spot_img
Home Blog Page 5394

ପ୍ରେମ ପରେ ପ୍ରତାରଣା; ଥାନାର ଦ୍ୱାରସ୍ତ ହେଲେ ସ୍ୱାମୀ

କଟକ: ପ୍ରେମ ବିବାହ କରି ପ୍ରତାରଣାର ଶିକାର ହୋଇଛନ୍ତି କଟକର ଜଣେ ଯୁବକ । ଏଭଳି ଅଭିଯୋଗ ଆସିଛି କଟକର ମର୍କତ ନଗର ଅଂଚଳରୁ। ସମ୍ପୃକ୍ତ ଯୁବକ ଜଣକ ମୋହିତ ଶର୍ମା ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, କଟକର ସିଡିଏ ସେକ୍ଟରରେ ପରିବାର ସହିତ ରହୁଥିବା ମୋହିତ ନଭେମ୍ବର ୨୫ରେ ବାଲେଶ୍ୱରର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ। କିନ୍ତୁ ଏହା ପରେ ଆରମ୍ଭ ହୋଇଥିଲା ମୋହିତଙ୍କ ମୋହଭଙ୍ଗର ସମୟ । ମୋହିତଙ୍କ ଅନୁସାରେ ପ୍ରେମ ବିବାହ ପରେ ତାଙ୍କ ଜୀବନ ନର୍କ ପାଲଟି ଯାଇଥିଲା । ତାଙ୍କ ପତ୍ନୀ ତାଙ୍କୁ କଥା କଥାକେ ନିର୍ଯାତନା ଦେଉଥିଲେ । ବିବାହର ଚତୁର୍ଥୀ ରାତ୍ରୀରୁ ହିଁ ତାଙ୍କ ସହିତ ମାନସିକ ନିର୍ଯାତନା ଆରମ୍ଭ ହୋଇଥିଲା । ମୋହିତଙ୍କ ଅନୁସାରେ ଚତୁର୍ଥୀ ରାତ୍ରିରେ ତାଙ୍କ ପାଖକୁ ଗୋଟିଏ ଅଜଣା ନମ୍ବରରୁ କଲ ଆସିଥିଲା । କଲ କରିଥିବା ବ୍ୟକ୍ତି ନିଜକୁ ଟୁକ ବୋଲି ପରିଚୟ ଦେଇଥିଲେ । ଆଉ ତାଙ୍କୁ ନିଜ ପତ୍ନୀଙ୍କଠାରୁ ଦୁରେଇ ରହିବାକୁ ଧମକ ଦେଇଥିଲେ ।

ମୋହିତଙ୍କ ଅନୁସାରେ ଟୁକ ତାଙ୍କୁ ଧମକ ଦେଇଥିଲା ଯେ, ତୋ ପତ୍ନୀ ସହିତ ମୋର ଆଗରୁ ସମ୍ପର୍କ ଅଛି । ଏମିତିକି ସେ ସମ୍ପୃକ୍ତ ଯୁବତୀଙ୍କ ଗୁପ୍ତାଙ୍ଗରେ ତାଙ୍କ ନାମ ଲେଖାଥିବା ଦାବି କରିଥିଲା । ଏହି ଘଟଣା ପରେ ମୋହିତ ଡରି ଯାଇଥିଲେ । କାରଣ ଟୁକ ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । ମୋହିତଙ୍କ ଅନୁସାରେ ତାଙ୍କ ପତ୍ନୀ ଘରେ ମଦ ପିଇବା ସହିତ ତାଙ୍କୁ ପିଇବାକୁ ବାଧ୍ୟ କରୁଥିଲେ । ପରିବାର ଲୋକଙ୍କୁ ମିଛ ମାମଲାରେ ଫସାଇବାକୁ ଧମକ ଦେଉଥିଲେ ।

ନଭେମ୍ବର ୨୦୨୦ରେ ତାଙ୍କ ବିବାହ ହୋଇଥିଲା । ଫେସବୁକରୁ ସେମାନଙ୍କ ପ୍ରେମ ଆରମ୍ଭ ହୋଇଥିଲା । ମୋହିତଙ୍କ ଅନୁସାରେ ଫେସବୁକରେ ସମ୍ପର୍କ ହେବା ପରେ ପରସ୍ପର ମଧ୍ୟରେ ହ୍ୱାଟସଅପ୍ ନମ୍ବର ଆଦାନ ପ୍ରଦାନ ହୋଇଥିଲା । ହ୍ୱାଟସ ଆପରେ ସେମାନେ କିଛି ଦିନ କଥା ହେବା ପରେ ମୋହିତଙ୍କୁ ସମ୍ପୃକ୍ତ ଯୁବତୀ ଜଣକ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ । ତେବେ ମୋହିତ ଏତେଶୀଘ୍ର ବିବାହ କରିବାକୁ ରାଜି ନଥିଲେ । ମୋହିତଙ୍କ ଅନୁସାରେ ସେ ବିବାହ ପାଇଁ ଏକ ବର୍ଷ ସମୟ ମାଗିଥିଲେ । କିନ୍ତୁ ସେ ତାଙ୍କୁ ତୁରନ୍ତ ବିବାହ କରିବାକୁ ଚାପ ପକାଇଥିଲେ । ଏପରିକି ଯୁବତୀଙ୍କ ବାପା-ମା ବିବାହ ନକଲେ ଜୀବନରେ ମାରିଦେବୁ ବୋଲି ଧମକ ଦେଇଥିଲେ ।

ଜୁଲାଇ ମାସରେ ସେ କାହାକୁ ନଜଣାଇ ନିଜ ବାପଘରକୁ ଚାଲି ଯିବା ପରେ ଏବେ ମୋହିତ ନ୍ୟାୟ ପାଇଁ ଥାନା ଦ୍ୱାରସ୍ତ ହୋଇଛନ୍ତି । କଟକ ମର୍କତ ନଗର ଥାନାରେ ମୋହିତ ଏତଲା ଦେଇଛନ୍ତି । ତେବେ ଏନେଇ ତାଙ୍କ ପତ୍ନୀଙ୍କ ଆଡୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି; ଦେଖନ୍ତୁ…

ପୁରୀ: ଆଜି ରଥାରୂଢ ଶ୍ରୀଜିଉଙ୍କର ସଂପନ୍ନ ହେବ ଅଧରପଣା ନୀତି । ଏହି ନୀତିରେ ଅଶରୀରୀ, ପାର୍ଶ୍ୱ ଦେବାଦେବୀମାନେ ମହାପ୍ରଭୁଙ୍କ ଅଧରାମୃତ ପାନ କରି ତୃପ୍ତ ହୋଇଥାନ୍ତି। ଆଷାଢ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥ ଉପରେ ଏହି ନୀତି ସଂପନ୍ନ ହୁଏ । ପ୍ରଭୁଙ୍କର ଏହି ମାନବୀୟ ଲୀଳାକୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ଅପେକ୍ଷାରେ ରହିଛନ୍ତି ।  ସେହି ଦିବ୍ୟ ମୁହୂର୍ତ୍ତକୁ ଦେଖିଲେ ଯେକେହିବି ଭାବବିହ୍ୱଳ ହୋଇପଡିବେ ।

ବାହୁଡା ପରେ ସୁନାବେଶରେ ଦର୍ଶନ ଦେଇଥାନ୍ତି ଠାକୁର । ଏହାପରେ ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ରଥାରୁଢ଼ ଠାକୁରମାନଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ମାଟି ହାଣ୍ଡି, ବା ଲାଉ ଆକୃତିର କୁଡୁଆରେ ହେଉଥିବା ପଣା ଭୋଗକୁ ଅଧର ପଣା କୁହାଯାଏ।  ତେବେ ପ୍ରତ୍ୟେକ ହାଣ୍ଡି ସମାନ ମାପର ହୋଇ ନଥାଏ। ଏହା ଅଶରୀରୀ, ଭୂତ, ପ୍ରେତଙ୍କ ଉଦ୍ଦେଶ୍ୟରେ ଭଙ୍ଗାଯାଇଥିବା ମତବାଦ ରହିଛି । ରଥ ଉପରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଅଧର ପଣା ଭୋଗହୋଇ ରଥର ପାର୍ଶ୍ୱ ଦେବାଦେବୀ ଓ ଅନ୍ୟାନ୍ୟ ଚଣ୍ଡି ଚାମୁଣ୍ଡା ପାଇଁ ଅଧର ହାଣ୍ଡି ଭଙ୍ଗାଯାଇଥାଏ ।

ବଡ଼ ଓଡ଼ିଆ ମଠ ଓ ରାଘବ ଦାସ ମଠ ପକ୍ଷରୁ ପ୍ରସ୍ତୁତ ପଣାକୁ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଣାକୁ ଭୋଗ କରାଯାଇଥାଏ । ପାଣିଆ ଆପଟ ସେବାୟତ ମାନେ ଛାଉଣୀ ମଠ କୂଅରୁ ପାଣି ଆଣିବା ପରେ ଛେନା, କଦଳୀ, କ୍ଷୀର, ଗୋଲମରିଚ, ସର, କର୍ପୂର ଓ ଜାଇଫଳ ଗୁଣ୍ତ ଇତ୍ୟାଦି ମିଶାଇ ସୁଆର ସବୋୟତ ମାନେ ଏହାକୁ ପ୍ରସ୍ତୁତ କରିଥାନ୍ତି।

ଶାସ୍ତ୍ରଜ୍ଞଙ୍କ ମତରେ ରଥରେ ଅବସ୍ଥାନ କରୁଥିବା ଚଣ୍ଡୀ-ଚାମୁଣ୍ଡାଙ୍କ ପାଇଁ ଏହି ଅଧରପଣା ନୀତି ହୋଇଥାଏ । ଫଳରେ ସେମାନେ ଶାନ୍ତି ହୋଇ ନିଜ ସ୍ଥାନ ଫେରିଥାନ୍ତି ।  ଆଜିର ଏହି ନୀତି ପରେ ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ ।

 

ସେମାନେ କୃଷକ ନୁହଁନ୍ତି, ଜଣେ ଜଣେ ଗୁଣ୍ଡା: ମୀନାକ୍ଷି ଲେଖି

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ଜାରି ରହିଥିବା ବେଳେ ଆଲୋଚନା ଜରିଆରେ ସମସ୍ୟାର ସମାଧାନ ପାଇଁ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଜୋର୍ ଦେଇଛନ୍ତି । ଏନେଇ ସରକାର କଥାବାର୍ତ୍ତା ହେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି। ସେପଟେ କୃଷକଙ୍କୁ ନେଇ ବିବାଦୀୟ ବୟାନ୍ ଦେଇଛନ୍ତି ବିଦେଶ ରାଜ୍ୟ ମନ୍ତ୍ରୀ । ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

ଏପରିକି ବିଦେଶ ରାଜ୍ୟ ମନ୍ତ୍ରୀ ମୀନାକ୍ଷି ଲେଖି କୃଷକ ମାନଙ୍କୁ ଗୁଣ୍ଡା କହିବାକୁ ମଧ୍ୟ ପଛାଇ ନାହାଁନ୍ତି । ଏକ ପ୍ରେସ୍ ବିଜ୍ଞପ୍ତିରେ ମୀନାକ୍ଷି କହିଛନ୍ତି ଯେ, କୃଷକ ମାନେ ଗୁଣ୍ଡା, ଆଉ ଯେଉଁମାନେ ଆନ୍ଦୋଳନ କରୁଛନ୍ତି ସେମାନେ କୃଷକ ନୁହଁନ୍ତି । କୃଷକ ଆନ୍ଦୋଳନ ଆଢୁଆଳରେ ପଲିଟିକ୍ସ କରାଯାଉଛି ।

ଏହି ଅବସରରେ ସେ ପେଗାସସ୍ ମାମଲାକୁ ନେଇ ବିରୋଧିଙ୍କ ଉପରେ ମଧ୍ୟ ଜୋରଦାର ବର୍ଷିଛନ୍ତି । ଏହା ମାଧ୍ୟମରେ ଏକ ମିଛ କାହାଣୀ ଲେଖାଯାଉଛି । ୟେଲୋ ପେଜରେ ଏକ ଲିଷ୍ଟ ବନାଯାଇଛି ଏବଂ ଏହା ଦ୍ୱାରା ସଂସଦକୁ ଚଳାଇ ଦିଆଯାଉନାହିଁ । ପୂର୍ବରୁ ଏମନେଷ୍ଟି ଓ ଏନଏସଓ ନିଜ ପକ୍ଷ ରଖିଛନ୍ତି । ତଥାପି ଭାରତକୁ ବଦନାମ୍ କରିବାରେ ଲାଗିପଡିଛନ୍ତି । କେବଳ ଏତିକି ନୁହେଁ ଲୋକତନ୍ତ୍ରର ସମସ୍ତ ସ୍ତମ୍ଭକୁ ମଧ୍ୟ ବରବାଦ୍ କରିବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

 

ପର୍ଣ୍ଣ କେସ୍: ଗିରଫଦାରୀ ଭୟରେ ରାଜ କୁନ୍ଦ୍ରା ଯାଚିଥିଲେ ୨୫ ଲକ୍ଷ ଟଙ୍କା !

ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ସୁଟିଂ ଅଭିଯୋଗରେ ଗିରଫ ହୋଇଥିବା ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସମ୍ପର୍କରେ ଦିନକୁ ଦିନ ବଡ଼ ଖୁଲାସା ହେବାରେ ଲାଗିଛି । ଏହି ମାମଲାରେ ଜଣେ ୱାଣ୍ଟେଡ୍ ଅଭିଯୁକ୍ତ ଦାବି କରିଛି ଯେ ରାଜ କୁନ୍ଦ୍ରା ଗିରଫଦାରୀକୁ ଏଡାଇବା ପାଇଁ ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚକୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ଯାଚିଥିଲେ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅରବିନ୍ଦ ଶ୍ରୀବାସ୍ତବ ଓରଫ୍ ୟଶ ଠାକୁର ନାମକ ଜଣେ ବ୍ୟକ୍ତି ମଧ୍ୟ ପର୍ଣ୍ଣ ଫିଲ୍ମ ମାମଲାରେ ଅଭିଯୁକ୍ତ ସାଜିଛନ୍ତି। ଏନେଇ ଗତ ମାର୍ଚ୍ଚରେ ସେ ଆଣ୍ଟି କରପସନ୍ ବ୍ୟୁରୋ (ଏସିବି)କୁ ଇମେଲ ମାଧ୍ୟମରେ ଅଭିଯୋଗ କରିଥିଲେ। ସେସମୟରେ ଏହାକୁ ଏସିବି ମୁମ୍ବାଇ ପୋଲିସ କମିସନରଙ୍କ ଅଫିସକୁ ପଠାଇଥିଲା।

ଅରବିନ୍ଦ ଶ୍ରୀବାସ୍ତବଙ୍କର ଫ୍ଲିଜ୍ ମୁଭିଜ୍ ନାମକ ଏକ ଫାର୍ମ ଥିଲା। ଏହା ପୂର୍ବରୁ ନ୍ୟୁଫ୍ଲିକ୍ସ ନାମରେ  ଥିବା ବେଳେ ଏହା ଏକ ଆମେରିକୀୟ ସଂସ୍ଥା | ମାର୍ଚ୍ଚରେ ଉକ୍ତ ସଂସ୍ଥା ଦ୍ୱାରା ଅଭିଯୋଗ କରାଯାଇଥିଲା ବେଳେ ଅରବିନ୍ଦ ଶ୍ରୀବାସ୍ତବଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଜବତ କରିଥିଲା ପୋଲିସ। ଏହି ଆକାଉଣ୍ଟରେ ୪.୫ କୋଟି ଥିଲା । ତେବେ ପୋଲିସର ଜଣେ ଖବରି ଫାର୍ମ ଠାରୁ ୨୫ ଲକ୍ଷ ଟଙ୍କା ମାଗିଥିବା ନେଇ ଇମେଲରେ ନ୍ୟୁଫ୍ଲିକ୍ସ ଦାବି କରିଛି।

ତେବେ ପର୍ଣ୍ଣ ମୁଭି ମାମଲାର ତଦନ୍ତ କରୁଥିବା ମୁମ୍ବାଇ ପୋଲିସର କ୍ରାଇମ ଶାଖାକୁ ଧିରେଧିରେ ସଫଳତା ମିଳିବାରେ ଲାଗିଛି। କ୍ରାଇମ ବ୍ରାଞ୍ଚ ସୂତ୍ରରୁ ପ୍ରକାଶ ଯେ ଅଭିଯୁକ୍ତ ଉମେଶ କାମତ ଦ୍ୱାରା ପ୍ରସ୍ତୁତ ୭୦ଟି ଭିଡିଓ ମିଳିଛି। ଯେଉଁ ସମସ୍ତ ଭିଡିଓକୁ କାମତ ବିଭିନ୍ନ ପ୍ରଡକ୍ସନ ହାଉସ୍ ସହାୟତାରେ ବନାଉଥିଲା ।

ହଟସଟ ଆପରେ ଅପଲୋଡ ହୋଇଥିବା ୨୦ ମିନିଟରୁ ୩୦ ମିନିଟ ପର୍ଯ୍ୟନ୍ତ ମୋଟ ୯୦ଟି ଭିଡିଓ କ୍ରାଇମ ବ୍ରାଞ୍ଚ ହାତରେ ଲାଗିଥିବା ସୁତ୍ରରୁ ପ୍ରକାଶ । ମୁମ୍ବାଇ କ୍ରାଇମ ବ୍ରାଞ୍ଚର ପଚରାଉଚରା ବେଳେ ରାଜ କୁନ୍ଦ୍ରାଙ୍କୁ ଏହିସବୁ ଭିଡିଓ ଦେଖାଯାଇଥିଲା ଯାହାକୁ ଉମେଶ ବ୍ରିଟେନର ପ୍ରଡକ୍ସନ କମ୍ପାନୀ କେନରିନ ନିକଟକୁ ପଠାଇଥିଲା।

ତେବେ କ୍ରାଇମ ବ୍ରାଞ୍ଚର ପଚରାଉଚରା ବେଳେ ରାଜ କୁନ୍ଦ୍ରା ବାରମ୍ବାର କହିଛନ୍ତି ଯେ ସେ ଅଶ୍ଳୀଳ ଭିଡିଓ ତିଆରି କରନ୍ତି ନାହିଁ ବରଂ ଅନ୍ୟ OTT ପ୍ଲାଟଫର୍ମରେ ଆସୁଥିବା ଇରୋଟିକ୍ ଭିଡିଓ ପରି ଭିଡିଓ ବନାନ୍ତି।

ରାଜ୍ୟସଭାରେ ହାଇଡ୍ରାମା; ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ ବୟାନ୍ କପି ଛଡାଇ ନେଲେ ଟିଏମସି ସାଂସଦ

ନୂଆଦିଲ୍ଲୀ: ସଂସଦରେ ମୌସୁମୀ ଅଧିବେଶନ ଜାରି ରହିଥିବା ବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରୁଛନ୍ତି ବିରୋଧି । ଯେଉଁଥିପାଇଁ ୩ ଦିନ ହେବ ଗୃହ କାର୍ଯ୍ୟ ଠିକ୍ ଭାବେ ପରିଚାଳିତ ହୋଇପାରୁନାହିଁ । କୃଷି ଆନ୍ଦୋଳନ ବ୍ୟତୀତ କରୋନା, ପେଗାସସ୍, ଦରଦାମ୍ ବୃଦ୍ଧି ଭଳି ପ୍ରସଙ୍ଗ ବିରୋଧି ଉଠାଉଥିବା ବେଳେ ଏପଟେ କୃଷକ ସଙ୍ଗଠନ ପକ୍ଷରୁ ଜନ୍ତରମନ୍ତରରେ ବୈଠକ କରାଯାଇଛି ।

ଖାସ୍ କରି ପେଗାସସ୍ ହ୍ୟାକିଂ ମାମଲାକୁ ନେଇ ଗୃହରେ ହଟ୍ଟଚମଟ ଦେଖାଦେଇଛି । ଏପରିକି ପେଗାସସ୍ ମାମଲା ଏକ ମିଛ ଏବଂ ଏହାଦ୍ୱାରା ଦେଶର ଛବିକୁ ବିଗାଡିବା ଲାଗି ଚେଷ୍ଟା କରାଯାଉଥିବା କେନ୍ଦ୍ର ମନ୍ତ୍ରୀ ମିନାକ୍ଷୀ ଲେଖି କହିଛନ୍ତି। ଏହା ସତ୍ୱେ ବିରୋଧି ଗୃହର କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। କଂଗ୍ରେସ ଓ ଟିଏମସିର କାର୍ଯ୍ୟକଳାପ ଠିକ୍ ରହୁନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।

ଅପରପକ୍ଷେ ରାଜ୍ୟସଭାରେ ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପେଗାସସ୍ ମାମଲାରେ ବୟାନ୍ ଦେବା ପୂର୍ବରୁ ତାଙ୍କ ହାତରୁ କାଗଜ ଛଡାଇ ଉପସଭାପତିଙ୍କ ଆଡକୁ ଫୋପାଡିଛନ୍ତି ଟିଏମସି ସାଂସଦ ଶାନ୍ତନୁ ସେନ୍ । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ। ଏହାବ୍ୟତୀତ ଗୃହକୁ ଆସନ୍ତାକାଲି ଦିନ ୧୧ଟା ଯାଏଁ ସ୍ଥଗିତ ମଧ୍ୟ କରାଯାଇଛି ।

ଟିଏମସି ସାଂସଦ ମାନେ ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ ବୟାନର କପି ନେଇ ଫାଡି ଦେଇଥିବା ସୂଚନା ମିଳିଛି।

ସେହିପରି ଲୋକସଭାରେ ବିରୋଧିଙ୍କ ହଙ୍ଗାମା ଯୋଗୁଁ ଠିକ୍ ଭାବେ ଗୃହ ଚାଲି ପାରିନଥିଲା । ଫଳରେ ଲୋକସଭାକୁ ଅପରାହ୍ନ ୪ଟା ଯାଏଁ ସ୍ଥଗିତ କରାଯାଇଥିଲା।

 

ସନ୍ତୋଷ କୁମାର ତ୍ରିପାଠୀ ହେଲେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ନୂଆ କୁଳପତି

ବାଲେଶ୍ୱର: ଫକୀର ମୋହନ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ହେଲେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ। ତାଙ୍କୁ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।

ସୂଚନା ଅନୁଯାୟୀ, ତାଙ୍କୁ ଆସନ୍ତା ୪ ବର୍ଷ ପାଇଁ ଫକିର ମୋହନ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତ କରାଯାଇଛି । ଶ୍ରୀ ତ୍ରିପାଠୀ ଉତ୍କଳ ବିଶ୍ୱବିଦ୍ୟାଳୟର ପିଏମ୍ ଆଇଆର ବିଭାଗର ପ୍ରଫେସର ଥିଲେ । ତେବେ ତାଙ୍କର ୩୦ ବର୍ଷରୁ ଅଧିକ ହେବ ଶିକ୍ଷକତା ଅଭିଜ୍ଞତା ରହିଛି। ସେ ୧୦ଟି ପୁସ୍ତକ ଲେଖିଥିବା ବେଳେ, ୧୭ ଜଣ ପିଏଚଡି ଓ ୪୦ ଜଣ ସ୍କଲାରଙ୍କୁ ଗାଇଡ କରିଥିବା ଜଣାପଡିଛି।

ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି ପାଇବା ପରେ ପ୍ରଫେସର ତ୍ରିପାଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଫକୀର ମୋହନ ବିଶ୍ୱବିଦ୍ୟାଳୟକୁ ଏ ପ୍ଲସ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ନେଇ ଉଦ୍ୟମ କରିବେ। ଏଥିସହ ଦେଶର ଶହେଟି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ସ୍ଥାନିତ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୨୩ ନଭେମ୍ବର ୨୦୨୦ରେ ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ୬ଟି ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ କରାଯାଇଥିଲା। ସେତେବେଳେ କ୍ଲଷ୍ଟର ଇନୋଭେସନ ସେଣ୍ଟର ନିର୍ଦ୍ଦେଶକ ତଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ବଟାନି ପ୍ରଫେସର ଦିନବନ୍ଧୁ ସାହୁଙ୍କୁ ୪ ବର୍ଷ ପାଇଁ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦିଆଯାଇଥିଲା । ହେଲେ ୪ ମାସ ମଧ୍ୟରେ ପ୍ରଫେସର ଦିନବନ୍ଧୁ ସାହୁ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ। ସେବେଠାରୁ ବାରିପଦା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି କିଶୋର କୁମାର ବାସାଙ୍କୁ ଅତିରିକ୍ତ ଭାବେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ଦାୟିତ୍ୱ ଦିଆଯାଇଥିଲା।

 

ପାକିସ୍ତାନରେ ଆତ୍ମ ସୁରକ୍ଷା ପାଇଁ ଏକେ-୪୭ ଧରି କାମ କରୁଛନ୍ତି ଚୀନ ଇଞ୍ଜିନିୟର

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନ ଉପରୁ ତୁଟୁଛି ଚୀନର ଭରସା । ପାକିସ୍ତାନ ଆତଙ୍କବାଦୀଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଥିବା ବେଳେ ଆତଙ୍କବାଦୀଙ୍କ ଆକ୍ରମଣ ବି ଜାରି ରହିଛି । ପାକିସ୍ତାନରେ କାମ କରୁଥିବା ଚୀନ୍ ଇଞ୍ଜିନିୟରମାନେ ନିଜ ସୁରକ୍ଷା ଦୃଷ୍ଟିରୁ ହାତରେ AK-47 ଧରି କାମ କରୁଥିବା ଦେଖିବାକୁ ମିଳିଛି । ଚୀନ୍-ପାକିସ୍ତାନ କୋନାମିକ କୋରିଡର ବା ସିପିଇସି ପ୍ରୋଜେକ୍ଟରେ କାର୍ଯ୍ୟ କରୁଥିବା ଚୀନ୍ ଇଞ୍ଜିନିୟରମାନେ ହାତରେ AK-୪୭ ଧରିଥିବା କାମ କରୁଛନ୍ତି । ନିକଟରେ ଚୀନ କର୍ମଚାରୀଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ବସ୍ରେ ଯାଉଥିବା ବେଳେ ଚୀନ୍ କର୍ମଚାରୀଙ୍କ ଉପରେ ଆତଙ୍କୀ ହାମଲା କରାଯାଇଥିଲା । ତେଣୁ ନିଜର ସୁରକ୍ଷା ଲାଗି ହାତରେ ବନ୍ଧୁକ ଧରି କାମ କରିବାକୁ ନିଜ ଦେଶର କର୍ମଚାରୀଙ୍କୁ ଚୀନ୍ ନିର୍ଦ୍ଦେଶ ଦେଇଛି । ଏବେ ଚୀନ୍ କର୍ମଚାରୀଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏଥିସହିତ ପଢ଼ନ୍ତୁ: ‘ଦୈନିକ ଭାସ୍କର’ କାର୍ଯ୍ୟାଳୟରେ ଆୟକର ବିଭାଗ ଚଢ଼ାଉ

ସାମ୍ୱାଦିକଙ୍କୁ କନେଷ୍ଟବଳଙ୍କ ମାଡ଼ ମାରିବା ଘଟଣାରେ ବିଧାୟକଙ୍କୁ ଘେରିଲେ ସାମ୍ୱାଦିକ ସଂଘ

କେନ୍ଦ୍ରାପଡା: ୱେବ ଚ୍ୟାନେଲ ସାମ୍ବାଦିକଙ୍କୁ ମହିଳା କନେଷ୍ଟବଳ ମାଡ଼ ମାରିବା ଘଟଣାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ବିଧାୟକଙ୍କୁ ଘେରିଛନ୍ତି ସାମ୍ବାଦିକ ସଂଘ । ଗତକାଲି ମହିଳା କନେଷ୍ଟବଳ ଜଣକ ମାସ୍କ ନପିନ୍ଧି କାର୍ଯ୍ୟ କରୁଥିବା ଫଟୋ ଭାଇରାଲକୁ ନେଇ ମହିଳା କନେଷ୍ଟବଳ ଜଣକ ରାଗିଯାଇଥିଲେ । କେନ୍ଦ୍ରାପଡ଼ା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମାଡ଼ ମାରିବା ସହ ତାଙ୍କ ସାର୍ଟ ଚିରିଦେଇଥିଲେ । ସାମ୍ବାଦିକ ଜଣକ ନିଜର ପରିଚୟ ଦେଉଥିଲେ ମଧ୍ୟ କିଛି ଶୁଣି ନଥିଲେ ମହିଳା କନେଷ୍ଟବଳ। କେନ୍ଦ୍ରାପଡ଼ା ଏସପିଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିଜେପି ଧାରଣାସ୍ଥଳକୁ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକ ଜଣକ ମହିଳା କନେଷ୍ଟବଳ ମାସ୍କ ପିନ୍ଧିନଥିବା ଫଟୋକୁ ସୋସିଆଲ ମିଡିଆରେ ଛାଡିଥିଲେ। ଏହି ଘଟଣାରେ ଖପ୍ପା ହୋଇ ମହିଳା କନେଷ୍ଟବଳ ଉକ୍ତ ସାମ୍ବାଦିକଙ୍କ କଲରକୁ ଟାଣି ମାଡ଼ ମାରିଥିଲେ । ଏହି ଘଟଣାକୁ ନେଇ ସାମ୍ବାଦିକ ମହଲରେ ନିନ୍ଦା କରାଯାଇଥିବା ବେଳେ ମହିଳା କନେଷ୍ଟବଳଙ୍କ ନିଲମ୍ବନ ଦାବି କରିଛନ୍ତି । ଆଜି କେନ୍ଦ୍ରାପଡାରେ ଏକ ସରକାର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ଅବସରରେ ଜିଲ୍ଲାର ସବୁ ବିଧାୟକଙ୍କୁ ସାମ୍ବାଦିକମାନେ ଘେରିଥିଲେ । ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ସାମ୍ବାଦିକଙ୍କ ଏକ ପ୍ରତିନିଧି ଦଳ ସହ ବିଧାୟକମାନେ ଆଲୋଚନା କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: କୁଆଖାଇ ନଦୀ ପଠାରୁ ବାହାରିଲା ପୁରୁଷଙ୍କ ମୃତଦେହ: ଶବ ବ୍ୟବଚ୍ଛେଦ ପାଇଁ ଏମ୍ସ ପଠାଯିବ

ନନ୍ଦିଘୋଷ ଟିଭି ପ୍ରଭାବ: ୨ଜଣ ଗାଁ ସାଥିଙ୍କୁ ବହିଷ୍କୃତ କଲେ ବଲାଙ୍ଗୀର ଜିଲ୍ଲାପାଳ

ବଲାଙ୍ଗୀର: ପୁଇଁତଲା ବ୍ଲକ ଖରଜୁରା ଗାଁରେ ମନରେଗା କାମରେ ବ୍ୟାପକ ଦୁର୍ନୀତିରେ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ । କାମ କରିନଥିବା ଶ୍ରମିକ ନାଁରେ ମିଥ୍ୟ ବିଲ କରି ଉଠିଥିଲା ଲକ୍ଷଲକ୍ଷ ଟଙ୍କା । ଦୁଇ ଜଣ ଗାଁ ସାଥି ଡାକ୍ତର ଭୋଇ ଓ ଯୁଧିଷ୍ଠିର ପଟେଲକୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଥିବା ବେଳେ ବୁବେଳ ପଞ୍ଚାୟତର ଜିଆରଏସ ଉଦ୍ଧବ ମୁନ୍ନାକୁ ଅନ୍ୟତ୍ର ବଦଳି କରାଯାଇଛି । ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ(ଇଓ)କୁ ବାଙ୍କବିହାରୀ ଖମାରୀକୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି । ପୁଇଁତଲା ବିଡ଼ିଓ ରବିନାରାୟଣ ଆଚାର୍ଯ୍ୟକୁ କାର୍ଯ୍ୟରେ ଅବହେଳା ପାଇଁ ତାଗିତ କରାଯାଇଥିବା ନେଇ ସୂଚନା ମିଳିଛି । କାର୍ଯ୍ୟାନୁଷ୍ଠାନ ନେଇ ସୂଚନା ଦେଇଛନ୍ତି ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା । ମନରେଗା ଯୋଜନାରେ ଖରଜୁରା ଗାଁର ବନ୍ଦ କାମ ପାଇଁ ଟଙ୍କା ଆସିଥିଲା । ଦୁଇ ସପ୍ତାହ ପାଇଁ ଗାଁର ୬୦ରୁ ୭୦ଜଣ ଶ୍ରମିକମାନଙ୍କୁ କାମ ଦେଇ ସେମାନଙ୍କୁ ବାହାର କରିଦିଆଯାଇଥିଲା । ଶ୍ରମିକଙ୍କ କାମ କରିଥିବା ଟଙ୍କା ମଧ୍ୟ ମିଳିନଥିବା ଅଭିଯୋଗ କରିଥିଲେ । ଗାଁ ସାଥି ଓ ଜିଆରଏସ ଅନ୍ୟ ଅଧିକାରୀମାନଙ୍କ ସହ ମିଶି ଭୂତ ଶ୍ରମିକଙ୍କ ନାଁରେ ମିଥ୍ୟା ବିଲ କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ନନ୍ଦିଘୋଷ ଟିଭିରେ ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ତରଫରୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ସେଲ୍‌ଫି ନେବା ବେଳେ ବୈତରଣୀ ନଦୀରେ ଭାସିଯାଇ ଜଣେ ନିଖୋଜ

 

‘ଦୈନିକ ଭାସ୍କର’ କାର୍ଯ୍ୟାଳୟରେ ଆୟକର ବିଭାଗ ଚଢ଼ାଉ

ନୂଆଦିଲ୍ଲୀ: ମିଡ଼ିଆ ଗ୍ରୁପ ଦୈନିକ ଭାସ୍କର ଅଫିସରେ ଆୟକର ବିଭାଗ ପକ୍ଷରୁ ରେଡ୍ । ଦୈନିକ ଭାସ୍କରର ଦିଲ୍ଲୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ ଓ ମହାରାଷ୍ଟ୍ର ଅଫିସରେ ଆୟକର ବିଭାଗ ଅଧିକାରୀ ଚଢ଼ାଉ କରିଥିବା ସୂଚନା ମିଳିଛି । ଏହାସହ ଗ୍ରୁପ ପ୍ରମୋଟର୍ସ ଓ ଅଫିସରେ ବି ଚଢ଼ାଉ କରାଯାଇଛି । ଜୟପୁର, ଅହମ୍ମଦାବାଦ, ଭୋପାଲ ଓ ଇନ୍ଦୋର ସ୍ଥିତ ଦୈନିକ ଭାସ୍କର ଅଫିସରେ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି । ଟ୍ୟାକ୍ସ ଚୋରି ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଇଥିବା ଜଣାପଡ଼ିଛି । ବୁଧବାର ରାତି ସାଢ଼େ ୨ଟାରୁ ଦୈନିକ ଭାସ୍କର ଗ୍ରୁପର ବିଭିନ୍ନ ଅଫିସରେ ଚଢ଼ାଉ ଆରମ୍ଭ ହୋଇଥିଲା । କମ୍ପାନୀର ସମସ୍ତ କର୍ମଚାରୀଙ୍କ ମୋବାଇଲ ଜବତ କରାଯାଇଛି । ଇଡି, ଇନକମ୍ ଟ୍ୟାକ୍ସ ଟିମ୍ ସହ ଲୋକାଲ ପୋଲିସ ମଧ୍ୟ ଚଢ଼ାଉରେ ସାମିଲ ଅଛି । ଚଢ଼ାଉରେ ଶହେରୁ ଊର୍ଦ୍ଧ୍ୱ କର୍ମଚାରୀ ସାମିଲ ଥିବା ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ସୂଚନା ମିଳିଛି ।

ଏଥିସହିତ ପଢ଼ନ୍ତୁ: ଆଫଗାନିସ୍ତାନର ୮୫ ପ୍ରତିଶତ ଅଞ୍ଚଳ ତାଲିବାନ କବଳରେ