spot_img
Home Blog Page 5393

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା: ୧୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟିହେଲା ଲଘୁଚାପ କ୍ଷେତ୍ର । ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ୧୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଏହା ସହିତ କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ନୂଆପଡା , ବଲାଙ୍ଗୀର ଓ ଦେବଗଡ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାଛଡା କେନ୍ଦୁଝର , ମୟୁରଭଞ୍ଜ, ନବରଙ୍ଗପୁର, କଲାହାଣ୍ଡି, ସୋନପୁର, ବୌଦ୍ଧ, ଅନୁଗୁଳ, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ବରକୁ ୟେଲୋ ଆଲର୍ଟ ଜାରିକରାଯାଇଛି । କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଟ୍ୱିନ୍‌ସିଟିରେ ଆକାଶ ମେଘାଚ୍ଛନ ରହିବା ସହିତ ବଜ୍ରପାତର ସମ୍ବାବନା ରହିଛି । ଏଥିପାଇଁ କଟକ ଓ ଭୁବନେଶ୍ବରକୁ ମଧ୍ୟ ୟେଲୋ ଆଲର୍ଟ ଜାରି କରାଯାଇଛି । ରାଜ୍ୟରେ ଏପର୍ଯ୍ୟନ୍ତ ୨୪ପ୍ରତିଶତ କମ୍ ବର୍ଷା ହୋଇଛି । ୧୧ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ଲଘୁଚାପ ପ୍ରଭାବରେ ଆଗାମୀ ଆଗାମୀ ୫ଦିନ ଯାଏଁ ଅନେକ ସ୍ଥାନରେ ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି ।

ଏଥିସହିତ ପଢ଼ନ୍ତୁ: ଘୋଷଯାତ୍ରାର ଅନ୍ତିମ ପର୍ଯ୍ୟାୟ ଆଜି: ନୀଳକନ୍ଦରକୁ ବିଜେ କରିବେ ନୀଳାଦ୍ରିନାଥ

ଘୋଷଯାତ୍ରାର ଅନ୍ତିମ ପର୍ଯ୍ୟାୟ ଆଜି: ନୀଳକନ୍ଦରକୁ ବିଜେ କରିବେ ନୀଳାଦ୍ରିନାଥ

ପୁରୀ: ଘୋଷଯାତ୍ରାର ଅନ୍ତିମ ପର୍ଯ୍ୟାୟ ଆଜି । ନୀଳକନ୍ଦରକୁ ବିଜେ କରିବେ ନୀଳାଦ୍ରିନାଥ । ଅପରାହ୍ନ ତିନିଟାରେ ପହଣ୍ଡି ହେବା ନେଇ ବ୍ୟବସ୍ଥା ରହିଛି  । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏନେଇ ଦଇତାପତିମାନଙ୍କ ସହ ଆଲୋଚନା କରିଛନ୍ତି  । ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିର ରତ୍ନ ସିଂହାସନକୁ ବିଜେ କରିବେ । ମଦନମୋହନ, ରାମକୃଷ୍ଣ, ସୁଦର୍ଶନ, ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଶ୍ରୀମନ୍ଦିର ବିଜେ କରିବା ପରେ ଗୋଟି ପହଣ୍ଡିରେ ଯିବେ ଜଗତ ଠାକୁର । ରସଗୋଲା ଦେଇ ମାତା ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାବାହୁ । ଭଉଣୀ ଓ ଭାଇଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ଯାଇଥିଲେ ଶ୍ରୀଜଗନ୍ନାଥ । ତେବେ ମହାପ୍ରଭୁଙ୍କ ଆସିବାରେ ବିଳମ୍ବ ହେବାରୁ ହେରା ପଞ୍ଚମୀ ଦିନ ଲକ୍ଷ୍ମୀ ଠାକୁରାଣୀ ଶ୍ରୀଗୁଣ୍ଡିଚା ଅଭିମୂଖେ ଯାଇଥିଲେ । ପ୍ରଭୁଙ୍କ ଦର୍ଶନ ନପାଇ ରାଗରେ ନନ୍ଦିଘୋଷ ଭାଙ୍ଗି ଫେରିଥିଲେ ଠାକୁରାଣୀ । ତେଣୁ ଅଭିମାନିନୀ ମାଆ ଲକ୍ଷ୍ମୀଙ୍କ ମାନ ଭାଙ୍ଗିବାକୁ ଶ୍ରୀଜଗନ୍ନାଥ ରସଗୋଲା ସାଥିରେ ଆଣିଛନ୍ତି । ପତି-ପତ୍ନୀଙ୍କ ଏହି ମଧୂର ସମ୍ପର୍କକୁ ଶେଷ ଦିନରେ ପ୍ରତିପାଦନ କରିବେ ମହାପ୍ରଭୁ । ଲକ୍ଷ୍ମୀଙ୍କ ମାନ ଭଞ୍ଜନ ପରେ ରତ୍ନ ସିଂହାସନକୁ ଫେରିବେ ନୀଳାଦ୍ରିନାଥ ।

ଏଥିସହିତ ପଢ଼ନ୍ତୁ: ଶେଷ ହୋଇଛି ମହାପ୍ରଭୁଙ୍କ ଅଧରପଣା ନୀତି

 

ଆହ୍ୱାନପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ଆଜିଠାରୁ ଆରମ୍ଭ ହେବ ଅଲିମ୍ପିକ୍ସ ୨୦୨୦: ଭାରତରୁ ୧୨୭ ଖେଳାଳି ଭାଗନେଇଛନ୍ତି

ଟୋକିଓ: ମହାମାରୀର ଭୟ ମଧ୍ୟରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ । ଦେଶବାସୀଙ୍କ ବିରୋଧ ଓ ବିକ୍ଷୋଭ ସତ୍ତ୍ୱେ ବିନା ଦର୍ଶକରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ଏହି ପୁରାତନ ଓ ସର୍ବଶ୍ରେଷ୍ଠ ପ୍ରତିଷ୍ପର୍ଦ୍ଧା । ଚଳିତ ଥରର ଅଲିମ୍ପିକ୍ସରେ ୨୦୦ରୁ ଅଧିକ ଦେଶର ପାଖାପଖି ୧୧୪୦୦ ପ୍ରତିଯୋଗୀ ନିଜ ଅପୂର୍ବ କ୍ରୀଡ଼ା ଦକ୍ଷତାର ବଳିଷ୍ଠ ନିଦର୍ଶନ ଦେବେ । ୩୩ କ୍ରୀଡ଼ାର ୫୦ ଶୃଙ୍ଖଳା ଓ ୩୩୯ ଇଭେଣ୍ଟରେ ଜାପାନ ରାଜଧାନୀ ଟୋକିଓରେ ଶୁକ୍ରବାରଠାରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କ୍ରୀନା ମହାସମର । କରୋନା କାରଣରୁ ଅଲିମ୍ପିକ୍ସ ୨୦୨୦ରେ ହେବାକୁ ଥିବା ବେଳେ ଏହାକୁ ଘୁଞ୍ଚାଇ ଚଳିତ ବର୍ଷ କରାଯାଉଛି । ତେବେ ଚଳିତ ବର୍ଷର ଅଲିମ୍ପିକ୍ସ ଅନେକ ଦୃଷ୍ଟିରୁ ଅସାଧାରଣ, ଅସ୍ୱାଭାବିକ ଓ ଆହ୍ୱାନପୂର୍ଣ୍ଣ ରହିବ । ଏଥିସହିତ କରମର୍ଦ୍ଦନ, ପଦକ ପ୍ରଦାନ, ଆଲିଙ୍କନ ଭଳି ଅନେକ ପ୍ରକ୍ରିୟା ଉପରେ କଟକଣା ଲାଗୁ କରାଯାଇଛି । ଅପରପକ୍ଷରେ ଏସବୁ ସତ୍ତ୍ୱେ ଆବେଗ ଭିତରେ ଏକତା’ର ବାର୍ତ୍ତା ବହନ କରୁଥିବା ଟୋକିଓ ଅଲିମ୍ପିକ୍ସ ସଫଳତାର ସହ ଶେଷ ହେବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ଆଶା ରଖିଛି । ତେବେ ପ୍ରଥମ ଥର ପାଇଁ ୧୨୭ ଜଣ ଖେଳାଳିଙ୍କୁ ଭାରତ ଟୋକିଓ ପଠାଇଥିବା ବେଳେ ନିଜ ପଦକ ସଂଖ୍ୟାକୁ ୨ ଅଙ୍କରେ ପହଞ୍ଚାଇବ ବୋଲି ଆଶା ରଖିଛି । ଯଦି ଓଡ଼ିଶା କଥା ଦେଖିବା ଦୌଡ଼ରାଣୀ ଦୂତି ଚାନ୍ଦ ଏବଂ ହକି ତାରକା ବୀରେନ୍ଦ୍ର ଲାକ୍ରା, ଅମିତ ରାହିଦାସ, ଦୀପଗ୍ରେସ ଏକ୍କା, ନମିତା ଟୋପ୍ପୋ ଏଥର ଅଲିମ୍ପିକ୍ସରେ ନିଜ ଯାଦୁ ଦେଖାଇବେ ।

ଏଥିସହିତ ପଢ଼ନ୍ତୁ: ଟୋକିଓ ଅଲମ୍ପିକ୍ସ: ନଖରେ ଖେଳାଳି ଆଙ୍କିଲେ ତ୍ରୀରଙ୍ଗା ଓ ଅଲମ୍ପିକ ରିଙ୍ଗ୍ସ

ପଞ୍ଜାବ କଂଗ୍ରେସ ଦେଖିବ ନୂଆ ନେତା, ଦାୟିତ୍ୱ ନେବେ ସିଦ୍ଧୁ

ଚଣ୍ଡିଗଡ: ଆସନ୍ତାକାଲି ପଞ୍ଜାବ କଂଗ୍ରେସ ଦେଖିବ ନୂଆ ନେତା । ବିଧିବଦ୍ଧ ଭାବେ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବେ ନବଜୋତ ସିଂ ସିଦ୍ଧୁ । ଏହା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂଙ୍କୁ ନିମନ୍ତ୍ରଣ ପଠାଇଛନ୍ତି । ନିମନ୍ତ୍ରଣ ସ୍ୱୀକାର କରିବା ସହ ଦାୟିତ୍ୱ ଗ୍ରହଣ ସମାରୋହରେ ସାମିଲ ହେବେ ବୋଲି କହିଛନ୍ତି ଅମରିନ୍ଦର ସିଂ।

ବହୁ ବାଦବିବାଦ ପରେ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ଦାୟିତ୍ୱ ମିଳିଛି । ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଖୋଲାଖୋଲି ସିଦ୍ଧୁଙ୍କୁ ବିରୋଧ କରୁଥିଲେ । ହେଲେ କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶକ୍ରମେ ସିଦ୍ଧୁ ଅଧ୍ୟକ୍ଷ ହେବା ସହ ଚାରି ନୂଆ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତି ହୋଇଛନ୍ତି । କାଲି ପଞ୍ଜାବ କଂଗ୍ରେସ ଏକଜୁଟ ହୋଇ ନୂଆ ଅଧ୍ୟକ୍ଷଙ୍କୁ ସ୍ୱାଗତ କରିବେ।

ତେବେ ଏଥିରେ ସମସ୍ତ ବିଧାୟକ, ମନ୍ତ୍ରୀ ଓ ସାଂସଦ ସାମିଲ ହେବେ ବୋଲି କହିଛନ୍ତି ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାୱତ। ଆସନ୍ତା ବର୍ଷ ରହିଛି ପଞ୍ଜାବରେ ବିଧାନସଭା ନିର୍ବାଚନ ଏହା ପୂର୍ବରୁ ସିଦ୍ଧୁଙ୍କୁ ଦାୟିତ୍ୱ ଦେଇ କଂଗ୍ରେସ ପୁଣି ଥରେ ସରକାରକୁ ଫେରିବାକୁ ରଣନୀତି କରିଛି।

ବାଲିଯାତ୍ରା ପଡିଆ ନିକଟରୁ ମୃତଦେହ ଉଦ୍ଧାର; ସମ୍ପୂର୍ଣ୍ଣ ବିବରଣୀ ଦେଲା ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱର କୁଆଖାଇ ବାଲିଯାତ୍ରା ପଡିଆ ନିକଟରୁ ଉଦ୍ଧାର ମୃତଦେହର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଛି ପୋଲିସ୍ । ମୃତ ଯୁବକଙ୍କ ବୟସ ୧୮ରୁ ୨୫ ମଧ୍ୟରେ ହୋଇଥିବାବେଳେ ତାଙ୍କ ଉଚ୍ଚତା ୫ ଫୁଟ ୮ ଇଞ୍ଚ ଓ ଓଜନ ୪୬ କିଲୋଗ୍ରାମ।

ପୋଲିସର ସୂଚନା ଅନୁଯାୟୀ, ରଙ୍ଗ କଳା ଓ ସେ ଏକ କଳା ରଙ୍ଗର ଟ୍ରାକ୍ ସୁଟ୍ ଓ ଧଳା ରଙ୍ଗର ପ୍ରିଣ୍ଟେଡ୍ ଫୁଲ ସାର୍ଟ ପିନ୍ଧିଛନ୍ତି । ସେ ନିଜ ଡାହାଣ ପଟ କାନରେ ଏକ କୁଣ୍ଡଳ ପିନ୍ଧିଛନ୍ତି । ମୃତଦେହ ନିକଟରୁ ଗୋଟିଏ ନାଲି ଓ ନେଳିଆ ରଙ୍ଗର ଗୋଟିଏ ସ୍ଲିପର ଚପଲ ଉଦ୍ଧାର ହୋଇଛି । ତାଙ୍କ ବିଷୟରେ କାହାରି ନିକଟରେ ସୂଚନା ଥିଲେ ମଞ୍ଚେଶ୍ୱର ଥାନାକୁ ଫୋନ ନମ୍ବର 8280338321 କିମ୍ବା ପୋଲିସ୍ କମିଶନରଙ୍କ ଅଫିସ ଲ୍ୟାଣ୍ଡ ଲାଇନ ନମ୍ବର 0674-254055କୁ ଜଣାଇବାକୁ କୁହାଯାଇଛି ।

ଅଧିକ ପଢନ୍ତୁ- ମଞ୍ଚେଶ୍ୱରରେ ଚାଞ୍ଚଲ୍ୟ, ବାଲିରେ ଅଧାପୋତା ମୃତଦେହ

ମଞ୍ଚେଶ୍ୱର ଥାନା ବରିମୁଣ୍ଡ ବାଲିଯାତ୍ରା ପଡ଼ିଆରେ ପୋତା ମୃତଦେହକୁ ସାଇଂଟିଫିକ୍ ଟିମ୍ ଉପସ୍ଥିତିରେ ଆଜି ଉଦ୍ଧାର କରିଥିଲା ପୋଲିସ୍ । ପରେ ଏମ୍ସରେ ମୃଦେହର ବ୍ୟବଚ୍ଛେଦ କରାଯାଇଛି । କ୍ରାଇମପ୍ଲଟର କରାଯାଇଛି ଥ୍ରୀ-ଡି ସ୍କାନ୍ । ପରବର୍ତ୍ତୀ ସମୟରେ ସ୍ପଟ ନଷ୍ଟ ହୋଇଗଲେ ମଧ୍ୟ ଏହି ସ୍କାନର ଆଧାରରେ ତଦନ୍ତକୁ ଆଗେଇ ନିଆଯାଇପାରିବ । ସେପଟେ ଆଖପାଖ ଥାନାରେ ହୋଇଥିବା ମିସିଂ ରିପୋର୍ଟ ଅନୁସାରେ ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।

 

ସେଫ୍ଟିକ୍ ଟ୍ୟାଙ୍କରେ ଶ୍ୱାସରୁଦ୍ଧ ହୋଇ ୩ ମୃତ

ଗୋପାଳପୁର: ସେଫ୍ଟିକ୍ ଟ୍ୟାଙ୍କର ସେଣ୍ଟ୍ରି କାମ ବେଳେ ବେଳେ ତିନି ଶ୍ରମିକଙ୍କ ମୃତ୍ୟୁ । ଗୋପାଳପୁର ଥାନା ଅନ୍ତର୍ଗତ ବିକ୍ରମପୁରରେ ଘଟିଛି ଅଭାବନୀୟ ଘଟଣା । ମୃତକ ମାନେ ଏମ୍.ସଦନନ୍ଦମ୍ପି , କ୍ରିଷ୍ଣା ରେଡ୍ଡୀ ଓ ପି.ତରେନେୟା ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ଗାଁର ଟି. ସିଧେଶୁଙ୍କ ନୂତନ ଭାବେ ତିଆରି ହୋଇଥିବା ଲେଟିନ ଟ୍ୟାଙ୍କିର ସେଣ୍ଟ୍ରିଂଙ୍ଗ ଖୋଲିବା ପାଇଁ ପ୍ରଥମେ ମିସ୍ତ୍ରୀ ଏମ୍. ସଦାନନ୍ଦମ ଭିତରକୁ ଯାଇଥିଲେ । କିଛି ସମୟ ପରେ ନ ଆସିବାରୁ ପରେ କ୍ରିଷ୍ଣା ଭିତରକୁ ଯାଇଥିଲେ । କିଛି ସମୟ ପରେ ସେ ମଧ୍ୟ ନ ଫେରିବାରୁ ପି. ତାରେନେୟା ଭିତରକୁ ଯାଇଥିଲେ । ହେଲେ ତିନି ଜଣଙ୍କ ଟ୍ୟାଙ୍କ ଭିତରେ ଶ୍ବାସ ରୁଦ୍ଧ ହୋଇ ଚେତାସୁନ୍ୟ ହୋଇ ପଡିଥିଲେ ।

ତେବେ ସେମାନଙ୍କୁ ଗ୍ରାମବସୀ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲ୍ ପଠାଇଥିଲେ । ସେଠାରେ ଡାକ୍ତର ସେମାନଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଗୋପାଳପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ ।

କିଏ ଏହି ଟୁକ ? କଟକ କେସର ଇନଫୋସିଟି କନେକ୍ସନ କିଛି ଅଛି କି ?

କଟକ: ମର୍କତନଗର ଅଞ୍ଚଳର ନବ ବିବାହିତ ମୋହିତ ଶର୍ମା ଆଣିଛନ୍ତି ସାଂଘାତିକ ଅଭିଯୋଗ। ଏ ଅଭିଯୋଗ ପୁଣି ତାଙ୍କ ପତ୍ନୀଙ୍କ ନାଁ ରେ । ଆଉ ଅଭିଯୋଗ ହେଲା ପ୍ରେମ କରି ବାହା ହୋଇଥିବା ଏହି ପତ୍ନୀର ଦେହ ସାରା ରହିଛି ଆଉ କେଉଁ ଯୁବକ ନାଁରେ ପରମାନେଣ୍ଟ ଟାଟୁ। ଖାଲି ସେତିକି ନୁହେଁ, ସେ ଟାଟୁ ପୁଣି ଲେଖିଛନ୍ତି ତାଙ୍କର ପୂର୍ବତନ ପ୍ରେମିକ। ଆଉ ବିବାହ ପରେ ମଧ୍ୟ ସମ୍ପୃକ୍ତ ଟୁକ ନାମଧାରୀ ଯୁବକଙ୍କ ସହ ତାଙ୍କର ଚାଲିଛି ଅହରାତ୍ରୀ ନଗ୍ନ ଭିଡିଓ ଚ୍ୟାଟିଂ।

ଏ ବିଷୟକୁ କେମିତି ସହିବି? ଆଇନ ତ ତାଙ୍କ ହାତରେ। ମୋତେ ସେଥିରୁ ମୁକ୍ତି ଦିଅନ୍ତୁ ବୋଲି କହି ସବୁ ପ୍ରମାଣ ଆଉ ଫଟୋ ଧରି ମର୍କତ ନଗର ଥାନାରେ ସେ ଦାୟର କରିଛନ୍ତି ସଙ୍ଗୀନ ଏତଲା। ଯଦିଓ ଏହି ଏତଲାରେ ଅଭିଯୁକ୍ତ ପତ୍ନୀଙ୍କୁ ଏଯାଏ ଜେରା କରାଯାଇଥିବା ନେଇ ପୁଲିସ କୌଣସି ସୂଚନା ଦେଇନି କିନ୍ତୁ ଏହି ଘଟଣାର ପର୍ଦାରେ ସାମ୍ନାକୁ ଆସିଛି ୨୦୨୦ ବର୍ଷର ବହୁ ଚର୍ଚିତ ଇନ୍ଫୋସିଟି ଫାୟାରିଂ ଘଟଣା। ସେହି ଘଟଣାରେ ଯେଉଁ ଫ୍ୟାଶନ୍ ଡିଜାଇନର ଛାତ୍ରୀଙ୍କୁ ପ୍ରେମିକ ଗୁଳି ମାରିଥିଲା ସେହି ପ୍ରେମିକର ନାଁ ବି ଟୁକ ଥିଲା। ପୁଲିସ ତାଙ୍କୁ ଫେବୃୟାରୀ ୧୩ ତାରିଖରେ ଗିରଫ କରିଥିଲା। ପ୍ରଶ୍ନ ସେହି ଟୁକ ଓରଫ୍ ପ୍ରଦୀପ ଅଗସ୍ତି ଏବେକାର ଅଭିଯୁକ୍ତ ଟୁକ ଏକ ନୁହଁନ୍ତି ତ? ପୁଣି ଯେଉଁ ଝିଅକୁ ନେଇ ସେତେବେଳେ ସାରା ଭୁବନେଶ୍ୱରରୁ ବାଲେଶ୍ୱର ଚର୍ଚିତ ହୋଇଥିଲା, ମୋହିତ୍ ସେହି ଝିଅ କଥା କହୁନାହାନ୍ତି ତ?

କାରଣ ସେତେବଳେ ଗୁଳିକାଣ୍ଡର ଶିକାର ଝିଅର ବାପା କ୍ୟାମେରା ଆଗରେ ଟୁକ ନାମରେ ଜଣେ ଯୁବକଙ୍କୁ ଦାୟୀ କରିଥିଲେ । ଟୁକ ବିବାହିତ ଥାଇ ବି ତାଙ୍କ ଝିଅ ପଛରେ ପଡିଥିଲା । ଝିଅକୁ ଡରାଇ ଧମକାଇ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା । ଝିଅକୁ ଡରାଇବାକୁ ବନ୍ଧୁକ ନେଇ ତା’ ହଷ୍ଟେଲକୁ ଯାଇଥିଲା । ସେଠାରେ ବନ୍ଧୁକ ଦେଖାଇ ଧମକାଉଥିଲା । ଝିଅ ବନ୍ଧୁକକୁ ଖେଳନା ବନ୍ଧୁକ କହିବାରୁ ତା’ ଗୋଡକୁ ଟୁକ ଗୁଳି ମାରିଥିଲା ବୋଲି କହିଥିଲେ ସଂପୃକ୍ତ ଫ୍ୟାଶନ ଡିଜାଇନରଙ୍କ ବାପା ।

କଟକର ସିଡିଏ ସେକ୍ଟରରେ ପରିବାର ସହିତ ରହୁଥିବା ମୋହିତ ନଭେମ୍ବର ୨୫ରେ ବାଲେଶ୍ୱରର ମୋନାଲି (ଛଦ୍ମ ନାମ) ଦାସଙ୍କୁ ପ୍ରେମ ବିବାହ କରିଥିଲେ। କିନ୍ତୁ ଏହା ପରେ ଆରମ୍ଭ ହୋଇଥିଲା ମୋହିତଙ୍କ ମୋହଭଙ୍ଗର ସମୟ । ମୋହିତଙ୍କ ଅନୁସାରେ ପ୍ରେମ ବିବାହ ପରେ ତାଙ୍କ ଜୀବନ ନର୍କ ପାଲଟି ଯାଇଥିଲା । ତାଙ୍କ ପତ୍ନୀ ତାଙ୍କୁ କଥା କଥାକେ ନିର୍ଯାତନା ଦେଉଥିଲେ । ବିବାହର ଚତୁର୍ଥୀ ରାତ୍ରୀରୁ ହିଁ ତାଙ୍କ ସହିତ ମାନସିକ ନିର୍ଯାତନା ଆରମ୍ଭ ହୋଇଥିଲା । ମୋହିତଙ୍କ ଅନୁସାରେ ଚତୁର୍ଥୀ ରାତ୍ରିରେ ତାଙ୍କ ପାଖକୁ ଗୋଟିଏ ଅଜଣା ନମ୍ବରରୁ କଲ ଆସିଥିଲା । କଲ କରିଥିବା ବ୍ୟକ୍ତି ନିଜକୁ ଟୁକ ବୋଲି ପରିଚୟ ଦେଇଥିଲେ । ଆଉ ମୋହିତଙ୍କୁ ନିଜ ପତ୍ନୀଙ୍କଠାରୁ ଦୁରେଇ ରହିବାକୁ ଧମକ ଦେଇଥିଲେ । ମୋହିତଙ୍କ ଅନୁସାରେ ଟୁକ ତାଙ୍କୁ ଧମକ ଦେଇଥିଲା ଯେ, ତୋ ପତ୍ନୀ ସହିତ ମୋର ଆଗରୁ ସମ୍ପର୍କ ଅଛି । ଏମିତିକି ସେ ତା ଗୁପ୍ତାଙ୍ଗରେ ନିଜ ନାମ ଲେଖାଥିବା ଦାବି କରିଥିଲା । ଏହି ଘଟଣା ପରେ ମୋହିତ ଡରି ଯାଇଥିଲେ । କାରଣ ଟୁକ ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ ।

 

ଶେଷ ହୋଇଛି ମହାପ୍ରଭୁଙ୍କ ଅଧରପଣା ନୀତି

ପୁରୀ: ମହାପ୍ରଭୁଙ୍କ ଅଧରପଣା ନୀତି ଶେଷ ହୋଇଛି। ରଥରେ ଥିବା ପାର୍ଶ୍ୱ ଦେବାଦେବୀ ଓ ଚଣ୍ଡି ଚାମଣ୍ଡାଙ୍କୁ ତୃପ୍ତ କରିବା ପାଇଁ ରଥ ଉପରେ ଅଧରପଣା ନୀତି କରିବାର ପରମ୍ପରା ରହିଛି । ମଧ୍ୟାହ୍ନ ଧୂପ ପରେ ରଥ ଉପରେ ଅନୁଷ୍ଠିତ ହୋଇଥାଏ ଏହି ଅଧର ପଣା ନୀତି ।

ଶ୍ରୀଜୀଉମାନଙ୍କ ଅଧର ପର୍ଯ୍ୟନ୍ତ ଉଚ୍ଚ ମାଟିହାଣ୍ତିର ବଡ଼ ଓଡ଼ିଆ ମଠ, ରାଘବ ଦାସ ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ପଣାକୁ ଭୋଗ କରାଯାଇଥାଏ । ପାଣିଆ ଆପଟ ସେବାୟତମାନେ ଛାଉଣୀ ମଠ କୂଅରୁ ପାଣି ଆଣିବା ପରେ ଛେନା, କଦଳୀ, କ୍ଷୀର, ଗୋଲମରିଚ, ସର, କର୍ପୂର ଓ ଜାଇଫଳ ଗୁଣ୍ତ ଇତ୍ୟାଦି ମିଶାଇ ସୁଆର ସବାୟତମାନେ ପଣା ପ୍ରସ୍ତୁତ କରିଥାନ୍ତି।

ପୂଜାପଣ୍ତାମାନେ ଏହି ପଣାକୁ ଶ୍ରୀଜିଉମାନଙ୍କୁ ସମର୍ପଣ କରିବା ପରେ ହାଣ୍ତିଗୁଡ଼ିକ ରଥ ଉପରେ ଭାଙ୍ଗି ଦିଆଯାଇଥାଏ । ଆସନ୍ତାକାଲି ନୀଳାଦ୍ରିବିଜେ । ବଡ଼ଦାଣ୍ଡରୁ ଲୀଳାଖେଳା ସାରି ଭାଇ ଭଉଣୀଙ୍କ ସହ ନୀଳକନ୍ଦରକୁ ବାହୁଡ଼ି ଯିବେ ନୀଳମଣି ।

 

ତେବେ ଅଧରପଣା ନୀତି ଶୃଙ୍ଖଳିତ ଭାବେ ଆଜି ଶେଷ ହୋଇଥିବା ବେଳେ ଆସନ୍ତାକାଲି ନୀଳାଦ୍ରୀ ବିଜେ ନୀତି ମଧ୍ୟ ଶୃଙ୍ଖଳିତ ଭାବେ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି ।

 

ଗୋପାଳପୁରରେ ଟାଟା ଚା’ ପ୍ୟାକେଜିଂ ୟୁନିଟ୍, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଗୋପାଳପୁର: ଗୋପାଳପୁରରେ ଟାଟା ଚା’ ପ୍ୟାକେଜିଂ ୟୁନିଟକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ୧୦୦ କୋଟିର ପୁଞ୍ଜି ନିବେଶ କରାଯାଇଛି ।

ସୂଚନା ଅନୁଯାୟୀ, ଏହା ଦେଶର ସର୍ବବୃହତ ପ୍ୟାକେଜିଂ ୟୁନିଟ୍ ହେବ । ଏଥିରେ ଗଞ୍ଜାମ ଜିଲ୍ଲାର ୯ଶହରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଆଗକୁ ଏହା ଦେଶର ସର୍ବବୃହତ ପ୍ୟାକେଜିଂ ୟୁନିଟ୍ ଭାବେ ନିର୍ମାଣ କରାଯିବ । ଚା’ ପ୍ୟାକେଜିଂ ୟୁନିଟ୍‌ରେ ଅତ୍ୟାଧୁନିକ ଜ୍ଞାନ କୌଶଳର ବ୍ୟବହାର କରାଯାଇଛି ।

ଏବେ ଏହାର ଉତ୍ପାଦନ କ୍ଷମତା ୧୫ ମିଲିୟନ୍‌ କେଜି ଥିବା ବେଳେ ଆଗକୁ ଏହାକୁ ୫୦ ମିଲିୟନ କେଜିକୁ ବଢାଯିବ । ଓଡ଼ିଶା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ତେଲେଙ୍ଗାନା ଓ କେନ୍ଦ୍ରୀୟ ଭାରତକୁ ସପ୍ଲାଏ କରାଯିବ। ଦକ୍ଷିଣ ଓ କେନ୍ଦ୍ର ଭାରତକୁ ସୃଷ୍ଟି ହେବ ସପ୍ଲାଏ ଚେନ୍ । ଶିଳ୍ପ ବିକେନ୍ଦ୍ରୀକରଣରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଟାଟା ଗ୍ରୁପର ଭୂମିକାକୁ ପ୍ରଶଂସା କରିଥିଲେ । ଏପରିକି ରାଜ୍ୟର ଶିଳ୍ପ ବିକାଶ କ୍ଷେତ୍ରରେ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ।

ରାଜ୍ୟରେ ଆଗାମୀ ୨ଦିନ ଧରି ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଦକ୍ଷିଣ ବାଂଲାଦେଶ ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲୋପ୍ରେସରରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨ଦିନ ଧରି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପାଣିପାଗ କେନ୍ଦ୍ର ପକ୍ଷରୁ ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହିତ ୧୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି। କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ କଟକ ଓ ଭୁବନେଶ୍ୱରକୁ ମଧ୍ୟ ୟେଲୋ ଆଲର୍ଟ ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, ରାୟଗଡା, ବଲାଙ୍ଗୀର, ନୂଆପଡା, ନବରଙ୍ଗପୁର, ଅନୁଗୁଳ, ଢେଙ୍କାନାଳକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏହା ସହିତ କେନ୍ଦୁଝର, ଝାରସୁଗୁଡା, ବରଗଡ, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ବୌଦ୍ଧ, ସୋନପୁର, ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ଯାଜପୁରକୁ ମଧ୍ୟ ସତର୍କ କରାଯାଇଛି। ବରଗଡ, ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡା, ବଲାଙ୍ଗୀର, ଦେବଗଡ, କେନ୍ଦୁଝର, ନବରଙ୍ଗପୁର, ସୋନପୁର, ବୌଦ୍ଧ, ଅନୁଗୁଳ ଓ ଯାଜପୁରରେରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ବାବନା ରହିଛି ।

 

ତେବେ ରାଜ୍ୟରେ ଏପର୍ଯ୍ୟନ୍ତ ୨୪ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ୧୧ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ଲଘୁଚାପ ପ୍ରଭାବରେ ଆଗାମୀ ୫ଦିନ ଯାଏଁ ଅନେକ ସ୍ଥାନରେ ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।