍ୱ ଓଡ଼ିଶା ସଦ୍ଭାବନା ରାଷ୍ଟ୍ରଦୂତ ଡକ୍ଟର ଅରୁଣ କୁମାର ପ୍ରହରାଜଙ୍କ ପ୍ରଚେଷ୍ଟାରେ ସୀମାଞ୍ଚଳଙ୍କ ମୃତ ଦେହ ଫେରାଇ ଅଣାଯାଉଛି। ଗତ ୮ ତାରିଖରେ ବାହାରିନର ସଲମାନିଆ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସୀମାଞ୍ଚଳଙ୍କ ମୃତ୍ୟୁ ହୋଇଥିଲା।

ତାଙ୍କ ଚିକିତ୍ସା ପାଇଁ ସ୍ଥାନୀୟ ପ୍ରଶାସନ, ଭାରତୀୟ ଦୂତାବାସ, ଭାରତ ସରକାରଙ୍କ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଅରୁଣ କୁମାର ପ୍ରହରାଜ। ଏଥିସହ ସୀମାଞ୍ଚଳଙ୍କ ଉପଯୁକ୍ତ ଚିକତ୍ସା ପାଇଁ ସମସ୍ତ ସହାୟତା ଯୋଗାଇ ଦେଇଥିଲେ। ଗତ ୧୮ ଜୁଲାଇରେ ସୀମାଞ୍ଚଳଙ୍କ ମସ୍ତିଷ୍କରୁ ରକ୍ତସ୍ରାବ ହେବାରୁ କୋମାକୁ ଚାଲି ଯାଇଥିଲେ। ଉଚ୍ଚ ରକ୍ତଚାପ କାରଣରୁ ବ୍ରେନ ହାମରେଜ ପରେ ତାଙ୍କ ମୃତ୍ୟୁ ହୋଇଥିଲା। ରବିବାର ଅପରାହ୍ନରେ ତାଙ୍କ ମରଶରୀର ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବ ବୋଲି ସୂଚନା ମିଳିଛି।

ଗଞ୍ଜାମ ଖଲ୍ଲିକୋଟ ତୋଟାଗାଁର ସୀମାଞ୍ଚଳ ବାହରିନର ଏନ୍‌ଏସ୍‌ଏଚ୍‌ ନିଗମରେ ମେକାନିକାଲ କମ୍ପାନୀରେ ଲିଡ୍‌ ମେନ୍‌ ଭାବେ କାର୍ଯ୍ୟରତ ଥିଲେ। ସେପଟେ ଅରୁଣ ପ୍ରହରାଜଙ୍କ ସହାୟତା ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ସୀମାଞ୍ଚଳଙ୍କ ପରିବାର ଧନ୍ୟବାଦ ଜଣାଇଛନ୍ତି।

ଇଣ୍ଡୋର ଷ୍ଟାଡିୟମ ନିର୍ମାଣକୁ ନେଇ ବିଭିନ୍ନ ମହଲରୁ ମୁଖ୍ୟମନ୍ତ୍ରୀଙ୍କୁ ଛୁଟୁଛି ପ୍ରଶଂସା

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ଇଣ୍ଡୋର ଷ୍ଟାଡିୟମ ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବିଧାୟିକା ଓ କ୍ରୀଡା ପ୍ରେମୀ।  ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇବା ପାଇଁ ସ୍ଥାନୀୟ ବିଧାୟିକା ଲତିକା ପ୍ରଧାନଙ୍କ ନେତୃତ୍ୱରେ ଏକ ସଭା ଆୟୋଜନ କରାଯାଇଥିଲା। ସହରରେ ଯୁବ ଗୋଷ୍ଠୀ ଓ କ୍ରୀଡା ପ୍ରେମିକୁ କ୍ରୀଡା କ୍ଷେତ୍ରରେ ଉତ୍ସାହିତ କରିବାକୁ ଏହି ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଥିବାକୁ ମୁଖ୍ୟମନ୍ତ୍ରୀଙ୍କୁ  ଭୁୟସୀ ପ୍ରଶଂସା କରିଥିଲେ କ୍ରୀଡାପ୍ରେମୀ ଓ ବୁନ୍ଧିଜୀବୀ।

ସେହିପରୁ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଟଳ ବିହାରୀ ହାଇସ୍କୁଲ ପରିସରରେ ନିର୍ମାଣ ହେବ ୧୦ କୋଟି ୨୫ ଲକ୍ଷ ଟଙ୍କା ବୟରେ ଇଣ୍ଡୋର ଷ୍ଟାଡିୟମ। ଏ ନେଇ ବାସୁଦେବପୁର ନୀଳମଣି ଟାଉନହଲ ପରିସରରେ ଆୟୋଜିତ ହୋଇଥିଲା ଧନ୍ୟବାଦ ଉତ୍ସବ। ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ଉପସ୍ଥିତ ନେତା ଓ ଜନତା। ମହିଷାପଦା ଠାରେ ୪ କୋଟି ଟଙ୍କାର ଷ୍ଟାଡିୟମ ନିର୍ମାଣ ହେବା ନେଇ ଅର୍ଥ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ।

ସେପଟେ ଖୋର୍ଦ୍ଧାରେ  ନିର୍ମାଣ ହେବ ଇଣ୍ଡୋର ଷ୍ଟାଡିୟମ। ଏ ନେଇ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି କ୍ରୀଡ଼ାପ୍ରେମୀ। ଏ ନେଇ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଯେଉଁଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ ଦଳେଇ, ବିଜୁ ଛାତ୍ର ଜନତାର ସଭାପତି ବିଶ୍ୱଦୀପ ପ୍ରଧାନ ପ୍ରମୁଖ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଜଳେଶ୍ୱରରେ ମଧ୍ୟ ନୂତନ ଇନଡୋର ଷ୍ଟାଡିୟମ ନିର୍ମାଣ ହେବାକୁ ନେଇ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ଜଳେଶ୍ୱରର ଭଞ୍ଜ ଭବନ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହେଇଥିଲା କୃତଜ୍ଞତା ଉତ୍ସବ। କାର୍ଯ୍ୟକ୍ରମରେ ଜଳେଶ୍ୱର ବିଧାୟକ ଓ ଖେଲାଳିମାନେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ଧନ୍ୟବାଦ ଦେଇଥିଲେ।

ଦୁର୍ନୀତିଖୋରଙ୍କୁ ‘ମୋ ସରକାର’ ଛାଟ, ରାଜ୍ୟ ପୋଲିସିଂ ସିଷ୍ଟମରେ ଆସୁଛି ସୁଧାର

ଭୁବନେଶ୍ୱର: ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁଯାୟୀ ପ୍ରତ୍ୟେକ ନାଗରିକଙ୍କ ବ୍ୟକ୍ତିଗତ ସ୍ୱାଧୀନତା ଓ ଜୀବନଧାରଣ ଅଧିକାର ଅଛି। କିନ୍ତୁ ଦେଶରେ ୩ ବର୍ଷରେ ୩୪୮ଟି ହାଜତ ମୃତ୍ୟୁ ହୋଇଛି। ଗିରଫଦାରିର ୨୪ ଘଣ୍ଟା ମଧ୍ୟରେ ୬୦ ପ୍ରତିଶତ ଲୋକଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ମହାରାଷ୍ଟ୍ରରେ ସର୍ବାଧିକ ଘଟିଥିବା ବେଳେ ପଛକୁ ରହିଛି ଗୁଜରାଟ ଓ ଆନ୍ଧ୍ରପ୍ରଦେଶ। ଥାନାରେ ହିଁ ସର୍ବାଧିକ ମାନବାଧିକାର ଉଲ୍ଲଂଘନ ହେଉଥିବା ଉଦବେଗର ସହ କହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ  ଏନ୍‌.ଭି ରମନା। ଅନ୍ୟପକ୍ଷରେ ଓଡ଼ିଶାରେ ପୋଲିସର ବର୍ବରତା ଜାତୀୟ ହାରଠାରୁ କମ ଥିବା ଅବସରପ୍ରାପ୍ତ ପୋଲିସ ଅଧିକାରୀ କହିଛନ୍ତି।

ଓଡ଼ିଶାରେ ପୂର୍ବରୁ ପୋଲିସ ଅତ୍ୟାଚାରର ଅନେକ ନଜିର ଥିବା ବେଳେ ଏବେ ଏଥିରେ ଲାଗିଛି ଲଗାମ। ‘ମୋ ସରକାର’ ଲାଗୁ ହେବା ଦିନଠାରୁ ନିଆଯାଉଛି ତ୍ୱରିତ କାର୍ଯ୍ୟାନୁଷ୍ଠାନ। ନିକଟରେ ଜଗତସିଂହପୁର ଜିଲ୍ଲାର ଜଣେ ମଦ୍ୟପ ଥାନା ଅଧିକାରୀଙ୍କୁ ହେଡକ୍ୱାର୍ଟରକୁ ବଦଳି, ମହିଳାଙ୍କୁ ଦୁର୍ବ୍ୟବହାର ଘଟଣାରେ ଚନ୍ଦ୍ରଶେଖରପୁର ଥାନାଧିକାରୀଙ୍କ ବଦଳି, ଯାଆଁଳା ଫାଣ୍ଡି ଅଧିକାରୀଙ୍କୁ ସସପେଣ୍ଡ ଓ ବାଲେଶ୍ୱରରେ ଆଇନଜୀବୀଙ୍କୁ ମାଡ଼ ଭଳି ଅଭିଯୋଗରେ ପୋଲିସ ବିରୋଧରେ ହୋଇଛି ବିଭାଗୀୟ କାର୍ଯ୍ୟାନୁଷ୍ଠାନ। ସେହିପରି ସହିଦନଗର ଥାନା କେଶୁରା ଛକରେ ନାବାଳକଙ୍କୁ ଗୋଇଠା ମାରିବା ଘଟଣାରେ ୪ ପିସିଆର କର୍ମଚାରୀଙ୍କ ବିରୋଧରେ ଷ୍ଟ୍ରଙ୍ଗ ଆକ୍ସନ ନେଇଛି ଗୃହ ବିଭାଗ।

ଦିଗପହଣ୍ଡି ବସ୍‌ ଟର୍ମିନାଲ ଓ କପା ଜିନିଂ ମିଲ୍‌କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ଛୋଟ ଛୋଟ ସହରର ବିକାଶ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ।  ବହୁ ପ୍ରତୀକ୍ଷିତ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନୂଆ ବସ ଟର୍ମିନାଲ ଉଦଘାଟିତ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନୂତନ ବସ୍‌ ଟର୍ମିନାଲର ଉଦଘାଟନ କରିଛନ୍ତି। ୫ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଏହି ବସଷ୍ଟାଣ୍ଡ। ଗଞ୍ଜାମ ଜିଲ୍ଲାରେ ଥିବା ଏନଏସି ବସଷ୍ଟାଣ୍ଡଗୁଡିକଠାରୁ ଏହା ସର୍ବବୃହତ ବସଷ୍ଟାଣ୍ଡ।

ବସଷ୍ଟାଣ୍ଡ ନଥିବା ଯୋଗୁଁ ଦିଗପହଣ୍ଡି ଅଞ୍ଚଳରୁ ବିଭିନ୍ନ ଗାଁକୁ ଯିବା ନିମନ୍ତେ ଯାତ୍ରୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ଏହା ସହିତ ବସ ଗୁଡିକ ରାସ୍ତାରେ ରହୁଥିବା ଯୋଗୁ ଦୁର୍ଘଟଣା ମଧ୍ୟ ଘଟୁଥିଲା। ଦିଗପହଣ୍ଡି ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ୍ୟ କେନ୍ଦ୍ରସ୍ଥଳ। ମୁଖ୍ୟମନ୍ତ୍ରୀ ଗତବର୍ଷ ଏହାର ଶିଳାନ୍ୟାସ କରିଥିଲେ। ବର୍ତ୍ତମାନ ବସଷ୍ଟାଣ୍ଡଟି କାର୍ଯ୍ୟକ୍ଷମ ହେବା ପରେ ଯାତ୍ରୀମାନଙ୍କ ଆଉ ସମସ୍ୟା ରହିବ ନାହିଁ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି।

ସେହିପରି କପା ଜିନିଂ ମିଲକୁ ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। କପା ମିଲ ନଥିବା ଯୋଗୁଁ ଚାଷୀମାନେ କପା ବିକ୍ରି କରିବା ପାଇଁ ଅସୁବିଧାର ସମ୍ମୁଖୀନ ହୋଇ ଦଲାଲଙ୍କ ଶିକାର ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଗତବର୍ଷ ଜିନିଂ ମିଲ୍ ପାଇଁ ଶିଳାନ୍ୟାସ କରିଥିଲେ। ଆଜି ଏହାକୁ ଉଦଘାଟନ କରିଛନ୍ତି। ଏହି ଜିନିଂ ମିଲ ୩ କୋଟି ୨୮ ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିବା ବେଳେ ଏହାଦ୍ୱାର ୧୫ ଶହ କପାଚାଷୀ ଉପକୃତ ହେବେ। କାର୍ଯ୍ୟକ୍ରମରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ଯୋଗଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଛୋଟ ଛୋଟ ଟାଉନ୍‌ରେ ଲୋକଙ୍କ ରୋଜଗାର ବୃଦ୍ଧି ସହ ବିଭିନ୍ନ ନାଗରିକଙ୍କ ସୁବିଧାର ବିକାଶ ପାଇଁ କାର୍ଯ୍ୟ କରାଯାଉଛି, ଏହା ସହ ରାସ୍ତାଘାଟ, ଡ୍ରେନେଜ୍‌ ସୁବିଧା ସହିତ ପିଇବା ପାଣିର ସୁବିଧା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଦିଗପହଣ୍ଡିର ସବୁ ପରିବାରକୁ ପାଇପ ପାଣି ସଂଯୋଗ ଦିଆଯାଇଛି ମୁଖ୍ୟମନ୍ତ୍ରୀ କହିଥିଲେ।

୫ ରାଷ୍ଟ୍ରାୟତ କମ୍ପାନୀକୁ ବିକ୍ରି କରିବେ ମୋଦି ସରକାର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା

ନୂଆଦିଲ୍ଲୀ: ଚଳିତ ବର୍ଷ କେନ୍ଦ୍ର ସରକାର ୫ଟି ରାଷ୍ଟ୍ରାୟତ କମ୍ପାନୀକୁ ବିକ୍ରି କରିବେ । ଏହା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଭାରତୀୟ ଉଦ୍ୟୋଗ ମହାସଂଘ (ସିଆଇଆଇ)ର ବାର୍ଷିକ ଅଧିବେଶନକୁ ସମ୍ବୋଧିତ କରିବା ବେଳେ ଅର୍ଥମନ୍ତ୍ରୀ ଏହା କହିଛନ୍ତି । କରୋନା ମହାମାରୀ ପାଇଁ ଲଗାଯାଇଥିବା ଲକଡାଉନ କୋହଳ ହେବା ପରେ ଆର୍ଥିକ କ୍ଷେତ୍ରରେ ସୁଧାର ଆସୁିଛି ବୋଲି ସେ କହିଛନ୍ତି । ଚଳିତ ଆର୍ଥିକ ବର୍ଷରେ ପ୍ରତ୍ୟକ୍ଷ ପୁଞ୍ଜିନିବେଶରେ ୩୭ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି । ବୈଦେଶିକ ମୁଦ୍ରା ଭଣ୍ଡାରରେ ବୃଦ୍ଧି ଘଟି ଏହା ୬୨୦ ବିଲିଅନ ଡଲାର ହୋଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ଏହି ସରକାରି କମ୍ପାନୀକୁ ବିକିବେ ମୋଦି ସରକାର

ଅର୍ଥବ୍ୟବସ୍ଥାରେ ଅଧିକ ପୁଞ୍ଜିନିବେଶ ପାଇଁ ଭାରତୀୟ ଶିଳ୍ପ ଜଗତକୁ ଆହ୍ୱାନ କରି ସେ କହିଛନ୍ତି ଯେ,ଚଳିତ ଆର୍ଥିକ ବର୍ଷରେ ସରକାର ୧ ଲକ୍ଷ ୭୫ ହଜାର କୋଟିର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟକୁ ହାସଲ କରିବା ପାଇଁ ୫ ରାଷ୍ଟ୍ରାୟତ କମ୍ପାନୀକୁ ବିକ୍ରି କରିବେ । ବିକ୍ରି ହେବାକୁ ଥିବା କମ୍ପାନୀ ମଧ୍ୟରେ ଏୟାର ଇଣ୍ଡିଆ,ଭାରତ ପେଟ୍ରୋଲିୟମ,ବିଇଏମଏଲ,ଶିପିଂ କର୍ପୋରେସନ୍ ଓ କଣ୍ଟେନର କର୍ପୋରେସନ ରହିଛନ୍ତି । କରୋନା କାଳରେ ଅର୍ଥନୀତିକୁ ସୁଧାରିବା ପାଇଁ ସରକାର ଆରବିଆଇ ସହିତ ମିଶି କାମ କରୁଛନ୍ତି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ପୁଣି ଲଜ୍ଜା: ବାଳିକା ଗୃହରେ ଖାଦ୍ୟରେ ନିଶା ଦେଇ ଯୁବତୀଙ୍କ ସହ ଦୁଷ୍କର୍ମ ଅଭିଯୋଗ

ଗୟା: ଭଗବାନ ବୁଦ୍ଧଙ୍କ ତପଭୂମି ବୋଧଗୟାରୁ ଆସିଛି ଚାଞ୍ଚଲ୍ୟକର ଖବର। ବୁଧଗୟାର ବାଳିକା ଗୃହରେ ଯୁବତୀଙ୍କ ସହ ଯୌନ ଶୋଷଣ କରାଯଉଥିବା ଅଭିଯୋଗ ଆସିଛି। ଏହି ଖବର ପୁଣିଥରେ ବିହାର ସରକାରଙ୍କ ମହିଳା ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି।

ସୂଚନା ମୁତାବକ ନବାତା ଜିଲ୍ଲାର ଜଣେ ଯୁବତୀଙ୍କ ସହ ବୋଧଗୟା ବାଳିକା ଗୃହରେ ସେଠାକାର କର୍ମଚାରୀ ହିଁ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି। ତେବେ ସବୁଠୁ ଚକିତ କରୁଛି ଯେ ଯୁବତୀ ଜଣଙ୍କ ସହ ଥରେ ନୁହେଁ ବାରମ୍ବାର ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି। ଏହି ଖବର ପୂରା ନବାତା ଜିଲ୍ଲାକୁ ସ୍ତବ୍ଧ କରିଦେଇଛି।

ପୀଡ଼ିତା ଜଣକ ଅଭିଯୋଗ କରିଛନ୍ତି ଯେ ପ୍ରତ୍ୟେକ ରାତିରେ ତାଙ୍କୁ ଖାଦ୍ୟ ପରେ କ୍ଷୀରରେ କିଛି ନିଶାଦ୍ରବ୍ୟ ମିଶାଇ ପିଇବାକୁ ଦିଆଯାଉଥିଲା । ଯାହାପରେ ସେ ବେହୋସ ହୋଇଯାଉଥିଲେ । ଆଉ ପରଦିନ ସକାଳେ ଉଠିଲାବେଳେ ତାଙ୍କ ଦେହ ଦରଜ ହେବା ସହ ତାଙ୍କ ଲୁଗାପଟା ଅସଂଜତ ଅବସ୍ଥାରେ ଥାଏ।

ଯେତେବେଳେ ପୀଡିତା ଜଣକ ବାଳିକା ଗୃହର ଅଧକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ, ସେତେବେଳେ ତାଙ୍କୁ ଗାଳିଗୁଲଜ କରାଯାଇଥିଲା ଏବଂ ଏ ବିଷୟରେ କୌଣସି ବାହାର ଲୋକଙ୍କୁ ନ ଜଣାଇବାକୁ ଧମକ ମଧ୍ୟ ଦେଇଥିଲେ। ଏହି ଘଟଣା ସେତେବେଳେ ଭିନ୍ନ ମୋଡ଼ ନେିଥିଲା ଯେତେବେଳେ ବାଳିକାଗୃହର ଅନ୍ୟ ୪ ଜଣ  ଝିଅଙ୍କ ସହ ମଧ୍ୟ ସମାନ ଘଟଣା ଘଟିଥିବା ଅଭିଯୋଗ ଆସିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ବିହାରର ବାଳିକା ଗୃହରେ ରହୁଥିବା ଝିଅମାନଙ୍କର ସୁରକ୍ଷା ଉପରେ ପୁଣି ଏକ ପ୍ରଶ୍ନ ଚିହ୍ନ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, ବିହାରରେ ୨୦୧୮ରେ ପ୍ରଥମ ଥର ପାଇଁ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସର ରିପୋର୍ଟରେ ତିନି ବର୍ଷ ପୂର୍ବେ ରାଜ୍ୟରେ ଏକ ବାଳିକା ଗୃହରେ ନାବାଳିକାଙ୍କ ସହ ଯୌନ ଶୋଷଣ ମାମଲା ସାମ୍ନାକୁ ଆସିଥିଲା। ତା’ପରେ ମୁଜାଫରପୁରର ବାଲିକା ଗୃହରେ ମଧ୍ୟ ସମାନ ଖବର ସାମ୍ନାକୁ ଆସିଥିଲା। ଏହି ମାମଲାର ତଦନ୍ତ ସିବିଆଇକୁ ଦିଆଯାଇଥିଲା। ଏଥିରେ ୨୧ ଜଣଙ୍କୁ ଗିରଫ କରାଯାଇଥିଲା ଯେଉଁଥିରୁ ୧୦ ଜଣ ମହିଳା, ଥିଲେ ଯେଉଁମାନେ ଏଭଳି ଘଟଣା ସବୁ ଲୁଚାଉଥିଲେ।