spot_img
Home Blog Page 5369

ରାଜଧାନୀରେ ଟ୍ରାଫିକ୍‌ ବ୍ୟବସ୍ଥାରେ କାର୍ଯ୍ୟକାରୀ ହୋଇପାରୁନି ନୂଆ ଯୋଜନା, ଅଫିସର ବଦଳିଲେ ବଦଳୁଛି ଯୋଜନା

ଭୁବନେଶ୍ୱର: କୁଆଡେ ଗଲା ଲେନ୍ ଡ୍ରାଇଭିଂ, ଡ୍ରୋନ୍ ? ନୋ ଓଭରଟେକିଂ ଜୋନ୍‌ରେ ବେପରୁଆ ଡ୍ରାଇଭିଂ। ଅଫିସର ବଦଳିଲେ ବଦଳୁଛି ଯୋଜନା। ପରିବହନ ବିଭାଗ ଓ NHAI ମଧ୍ୟରେ ରହୁନି ତାଳମେଳ। ରୋଡ଼ ରୋମିଓଙ୍କୁ ସାବାଡ଼ କରିବା ବେପରୁଆ ଗାଡିଚାଳନା ରୋକିବାକୁ ରବୀନ୍ଦ୍ର ମଣ୍ଡପ ଛକଠାରୁ ଏୟାରପୋର୍ଟ ଛକ ପର୍ଯ୍ୟନ୍ତ କରାଯାଇଥିଲା ନୋ ଓଭରଟେକିଂ ଜୋନ୍। ତତ୍କାଳୀନ ଟ୍ରାଫିକ୍ ଡିସିପି ସାଗରିକା ନାଥ ଏହି ଯୋଜନା ଆରମ୍ଭ କରିଥିଲେ। ଏହି ରାସ୍ତାରେ ଡ୍ରୋନ ଉଡିବା ସହ ଉଲ୍ଲଙ୍ଘନକାରୀଙ୍କୁ ଫାଇନ କରିବା ନେଇ ମଧ୍ୟ ହୋଇଥିଲା ବ୍ୟବସ୍ଥା।

ସଚିବାଳୟ, ଏଜି ଅଫିସ, କ୍ୟାପିଟାଲ ହସ୍ପିଟାଲ, ଭିଆଇପି କ୍ୱାର୍ଟର ଗୁଡିକ ଏହି ରାସ୍ତାରେ ଥିବାରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କିନ୍ତୁ ଟ୍ରାଫିକ୍ ଡିସିପିଙ୍କ ବଦଳି ପରେ ବାଟବଣା ହୋଇଛି ଏହି ବ୍ୟବସ୍ଥା। ଟ୍ରାଫିକ କର୍ମଚାରୀ ଡ୍ରୋନ୍ ସମ୍ପର୍କରେ ସ୍ୱତନ୍ତ୍ର ତାଲିମ ପାଇଥିଲେ ମଧ୍ୟ ଏହି ବ୍ୟବସ୍ଥାରେ ତ୍ରୁଟିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଶେଷଜ୍ଞ।

ଜାତୀୟ ରାଜପଥରେ ଅନ୍ତର୍ଜାତୀୟ ସ୍ତରର ଗାଡି ଚାଳନା ଓ ଦୁର୍ଘଟଣା ରୋକିବା ପାଇଁ ଲେନ୍ ଡ୍ରାଇଭିଂର ପ୍ରସ୍ତାବ ଦିଆଯାଇଥିଲା। ସରକାର ଏ ନେଇ ସବୁଜ ସଙ୍କେତ ଦେବା ସହ ପୋଲିସ ଡିଜିଙ୍କୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସଡକ ସୁରକ୍ଷାର ଗୁରୁତ୍ୱ ଦୃଷ୍ଟିରୁ ଭିତ୍ତିଭୂମିକୁ ମଧ୍ୟ ସୁଦୃଢ଼ କରିଥିଲେ ସରକାର। କେଉଁ ଧାଡିରେ କେତେ ବେଗ ରହିବ, ସେ ନେଇ ମଧ୍ୟ ବିଶେଷଜ୍ଞଙ୍କ ମତ ନିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଟ୍ରାଫିକ, ପରିବହନ ବିଭାଗ ଓ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ସମନ୍ୱୟ ଅଭାବରୁ ଏହି ଯୋଜନା ମଧ୍ୟ କେବଳ ପରିକଳ୍ପନା ରେ ସୀମିତ ଥିବା କହିଛନ୍ତି ବିଶେଷଜ୍ଞ। ଦୁର୍ଘଟଣା ଜନିତ ମୃତ୍ୟୁ ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ସଡକ ସୁରକ୍ଷା ସହ ଯୋଜନାର କାର୍ଯ୍ୟକାରିତା ଦିଗରେ ମଧ୍ୟ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ।

ରାଉରକେଲା ସହରରେ ଶିଶୁ ବିକ୍ରି ଘଟଣା, ଶିଶୁ ମଙ୍ଗଳ କମିଟି ଓ ଚାଇଲ୍ଡ ଲାଇନ ପକ୍ଷରୁ ତଦନ୍ତ ଆରମ୍ଭ

ରାଉରକେଲା: ଚିନ୍ତା ବଢାଇଛି ଶିଶୁ ବିକ୍ରି ଘଟଣା। ରାକେଟ୍ ଧରା ପଡିବା ପରେ ଫିଟୁଛି ଗୁମର। ଚାଇଲ୍ଡ ଲାଇନ୍ ପକ୍ଷରୁ ଆରମ୍ଭ ହେଲା ତଦନ୍ତ। ରାଉରକେଲା ପୋଲିସ ଜିଲ୍ଲାରୁ ନିଖୋଜ ଥିବା ୩୭ ଜଣ ଶିଶୁଙ୍କ ମଧ୍ୟରୁ ୧୬ ଜଣ ଶିଶୁ ଉଦ୍ଧାର ହୋଇଥିବା ବେଳେ ବାକି ୨୧ ଜଣ ଶିଶୁ ନିଖୋଜ ଅଛନ୍ତି। ନିଖୋଜ ଥିବା ୨୧ ଜଣ ଶିଶୁଙ୍କୁ ଉଦ୍ଧାର କରିବା ସହ ସହରରୁ ବିକ୍ରି ହୋଇଥିବା ୨୫ ଜଣ ଶିଶୁଙ୍କୁ କିପରି ଉଦ୍ଧାର କରାଯିବ ସେନେଇ ଜିଲ୍ଲା

ଶିଶୁ ମଙ୍ଗଳ କମିଟି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ବିକ୍ରି ହୋଇଥିବା ୨୫ ଜଣ ଶିଶୁ ଓ ନିଖୋଜ ୨୧ ଜଣ ଶିଶୁ କେଉଁଠି ଅଛନ୍ତି ସେନେଇ ଜିଲ୍ଲା ଶିଶୁ ସୁରକ୍ଷା ଵିଭାଗ ଓ ଚାଇଲ୍ଡ ଲାଇନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ଜିଲ୍ଲା ଶିଶୁ ମଙ୍ଗଳ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ରାଉରକେଲା ସହରରୁ ବିକ୍ରି ହୋଇଥିବା ୨୫ରୁ ଅଧିକ ଶିଶୁ ଓ ନିଖୋଜ ୨୧ ଜଣ ଶିଶୁଙ୍କୁ  ଉଦ୍ଧାର କରିବା ପରେ ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା ପ୍ରଦାନ କରାଯିବ ବୋଲି ଶିଶୁ ମଙ୍ଗଳ କମିଟି ପକ୍ଷରୁ ସୁଚନା ଦିଆଯାଇଛି। ଅନ୍ୟପକ୍ଷରେ ଶିଶୁ ବିକ୍ରି ରାକେଟରେ ଗିରଫ ୫ ମହିଳା ଓ ଦୁଇ ଯୁବକ ସମସ୍ତେ ସମ୍ଭ୍ରାନ୍ତ, ଭଦ୍ର ଓ ଶିକ୍ଷିତ। ଏହାସତ୍ତ୍ୱେ ସେମାନେ ଏହି ଘୃଣ୍ୟ କାର୍ଯ୍ୟରେ ଲିପ୍ତ ଥିବାରୁ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି। ପ୍ଲାଣ୍ଟ ସାଇଟ ଥାନା ପୋଲିସ ଗତ ୨୬ ତାରିଖ ଶିଶୁ ବିକ୍ରି ରାକେଟର  ସାତଜଣ ସଦସ୍ୟଙ୍କୁ ଗିରଫ କରିଥିବାବେଳେ  ଅନ୍ୟ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି।

କାର୍ଡ ଏକ ଫାଇଦା ଅନେକ, ରାଜ୍ୟରେ ଆରମ୍ଭ ହେଲା ୱାନ୍ ନେସନ୍ ୱାନ୍ ରାସନ କାର୍ଡ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ୱାନ ନେସନ୍ ୱାନ ରାସନ୍ କାର୍ଡ ବ୍ୟବସ୍ଥା । ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ବର୍ଷେ ଧରି ଭୁବନେଶ୍ୱରରେ ପାଇଲଟ ପ୍ରକଳ୍ପ ଭାବେ କାର୍ଯ୍ୟକାରୀ ହେଉଥିବା ବେଳେ ଆଜିଠୁ ସାରା ରାଜ୍ୟରେ ଏହି ବ୍ୟବସ୍ଥା ଲାଗୁ ହୋଇଛି । ଏଥିରେ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ପ୍ରାୟ ୯୨ଲକ୍ଷ ହିତାଧିକାରୀ ଉପକୃତ ହେବେ ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବଳରେ ରାଜ୍ୟ ତଥା ଦେଶର ଯେକୌଣସି ଡିଲରଙ୍କଠାରୁ ଖାଉଟି ରାସନ ସାମଗ୍ରୀ ପାଇପାରିବେ । ଖାଉଟିଙ୍କୁ ମିଳୁଥିବା ସରକାରୀ ଚାଉଳ ବା ଗହମର ମାସିକ କୋଟା ପାଇବାକୁ ଏଣିକି ନିର୍ଦ୍ଦିଷ୍ଟ ଡିଲରଙ୍କ ଉପରେ ନିର୍ଭର କରିବାକୁ ପଡିବନି । ଖାଉଟିମାନେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ରାସନ କାର୍ଡରେ ରାଜ୍ୟ କିମ୍ବା ଦେଶ ଭିତରେ ଯେ କୌଣସି ଚିହ୍ନିତ ଡିଲରଙ୍କଠାରୁ ମାସିକ ଖାଦ୍ୟ ସାମଗ୍ରୀ ପାଇପାରିବେ ।

ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀ ରାଜ୍ୟ ଭିତରେ ଯେକୌଣସି ଚିହ୍ନିତ ଡିଲରଙ୍କଠାରୁ ନିଜ ମାସିକ ଖାଦ୍ୟ ସାମଗ୍ରୀ ପାଇ ପାରିବେ । ଏଥିସହ ମାଲକାନଗିରି ଜିଲ୍ଲାରେ ସ୍ବାସ୍ଥ୍ୟବର୍ଦ୍ଧକ ଭିଟାମିନ୍ ଯୁକ୍ତ ଚାଉଳ ବଣ୍ଟନ ଆରମ୍ଭ ହୋଇଛି । ଏହି ଚାଉଳରେ ଭିଟାମିନ୍ ଡି ଓ ଫୋଲିକ ଏସିଡ୍ ରହିଛି ।

୧୩୯ ଦିବ୍ୟାଙ୍ଗ ପିଲାଙ୍କ ମାଟ୍ରିକ ପରୀକ୍ଷା ପ୍ରସଙ୍ଗ, ସମସ୍ତ ଦାୟିତ୍ୱ ରାଜ୍ୟ ସରକାରଙ୍କୁ ନେବାକୁ ନିର୍ଦ୍ଦେଶ ଦେଲେ ମାନବାଧିକାର କମିଶନ

ଭୁବନେଶ୍ୱର: ୧୩୯ ଦିବ୍ୟାଙ୍ଗ ପିଲାଙ୍କ ମ୍ୟାଟ୍ରିକ ପରୀକ୍ଷା ପ୍ରସଙ୍ଗ। ଆସନ୍ତାକାଲି ପରୀକ୍ଷା ଥିବା ବେଳେ ମାନବାଧିକାର କମିଶନଙ୍କର ବଡ଼ ଶୁଣାଣି। ସମସ୍ତ ଦାୟିତ୍ୱ ରାଜ୍ୟ ସରକାରଙ୍କୁ ବହନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ। ଏହାସହ ବୋର୍ଡ ଓ ସଶକ୍ତୀକରଣ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। OHRCଙ୍କ ଦ୍ୱାରସ୍ତ ହୋଇଥିଲେ ମାନବାଧିକାର କର୍ମୀ। ତେବେ ଚଳିତ ବର୍ଷ କରୋନା ପାଇଁ ମାଟ୍ରିକ ପିଲାଙ୍କ ପରୀକ୍ଷା ନକରି ପୂର୍ବ ପରୀକ୍ଷାର ନମ୍ବର ଆଧାରରେ ରାଜ୍ୟର ୬ ଲକ୍ଷ ପିଲାଙ୍କ ରେଜଲ୍ଟ ବୋର୍ଡ କର୍ତ୍ତୃପକ୍ଷ ପ୍ରକାଶ କରିଥିବା ବେଳେ ୧୩୯ ଦିବ୍ୟାଙ୍ଗ ପିଲାଙ୍କୁ ପରୀକ୍ଷା ଦେବାକୁ କହିଥିଲେ। ଏହି ସମସ୍ୟାକୁ ନେଇ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ଅଧ୍ୟକ୍ଷ ମନୋଜ ଜେନା ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ।

ଦ୍ୱାରସ୍ତ ହେବା ପରେ ୧୩୯ ପିଲାଙ୍କ ପରୀକ୍ଷାକୁ ନେଇ କମିଶନ ଶୁଣାଣି କରି କରିଥିଲେ। ୧୩୯ ପିଲାଙ୍କ ପରୀକ୍ଷା ଦ୍ୱାରା ଯେଉଁ ଅସୁବିଧା ସୃଷ୍ଟି ହେବ ସେଥିପାଇଁ ବୋର୍ଡ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ପୂର୍ବରୁ ରାୟ ଶୁଣାଇଥିଲେ। କିନ୍ତୁ ବୋର୍ଡ କର୍ତ୍ତୃପକ୍ଷ ଏହି ୧୩୯ ପିଲାମାନଙ୍କ କରେଶପଣ୍ଡେଣ୍ଟ କୋର୍ସ ମାଧ୍ୟମରେ ପରୀକ୍ଷା ପାଇଁ ଫର୍ମ ଫିଲପ କରିଥିବାରୁ ଏମାନଙ୍କର କୌଣସି ସ୍ଥାୟୀ ରେଜିଷ୍ଟ୍ରସେନ ନମ୍ବର ଓ ପୂର୍ବ ପରୀକ୍ଷାର ଆଇନ ସମ୍ମତ ତଥ୍ୟ ବୋର୍ଡ ପାଖରେ ନାହିଁ। ତେଣୁ ବୋର୍ଡ ଆଇନ ଅନୁଯାୟୀ ସେମାନଙ୍କୁ ଆକଳନ ଭିତିରେ ନମ୍ବର ଦେଇପାରିବ ନାହିଁ ବୋଲି କହିଥିଲା।

ତେଣୁ ପରୀକ୍ଷା ନକରି ରେଜଲ୍ଟ ବାହାର କରିବାକୁ ନିଜର ଆଇନଗତ ଅସମର୍ଥତା ଜଣାଇଥିଲା ବୋର୍ଡ। ତେବେ ଆସନ୍ତା କାଲି ପରୀକ୍ଷା ଥିବାରୁ ଆଜି ଏହି ମାମଲାର ଜରୁରୀ ଶୁଣାଣି ହୋଇଛି। ଜେନା ଦିବ୍ୟାଙ୍ଗ ପିଲାଙ୍କ ପାଇଁ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଛନ୍ତି। ଏହି ପିଲାମାନେ ଦିବ୍ୟାଙ୍ଗ ହୋଇଥିବାରୁ ସାଧାରଣ ପିଲାଙ୍କ ଭଳି ତାଙ୍କ କଥା ବିଚାର ନକରି ତାଙ୍କ ସମସ୍ୟାକୁ ମାନବିକତା ଓ ସହୃଦୟତାର ସହିତ ବିଚାର କରିବାକୁ ଆଜିର ଶୁଣାଣି ସମୟରେ ଓଡ଼ିଶା ଅଭିଭାବକ ମହାଶଂଘର ସହ ଅଧକ୍ଷ୍ୟ ପ୍ରସନ୍ନ ବିଷୋୟୀ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସମସ୍ତ ପରିସ୍ଥିତିକୁ ବିଚାରକୁ ନେଇ କମିଶନ ସେହି ପିଲାମାନଙ୍କ ପରୀକ୍ଷାର ସମସ୍ତ ଦାୟିତ୍ୱ ବୋର୍ଡ କର୍ତ୍ତୃପକ୍ଷ ଓ ଭିନ୍ନକ୍ଷମ ଉନ୍ନୟନ ବିଭାଗ ନେବାକୁ ନିର୍ଦେଶ ଦେଇଛନ୍ତି।

ଦିବ୍ୟାଙ୍ଗ ଦୃଷ୍ଟିହୀନ ପିଲାଙ୍କ ପରୀକ୍ଷା ଖାତାରେ ଉତ୍ତର ଲେଖିବା ପାଇଁ ଲିପିକାର, ପିଲାଙ୍କ ଗସ୍ତ ପାଇଁ ଆବଶ୍ୟକ ଗାଡି, ଖାଦ୍ୟ ପେୟ, ଆବଶ୍ୟକ ସ୍ଥଳେ ପରୀକ୍ଷା ଯୋଗୁ ରହଣି ପାଇଁ ଅଭିଭାବକଙ୍କ ସହିତ ପିଲାଙ୍କ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରୀ ଚିକିତ୍ସା ଆଦି ସମସ୍ତ ବ୍ୟବସ୍ଥା କରିବାକୁ କମିଶନ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜିର ଏହି ଶୁଣାଣି ସମୟରେ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟର ସଂଯୋଜକ ରମେଶ ଭାରତୀ ମଧ୍ୟ ଉପସ୍ଥିତ ଥିଲେ।

ନୂଆ ରୂପରେ ଝଲସିବ ସତ୍ୟବାଦୀ ବନବିଦ୍ୟାଳୟ, ବ୍ଲୁପ୍ରିଣ୍ଟ ଅନୁଯାୟୀ ଶିଘ୍ର ଆରମ୍ଭ ହେବ କାର୍ଯ୍ୟ

ପୁରୀ: ବଦଳିବ ସତ୍ୟବାଦୀ ବନବିଦ୍ୟାଳୟର ରୂପରେଖ। ନୂଆ ରୂପରେ ଝଲସିବ ବକୁଳବନ। ଏନେଇ ପ୍ରଶାସନ ପକ୍ଷରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି। ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଥିବା ସତ୍ୟବାଦୀ ବନବିଦ୍ୟାଳୟର ସ୍ଥିତି ପରଖିଛନ୍ତି ପୁରୀ ଜିଲାପାଳ ସମର୍ଥ ବର୍ମା। ଖୁବ ଶୀଘ୍ର ସତ୍ୟବାଦୀ ବନବିଦ୍ୟାଳୟର ଉନ୍ନତିକରଣ କାମ ହେବ ବୋଲି କହିଛନ୍ତି ଜିଲ୍ଲାପାଳ। ଏହା ସହିତ ସାକ୍ଷୀଗୋପାଳ ମନ୍ଦିର ଉନ୍ନତି କରଣ କାମ ମଧ୍ୟ ହେବ। ମନ୍ଦିର ଚତୁର୍ପାଶ୍ୱ ସୌନ୍ଦର୍ଯ୍ୟକରଣ ସହ ତୀର୍ଥ ପୁଷ୍କରିଣୀ, ରାଧା କୁଣ୍ଡ, ଶ୍ୟାମ କୁଣ୍ଡ ଓ ଚନ୍ଦନ ପୁଷ୍କରିଣୀର ପୁନଃଋଦ୍ଧାର କାର୍ଯ୍ୟ ହେବ ବୋଲି ଆଲୋଚନା ହୋଇଛି। ସେହିପରି କୀର୍ତ୍ତିରାଜୀଗୁଡିକ କିଭଳି ରକ୍ଷଣାବେକ୍ଷଣ ହେବ ତାହାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ସମର୍ଥ ବର୍ମା। ତେବେ ପୁରୀ ଜିଲ୍ଲାପାଳଙ୍କ ଏହି ସମୀକ୍ଷାରେ ସତ୍ୟବାଦୀ ବିଧାୟକ ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ବାଦୁଡ଼ିଙ୍କୁ ସୁରକ୍ଷା ଦେଉଛି ପୁରା ଗାଁ, ଶିକାର କଲେ ବସୁଛି ଗ୍ରାମସଭା ଆଦାୟ ହେଉଛି ଜରିମାନା

ବୌଦ୍ଧ:  ବିଲୁପ୍ତ ଜୀବର ସୁରକ୍ଷାରେ ଗ୍ରାମବାସୀ। ବାଦୁଡିଙ୍କ ପାଇଁ ବସୁଛି ଗାଁ ବସୁଛି ଗ୍ରାମସଭା। ବାଦୁଡ଼ି ମାନଙ୍କର ଶିକାର କଲେ ଆଦାୟ ହେଉଛି ଜୋରିମନା। କରୋନାର କାୟା ଭିତରେ ଅନେକ ଦେଶରେ ବାଦୁଡ଼ି ମାନଙ୍କୁ ମାରିଦିଆଯାଉଛି। କିନ୍ତୁ ଏମିତି ଏକ ଗାଁ ରହିଛି ଯେଉଁ ବାଦୁଡ଼ି ମାନଙ୍କର ସୁରକ୍ଷାରେ ଲାଗିଛନ୍ତି ପୁରା ଗାଁ। କିଚିରିମିଚିର ଶଦ୍ଦରେ ଫାଟିବଡୁଛି ଅଞ୍ଚଳ। ନିର୍ଭୟରେ ଏ ଡାଳରୁ ସେ ଡାଳକୁ ଘୁରି ବୁଲୁଛନ୍ତି ବାଦୁଡି। ଏହି ବିରଳ ପ୍ରଜାତିର ଜୀବଙ୍କ ପାଇଁ ସୈନ୍ଦର୍ଯ୍ୟମୟ ହୋଇଛି ଅଞ୍ଚଳ।

କାରଣ ପୃଥିବୀ ପୃଷ୍ଠରୁ ବିଲୁପ୍ତ ହୋଇଯାଉଥିବା ଏହି ଜୀବକୁ ସୁରକ୍ଷା ଦେବା ପାଇଁ ଅଣ୍ଟା ଭିଡିଛନ୍ତି ବୌଦ୍ଧ ଜିଲ୍ଲା ରାମଗଡ଼ ଗାଁ ଲୋକେ। ଆଉ ଶିକାରୀଙ୍କ ଠାରୁ ବାଦୁଡିଙ୍କୁ ସୁରକ୍ଷା ଦେଉଛନ୍ତି।

୩୦ ବର୍ଷ ହେଲା ସ୍ଥାନୀୟ କେଦାରେଶ୍ୱର ପୀଠ ପରିସରରେ ହଜାର ହଜାର ବାଦୁଡି ରହିଆସୁଛନ୍ତି। ବାଦୁଡି ଶିକାର ଦଣ୍ଡନୀୟ ଅପରାଧ ଘୋଷଣା ହେବା ପରେ ଗ୍ରାମବାସୀ ଏମାନଙ୍କୁ ସୁରକ୍ଷା ଦେଉଛନ୍ତି। କେହି ଯଦି ଶିକାର କରନ୍ତି, ସେମାନଙ୍କ ଠାରୁ ଗ୍ରାମସଭାରେ ଜୋରିମନା ଅଦାୟ କରାଯାଉଛି। ତେବେ ବନବିଭାଗ ଆଗଭର ହେଲେ ଏମାନଙ୍କ ବଂଶ ବିସ୍ତାର ହୋଇପାରନ୍ତା ବୋଲି କହିଛନ୍ତି ଗ୍ରାମବାସୀ।

ଶ୍ରାବଣ ମାସରେ ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ଚାକିରିରେ ନୂଆ ସୁଯୋଗ, ଧନ ଲାଭ ସହିତ ବଢିବ ମାନ-ସମ୍ମାନ

ଶ୍ରାବଣ ମାସ ଆରମ୍ଭ ହୋଇ ଯାଇଛି । ଏହା ଜୁଲାଇ ୨୫ରୁ ଆରମ୍ଭ ହୋଇ ଅଗଷ୍ଟ ୨୨ରେ ଶେଷ ହେବ । ଏହି ମାସରେ ଭଗବାନ ଶିବଙ୍କୁ ପୂଜା କରିବାର ବିଶେଷ ମହତ୍ୱ ରହିଛି । ଭଗବାନ ଶିବଙ୍କ ପ୍ରିୟ ଶ୍ରାବଣ ମାସରେ କିଛି ରାଶିର ବ୍ୟକ୍ତିଙ୍କ ଉପରେ ତାଙ୍କର କୃପା ଦୃଷ୍ଟି ରହିବ। କୁହାଯାଏ ଆନ୍ତରିକତାର ସହିତ ତାଙ୍କୁ ଆରାଧନା କରୁଥିବା ବ୍ୟକ୍ତିଙ୍କୁ ଭୋଳୋନାଥ ଆଶୀର୍ବାଦ ପ୍ରଦାନ କରନ୍ତି । ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିଙ୍କ ଉପରେ ରହିବ ଶିବଙ୍କ କୃପା ଦୃଷ୍ଟି …

ମିଥୁନ ରାଶି :

ଶ୍ରାବଣ ମାସ ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । ଏହି ସମୟରେ ଭାଗ୍ୟଦୋୟ ହୋଇପାରେ । ପରିଶ୍ରମର ସମ୍ପୂର୍ଣ୍ଣ ଫଳ ମିଳିବ । ଶତ୍ରୁମାନଙ୍କୁ ପରାସ୍ତ କରିବେ। ଦୀର୍ଘ ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ । ଟଙ୍କା ରୋଜଗାରର ସୁଯୋଗ ବୃଦ୍ଧି ପାଇବ ।

କର୍କଟ ରାଶି :

ଏହି ରାଶିର ବ୍ୟକ୍ତିଙ୍କ ଉପରେ ଭଗବାନ ଶିବଙ୍କର କୃପା ଦୃଷ୍ଟି ରହିବ । ପରିବାରରେ ଧାର୍ମିକ ପରିବେଶ ରହିବ । ବାପା-ମାଙ୍କ ସହଯୋଗ ପ୍ରାପ୍ତ ହେବ । ଧନ ଲାଭ ହୋଇପାରେ । ନୂତନ ଯୋଜନା ଉପରେ କାମ ଆରମ୍ଭ କରିବେ ।

ତୁଳା ରାଶି :

ଦୀର୍ଘ ଦିନରୁ ଅଟକି ରହିଥିବା ଧନ ଫେରି ପାଇବେ । ବାପା-ମାଙ୍କ ସହଯୋଗରେ ଅନେକ ମହତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇପାରେ । ବ୍ୟାପାରରେ ଉନ୍ନତି ଯୋଗ ରହିବ ।

କୁମ୍ଭ ରାଶି :

ମାନ-ସମ୍ମାନ ବୃଦ୍ଧି ହେବ । ଏହି ମାସ କୌଣସି ନୂତନ କାର୍ଯ୍ୟ ପାଇଁ ଶୁଭ ହେବ । ଚାକିରି କ୍ଷେତ୍ରରେ ଶୁଭ ଫଳ ପ୍ରାପ୍ତ ହେବ । ଧନ ଲାଭ ହେବ ।

ବର୍ଷା ଆସିଲେ ମରଣଯନ୍ତା ପାଲରେ ଗାଁକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତା

ସାଲେପୁର: ବିପଦସଂକୁଳ ଅବସ୍ଥାରେ କେନାଲ ରୋଡ। ଅସରାଏ ବର୍ଷାରେ ରାସ୍ତା ଉପରେ ଢେଉ ଭାଙ୍ଗୁଛି ବର୍ଷା ପାଣି। ବର୍ଷା ଦିନ ଆସିଲେ ମରଣଯନ୍ତା ପାଲଟୁଛି କେନାଲ ରୋଡ। ପାଦେ ପାଦେ ରେ ବିପଦ ଗାଁ ଆମ୍ବୁଲାନ୍ସ ଆସିବାକୁ ବି ମନାକରିଦେଉଛି। ଏଭଳି ଦୃଶ୍ୟ ଦେଖିଲେ ଭୃକୁଞ୍ଚନ ହୁଏ। ସ୍ୱାଧୀନ ଭାରତରେ ଏମିତିବି ରାସ୍ତା ଏବେ ରହିଛି ବୋଲି ମଦକୁ ପ୍ରଶ୍ନ ଉଠେ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ସାଲେପୁରରେ।

ଖାଲଖମାରେ ଭର୍ତ୍ତି ହୋଇଛି କଟକ ଜିଲ୍ଲାର ସାଲେପୁର-କିଶୋରନଗର ରାସ୍ତା। ଦୀର୍ଘ ଦିନ ହେଲା ଜଳସମ୍ପଦ ବିଭାଗ ଅଧିନରେ ଥିବା ଏହି ରାସ୍ତା ମରାମତି ହେଉନଥିବାରୁ ମରଣଯନ୍ତା ପାଲଟିଛି। ଫଳରେ ଗାଡି ମୋଟର ସବୁ ବିପଦ ସଂକୁଳ ଅବସ୍ଥାରେ ଯାତୟାତ କରୁଛନ୍ତି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢୁଥିବା ବେଳେ ମରାମତି ପାଇଁ ଦାବି କରିଛନ୍ତି। ସେପଟେ ବାରମ୍ବାର ଅଭିଯୋଗ ପରେ ମରାମତି ପାଇଁ ପ୍ରତିଶ୍ରୁତି ଦେଇ ବସିପଡିଛି ପ୍ରଶାସନ।

ସାଲେପୁର-କିଶୋରନଗର-ଜଗତସିଂହପୁରର ଲାଇଫ୍ଲାଇନ ଏହି ରାସ୍ତା। ଏହା ଉପରେ ପ୍ରତିଦିନ ହଜାର ହଜାର ଲୋକ ନିର୍ଭର କରନ୍ତି। ମାତ୍ର ରାସ୍ତା ମରାମତି କାମ ହେଉନଥିବାରୁ ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି। ସେପଟେ ରାସ୍ତାକୁ ନେଇ ଅନୁଧ୍ୟାନ କରାଯାଇଛି, ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ। ଅନ୍ୟପଟେ ଖୁବ୍ ଶୀଘ୍ର ରାସ୍ତା ମରାମତି କାମ ଆରମ୍ଭ ହେବ ବୋଲି କହିଛନ୍ତି ସାଲେପୁର ବିଧାୟକ।

ରିଲିଜ ପୂର୍ବରୁ ସୋସିଆଲ ମିଡିଆରେ ଲିକ୍ ହେଲା ‘ମିମି’

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କ୍ରୀତି ସାନନ୍‌ଙ୍କ ଅଭିନୀତ ନୂଆ ଚଳଚ୍ଚିତ୍ର ‘ମିମି’ ମୁକ୍ତିଲାଭ କରିବାର ଚାରିଦିନ ପୂର୍ବରୁ ସୋସିଆଲ୍ ମିଡିଆରେ ପ୍ରଘଟ (ଲିକ୍) ହେଇଯାଇଛି। ଏହାର ଅଫିସିଆଲ୍ ରିଲିଜ୍ ନେଟ୍‌ଫ୍ଲିକ୍ସରେ ହେବାକୁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଆଶ୍ଚର୍ଯ୍ୟର କଥା ‘ମିମି’ ନିର୍ଦ୍ଧାରିତ ତାରିଖରେ ରିଲିଜ୍ ପୂର୍ବରୁ ଅନ୍‌ଲାଇନ୍ ପାଇରେସିର ଶିକାର ହେଇଛି।

ରିପୋର୍ଟ ଅନୁସାରେ ଜିଓ ଷ୍ଟୁଡିଓ ଓ ମେଡାକ୍ ଫିଲ୍ମସ୍ ଦ୍ବାରା ପ୍ରସ୍ତୁତ ‘ମିମି’ର ପାଇରେଟେଡ୍ ଭର୍ସନ୍ ଗତ ୨୬ ତାରିଖରେ ଟେଲିଗ୍ରାମ୍‌ରେ ଦେଖିବାକୁ ମିଳିଛି। ଟେଲିଗ୍ରାମ୍ ହେଉଛି ପାଇରେସି କରିବାର ସହଜ ମାଧ୍ୟମ। ଅତୀତରେ ଏମିତି ରିଲିଜ୍ ପୂର୍ବରୁ କେତେକ ଚଳଚ୍ଚିତ୍ର ପ୍ରଘଟ ହେବାର ନଜିର ରହିଛି। ଏହା ଜଣାପଡ଼ିବା ପରେ ପ୍ରଯୋଜନା ସଂସ୍ଥା‌ ପକ୍ଷରୁ ଧରପଗଡ଼ ପ୍ରକ୍ରିୟା ଆରମ୍ଭ ହେଇଯାଇଛି।

‘ମିମି’ର ନିର୍ଦ୍ଦେଶନା ଦେଇଛନ୍ତି ଲକ୍ଷ୍ମଣ ଉତେକର। ଏଥିରେ ଜଣେ ମହିଳା ବିବାହ ପୂର୍ବରୁ କିପରି ଅନ୍ୟ ଏକ ଦମ୍ପତିଙ୍କ ପାଇଁ ପିଲାଜନ୍ମ କରିବାକୁ କୌତୁହଳପ୍ରଦ ଢଙ୍ଗରେ ତୟାର ହେଇଛି, ତାହା ଦେଖିବାକୁ ମିଳିବ। ଏଥିପାଇଁ କ୍ରୀତିଙ୍କୁ ପେଟ ଉପରେ ୧୫ କେ.ଜି. ଓଜନର ସାମଗ୍ରୀ ଧରି କ୍ୟାମେରା ସାମ୍‌ନାରେ ଅଭିନୟ କରିବାକୁ ପଡ଼ିଛି। ଏଥିରେ କ୍ରୀତିଙ୍କ ବ୍ୟତୀତ ପଙ୍କଜ ତ୍ରିପାଠୀ, ସାଇ ତମହଙ୍କର ଓ ସୁପ୍ରିୟା ପାଠକ ଅଭିନୟ କରିଛନ୍ତି।

ବନ୍ୟା ପୂର୍ବରୁ ମରାମତି ହେଲା ଦେବୀନଦୀ ବନ୍ଧ, ଭୟରୁ ଆଶ୍ୱସ୍ତ ଏବେ ଲୋକେ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାକୁ ଆଉ ନାହିଁ ଦଳେଇ ଘାଇ ବିପଦ। ଜଳସମ୍ପଦ ବିଭାଗ ବନ୍ଧ ମରାମତି କରିବା ପରେ ନଦୀକୂଳିଆ ଲୋକଙ୍କ ଭୟ ଦୂର ହୋଇଛି। ଦେବୀନଦୀ ବନ୍ଧ ମରାମତି ପରେ ବନ୍ଧ ସୁରକ୍ଷିତ ଓ ମଜଭୁତ୍ ହୋଇଛି। ଫଳରେ ଚଳିତବର୍ଷ ଦେବୀନଦୀରେ ପ୍ରଥମ ବନ୍ୟାଜଳ ପ୍ରବେଶ କରିଥିଲେ ମଧ୍ୟ କୌଣସି ବିପଦ ନଥିବା ସ୍ଥାନୀୟ ଲୋକ କହିଛନ୍ତି ।

ମରାମତି ହୋଇଛି ଦେବୀନଦୀ ବନ୍ଧ। ଟଳିଛି ଦଳେଇ ଘାଇ ବିପଦ। ଆଶ୍ୱସ୍ତ ଏବେ ନଦୀକୂଳିଆ ଲୋକେ। ଚଳିତବର୍ଷ ଜଗତସିଂହପୁର ଜିଲ୍ଲାର ଦେବୀନଦୀରେ ପ୍ରଥମ ବନ୍ୟାଜଳ ଆସିଛି। କିନ୍ତୁ ଲୋକଙ୍କ ମନରେ ପୂର୍ବ ଭଳି ଭୟ ନାହିଁ। କାରଣ ଆଗୁଆ ପଦକ୍ଷେପ ନେଇଛି ଜଳସମ୍ପଦ ବିଭାଗ। ଏହି ଘାଇ ସହିତ ବିଲୁଆଖାଇ, ହାଜିପୁର, ବିରିଡ଼ି ଆଦି ଅଞ୍ଚଳର ନଦୀବନ୍ଧ ମରାମତି ସହିତ ୪ ଫୁଟ୍ ଉଚ୍ଚ କରି ସୁଦୃଢ଼ କରାଯାଇଛି।

୧୯୮୨ରେ ଦଳେଇଘାଇ ଭାଙ୍ଗିଥିଲା। ପ୍ରଭାବିତ ହୋଇଥିଲା ପୂରା ଜଗତସିଂହପୁର ଜିଲ୍ଲା। ତା’ପରଠୁ ବର୍ଷା ଋତୁ ଆସିଲେ ଲୋକ ଆତଙ୍କିତ ହୋଇପଡୁଥିଲେ। ତେବେ ଜଳସମ୍ପଦ ବିଭାଗ ପକ୍ଷରୁ ଦଳେଇଘାଇଠାରୁ ଆରମ୍ଭ କରି ୨୨ମୌଜା, ଶଙ୍ଖାରିସାହି, ଭଣ୍ଡିସାହି ପର୍ଯ୍ୟନ୍ତ ନଦୀବନ୍ଧ ଉଚ୍ଚା ଓ ପଥର ପ୍ୟାକିଂ କରିଯାଇଛି । ଟଳିଛି ବନ୍ୟା ବିପଦ।।