spot_img
Home Blog Page 5383

ରାଜ୍ୟ ନିର୍ବାଚନ କମିଶନକୁ ବିଜେପି ଅସମ୍ମାନ କରିବା ଅତ୍ୟନ୍ତ ନିନ୍ଦନୀୟ

ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିଶନ ଭଳି ଏକ ସାମ୍ବିଧାନିକ ପଦ ମର୍ଯ୍ୟାଦା ଥିବା ଅନୁଷ୍ଠାନକୁ ଓଡିଶା ବିଜେପି ଅସମ୍ମାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ । ବିଜେପିର ଏଭଳି ମନ୍ତବ୍ୟ ଯୋଗୁଁ ଆଜି ଆଉଥରେ ଓଡିଶାବାସୀଙ୍କ ସମ୍ମୁଖରେ ଲୋକହସା ହୋଇଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଲେନିନ ମହାନ୍ତି କହିଛନ୍ତି ଯେ କ୍ରମାଗତ ଭାବରେ ନିଜର ଅହଂକାର ଯୋଗୁଁ ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପି ଓଡିଶାବାସୀଙ୍କ ଦ୍ୱାରା ପରାସ୍ତ ପରେ ମଧ୍ୟ କିଛି ଶିଖିପାରିଲା ନାହିଁ ।

୨୦୧୯ରୁ ଯେତେସବୁ ଉପନିର୍ବାଚନ ହୋଇଛି ସେଥିରେ ଓଡିଶାବାସୀ ବିଜେଡିକୁ ଜୟଯୁକ୍ତ କରିଛନ୍ତି । ଏପରିକି ୨୦୧୯ ନିର୍ବାଚନରେ ବିଜେପି ଜିଣିଥିବା ନିର୍ବାଚନମଣ୍ଡଳୀରେ ମଧ୍ୟ ତାକୁ ପରାଜୟର ରାସ୍ତା ଦେଖାଇଛନ୍ତି । ଆମେ ଆଶା କରୁଛୁ ଯେ ଓଡିଶା ବିଜେପି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ, ମାନ୍ୟବର ଉଚ୍ଚ ନ୍ୟାୟାଳୟ, ଜାତୀୟ ନିର୍ବାଚନ କମିଶନ ଓ ରାଜ୍ୟ ନିର୍ବାଚନ କମିଶନ ଭଳି ସାମ୍ବିଧାନିକ ଅନୁଷ୍ଠାନଗୁଡିକୁ ସମ୍ମାନ ଦେବା ଶିଖୁ । ଯଦି ସେମାନଙ୍କର କୌଣସି ଅଭିଯୋଗ ଅଛି ତେବେ ସେମାନେ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ନିଜର ମତ ରଖିପାରିବେ ।

ତାହା ନକରି ରାଜ୍ୟ ନିର୍ବାଚନ କମିଶନ ଭଳି ଏକ ସାମ୍ବିଧାନିକ ଅନୁଷ୍ଠାନକୁ ଅସମ୍ମାନ କରିବା ଓ ଓଡିଶାବାସୀଙ୍କୁ ବିଭ୍ରାନ୍ତ କରିବା ଉଚିତ୍‍ ନୁହେଁ ବୋଲି ବିଜେଡି ମୁଖପାତ୍ର କହିଛନ୍ତି । ବିଜୁ ଜନତା ଦଳ ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି, ସେ ପଞ୍ଚାୟତ, ପୌର କିମ୍ବା ସାଧାରଣ ନିର୍ବାଚନ ହେଉ । କାରଣ ଆମେ ନିର୍ବାଚନ ପାଇଁ ନୁହେଁ, ଲୋକଙ୍କ ପାଇଁ କାମ କରୁ ଏବଂ ଓଡିଶାବାସୀ ଆମ ଭଲ କାମ ପାଇଁ ଆମକୁ ପ୍ରତ୍ୟେକଟି ନିର୍ବାଚନରେ ଆର୍ଶୀବାଦ କରି ଜୟଯୁକ୍ତ କରାଉଛନ୍ତି ବୋଲି ଲେନିନ କହିଛନ୍ତି ।

ଗ୍ୟାଙ୍ଗଷ୍ଟର ହାଇଦରର ଶେଷକୃତ୍ୟ ସଂପନ୍ନ, କଡା ସୁରକ୍ଷାରେ ଦିଆଗଲା କବର

କେନ୍ଦ୍ରାପଡା:  ଗ୍ୟାଙ୍ଗଷ୍ଟର ହାଇଦରର ଶେଷକୃତ୍ୟ ସଂପନ୍ନ ହୋଇଛି । ବାଲେଶ୍ୱରରେ ଶବ ବ୍ୟବଛେଦ ପରେ କଡ଼ା ସୁରକ୍ଷା ବଳୟ ଭିତରେ ହାଇଦରର ମରଶରୀରକୁ କେନ୍ଦ୍ରାପଡା ଅଣାଯାଇଥିଲା । ମର ଶରୀରକୁ ଘରକୁ ନେବାକୁ ଅନୁମତି ନ ଦେଇ ପୋଲିସ ସିଧାସଳଖ କବରସ୍ଥଳକୁ ନେଇଥିଲା । ଘଟଣାସ୍ଥଳରେ ଆଇଜି ନରସିଂହ ଭୋଳ ଓ ଏସ.ପି ଓ ପୋଲିସ ଫୋର୍ସ ଉପସ୍ଥିତ ରହିଥିଲେ ।

ପରିବାର ଲୋକ କବରସ୍ଥଳରେ କିଛି ସମୟ ଉପସ୍ଥିତ ଥିଲେ । ଅଳ୍ପ ସମୟରେ ସ୍ବଳ୍ପ ଲୋକଙ୍କୁ ନେଇ ବିଧି ସଂପନ୍ନ କରାଯାଇଥିଲା । ହାଇଦରର ଶେଷକୃତ୍ୟ ସଂପନ୍ନ ହେବା ପରେ ଶାନ୍ତିଶୃଙ୍ଖଳା ରକ୍ଷା ଓ କୋଭିଡ୍ ନିୟମ ମାନିଥିବାରୁ କେନ୍ଦ୍ରାପଡାବାସୀ ଓ ହାଇଦର ପରିବାର ଲୋକଙ୍କୁ ଧନ୍ୟବାଦ ଜଣାଇଥିଲେ ପୋଲିସ ଆଇଜି ।

ଶ୍ରୀକ୍ଷେତ୍ରରେ ରକ୍ତ ଛିଟା, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା !

ପୁରୀ: ପୁରୀ ବାସେଳୀ ସାହି ଥାନା ବଡ଼ ପୋଖରୀ ଯାଗା ନିକଟରେ ଯୁବକଙ୍କୁ ହତ୍ୟା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ଯୁବକ ହେଲେ ଜିତେନ୍ଦ୍ର ପୁରୋହିତ । ଏକାଧିକ ଯୁବକ ମିଳିତ ଭାବେ ଜିତେନ୍ଦ୍ରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯୁବକ ଜଣଙ୍କ ବୃତ୍ତିରେ ସୋଲ କାରିଗର ହୋଇଥିବା ବେଳେ ତାଙ୍କୁ କୌଣସି କାରଣରୁ ହତ୍ୟା କରାଯାଇଛି, ତାହା ଜଣାପଡିନାହିଁ  ।

ସେପଟେ  ଘଟଣାସ୍ଥଳରେ ପହଞ୍ଚିଛନ୍ତି ପୁରୀ ଏସପି କନୱର ବିଶାଲ ସିଂ । ସେପଟେ ସିଟି ଡ଼ିଏସପି ଓ ତିନି ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କାହିଁକି ଏବଂ କେଉଁ କାରଣରୁ ତାଙ୍କୁ ହତ୍ୟା କରାଯାଇଛି , ତାହା ଜଣାପଡିନାହିଁ  । କିନ୍ତୁ ହତ୍ୟା କରିବାରେ ଏକାଧିକ ଯୁବକ ସଂଶ୍ଲୀଷ୍ଟ ରହିଥିବାବେଳେ ଏହି ଯୁବକ ମାନଙ୍କ ସହିତ ମୃତ ଯୁବକଙ୍କ କଣ ରହିଥିଲା ସମ୍ପର୍କ  । ଏବଂ ସେମାନେ କାହିଁକି ହତ୍ୟା କରିଛନ୍ତି ତାହାର ତଦନ୍ତ ଆରମ୍ଭ କରିଛନ୍ତି  ।

ପୋଲିସ ହାତରେ ରେଳମନ୍ତ୍ରୀଙ୍କ ନକଲି ପିଏ, ହାତକଡ଼ି ପକାଇଲା ଫେକ୍ ପରିଚୟ

ଭୁବନେଶ୍ୱର: ରେଳମନ୍ତ୍ରୀଙ୍କ ନକଲି ପିଏ ଗିରଫ । ନକଲି ପିଏ ସମର୍ଥ ବିଶ୍ୱକ୍ରମକୁ ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ନିଜକୁ ରେଳମନ୍ତ୍ରୀଙ୍କ ପିଏ କହି ଇଷ୍ଟକୋଷ୍ଟ ରେଲୱେର ମହାପ୍ରବନ୍ଧକଙ୍କୁ ଜଣେ ରେଳ କର୍ମଚାରୀଙ୍କ ବଦଳି ରୋକିବାକୁ ୱାଟ୍ସଆପରେ ମେସେଜ କରିବା ସହ ଫୋନରେ କଲ ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି  । ପୋଲିସ ର ସୂଚନା ଅନୁସାରେ ସମର୍ଥ ବିଶ୍ୱକର୍ମା ଜଣେ ସେଲେସମ୍ୟାନ ଭାବେ ଉତ୍ତରପ୍ରଦେଶର ଗାଜିଆବାଦର ଏକ ଔଷଧୀୟ କମ୍ପାନୀରେ କାର୍ଯ୍ୟକରେ  । ସେ ଇଷ୍ଟକୋଷ୍ଟ ରେଲୱେର ମହାପ୍ରବନ୍ଧକ ବିଦ୍ୟା ଭୂଷଣଙ୍କୁ କିଛି ଦିନ ତଳେ କଲ କରିଥିଲା  । କଲ ନଲାଗିବାରୁ ନିଜକୁ ରେଳମନ୍ତ୍ରୀଙ୍କ ପିଏ ବୋଲି ମିଛ ପରିଚୟ ଦେଇ ବିଦ୍ୟା ଭୂଷଣଙ୍କୁ ୱାଟ୍ସଆପରେ ଖୋର୍ଦ୍ଧା ଡିଭିଜନର ସେକ୍ସନ ଇଞ୍ଜିନିୟର ପ୍ରଦୀପ ପାଣିଗ୍ରାହୀଙ୍କ ବଦଳି ରୋକିବା ପାଇଁ ମେସଜେ କରିଥିଲା  ।

ଏହି ଘଟଣା ପରେ  ମହାପ୍ରବନ୍ଧକଙ୍କ ସନ୍ଦେହ ହେଇଥିଲା  । ଏକ ଅଜଣା ୱାଟ୍ସଆପ ନମ୍ବରରୁ ଏହିଭଳି ମେସେଜ ଆସିଥିବା ନେଇ ସେ ରେଳମନ୍ତ୍ରାଳୟକୁ ଜଣାଇଥିଲେ  । ଯାଞ୍ଚ ପରେ ରେଳମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସେମିତି କିଛି ମେସେଜ ଦିଆଯାଇନାଥିବା ସେ ସ୍ପଷ୍ଟ ହେଇଥିଲେ  । ଏହାପରେ ଆରପିଏଫ ଏସଆଇ କୃଷ୍ଣଚନ୍ଦ୍ର ସାହୁଙ୍କ ଜରିଆରେ ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଏନେଇ ଅଭିଯୋଗ କରିଥିଲେ  । ପୋଲିସ ଅଭିଯୋଗକୁ ଭିତି କରି ଉକ୍ତ ଫୋନ ନମ୍ବରକୁ ଯାଞ୍ଚ କରିଥିଲା  । ଯାଞ୍ଚରୁ ଏହା ଏକ ନୂଆ ନମ୍ବର ଓ ଏଥିରେ ପ୍ରଥମ କରି ୱାଟ୍ସଆପ ଖୋଲାଯାଇ ବିଦ୍ୟାଭୂଷଣଙ୍କୁ ମେସେଜ କରାଯାଇଥିବା ପୋଲିସ ଜାଣିବାକୁ ପାଇଥିଲା ପୋଲିସ  ।

ପୋଲିସ ଉକ୍ତ ନମ୍ବରକୁ ଟ୍ରେସ କରି ଏହା ଉତ୍ତରପ୍ରଦେଶ ଗାଜିଆବାଦ ଥିବା ନେଇ ଲୋକେସସନରୁ ଜାଣିଥିଲା। ଶେଷରେ ସମର୍ଥ ବିଶ୍ୱକର୍ମା ଉକ୍ତ ନମ୍ବରରେ ବିଦ୍ୟାଭୂଷଣଙ୍କୁ ମେସେଜ କରିଥିବା ଜାଣିପାରି ତାକୁ ସେଠାରୁ ଗିରଫ କରିଥିଲା  । ଗିରଫ ପରେ ସମର୍ଥଙ୍କୁ ଏଭଳି କରିବା ପାଇଁ ଜଣେ ବ୍ୟକ୍ତି କହିଥିବା ନେଇ ସେ ପ୍ରକାଶ କରିଛି  । ତେବେ ସମର୍ଥକୁ ଫୋନ କରିବା ପାଇଁ କହିଥିବା ବ୍ୟକ୍ତି ଜଣକ ଫେରାର ଥିବା ନେଇ ଚନ୍ଦ୍ରଶେଖରପୁର ପୋଲିସ ସୂଚନା ଦେଇଛି। ଅଭିଯୁକ୍ତ ସମର୍ଥଙ୍କୁ କୋର୍ଟ ଚାଲାଣ କରିଛି ଚନ୍ଦ୍ରଶେଖରପୁର ପୋଲିସ  ।

ଟ୍ୟାପ ଯୋଗେ ୨୪ ଘଣ୍ଟିଆ ଉଚ୍ଚ ମାନର ବିଶୁଦ୍ଧ ଜଳ ପାଇବେ ପୁରୀ ବାସୀ

ପୁରୀ: ଟ୍ୟାପ ଯୋଗେ ବିଶୁଦ୍ଧ ଜଳ ପାଇବେ ପୁରୀ ବାସୀ  । ପୁରୀ ସହରର ୨.୫ ଲକ୍ଷ ବାସୀନ୍ଦାଙ୍କୁ ୨୪ ଘଣ୍ଟିଆ ପାଣି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ପୁରୀବାସୀଙ୍କୁ ସ୍ୱଚ୍ଛ ଏବଂ ଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ନେଇ ରାଜ୍ୟ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି  ।  ପ୍ରତି ୧୦୦ ମିଟର ବ୍ୟବଧାନରେ ସହରବାସୀଙ୍କୁ ପାଣି ଯୋଗାଇବା ପାଇଁ ସୋମବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

ଏହି ଯୋଜନା ଜରିଆରେ ପୁରୀଙ୍କୁ ଆସୁଥିବା ୨କୋଟି ପର୍ଯ୍ୟଟକ ମଧ୍ୟ ଉପକୃତ ହୋଇପାରିବେ  । ସେପଟେ ଶୁଦ୍ଧ ପାନୀୟ ଅର୍ଥାତ ଆଇଏସ୧୦୫୦୦ ମାନ ଥିବା ପାନୀୟ ଜଳ ମିଳିବାରେ ଦେଶରେ ପୁରୀ ପ୍ରଥମ ସହର ହେବ  ।  ଏପରି ମାନର ପାନୀୟ ଜଳ ୟୁଏସ, ଲଣ୍ଡନ, ଜାପାନ ଏବଂ ସିଙ୍ଗାପୁର ଭଳି ସହରରେ ଉପଲବ୍ଧ ହେଉଛି  ।

ମୁଖ୍ୟମନ୍ତ୍ରୀଙ୍କ ଡ୍ରିଙ୍କ ଫ୍ରମ ଟ୍ୟାଙ୍କ  ଯୋଜନା ମାଧ୍ୟମରେ ଏହି ପାଣି ଯୋଗାଇ ଦିଆଯିବ  । ରାଜ୍ୟର ୧୬ଟି ସହରର ୪୦ ଲକ୍ଷ ଲୋକ ଏହି ଯୋଜନା ଦ୍ୱାରା ଉପଲବ୍ଧ ହୋଇପାରିବେ  । ସେପଟେ ଏପରି ସୁବିଧା ପାଇବାରେ ଦେଶରେ ପ୍ରଥମ ସହର ଭାବେ ପୁରୀ ଗଣିତ ହେବ  । ଆଗରୁ ଦେଶରେ ଏଭଳି ସୁଦ୍ଧ ପାଣି ଅନ୍ୟ କେଉଁଠାରେ ମିଳିନାହିଁ  ।

ପୂରଣ ହେଲା ଦୀର୍ଘ ଦିନର ସ୍ୱପ୍ନ, ଉପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟକ୍ଷମ

କଳାହାଣ୍ଡି: ପୂରଣ ହେଲା ଦୀର୍ଘ ଦିନର ସ୍ବପ୍ନ । ଆଜିଠୁ ଧର୍ମଗଡ ଉପଖଣ୍ଡର ବିଦ୍ୟୁତ୍ ଉପଭୋକ୍ତାକୁ ମିଳିଲା ବହୁ ପ୍ରତିକ୍ଷିତ ଉପର ଇନ୍ଦ୍ରାବତୀ ଜଳ ବିଦ୍ୟୁତର ପ୍ରକଳ୍ପର ବିଦ୍ୟୁତ୍ । ବେହେରା 33kv ସବଷ୍ଟେସନର ଉଦଘାଟନ କରିଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ । ଏହି ଅବସରରେ ଉପସ୍ଥିତ ଥିଲେ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଧର୍ମଗଡ ବିଧାୟକ ମୌଶଧି ବାଗ, ସ୍ଥାନୀୟ ଜିଲ୍ଲାପାଳ ଓ ୩୦୦ ଗାଁର ଲୋକେ ।

ଏହା ଦ୍ବାରା ଧର୍ମଗଡ ଉପଖଣ୍ଡର ଗୋଲାମୁଣ୍ଡା ଧର୍ମଗଡ ସମେତ ବେହେରା ଅଞ୍ଚଳର ୫୪ ଖଣ୍ଡ ଗାଁରେ ଲୋ-ଭୋଲଟେଜ ଓ ବିଦ୍ୟୁତ୍ ସମସ୍ୟା ଦୂର ହୋଇଛି । ୩୮ ହଜାରରୁ ଉର୍ଦ୍ଧ୍ବ ଉପଭୋକ୍ତା ବିଦ୍ୟୁତ୍ ସେବା ପାଇବେ l ବିଭିନ୍ନ ସମୟରେ ଥିରୁବାଲିରୁ ଆସୁଥିବା ବିଦ୍ୟୁତରେ ସମସ୍ୟା ହେଲେ ଧର୍ମଗଡ ଉପଖଣ୍ଡବାସୀ ଅନ୍ଧାରରେ ରହୁଥିଲେ ହେଲେ ଏହି ସମସ୍ୟା ଦୂର ହେବା ସହ ସିଧାସଳଖ ଇନ୍ଦ୍ରାବତୀରୁ ବିଦ୍ୟୁତ୍ ସେବା ମିଳିଛି ।

ଏଥି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ୍ ଦେଇଛନ୍ତି ଅଞ୍ଚଳବାସୀ । କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଡେଙ୍ଗାଗୁଡାର ବେହେରା 33kv ସବଷ୍ଟେସନ ଦେଇ ଧର୍ମଗଡକୁ ସଂଯୋଗ ହୋଇଛି ଇନ୍ଦ୍ରାବତୀର ବିଦ୍ୟୁତ୍ । ପୂର୍ବରୁ ବାନେରେ ଗ୍ରିଡରୁ କୋକସରା ଦେଇ ଡେଙ୍ଗାଗୁଡା ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ହେଉଥିଲା ।

ମାସେ ହେଲାଣି ନିଖୋଜ ଲୋକସେବା ଭବନର ବରିଷ୍ଠ କର୍ମଚାରୀ ସନ୍ତୋଷ

ଭୁବନେଶ୍ୱର: ରାଜ୍ୟର ସର୍ବୋଚ୍ଚ ପ୍ରଶାସନିକ କାର୍ଯ୍ୟାଳୟ ଲୋକସେବା ଭବନର ଜଣେ ବରିଷ୍ଠ କର୍ମଚାରୀ ନିଖୋଜ । ଓଡ଼ିଆ ଭାଷା ସଂସ୍କୃତି ବିଭାଗର ଡ଼େସ୍କ ଅଫିସର ସନ୍ତୋଷ ଦଳବେହେରାଙ୍କ ମାସେ ହେଲାଣି ପତ୍ତା ମିଳୁନାହିଁ । ଘର ଲୋକେ ଜୁନ୍ ୩୦ ତାରିଖରୁ ଶହୀଦନଗର ଥାନାରେ ଏତଲା ଦେଇଥିଲେ ମଧ୍ୟ ତାଙ୍କର ଏଯାଏଁ କିଛି ଖୋଜଖବର ମିଳୁନଥିବା କହିଛନ୍ତି । ସାଧାରଣ ପ୍ରଶାସନ, ଗୃହ ବିଭାଗକୁ ମଧ୍ୟ ତାଙ୍କ ସ୍ବାମୀଙ୍କୁ ଖୋଜି ଆଣିବାକୁ ଗୁହାରି କରିଛନ୍ତି । ଅଫିସର କାମ ଚାପ ଯୋଗୁଁ ସେ ସବୁବେଳେ ବ୍ୟସ୍ତବିବ୍ରତ ରହୁଥିଲେ ବୋଲି ତାଙ୍କ ଶିକ୍ଷୟତ୍ରୀ ପତ୍ନୀ ଅଭିଯୋଗ କରିଛନ୍ତି

ଭୁବନେଶ୍ବର ୟୁନିଟ୍-୯ର କ୍ବାର୍ଟର ନମ୍ବର ୨ ଆରବି-ଏଫ୍-୬୧/୩ ରୁହନ୍ତି ସନ୍ତୋଷ । ପତ୍ନୀ ଫୁଲବାଣୀ ଜିଲ୍ଲା ଜି.ଉଦୟଗିରିରେ ଶିକ୍ଷୟତ୍ରୀ ଭାବେ କାମ କରନ୍ତି । ଜୁଲାଇ ୨୫ ତାରିଖ ଶେଷ ଥର ପାଇଁ ସେ କାର୍ଯ୍ୟାଳୟକୁ ଯାଇଥିଲେ । ୨୬ ତାରିଖରେ ଶେଷ ଥର ପାଇଁ ପରିବାର ସହ କଥା ହୋଇଥିଲେ । ତାପରଠାରୁ ସେ ଅଫିସ ନ ଯିବାରୁ କାର୍ଯ୍ୟାଳୟ ପକ୍ଷରୁ ତାଙ୍କ ପତ୍ନୀଙ୍କୁ ଯୋଗାଯୋଗ କରାଯାଇଥିଲା । ପତ୍ନୀ ଭୁବନେଶ୍ବରରେ ପହଂଚିବା ପରେ ଜୁନ୍ ୩୦ରେ ଥାନାରେ ଅଭିଯୋଗ କରିଥିଲେ । ହେଲେ ଏତଲା ଦାୟରକୁ ମାସେ ବିତିବାକୁ ବସିଲାଣି, ତଥାପି କିଛି ଖୋଜ୍ ଖବର ମିଳୁନାହିଁ ।

ସନ୍ତୋଷଙ୍କ ପତ୍ନୀ ଓ ଘରଲୋକଙ୍କ କହିବା ଅନୁସାରେ, ତାଙ୍କର କାହା ସହ କୌଣସି ଝଗଡ଼ା ହୋଇନଥିଲା । ଘରେ ତାଙ୍କ ବାଇକ୍ ବି ଥୁଆ ହୋଇଛି । କେବଳ ସଚିବାଳୟର ପରିଚୟ ପତ୍ର ଏବଂ ମୋବାଇଲ୍ ଫୋନ୍ ତାଙ୍କ ପାଖରେ ଅଛି । ପୋଲିସ ଚାହିଁଲେ ତାଙ୍କ ଫୋନକୁ ଟ୍ରାକ୍ କରି ତାଙ୍କ ବିଷୟରେ ଅଧିକ ଜାଣିପାରନ୍ତା । ହେଲେ ପୁଲିସ ଚୁପ୍ ବସିଥିବାରୁ ଘର ଲୋକେ ଏବେ ସନ୍ତୋଷଙ୍କ ବିଷୟରେ କିଛି ବି ଜାଣିପାରୁ ନଥିବା କହିଛନ୍ତି । ସେପଟେ ସଚିବାଳୟ କର୍ମଚାରୀ ସଂଘ ମଧ୍ୟ ସନ୍ତୋଷଙ୍କୁ ଖୋଜି ଆଣିବାକୁ ଅପିଲ କରିଛି ।

 

ମହିଳା ସମାଜସେବୀଙ୍କୁ ଦୁର୍ବ୍ୟବହାର, ଇନଫୋସିଟି ଥାନାରେ ଏତଲା

ଭୁବନେଶ୍ୱର: ମହିଳା ସମାଜସେବୀଙ୍କୁ ଦୁର୍ବ୍ୟବହାର । ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରର ଇନଫୋସିଟି ଥାନା ଅଂଚଳରେ । ପଟିଆ ଅଂଚଳର ବାସୁଦେବ ଏନକ୍ଳେଭରେ ରହୁଥିବା ମହିଳା ସମାଜସେବୀ ତଥା ଜନନୀ ଫାଉଣ୍ଡେସନର ମୁଖ୍ୟ ମୋନାଲିସା ରଥଙ୍କୁ ବାସୁଦେବ ଏନକ୍ଳେଭର ପ୍ରେସିଡେଣ୍ଟ ଏବଂ ତାଙ୍କ ପୁଅ ଦୁର୍ବ୍ୟବହାର କରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିବା ନେଇ ମୋନାଲିସା ଇନଫୋସିଟି ଥାନାରେ ଅଭିଯୋଗ କରିଛନ୍ତି ।

ସେ ଆପାର୍ଟମେଂଟରେ ଘରଭଡା ନେଇ ରହୁଥିବା ବେଳେ ତାଙ୍କର ବିଦ୍ୟୁତ୍ ସମସ୍ୟା ହେବାରୁ ମରାମତି ପାଇଁ ଚେଷ୍ଟା କରୁଥିଲେ । କିନ୍ତୁ ସୋସାଇଟିର ସଭାପତି ତାଙ୍କୁ ଦୁର୍ବ୍ୟବହାର କରିବା ସହ ମରାମତି କରିବାରେ ବ୍ୟାଘାତ ସୃଷ୍ଟି କରିଥିଲେ । ଏକା ରହୁଥିବା ମହିଳାଙ୍କୁ ସଭାପତି ଏବଂ ତାଙ୍କ ପୁଅ ଦୁର୍ବ୍ୟବହାର କରିବା ନେଇ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଘଟଣାକୁ ଗୁରୁତର ସହ ନେଇଛି । ତେବେ ସୋସାଇଟି ସଭାପତିଙ୍କର ପ୍ରତିକ୍ରିୟା ମିଳିପାରିନି ।

ବଲାଙ୍ଗୀରରେ ପାରଳାଖେମୁଣ୍ଡି ପୋଲିସ, ବିଦ୍ୟା ଭାରତୀଙ୍କ ହଷ୍ଟେଲ ରୁମ ସିଲ

ବଲାଙ୍ଗୀର: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତନାଘନା ଚଳାଇଛି ପାରଳାଖେମୁଣ୍ଡି ପୋଲିସ । ବଲାଙ୍ଗୀର ଏଲ.ଆଇ ତାଲିମ କେନ୍ଦ୍ରରେ ସାଢ଼େ ୪ ଘଣ୍ଟା ଧରି ତଦନ୍ତ କରିଛି ପାରଳାଖେମୁଣ୍ଡି ପୋଲିସର ସ୍ୱତନ୍ତ୍ର ଟିମ । ଡେପୁଟି ଡ଼ାଇରେକ୍ଟର, ଜୁନିୟର ଆସିଷ୍ଟାଣ୍ଟ, ପିଅନଙ୍କୁ ଜେରା କରାଯାଇଛି । ବିଦ୍ୟାଭାରତୀ ରହୁଥିବା ହଷ୍ଟେଲ ରୁମ ନଂ ୧ ସିଲ କରିଛି ପୋଲିସ ।

ମିଳିଥିବା ସୂଚନା ମୁତବକ ଏପ୍ରିଲ ୧୩ ତାରିଖରେ ବିଦ୍ୟାଭାରତୀ ଯେତେବେଳେ ହଷ୍ଟେଲରୁ ଯାଆନ୍ତି, ସେହି ସମୟରେ ବଡ ଟ୍ରଲି ବ୍ୟାଗରେ ସମସ୍ତ ଜିନିଷପତ୍ର ନେଇ ଯାଇଥିଲେ ବିଦ୍ୟାଭାରତୀ । ପାରଳାଖେମୁଣ୍ଡି ପୋଲିସର ଏକ ୫ ଜଣିଆ ଟିମ ଛାନଭିନ୍ନ କରିଛି । ତେବେ ବିଦ୍ୟାଙ୍କ ଏକ ଖାତାରୁ ବାହାରିଲା ଆଉ ଜଣେ ଚରିତ୍ର । ଅକ୍ଷୟଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ସୌମ୍ୟଙ୍କ ପରିବାର ଲୋକେ ଦାବି କରିଛନ୍ତି ।

ପୋଷ୍ଟମୋର୍ଟମରେ ହାଇଦର ଦେହରୁ ବାହାରିଲା ୪ ଗୁଳି

ଭୁବନେଶ୍ୱର: କାଲି ହୋଇଥିଲା ଏନକାଉଣ୍ଟର  ।  ଆଜି ହେଲା ପୋଷ୍ଟ ମୋର୍ଟମ  । କୁଖ୍ୟାତ ଅପରାଧୀ ହାଇଦରକୁ ଆଜି ବାଲେଶ୍ୱର ଚିକିତ୍ସାଳୟରେ ପୋଷ୍ଟମର୍ଟମ କରାଯାଇଛି  । ଏବଂ ହାଇଦର ଶରୀରରେ ମୋଟ ୪ଟି ଗୁଳି ରହିଥିବା ନେଇ ସ୍ପଷ୍ଟ ସୂଚନା ମିଳିଛି  । ଶବବ୍ୟବଛେଦ ଗୃହରେ ଗତକାଲି ଠାରୁ ହାଇଦରର ମୃତ ଶରୀର ରଖାଯାଇଥିବାବେଳେ ଆଜି ତାହାର ବ୍ୟବଛେଦ କରାଯାଇଥିଲା  ।

ପୋଷ୍ଟମର୍ଟମ ପରେ ଡାକ୍ତର ସୁଶାନ୍ତ ନାୟକ ରଖିଛନ୍ତି ପ୍ରତିକ୍ରିୟା  । ହାଇଦର ଦେହରୁ ମୋଟ ୪ଟି ଗୁଳି ବାହାରିତିଲାବେଳେ, ସେଥିମଧ୍ୟରୁ ୩ଟି ଗୁଳି ନୂଆ, ଗୋଟିଏ ପୁରୁଣା ବୋଲି ଜଣାପଡ଼ିଛି  । ଜଙ୍ଘରୁ  ୨ଟି ଗୁଳି ବାହାରିଥିଲା ବେଳେ, ଗୋଟିଏ ନୂଆ, ଅନ୍ୟଟି ପୁରୁଣା ବୋଲି ସୂଚନା ଦେଇଛନ୍ତି ଡାକ୍ତର  । ଛାତିରୁ ଗୋଟିଏ ଓ ପେଟରୁ ଗୋଟିଏ ଗୁଳି ମଧ୍ୟ ବାହାରିଥିବା କହିଛନ୍ତି ଡାକ୍ତର ସୁଶାନ୍ତ ନାୟକ  ।

ବ୍ୟବଛେଦ ପୂର୍ବରୁ ପ୍ରଥମେ ହାଇଦରର ପରିବାର ଲୋକଙ୍କୁ ଦେଖାଯାଇଥିଲା  । ପରିବାର ଲୋକ ଦେଖିବା ପରେ ହାଇଦରକୁ ପୋଷ୍ଟମର୍ଟମ କରାଯାଇଥିବା ଜଣାପଡ଼ିଛି  ।ବିଚାର ବିଭାଗୀୟ ମାଜିଷ୍ଟ୍ରେଟ, ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ, ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ୬ ଜଣ ଡାକ୍ତର ଶବ ବ୍ୟବଚ୍ଛେଦ କରୁଛନ୍ତି । ବ୍ୟବଚ୍ଛେଦର ଭିଡିଓ ରେକର୍ଡିଂ କରାଯାଉଛି ।

ହାଇଦର ପକେଟରୁ ଏକ ଲାଲ୍ ଡାଏରୀ ଜବତ ହୋଇଛି । ଯେଉଁଥିରେ ଅନେକ ଲୋକଙ୍କ କଣ୍ଟାକ୍ଟ ନମ୍ବର ଥିବା ପୋଲିସ ସୂଚନା ଦେଇଛି । ସେପଟେ ସିଲ୍ ହୋଇଛି ସିମୁଳିଆର ଏନକାଉଣ୍ଟର ସ୍ପଟ୍ । ଘଟଣାସ୍ଥଳରୁ ଦୁଇଟି ଖୋକା ଜବତ ହୋଇଥିଲା । ବାଲେଶ୍ୱର sdpo ଶ୍ରୀହର୍ସ ମିଶ୍ର, ଆଡିସନାଲ ଡିସିପି ପ୍ରମୋଦ ରଥ ସାଇଣ୍ଟିଫିକ ଟିମ ସହାୟତାରେ ଖୋଜିବା ପରେ ୨ଟି ଖୋକା ଜବତ ହୋଇଛି ।