spot_img
Home Blog Page 5359

LACରେ ବିବାଦକୁ ରୋକିବା ପାଇଁ ସିକ୍କିମରେ ଭାରତ ଓ ଚୀନ୍‌ ସୀମା ମଧ୍ୟ ପ୍ରତିଷ୍ଠା ହେଲା ହଟଲାଇନ୍‌

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ସହାବସ୍ଥାନ ଲାଗି ହଟଲାଇନ ପ୍ରତିଷ୍ଠା। ଉତ୍ତର ସିକିମ ସେକ୍ଟରରେ ଭାରତୀୟ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ହଟଲାଇନ ପ୍ରତିଷ୍ଠା କରାଯାଇଛି। ପ୍ରକୃତ ନିୟନ୍ତ୍ରଣ ରେଖା ଅଞ୍ଚଳରେ ସ୍ଥିରତା ପ୍ରତିଷ୍ଠା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଉତ୍ତର ସିକିମର କୋଙ୍ଗ୍ରା ଓ ତିବ୍ବତୀୟ ଅଞ୍ଚଳର ଖାମ୍ବା ଜୋଙ୍ଗସ୍ଥିତ ପିଏଲଏ ମଧ୍ୟରେ ଏହି ହଟଲାଇନ କାର୍ଯ୍ୟକାରୀ ହେବ। ଦୁଇ ଦେଶ ମଧ୍ୟରେ ବାରମ୍ବାର ଶୀତଳ ଯୁଦ୍ଧ ସ୍ଥିତି ଲାଗୁଥିବାରୁ ଏହି ହଟଲାଇନ ଅନେକ ସମସ୍ୟାର ସମାଧାନ କରିପାରିବ ବୋଲି ଆଶା କରାଯାଉଛି।

ଗତବର୍ଷ ପୂର୍ବ ଲଦ୍ଦାଖରେ ସୃଷ୍ଟି ହୋଇଥିବା ଉତ୍ତେଜନା ପରିପ୍ରେକ୍ଷୀରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଦୁଇ ଦେଶ ମଧ୍ୟରେ ଦ୍ୱାଦଶ କର୍ପସ କମାଣ୍ଡରସ୍ତରୀୟ ବୈଠକ ପରେ ଏହି ପଦକ୍ଷେପ ନିଆଯାଇଛି। ଶନିବାର ଅନୁଷ୍ଠିତ ଏହି ବୈଠକରେ ଭାରତ ପକ୍ଷରୁ ଲେଫ୍ଟନାଣ୍ଟ ଜେନରାଲ ପିଜିକେ ମେନନ ଓ ଚୀନ ପକ୍ଷରୁ ଚିଫ ମେଜର ଜେନରାଲ ଲିଉ ଲିନ ଭାଗ ନେଇଥିଲେ। ହଟସ୍ପ୍ରିଙ୍ଗସ, ଗୋଗ୍ରା, କୋଙ୍ଗକା ଲା ଅଞ୍ଚଳରେ ସ୍ଥିରତା ବଜାୟ ରଖିବା ଲାଗି ଦୁଇ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିବା ବେଳେ ପର୍ଯ୍ୟାୟ କ୍ରମେ ସେଠାରୁ ସୈନ୍ୟ ଅପସାରଣ ଲାଗି ନିଷ୍ପତ୍ତି ହୋଇଥିଲା।

ତୃଣମୂଳ ସ୍ତରରେ ଦୁଇ ଦେଶର କମାଣ୍ଡର ସ୍ତରରେ ଯେପରି ସମସ୍ତ ସମସ୍ୟାର ସମାଧାନ ହେବ ସେଥିପାଇଁ ହଟଲାଇନ ପ୍ରତିଷ୍ଠା କରାଯାଇଛି। ହଟଲାଇନ ପ୍ରତିଷ୍ଠା ଅବସରରେ ଉଭୟ ପକ୍ଷର କମାଣ୍ଡର ଯୋଗ ଦେଇଥିଲେ। ୩ ହଜାର ୪୮୮ କିଲୋମିଟର ଦୀର୍ଘ ପ୍ରକୃତ ନିୟନ୍ତ୍ରଣ ରେଖାରେ ଏହା ହେଉଛି ଷଷ୍ଠ ହଟଲାଇନ।

ଆଖଣ୍ଡଳମଣିଙ୍କ ପୀଠରେ କରୋନା କଟକଣାକୁ ନମାନି ଶ୍ରାବଣଯାତ୍ରା

ଆରଡ଼ି: ଆଖଣ୍ଡଳମଣିଙ୍କ ପୀଠରେ ଶ୍ରାବଣଯାତ୍ରା କଟକଣା ଫୁ। ପୀଠରେ ସହସ୍ରାଧିକ ଭକ୍ତଙ୍କ ଗହଳି। ଭୋଳାନାଥଙ୍କୁ କଲେ ଜଳାଭିଷେକ। ଚଳିତବର୍ଷ ମହାମାରୀ କରୋନାର ଭୟଭୟତାକୁ ନେଇ ସରକାର ବନ୍ଦ କରିଛନ୍ତି ଶ୍ରାବଣୀମେଳା। ଏପରିକି କୌଣସି ଶିବାଳୟରେ କାଉଡିଆ ଜଳଲାଗି କରିବେ ନାହିଁ ବୋଲି ସମସ୍ତ ମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ସରକାର।

ଏପରିକି ଅଗଷ୍ଟମାସରେ କଟକଣାକୁ କୋହଳ କରାଯାଇଥିଲେ ମଧ୍ୟ ଶ୍ରାବଣୀମେଳା ପାଇଁ ବନ୍ଦ ରହିଛି ମନ୍ଦିର। ଏପରିକି ଖୋଲିବା ପାଇଁ ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି ସରକାର। ଏପରି ନିୟମକୁ ଫୁ କରି ଆରଡିପୀଠ ଆଖଣ୍ଡଳମଣିଙ୍କ ମନ୍ଦିର ପରିସରରେ ସହସ୍ରାଧିକ ଭକ୍ତଙ୍କର ଭିଡ ଜମିବା ସହ କେତେକ କାଉଡିଆ ବାବା ଶିବଗଙ୍ଗା ପୁଷ୍କରିଣୀ କୂଳରେ ଥିବା ବାସୁଆବଳଦ ଉପରେ ଜଳ ଢାଳିଛନ୍ତି। କୋଭିଡ ନିୟମ ପାଳନ କରିବା ତ ଦୂରର କଥା ନା ଅଛି ସାମାଜିକ ଦୂରତା ନା ଅଛି କାହାରି ମୁହଁରେ ମାକ୍ସ। ପିଲା  ଠୁଁ ବୟସ୍କ ବ୍ୟକ୍ତି ଭିଡାଭିଡି ହୋଇ ଜାଳୁଛନ୍ତି ଦୀପ।

ଉପର ମଥାରେ ପ୍ରବଳ ବର୍ଷା କାରଣରୁ ବିପଦ ସଂକେତ ଟପିଲାଣି ସୂବର୍ଣ୍ଣରେଖା ନଦୀ ଜଳସ୍ତର

ଜଳେଶ୍ୱର: ଉପାର ମୁଣ୍ଡରେ ମୌସୁମୀ ବର୍ଷା କାରଣରୁ ଫୁଲୁଛି ସୂବର୍ଣ୍ଣରେଖା ନଦୀ। ଆଜି ସକାଳୁ ଝାଡ଼ଖଣ୍ଡରୁ ବର୍ଷାପାଣି ଆସି ସୂବର୍ଣ୍ଣରେଖା ନଦୀର ରାଜଘାଟ ନିକଟରେ ମିଶିବା ଫଳରେ ଜଳସ୍ତର ବିପଦ ସଂକେତ ଟପିଛି। ରାଜଘାଟ ନିକଟରେ ନଦୀର ବିପଦ ସଂକେତ ୧୦.୩୬ ମିଟର ଥିବାବେଳେ, ସକାଳ ୯ଟା ସୁଦ୍ଧା ଏଠାରେ ଜଳସ୍ତର ୧୦.୫୪ ମିଟରରେ ପହଞ୍ଚିଛି। ଫଳରେ ଭୋଗରାଇ ତହସିଲର ଦହମୁଣ୍ଡା, ଗବଗାଁ, ଚିରକୁଲା, ଆରୁହାବର୍ତ୍ତି, କୁଲଡ଼ା ପ୍ରଭୃତି ଗାଁ ସମେତ ୫/୬ଟି ପଞ୍ଚାୟତରେ ବନ୍ୟାପାଣି ପସି ଯାଇଛି।

ସେହିପରି ବାଲିଆପାଳ ତହସିଲର ୬ଟି ପଞ୍ଚାୟତର କୁଦମାନସିଂ, ସୂର୍ଯ୍ୟପୁର, ଗୁଣପୁର, ଆଠବାଟିଆ, ସୁଙ୍ଗମୁହଁ, ବିଷ୍ଣୁପୁର, ଅସ୍ତି, ମଧୁପୁରା ପ୍ରଭୃତି ଗାଁ ପ୍ରଭାବିତ ହୋଇଛି। ସୂବର୍ଣ୍ଣରେଖା ନଦୀକୁ ଝାଡ଼ଖଣ୍ଡର ଗାଲୁଡ଼ିହି ବ୍ୟାରେଜ୍‌ରୁ ୮ ହଜାର କ୍ୟୁସେକ୍‌ ବନ୍ୟାଜଳ ଛଡ଼ା ଯାଇଛି। ସେହିପରି ଚାନ୍ଦିଲି ଡ଼୍ୟାମର ଗୋଟିଏ ଗେଟ୍‌ ଦେଇ ମଧ୍ୟ ନଦୀକୁ ବନ୍ୟାଜଳ ପ୍ରବେଶ କରୁଛି। ଫଳରେ ଆଜି ମଧ୍ୟାହ୍ନ ଗୋଟାଏ ସୁଦ୍ଧା ନଦୀର ଜଳସ୍ତର ୧୧ ମିଟରରେ ପହଞ୍ଚିପାରେ ବୋଲି ପୂର୍ବାନୁମାନ କରିଛି ଜଳସେଚନ ବିଭାଗ। ଅପରାହ୍ନ ପରେ ନଦୀର ଜଳସ୍ତର ହ୍ରାସ ପାଇପାରେ ବୋଲି ଜଳସେଚନ ବିଭାଗ ସୂଚନା ଦେଇଛି।

ଦେଶରେ ଦିନକରେ ୪୦ହଜାର ୧୩୪ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ କରୋନା ସଂକ୍ରଣ କମିବାରେ ଲାଗିଛି। ଦେଶରେ ଦିନକରେ ୪୦ହଜାର ୧୩୪ କରୋନା ସଂକ୍ରମିତ ଚିହ୍ନଟ। ୨୪ ଘଣ୍ଟାରେ ୩୬ହଜାର ୯୪୬ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୪୨୨ଜଣଙ୍କ ଜୀବନ ନେଇଛି କିଲର କରୋନା। ଦେଶର ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୬ଲକ୍ଷ ୯୫ହଜାର ୯୫୮। ମୋଟ୍ ସୁସ୍ଥ ହେଲାଣି ୩କୋଟି ୮ଲକ୍ଷ ୫୭ହଜାର ୪୬୭। ମୋଟ୍ ମୃତ୍ୟୁସଂଖ୍ୟା ୪ଲକ୍ଷ ୨୪ହଜାର ୭୭୩ ରହିଛି। ତେବେ ଦେଶରେ କରୋନା ଆକ୍ଟିଭ କେସ୍ ଦେଶରେ ୪ଲକ୍ଷ ୧୩ହଜାର ୭୧୮ ଜଣ ରହିଛନ୍ତି। ଦେଶରେ ମୋଟ୍ ଭ୍ୟାକ୍ସିନେସନ ୪୭କୋଟି ୨୨ଲକ୍ଷ ୨୩ହଜାର ୬୩୯ରେ ପହଞ୍ଚିଛି । ୨୪ ଘଣ୍ଟାରେ ୧୭ଲକ୍ଷ ୬ହଜାର ୫୯୮ଜଣଙ୍କୁ ଟିକାକରଣ କରାଯାଇଛି।

ଅଷ୍ଟ୍ରେଲିଆକୁ ୧-୦ରେ ହରାଇ ସେମିଫାଇନାଲରେ ସ୍ଥାନ ପକ୍କା କଲା ଭାରତୀୟ ମହିଳା ହକି ଦଳ

ଟୋକିଓ: ଟୋକିଓ ଅଲମ୍ପିକ୍‌ରେ ଇତିହାସ ରଚିଲା ମହିଳା ହକି ଦଳ। ଦଳ ପ୍ରଥମ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଛି। କ୍ୱାର୍ଟର ଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ୧-୦ ରେ ପରାସ୍ତ କରିଛି। ୨୦୧୬ ରିଓ ଅଲିମ୍ପିକ୍ସରେ ଦଳ ଦ୍ୱାଦଶ ସ୍ଥାନ ହାସଲ କରିଥିଲା। ଏହା ବ୍ୟତୀତ, ୧୯୮୦ ରେ, ଦଳ ଚତୁର୍ଥ ସ୍ଥାନରେ ଥିଲା। ଯଦିଓ ସେ ସମୟରେ କୌଣସି ସେମିଫାଇନାଲ ମ୍ୟାଚ୍ ନଥିଲା। ପୁଲ୍ ମ୍ୟାଚ୍ ପ୍ରଦର୍ଶନ ଆଧାରରେ ଟପ୍-ଦଳ ନିଷ୍ପତ୍ତି ନିଆଯାଇଥିଲା। ସେପଟେ ଭାରତୀୟ ପୁରୁଷ ଦଳ ମଧ୍ୟ ସେମିଫାଇନାଲରେ ପ୍ରବେଶ କରି ପଦକ ଆଶାକୁ ବଜାୟ ରଖିଛି।

ଭାରତୀୟ ମହିଳା ଦଳ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଛି। ତେବେ ପ୍ରଥମ କ୍ୱାର୍ଟରରେ ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆ ସ୍କୋର କରିପାରି ନଥିଲେ। ଦ୍ୱିତୀୟ ହାଫରେ ଗୁରୁଜିତ କୌର ଏକ ପେନାଲ୍ଟି କର୍ନର ସ୍କୋର କରି ଭାରତକୁ ୧-୦ରେ ଆଗକୁ ନେଇଥିଲେ। ଏହା ପରେ ଅଷ୍ଟ୍ରେଲିଆକୁ ୭ଟି ପେନାଲଟି କର୍ଣ୍ଣର ମିଳିଥିଲେ ମଧ୍ୟ ତାକୁ ଭାରତୀୟ ମହିଳା ଦଳ ସିଂହ ଭଳି ଲଢ଼ି ଅଟକାଇଥିଲା।

୨୦୧୭ରୁ ୨୦୧୯ ମଧ୍ୟରେ ଦେଶରେ ୧୪ରୁ ୧୮ ବୟସ୍କ ୨୪ ହଜାର ପିଲା କରିଛନ୍ତି ଆତ୍ମହତ୍ୟା

ନୂଆଦିଲ୍ଲୀ: ଦେଶରେ ପିଲାଙ୍କ ମଧ୍ୟରେ ବଢୁଛି ଆତ୍ମହତ୍ୟା ପ୍ରବଣତା। ୨୦୧୭ରୁ ୨୦୧୯ ମଧ୍ୟରେ ଦେଶରେ ୧୪ରୁ ୧୮ ବୟସ୍କ ୨୪ ହଜାର ପିଲା ଆତ୍ମହତ୍ୟା କରିଛନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ବା ଏନସିଆରବି ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୧୭ରୁ ୨୦୧୯ ମଧ୍ୟରେ ୧୩ ହଜାର ୩୨୫ ବାଳିକାଙ୍କ ସମେତ ୨୪ ହଜାର ୫୬୮ ପିଲା ଆତ୍ମହତ୍ୟା କରିଛନ୍ତି। ୨୦୧୭ରେ ୮ ହଜାର ୨୯ ପିଲା ଆତ୍ମହତ୍ୟା କରିଥିବା ବେଳେ ୨୦୧୮ରେ ୮ ହଜାର ୧୬୨ ଓ ୨୦୧୯ରେ ୮ ହଜାର ୩୭୭ ପିଲା ଆତ୍ମହତ୍ୟା କରିଥିବା ରିପୋର୍ଟରେ ଦର୍ଶାଯାଇଛି। ମଧ୍ୟପ୍ରଦେଶରେ ସର୍ବାଧିକ ୩ ହଜାର ୧୧୫ ପିଲା ଆତ୍ମହତ୍ୟା କରିଥିବା ବେଳେ ପଶ୍ଚିମବଙ୍ଗରେ ୨ ହଜାର ୮୦୨ ପିଲା ଆତ୍ମହତ୍ୟା କରିଛନ୍ତି। ତୃତୀୟ ସ୍ଥାନରେ ରହିଛି ତାମିଲନାଡୁ।

ଏହି ରାଜ୍ୟରେ ୨ ହଜାର ୩୫ ପିଲା ଏହି ସମୟ କାଳ ମଧ୍ୟରେ ଆତ୍ମହତ୍ୟା କରିଛନ୍ତି। ପରୀକ୍ଷାରେ ଫେଲ ହେବା କାରଣରୁ ସର୍ବାଧିକ ୪ ହଜାର ୪୬ ପିଲା ଆତ୍ମହତ୍ୟା କରିଛନ୍ତି। ବୈବାହିକ କାରଣକୁ ନେଇ ୬୩୯ ପିଲା ଆତ୍ମହତ୍ୟା କରିଛନ୍ତି। ସେମାନଙ୍କ ମଧ୍ୟରେ ବାଳିକା ହେଉଛନ୍ତି ୪୧୧। ପ୍ରେମ ବ୍ୟାପାରକୁ ନେଇ ୩ ହଜାର ୩୧୫ ପିଲା ଆତ୍ମହତ୍ୟା କରିଛନ୍ତି। ସେପଟେ ରୋଗ ଯନ୍ତ୍ରଣା ସହି ନପାରି ଆତ୍ମହତ୍ୟା କରିଛନ୍ତି ୨ ହଜାର ୫୬୭ ପିଲା। ଶାରୀରିକ ଆକ୍ରମଣ କାରଣରୁ ୮୧ ଜଣ ପିଲା ପ୍ରାଣ ହରାଇଛନ୍ତି। ଏହାସହ ନିଶାଦ୍ରବ୍ୟ ସେବନ, ମାଦକଦ୍ରବ୍ୟ ସେବନ, ଅନୈତିକ ସମ୍ପର୍କରୁ ଗର୍ଭବତୀ, ସାମାଜିକ କୁଖ୍ୟାତି, ବେକାରୀ, ଦାରିଦ୍ର୍ୟ, ଆଦର୍ଶଗତ ସଂକଟ କାରଣରୁ ବି କିଛି ପିଲା ଆତ୍ମହତ୍ୟା କରିଥିବା ରିପୋର୍ଟରେ ପ୍ରକାଶ ପାଇଛି।

ବିଭିନ୍ନ କାରଣରୁ ପିଲାମାନେ ଆତ୍ମହତ୍ୟା କରୁଥିବା ବେଳେ କୋଭିଡ କାଳରେ ଏହି ବର୍ଗର ପିଲାଙ୍କ ମାନସିକ ସ୍ଥିତି ଅଧିକ ଦୁର୍ବଳ ହୋଇଛି। ଫଳରେ ସେମାନଙ୍କ ଆତ୍ମହତ୍ୟା ସଂଖ୍ୟା ବଢିବାରେ ଲାଗିଛି। ଅବସାଦ, ନିଜ ଉପରେ ବିଶ୍ୱାସର ଅଭାବ, ପ୍ରତିଯୋଗିତାରେ ହାରିବା ନେଇ ସନ୍ତାପ, ଆର୍ଥିକ ଅସ୍ଥିରତା, ମାନସିକ ଚାପ, ବିଭିନ୍ନ ପ୍ରକାର କ୍ଷତି ଆଦି କାରଣରୁ ବି ସେମାନେ ଆତ୍ମହତ୍ୟାର ପଥ ବାଛୁଥିବା ସ୍ପଷ୍ଟ ହୋଇଛି। ବିଭିନ୍ନ ସଂକଟରେ ପଡିଥିବା ପିଲାଙ୍କୁ ସହାୟତା ଦେବା ଲାଗି ଅନେକ ସମୟରେ କେହି ଆସୁନାହାନ୍ତି ବା ସେମାନଙ୍କୁ ସାହା ହେବା ଲାଗି ପରିବାର ସାଥ୍ ଦେଉନି। ଏହି କାରଣରୁ ସେମାନଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବଢୁଥିବା ପରିଲକ୍ଷିତ ହୋଇଛି।

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଦିନକୁ ୨ ହଜାର ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର

କୋଣାର୍କ: ରାଜ୍ୟରେ କରୋନା ଜନିତ ସ୍ଥିତି ସୁଧୁରିବାରେ ଲାଗିଛି। ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହେବା ପରେ କୋହଳ ହୋଇଛି ନିୟମ। ପର୍ଯ୍ୟଟନସ୍ଥଳି ମଧ୍ୟ ଧିରେ ଧିରେ ଖୋଲିବାରେ ଲାଗିଛି। ତେବେ କରୋନା କଟକଣା ସହ ଆଜି ଖୋଲିଛି କୋଣାର୍କ ସୂର୍ଯ୍ୟ ମନ୍ଦିର। କରୋନା ଦ୍ୱିତୀୟ ଲହର ପାଇଁ ଏପ୍ରିଲ ୧୬ରୁ ଦୀର୍ଘ ସାଢ଼େ ତିନିମାସ ବନ୍ଦ ଥିଲା ମନ୍ଦିର। ପୁରୀ ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ କେନ୍ଦ୍ର କୋଭିଡ ନିୟମ ଅନୁଯାୟୀ ସାଧାରଣ ପର୍ଯ୍ୟଟକଙ୍କ ପାଇଁ କରୋନା କଟକଣାରେ ଖୋଲିଛି କୋଣାର୍କ। ବାରକୋଡ଼ରେ ଟିକେଟ ବ୍ୟବସ୍ଥା, ଥର୍ମାଲ ସ୍କ୍ରିନିଂ, ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ସକାଳ ୬ଟାରୁ ଦିନ ୧ଟା ମଧ୍ୟରେ ୧୦୦୦ ଓ ଦିନ ୧ଟା ରୁ ସନ୍ଧ୍ୟା ୬ ଟା ମଧ୍ୟରେ ୧୦୦୦ ପର୍ଯ୍ୟଟକଙ୍କୁ ଅନୁମତି ଦିଆଯିବ। ରାଜ୍ୟ ସରକାରଙ୍କ ଏହି ନିଷ୍ପତକୁ ପର୍ଯ୍ୟଟକ ମାନେ ସ୍ୱାଗତ କରିଥିବା ବେଳେ ବ୍ୟବସାୟୀ, ଫଟୋ ଗ୍ରାଫର, ଗାଇଡ଼ ଓ ହସ୍ତଶିଳ୍ପ ବ୍ୟବସାୟୀ ମାନଙ୍କୁ ଅନୁମତି ନଥିବାରୁ ସେମାନେ ନିରାଶ ହୋଇଛନ୍ତି।

ରାଜ୍ୟରେ ତଳକୁ ଖସୁଛି କରୋନା ସଂକ୍ରମଣ, ୧୧ ଶହ ତଳେ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ସଂକ୍ରମଣ କବଳରୁ ମୁକୁଳୁଛି ରାଜ୍ୟ। ଦିନକରେ ହଜାରେ ୩୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୭ ଜଣଙ୍କ ଜୀବନ ନେଇଛି କିଲର ଭାଇରସ୍। ଏହାକୁ ମିଶାଇ ୬ହଜାର ୩୩ରେ ପହଞ୍ଚିଛି ମୃତ୍ୟୁସଂଖ୍ୟା। କ୍ୱାରେଣ୍ଟାଇନରୁ ୫୯୮, ଲୋକାଲ କେସ୍ ୪୩୪। ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୭ ଶହ ୭୩ ଆକ୍ରାନ୍ତ। ଖୋର୍ଦ୍ଧାରୁ ସର୍ବାଧିକ ୨୩୭, କଟକରୁ ୧୫୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜଗତସିଂହପୁର ଓ ପୁରୀରୁ ୮୨ଜଣ ଲେଖାଏଁ, ଷ୍ଟେଟପୁଲରୁ ୫୦, ଅନୁଗୁଳରୁ ୪୮, ଭଦ୍ରକରୁ ୪୭, ଯାଜପୁରରୁ ୪୩, ବାଲେଶ୍ୱରରୁ ୩୬, ନୟାଗଡ଼ରୁ ୩୦, ଢେଙ୍କାନାଳରୁ ୨୫, କେନ୍ଦୁଝର ଓ ସୁନ୍ଦରଗଡ଼ରୁ ୨୩ଜଣ ଲେଖାଏଁ, ମୟୂରଭଞ୍ଜରୁ ୨୦, ସମ୍ବଲପୁରରୁ ୧୯, କେନ୍ଦ୍ରାପଡାରୁ ୧୮, ବରଗଡ଼, କନ୍ଧମାଳ ଓ ସୋନପୁରରୁ ୧୦ ଜଣ ଲେଖାଏଁ, କୋରାପୁଟରୁ ୯, ଦେବଗଡ଼, ଗଞ୍ଜାମ ଓ ରାୟଗଡ଼ାରୁ ୮ ଜଣ ଲେଖାଏଁ, ଗଜପତି, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁରରୁ ୬ଜଣ ଲେଖାଏଁ, ବଲାଙ୍ଗୀରରୁ ୪, ଝାରସୁଗୁଡାରୁ ୩, ବୌଦ୍ଧରୁ ୨, ନୂଆପଡାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୭୯ହଜାର ୭୩୭, ସୁସ୍ଥ ହେଲାଣି ୯ଲକ୍ଷ ୫୮ହଜାର ୬୦୧, ଆକ୍ଟିଭ କେସ୍ ୧୫ହଜାର ୫୦ ରହିଛି।

ରାଜ୍ୟର ଅଧିକାଂଶ ସ୍ଥାନରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା

ଭୁବନେଶ୍ୱର: ମୌସୁମୀ ଟ୍ରପଲାଇନ୍ ପ୍ରଭାବରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ସୃଷ୍ଟି ହୋଇଥିବା ଟ୍ରପ୍‌ଲାଇନ୍‌ ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିକି ରହିଛି। ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ଆକାଶ ମେଘାଛନ୍ନ ରହିବା ସହ କିଛି କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ। ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧାରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୪ ଓ ୫ ତାରିଖ ବେଳକୁ ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ଝାରସୁଗୁଡା, ଦେବଗଡ ଏବଂ ସମ୍ବଲପୁରରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ ୟଲୋ ଆଲର୍ଟ ଜାରି କରାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୦ ପ୍ରତିଶନ ନିଅଣ୍ଟିଆ ବର୍ଷା ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୫୯.୬ ମିଲିମିଟିର ବର୍ଷା ରେକର୍ଡ କରାଯାଇଥିବା ବେଳେ ୧୧ଟି ଜିଲ୍ଲାରେ ୨୦ ରୁ ୫୯ ପ୍ରତିଶତ କମ୍ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଆଜି ଆସିପାରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଆଜି ଆସିବ ବଡ଼ ନିଷ୍ପତ୍ତି। ଆଜି ହିଁ ନିଷ୍ପତ୍ତି ଚୂଡାନ୍ତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ। ଦିଲ୍ଲୀ ଗସ୍ତରେ ଯାଇ ଫେରିଥିବା ବାସବରାଜ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ବିଜେପି ସଭାପତି ଜେ.ପି. ନଡ୍ଡାଙ୍କୁ ସାକ୍ଷାତ କରିଥିଲେ ବି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ହୋଇପାରି ନଥିବା ଜଣାଯାଇଛି। ସେପଟେ ଉପମୁଖ୍ୟମନ୍ତ୍ରୀ କିଏ ହେବେ ତାହାକୁ ନେଇ ଏବେ ବି ଚାଲିଛି ଚର୍ଚ୍ଚା। ବରିଷ୍ଠ ବିଜେପି ନେତା କେ.ଏସ. ଈଶ୍ୱ ରାପ୍ପା ଉପମୁଖ୍ୟମନ୍ତ୍ରୀ ଲାଗି ଇଚ୍ଛୁକ ଥିବା ବେଳେ ଆଉ କେତେକ ନେତା ବି ଏହି ପଦ ଲାଗି ଇଚ୍ଛୁକ ଅଛନ୍ତି। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ବାସବରାଜ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାରଙ୍କ ସହ ବି ଆଲୋଚନା କରିଛନ୍ତି। ତେଣେ ଆର. ଅଶୋକା, ମୁରୁଗେସ ନିରାନୀ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଦୌଡରେ ଅଛନ୍ତି। ଆଜି ମଧ୍ୟ ଜେପି ନଡ୍ଡାଙ୍କୁ ଭେଟିବେ ବାସବରାଜ। ଏହାପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ।