ନନ୍ଦିଘୋଷ ବ୍ୟୁରୋ : ରାଜସ୍ଥାନ ଝାଲୱାଡରେ ସ୍କୁଲ ଭୁଶୁଡ଼ିବା ଘଟଣା। ସ୍କୁଲ କୋଠାରେ ବିପଦ ରହିଥିବା ନେଇ ପିଲାମାନେ ସତର୍କ କରାଇଥିଲେ ବି ଶିକ୍ଷକମାନେ ଶୁଣି ନଥିବା ଅଭିଯୋଗ ହୋଇଛି। କୋଠା ଭୁଶୁଡ଼ିବା ସମୟରେ ପିଲାମାନେ ବାହାରେ ଥିଲେ। ତେବେ ସେମାନଙ୍କୁ ଶ୍ରେଣୀକକ୍ଷକୁ ଆସିବା ଲାଗି ଶିକ୍ଷକମାନେ ନିର୍ଦ୍ଦେଶ ଦେଇଥିଲେ। କୋଠା ଭୁଶୁଡ଼ିବା ସମୟରେ ଶିକ୍ଷକମାନେ ଜଳଖିଆ ଖାଉଥିଲେ ବୋଲି ସୂଚନା ମିଳିଛି। ଭୁଶୁଡିବାର କିଛି ସମୟ ପୂର୍ବରୁ ଛାତର କିଛି ଖଣ୍ଡ ତଳେ ପଡିଥିଲା। ପିଲାମାନେ ଏହା ଦେଖି ଶିକ୍ଷକଙ୍କୁ କହିଥିଲେ ବି ସେମାନେ ଏଥିପ୍ରତି ଧ୍ୟାନ ଦେଇ ନଥିଲେ। ବରଂ ନାଲି ଆଖି ଦେଖାଇ ସେହି ଶ୍ରେଣୀ କକ୍ଷରେ ରହିବା ଲାଗି ନିର୍ଦ୍ଦେଶ ଦେଇଥିଲେ। କୋଠା ଭୁଶୁଡ଼ିବା ସମୟରେ ପିଲାମାନେ ଶ୍ରେଣୀ କକ୍ଷରେ ଥିବାବେଳେ ଶିକ୍ଷକମାନେ ବାହାରେ ଥିଲେ। ଏହି ଘଟଣାରେ ୫ ଜଣ ଶିକ୍ଷକଙ୍କୁ ସସପେଣ୍ଡ କରାଯାଇଛି। ଏହି ଘଟଣାରେ ୭ ଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୩୦ ଛାତ୍ର ଆହତ ହୋଇଛନ୍ତି। ସ୍କୁଲଟି ୨୦ ବର୍ଷ ତଳର ହୋଇଥିବା ସତ୍ତ୍ବେ ବିନା ମରାମତିରେ ସେଠାରେ ଶିକ୍ଷାଦାନ ଚାଲିଥିଲା।
ଘରେ ପଶି ଲୁଟିଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହୋଇଛି ଭିଡିଓ
କୋଣାର୍କ : ପୁରୀ ଜିଲ୍ଲା କାକଟପୁର ଥାନା ରସୁଲପୁର ଗାଁରୁ ଲୁଟ୍। ୩ ମୁଖାପିନ୍ଧା ଦୁର୍ବୃତ୍ତ ସୁଲତାନା ବେଗମଙ୍କ ଘରେ ପଶି ଆକ୍ରମଣ କରି ଲୁଟପାଟ କରିଛନ୍ତି। ଯାହାର ଏକ୍ସକ୍ଲୁସିଭ ସିସିଟିଭି ଭିଜୁଆଲ ଲାଗିଛି ନନ୍ଦିଘୋଷ ଟିଭି ହାତରେ। ଗୁରୁବାର ଭୋର ସମୟରେ ୩ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଅଚାନକ ଘରେ ପଶି ଓଢ଼ଣିରେ ସୁଲତାନାଙ୍କ ତଣ୍ଟି ଚିପିଥିଲେ। ସାନପୁଅକୁ ମଧ୍ୟ ଆକ୍ରମଣ କରିଥିଲେ। ବଡ଼ପୁଅ ପାଟିକରିବାରୁ ଘରୁ ପ୍ରାୟ ୧ଲକ୍ଷ ୧୫ହଜାର ଟଙ୍କା, ସୁନା ଚେନ,କାନଫୁଲ ନେଇ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ। ଏନେଇ ସୁଲତାନା ବେଗମ୍ କାକଟପୁର ଥାନାରେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ କରୁଛି ପୋଲିସ। ତେବେ ସିସିଟିଭିରେ ଦୁର୍ବୃତ୍ତଙ୍କ ଭିଜୁଆଲ ଥିଲେ ମଧ୍ୟ ଏଯାଏ ସେମାନଙ୍କ ନିକଟରେ ପହଞି ପାରିନି ପୋଲିସ। ତୁରନ୍ତ ଦୁର୍ବୃତ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।
ଆଜି କାରଗିଲ ବିଜୟ ଦିବସ, ୨୬ ବର୍ଷ ତଳେ ଆଜିର ଦିନରେ ଭାରତର ହୋଇଥିଲା ବିଜୟ
ନନ୍ଦିଘୋଷ ବ୍ୟୁରୋ : ଆଜି କାରଗିଲ ବିଜୟ ଦିବସ। ୨୬ ବର୍ଷ ତଳେ ଆଜିର ଦିନରେ ପାକିସ୍ତାନ ବିରୋଧରେ ଭାରତର ହୋଇଥିଲା ବଡ଼ ବିଜୟ। ଭାରତର ଯବାନଙ୍କ ଅପୂର୍ବ ତ୍ୟାଗ, ପରାକାଷ୍ଠା, ବଳିଦାନ ଯୋଗୁ କାରଗିଲ ଯୁଦ୍ଧରେ ଭାରତ ବିଜୟ ମୁକୁଟ ପିନ୍ଧିଥିଲା। ୧୯୯୯ ମସିହାରେ କାରଗିଲର ଦ୍ରାସ ସେକ୍ଟରର ପ୍ରମୁଖ ସ୍ଥାନଗୁଡିକରେ ପାକିସ୍ତାନୀ ଆତଙ୍କବାଦୀମାନେ ପ୍ରବେଶ କରିଥିଲେ। ଶତ୍ରୁ ପକ୍ଷକୁ ପରାହତ କରିବା ଲାଗି ଭାରତୀୟ ସେନା ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ ବିଜୟ। ଏହି ଯୁଦ୍ଧରେ ୫ଶହରୁ ଅଧିକ ଯବାନ ସହିଦ ହୋଇଥିଲେ। ୧୩ଶହରୁ ଅଧିକ ଯବାନ ଆହତ ହୋଇଥିଲେ। ଯୁଦ୍ଧରେ କ୍ୟାପଟେନ ବିକ୍ରମ ବାତ୍ରା, ଲେଫଟନାଣ୍ଟ ମନୋଜ ପାଣ୍ଡେ ପ୍ରମୁଖ ସହିଦ ହୋଇଥିଲେ। ପ୍ରାୟ ଦୁଇ ମାସର ଲଢେଇ ପରେ ଶେଷରେ ୧୯୯୯ ଜୁଲାଇ ୨୬ରେ କାରଗିଲ ଯୁଦ୍ଧରେ ଭାରତର ବିଜୟ ହୋଇଥିଲା।
ବିବାହିତା ଝିଅ ଖାଦ୍ୟରେ ବିଷ ମିଶାଇଥିବା ଅଭିଯୋଗ, ୬ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଯାଜପୁର : ପାରିବାରିକ କଳହକୁ ନେଇ ଅମାନବିକ ଘଟଣା। ଯାଜପୁର ମଙ୍ଗଳପୁର ଥାନା କନିକାପଡା ଗ୍ରାମରେ ଜଣେ ବିବାହିତା ଝିଅ ପରିବାର ଲୋକଙ୍କ ଖାଦ୍ୟରେ ବିଷ ମିଶାଇଦେଇଥିବା ଅଭିଯୋଗ ହୋଇଛି। ଫଳରେ ପରିବାରର ୬ ଜଣ ସଦସ୍ୟ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଉଛନ୍ତି। ପାରିବାରିକ କଳହ ନେଇ ୨ ଦିନ ପୂର୍ବରୁ ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଥିଲା। ଗତକାଲି ଅଢେଇ ବର୍ଷର ଶିଶୁ କନ୍ୟା ଓ ଜଣେ ଯୁବକଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହେବାରୁ ସେମାନଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନେ ସୁସ୍ଥ ହୋଇଥିଲେ। କିଛି ସମୟ ପରେ ପରିବାରର ସମସ୍ତଙ୍କ ଅବସ୍ଥା ଏହିପରି ହେବାରୁ ସମସ୍ତଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଚିକିତ୍ସା ପରେ ବିଷାକ୍ତ ଖାଦ୍ୟ ସମ୍ପର୍କରେ ଡାକ୍ତର ସୂଚନା ଦେଇଥିଲେ। ୬ ମାସ ତଳେ ଉମାକାନ୍ତ ଓଝାଙ୍କ ଝିଅଙ୍କ ବିବାହ ଠିକ୍ ହୋଇଥିବାବେଳେ ସେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ପ୍ରେମବିବାହ କରିବାକୁ ଘର ଛାଡ଼ି ପଳାଇଥିଲେ। ଯିବା ସମୟରେ ଘରୁ ସୁନା, ଟଙ୍କା, ସ୍କୁଟର ସହ ଅନ୍ୟାନ ଜିନିଷ ସାଥିରେ ନେଇଯାଇଥିଲେ। ଏହାକୁ ପରିବାର ଲୋକ ବିରୋଧ କରିଥିଲେ, ମାତ୍ର ଉମାକାନ୍ତଙ୍କ ଅନ୍ୟ ସମ୍ପକୀୟ ଭାଇମାନେ ଆଣି ଝିଅ ଜ୍ୱାଇଁଙ୍କୁ ସେମାନଙ୍କ ପାଖରେ ରଖିଥିଲେ। ତେବେ ଘଟଣାକୁ କେନ୍ଦ୍ର କରି କଳହ ଲାଗିରହିବାରୁ ଥାନାରେ ୨ଟି ଭିନ୍ନ ଭିନ୍ନ ଅଭିଯୋଗ ହୋଇଥିଲା। ବିବାହିତ ଝିଅ ବିଭିନ୍ନ ସମୟରେ ପରିବାର ଲୋକଙ୍କୁ ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଛି। ଗତକାଲି ଉମାକାନ୍ତଙ୍କ ସ୍ତ୍ରୀ ଶଶିକଳା ପରିବାର ଲୋକଙ୍କ ଖାଇବାକୁ ଭାତ, ଡାଲି, ତରକାରୀ, ଶାଗ ଭଜା ଆଦି ଘର ସାମ୍ନାରେ ରୋଷେଇ କରିଥିଲେ। ଏହି ସମୟରେ ବିବାହିତ ଝିଅ ସେହିସବୁ ଖାଦ୍ୟରେ ବିଷ ପକାଇଦେଇଥିବା ଅଭିଯୋଗ ହୋଇଛି।
ବିପଦ ସଙ୍କେତ ଟପିଲା ଜଳକା ନଦୀର ଜଳସ୍ତର
ଜଳେଶ୍ବର : ପୁଣି ଜଳକା ନଦୀରେ ବନ୍ଯା ଆଶଙ୍କା । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଂ କ୍ରମଶଃ ବଢୁଛି ଜଳକା ନଦୀର ଜଳସ୍ତର । ବିପଦ ସଙ୍କେତ ଅତିକ୍ରମ କରି କ୍ରମଶଃ ବଢୁଛି ଜଳସ୍ତର। ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ରହିଥିବା ବେଳେ ସକାଳା ୯ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୭.୨୦ ମିଟରରେ ପ୍ରବାହିତ ହେଉଛି । ଜଳକା ନଦୀର ଉପର ମୁଣ୍ଡ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର,ମୋରଡ଼ା, ଶୁଳିଆପଦା,ଚିତ୍ରଡା ପ୍ରଭୃତି ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବଢୁଛି ଜଳସ୍ତର । ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଉଥିବାରୁ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହେବର ଆଶଙ୍କା କରାଯାଉଛି । ଗତ କିଛି ଦିନ ପୂର୍ବରୁ ବନ୍ଯା ଆସି ଶହ ଶହ ହେକ୍ଟର ଜମିରେ ଧାନ ତଳି ନଷ୍ଟ ହୋଇଥିଲା, ପୁଣି ଯଦି ବନ୍ୟା ହୁଏ ତାହାଲେ ବସ୍ତା ବ୍ଲକର ୮ ପଞ୍ଚାୟତ ଏବଂ ସଦର ବ୍ଲକର ୨ ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଂକା କରା ଯାଉଛି। ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ରହିଥିବାରୁ ଭୟଭୀତ ଅଛନ୍ତି ନଦୀ କୁଳିଆ ଅଞ୍ଚଳ ଲୋକେ ।
ଜମ୍ଭୀରା ନଦୀ ବନ୍ଧ ଭାଙ୍ଗି ଯୋଗାଯୋଗ ବିଚ୍ଛିନ୍ନ
ବାରିପଦା : ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକରେ ବର୍ଷାର ପରିମାଣ କମିଥିଲେ ସୁଦ୍ଧା ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି। ବଡାମପୁର ନିକଟରେ ଜମ୍ଭୀରା ନଦୀ ବନ୍ଧ ଭାଂଗି ସମ୍ପୃକ୍ତ ଅଂଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଜମ୍ଭୀରା ନଦୀ ପାଣି ପଶି ଚାଷ ଜମି ଜଳମଗ୍ନ ହୋଇଛି। ଜଳସ୍ତର କମିବାରେ ଲାଗିଥିବାରୁ ବିପଦର ଆଶଙ୍କା ନଥିବା ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ହେଲେ ନଦୀ ବନ୍ଧ ଭାଙ୍ଗିଥିବାରୁ ସମ୍ପୃକ୍ତ ଅଂଚଳର ବିଧି, ପଥରଚାଟିଆ, ଭଇରଙ୍ଗୀ, ରାଘବପୁର, ହାଣ୍ଡିଧୁଆ ଆଦି ଗାଁର ପ୍ରାୟ ୨ ହଜାର ଏକର ଚାଷ ଜମି ଏବେ ଜଳମଗ୍ନ ଥିବା ଜଣାପଡ଼ିଛି ।
ସୁନ୍ଦରଗଡ ପଡ଼ାରେ ପଶିଲା ଇବ ନଦୀର ବନ୍ୟା ଜଳ
ସୁନ୍ଦରଗଡ : ସୁନ୍ଦରଗଡ ପଡ଼ାରେ ପଶିଲା ଇବ ନଦୀର ବନ୍ୟା ଜଳ । ସୁନ୍ଦରଗଡ଼ ପୌରପାଳିକା ୱାର୍ଡ ନମ୍ବର ୧ ରାଣୀ ବଗିଚାରେ ପଶିଲା ବନ୍ୟାଜଳ । ଗତକାଲି ଠାରୁ ଲଗାଣ ବର୍ଷା ଯୋଗୁଁ ଇବ ନଦୀର ଜଳସ୍ତର ବୃଦ୍ଧି ପାଇଛି । ରାଣୀ ବଗିଚା ସମେତ ପିଏଚଡି ପମ୍ପ ହାଉସ ଏବଂ ଜଳ ବିଶୋଧନାଗାରରେ ପଶିଛି ବନ୍ୟା ଜଳ । ଉପର ମୁଣ୍ଡ ଛତିଶଗଡରେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ଇବ ନଦୀର ଜଳସ୍ତର ବିପଦ ସଙ୍କେତ ଠାରୁ ଉପରକୁ ପ୍ରବାହିତ ହେଉଛି । ସୁନ୍ଦରଗଡ଼ ସୀମାନ୍ତ ସମଡମା ଵ୍ୟାରେଜର ସମସ୍ତ ୪୦ ଟି ଗେଟ ଖୋଲି ଦେବା ଫଳରେ ଇବର ଜଳସ୍ତର ବୃଦ୍ଧି ପାଇଛି । ୨୦୧୫ରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ପ୍ରବଳ ବର୍ଷା ଯୋଗୁଁ ରାଣୀ ବଗିଚା ସମେତ ତଳିଆ ଅଞ୍ଚଳ ଗୁଡିକ ବନ୍ୟା ଜଳରେ ବୁଡି ଯାଇଥିଲା । ୧୦ ବର୍ଷ ପରେ ପୁଣି ଥରେ ସୁନ୍ଦରଗଡ଼ରେ ଏପରି ସ୍ଥିତି ଦେଖିବାକୁ ମିଳିଛି ।
ଇନଷ୍ଟାଗ୍ରାମରେ ପ୍ରେମ କରି ବିବାହ କରିଥିଲେ, ବର୍ଷେ ପରେ ଜୀବନ ହାରିଲେ ମହିଳା
ନନ୍ଦିଘୋଷ ବ୍ୟୁରୋ ; ବେଙ୍ଗାଲୁରୁର ମଦନାୟକାନାହଲ୍ଲୀ ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ମହିଳା ସନ୍ଦେହଜନକ ପରିସ୍ଥିତିରେ ଜୀବନ ହାରିଛନ୍ତି । ମହିଳାଙ୍କର ଗୋଟିଏ ବର୍ଷ ପୂର୍ବେ ପ୍ରେମ ବିବାହ ହୋଇଥିଲା। ମୃତକଙ୍କ ନାମ ସ୍ପନ୍ଦନା। ତାଙ୍କ ବୟସ ୨୪ ବର୍ଷ ବୋଲି କୁହାଯାଉଛି। ସେ କନକପୁରାର ବାସିନ୍ଦା ଥିଲେ। ମହିଳା ଜଣକ ୟେଲାହାଙ୍କାର ଏକ ଘରୋଇ କଲେଜରେ MBA ପଢ଼ୁଥିଲେ। ଏହି ସମୟରେ ସେ ଅଭିଷେକଙ୍କୁ ଇନଷ୍ଟାଗ୍ରାମରେ ଭେଟିଥିଲେ। ଦୁହେଁ ପରସ୍ପରକୁ ପ୍ରେମ କରି ବସିଥିଲେ। ପରିବାରର ବିରୋଧ ସତ୍ତ୍ୱେ ଅଭିଷେକ ସ୍ପନ୍ଦନାଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟ ମଦନାୟକାନାହଲ୍ଲୀ ପୋଷ୍ଟ ଅଫିସରେ ରହୁଥିଲେ। କିନ୍ତୁ ବିବାହର ଦେଢ଼ ବର୍ଷ ମଧ୍ୟରେ ସ୍ପନ୍ଦନାଙ୍କର ଦୁଃଖଦ ମୃତ୍ୟୁ ହୋଇଥିଲା।
ଭୀମ ଅମାବାସ୍ୟା ଅବସରରେ, ମୃତକ ସକାଳ ୧୦ଟାରେ ତାଙ୍କ ସ୍ୱାମୀଙ୍କ ପାଇଁ ଖୁସିରେ ପୂଜା କରିଥିଲେ, କିନ୍ତୁ ତାଙ୍କର ଖୁସି ଅଧିକ ସମୟ ପର୍ଯ୍ୟନ୍ତ ରହିଲା ନାହିଁ। କାରଣ, ସକାଳ ୧୧ଟାରେ ଅଭିଷେକଙ୍କ ଅଫିସରୁ ଜଣେ ଯୁବତୀଙ୍କ ଫୋନ୍ କଲ୍ ଆସିବାରୁ ଉଭୟଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଗଲା। ପୂର୍ବରୁ ତାଙ୍କ ସ୍ୱାମୀଙ୍କୁ ସନ୍ଦେହ କରୁଥିବା ସ୍ପନ୍ଦନା ମାନସିକ ଅବସାଦରେ ଥିଲେ। ପରେ ଦିନ ୧୨:୪୫ରେ ସ୍ପନ୍ଦନା ତାଙ୍କ ଭଉଣୀଙ୍କୁ ଏକ ମେସେଜ୍ ପଠାଇ ତାଙ୍କ ଘରର ଝରକାରେ ଝୁଲି ଜୀବନ ହାରିଥିଲେ । ଏହି ମେସେଜରେ କୁହାଯାଇଥିଲା ଯେ ମୋ ସ୍ୱାମୀଙ୍କ ବାପାମାଆ ଏବଂ ତାଙ୍କ ଅଫିସ୍ ର ଲୋକମାନେ ମୋ ମୃତ୍ୟୁ ପାଇଁ ଦାୟୀ।
ଅଭିଯୋଗ ଅନୁଯାୟୀ ବିବାହ ପରେ ଅଭିଷେକଙ୍କ ପରିବାର ସ୍ପନ୍ଦନାଙ୍କୁ ଯୌତୁକ ପାଇଁ ହଇରାଣ କରୁଥିଲେ। ସ୍ପନ୍ଦନା ତାଙ୍କ ବାପାଙ୍କୁ ଅଭିଷେକଙ୍କ ପରିବାର ଦ୍ୱାରା ହେଉଥିବା ହଇରାଣ ବିଷୟରେ କହିଥିଲେ, ଯାହା ପରେ ସ୍ପନ୍ଦନାଙ୍କ ପରିବାର ୫ ଲକ୍ଷ ଟଙ୍କା ଦେଇ ମାମଲାର ସମାଧାନ କରିଥିଲେ। ୨୪ ଜୁଲାଇରେ, ସ୍ପନ୍ଦନା ପୁଣି ଥରେ ତାଙ୍କ ବାପାଙ୍କୁ ଫୋନ୍ କରି କହିଥିଲେ ଯେ ତାଙ୍କ ସ୍ୱାମୀ ତାଙ୍କ ଶାଶୁଙ୍କ କଥା ଶୁଣି ତାଙ୍କୁ ହଇରାଣ କରୁଛନ୍ତି। କିଛି ସମୟ ପରେ, ଯେତେବେଳେ ତାଙ୍କ ବାପା ଫୋନ୍ କଲେ, ତାଙ୍କୁ କୁହାଯାଇଥିଲା ଯେ ସ୍ପନ୍ଦନାଙ୍କ ମୃତ୍ୟୁ ହୋଇଯାଇଛି।
ସ୍ପନ୍ଦନାଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟମାନେ ନିଜେ ମୃତଦେହକୁ ତଳକୁ ଆଣି କାହାକୁ ନକହି ହସ୍ପିଟାଲକୁ ନେଇଯାଇଥିଲେ। ସ୍ପନ୍ଦନାଙ୍କ ଶରୀରରେ ଆଘାତ ଚିହ୍ନ ଥିବା ଅଭିଯୋଗ ହୋଇଛି। ତେଣୁ, ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଭିକ୍ଟୋରିଆ ହସ୍ପିଟାଲକୁ ପଠାଯାଇଛି। ଏହା ପରେ ସ୍ପନ୍ଦନାଙ୍କ ମୃତଦେହକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ। ଏହି ଘଟଣା ସମ୍ପର୍କରେ ମଦନାୟକାନାହଲ୍ଲୀ ଥାନାରେ ତାଙ୍କ ସ୍ୱାମୀ ଅଭିଷେକ ଏବଂ ଶାଶୁ ଲକ୍ଷ୍ମମ୍ମାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ତଦନ୍ତ ପରେ ସ୍ପନ୍ଦନାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ।
କଙ୍ଗନା ରାଣାୱତଙ୍କ କଥାରେ କାହିଁକି ରଗିଲେ ପଞ୍ଜାବ ମନ୍ତ୍ରୀ ?
ନନ୍ଦିଘୋଷ ବ୍ୟୁରୋ : ହିମାଚଳ ପ୍ରଦେଶର ମଣ୍ଡି ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଏକ ବୟାନକୁ ନେଇ ବିବାଦ ଦେଖାଦେଇଛି । ହିମାଚଳ ପ୍ରଦେଶରେ ନିଶା ଦ୍ରବ୍ୟ ପ୍ରସଙ୍ଗରେ କଙ୍ଗନା ରାଣାୱତଙ୍କ ଦାବି ଉପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ପଞ୍ଜାବ ଆପ ମନ୍ତ୍ରୀ ହରପାଲ ଚିମା । କଙ୍ଗନା ରାଣାୱତ ଚେତାବନୀ ଦେଇଥିଲେ ଯେ ହିମାଚଳ ପ୍ରଦେଶର ପରିସ୍ଥିତି ପଞ୍ଜାବ ପରି ହୋଇପାରେ। ନିଶାଦ୍ରବ୍ୟ ଅପବ୍ୟବହାରର ବଢ଼ୁଥିବା ବିପଦକୁ ଇଙ୍ଗିତ କରି ସେ କହିଥିଲେ, ନିଶାଦ୍ରବ୍ୟ ଯୋଗୁଁ ମହିଳାମାନେ ବିଧବା ହେଉଛନ୍ତି। ଅନେକ ଗାଁରେ ବିଧବା ମହିଳା ଅଛନ୍ତି। ସେ କହିଥିଲେ ଯେ ପାକିସ୍ତାନ ଓ ପଞ୍ଜାବରୁ ଆସୁଥିବା ନିଶାଦ୍ରବ୍ୟ ହିମାଚଳର ଯୁବପିଢ଼ିଙ୍କୁ ବିନାଶ ଆଡ଼କୁ ଠେଲି ଦେଉଛି। ସେ ଆହୁରି କହିଛନ୍ତି ଯେ ହିମାଚଳରୁ ଖବର ଆସୁଛି ଯେ କିଛି ଲୋକ ଘରକରଣା ଜିନିଷ ବିକ୍ରି କରୁଛନ୍ତି । ଏହି ବିପଦ ଯୋଗୁଁ ନିଜକୁ ଘରେ ବନ୍ଦ କରି ଦେଉଛନ୍ତି।
କଙ୍ଗନାଙ୍କ ମନ୍ତବ୍ୟକୁ ବିରୋଧ କରି ମନ୍ତ୍ରୀ ହରପାଲ ଚିମା କହିଛନ୍ତି, କଙ୍ଗନା ରାଣାୱତ ନିଜକୁ ନିୟନ୍ତ୍ରଣ କରିବା ଉଚିତ। ସେ କେବଳ ହେଡଲାଇନରେ ରହିବା ପାଇଁ ଏପରି କଥା କୁହନ୍ତି। ତାଙ୍କ ପାଖରେ ବାସ୍ତବତା ବିଷୟରେ ସଠିକ୍ ସୂଚନା ନାହିଁ। ଯଦି ତୁଳନା କରିବାକୁ ପଡ଼େ, ତେବେ ପ୍ରଥମେ ତାଙ୍କୁ ଗୁଜରାଟ ଭଳି ରାଜ୍ୟଗୁଡ଼ିକର ପରିସ୍ଥିତି ଦେଖିବା ଉଚିତ । ଯେଉଁଠାରେ ନିଶା ନିବାରଣର ସମସ୍ୟା ବହୁତ ଗମ୍ଭୀର। ଗୁଜୁରାଟର ବନ୍ଦରଗୁଡ଼ିକରୁ ନିଶା ଚୋରା ଚାଲାଣ କରାଯାଏ।
କଙ୍ଗନା ରାଣାୱତ ପୂର୍ବରୁ ଚାଷୀ ଆନ୍ଦୋଳନ ସମୟରେ ପଞ୍ଜାବରୁ ମଧ୍ୟ ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ସେହି ସମୟରେ କଙ୍ଗନା ଚାଷୀ ଓ ପଞ୍ଜାବୀ ଗାୟକମାନଙ୍କ ବିଷୟରେ ମନ୍ତବ୍ୟ ଦେଇଥିଲେ।
ଗାଜାରେ ଭୋକରେ ମରୁଛନ୍ତି ଲୋକ, ଇସ୍ରାଏଲ ଆକ୍ରମଣ ସାମ୍ବାଦିକଙ୍କ ଉପରେ ପକାଇଛି ପ୍ରଭାବ
ନନ୍ଦିଘୋଷ ବ୍ୟୁରୋ : ଗାଜା ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଶେଷ ହେବାର ନାଁ ନେଉନାହିଁ । ଇସ୍ରାଏଲୀ ବୋମାମାଡ଼ରେ ଗାଜାରେ ପାଲେଷ୍ଟାଇନୀମାନେ ପ୍ରାଣ ହରାଉଛନ୍ତି। ଏହା ସହ କ୍ଷୁଧା ସଙ୍କଟ ଦେଖାଦେଇଛି । କାରଣ ଇସ୍ରାଏଲ ଗାଜାରେ ରିଲିଫ୍ ସାମଗ୍ରୀ ପହଞ୍ଚିବା ପାଇଁ ରାସ୍ତା ବନ୍ଦ କରିଦେଇଛି। ଏହି କାରଣରୁ, ରାସନ୍ ଗାଜାରେ ପହଞ୍ଚି ପାରୁନାହିଁ। ଅନାହାର ଯୋଗୁଁ ପ୍ରାଣ ହରାଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବିଶ୍ୱର ପ୍ରମୁଖ ସମ୍ବାଦ ସଂସ୍ଥାଗୁଡ଼ିକ ଏ ବିଷୟରେ ସତର୍କ ସୂଚନା ଜାରି କରିଛନ୍ତି। ଜାତିସଂଘ ମଧ୍ୟ ଏହାକୁ ଏକ ମାନବ ନିର୍ମିତ ବିପର୍ଯ୍ୟୟ ବୋଲି କହିଛି।
ଗାଜାରୁ ଆସିଥିବା ଫଟୋଗୁଡ଼ିକ କ୍ଷୁଧାର ଏକ ଭୟଙ୍କର ସଙ୍କଟକୁ ଦର୍ଶାଉଛି, ଯେଉଁଠାରେ ପିଲାମାନଙ୍କ ଶରୀରରେ ହାଡ଼ ମଧ୍ୟ ଦେଖାଯାଉଛି। ପିଲାମାନେ ଖାଲି ପାତ୍ର ତଳେ ଛାଡିଯାଇଥିବା ଚାଉଳ ସଂଗ୍ରହ କରୁଛନ୍ତି। ଏତେ କମ ଖାଦ୍ୟ ଅଛି ଯାହା ସେମାନଙ୍କ ପେଟ ପୂରଣ କରିବା ତ ଦୂରର କଥା। ଗାଜାରେ ୧୧୬ ଜଣ ଲୋକ ଅନାହାରର ଶିକାର ହୋଇଛନ୍ତି। ହଜାର ହଜାର ଲୋକ ସପ୍ତାହରେ କେବଳ ଥରେ ଖାଇବାକୁ ପାଉଛନ୍ତି। ପିଲାମାନେ କୁପୋଷଣର ଶିକାର ହୋଇଛନ୍ତି।
ବିଶ୍ୱର ପ୍ରମୁଖ ଖବର ସଂସ୍ଥା ଓ ପ୍ରତିଷ୍ଠାନଗୁଡ଼ିକ ଏହି ସଙ୍କଟ ଉପରେ ଏକ ମିଳିତ ବିବୃତ୍ତି ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ ଆମେ ଗାଜାରେ ଆମର ସାମ୍ବାଦିକମାନଙ୍କ ବିଷୟରେ ଗମ୍ଭୀର ଭାବରେ ଚିନ୍ତିତ, ଯେଉଁମାନେ ଖାଦ୍ୟ ପାଉନାହାଁନ୍ତି। ଏହି ସ୍ୱାଧୀନ ସାମ୍ବାଦିକମାନେ ଗାଜା ଭୂମିରେ ବିଶ୍ୱର ଆଖି ଓ କାନ। ଏହି ସାମ୍ବାଦିକମାନେ ମଧ୍ୟ ସେମାନେ ପ୍ରକାଶ କରୁଥିବା ପରିସ୍ଥିତିର ଶିକାର ହେଉଛନ୍ତି।
ଇସ୍ରାଏଲ ସରକାର ଯୁଦ୍ଧବିରାମ ପାଇଁ ପ୍ରସ୍ତୁତ ନୁହେଁ। କାତାର ଆଲୋଚନାରେ ଉପସ୍ଥାପିତ ହମାସର ପ୍ରସ୍ତାବଗୁଡ଼ିକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଇସ୍ରାଏଲର ରାଜଧାନୀରେ ଲୋକମାନେ ନିରନ୍ତର ପ୍ରତିବାଦ କରୁଛନ୍ତି। ସେମାନେ ସରକାର ତୁରନ୍ତ ଯୁଦ୍ଧବିରାମ ଲାଗୁ କରିବାକୁ ଦାବି କରୁଛନ୍ତି, କିନ୍ତୁ ଯୁଦ୍ଧବିରାମ କାର୍ଯ୍ୟକାରୀ ହେଉନାହିଁ। ତେଲ ଅଭିଭରେ ଥିବା ଆମେରିକୀୟ ଦୂତାବାସ ନିକଟରେ ଇସ୍ରାଏଲୀ ବସ୍ତିବାସିନ୍ଦାମାନେ ବାଡ଼େଇ ପ୍ରତିବାଦ କରିଥିଲେ। ସେମାନେ ଦାବି କରିଛନ୍ତି ଯେ ଆମେରିକୀୟ ସରକାର ଯୁଦ୍ଧବିରତି ପାଇଁ ନେତାନ୍ୟାହୁଙ୍କ ଉପରେ ଚାପ ପ୍ରୟୋଗ କରନ୍ତୁ। କିନ୍ତୁ, ଆମେରିକା ମଧ୍ୟ ଯୁଦ୍ଧବିରତି ସପକ୍ଷରେ ନୁହେଁ।

