spot_img
Home Blog Page 5460

ପାଣି ମାହାରାକୁ ନେଇ ୨ ପରିବାର ମୁହାଁମୁହିଁ

କଟକ: ପାଣି ମାହାରାକୁ ନେଇ ୨ ପରିବାର ମଧ୍ୟରେ ସଂଘର୍ଷ। କଟକ ଜିଲ୍ଲା କାନପୁର ଥାନା ଆତଣ୍ଡାରେ ପାଣି ମାହାରାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ୍ ଓ ପଥର ମାଡ଼ ହୋଇଥିବା ଦେଖିବାକୁ ମିଳିଛି। ଏହି ଗଟଣାରେ ଉଭୟ ପରିବାରର ପାଞ୍ଚ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଗୁରୁତରଙ୍କୁ ପ୍ରଥମେ କାନପୁର ଡାକ୍ତରଖାନା ଓ ପରେ ୨ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦେଇଛନ୍ତି।

ସୂଚନା ଅନୁସାରେ, ଗାଁର ପଛ ପାଖ ଦେଇ ଯାଇଥିବା ଏକ ପାଣି ନାଳ ଉପରେ ଗୋଟିଏ ପରିବାର ଲୋକ ମାଟି ପକାଇବାରୁ ଅନ୍ୟ ପରିବାର ଲୋକ ଏ ବାବଦରେ ଗ୍ରାମର ସଭାପତିଙ୍କୁ ଜଣାଇଥିଲେ। ଗ୍ରାମ ସଭାପତି ପାଣି ମାହାର ପାଖକୁ ଯାଇ କ’ଣ ହୋଇଛି ତାହା ଦେଖୁଥିବା ସମୟରେ ସେଠାରେ ଉପସ୍ଥିତ ଥିବା ଉଭୟ ପରିବାର ଲୋକଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା ପରେ ଉଗ୍ରରୂପ ଧାରଣ କରିଥିବା ବେଳେ ଉଭୟ ପରିବାର ପରସ୍ପରକୁ ପଥର ମାଡ଼ କରିବା ସହିତ ଠେଙ୍ଗାରେ ପିଟାପିଟି ହୋଇଥିଲେ। କାନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ରାଜ୍ୟରେ ତଳମୁହାଁ କରୋନା, ୨୦ ଜିଲ୍ଲାରେ ଦୈନିକ ସଂକ୍ରମଣ ଶହେ ତଳେ

ଭୁବନେଶ୍ୱର: ରାଜ୍ୟରେ କମିଲା କରୋନା ସଂକ୍ରମଣ। ଦୈନିକ ପଜିଟିଭ ହାର ୪.୩ ପ୍ରତିଶତକୁ ଖସିଥିବା ବେଳେ ପଜିଟିଭିଟିରେ ରେଡ୍ ଜୋନରୁ ମୁକୁଳିଲା ଓଡିଶା । ଦିନକରେ ୨ହଜାର ୮୭୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୨ଜଣଙ୍କ ଜୀବନ ନେଇଛି କିଲର ଭାଇରସ୍। ସେପଟେ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୩ହଜାର ୧୫୮ ଆକ୍ରାନ୍ତ ।

ସୂଚନା ମୁତାବକ ୨୦ ଜିଲ୍ଲାରେ ଦୈନିକ ସଂକ୍ରମଣ ଶହେ ତଳେ ରହିଛି। ସେହିପରି ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୧ ହଜାର ୬୫୨, ଲୋକାଲ କେସ୍ ରହିଛି ୧ ହଜାର ୨୧୮ । କଟକରୁ ସର୍ବାଧିକ ୪୪୦, ଖୋର୍ଦ୍ଧାରୁ ୩୮୪, ବାଲେଶ୍ବରରୁ ୨୪୦, ଯାଜପୁରରୁ ୧୯୧, ପୁରୀରୁ ୧୬୫, ମୟୂରଭଞ୍ଜରୁ ୧୬୪, କେନ୍ଦ୍ରାପଡାରୁ ୧୫୭, ଭଦ୍ରକରୁ ୧୨୮, ଜଗତସିଂହପୁରରୁ ୧୧୨, ନୟାଗଡ଼ରୁ ୧୦୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୯୯, ସୁନ୍ଦରଗଡ଼ରୁ ୮୭, ଢେଙ୍କାନାଳରୁ ୮୫, କେନ୍ଦୁଝରରୁ ୬୬, କୋରାପୁଟ ଓ ଷ୍ଟେଟପୁଲରୁ ୬୦ ଜଣ ଲେଖାଏଁ , ମାଲକାନଗିରିରୁ ୫୭, ରାୟଗଡ଼ାରୁ ୫୦, କଳାହାଣ୍ଡିରୁ ୩୬, ନବରଙ୍ଗପୁରରୁ ୩୫, ବଲାଙ୍ଗୀରରୁ ୨୯, କନ୍ଧମାଳରୁ ୨୫, ସମ୍ବଲପୁରରୁ ୨୩, ବରଗଡ଼ରୁ ୧୪, ବୌଦ୍ଧରୁ ୧୩, ଗଞ୍ଜାମରୁ ୧୧, ସୋନପୁରରୁ ୧୦, ଗଜପତି ଓ ନୂଆପଡାରୁ ୭ଜଣ ଲେଖାଏଁ, ଦେବଗଡ଼ ଓ ଝାରସୁଗୁଡାରୁ ୫ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୨୧ହଜାର ୮୯୬ରେ ପହଞ୍ଚିଥିବା ବେଳେ, ମୋଟ୍ ସୁସ୍ଥ ହୋଇଛନ୍ତି ୮ଲକ୍ଷ ୮୭ହଜାର ୪୨୦ । ଆକ୍ଟିଭ କେସ୍ ୩୦ହଜାର ୨୨୭ ରହିଛି ।

ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ପୁଷ୍କର ସିଂହ

ଡେରାଡୁନ୍: ଆଜି ଉତ୍ତରାଖଣ୍ଡରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପୁଷ୍କର ସିଂହ ଧାମି। ଖୁବଶୀଘ୍ର କ୍ୟାବିନେଟ ସମ୍ପ୍ରସାରଣ ହେବ ବୋଲି ଚର୍ଚ୍ଚା ହେଉଛି । ୫୭ ଜଣ ବିଧାୟକ ପୁଷ୍କରଙ୍କ ସମର୍ଥନରେ ଭୋଟ ଦେଇଥିଲେ । ଖଟିମା ଆସନରୁ ଦୁଇ ଦୁଇ ଥର ବିଧାୟକ ରହିବା ସହ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ଅତି ଘନିଷ୍ଠ ରହିଛନ୍ତି ପୁଷ୍କର  ଖାସ୍ ଏଇଥିପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ସିଲେକସନ୍ କରାଯାଇଥିବା ଚର୍ଚ୍ଚା।

ତେବେ ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ପାଇଁ ବିଭିନ୍ନ ଚ୍ୟାଲେଞ୍ଜ ରହିବ। ଦେବଭୂମି ଉତ୍ତରାଖଣ୍ଡରେ ବିଜେପିର ପ୍ରତିଛବି ସଜାଡିବା ରହିବ ମୁଖ୍ୟ କାମ । ଏମିତିରେ ତୀରଥଙ୍କ ପାଇଁ ରାଜ୍ୟ ସରକାର ସାମ୍ନା କରିଥିବା ନିନ୍ଦାକୁ ପ୍ରଶଂସାରେ ପରିଣତ କରିବା ପାଇଁ ହାଇକମାଣ୍ଡ ପୁଷ୍କରଙ୍କୁ ଦାୟିତ୍ବ ଦେଇଛନ୍ତି । ରାଜ୍ୟ ରାଜନୀତିରେ ଅସ୍ଥିରତା ପାଇଁ ବିରୋଧୀ କଂଗ୍ରେସ ବାରମ୍ବାର ଟାର୍ଗେଟ କରୁଥିବା ବେଳେ ବିଜେପି ପାଇଁ ଚିନ୍ତା ପାଲଟିଛି । ଏହି ବର୍ଷେ ଭିତରେ ଯେମିତି ହେଉ ରାଜ୍ୟବାସୀଙ୍କୁ ନିଜ ଆଡକୁ ଢଳେଇବା ପାଇଁ ପୁଷ୍କର ପ୍ଲାନ କରିବେ।

ସୂଚନାଯୋଗ୍ୟ, ଉତ୍ତରାଖଣ୍ଡର ଖଟୀମା ଆସନରୁ ଏବେ ବିଧାୟକ ଅଛନ୍ତି ପୁଷ୍କର । ପୂର୍ବରୁ ବିଜେପି ଯୁବମୋର୍ଚ୍ଚାର ଅଧ୍ୟକ୍ଷ ଥିଲେ ପୁଷ୍କର ସିଂ ଧାମି। ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ତୀରଥ ସିଂ ରାଓ୍ବତ। ସାମ୍ବିଧାନିକ କାରଣ ପାଇଁ ସେ ଇସ୍ତଫା ଦେଇଥିବା ଇସ୍ତଫାପତ୍ରରେ ଦର୍ଶାଇଥିଲେ। ମୁଖ୍ୟମନ୍ତ୍ରୀ ହେବା ପରେ ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବାର ନିୟମ ରହିଛି । ତେବେ ଧାରା ୧୫୧ ଅନୁସାରେ ଯଦି କୌଣସି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଏକ ବର୍ଷରୁ କମ ସମୟ ଥାଏ ସେହି ରାଜ୍ୟରେ ଆଉ ଉପନିର୍ବାଚନ ହୋଇପାରିବ ନାହିଁ । ଏଣୁ ତୀରଥ ଇସ୍ତଫା ଦେଇଥିବା କହିଛନ୍ତି।

ଆଜି ଶ୍ରୀଜିଉଙ୍କ ହେବ ଚକା ବିଜେ ନୀତି

ପୁରୀ: ଶ୍ରୀମନ୍ଦିରରେ ଚାଲିଛି ଶ୍ରୀଜିଉ ମାନଙ୍କ ଅଣସର ସେବା ପୂଜା। ଆଜି ଦଶମୀ ତିଥିରେ ଶ୍ରୀଜିଉଙ୍କ ଚକା ବିଜେ ନୀତି କରାଯିବ। ଦଶମୀ ତିଥିରେ ଶ୍ରୀ ବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ଔଷଧ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିରକୁ ଯୋଗାଇ ଦିଆଯିବ।

ସ୍ନାନ ପୂର୍ଣ୍ଣମୀ ଠାରୁ ମହାପ୍ରଭୁଙ୍କ ଏହି ଗୁପ୍ତ ପୂଜା ଦଇତାପତି ସେବାୟତମାନେ କରୁଛନ୍ତି । ଅନବସରର ପଞ୍ଚମୀ ତିଥିରେ ଶ୍ରୀଜିଉଙ୍କ ଶ୍ରୀ ଅଙ୍ଗରେ ଫୁଲୁରୀ ଲାଗି କରାଯାଇଥିଲା | ପରେ ଶ୍ରୀ ବିଗ୍ରହ ମାନଙ୍କୁ ଓଷୁଅ ଲାଗି କରାଯାଇଛି ।

ଗତ ବର୍ଷପରି ଚଳିତ ବର୍ଷ ମଧ୍ଯ କରୋନା କଟକଣା ଭିତରେ ପାଳନ ହେବ ରଥଯାତ୍ରା। ଏଥର ସେବାୟତଙ୍କ ବ୍ୟତୀତ ଅନ୍ୟ କେହି ରଥ କିମ୍ବା ରଥ ଡଉଡ଼ି ଛୁଇଁ ପାରିବେ ନାହିଁ ।  ବଡଦାଣ୍ଡ ଓ ସିଂହଦ୍ବାରରେ ସେବାୟତଙ୍କ ପାଇଁ ବିଶ୍ରାମ ବ୍ୟବସ୍ଥା କରାଯିବ। ଏବଂ ରଥରେ ନିୟୋଜିତ ସେବାୟତଙ୍କ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ବ୍ୟବସ୍ଥା କରାଯିବ। ଏବଂ ରଥ ଉପରେ କମ୍‌ ସଂଖ୍ୟକ ସେବାୟତଙ୍କୁ ନିୟୋଜିତ କରାଯିବା ନେଇ ସୂଚନା ଦେଇଛନ୍ତି  ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାର  ।

କୋଭିଡରୁ ସୁସ୍ଥ ହୋଇ କୋଭିସିଲ୍ଡ ନେଇଥିଲେ ଅଧିକ ସୁରକ୍ଷିତ

ନୂଆଦିଲ୍ଲୀ: କୋଭିଡରୁ ଯେଉଁମାନେ ଆରୋଗ୍ୟ ହୋଇଛନ୍ତି ଏବଂ ଗୋଟିଏ କିମ୍ବା ଦୁଇଟି କୋଭିସିଲ୍ଡ ଡୋଜ ନେଇଛନ୍ତି ସେମାନେ ଭାଗ୍ୟବାନ। କାରଣ ଡେଲଟା ଭାରିଆଣ୍ଟ ବିରୋଧରେ ସେମାନେ ଅଧିକ ସୁରକ୍ଷିତ। କୋଭିଡରେ ସଂକ୍ରମିତ ହୋଇ ନଥିବା ତଥା ଗୋଟିଏ କିମ୍ବା ଦୁଇଟି ଟିକା ନେଇଥିବା ବ୍ୟକ୍ତିଙ୍କ ତୁଳନାରେ ସେମାନଙ୍କ ପ୍ରତିରୋଧକ ଶକ୍ତି ଅଧିକ ବୋଲି ନୂଆ ଗବେଷଣାରୁ ଜଣାଯାଇଛି। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ପକ୍ଷରୁ ଏହା କୁହାଯାଇଛି।

ଗବେଷଣାରେ ଜଣାପଡ଼ିଛି ଯେ, ଡେଲଟା ଭାରିଆଣ୍ଟ ବିରୋଧରେ ମାନବ ଶରୀରର ହ୍ୟୁମୋରାଲ ଓ ସେଲୁଲାର ଇମୁନ ଏକ ଶକ୍ତିଶାଳୀ ପ୍ରତିରୋଧକ। ଏପରିକି ସବୁଠାରୁ ଅଧିକ ଭୟଙ୍କର ତଥା ସଂକ୍ରମଣଶୀଳ ଡେଲଟା ବିରୋଧରେ ମୁକାବିଲା ଲାଗି ଏହା ଗୁରୁତ୍ବପୂର୍ଣ୍ଣ। ଯେଉଁମାନେ ଆରୋଗ୍ୟ ହୋଇଛନ୍ତି ଓ କୋଭିସିଲଡ ନେଇଛନ୍ତି ସେମାନଙ୍କ ନିକଟରେ ପ୍ରତିରୋଧକ ଶକ୍ତି ଅନ୍ୟମାନଙ୍କ ତୁଳନାରେ ଯଥେଷ୍ଟ ଅଧକ। ଟିକାକରଣ ଯୋଗୁ ଡେଲଟା ପ୍ରଭାବ ଅତି କମ୍ ହୋଇଥାଏ ଏବଂ ସେମାନଙ୍କ କ୍ଷେତ୍ରରେ ହ୍ୟୁମୋରାଲ ଓ ସେଲୁଲାର ଇମୁନ ଗୁରୁତ୍ବପୂର୍ଣ୍ଣ ଭୂମିକା ସୃଷ୍ଟି କରେ। ଟିକା ନେବା ପରେ ଏକ ନ୍ୟୁଟ୍ରାଲ ଆଣ୍ଟିବଡି ସୃଷ୍ଟି ହୋଇଥାଏ, ଯାହାକି ଡେଲଟା ଭାରିଆଣ୍ଟର ସଫଳ ମୁକାବିଲା କରିଥାଏ । କୋଭିଡରୁ ସୁସ୍ଥ ବ୍ୟକ୍ତି ଏପରିକି ଗୋଟିଏ ଟିକା ନେଇଥିଲେ ବି ପୁନଃସଂକ୍ରମଣ ତାଙ୍କୁ ପ୍ରାୟ ହୋଇନଥାଏ । ଏବଂ ନୂଆ ନୂଆ ଭାରିଆଣ୍ଟ ବିରୋଧରେ ସେମାନଙ୍କ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ବୋଲି ଗବେଷଣାରେ ଜଣାପଡିଛି ।

ବ୍ରହ୍ମପୁରରେ ପହଞ୍ଚିଲା ୧ ଲକ୍ଷ ୪୦ ହଜାର କୋଭାକ୍ସିନ ଟିକା

ବ୍ରହ୍ମପୁର: ଟଳିବ ଟିକା ସଂକଟ। ବ୍ରହ୍ମପୁରରେ ପହଞ୍ଚିଲା କୋଭାକ୍ସିନ ଟିକା । ଭୁବନେଶ୍ବର ପରେ ଏଣିକି ଗଞ୍ଜାମ ଜିଲ୍ଲାରେ ଦିଆଯିବ କୋଭାକ୍ସିନ୍ ଟିକା । ୧୮ ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ କୋଭାକ୍ସିନ୍ ଟିକା ଦେବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଓ ମହାନଗର ନିଗମକୁ ଚିଠି ଲେଖିଥିଲେ ସ୍ବାସ୍ଥ୍ୟ ବିଭାଗ ଏସିଏସ । ଏହାପରେ ବ୍ରହ୍ମପୁର ସିଟି ହସ୍ପିଟାଲରେ ୧ ଲକ୍ଷ ୪୦ ହଜାର COVAXIN ଟିକା ପହଞ୍ଚିଛି।

ଆସନ୍ତାକାଲି ଗଞ୍ଜାମ ଜିଲ୍ଲାର ସମସ୍ତ ଟିକାକରଣ କେନ୍ଦ୍ରକୁ ଏହା ବିତରଣ କରାଯିବ । ଯେଉଁମାନେ ପ୍ରଥମ ଡୋଜ୍ କୋଭିସିଲ୍‌ଡ ନେଇଛନ୍ତି, ସେମାନେ ଦ୍ବିତୀୟ ଡୋଜ୍ ମଧ୍ୟ କୋଭିସିଲ୍‌ଡ ନେବେ। ଯେଉଁମାନେ ପ୍ରଥମ ଡୋଜ୍‌ ନେବେ, ସେମାନେ କୋଭାକ୍ସିନ୍ ଟିକା ନେବେ। ଗତ କିଛିଦିନ ହେବ ଜିଲ୍ଲାରେ ଟିକା ଅଭାବ ଯୋଗୁ ଟିକାକରଣ ବନ୍ଦ ରହିଥିଲା। ଫଳରେ ଲୋକମାନେ ଟିକାକେନ୍ଦ୍ରରୁ ନିରାଶ ହୋଇ ଫେରୁଥିଲେ। ତେବେ ବର୍ତ୍ତମାନ ଟିକା ପହଞ୍ଚିବା ପରେ ଗଞ୍ଜାମ ଜିଲ୍ଲାବାସୀ ଖୁସି ପ୍ରକଟ କରିଛନ୍ତି।

 

ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଯୁଗ୍ମ ସଚିବ ଉଷା ପାଢ଼ୀ

ଭୁବନେଶ୍ୱର: ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ। ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଯୁଗ୍ମ ସଚିବ। ଭୁବନେଶ୍ୱରର ଖାରବେଳ ଭବନରେ ସୂଚନା ଏବଂ ପ୍ରଯୁକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀଙ୍କ ସହିତ ଉଷା ଆଲୋଚନା କରିଛନ୍ତି ।

ରାଜ୍ୟରେ ଚାଲୁ ରହିଥିବା ବିଭିନ୍ନ ବିମାନ ଚଳାଚଳ କ୍ଷେତ୍ର ସମ୍ବନ୍ଧରେ ଦୀର୍ଘ ସମୟ ଧରି ଉଭୟ କେନ୍ଦ୍ର ଓ ରାଜ୍ୟ ପ୍ରତିନିଧି ଆଲୋଚନା କରିଛନ୍ତି । ରାଜ୍ୟରେ ଚାଲିଥିବା ଓ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ବାବଦରେ ସୂଚନା ଏବଂ ପ୍ରଯୁକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର ସୂଚନା ଦେଇଛନ୍ତି । ବିମାନ ଚଳାଚଳ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ରୋଡ଼ମ୍ୟାପ ବାବଦରେ ସଚିବ ଅବଗତ କରିଛନ୍ତି।

ସେପଟେ ପୁରୀ, ରାଉରକେଲା, ଭବାନୀପାଟଣା ଏବଂ ଜୟପୁର ବିମାନ ବନ୍ଦରର ବିକାଶ ବିଷୟରେ ବିସ୍ତ୍ରୁତ ଆଲୋଚନା ହୋଇଛି । ରାଉରକେଲା ଏବଂ ଜୟପୁର ବିମାନବନ୍ଦର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖୁବ୍ ଶୀଘ୍ର ଉଡାନ୍ ଯୋଜନାରେ ସାମିଲ ହେବା ନେଇ ଦାବି ଉପସ୍ଥାପନ କରାଯିବ । ନୂତନ ବିମାନ ବନ୍ଦର ଗୁଡ଼ିକ ସହିତ ବାୟୁ ସଂଯୋଗ ସମସ୍ୟା ବିଷୟରେ ମଧ୍ୟ ଆଲୋଚନା ହୋଇଛି । ‘ଉଡାନ ଯୋଜନା’ରେ ନୂତନ ସଂଯୋଗ ପାଇଁ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ । ଏ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ଓଡିଶା ସରକାର ମିଳିତ ଭାବରେ ଚୂଡାନ୍ତ ନିଷ୍ପତ୍ତି ନେବେ।

ରାଜ୍ୟରେ ଟିକା ଅଭାବ, ମାତ୍ର ୩ଟି ଜିଲ୍ଲାରେ ହେବ ଟିକାକରଣ

ଭୁବନେଶ୍ୱର: ଟଳୁନି ଟିକା ସଙ୍କଟ। ଟିକା ଅଭାବରୁ ଆଜି ରାଜ୍ୟରେ ମାତ୍ର ୩ଟି ଜିଲ୍ଲାରେ ହେବ ଟିକାକରଣ। କେନ୍ଦ୍ରାପଡ଼ା, ପୁରୀ ଓ ରାୟଗଡ଼ାରେ ହେବ ଟିକାକରଣ । ପୁରୀର ୬୭ ଟିକା କେନ୍ଦ୍ରରେ ଟିକାକରଣ କରାଯିବ। ସେହିପରି କେନ୍ଦ୍ରାପଡ଼ାରେ ୮୦ ଓ ରାୟଗଡ଼ାରେ ୧୬ଟି କେନ୍ଦ୍ରରେ ହେବ ଭ୍ୟାକ୍ସିନେସନ। ମୋଟ ୧୬୩ଟି ଟିକା କେନ୍ଦ୍ରରେ ଦିଆଯିବ ଟିକା। ରାଜ୍ୟରେ ୯ ଲକ୍ଷ ୮୧ ହଜାର ୧୯୦ କୋଭିସିଲଡ ଡୋଜ ଉପଲବ୍ଧ ଥିବା ବେଳେ ୩ ଲକ୍ଷ ୯୧ ହଜାର ୫୪୦ କୋଭାକ୍ସିନ ଡୋଜ ରହିଛି।

ଗତକାଲି ୧୫ଟି ଜିଲ୍ଲାରେ ବନ୍ଦ ରହିଥିଲା ଟିକାଦାନ। ଏପଟେ ଟିକାକରଣ ରାଙ୍କିଙ୍ଗରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ୫୫.୩୯ ପ୍ରତିଶତ ଟିକାକରଣ କରି ଦେଶରେ ଦ୍ୱୀତୀୟ  ସ୍ଥାନରେ ରହିଛି ଓଡ଼ିଶା। ଟିକାକରଣରେ ସାରାଦେଶରେ ରାଜସ୍ଥାନ ଆଗୁଆ ରହିଛି। ମେଘାଳୟରେ ସର୍ବନିମ୍ନ ୧୪.୨୮ପ୍ରତିଶତ ଟିକାକରଣ ହୋଇଛି। ଟିକାକରଣରେ ଓଡ଼ିଶା ପଛକୁ ଆନ୍ଧ୍ର, ହିମାଞ୍ଚଳ ପ୍ରଦେଶ ଓ ଗୁଜରାଟ ଭଳି ରାଜ୍ୟ ରହିଛନ୍ତି।

ରାଜଧାନୀରେ ପୁଣି ଲକ୍ଷାଧିକ ଟଙ୍କା ଠକେଇ, CMC ଗ୍ରୁପ୍ ନାଁରେ ଲକ୍ଷାଧିକ ଲୁଟ୍

ଭୁବନେଶ୍ୱର: ରାଜଧାନୀରେ ପୁଣି ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗ । CMC ଗ୍ରୁପ୍ ନାଁରେ ଲକ୍ଷାଧିକ ଟଙ୍କା ଠକେଇ କରାଯାଇଥିବା ମଞ୍ଚେଶ୍ବର ଥାନାରେ ଅଭିଯୋଗ ହୋଇଛି । ଦୁଇ ଜଣ ମହିଳା କର୍ମଚାରୀଙ୍କ ସହାୟତାରେ ପାଖାପାଖି ୨ଶହ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରାଯାଇଥିବା ଏତଲାରେ ଦର୍ଶାଯାଇଛି । ପଳାଶୁଣି ନିକଟ ପ୍ରାଚୀବିହାର ସମ୍ପୂର୍ଣ୍ଣା ସ୍ବୟଂସହାୟକ ଗୋଷ୍ଠି ଏହି ଠକେଇର ଶିକାର ହୋଇଛି ।

ପ୍ରଥମ ପର୍ଯ୍ୟାୟରେ ଅଗ୍ରିମ ୧୩୦ ଟଙ୍କା ଓ ପରେ ଦୁଇ ହଜାର ଟଙ୍କା ପ୍ରତ୍ୟେକ ସଦସ୍ୟଙ୍କ ଠାରୁ ନିଆଯାଇ ତାଙ୍କୁ ୪୦ ହଜାର ଟଙ୍କାର ଋଣ କରାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ଏହାପରେ ୪ ମାସ ବିତି ଯାଇଥିଲେ ମଧ୍ୟ କୌଣସି ଋଣ ନ ମିଳିବାରୁ ଶେଷରେ ବାଧ୍ୟ ହୋଇ ଠକେଇର ଶିକାର ମହିଳା ମାନେ ଥାନା ଘେରାଉ କରିଥିଲେ । ଏହି ଘଟଣାର ତଦନ୍ତ ପାଇଁ CMC ଗ୍ରୁପର ଦୁଇ ଜଣ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସେପଟେ ସଂସ୍ଥଶ ମାଲିକ ଫେରାର ଥିବା ସୂଚନା ରହିଛି ।

ଘର ଘର ବୁଲି ଗର୍ଭବତୀଙ୍କୁ ଟିକା ଦେବ BMC, ୧୯୨୯ ଟୋଲ ଫ୍ରୀ ନମ୍ବରରେ ସବିଶେଷ ତଥ୍ୟ

ଭୁବନେଶ୍ୱର: ଗର୍ଭବତୀଙ୍କୁ ଟିକା କରଣ ପ୍ରସଙ୍ଗ । କେନ୍ଦ୍ର ସରକାର ଗାଇଡ ଲାଇନ୍ ଆସିବା ପରେ ରାଜ୍ୟ ସରକାର ଖୁବଶୀଘ୍ର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏ ନେଇ ବିଏମସି ପକ୍ଷରୁ ପ୍ରସ୍ତୁତି ଚାଲିଛି । ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ସହଯୋଗରେ ତାଲିକା ପ୍ରସ୍ତୁତ କରାଯାଇ ଗର୍ଭବତୀଙ୍କୁ ଚିହ୍ନଟ କରାଯିବ ।

ଘର ଘର ବୁଲି ଗର୍ଭବତୀଙ୍କୁ ଟିକା ଦେବାର ବ୍ୟବସ୍ଥା କରିବ ବିଏମସି । ୧୯୨୯ ଟୋଲ ଫ୍ରୀ ନମ୍ବର ରେ ମଧ୍ୟ ସବିଶେଷ ତଥ୍ୟ ପାଇ ପାରିବେ । ପୂର୍ବବର୍ଷ ଭଳି ଘର ଘର ବୁଲି ଯେପରି ଟେଷ୍ଟିଂ କରାଯାଇଥିଲା ସେପରି ଘର ଘର ବୁଲି ଟିକାକରଣ କରାଯିବାକୁ ବିଏମସି ଯୋଜନା କରିଥିବା ସୂଚନା ଦେଇଚନ୍ତି ଜୋନାଲ ଡେପୁଟି କମିଶନର ।