spot_img
Home Blog Page 5459

ରେକର୍ଡ଼ କଲା ଓଡ଼ିଶା: କୋଟିଏ ଅତିକ୍ରମ କଲା ପ୍ରଥମ ଡୋଜ୍ ଭ୍ୟାକ୍ସିନେସନ

କରୋନା ଟିକାକରଣରେ ରେକର୍ଡ଼ କଲା ଓଡ଼ିଶା। ବର୍ତ୍ତମାନ ସୁଦ୍ଧା ପ୍ରଥମ ଡୋଜ୍ ଟିକାକରଣରେ ଏକ କୋଟି ଟପିସାରିଛି। ଏନେଇ ସ୍ବାସ୍ଥ୍ୟ ଓ ପରବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି। 

ବଡ଼ ବଡ଼ ରାଜ୍ୟକୁ ପଛରେ ପକାଇ ନୂଆ ରେକର୍ଡ ସୃଷ୍ଟି କରିଛି ଓଡ଼ିଶା। ତେବେ ଏହାର ଶ୍ରେୟ ଓଡ଼ିଶାବାସୀ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯାଇଛି। ରାଜ୍ୟରେ ଟିକା ଅପଚୟ ଅନ୍ୟ ରାଜ୍ୟ ତୁଳନାରେ ଢେର କମ ରହିଛି। କିଭଳି ସୁରୁଖୁରୁରେ ସମସ୍ତେ ଟିକା ନେଇପାରିବେ ତାହା ଉପରେ ଗୁରୁତ୍ବ ଦେଇଛନ୍ତି ଓଡ଼ିଶା ସରକାର। ସମସ୍ତଙ୍କୁ ଟିକାକରଣରେ ସାମିଲ କରିବା ପାଇଁ ଲକ୍ଷ୍ୟ ଥିବାବେଳେ ଅଧିକରୁ ଅଧିକ ଟିକା ଓଡ଼ିଶା ଦାବି କରୁଛି।

 

ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ

ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଚଲାଇଛି ଜୋରଦାର୍ ପ୍ରସ୍ତୁତି। ଗତ ୧୭ ତାରିଖରୁ ପ୍ରସ୍ତୁତ ଏସଓପିରେ ତୃତୀୟ ଲହର ପାଇଁ  ସବୁ ଜିଲ୍ଲାପାଳ, ମେଡିକାଲ କଲେଜ, ମ୍ୟୁନିସିପାଲ କମିଶନରଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି।

ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ, ଶିଶୁଙ୍କୁ ତୃତୀୟ ଲହର ବେଶି ପ୍ରଭାବିତ କରିପାରେ। ତେଣୁ ସବୁ ଡାକ୍ତର ଓ ନର୍ସଙ୍କୁ ଏହାର ମୁକାବିଲା କରିବାକୁ ସ୍ବତନ୍ତ୍ର ଟ୍ରେନିଂ ଦିଆଯାଇଛି। ୧୦ଟି ଆଇସୋଲେସନ ବେଡ୍ ସିଏଚସିୟୁର ୨ରୁ ୪ଟି ବେଡ୍ ଓ ୬୪ଟି ଏନଆଇସିୟୁ ବେଡ୍ ପ୍ରସ୍ତୁତ ରଖିବାକୁ କୁହାଯ଼ାଇଛି । ଭିମସାର ଏନଆଇସିୟୁରେ ୨୦ ବେଡ୍, ଏସସିବିରେ ୧୦, ବାଲେଶ୍ବର ଏଫ.ଏମ୍.ରେ ୧୦ ବେଡ୍ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହାବ୍ୟତୀତ ପିଆଇସିୟୁରେ ୯୪ଟି, ଏଚଡିୟୁ ୮୪ଟି ପ୍ରସ୍ତୁତି ରଖିବାକୁ କୁହାଯାଇଛି। କଳାହାଣ୍ଡି ଓ ଦେବଗଡ଼ରେ ଶିଶୁଙ୍କ ପାଇଁ ସ୍ବତନ୍ତ୍ର ମେଡିକାଲ ଖୋଲିଛି। ଦ୍ବିତୀୟ ଲହର ନିୟନ୍ତ୍ରଣକୁ ଆସୁଛି। ଏହି ସମୟରେ ରାଜ୍ୟବାସୀଙ୍କୁ ସାବଧାନ ରହିବା ସହ କୋଭିଡ ନିୟମ ମାନିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ପରାମର୍ଶ ଦେଇଛନ୍ତି। କୋଭିଡକୁ ମାତ୍ ଦେବାକୁ ଟିକାକରଣ ଓ କୋଭିଡ ନିୟମ ମାନିବା ଜରୁରୀ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ରାଜ୍ୟ କରୋନା ବିରୋଧୀ ଲଢେଇରେ ନିଶ୍ଚୟ ଜିତିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ବଜାରରେ ନୁହେଁ କେବଳ ସରକାରୀ ହସ୍ପିଟାଲରେ ମିଳୁଛି ବ୍ଲାକ୍‌ ଫଙ୍ଗସ୍‌

ଭୁବନେଶ୍ୱର: ବଜାରରେ ବ୍ଲାକ୍‌ ଫଙ୍ଗସ୍‌ ରୋଗର ଔଷଧ ମିଳୁନି। ରାଜ୍ୟ ସରକାର ଏହି ଔଷଧକୁ ଔଷଧ ନିଗମ ଓ ୧୦ରୁ ଅଧିକ ସରକାରୀ ହସ୍ପିଟାଲରେ ମହଜୁଦ ରଖିଛନ୍ତି। ତେଣୁ ହସ୍ପିଟାଲଗୁଡିକ ରୋଗୀଙ୍କୁ ସିଧାସଳଖ ବଜାରରୁ ମେଡିସିନ୍ କିଣିବାକୁ ନକହି ସରକାର ଯୋଗାଉଥିବା ଔଷଧ ଆଣିବାକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। ଏ ନେଇ ଡିଏମଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି ସୂଚନା ଦେଇଛନ୍ତି।

ସି.ବି.କେ ମହାନ୍ତି କହିଛନ୍ତି ଯେ ବ୍ଲାକ୍ ଫଙ୍ଗସ ଓ କରୋନା ଔଷଧ ରାଜ୍ୟରେ ମହଜୁଦ ଅଛି। ବ୍ଲାକ୍ ଫଙ୍ଗସ ଔଷଧର ସୁବଣ୍ଟନ ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି । ସମସ୍ତ ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ତେଣୁ ଅଯଥାରେ ରୋଗୀଙ୍କୁ ହଇରାଣ ନକରିବାକୁ ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ପରାମର୍ଶ ଦେଇଛନ୍ତି।

ରାଜ୍ୟରେ ଏଯାଏ ୧୦୦ରୁ ଉର୍ଦ୍ଧ୍ବ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହେଲେଣି। ଫଙ୍ଗସ ଥିଲା ଓ ରହିବ । ତେଣୁ ଏଥିପାଇଁ ବ୍ୟତିବ୍ୟସ୍ତ ହେବା ଉଚିତ ନୁହେଁ ବୋଲି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ପରାମର୍ଶ କହିଛନ୍ତି। ଅନ୍ୟପଟେ ରାଜ୍ୟରେ କରୋନା ସ୍ଥିତି ଅନୁଧ୍ୟାନ ପାଇଁ ଆସନ୍ତାକାଲି କେନ୍ଦ୍ରୀୟ ଟିମ୍ ଆସିବ।

୨୦୨୨ ସୁଦ୍ଧା ପୁରୀରୁ ଉଡ଼ିବ ବିମାନ

ପୁରୀ: ୨୦୨୨-୨୩ ସୁଦ୍ଧା ଜଗନ୍ନାଥ ଧାମ ପୁରୀରୁ ଉଡ଼ିବ ବିମାନ। ସବୁ ଠିକଠାକ ଚାଲିଲେ ୨୦୨୨ ସୁଦ୍ଧା ପୁରୀ ବିମାନ ବନ୍ଦର କାମ ସରିବ।  ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି ।

ମନ୍ତ୍ରୀଙ୍କ ସୂଚନା ମୁତାବକ ପ୍ରଥମେ ପୁରୀରେ ବିମାନବନ୍ଦର ପାଇଁ ଜାଗା ଚିହ୍ନଟ ଉପରେ ଚୂଡ଼ାନ୍ତ ମୋହର ବାଜିବ। କରୋନା ପରିସ୍ଥିତି ପାଇଁ କାମ ସାମାନ୍ୟ ବିଳମ୍ବିତ ହୋଇଛି । ରାଜ୍ୟର ଉତ୍‌କେଲା, ରାଉରକେଲା ଓ ଜୟପୁର ପ୍ରଭୃତି ସ୍ଥାନରୁ ବିମାନ ଉଡାଣ ପାଇଁ ରାଜ୍ୟ ସରକାର ସହଯୋଗ କରୁଛନ୍ତି । ସେହିପରି ସମସ୍ତ ଅବିଭକ୍ତ ଜିଲ୍ଲାରେ ଥିବା ଏୟାର୍ ଷ୍ଟ୍ରିପ୍‌ର ଉନ୍ନତି ପାଇଁ ଆଲୋଚନା ହୋଇଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

ଟ୍ୱିଟର ଇଣ୍ଡିଆ ମୁଖ୍ୟ ମନିଶ ମାହେଶ୍ୱରୀଙ୍କ ବିରୋଧରେ ହିନ୍ଦୁ ଧର୍ମର ଅପମାନ ମାମଲା

ନୂଆଦିଲ୍ଲୀ : ଟ୍ୱିଟର ଇଣ୍ଡିଆର ଏମଡି ମନୀଶ ମାହେଶ୍ୱରୀ ପୁଣି ଏକ ନୁଆ ବିବାଦରେ ଫସିଛନ୍ତି । ଦିଲ୍ଲୀର ଜଣେ ଓକିଲ ତାଙ୍କ ବିରୋଧରେ ହିନ୍ଦୁ ଦେବାଦେବୀଙ୍କ ଅପମାନ ମାମଲା ଆଣିଛନ୍ତି । ଦିଲ୍ଲୀ ପୋଲିସର ସାଇବର ସେଲରେ ସେ ଏନେଇ ଅଭିଯୋଗ କରିଛନ୍ତି । । ମାହେଶ୍ୱରୀଙ୍କ ସହିତ ଏନେଇ ଏକ ଅଣ ଲାଭକାରୀ ସଂସ୍ଥା ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ ଯେ, ନୂଆ ଆଇଟି ନିୟମକୁ ନେଇ ଟ୍ୱିଟର ଓ ଭାରତ ସରକାରଙ୍କ ମଧ୍ୟରେ ବିବାଦ ଜାରି ରହିଛି । ଭାରତ ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ନୂଆ ଆଇନକୁ ଟ୍ୱିଟର ମାନିବାକୁ ରାଜି ନାହିଁ । ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଟଣା ଓଟରା ଚାଲିଛି । ଏହାରି ଭିତରେ ମାହେଶ୍ୱରୀଙ୍କ ବିରୋଧରେ ନୂଆ ମାମଲା ରୁଜ୍ଜ ହୋଇଛି ।

ସୂଚନା ଅନୁସାରେ ଆଦିତ୍ୟ ସିଂହ ନାମକ ଓକିଲ ସାଇବର ସେଲରେ ଅଭିଯୋଗ କରିଛନ୍ତି । ଏଥିରେ ସେ ମାହେଶ୍ୱରୀଙ୍କ ସହିତ ରିପବ୍ଲିକ୍ ଏଥିଷ୍ଟ ନାମକ ଏକ ଅଣ ଲାଭକାରୀ ସଂସ୍ଥା ବିରୋଧରେ ଏଫଆଇଆର ଦାୟର କରାଯାଉ ବୋଲି କହିଛନ୍ତି । ଟ୍ୱିଟରରେ ରିପବ୍ଲିକ୍ ଏଥିଷ୍ଟ୍ ମା’ କାଳିଙ୍କ ବିରୋଧରେ ଆପତିଜନକ ପୋଷ୍ଟ କରିଛି ବୋଲି ଆଦିତ୍ୟ ଅଭିଯୋଗ କରିଛନ୍ତି।

ରିପବ୍ଲିକ୍ ଏଥିଷ୍ଟ ଦ୍ୱାରା ପୋଷ୍ଟ କରାଯାଇଥିବା ମା’ କାଳୀଙ୍କ ଫଟୋ ଦ୍ୱାରା ସାମାଜିକ ବିଦ୍ୱେଶଭାବ ସୃଷ୍ଟି ହେବ ବୋଲି ଆଦିତ୍ୟ ଅଭିଯୋଗ କରିଛନ୍ତି । କୁହାଯାଉଛି ଯେ, ଏହି ପୋଷ୍ଟକୁ ନେଇ ଟ୍ୱିଟର ବିରୋଧରେ ଏଫଆଇଆର ଦାୟର ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ଏହାପୂର୍ବରୁ ଗାଜିଆବାଦର ଏକ ଭିଡିଓକୁ ନେଇ ଟ୍ୱିଟର ଇଣ୍ଡିଆ ଓ ଏହାର ଏମଡି ମାହେଶ୍ୱରୀଙ୍କ ବିରୋଧରେ ମାମଲା ରୁଜ୍ଜ ହୋଇଛି । ଏହି ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ଦ୍ୱାରା ମାହେଶ୍ୱରୀଙ୍କୁ ଅନ୍ତରୀଣ ଜାମିନ ମିଳିବା ପରେ ମାମଲା ଏବେ ସୁପ୍ରିମକୋର୍ଟରେ ପହଂଚିଛି ।

ଜଳିଗଲା ସେନା ବିମାନ, ୧୭ ମୃତ ୪୦ ଗୁରୁତର

ଫିଲିଫାଇନ୍ସରେ ରବିବାର ଘଟିଛି ଏକ ବଡ଼ ଧରଣର ବିମାନ ଦୁର୍ଘଟଣା । ସୂଚନା ମୁତାବକ ଏକ ସାମରିକ ବିମାନ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଥିବା ଜଣାପଡ଼ିଛି । ଦୁର୍ଘଟଣା ସମୟରେ ବିମାନରେ ପାଖାପାଖି  ୮୫ ଜଣ ଯାତ୍ରୀ ଥିବା କୁହାଯାଉଛି। ସେମାନଙ୍କ ମଧ୍ୟରୁ ଏବେ ସୁଦ୍ଧା ୪୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବାବେଳେ ୧୭ ଜଣଙ୍କର ମୃତ୍ୟୁ ହୋଇଛି।

ସୂଚନା ମୁତାବକ ଫିଲିପାଇନ୍ସ ବାୟୁସେନାର c-130 ବିମାନଟି ରବିବାର ଦିନ ସକାଳେ ପାଟିକୁଲ ନିକଟରେ ଦୁର୍ଘଟଣାରେ ଶିକାର ହୋଇଛି । ବିମାନଟି ଯେତେବେଳେ ସୁଲୁ ପ୍ରାନ୍ତ ଜିଲ୍ଲା ଦ୍ୱୀପ ନିକଟରେ ଅବତରଣ କରିବାକୁ ଚେଷ୍ଟା କରୁଥିଲା ସେହି ସମୟରେ ବିମାନରେ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣାଟି ଦକ୍ଷୀଣ ଫିଲିପାଇନ୍ସରେ ଘଟିଥିବା ଫିଲପାଇନ୍ସ ସେନା ପ୍ରମୁଖ ସିରିଲିଟେ ସୋବେଜନା କହିଛନ୍ତି।

https://twitter.com/AlertsPea/status/1411556461365194754?s=20

ବିମାନର ଧ୍ୱଂସାବଶେଷରୁ ଉଦ୍ଧାର ସୈନିକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଏହି ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଫିଲିପାଇନ୍ ସେନା ପକ୍ଷରୁ କୁହାଯାଇଛି ।

ଗୁଣିଗାରେଡ଼ି ସନ୍ଦେହରେ ବିଭତ୍ସ ହତ୍ୟା, ମୁଣ୍ଡ ବିହୀନ ଶବ ଉଦ୍ଧାର

ମୟୁରଭଞ୍ଜ: ମୟୁଭଞ୍ଜ କରଞ୍ଜିଆ ଥାନା ଅନ୍ତର୍ଗତ ବାଲିଭୋଳ ଗ୍ରାମରେ ଘଟିଯାଇଛି ଏକ ବିଭସ୍ୟ ହତ୍ୟାକାଣ୍ଡ। ବାଲିଭୋଳ ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି।

ଗତ ରାତିରେ ଘଟିଛି ଏଭଳି ବୀଭତ୍ସ ହତ୍ୟାକାଣ୍ଡ । ହତ୍ୟାକାରୀ, ମହିଳାଙ୍କ ଶରୀରରୁ ମୁଣ୍ଡ ଅଲଗା କରିଦେଇଛନ୍ତି । ଗାଁ ପାଖ ପଡ଼ିଆ ନିକଟରେ ମୃତଦେହ ପଡ଼ିଥିବା ବେଳେ, ଏପର୍ଯ୍ୟନ୍ତ ମୁଣ୍ଡ ଠାବ ହୋଇପାରିନି। ତେବେ ହତ୍ୟା ପଛରେ କେଉଁମାନଙ୍କର ସଂପୃକ୍ତି ରହିଛି, ସେନେଇ କରଞ୍ଜିଆ ପୋଲିସ ତଦନ୍ତ କରୁଛି।

ଷ୍ଟର୍ଲିଂ ବାୟୋଟେକ ଋଣ ଜାଲିଆତି ମାମଲା: ଅଭିନେତା ଡିନୋ ମୋରିଆଙ୍କ ସମ୍ପତ୍ତି ଜବତ

ମୁମ୍ବାଇ: ବହୁଚର୍ଚ୍ଚିତ ଷ୍ଟର୍ଲିଂ ବାୟୋଟେକ ଋଣ ଜାଲିଆତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବଲିଉଡ୍ ଅଭିନେତା ଡିନୋ ମୋରିଆ, ସଞ୍ଜୟ ଖାନ୍‌ ଓ ଆକ୍ବିଲ ଅବଦୁଲ ଖଲିଲ ବାଚୋଲିଙ୍କ ୮ କୋଟି ଟଙ୍କାର ସମ୍ପତ୍ତି ବ୍ୟାଜାପ୍ତ କରିଛି । ୧୬ ହଜାର କୋଟି ଟଙ୍କାର ଷ୍ଟର୍ଲିଂ ବାୟୋଟେକ ଦୁର୍ନୀତି ମାମଲାର ତଦନ୍ତ ପରିପ୍ରେକ୍ଷୀରେ ଇଡି ଏହି ପଦକ୍ଷେପ ନେଇଛି।

ସୂଚନା ମୁତାବକ ୮ଟି ଅଚଳ ସମ୍ପତ୍ତି, ୩ଟି ଗାଡ଼ି, ବହୁ ବ୍ୟାଙ୍କ ଆକାଉଣ୍ଟ, ସେୟାର, ମ୍ୟୁଚୁଆଲ ଫଣ୍ଡ ଆଦି ଜବତ ହୋଇଛି । ଯାହାର ବର୍ତ୍ତମାନର ମୂଲ୍ୟ ପ୍ରାୟ  ୮ କୋଟି ୭୯ ଲକ୍ଷ ଟଙ୍କା ହେବ। ସଞ୍ଜୟ ଖାନ୍‌ଙ୍କ ୩ କୋଟି ଟଙ୍କାର ସମ୍ପତ୍ତି, ଦିନୋ ମୋରିଆଙ୍କ ୧ କୋଟି ୪୦ ଲକ୍ଷ ଟଙ୍କାର ସମ୍ପତ୍ତି, ଡିଜେ ଆକ୍ବିଲଙ୍କ ୧ କୋଟି ୯୮ ଲକ୍ଷ ଟଙ୍କାର ସମ୍ପତ୍ତି, ଇରଫାନ ଅହମ୍ମଦ ସିଦ୍ଦିକଙ୍କ ୨ କୋଟି ୪୧ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି ।

ସୂଚନାଯୋଗ୍ୟ, ପଳାତକ ଭ୍ରାତା ନୀତିନ ଓ ଚେତନ ସଣ୍ଡେସାରାଙ୍କ ମାଲିକାନାରେ ଥିବା ଷ୍ଟର୍ଲିଂ ବାୟୋଟେକ ବିଭିନ୍ନ ବ୍ୟାଙ୍କରୁ ଋଣ ନେବା ସହ ଜାଲିଆତି ମାମଲା କ୍ରମେ ସିବିଆଇ ପକ୍ଷରୁ ମାମଲା ରଜୁ ହୋଇଥିଲା । ପରେ ଏହାର ତଦନ୍ତ ଭାର ଇଡି ହାତକୁ ଯାଇଥିଲା। ତେବେ ଏହି ମାମଲାର ତଦନ୍ତ କରି ଇଡି ଆଜି ଏହି ତିନିଜଣଙ୍କ ସମ୍ପତ୍ତି ବ୍ୟାଜାପ୍ତ କରିଛି।

ରୋଗୀ ଓ ସମ୍ପର୍କୀୟଙ୍କଠୁ ଜବରଦସ୍ତି ବେଆଇନ ଭାବେ ଅର୍ଥ ଆଦାୟ

ବୁର୍ଲା: ବୁର୍ଲା ଭିମସାରରେ ଅସାଧୁ କର୍ମଚାରୀଙ୍କ ଦୌରାତ୍ମ୍ୟ। ରୋଗୀ ଓ ସମ୍ପର୍କୀୟଙ୍କଠୁ ଜବରଦସ୍ତି ବେଆଇନ ଭାବେ ଅର୍ଥ ଆଦାୟ କରାଯାଉଥିବା ନେଇ ସଙ୍ଗୀନ ଅଭିଯୋଗ ଆସିଛି। ଜରୁରୀକାଳୀନ ବିଭାଗକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ତାଙ୍କ ପରିବାର ଲୋକଙ୍କ ଠାରୁ ୧୦୦ ରୁ ୨୦୦ ଟଙ୍କା ଲେଖାଏଁ ଆଦାୟ କରାଯାଉଛି। ତାହା ପୁଣି ଡାକ୍ତରଙ୍କ ନାମରେ। ଏଭଳି କିଛି ଅଭିଯୋଗ ଓ ରସିଦ୍‌ର ଫୋଟୋ ଓ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।

ଏହି ଭିଡ଼ିଓରେ ଭିମସାରର ଜରୁରୀକାଳୀନ ବିଭାଗର କିଛି କର୍ମଚାରୀ ରୋଗୀ ପରିଜନଙ୍କୁ ଟଙ୍କା ମାଗୁଥିବା ଦେକିବାକୁ ମିଳିଛି । ସେମାନେ ରୋଗୀଙ୍କ ପରିଜନଙ୍କୁ  ଭିମସାରର ସିଲ୍ ଲାଗିଥିବା ଓ ରୋଗୀଙ୍କ ନାମ ଲେଖାଥିବା ଏକ ରସିଦ ଦେଇ ତାଙ୍କଠାରୁ ଅର୍ଥ ଆଦାୟ କରୁଥିବା ଜଣାପଡୁଛି । ତେବେ  କାହା ନିର୍ଦେଶରେ ଏହି ଅର୍ଥ ଆଦାୟ ହେଉଛି ଏବଂ ଏହି ଅର୍ଥ କେଉଁଠିକୁ ଯାଉଛି ତାହା ବର୍ତମାନ ତଦନ୍ତ ସାପେକ୍ଷ।

ଦେଶରେ ବଢୁଛି ଟିକାକରଣ କମୁଛି ସଂକ୍ରମଣ, ଦିନକରେ ୪୩ ହଜାର ୭୧ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦିନକରେ ୪୩ହଜାର ୭୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୫୫ ଜଣଙ୍କ ଜୀବନ ନେଇଛି ଭାଇରସ୍। ସେପଟେ ୨୪ ଘଣ୍ଟାରେ ୫୨ହଜାର ୨୯୯ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶର ମୋଟ କେରାନା ଆକ୍ରାନ୍ତଙ୍କ ସଂକ୍ୟା ୩କୋଟି ୫ଲକ୍ଷ ୪୫ହଜାର ୪୩୩ରେ ପହଞ୍ଚିଥିବା ବେଳେ ମୋଟ୍ ସୁସ୍ଥ ହେଲେଣି ୨କୋଟି ୯୬ଲକ୍ଷ ୫୮ହଜାର ୭୮। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଆକ୍ଟିଭ କେସ୍ ୪ଲକ୍ଷ ୮୫ହଜାର ଥିବା ବେଳେ ମୋଟ୍ ମୃତ୍ୟୁସଂଖ୍ୟା ୪ଲକ୍ଷ ୨ହଜାର ୫କୁ ବୃଦ୍ଧି ହୋଇଛି।

ଅନ୍ୟପଟେ ଦେଶରେ ଟିକାକରଣ ବି ଜୋରଦାର ଚାଲିଛି। ଗତ ୨୪ ଘଣ୍ଟାର ରିପୋର୍ଟ ଅନୁଯାଇ ଦେଶରେ ୩୪ କୋଟିରୁ ଅଧିକ ଲୋକ ଟିକା ନେଇସାରିଛନ୍ତି। କେବଳ ଗତକାଲି ୫୭ ଲକ୍ଷରୁ ଅଧିକ ଟିକାକରଣ ହୋଇଥିବା ସୂଚନା ଦିଆଯାଇଛି।

ସେପଟେ କରୋନା କବଜାରୁ ମୁକୁଳୁଛି ଉତ୍ତରପ୍ରଦେଶ । ପୂର୍ବର୍ରୁ ଏଠି ପ୍ରତିଦିନ ୩୮ ହଜାରରୁ ଅଧିକ କରୋନା ରୋଗୀ ଚିହ୍ନଟ ହେଉଥିବା ବେଳେ ଏବେ ଏହି ସଂଖ୍ୟା ମାତ୍ର ୧୧୨ରେ ପହଞ୍ଚିଛି । କର୍ଣ୍ଣାଟକରେ ବି କମୁଛି କରୋନା ସଂକଟ । ଏନେଇ ସେଠାକାର ସରକାର ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଜୁଲାଇ ୬ ତାରିଖରୁ ୧୫ ଦିନ ପର୍ଯ୍ୟନ୍ତ କଟକଣା କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ୟେଦୁରପ୍ପା ସରକାର। ବିବାହ, ସଂସ୍କାର କାର୍ଯ୍ୟକୁ ବି ଅନୁମତି ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି । ହେଲେ ଏଥିରେ କେବଳ ୧୦୦ ଜଣ ହିଁ ଉପସ୍ଥିତ ରହିବାକୁ କଟକଣା ଜାରି କରିଛନ୍ତି ସରକାର । ସେପଟେ ଦିଲ୍ଲୀରେ କରୋନା ସଂକ୍ରମଣ କମୁଥିଲେ ବି ଏତେ ଜଲଦି ସଂକ୍ରମଣ ଶୁନ୍ ହେବ ନାହିଁ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି । ଯାହା ଏକ ଚିନ୍ତାର ବିଷୟ ପାଲଟିଛି।